Unknown

କୋଣାର୍କ

ତ୍ରୈମାସିକ ସାରସ୍ଵତ ମୁଖପତ୍ର

୧୭୭ତମ ସଂଖ୍ୟା-୨୦୧୫

ନବକଳେବର ବିଶେଷାଙ୍କ

(ମଇ, ଜୁନ ଓ ଜୁଲାଇ: ୨୦୧୫)

ଉପଦେଷ୍ଟା : ଶ୍ରୀ ସାତକଡ଼ି ହୋତା

ସମ୍ପାଦକମଣ୍ଡଳୀ : ଶ୍ରୀମତୀ ଗାୟତ୍ରୀ ସରାଫ୍ , ଡକ୍ଟର ବିଜୟାନନ୍ଦ ସିଂହ , ଡକ୍ଟର ଅରବିନ୍ଦ ରାୟ

ସୌଜନ୍ୟ ସମ୍ପାଦକ : ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର , ଶ୍ରୀ ପୀତବାସ ରାଉତରାୟ

ପରିଚାଳନା ସମ୍ପାଦକ : ଶ୍ରୀ ଅଶ୍ଵିନୀ କୁମାର ମିଶ୍ର

ଓଡ଼ିଶା ସାହିତ୍ୟ ଏକାଡ଼େମୀ

ଭୁବନେଶ୍ଵର

 

ସମ୍ପାଦକୀୟ

ନବକଳେବର : ଏକ ଅନନ୍ୟ ଭାବବୋଧ

ଚଳିତ ସଂଖ୍ୟା ‘କୋଣାର୍କ’ ନବକଳେବର ବିଶେଷାଙ୍କ ଭାବେ ଆତ୍ମପ୍ରକାଶ କରୁଛି । ସମୁଦାୟ ୩୦ ଜଣ ପ୍ରାବନ୍ଧିକ ତଥା ଗବେଷକ ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ଆଧ୍ୟାତ୍ମିକ ଚେତନାର ପୃଷ୍ଠଭୂମିରେ ନବକଳେବରର ମାହାତ୍ମ୍ୟ ତଥା ପରାକାଷ୍ଠାକୁ ନିଜ ନିଜ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ଚାହିଁଛନ୍ତି । ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ବିହାରୀ ଓ ଆଜିର ପରିପ୍ରେକ୍ଷୀରେ ନୂତନ ଦାରୁବିଗ୍ରହ ନିଜସ୍ଵ ଦିବ୍ୟତ୍ଵର ଅବଲୀଳା କ୍ରମେ ଅଗଣିତ ଜନମାନସକୁ ଗଭୀର ଭାବେ ଉଦବୁଦ୍ଧ କରୁଛନ୍ତି । ମଣିଷ ସମାଜର ଦୁଃଖ ଅପ୍ରମିତ । ଏହା ଦିନକୁ ଦିନ ଲମ୍ବିବାରେ ବସିଛି । ଛିଣ୍ଡିବାର ନାଁ ଧରୁନି । ତେବେ ଭାବଗ୍ରାହୀ ଭାବରେ ଜଗବନ୍ଧୁ ମଣିଷର ଆର୍ତ୍ତିକୁ କେଉଁଭଳି ନିଜ ହୃଦୟକୁ ନେବେ ତାହା ଆଜି ବି ଭକ୍ତ ହୃଦୟର ଏକ ଅକଳ୍ପନୀୟ ଆଲୋଡ଼ନ ।

ଓଡ଼ିଆ ଜାତି ପାଇଁ ଏଇ ମହାପ୍ରଭୁ ପ୍ରାଥମିକ କଳ୍ପନାର ଆଦିଭୂଷଣ କହିଲେ କଥାଟି ଅସଙ୍ଗତ ଜଣାପଡ଼ିବନି ବୋଲି ମୋର ଧାରଣା । କବି, ଲେଖକ ନା ଚିତ୍ରକର ଯିଏ ହେଲେ ବି କଳ୍ପନାହିଁ ତାଙ୍କ ସୃଜନର ମହାମନ୍ତ୍ର । ଏହାର ବଶବର୍ତ୍ତୀ ଯେକୌଣସି ସ୍ରଷ୍ଟା ପାଇଁ ଏଭଳି ଖୋରାକିର ଆବଶ୍ୟକତା ସବୁଠୁ ବେଶୀ । ଅନ୍ୟ ଭାଷାରେ କଳ୍ପନାହିଁ ସୃଜନର କଞ୍ଚାମାଲ । କିନ୍ତୁ ସାଧାରଣ କବି ଲେଖକର ଆବେଗ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ଉନ୍ନୀତ ହୋଇ ସାଧାରଣ ଜନମାନସର ଆବେଗ ସହିତ ଏକୀଭୂତ ହେବାରେ ଶ୍ରୀଜଗନ୍ନାଥୀୟ ଚେତନା ନିଶ୍ଚିତ ରୂପେ ଏକ ପ୍ରଭାବଶାଳୀ ଭୂମିକା ନିଭାଉଥିବାର କାରଣ ବେଶ୍ ସ୍ପଷ୍ଟ । ଅନ୍ୟ ଅର୍ଥରେ ଏକ ମହାଚେତନାର ବଳଶାଳୀ ଅଂଶଭାବେ ବହୁଧା ମଣିଷ ଜାତିକୁ ଏହି ଦ୍ୟୁତିଭରା କଳ୍ପନା ଯୁଗେ ଯୁଗେ ସର୍ଜନାର ସାମର୍ଥ୍ୟ ଯୋଗେଇବାରେ ନିଶ୍ଚୟ ପାରଙ୍ଗମ । ସାମ୍ୟ, ମୈତ୍ରୀ ଓ ପ୍ରୀତିର ତ୍ରିବେଣୀ ସଙ୍ଗମରେ ଯଦି ସମଗ୍ର ମଣିଷ ଜାତି ସତରେ ଡୁବ ପକାଇ ପାରୁଛି ତାହେଲେ ୟାଠୁ ବଳି ଆଉ କ’ଣ ଥାଇପାରେ ଏଇ ବିଶ୍ୱଭୂବନରେ ?

ବିଶ୍ୱ ସଂସ୍କୃତି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ସମ୍ବଳିତ ତାତ୍ତ୍ୱିକ ଭାବଧାରା ବିଶେଷତଃ ଆଭିଧାନିକ ପୃଷ୍ଠଭୂମିରେ ତା’ରି ଗୁରୁତ୍ୱକୁ କୌଣସି ସଚେତନ ବ୍ୟକ୍ତି ମାନସ କେବେବି ଅସ୍ୱୀକାର କରି ନପାରେ । ଏକ ଉତ୍କଳୀୟ ପରମ୍ପରାର ପରିଭାଷା ବହନ କରି ଜାଗତିକ ଜନଜୀବନ ଆଗରେ ସ୍ଵତନ୍ତ୍ର ପରିଚୟ ସ୍ଵରୂପ ଆଜି ବି ସଗୌରବେ ଦଣ୍ଡାୟମାନ । ଏଭଳି ଶବ୍ଦାବଳୀ, ଯଥା ‘ଅଣସର’, ‘ଅଧର ପଣା’, ‘ଛପନ ଭୋଗ’, ‘ଦଅଁଣା ମାଳି’, ‘ଅଭଡ଼ା’, ‘ନୁଣୁତାଳିଆ’ ଭଳି ଭାବରାଜି ଏତେ ଶତାବ୍ଦୀ ବିତିଗଲା ପରେ ବି ଶବ୍ଦଙ୍କ ଆକାଶରେ ତାରକା ଭଳି ଝଟକୁଛନ୍ତି । ଏହାହିଁ ଓଡ଼ିଆ ମାଟିର ସ୍ଵତନ୍ତ୍ର ପରିଚୟ । ସେହିଭଳି ଶ୍ରୀମନ୍ଦିର ଯଜ୍ଞମଣ୍ଡପରେ ଗୋବର ଓ ମାଟିର ସମ୍ମିଶ୍ରଣରେ ଯବ, ଧାନ, ଗହମ, ତିଳ, ଧଳାଶୋରିଷ, ମୁଗ, ବିରି, ସୁଆଁଧାନଭରା ଆୟତକ୍ଷେତ୍ରକୁ ଦେଖିଲେ ସାଧାରଣ ଭାବେ ମଣିଷର ଦୃଷ୍ଟି ସେଇ କୃଷିଭିତ୍ତିକ ଶ୍ରମ ଓ ଝାଳର ନିର୍ଗମନ ଆଡ଼କୁ ଟାଣି ହୋଇଯାଏ । ଏ ପୂଜାବିଧି ସୂଚେଇ ଦିଏ କର୍ମ ଉପାସନା ହିଁ ଜୀବନର ମୂଳମନ୍ତ୍ର । ସ୍ଵୟଂ ଶ୍ରୀଜୀଉ ଏହି କର୍ମ-ଶୋଭାର ଦୃଶ୍ୟପଟ, ତାରି ଭିନ୍ନ ମହକ ଭିନ୍ନ ସ୍ଵାଦକୁ ନିଜ ରତ୍ନ ସିଂହାସନରୁ ନିବିଡ଼ ଭାବରେ ଉପଭୋଗ କରୁଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡ଼େମୀର ଦ୍ୱି-ମାସିକ ମୁଖପତ୍ର ‘କୋଣାର୍କ’ ନବକଳେବର ଜନିତ ଏହି ସ୍ଵତନ୍ତ୍ର ସଂଖ୍ୟା ମାଧ୍ୟମରେ ଆଜି ପୁଣି ଥରେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିକୁ ବିଶ୍ୱ ସାଂସ୍କୃତିକ ଦରବାର ଆଗରେ ତାରି ନିଜସ୍ଵ ଭାଷା ଓ ଭାବକୁ ନେଇ ଉପସ୍ଥାପନ କରୁଛି । ପାଠକୀୟ ଓ ଲେଖକୀୟ ଆବେଗରେ ଯୁଗ୍ମଜ୍ୱଳନ ଆମରି ପ୍ରୟାସକୁ ବୁଝି ପାରିଲେ ଆମ ପରିଶ୍ରମ ସାର୍ଥକ ହେଲା ବୋଲି ବୁଝିବାକୁ ହେବ ।

ଏହି ଅବସରରେ ଏଇ ସଂଖ୍ୟାର ସମସ୍ତ ଲେଖକ, ଲେଖିକା ତଥା ଅତିଥି ସମ୍ପାଦକଦ୍ୱୟ ଶ୍ରୀ ପୀତବାସ ରାଉତରାୟ ଓ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କୁ ତାଙ୍କ ସାରସ୍ଵତ ପ୍ରୟାସ ହେତୁ ଧନ୍ୟବାଦ ଜଣାଉଛି ।

ଅଶ୍ୱିନୀ କୁମାର ମିଶ୍ର

 

ପ୍ରସଙ୍ଗକ୍ରମେ

ନବକଳେବର : ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂରଚନା

ରାମାଦି ଯେତେ ଅବତାର

 

ଜଗନ୍ନାଥ ଅଙ୍ଗୁ ବାହାର

ପୃଥ୍ୱୀର ଭାରା ଉଶ୍ୱାସନ୍ତି

 

ଲେଉଟି ଶ୍ରୀଅଙ୍ଗେ ମିଶନ୍ତି

ଏ ଜଗନ୍ନାଥ ଭଗବାନ

 

ଭବରେ ନାହିଁ ଯା’ର ଜନ୍ମ

ଶ୍ରୀ ଦିବାକର ଦାସଙ୍କ ରଚିତ ‘ଶ୍ରୀଜଗନ୍ନାଥ ଚରିତାମୃତ’ ଗ୍ରନ୍ଥର ୨୩ ଅଧ୍ୟାୟରେ ବର୍ଣ୍ଣିତ ଏହି ବର୍ଣ୍ଣନାରୁ ଜଣାଯାଉଛି ଜଗତରେ ଶ୍ରୀଜଗନ୍ନାଥଙ୍କର ଜନ୍ମ ନାହିଁ । ସେ ପରମବ୍ରହ୍ମ । ତେଣୁ ଜଗତରେ ସେ ସର୍ବତ୍ର ବ୍ୟାପ୍ତ ହୋଇ ରହିଛନ୍ତି । ସେ ସର୍ବବ୍ୟାପକ । ତଥାପି ଲୋକମଙ୍ଗଳ ପାଇଁ ସେ ଦାରୁବ୍ରହ୍ମ ରୂପରେ ଆବିର୍ଭୂତ ହୋଇଛନ୍ତି । ତାଙ୍କର ଆବିର୍ଭାବର କାରଣ ଯେପରି ଲୋକକଲ୍ୟାଣ ମୂଳକ, ଆବିର୍ଭାବ ପରର ସମସ୍ତ ଲୀଳା ମଧ୍ୟ ଜଗତକଲ୍ୟାଣକାରୀ ।

ଶ୍ରୀଜଗନ୍ନାଥଙ୍କର ‘ନବକଳେବର’ ଲୀଳା ହେଉଛି ଜୀବମଙ୍ଗଳ ବିଧାୟକଲୀଳା । ଏହି ଲୀଳା ମାଧ୍ୟମରେ ‘ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ’ (ଅତିବଡ଼ି) ବାର୍ତ୍ତାକୁ ସାକାର କରୁଛନ୍ତି । ସଂସାର ‘ମୋହ’ରୁ ମୁକ୍ତି ପାଇଁ ସେ ମଣିଷକୁ ଜନ୍ମ-ମରଣ ଚକ୍ରର ବାସ୍ତବ ରହସ୍ୟକୁ ରୂପାୟିତ କରୁଛନ୍ତି ନବକଳେବର ଲୀଳାରେ ।

ପ୍ରତ୍ୟେକ ମନୁଷ୍ୟର ଶରୀର ପରିବର୍ତ୍ତନଶୀଳ । ମନୁଷ୍ୟ ଶରୀରକୁ ଷଡ଼ବିକାରଗ୍ରସ୍ତ ବୋଲି କହିଥାନ୍ତି । ଜାୟତେ, ସ୍ଥୀୟତେ, ବର୍ଦ୍ଧତେ, ବିପରୀଣ ମତେ ଏବଂ ବିନଶ୍ୟତେ ଅର୍ଥାତ୍ ମନୁଷ୍ୟ ଶରୀର ଜନ୍ମ ନିଏ, ଜନ୍ମ ପରେ ତା’ର ସ୍ଥିତି ଲାଭ ହୁଏ, ବୃଦ୍ଧିପ୍ରାପ୍ତ ହୁଏ, ବୃଦ୍ଧିର ଅନ୍ତ ହୁଏ, ଅବକ୍ଷୟ ଘଟେ ଓ ଶେଷରେ ବିନାଶ ଲାଭ କରେ । ମନୁଷ୍ୟ ଜୀବନର ଏକମାତ୍ର ଧ୍ରୁବସତ୍ୟ ଦେହତ୍ୟାଗ ଓ ପୁନଃ ଦେହ ଧାରଣ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳାର ପ୍ରଥମ ସୋପାନ ପ୍ରମାଣ ‘ନବକଳେବର ବିଧାନ’ । ଏହି ବିଧାନର ବିଧି ନୀତି ଓ ନିୟମ ଯେପରି ବିସ୍ତୃତ, ସେପରି ଶାସ୍ତ୍ରୀୟ ଓ ଆଧ୍ୟାତ୍ମ ଭାବଯୁକ୍ତ ଅଟେ ।

ସମଗ୍ର ଭକ୍ତବୃନ୍ଦ ଶ୍ରୀଜଗନ୍ନାଥଙ୍କୁ ପୂର୍ଣ୍ଣବ୍ରହ୍ମ, ପରମାତ୍ମା ପରମେଶ୍ୱର ଭାବେ ପୂର୍ଣ୍ଣ ପ୍ରାଣରେ ବିଶ୍ୱାସ କରନ୍ତି । ଦାରୁମୂର୍ତ୍ତି ଧାରଣ ପୂର୍ବକ ମାନବୀୟ ଲୀଳା ଏହି ପୁରୁଷୋତ୍ତମ କ୍ଷେତ୍ରର ପରମ ବୈଶିଷ୍ଟ ଅଟେ ।

ପ୍ରଭୁଙ୍କ ଦୈନନ୍ଦିନ ରୀତି ନୀତି ବ୍ୟତୀତ ଥାଏ ବାରମାସରେ ତେର ପର୍ବ । ପୁଣି ଥାଏ ପ୍ରଭୁଙ୍କ ବିଭିନ୍ନ ବେଶ । ଏସବୁ ଲୀଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଜନସମୂହଙ୍କୁ ଆନନ୍ଦ ଓ ଉପଭୋଗ ମାଧ୍ୟମରେ ବିଷମ ଜଞ୍ଜାଳ ମଧ୍ୟରୁ ଆଧ୍ୟାତ୍ମ ଓ ଈଶ୍ୱର ଭାବଯୁକ୍ତ ପରିସରକୁ ଆକୃଷ୍ଟ କରିଆଣିବା । ନବକଳେବର ଯାହା ବିଧାନ ଅନୁସାରେ ଯେଉଁବର୍ଷ ଆଷାଢ଼ମାସ ଅଧିମାତ୍ର ହୋଇଥାଏ ସେହି ଆଷାଢ଼ରେ ହିଁ ନବକଳେବର ସମ୍ପାଦିତ ହୋଇଥାଏ । ବନଯାଗ, ଦାରୁ ସଂଗ୍ରହ, ଶ୍ରୀମୂର୍ତ୍ତି ଗଠନ, ବ୍ରହ୍ମ ପରିବର୍ତ୍ତନ ପ୍ରଭୃତି ସମସ୍ତ ଅଙ୍ଗ ଶାସ୍ତ୍ରୀୟ ବିଧିରେ ଅତ୍ୟନ୍ତ ଭକ୍ତିଭାବ ସହ ସମ୍ପାଦିତ ହୋଇଥାଏ । ପ୍ରଭୁ ନିଜେ ହିଁ ନିଜର ଦେହ ପରିବର୍ତ୍ତନ ପାଇଁ ଆଜ୍ଞାମାଳ ଦେଇଥାଆନ୍ତି ।

ପ୍ରାଚୀନ କାଳରୁ ଏହି ନବକଳେବର ବିଧି ବର୍ତ୍ତମାନ ଯୁଗରେ ସମଗ୍ର ବିଶ୍ୱର ଜନତାଙ୍କୁ ଆକର୍ଷିତ କରିଆସୁଛି । ପ୍ରଭୁଙ୍କର ଏଭଳି ମାନବୀୟ ଲୀଳା ସମ୍ପର୍କରେ ଆହୁରି ଜାଣିବା ପାଇଁ ନବକଳେବର ଅନେକ ଗୋପନ ରୀତିନୀତି କୋଟି କୋଟି ଜନତାଙ୍କୁ ମଧ୍ୟ ଅନୁସନ୍ଧିସ୍ତୁ କରି ଗଢ଼ିତୋଳିଛି ।

‘କୋଣାର୍କ’ ପତ୍ରିକାର ନବକଳେବର ବିଶେଷାଙ୍କ ପ୍ରସ୍ତୁତି ସମୟରେ ଯଥାସାଧ୍ୟ ଚେଷ୍ଟା କରାଯାଇଛି ନବକଳେବର ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ପାଇଁ । ଚିନ୍ତାଦ୍ୟୋତକ ରଚନା ମାଧ୍ୟମରେ ନବକଳେବର ବୈଶିଷ୍ଟ ସମ୍ପର୍କରେ ସାରଗର୍ଭକ ଆଲୋଚନା, ନବକଳେବରର ଐତିହାସିକ ପୃଷ୍ଠଭୂମି, ନବକଳେବରର ଶାସ୍ତ୍ରୀୟ ଭିତ୍ତିଭୂମି, ନବକଳେବର ବିଧି ଓ ପରମ୍ପରା, ନବକଳେବର ସହିତ ସଂଶ୍ଲିଷ୍ଟ ବିଭିନ୍ନ ଦେବଦେବୀ, ପୀଠ, ମଠ ତଥା ବ୍ୟକ୍ତିଙ୍କ ଭୂମିକା, ଓଡ଼ିଆ ସାହିତ୍ୟରେ ନବକଳେବର ତଥା ନବକଳେବର ସମୟରେ ବ୍ୟବହୃତ ହେଉଥିବା ଶବ୍ଦରାଶି ଓ ଜନଜାତିଙ୍କ ପ୍ରଥାରେ ନବକଳେବର ସମ୍ପର୍କରେ ତଥ୍ୟ ପ୍ରଦାନ କରି ପତ୍ରିକାର ନବକଳେବର ସଂଖ୍ୟାକୁ ଏକ ସ୍ମରଣୀୟ ସଂଖ୍ୟା କରିବା ପାଇଁ ଚେଷ୍ଟା କରାଯାଇଅଛି । ସେଥିପାଇଁ ବିଭିନ୍ନ ଗବେଷକ, ଆଲୋଚକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହ ନିବିଡ଼ ଭାବେ ସମ୍ପୃକ୍ତ ଲେଖକମାନଙ୍କର ରଚନାରେ ଏହି ସଂକଳନ ସମୃଦ୍ଧ ହୋଇଥିବାରୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ କୃତଜ୍ଞତା ଜ୍ଞାପନ କରୁଅଛୁ ।

ନବକଳେବର ଏକ ବିରଳ ଓ ଅବିସ୍ମରଣୀୟ ଉତ୍ସବ । ଏହା ଏକ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ସଂରଚନା । ପ୍ରତ୍ୟେକ ସାଂସ୍କୃତିକ ସଂରଚନାର ଦୁଇଟି ପ୍ରସ୍ତ, ଭିତର ଓ ବାହାର । ବାହାର ପ୍ରସ୍ତ ଯାହା ଆମେ ଦର୍ଶନ, ଶ୍ରବଣ ଓ ସ୍ପର୍ଶ ମାଧ୍ୟମରେ ଜାଣିଥାଉ ମାତ୍ର ଭିତର ପ୍ରସ୍ତ ଅତିସୂକ୍ଷ୍ମ । ଏହି ସୂକ୍ଷ୍ମତା ବହୁ ସମୟରେ ରହସ୍ୟମୟ । ଏହି ନବକଳେବର ସେହି ସ୍ଥୂଳ ଓ ସୂକ୍ଷ୍ମ ତତ୍ତ୍ୱକୁ ବୋଧଗମ୍ୟ କରିବା ପାଇଁ ଏହି ସଂକଳନଟି ଏକ କ୍ଷୁଦ୍ର ପ୍ରୟାସ ।

।। ଜୟ ଜଗନ୍ନାଥ ।।

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର

ପୀତବାସ ରାଉତରାୟ

 

ସୂଚୀପତ୍ର

୧.

ନବକଳେବର ରହସ୍ୟ

:

ସୁରେନ୍ଦ୍ର କୁମାର ମିଶ୍ର

୨.

ନବକଳେବର ଏକ ତାତ୍ତ୍ୱିକ ବିଚାର

:

ଅସିତ ମହାନ୍ତି

୩.

ଦାର୍ଶନିକ ଦୃଷ୍ଟିରୁ ନବକଳେବର

:

ଶ୍ରୀଶ ପଟେଲ

୪.

ନବକଳେବରରେ ମୃତ୍ୟୁ ଚେତନା

:

ରାଜକିଶୋର ମିଶ୍ର

୫.

ଦାରୁବ୍ରହ୍ମଙ୍କ ଘଟାନ୍ତର

:

ରଜତ କୁମାର କର

୬.

ଦାରୁ ଓ ଦାରୁବ୍ରହ୍ମ

:

ଗୋପାଳକୃଷ୍ଣ ଦାଶ

୭.

ଜୀବନ ଯଜ୍ଞ ଓ ନବକଳେବର

:

ପ୍ରଭାତ କୁମାର ନନ୍ଦ

୮.

ଦାରୁବ୍ରହ୍ମଙ୍କ ବ୍ରହ୍ମଦାରୁ

:

ଡକ୍ଟର ତୁଳସୀ ଓଝା

୯.

ଊନ୍ନବିଂଶ ଶତାବ୍ଦୀରେ ନବକଳେବରର ଇତିହାସ

:

ଅନ୍ତର୍ଯ୍ୟାମୀ ମିଶ୍ର

୧୦.

ଇତିହାସରେ ନବକଳେବର

:

ଅରବିନ୍ଦ ରାୟ

୧୧.

ଯୋଡ଼ା ଆଷାଢ଼ର ମାହାତ୍ମ୍ୟ

:

ରାଜେନ୍ଦ୍ର କୁମାର ମହାନ୍ତି

୧୨.

ନବକଳେବରରେ ବନଯାଗ ବିଧି

:

ଶ୍ରୀନିବାସ ଆଚାର୍ଯ୍ୟ

୧୩.

ନବକଳେବର ପରମ୍ପରାରେ ମା’ ମଙ୍ଗଳାଙ୍କ ଭୂମିକା

:

ସୁରେନ୍ଦ୍ର କୁମାର ମହାରଣା

୧୪.

ନବକଳେବରରେ ମହାଅଣସର ଓ ଅଣସର ବିଧି

:

ରାମଚନ୍ଦ୍ର ଦାସମହାପାତ୍ର

୧୫.

ବନଯାଗରେ ସମ୍ପୃକ୍ତ ଦେବଦେବୀ

:

କଲ୍ୟାଣୀ ନନ୍ଦୀ

୧୬.

ନବକଳେବରରେ ବୈଦିକ ପଦ୍ଧତି

:

ପୂର୍ଣ୍ଣଚନ୍ଦ୍ର ଗୋଛିକାର

୧୭.

ନବକଳେବରରେ କାରୁଶାଳା ପଦ୍ଧତି

:

ନରେଶ ଚନ୍ଦ୍ର ଦାଶ

୧୮.

ନବକଳେବରର ବିଗ୍ରହ ପ୍ରତିଷ୍ଠା ବିଧି

:

ସୁନୀଲ କୁମାର ରଥ

୧୯.

ନବକଳେବରରେ ରୂପକାର ସେବା

:

ଉମେଶ ଚନ୍ଦ୍ର ଚିହ୍ନରା

୨୦.

ରହସ୍ୟମୟ ଗୁପ୍ତ ରଥଯାତ୍ରା ଓ ଘଟ ପରିବର୍ତ୍ତନ

:

ପୀତବାସ ରାଉତରାୟ

୨୧.

ଶ୍ରୀଜଗନ୍ନାଥଙ୍କ ନବକଳେବର ଓ କୋଇଲି ବୈକୁଣ୍ଠ

:

ଜୟନ୍ତୀ ମିଶ୍ର

୨୨.

ନବକଳେବର ପରମ୍ପରାରେ ଗଜପତି ଓ ଶଙ୍କରାଚାର୍ଯ୍ୟ

:

ଜୟକୃଷ୍ଣ ଦାସ

୨୩.

ନବକଳେବର ଓ ସଂକୀର୍ତ୍ତନ

:

ଦୀପ୍ତି ରାୟ

୨୪.

ନବକଳେବର ପରମ୍ପରାରେ ମଠମାନଙ୍କ ଭୂମିକା

:

ଭାସ୍କର ମିଶ୍ର

୨୫.

ନବକଳେବର ସମ୍ପର୍କୀତ ପ୍ରକାଶିତ ପୁସ୍ତକ-ଏକ ଅନୁଶୀଳନ

:

ପୂର୍ଣ୍ଣଚନ୍ଦ୍ର ମିଶ୍ର

୨୬.

ନବକଳେବର ଶବ୍ଦାବଳୀ

:

ସୁରେନ୍ଦ୍ରନାଥ ଦାଶ

୨୭.

ଓଡ଼ିଆ କବିତାରେ ନବକଳେବର

:

ଅଶ୍ୱିନୀ କୁମାର ମିଶ୍ର

୨୮.

ପଞ୍ଚସଖା ସାହିତ୍ୟରେ ଦାରୁଦେବତା ପ୍ରସଙ୍ଗ

:

ବିଜୟାନନ୍ଦ ସିଂହ

୨୯.

ନବକଳେବର ଘଟଣ ଅଘଟଣ ଓ ଶ୍ରୀଜଗନ୍ନାଥ

:

ପ୍ରଫୁଲ୍ଲ କୁମାର ମିଶ୍ର

୩୦.

ବନବାସୀଙ୍କ ବୃକ୍ଷ ଉପାସନା ଓ ନବକଳେବର

:

ରଞ୍ଜନ ପ୍ରଧାନ

 

 

ନବକଳେବର ରହସ୍ୟ

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର

ଉପକ୍ରମ :

ନବକଳେବର କହିଲେ ଆମେ ବୁଝିବା ନୂତନ ଶରୀର । ଅର୍ଥାତ୍ ପୂର୍ବରୁ ପୁରାତନ ଶରୀର ଥିଲା, ନଇଲେ ନୂତନ ଶରୀର କଥା ଉଠନ୍ତା କାହିଁକି ? ତେବେ ପୁରୁଣା ଶରୀରକୁ ବ୍ରହ୍ମ ବା ଆତ୍ମା ବା ପରମାତ୍ମା ଛାଡ଼ିଲେ । ନୂତନ ଶରୀର ଗ୍ରହଣ କଲେ । ଏଇ ନୂଆ ଶରୀର ବି ଦିନେ ପୁରୁଣା ହେବ । ପୁଣି ନୂଆ ଶରୀର ଆବଶ୍ୟକତା ପଡ଼ିବ । ମହାପ୍ରଭୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାଇଁ ଇୟେ କ’ଣ ଆବଶ୍ୟକତା ? ସେ ତ ପୂର୍ଣ୍ଣବ୍ରହ୍ମ ପୁଣି ଶୂନ୍ୟବ୍ରହ୍ମ । ତାଙ୍କର ନୂଆ ପୁରୁଣା ପ୍ରସଙ୍ଗ ପୁଣି କ’ଣ?

ମହାପ୍ରଭୁଙ୍କର ପ୍ରତ୍ୟେକ ମହୋତ୍ସବ, ବେଶ, ପର୍ବପର୍ବାଣି, ଯାନିଯାତ୍ରା ଓ ସାଧାରଣ ଉତ୍ସବ ଗୋଟିଏ ଗୋଟିଏ ଲୀଳା । ସମସ୍ତ ଲୀଳା ପଛରେ କିଛି ନାଁ କିଛି ରହସ୍ୟ ରହିଛି । ଲୋକମଙ୍ଗଳ, ଲୋକଶିକ୍ଷା ପାଇଁ ଗହନ ରହସ୍ୟକୁ ସାଧାରଣ ଭାବରେ ସାଧାରଣ ଲୋକଙ୍କ ବୁଝିବା ପାଇଁ ତଥା ସାଧାରଣ ଲୋକଙ୍କୁ ତାରିବା ପାଇଁ ଏସବୁ ଲୀଳା । ମହାପ୍ରଭୁଙ୍କ ଉପାସନାର ସାଧାରଣ ଦିଗ ବୋଲି ଯାହା ବୁଝାପଡ଼େ ତାହା ହେଉଛି ଜ୍ଞାନର ରୂପାନ୍ତରିତ ରୂପକଳ୍ପ ।

ନବକଳେବର ମଧ୍ୟ ତାଙ୍କର ଏହିପରି ଏକ ଅଭିନବ ଲୀଳା । ସନାତନୀୟ ରହସ୍ୟର ରୂପକଳ୍ପ । ସମଗ୍ର ଭାରତବର୍ଷରେ ମହାପ୍ରଭୁଙ୍କ ନବକଳେବର ଲୀଳା ପରି ଲୀଳା ନାହିଁ । ଭାରତରେ ଚାରିଧାମ ମଧ୍ୟରେ କେବଳ ଶ୍ରୀଜଗନ୍ନାଥ ଧାମରେ ଏହି ଲୀଳା ଦେଖାଯାଏ । ୟାକୁ ମହାପ୍ରଭୁଙ୍କର ଏକ ମହୋତ୍ସବ ମଧ୍ୟ ଆମେ କହିପାରିବା । ଦୀର୍ଘ ଦୁଇମାସ ଧରି ତେରିଟି ବିଧିବିଧାନ ପରେ ଏହା ସମାପ୍ତ ହୁଏ । ତାପରେ ଆରମ୍ଭ ହୁଏ ରଥଯାତ୍ରା ମହୋତ୍ସବ । ନବକଳେବର ମହୋତ୍ସବ ଦୀର୍ଘଦିନ ଧରି ପାଳିତ ହୁଏ, ଦୀର୍ଘବର୍ଷ ବ୍ୟବଧାନରେ ଯୋଡ଼ା ଆଷାଢ଼ରେ ଏହା ପାଳିତ ହୁଏ । ମହାପ୍ରଭୁ ନିଜେ ଶ୍ରୀପୁରୁଷୋତ୍ତମ । ତାଙ୍କ କ୍ଷେତ୍ର

ଶ୍ରୀପୁରୁଷୋତ୍ତମ କ୍ଷେତ୍ର । ତାଙ୍କର ଏହି ଲୀଳା ମଧ୍ୟ ‘ପୁରୁଷୋତ୍ତମମାସ’ରେ ହିଁ ହୋଇଥାଏ । ଦୀର୍ଘବର୍ଷ ବ୍ୟବଧାନରେ ଦୀର୍ଘଦିନ ଧରି ପାଳିତ ହେଉଥିବା ଭାରତବର୍ଷର ଏଇ ଅନନ୍ୟ ମହୋତ୍ସବର ରହସ୍ୟ ମଧ୍ୟ ଖୁବ୍ ଦୀର୍ଘ । ମହୋତ୍ସବର ଲୋକବାର୍ତ୍ତା ଜୀବନ ଓ ମରଣକୁ ନେଇ । ଏହି ବାସ୍ତବ ରହସ୍ୟ ଯେପରି ସାଧାରଣ ମଣିଷକୁ ଛୁଇଁବ ସେପରି ଚର୍ଚ୍ଚାର କାହିଁ କେଉଁଠି ଟିକେ ଶୂନ୍ୟସ୍ଥାନ ରହିଲାପରି ମନେହୁଏ । ଓଡ଼ିଆଭାଷାରେ ଏହି ମହୋତ୍ସବକୁ ନେଇ ପ୍ରକାଶ ପାଇଛି ୨୨ ଖଣ୍ଡ ପୁସ୍ତକ । ସବୁଥିରେ ଶ୍ରୀମଦ୍ଭଗବଦଗୀତାର ସେଇ ପ୍ରସିଦ୍ଧ ଶ୍ଲୋକ ଯଥା- ‘ବାସାଂସି ଜୀର୍ଣ୍ଣାନି’ର କଥା ଟିକିଏ ଉପଲକ୍ଷ୍ୟ ମାତ୍ର ରହିଛି । ଇଂରାଜୀ, ହିନ୍ଦୀ, ବଙ୍ଗଳା ଭାଷାରେ ମହୋତ୍ସବକୁ ନେଇ ପ୍ରକାଶ ପାଇଥିବା ୭ ଖଣ୍ଡ ପୁସ୍ତକ ମଧ୍ୟ ଓଡ଼ିଆ ଭାଷାରୁ ଉତ୍ତରା ହେଲାପରି ମୋଟାମୋଟି ମନେହୁଏ । ଓଡ଼ିଆରେ ନବକଳେବର ସମ୍ବନ୍ଧରେ ପ୍ରକାଶ ପାଇଥିବା ୧୭୧ଟି ପ୍ରବନ୍ଧ ଘାଣ୍ଟିବା ପରେ ସେଇ ଏକା କଥା । ନିରାଶ ହେବାକୁ ପଡ଼େ । ବାସ୍ତବ ରହସ୍ୟକୁ ଛୁଇଁବାର ପଣ ନେଇ ମହାପ୍ରଭୁଙ୍କର ଏତେବଡ଼ ଲୀଳାର ଭିତିରି ରହସ୍ୟ ଆଲୋଚନା ପରିସରକୁ ଆଣିବାର ଚେଷ୍ଟା କରାଯାଇଛି । କାରଣ ପରିବର୍ତ୍ତନର ଲୀଳା ଇୟେ । ପରିବର୍ତ୍ତନର ବାର୍ତ୍ତା ସବୁକାଳେ ଅବୁଝା-। ଚିରାଚରିତ ଶଗଡ଼ଗୁଳାରୁ ବାହାରି ଆସି ପରିବର୍ତ୍ତନରେ ସାମିଲ ହେବାକୁ ମନଟିଏ ଆବଶ୍ୟକ । ସେଇ ‘ମନ’କୁ ପ୍ରସ୍ତୁତ କରିବା ଆଗ ।

ଜନ୍ମ-ମରଣ ରହସ୍ୟ :

ମୂଳରୁ ସୂଚନା ଦେଇଛୁ ଜୀବନ ଓ ମରଣ ଭିତ୍ତିକ ରହସ୍ୟକୁ ଲୋକପରମ୍ପରାରେ ଲୋକଙ୍କୁ ଜଣେଇବାର ସଚେତନ କରାଇବାର ଇଚ୍ଛାରେ ମହାପ୍ରଭୁଙ୍କର ଏଇ ଲୀଳା । ମୃତ୍ୟୁ ଏବଂ ମରଣ ଦୁଇଟିଯାକ ଜୀବନ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମୃତ୍ୟୁ କେବେ ବି ମରଣ ନୁହେଁ । ମରଣ ମଧ୍ୟ ମୃତ୍ୟୁ ନୁହେଁ । ଭାରତୀୟ ପରମ୍ପରାରେ ମୃତ୍ୟୁ ରହସ୍ୟର ମହାନ୍ ପ୍ରବକ୍ତା ହେଉଛନ୍ତି ମହର୍ଷି ସନତସୁଜାତ । ରାଜା ଧୃତରାଷ୍ଟ୍ର ମଧ୍ୟ ଦିନେ ଏଇ ରହସ୍ୟକୁ ଭେଦ କରିବାକୁ ଇଚ୍ଛା କରିଥିଲେ । ମହାଭାରତର ଉଦ୍ୟୋଗ ପର୍ବର ପ୍ରସଙ୍ଗ ଇୟେ । ରାଜା ଧୃତରାଷ୍ଟ୍ରଙ୍କର ପ୍ରଥମ ପ୍ରଶ୍ନ ଥିଲା- ମହର୍ଷି-! ମୃତ୍ୟୁ ବୋଲି କିଛି ନାହିଁ, ଏପରି ଏକ ସିଦ୍ଧାନ୍ତ ଆପଣ ଦେଇଛନ୍ତି, କିନ୍ତୁ ମୁଁ ଜାଣିବାକୁ ପାଉଛି ମୃତ୍ୟୁ ଅଛି । ଦେବତା ଓ ଅସୁରମାନେ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ‘ବ୍ରହ୍ମଚର୍ଯ୍ୟ’ ପାଳନ କରିଥିଲେ-। ଏଥିରୁ କେଉଁଠି ଠିକ୍ ?

ମହର୍ଷିଙ୍କର ଏଥିପାଇଁ ଚମତ୍କାର ଉତ୍ତର ଥିଲା । ମହାରାଜ ! ମୃତ୍ୟୁର ଦୁଇଟି ପକ୍ଷ ଅଛି-। ମୃତ୍ୟୁ ଅଛି ଗୋଟିଏ ପକ୍ଷ । ବ୍ରହ୍ମଚର୍ଯ୍ୟ ପାଳନରେ ଜିତିଯିବା ସମ୍ଭବ । ମୃତ୍ୟୁ ନାହିଁ, ଇୟେ ବି ଠିକ୍-। ଏହା ଦ୍ୱିତୀୟ ପକ୍ଷ । ମୃତ୍ୟୁ ଅଛି ବୋଲି ସ୍ୱୀକାର ଯେଉଁମାନେ କରନ୍ତି, ସେମାନେ ମୋହଗ୍ରସ୍ତ ହୋଇ ପଡ଼ିଛନ୍ତି । ଏହି ମୋହ ହେଉଛି ଜୀବନର ପ୍ରମାଦ । ତେଣୁ ପ୍ରମାଦ ହିଁ ମୃତ୍ୟୁ ।

ଅପ୍ରମାଦ ହିଁ ଅମୃତତ୍ୱ । ମହାରାଜ ! ଜୀବନରେ ଏଇ ପ୍ରମାଦ କାରଣରୁ ଅସୁରମାନେ ମୃତ୍ୟୁଠାରୁ ପରାଜିତ ହୋଇଗଲେ । ପ୍ରମାଦ ନଥିବାରୁ ଦେବତାମାନେ ଜୟ କରିଗଲେ । ପ୍ରମାଦକୁ ବିକାର ଅର୍ଥରେ ମଧ୍ୟ ଆମେ ଗ୍ରହଣ କରିପାରିବା ।

ମହାରାଜ ! କିଛି ଲୋକ ଏଇ ‘ପ୍ରମାଦ’ ସମସ୍ୟାକୁ ଏଡ଼େଇ ଯିବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ ମତରେ ‘ଯମ’ ହେଉଛନ୍ତି ମୃତ୍ୟୁ । ଯମ ପିତୃଲୋକର ଶାସନକର୍ତ୍ତା । ପୁଣ୍ୟାତ୍ମାଙ୍କ ପାଇଁ ସେ ମଙ୍ଗଳମୟ । ପାପୀଙ୍କ ପାଇଁ ଅମଙ୍ଗଳମୟ (ଶିବଃ ଶିବାନାମଶିବୋଽଶିବାନାମ୍’) । ‘ଯମ’ଙ୍କୁ ‘କାଳ’ କହିବାରେ ବା ବୁଝିବାରେ କୌଣସି ଅସଙ୍ଗତି ନାହିଁ । ଏଇ କାଳ ହିଁ କ୍ରୋଧ, ପ୍ରମାଦ ଓ ଲୋଭ ତିନୋଟି ଗୁଣକୁ ମଣିଷ ପାଇଁ ଛାଡ଼ିଦିଏ । ଏଇ ତିନୋଟି ହେଉଛନ୍ତି ମୃତ୍ୟୁର ରୂପ । ମଣିଷ ତିନି ଗୁଣକୁ ଆପଣେଇ ନେଇ ବିନାଶ ଦିଗକୁ ଗତିକରେ । ଏହି ଗୁଣ ସବୁ ମଣିଷକୁ ମୋହିତ କରେ । ମୋହିତ ହୋଇଯିବା ପରେ ଅହଙ୍କାରର ଅଧୀନ ହୋଇଯାଏ । ମହାରାଜ ! ମନେ ରଖିବେ ଅହଙ୍କାର ହିଁ ମଣିଷକୁ ଜନ୍ମ-ମରଣ ଚକ୍ରରେ ପକେଇଦିଏ ।

ଜୀବନର ମରଣ ହେଲେ ତା’ ସହିତ ତିନିଜଣ ସାଙ୍ଗରେ ଯାନ୍ତି । ସେମାନେ ହେଲେ ମନ, ଇନ୍ଦ୍ରିୟ ଓ ପ୍ରାଣ । ଶରୀରରୁ ପ୍ରାଣ ରୂପକ ଇନ୍ଦ୍ରିୟ ବିଯୁକ୍ତ ହେଲେ ମୃତ୍ୟୁ ସେଇଠି ‘ମରଣ’ ସଂଜ୍ଞାକୁ ପ୍ରାପ୍ତ ହୁଏ (ଅତୋ ମୃତ୍ୟୁ ମରଣାଖ୍ୟାମୁପୈତି) । ଏଇଠି ମହର୍ଷିଙ୍କ କଥାର ଆଉଟିକେ ସରଳ ପାଇଁ ଆମେ ତନ୍ତ୍ରଦର୍ଶନକୁ ଆଧାର କରିପାରିବା । ତନ୍ତ୍ର ମତରେ ପ୍ରତି ମୁହୂର୍ତ୍ତରେ ମଣିଷର ମରଣ ହୋଇ ଚାଲିଛି । ଦିନେ ସବୁ ମୁହୂର୍ତ୍ତ ସରିଯିବ । ସେଇ ସମୟ ହିଁ ମରଣର ଶେଷ ମୁହୂର୍ତ୍ତ । ଏହି ମରଣ ହେଉଛି ବଞ୍ଚିଥିବା ଗୋଟେ ଶରୀରର ମରଣ । ଆତ୍ମାର ନୁହେଁ । ଆତ୍ମାର ତ ମରଣ ନାହିଁ ! ମହାଭାତରେ ଅମୃତତ୍ୱ ପାଇବାର ଅର୍ଥ ବ୍ରହ୍ମପ୍ରାପ୍ତି ସହିତ ଯୋଡ଼ା ଯାଇଛି, କିନ୍ତୁ ତନ୍ତ୍ରରେ ଅମୃତତ୍ତ୍ୱକୁ ଆତ୍ମା ସହିତ ଯୋଡ଼ା ହୋଇଛି । ତନ୍ତ୍ର ମତରେ ଅମୃତ ବା ଆତ୍ମା ପ୍ରତି ମୋହ ସୃଷ୍ଟି ନହେବା ପର୍ଯ୍ୟନ୍ତ ମୃତ୍ୟୁକୁ ଜାଣିବା କଷ୍ଟ । ଜନ୍ମ ହେଉଥିବ, ମରଣ ହେଉଥିବ, ମାତ୍ର ମୃତ୍ୟୁ ରହିଯିବ କାହିଁ କେତେ ଦୂରରେ ।

ସେଇଥିପାଇଁ ତନ୍ତ୍ରରେ ବତେଇ ଦିଆଯାଇଛି ମୃତ୍ୟୁକୁ ଯଦି ଗୋଟିଏ ଜନ୍ମରେ ଜାଣି ହେଲାନି, ତେବେ ଦିନେ ହଠାତ୍ ମରଣ ଆସିବ । ମରଣ ଆସିବ ମାନେ ପୁଣି ଜନ୍ମ ଆସିବ । ଜନ୍ମମରଣରେ ପଡ଼ିଯିବା ମାନେ ମୃତ୍ୟୁକୁ ଜୟ କରିପାରିଲ ନାହିଁ ବୋଲି ବୁଝାଯିବ । ଜନ୍ମମରଣ ରହସ୍ୟକୁ ବୁଝାଇବାକୁ ଯାଇ ମହର୍ଷି ସନତସୁଜାତ କହୁଛନ୍ତି- ମହାରାଜ ! ପୂର୍ବଜନ୍ମମାନଙ୍କର କର୍ମକୁ ସ୍ୱୀକାର କରିବାକୁ ହେବ । ଏଥିଯୋଗୁଁ କର୍ମଫଳ ପ୍ରତି ଆସକ୍ତି ଆସିଲେ ମରଣ ପରେ ମଣିଷ ପରଲୋକ ଗମନ କରେ । ସେଇ ଆସକ୍ତି କାରଣରୁ ଉପଭୋଗ ଇଚ୍ଛାରେ ପୁଣି ଜନ୍ମ ନିଏ । ମଣିଷ ଯଦି ମୃତ୍ୟୁକୁ ଜାଣିଥାନ୍ତା, ତେବେ ଆତ୍ମସାକ୍ଷାତ୍କାର ହୋଇଥାନ୍ତା । ନାଁ ସେ ପରଲୋକ ଯାଇଥାନ୍ତା, ନାଁ ସେ ପୁଣି ଜନ୍ମ ନେଇଥାନ୍ତା ! ମହାରାଜ ! ଉପଭୋଗ ଓ ଆସକ୍ତି କାହିଁକି ହୁଏ ଜାଣନ୍ତୁ । ଉପଭୋଗ ସହିତ ଆସକ୍ତି ମିଶିଯାଏ । ଉପଭୋଗର ଆସକ୍ତି ମଣିଷକୁ ମୋହ ଆଡ଼କୁ ମୁହାଁଇ ନିଏ । ୟାଦ୍ୱାରା ଭିତରେ ଥିବା ଜ୍ଞାନଶକ୍ତି ନଷ୍ଟ ହୋଇଯାଏ ।

ମୃତ୍ୟୁରୁ ମୁକ୍ତି :

ମହାରାଜ ! ପ୍ରଥମେ ବିଷୟଚିନ୍ତା ମଣିଷକୁ ବଞ୍ଚି ଥାଉଥାଉ ମାରିଦିଏ । ତହିଁକି କାମ, କ୍ରୋଧ, ପ୍ରହାର ଆରମ୍ଭ କରିଦିଅନ୍ତି । ୟା ଫଳରେ ମଣିଷଟି ବିବେକହୀନ ହୋଇଯାଏ । ବିବେକହୀନତା ମରଣ ଆଡ଼କୁ ଟାଣିନିଏ । ଯାହାର ଜ୍ଞାନଶକ୍ତି ନଷ୍ଟ ହୋଇ ନାହିଁ, ତାର ବୁଦ୍ଧି ସ୍ଥିର । ଅମାପ ଧୈର୍ଯ୍ୟ ବି ତାର ଥାଏ । ସେ ହିଁ ମୃତ୍ୟୁକୁ ଜୟ କରିଥାଏ । ମରଣ ତାର କିଛି କରିପାରେ ନାହିଁ (ଧୀରାସ୍ତୁ ଧୈର୍ଯ୍ୟେଣ ତରନ୍ତି ମୃତ୍ୟୁମ୍) ।

ମହର୍ଷିଙ୍କ ପ୍ରତିପାଦିତ ଶୈଳୀକୁ ଆମେ ତନ୍ତ୍ର ଦୃଷ୍ଟିରୁ ବିଚାର କଲେ ଆହୁରି ଆମକୁ ସରଳ ହୋଇଯିବ । ତନ୍ତ୍ର ସିଦ୍ଧାନ୍ତ ହେଲା ମରଣର ଅର୍ଥ ଜୀଇଁଥିବା ଶରୀରରୁ ପ୍ରାଣଶକ୍ତି ଅଲଗା ହୋଇଯିବା । ଏପରି ବହୁବାର ଘଟିଛି, ଘଟୁଛି । ଇୟେ କେବେ ବି ମୃତ୍ୟୁ ନୁହେଁ । ମରଣବେଳେ କଦାପି ମୃତ୍ୟୁକୁ ଜାଣିହୁଏ ନାହିଁ । ଜାଣିବା ଅସମ୍ଭବ । ମଣିଷର ଶରୀରରୁ ଜୀବ ଅଲଗା ହେବାବେଳେ ସେ ଅଚେତ ଅବସ୍ଥାରେ ରହିବାକୁ ବାଧ୍ୟ । ଅଲଗା ହେବାରେ ଯେଉଁ କଷ୍ଟ, ତାହା ମଣିଷକୁ ଅଚେତ କରିଦିଏ । ତେଣୁ ମହର୍ଷି ସନତସୁଜାତ, ‘ଧୈର୍ଯ୍ୟ’ ଶବ୍ଦଟିଏ ପ୍ରୟୋଗ କରିଛନ୍ତି । ଧୈର୍ଯ୍ୟର ସହିତ କାମନାକୁ ନଷ୍ଟ କରିବା କଥା । ଥରେ କାମନା ନଷ୍ଟ ହୋଇଗଲେ ସାଧାରଣ ମଣିଷକୁ ମରଣ ମାରିଦେବା ପରି ମାରିପାରେ ନାହିଁ । ମହର୍ଷି କହୁଛନ୍ତି- ମହାରାଜ ! ଯେଉଁଠି ‘ମରଣ’ ରହିବ ନାହିଁ, ସେଠି ଜନ୍ମ ମରଣଚକ୍ରରୁ ପାର ହୋଇଯିବା ସ୍ୱାଭାବିକ । କାମନା ପଛରେ ଧାଉଁଥିବା ମଣିଷ କାମନା ସହିତ ନଷ୍ଟ ହୋଇଯାଏ । କାମନାକୁ ନରକ ବୋଲି ବୁଝନ୍ତି ।

ବୁଝୁନି ମନ ମହାରାଜ ଧୃତରାଷ୍ଟ୍ରଙ୍କର । ‘ନରକ’ ଶବ୍ଦ ଚହଲେଇ ଦେଉଛି ପୁଣି । ପଚାରୁଛନ୍ତି- ମହର୍ଷି ! କିଛି ଲୋକ ଧର୍ମ ଆଚରଣ କରନ୍ତି, କିଛି ଲୋକ କରନ୍ତି ନାହିଁ । ତେବେ ଧର୍ମ, ପାପଦ୍ୱାରା ନଷ୍ଟ ହୁଏ ନା ଧର୍ମ ହିଁ ପାପକୁ ନଷ୍ଟ କରେ ? ମହର୍ଷି ତତକ୍ଷଣାତ୍ କହୁଛନ୍ତି- ମହାରାଜ ! ଦି’ଟାଯାକ ଭୋଗ କରିବାକୁ ପଡ଼େ । ଧର୍ମର ଫଳ ଅଲଗା, ପାପର ଫଳ ବି ଅଲଗା । ଠିକ୍ ‘ମାନ’ ଓ ‘ମୌନ’ ପରି । ‘ମାନ’ଦ୍ୱାରା ଏହି ସଂସାରରେ ସୁଖ ମିଳେ । ‘ମୌନ’ଦ୍ୱାରା ପରଲୋକରେ ସୁଖ ମିଳେ ।

ମହାରାଜ ଧୃତରାଷ୍ଟ୍ରଙ୍କର ମୁଖମଣ୍ଡଳର ହାବଭାବ ବଦଳି ବଦଳି ଯାଇଛି । ଆଗ୍ରହ ସହିତ ଆବେଗ ବଢ଼ି ଗଲାପରି ଜାଣିପାରିଛନ୍ତି ମହର୍ଷି । କହିଲେ ମହର୍ଷି ! ମୌନର ପୁଣି ପରିଭାଷା କ’ଣ ? ମୌନ କ’ଣ ବାଣୀର ସଂଯମ ? ନାଁ ପରମାତ୍ମାଙ୍କ ସ୍ଵରୂପ ମୌନ ? ମୌନଦ୍ୱାରା କ’ଣ ମୌନରୂପ ପରମାତ୍ମାଙ୍କୁ ପାଇ ହୁଏ ?

ମୌନପୁରୁଷ ଶ୍ରୀଜଗନ୍ନାଥ :

ୟାର ସୁନ୍ଦର ପରିଭାଷା ଦେଇଛନ୍ତି ମହର୍ଷି ସନତସୁଜାତ । କହିଲେ- ମହାରାଜ ! ବେଦ ହେଉଛି ବାଣୀର ସ୍ଵରୂପ । ଏହି ବାଣୀରୂପ ବେଦ ମନ ସହିତ ଯେଉଁଠି ପହଞ୍ଚିପାରେ ନାହିଁ, ସେହି ପରମାତ୍ମା ପରଂବ୍ରହ୍ମଙ୍କ ନାମ ମୌନ । ତାଙ୍କୁ ମୌନପୁରୁଷ ବୋଲି ଜାଣ । ଏଇଠି ଗୀତାର ‘ପୁରୁଷ’ ତତ୍ତ୍ୱ ସାମାନ୍ୟ ଭିନ୍ନମୋଡ଼ ନେଇଛି । ପୁରୁଷରୁ ମହାପୁରୁଷ ହେବା ପରେ ‘ଉତ୍ତମପୁରୁଷ’ ଆଡ଼କୁ ଗତି ହୁଏ । ଉତ୍ତମପୁରୁଷ ପରେ ପୂର୍ଣ୍ଣପୁରୁଷର ସ୍ଥିତି । ଉତ୍ତମପୁରୁଷକୁ ପରମାତ୍ମା ବୋଲି ବୁଝିଲେ ବୁଝିବାରେ ଗୋଳମାଳ ଧରିବ । ଆଦିପୁରୁଷ ଓ ଅକ୍ଷର ପୁରୁଷ ବି ନୁହଁନ୍ତି । ୟାଠାରୁ ଆହୁରି ଉଚ୍ଚସ୍ତରରେ ରହିଛନ୍ତି ପୂର୍ଣ୍ଣବ୍ରହ୍ମ । ପୂର୍ଣ୍ଣପୁରୁଷ ମଧ୍ୟ ପୂର୍ଣ୍ଣବ୍ରହ୍ମ ନୁହଁନ୍ତି । କେବଳ ପୁରୁଷୋତ୍ତମ ହିଁ ପୂର୍ଣ୍ଣବ୍ରହ୍ମ ହୋଇପାରନ୍ତି । ମହର୍ଷି ସନତସୁଜାତ ସେହି ପୂର୍ଣ୍ଣବ୍ରହ୍ମଙ୍କୁ ପରଂବ୍ରହ୍ମ ଶବ୍ଦରେ ବ୍ୟକ୍ତ କରିଛନ୍ତି, ଯିଏ ମୌନ ପୁରୁଷ । ପୁରୁଷୋତ୍ତମ ଓ ମୌନପୁରୁଷଙ୍କ ମଧ୍ୟରେ କୌଣସି ଭେଦ ନାହିଁ ।

ଉପନିଷଦର ପୁରୁଷତତ୍ତ୍ୱ ସନାତନ ଚେତନାରେ କ୍ରମ ବିକାଶ ଲାଭ କରି ଯେଉଁ ‘ପୁରୁଷୋତ୍ତମ’ ଭାବରେ ନିର୍ଦ୍ଦିଷ୍ଟ ହୋଇଛନ୍ତି, ମହାଭାରତରେ ମହର୍ଷି କହିଥିବା ପରମାତ୍ମା ହେଉଛନ୍ତି ସେହି ପୂର୍ଣ୍ଣବ୍ରହ୍ମ ପୁରୁଷୋତ୍ତମ । ଯିଏ କି ମୌନ ପୁରୁଷ । ମୃତ୍ୟୁ ରହସ୍ୟରେ ପୁରୁଷୋତ୍ତମଙ୍କ ସହିତ ମୌନ ପୁରୁଷ ସମୀକରଣ ହେଲାପରି ଜଣାଯାଉଛି । ଏହି ମୌନପୁରୁଷଙ୍କ ପାଖରେ ପହଞ୍ଚିବାକୁ ହେଲେ ଜ୍ଞାନ ସହିତ ମନକୁ ଏକାଠି କରିବା ପ୍ରଥମେ ଆବଶ୍ୟକ । ଏଠି ଜ୍ଞାନ କହିଲେ ଉପରେ କୁହାଯାଇଥିବା ବାଣୀସ୍ଵରୂପ ବେଦ । ମହର୍ଷିଙ୍କ ମତରୁ ଜଣାଯାଉଛି ଜ୍ଞାନ, ମନ ସହିତ ଯେଉଁଠି ପହଞ୍ଚିପାରେ ନାହିଁ ଅର୍ଥାତ୍ ପହଞ୍ଚିବା ପାଇଁ ଆହୁରି କିଛି କଳା ଅଛି, ସେ କଳାଟି ହେଉଛି ବୁଦ୍ଧି । କେବଳ ବୁଦ୍ଧି ମିଶିଲେ ବି ହେବ ନାହିଁ । ନିଶ୍ଚଳା ବୁଦ୍ଧି ହୋଇଥିବ । ନିଶ୍ଚଳା ବୁଦ୍ଧି ପାଇଁ ବ୍ରହ୍ମଚର୍ଯ୍ୟ ଆବଶ୍ୟକ । ସେଥିପାଇଁ ଦେବତା ଓ ଅସୁରଙ୍କ ପ୍ରସଙ୍ଗ ପ୍ରଥମ ପ୍ରଶ୍ନରେ ସ୍ଥାନ ପାଇଥିଲା । ସେଠି ବ୍ରହ୍ମଚର୍ଯ୍ୟର କଥା ସୂଚାଇ ଦିଆଯାଇଥିଲା । ଆମେ ସାଧାରଣରେ ବୁଝୁଥିବା ବ୍ରହ୍ମଚର୍ଯ୍ୟର ପରିଭାଷା ମୃତ୍ୟୁ ରହସ୍ୟ ପ୍ରସଙ୍ଗରେ ସେୟା ନୁହେଁ । ତାହା ହିଁ ସ୍ପଷ୍ଟ ହୋଇଛି ମହାରାଜା ଧୃତରାଷ୍ଟ୍ରଙ୍କ ପ୍ରଶ୍ନରେ । ତାଙ୍କର ପ୍ରଶ୍ନ ଥିଲା- ମହର୍ଷି ! ବ୍ରହ୍ମଚର୍ଯ୍ୟଦ୍ୱାରା ଯଦି ବ୍ରହ୍ମବିଦ୍ୟା ଜାଣିହୁଏ, ମୌନପୁରୁଷଙ୍କ ପାଖରେ ପହଞ୍ଚି ହୁଏ, ତେବେ ସେ ବ୍ରହ୍ମଚର୍ଯ୍ୟ କ’ଣ ?

ମହର୍ଷି ବୁଝାଇଛନ୍ତି ଧୃତରାଷ୍ଟ୍ରଙ୍କୁ । ପ୍ରଥମେ ସେ ପ୍ରାଥମିକତା ଦେଇଛନ୍ତି ‘ସେବାକୁ’ । ଉଦାହରଣ ଦେଇଛନ୍ତି ଆଚାର୍ଯ୍ୟଙ୍କ ସେବା । ସେବା ମଣିଷକୁ କ’ଣ ଦିଏ ? ନିଜ ଭିତରେ ଅହରହ ଉଙ୍କିମାରୁଥିବା କାମନା ବାସନାକୁ ପ୍ରଥମେ ବଳିଦିଏ । ୟାକୁ ବଳି ନଦେଲେ କାମନା ଯଦି ମନରେ କାଣିଚାଏ ରହିଯାଏ ତେବେ ‘ସ୍ଵାର୍ଥ’ ରହିବ ହିଁ ରହିବ । ନିଃସ୍ଵାର୍ଥପର ସେବାରେ ମାହିର ହୋଇଯିବା ପରେ ମନରେ ଥିବା ସମସ୍ତ ଦ୍ୱନ୍ଦ ଶେଷ ହୋଇଯାଏ । ମନେ ରଖିବାକୁ ହେବ ମଣିଷକୁ ଦ୍ୱନ୍ଦ ହିଁ ସବୁବେଳେ ଦହନ କରୁଥାଏ । ୟାକୁ ସହିବା ଓ ଆସ୍ତେ ଆସ୍ତେ ଏଥିରୁ ମୁକୁଳିଯିବା ପରେ, ବିବେକଦ୍ୱାରା ଦେହରୁ ଆତ୍ମାକୁ ଅଲଗା ଅଲଗା ଭାବରେ ବୁଝିବାକୁ ସମର୍ଥ ହୋଇଯାଏ । ଏଇ ସମର୍ଥ ହେବାକୁ କୁହାଯାଏ ଆଉଗୋଟେ ଜନ୍ମ ହେଲା ବୋଲି । ନବକଳେବର ‘ନ୍ୟାସ’ ରହସ୍ୟର କଥା ଇୟେ । ବାପା-ମାଆ ଏଇ ଶରୀରକୁ ଜନ୍ମ ଦେଇଥିଲେ । ଗୁରୁ ବା ଆଚାର୍ଯ୍ୟ ଆଉଗୋଟେ ଜନ୍ମ ଦେଲେ । ଯେଉଁ ଜନ୍ମରେ ଶରୀରକୁ ଆତ୍ମାଠାରୁ ଅଲଗା ଭାବରେ ଚିହ୍ନିହୁଏ । ଏହି ଜନ୍ମ ହିଁ ମଣିଷକୁ ଅଜର ଅମର କରିଦିଏ । ନବକଳେବରରେ ଆଚାର୍ଯ୍ୟ ହିଁ ବନଯାଗ ବିଧିଠାରୁ ନ୍ୟାସବିଧି ପର୍ଯ୍ୟନ୍ତ ଏଇ ରହସ୍ୟକୁ ଅନୁପାଳନ କରନ୍ତି । ଭାଷା କେବଳ ସଂସ୍କୃତ ।

ଦ୍ୱିତୀୟରେ ପ୍ରାଧାନ୍ୟ ଦେଇଛନ୍ତି ‘କୃତଜ୍ଞତା’କୁ । ବ୍ରହ୍ମଚର୍ଯ୍ୟ ପଣିଆର ଇୟେ ବି ଗୋଟେ ଲକ୍ଷଣ । ଯେଉଁ ଆଚାର୍ଯ୍ୟ ଆମକୁ ଆଉଗୋଟେ ଜନ୍ମ ଦେଇ ଶରୀର ଭିତରେ ବଞ୍ଚିବାର କଳା ଶିଖାଇଲେ ତାକୁ ମନେରଖିବା ଦରକାର । ମନେ ପକାଇ କୃତଜ୍ଞ ହେବା ଦରକାର । ଏହି ଉପକାରର ପ୍ରତିଦାନ ନାହିଁ । ପ୍ରତିଦାନ କେବଳ ଜଡ଼ସଡ଼ ହୋଇ ମୁଣ୍ଡ ନୋଇଁଦେବା । ଭିତରେ ବଞ୍ଚିବାର କଳା ଏମିତି କ’ଣ ଯେ ଆମେ ମୁଣ୍ଡ ନୋଇଁବା ? ୟାକୁ ତନ୍ତ୍ର ବିଜ୍ଞାନରେ ଖୋଲି ଦିଆଯାଇଛି । ଭିତରେ ବଞ୍ଚିଲେ ମୃତ୍ୟୁ ନାହିଁ । ମୃତ୍ୟୁ ଅସତ୍ୟ । ମୃତ୍ୟୁ ଜୟ ହେଲା ବୋଲି ଜାଣିହେବ । ବାହାରିଆ ପଣରେ ଜଣେ ବଞ୍ଚିଲେ ମୃତ୍ୟୁ ସତ୍ୟପରି ଲାଗିବ । ଭିତରେ ବଞ୍ଚିଲେ ଅନୁଭବ ହେବ ଜୀବନ ହିଁ ଏକମାତ୍ର ସତ୍ୟ । ଶରୀର ନୁହେଁ । ଏକଥା ଶ୍ରୀକୃଷ୍ଣ ଗୋଟିଏ ଧାଡ଼ିରେ ଠାରି ଦେଇଛନ୍ତି ଅର୍ଜୁନଙ୍କୁ । ‘ସମସ୍ତଙ୍କ ଆତ୍ମାରେ ମୁଁ ଅଛି । ଇଥିରୁ ବୁଝିହେବ ଜୀବନ ଯୁଠି ଅଛି ପରମାତ୍ମା ସେଇଠି ଅଛନ୍ତି । ଜୀବନରେ ଭିନ୍ନତା ମୋଟେ ନାହିଁ । ଶରୀରରେ କେବଳ ଭିନ୍ନତା । ଏଇ ଜୀବନର ସମାପ୍ତିକୁ ଗୋଟିଏ ପାରିଭାଷିକ ଶବ୍ଦରେ ତନ୍ତ୍ରବିଜ୍ଞାନ ଜଣାଇ ଦେଇଛନ୍ତି । ଜୀବନର ସମାପ୍ତ ଗୋଟିଏ ‘ବିଶ୍ରାମ’ । କୌଳାଚାରୀ ତଥା ଅଘୋରୀଧାରାର ଯୋଗୀ ୟେ ବିଶ୍ରାମକୁ କହନ୍ତି ଶାନ୍ତି । ଅବଶ୍ୟ ବିଶ୍ରାମ ଅଳ୍ପ ସମୟରେ କି ଦୀର୍ଘ ସମୟର ହେବ ତାହା ଆମ ଉପରେ ନିର୍ଭର କରେ ।

ତୃତୀୟରେ ପ୍ରାଧାନ୍ୟ ଦେଇଛନ୍ତି ‘କୃତଜ୍ଞ’ ଭାବକୁ ପ୍ରବହମାନ କରିବା ପାଇଁ ପାଞ୍ଚୋଟି ବିନ୍ଦୁ ଉପରେ । ନିତ୍ୟ ପ୍ରଣାମ, ନିତ୍ୟ ପବିତ୍ର, ନିତ୍ୟ ସ୍ଵାଧ୍ୟାୟ, ନିତ୍ୟ ଅଭିମାନଶୂନ୍ୟ, ନିତ୍ୟ କ୍ରୋଧ ପରିତ୍ୟାଗ । ଏହି ପାଞ୍ଚୋଟି କୃତଜ୍ଞତାର ଭାବଧାରାକୁ ଚଳଚଞ୍ଚଳ କରି ରଖିବ ।

କୃତଜ୍ଞ ଭାବ ଖଣ୍ଡିତ ନହେଲେ, ଯାହା ମିଳିଲା ତାହାକୁ ବିଚାର କଲେ, ମାନସିକ ଆନନ୍ଦ ମିଳେ । ସେଥିପାଇଁ ନିତ୍ୟ ପ୍ରଣାମ ଭାବଧାରା ରହିବ । ନିତ୍ୟ ପବିତ୍ର ରହିବାର ମାନେ ହେଉଛି ଯାହା ପାଇଲ ତାହାର ପ୍ରତିଦାନ । ୟା’କୁ ‘ଦକ୍ଷିଣା’ ଶବ୍ଦରେ ବୁଝାଇ ଦିଆଯାଇଛି । ମହାଭାରତ ଅନୁଯାୟୀ ଏହି ଦକ୍ଷିଣା ‘ସେବା’ ପରିସରଭୁକ୍ତ । ଯେଉଁକିଛି ଜୀବନ ନିର୍ବାହବସ୍ତୁ ଭିକ୍ଷାରେ ମିଳିବ ତାକୁ ଆଚାର୍ଯ୍ୟଙ୍କୁ ଅର୍ପଣ କରିବ । ସେଇ ସେବା ବା କିଛି ଉପକାର ବାଣୀରେ ପ୍ରକାଶ ପାଇବା କଥା ନୁହେଁ । ପ୍ରକାଶ ପାଇଲେ ଅପବିତ୍ର ସ୍ପର୍ଶ ହେଲା ବୋଲି ଜାଣିବ । ଏଥିପାଇଁ ବାରମ୍ବାର ସ୍ଵାଧ୍ୟାୟରେ ମନ ଦେବ । ସ୍ଵାଧ୍ୟାୟ ହିଁ ପ୍ରେରଣା ହେବ । ସ୍ଵାଧ୍ୟାୟ ଫଳରେ ଅଭିମାନ ତ୍ୟାଗ କରିହେବ । ଅଭିମାନ ନ ରହିଲେ ରାଗଦ୍ୱେଷ ଆସିବ ନାହିଁ । ମନ ଶିଶୁ ପରି ହୋଇଯିବ । ଶିଶୁଭାବ ଆସିଲେ ସେ ମୃତ୍ୟୁକୁ ଜୟ କରିପାରିବ । ମହାରାଜ ! ବ୍ରହ୍ମଚର୍ଯ୍ୟ ପାଳନ କରି ଦେବତାମାନେ ଦେବତ୍ୱ ପ୍ରାପ୍ତି ହୋଇଥିଲେ । ଋଷିମୁନିମାନେ ‘ବ୍ରହ୍ମଲୋକ’ ଲାଭ କରିଥିଲେ । ଗନ୍ଧର୍ବ ଓ ଅପ୍ସରା ଦିବ୍ୟରୂପ ପାଇଥିଲେ । ପରମପଦ ପାଇଁ ପଥ ସୁଗମ ହୋଇଥିଲା ।

ଧୃତରାଷ୍ଟ୍ରଙ୍କର ପ୍ରଶ୍ନ ଥିଲା ପରମପଦର ସ୍ଵରୂପ କିପରି (କଥଂ ରୂପଂ ତଦମୃତମକ୍ଷରଂ ପଦମ୍) ? ଏହା ଧଳା, ଲାଲ, କଳା, ଲୁହା ବର୍ଣ୍ଣର ନା ସୁନାବର୍ଣ୍ଣର ? ମହର୍ଷି କହିଛନ୍ତି ପରମପଦର ରୂପ ନାଁ ପୃଥ୍ୱୀରେ ଅଛି, ନାଁ ଆକାଶରେ,ନାଁ ଜଳରେ ଅଛି । ସେ ସୂକ୍ଷ୍ମରୁ ସୂକ୍ଷ୍ମତର । ତାଙ୍କର ସ୍ଵରୂପ ଜାଣିବା କଷ୍ଟ । ସେ ହୃଦୟରେ ଅଛନ୍ତି । ଆଙ୍ଗୁଳେମାତ୍ର ଜୀବାତ୍ମା ରୂପରେ । ସେହି ହେଉଛନ୍ତି ଅନ୍ତର୍ଯ୍ୟାମୀ । ଆଶ୍ଚର୍ଯ୍ୟ କଥା ହେଉଛି ଶରୀର ସମ୍ବଦ୍ଧରୁ ସେ ଜନ୍ମ-ମରଣକୁ ପ୍ରାପ୍ତ ହେଉଛନ୍ତି । ମହାରାଜ ! ଗୋଟିଏ ବଡ଼ କଥା ଜାଣିବେ । ପରମାତ୍ମା ଅନ୍ତର୍ଯ୍ୟାମୀଙ୍କର ସାଧୁ କର୍ମ ସହିତ ସମ୍ବଦ୍ଧ ନାହିଁ କି ଅସାଧୁକର୍ମ ସହିତ ମଧ୍ୟ ନାହିଁ । ଏହି ସାଧୁ-ଅସାଧୁ କର୍ମ ଦେହଧାରୀଙ୍କ ପାଇଁ । ସେହି ଦେହଧାରୀମାନଙ୍କୁ ଶରୀରସମ୍ବଦ୍ଧ ରହସ୍ୟର ବାର୍ତ୍ତା ଦେବା ପାଇଁ ନବକଳେବରର ଅନୁସୃତ ବିଧିଟି ହେଉଛି ବ୍ରହ୍ମ ପରିବର୍ତ୍ତନ ।

ମୃତ୍ୟୁରୁ ଅମୃତତ୍ୱକୁ :

ମହାଭାରତ ଅନୁସାରେ ମୃତ୍ୟୁଚେତନାର ଜନ୍ମ-ମରଣ ତତ୍ତ୍ୱର ପରିଭାଷା ଜାଣିଲେ । ଏଥିରେ ଗୋଟିଏ କଥା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତାହା ହେଉଛି ମୃତ୍ୟୁକୁ ଜୟ କରିହୁଏ । ମୃତ୍ୟୁର ଜୟରେ ମରଣ ଆଉ ଆସିବାର ନାହିଁ । ଏହି ଜୟ କରିବାର କଳା ହେଉଛି ବ୍ରହ୍ମଚର୍ଯ୍ୟ । ଆମେ ସାଧାରଣରେ ବୁଝିଥିବା ବ୍ରହ୍ମଚର୍ଯ୍ୟ ପାଳନର କଥାଠାରୁ ମୃତ୍ୟୁକୁ ଜୟ କରିବାର ବ୍ରହ୍ମଚର୍ଯ୍ୟ ଆଉ କିଛି ଉପରସ୍ତରର । ସାଧାରଣ ଭାବରେ କୁହାଯାଇଥିବା ବ୍ରହ୍ମଚର୍ଯ୍ୟ ପାଳନ ପରେ ଏହି ଉପର ସ୍ତରର ବିକାଶ ହୁଏ । ସମ୍ପୂର୍ଣ୍ଣ ବିକାଶରେ ମୃତ୍ୟୁକୁ ଶେଷରେ ଜୟ କରିବା ସମ୍ଭବ । ସେଥିପାଇଁ ନବକଳେବର ବିଧିରେ’ସେବା’କୁ ମୁଖ୍ୟ ଭାବରେ ସ୍ଥାନ ଦିଆଯାଇଛି । ଏହାକୁ ବ୍ରହ୍ମଚର୍ଯ୍ୟ କହିଲେ ମୁଣ୍ଡଗୋଳମାଳିଆ ଧରିବ ।

ତନ୍ତ୍ରବିଜ୍ଞାନରେ ସେଇ ଏକାକଥା କୁହାଯାଇଛି । ମାତ୍ର ଅଲଗା ଭାଷାରେ । ଅଲଗା ଶବ୍ଦରେ । ସେ ଶବ୍ଦଟି ହେଲା ସମର୍ପଣ । ବ୍ରହ୍ମଚର୍ଯ୍ୟର ସମସ୍ତକଳାଗୁଡ଼ିକର ପାଳନ ପରେ ହିଁ ସମର୍ପଣ ସମ୍ଭବ । ଯେତେବେଳେ ମଣିଷ ସମର୍ପଣର ପୂର୍ଣ୍ଣତାରେ ପହଞ୍ଚେ ବଞ୍ଚିବା ତା ପାଇଁ କଷ୍ଟଦାୟକ । ସେଠି ମରଣକୁ ସେ ଆମନ୍ତ୍ରଣ କରେ । ମରଣ ତା’ପାଇଁ ଆନନ୍ଦରେ ପରିଣତ ହୁଏ । ପୂର୍ଣ୍ଣ ସମର୍ପଣରେ ଅନୁଭବ କରେ- ମରଣ କ୍ଷତି କରେ ନାହିଁ । ଲାଭ କରେ । ମହାପ୍ରଭୁଙ୍କ ନିକଟକୁ ଗୋଟିଏ ପାଦ ଆଗେଇନିଏ । ତନ୍ତ୍ରରେ ଏହା କୁହାଯିବା ପରେ ପ୍ରମାଣସ୍ଵରୂପ କୁହାଯାଇଛି- ପୂର୍ଣ୍ଣସମର୍ପଣ ଭାବ ସଞ୍ଚାର ହେଲେ ମରଣ ଅଚେତନରେ ହୁଏ ନାହିଁ । ଚେତନରେ ହୁଏ । ଏଇଠି ମହାଭାରତର ମତ ତନ୍ତ୍ରବିଜ୍ଞାନର ମତ ସହିତ ଏକ ହୋଇଛି । ମହାଭାରତରେ କୁହାଗଲା ଚେତା ଥାଇ ମରଣ ହେଲେ, ଚେତା ଥାଇ ଜନ୍ମ ହୁଏ । ପୂର୍ବଜନ୍ମର କଥା ମନେରହେ । ମନେ ରହିବା ହିଁ ମୃତ୍ୟୁରୁ ମୁକ୍ତିର ବଟ ଦେଖାଏ । ପୂର୍ବରୁ କରିଥିବା କର୍ମକୁ ସେ ଆଉ ଦୋହରାଏ ନାହିଁ । ବ୍ରହ୍ମ ପରିବର୍ତ୍ତନ ହିଁ ନବକଳେବର ବିଧିରେ ଚେତନ ଅବସ୍ଥାରେ ହୁଏ । ପରେ ପୁରୁଣା ବିଗ୍ରହକୁ ବିସର୍ଜନ କରାଯାଇ ସଂସ୍କାରକାର୍ଯ୍ୟ ହୁଏ।

ସମର୍ପଣ ଭକ୍ତିରେ ହୋଇପାରେ, ଯୋଗରେ ବି ହୋଇପାରେ, ଫରକ ଏତିକି ଭକ୍ତିରେ ତଲ୍ଲୀନ ହେବାକୁ ହୁଏ, ଯୋଗରେ ସମାଧି ଅବସ୍ଥାକୁ ଯିବାକୁ ହୁଏ । ତଲ୍ଲୀନ ବା ସମାଧି ଅବସ୍ଥାରେ ତାକୁ ଜଣାପଡ଼େ- ମୃତ୍ୟୁ କାହାକୁ ନଷ୍ଟ କରେ ନାହିଁ । ମୃତ୍ୟୁ ହିଁବାଟ ଦେଖାଏ । ଶରଣାଗତ ହୋଇଯିବା ପରେ ଶରୀରରୁ ବାହାରିଯିବା ଏବଂ ଶରୀରରେ ପ୍ରବେଶ କରିବା ଏହି ଦୁଇଟିଯାକ ଏକା କଥା ପରି ସେ ଅନୁଭବ କରେ । ସାଧାରଣ ମଣିଷଟିଏ ସମାଧି ଅବସ୍ଥାକୁ ଯିବା ସମ୍ଭବ ନୁହେଁ । ତଲ୍ଲୀନ ବା ତନ୍ମୟ ହେଇଯିବା ଯେତେ ସହଜ ମନେ ହେଉଛି ତାହା ବି ତାହା ପକ୍ଷରେ ସମ୍ଭବ ନୁହେଁ । କେବଳ ଶରଣାଗତ ହୋଇପାରିବ । ମହାପ୍ରଭୁଙ୍କ ପାଖରେ ହାତଟେକି ଦେବ । ଯାହା ଚାହୁଁଛ କର- ମୁଁ ଶରଣ ଗଲି ।ଏହିଥିରେ ହିଁ ସେ ଜାଣିପାରିବ ମୃତ୍ୟୁ କାହାକୁ ନଷ୍ଟ କରେ ନାହିଁ । ମହାପ୍ରଭୁ ମୋର ଥିଲେ, ମୋର ରହିବେ, ଏଇ ଭାବ ଆସିଗଲେ ମରଣଭୟ ବି ଆସ୍ତେ ଆସ୍ତେ ଦୂରେଇ ଯିବ । ମହାପ୍ରଭୁ ସେଇ କଥାକୁ ମନେପକାଇ ଦେବାକୁ ଦେହ ଛାଡ଼ୁଛନ୍ତି, ପୁଣି ଦେହ ଧରୁଛନ୍ତି । ମରିବାର ରହସ୍ୟକୁ ବିଜଣେଇ ଦେଉଛନ୍ତି ତାଙ୍କର ଏଇ ଅଭିନବ ଲୀଳାରେ । ମରିବା ପରେ ପୁଣି ବଞ୍ଚିବାର ରହସ୍ୟକୁ ବି ଚେତେଇ ଦେଉଛନ୍ତି । ଜୀବନ ପ୍ରତି ତ୍ୟାଗଭାବ ଆସିବା ପୂର୍ବରୁ ଜଗତ ପ୍ରତି ତ୍ୟାଗଭାବ ଜନ୍ମନେବା ଜରୁରୀ । ଆଦିଶଙ୍କର କହିଛନ୍ତି- “ପୁନରପି ମରଣଂ ପୁନରପି ଜନନୀଜଠରେ ଶୟନମ୍” । ମନ୍ତ୍ରରାଜ- “ମୃତ୍ୟୁର୍ମୃତ୍ୟୁ ନମାମ୍ୟହମ୍” ମୃତ୍ୟୁରୁ ଅମୃତକୁ ନେଇଯାଅ ।

ଜନ୍ମରହସ୍ୟ :

ମହାପ୍ରଭୁଙ୍କ ମହାକଳେବର ମହୋତ୍ସବ ଏକ ଲୋକଶିକ୍ଷାମୂଳକ ‘ଲୀଳା’ ବୋଲି ଜଣାଗଲା । ‘ଲୀଳା’ କୁ ମହର୍ଷିମାନେ ‘କୈବଲ୍ୟ’ ବୋଲି ଗ୍ରହଣ କରିଥିବାର ଦେଖାଯାଏ । କୈବଲ୍ୟର ପରିଭାଷା ବିଭିନ୍ନ ଧର୍ମଧାରାରେ ଭିନ୍ନ-ଭିନ୍ନ ବର୍ଣ୍ଣନା କରାଯାଇଛି । ତାହା ବଡ଼ଗହନ କଥା । ମାତ୍ର ଆମ ଧରାରେ ୟାର ପରିଭାଷାକୁ ଆମେ ଗୋଟିଏ ଶବ୍ଦରେ ଠାବ କରିବାରେ ଅସୁବିଧା ନାହିଁ । ତାହା ହେଉଛି ମୋକ୍ଷ । ମୋକ୍ଷର ଅର୍ଥ ମଧ୍ୟ ଆମେ ସାମାନ୍ୟ ଅର୍ଥରେ ବୁଝିବା । ତାହା ହେଉଛି ଆଉ ଜନ୍ମ-ମରଣ ଲୀଳା ମଣିଷର ନଥାଏ । ମହାମିଳନର କଥା ଇୟେ । ଯେଉଁଠୁ ଆସିଥିଲା ସେଇଠିକି ଫେରିଯାଏ ମଣିଷ । ତେଣୁ ମୃତ୍ୟୁ ଓ ମରଣର ପରିଭାଷାକୁ ଯେତେ ବୁଝାଯାଇପାରେ ତାହା ଆମେ ମହର୍ଷି ସନତସୁଜାତ ଓ ମହାରାଜା ଧୃତରାଷ୍ଟ୍ରଙ୍କର ମହାଭାରତ ବର୍ଣ୍ଣିତ ପ୍ରସଙ୍ଗକୁ ବିଚାର କଲେ । ଦୁଇଟିଯାକ କଥାର ଫରକକୁ ବୁଝିଲେ । ଫରକ ନଥିବା କଥା ବି ଜାଣିଲେ । ମୃତ୍ୟୁ ସତରେ କାହାକୁ ନଷ୍ଟ କରେ ନାହିଁ । ମହାପ୍ରଭୁ ନବକଳେବର ଲୀଳାରେ ଦେହ ଛାଡ଼ୁଛନ୍ତି, ପୁଣି ଦେହ ଧରୁଛନ୍ତି । ଇୟେ କେବଳ ମରିବା ପରେ ପୁଣି ଜନମ ହେବାର ରହସ୍ୟକୁ ଚେତେଇ ଦେବା ପାଇଁ । ସେଥିପାଇଁ ଜୀବନ ପ୍ରତି ତ୍ୟାଗ ଭାବର କଥା ଉଠେ । ଜଗତ ପ୍ରତି ବାସ୍ତବରେ ତ୍ୟାଗଭାବ ନ ଆସିଲେ ଜୀବନ ପ୍ରତି ତ୍ୟାଗଭାବ ଆସିବା ମୋଟେ ସମ୍ଭବ ନୁହେଁ-

ଆତ୍ମାଠାରୁ ଶରୀରକୁ ଅଲଗା ଭାବରେ ଚିହ୍ନିବାର ତରିକା ହିଁ ନବକଳେବରରେ ବନଯାଗ ବିଧିଠାରୁ ନ୍ୟାସବିଧି ପର୍ଯ୍ୟନ୍ତ ହେଉଥିବା ବ୍ୟବସ୍ଥାରେ ରହିଛି ବୋଲି ପୂର୍ବରୁ ସୂଚନା ଦିଆଯାଇଛି । ଶରୀର ସମ୍ବନ୍ଧୀୟ ରହସ୍ୟର ବାର୍ତ୍ତା ହେଉଛି ନ୍ୟାସ ବିଧି ।

ସୃଷ୍ଟିଚିନ୍ତନର ଲୀଳା :

ବନଯାଗ ବିଧିଠାରୁ ନ୍ୟାସ ବିଧି ପର୍ଯ୍ୟନ୍ତ ସୃଷ୍ଟି ଚିନ୍ତନର ଲୀଳା । ୟାକୁ ଆମେ ଜଗତରେ ଜନମଲୀଳା କହିପାରିବା । ନ୍ୟାସର ବର୍ଣ୍ଣନା ମାଦଳାପାଞ୍ଜି ସମ୍ବନ୍ଧିତ ବିଭିନ୍ନ କାଗଜାତରେ ରହିଛି । ଶେଷଭାଗ ବର୍ଣ୍ଣନାରେ ଜନମ ଲୀଳାର ରହସ୍ୟ ସାମାନ୍ୟ ସୂଚନା ରହିଛି । “ବୈଦିକ ମନ୍ତ୍ର ପଢ଼ିପରମେଶ୍ୱରକୁଂ ନେଇ ଖଟରେ ତୁଳା ଶେଯ ଉପରେ ବିଜେ କରାଇବା । ଶୁକ୍ତେ କରି ପିଣ୍ଡିକା ନ୍ୟାଶ କରିବ । ସେଯ୍ୟାରେ ନେଇ ସୋଆଇବ । ବଇଦିକ ମନ୍ତ୍ର କରି ପରମେସ୍ଵରକଂ ଶ୍ରୀଅଙ୍ଗରେ ନ୍ୟାସ କରିବ । ଏହାକୁ ସକଳିକରଣ ବୋଲି । ଏ ଉତ୍ତାରେ ବୈଦିକମନ୍ତ୍ରେ କରି ନ୍ୟାସମାନ ଦେଖାଇ ଏ ଉତ୍ତାରେ ଉପକରଣ ଦ୍ରବ୍ୟମାନ ସବୁ ପାଦପଦ୍ମଠାରେ ଆରୋପ କରିବ । ରତ୍ନଗର୍ଭ ହୋଇବ । ବଶ୍ର ଯୁଗ୍ମରେ ଅର୍ଚିତ ହୋଇବ । ଏହା ବୈଦିକ ମନ୍ତ୍ରେ କରି ପରମେସ୍ଵରକଂ ତ୍ରିମୁଣ୍ଡି ସଳଖେ ଥୋଇବ । ଏ ଉତ୍ତାରେ ସୃଷ୍ଟି ଚିନ୍ତାକରି ତତ୍ତ୍ୱପୂଜା କରିବ । ଏ ଉତାରେ ଦେବ ସ୍ଵରୂପ ।”

ଏହାପରେ ପ୍ରତିମା ପ୍ରତିଷ୍ଠା ବିଧି ହୟଶୀର୍ଷ ପାଞ୍ଚରାତ୍ର ଗ୍ରନ୍ଥ ମତରେ ଅକ୍ଷରନ୍ୟାସ କରିବା କଥା କୁହାଯାଇଛି । ତେଣୁ ପ୍ରଥମରେ ‘ଦାରୁ’ ନ୍ୟାସ, ଅର୍ଥାତ୍ ଶରୀର ନ୍ୟାସ । ପରେ ପ୍ରତିମା ପ୍ରତିଷ୍ଠା । ଏଇଠି ଜନମ ରହସ୍ୟର ଦାର୍ଶନିକ ଠାବ ଆମକୁ ସୂଚେଇ ଦିଆଯାଇଛି ।

ପ୍ରକୃତିମୟୀ ଜଗତ :

ସୃଷ୍ଟି ପାଇଁ ପ୍ରକୃତିର ଅବଦାନ ସବୁଠାରୁ ଅଧିକ । ବିନା ପ୍ରକୃତିର ସହାୟତାରେ ପୁରୁଷଟିଏ ସୃଷ୍ଟି କରିବା ଅସମ୍ଭବ । ପୁରୁଷଟିର ସୃଷ୍ଟି ପଛରେ ମଧ୍ୟ ପ୍ରକୃତିର ଅବଦାନ ଥାଏ । ଜୀବନଟିଏ ପାଇଁ ସେ ଫଳ, ଫୁଲ, ଗଛ ହେଉ କି ପଶୁ, ପକ୍ଷୀ, କୀଟ, ପତଙ୍ଗ ହେଉ ପ୍ରକୃତି ହିଁ ମୁଖ୍ୟ ଭୂମିକା ନେଇଥାଏ । ତେଣୁ ପ୍ରକୃତିକୁ ପ୍ରଥମେ ସୁଖ ପାଇବା ପାଇଁ ଆମକୁ ସବୁ ଶାସ୍ତ୍ରରେ ବାଟ ବତେଇ ଦିଆଯାଇଛି । ପ୍ରକୃତିକୁ ଜଗତ ଅର୍ଥରେ ଆମକୁ ବୁଝେଇ ଦିଆଯାଇଛି । ତେଣୁ ଜଗତକୁ ଭଲ ପାଇବା ପାଇଁ ଆମକୁ ପୂର୍ବ ଆଚାର୍ଯ୍ୟମାନେ ସବୁଠି ପରାମର୍ଶ ଦେଇଛନ୍ତି । ପୁରୁଷ ଚେତନା ହେଉଛି ବୈଦିକ । ଉପନିଷଦ ମାଧ୍ୟମ ଦେଇ ପୁରୁଣାଶାସ୍ତ୍ର ବେଳକୁ ପୁରୁଷ ଚେତନା କ୍ରମବିକାଶ ଲାଭ କରି ଛଅଟି ସୋପାନ ଦେଇ ‘ପୁରୁଷୋତ୍ତମ’ରେ ପହଞ୍ଚିସାରିଛି । ସେଇ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଜନମ-ମରଣ ଲୀଳା, ଯାହାକି ଲୋକଶିକ୍ଷା ପାଇଁ, ତାହା ଆମର ଏକ ମୁଖ୍ୟ ଆକର୍ଷଣ । ଯାହାକି ‘ନବକଳେବର’ ନାମରେ ପ୍ରସିଦ୍ଧ । ଏହି ଲୀଳାରେ ପ୍ରକୃତିର ଅବଦାନକୁ ଆଲୋଚନା ପରିସରରେ ବିଚାର କରିବା କଥା ।

ସନାତନୀୟ ଧାରାରେ ‘ଶକ୍ତି’ର ପ୍ରତୀକାତ୍ମକ ଉପାସନା କରାଯାଏ । ଏହି ପ୍ରତୀକାତ୍ମକ ଶକ୍ତି ଯେବେ ପ୍ରତିମାତ୍ମକ ଶକ୍ତିରେ ପରିଣତ ହେଲେ ସେବେଠୁ ଦେବୀ ପ୍ରତିମାଙ୍କର ଉପାସନା ଏକ ନିଆରା ପଣରେ ହେଲା । ସେଥିରେ ଶକ୍ତିଙ୍କ ପାଇଁଋଷି ଯେଉଁ ‘ମନ୍ତ୍ର’କୁ ତାଙ୍କର ତୃତୀୟ ନୟନରେ ଦେଖିଥିଲେ ସେହି ମନ୍ତ୍ର ମଧ୍ୟ ପ୍ରତିମାପୂଜାରେ ପ୍ରତିମାଙ୍କ ସହିତ ଯୋଡ଼ିହୋଇଗଲା । ସେହିପରି ଏକ ଶକ୍ତିପୂଜା ପ୍ରାଚୀନ କାଳରୁ ପ୍ରଚଳିତ ଥିଲା । ଯାହା ଆମେ ଜାଣିଛେ । ଖୁଦୁରୁକୁଣୀ, ବୁଧେଇ-ସୁଧେଇ ପୂଜାରେ ନଈ କିମ୍ବା ପୋଖରୀ କୂଳରେ ବାଲୁକାପିଣ୍ଡ ପ୍ରାଣବନ୍ତ ହେଉଥିଲା । ତାହା ଥିଲା ପ୍ରତୀକ ପୂଜା । ଏହି ଶକ୍ତି ବା ଦେବୀ ଓଡ଼ିଶାରେ ପରେ ହେଲେ ‘ମଙ୍ଗଳାଶକ୍ତି’ । ତାଙ୍କର ପ୍ରତିମା ବା ବିଗ୍ରହ ହୋଇ ପୂଜା କରାଗଲା । ପରବର୍ତ୍ତୀ କାଳରେ ସର୍ବମଙ୍ଗଳା, ବାଟମଙ୍ଗଳା, ବଟମଙ୍ଗଳା, ଘାଟମଙ୍ଗଳା ପ୍ରଭୃତି ନାମରେ ପ୍ରସିଦ୍ଧ ହେଲେ ମୂଳ ଶକ୍ତି ଥିଲେ ମଙ୍ଗଳା। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ‘ସର୍ବମଙ୍ଗଳା’ର ପ୍ରତୀକ । ତେଣୁ ଆମର ପ୍ରସିଦ୍ଧ ଉକ୍ତି ହେଲା ‘ସର୍ବମଙ୍ଗଳା ଶ୍ରୀଜଗନ୍ନାଥ’ । ମଙ୍ଗଳା ହେଉଛନ୍ତି ମଙ୍ଗଳାମୟୀ ଶକ୍ତି । ତେଣୁ କୁହାଗଲା-ସର୍ବମଙ୍ଗଳା।

ଜଗତମୟୀ ସର୍ବମଙ୍ଗଳା :

ମୂଳ ମଙ୍ଗଳାମୟୀ ଶକ୍ତି ପ୍ରକୃତି ମୁଖରୁ ଜାତ ବୋଲି ଆମର ପ୍ରାଚୀନ ଶାସ୍ତ୍ର ପୋଥିରେ ବର୍ଣ୍ଣିତ ଅଛି । ଏହି ପ୍ରସଙ୍ଗରେ କୁହାଯାଏ ମଙ୍ଗଳାଶକ୍ତି ବା ଦେବୀ ହେଉଛନ୍ତି ମଙ୍ଗଳରୂପା । ‘ପ୍ରକୃତେ ମୁଖସମ୍ଭୂତା ସର୍ବମଙ୍ଗଳାୟା ସଦା’ । ଦେବୀ ଭାଗବତ ମହାପୁରାଣର ଏହି ଗଭୀର ରହସ୍ୟର ଗଣ୍ଡି ଫିଟିଯିବା ପରେ ଭୈରବୀ ଓ ଯୋଗିନୀ ଉପାସନାରେ ମଙ୍ଗଳା ସର୍ବମାନ୍ୟ ହୋଇ ଯାଇଥିଲେ । ଚଉଷଠୀ ଯୋଗିନୀ ଓ ଏକାଦଶ ଭୈରବୀଙ୍କ ମଧ୍ୟରେ ମଙ୍ଗଳା ହୋଇଗଲେ ମଙ୍ଗଳମୟୀ ସର୍ବମଙ୍ଗଳା ।

ଭାଗବତ ମହାପୁରାଣରେ ଜନ୍ମ ଓ ମରଣ ସହିତ ସର୍ବମଙ୍ଗଳା ଶକ୍ତି ଜଡ଼ିତ ହୋଇଛନ୍ତି । “ସୃଷ୍ଟୌ ମଙ୍ଗଳରୂପା ଚସଂହାରେ କୋପରୂପିଣୀ” । ଅତଏବ ମଙ୍ଗଳମୟୀ ମଙ୍ଗଳା ମରଣ ସହିତ ମଧ୍ୟ ରହିଛନ୍ତି ଏବଂ ସେହି ମଙ୍ଗଳମୟୀ ଶକ୍ତି ମରଣକାଳରେ ବା ସଂହାର କାଳରେ ବି ରହିଛନ୍ତି । ତେଣୁ ସର୍ବମଙ୍ଗଳା ଜନ୍ମ-ମରଣ ରହସ୍ୟ ସହିତ ମିଶିକରି ଅଛନ୍ତି, ଏହା ଆମେ ଜାଣିଲେ । ମହାପ୍ରଭୁଙ୍କ ନବକଳେବର ଲୀଳା ଅର୍ଥାତ୍ ଲୋକଶିକ୍ଷା ମୂଳକ ଜନ୍ମ-ମରଣ ଲୀଳା ସହିତ ସର୍ବମଙ୍ଗଳା ମୂଳରୁ ରହିଛନ୍ତି ଏଥିରେ ସନ୍ଦେହ ନାହିଁ । ତେଣୁ ନବକଳେବର ଅବସରରେ ଆଦ୍ୟଲୀଳା ‘ବନଯାଗଲୀଳା’ର ମେଢ଼ୀ ହେଉଛନ୍ତି ସର୍ବମଙ୍ଗଳା । ଯାହାକି ଆଜି ମଧ୍ୟ ତାଙ୍କରି ଉପାସନାରୁ ପ୍ରଥମେ ଆରମ୍ଭ ହେଉଅଛି ଏହି ଲୀଳା । ଜନ୍ମଲୀଳାର ଆଦ୍ୟ ସାହାନାଇ ତାଙ୍କରି ପାଖରୁ ବାଜିବା ଆରମ୍ଭ ହୁଏ ।

ବନଯାଗରେ ସର୍ବମଙ୍ଗଳା :

ବନଯାଗ ବିଧିରେ ସେବକମାନେ ‘ଶ୍ରୀ’ ଦେବୀଙ୍କ କ୍ଷେତ୍ର ଛାଡ଼ି ପହଞ୍ଚନ୍ତି ମା ମଙ୍ଗଳାଙ୍କ କ୍ଷେତ୍ରରେ । ପ୍ରାଚୀନଦୀ ଅବବାହିକାରେ । ଦିନେ ବଣିଜବେପାର ପାଇଁ ସାଧବାଣୀମାନେ ହୁଳହୁଳି ଦେଇ ପୂଜୁଥିଲେ ଘାଟ ଦେବୀ ମା’ ମଙ୍ଗଳାଙ୍କୁ । ମାଆ ସେତିକିବେଳେ ସେଠି ବିଜେ କରି ନଥିଲେ-। ‘ଜାତକକଥା’ରେ ବର୍ଣ୍ଣିତ ‘କାକଟପତ୍ତନ’, ଯାହାକୁ ‘କାକଟପାଟଣା’ ଆମେ କହିପାରିବା, ସେଇବେଳୁ ଏଇ ପାଟଣାର ପୁରୋଧା ଥିଲେ ମା । ଖ୍ରୀଷ୍ଟାବ୍ଦ ଆରମ୍ଭ ହେବାର ବହୁ ପୂର୍ବର କଥା ଇୟେ । ସେଇବେଳୁ ଜଗତ ସହିତ ଜଡ଼ିତ ଥିଲେ ଉଭୟେ । ମଙ୍ଗଳମୟ ଶ୍ରୀଜଗନ୍ନାଥ ଓ ମଙ୍ଗଳମୟୀ ସର୍ବମଙ୍ଗଳା । ଜଣେ ଜନ୍ମମରଣର ରହସ୍ୟକୁ ଚେତେଇ ଦେବ । ଆଉଜଣେ ୟାର ବାଟ ବତେଇଦେବ । ମାଆ ଏବେ ପ୍ରତିମାରେ ଅଛନ୍ତି । ପ୍ରତିମାମୟୀ ମାଆଙ୍କ ସହ କଥା ହେବାର ତରିକା ଅଛି । ସେ ତରିକାର ନଜିର ବି ଅଛି, କିନ୍ତୁ ସମସ୍ତେ ସେ ତରିକା ପାଇବା ବା ହାସଲ କରିବା ସମ୍ଭବ ନୁହେଁ । ତେଣୁ ଶରଣାଗତ ହୋଇଯାନ୍ତି ସିଭିଏଁ । ବେଳାଏ ଖାଇ କତରାରେ ଶୋଇ ନିଉଛାଳି ହୋଇ ଏକ ଧ୍ୟାନରେ ରହନ୍ତି । ମନ୍ତ୍ରଟିଏ ସ୍ମରଣ କରନ୍ତି ।

ଶରଣାଗତର ଅର୍ଥ ହେଉଛି ଅହଙ୍କାର ଶୂନ୍ୟ ହୋଇଯିବା । ଅହଙ୍କାର ବା ‘ମୁଁ’ ଭାବ ଚାଲିଗଲେ ଶରଣ ପାଖରେ ବ୍ୟକ୍ତିର ମୂଲ୍ୟ ନାହିଁ । ଭଲ-ମନ୍ଦର ମୂଲ୍ୟ ନାହିଁ । ଯୋଗୀ-ଭୋଗୀର ଗଣନା ନାହିଁ । ପାପପୁଣ୍ୟର ବିଚାର ନାହିଁ କି ଦୁର୍ଜନ-ସଜ୍ଜନର କିଛି ମୂଲ୍ୟ ନାହିଁ । କେବଳ ସଅଁପି ଦେବାର ‘ଭାବ’ ହିଁ ଥାଏ । ଏହି ଭାବ ନ ରହିଲେ ସବୁ ଗୋଳମାଳ ହୋଇଯିବାର ସମ୍ଭାବନା ରହିଛି-। ପୂର୍ବରୁ ଯେଉଁ ମନ୍ତ୍ରକଥା କୁହାଗଲା ସେହି ମନ୍ତ୍ରଟି ମଧ୍ୟ ଆଜେବାଜେ ବା ଏଣୁତେଣୁ କଥା ନୁହଁ-। ସମ୍ପୂର୍ଣ୍ଣ ବିଜ୍ଞାନର କଥା । ୟାକୁ ତନ୍ତ୍ରଦର୍ଶନ କୁହନ୍ତୁ ବା ତନ୍ତ୍ର ବିଜ୍ଞାନ କୁହନ୍ତୁ, ୟାର ପ୍ରଭାବ କିନ୍ତୁ ବିଜ୍ଞାନ ସମ୍ମତ । ଡକ୍ଟର ଗୟାଚରଣ ତ୍ରିପାଠୀ ଓ ଜର୍ମାନ ଗବେଷିକା ଏସମାନ୍ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ଲେଖିଛନ୍ତି ଓଡ଼ିଶାର ଜନଜାତି ସଂସ୍କୃତିରୁ ନବକଳେବରର ଉଦ୍ଭବ ହୋଇଛି । ଏଥିପାଇଁ କନ୍ଧମାଳ ଜିଲ୍ଲାର ବନ୍ଧଗଡ଼ର ବରାଳ ଦେବୀଙ୍କ ଛାଟଖମ୍ବ କଥା ଉଦାହରଣ ଦେଇଛନ୍ତି । “କନ୍ଧ ଓ ଡୁମାଳମାନଙ୍କ ଖମ୍ବ ଓ ବାଡ଼ିପୂଜାରେ ଏଗୁଡ଼ିକର ପରିବର୍ତ୍ତନ ପାଇଁ ସେମାନେ ଯେଉଁ ବିଧି ଆପଣେଇଛନ୍ତି ତାହା ହିନ୍ଦୁକରଣ ହୋଇଛି । ସାମାନ୍ୟ ପରିବର୍ତ୍ତନ ହୋଇ ଶ୍ରୀଜଗନ୍ନାଥ ସଂସ୍କୃତିରେ ନବକଳେବରରେ ଅନୁଶ୍ରୁତ ହୋଇଛି ।” ଏହା ଏକ ନିରାଧାର କଳ୍ପନା ବୋଲି ଆମ୍ଭର ମନେହୁଏ । ନବକଳେବରର ଶାସ୍ତ୍ରୀୟ ବିଧିବ୍ୟବସ୍ଥା ଓ ମନୋବୈଜ୍ଞାନିକ ଭିତ୍ତିଭୂମିକୁ ଏମାନେ ତଉଲେଇଥିଲେ- ଏପରି ମତ ଦେବା ପୂର୍ବରୁ ଅନ୍ତତଃ ବହୁବାର ଚିନ୍ତା କରିଥାନ୍ତେ । କନ୍ଧମାନେ ମୂଳରୁ ହିନ୍ଦୁ ଏବଂ ଡୁମାଳମାନେ ହେଉଛନ୍ତି ଗୋପାଳ ଜାତି । ଗୋପାଳଜାତି ଓଡ଼୍ରସାମରିକ ବାହିନୀରେ ସ୍ଥଳବାହିନୀ ପାଇକ (ସୈନିକ) ଥିଲେ । ସେମାନଙ୍କର ବାଡ଼ିଖେଳ ସମ୍ପୂର୍ଣ୍ଣ ଓଡ଼୍ରଯୁଦ୍ଧକୌଶଳର ଏକ ଅଙ୍ଗ ରହିଥିଲା । କନ୍ଧମାନଙ୍କ ଛାଟ କୌଶଳ ଓ ସେମାନଙ୍କର ପ୍ରାଚୀନ ଓଡ଼ିଶାସାମରିକ ସମ୍ପର୍କ ଇତିହାସ ସ୍ଵୀକୃତ । ଯେଉଁମାନେ କି ଧନୁତୀର ସାହାଯ୍ୟରେ ଆଜିକାଲିର ଗରିଲା ଯୁଦ୍ଧ ପରି ଓଡ଼୍ର ସାମରିକ ବାହିନୀରେ ରହି ଯୁଦ୍ଧ କରୁଥିଲେ । ଏକ ଶାସ୍ତ୍ରୀୟ ଓ ଜନପଦୀୟ ଶକ୍ତି ବା ଦେବୀ ସର୍ବମଙ୍ଗଳା ଭାବରେ ମହାପ୍ରଭୁଙ୍କ ଜନମଙ୍ଗଳ ଲୀଳାରେ ମୂଳରୁ ଶରଣାଗତକୁ ଅଭୟ ଦେଇ ଆସିଛନ୍ତି, ୟାକୁ ପାଶୋରି ହେବ ନାହିଁ ।

ଗଣଦେବୀ ସର୍ବମଙ୍ଗଳା :

ଶରଣାଗତ ଭକ୍ତ ପାଇଁ ମଙ୍ଗଳମୟୀ ହେଉଛନ୍ତି ସର୍ବକାମପ୍ରଦା । ସଂସାରର ମଙ୍ଗଳ ପାଇଁ ମଙ୍ଗଳର ଆଧାର । ବ୍ରହ୍ମବୈବର୍ତ୍ତ ପୁରାଣର ମଙ୍ଗଳଚଣ୍ଡିକା ଉପାଖ୍ୟାନର ଏକଚାଳିଶ ଅଧ୍ୟାୟରେ ଏହା ସ୍ପଷ୍ଟ ହୋଇଛି ।

ମଙ୍ଗଳେ ମଙ୍ଗଳଦେ ଦେବି ! ସର୍ବେଷାଂ ମଙ୍ଗଳାଳୟେ

ସଂସାରମଙ୍ଗଳାଧାରେ ମୋକ୍ଷ ମଙ୍ଗଳଦାୟିନୀ

ପ୍ରାଚୀନ କାଳରୁ ଓଡ଼ିଶାର ଜନପଦରେ ମା’ ମଙ୍ଗଳାଙ୍କୁ ବିଭିନ୍ନ ନାମରେ ଉପାସନା କରାଯାଉଥିଲା । ଗାଁର ଦୋଛକିରେ ଗାଁ ମାଇପେ ମଙ୍ଗଳାଙ୍କର ପୂଜା କରୁଥିଲେ । ବ୍ରାହ୍ମଣ ଘରେ ଶିଳପୁଆକୁ ମଙ୍ଗଳାରୂପେ ମାଇପେ ଆଜି ବି ପୂଜା କରୁଛନ୍ତି । ନିପଟ ମଫସଲ ଗାଆଁରେ ‘ପନ୍ଥେଇ ଠାକୁରାଣୀ’ଙ୍କ ପୂଜା ଆଜି ବି ଅଛି । ପନ୍ଥେଇ ଠାକୁରାଣୀ ହଉଛନ୍ତି ବାଟ ଠାକୁରାଣୀ । ସେଇ ମାନସିକତାରୁ ‘ବାଟମଙ୍ଗଳା’ ଉପାସନା ବିକାଶଲାଭ କରିଛି । ସାଧବମାନଙ୍କ ବୋଇତ ବନ୍ଦାଣର ସେ ଇଷ୍ଟଦେବୀ ଥିଲେ । ଶୂଦ୍ରମାନଙ୍କ (ଶୂଦ୍ର ଏକ ଜାତିବିଶେଷ ନୁହେଁ, ଶୂଦ୍ର ଏକ ଚେତନା) ପାଇଁ ମା’ଙ୍କ ଉପାସନା କାଳ ମଧ୍ୟ ଚୈତ୍ରମାସ । ଚୈତ୍ର ମଙ୍ଗଳବାର ଉପାସନା ମା’ ସର୍ବମଙ୍ଗଳାଙ୍କର ଉପାସନା । ଏଥିରୁ ଜଣାଯାଉଛି ଶ୍ରୀଜଗନ୍ନାଥ ଯେପରି ଓଡ଼ିଶାର ଗଣଦେବତା ମା’ ମଙ୍ଗଳା ମଧ୍ୟ ଚାରି ବର୍ଣ୍ଣରେ ଗଣଦେବୀ ହୋଇ ଆଜି ବି ରହିଛନ୍ତି । ଗଣଦେବତା ଓ ଗଣଦେବୀଙ୍କର ସମ୍ପର୍କ ଏକ ଗଣ ଉତ୍ସବ ସହିତ ରହିବା ସ୍ୱାଭାବିକ୍ । ନବକଳେବରକୁ ଗଣଉତ୍ସବ କହିବାର ତାତ୍ପର୍ଯ୍ୟ ଆମର ଖୁବ୍ ସରଳ । ଯେଉଁ ଉତ୍ସବରେ ଗଣବାର୍ତ୍ତା ମିଳେ ସମାଜକୁ । ଗଣବାର୍ତ୍ତାଟି ହେଉଛି ସାବଧାନ । ଜନମ-ମରଣ ହେଉଛି ସଂସାରରେ ନିତ୍ୟ । ସଭିଙ୍କ ପାଇଁ ଅର୍ଥାତ୍ ଗଣଙ୍କ ପାଇଁ ଏହା ନିଷ୍ଠୁର ସତ୍ୟ-। ଭୟ କରିବାର ନାହିଁ । ମରଣ ହେଲେ ଜନମ ଅଛି ଜାଣ, ଜନମରୁ ତରିକାକୁ ଚାହୁଁଛ ରାସ୍ତା ବି ଅଛି । ସେ ରାସ୍ତା ବି ବୁଝ । ସେ ରାସ୍ତାରେ ଯିବାକୁ ଚେଷ୍ଟା କର । ଥରକେ ନହେଲେ ପାଞ୍ଚଥରରେ ହବ । ପାଦେ ପାଦେ ଆଗାଅ । ଜୀବନକୁ ବୁଝ । ଜଗତକୁ ବୁଝ ।

ଜପରେ ସ୍ଵପ୍ନାବତୀ ମନ୍ତ୍ର :

ଆଉ ରହିଲା ମାଆଙ୍କଠାରୁ ବାଟ ଜାଣିବା ପ୍ରସଙ୍ଗ । ମାଆଙ୍କ ସହିତ ସିଧା କଥା ନହୋଇ ପାରିଲେ ମାନସପଟରେ କଥା ହୁଅ ନଚେତ୍ ଭାବୁଥିବା କଥାର ଚିତ୍ର ବି ଦେଖିନିଅ । ସେଥିପାଇଁ ମାଧ୍ୟମ ହେଲା ମନ୍ତ୍ର । ଲଗାତର ମନନରୁ ଏଇ ମନ୍ତ୍ରର ସୃଷ୍ଟି । ଋଷି ପରମ୍ପରାର ରହସ୍ୟ ଇୟେ । ସେଇ ମନ୍ତ୍ରଟି ହେଲା ‘ସ୍ଵପ୍ନାବତୀ ମନ୍ତ୍ର’ । ମୂଳ ମନ୍ତ୍ରଟି ତେର ଅକ୍ଷର (ମନ୍ତ୍ରମହୋଦଧି) । ଏଥିରେ ନବପୀଠ ଶକ୍ତିଙ୍କୁ ଉପାସନା କରିବା କଥା କୁହାଯାଏ । ନଅ ପୀଠ ଦେବୀଙ୍କ ମଧ୍ୟରେ ମଙ୍ଗଳା ଅଛନ୍ତି । ୟାର କର୍ମକାଣ୍ଡ ବିଧି ଅଛି । ଦଶ ହଜାର ଜପବିଧି ରହିଛି । ଜପ ଆରମ୍ଭରେ ମନରେ ହୃଦୟର ଭାବନା (ସଙ୍କଳ୍ପ) ରହିବ । ଊଣେଇଶିଟି ତନ୍ତ୍ର ପୋଥିରେ ଏହି ମନ୍ତ୍ରର ଭିନ୍ନ ଭିନ୍ନ ସ୍ଵରୂପ ଓ ଉପାସନାର ତରିକା ରହିଛି, କିନ୍ତୁ ଲକ୍ଷ୍ୟ ଏକ ଏବଂ ଭାବ ମଧ୍ୟ ଏକ । କେବଳ ଧ୍ୱନିବିଜ୍ଞାନ ଦୃଷ୍ଟିରୁ ମନ୍ତ୍ରରେ ଅକ୍ଷର ବ୍ରହ୍ମର ସଂଖ୍ୟା କମ୍ ବେଶୀ ରହିଛି । ଆମ ପୋଥୀ ଶାସ୍ତ୍ରରେ ଅକ୍ଷରକୁ ବି ବ୍ରହ୍ମ କୁହାଯାଇଛି । ଶାବରତନ୍ତ୍ରରେ ଏହି ମନ୍ତ୍ର ମଧ୍ୟ ରହିଛି । ଶାବରତନ୍ତ୍ର କହିଲେ ଶବର (ଏକ ଜାତିବିଶେଷ)ଙ୍କ ତନ୍ତ୍ର ନୁହେଁ । ଜନପଦୀୟ ତନ୍ତ୍ର । ଯେମିତି ଶାବର ସଂସ୍କୃତି, ଶାବର ପରମ୍ପରା । ଏହାକୁ ଜନପଦୀୟ ସଂସ୍କୃତି ବା ପରମ୍ପରା ବୁଝିଲେ ଯାଇ ଧାଡ଼ି ଠିକ୍ ଲାଗିବ । ଅର୍ଥସଙ୍ଗତ ହେବ । ନିତେଇ ଧୋବଣୀର ତନ୍ତ୍ର ହେଉଛି ଶାବର ତନ୍ତ୍ର । ଏଥିରେ ସଂସ୍କୃତ, ବ୍ରଜବୋଲି, ଓଡ଼୍ରଗାଉଁଲି ଶବ୍ଦ ଓ ପ୍ରାକୃତ ଶବ୍ଦର ବ୍ୟବହାର ଦେଖାଯାଏ । ଏହି ଶବ୍ଦ ବା ଅକ୍ଷରର ବି ପ୍ରଭାବ ଅଛି । ଭାରତରେ ଶାବରତନ୍ତ୍ର ଓ ଶାବର ବିଦ୍ୟାର ଆଦ୍ୟ ସାହାନାଇ ଓଡ଼୍ର ରାଷ୍ଟ୍ରରୁ ବାଜିଥିଲା । ଇୟେ ନିଜକୁ ନିଜେ ବାହାବା ଦେବା କଥା ନୁହଁ । ଶାବରତନ୍ତ୍ର ଉପରେ ପାଠ ଲେଖୁଥିବା ଓ ପାଠ ବିଚାର କରୁଥିବା ଓଡ଼ିଶା ବାହାରର ପଣ୍ଡିତଙ୍କ କଥା ଇୟେ । ନିତେଇ ଧୋବଣୀର ମନ୍ତ୍ର ବି ସ୍ଵପ୍ନାବତୀରେ ମିଶିଛି ।

ତେବେ ଜପ ହେଉଥିବା ମନ୍ତ୍ରର ବୈଜ୍ଞାନିକ ପ୍ରଭାବ ଆମର ଶେଷବିନ୍ଦୁ । ଉପସଂହାର-। ଏହା ଯେ ସମ୍ପୂର୍ଣ୍ଣ ବିଜ୍ଞାନସମ୍ମତ, ଏହା ସହଜରେ ବୁଝିହେବ । ‘ଜପ’ ହେଉଛି ଏକ ଯଜ୍ଞ । ୟାର ପ୍ରୟୋଗରେ ନିଜର ଅସ୍ତିତ୍ୱକୁ ଉପାସିତଙ୍କ ଅସ୍ତିତ୍ୱଙ୍କ ସହିତ ଯୋଡ଼ିହେବ । ଏହା ତନ୍ତ୍ରଯୋଗୀମାନଙ୍କର ମତ । ଜପ ମାଧ୍ୟମରେ ବିଶ୍ୱ ସହିତ ବ୍ୟକ୍ତି ସମ୍ବନ୍ଧ ସ୍ଥାପନ କରିପାରେ । ମାଧ୍ୟମ ହେଉଛି ଧ୍ୱନି । ତନ୍ତ୍ରଦର୍ଶନ ମତରେ ଜପ ଆରମ୍ଭ କଲେ ନାହିମୁଣ୍ଡାରେ ରହିଥିବା ଜଠରାଗ୍ନି ଚଳଚଞ୍ଚଳ ହୋଇଥାଏ । ଆମେ ଜାଣିଛେ ମଣିଷର ହୃଦୟରେ ଅଛି ‘ଦାବାଗ୍ନି’ । ଜପଦ୍ୱାରା ଏହା ଦାବାଗ୍ନି ମଧ୍ୟ ଚେଇଁଉଠେ । ସେହିପରି ଜପଦ୍ୱାରା ମଣିଷର ମସ୍ତିଷ୍କରେ ‘ବାଡ଼ବାଗ୍ନି’ ସୃଷ୍ଟି ହୁଏ । ବୈଦିକ ଯଜ୍ଞ ‘ଘିଅ’ ଦ୍ୱାରା ହୁଏ । ତା ସହିତ ସଂଯୋଗ ହୁଏ ହବିଷାନ୍ନ । ଜପଯଜ୍ଞ ହୁଏ ନାଭି-ହୃଦୟ- ମସ୍ତିଷ୍କରୂପ ଘିଅରେ । ଜପ ଯଜ୍ଞର ହବିଷାନ୍ନ ହେଉଛି ଶ୍ୱାସପ୍ରଶ୍ୱାସ ।

ଜପର ବୈଜ୍ଞାନିକତା :

ବାରମ୍ବାର ମନ୍ତ୍ରକୁ ଜପ କରିବାଦ୍ବାରା ‘ସ୍ଵର’ ଓ ବର୍ଣ୍ଣରେ ସଂଘର୍ଷ ସୃଷ୍ଟି ହୁଏ । ଏହି ସଂଘର୍ଷରୁ ‘ଧ୍ୱନି’ ଜନ୍ମ ନିଏ । ଧ୍ୱନିରୁ ଜନ୍ମନିଏ ଚୁମ୍ବକଶକ୍ତି । ଲଗାତାର ଜପ କରିବାଦ୍ୱାରା ଏକ ପରିଧି ନିର୍ମାଣ କରିଦିଏ । ପ୍ରଥମେ ଇଥରରେ ଏକ ପରିଧି ନିର୍ମାଣ ହୁଏ ବୋଲି ଧାରଣା ଥିଲା । ଆଇନଷ୍ଟାଇନ୍ ‘ଇଥର’ ର କୌଣସି ଭୂମିକା ନାହିଁ ପ୍ରମାଣ କଲେ, କିନ୍ତୁ ପରିଧି ନିଶ୍ଚିତ ଭାବରେ ସୃଷ୍ଟି ହୁଏ । ଏହାକୁ ସଂସ୍କୃତର ଯୋଗ, ତନ୍ତ୍ର ଓ ପୁରାଣଶାସ୍ତ୍ରରେ ‘ବଳୟ’ ଶବ୍ଦରେ ଚିହ୍ନିତ କରାଯାଇଛି । ପଦାର୍ଥବିଜ୍ଞାନୀମାନଙ୍କ ମତରେ ପରିଧି ସୃଷ୍ଟି ହେଲେ ପ୍ରଥମେ ବିଦ୍ୟୁତର ଗତି ବିଲୋମରେ ଗତି ନକରି ଅନୁଲୋମରେ ଗତି କରେ । ତେଣୁ ସୃଷ୍ଟି ହୋଇଥିବା ପରିଧିରେ ଅନୁଲୋମ ଗତିରେ ବିଦ୍ୟୁତ୍ ଚୁମ୍ବକ ଗତି କରେ । ତେଣୁ ସୃଷ୍ଟି ହୋଇଥିବା ପରିଧିରେ ଅନୁଲୋମ ଗତିରେ ବିଦ୍ୟୁତ୍ ଚୁମ୍ବକ ଗତି କରେ । ଯେତେବେଳେ ବିଲୋମ ଗତି ଆରମ୍ଭ ହୁଏ ସେତେବେଳେ ଚୁମ୍ବକର ଶକ୍ତି ‘ତରଙ୍ଗ’ ରେ ପରିଣତ ହୁଏ । ତରଙ୍ଗର ତୀବ୍ର ଗତି ହେଲେ ଚୁମ୍ବକ ଶକ୍ତି ଆକର୍ଷିତ କରେ । ଆକର୍ଷଣ ଶକ୍ତି ଆରମ୍ଭ ହୋଇଗଲେ ଚୁମ୍ବକୀୟ ତରଙ୍ଗ ଶକ୍ତିରେ ଚେତନ ଶକ୍ତିର ଅସ୍ତିତ୍ୱ କେବଳ ରହି ନଥାଏ, ଅଧିକରୁ ଅଧିକ ତୀବ୍ର ହୋଇଯାଏ । ଏହି ସମୟରେ ସଂକଳ୍ପ କରି (ମନ୍ତ୍ରରେ ଭାବି) ଯେଉଁ ସାଧକ ବା ଆଚାର୍ଯ୍ୟ ବା ସେବକ ଜପ କରୁଥାନ୍ତି,ସେମାନେ ବଳୟର ସେହି ତୀବ୍ର ଚେତନଶକ୍ତିକୁ ଆଧାର କରି ମନରେ ଭାବି ଯେଉଁ କଥା ଜପ କରୁଥାନ୍ତି, ସେଇ ସେଇ କଥାର ସମାଧାନକୁ ବାରମ୍ବାର ଟାଣନ୍ତି । ଭାବନାରେ ଟାଣିବା କାର୍ଯ୍ୟ ଲଗାତାର ହେବା ଫଳରେ ‘ମନର ଇଚ୍ଛାଟି’ ବଶୀଭୂତ ହୁଏ । ଇଚ୍ଛା କହେ- କହ ! ମତେ କହ ! ମୁଁ ଇଚ୍ଛା କରୁଛି ମହାପୁରୁଙ୍କ ଇପ୍ସିତ ‘ଦାରୁ’ଙ୍କୁ । ମତେ କହ । ସଂକଳ୍ପଟି ମା ମଙ୍ଗଳାଙ୍କ ପାଖରେ ହୋଇଥାଏ । ସେ ମଙ୍ଗଳମୟୀ-। ବାରମ୍ବାର ଆକର୍ଷଣ ଫଳରେ ମା ପୁଅକୁ କହିବା ପାଇଁ ପ୍ରକଟ ହୋଇପାରେ । ନଇଲେ ପାଟି ଫିଟାଇ କହିପାରେ । ନଇଲେ ସପନରେ ବତେଇଦିଏ-। ତା ଯଦି ଗ୍ରହଣ କରିପାରୁନି ‘ଦାରୁ’ ବିଜେ କରିଥିବା ସ୍ଥାନର ଚିତ୍ର ତା ମାନସପଟରେ ଉଞ୍ଚେଇ ଦିଏ । ଇୟେ ମନଗଢ଼ା ଆଈ-ମା’ କାହାଣୀ ନୁହେଁ । ଶାସ୍ତ୍ରୀୟ ନିଅଁ ଉପରେ ବୈଜ୍ଞାନିକ ରେଳଧାରଣାରେ ଗୋଟିକ ପରେ ଗୋଟିଏ କାର୍ଯ୍ୟ ହୁଏ । ତେଣୁ ନବକଳେବରର ପ୍ରତ୍ୟେକ ବିଧିରେ କଠିନ ତ୍ୟାଗର ଆବଶ୍ୟକତା ରହୁଛି । ଏହି ଲୀଳାର ରହସ୍ୟ ଜାଗତିକ ଦୃଷ୍ଟିରୁ ଯେପରି ତ୍ୟାଗଭାବର ପ୍ରତୀକ, ରହସ୍ୟମୟ ଜୀବନ ଦୃଷ୍ଟିରୁ ମଧ୍ୟ ତ୍ୟାଗ ଭାବର ପ୍ରତୀକ । ଜଗତକୁ ସୁଖ ପାଇ ଜନମର ମୋହକୁ ତ୍ୟାଗ କଲେ ଆଉ ମରଣ ନାହିଁ । ମୃତ୍ୟୁ ଅଛି । ଯେଉଁଥିରେ ଆଉ ଜନମ ନାହିଁ ।

 

ନବକଳେବର : ଏକ ତାତ୍ତ୍ୱିକ ବିଚାର

ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ନବକଳେବର ସମଗ୍ର ସନାତନ ଧର୍ମଧାରାର ଏକ ଅନନ୍ୟ ଅନୁଷ୍ଠାନ । ଭାରତବର୍ଷର ଚାରି ଦିଗରେ ଥିବା ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ଗୋଟିଏ ହେଲେ ହେଁ ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ଧାମ ବ୍ୟତୀତ ଅନ୍ୟ କୌଣସିଠାରେ ଏ ପ୍ରଥା ନାହିଁ । କାରଣ ଅନ୍ୟ ଧାମଗୁଡ଼ିକରେ ପୂଜିତ ବିଗ୍ରହ ଦାରୁ ନିର୍ମିତ ନୁହନ୍ତି । ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ, ଯେପରି ସ୍ଥାବର ଓ ଜଙ୍ଗମ ବା ଚର ଓ ଅଚର- ଦୁଇଟି ପ୍ରକାରକୁ ନେଇ ଏ ପୃଥିବୀ, ସେମିତି ପ୍ରଭୁ ମଧ୍ୟ ଦୁଇଟି ପ୍ରକାରରେ ଏ ପୃଥିବୀରେ ପ୍ରକଟିତ ହୋଇଥାନ୍ତି । ଗୋଟିଏ- ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପରଶୁରାମ ଓ ରାମ ଆଦି ‘ଅବତାର’ ଏବଂ ଅନ୍ୟଟି ‘ଅର୍ଚ୍ଚା’ ବା ଉପାସନାଯୋଗ୍ୟ ଦେବ ବିଗ୍ରହ । ଏହି ବିଗ୍ରହ ବା ପ୍ରଭୁଙ୍କ ପ୍ରତିମା ବିଷୟରେ ‘ଶ୍ରୀମଦ୍ ଭାଗବତ’ରେ ଉଲ୍ଲେଖ ଅଛି । ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି- ପ୍ରତିମା ହେଉଛି ଆଠ ପ୍ରକାର; ପଥରରେ ତିଆରି, ଦାରୁରେ ତିଆରି, ଲୁହା ଓ ସୁବର୍ଣ୍ଣ ଆଦି ଧାତୁରେ ତିଆରି, ମୃତ୍ତିକା ଓ ଚନ୍ଦନରେ ତିଆରି, ବାଲିରେ ତିଆରି, ପଟରେ ବା କାନ୍ଥରେ ଅଙ୍କିତ ଏବଂ ମନୋମୟୀ ଓ ମଣିମୟୀ ମୂର୍ତ୍ତି ।

‘ଅଗ୍ନି ପୁରାଣ’ରେ ମାଟି, କାଠ, ପଥର, ଲୁହା, ରତ୍ନ, ଚନ୍ଦନ ଓ ଫୁଲ- ଏହି ସପ୍ତବିଧ ପଦାର୍ଥରେ ପ୍ରତିମା ନିର୍ମାଣର କଥା କୁହାଯାଇଛି । ଅନ୍ୟ ଶାସ୍ତ୍ର-ଗ୍ରନ୍ଥରେ ଲୁହା ସହିତ ସୁନା, ରୂପା,ତମ୍ବା, ପିତ୍ତଳ, ସୀସା ଓ କଂସା ମିଶ୍ରିତ ଧାତୁରେ ପ୍ରତିମା ନିର୍ମାଣର ବିଧି ବର୍ଣ୍ଣିତ ଅଛି । ଏସବୁ ମଧ୍ୟରୁ କେବଳ ମନୋମୟୀ ବା ମାନସ-କଳ୍ପିତ ମୂର୍ତ୍ତି ବ୍ୟତୀତ ଅନ୍ୟ ସବୁ ବସ୍ତୁ ବା ପଦାର୍ଥର ନିର୍ଦ୍ଦିଷ୍ଟ ଆୟୁକାଳ ରହିଛି । ସେହି ଅବଧି ମଧ୍ୟରେ ସେମାନେ ଜୀର୍ଣ୍ଣ ବା ପୁରାତନ ହୁଅନ୍ତି । ଫଳରେ ସେହି ପଦାର୍ଥରେ ନିର୍ମିତ ପ୍ରତିମାଙ୍କର ପରିବର୍ତ୍ତନ ଆବଶ୍ୟକ ହୋଇଥାଏ । ଏହା ହିଁ ନବକଳେବର ବା ଘଟ ପରିବର୍ତ୍ତନ । ତେବେ ଅନ୍ୟାନ୍ୟ ପ୍ରତିମାଙ୍କଠାରୁ ଶ୍ରୀଜଗନ୍ନାଥଙ୍କର ବିଶେଷତ୍ୱ ହେଉଛି, ସେହିସବୁ ପ୍ରତିମା ଜୀର୍ଣ୍ଣ ହେଲେ ସଂପୂର୍ଣ୍ଣ ଭାବରେ ପୁନର୍ନିମିତ ହେଉଥିବାବେଳେ, ପୁରୀରେ କେବଳ ଦାରୁ ପ୍ରତିମାଙ୍କର ହିଁ ନବକଳେବର ହୁଏ । ଭିତରେ ‘ବ୍ରହ୍ମ ପଦାର୍ଥ’ ନୂତନ ପ୍ରତିମାଙ୍କଠାରେ ସଂସ୍ଥାପିତ ହୁଏ । ଶ୍ରୀଜଗନ୍ନାଥଙ୍କର ଏହି ନବକଳେବର ପଛରେ ରହିଛି ‘ଶ୍ରୀମଦ୍ ଭଗବଦ୍ ଗୀତା’ରେ ବର୍ଣ୍ଣିତ ଶରୀର ଓ ଆତ୍ମାର ଗହନ ତତ୍ତ୍ୱ ।

ନବକଳେବରର ଗୀତାତତ୍ତ୍ୱ :

କଳେବର ବା ଶରୀରକୁ ଗୀତାରେ ‘ଆଗମାପାୟୀ’ ବା ‘ଆସୁଛି, ଯାଉଛି’ ବୋଲି କୁହାଯାଇଛି । ଶରୀର ଆସେ ଓ ଯାଏ; କିନ୍ତୁ ଆତ୍ମା ଥାଏ । କାରଣ ଆତ୍ମା ଅବିନାଶୀ । ତାର ଜରା ବା ମୃତ୍ୟୁ ନାହିଁ । ତାହା ଶାଶ୍ୱତ ଓ ନିତ୍ୟ । ଏହି ପ୍ରସଙ୍ଗରେ ଗୀତାର ‘ଦ୍ୱିତୀୟ ଅଧ୍ୟାୟ, ସାଂଖ୍ୟଯୋଗ’ରେ କୁହାଯାଇଛି ସେହି ସୁପ୍ରସିଦ୍ଧ ‘ବାସାଂସି ଜୀର୍ଣ୍ଣାନି’ ଶ୍ଲୋକଟି । ୧୯୫୧ ମସିହାରେ ତାହାର ସୁନ୍ଦର ନବାକ୍ଷରୀ ଅନୁବାଦ କରି ପ୍ରକାଶ କରିଥିଲେ ସମ୍ବଲପୁର ଦାଶରଥି । ସେଥିରେ ଶ୍ଲୋକଟିର ଅନୁବାଦରେ କୁହାଯାଇଛି, “ତେଜିଣ ପୁରୁଣା ବସନ । ପିନ୍ଧିଲା ପରାଏ ନୂତନ ॥ / ଏ ଜୀର୍ଣ୍ଣ ଦେହ ଛାଡ଼ି ଦେଇ । ନୂତନ ଦେହ ଧରେ ଦେହୀ ॥‘ ଶ୍ରୀଜଗନ୍ନାଥ ‘ଦେବତା’ ହେଲେ ମଧ୍ୟ ‘ଦେହୀ’ ।” ଏଣୁ ସେ ମଧ୍ୟ ତାଙ୍କର ଜୀର୍ଣ୍ଣ ଦେହ ଛାଡ଼ିଦେଇ ନୂତନ ଶରୀର ଧାରଣ କରନ୍ତି । ତାହାହିଁ ଶ୍ରୀଜଗନ୍ନାଥଙ୍କ ନବକଳେବରର ଗୀତା ତତ୍ତ୍ୱ ।

‘କଳେବର’ର ତତ୍ତ୍ୱ :

‘କଳେବର’ ଶବ୍ଦର ଅର୍ଥ ‘ଶରୀର’ । ଏହାର ଅନ୍ୟ ପର୍ଯ୍ୟାୟବାଚୀ ଶବ୍ଦ ମଧ୍ୟ ରହିଛି । ସେଥିମଧ୍ୟରୁ ‘ଦେହ’ ଓ ‘ବପୁ’ ମଧ୍ୟ ଆଉ ଦୁଇଟି ଶବ୍ଦ, କିନ୍ତୁ ଶରୀର ପର୍ଯ୍ୟାୟବାଚୀ ଏହିସବୁ ଶବ୍ଦ ଥିଲେ ମଧ୍ୟ ‘ନବକଳେବର’ରେ ‘କଳେବର’ ଶବ୍ଦଟି କାହିଁକି ପ୍ରଯୁକ୍ତ ହୋଇଛି ? ଏହାର ତାତ୍ପର୍ଯ୍ୟ ଅନୁଧ୍ୟାନ କଲେ ଜଣାଯାଏ ଯେ ‘ଶରୀର’ ହେଉଛି ତାହା- ଯାହା ଜୀର୍ଣ୍ଣ ହୁଏ । ସେହିପରି ଯାହା ଉପଚୟ (ବୃଦ୍ଧି) ପ୍ରାପ୍ତ ହୁଏ ତାହା ‘ଦେହ’ ଏବଂ ଯାହା ବୀର୍ଯ୍ୟବପନ ସମର୍ଥ ତାହା ‘ବପୁ’ । ଏସବୁଠାରୁ ‘କଳେବର’ ଶବ୍ଦଟିର ଅର୍ଥସଙ୍ଗତି ପୃଥକ୍ । ଏ ପ୍ରସଙ୍ଗରେ ତତ୍ତ୍ୱବିତମାନେ ‘କଳେ ଶୁକ୍ରେ ବରମ୍ ଶ୍ରେଷ୍ଠମ୍’ରୁ ‘କଳେବର’ ଶବ୍ଦ ନିଷ୍ପନ୍ନହୋଇଛି ବୋଲି କହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ପୂର୍ବତନ ପ୍ରଫେସର ଡକ୍ଟର ଗୋପାଳକୃଷ୍ଣ ଦାଶ ‘ପୌରୁଷ’ ପତ୍ରିକାର ଜୁଲାଇ ୨୦୧୫ ସଂଖ୍ୟାରେ କହିଛନ୍ତି, “କଳେ ଅର୍ଥାତ୍ ଶୁକ୍ରରେ ଯେ ଶ୍ରେଷ୍ଠ, ତାହା କଳେବର । ଏହା ଦେହର ଏକ ସଂଜ୍ଞା- ଯେଉଁ ସମୟରେ ଶୁକ୍ର ଶ୍ରେଷ୍ଠ ଅବସ୍ଥାରେ ରହେ । ସପ୍ତଧାତୁରେ ଶରୀର ଗଠିତ । ଶୁକ୍ର ସର୍ବାପେକ୍ଷା ସୂକ୍ଷ୍ମତମ ଓ ତେଜସ୍ବୀ । ରସ, ଅସୃକ୍, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର (ରସାସୃକ୍ ମାଂସମେଦୋଽସ୍ଥି ମଜ୍ଜା ଶୁକ୍ରାଣି ଧାତବଃ) ଏହା ହେଉଛି ସପ୍ତଧାତୁ । ଯେଉଁ ଦେହରେ କଳ ବା ଶୁକ୍ର ତେଜସ୍ଵୀ ତାହା କଳେବର ।” ଏଣୁ ଏହି ତତ୍ତ୍ୱ ଅନୁସାରେ ‘ଗୀତା’ର ‘ବାସାଂସି ଜୀର୍ଣ୍ଣାନି’ ତତ୍ତ୍ୱଟି ଗୁରୁତ୍ୱ ପାଏ ନାହିଁ । ଏହା ସୂଚାଏ ଯେ ଏହି ‘ନବ କଳେବର’ ଶ୍ରୀଜଗନ୍ନାଥଙ୍କର ଏକ ଦାରବୀ ଲୀଳା । ଶ୍ରୀଜଗନ୍ନାଥଙ୍କ କଳେବର ଜୀର୍ଣ୍ଣ ହୋଇଥିବାରୁ ତାହାର ନବନିର୍ମାଣ କରାଯାଏ ନାହିଁ; ଏହି ଲୀଳା ମାଧ୍ୟମରେ ଏହି ନଶ୍ୱର ସଂସାରରେ ଜନ୍ମ-ମୃତ୍ୟୁର ତତ୍ତ୍ୱ ସୂଚିତ ହୁଏ । ଏହା ସୂଚାଏ ଯେ ଏ ନଶ୍ୱର ସଂସାରରେ ଆମେ ମୃତ୍ୟୁକୁ ନେଇ ଆତଙ୍କିତ ହେବାର କିଛି କାରଣ ନାହିଁ । କାରଣ ଶରୀର ଯିବ ଓ ଆସିବ । ଏହା ଏ ସଂସାରର ନିୟମ ।

ଦାରୁ ବିଗ୍ରହ ତତ୍ତ୍ୱ :

ଶ୍ରୀଜଗନ୍ନାଥଙ୍କର ପୂର୍ବ ରୂପ ମଣିମୟୀ ଥିବା କଥା ବିଭିନ୍ନ ଶାସ୍ତ୍ର-ଗ୍ରନ୍ଥାଦିରୁ ସୂଚିତ ହୁଏ-। ଶବରପୂଜିତ ନୀଳମାଧବ ଏହାର ପ୍ରମୁଖ ଚରିତ୍ର । ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପୂର୍ବେ ପ୍ରସ୍ତରମୟ ଥିଲା ବୋଲି ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ପରି ଐତିହାସିକ କହିଛନ୍ତି । କିନ୍ତୁ ‘ସ୍କନ୍ଦ ପୁରାଣ’ ଓ ‘ସାରଳା ମହାଭାରତ’ରେ ବିଶ୍ୱାବସୁ ପୂଜିତ ଇନ୍ଦ୍ରନୀଳମଣି ମୂର୍ତ୍ତି ଅନ୍ତର୍ହିତ ହେବା ପରେ ପ୍ରଭୁ ଦିବ୍ୟଦାରୁ ରୂପରେ ଆବିର୍ଭୂତ ହୋଇଥିଲେ ବୋଲି କୁହାଯାଇଛି । ସେହି ଦିବ୍ୟଦାରୁରେ ତାଙ୍କର ବିଗ୍ରହ ନିର୍ମିତ ହୋଇଥିଲା ବୋଲି ମଧ୍ୟ ସେଥିରେ ବର୍ଣ୍ଣିତ ହୋଇଛି । ମାନବୀୟ ଲୀଳା ପାଇଁ ହିଁ ପ୍ରଭୁ ପରମପାବନ, ସୁମହତ୍, ପୁରୁଷୋତ୍ତମ କ୍ଷେତ୍ରରେ ଏହି ଦାରୁ ବିଗ୍ରହ ଧାରଣ କରିଛନ୍ତି ବୋଲି ‘ସ୍କନ୍ଦପୁରାଣ’ରେ ଉଲ୍ଲେଖ ଅଛି ।

‘ସ୍କନ୍ଦପୁରାଣ-ପୁରୁଷୋତ୍ତମ ମାହାତ୍ମ୍ୟ’ର ଗଦ୍ୟାନୁବାଦରେ ଚୈତନ୍ୟ ଚରଣ ଦାସ ‘ଦାରୁ’ ଶବ୍ଦଟିର ବ୍ୟାଖ୍ୟା କରି କହିଛନ୍ତି, ଏହି ଶବ୍ଦର ମୂଳରେ ଅଛି ସଂସ୍କୃତର ଦୁଇଟି ଧାତୁ; ଗୋଟିଏ ‘ଦା’ ଓ ଅନ୍ୟଟି ‘ଦୋ’ । ‘ଦା’ ଦାରଣ ବା ଖଣ୍ଡନକୁ ବୁଝାଏ ଏବଂ ‘ଦୋ’ – ଦାନକୁ ବୁଝାଏ । ପ୍ରଭୁ ଆମର ସମସ୍ତ ଦୁଃଖକୁ ଦାରଣ ବା ଖଣ୍ଡନ କରନ୍ତି ଏବଂ ଆମକୁ ଅଖଣ୍ଡ ଆନନ୍ଦ ଦାନ କରନ୍ତି; ଏଇଥିପାଇଁ ସେ ମାନବୀୟ ଲୀଳା ରୂପେ ଦାରୁବିଗ୍ରହ ଧାରଣ କରିଛନ୍ତି । ଏହି ମାନବୀୟ ଲୀଳାରେ ନିର୍ଦ୍ଦିଷ୍ଟ ଅବଧିରେ ସେ ନୂତନ କଳେବର ଧାରଣ କରନ୍ତି । ପ୍ରଭୁଙ୍କ ଆଜ୍ଞାରେ ହିଁ ସେଥିପାଇଁ ଦାରୁ ସଂଗ୍ରହ ଓ ବିଗ୍ରହ ନିର୍ମାଣ କରାଯାଇଥାଏ ।

ଏ ପ୍ରସଙ୍ଗରେ ସମଗ୍ର ନବକଳେବରର ବିଧିର, ମେରୁଦଣ୍ଡ ସ୍ଵରୂପ ଶ୍ରୀନୃସିଂହ ଓ ଶ୍ରୀନୃସିଂହ ମନ୍ତ୍ରର ପ୍ରାସଙ୍ଗିକ ଉଲ୍ଲେଖ ଆବଶ୍ୟକ । ‘ସ୍କନ୍ଦପୁରାଣ’ରେ ଭୀଷଣ ଓ ଭଦ୍ର ଶ୍ରୀନୃସିଂହଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହର ଅଭେଦତ୍ୱ ପ୍ରଖ୍ୟାପିତ ହୋଇଛି । ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରରାଜ ମନ୍ତ୍ର (ଶ୍ରୀନୃସିଂହ ମନ୍ତ୍ର)ରେ ନୃସିଂହଙ୍କୁ ‘ମୃତ୍ୟୁର ମୃତ୍ୟୁ’ କୁହାଯାଇଛି-। ଏ ଦୃଷ୍ଟିରୁ ଯିଏ ‘ମୃତ୍ୟୁର ମୃତ୍ୟୁ’ ତାଙ୍କର ମୃତ୍ୟୁ କାହିଁ ଯେ ତାଙ୍କ ପୁରାତନ କଳେବରର ମୃତ୍ୟୁ ହେବ ! ଏଣୁ ଦାରୁବ୍ରହ୍ମଙ୍କ ନବକଳେବର ଏକ ମାନବୀୟ ଲୀଳା ବ୍ୟତୀତ ଅନ୍ୟ କିଛି ନୁହେଁ ।

ଆଜ୍ଞାମାଳ ତତ୍ତ୍ୱ :

ଶ୍ରୀଜଗନ୍ନାଥଙ୍କ ନବକଳେବର ନୀତିର ଆରମ୍ଭ ହୁଏ ଆଜ୍ଞାମାଳରୁ । ପାରମ୍ପରିକ ବିଧି ଅନୁସାରେ ଚୈତ୍ର ଶୁକ୍ଲ ଦଶମୀ ଦିନ ନବକଳେବରର ଦାରୁ ସନ୍ଧାନ ପାଇଁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କଠାରୁ ଚାରିଟି ଆଜ୍ଞାମାଳ ମିଳିଥାଏ ।

‘ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ’ ପୁସ୍ତକରେ ‘ଆଜ୍ଞାମାଳ’ ଶବ୍ଦର ବ୍ୟାଖ୍ୟା କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବକ ରବୀନ୍ଦ୍ର ନାଥ ପ୍ରତିହାରୀ । ସଂସ୍କୃତ ଭାଷାରେ ‘ଆଜ୍ଞା ଏବ ମାଳା’ରୁ କର୍ମଧାରୟ ସମାସରେ ‘ଆଜ୍ଞାମାଳ’ ହୋଇଛି; ଏଣୁ ‘ଆଜ୍ଞା ହିଁ ମାଳା ଓ ମାଳା ହିଁ ଆଜ୍ଞା’ ବୋଲି ସେ କହିଛନ୍ତି । ଏ ପ୍ରସଙ୍ଗରେ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ ଉଲ୍ଲେଖ ଅଛି- “ଦେବତାଙ୍କର ଆଜ୍ଞା ବା ଆଦେଶର ଚିହ୍ନ ସ୍ଵରୂପ ଆଜ୍ଞାପାଳନକାରୀ ବ୍ୟକ୍ତି ନିକଟକୁ ଆଜ୍ଞା ସଙ୍ଗେ ପଠାଯିବା ଉପଭୁକ୍ତ ଫୁଲମାଳ” ହେଉଛି ଆଜ୍ଞାମାଳ । ଏଥିରେ ‘ଉପଭୁକ୍ତ’ ଶବ୍ଦଟିର ଅର୍ଥ ହେଉଛି, ‘ଦେବତାଙ୍କ ଦ୍ୱାରା ବ୍ୟବହୃତ’ । ଏହି ଉପଭୁକ୍ତଫୁଲମାଳଦେବତାଙ୍କ ଆଜ୍ଞା ବା ଆଦେଶର ନିଦର୍ଶନ-

ଶ୍ରୀଜଗନ୍ନାଥ ମନ୍ଦିରର ଏହି ଆଜ୍ଞାମାଳ ପରମ୍ପରାରେ ରହିଛି ଶାସ୍ତ୍ରୀୟ ଓ ତାତ୍ତ୍ୱିକ ଭିତ୍ତି । ତଦନୁସାରେ, ପରଂବ୍ରହ୍ମ ପରମାତ୍ମା ଏ ଜଗତର ‘ନିୟନ୍ତା’ ହେଲେ ହେଁ ସେ କେବଳ ‘ସାକ୍ଷୀ ପୁରୁଷ’-। ପୁଣି ସେ ‘ଅକର୍ତ୍ତା’; ଅର୍ଥାତ୍ ସେ ନିଜେ କିଛି କରନ୍ତି ନାହିଁ; ଅଥଚ ତାଙ୍କରି ନିର୍ଦ୍ଦେଶରେ ଏ ଚରାଚରର ସମସ୍ତ କର୍ମ ସଂପନ୍ନ ହୋଇଥାଏ । ସେ ସାକ୍ଷୀପୁରୁଷ ଭାବରେ, ନୀରବରେ, କେବଳ ସେହି କର୍ମକୁ ନିରୀକ୍ଷଣ କରନ୍ତି । ତେଣୁ ସେ ‘ଜଗତଚକ୍ଷୁ’ । ସେଇଥିପାଇଁ ତାଙ୍କର ଆଖି ଚକାଆଖି ଏବଂ ସେ ଆଖିରେ ପଲକ ନଥାଏ । ସେଇଥିପାଇଁ ବି ଏ ସଂସାରରେ କରାଯାଉଥିବା ସମସ୍ତ କର୍ମ ତାଙ୍କୁ ସମର୍ପଣ କରାଯାଏ ଏବଂ କୌଣସି କର୍ମଫଳ ଆଶା କରାଯାଏ ନାହିଁ ।

ପୂର୍ବସୂଚିତ ପୁସ୍ତକରେ ଶ୍ରୀ ପ୍ରତିହାରୀ ଶ୍ରୀମନ୍ଦିରରେ ପ୍ରଚଳିତ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଆଜ୍ଞାମାଳକୁ ମିଶାଇ ମୋଟ ୧୩୯ଟି ଆଜ୍ଞାମାଳର ଉଲ୍ଲେଖ କରିଛନ୍ତି । ସେହି ପୁସ୍ତକର ‘ପରିଶିଷ୍ଟ’ରେ, ଆଜ୍ଞାମାଳ ପାଇ ବିଭିନ୍ନ ଯାନିଯାତ୍ରାରେ ଅଂଶଗ୍ରହଣ କରୁଥିବା ୩୫ଟି ଚେତନ, ଜଡ଼ ଓ ଚଳନ୍ତି ପ୍ରତିମାଙ୍କର ତାଲିକା ଦିଆଯାଇଛି । ସେହି ତାଲିକା ଅନୁସାରେ, ଆଜ୍ଞାମାଳ ପାଉଥିବା ଚଳନ୍ତି ପ୍ରତିମାଙ୍କର ସଂଖ୍ୟା ୨୭ ଏବଂ ଜଡ଼ ଓ ଚେତନ ପଦାର୍ଥଙ୍କର ସଂଖ୍ୟା ୮ । ଚେତନ ଓ ଜଡ଼ ପଦାର୍ଥ ଯେଉଁ ଆଜ୍ଞାମାଳ ପାଆନ୍ତି, ସେଥିରୁ ଦୁଇଟି ହେଉଛି- ବୈଶାଖ କୃଷ୍ଣ ଦ୍ୱିତୀୟାରେ ରାବଣବଧ ଉତ୍ସବପାଇଁ ବାଲିସାହି ରାବଣ (ରାବଣ ବେଶଧାରୀ ବ୍ୟକ୍ତି) ପାଉଥିବା ରତ୍ନସିଂହାସନରେ ସ୍ପର୍ଶ ହୋଇଥିବା ଆଜ୍ଞାମାଳ ଏବଂ ଶ୍ରୀରାମ ନବମୀ ଦିନର ଅଭିଷେକ ଉତ୍ସବପାଇଁ ଶ୍ରୀରାମଙ୍କ ରତ୍ନପାଦୁକାକୁ ପ୍ରଦାନ କରାଯାଉଥିବା ଆଜ୍ଞାମାଳ । ଏହା ବ୍ୟତୀତ ଅନ୍ୟ ଛଅ ଥରର ଆଜ୍ଞାମାଳ ନବକଳେବରର ଦାରୁମାନଙ୍କ ପାଇଁ ଏବଂ ରଥଯାତ୍ରାର ରଥତ୍ରୟପାଇଁ ଦିଆଯାଇଥାଏ । ଚୈତ୍ର ଶୁକ୍ଲ ଦଶମୀ ଦିନ ବନଯାଗଯାତ୍ରୀମାନେ ଦାରୁ ସନ୍ଧାନରେ ବାହାରିବା ପୂର୍ବରୁ ଚାରିବିଗ୍ରହଙ୍କ ପାଇଁ ସଂପୃକ୍ତ ବାଡ଼ଗ୍ରାହୀ ଗ୍ରହଣ କରୁଥିବା ଚାରିଟି ଆଜ୍ଞାମାଳ ଏହାର ଅନ୍ତର୍ଭୁକ୍ତ ।

ଦାରୁଙ୍କୁ ଆଜ୍ଞାମାଳ ପ୍ରଦାନର ତତ୍ତ୍ୱ :

ପାରମ୍ପରିକ ବିଧାନ ଅନୁସାରେ, ଚୈତ୍ର ଶୁକ୍ଲ ଦଶମୀ ଦିନ, ମଧ୍ୟାହ୍ନ ଧୂପ ପରେ, ବିଦ୍ୟାପତିବଂଶୀୟ ପତି ମହାପାତ୍ର ସେବକ ରତ୍ନସିଂହାସନରେ ବିରାଜିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କର ଅଙ୍ଗଲାଗି ହୋଇଥିବା ଚାରିଟି ଆଜ୍ଞାମାଳ ସଂଗ୍ରହ କରନ୍ତି । ସେଥି ମଧ୍ୟରୁ ତିନି ବାଡ଼ର (ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ର) ତିନିଟି ଆଜ୍ଞାମାଳ ସଂପୃକ୍ତ ବାଡ଼ଗ୍ରାହୀ ଦଇତା ସେବକଙ୍କୁ ପ୍ରଦାନ କରାଯାଏ ଏବଂ ଶ୍ରୀସୁଦର୍ଶନଙ୍କ ଆଜ୍ଞାମାଳ ପତି ସେବକ ନିଜେ ରଖନ୍ତି । ଉଲ୍ଲେଖନୀୟ ଯେ ସେ ଶ୍ରୀସୁଦର୍ଶନଙ୍କ ବାଡ଼ଗ୍ରାହୀ ଭୂମିକା ନିର୍ବାହ କରିଥାଆନ୍ତି ।

ଏ ପ୍ରସଙ୍ଗରେ ସବୁଠୁ ତାତ୍ତ୍ୱିକ ଓ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି, ଦାରୁବୃକ୍ଷଙ୍କର ଚୟନ ପରେ ଏହି ଚାରି ଆଜ୍ଞାମାଳ ସଂପୃକ୍ତ ଦାରୁବୃକ୍ଷମାନଙ୍କଠାରେ ହିଁ ଲାଗି କରାଯାଇଥାଏ । ଅର୍ଥାତ୍ ଦାରୁବୃକ୍ଷ ଚୟନ ପରେ ଶ୍ରୀସୁଦର୍ଶନଙ୍କ ଦାରୁଙ୍କୁ, ଶ୍ରୀବଳଭଦ୍ରଙ୍କ ଆଜ୍ଞାମାଳ ଶ୍ରୀ ବଳଭଦ୍ରଙ୍କ ଦାରୁଙ୍କୁ, ଶ୍ରୀସୁଭଦ୍ରାଙ୍କ ଆଜ୍ଞାମାଳ ଦେବୀ ସୁଭଦ୍ରାଙ୍କ ଦାରୁଙ୍କୁ ଏବଂ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଜଗନ୍ନାଥଙ୍କ ଦାରୁଙ୍କୁ ହିଁ ପ୍ରଦାନ କରାଯାଇଥାଏ । ଏହାର ତାତ୍ତ୍ୱିକତା ଓ ତାତ୍ପର୍ଯ୍ୟ ହେଉଛି, ଚୈତ୍ର ଶୁକ୍ଲ ଦଶମୀ ଦିନ, ସଂପୃକ୍ତ ତିନି ବାଡ଼ଗ୍ରାହୀ ଓ ପତିମହାପାତ୍ର ସେବକଙ୍କୁ ଯେଉଁ ଚାରିଟି ଆଜ୍ଞାମାଳ ସଂପୃକ୍ତ ବିଗ୍ରହଙ୍କଠାରୁ ମିଳିଥାଏ- ତାହା ସଂପୃକ୍ତ ସେବକଙ୍କୁ ମିଳି ନଥାଏ । ତାହା ମିଳିଥାଏ ଚୟନ ହେବାକୁ ଥିବା ଦାରୁବୃକ୍ଷଙ୍କୁ । ସେହି ଚାରି ଆଜ୍ଞାମାଳମାନଙ୍କୁ ଶଗଡ଼ରେ ନିଆଯାଇ କାକଟପୁରର ଦେଉଳି ମଠରେ ରଖାଯାଇଥାଏ । ଗୋଟିଏ ପରେ ଗୋଟିଏ କରି ଦାରୁବୃକ୍ଷ ଚୟନ ହୁଏ ଏବଂ ସଂପୃକ୍ତ ଆଜ୍ଞାମାଳ ତାଙ୍କଠାରେ ଲାଗି କରାଯାଏ । ଏହାର ତତ୍ତ୍ୱ ଓ ତାତ୍ପର୍ଯ୍ୟ ହେଉଛି, ଶ୍ରୀବିଗ୍ରହମାନଙ୍କର ନବକଳେବର ପାଇଁ ଦାରୁବୃକ୍ଷ ଚୟନ ସଂପୃକ୍ତ ଆଜ୍ଞାମାଳଗ୍ରହୀତା ବାଡ଼ଗ୍ରାହୀ ସେବକ ବା ତାଙ୍କର ସହଯୋଗୀମାନେ କରି ନ ଥାନ୍ତି । ରତ୍ନସିଂହାସନରେ ପୂଜିତ ଚତୁର୍ଦ୍ଧା ମୂର୍ତ୍ତି ନିଜ ନବକଳେବର ପାଇଁ ନିଜେ ଦାରୁବୃକ୍ଷ ଚୟନ କରିଥାଆନ୍ତି । ସଂପୃକ୍ତ ଦଇତା ଓ ପତି ସେବକ କେବଳ ଆଜ୍ଞାମାଳର ବାହକ ସହିତ ମାଧ୍ୟମ ଭାବରେ ଉକ୍ତ କର୍ମରେ ପ୍ରଯୁକ୍ତ ହୋଇ ଥାଆନ୍ତି ।

ଚକ୍ରରାଜ ଓ ଚକ୍ରନାରାୟଣ ତତ୍ତ୍ୱ :

ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କଠାରୁ ଆଜ୍ଞାମାଳ ପାଇବା ପରେ, ଦାରୁଯାତ୍ରୀ ଦଳ ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଶ୍ରୀନଅର ଦେଇ ଜଗନ୍ନାଥବଲ୍ଲଭ ମଠକୁ ଯାତ୍ରା କରିଥାଆନ୍ତି ଏବଂ ସେଠାରୁ ଯାଇ ଥାଆନ୍ତି କାକଟପୁରର ଦେଉଳି ମଠକୁ । ସେହି ଯାତ୍ରା ସମୟରେ ସର୍ବାଗ୍ରେ ବିରାଜମାନ ଥାଆନ୍ତି ଶ୍ରୀସୁଦର୍ଶନ । କିନ୍ତୁ ଏହି ସୁଦର୍ଶନ ରତ୍ନସିଂହାସନରେ ବିରାଜିତ ସ୍ତମ୍ଭାକାର ସୁଦର୍ଶନ ନୁହନ୍ତି । ଏ ସୁଦର୍ଶନ ହେଉଛନ୍ତି ଶ୍ରୀମନ୍ଦିରର ବାହାର ଭଣ୍ଡାର ଘରେ ଥିବା ନୀଳଚକ୍ର ଆକୃତିର ସୁଦର୍ଶନ । ତେବେ ତତ୍ତ୍ୱତଃ ସ୍ତମ୍ଭାକାର ଓ ଚକ୍ରାକାରଉଭୟ ସୁଦର୍ଶନ ଅଭିନ୍ନ । ରୂପାରେ ନିର୍ମିତ ଚକ୍ରାକାର ସୁଦର୍ଶନ ଏକ କାଠ ବେଣ୍ଟ ସହିତ ସଂପୃକ୍ତ ହୋଇଥାଆନ୍ତି । ନବକଳେବରର ବନଯାଗ ବିଧିରେ ଶ୍ରୀନୃସିଂହଙ୍କ ପରି ଶ୍ରୀସୁଦର୍ଶନଙ୍କର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା-

ଶ୍ରୀମନ୍ଦିରରେ ସିଂହଦ୍ୱାରଠାରୁ ଜଗନ୍ନାଥବଲ୍ଲଭ ମଠକୁ ଏବଂ ଜଗନ୍ନାଥବଲ୍ଲଭ ମଠଠାରୁ କାକଟପୁରର ଦେଉଳି ମଠକୁ ବନଯାଗ ଯାତ୍ରୀ ଦଳ ଯାତ୍ରା କରିବା ବେଳେ ଶ୍ରୀସୁଦର୍ଶନ ଯେ କେବଳ ଅଗ୍ରଯାତ୍ରୀ ଥାଆନ୍ତି ତାହା ନୁହେଁ; ମା’ ମଙ୍ଗଳାଙ୍କ ମାଜଣା ବେଳେ ମଧ୍ୟ ଶ୍ରୀସୁଦର୍ଶନ ସଂସ୍ଥାପିତ ହୋଇଥାଆନ୍ତି ମା’ଙ୍କ ବାମ ପାର୍ଶ୍ୱରେ । ମା’ ମଙ୍ଗଳାଙ୍କ ସ୍ଵପ୍ନାଦେଶ ଆଧାରରେ ବିଭିନ୍ନ ଦିବ୍ୟ ଲକ୍ଷଣ ବିଶିଷ୍ଟ ଦାରୁବୃକ୍ଷଙ୍କର ସନ୍ଧାନ କରାଯାଏ ଏବଂ ଦାରୁଚୟନ ପରେ ପ୍ରଥମେ ଦାରୁବୃକ୍ଷ ମୂଳରେ ସଂସ୍ଥାପିତ ହୁଅନ୍ତି ଶ୍ରୀସୁଦର୍ଶନ । ତା’ପରେ ଦାରୁ ଛେଦନ ପାଇଁ ବିଧିମତେ ଅନୁଷ୍ଠିତ ହୁଏ ଯଜ୍ଞକର୍ମ । ଏହି ଯଜ୍ଞଶାଳାରେ, ବାୟୁକୋଣରେ ଓ ଅଷ୍ଟଦଳ ପଦ୍ମ ମଣ୍ଡଳରେ କରାଯାଏ ଅସ୍ତ୍ରପୂଜା । ସେହି ଅସ୍ତ୍ର ଭିତରେ ରହିଥାଏ ସୁନା, ରୂପା ଓ ଲୁହାରେ ତିଆରିତିନିଟି କୁରାଢ଼ିଓ ଲୁହାରେ ତିଆରିଗୋଟିଏ କଟୁରି । କଟୁରିରେ ଦାରୁ ବୃକ୍ଷଙ୍କ ମୂଳରେ ଦିଆଯାଏ କୁଷ୍ମାଣ୍ଡ ବଳି ଏବଂ ତିନି କୁରାଢ଼ିରେ ଛେଦନ ହୁଅନ୍ତି ଦାରୁ ବୃକ୍ଷ । ସେହି ଅସ୍ତ୍ର ବା ସେହି କୁରାଢ଼ି ଓ କଟୁରି ଅସ୍ତ୍ରମନ୍ତ୍ରରେ ପୂଜିତ ହୋଇଥଆନ୍ତି । ସେହି ଅସ୍ତ୍ର ମନ୍ତ୍ରର ଦେବତା ହେଉଛନ୍ତି ଶ୍ରୀସୁଦର୍ଶନ ।

ଯଜ୍ଞକର୍ମ ସମାପ୍ତ ହେବା ପରେ ଆଚାର୍ଯ୍ୟ ଅସ୍ତ୍ରମାନଙ୍କୁ ଯଜ୍ଞଶାଳାରୁ ଦାରୁବୃକ୍ଷ ମୂଳକୁ ନିଅନ୍ତି ଏବଂ ସୁଦର୍ଶନ ମନ୍ତ୍ରରେ ପୂଜିତ କଟୁରିରେ କୁଷ୍ମାଣ୍ଡ ବଳି ଦିଆଯାଏ । ସେହି ମନ୍ତ୍ରରେ ପୂଜିତ ସୁନା, ରୂପା ଓ ଲୁହା କୁରାଢ଼ିରେ କରାଯାଏ ଦାରୁଛେଦନ । ଆଚାର୍ଯ୍ୟ ସେହି ତିନି କୁରାଢ଼ିକୁ ଗୋଟିଏ ପରେ ଗୋଟିଏ ସଂପୃକ୍ତ ସେବକଙ୍କ ହାତକୁ ବଢ଼ାଇବା ପୂର୍ବରୁ ସୁଦର୍ଶନ ମନ୍ତ୍ର ପାଠକରି ଥାଆନ୍ତି ।

ଏହିପରି ଗୋଟିଏ ପରେ ଗୋଟିଏ ଦାରୁ ବୃକ୍ଷ ଛେଦନ ହୁଏ ଏବଂ ଗୋଟିଏ ଦାରୁବୃକ୍ଷଙ୍କର ଛେଦନ ପରେ ଅନ୍ୟ ଦାରୁବୃକ୍ଷଙ୍କ ମୂଳରେ ବିଜେ କରୁଥାଆନ୍ତି ଶ୍ରୀସୁଦର୍ଶନ । ଛେଦନ ପରେ ବିଧିମତେ ପରିବହନ ପାଇଁ ପ୍ରସ୍ତୁତ ହୁଅନ୍ତି ଦିବ୍ୟଦାରୁ । ତାହାଙ୍କୁ ପାଟବସ୍ତ୍ରରେ ଆଚ୍ଛାଦିତ କରାଯାଇ ଗୋଟିଏ ପରେ ଗୋଟିଏ ଶଗଡ଼ିରେ ପରିବହନ କରି ନିଆଯାଏ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠକୁ । ସବା ଶେଷରେ ଯାଏ ଶ୍ରୀଜଗନ୍ନାଥଙ୍କ ଦାରୁଶଗଡ଼ି ଏବଂ ଶଗଡ଼ି ସହିତ ଅଗ୍ରଯାତ୍ରୀ ହୋଇ ଶ୍ରୀମନ୍ଦିରକୁ ଫେରନ୍ତି ଶ୍ରୀସୁଦର୍ଶନ । ଏହି ଯାତ୍ରାବେଳେ ଶ୍ରୀଜଗନ୍ନାଥଙ୍କ ଦାରୁଙ୍କୁ ପଟ୍ଟବସ୍ତ୍ରରେ ସଂପୂର୍ଣ୍ଣ ଭାବରେ ଆବୃତ କରାଯାଇଥାଏ ଏବଂ ଶ୍ରୀସୁଦର୍ଶନ ତାହାଙ୍କର ସମ୍ମୁଖ ଭାଗରେ ରୁଦ୍ଧା (ବନ୍ଧା) ହୋଇଥାଆନ୍ତି । ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି ଶ୍ରୀମନ୍ଦିର କୋଇଲି ବୈକୁଣ୍ଠ ପହଞ୍ଚିବା ପରେ ହିଁ ଶେଷହୁଏ ବହିର୍ବନଯାଗ । ଶ୍ରୀସୁଦର୍ଶନ ଫେରିଯାଆନ୍ତି ଭିତର ଭଣ୍ଡାର ଘରକୁ । ଏହା ସୂଚାଏ ଯେ ଶ୍ରୀଜଗନ୍ନାଥଙ୍କ ବହିର୍ବନଯାଗରେ ଶ୍ରୀସୁଦର୍ଶନଙ୍କର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । କାରଣ ସେ ମହାଶକ୍ତିସଂପନ୍ନ; ଦୁଷ୍ଟ ଓ ଅନିଷ୍ଟ ନିବାରକ । ସାମଗ୍ରିକତା ଦୃଷ୍ଟିରୁ ଦେଖିଲେ ଶ୍ରୀସୁଦର୍ଶନ କେବଳ ଶ୍ରୀଜଗନ୍ନାଥଙ୍କର ଦକ୍ଷିଣ ହସ୍ତରେ ବିରାଜମାନ ଏକ ଆୟୁଧ ମାତ୍ର ନୁହନ୍ତି; ସେ ମଧ୍ୟ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନ୍ତର୍ଭୁକ୍ତ । ପୁଣି ନୀଳଚକ୍ର ରୂପରେ ଶ୍ରୀମନ୍ଦିରର ଚୂଡ଼ାରେ ମଧ୍ୟ ସେ ବିରାଜିତ । ଶ୍ରୀଜଗନ୍ନାଥଙ୍କ ଦିବ୍ୟଦାରୁ ଯେଉଁ ବାଙ୍କି ମୁହାଣଠାରେ ଆବିର୍ଭୂତ ହୋଇଥିଲେ, ସେଠାରେ ଚକ୍ରତୀର୍ଥରେ ଏବେ ମଧ୍ୟ ପୂଜିତ ହୁଅନ୍ତି ପ୍ରସ୍ତର ନିର୍ମିତ ନୀଳଚକ୍ର । ଶାସ୍ତ୍ରମତରେ ସେ ଚକ୍ରନାରାୟଣ ।

ଗୀତଗୋବିନ୍ଦ ଖଣ୍ଡୁଆ ଓ ଶ୍ରୀଦୁର୍ଗା-ମାଧବ ତତ୍ତ୍ୱ :

ବନଯାଗଯାତ୍ରୀମାନେ ଦାରୁଆହରଣ ନିମନ୍ତେ ଯାତ୍ରାରମ୍ଭ କରିବା ପୂର୍ବରୁ ସେମାନଙ୍କୁ ଶାଢ଼ି ବନ୍ଧାଯିବାର ବିଧି ଅଛି । ସେହି ବିଧି ଅନୁସାରେ, ପତି ମହାପାତ୍ର ଓ ଅନ୍ୟ ତିନି ବାଡ଼ଗ୍ରାହୀ ଦଇତାସେବକ ଆଜ୍ଞାମାଳ ପାଇବା ପରେ ଶ୍ରୀମନ୍ଦିରର କଳାହାଟ ଦ୍ୱାର ଦେଇ ଅଣସର ପିଣ୍ଡି ସ୍ଥାନକୁ ଆସନ୍ତି । ସେଠାରେ ଭିତରଛ ମହାପାତ୍ର ସେମାନଙ୍କ ମୁଣ୍ଡରେ ଦାରୁ ଅନ୍ୱେଷଣ ପାଇଁ ଶିରୋପା ବା ଶ୍ରୀଜୀଉଙ୍କ ବାରଲାଗି ଗୀତଗୋବିନ୍ଦ ଖଣ୍ଡୁଆ ଶାଢ଼ି ବାନ୍ଧନ୍ତି । ତା’ପରେ ଦାରୁ ଅନ୍ୱେଷଣକାରୀ ଅନ୍ୟ ଦଇତା ସେବକମାନଙ୍କ ମୁଣ୍ଡରେ ଚାରି ହାତର ପ୍ରସାଦୀ ବାରଲାଗି ଗୀତଗୋବିନ୍ଦ ଖଣ୍ଡୁଆ ଶାଢ଼ି ବନ୍ଧାଯାଏ । ଏହି ଗୀତଗୋବିନ୍ଦ ଖଣ୍ଡୁଆ ସମଗ୍ର ବନଯାଗ ଯାତ୍ରା କାଳରେ ଦଇତା ଓ ପତି ସେବକମାନଙ୍କର ରକ୍ଷାକବଚ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବନଯାଗଯାତ୍ରୀମାନେ ଯାଇ କାକଟପୁରର ଦେଉଳି ମଠରେ ପହଞ୍ଚିବା ପରେ ମା’ ମଙ୍ଗଳାଙ୍କର ଯେଉଁ ମାଜଣା ନୀତି ହୁଏ ସେଥିରେ ମଧ୍ୟ ମା’ଙ୍କ ମସ୍ତକରେ ଖଣ୍ଡିଏ ବାରଲାଗି ଗୀତଗୋବିନ୍ଦ ଖଣ୍ଡୁଆ ଶାଢ଼ି ଲାଗି କରାଯିବାର ବିଧି ଅଛି ।

ଏହି ଗୀତଗୋବିନ୍ଦ ଖଣ୍ଡୁଆରେ ସାଧାରଣତଃ ‘ଗୀତଗୋବିନ୍ଦ’ର ତୃତୀୟ ସର୍ଗରେ ଥିବା ଦୁଇଟି ପଙକ୍ତି ରହିଥାଏ । ତାହା ହେଉଛି, “କଂସାରିରପି ସଂସାର ବାସନାବଦ୍ଧ ଶୃଙ୍ଖଳା । ରାଧାମାଧାୟ ହୃଦୟେ ତତ୍ୟାଜ ବ୍ରଜସୁନ୍ଦରିଃ”॥ ଏହାର ଅର୍ଥ ହେଉଛି, “ସଂସାର ବାସନାର ଶୃଙ୍ଖଳା ଶ୍ରୀରାଧାଙ୍କ ମନୋଭାବକୁ ହୃଦୟରେ ଧାରଣକରି, କଂସ ନାମକ ଅସୁରର ଶତ୍ରୁ ଶ୍ରୀକୃଷ୍ଣ, ବ୍ରଜସୁନ୍ଦରୀ ଗୋପାଙ୍ଗନାମାନଙ୍କୁ ତ୍ୟାଗକରି ସେଠାରୁ ଚାଲିଗଲେ” । ଏଣୁ ‘ଗୀତଗୋବିନ୍ଦ’ର ଏହି ଶ୍ଲୋକରେ ଶ୍ରୀକୃଷ୍ଣଙ୍କର ହ୍ଲାଦିନୀଶକ୍ତି ରୂପେ ଶ୍ରୀରାଧାଙ୍କର ବିଶେଷତ୍ୱ ପ୍ରକଟିତ ହୋଇଛି । ଏହା ସୂଚିତ କରେ ଯେ ମହାଭାବମୟୀ, କୃଷ୍ଣାର୍ପିତପ୍ରାଣା ଶ୍ରୀରାଧା ହିଁ ଶ୍ରୀକୃଷ୍ଣଙ୍କର ସମସ୍ତ ଆହ୍ଲାଦର ହେତୁ । ସେ ଶ୍ରୀକୃଷ୍ଣଙ୍କର ସବୁ ଲୀଳାର କାରଣ-ରୂପୀ ବଳୟ ହୋଇଥାଆନ୍ତି ଏବଂ ସେହି ଶୃଙ୍ଖଳାର ଛନ୍ଦରେ ଶ୍ରୀକୃଷ୍ଣ ଚିରକାଳ ବନ୍ଧା ଥାଆନ୍ତି ।

ନବକଳେବର ଶ୍ରୀଜଗନ୍ନାଥଙ୍କର ଏକ ଅପୂର୍ବ ଲୀଳା । ଏଣୁ ଏହି ଲୀଳାରେ ଦାରୁସନ୍ଧାନକାରୀ ଦଇତା ଓ ପତି ସେବକଙ୍କ ମସ୍ତକରେ ଶିରୋପା ରୂପେ ଗୀତଗୋବିନ୍ଦ ଖଣ୍ଡୁଆ ଶାଢ଼ି ମା’ଙ୍କର ମସ୍ତକ ଲାଗି କରାଯିବା ମାଧ୍ୟମରେ ଏହି କୃଷ୍ଣ-ରାଧା, ଜଗନ୍ନାଥ-ମଙ୍ଗଳା ବା ଦୁର୍ଗା-ମାଧବଙ୍କ ଶକ୍ତିର ଉଦବୋଧନ ହୋଇଥାଏ । ତା’ ସାଙ୍ଗକୁ ସ୍ଵପ୍ନାବତୀ ମନ୍ତ୍ର ଓ ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କ ଚଣ୍ଡୀପାଠରେ ତୁଷ୍ଟା ମା’ ଦାରୁବୃକ୍ଷଙ୍କର ଦିଗ ନିର୍ଦ୍ଦେଶ କରି ଦିଅନ୍ତି ।

ସ୍ଵପ୍ନାବତୀ ମନ୍ତ୍ର ତତ୍ତ୍ୱ :

ନବକଳେବର ବିଧାନ ଅନୁସାରେ, ଶ୍ରୀବିଗ୍ରହମାନଙ୍କ ନିମନ୍ତେ ଉପଯୁକ୍ତ ଦାରୁବୃକ୍ଷଙ୍କର ସନ୍ଧାନ ମିଳିବା ପର୍ଯ୍ୟନ୍ତ ବନଯାଗ ଯାତ୍ରୀମାନେ ପ୍ରତିଦିନ ଶୋଇବା ପୂର୍ବରୁ ୧୦୮ ଥର ‘ସ୍ଵପ୍ନାବତୀ ମନ୍ତ୍ର’ ଜପ କରିଥାଆନ୍ତି । ଲୋକମୁଖରେ ‘ସ୍ଵପ୍ନାବତୀ ମନ୍ତ୍ର’ ରୂପେ କଥିତ ହେଲେ ହେଁ ଏହା ହେଉଛି ‘ସ୍ଵପ-ମାଣବକ ମନ୍ତ୍ର’, ‘ମାଣବକ’ର ଅର୍ଥ ହେଉଛି ଶିଶୁ ବା ବେଦଜ୍ଞାନହୀନ ବ୍ୟକ୍ତି । ଏହାର ତାତ୍ପର୍ଯ୍ୟ ହେଉଛି, ନିଜକୁ ମୂଢ଼, ଅଜ୍ଞାନ, ଅବୋଧ ଶିଶୁଟିଏ ପରି ମନେକରି, ମା’ଙ୍କ ନିକଟରେ ସମର୍ପିତ ହେବା ଏବଂ ସ୍ଵପ୍ନରେ ବିଗ୍ରହଯୋଗ୍ୟ ଦାରୁବୃକ୍ଷଙ୍କର ସନ୍ଧାନ ଦେବାପାଇଁ ମା’ଙ୍କୁ ପ୍ରାର୍ଥନା କରିବା । ସେହି ମନ୍ତ୍ରର ଅର୍ଥ ହେଉଛି, ”ହେ ସକଳଲୋକର ଅଧିପତି ବିଷ୍ଣୁ, ହେ ବିଶ୍ୱାଧାର ବିଶ୍ୱରୂପ, ହେ ସ୍ଵପ୍ନାଧିପତି, ମୁଁ ତୁମ୍ଭଙ୍କୁ ପ୍ରଣାମ କରୁଛି । ହେ ଦେବଦେବେଶ, ମୁଁ ତୁମ୍ଭର ଶରଣାଗତ ହେଉଛି; ମୋର ଅନ୍ତରରେ ଯେଉଁ ଅଭିଳାଷ ରହିଛି ତାହା ମୋତେ ପ୍ରାପ୍ତ କରାନ୍ତୁ ।”

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ବିଷୟ ଏହି ଯେ ମା’ ମଙ୍ଗଳାଙ୍କର ଅନ୍ୟ ଏକ ନାମ ‘ସ୍ଵପ୍ନାବତୀ’ । କାରଣ ‘ଶ୍ରୀଦୁର୍ଗା ସହସ୍ର ନାମ’ରେ ଏ ନାଆଁଟି ଅଛି । ତେବେ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ପାଠ କରାଯାଉଥିବା ଏକ ମନ୍ତ୍ର ହେଉଛି ସ୍ଵପ୍ନାବତୀ । ଏ ଦୃଷ୍ଟିରୁ ବିଚାର କଲେ ମନରେ ପ୍ରଶ୍ନ ଆସେ, ବିଗ୍ରହଯୋଗ୍ୟ ଦାରୁବୃକ୍ଷଙ୍କର ସନ୍ଧାନ ଦେବାପାଇଁ ଏହି ମନ୍ତ୍ରଦ୍ବାରା ପ୍ରାର୍ଥନା କଲେ ମା’ ମଙ୍ଗଳା କିପରି ପ୍ରସନ୍ନ ହୁଅନ୍ତି ? ‘ଶ୍ରୀମଦ୍ ଭଗବତ୍ ଗୀତା’ର ନବମ ଅଧ୍ୟାୟ, ୧୭ ଶ୍ଲୋକରେ ଏହାର ତାତ୍ପର୍ଯ୍ୟ ସୂଚିତ । ସେହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣଙ୍କ କହିଛନ୍ତି, ”ପିତାହମସ୍ୟ ଜଗତୋ ମାତା ଧାତା ପିତାମହଃ ।” ପୂର୍ବୋକ୍ତ ଦାଶରଥିଙ୍କ ଅନୁବାଦରେ ଏହାର ଅର୍ଥ ହେଉଛି, “ମୁଁ ଜଗତର ପିତା ମାତା । ମୁଁ ପିତାମହ ମୁଁ ବିଧାତା ॥“ ଏଣୁ ମା’ ଓ ତାଙ୍କ ଭିତରେ ତତ୍ତ୍ୱତଃ ଯେହେତୁ ଭେଦ ନାହିଁ, ତେଣୁ ମା’ ମଙ୍ଗଳାଙ୍କୁ ତାଙ୍କ ମନ୍ତ୍ରରେ ପ୍ରାର୍ଥନା କଲେ ବି ମା’ ପ୍ରସନ୍ନା ହୋଇଥାଆନ୍ତି ।

‘ଦାରୁବ୍ରହ୍ମଙ୍କ ନବକଳେବର’ ପୁସ୍ତକର ଲେଖକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏ ପ୍ରସଙ୍ଗରେ କହିଛନ୍ତି, ‘ଏହି ସ୍ଵପ୍ନାବତୀ ମନ୍ତ୍ରଟି ହେଉଛି ଏକ ବୈଷ୍ଣବାତ୍ମକ ମନ୍ତ୍ର । ନିଷ୍ଠା ଓ ଏକାଗ୍ରତା ସହିତ ମନ୍ତ୍ରଟିକୁ ଜପକଲେ ସ୍ଵୟଂ ଦାରୁବ୍ରହ୍ମ ଆପଣାର ଶକ୍ତି- ଅର୍ଥାତ୍ ମା’ ମଙ୍ଗଳାଙ୍କ ମାଧ୍ୟମରେ, ମହାଦାରୁଙ୍କର ସ୍ଥିତି ସ୍ଵପ୍ନାଦେଶଦ୍ୱାରା ଜଣାଇ ଦେଇଥାନ୍ତି । ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗ ସେବକ ଦଇତାମାନେ ମଧ୍ୟ ମହାଦାରୁଙ୍କର ସ୍ଥିତିଜାଣିବା ନିମିତ୍ତ ଅଧିଆ ପଡ଼ିଥାଆନ୍ତି । ଜିବାତ୍ମା ଓ ପରମାତ୍ମାଙ୍କ ଅଭେଦସିଦ୍ଧି ହିଁ ଶକ୍ତିତନ୍ତ୍ରର ସିଦ୍ଧାନ୍ତ, ଯାହାକୁ ଅଦ୍ଵୈତ ତତ୍ତ୍ୱର ପ୍ରୟୋଗାତ୍ମକ ଧାରା । ଦାରୁବ୍ରହ୍ମଙ୍କ ମହାଦାରୁ ଅନ୍ୱେଷଣରେ ଏହି ଧାରାର ହିଁ ପ୍ରୟୋଗ ହୋଇଥାଏ । ସ୍ଵପ୍ନାବତୀ ମନ୍ତ୍ର ଜପ ଓ ଗୁହାରିଆ ପଡ଼ିବା ଦ୍ୱାରା ଜଗଜ୍ଜନନୀ ମା’ ମଙ୍ଗଳା କୃପା କରିଥାଆନ୍ତି ତଥା ଆତ୍ମଶକ୍ତି ଜାଗ୍ରତ କରାଇଦେଇଥାଆନ୍ତି । ଏହି ଆତ୍ମଶକ୍ତି ବଳରେ ଜାପକ ବା ଗୁହାରିଆ ପଡ଼ିଥିବା ବ୍ୟକ୍ତି ମହାଦାରୁଙ୍କର ସ୍ଥିତି ଜାଣି ପାରିଥାନ୍ତି । ସବୁ ସେହି କରୁଣାମୟ ଦାରୁବ୍ରହ୍ମ ଓ କରୁଣାମୟୀ ମା’ ମଙ୍ଗଳାଙ୍କ କରୁଣାରେ ହିଁ ସମ୍ଭବ ହୋଇଥାଏ । ଏହି ଦିବ୍ୟ ଦୃଷ୍ଟିରେ ସ୍ଵପ୍ନ ସତ୍ୟ ହୋଇଥାଏ ।”

 

ନିମ୍ବଦାରୁ ତତ୍ତ୍ୱ :

ବରାହ ମିହିରଙ୍କ ‘ବୃହତ୍ ସଂହିତା’ ଗ୍ରନ୍ଥରେ ବିଗ୍ରହ ନିର୍ମାଣ ଉପଯୋଗୀ ବିଭିନ୍ନ ଦ୍ରବ୍ୟର ଉଲ୍ଲେଖ କରାଯାଇଛି । ତେବେ କଶ୍ୟପଙ୍କ ‘ଶିଳ୍ପ ଶାସ୍ତ୍ର’ରେ ପ୍ରତିମା ନିର୍ମାଣ ପାଇଁ ‘ଦାରୁ’ ବା କାଷ୍ଠ ହିଁ ଅଧିକ ଉପଯୋଗୀ ବୋଲି ଉଲ୍ଲେଖ ଅଛି । ‘ଭବିଷ୍ୟ ପୁରାଣ’ରେ ସୁର୍ଯ୍ୟଦେବଙ୍କ ପ୍ରତିମା ନିର୍ମାଣ ପ୍ରସଙ୍ଗରେ ଦାରୁ ପ୍ରତିମାକୁ ଗୁରୁତ୍ୱ ଦିଆଯାଇଛି । ଏ ପ୍ରସଙ୍ଗରେ ଅଶ୍ୱତଥ, ମହୁଲ, ଦେବଦାରୁ, ଚନ୍ଦନ, ବିଲ୍ୱ, ଖଦିର, ଅଞ୍ଚନ, ନିମ୍ବ, ଶ୍ରୀପର୍ଣ୍ଣ, ପଣସ, ସରଳ, ଅର୍ଜୁନ ଓ ରକ୍ତଚନ୍ଦନ ବୃକ୍ଷ ପ୍ରତିମା ନିର୍ମାଣ ନିମନ୍ତେ ଉତ୍ତମ ବୋଲି କୁହାଯାଇଛି । କିନ୍ତୁ ଶ୍ରୀଜଗନ୍ନାଥଙ୍କ ପ୍ରତିମା ନିର୍ମାଣ ନିମନ୍ତେ ନିମ୍ବବୃକ୍ଷକୁ କାହିଁକି ଚୟନ କରାହୋଇଥାଏ, ତା’ ପଛରେ ରହିଛି ଗଭୀର ତତ୍ତ୍ୱ ।

‘ଭବିଷ୍ୟ ପୁରାଣ’ରେ ଉଲ୍ଲେଖ ଅଛି- “ନିମ୍ବାଦ୍ୟାଃ ସର୍ବବର୍ଣ୍ଣାନାଂ ବୃକ୍ଷାଃ ସାଧାରଣାଃ ସ୍ମୃତାଃ” । ଏହାର ଅର୍ଥ, ସମାଜର ସବୁବର୍ଗର ଉପାସକଙ୍କ ପାଇଁ ନିମ୍ବ ଦାରୁରେ ନିର୍ମିତ ପ୍ରତିମା ଗ୍ରହଣୀୟ । ‘ପ୍ରତିମା ଲକ୍ଷଣ ସୌଧାଗମ’ ନାମକ ଏକ ପୋଥିର ତଥ୍ୟ ମଧ୍ୟ ଏହାକୁ ସମର୍ଥନ କରେ । ସେଥିରେ କୁହାଯାଇଛି, “ନିମ୍ବ ପ୍ରଧାନମେତେଷାଂ ପ୍ରତିମା ଚ ବିନିର୍ମିତୌ”, ଅର୍ଥାତ୍, ପ୍ରତିମା ନିର୍ମାଣ ନିମନ୍ତେ ନିମ୍ବ ହିଁ ସବୁ ଦାରୁଙ୍କ ମଧ୍ୟରେ ପ୍ରଧାନ । ଏହା ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିରର ସେବାପୂଜା ବ୍ୟବସ୍ଥାରେ ବିଦ୍ୟାପତି ବଂଶୀୟ ବ୍ରାହ୍ମଣ, କ୍ଷତ୍ରିୟ ବଂଶୀୟ ଗଜପତି ମହାରାଜା ଓ ଶବର ବଂଶୀୟ ବିଶ୍ୱାବସୁ- ସବୁ ଶ୍ରେଣୀର ସଂପୃକ୍ତି ରହିଥାଏ । ଏ ଦୃଷ୍ଟିରୁ ସମାଜର ସବୁ ବର୍ଗର ସେବକ ଓ ଉପାସକଙ୍କ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ନିମ୍ବବୃକ୍ଷକୁ ହିଁ ଦାରୁ ରୂପେ ଚୟନ କରାଯିବାର ବିଧି ରହିଆସିଛି ।

ତ୍ରିଗୁଣ-ଅଙ୍କୁର ତତ୍ତ୍ୱ :

ଶ୍ରୀବିଗ୍ରହମାନଙ୍କର ନିର୍ମାଣ ନିମନ୍ତେ ଦାରୁ ସଂଗ୍ରହ ପାଇଁ ବନରେ କରାଯାଉଥିବା ଯଜ୍ଞ ହେଉଛି ବନଯାଗ । ଅନ୍ୟାନ୍ୟ ଶୁଭାନୁଷ୍ଠାନର ଯଜ୍ଞକର୍ମ ପରି ଏଥିରେ ମଧ୍ୟ ଅଙ୍କୁରାରୋପଣ କରାଯାଏ । ଏଥିରେ ତିନି କିସମର ମାଟିପାତ୍ର ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ବିଧିରେ, ମାଟିପାତ୍ର ‘ସରାବ’କୁ ଶିବଙ୍କର ଆଧାନ, ‘ପାଳିକା’କୁ ବିଷ୍ଣୁଙ୍କର ଆଧାନ ଓ ‘ପଞ୍ଚମୁଖୀ’କୁ ବ୍ରହ୍ମାଙ୍କର ଆଧାନ ରୂପେ ଗ୍ରହଣ କରି ଏଥିପାଇଁ ଚାରିଟି ଲେଖାଏଁ ପାତ୍ରରେ ଅଙ୍କୁରାରୋପଣ କରାଯାଇଥାଏ । ଏହି ଚାରି ଅଙ୍କୁରପାତ୍ରରୁ ଗୋଟିଏ ଲେଖାଏଁ ଯଜ୍ଞଶାଳାର ଚାରିଦ୍ୱାରରେ ସ୍ଥାପନ କରାଯାଏ । ଅର୍ଥାତ୍ ପ୍ରତି ଦ୍ୱାରରେ ଗୋଟିଏ ଲେଖାଏଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଅଙ୍କୁରପାତ୍ର ସଂସ୍ଥାପିତ ହୁଅନ୍ତି । ଏହା ଫଳରେ ଯଜ୍ଞଶାଳାର ଚାରିଟିଯାକ ଦ୍ୱାରରେ ତ୍ରିଗୁଣସଂପନ୍ନ ଉତ୍ପାଦିକା ଶକ୍ତିର ସମନ୍ୱୟ ଘଟିଥାଏ । ଅର୍ଥାତ୍ ଏହା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ନୂତନ ଜୀବନର ଅଭ୍ୟୁଦୟକୁ ଅଭିବ୍ୟଞ୍ଜିତ କରେ ।

ବିଷ୍ଣୁ-ଲକ୍ଷ୍ମୀ ମିଳନ ତତ୍ତ୍ୱ :

ପରିଶେଷରେ ଆରମ୍ଭ ହୁଏ ଯଜ୍ଞକର୍ମ । ଏହି ଯଜ୍ଞର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଧାନ ହେଉଛି, ଯଜ୍ଞକୁଣ୍ଡରେ ଅଗ୍ନିଙ୍କର ସ୍ଥାପନ ପୂର୍ବରୁ ଆଚାର୍ଯ୍ୟ କୁଣ୍ଡ ଭିତରେ ମୁରୁଜ ପକାଇ, ତା, ଉପରେ ଏକ କୁଶ ଶଯ୍ୟା ପ୍ରସ୍ତୁତ କରନ୍ତି । ସେହି କୁଣ୍ଡରେ ମା’ ଲକ୍ଷ୍ମୀ ଶୟନ କରିଥିବାର କଳ୍ପନା କରାଯାଏ । ତା’ପରେ ବିଷ୍ଣୁ ରୂପେ ରୂପାୟିତ ଅଗ୍ନି ବା ବୈଷ୍ଣବାଗ୍ନିଙ୍କୁ ଯଜ୍ଞକୁଣ୍ଡରେ ସ୍ଥାପନ କରାଯାଏ । ଏହି ଅଗ୍ନି ବିଷ୍ଣୁଙ୍କର ବୀର୍ଯ୍ୟ ରୂପେ ପରିକଳ୍ପିତ ହୁଅନ୍ତି । ଏଣୁ ଏହି ଯଜ୍ଞକର୍ମର ମୂଳତତ୍ତ୍ୱ ହେଉଛି ପ୍ରକୃତି-ପୁରୁଷର ମିଳନ ।

କୁଷ୍ମାଣ୍ଡ ବଳି ତତ୍ତ୍ୱ :

ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଏ ପାତାଳ ନୃସିଂହ ମନ୍ତ୍ରରେ । ତା’ପରେ ପୁଷ୍ପାଞ୍ଜଳି ଦିଆଯାଇ ଦାରୁବୃକ୍ଷଙ୍କ ମୂଳରେ ସଂପନ୍ନ ହୁଏ ଗୁପ୍ତ ନୀତି । ଏହି ଗୁପ୍ତନୀତି ମଧ୍ୟରେ କୁଷ୍ମାଣ୍ଡ ବଳି ଅନ୍ୟତମ । ଏହା ଏକ ପ୍ରତୀକାତ୍ମକ ପଶୁବଳି । ଗୋଟିଏ କୁଷ୍ମାଣ୍ଡ (ପାଣି କଖାରୁ) ତଳେ ଚାରିଟି କାଠି ଖଞ୍ଜି ପଶୁଟିଏପରି ଚାରିଟି ଗୋଡ଼ କରାଯାଏ । ସେଥିରେ ଆଉ ଖଣ୍ଡିଏ କାଠି ଖଞ୍ଜି ଗୋଟିଏ ଲାଞ୍ଜ କରାଯାଏ । ତା’ପରେ ଅସ୍ତ୍ରମନ୍ତ୍ରରେ ଅଭିମନ୍ତ୍ରିତ କଟୁରି ଦ୍ୱାରା ସେହି କୁଷ୍ମାଣ୍ଡକୁ ଦୁଇଗଡ଼ କରି କାଟି ଦିଆଯାଏ । ଏହି ବଳି ପ୍ରଦାନ ପରେ ତାହାର ଭିତର (ଶସ) ଅଂଶକୁ ଖଣ୍ଡଖଣ୍ଡ କରି କାଟି, ସେଥିରେ ବିରି ଓ ହଳଦୀ ଗୋଳେଇ, କଦଳୀପତ୍ରରେ ଦଶଦିଗପାଳ ଓ ଭୂତଗଣଙ୍କୁ ବଳି ଦିଆଯାଏ-। ଏହା ପଛରେ ରହିଛି ଗଭୀର ତତ୍ତ୍ୱ । ଜର୍ମାନ୍ ଗବେଷକ ରୋଲାଣ୍ଡ ହାଡ଼େନବର୍ଗ ତାଙ୍କ ନବକଳେବର ସଂପର୍କିତ ଗବେଷଣା ଗ୍ରନ୍ଥରେ ଏହାକୁ ‘ଗୋଟିଏ ଜୀବନର ବିଲୟ ସହିତ ଆଉ ଏକ ଜୀବନର ଅଭ୍ୟୁଦୟ’ ଭାବରେ ଅଭିବ୍ୟଞ୍ଜିତ କରିଛନ୍ତି । କୋଇଲି ବୈକୁଣ୍ଠରେ ବିଗ୍ରହ ନିର୍ମାଣ ପରେ ଏବଂ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠା ଯଜ୍ଞର ପୂର୍ଣ୍ଣାହୁତି ପୂର୍ବରୁ, ପୁରାତନ ବିଗ୍ରହଙ୍କ ନିମନ୍ତେ ଉଦ୍ଦିଷ୍ଟ ପାତାଳୀ-ଗର୍ତ୍ତ ପାର୍ଶ୍ୱରେ ସଂପନ୍ନ ହେଉଥିବା ଗୁପ୍ତ ମତ୍ସ୍ୟବଳି ନୀତି ପରେ ନବନିର୍ମିତ ବିଗ୍ରହମାନଙ୍କର ଜୀବନ୍ୟାସ ବିଧି ସଂପନ୍ନ କରାଯାଇଥାଏ ।

ଓଲଟ-ମନୁଷ୍ୟ ଚିତ୍ରତତ୍ତ୍ୱ :

କୁଷ୍ମାଣ୍ଡ ବଳି ପରେ ଓ ଦାରୁବୃକ୍ଷ ଛେଦନ ପୂର୍ବରୁ ହେଉଥିବା ଆଉ ଏକ ବିଧାନ ମଧ୍ୟ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ । ସେହି ବିଧାନଟି ହେଉଛି, ଦାରୁବୃକ୍ଷଙ୍କର ଗଣ୍ଡିରେ ଏକ ଓଲଟ-ମନୁଷ୍ୟ ଚିତ୍ର ଅଙ୍କନ । ପ୍ରତିଷ୍ଠା ଯଜ୍ଞର ପରିସମାପ୍ତି ପରେ, ଦାରୁ ବୃକ୍ଷଙ୍କର ଶରୀରରେ ଯଜ୍ଞଭସ୍ମ, ଯଜ୍ଞଜଳ ଓ ଯଜ୍ଞର ଅବଶେଷ ଭାବରେ ଥିବା ଘୃତ ଲେପନ କରାଯାଇ ତାହାଙ୍କର ଶୁଦ୍ଧସ୍ନାନ କରାଯାଏ । ତା’ ପରେ ଦାରୁବୃକ୍ଷଙ୍କୁ ଏକ ଶୁଭ୍ରବସ୍ତ୍ର ପରିଧାନ କରାଯାଏ । ଦାରୁବୃକ୍ଷଟି ଯେଉଁ ବିଗ୍ରହଙ୍କ ନିମନ୍ତେ ଉଦ୍ଦିଷ୍ଟ, ତାଙ୍କରି ମନ୍ତ୍ରରେ ତାହାଙ୍କୁ ପୂଜା କରାଯାଇ ବୃକ୍ଷର ଗଣ୍ଡିରେ ଅଙ୍କନକରାଯାଏ ଏକ ଓଲଟ-ମନୁଷ୍ୟ ଚିତ୍ର । କୁଶଗୁଚ୍ଛକୁ ଘୋରା ଚନ୍ଦନରେ ବୁଡ଼ାଇ ସେଥିରେ ଏହି ଚିତ୍ର ଅଙ୍କନ କରାଯାଏ ।

ଏହି ଓଲଟ-ମନୁଷ୍ୟ ଚିତ୍ରର ତାତ୍ତ୍ୱିକ ସମ୍ପର୍କ ରହିଛି ‘ଶ୍ରୀମଦ୍ ଭଗବତ୍ ଗୀତା’ ଓ ‘କଠୋପନିଷଦ’ ର ଉକ୍ତି ସହିତ । ‘ଗୀତା’ର ପଞ୍ଚଦଶ ଅଧ୍ୟାୟ, ‘ଶ୍ରୀପୁରୁଷୋତ୍ତମ ଯୋଗ’ର ପ୍ରଥମ ଶ୍ଲୋକଟି ହେଉଛି, “ଊର୍ଦ୍ଧ୍ୱମୂଳମଧଃଶାଖମଶ୍ୱତଥଂ ପ୍ରାହୁରବ୍ୟୟମ୍/ଛନ୍ଦାଂସି ଯସ୍ୟ ପର୍ଣ୍ଣାନି ଯସ୍ତଂ ବେଦ ସ ବେଦବିତ୍ ।” ପୂର୍ବୋକ୍ତ ଦାଶରଥି ତାଙ୍କ ନବାକ୍ଷରୀ ଅନୁବାଦରେ କହିଛନ୍ତି, “ଏହି ଯେ ଅବ୍ୟୟ ସଂସାର । ଅଶ୍ୱତଥ୍ ବୃକ୍ଷ ପରକାର ।। ଉପର ଅଟଇ ତା’ ମୂଳ । ଶାଖା ପ୍ରଶାଖା ଅଟେ ତଳ ।। ବେଦ ସବୁ ତା’ ପତ୍ରମାନ । ଯେ ଜାଣେ ବେଦଜ୍ଞ ସେ ଜନ ।।” ‘କଠୋପନିଷଦ’ରେ ମଧ୍ୟ କୁହାଯାଇଛି, “ଊର୍ଦ୍ଧ୍ୱମୂଳୋଽବାକଶାଖ ଏଷୋଽଶ୍ୱତଥଃ ସନାତନଃ ।” ଏହାର ତାପର୍ଯ୍ୟ ହେଉଛି- ଏହି ସଂସାରରୂପ ଅଶ୍ୱତଥବୃକ୍ଷର ମୂଳ ହେଉଛନ୍ତି ବ୍ରହ୍ମ । ସେ ଉର୍ଦ୍ଧ୍ୱରେ ଅବସ୍ଥାନ କରୁଛନ୍ତି । ସେ ଅବ୍ୟକ୍ତ । ତାଙ୍କଠାରୁ ଉତ୍ପନ୍ନ ହୋଇଥିବା ଏହି ବ୍ୟକ୍ତସୃଷ୍ଟି ନିମ୍ନରେ ଅବସ୍ଥିତ ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଆମର ଶରୀର ଏକ ଓଲଟବୃକ୍ଷ ରୂପେ ପରିକଳ୍ପିତ । ଆମର ମସ୍ତିଷ୍କ ହେଉଛି ତା’ର ମୂଳ ଏବଂ ହସ୍ତପଦାଦି ଅବୟବ ତା’ର ଶାଖା । ମସ୍ତିଷ୍କର ସହସ୍ରାର ଚକ୍ର ହେଉଛି ପରଂବ୍ରହ୍ମଙ୍କର ଅବସ୍ଥାନ । ଏହି ଭାବଧାରା ଅନୁସାରେ ଆମ ସାହିତ୍ୟରେ ରଚିତ ହୋଇଛି “ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା” ପରି ବହୁ ରହସ୍ୟବାଦୀ ଗୀତି । ଏହି ତତ୍ତ୍ୱକୁ ନବକଳେବରର ଦାରୁବୃକ୍ଷଙ୍କ ପରିପ୍ରେକ୍ଷୀରେ ବିଚାର କଲେ ଦେଖାଯାଏ ଯେ ଦାରୁବୃକ୍ଷଙ୍କର ମୁଖ୍ୟ ଗଣ୍ଡି ଭାଗରେ, ବୃକ୍ଷଛେଦନ ପୂର୍ବରୁ ଓଲଟ-ମନୁଷ୍ୟ ଚିତ୍ର ଅଙ୍କନ କରାଯିବାର ବିଶେଷ ତାପର୍ଯ୍ୟ ରହିଛି ‘ଶ୍ରୀମଦ୍ଭଗବତ୍ ଗୀତା’ ର ‘ଶ୍ରୀପୁରୁଷୋତ୍ତମ ଯୋଗ’ ରେ ଶ୍ରୀପୁରୁଷୋତ୍ତମଙ୍କ ବିଗ୍ରହର ଯେଉଁ ସଂକେତ ସନ୍ନିହିତ, ତା’ ସହିତ ଏହି ଓଲଟ-ମନୁଷ୍ୟ ଚିତ୍ରର ରହିଛି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ।

ସୁନା, ରୂପା ଓ ଲୁହା କୁରାଢ଼ି ତତ୍ତ୍ୱ:

ଏହାପରେ କରାଯାଏ ଦାରୁବୃକ୍ଷଙ୍କର ଛେଦନ । ସୁଦର୍ଶନ ମନ୍ତ୍ରରେ ଅଭିମନ୍ତ୍ରିତ ସୁନା, ରୂପା ଓ ଲୁହା କୁରାଢ଼ିକୁ ଘିଅ ଓ ମହୁରେ ବିଲେପିତ କରି ଏହି ଦାରୁଛେଦନ କରାଯିବାର ବିଧି ଅଛି-। ବିଦ୍ୟାପତି ସୁନା କୁରାଢ଼ିରେ, ବିଶ୍ୱାବସୁ ରୂପା କୁରାଢ଼ିରେ ଏବଂ ବିଶ୍ୱକର୍ମା ଲୁହା କୁରାଢ଼ିରେ ଦାରୁଛେଦନ କରିଥାଆନ୍ତି । ‘ପୌରୁଷ’ ପତ୍ରିକାର ଜୁଲାଇ ୨୦୧୫ ସଂଖ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟ, ସଂସ୍କୃତ ବିଭାଗର ପୂର୍ବତନ ପ୍ରଫେସର ଗୋପାଳକୃଷ୍ଣଦାଶ ଏହାକୁ ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ଯଜ୍ଞବିଧି ସହିତଯୋଡ଼ିଛନ୍ତି । ଅଶ୍ୱମେଧ ଯଜ୍ଞରେ ରାଜାଙ୍କର ତିନିଶ୍ରେଣୀର ପତ୍ନୀ-

‘ମହିଷୀ’, ‘ବାବାତା’ ଓ ‘ପରିବୃକ୍ତୀ’ ଯଥାକ୍ରମେ ଯଜ୍ଞାଶ୍ୱକୁ ସୁନା ଛୁଞ୍ଚି, ରୂପା ଛୁଞ୍ଚି ଓ ଲୁହା ଛୁଞ୍ଚିରେ ଫୋଡ଼ିବାର ବିଧି ଅଛି । ସେହି ଧାରାରେ ଦାରୁଛେଦନ ସୁନା, ରୂପା ଓ ଲୁହା କୁରାଢ଼ିରେ କରାଯାଇଥାଏ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, ଅଶ୍ୱମେଧ ଯଜ୍ଞରେ ଅଶ୍ୱର ମସ୍ତକକୁ ପୂର୍ବଦିଗକୁ ଓ ପାଦକୁ ଉତ୍ତରକୁ ରଖାଯାଇ ଅଶ୍ୱର ପ୍ରାଣ ବିଯୋଜନ କରାଯାଇଥାଏ ଏବଂ ସେହି ଧାରାରେ ଛେଦନ ହେଉଥିବା ଦାରୁବୃକ୍ଷକୁ ପୂର୍ବ ଓ ଉତ୍ତର ଦିଗରେ ଭୂମିସାତ୍ କରାଇବାର ବିଧି ଏବେ ପ୍ରଚଳିତ ଅଛି ବୋଲି ମଧ୍ୟ ସେ କହିଛନ୍ତି ।

ବିଗ୍ରହ-ନିର୍ମାଣ ତତ୍ତ୍ୱ :

କୋଇଲି ବୈକୁଣ୍ଠର କାରୁଶାଳାରେ ନିର୍ମିତ ହେଉଥିବା ଶ୍ରୀବିଗ୍ରହମାନଙ୍କର ନିର୍ମାଣ ବିଧି ଅତ୍ୟନ୍ତ ଗୋପନୀୟ । ବରିଷ୍ଠ ଦଇତା ଓ ପତି ସେବକଙ୍କ ପରିବାରରେ, ପରଂପରାକ୍ରମେ ରହିଆସିଥିବା ଗୁପ୍ତ ହାତଲେଖା ପୋଥି ଅନୁସାରେ ଏଥିପାଇଁ ଭାଗମାପ ଦିଆଯାଏ ଏବଂ ବିଶ୍ୱକର୍ମା ସେବକମାନେ ତଦନୁସାରେ ବିଗ୍ରହମାନଙ୍କର ନିର୍ମାଣ କରନ୍ତି । ସେହି ଭାଗମାପ ବରିଷ୍ଠ ଦଇତାପତି ଓ ବିଶ୍ୱକର୍ମା ସେବକମାନଙ୍କ ମଧ୍ୟରେ ଗୁପ୍ତ ରହେ । ‘ଯବ’ ମାପ ଅନୁସାରେ ବିଗ୍ରହମାନଙ୍କର ନିର୍ମାଣ କରାଯାଇଥାଏ । ବିଭିନ୍ନ ସୂତ୍ରର ତଥ୍ୟ ଅନୁସାରେ ଏହି ‘ଯବ’ର ପରିମିତି ହେଉଛି ହାତର ମଝି ଆଙ୍ଗୁଠିର ମଝି ପବର ପରିମାପ । ଏହାର ପରିମିତି ନ୍ୟୂନାଧିକ ଏକ ଇଞ୍ଚ । ବିଗ୍ରହଙ୍କର ଉଚ୍ଚତା, ଭୁଜର ଦୈର୍ଘ୍ୟ ଏବଂ ଶରୀରର ପ୍ରସ୍ଥ ଅନୁସାରେ ଶ୍ରୀବଳଭଦ୍ର ଶଙ୍ଖଯନ୍ତ୍ର, ଶ୍ରୀଜଗନ୍ନାଥ ଚକ୍ରଯନ୍ତ୍ର, ଶ୍ରୀସୁଦର୍ଶନ ଗଦାଯନ୍ତ୍ର ଏବଂ ଦେବୀ ସୁଭଦ୍ରା ପଦ୍ମଯନ୍ତ୍ର ଆକାରରେ ନିର୍ମିତ ହୁଅନ୍ତି । ଭଗବାନ ବିଷ୍ଣୁଙ୍କର ଚାରି ମୁଖ୍ୟ ଆୟୁଧଙ୍କର ସଙ୍କେତ ଏଥିରେ ଥାଏ । ସେହିପରି ଚତୁର୍ଦ୍ଧାମୂର୍ତ୍ତି ମଧ୍ୟ ଚତୁର୍ବେଦର ପ୍ରତିନିଧିତ୍ୱ କରିଥାଆନ୍ତି ।

ନ୍ୟାସଦାରୁ ତତ୍ତ୍ୱ :

ସମଗ୍ର ନବକଳେବର ବିଧିରେ ନ୍ୟାସଦାରୁଙ୍କର ପ୍ରତିଷ୍ଠା ଅଧ୍ୟାୟଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପ୍ରତିଷ୍ଠାମଣ୍ଡପ ବା ଯଜ୍ଞମଣ୍ଡପରେ ଯଜ୍ଞର ଆରମ୍ଭଠାରୁ ନ୍ୟାସକର୍ମ ଶେଷ ହେବା ପର୍ଯ୍ୟନ୍ତ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାକର୍ମ ଏହି ନ୍ୟାସଦାରୁଙ୍କଠାରେ ହିଁ କରାଯାଇଥାଏ । ୧୦୮ କୁମ୍ଭ ଜଳରେ ତଥା ସହସ୍ରଧାର କୁମ୍ଭରେ ନ୍ୟାସଦାରୁଙ୍କର ଅଭିଷେକ ଏହି କର୍ମର ଏକ ବିଶେଷ ବିଧାନ । ଉଲ୍ଲେଖନୀୟ ଯେ ଏହି ଅଭିଷେକ ସମୟରେ ଶ୍ରୀପୁରୁଷୋତ୍ତମଙ୍କ ଉଦ୍ଦେଶ୍ୟରେ ପୁରୁଷସୂକ୍ତ, ଶ୍ରୀବଳଭଦ୍ରଙ୍କ ଉଦ୍ଦେଶ୍ୟରେ ଯଜୁର୍ବେଦୀୟ ରୁଦ୍ରାଧ୍ୟାୟ ବା ନୀଳସୂକ୍ତ ଏବଂ ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ଶ୍ରୀସୂକ୍ତ ପାଠ କରାଯାଏ । ଅଭିଷେକ ପରେ ନ୍ୟାସଦାରୁଙ୍କୁ ନୃସିଂହ ଗାୟତ୍ରୀ ତଥା ମନ୍ତ୍ରରାଜ ନୃସିଂହ ମନ୍ତ୍ରରେ, ଷୋଡ଼ଶ ଉପଚାରରେ ପୂଜା କରାଯାଏ । ତା’ର ପରଦିନ ଆରମ୍ଭ ହୁଏ ନ୍ୟାସକର୍ମ । ଏହି ନ୍ୟାସକର୍ମର ଅଙ୍ଗସ୍ଵରୂପ ନ୍ୟାସଦାରୁଙ୍କର ବିଭିନ୍ନ (ପରିକଳ୍ପିତ) ଅଙ୍ଗରେ ମନ୍ତ୍ରରାଜ ନୃସିଂହ ମନ୍ତ୍ରର ପ୍ରତି ଅକ୍ଷର, ପ୍ରତି ଶବ୍ଦ ଓ ପ୍ରତି ଚରଣର ନ୍ୟାସ କରାଯାଏ । ଏହାର ତାତ୍ପର୍ଯ୍ୟ ସୂଚିତ କରି ଜଗବନ୍ଧୁ ପାଢ଼ୀ “ଶ୍ରୀପୁରୁଷୋତ୍ତମ ତତ୍ତ୍ୱ ଓ ନବକଳେବର’ ପୁସ୍ତକରେ କହିଛନ୍ତି, “ଏହିପରି କରାଯିବା ଦ୍ୱାରା ସେହି ନ୍ୟାସଦାରୁଙ୍କୁ ଭଗବାନ ଶ୍ରୀନୃସିଂହଙ୍କର ସ୍ଵରୂପ ପ୍ରଦାନ କରାଯାଏ । ଏହି ସମସ୍ତ ନ୍ୟାସ ତିନି ମୁଖ୍ୟ ଦେବତାଙ୍କ ପାଇଁ ତିନିବାର କରାଯାଏ । ତାହାପରେ ସେହି ଦାରୁରେ ଶ୍ରୀପୁରୁଷୋତ୍ତମଙ୍କ ପାଇଁ କେଶବାଦି ନ୍ୟାସ, ଶ୍ରୀବଳଭଦ୍ରଙ୍କ ପାଇଁ ଶ୍ରୀକଣ୍ଠାବିନ୍ୟାସ ଓ ଦେବୀ ସୁଭଦ୍ରାଙ୍କ ପାଇଁ କଳାନ୍ୟାସ କରାଯାଏ । ଏହାପରେ ସେହି ନ୍ୟାସଦାରୁଙ୍କର ବିଭିନ୍ନ ଅଙ୍ଗରେ ଅନୁନ୍ୟ ୩୦ ପ୍ରକାରର ନ୍ୟାସ କରାଯାଇଥାଏ । ସାଧାରଣତଃ ଯଜ୍ଞର ପଞ୍ଚମ ଦିନଠାରୁ ନ୍ୟାସକର୍ମ ଆରମ୍ଭ ହୁଏ ଏବଂ ନବମଦିନ ନ୍ୟାସକର୍ମ ସମାପ୍ତ ହୁଏ । ନ୍ୟାସ ଉତ୍ତାରୁ ପ୍ରାଣ ପ୍ରତିଷ୍ଠା ମନ୍ତ୍ରଦ୍ୱାରା ସେହି ନ୍ୟାସଦାରୁଙ୍କଠାରେ ପ୍ରାଣ, ମାଂସ, ରକ୍ତ ଓ ଇନ୍ଦ୍ରିୟ ସମୂହର ପ୍ରତିଷ୍ଠା କରାଯାଏ ।”

ଉଲ୍ଲେଖନୀୟ ଯେ ଏହି ନ୍ୟାସଦାରୁଙ୍କୁ ହିଁ ବିଧିମତେ ଚାରିଖଣ୍ଡ କରାଯାଇ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ବ୍ରହ୍ମରନ୍ଦ୍ରର ଆବରଣ ରୂପେ ସଂସ୍ଥାପନ କରାଯାଇଥାଏ । ତେବେ ସେଥି ନିମନ୍ତେ ନ୍ୟାସଦାରୁଙ୍କୁ ନିର୍ମାଣମଣ୍ଡପକୁ ନେବା ପୂର୍ବରୁ ଦଇତାସେବକମାନେ ତାହାଙ୍କୁ ଗୋଟିଏ କ୍ଷୁଦ୍ର ରଥରେ ଆରୂଢ଼ କରି ସାତବାର ବେଢ଼ା ପରିକ୍ରମା କରାଇଥାଆନ୍ତି । ଏହା ନବକଳେବର ବର୍ଷର ସର୍ବବିଦିତ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଅଭ୍ୟନ୍ତରର ଏକ ଗୁପ୍ତ ରଥଯାତ୍ରା । ପତିମହାପାତ୍ର ଓ ଦଇତାସେବକମାନେ ହିଁ ଏହି ରଥଯାତ୍ରାର କର୍ତ୍ତା ଓ ଦ୍ରଷ୍ଟା ହୋଇଥଆନ୍ତି । ସେହିମାନେ ହିଁ ଏଥିରେ ଛତ୍ର, ଚାମର ଓ ତ୍ରାସ ଧରିବା ସହିତ ଘଣ୍ଟ ବଜାଇଥାଆନ୍ତି ଏବଂ ରଥ ଟାଣିଥାଆନ୍ତି । ଏ ପ୍ରସଙ୍ଗରେ ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଏହି ନ୍ୟାସଦାରୁ ଶ୍ରୀଜଗନ୍ନାଥଙ୍କ ଦାରୁବୃକ୍ଷର ଅଂଶ ହୋଇଥାଆନ୍ତି ଏବଂ ନ୍ୟାସ ରଥ ମଧ୍ୟ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ପରି ଷୋହଳ ଚକ ବିଶିଷ୍ଟ ଏବଂ ରକ୍ତ ଓ ପୀତ ବସ୍ତ୍ର ଦ୍ୱାରା ଆବୃତ ହେବାର ବିଧି ଅଛି ।

ଏହା ପରେ ବିଶ୍ୱକର୍ମା ସେବକ ନ୍ୟାସଦାରୁଙ୍କୁ ଚାରିଖଣ୍ଡରେ ବିଭକ୍ତ କରନ୍ତି ଏବଂ ତାହା ବ୍ରହ୍ମ ସଂସ୍ଥାପନ ପରେ ଚାରିବିଗ୍ରହଙ୍କର ବ୍ରହ୍ମ କପାଟ ରୂପେ ବ୍ୟବହୃତ ହୁଏ । ନବ ନିର୍ମିତ ବିଗ୍ରହମାନଙ୍କରଠାରେ ବ୍ରହ୍ମ ସଂସ୍ଥାପନ ପରେ ସପ୍ତାବରଣ ବିଧିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀଅଙ୍ଗ ଗଠନ ହୁଏ । ଏହା ପରେ, ଆଷାଢ଼ ଶୁକ୍ଳ ପ୍ରତିପଦା ଦିନ ଶ୍ରୀବିଗ୍ରହମାନେ ନବକଳେବରରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ତାହାର ପରଦିନ, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଅନୁଷ୍ଠିତ ହୁଏ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଣୁ ଏହି ନ୍ୟାସଦାରୁ ପ୍ରସଙ୍ଗ ସ୍ପଷ୍ଟ ରୂପେ ସୂଚାଏ ଯେ ରତ୍ନସିଂହାସନରେ ପୂଜିତ ବା ରଥରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଚାରି ହେଲେ ହେଁ ପ୍ରକୃତରେ ଏକ । ସେହି ଏକ ବ୍ରହ୍ମ ହିଁ ଚାରିରୂପରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ପୂଜିତ ହୋଇଥାଆନ୍ତି ।

ଶ୍ରୀଯଜ୍ଞନୃସିଂହ ଓ ଦାରୁବିଗ୍ରହ ତତ୍ତ୍ୱ :

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ସମଗ୍ର ନବକଳେବର ବିଧିରେ ଶ୍ରୀନୃସିଂହଙ୍କର ରହିଥାଏ ବିଶେଷ ଭୂମିକା । ଏ ପ୍ରସଙ୍ଗରେ ‘ସ୍କନ୍ଦପୁରାଣ’ ବର୍ଣ୍ଣିତ ଶ୍ରୀ ନୃସିଂହଙ୍କର ସ୍ମରଣ କରାଯାଇପାରେ ।‘ସ୍କନ୍ଦପୁରାଣ’ ର ଅଷ୍ଟାବିଂଶ ଅଧ୍ୟାୟରେ ଏହି ବର୍ଣ୍ଣନା ରହିଛି । ତାହାର ପୂର୍ବ ଅଧ୍ୟାୟ (ସପ୍ତବିଂଶ ଅଧ୍ୟାୟ)ରେ କୁହାଯାଇଛି, ବୈଶାଖ ଶୁକ୍ଳଅଷ୍ଟମୀ ତିଥିରେ, ପୁଷ୍ୟା ନକ୍ଷତ୍ରଯୁକ୍ତ ଗୁରୁବାରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ଦାରୁମୟ ମୂର୍ତ୍ତି ପ୍ରାସାଦ (ମନ୍ଦିର)ରେ ପ୍ରତିଷ୍ଠା ହୋଇଥିଲେ । ଅଷ୍ଟାବିଂଶ ଅଧ୍ୟାୟରେ କୁହାଯାଇଛି, ବ୍ରହ୍ମାଙ୍କର ମନ୍ତ୍ର ମହିମାଦ୍ୱାରା ଇନ୍ଦ୍ରଦ୍ୟୁମ୍ନ ଓ ଅନ୍ୟମାନଙ୍କ ସମ୍ମୁଖରେ ସେହି ଦାରୁବିଗ୍ରହ ଅଦ୍ଭୁତ ନୃସିଂହ ମୂର୍ତ୍ତି ରୂପରେ ଆବିର୍ଭୂତ ହୋଇଥିଲେ । ସେହି ତେଜନିଧି ଶ୍ରୀନୃସିଂହଙ୍କର ଚକ୍ଷୁ, କର୍ଣ୍ଣ, ମୁଖ, ନାସିକା, କଟି ଓ ହସ୍ତପଦାଦି ଅସଂଖ୍ୟ ଭାବରେ ଦୃଶ୍ୟମାନ ହେଲା । ମନେହେଲା ସେ ତାଙ୍କର ତେଜରେ ସ୍ଵର୍ଗ ଓ ମର୍ତ୍ତ୍ୟରେ ପରିବ୍ୟାପ୍ତ ହୋଇଛନ୍ତି । ପ୍ରତୀତ ହେଲା, କାଳାଗ୍ନିତୁଲ୍ୟ ଲେଲିହାନ ଜିହ୍ୱାରେ ସେ ଯେପରି ସର୍ବଲୋକକୁ ଗ୍ରାସ କରିବାକୁ ଉଦ୍ୟତ ହେଉଛନ୍ତି । ଶ୍ରୀଜଗନ୍ନାଥଙ୍କର ସେହି ରୁଦ୍ର ରୂପ ସମ୍ପର୍କରେ ନାରଦ ବ୍ରହ୍ମାଙ୍କୁ ପ୍ରଶ୍ନ କଲେ- ପ୍ରଭୁ କାହିଁକି ଏପରି ବିକଟ ରୂପରେ ପ୍ରକଟ ହୋଇଛନ୍ତି ? ଏବେ ପ୍ରଳୟକାଳ ଉପସ୍ଥିତ ହେବା ଆଶଙ୍କାରେ ପ୍ରାଣୀମାନେ ଅସ୍ଥିର ହେଉଥିବା ବେଳେ, ପ୍ରଭୁଙ୍କର ଏହି ଭୀତିପ୍ରଦ ରୂପର ହେତୁ କ’ଣ ? ଜଗତପତି ହରିଙ୍କର ଏ କି ଲୀଳା ? ‘ସ୍କନ୍ଦପୁରାଣ’ର ବର୍ଣ୍ଣନା ଅନୁସାରେ, ନାରଦଙ୍କ କଥା ଶୁଣି ବ୍ରହ୍ମା ସହାସ୍ୟ ମୁଖରେ ସମସ୍ତଙ୍କ କଲ୍ୟାଣପାଇଁ ଏକ କୌତୁକପୂର୍ଣ୍ଣ କଥା କହିଲେ । ତାହା ହେଉଛି, “ହେ ନାରଦ ! ମୂଢ଼ ଲୋକମାନେ ସାକ୍ଷାତ୍ ବ୍ରହ୍ମରୂପୀ ଏହି ଦେବଙ୍କୁ ଦାରୁମୟ ବୋଲି ମନେକରି ହୁଏତ ଅବଜ୍ଞା କରିପାରନ୍ତି । ଏଇଥିପାଇଁ ପରମେଷ୍ଠୀ ମନ୍ତ୍ରରେ ଅଭିମନ୍ତ୍ରିତ ହେବ ପରେ ପ୍ରଭୁ ଏହି ଉଗ୍ର ରୂପରେ ଆବିର୍ଭୂତ ହୋଇଛନ୍ତି । ପୂର୍ବକାଳରେ ଶ୍ରୀନୃସିଂହ ଏହିପରି ଉଗ୍ର ରୂପରେ ମହାଦୈତ୍ୟ ହିରଣ୍ୟକଶିପୁକୁ ବିଦାରଣ କରିଥିଲେ । ଅମିତ ତେଜମୟ ପ୍ରଭୁଙ୍କର ଏହି ମୂର୍ତ୍ତି କାଳାଗ୍ନି ସ୍ଵରୂପ । ଏହାଙ୍କୁ ଅର୍ଚ୍ଚନା କଲେ ଜୀବଗନ ନିର୍ବାଣ ଲାଭ କରନ୍ତି ।”

‘ସ୍କନ୍ଦପୁରାଣ’ ର ଏହି ବର୍ଣ୍ଣନା, ଏହି ଉପାଖ୍ୟାନବା ଏହି ତତ୍ତ୍ୱ ସୂଚାଏ ଯେ ଶ୍ରୀନୃସିଂହ ଓ ଶ୍ରୀଜଗନ୍ନାଥ ଅଭିନ୍ନ । ଶ୍ରୀନୃସିଂହ ତାଙ୍କର ଉଗ୍ରରୂପ ଏବଂ ଦାରୁବିଗ୍ରହ ତାଙ୍କର ଶାନ୍ତରୂପ । ପୁରାଣବର୍ଣ୍ଣିତ ଏହି ରୂପକୁ କେତେକାଂଶରେ ପରିବର୍ତ୍ତିତ କରାଯାଇ ‘ଯଜ୍ଞନୃସିଂହ’ ନାମରେ ଏକ ପ୍ରକାରର ପଟଚିତ୍ର ପ୍ରସ୍ତୁତ କରାଯାଇଥାଏ । ସେହି ଚିତ୍ରଟି ଖୁବ୍ ଲୋକପ୍ରିୟ ।

ଏ ଦୃଷ୍ଟିରୁ ନବକଳେବରର ଆଦ୍ୟନ୍ତ ଶ୍ରୀନୃସିଂହଙ୍କର ପ୍ରାଧାନ୍ୟ ପରିଲକ୍ଷିତ ହୋଇଥାଏ-। ଏପରିକି ପ୍ରତିଷ୍ଠା ଯଜ୍ଞର ଆରମ୍ଭ ପୂର୍ବରୁ ଯଜ୍ଞମଣ୍ଡପର ଅଗ୍ନିକୋଣରେ, ଚକ୍ରାବଜମଣ୍ଡଳରେ ସଂସ୍ଥାପିତା କରାଯାଇଥାଏ ଶ୍ରୀଲକ୍ଷ୍ମୀ-ନୃସିଂହଙ୍କୁ ।

ନିଦ୍ରାଘଟ ଓ ଶ୍ରୀଜଗନ୍ନାଥଙ୍କ ଉପାସନା ତତ୍ତ୍ୱ:

କିନ୍ତୁ ନବକଳେବରର ଆଦ୍ୟନ୍ତ ଶ୍ରୀନୃସିଂହ ହିଁ ପ୍ରାଧାନ୍ୟ ପାଇବା ବେଳେ, ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି, ଶ୍ରୀମନ୍ଦିରର ରତ୍ନସିଂହସନରେ ଶ୍ରୀନୃସିଂହଙ୍କର ଉପାସନା ସଂପ୍ରତି ପ୍ରଚଳିତ ନାହିଁ । ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଜଗନ୍ନାଥ ‘ଶ୍ରୀନୃସିଂହ’ ଭାବରେ ନୁହେଁ, ‘ଶ୍ରୀକୃଷ୍ଣ ଗୋବିନ୍ଦ ଗୋପୀଜନବଲ୍ଲଭ’ ଭାବରେ ପୂଜିତ ହୁଅନ୍ତି । ଏହି ପରିପ୍ରେକ୍ଷୀରେ ଆସେ ପ୍ରତିଷ୍ଠାମଣ୍ଡପରେ ‘ନିଦ୍ରାଘଟ’ର ତାତ୍ପର୍ଯ୍ୟ ।

ଜଗବନ୍ଧୁ ପାଢ଼ୀ ତାଙ୍କ ‘ଶ୍ରୀପୁରୁଷୋତ୍ତମ ତତ୍ତ୍ୱ ଓ ନବକଳେବର ‘ ପୁସ୍ତକର ‘ନବକଳେବର’ ଅଧ୍ୟାୟରେ ବହୁ ଅଧ୍ୟୟନ, ଅନୁଧ୍ୟାନ ଓ ତଥ୍ୟ ଆହରଣ ଆଧାରରେ କହିଛନ୍ତି, “ପ୍ରତିଷ୍ଠାକର୍ମର ପ୍ରଥମ ଦିନ ପ୍ରତିଷ୍ଠା ମଣ୍ଡପର ବିଭିନ୍ନ ସ୍ଥାନରେ ଚକ୍ରାବଜ ମଣ୍ଡଳ, ସର୍ବୋତଭଦ୍ର ମଣ୍ଡଳ, ବାୟୁ ମଣ୍ଡଳ, ସ୍ଵସ୍ତିକ ମଣ୍ଡଳ ଓ ନବଗ୍ରହ ମଣ୍ଡଳ ପ୍ରଭୃତି ଅଙ୍କନ କରାହୁଏ । ମଣ୍ଡପର ଅଗ୍ନିକୋଣରେ ଚକ୍ରାବଜ ମଣ୍ଡଳ ଏବଂ ନୈର୍ୠତ କୋଣରେ ବାସ୍ତୁ ମଣ୍ଡଳ ଅଙ୍କନ କରାଯାଇଥାଏ । ଚକ୍ରାବଜ ମଣ୍ଡଳ ଉପରେ ଭଗବାନ୍ ଶ୍ରୀନୃସିଂହ ଓ ଅନ୍ୟ ଦେବଦେବୀଙ୍କୁ ସଂସ୍ଥାପନ କରାଯାଏ । ସ୍ଵସ୍ତିକ ମଣ୍ଡଳରେ ନିଦ୍ରାଘଟ ପୂଜା କରାଯାଏ । ବାୟୁ ମଣ୍ଡଳ ଉପରେ ଅଭିଷେକ ନିମନ୍ତେ ସ୍ନାନଘଟଗୁଡିକୁ ସ୍ଥାପନ କରାଯାଏ । ତାହା ବ୍ୟତୀତ ଅଷ୍ଟାଦଶ ମାତୃଗଣ, ଦଶଦିଗପାଳ, ନବଗ୍ରହ ପ୍ରଭୃତି ଦେବଦେବୀଙ୍କ ନିମନ୍ତେ ମଧ୍ୟପୃଥକ୍ ପୃଥକ୍ମଣ୍ଡଳ ଅଙ୍କନ କରାଯାଇ ସେହି ଦେବଦେବୀଙ୍କୁ ସେଠାରେ ସ୍ଥାପନ କରାଯାଏ । ମଣ୍ଡପର ବାୟୁକୋଣରେ ଅଷ୍ଟଦଳପଦ୍ମ ମଣ୍ଡଳରେ ବିଶ୍ୱକର୍ମାଙ୍କର ଅସ୍ତ୍ର (ନିହଣ ଓ ମୁଗୁର) ସ୍ଥାପନ କରାଯାଇ ପୂଜା କରାଯାଏ । ଯଜ୍ଞାରମ୍ଭର ପୂର୍ବଦିନ ଶ୍ରୀମନ୍ଦିରର ଦକ୍ଷିଣଘରୁ ଶ୍ରୀନୃସିଂହଦେବଙ୍କ ଧାତବ ବିଗ୍ରହ (ଲକ୍ଷ୍ମୀ-ନୃସିଂହ)ଙ୍କୁ ଅଣାଯାଇ ନୃସିଂହ ମଣ୍ଡପର ଚକ୍ରାବଜ ମଣ୍ଡଳ ଉପରେ ଅବସ୍ଥାପିତ କରାଯାଏ ।”

କିନ୍ତୁ ମଣ୍ଡପର ଅଗ୍ନିକୋଣରେ, ଚକ୍ରାବଜ ମଣ୍ଡଳରେ ଶ୍ରୀଲକ୍ଷ୍ମୀ-ନୃସିଂହ ଓ ସ୍ଵସ୍ତିକମଣ୍ଡଳରେ ନିଦ୍ରାଘଟ ସ୍ଥାପନର ତାତ୍ପର୍ଯ୍ୟ କ’ଣ ? ପଣ୍ଡିତ ଆର୍ତ୍ତବନ୍ଧୁ ମିଶ୍ର ଶର୍ମାଙ୍କ ‘ସସୂତ୍ର-ମଣ୍ଡଳ ବାରିଧିଃ’ ରେ ‘ଚକ୍ରାବଜ ମଣ୍ଡଳ’ ଓ ‘ଅନନ୍ତ ଚକ୍ରାବଜ ମଣ୍ଡଳ’ର ସଚିତ୍ର ତଥ୍ୟ ସଂକଳିତ । ତଦନୁସାରେ, ଏହି ଦୁଇ ମଣ୍ଡଳରେ ବୈଷ୍ଣବ ଯଜ୍ଞ, ଯୂପ, ଚକ୍ର ଓ ପ୍ରତିମା ପ୍ରତିଷ୍ଠାଦି କାର୍ଯ୍ୟ ସମାହିତ ହୁଏ ।ସେହିପରି ‘ସ୍ଵସ୍ତିକ ମଣ୍ଡଳ’ ସମ୍ପର୍କରେ ସେଥିରେ ପ୍ରଦତ୍ତ ସଚିତ୍ର ତଥ୍ୟ ଅନୁସାରେ, ଦେବଦେବୀ ମୂର୍ତ୍ତି ପ୍ରତିଷ୍ଠାଦି କାର୍ଯ୍ୟରେ ମୂର୍ତ୍ତିଙ୍କର ସ୍ନାନ ପରେ ନୈବେଦ୍ୟବିଧାନ କରି ସମସ୍ତ ମୂର୍ତ୍ତି, ଚକ୍ର, ତ୍ରିଶୂଳ, ଯୂପାଦିଙ୍କୁ ଏଥିରେ ଶୟନ କରାଯାଏ । ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ‘ନ୍ୟାସଦାରୁ’ଙ୍କ ପ୍ରତିଷ୍ଠା ହିଁ ଶ୍ରୀବିଗ୍ରହମାନଙ୍କ ପ୍ରତିଷ୍ଠାକର୍ମର ଏକ ମୁଖ୍ୟ ବିଧାନ । ନ୍ୟାସଦାରୁଙ୍କର ଅଭିଷେକ କର୍ମ ସମାପ୍ତ ହେବା ପରେ ତାଙ୍କୁ ମଧ୍ୟ ଏହି ପ୍ରତିଷ୍ଠା ମଣ୍ଡପର ଚକ୍ରାବଜ ମଣ୍ଡଳ ଉପରେ ପୀଠାସନ ବା ଶୟନାସନରେ ସଂସ୍ଥାପନ କରାଯାଇଥାଏ ।

ଏବେ ‘ସ୍ଵସ୍ତିକ ମଣ୍ଡଳ’ ପ୍ରସଙ୍ଗ ଆଲୋଚ୍ୟ । ‘ଚକ୍ରାବଜ ମଣ୍ଡଳ’ ଓ ଅନନ୍ତ ଚକ୍ରାବଜ ମଣ୍ଡଳ’ ପରି ସ୍ଵସ୍ତିକ ମଣ୍ଡଳ’ ଓ ମହାସ୍ଵସ୍ତିକ ମଣ୍ଡଳ’ ସମ୍ପର୍କରେ ମଧ୍ୟ ‘ସସୂତ୍ର-ମଣ୍ଡଳ ବାରିଧିଃ’ରେ ସଚିତ୍ର ତଥ୍ୟ ପ୍ରଦାନ କରାଯାଇଛି । ତଦନୁସାରେ, ଦେବଦେବୀଙ୍କ ବିଗ୍ରହ ପ୍ରତିଷ୍ଠା କାଳରେ, ବିଗ୍ରହଙ୍କର ସ୍ନାନ ଓ ନୈବେଦ୍ୟ ବିଧାନ ପରେ ସେମାନଙ୍କର ଶୟନ ନିମନ୍ତେ ଏହି ମଣ୍ଡଳର ପ୍ରୟୋଜନ ହୁଏ ।

ଏ ପ୍ରସଙ୍ଗରେଉଲ୍ଲେଖନୀୟ ଯେ ଚକ୍ରାବଜ ମଣ୍ଡଳରେ ଶ୍ରୀନୃସିଂହଙ୍କୁ ପ୍ରତିଷ୍ଠା କରାଯାଇଥିବା ସତ୍ତ୍ୱେ, ସେହି ମଣ୍ଡଳରେ ନ୍ୟାସଦାରୁଙ୍କୁ ପୀଠାସନ ବା ଶୟନାସନରେ ଅବସ୍ଥାପିତ କରାଯିବାର ବିଶେଷ ତାତ୍ପର୍ଯ୍ୟରହିଛି । ଏ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଧର୍ମଶାସ୍ତ୍ର ବିଭାଗର ପୂର୍ବତନ ପ୍ରଫେସର ଡକ୍ଟର ବ୍ରଜକିଶୋର ସ୍ବାଇଁ କହନ୍ତି, “ନବକଳେବରର ଦାରୁଚୟନ ପରବର୍ତ୍ତୀ ସଂସ୍କାର ହୋମଠାରୁ ଆରମ୍ଭ କରି ପ୍ରତିଷ୍ଠା ପର୍ବର ଅନ୍ତିମ ପର୍ଯ୍ୟାୟର ଆହୁତି ପର୍ଯ୍ୟନ୍ତ ଶ୍ରୀନୃସିଂହଙ୍କର ପ୍ରାଧାନ୍ୟପରିଲକ୍ଷିତ ହୁଏ । ଏହା ସତ୍ତ୍ୱେ ଶ୍ରୀମନ୍ଦିରର ରତ୍ନସିଂହାସନରେ ପୂଜିତ ଶ୍ରୀଜଗନ୍ନାଙ୍କରପୂଜା ‘ଗୋପୀଜନବଲ୍ଲଭ’ଙ୍କର ପୂଜା । ଏଣୁ ଶ୍ରୀନୃସିଂହଙ୍କୁ ସେଠାରେ ସୁପ୍ତ କରାଯାଏ ।” ‘ନୀଳାଦ୍ରି ମହୋଦୟ’ର ମୂଳ ଶ୍ଳୋକ ସହ ସରଳ ଅନୁବାଦ କରିଥିବା ଡକ୍ଟର ସ୍ୱାଇଁ ଏ ପ୍ରସଙ୍ଗରେ ଆହୁରି ମଧ୍ୟ କହନ୍ତି, “ନୀଳାଦ୍ରି ମହୋଦୟରେ ଏ ବିଧାନ ବର୍ଣ୍ଣିତ ଅଛି । ସେଥିରେ କୁହାଯାଇଛି, ପ୍ରୟୋଜନମତେ ‘ଶ୍ରୀନୃସିଂହ’ଙ୍କର ପୂଜା ସ୍ଥାନରେ ‘ଶ୍ରୀଗୋପୀଜନବଲ୍ଲଭ’ଙ୍କର ପୂଜା କରାଯାଇପାରିବ ।” ଏହାହିଁ ପ୍ରତିଷ୍ଠା ମଣ୍ଡପର ଅଗ୍ନିକୋଣରେ ଓ ଚକ୍ରାବଜମଣ୍ଡଳରେ ଶ୍ରୀନୃସିଂହ ଏବଂ ସ୍ଵସ୍ତିକ ମଣ୍ଡଳରେ ନିଦ୍ରାଘଟ ସ୍ଥାପନର ତାତ୍ପର୍ଯ୍ୟ । ଡକ୍ଟର ସ୍ଵାଇଁଙ୍କ ଅନୁସାରେ, “ଘରୋଇ ଭାବରେ ପୂଜିତ ଶ୍ରୀଜଗନ୍ନାଥଙ୍କର ପୂଜା ପ୍ରକୃତରେ ଏହି ସୁପ୍ତ ନୃସିଂହଙ୍କର ପୂଜା ।”

ଅଚଳମହାମେରୁ ତତ୍ତ୍ୱ:

ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ, ଶ୍ରୀନୃସିଂହ ସୁପ୍ତ ଥାଇ କିପରି ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁ ବିଗ୍ରହ ଭାବରେ ପୂଜିତ ହୁଅନ୍ତି ? ପୁଣି ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ରତ୍ନବେଦୀ

ଉପରେ ଅଚଳ ମହାମେରୁ ପରି ବସିରହି ମଧ୍ୟ କିପରି ସମଗ୍ର ଜଗତ୍ ପ୍ରଭୁଙ୍କ ନିର୍ଦ୍ଦେଶରେ ପରିଚାଳିତ ହୁଏ ?

ଏ ପ୍ରସଙ୍ଗରେ ‘କଠୋପନିଷଦ୍’ର ଦ୍ୱିତୀୟ ବଲ୍ଳୀର ଏକବିଂଶ ମନ୍ତ୍ରଟି ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ-। ସେଥିରେ କୁହାଯାଇଛି-“ଆସୀନୋ ଦୂରଂ ବ୍ରଜତି ଶୟାନୋ ଯାତି ସର୍ବତଃ । କସ୍ତଂ ମଦାମଦନ୍ଦେବଂ ମଦନ୍ୟୋ ଜ୍ଞାତୁମର୍ହତି ।।” ‘ଉପନିଷଦ ପ୍ରକାଶ’ର ପ୍ରଥମ ଖଣ୍ଡରେ ଏହାର ଅର୍ଥ କରି ଇଂ ପ୍ରିୟବ୍ରତ ଦାସ କହିଛନ୍ତି, “ସେହି ବ୍ରହ୍ମ ନିଶ୍ଚଳ ହୋଇ ସୁଦ୍ଧା ଦୂରକୁ ପ୍ରାପ୍ତ ହୁଅନ୍ତି । ସମସ୍ତଙ୍କୁ ଗତିଶୀଳ କରାନ୍ତି । ଶାୟିତ ହୋଇ ସୁଦ୍ଧା ସେ ସର୍ବତ୍ର ଗମନ କରନ୍ତି । (ଏ ସମ୍ପର୍କରେ ଯମରାଜ ନଚିକେତାଙ୍କୁ କହିଛନ୍ତି) ସେହି ଆନନ୍ଦମୟ ଓ ନୀରହଂକାର ପ୍ରକାଶମୟ ଦେବଙ୍କୁ ମୋ ଭିନ୍ନ କିଏ ଜାଣିବାକୁ ସମର୍ଥ ?”

ଉପସଂହାର :

ଏଣୁ ଶ୍ରୀଜଗନ୍ନାଥଙ୍କର ନବକଳେବର ସହିତ ସଂଶ୍ଳିଷ୍ଟ ଏହିସବୁ ତତ୍ତ୍ୱର ବିଚାର ପ୍ରତିପାଦିତ କରେ ଯେ ଶ୍ରୀମନ୍ଦିରର ରତ୍ନବେଦୀରେ ପରଂବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତି ରୂପରେ ପୂଜିତ ହେଲେ ମଧ୍ୟ ସେ ପ୍ରକୃତରେ ଏକ । ସେ ନୃସିଂହ ଓ ଗୋପୀଜନ ବଲ୍ଲଭ ଭାବରେ ପୂଜିତ ହେଲେ ମଧ୍ୟ ଶ୍ରୀନୃସିଂହ ସୁପ୍ତ ଓ ଶ୍ରୀଗୋପୀଜନବଲ୍ଲଭ ପୂଜିତ । ସେ ଦାରୁବିଗ୍ରହ ହେଲେ ମଧ୍ୟ ସାମାନ୍ୟ ଦାରୁ ବିଗ୍ରହ ନୁହନ୍ତି; ସେ ଦାରୁବ୍ରହ୍ମ ।

ଏ ପ୍ରସଙ୍ଗରେ ସ୍ମରଣୀୟ ଯେ ‘ସ୍କନ୍ଦ ପୁରାଣ’ରେ ଦାରୁମୂର୍ତ୍ତିଙ୍କର ମହିମା ଜ୍ଞାପନପାଇଁ ଏଥିରେ ‘ପ୍ରତିମାବୁଦ୍ଧି’ ନକରିବାପାଇଁ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ ଚେତାବନୀ ଶୁଣାଇଥିଲେ । ‘ମହାପୁରୁଷ ବିଦ୍ୟା’ ଗ୍ରନ୍ଥର ତୃତୀୟ ଅଧ୍ୟାୟରେ ମଧ୍ୟ ଏହାର ପ୍ରାସଙ୍ଗିକ ଉଲ୍ଲେଖ ରହିଛି । ସ୍ଵୟଂ ପରଂବ୍ରହ୍ମ ସେଥିରେ କହିଛନ୍ତି, ‘ମୁଁ ଇନ୍ଦ୍ରନୀଳମଣି କିମ୍ବା ଦାରୁମୟ ନୁହେଁ; କିନ୍ତୁ ଜୀବଗଣଙ୍କର ମୋହ ନାଶପାଇଁ ମୁଁ ସେହିଭଳି ରୂପ ଧାରଣ କରିବି ଏବଂ ଆର୍ତ୍ତମାନଙ୍କର ସମସ୍ତ ଦୁଃଖ ନିବାରଣ କରି ସେମାନଙ୍କୁ ଅଖଣ୍ଡ ଆନନ୍ଦ ଦାନ କରିବା ପାଇଁ ଦାରୁମୂର୍ତ୍ତି ରୂପରେ ନିଃସନ୍ଦେହରେ ପ୍ରକଟିତ ହେବି”-

ଏଣୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ଦାରୁ ବିଗ୍ରହ ପ୍ରକୃତରେ ଦାରୁ ବିଗ୍ରହ ନୁହଁନ୍ତି; ସେ ପରଂବ୍ରହ୍ମ । ଆମ୍ଭମାନଙ୍କର ସମସ୍ତ ଦୁଃଖ ଖଣ୍ଡନ ପାଇଁ ଏବଂ ଆମ୍ଭମାନଙ୍କୁ ଅଖଣ୍ଡ ଆନନ୍ଦ ଦାନ କରିବାପାଇଁ ହିଁ ସେ ଦାରୁ ରୂପରେ ପ୍ରକଟିତ ହୋଇଛନ୍ତି । ଏଣୁ ଏହି ଦାରୁବ୍ରହ୍ମଙ୍କୁ ଆମେ ପ୍ରତିମାଜ୍ଞାଣ କରିବା ସର୍ବାଦୌ ଅବିଧେୟ । ଏହା ହିଁ ଶ୍ରୀଜଗନ୍ନାଥଙ୍କ ନବକଳେବରର ମହାନ ତତ୍ତ୍ୱ ।

 

Unknown

ଦାର୍ଶନିକ ଦୃଷ୍ଟିକୋଣରୁ ନବକଳେବର

ଡକ୍ଟର ଶ୍ରୀଶ ପଟେଲ

‘ନବକଳେବର’ ଉତ୍ସବଟିର ଯେତେଗୁଡିଏ ସୋପାନ ରହିଛି, ସେ ଗୁଡ଼ିକର ନିର୍ଦ୍ଦିଷ୍ଟ ସ୍ଥାନ (Space) ଏବଂ ସମୟ (Time) ବିଧି ନିର୍ଦ୍ଦିଷ୍ଟ । ଉକ୍ତିଟି ପକ୍ଷେ ସେହି ସ୍ଥାନ ଓ ସମୟ ଦୁଇ ଅକ୍ଷରେଖାକୁ ଭାଷ୍ୟ ମାଧ୍ୟମରେ ହିଁ ପ୍ରକାଶ କରାଯାଇପାରେ । ଯାହା ବିଧି ସମ୍ପନ୍ନ କାର୍ଯ୍ୟାବଳୀର ଧାରାବାହିକତାକୁ ରୂପରେଖ ଦେଇଥାଏ । ଏଗୁଡ଼ିକ ‘କାରଣ ବିହୀନ’ କାରଣ ନୁହେଁ-। ଯେହେତୁ ଏ କ୍ଷେତ୍ରରେ ‘ପ୍ରକୃତି’ର ଭୂମିକାଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ଦୃଷ୍ଟିରୁ ସ୍ଥାନ ଓ ସମୟର ଭୂମିକାକୁ ନେଇ ମନେପଡ଼ିଥାଏ ଆଇନଷ୍ଟାଇନ୍ ଦର୍ଶାଇଥିବା ‘ମହାଜାଗତିକ ଧର୍ମ’ (Cosmic Religion) ।

‘ଦାରୁ’ ଚିହ୍ନିତ ବୃକ୍ଷ (ଜୀବନ୍ତ)ଟି ସମ୍ପର୍କରେ ଟିକିଏ ଚିନ୍ତା କରାଯାଉ- ଚ୍ଛେଦନ ସମୟରେ ବୃକ୍ଷଟିକୁ ନିଶ୍ଚିତ କଷ୍ଟ (ଦୁଃଖ) ହୋଇଥିବ । ସମବେତ ଭକ୍ତଙ୍କ ଉତ୍ସସିତ ଧାର୍ମିକ ପରିବେଶଟିକୁ ଦେଖି ନିଶ୍ଚିତ କଷ୍ଟର ଲାଘବ ହୋଇଥିବ । ‘ଦାରୁ ଶଗଡ଼ି’ରେ ‘ଶ୍ରୀମନ୍ଦିର’ ଅଭିମୁଖେ ଯାତ୍ରା କରିବା ସମୟରେ ଦୁଃଖର ସମାପ୍ତି ଘଟିଥିବ ଏବଂ ‘ବ୍ରହ୍ମ’ ସ୍ଥାପନ ପରେ ସମସ୍ତ ଦୁଃଖଦ, କଷ୍ଟଦାୟକ ପରିସ୍ଥିତିର ଊର୍ଦ୍ଧ୍ୱକୁ ଯାଇ ‘ମୋକ୍ଷ’ ପଥରେ ଆଗେଇ ଯାଇଥିବ ରତ୍ନସିଂହାସନ ଉପରକୁ ।

ଏହା ଆମକୁ ପରୋକ୍ଷରେ ସୂଚାଇ ଦେଇଥାଏ- ଏ ଜଗତରେ ଆମର ସ୍ଥିତି ଦୁଃଖମୟ ସତ; ପରନ୍ତୁ ଏହା କେବଳ ଏକ ମାନସିକ ସ୍ଥିତାବସ୍ଥା । ଉଭୟ ଦ୍ରଷ୍ଟା ଏବଂ ଦୃଶ୍ୟ ଘଟଣାବଳୀ ପୃଥକ ନୁହନ୍ତି । ସ୍ପେନୀୟ ଦାର୍ଶନିକ ମିଗୁଏଲ୍ ଉନ୍ନାମୁନୋ କହିଥିଲେ- “What is it to me whether god exists, unless can I live for ever” ।ମଣିଷ ଯେତେବେଳେ ମୃତ୍ୟୁ ବା ସୀମିତ ଜୀବନାନୁଭବର ସାମ୍ନାସାମ୍ନି ହୁଏ, ଧର୍ମ, ବିଶ୍ୱାସ ଓ କଳା, ସେଇ ଦୁଃଖଦ ଅନୁଭବରୁ ମୁକ୍ତିର ମାର୍ଗ ଦେଖାଇଥାଏ ।

‘ନବକଳେବର’ ଉତ୍ସବଟି ଆମକୁ ମନେପକାଇଦିଏ- ଆମର ବ୍ୟକ୍ତି-ସମାଜ ସମ୍ପର୍କ ଏବଂ ଧର୍ମ, କଳା ଓ ଦର୍ଶନର ନିତ୍ୟ ପ୍ରବହମାନ ପରମ୍ପରା ପ୍ରତି ଧ୍ୟାନଶୀଳ ହେବାପାଇଁ । ପରିସ୍ଥିତିର ଉନ୍ନତିକରଣ ହିଁ ଆଣିଥାଏ ଏକ ବୃହତ୍ତର ସ୍ଥିତିର କଳ୍ପନା ଏବଂ ବ୍ୟକ୍ତିନିଷ୍ଠ ତଥା ବସ୍ତୁନିଷ୍ଠର ବିଭାଗୀକରଣକୁ ସଂକୁଚିତ କରିଦେଇଥାଏ ।

‘ଦାରୁ’ ଏବଂ ‘ବ୍ରହ୍ମ’; ଉଭୟେ ପରସ୍ପରର ପରିପୂରକ । ପ୍ରାକ୍ ଅବସ୍ଥାରେ ଉଭୟେ ‘ଶୂନ୍ୟ’, ଅଥଚ ମିଶ୍ରିତ ରୂପରେ (ଗାଣିତିକ ସୂତ୍ରରେ) ‘ସତ୍ୟ’ ଅବା ‘ବାସ୍ତବ’ । ଦୁଇଟିର ମିଶ୍ରଣ ଅବା ସହଯୋଗୀତା ବ୍ୟତିରେକ, ଆମେ କହିପାରିବା ନାହିଁ, କେଉଁଟିର କ’ଣ ରହିଛି । ତେଣୁ ଦୁଇ ‘ସ୍ଵଭାବବାଦ’ର ଏକତ୍ର ଯୋଗୁ ହିଁ (ଦାରୁ+ବ୍ରହ୍ମ) ଏକ ପରମ ସତ୍ୟର ଆବିର୍ଭାବ ସମ୍ଭବ ହୋଇପାରିଛି । ପୃଥକ୍ ଭାବେ, ସେମାନେ କେବଳ ପ୍ରକାଶ (Expression), ଅଥଚ ମିଳିତ ରୂପେ କେବଳ ‘ସତ୍ୟ’ । ଏହାକୁ ପଦାର୍ଥ ବିଜ୍ଞାନ ଅନୁଯାୟୀ ‘Loventz Transformation’ କୁହାଯାଇଥାଏ ।

ଦୁଇଟି ବସ୍ତୁର ଏକତ୍ରୀକାରଣ ଦ୍ୱାରା ଉତ୍ପନ୍ନ ବସ୍ତୁଟି ସ୍ଵଭାବତଃ ପ୍ରକୃତିର ଏକ ନିୟମ । କାରଣ ବ୍ୟାବହାରିକ ଦୃଷ୍ଟିରୁ ଅର୍ଥାତ୍ ପର୍ଯ୍ୟବେକ୍ଷଣ ମୁତାବକ ପ୍ରାୟ ସାଙ୍କେତିକ ପ୍ରତୀକ ଏବଂ ଗାଣିତିକ ସୂତ୍ରର ନୈତିକତାକୁ ଆଧାର କରି ଯେଉଁ ବସ୍ତୁଟିର ପ୍ରାପ୍ତି ହୋଇଥାଏ, ତାହା ସମସ୍ତ ପଦାର୍ଥ ବିଜ୍ଞାନର ଉର୍ଦ୍ଧ୍ୱରେ । ସେଇଥିପାଇଁ ‘ଦାରୁ’ରୁ ବିଗ୍ରହ ନିର୍ମାଣ ନିମିତ୍ତ ରହିଛି ନିର୍ଦ୍ଦିଷ୍ଟ ମାପ ସୂଚନାଙ୍କ ଏବଂ ସମୟ ନିର୍ଘଣ୍ଟ । ବିଜ୍ଞାନବାଦର ପ୍ଲାବନରେ ପରିକଳ୍ପିତ ବିଗ୍ରହଟି ଆଜି ମଧ୍ୟ ଚିର ଶାଶ୍ୱତ ।

ଚିନ୍ତା କଲେ ଜଣାଯାଇଥାଏ, ଏଠାରେ ‘ଦାରୁ’ ହେଉଛନ୍ତି ଉପାଦାନ ଏବଂ ‘ବ୍ରହ୍ମ’ ହେଉଛନ୍ତି କାରଣ । ତେଣୁ ‘ଉପାଦାନ-କାରଣ’ ହେଉଛନ୍ତି ସୃଷ୍ଟ-ବିଗ୍ରହ । ‘ଦାରୁ’ ହିଁ ପ୍ରକୃତି । ସମଗ୍ର ବିଶ୍ୱ, କାର୍ଯ୍ୟ-କାରଣ ସମ୍ପର୍କ ଦ୍ୱାରା ହିଁ ନିୟନ୍ତ୍ରିତ । ସୁତରାଂ ବିଶ୍ୱର ସୃଷ୍ଟି ପଛରେ ଯେ ଏକ ଶାଶ୍ୱତ, ଅବ୍ୟକ୍ତ, ଅଚେତନ ପ୍ରକୃତି ରହିଛି, ତାହାକୁ ଅସ୍ୱୀକାର କରିହେବ ନାହିଁ । ଆମେ ଜାଣୁ ‘ପ୍ରକରୋତି ଇତି ପ୍ରକୃତିଃ’ । ସେଇଥିପାଇଁ ପ୍ରକୃତିକୁ ‘ପ୍ରସବଧର୍ମୀ’ର ଆଖ୍ୟା ଦିଆଯାଇଥାଏ; ଯେହେତୁ ଏହା ମୂଳତଃ ଭୌତିକ ଏବଂ ଚେତନାଶୂନ୍ୟ ।

ଅନ୍ତର୍ନିହିତ ସତ୍ତା ଯୋଗୁ, ପ୍ରକୃତିକୁ କେତେକ ‘ବ୍ରହ୍ମ’ ଭାବେ ନାମିତ କରିଥାଆନ୍ତି । ଅତଏବ ‘ଦାରୁ’ ଯେଉଁଭଳି ଏକ ପ୍ରତୀକ; ‘ବ୍ରହ୍ମ’ ମଧ୍ୟ ସେହିଭଳି ଏକ ପ୍ରତୀକ । ଏଠାରେ (ବିଗ୍ରହ ନିର୍ମାଣ ନିମିତ୍ତ) ଯେଉଁ ପ୍ରତୀକଦ୍ୱୟ ମଧ୍ୟରୁ, ଗୋଟିଏ ଅପରଟିର ପରିବର୍ତ୍ତେ ବ୍ୟବହୃତହୋଇପାରେ, ସେ ଦୁଇଟି ଦ୍ୱାରା ସେହି ଏକ ନିର୍ଦ୍ଦେଶ ପ୍ରତୀକାନ୍ୱିତ । ଏ ଦୁଇଟି ମଧ୍ୟରୁ ପ୍ରତ୍ୟେକର ନିର୍ଦ୍ଦେଶ ସମାନ।

ଶ୍ରୀଜୀଉମାନଙ୍କର ‘ବିଗ୍ରହ’- ଏପରି ସଙ୍କୁଚିତ ପ୍ରତୀକର ନିର୍ଦ୍ଦେଶ୍ୟ ହେଉଛି, ସମୁଦାୟ ‘ନବକଳେବର’ ଉତ୍ସବଟିର ପ୍ରତୀକ । ଯାହା ସମ୍ପ୍ରସାରିତ ଅବସ୍ଥାର ନିର୍ଦ୍ଦେଶ୍ୟ । ସ୍ମରଣଯୋଗ୍ୟ ଯେ, ଅର୍ଥକରଣର ସ୍ତର ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ଭିନ୍ନ ଭିନ୍ନ । ଯେଉଁମାନେ ‘ପରମତତ୍ତ୍ୱ’ର ନାମ ପ୍ରୟୋଗ କରିଛନ୍ତି ଅବା କରିବେ, ସେମାନଙ୍କ ଦ୍ୱାରା ଯାହା ପରମତତ୍ତ୍ୱ ବୋଲି କୁହାଯାଇଛି ଅବା କୁହାଯିବ, ସେ ସମସ୍ତ ହେଉଛି ପରମତତ୍ତ୍ୱ । ଏ ସମଗ୍ର ଉତ୍ସବଟିରେ ଯାହା ‘ଦୃଶ୍ୟ’; ତାହା ‘କାମ୍ୟ’ ସହିତ ସମପ୍ରକାରର ।

‘ନବକଳେବର’ ଏକ ବାଚନିକ ସଙ୍କେତ; ଯାହା ଏକ ସୀମା, ଏକ ଛାପ ଏବଂ ଏକ ବାହକ । କାରଣ, ଯାହା ଅସ୍ପଷ୍ଟ ଓ ଅନିର୍ଦ୍ଦିଷ୍ଟ ଥିଲା, ତାହାକୁ ଏକ ସୁସ୍ପଷ୍ଟ ସତ୍ତା ରୂପେ ପ୍ରତିଭାତ କରାଇଥାଏ ।

ଆମର ରହିଛି ‘ସତ୍ କାର୍ଯ୍ୟବାଦ’ ଏବଂ ‘ଅସତ୍ କାର୍ଯ୍ୟବାଦ’ । ପରନ୍ତୁ ‘ନବକଳେବର’ ଏକ ସତକାର୍ଯ୍ୟ ।ଏଥିରେ ଯେଉଁ ଦର୍ଶନ ରହିଛି, ତାହା ଆରିଷ୍ଟଟଲ୍ ଏବଂ ହେଗେଲଙ୍କ ଦର୍ଶନ ସହ ତୁଳନୀୟ । କାରଣ ଆରିଷ୍ଟଟଲ୍ ମଧ୍ୟ ‘ଅସତ୍’ ରୁ ‘ସତ୍’ର ଆବିର୍ଭାବକୁ ଅସ୍ୱୀକାର କରିଛନ୍ତି; ହେଗେଲଙ୍କ ମତାନୁସାରେ ଅସ୍ପଷ୍ଟରୁ ସ୍ପଷ୍ଟର ପରିବର୍ତ୍ତନ ହିଁ କାରଣର ପରିଚାୟକ ।

ଆବିର୍ଭାବ ଏବଂ ତିରୋଭାବ- ଏହି ଦୁଇଟି ପ୍ରକ୍ରିୟା ମଧ୍ୟ ଦେଇ ‘ସତ୍’କୁ ବୁଝାଯାଇପାରେ । ଅତଏବ, ଏକ ସତ୍ତାର କାର୍ଯ୍ୟ ଓ କାରଣ ନାମକ ଦୁଇଟି ବିଭିନ୍ନ ଅବସ୍ଥା ଦେଖିବାକୁ ମିଳିଥାଏ । ଏଠାରେ ଗୀତାର ସେହି “ନ ସତୋ ବିଦ୍ୟତେ ଭାବୋ, ନ ଭାବୋ ବିଦ୍ୟତେ ସତଃ” ବାଣୀଟି ମନେପଡ଼ି ଯାଇଥାଏ । ସମଗ୍ର ‘ନବକଳେବର’ ଉତ୍ସବଟି ମଧ୍ୟରେ ଦେଖିବାକୁ ମିଳିଥାଏ- ପରିଣାମବାଦ; ପ୍ରକୃତି ପରିଣାମବାଦ; ବ୍ରହ୍ମ ପରିଣାମବାଦ; ବିବର୍ତ୍ତବାନ; ବ୍ରହ୍ମ ବିବର୍ତ୍ତବାଦ; ବିଜ୍ଞାନ ବିବର୍ତ୍ତବାଦ ଏବଂ ଶୂନ୍ୟବିବର୍ତ୍ତବାଦ ।

‘ଦାରୁ ସନ୍ଧାନ’ (ବନଯାଗ) ସମୟରେ ‘ଏହି ବୃକ୍ଷ’ ପରିବର୍ତ୍ତେ, ଆମେ ପରିବର୍ଦ୍ଧିତ ପ୍ରତୀକ ସମ୍ବଳିତ ‘ଏହି ଗୁଣ ସମ୍ପନ୍ନ ଓ ଚିହ୍ନ ରହିଥିବା ଯୋଗୁଁ’ ଅଭିବ୍ୟକ୍ତି ଦ୍ୱାରା ହିଁ ହୃଦୟଙ୍ଗମ କରିଥାଉ । ସୁତରାଂ ‘ଏହି ଗୁଡ଼ିକ’ ଭିନ୍ନ ଭିନ୍ନ ନିର୍ଦ୍ଦେଶ୍ୟ ପରିବର୍ତ୍ତେ ବ୍ୟବହୃତ; ଅଥଚ ‘ଚିହ୍ନଯୁକ୍ତ ହେବା’ ଏବଂ ସେହି ଗୁଣ ପରିବର୍ତ୍ତେ ‘ଦାରୁ’ ଶବ୍ଦଟିକୁ ବ୍ୟବହାର କରିଥାଉ ।

ଆମର ବଚନ ହେଉଛି ‘ଏକକ ସଙ୍କେତ’ ପରିସ୍ଥିତି ନୁହେଁ । ପରନ୍ତୁ ‘ନବକଳେବର’ କହିବା ଦ୍ୱାରା ଉଭୟସଙ୍କେତ ଓ ପରିସ୍ଥିତିର ସମନ୍ୱୟ ଭାବଟିକୁ ଦର୍ଶାଇଥାଉ ଏବଂ ଏକ ପୂର୍ଣ୍ଣ ଅନୁଭବ ତଥା ଅଭିବୃତ୍ତିର ରୋମାଞ୍ଚ ଅନୁଭବ କରିଥାଉ । ‘ନବକଳେବର’ ଉତ୍ସବଟି ଯେଉଁସବୁ ‘କାର୍ଯ୍ୟବାଦ’ର ସମଷ୍ଟି ଯୋଗୁଁ ସମ୍ପନ୍ନ ହୋଇଥାଏ, ତହିଁରୁ ପ୍ରକ୍ରିୟା ଜନିତ ରୂପାନ୍ତର ଯେଉଁଭଳି ବୋଧଗମ୍ୟ, ସେହିଭଳି ଶ୍ରୀଜୀଉମାନଙ୍କ ଘଟ ପରିବର୍ତ୍ତନ ମଧ୍ୟ ଆମର ବୋଧଗମ୍ୟ ହେବା ଆବଶ୍ୟକ ।

‘ନବକଳେବର’ ଶବ୍ଦଟି ଦ୍ୱାରା, ପ୍ରଶ୍ନର ଉତ୍ଥାପନ କରିନଥାଉ କିମ୍ବା ଅଭିବୃଦ୍ଧିର ଦମନ କରିନଥାଉ; କେବଳ ସମୀକ୍ଷା ଶକ୍ତିର ରହସ୍ୟାବୃତ୍ତ ଆବରଣ ଗୁଡ଼ିକ ଉନ୍ମୋଚନ କରି ସମ୍ମୋହନ ମୂଳକ ପ୍ରାକ୍ ସ୍ୱୀକାର ସହିତ ତନ୍ମଧ୍ୟସ୍ଥ ସୁସମଞ୍ଜସ୍ୟ ଗୁଡ଼ିକୁ ସୋପାନ ପରେ ସୋପାନକୁ ଉପଲବ୍ଧି କରିଥାଉ । ରତ୍ନସିଂହାସନ ଉପରେ ଅଧିଷ୍ଠିତ ହେବା ପରେ, ସମସ୍ତ ପ୍ରତୀକର (ନବକଳେବର ଉତ୍ସବ ଜନିତ) ବିଲୋପ ଘଟିଥାଏ; ଠିକ୍ ଯେପରି ସମସ୍ତ ମତବାଦ ଶ୍ରୀଜୀଉମାନଙ୍କଠାରେ ହିଁ ଏକୀଭୂତ ।

 

ନବକଳେବରରେ ମୃତ୍ୟୁ ତତ୍ତ୍ୱ

ପ୍ରଫେସର ରାଜକିଶୋର ମିଶ୍ର

‘ଅଥାତୋ ବ୍ରହ୍ମଜିଜ୍ଞାସା’ (ବ୍ରହ୍ମସୂତ୍ର ୧।୧।୧), ‘ଓମିତି ବ୍ରହ୍ମ’ (ତୈତ୍ତିରୀୟ ୧।୮), ‘ବ୍ରହ୍ମ ସତ୍ୟଂ ଜଗନମିଥ୍ୟା ଜୀବୋ ବ୍ରହ୍ମୈବ ନାପରଃ’ (ଶଙ୍କର)... ପୁଣି ପରମ ବ୍ୟୋମରେ ପରିବ୍ୟାପ୍ତ ନିର୍ବିଶେଷ ନିରାକାର ପରଂବ୍ରହ୍ମ ସତ୍ ଚିତ୍ ଆନନ୍ଦମୟ ଅଖଣ୍ଡ ଚୈତନ୍ୟ । ସେ କାୟାହୀନ, କ୍ଷରରହିତ ସ୍ନାୟୁରହିତ, ଅପାପବିଦ୍ଧ, ସଦାସ୍ଥିର ନିଶ୍ଚଳ, କ୍ଷୁତ୍-ପିପାସା-ଶୋକ-ମୋହ-ଜରା-ମୃତ୍ୟୁର ଅତୀତ ଏକ ଅଦ୍ୱିତୀୟ ସତ୍ତା । ସେ କାଳାତୀତ ପୁଣି କାଳଗତ ଚୈତନ୍ୟଜ୍ୟୋତି । ୠଗବେଦ (୧୦।୧୨୯।୪) ଏହି ‘ଅକାମୋ ଧୀରୋ ଅମୃତଃ ସ୍ଵୟଂଭୂ’ଙ୍କୁ ସୃଷ୍ଟିର କାରଣ ବୋଲି କହିଛନ୍ତି । ବ୍ରହ୍ମଙ୍କର କାମନା, ସଂକଳ୍ପ ଓ ଇଚ୍ଛାଶକ୍ତିରୁ ସୃଷ୍ଟ ଏହି ସୃଷ୍ଟିରେ ସେ ବହୁ ରୂପରେ ପ୍ରତିଭାତ ହୋଇଛନ୍ତି । (ରୂପଂ ରୂପଂ ପ୍ରତିରୂପୋ ବଭୂବ-ୠକ୍ ୬।୪୭।୧୮) । ଛାନ୍ଦୋଗ୍ୟ ଉପନିଷଦ କୁହନ୍ତି ‘ସର୍ବଂଖଳ୍ୱିଦଂ ବ୍ରହ୍ମ’ (୩।୧୪।୧) । ସେ ଚରାଚର ଜଗତର ନିବାସ ସ୍ଥଳ ତଥା ଜଗତର ଆଶ୍ରୟ । ବ୍ରହ୍ମ ଏକ ବିରାଟ ବିସ୍ମୟ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଭଳି ‘ଆଶ୍ଚର୍ଯ୍ୟବତ୍ ପଶ୍ୟତି କଶ୍ଚିଦେନ’ (ଗୀତା-୨।୨୯) । ବ୍ରହ୍ମଙ୍କର ମହିମା ସୁର୍ଯ୍ୟଙ୍କର ଜ୍ୟୋତି(ସୁର୍ଯସ୍ୟ ଜ୍ୟୋତିଃ ଇବ ବକ୍ଷଥଃ) ଏବଂ ସମୁଦ୍ରର ଅମାପ ଗଭୀରତା (ସମୁଦ୍ରସ୍ୟ ଇବ ଗମ୍ଭୀରଃ) ବୋଲି ୠଷିପ୍ରଜ୍ଞାର ନିଷ୍କର୍ଷ-। ସୃଷ୍ଟି କରିବାର ବ୍ରହ୍ମ କାମନା ହିଁ ସୃଷ୍ଟି ନିର୍ମାଣକାରିଣୀ ଆଦ୍ୟାଶକ୍ତି । (ସା ବିଶ୍ୱାୟୁଃ ସା ବିଶ୍ୱକର୍ମା ସା ବିଶ୍ୱଧାୟାଃ) । ଜୀବାତ୍ମା ବ୍ରହ୍ମଦାରୁ (ବୃକ୍ଷ)ର ଶାଖା ସ୍ଵରୂପ । ଜୀବ ହିଁ ବ୍ରହ୍ମଙ୍କର ସନାତନ ଅଂଶ ବିଶେଷ- ‘ମମୈବାଂଶେଶ ଜୀବଲୋକେ ଜୀବଭୂତ ସନାତନଃ’ (ଗୀତା-୧୫।୭) ।

ସାକାର ବ୍ରହ୍ମ ଦାରୁ କଳେବରରେ ଶ୍ରୀକ୍ଷେତ୍ରରେ ସତ୍ୟ ଯୁଗରେ ଆବିର୍ଭୂତ ହେବା ପ୍ରସଙ୍ଗଟି ବେଦ ଓ ବେଦାନ୍ତର ନିଷ୍କର୍ଷ ଅପେକ୍ଷା ବହୁ ତନ୍ତ୍ର, ପୁରାଣ, କିମ୍ବଦନ୍ତୀ ଓ ପରମ୍ପରାରେ ଅଧିକ ଜୀବନ୍ତ । ମୁଖ୍ୟତଃ ସ୍କନ୍ଧ ପୁରାଣରେ ପ୍ରଭୁଙ୍କର ପାର୍ଥିବ ଅବତରଣ (ଦିବ୍ୟ ଦାରୁବପୁର୍ଭୂୟଶ୍ଚତୁର୍ଦ୍ଧାବତରିଷ୍ୟତି-ଉତ୍କଳ ଖଣ୍ଡ ୧୪।୪୪) କଥା କୁହାଯାଇ ତାଙ୍କୁ ମୁକ୍ତି ପ୍ରଦାନକାରୀ ଭାବରେ ଚିତ୍ରିତ କରାଯାଇଛି । ଅନୁରୂପ ସିଦ୍ଧାନ୍ତ ମଧ୍ୟ ବିଷ୍ଣୁପୁରାଣ (୫।୭।୩୮)ରେ ଉତ୍କୀର୍ଣ୍ଣ । ଶାକ୍ତ ଓ ଶୈବମାନେ ଜଗନ୍ନାଥଙ୍କୁ ପରଂବ୍ରହ୍ମ ନ କହି ‘ଭୈରବ’, ବିଭିନ୍ନ ଶ୍ରେଣୀର ବୈଷ୍ଣବମାନେ ଜଗନ୍ନାଥଙ୍କୁ କୃଷ୍ଣ, ବଳଭଦ୍ରଙ୍କୁ ବଳରାମ ଓ ସୁଭଦ୍ରାଙ୍କୁ ଶ୍ରୀରାଧା ବୋଲି ଅଭିହିତ କରିବା ବେଳେ ଗାଣପତ୍ୟମାନେ ଯଥାକ୍ରମେ ଖାଦିର ଗଣପତି, ହରିଦ୍ରା ଗଣପତି, ମାତଙ୍ଗ (ଙ୍ଗୀ) ଗଣପତି ବୋଲି ଧାରଣା କରିଛନ୍ତି । ଅନ୍ୟ ଶାକ୍ତମାନେ ଜଗନ୍ନାଥଙ୍କୁ ଶ୍ୟାମଚକ୍ରରେ ଅଧିଷ୍ଠିତ ଦକ୍ଷିଣକାଳିକା, ତାରା, ଯନ୍ତ୍ରାରୂଢ଼ ବଳଭଦ୍ରଙ୍କୁ ମହାଶେଷଦେବ ଓ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ବୋଲି କହିଛନ୍ତି । ଅନ୍ୟତ୍ର ଏହି ତିନି ମୂର୍ତ୍ତି ମହାକାଳୀ, ତାରା ଓ ଭୁବନେଶ୍ୱରୀ ବୋଲି ନିଜର ପ୍ରଣତି ନିବେଦନ କରିଛନ୍ତି । ସୌରପନ୍ଥୀମାନେ ଯଥାକ୍ରମେ ମହାକାଳରାତ୍ରି, ଦିବସ ଓ କୁଙ୍କୁମାଭା ସନ୍ଧ୍ୟା, ନିରାକାରବାଦୀଗଣ ନିରଞ୍ଜନ, ଶୂନ୍ୟ ଓ ଜ୍ୟୋତି, ଯୋଗୀମାନେ ତ୍ରିମୂର୍ତ୍ତିଙ୍କୁ ସର୍ବାଙ୍ଗପୁରୁଷ, ଅମାନବ ପୁରୁଷ, ନିର୍ବାଣକାଳୀ; ପ୍ରଣବବାଦୀମାନଙ୍କର ମତରେ ଏମାନେ ବିନ୍ଦୁ, ଶବ୍ଦ ଓ ନାଦବ୍ରହ୍ମ; ରାମାୱତମାନେ ତ୍ରିମୂର୍ତ୍ତିଙ୍କୁ ଶ୍ରୀରାମ-ଲକ୍ଷ୍ମଣ ଓ ସୀତା, ଜୈନମାନେ ମୋକ୍ଷପ୍ରଦ ସମ୍ୟକ୍ ତ୍ରୟ, ବୌଦ୍ଧମାନେ ବୁଦ୍ଧ-ଧମ୍ମ-ସଂଘ ତ୍ରିରତ୍ନ (ଦ୍ରଷ୍ଟବ୍ୟ-ଶ୍ରୀଜଗନ୍ନାଥ ଚେତନାର ଶାସ୍ତ୍ରୀୟ ଭିତ୍ତିଭୂମି, ୨୦୦୯) ବୋଲି ଧାରଣ କରିଛନ୍ତି । ଓଡ଼ିଶାର ପଞ୍ଚସଖାଗଣ ଜଗନ୍ନାଥଙ୍କୁ ବିଭିନ୍ନ ରୂପରେ ଦେଖିଛନ୍ତି-କେତେବେଳେ ନିରାକାର ଶୂନ୍ୟବ୍ରହ୍ମ, କେତେବେଳେ ଯୋଗମୁଦ୍ରାରେ ଆସୀନ ନିରାକାର ତ ଆଉ କେତେବେଳେ ଶ୍ରୀରାଧାକୃଷ୍ଣ ଅଭିନ୍ନ ଯୁଗଳମୂର୍ତ୍ତି (ଏକବୀଜ ବେନିଫାଳ) ବୋଲି ଉପାସନା କରିଛନ୍ତି ।

ଭାଗବତକାର ଜଗନ୍ନାଥ ଦାସ ଶ୍ରୀଜଗନ୍ନାଥଙ୍କଠାରେ ନୃସିଂହତ୍ୱ ଆରୋପ କରି ତାଙ୍କୁ ଷୋଳକଳା ବିଶିଷ୍ଟ ପରଂବ୍ରହ୍ମ ବୋଲି କହି ଶ୍ରୀଜଗନ୍ନାଥଙ୍କର ପୂର୍ଣ୍ଣ କଳାର ଏକଷୋଡ଼ଶାଂଶ ବୋଲି ନନ୍ଦବଳା କୃଷ୍ଣଙ୍କୁ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୃଷ୍ଟିକର୍ତ୍ତା ବ୍ରହ୍ମଙ୍କୁ ‘ସ ଷୋଡ଼ଶୀ ପ୍ରଜାପତିଃ’ ବୋଲି ବେଦୋକ୍ତ ବାଣୀ, ସୃଷ୍ଟି ଜନିତ ଆନନ୍ଦ ଉପଭୋଗ କରିବା ପାଇଁ ସେ ଷୋଳକଳାଯୁକ୍ତ ସାକାର ବ୍ରହ୍ମ ହୁଅନ୍ତି । ଏହି ଷୋଳାଶକ୍ତି ହେଲା- ୧) ପରମାତ୍ମା ଶକ୍ତି ବା ସୃଷ୍ଟିକାରିଣୀ ଗତିଶୀଳା ଶକ୍ତି, ୨) ଶକ୍ତି-ସ୍ପନ୍ଦିତ ହିରଣ୍ୟଗର୍ଭ, ୩) ଶକ୍ତିରୁ ଜାତ ଶବ୍ଦବ୍ରହ୍ମ ଓଁକାର ତତ୍ତ୍ୱ, ୪) ବ୍ରହ୍ମା ହିଁ ପରଂବ୍ରହ୍ମଙ୍କର ଏକ କଳା ବିଶିଷ୍ଟ, ୫) ହିରଣ୍ୟଗର୍ଭରୁ ଜାତ ଆଦିତ୍ୟ ବା ମନସ୍ତତ୍ତ୍ୱ (ମନୋ ବୈ ସବିତା), ୬) ହିରଣ୍ୟଗର୍ଭରୁ ଜାତ ବାୟୁ ବା ପ୍ରାଣତତ୍ତ୍ୱ, ୭) ଅଗ୍ନି ବା ସ୍ଥୂଳ ଦେହତତ୍ତ୍ୱ, ୮) କାଳ (୯-୧୨), ଆଦିତ୍ୟ-ବାୟୁ-ଅଗ୍ନି ଓ କାଳର ମିଶ୍ରଣରୁ ଜାତ ମନ, ବୁଦ୍ଧି, ଚିତ୍ତ ଓ ଅହଂକାର, ୧୩) ଦଶ ପ୍ରାଣବାୟୁ, ୧୪) ଦଶ ଇନ୍ଦ୍ରିୟ, ୧୫) ପଞ୍ଚତନ୍ମାତ୍ର ବା ସୂକ୍ଷଭୂତ ଏବଂ ୧୬) ପଞ୍ଚସ୍ଥୂଳ ଭୂତ । କେତେକଙ୍କ ମତରେ (ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ଅନ୍ୟତମ) ଜଗଦଗୁରୁ ଶ୍ରୀକୃଷ୍ଣଠାରେ ଷୋଳକଳା ବ୍ୟତୀତ ଆଉ ଏକ କଳା ଅଧିକ । ତାହା ହେଉଛି ନିବୃତ୍ତି କଳା ବା ପରଂବ୍ରହ୍ମଙ୍କଠାରେ ସକଳ ସୃଷ୍ଟି ବସ୍ତୁ ପ୍ରଳୟ କାଳରେ ଲୀନ ହେବାର କଳା ।

ଉପରୋକ୍ତ ସଂକ୍ଷିପ୍ତ ଆଲୋଚନାଟି ଶ୍ରୀଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ପ୍ରାସଙ୍ଗିକତା ପରୋକ୍ଷରେ ବହନ କରିବା ପାଇଁ ଉଦ୍ଦିଷ୍ଟ । ଦେବତା ହୋଇଲେ ମରଇ, ଜାତସ୍ୟ ହିଁ ଧ୍ରୁବଂ ମୃତ୍ୟୁ, ବାସାଂସି ଜୀର୍ଣ୍ଣାଣି ଯଥାବିହାୟ ଆଦି ଆପ୍ତବାକ୍ୟ ଶ୍ରୀଜଗନ୍ନାଥଙ୍କଠାରେ କେତେଦୂର ପ୍ରଯୁଜ୍ୟ ତାହା ବିଚାର କରିବାର କଥା । ତ୍ରୈଲୋକ୍ୟମୋହନ ପୁରୁଷୋତ୍ତମ ଶ୍ରୀକୃଷ୍ଣ-ଜଗନ୍ନାଥ କାହିଁକି ଯାଗ-ଯଜ୍ଞ-ନ୍ୟାସ-ପ୍ରାଣ ପ୍ରତିଷ୍ଠା ଇତ୍ୟାଦି ବୈଦିକ ତଥା ସ୍ମାର୍ତ୍ତ ତଥା ଜୀବନ୍ତ ପରମ୍ପରା ଜଞ୍ଜାଳରେ ନବକଳେବରରେ ଛନ୍ଦି ହୋଇଯାଉଛନ୍ତି ? ବର୍ଷକୁ ପନ୍ଦରଦିନ କାଳ ଜ୍ୱରରେ ପଡ଼ି ପୁଣି ଏହି ପୀଡ଼ିତ କଳେବରକୁ କେତେବେଳେ ଆଠବର୍ଷ, କେତେବେଳେ ୧୯ ବର୍ଷ ବ୍ୟବଧାନରେ ବଦଳେଇବାକୁ ମନକରୁଛନ୍ତି ! ଖାଲି ସେତିକି ନୁହେଁ, ଜଣେ ସିଦ୍ଧ ସନ୍ଥ ଭଳି ଚାରିମାସ ଆଗରୁ ବିଜ୍ଞପ୍ତି ଜାରି କରୁଛନ୍ତି ଯେ ‘ମୁଁ ଦେହ ଛାଡ଼ିବି, ମୋ ପାଇଁ ବା ଆମପାଇଁ ନୂଆ କଳେବର ନିର୍ମାଣ କର ।’ ଦାରୁଭୂତୋ ମୁରାରି । ଦାରୁ ହିଁ ତାଙ୍କ ଲୀଳାମୟ ଶରୀରର ଅସ୍ଥି ବିଶେଷ । ତାଙ୍କର ଆଜ୍ଞାମାଳ ନେଇ ସେବାୟତଗଣ ନିଷ୍ଠାରସହ ଭବ୍ୟ ଅଭିଯାନରେ ବାହାରି ଚତୁର୍ଦ୍ଧାମୂର୍ତ୍ତିଙ୍କର ଅଙ୍କିତ ନିମ୍ବଦାରୁ ଆଣି କୋଇଲି ବୈକୁଣ୍ଠରେ ରଖନ୍ତି । ସେଠାରେ ଗୁପ୍ତ ନୀତିରେ ବିଗ୍ରହ ନିର୍ମାଣ, ପ୍ରତିଷ୍ଠା କର୍ମ, ବହୁ ଦେବଦେବୀ ଯଥା ଅଷ୍ଟାଦଶ ମାତୃଗଣ, ଦଶ ଦିଗପାଳ, ନବଗ୍ରହ, ଅଷ୍ଟଭୈରବ, ଅଷ୍ଟ କ୍ଷେତ୍ରପାଳ, ଅଷ୍ଟ ନାଗ ଓ ସେମାନଙ୍କର ପତ୍ନୀ, ଅଷ୍ଟଯୋଗିନୀ ଦୁର୍ଗା, ଅମ୍ବିକା, କାଳୀ, ସରସ୍ଵତୀ ସର୍ବୋପରି ଲକ୍ଷ୍ମୀନୃସିଂହଙ୍କୁ ସାକ୍ଷୀଭୂତ କରେଇ ଶ୍ରୋତ୍ରିୟ ବ୍ରାହ୍ମଣ, ପ୍ରଭୁଙ୍କର ଜ୍ଞାତିସେବକ ଦଇତା ଓ ପତିମହାପାତ୍ର ପ୍ରଭୃତି ଅହର୍ନିଶ କଳେବର ସୃଷ୍ଟି ସର୍ଜନାରେ ନିଜକୁ ଉତ୍ସର୍ଗ କରିଦିଅନ୍ତି । ବୈଷ୍ଣବାଗ୍ନିରେ ପ୍ରଜ୍ଜ୍ୱଳିତ ଯଜ୍ଞକୁଣ୍ଡରେ ନୃସିଂହ ମନ୍ତ୍ରରାଜ ମନ୍ତ୍ରରେ ଶହେଆଠ ଆହୁତି, ନ୍ୟାସଦାରୁଙ୍କୁ ଉଷ୍ମ ଓ ଶିତଳ ଜଳରେ ଅଭିଷେକ, ତାଙ୍କୁ ନୃସିଂହ ରୂପରେ ପୁରୁଷସୂକ୍ତ ରୁଦ୍ରାଧ୍ୟାୟ ଓ ଶ୍ରୀସୂକ୍ତରେ ଷୋଡ଼ଶ ଉପଚାର ପୂଜା ପ୍ରଦାନ ଓ ପ୍ରାୟ ତିରିଶ ପ୍ରକାର ନ୍ୟାସ କରି ଚତୁର୍ଦ୍ଧାମୂର୍ତ୍ତିଙ୍କର ବ୍ରହ୍ମରନ୍ଧ୍ରର ବ୍ରହ୍ମକପାଟ ଭାବରେ ବିନିଯୋଗ କରାଯାଏ ।

ଆମ ଅତୁଟ ବିଶ୍ୱାସର ଚିରନ୍ତନ ଦେଦୀପ୍ୟମାନ ଇଷ୍ଟ, ଡାକ ଦେଲେ ଓ’ କରୁଥିବା, ଆମଭଳି ପତିତମାନଙ୍କ ପାଇଁ ପାବନ ମୂର୍ତ୍ତି ଧାରଣ କରିଥିବା ବଳୀଆରଭୂଜ ଚକାଡ଼ୋଳା ପୁଣି ନିଜ ଦେହକୁ ଅଲୋଡ଼ାକରି ନୂତନ କଳେବରରେ ନୂତନ ପରିପାଟୀରେ ଆଗଭର ହେବାକଥା ଆନନ୍ଦଦାୟକ ହେଲେ ମଧ୍ୟ ତାଙ୍କର ଜ୍ଞାତିକୁଟୁମ୍ବମାନେ ବ୍ରହ୍ମ ପରିବର୍ତ୍ତନ ପରେ କାହିଁକି କାନ୍ଦନ୍ତି, ଅଶୌଚ ପାଳନ କରନ୍ତି, ଘର ଲିପନ୍ତି, ନୂଆ ବସ୍ତ୍ର ପରିଧାନ କରନ୍ତି ଓ ଅନ୍ତ୍ୟେଷ୍ଟି କ୍ରିୟାର ଉଦଯାପନ କରିବାକୁ ଯାଇ ସାଧୁ, ସନ୍ଥ, ସନ୍ନ୍ୟାସୀ, ବ୍ରାହ୍ମଣମାନଙ୍କୁ ବାରଦିନ ମହାପ୍ରସାଦ ବିତରଣ କରି ଶୁଦ୍ଧ ହୁଅନ୍ତି । ଭୁଲିଯାଆନ୍ତି ପ୍ରଭୁଙ୍କର ପୁରୁଣା ଶରୀରର ମାନବୀୟ ଲୀଳା ସମ୍ଭାରକୁ । ବଡ଼ଅଡ଼ୁଆଲାଗେ ବ୍ରହ୍ମଙ୍କର ପୁଣି ନବକଳେବର ?

ଥରେ ଥରେ ଲାଗେ ଏ ହେଉଛନ୍ତି ବିମ୍ବବ୍ରହ୍ମ, ମନ୍ତ୍ରମୂର୍ତ୍ତି, ଭକ୍ତଙ୍କର ପୁଞ୍ଜିଭୂତ ବିଶ୍ୱାସର ସଚ୍ଚିଦାନନ୍ଦ ବ୍ରହ୍ମ । ଆମ ନିଖୋଳା ହୃଦୟର ରତ୍ନସିଂହାସନରେ ଅହରହ ବିରାଜୁଥିବା ଉଦାସୀନ ସାକ୍ଷୀ ପୁରୁଷ । ସେ ଆମଭଳି ବୋଧେ ଜଣେ । ସଂସାରର ସକଳ ଜଞ୍ଜାଳ ତାଙ୍କରି ଉପରେ । କେତେ ବା ସମ୍ଭାଳନ୍ତେ ? ତାଙ୍କ ଛଦ୍ମକଳେବରର ପରିବର୍ତ୍ତନ ଅବଶ୍ୟମ୍ଭାବୀ, ଏକଥା ଇତିହାସ କହେ । ସେ ଲୋଡ଼ନ୍ତି ଯୋଡ଼ା ଆଷାଢ଼ ଚାନ୍ଦ୍ର ପୁରୁଷୋତ୍ତମ ମାସ ଯାହାକୁ ସଂକ୍ରାନ୍ତି ସ୍ପର୍ଶ କରୁନଥିବ-। ମା’ ବିମଳା ବା ଲକ୍ଷ୍ମୀଙ୍କର ମନକୁ ବ୍ୟଥିତ ନକରି ମାତୃକଳ୍ପା ପ୍ରାଚୀପାବନୀ ମଙ୍ଗଳାଙ୍କୁ ସେ ଗୁପ୍ତ ସନ୍ଦେଶ ଦିଅନ୍ତି । ଭକ୍ତ ଓ ପାର୍ଷଦମାନଙ୍କୁ ଜଣେଇ ଦିଅନ୍ତି, ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ । ‘ଦେଖ ! ମୁଁ କେମିତି ଅମର ମୃତ୍ୟୁ ବରଣ କରୁଛି ।’ ପ୍ରଳୟ କାଳରେ ସମସ୍ତେ ତିରୋହିତ ହୁଅନ୍ତି ଭୂ-ଭୂବ ଓ ସ୍ଵର୍ଗରେ ଥିବା ସମସ୍ତ ସୂକ୍ଷ୍ମବସ୍ତୁ ଓ ସ୍ଥୂଳ ବସ୍ତୁ, ଏପରିକି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଆଦିତ୍ୟ, ନଭୋମଣ୍ଡଳ ମଧ୍ୟ । ବିରାଟ କୃଷ୍ଣଗର୍ତ୍ତର ତୀବ୍ର ଆକର୍ଷଣରେ ସୃଷ୍ଟି ସମାହିତ ହୁଏ । ସେଇଭଳି ଚତୁର୍ଦ୍ଧା ଦାରୁମୂର୍ତ୍ତି, ତାଙ୍କ ପତିତପାବନ ରଥର ଶୋଭାମଣ୍ଡନ କରୁଥିବା ସାରଥୀ, ଅଶ୍ୱ, ପାର୍ଶ୍ୱଦେବତା, କଳସ, ଶୁଆ, ଦ୍ୱାରପାଳ ଓ ଧ୍ୱଜ ପ୍ରଭୃତି ମଧ୍ୟ ଗୋଲୋକ ବିଶ୍ରାମ ନିଅନ୍ତି ପାର୍ଥିବ ସମାଧି ବ୍ୟାଜରେ । ସୃଷ୍ଟି-ସ୍ଥିତି-ପ୍ରଳୟ-ତିରୋଧାନ ଓ ନବସୃଷ୍ଟି ହିଁ ବ୍ରହ୍ମଙ୍କର ପଞ୍ଚକର୍ମ । ସାକାର ମାନବୀୟ ଲୀଳାରେ ଦାରୁବ୍ରହ୍ମ ମଧ୍ୟ ଏହି ପଞ୍ଚକର୍ମ କରନ୍ତି କାଳାଂଶରେ । ତାଙ୍କର ନବକଳେବର ହିଁ ବିଶ୍ୱାତ୍ମକ ସୃଷ୍ଟି, ତାଙ୍କର ରତ୍ନ ସିଂହାସନରେ ଆଠ ବା ଉଣେଇଶି ବର୍ଷର ରହଣି ହିଁ ପ୍ରତୀକାତ୍ମକସୃଷ୍ଟିର ସ୍ଥିତିକାଳ ଏବଂ ବ୍ରହ୍ମବର୍ଜିତ ତେଜୋହୀନ କଳେବର ହିଁ ପ୍ରତୀକାତ୍ମକ ପ୍ରଳୟ, ତିନିପକ୍ଷ ବିଶିଷ୍ଟ ମହାଅଣସର ହିଁ ତିରୋଧାନ ପର୍ବ ଓ ବ୍ରହ୍ମଗର୍ଭିତ ନବକଳେବର ହିଁ ନବସୃଷ୍ଟିର ପ୍ରତୀକାତ୍ମକ ପ୍ରାରମ୍ଭ । ଅନ୍ୟ ଭାବରେ କହିଲେ ଚଳିତବର୍ଷ ସ୍ନାନପୂର୍ଣ୍ଣିମା ପରେ ଅର୍ଥାତ୍ ଜୁନମାସ ୨ ତାରିଖ ନିଶାର୍ଦ୍ଧ ପରଠାରୁ ମହାଅଣସରର ଅୟମାରମ୍ଭ । ତା’ର ଦିନେ ଦୁଇଦିନ ପରେ କୋଇଲି ବୈକୁଣ୍ଠରେ ଗୁପ୍ତ ନୀତିରେ ଦାରୁବିଗ୍ରହ ଗଠନ ଓ ଆନୁଷଙ୍ଗିକ ଯଜ୍ଞାଦି କର୍ମ । ଜୁନମାସ ୧୫ ତାରିଖ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ମହା ନିଶାରେ ଶ୍ରୀବିଗ୍ରହମାନଙ୍କର ଘଟ ପରିବର୍ତ୍ତନ, ତା’ ପରଦିନ ନବକଳେବର ଧାରଣ କରିଥିବା ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ଓ ଠିକ୍ ତା’ ପରଦିନ ବିଗ୍ରହମାନଙ୍କର ନବକଳେବରରେ ନବଯୌବନ ଦର୍ଶନ, ନୂତନ ସୃଷ୍ଟିର ଉନ୍ମେଷ ।

ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ରରେ ଥିବାବେଳେ ଭକ୍ତଗଣ ତାଙ୍କୁ (ଚୈତନ୍ୟ ଚନ୍ଦ୍ରୋପୟ ନାଟକ) ‘ନରବ୍ରହ୍ମ’ ବୋଲି କହୁଥିଲେ । ନିର୍ମାଣ ଗୃହରେ ବିଗ୍ରହମାନଙ୍କର ସପ୍ତଧାତୁ ଗଠନ ବା ସପ୍ତାବରଣ (ପ୍ରତୀକାତ୍ମକ ଚର୍ମ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର) ପ୍ରକ୍ରିୟା ସୂଚେଇ ଦିଏ ଯେ ପରମବ୍ୟୋମର ନିରାକାର ବ୍ରହ୍ମ ନୁହନ୍ତି, ସେ ପୁଣ୍ୟଭୂମି ଭାରତବର୍ଷର ତଥା ଅନନ୍ୟ ଉତ୍କଳ ଭାବଭୂମିର ଜଣେ ଅଦ୍ୱିତୀୟ ବପୁବନ୍ତ ନିୟାମକ,ସେ ସହସ୍ର ଶୀର୍ଷ, ସହସ୍ରପାଦ, ସହସ୍ର ଚକ୍ଷୁ, ସହସ୍ର କର୍ଣ୍ଣ ଓ ସର୍ବଜ୍ଞ ଅଥଚ ବାହାରକୁ ଅପାଣି-ପାଦ-ଚକ୍ଷୁ-କର୍ଣ୍ଣ । ତାଙ୍କର ଜୀର୍ଣ୍ଣ କଳେବରର ଅପସାରଣ ଏକ ଐତିହାସିକ ଦୁର୍ଘଟଣା ହୋଇଥିଲେ ମଧ୍ୟ ଭକ୍ତମଣ୍ଡଳୀ ସେପରି ଆତୁର ବା ବ୍ୟଥିତ ହୁଅନ୍ତି ନାହିଁ । ତାଙ୍କର ବଜ୍ରବାଣୀ ରହିଛି, “ମୋ ପ୍ରାସାଦ ଓ ପ୍ରତିମା ଭଗ୍ନ ହେଲେ ମଧ୍ୟ ମୁଁ ନୀଳାଚଳ ପରିତ୍ୟାଗ କରି ଅନ୍ୟତ୍ର କେବେ ଯିବିନାହିଁ (ସ୍କନ୍ଧପୁରାଣ ଦ୍ରଷ୍ଟବ୍ୟ) ।” ପ୍ରଭୁଙ୍କର ପୁନଃ ଆବିର୍ଭାବ ଭକ୍ତଙ୍କ ମନରେ ଅମାପ ଔେତ୍ସୁକ୍ୟ ଭରିଦେଇଥାଏ । ପ୍ରଭୁ ଖାଲି ନୂଆ ଶରୀର ଧାରଣ କରିବେ ନାହିଁ, ସେ ସପାର୍ଷଦ ରଥାରୂଢ଼ ହୋଇ ବିଜୟ ଯାତ୍ରାରେ ଜଗଦବାସୀଙ୍କୁ ଦର୍ଶନ ଦେବେ । ସେ ହେଉଛନ୍ତି ମୃତ୍ୟୁର ମୃତ୍ୟୁଦାତା, ଶାଶ୍ୱତ ଚିନ୍ମୟ ସତ୍ତା ।କାୟା ପରିବର୍ତ୍ତନ ହିଁ ଅମରତ୍ୱର ପୁଷ୍ଟିକରଣ । ସେ ହିଁ ପୁରୁଷୋତ୍ତମ । ବେଦ ବେଦାନ୍ତ ଜଗନ୍ନାଥଙ୍କର ପରଂବ୍ରହ୍ମତ୍ୱ ନେଇ ଶତଜିହ୍ୱ ନ ହେଲେ ମଧ୍ୟ ସେ କେବଳ ବିଗ୍ରହ ବ୍ରହ୍ମରେ ସୀମିତ ନୁହନ୍ତି । ଦର୍ଶନଶାସ୍ତ୍ରବିତ୍ ପ୍ରଫେସର ଗୌରାଙ୍ଗଚରଣ ନାୟକଙ୍କର ଅବରୋଧରେ ସେ ହୁଏତ ଲୋକାୟତ ବ୍ରହ୍ମ । ସେ କହିଛନ୍ତି- “If something is Lokayata, available to the mass, the laity, it cannot be Brahman, for Brahman is that which is not available for empirical use. But here is a unique instance of Daru Brahma being available to the laity during Kaliyuga : At least that is what is at the back of this conception of Daru Brahma who is subject to all sorts of joy and sorrow and is even subject to mortality and reincarnation like any one of us and has his daily life linked with the daily life of the laity. (Dr.G.C.Nayak. ‘The Unique Vedantic Synthesis in Jagannath As Lokayata Brahma and Vaisnavism- A Philosophical Approach, paper presented in the International Vedanta Conference, Osmania University, Hyderabad, Aug.1999)”

ଡକ୍ଟର ମଧୁମିତା ଚଟ୍ଟୋପାଧ୍ୟୟ “Brahma-Nara Brahma meeting Daru Brahma- A Divine Lila” ଶୀର୍ଷକ ପ୍ରବନ୍ଧରେ (ଦ୍ରଷ୍ଟବ୍ୟ: Studies in the Cult of Jagannath, 1991) କହିଛନ୍ତି- “Jagannath, the Lord of the Universe is the Brahman himself, as per the mantra of the Rgveda (x. 1553) referred to in the Purusottama-tattva of Raghunandan and there should not have any doubt regarding the vedic authority of the deity” । ଏହାସହିତ ବ୍ରହ୍ମସୂତ୍ରର ୧।୨।୨ ଓ ଶ୍ରୀମଦ୍ ଭାଗବତର ମଙ୍ଗଳାଚରଣରେ ଥିବା ‘ଜନ୍ମାଦ୍ୟସ୍ୟ ଯତୋ’ ଶ୍ଳୋକର ପୁଙ୍ଖାନୁଶୀଳନ ମଧ୍ୟ ଆବଶ୍ୟକ-

ପରଂବ୍ରହ୍ମଙ୍କର ଚିନ୍ତୟ ସତ୍ତା, ଆନନ୍ଦମୟ ସତ୍ତା ଓ ସର୍ବବ୍ୟାପକତା ସର୍ବତ୍ର ବିଦ୍ୟମାନ । ଅବଶ୍ୟ ‘ପାଦୋଽସ୍ୟ ବିଶ୍ୱାଭୂତାନି ତ୍ରିପଦସ୍ୟାମୃତଂ ଦିବି (ୠକ୍ ୧୦।୯୦।୩)’ ତଥାପି ବିଶ୍ୱର ପରିବ୍ୟାପ୍ତ ବିସ୍ତୃତିରେ ସେ ସକଳ ବୈଭବରେ ପରିପୂର୍ଣ୍ଣ । ଉତ୍କଳରେ-

ଦାରୁବ୍ରହ୍ମ ଜଗନ୍ନାଥୋ ଭଗବାନ୍ ପୁରୁଷୋତ୍ତମେ

 

କ୍ଷେତ୍ରେ ନୀଳାଚଳେ କ୍ଷାରାର୍ଣ୍ଣବତୀରେ ବିରାଜତେ

ଏବଂ ‘ପୁରୁଷୋତ୍ତମ ମାହତ୍ମ୍ୟ’ରେ ଦାରୁର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି-

ଖଣ୍ଡନାତ୍ ସର୍ବଦୁଃଖାନାମଖଣ୍ଡାନନ୍ଦଦାନତଃ

 

ସ୍ଵଭାବାଦ୍ ଦାରୁରେଷୋ ହି ପରଂ ବ୍ରହ୍ମାଭିଧୀୟତେ

(ସ୍କନ୍ଦ ୨୮-୩୯)

 

ତେଣୁ ଦାରୁବ୍ରହ୍ମ ହିଁ ଏକଚତୁର୍ଥାଂଶ ବ୍ରହ୍ମଶକ୍ତିର ଲୀଳାଶରୀର ଅଥଚ ପୂର୍ଣ୍ଣବ୍ରହ୍ମଙ୍କର ଶକ୍ତି ବିଭାଜିତ ହୁଏନାହିଁ । ପୂର୍ଣ୍ଣରୁ ପୂର୍ଣ୍ଣ ଅନ୍ତର୍ହିତ ହେଲେ ମଧ୍ୟ ସେ ସଦାପୂର୍ଣ୍ଣ ହୋଇ ରହନ୍ତି ।

ଆମମାନଙ୍କର ମାନସିକତାରେ ପ୍ରଭୁ ଜଗନ୍ନାଥଙ୍କର ପ୍ରତ୍ୟେକ ପ୍ରସାଦୀ ବସ୍ତୁ ବ୍ରହ୍ମତୁଲ୍ୟ-ଶ୍ରୀମହାପ୍ରସାଦ-ଶ୍ରୀନିର୍ମାଲ୍ୟ-ଆଜ୍ଞାମାଳ-ଛଡ଼ାତୁଳସୀଚନ୍ଦନ-ପତନୀ-ଶ୍ରୀଅଙ୍ଗଲାଗି କପଡ଼ା-ନୀଳଚକ୍ରରେ ଉଡ୍ଡୀୟମାନ ବୈଜୟନ୍ତୀ । ଏପରିକି ଦାରୁ ନିର୍ମିତପୁଣ୍ୟ ରଥର ସକଳ ଅଂଶ ମଧ୍ୟ ବ୍ରହ୍ମମୟ ଶ୍ରୀକ୍ଷେତ୍ର ଓ ମହୋଦଧି । ତଥାପି ରତ୍ନସିଂହାସନରେ ବିରାଜୁଥିବା ଆନନ୍ଦ

ବ୍ରହ୍ମଙ୍କର ଲୀଳାମୟ ଦାରୁ ଶରୀରର ନବୀକରଣ ଭାରତବର୍ଷରେ ଅନନ୍ୟ । ଏପରିକି ଦାରୁଚୟନ, ଦାରୁ ନିକଟରେ ଶାସ୍ତ୍ରୀୟ ବନଯାଗ, ଦାରୁଛେଦନ ଓ ପବିତ୍ର ମହାଦାରୁଙ୍କର ଶଗଡ଼ିରେ ଶ୍ରୀକ୍ଷେତ୍ର ଆନୟନ ପ୍ରଭୃତି ଯେଉଁ ଲକ୍ଷାଧିକ ଭକ୍ତ ଦର୍ଶନ କରନ୍ତି, ସେମାନଙ୍କର ଚେତନାରେ ସାମୀପ୍ୟ ମୁକ୍ତିର ଗୁଞ୍ଜରଣ ସୃଷ୍ଟି ହୁଏ । ଦାରୁମାନେ ଯେତେବେଳେ ସ୍ଥାନାନ୍ତରିତ ହୁଅନ୍ତି, ସମବେତ ଜନତା-ଦର୍ଶଙ୍କର ଚକ୍ଷୁ ଅଶ୍ରୁରେ ଭରିଯାଏ । ଅଶ୍ରୁଳ ବିଦାୟ ଲଭିଥିବା ଦାରୁମାନେ ଶ୍ରୀକ୍ଷେତ୍ରରେ ଆନନ୍ଦ-ଉଲ୍ଲାସାରେ ଅଭ୍ୟର୍ଥିତ ହୁଅନ୍ତି । ନୂତନ ଦାରୁକଳେବରରେ ବ୍ରହ୍ମପୂର୍ତ୍ତି ଓ ପୁରାତନ ବିଗ୍ରହରୁ ବ୍ରହ୍ମ ଅପସାରଣ ଯୁଗପତ୍ ଆନନ୍ଦାଶ୍ରୁ ଓ ଶୋକାଶ୍ରୁର ଏକ ଏକ ଭବ୍ୟ ଆବେଗ-ଶିହରିତ ପ୍ରତୀକ୍ଷା । ଦେବତା ହୋଇଲେ ମରଇ ଅଥଚ ଯାହାଙ୍କର ଅଂଶ କଳାରେ ଦେବଗଣ ଥାଆନ୍ତି ଏବଂ ଯେଉଁମାନେ ‘କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଲୋକଂ ବିଶନ୍ତି’ ସେଇ ଦେବଗଣଙ୍କର ସୀମିତ ଆୟୁଷ୍କାଳ, ଅଥଚ ଷୋଳକଳା ବା ଅସଂଖ୍ୟ ଶକ୍ତିକୁ ଯେ ବହନ କରନ୍ତି, ଯେ ସପ୍ତଲୋକ ନିୟନ୍ତା, ଯେ କାରାଣାର୍ଣ୍ଣବଶାୟୀ, ସେ କିମ୍ବା ତାଙ୍କର ସାକାର ବ୍ରହ୍ମ କାଳାତୀତ । ଲୋକ ଦେଖାଣିଆ କାଳାଂଶରେ ସେ ପଞ୍ଚକୃତ୍ୟ (ସୃଷ୍ଟି-ସ୍ଥିତି-ପ୍ରଳୟ-ତିରୋଧାନ-ନବସୃଷ୍ଟି) କରିବାକୁ ଏବଂ ଜନମାନସରେ ଦୁଇ ଅମୃତ ବିନ୍ଦୁ ମଧ୍ୟରେ ମୃତ୍ୟୁ ଏକ ଧୂସର ଯବନିକା ବୋଲି ଶିକ୍ଷା ଦିଅନ୍ତି । ‘କଳ’ ଅର୍ଥ ତେଜୀୟାନ୍ ଓ ଶ୍ରେଷ୍ଠ । ସେହି ‘କଳ’ରୁ ନବକଳେବର ଅଧିକ ତେଜୀୟାନ୍ ଅବୟବ ।ଏଇ ସହସ୍ରାଦ୍ଦର ପ୍ରଥଢ଼ ନବକଳେବର ଜନମାନସର, ଆଧ୍ୟାତ୍ମିକ ଚେତନାର ତଥା ବିଶ୍ୱାତ୍ମାର ନବୀକରଣ ପାଇଁ ସ୍ପଷ୍ଟ ସଙ୍କେତ ପ୍ରଦାନ କରୁ ।

 

ଦାରୁବ୍ରହ୍ମଙ୍କ ଘଟାନ୍ତର

ଶ୍ରୀ ରଜତ କୁମାର କର

ଦାରୁ ବିଗ୍ରହ ପ୍ରଭୁ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ଭାବେ ଭକ୍ତମେଳରେ ପରିଚିତ । ବ୍ରହ୍ମର ଅବୟବ ନାହିଁ । ସେ ତ “ଅପାଣି ପାଦ” । ଅର୍ଥାତ୍, ତାଙ୍କର ଚରଣ ନାହିଁ । ସେ ପୁଣି “ସର୍ବୋନ୍ଦ୍ରିୟ ବିବେଚିତ ବୋଲି ଶାସ୍ତ୍ର କହିଛି । ଦାରୁ ଦେହ ଧରି ସେ ପୁଣି ଦୟାନିଧି ବୋଲି ଆମଭଳି ଭକ୍ତ ବିଶେଷଣ ଦେଇ ତାଙ୍କୁ କହୁଛୁ । ତେବେ ବ୍ରହ୍ମ ବିଶେଷଣ ଯୁକ୍ତ ହୋଇ ଦାରୁବ୍ରହ୍ମ ହେଲେ କିପରି ? ଦାରୁ ବିଗ୍ରହରେ ବିଜେ ହୋଇ ପ୍ରଭୁ ଉତ୍କଳରେ ବ୍ରହ୍ମ ବୋଲି ପରିଚିତ ହୋଇ ‘ଦାରୁବ୍ରହ୍ମ’ ସଂଜ୍ଞା ଲାଭ କରିଛନ୍ତି ।

ବ୍ରହ୍ମ ବହୁ ସମୟରେ ବିଶେଷଣ ଯୁକ୍ତ ହୋଇ ଭକ୍ତମାନଙ୍କ ତୁଣ୍ଡରେ ଓ କବିମାନଙ୍କ ଲେଖନୀରେ ପରିଚିତ ହୁଅନ୍ତି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଉଦାହରଣ ଦେଇ ଏ ସମ୍ବନ୍ଧରେ ଆଲୋଚନା କରାଯାଇପାରେ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନିଜ ରଚନା ପାଇଁ ପ୍ରେରଣାର ଉତ୍ସ ଭାବେ ବର୍ଣ୍ଣନା କରି ସେ କହୁଛନ୍ତି, “ଅଯୋଧ୍ୟା ସା ଭବ ପରମବ୍ରହ୍ମ” । ଭକ୍ତ ଅଯୋଧ୍ୟାରାଜ ଅବତାର ପୁରୁଷଙ୍କୁ ‘ପରମବ୍ରହ୍ମ’ ବୋଲି ଆଖ୍ୟା ଦେଇଛନ୍ତି । କେତେକଙ୍କ ଉକ୍ତିରେ କୃଷ୍ଣ ଅବତାର ନୁହନ୍ତି । ସେ ଅବତାରୀ । ଅର୍ଥାତ୍, ସବୁ ଅବତାରଙ୍କ ଜନକ । ଏଇ ଭାବରେ ଭାବିତ ହୋଇ ଦ୍ୱାଦଶ ଶତାବ୍ଦୀର କବି ଜୟଦେବଙ୍କ ସ୍ଵରଚିତ “ଗୀତଗୋବିନ୍ଦ”ର ଦଶାବତାର ବନ୍ଦନାରେ ଶ୍ରୀକୃଷ୍ଣଙ୍କୁ ଅବତର ଭାବେ ନେଇ ଲେଖିଛନ୍ତି, “କେଶବ ଧୃତ ହଳଧର ରୂପ, ଜୟ ଜଗଦୀଶ ହରେ” -। ଏହି ଚିନ୍ତନର ହରି ବା କେଶବ ହେଉଛନ୍ତି, ଜଗଦୀଶ । ଅର୍ଥାତ୍, ଜଗତର ପ୍ରଭୁ । ଜୟଦେବ ଜଗନ୍ନାଥ ନାମ ବ୍ୟବହାର କରିନାହାନ୍ତି । ଦ୍ୱାଦଶ ଶତାବ୍ଦୀର ପ୍ରାରମ୍ଭରେ ଗଙ୍ଗବଂଶ ରାଜତ୍ୱ ବେଳେ ଜୟଦେବଙ୍କ ଅଭ୍ୟୁଦୟ ହୋଇଛି । ସେତେବେଳେ “ଜଗନ୍ନାଥ” ନାମ ନିଖୁଣ ଭାବେ ପ୍ରସିଦ୍ଧି ଲାଭ କରିନାହିଁ । ତାଙ୍କର ମନ୍ଦିରକୁ କୁହାଗଲା“ପ୍ରାସାଦ ପୁରୁଷୋତ୍ତମ” । ଅର୍ଥାତ୍ ପୁରୁଷୋତ୍ତମଙ୍କ ପ୍ରାସାଦ ଅର୍ଥାତ୍ ନବର । ପୁରୁଷୋତ୍ତମ ରାଜା ଭଳି ସମ୍ମାନିତ ହେବାରୁ ତାଙ୍କ ନିବାସ “ପ୍ରାସାଦ” ରୂପେ ବର୍ଣ୍ଣିତ । ପୁରୁଷୋତ୍ତମ, କେଶବ ଭାବେ ବିଷ୍ଣୁଙ୍କ ବର୍ଣ୍ଣନା ଅଛି । କେଶବ ଅର୍ଥରେ ଜୟଦେବ ସେହି ବିଷ୍ଣୁ ପୁରୁଷୋତ୍ତମଙ୍କୁ ଦଶାବତାର ବନ୍ଦନାରେ ସ୍ତୁତି କରିଛନ୍ତି । ନୃସିଂହ ମନ୍ଦିରରେ ଥିବା ଗଙ୍ଗବଂଶର ଶିଳାଲିପିମାନ ଅନୁଧ୍ୟାନ କଲେ ଜଣାଯାଏ, ଚୋଡ଼ଗଙ୍ଗଙ୍କ ବେଳକୁ ପୁରୀ ମନ୍ଦିରରେ ଅଧିଷ୍ଠିତ ଦେବତା ତ୍ରିମୂର୍ତ୍ତୀ ରୂପେ ପୂଜା ପାଉନଥିଲେ ।

ପରବର୍ତ୍ତୀ କାଳରେ ନୃସିଂହ ମନ୍ଦିର ଭାବେ ଖ୍ୟାତ ମନ୍ଦିର ଆଦ୍ୟରୁ ପୁରୁଷୋତ୍ତମ ମନ୍ଦିର ରୂପେ ପରିଚିତ ଥିଲେ । ଯଯାତି ୧ମଙ୍କ ସମୟରେ ନିର୍ମିତ ଏହି ମନ୍ଦିରରେ ଚତୁର୍ଭୁଜ ବିଷ୍ଣୁ ପୁରୁଷୋତ୍ତମ ରୂପେ ପୂଜିତ ହେଉଥିଲେ । ଚୋଡ଼ଗଙ୍ଗ ତାଙ୍କ ପାଇଁ ବର୍ତ୍ତମାନର ବିରାଟ ମନ୍ଦିର ନିର୍ମାଣ କରାଇଲେ । ନୃସିଂହ ମନ୍ଦିର ବା ପୂର୍ବତନ ପୁରୁଷୋତ୍ତମ ମନ୍ଦିର ଗାତ୍ରରେ ଥିବା ଶିଳାଲିପି ଅନୁଧ୍ୟାନ କରି ଐତିହାସିକ ସତ୍ୟନାରାୟଣ ରାଜଗୁରୁ କହନ୍ତି, “ଚୋଡ଼ଗଙ୍ଗଙ୍କ ଜୀବଦ୍ଦଶାରେ ନୂତନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠିତ ହୋଇନାହାନ୍ତି । ବିଗ୍ରହଙ୍କର ପ୍ରତିଷ୍ଠା ହୋଇଛି ତାଙ୍କର ନାତି ୩ୟ ଅନଙ୍ଗଭୀମଦେବଙ୍କ ସମୟରେ । ଅର୍ଥାତ୍ ଚୋଡ଼ଗଙ୍ଗ ରାଜତ୍ୱର ଶହେ ବର୍ଷ ପରେ ।”

ଦ୍ବିତୀୟ ଅନଙ୍ଗଭୀମଦେବ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର । ଚୋଡ଼ଗଙ୍ଗଙ୍କ ପରେ ଜ୍ୟେଷ୍ଠପୁତ୍ର ବାମାର୍ଣ୍ଣବ ରାଜତ୍ୱ କଲେ । ସେ ଅପୁତ୍ରିକ ହୋଇ ମୃତ୍ୟୁ ବରଣ କରିବାରୁ ତାଙ୍କ ପରେ ଭ୍ରାତା ରାଘବ ଦେବ ଓ ଅନଙ୍ଗଭୀମଦେବ ୨ୟ ରାଜତ୍ୱ କରିଛନ୍ତି । ନୃସିଂହ ମନ୍ଦିର ଶିଳାଲିପିରୁ ଜଣାପଡ଼ୁଛି ପୁରାତନ ମନ୍ଦିରରେ ରାଘବଦେବଙ୍କ ପର୍ଯ୍ୟନ୍ତ ପ୍ରସ୍ତର ନିର୍ମିତ ଏକକ ବିଗ୍ରହ ପୁରୁଷୋତ୍ତମ ପୂଜିତ ହେଉଥିଲେ । ୩ୟ ଅନଙ୍ଗଭୀମ ସମୟରେ ଦାରୁ ନିର୍ମିତ ତ୍ରିମୂର୍ତ୍ତୀ ମନ୍ଦିରରେ ସ୍ଥାନ ପାଇଲେ ବୋଲି ସତ୍ୟନାରାୟଣ ରାଜଗୁରୁ କହିଛନ୍ତି । ଏ ଲେଖକ ବିଶ୍ୱାସ କରୁଛି ଯେ ଏହା ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ସମୟରେ ହୋଇଛି । ଲିଙ୍ଗରାଜ ମନ୍ଦିରରେ ଏକ କ୍ଷୁଦ୍ର ମନ୍ଦିରରେ ଅନନ୍ତେଶ୍ୱର ଭାବେ ପରିଚିତ ସମ୍ପୂର୍ଣ୍ଣ ଅବୟବଯୁକ୍ତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଶୋଭା ପାଉଛନ୍ତି ।

ଗବେଷକ କେଦାରନାଥ ମହାପାତ୍ର ମନେକରନ୍ତି ଯେ, ଏ ତିନିମୂର୍ତ୍ତି ଅନଙ୍ଗଭୀମଦେବ୨ୟଙ୍କ ସମୟରେ ସ୍ଥାପିତ ହୋଇଛନ୍ତି । ଏହି ଅନଙ୍ଗଭୀମଦେବଙ୍କ ପତ୍ନୀ ବାଗଲ ଦେବୀଙ୍କ ନାମାନୁସାରେ ବାଗଲପୁର ବା ତୁରିନ୍ତରାଠାରେ ଏହିଭଳି ମୂର୍ତ୍ତି ଇଟାରେ ନିର୍ମିତ ମନ୍ଦିରରେ ପ୍ରତିଷ୍ଠା ପାଇଛନ୍ତି । ସେ ମନ୍ଦିର ବର୍ତ୍ତମାନ ଭୁଷୁଡ଼ି ପଡ଼ିଛି। ମନ୍ଦିର ଆଘାତ ପ୍ରାପ୍ତ ହେବା ପରେ ମୂର୍ତ୍ତି ତ୍ରୟଙ୍କ କରାଙ୍ଗୁଳି କ୍ଷତ ହୋଇଥିଲା । ସ୍ଥାନୀୟ ଉଦ୍ୟମରେ ଏହା ସଜଡ଼ା ହୋଇ ମଧ୍ୟ ସ୍ଥାୟୀ ହୋଇପାରି ନଥିଲା । ଏବେ କାରୀଗର ହାତରେ ପୁନର୍ବାର ସେ କରାଙ୍ଗୁଳି ସଂଯୁକ୍ତ ହୋଇଛି-। ବିଭୁ କୃପାରେ ଏ ଲେଖକ ଏ ବ୍ୟବସ୍ଥା ସହ ସଂପୃକ୍ତ ହୋଇଛି । ଏଠାକୁ ଆସି ଏଭଳି ଅନ୍ୟ ଏକ ମନ୍ଦିର ନିକଟରେ ଥିବା ଅନୁଧ୍ୟାନରୁ ଜାଣିଛି ।

କିମ୍ବଦନ୍ତୀ ଅଛି ଯେ, ପ୍ରତିଦିନ ଜଗନ୍ନାଥ ଦର୍ଶନ କରୁଥିବା ଜୟଦେବ ଯେବେ ଘୋର ବନ୍ୟାରେ ଯାଇପାରିଲେ ନାହିଁ, ସେତେବେଳେ ପ୍ରଭୁଙ୍କ ସ୍ଵପ୍ନାଦେଶ ପାଇ ବାଗଲଦେବୀ ଏଭଳି ମୂର୍ତ୍ତି ମନ୍ଦିରରେ ପ୍ରତିଷ୍ଠା କରାଇଲେ । ଏଥିରୁ ଅନୁମାନ କରାଯାଇପାରେ ବାଗଲଦେବୀଙ୍କ ସ୍ଵାମୀ ୨ୟ ଅନଙ୍ଗଭୀମଦେବଙ୍କ ସମୟରେ ପୁରୁଷୋତ୍ତମ ଏପରି ପୂର୍ଣ୍ଣ ଅବୟବ ସମ୍ପନ୍ନ ଥିଲେ ।

ରାଘବ ଦେବଙ୍କ ସମୟ ପର୍ଯ୍ୟନ୍ତ ଏକକ ପୁରୁଷୋତ୍ତମ ମୂର୍ତ୍ତି ଥିଲେ । ମନ୍ଦିର ଆଂଶିକ କ୍ଷତିଗ୍ରସ୍ତ ହେବା ପରେ ବିଗ୍ରହଙ୍କ ଅଙ୍ଗ ବିକାର ଘଟିବାରୁ ସ୍ଥାନାନ୍ତର ହେଲା । ଏହାପରେ ହୁଏତ ନୂତନ ମନ୍ଦିରରେ ଦାରୁ ନିର୍ମିତ ବିଗ୍ରହ ସ୍ଥାପିତ ହେଲେ । ପୂର୍ବ ମୂର୍ତ୍ତିମାନଙ୍କୁ ଅନଙ୍ଗଭୀମଦେବ ଲିଙ୍ଗରାଜ ମନ୍ଦିର ପରିସରରେ ଥିବା କାରୁକଳା ବିବର୍ଜିତ ଏକ କ୍ଷୁଦ୍ର ମନ୍ଦିରରେ ସ୍ଥାନିତ କରିଥିବେ । ଏହା ତ୍ରିମୂର୍ତ୍ତିଙ୍କ ପାଇଁ ସ୍ଵତନ୍ତ୍ର ଏକ ମନ୍ଦିର ନୁହେଁ ବୋଲି ଲେଖକ ଜାଣିପାରିଛି । ପ୍ରଭୁଙ୍କ କୃପାରୁ ଏ ଲେଖକ ଏହି ବିଗ୍ରହମାନଙ୍କ କ୍ଷତିଗ୍ରସ୍ତ ଅଙ୍ଗୁଳିର ନବୀକରଣ ସହିତ ସଂମ୍ପୃକ୍ତ ହେବାବେଳେ ବହୁବାର ଅନୁଧ୍ୟାନ କରି ଏହା ଅବଗତ ହୋଇଛି । ସ୍ଵତନ୍ତ୍ର ଭାବେ ପୂର୍ଣ୍ଣ ଅବୟବ ସମ୍ପନ୍ନ ମୂର୍ତ୍ତି ଅନନ୍ତବାସୁଦେବ ଥିବାବେଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିସରରେ କାହିଁକି ଅନଙ୍ଗଭୀମ ନିର୍ମାଣ କରିଥିବେ ଏହି ତ୍ରିମୂର୍ତ୍ତିଙ୍କ ମନ୍ଦିର ? ପୁରୁଷୋତ୍ତମ ମନ୍ଦିରରୁ ସ୍ଥାନାନ୍ତର କରି ବିଷ୍ଣୁଭକ୍ତ ଅନଙ୍ଗଭୀମ ଶିବମନ୍ଦିର ପରିସରରେ ସ୍ଥାପନା କରିଥାଇପାରନ୍ତି ବୋଲି ଅନୁମାନ କଲେ ଅପ୍ରାସଙ୍ଗିକ ହେବନାହିଁ ।

ପୁରାଣ ବର୍ଣ୍ଣିତ ସମୁଦ୍ରରେ ଭାସୁଥିବା ଦାରୁ ସମ୍ବନ୍ଧରେ ବେଦର ଉଦାହରଣ ଯୁକ୍ତିଯୁକ୍ତ ହୋଇପାରୁନାହିଁ । ୠଗବେଦର ଯେଉଁ ଶ୍ଳୋକ ସାମାନ୍ୟ ପରିବର୍ତ୍ତନ ସହ ସ୍କନ୍ଦପୁରାଣ ଉତ୍କଳଖଣ୍ଡରେ ରହିଛି ତାହା ଗଙ୍ଗ ରାଜତ୍ୱ କାଳରେ ରଚିତ ହୋଇଛି । ସ୍ୱାଭାବିକ ଭାବେ ଗଠିତ ପ୍ରସ୍ତର ମୂର୍ତ୍ତି ପରିବର୍ତ୍ତେ ଦାରୁ ବିଗ୍ରହ ପ୍ରତିଷ୍ଠା ଜନମାନସରେ ସାଧୁ ଉଦ୍ୟମ ଶଙ୍କା ଓ ସନ୍ଦେହ ଜାତ କରାଇଥିବା । ତାହା ଦୂର କରିବା ପାଇଁ ପୁରାଣ ରଚୟିତାଙ୍କ ସାଧୁ ଉଦ୍ୟମ ପ୍ରଂଶସନୀୟ । ସାକାର ମୂର୍ତ୍ତି ପରିବର୍ତ୍ତେ ନିରାକାର ବ୍ରହ୍ମଙ୍କ କଳ୍ପନା କରି ଦାରୁ ଦେହରେ ଆକାର ଓ ନିରାକାରର ଅପୂର୍ବ ସମନ୍ୱୟ ଘଟାଇ ଦାରୁବ୍ରହ୍ମଙ୍କ ଆବିର୍ଭାବ ଭାରତୀୟ ଆଧ୍ୟାତ୍ମିକ କ୍ଷେତ୍ରରେ ଅନନ୍ୟ ଉଦ୍ୟମ । ପୃଥିବୀର ସାଧୁ, ସନ୍ଥ, ଗବେଷକ ଓ ଭକ୍ତଙ୍କୁ ବିସ୍ମିତ ଓ ଅଭିଭୂତ କରିଛି ଏହି ଅଭିନବ ବ୍ୟବସ୍ଥା ।

ନବମ ଶତାବ୍ଦୀରେ ଶଙ୍କରଙ୍କ ଆବିର୍ଭାବ ବେଳର ଭାରତରେ ବିଶେଷ ପରିଚିତ ପୁରୁଷୋତ୍ତମ ଦାରୁର କଳେବର ଧରି ଜଗନ୍ନାଥ ନାମରେ ବିଶ୍ୱପ୍ରସିଦ୍ଧ ହେବା ବର୍ତ୍ତମାନ ସମୟର ଏକ ଯୁଗାନ୍ତକାରୀ ଘଟଣା । ଏହି ଅଦ୍ଭୁତ ଓ ଅଦ୍ଭୁତପୂର୍ବ ମୂର୍ତ୍ତି ତ୍ରୟ, ବିସ୍ମୟ, ବିଭ୍ରମ,ଘଟାଇଥିବାରୁ ପ୍ରଭୁଙ୍କ ଏହି ଦାରୁ ରୂପ ଗ୍ରହଣର ଯଥାର୍ଥତା ପ୍ରତିପାଦନ ପାଇଁ କାହାଣୀ, ଦାର୍ଶନିକ ବିଶ୍ଲେଷଣର ବିରାମ ନାହିଁ । ଦାରୁ ବିଗ୍ରହର ପ୍ରାୟ ବାରବର୍ଷ ପର୍ଯ୍ୟନ୍ତ ସ୍ଥାୟିତ୍ୱ ଥିବାରୁ ବାରବର୍ଷରେ ଥରେ ଦାରବୀୟବିଗ୍ରହମାନଙ୍କ କାୟା ପାଲଟେଇବା ପାଇଁ ଶାସ୍ତ୍ର ନିର୍ଦ୍ଦେଶ ଅଛି ।

ଅପୂର୍ବ କିନ୍ତୁ ଏ ଦାରୁବ୍ରହ୍ମ ! ଏ କେବଳ ବୈଦିକ ଦେବତା ହୋଇ ପରମବ୍ରହ୍ମ ବୋଲାଉ ନାହାନ୍ତି, ଏହାଙ୍କର ସାକାର ମୂର୍ତ୍ତିଙ୍କ ପୂଜା ବ୍ୟବସ୍ଥା ଅଛି । ବ୍ରହ୍ମ କିନ୍ତୁ ଉପାସନରେ ପ୍ରାପ୍ତ ହୁଅନ୍ତି । ତାଙ୍କୁ ପୂଜା ପରିଧିକୁ ଆଣିବା ଦାରୁବ୍ରହ୍ମ ପରିକଳ୍ପନାର ଅନନ୍ୟ ବୈଶିଷ୍ଟ ।

ଶଙ୍କରାଚାର୍ଯ୍ୟଙ୍କ ରଚନା ବୋଲି କୁହାଯାଉଥିବା “ଜଗନ୍ନାଥାଷ୍ଟକ “ରେ ଥିବା “ପରଂବ୍ରହ୍ମାପୀଡ଼୍ୟ” ଶବ୍ଦକୁ ବ୍ରହ୍ମାଙ୍କ ଗର୍ବ ଗଞ୍ଜନ ଅର୍ଥରେ କୁହାଯାଉଛି । ଅସଲରେ ଏହି “ପରଂବ୍ରହ୍ମାପୀଡ଼୍ୟ”ରୁ ଅର୍ଥ ବାହାରୁଛିପରମବ୍ରହ୍ମ ହୋଇ ମଧ୍ୟ ସେ ପୂଜ୍ୟ । ଓଡ଼ିଶାର ଏହି ପବିତ୍ର ଦେବାଳୟରେ ପରମବ୍ରହ୍ମ ବିରାଜମାନ କରି ଭକ୍ତମାନଙ୍କୁ ଭୁକ୍ତି, ମୁକ୍ତି ପ୍ରଦାନ କରୁଛନ୍ତି ।

ଭଞ୍ଜଙ୍କ ଭାଷାରେ, “ସ୍ଵାଭାବେ ସେ ବ୍ରହ୍ମଦାରୁ” । ଅର୍ଥାତ୍ ଦାରୁବ୍ରହ୍ମ ବ୍ରହ୍ମଦାରୁ କଳ୍ପବଟ ସଦୃଶ ।

ସ୍କନ୍ଦପୁରାଣର ଉତ୍କଳଖଣ୍ଡ ମହାଭାରତ ପ୍ରସିଦ୍ଧ ଇନ୍ଦ୍ରଦ୍ୟୁମ୍ନଙ୍କୁ ଏ ମନ୍ଦିର ନିର୍ମାଣ କରେଇ ପ୍ରଭୁଙ୍କ ଅପୌରୁଷେୟ ବିଭୂତି ବର୍ଣ୍ଣନା କରିଛନ୍ତି । ସାରଳା ଦାସ ତାଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ବୌଦ୍ଧାବତାର ବା ନିରାକାର ବା ଶୂନ୍ୟପୁରୁଷ ରୂପେ ବହୁ ଭାବେ କହୁଛନ୍ତି । ଶ୍ରୀକୃଷ୍ଣଙ୍କ ଅପୋଡ଼ାପିଣ୍ଡ ଦାରୁ ରୂପରେ ବିବର୍ତ୍ତିତ ବୋଲି କବି କୃଷ୍ଣ ଦାସ “ଦେଉଳତୋଳା” କ୍ଷୁଦ କାବ୍ୟରେ କହିଛନ୍ତି । ସାରଳା ଦାସଙ୍କ କାହାଣୀକୁ ସେ ଅଧିକ ରୁଚିକର କରିଛନ୍ତି ।

ପାଦ, ପାଣି,ବିହୀନ ରୂପ ବର୍ଣ୍ଣନା ପାଇଁ ପ୍ରାୟ ଉନେଇଶ ବର୍ଷରେ ଥରେ ଦରକାର ପ୍ରଭୁଙ୍କ ନୂତନ ଦାରୁ ।ଶ୍ମଶାନ, ନଦୀ ପାଖରେ ଥିବ; ହୁଙ୍କା ଥିବ; ନାଗ ଜଗିଥିବ; କୀଟ ଲାଗିନଥିବ; ପକ୍ଷୀ ବସା କରି ନ ଥିବ । ପ୍ରତିମା ନିର୍ମାଣ ଲକ୍ଷଣ ଅନୁଯାୟୀ ନଦୀ, ଶ୍ମଶାନ ନିକଟ, ଉଇହୁଙ୍କା ପ୍ରଭୃତି ଥିଲେ ସେ ଦାରୁ ଅନୁପଯୁକ୍ତ । କିନ୍ତୁ ଏ ପ୍ରଭୁଙ୍କୁ ତାହା ଉପଯୁକ୍ତ । ଏହା ତାନ୍ତ୍ରିକ ବିଧାନ । ଏହାଙ୍କ ପାଇଁ ସବୁ ଓଲଟା । ବୈଷ୍ଣବ ଠାକୁର; କିନ୍ତୁ ପ୍ରତିଷ୍ଠାର ଶେଷ ପର୍ଯ୍ୟୟରେ ମତ୍ସ୍ୟ ବଳି ବ୍ୟବସ୍ଥା । ତୁଠ ପାଣି ଛାଡ଼ି ଅତୁଠ ପାଣିରେ ଗାଧୋଇ ଜ୍ୱର ଭୋଗନ୍ତି ପ୍ରଭୁ । ଗୀତାରେ କହିଲେ- ଜୀର୍ଣ୍ଣ ବସ୍ତ୍ର ଭଳି ଦେହ । ୧୯ବର୍ଷ, ୮ ବର୍ଷରେ ପ୍ରଭୁ ଦାରୁଦେହ ଛାଡ଼ିଦେହର ଆକର୍ଷଣ ଛାଡ଼ିବା ପାଇଁ ଆହ୍ୱାନ ଦେଇଛନ୍ତି । ସନାତନ ଆତ୍ମା ସ୍ଵରୂପ ବ୍ରହ୍ମ ରୂପୀ ପ୍ରାଣବନ୍ତ ଶାଳଗ୍ରାମ ପ୍ରଭୁଙ୍କ ହୃଦୟରେ । କ୍ଷଣଭଙ୍ଗୁର ଦାରୁ କଳେବର ତେଜି ପ୍ରଭୁ ଚିରନ୍ତର ରୂପରେ ବିଜେ କରୁଛନ୍ତି ।

 

ଦାରୁ ଓ ଦାରୁବ୍ରହ୍ମ

ଡକ୍ଟର ଗୋପାଳକୃଷ୍ଣ ଦାଶ

ବିଶ୍ୱରୂପଙ୍କ ରୂପକୁ ଯୋଗୀ ଦର୍ଶନ କରେ । ଆତ୍ମା ବିଶୁଦ୍ଧି ନିମିତ୍ତ ସର୍ବପାପ ନାଶନ ରୂପକୁ ଚିନ୍ତା କରାଯାଏ । ଅଗ୍ନିର ଶିଖା ପବନ ସାହାଯ୍ୟରେ ଉଦ୍ଧତ ଗତିକରି ଗୃହ ଦଗ୍ଧ କରେ । ସେପରି ଯୋଗୀମାନଙ୍କ ଚିତ୍ତରେ ଥିବା ବିଷ୍ଣୁ ସେମାନଙ୍କର ସକଳ ପାପ ଦଗ୍ଧ କରନ୍ତି ।

ତଦ୍ରୂପଂ ବିଶ୍ୱରୂପସ୍ୟ ତସ୍ୟ ଯୋଗଯୁଜା ନୃପ

ଚିନ୍ତ୍ୟମାତ୍ମବିଶୁଦ୍ଧ୍ୟର୍ଥଂ ସର୍ବକିଳ୍ୱିଷନାଶନମ୍

।।

ଯଥାଗ୍ନିରୁଦ୍ଧତଶିଖଃ କକ୍ଷଂ ଦହତି ସାନିକଃ

ତଥା ଚିତ୍ତସ୍ଥିତୋ ବିଷ୍ଣୁ ଯୋଗିନାଂ ସର୍ବକିଳବିଷମ୍

।।

(ବିଷ୍ଣୁପୁରାଣ, ୬.୭.୭୩-୭୪)

 

ପିଣ୍ଡରେ ଯୋଗୀ ଯାହାକୁ ଦର୍ଶନ କରନ୍ତି, ସେ ଅରୂପ । ସେ ବିଶ୍ୱରୂପ ହୋଇପାରନ୍ତି । ସେ ପ୍ରତି ରୂପରେ ପ୍ରତିଭାତ ହୋଇପାରନ୍ତି । ରୂପଂ ରୂପଂ ପ୍ରତିରୂପୋ ବିଭୂବ (ୠ.ବେ.,୬.୪୭.୧୮) । ବିଶ୍ୱର ବିବିଧ ରୂପ ଏହିପରି ପ୍ରକଟିତ ହୋଇଛି । ଶିଳ୍ପୀ ବା ବିଶ୍ୱକର୍ମା ଧ୍ୟାନକରି ଯେଉଁ ରୂପ ଦର୍ଶନ କରେ, ସେହି ରୂପର ଆକାର ଓ ପ୍ରକାର ସେ ପ୍ରସ୍ତୁତ କରେ । ଧ୍ୟାନରେ ରୂପସମାବିଷ୍ଟ ହୋଇ ଶିଳା ଆଦିରେ ଅଭିବ୍ୟକ୍ତ ହୁଏ । ସେହି ରୂପ ଦିବ୍ୟ ଦର୍ଶନୀୟ ରୂପ ହୋଇ ମାନ୍ୟତା ପାଏ । ପ୍ରତୀକ ମାଧ୍ୟମରେ ଅମୂର୍ତ୍ତ ମୂର୍ତ୍ତ ହୁଏ । ଅରୂପ ପ୍ରତି ରୂପରେ ବ୍ୟକ୍ତ ହୁଏ-। ବିଶ୍ୱ ମୂର୍ତ୍ତି ରୂପ । ମାନବ ବିଶ୍ୱର ନିୟନ୍ତାଙ୍କର ମୂର୍ତ୍ତ ରୂପରେ ଅଧିକ ଶ୍ରଦ୍ଧା, ଆସ୍ଥା ବା ବିଶ୍ୱାସ ରଖିଥାଏ । ଏପରି ମୂର୍ତ୍ତରୂପ ଚିତ୍ର, ପାଷାଣ, ଧାତୁ, ମୃତ୍ତିକା, ବାଲୁକା, ଦାରୁ ପ୍ରଭୃତି ଉପାଦାନରେ ପ୍ରକଟିତ ହୁଏ । ଏହି ବିଶ୍ୱ ଯାହାର କର୍ମ ସେ ବିଶ୍ୱକର୍ମା । ପ୍ରଜାପତି ବିଶ୍ୱକର୍ମା । ଭୁବନର ବିଶ୍ୱକର୍ମା ଭୌବନ ବିଶ୍ୱକର୍ମା । ବ୍ରହ୍ମରୂପୀ ମହାବୃକ୍ଷକୁ (ତକ୍ଷଣ) ଚ୍ଛେଦନ କରି ଜ୍ୟାବାପୃଥିବୀ (ଦ୍ୟୁଲୋକ ଓ ଭୂଲୋକ)ର ନିର୍ମାଣ କରାଯାଇଛି । ବ୍ରହ୍ମ ଭ ସା ବୃକ୍ଷ ଆସ । ଯତୋ ଜ୍ୟାବାପୃଥିବୀ ନିଷ୍ଟତକ୍ଷୁଃ ।

ଓଡ଼୍ରେଶ୍ୱର ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ଚତୁର୍ଦ୍ଧାମୂର୍ତ୍ତିର ବିଲକ୍ଷଣ ରୂପ ଉପାସନା, କଳା ଓ ସ୍ଥାପତ୍ୟରେ ବୈଶିଷ୍ଟ୍ୟ ଲାଭ କରିଛି । ଶୈଳ ନୀଳମାଧବ ପୂର୍ବସାଗର ଅଥବା ମହୋଦଧି, ତୀରରେ ପୂଜା ପାଉଥିଲେ । ଇନ୍ଦ୍ରଦ୍ୟୁମ୍ନ ତାଙ୍କର ପ୍ରତିନିଧି ବିଦ୍ୟାପତିଙ୍କଠାରୁ ନୀଳମାଧବଙ୍କ ପୂଜା ବିଷୟ ଶୁଣି ତାଙ୍କର ଦର୍ଶନ ପାଇଁ ଆଗ୍ରହ ପ୍ରକାଶ କଲେ । କଳିଯୁଗରେ ସ୍ରଷ୍ଟାଙ୍କର ପଞ୍ଚମ ପୁରୁଷ ଇନ୍ଦ୍ରଦ୍ୟୁମ୍ନ ପରମ ଧାର୍ମିକ ଥିଲେ । ସେ ଯଜ୍ଞ ମାଧ୍ୟମରେ ମୁକ୍ତିର ଇଚ୍ଛା ପ୍ରକାଶ କଲେ ।

ରାଜସୂୟଂ କ୍ରତୁବରଂ ବାଜିମେଧସହସ୍ରକମ୍

ଇୟାଜ ପରମଃ ଶ୍ରୀମାନ୍ ମୁମୁକ୍ଷୁ ଧର୍ମତତ୍ପରଃ

।।

(ସ୍କନ୍ଦ ପୁରାଣ, ୨.୨.୬.୧୨-୧୩)

 

ଇନ୍ଦ୍ରଦ୍ୟୁମ୍ନ ଯଜ୍ଞପ୍ରିୟ । ମାଧବ ଭକ୍ତିପ୍ରିୟ । ବିନା ଭକ୍ତିରେ ମାଧବଙ୍କ ଦର୍ଶନ ମିଳିବ ନାହିଁ-। ଇନ୍ଦ୍ରଦ୍ୟୁମ୍ନ ଭକ୍ତ ହୋଇଥିଲେ ନୀଳମାଧବଙ୍କୁ ଦର୍ଶନ କରିଥାଆନ୍ତେ ଓ ତତକ୍ଷଣାତ ମୁକ୍ତି ପାଇଥାଆନ୍ତେ । ପୁରୁଷୋତ୍ତମଙ୍କର ପ୍ରତିଷ୍ଠା ସମ୍ଭବ ହୋଇ ନଥାଆନ୍ତା । ଭକ୍ତିର ପରାକାଷ୍ଠା ପରୀକ୍ଷା କରିବା ପାଇଁ ନୀଳମାଧବ ଅନ୍ତର୍ହିତ ହେଲେ । ନାରଦ ଦୁଃଖରେ ମ୍ରିୟମାଣ ଇନ୍ଦ୍ରଦ୍ୟୁମ୍ନଙ୍କୁ ବିଷ୍ଣୁଭକ୍ତି ମହିମା ବିଷୟରେ ଶୁଣାଇଲେ । ଇନ୍ଦ୍ରଦ୍ୟୁମ୍ନଙ୍କର ଆଗମନର ଲକ୍ଷ ଭିନ୍ନ । କୋଟି କୋଟି ଭକ୍ତଙ୍କ ପାଇଁ ତାଙ୍କର ଗୁରୁତ୍ୱରହିଛି । ସେ ଅଶ୍ୱମେଧ ଯାଗ କରି ପୁରୁଷୋତ୍ତମ କ୍ଷେତ୍ର ଓ ପୁରୁଷୋତ୍ତମଙ୍କୁ ପ୍ରତିଷ୍ଠା କରି ଜଗତର କଲ୍ୟାଣ କରିଛନ୍ତି । ଅଶ୍ୱମେଧ ଯାଗ ମାଧ୍ୟମରେ ଇନ୍ଦ୍ରପଦ, ସ୍ଵର୍ଗ, ସାର୍ବଭୌମ୍ୟ ଚକ୍ରବର୍ତ୍ତୀର ସୌଭାଗ୍ୟ ଲାଭ କରାଯାଏ । ନାରଦଙ୍କ

ପ୍ରେରଣା ଯୋଗୁ ସେ ଅଶ୍ୱମେଧ କରି କ୍ଷେତ୍ର ଓ କ୍ଷେତ୍ରେଶ୍ୱର ପ୍ରତିଷ୍ଠା କରି ଅମର ହୋଇଗଲେ । ଶଙ୍ଖକ୍ଷେତ୍ରର ଅଗ୍ରଭାଗର ନୀଳକଣ୍ଠ ଓ ଅମ୍ବିକା ଇନ୍ଦ୍ରଦ୍ୟୁମ୍ନଙ୍କର ଆଗମନକୁ ପ୍ରତୀକ୍ଷା କରିଥିଲେ । ନୀଳକଣ୍ଠ ଅଶ୍ୱମେଧ କରିବା ପାଇଁ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ । ସହସ୍ର ଅଶ୍ୱମେଧ କରି ବିଷ୍ଣୁଙ୍କର ଦାରବତନୁ କଳ୍ପନା କରିବା ପାଇଁ ନୀଳକଣ୍ଠ ଉପଦେଶ ଦେଇଥିଲେ ।

ତତ୍ କଳ୍ପୟ ମହାଭାଗ ବାଜିମେଧପୁରଃସରମ୍

ବିଷ୍ଣୋଃକଳେବରରେ ତସ୍ମିନ୍ କ୍ଷେତ୍ରେ ଶ୍ରୀ ପୁରୁଷୋତ୍ତମ

।।

(ସ୍କନ୍ଦ ପୁରାଣ, ୨.୧୨.୧୦୩)

 

ବିଶ୍ୱକର୍ମା ଇନ୍ଦ୍ରଦ୍ୟୁମ୍ନଙ୍କ ପାଇଁ ଯଜ୍ଞଶାଳା ରଚନା କଲେ । ସହସ୍ର ଅଶ୍ୱମେଧ କରି ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦାରବ ତନୁ ଦର୍ଶନ କରିଥିଲେ । କଳ୍ପତରୁରୁ ଚତୁର୍ଦ୍ଧାମୂର୍ତ୍ତି ପରିକଳ୍ପିତ ହୋଇଥିଲେ ।

ଯଜ୍ଞ ଓ ଦାରୁମୂର୍ତ୍ତି ପ୍ରତିଷ୍ଠା ପାଇଁ ସ୍କନ୍ଦ ପୁରାଣର ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ଅତି ଗୁରୁତ୍ୱପୂର୍ଣ୍ଣ । ରାଜ ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯାଗ କରି ଦାରୁମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ ଅଶ୍ୱମେଧ ସ୍ଥାନରେ ବନଯାଗର ବ୍ୟବସ୍ଥା କରାଯାଇଛି । ତରୁ ପୂଜାର ଐତିହ୍ୟ ଅତି ପ୍ରାଚୀନ । କଳ୍ପତରୁ, ବିଷ୍ଣୁତରୁ ଓ ଶ୍ରୀବୃକ୍ଷ ପୂର୍ବକାଳରୁ ପୂଜିତ ହୋଇଆସୁଛି ।

ଅଶ୍ୱତ୍ଥ ସନାତନ ବୈଷ୍ଣବ ତରୁ

ଊର୍ଦ୍ଧ୍ୱମୂଳୋଽବାକଶାଖ ଏଷୋଽତଥଃ ସନାତନଃ

(କଠୋପନିଷଦ୍ ୨.୩.୧. ଗୀତା, ୧୫.୧)

 

ଅଶ୍ୱତଥଃ ସର୍ବବୃକ୍ଷାଣାମ୍ (ଗୀତା, ୧୦.୨୬)

 

ଭକ୍ତ ତରୁକୁ ସାକ୍ଷାତ୍ ବିଷ୍ଣୁ ରୂପରେ ପୂଜା କରାଯାଏ । ଆପ୍ତବାକ୍ୟରେ ପିପ୍ପଳ ଅଶ୍ୱତ୍ଥ ପ୍ରଭୃତି ଦାରୁରୂପକୁ ବ୍ରହ୍ମ ରୂପରେ ପ୍ରାର୍ଥନା କରାଯାଏ ।

ନମସ୍ତେ ଦାରୁରୂପାୟ ମହାପିପ୍ପଳମେବଚ

ସାକ୍ଷାଦ୍ବ୍ରହ୍ମତରୁଂ ଦେବଂ ବ୍ରହ୍ମାକ୍ଷର ସମନ୍ୱିତମ୍

।।

ବୈଦିକ ବାଙ୍ମୟରେ ପିପ୍ପଳ ବୃକ୍ଷରେ ଜୀବ ଓ ପରମ ଦୁଇଟି ପକ୍ଷୀ ରୂପେ ଆଶ୍ରୟ କରିଥିବାର ଉଲ୍ଲେଖ ମିଳେ । ଜଣେ ଭୋଗ କରେ । ଅନ୍ୟଟି ସାକ୍ଷୀ ରୂପେ ନିର୍ବିକାର ରହିଥାଏ ।

ଦ୍ୱା ସୁପର୍ଣ୍ଣା ସପୁଜା ସଖାୟା

 

ସମାନଂ ବୃକ୍ଷଂ ପରିଷସ୍ଵଜାତେ

ତୟୋରେକଃ ପିପ୍ପଳଂ ସ୍ଵାଦ୍ୱତ୍ତି

 

ଅନଶ୍ନନ୍ନନ୍ୟୋ ଅଭିଚାକଶୀତି

(ୠଗବେଦ, ୧.୧୬୪.୨୦)

 

ପିପ୍ପଳର ମୂଳରେ ବିଷ୍ଣୁ, ସ୍କନ୍ଧରେକେଶବ, ଶାଖାରେ ନାରାୟଣ, ପତ୍ରରେ ହରି ଓ ଫଳରେ ଅଚ୍ୟୁତ । ଏହି ବିଷ୍ଣୁଦ୍ରୁମ କଳ୍ପତରୁ ରୂପେ ସକଳ ମନୋବାଞ୍ଛା ପୂରଣ କରେ ।

ମୂଳେ ବିଷ୍ଣୁ ସ୍ଥିତୋ ନିତ୍ୟଂ ସ୍କନ୍ଧେ କେଶବ ଏବ ଚ

ନାରାୟଣସ୍ତୁ ଶାଖାସୁ ପତ୍ରେଷୁ ଭଗବାନ ହରିଃ

ଫଳେଽଚ୍ୟୁତୋ ନ ସନ୍ଦେହଃ ସର୍ବଦେବୈଃ ସମନ୍ୱିତଃ

ସ ଏବ ବିଷ୍ଣୁର୍ଦ୍ରୁମ ଏବ ମୂର୍ତ୍ତୌ ମହାତ୍ମଭିଃ ସେବିତପୁଣ୍ୟମୂଳଃ

।।

ଯସ୍ୟାଶ୍ରୟଃ ପାପସହସ୍ରହନ୍ତା ଭବେନୃଣାଂ କାମଦୁଘୋ ଗୁଣାତ୍ୟଃ

(ବୃକ୍ଷାୟୁର୍ବେଦ, ସୁରପାଳ ବିରଚିତ, ସମ୍ପା-ଶ୍ରୀକୃଷ୍ଣ ଜୁଗନୂ, ଚୌଖମ୍ବା ସଂସ୍କୃତ ସୀରିଜ ଅଫିସ, ବାରାଣସୀ, ୨୦୧୦, ପୃ:୨୪.୨୫୭.୪୧-୪୨, ୪୪) ପିପ୍ପଳକୁ ବୁଦ୍ଧଙ୍କର ବୋଧିଦ୍ରୁମ ରୂପେ ଗୌରବ ପ୍ରଦାନ କରାଯାଇଛି । ପିପ୍ପଳ ବୈଷ୍ଣବ ଓ ବୌଦ୍ଧଙ୍କର ଉପାସ୍ୟ ଦ୍ରୁମ ।

ଶ୍ରୀବୃକ୍ଷ ରୂପେ ବିଲ୍ୱର ପ୍ରସିଦ୍ଧି ରହିଛି । ବିଲ୍ୱଫଳ ଶ୍ରୀଫଳ । ସମ୍ପ୍ରତି ନାରିକେଳ ଶ୍ରୀଫଳ ରୂପେ ପସିଦ୍ଧ । ଏହି ବିଲ୍ୱ ଲକ୍ଷ୍ମୀଙ୍କର ବୃକ୍ଷ । ଶ୍ରୀସୂକ୍ତରେ ଏହାର ବର୍ଣ୍ଣନା ଅଛି ।

ବନସ୍ପତିସ୍ତବ ବୃକ୍ଷୋଽଥ ବିଲ୍ୱଃ (ଶ୍ରୀସୂକ୍ତ) । ଏହା ଲକ୍ଷ୍ମୀଙ୍କର ବୃକ୍ଷ ଓ ଶିବବୃକ୍ଷ । ଏହା ଅଧିକ ଗୌରବ ଲାଭ କରିଛି ।

ଶ୍ରୀନିବାସ ନମସ୍ତେଽଷୁ ଶ୍ରୀବୃକ୍ଷ ଶିବବଲ୍ଲଭ

ମମାଭିଳାଷଂ କୃତ୍ୱା ସର୍ବବିଘ୍ନହରୋ ଭବ

।।

(ବୃଷାୟୁର୍ବେଦ, ପୃ:୭୪)

 

ନିମ୍ବ ତରୁ ଧର୍ମତରୁ । ଏହା ସୂର୍ଯ୍ୟାଲୋକ ପ୍ରଦାନ କରେ । ଆଦିତ୍ୟଙ୍କର ରୂପ ବିଷ୍ଣୁ । ନିମ୍ବ ତରୁ ସର୍ବସାଧାରଣ ପୂଜ୍ୟ । ଏହାର ଉପାସନା ଆୟୁଷ ପ୍ରଦାନ କରେ ।

ନିମ୍ବତରୁଂ ସମାରୋପ୍ୟ ନରୋ ଧର୍ମବିଚକ୍ଷଣଃ

ସୂର୍ଯ୍ୟାଲୋକଂ ସମାସାଦ୍ୟ ବସେଦଦ୍ଦାୟୁତତ୍ରୟମ୍

।।

(ବୃଷାୟୁର୍ବେଦ, ୧୪)

 

ଆଦିତ୍ୟ ଲୋକ ମୁକ୍ତିଦାୟକ । ନିମ୍ବତରୁ ଆଦିତ୍ୟ (ବିଷ୍ଣୁ) ଲୋକକୁ ପ୍ରାପ୍ତ କରାଏ । ଶାସ୍ତ୍ର,ଲୋକ ଓ ଧର୍ମ ଦୃଷ୍ଟିରୁ ଏହି ତରୁରୁ ବ୍ରହ୍ମ କଳେବର ରଚନା କରିବା ଅଧିକ ସମୀଚୀନ ।

ନିମ୍ବ ତରୁର ଦାରୁରେ ଚତୁର୍ଦ୍ଧାମୂର୍ତ୍ତିଙ୍କର କଳେବର ରଚନା କରାଯାଏ । ସ୍କନ୍ଦପୁରାଣରେ ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁଙ୍କ କଳେବର କଳ୍ପନା କରିବା କଥା ସୂଚିତ । ଶରୀର, ଦେହ, ବପୁ ଆଦି ଅନେକ ଶରୀର ବାଚକ ଶବ୍ଦ ମଧ୍ୟରୁ ନୂତନ ବିଗ୍ରହ ପାଇଁ କଳେବର ଶବ୍ଦ ଅଧିକ ପ୍ରାସଙ୍ଗିକ । ଯାହା ଶୀର୍ଣ୍ଣ ହୁଏ, ତାହା ଶରୀର । ଯାହା ଉପଚୟ (ବୃଦ୍ଧି) ପ୍ରାପ୍ତ ହୁଏ ତାହା ଦେହ । ଯାହା ବୀର୍ଯ୍ୟବପନ ସମର୍ଥ ତାହା ବପୁ । ବ୍ରହ୍ମ ପ୍ରତିମା ପାଇଁ କଳେବର ଶବ୍ଦ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । କଳର ଅର୍ଥ ଶୁକ୍ର । କଳେ ଶୁକ୍ରେ ବରମ୍-କଳେବରମ୍ । ଅଲୁକ୍ ସମାସ । ହଳଦନ୍ତୀତ ସପ୍ତମ୍ୟାଃ ସଂଜ୍ଞାୟାମ୍ (ଅଷ୍ଟାଧ୍ୟାୟୀ, ୬.୩.୯) ସଂଜ୍ଞା (ନାମ) ଅର୍ଥ ବୁଝାଇଲେ ବ୍ୟଞ୍ଜନାନ୍ତ, ସ୍ଵରାନ୍ତ ଶବ୍ଦରୁ ସପ୍ତମୀ ବିଭକ୍ତିର ଅଲୁକ୍ ହେବ । ସେପରି ଏକ ଶବ୍ଦ ତ୍ୱଚି ସାରଃ । ତ୍ୱକ୍-ଚର୍ମ, ବଳ୍ପକ । ଯେଉଁ ବୃକ୍ଷର ବକ୍କଳ ହିଁ ସାରା ବାଉଁଶ ଗଛ । ଏହା ପୋଲା । ଏହା କେବଳ ବକ୍କଳମୟ । ସେପରି ‘କଳେବର’ରେ ଶୁକ୍ର ହିଁ ଶ୍ରେଷ୍ଠ-। ଶରୀରର ସପ୍ତ ବା ଦଶ ଧାତୁ ରହିଛି । ରସାସୃଙ୍ ମାଂସ ମେଦୋଽସ୍ଥିମଜ୍ଜାଶୁକ୍ରାଣି ଧାତବଃ । ଏହା ସପ୍ତଧାତୁ । କେଶ, ତ୍ୱଚ୍ ଓ ସ୍ନାୟୁ ମିଶାଇଲେ ଦଶଧାତୁ । ଶରୀରର ସବୁଠାରୁ ସାର ଓ ଶ୍ରେଷ୍ଠ ଓ ସୂକ୍ଷ୍ମ ଧାତୁ ଶୁକ୍ର । ଏହାକୁ ମିଶାଇ ସପ୍ତ ଧାତୁ । ଶୁକ୍ର ମଧ୍ୟରେ ସୂକ୍ଷ୍ମ ରୂପରେ ବ୍ରହ୍ମ (ତେଜ) ରହିଛି-। ସପ୍ତାଧାତୁ ତା’ର ଆବରଣ । ବ୍ରହ୍ମ ପାଇଁ କଳେବର ପ୍ରଥମ ଆବରଣ । ଏହାକୁ ମିଶାଇ ବ୍ରହ୍ମର ସପ୍ତ ଆବରଣ ରହିଛି । ସାରସ୍ଵତ, ସନାତନ, ଶାଶ୍ୱତ ବ୍ରହ୍ମ ପାଇଁ ପ୍ରଥମ ସ୍ଥୂଳ ଆବରଣ କଳେବର । ଏହା ଶୁକ୍ରମୟ । ବ୍ରହ୍ମଦାରୁ ପାଇଁ କଳେବର ଦାରୁରେ ନିର୍ମିତ ହେବ । ଦାରୁ ଶବ୍ଦ ପୁଂଲିଙ୍ଗରେ ଓ ନପୁଂସକଲିଙ୍ଗରେ ପ୍ରଚଳିତ । ନପୁଂସକ ଲିଙ୍ଗରେ କାଷ୍ଠ ଅର୍ଥରେ, ପୁଂଲିଙ୍ଗରେ ଦେବ ଅର୍ଥରେ ଏହାର ପ୍ରୟୋଗ ହୋଇଛି । ବ୍ରହ୍ମ ଦାରୁ ସକଳଶୋକ ଦାରଣ କରନ୍ତି ଓ ଅଖଣ୍ଡ ଆନନ୍ଦ ଦାନ କରନ୍ତି ।

ଦାରଣାତ୍ ସର୍ବଶୋକାନାମଖଣ୍ଡାନନ୍ଦଦାନତଃ

ପଦ୍ମଜାହଂ ସଦା ଦାରୁଃ ସଂଶୟୋ ନାସ୍ତି ଚାତ୍ର ବୈ

।।

(ମହାପୁରୁଷ ବିଦ୍ୟା, ୩.୧୪୭)

 

ପୁରାଣରେ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଦାରୁ ଦର୍ଶନ ପାଇଁ ଅଶ୍ୱମେଧ ଯାଗ କରିଥିଲେ । ସମ୍ପ୍ରତି ଦେବ ପ୍ରତିଷ୍ଠା ବିଧି ବନଯାଗ ବିଧି ନାମରେ ଲୋକ ପ୍ରଚଳିତ । ବନଯାଗ ବିଧିରେ ଗଜପତି ମହାରାଜ ଇନ୍ଦ୍ରଦ୍ୟୁମ୍ନ ପରି ଯଜମାନ । ସେ ବହିର୍ବନଯାଗ ପାଇଁ ସଂକଳ୍ପ କରିଥାଆନ୍ତି । ଆଚାର୍ଯ୍ୟାଦି ବରଣ କରି ବିଦ୍ୟାପତି, ବିଶ୍ୱାବସୁ ଓ ବିଶ୍ୱକର୍ମା ଆଦି ସେବକବର୍ଗଙ୍କୁ ସଂକଳ୍ପ ଗୁଆ ଦେଇଥାଆନ୍ତି । ସେମାନେ ଦାରୁ ଅନୁସନ୍ଧାନ ଓ ଦାରୁ ସଂଗ୍ରହ କରନ୍ତି । ଦାରୁ ସ୍ଥଳରେ ଯଜ୍ଞ ଅନୁଷ୍ଠିତ ହୁଏ । ଦାରୁ ସଂଗ୍ରହ ହୋଇସାରିଲେ କୋଇଲି ବୈକୁଣ୍ଠରେ ଶ୍ରୀମୂର୍ତ୍ତି ପ୍ରତିଷ୍ଠା ବିଧି ପାଇଁ ଯାଗ ଅନୁଷ୍ଠିତ ହୁଏ । ଗଜପତି ଏଥିପାଇଁ ପୁନଃ ସଂକଳ୍ପ କରନ୍ତି । ଶ୍ରୀମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେବା ପରେ ପୂର୍ଣ୍ଣାହୁତି ଦେଇଥାଆନ୍ତି । ନ୍ୟାସଦାରୁ ପ୍ରାଣ ପ୍ରତିଷ୍ଠା ହୋଇଥାଏ । ଯାଗ, ପ୍ରତିମା ନିର୍ମାଣ, ବ୍ରହ୍ମନ୍ୟାସ ପ୍ରଭୃତି ସଂକଳ୍ପିତ କର୍ମ ଶ୍ରୋତ୍ରିୟ ବ୍ରାହ୍ମଣ, ବିଶ୍ଵାବସୁ ବଂଶଜ, ବିଦ୍ୟାପତି ବିଶ୍ୱକର୍ମା ଓ ବାଡ଼ଗ୍ରାହୀମାନେ ସ୍ଵ ସ୍ଵ ଅଧିକାର ଅନୁସାରେ ସମାହିତ କରନ୍ତି ।

ବହିର୍ବନଯାଗରେ ପ୍ରାଚୀନଦୀ ତୀରରେ ମଙ୍ଗଳାଙ୍କ ପୀଠକୁ ପ୍ରଥମେ ସେମାନେ ଯାଆନ୍ତି-। ପୂର୍ବେ ଗମନାଗମନର ସୁବିଧା ନଥିବାରୁ ନଦୀ ପଥରେ ଯିବାକୁ ହେଉଥିଲା । ପ୍ରାଚୀ ସରସ୍ଵତୀ ତୀରରେ ଘାଟ ଠାକୁରାଣୀ କାକଟପୁରର ମଙ୍ଗଳାଙ୍କୁ ମାଜଣା ଓ ପୂଜା କରାଯାଇ ତାଙ୍କର କୃପାଭିକ୍ଷା କରାଯାଏ । କ୍ଷେତ୍ରରେ କ୍ଷେତ୍ରେଶ୍ୱରୀ ବିମଳା । ଗଙ୍ଗା ବା ନଦୀ ତୀରରେ ସେ ମଙ୍ଗଳା । ମଙ୍ଗଳା ବୈଷ୍ଣବୀ ଓ ନାରାୟଣୀ ।

ସର୍ବମଙ୍ଗଳମାଙ୍ଗଲ୍ୟେ ଶିବେ ସର୍ବାର୍ଥସାଧିକେ

ଶରଣ୍ୟେ ତ୍ର୍ୟମ୍ବକେ ଗୌରି ନାରାୟଣି ନମୋଽସ୍ତୁତେ

।।

ବୈଦିକ କଳାରେ ଶୁଭରେ କାର୍ଯ୍ୟ ସମ୍ପନ୍ନ ହେବାପାଇଁ ଅରଣ୍ୟାନୀ (ୠଗବେଦ, ୧୦.୧୪) ଦେବୀଙ୍କୁ ସ୍ତୁତି କରାଯାଉଥିଲା । ସମ୍ପ୍ରତି ବନଯାଗରେ ଅରଣ୍ୟାନୀ ଦେବୀ କାକତେଇ ମଙ୍ଗଳା । ତାଙ୍କ ପାଖରେ ଚଣ୍ଡୀପାଠ କରି ମଙ୍ଗଳାଙ୍କ କୃପାରୁ ଦାରୁ ଅନ୍ୱେଷଣ କରି ଦାରୁ ସନ୍ଧାନ କରାଯାଏ । ଦାରୁ ସନ୍ଧାନ ହେବା ପରେ ସେଠାରେ ଯାଗ ଅନୁଷ୍ଠିତ ହୁଏ । ଇନ୍ଦ୍ରଦ୍ୟୁମ୍ନଙ୍କ କାଳରେ ଗୋଟିଏ କଳ୍ପତରୁରୁ ଚତୁର୍ଦ୍ଧା ମୂର୍ତ୍ତି କଳ୍ପିତ ହୋଇଥିଲା । ମେଘଦୂତର ବ୍ରହ୍ମ ପ୍ରକାଶିକା ଟୀକାକାର ମହାମହୋପାଧ୍ୟାୟ ନରହରି ତିନୋଟି ଦାରୁର ଉଲ୍ଲେଖ କରିଛନ୍ତି । ଜଗନ୍ନାଥଙ୍କ ଦାରୁର ଅଗ୍ରଭାଗରୁ ସୁଦର୍ଶନ ନିର୍ମିତ ହେଉଥିଲେ । ପରବର୍ତ୍ତୀ କାଳରେ ପୃଥକ୍ ପୃଥକ୍ ୪ଟି ନିମ୍ବତରୁର ସନ୍ଧାନ କରାଯାଉଛି।

ନିର୍ଦ୍ଧିଷ୍ଟ ଲକ୍ଷଣଯୁକ୍ତ ତରୁ ଚୟନ ପରେ ଦାରୁ ଚ୍ଛେଦନ ପାଇଁ ପଞ୍ଚକୁଣ୍ଡୀୟ ହୋମ କରାଯାଏ । ଶୈଳମୂର୍ତ୍ତି ପାଇଁ ଶିଳା ସଂଗ୍ରହ ଯେଉଁ ବିଧିରେ ହୁଏ, ଦାରୁମୂର୍ତ୍ତି ପାଇଁ ଦାରୁ ସଂଗ୍ରହ ସେହି ବିଧିରେ ହୁଏ । ଶିଳାସଂଗ୍ରହ କାଳରେ ବ୍ରାହ୍ମଣ ପାଇଁ ଶୁକ୍ଳ କ୍ଷତ୍ରିୟ ପାଇଁ ଲୋହିତ, ବୈଶ୍ୟ ପାଇଁ ପୀତ ଓ ଶୂଦ୍ର ପାଇଁ କୃଷ୍ଣ ବର୍ଣ୍ଣର ଶିଲା ଚୟନ କରାଯାଏ । ବର୍ଣ୍ଣ ପାଇଁ ଅନୁକୂଳ ଶିଳା ନ ମିଳିଲେ ନୃସିଂହ ମନ୍ତ୍ରରେ ହବନ କରି ଶିଳାକୁ ଅନୁକୂଳ କରିବାକୁ ହୁଏ । ବନରେ ଶିଳା ଚୟନ ପରେ ହୋମକୁଣ୍ଡ ନିର୍ମାଣ କରି ହବନ କରି ଟଙ୍କ (ପାଷାଣ ଦାରଣ) ଶାସ୍ତ୍ର ଆଦି ପୂଜା କରାଯିଵ । ହବନ ପରେ ଅସ୍ତ୍ରାୟ ଫଟ୍ ଉଚ୍ଚାରଣ ପୂର୍ବକ ଶିଳାକୁ ସିଞ୍ଚନ କରାଯିଵ ଓ ଚ୍ଛେଦନ କରାଯିବା । ଶିଳା ଚ୍ଛେଦନ ପରେ ତାକୁ ନେଇ ମନ୍ଦିରର ଉତ୍ତର ଭାଗରେ ଶିଳାକୁ ପୂର୍ବାଭିମୁଖ ଅଥବା ଉତ୍ତରାଭିମୁଖ କରି ନୃସିଂହ ମନ୍ତ୍ରରେ ପୂଜା ଓ ହୋମ କରି ଶ୍ରୀମୂର୍ତ୍ତି ନିର୍ମାଣ କରାଯିବା । (ଅଗ୍ନିପୁରାଣ, ୩୩.୯-୧୮) ।

ଦାରୁ ଚ୍ଛେଦନ ପାଇଁ ପଞ୍ଚକୁଣ୍ଡୀୟ ହୋମ କରାଯାଇ ଯାଗ ପରମ୍ପରାକୁ ଉଜ୍ଜୀବିତ ରଖାଯାଇଛି । ପାତାଳ ନୃସିଂହ ମନ୍ତ୍ରରେ ଆହୁତି ଦିଆଯାଇ ବଳିକର୍ମ କରାଯାଇ ତରୁ ଚ୍ଛେଦନ କରାଯାଏ । ନୃସିଂହ ମନ୍ତ୍ର ବୃକ୍ଷକୁ ଅନୁକୂଳ କରିଦିଏ । ସେଥିରେ ଥିବା ଭୂତ, ପିଶାଚଙ୍କୁ ନିଷ୍କାସିତ କରି ବୃକ୍ଷଚ୍ଛେଦନ କରାଯାଏ । ଏକ ସଜୀବ ବୃକ୍ଷକୁ ଚ୍ଛେଦନ କରାଯାଉଥିବାରୁ ଯଜ୍ଞ ମାଧ୍ୟମରେ ଶୋଧ କରି ତାକୁ ବଳି ଦିଆଯାଏ । ଅଶ୍ୱମେଧ ବଳିର ପ୍ରତୀକ ଏ କ୍ଷେତ୍ରରେ ଦେଖିବାକୁ ମିଳେ । ଅଶ୍ୱମେଧରେ ଅଶ୍ୱର ପୂର୍ବଦିଗରେ ମସ୍ତକ ଓ ଉତ୍ତର ଦିଗରେ ପାଦ ରଖି ଶୁଆଇ ପ୍ରାଣ ବିଯୋଜନ କରାଯାଏ । ରାଜାଙ୍କର ତିନି ପତ୍ନୀ ମହିଷୀ, ବାବାତା ଓ ପରିବୃକ୍ତୀ ଅଶ୍ୱକୁ ପରିକ୍ରମା କରନ୍ତି । ଉକ୍ତ ଅଶ୍ୱକୁ ସେମାନେ ଯଥାକ୍ରମେ ସୁନାଛୁଞ୍ଚି ଓ ଲୁହାଛୁଞ୍ଚିରେ ଫୋଡ଼ନ୍ତି। ତରୁ ଚ୍ଛେଦନରେ ବିଦ୍ୟାପତି, ବିଶ୍ୱାବସୁ ଓ ବିଶ୍ୱକର୍ମା ସୁନା, ରୂପା ଓ ଲୁହା କୁରାଢ଼ିରେ ସାଙ୍କେତିକ ଭାବେ ଛୁଆଁଇ ଥାଆନ୍ତି । ପରେ ଲୁହା କୁରାଢ଼ିରେ ହିଁ ଚ୍ଛେଦନ କରାଯାଏ । ବୈଷ୍ଣବ ପ୍ରତିମା ନିର୍ମାଣରେ ପାତାଳ ନୃସିଂହ ମନ୍ତ୍ର ବଜ୍ରପରି କାର୍ଯ୍ୟ କରେ । ନିଷ୍ଠା, ଭକ୍ତି ଓ ଶ୍ରଦ୍ଧା ଥିଲେ ଏହି କାର୍ଯ୍ୟ ନିର୍ବିଘ୍ନରେ ସମାହିତ ହୁଏ ।

ବନଯାଗ ପରେ ଦାରୁ ଅଣାଯାଇ କୋଇଲି ବୈକୁଣ୍ଠରେ ସ୍ଥାପନ କରାଯାଏ । କୋଇଲି ତାମିଲ ‘KOIL’ କୋଇଲ୍ ଶବ୍ଦରୁ ଆସିଛି । ‘କୋ’ ର ଅର୍ଥ ନାଥ । ‘ଇଲ୍’ ର ଅର୍ଥ ଅସ୍ଥାନ, ଗୃହ, ଆଶ୍ରୟ, ପ୍ରାସାଦ । ପୁରୀ ମନ୍ଦିରରେ କୋଇଲି ବୈକୁଣ୍ଠ ଏକ ଅପୂର୍ବ ସ୍ଥାନ । ‘କୋଇଲ୍’ ଭାବେ ଏହା ଶ୍ରୀମୂର୍ତ୍ତିଙ୍କର ଆସ୍ଥାନ । ଏଠାରେ ଯାଗ କରାଯାଏ । ଚତୁର୍ଦ୍ଧା ମୂର୍ତ୍ତିଙ୍କର ନିର୍ମାଣ କରାଯାଏ । ବ୍ରହ୍ମ ଦାରୁ ନ୍ୟାସଦାରୁ ପ୍ରତିଷ୍ଠା ବିଧି କରାଯାଏ । ପୁରାତନ ବିଗ୍ରହରୁ ବ୍ରହ୍ମ ନିର୍ଖମନ କରାଯାଇ ନୂତନ ବିଗ୍ରହରେ ନ୍ୟାସ କରାଯାଏ । ପୁରାତନ ବିଗ୍ରହରୁ ବ୍ରହ୍ମ ନିର୍ଗମନ ପରେ ତାହା ବିସର୍ଜନ କାୟ ହୁଏ । ଚତୁର୍ଦ୍ଧା ମୂର୍ତ୍ତିଙ୍କର ବିସର୍ଜନ କାୟ ବୈକୁଣ୍ଠ ପ୍ରାପ୍ତି ଲଭେ । ସେ ମର୍ତ୍ତ୍ୟଲୀଳା ଛାଡ଼ି ବୈକୁଣ୍ଠ ଗମନ କରନ୍ତି । ବୈକୁଣ୍ଠାଧିପତିଙ୍କର କୋଇଲି ବୈକୁଣ୍ଠରେ ବୈକୁଣ୍ଠାଧିଷ୍ଠାନହୁଏ ।

ବୈକୁଣ୍ଠାଧିପତେଃ କାୟସ୍ତଦୈବ ଚ ପୁରାତନଃ

ଘଣ୍ଟାରାବଶୁଭାହ୍ୱାନୈ ବୈକୁଣ୍ଠ ମଧିତସ୍ଥିବାନ୍

।।

(ନବକଳେବର ଷଡ଼ଶୀତିଃ, ଶ୍ରୀଜଗନ୍ନାଥ ମିଶ୍ର, ୧୯୧୨, ଶ୍ଳୋକ-୩୦)

 

ସମ୍ପ୍ରଦାୟ ଭେଦରେ କାୟ ବିସର୍ଜନକୁ ଗଙ୍ଗାପ୍ରାପ୍ତି, ସ୍ଵର୍ଗପ୍ରାପ୍ତି, ନାରାୟଣ ପ୍ରାପ୍ତି ଇତ୍ୟାଦି କୁହାଯାଏ । ଶ୍ରୀ ବୈଷ୍ଣବ ସମ୍ପ୍ରଦାୟରେ କାୟ ବିସର୍ଜନକୁ ବୈକୁଣ୍ଠ ପ୍ରାପ୍ତି କୁହାଯାଏ । ରତ୍ନବେଦୀର ମାନବଲୀଳା ସାଙ୍ଗ କରିବା ପରେ ମହାପ୍ରଭୁଙ୍କର ନିତ୍ୟ ବୈକୁଣ୍ଠ ଆସ୍ଥାନ କୋଇଲି ବୈକୁଣ୍ଠ । ଘଣ୍ଟାଦି ଧ୍ୱନିରେ ପୂର୍ବେ ତାଙ୍କର ବୈକୁଣ୍ଠାଧିଷ୍ଠାନ କରାଯାଉଥିଲା । ବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଘଣ୍ଟାଦି ଧ୍ୱନି କରା ନଯାଇ ଗୋପନରେ ଏହା ସମାହିତ କରାଗଲା । ମହାପ୍ରଭୁଙ୍କ ବିସର୍ଜିତ କାୟର ଏହି ବିଧି ତତ୍ତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଲୋକାଚାରରେ ପାତାଳୀ, ସମାଧି,

ଶ୍ମଶାନ ଆଦି ପ୍ରୟୋଗ କରାଗଲା । ଶାସ୍ତ୍ର ଅପେକ୍ଷା ଲୋକମତି ଏତେ ବଳବତ୍ତର ହେଲା ଯେ, ଏହି ତାତ୍ତ୍ୱିକ ପ୍ରକ୍ରିୟା ଲୁଚିଗଲା । ଜିଜ୍ଞାସା ପରିପୂର୍ତ୍ତି ପାଇଁ ଏପରି ପ୍ରସଙ୍ଗର ଅବତାରଣା ଆବଶ୍ୟକ । ପୁରାତନ ଦାରୁ କାୟର ବିସର୍ଜନ ହୋଇ ବୈକୁଣ୍ଠାଧିଷ୍ଠାନ ହୁଏ ।

ନବକଳେବରରେ ବ୍ରହ୍ମନ୍ୟାସ ହୋଇ ସପ୍ତଧାତୁର ସପ୍ତାବରଣ କରାଯାଇ ଚତୁର୍ଦ୍ଧାମୂର୍ତ୍ତି ନବଯୌବନରେ ଦର୍ଶନ ଦିଅନ୍ତି । ଦାରୁରୁ ବ୍ରହ୍ମଦାରୁ ଚେତନାର ସ୍ଥୂଳ ଓ ସୂକ୍ଷ୍ମସ୍ତର । ଚେତନାର ଏହା ବ୍ୟାବହାରିକ ପକ୍ଷ । ପାରମାର୍ଥିକ ଦୃଷ୍ଟିରୁ ଉଭୟ ମଧ୍ୟରେ ଅଭେଦ ଥିବାରୁ ସେ ରହସ୍ୟ ଭେଦ କରିବା ପାଇଁ ମହାପ୍ରଭୁଙ୍କ କୃପା ହିଁ ବଳିଷ୍ଠ ସାଧନ ।

 

Unknown

ଜୀବନ ଯଜ୍ଞ ଓ ନବକଳେବର

ଶ୍ରୀ ପ୍ରଭାତ କୁମାର ନନ୍ଦ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାରମାସରେ ତେରଯାତ୍ରା ତଥା ବିଶେଷ ଯାତ୍ରା ମଧ୍ୟରେ ନବକଳେବର ଯାତ୍ରା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ନବକଳେବର ଯାତ୍ରାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା: ବହିଃଯାଗ ଓ ଅନ୍ତଃଯାଗ । ବହିଃଯାଗ ଯାତ୍ରାକୁ ଶାସ୍ତ୍ରଜ୍ଞ ପଣ୍ଡିତମାନେ ବନଯାଗ ଯାତ୍ରା ରୂପେ ନାମିତ କରିଥାନ୍ତି । ଯାଗ ଶବ୍ଦ ଯଜ୍ଞ ଶବ୍ଦର ରୂପାନ୍ତର ମାତ୍ର । ନବକଳେବର ଯାତ୍ରାକୁ ମାନବର ଜୀବନ ଯଜ୍ଞଯାତ୍ରା କହିଲେ ତ୍ରୁଟି ହେବ ନାହିଁ । ଜୀବନ ହେଉଛି ଶରୀର ମାଧ୍ୟମରେ ଆତ୍ମାର ଲୀଳା । ସଫଳ ଜୀବନ ନିମିତ୍ତ ଉତ୍ତମ ଶରୀର ଓ ଉଚ୍ଚ ଚିନ୍ତନ ଆବଶ୍ୟକ । ସଂସ୍କୃତରେ କୁହାଯାଇଛି , “ଶରୀରଂ ଆଦ୍ୟଂ ଖଳୁଧର୍ମ ସାଧନମ୍ ।” ଶରୀରର ସଦୁପଯୋଗ ନିମିତ୍ତ, ତାହା ଶାରୀରିକ ଓ ମାନସିକ ସ୍ତରରେ ଉପଯୁକ୍ତ ହୋଇଥିବା ନିତାନ୍ତ ଆବଶ୍ୟକ । ସେହିଭଳି ଦେହୀ କେବଳ ଆତ୍ମା ବା ବ୍ରହ୍ମର ତାତ୍ପର୍ଯ୍ୟ ବୁଝିପାରନ୍ତି । ଏହାହିଁ ସଫଳ ଜୀବନ ଯଜ୍ଞ, ନବକଳେବର ତତ୍ତ୍ୱ ଓ ପୁରୁଷୋତ୍ତମ ତତ୍ତ୍ୱ ।

ତାତ୍ତ୍ୱିକ ଦୃଷ୍ଟିରୁ ଅନାଦିକାଳରୁ ଶ୍ରୀଜଗନ୍ନାଥ ତତ୍ତ୍ୱ ସହିତ ନବକଳେବର ତତ୍ତ୍ୱର ନିବିଡ଼ ସମ୍ପର୍କ ରହିଆସିଛି । ନୀଳାଚଳ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଉପାସନାରେ ପ୍ରସାଙ୍ଗିକ ଭାବରେ ସମସ୍ତ ତତ୍ତ୍ୱକୁ ଅନୁଧ୍ୟାନ କଲେ ଆଧ୍ୟାତ୍ମିକ, ସାମାଜିକ ଓ ବିଶେଷ ଭାବେ ବୈଜ୍ଞାନିକ ଚିନ୍ତନର ସାରମର୍ମ ଅନୁଭୂତ ହୋଇଥାଏ । ଅନ୍ଧବିଶ୍ୱାସ ବା ପ୍ରଯୁକ୍ତିବିହୀନ ଭାବର ଲେଶ ମାତ୍ର ଅନୁଭବ ଶ୍ରୀଜଗନ୍ନାଥ ତତ୍ତ୍ୱରେ ହୁଏନାହିଁ । ଉତ୍କଳୀୟ ବୈଷ୍ଣବମାନେ ବହୁ ପରୀକ୍ଷା ନିରୀକ୍ଷା ପରେ ଯେଉଁ ସମସ୍ତ ତତ୍ତ୍ୱର ସର୍ବକାଳୀନ ମୂଲ୍ୟବୋଧ ରହିଛି ବା ଯାହା ମାନବ ଜାତିର କଲ୍ୟାଣ ନିମିତ୍ତ ଅଭିପ୍ରେତ, ତାହାଙ୍କୁ ହିଁ ଜଗନ୍ନାଥ ସଂସ୍କୃତିରେ ଗ୍ରହଣ କରିଛନ୍ତି । ସେଥି ନିମିତ୍ତ ସାରା ବିଶ୍ୱରେ କ୍ରମଶଃ ଜଗନ୍ନାଥ ଉପାସନାର ବୃଦ୍ଧି ହୋଇଆସୁଛି ଓ ମାନବୀୟ ଚେତନାକୁ ଉର୍ଦ୍ଧ୍ୱଗାମୀ କରିବା ନିମିତ୍ତ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମଗ୍ର ପୃଥିବୀର ଜନସାଧାରଣ ଏହାକୁ ଗ୍ରହଣ କରିଆସୁଛନ୍ତି ।

ନବକଳେବର ପ୍ରସଙ୍ଗକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା- ବିଧିବିଧାନ ଯୁକ୍ତ ବର୍ହି ପ୍ରସଙ୍ଗ ଓ ମାନବୀୟ ଚେତନାର ଅର୍ନ୍ତପ୍ରସଙ୍ଗ । ବର୍ହିପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ଓ ଗଜପତି ମହାରାଜାଙ୍କ ଗୁଆଟେକା ପରେ ବନଯାଗ ଯାତ୍ରୀମାନେ ଜଗନ୍ନାଥ ବଲ୍ଲଭ ମଠରେ ତିନିରାତି ରହି କାକଟପୁର ଦେଉଳି ମଠରେ ଅବସ୍ଥାନ କରନ୍ତି । ଏହି ଦଳରେ ପାଞ୍ଚଜଣ ବ୍ରାହ୍ମଣ, ଅଠେଇଶ ଜଣ ଦଇତା, ଚାରିଜଣ ବିଶ୍ୱକର୍ମା, ପତି ମହାପାତ୍ର, ଲେଙ୍କା ସେବକ, ଦେଉଳକରଣ ଓ ମନ୍ଦିରର ଜଗୁଆଳି ରହିଥାଆନ୍ତି । କାକଟପୁରର କ୍ଷେତ୍ରେଶ୍ୱରୀ ମାତା ମଙ୍ଗଳାଙ୍କ ପାଠରେ ମାଜଣାକରି, ସ୍ଵପ୍ନାବତୀ ମନ୍ତ୍ର ସ୍ମରଣ ପୂର୍ବକ ଉପଯୁକ୍ତ ଦାରୁର ଅବସ୍ଥିତି ବିଷୟରେ ଜାଣିବା ପାଇଁ ଆରାଧନା କରନ୍ତି । ମାତା ମଙ୍ଗଳାଙ୍କ କୃପାରୁ ଉପଯୁକ୍ତ ଚିହ୍ନ ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଠନ ନିମିତ୍ତ ଚାରି ନିମ୍ବ ବୃକ୍ଷର ଅବସ୍ଥିତି ବିଷୟରେ ଦଇତାପତିମାନେ ସୂଚନା ପାଇ ଯାତ୍ରା କରିଥାଆନ୍ତି । ବୃକ୍ଷରେ ବିଭିନ୍ନ ସାତ୍ତ୍ୱିକ ଚିହ୍ନବ୍ୟତୀତ, ନିକଟରେ ଥିବା ଶ୍ମଶାନ, ଦେବାଳୟ, ଉଇହୁଙ୍କା, ନଦୀ ପ୍ରଭୃତି ବିଷୟରେ ପରୀକ୍ଷା କରନ୍ତି । ଦଇତାପତିମାନଙ୍କର ମିଳିତ ସହମତି ପରେ ଦାରୁ ଚୟନ ଶେଷ ହୋଇ ସେଠାରେ ଯଜ୍ଞକାର୍ଯ୍ୟ ସମାହିତ ହୋଇଥାଏ । ପରେ ଦାରୁଙ୍କୁ ବିଦ୍ୟାପତିଦ୍ୱାରା ସୁନା କୁରାଢ଼ି, ବିଶ୍ୱାବସୁଙ୍କ ଦ୍ୱାରା ରୂପା କୁରାଢ଼ିରେ ବିଧିମତେ ସ୍ପର୍ଶପରେ ବିଶ୍ୱକର୍ମାଙ୍କ ଦ୍ଵାରା ଲୁହା କୁରାଢ଼ିରେ ଛେଦନ କରାଯାଏ । ପରେ ଦାରୁଙ୍କ ସ୍ଥିତି ସ୍ଥଳରେ ଶଗଡ଼ି ନିର୍ମିତ ହୋଇ ଚଉପଟ ହୋଇଥିବା ଦାରୁଙ୍କୁ ପାଟବସ୍ତ୍ର ଦ୍ଵାରା ଆଚ୍ଛାଦିତ କରି ନୀଳାଚଳ କ୍ଷେତ୍ରକୁ ଭକ୍ତମାନ ଟାଣିଟାଣି ଆଣନ୍ତି । ଶଗଡ଼ି ସହ ଦାରୁଙ୍କୁ ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ କୋଇଲି ବୈକୁଣ୍ଠକୁ ଅଣାଯାଏ । ସେଠାରେ ବିଶ୍ୱକର୍ମା ମହାରଣାମାନେ ଗୁପ୍ତ ଭାବରେ ନୂତନ ପ୍ରତିମା ନିର୍ମାଣ କରନ୍ତି ।

ଆଷାଢ଼ ମାସ ବିଜୟ ଅମାବାସ୍ୟା ତିଥି ନିଷାର୍ଦ୍ଧରେ ପୁରାତନ କଳେବରରୁ ବ୍ରହ୍ମ ପଦାର୍ଥଙ୍କୁ ଦଇତାଙ୍କ ପ୍ରତିନିଧି ନବନିର୍ମିତ ଦାରୁ କଳେବରରେ ରଖି ମୁଦ କରିଥାଆନ୍ତି । ତାହା ପରଦିନ ଆଷାଢ଼ ପ୍ରତିପଦା ତିଥିରେ ଜୀଉ ମାନଙ୍କର ନବଯୌବନ ଦର୍ଶନ ହୁଏ । ପୁରାତନ ବିଗ୍ରହଙ୍କୁ ରଥର ପାର୍ଶ୍ୱଦେବାଦେବୀ, ସାରଥି, ଘୋଡ଼ା, କଳସ ଓ ଯୁଗଳ ଶୁଆଙ୍କ ସହକୋଇଲି ବୈକୁଣ୍ଠରେ ପାତାଳି କରନ୍ତି । ସେହି କର୍ମରେ ଯୋଗ ଦେଇଥିବା ଦଇତାପତି ମାନେ ସାଧାରଣ ମାନବର ମୃତ୍ୟୁପରେ ବିଶେଷ ଶୌଚବିଧି ପାଳନ କଲାପରି ଅନ୍ତ୍ୟେଷ୍ଟି କ୍ରିୟାରେ ନିଜକୁ ନିୟୋଜିତ କରିଥାଆନ୍ତି ।

ସାଧାରଣତଃ ରଥଯାତ୍ରା ଓ ନବକଳେବର ରଥଯାତ୍ରା ମଧ୍ୟରେ ପାର୍ଥକ୍ୟ ଏହି ଯେ, ସାଧାରଣ ଭାବେ ପନ୍ଦର ଦିନପାଇଁ ଅଣସର ବିଧି ପାଳିତ ହେଉଥିବା ବେଳେ, ନବକଳେବର ପଇଁଚାଳିଶ ଦିନ ଧରି ମହାଅଣସର ବିଧି ପାଳିତ ହୁଏ । ନବନିର୍ମିତ ଚତୁର୍ଦ୍ଧାମୂର୍ତ୍ତି ରଥଉପରେ ଆରୁଢ଼ ହେବାପରେ ସ୍ଵାଭାବିକ ଭାବରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମାହିତ ହୋଇ ଜୀଉମାନେ ଶ୍ରୀମନ୍ଦିରକୁ ନୀଳାଦ୍ରି ବିଜେ କରନ୍ତି । ଏହାହିଁ ସଂକ୍ଷିପ୍ତରେ ନବକଳେବର ଯାତ୍ରାର ବର୍ହିପ୍ରସଙ୍ଗ । ଏହାଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହେଉଛି ମହାପ୍ରଭୁଙ୍କ ପୁରୁଷୋତ୍ତମ ତତ୍ତ୍ୱର ମାନବୀୟ ଚେତନାଯୁକ୍ତି ଅର୍ନ୍ତପ୍ରସଙ୍ଗ । ନବକଳେବର ଯାତ୍ରାର ବୈଶିଷ୍ଟ୍ୟ ବିଭିନ୍ନ ବିଧି ଓ ଚିନ୍ତନ ମଧ୍ୟରେ ସାଧାରଣ ଦୃଷ୍ଟିରେ ଅନୁଭୂତ ନହୋଇ ତାତ୍ତ୍ୱିକ ଦୃଷ୍ଟିରେ ପ୍ରତିଭାତ ହୁଏ । ତାହାହିଁ ସନାତନୀ ତଥା ବୌଦ୍ଧିକଚେତନା । ଯେଉଁ ଚେତନା ସମ୍ପର୍କରେ ମାନବ ଜ୍ଞାତ ହେବ ପରେ, ପୁରୁଷ ଓ ପୁରୁଷୋତ୍ତମ ମଧ୍ୟରେ ପାର୍ଥକ୍ୟକୁ କଳନା କରିବା ନିମିତ୍ତ ସମର୍ଥ ହୁଏ । ସେହି ତତ୍ତ୍ୱକୁ ଅଧ୍ୟାତ୍ମିକ, ସମାଜିକ ଓ ବୈଜ୍ଞାନିକ ତତ୍ତ୍ୱ ଭାବରେ ବିଭକ୍ତ କରାଯାଇପାରେ ।

ଆଧ୍ୟାତ୍ମିକ ଓ ଭୌତିକଭାବକୁ ତୁଳନାକଲେ ସ୍ଥୂଳତଃ ଜଣାଯାଏ ଯେ, ମାନବର ବିଭିନ୍ନ ଇନ୍ଦ୍ରିୟ ଦ୍ୱାରା ତଥା ଦେହଦ୍ୱାରା ଭୌତିକ ଉପାଦାନ ସହ କ୍ରିୟାକୁ ଭୌତିକ କ୍ରିୟା କୁହାଯାଉଥିବା ବେଳେ, ଅନ୍ତର୍ମୁଖୀ ହୋଇ ଶରୀର ମଧ୍ୟରେ ଥିବା ଦେହୀ ବା ବ୍ରହ୍ମ (ଆତ୍ମା) ଉପସ୍ଥିତି ବିଷୟରେ ସଚେତନ ହୋଇ ସାତ୍ତ୍ୱିକ ଜୀବନଯାପନ କରିବାହେଉଛି ଆଧ୍ୟାତ୍ମିକ ଭାବ । ଯାତ୍ରାର ରଙ୍ଗବିରଙ୍ଗ ସାଜଶଯ୍ୟା, ଶୋଭାଯାତ୍ରା, ସଙ୍ଗୀତ ଗାନ, ପ୍ରସାଦ ସେବନ ପ୍ରଭୃତି କ୍ରିୟାର ଉର୍ଦ୍ଧ୍ୱରେ ସେହି ଯାତ୍ରା ଆୟୋଜନର କାରଣ ବିଷୟରେ ଜାଣିବା ଓ ନିଜ ଶରୀର ସହ ତାହାର କେଉଁ ସମ୍ପର୍କ ରହିଛି, ସେ ବିଷୟରେ ଜ୍ଞାନ ଅର୍ଜନ କରିବା ଓ ଅଧିକ ଅନୁସନ୍ଧାନ କରି ନିଜ ଜୀବନକୁ ମାନବ ସ୍ତରରୁ ଦେବତା ସ୍ତରକୁ ଉତ୍ତୀର୍ଣ୍ଣ କରିବା ହିଁ ଆଧ୍ୟାତ୍ମିକ ଭାବ ।

ସମଗ୍ର ବିଶ୍ୱରେ ସମସ୍ତ ଜୀବ ମୃତ୍ୟୁମୁଖରେ ପତିତ ହୁଅନ୍ତି । ଭାଗବତ ରଚନାକାର ଜଗନ୍ନାଥ ଦାସ ତାହାକୁ ସରଳ ଭାବରେ କହିଛନ୍ତି ଯେ,

“ମର୍ତ୍ତ୍ୟ ମଣ୍ଡଳେ ଦେହ ଧରି

 

ଦେବତା ହୋଇଲେ ମରଇ”

ମାନବ ଶରୀର ମଧ୍ୟରେ ନିତ୍ୟ ପ୍ରତ୍ୟହ ସଞ୍ଚାଳିତ ହେଉଥିବା ବାୟୁଟିକକ ପ୍ରଶ୍ୱାସ ଓ ନିଶ୍ୱାସ ଭାବରେ ପରିଚିତ । ଏହି ଶ୍ୱାସ ଶରୀର ମଧ୍ୟରୁ ବାହ୍ୟଜଗତକୁ ଆସିବା ବେଳେ ରେଚକ କ୍ରିୟା ଓ ଶରୀରମଧ୍ୟକୁ ଗତି କଲାବେଳେ ପୂରକ କ୍ରିୟାନାମରେ ଅଭିହିତ । ଏହି ପ୍ରଶ୍ୱାସ ଓ ନିଶ୍ୱାସର ଗତିକୁ ଯୋଗଶାସ୍ତ୍ର ଏବଂ ଉପନିଷଦରେ “ହଂସ’ ଭାବରେ ବର୍ଣ୍ଣନା କରାଯାଇଛି । ରେଚକ କ୍ରିୟାକୁ ‘ହଂ’ ଓ ପୂରକ କ୍ରିୟାକୁ ‘ସ’ ରୂପେ ଅଭିହିତ କରାଯାଇଛି । ଯୋଗଚୂଡ଼ାମଣି ଉପନିଷଦରେ ଜୀବ ଅହରହ ‘ହଂସ ହଂସେତ୍ୟ ସ୍ତୁ’ ମନ୍ତ୍ର ଜପ କରୁଥିବାର ବର୍ଣ୍ଣନା କରାଯାଇଛି ।

‘ହଂସ ହଂସ୍ୟେତ୍ୟ ମନ୍ତ୍ରଂ ଜୀବୋଜପତି ସର୍ବଦା

 

ଷଟଶତାନି ଦିବାରାତ୍ରୌ ସହସ୍ରାଣ୍ୟେକ ବିଂଶତି

ଏତତ୍ ସଂଖ୍ୟାନ୍ୱିତଂ ମନ୍ତ୍ରଂ ଜୀବୋଜପତି ସର୍ବଦା

 

ଅଜପା ନାମ ଗାୟତ୍ରୀ ଯୋଗୀନାଂ ମୋକ୍ଷଦା ସଦା

 

ଅସ୍ୟାଃ ସଂକଳ୍ପ ମାତ୍ରେଣେ ସର୍ବପାପୈଃ ପ୍ରମୁଚ୍ୟତି

 

ଅନୟାସଦୃଶୀ ବିଦ୍ୟା ଅନୟା ସଦୃଶୋଜପଃ

 

ଅନୟା ସଦୃଶ୍ୟଂ ଜ୍ଞାନଂ ନ ଭୂତୋ ନ ଭବିଷ୍ୟତି”

(ଯୋଗ ଚୂଡ଼ାମଣି ଉପନିଷଦ୍ ୩୧/୩୫)

 

ମାନବ ଶରୀରରେ ଶ୍ୱାସ ରୂପକ ମନ୍ତ୍ର ଅହରହ ଗତିଶୀଳ । ମାନବ ପ୍ରତି ୨୪ଘଣ୍ଟାରେ ୨୧୬୦୦ ବାର ଶ୍ୱାସ ନିଏ ବୋଲି ଯୋଗାଚାର୍ଯ୍ୟମାନେ ମାତା ଦେଇଛନ୍ତି । ଏହି ଶ୍ୱାସକୁ ଅଜପା ଗାୟତ୍ରୀ ରୂପେ ବିବେଚନା କରାଯାଇଛି । ଅଜ୍ଞାତରେ ଏହି ଅଜପା ଗାୟତ୍ରୀ ସାଧନା ବଳରେ ମାନବଗଣ ମୋକ୍ଷ ଲାଭ କରନ୍ତି । ଏହି ମୋକ୍ଷ ସଦାମୋକ୍ଷ ବା ନିତ୍ୟମୁକ୍ତି ଭାବରେ ପରିଚିତ । ଶ୍ୱାସ ହିଁ ଜୀବନ ଓ ଯୋଗବିଦମାନଙ୍କ ଦୃଷ୍ଟିରେ ‘ହଂସ’ ।

ଏହି ଅହରହ ଶ୍ୱାସ ପ୍ରକ୍ରିୟା ବା ‘ହଂସ’କୁ ମାନବର ଗୋପନ ପାଦ ଭାବରେ ବର୍ଣ୍ଣନା କରାଯାଇଛି । “ପଦଂ ହଂସ ଉଦାହୃତମ୍ ।” ଏହି ଶ୍ୱାସ ପ୍ରକ୍ରିୟା ବନ୍ଦ ହୋଇଗଲେ ଜୀବ ମୃତ୍ୟୁବରଣ କରେ ଓ ଶରୀର ତ୍ୟାଗ କରେ ।ଦେହର ପାଦଯୁଗଳ ଦ୍ୱାରା ମାନବ ଧରଣୀ ଉପରେ ଆତଯାତ କରେ ମାତ୍ର ଅଦୃଶ୍ୟ ପାଦର ଚଳନ ବା ଶ୍ୱାସକ୍ରିୟାର ସମାପ୍ତି ଘଟିଲେ, ଦୃଶ୍ୟମାନ ପଦଯୁଗଳ ଅଚଳ ହୋଇଯାଏ । ଏହି ଶ୍ୱାସପ୍ରକ୍ରିୟା ମାଧ୍ୟମରେ ଶ୍ୱାସବିହୀନ ଅବସ୍ଥା ଉପଲବଧି କରିବା ହେଉଛି, ଦେହ ମଧ୍ୟରେ ଦେହୀଙ୍କୁ ଦର୍ଶନ । ଶ୍ରୀଜଗନ୍ନାଥଙ୍କୁ ରୂପ ସର୍ବସ୍ଵ ଦେହ ମଧ୍ୟରେ ଅରୂପ ଭାବେ ଗ୍ରହଣ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହର ହସ୍ତ ପାଦ ନାହିଁ । ତେଣୁ ତାଙ୍କୁ ‘ସର୍ବେନ୍ଦ୍ରିୟଗୁଣାଭାଷ ସର୍ବେନ୍ଦ୍ରିୟ ବିବର୍ଜିତ” ଭାବରେ ଗ୍ରହଣ କରାଯାଇଛି । ସେ ପରଂବ୍ରହ୍ମ ରୂପେ ସମସ୍ତ ଶରୀର ମଧ୍ୟରେ ନିତ୍ୟ ବିରାଜିତ, ତାଙ୍କରି କୃପା ବଳରେ ‘ହଂସ’ ବା ଶ୍ୱାସକ୍ରିୟା ପରିଚାଳିତ-। ଶାସ୍ତ୍ରରେ ଶରୀରକୁ ବାୟୁର ଅଧୀନ ବୋଲି ବିବେଚନା କରାଯାଇଛି । ‘ବାୟୁର୍ଧାତ ଶରୀରିଣଃ’ । ସମସ୍ତ ପ୍ରାଣ ପ୍ରବାହ ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଅନୁଭବ କରିବା ହେଉଛି ମାନବ ଜନ୍ମର ସଫଳତା । ଗୋଟିଏ ପ୍ରଶ୍ୱାସରେ ଜୀବର ଜନ୍ମ ଓ ଏକ ନିଶ୍ୱାସରେ ତାହାର ମୃତ୍ୟୁ । ପ୍ରତି ମୁହୂର୍ତ୍ତରେ ଶ୍ୱାସକ୍ରିୟା ଦ୍ୱାରା ଜୀବନ ଚକ୍ର ବା ଜନ୍ମ ଓ ମୃତ୍ୟୁର ଚକ୍ର ବୁଲୁଛି । ପ୍ରତ୍ୟେକ ପ୍ରଶ୍ୱାସରେ ନବଶକ୍ତି ସୃଷ୍ଟି ହେଉଛି ଓ ନିଶ୍ୱାସରେ କ୍ଷୟକାରୀ ଭାବ ଶରୀରରୁ ଅପସରି ଯାଉଛି । ତେଣୁ ନୂତନତ୍ୱକୁ ଗ୍ରହଣ କରି ପୁରାତନତ୍ୱକୁ ବିସର୍ଜନ କରିବା ପ୍ରକୃତିର ଧର୍ମ ଓ ସଂସାରର ପଦ୍ଧତି । ସେହି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଓ ଆୟୂଧ ସୁଦର୍ଶନଙ୍କର ପୁରାତନ ବିଗ୍ରହକୁ ପରିବର୍ତ୍ତନ କରି ନୂତନ ବିଗ୍ରହକୁ ଗ୍ରହଣ କରାଯାଏ । ଏହାହିଁ ନବକଳେବର ଯାତ୍ରାର ଆଧ୍ୟାତ୍ମିକତତ୍ତ୍ୱ ।

ସାମାଜିକ ଦୃଷ୍ଟିରୁ ବଚାର କଲେ, ଶ୍ରୀଜଗନ୍ନାଥ ହେଉଛନ୍ତି ପୁରୁଷୋତ୍ତମ । ସେ ଦେବୋତ୍ତମ ନୁହଁନ୍ତି । ସେ ଏକ ଉତ୍ତମ ପୁରୁଷର ଲୀଳା ପ୍ରଦର୍ଶନ କରୁଛନ୍ତି । ଶ୍ରେଷ୍ଠତ୍ୱହିଁ ପୁରୁଷୋତ୍ତମ ତତ୍ତ୍ୱର ମୂଳକଥା । ବଡ଼ ଦେଉଳ, ବଡ଼ଦାଣ୍ଡ, ବଡ଼ପଣ୍ଡା, ମହାପ୍ରସାଦ ପ୍ରଭୃତି ନାମରୁ ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଥାଏ । ଶ୍ରେଷ୍ଠ ହେଲେ ମଧ୍ୟ ମର୍ତ୍ତ୍ୟ ମଣ୍ଡଳରେ ଦେହ ଧାରଣ କରି, ତାଙ୍କୁ ମରଣକୁ ଆସ୍ୱାଦନ କରିବାକୁ ହେବ । ଅଧିକ ଶୀତଳଜଳରେ ସ୍ନାନ କଲେ ଯାହାର ଶରୀର ଜ୍ୱର ଦ୍ୱାରା ଆକ୍ରାନ୍ତ ହୁଏ, ସେତ ମାନବଶରୀର । ପ୍ରାତଃକାଳରୁ ନିଶାର୍ଦ୍ଧ ତଥା ଗୋପାଳ ବଲ୍ଲଭ ଠାରୁ ରାତ୍ରଧୂପ ପର୍ଯ୍ୟନ୍ତ, ଯେ ଛପନଭୋଗରେ ଷାଠିଏ ପଉଟିର ସ୍ୱାଦ ଗ୍ରହଣ କରି ସାଧାରଣ ମାନବର ଜୀବନଯାପନ କରେ, ସେ ମହାନ୍ ଓ ପୁରୁଷୋତ୍ତମ ।

ମାନବ ସାମାଜିକ ଜୀବନରେ ନିଜର ପୁରାତନ ବସ୍ତ୍ର ଜୀର୍ଣ୍ଣ ହେଲେ, ତାକୁ ଫିଙ୍ଗିଦେଇ ନୂତନ ବସ୍ତ୍ର ଗ୍ରହଣ କରନ୍ତି । ବସ୍ତ୍ର ଫିଙ୍ଗାହେଲା ପରେ ମାଟିରେ ମିଶିଯାଏ, ମାତ୍ର ଶରୀର ଅତୁଟ ରହେ । ଏହି ଭାବକୁ ଶ୍ରୀମଦ୍ ଭାଗବତ ଗୀତାରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

“ବାସାଂସି ଜୀର୍ଣ୍ଣାନୀ ଯଥା ବିହାୟ

 

ନବାନି ଗୃହ୍ୱାତି ନରୋପରାଣି

 

ତଥା ଶରୀରାଣି ବିହାୟ ଜୀର୍ଣ୍ଣା

 

ନ୍ୟନ୍ୟାନି ସଂୟାତି ନବାନି ଦେହୀ”

ଏହାର ସରଳ ଅର୍ଥ ହେଲା, ଯେଭଳି ଭାବରେ ପୁରାତନ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ମାନବ ପରିଧାନ କରେ । ଠିକ୍ ସେହିଭଳି ଭାବରେ ଅବିନାଶୀ ଆତ୍ମା, ଯେ କି ମାନବ ଶରୀର ମଧ୍ୟରେ ବାସ କରିଛନ୍ତି, ସେ ଶରୀର ପୁରାତନ ବା ଅଦରକାରୀ ହେଲେ, ତାହାକୁ ପରିତ୍ୟାଗ କରି ନୂତନ ଶରୀର ଧାରଣ କରିଥାନ୍ତି । ଆତ୍ମା ଶରୀର ତ୍ୟାଗ କଲାବେଳେ, ଶରୀରର ମୃତ୍ୟୁ ହୁଏ, ମାତ୍ର ଆତ୍ମା ଅନ୍ୟ ଶରୀରରେ ପ୍ରବେଶ କରି ନବଜନ୍ମ ଲାଭ କରିଥାଏ । ଗୀତାର ଏହି ଅମୃତତତ୍ତ୍ୱ ଶ୍ରୀଜଗନ୍ନାଥ ସଂସ୍କୃତିରେ କାର୍ଯ୍ୟକାରୀ ହୋଇଛି । ଗୀତାର ପ୍ରସିଦ୍ଧ ଶ୍ଳୋକର ଅବତାରଣା ଏହି କ୍ଷେତ୍ରରେ ପ୍ରାସାଙ୍ଗିକ ‘ଜନ୍ମ ହେଲେ, ମୃତ୍ୟୁ ନିଶ୍ଚିତ’ ।

ଶ୍ରୀଚତୁର୍ଦ୍ଧାମୂର୍ତ୍ତି ନୀଳାଚଳ କ୍ଷେତ୍ରରେ ଜନ୍ମଲାଭ କରିଥିଲେ । ତେଣୁ ଯାହାର ଜନ୍ମ ହୋଇଛି, ତାହାର ମୃତ୍ୟୁ ନିଶ୍ଚିତ । ଚତୁର୍ଦ୍ଧାମୂର୍ତ୍ତିଙ୍କ ପୁରାତନ କଳେବର ପାତାଳି ହୁଅନ୍ତି । ପାତାଳି ହେବା ପୂର୍ବରୁ ସେହି ସମସ୍ତ କଳେବର ମଧ୍ୟରୁ ବ୍ରହ୍ମ ପଦାର୍ଥ କାଢ଼ିନିଆଯାଇ ନୂତନ କଳେବରରେ ସ୍ଥାପନ କରାଯାଇଥାଏ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଏହି ବ୍ରହ୍ମ ପରିବର୍ତ୍ତନ ନିଜର ଅଲୌକିକ ଶକ୍ତିଦ୍ୱାରା ସମାହିତ ନକରି, ମାନବଙ୍କ ଦ୍ୱାରା କରାଇଥାନ୍ତି । ଏହା ଫଳରେ ଜୀବନ, ମୃତ୍ୟୁ ଓ ପୁର୍ନଜନ୍ମ ଦର୍ଶନର ତତ୍ତ୍ୱ ସର୍ବସାଧାରଣ ଅନୁଭବ କରି ବର୍ତ୍ତମାନ ଜୀବନରେ ଅଧିକ ସାଧୁକାର୍ଯ୍ୟ ଓ ପରୋପକାର କରିବାକୁ ଚେଷ୍ଟିତ ହୋଇ ପରଜନ୍ମରେ ଉଚ୍ଚଜୀବନ ପ୍ରାପ୍ତି ନିମନ୍ତେ ପ୍ରୟାସ କରିବେ-। ତେଣୁ ପଞ୍ଚଭୂତରେ ସୃଷ୍ଟି ଶରୀରର ବାହ୍ୟ ଜଡ଼ ବା ଭୌତିକ ଚେତନାକୁ ଛାଡ଼ି ସେମାନେ ଅନ୍ତର୍ମୂଖୀ ହୋଇ ଶରୀର ମଧ୍ୟରେ ଥିବା ଆତ୍ମା ସମ୍ପର୍କରେ ଅଧିକ ଜାଣିବା ପାଇଁ ଚେଷ୍ଟିତ ହେବେ । ଏହାହିଁ ନବକଳେବର ଯାତ୍ରାର ସାମାଜିକ ତତ୍ତ୍ୱ ।

ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଗ୍ରହମାନେ ନିର୍ମିତ ହୋଇଥିବା ମୂଳ ପଦାର୍ଥ ବିଷୟରେ ଆଲୋଚନା କରିବାକୁ ହେବ । ଶ୍ରୀମଦ୍ ଭାଗବତ ଅନୁସାରେ ପ୍ରତିମା ଆଠଟି ପଦାର୍ଥରେ ନିର୍ମିତ ହୋଇ ପାରିବେ, ଯଥା- ଶିଳା, ଦାରୁ, ସୁବର୍ଣ୍ଣ ଓ ଅନ୍ୟଧାତୁ, ଚିତ୍ରପଟ, ବାଲୁକା, ମୂର୍ତ୍ତିକା, ମନୋମୟୀ ଓ ମଣିମୟୀ । ଶିଳ୍ପାଶାସ୍ତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ସାଧାରଣତଃ ପୃଥିବୀରେ ପାଞ୍ଚ ପ୍ରକାର ମୂଳବସ୍ତୁରେ ପ୍ରତିମା ଗଠନ କରାଯାଏ । ସେଗୁଡିକ ହେଲା, ମଣିବିଗ୍ରହ, ଧାତୁ ବିଗ୍ରହ, ଦାରୁ ବା କାଷ୍ଠବିଗ୍ରହ, ଚିତ୍ର ଓ ମୂର୍ତ୍ତିକା ଦ୍ୱାରା ନିର୍ମିତ ବିଗ୍ରହ ପଦାର୍ଥର ଆୟୁ ଅନୁସାରେ, ମଣି ବିଗ୍ରହ ଦଶହଜାର ବର୍ଷ, ଧାତୁ ବିଗ୍ରହ ଏକ ହଜାର ବର୍ଷ, କାଷ୍ଠ ବା ଦାରୁ ବିଗ୍ରହ ବାରବର୍ଷ, ଚିତ୍ର ଏକବର୍ଷ ଓ ମୂର୍ତ୍ତିକା ବିଗ୍ରହ ଏକମାସ ପରମାୟୁ ବହନ କରନ୍ତି । ଏହି ଦୃଷ୍ଟିରୁ ଦାରୁରେ ନିର୍ମିତ ପ୍ରତିମାଙ୍କୁ ବାରବର୍ଷ ପରେ ପରିବର୍ତ୍ତନ କରିବା ହିଁ ପ୍ରାକୃତିକ ନିୟମ । ତେଣୁ ଯୋଡ଼ା ଆଷାଢ଼ ବହନ କରୁଥିବା ବର୍ଷ ପ୍ରାୟ ନଅ, ବାର ବା ଉଣେଇଶରେ ପଡ଼େ । ତେଣୁ ଦାରୁର ମୌଳିକ ଶକ୍ତି ଅନୁସାରେ ବାରବର୍ଷରେ ତାହାର ପରିବର୍ତ୍ତନ ହେବା ଉଚିତ, ଏହାହିଁ ନବକଳେବର ଯାତ୍ରାର ବୈଜ୍ଞାନିକ ତତ୍ତ୍ୱ ।

ସଂସାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଦାରୁ ମଧ୍ୟରୁ ନିମ୍ନଦାରୁ ଅଧିକ ଉପଯୋଗୀ । ଦାରୁ ସମୁଦାୟକୁ ପୁରୁଷ, ସ୍ତ୍ରୀ ଓ କ୍ଳୀବ ରୂପେ ତିନି ଭାଗରେ ବିଭକ୍ତ କରାଯାଇଛି । ନିମ୍ବଦାରୁ ପୁରୁଷ ବର୍ଗର ହେଉଥିବାରୁ ତାହା ଶକ୍ତ ଓ ପ୍ରତିମା ଗଠନ ଉପଯୋଗୀ । ବୈଜ୍ଞାନିକ ଦୃଷ୍ଟିକୋଣରୁ ନିମ୍ବ ଦାରୁର ଔଷଧୀୟ ଗୁଣ ବା ଭେଷଜ ଦ୍ରବ୍ୟଗୁଣର ମାନ ଅତି ଉନ୍ନତ । ଏହି ବୃକ୍ଷ ନିକଟବର୍ତ୍ତୀ ଅଞ୍ଚଳକୁ ସ୍ୱୀୟ ଔଷଧୀୟ ଗୁଣ ଯୋଗୁଁ ରୋଗମୁକ୍ତ କରିଥାଏ । ନିମ୍ନ ବୃକ୍ଷର ପତ୍ର, ଫଳ ଓ ଦାରୁ ତିକ୍ତ ସ୍ଵାଦର ହୋଇଥିବା ଯୋଗୁଁ, ତାହାକୁ କୀଟମାନେ ଦଂଶନ କରନ୍ତି ନାହିଁ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିମ୍ବ ବୃକ୍ଷ ସହଜରେ ମିଳିଥାଏ । ବିଶେଷତଃ ପ୍ରାଚୀ ଉପତ୍ୟକାରେ ଅଜସ୍ର ନିମ୍ବବୃକ୍ଷ ରହିଛି । ତେଣୁ ଯେ କୌଣସି ସମୟରେ ନିମ୍ବଦାରୁ ଆବଶ୍ୟକତା ଅନୁସାରେ ବିଗ୍ରହ ନିର୍ମାଣ ପାଇଁ ଉପଲବ୍ଧ ହୁଏ । କାକଟପୁରର ପ୍ରସିଦ୍ଧ ମାତା ମଙ୍ଗଳାଙ୍କ ମନ୍ଦିର ପ୍ରାଚୀ ଉପତ୍ୟକାରେ ରହିଛି । ସେହି ଉପତ୍ୟକା ଅଞ୍ଚଳରେ ବହୁ ନିମ୍ବ ବୃକ୍ଷ ଅଛନ୍ତି । ସ୍କନ୍ଦପୁରାଣର ଉତ୍କଳଖଣ୍ଡରେ ବର୍ଣ୍ଣିତ ହୋଇଛି ଯେ, ଉତ୍କଳର ରାଜା ଭାଗ୍ୟବାନ ହୋଇଥିବାରୁ, ପୁରୁଷୋତ୍ତମ ଭଗବାନ ଜଗତରେ ଦାରୁମୂର୍ତ୍ତି ଧାରଣ କରି ଆବିର୍ଭୂତ ହୋଇଛନ୍ତି ।

ଉପରୋକ୍ତ ଭାବ ଦୃଷ୍ଟିରୁ ଉତ୍କଳର ରାଜାଙ୍କ ସହିତ ସମସ୍ତ ଜନସାଧାରଣ ଭାଗ୍ୟବାନ । ସେହି ଜନସାଧାରଣଙ୍କୁ ନିଜର ଶରୀର ଓ ମନର ଭୌତିକ ଜୀବନଯାପନରେ ସୀମାବଦ୍ଧ ନ ହୋଇ ଦିବ୍ୟ, ଅକ୍ଷୟ, ନିତ୍ୟ ଓ ଚିର ଶାଶ୍ବତ ଆତ୍ମାକୁ ଚିହ୍ନି, ଜୀବନକୁ ସରସ, ସୁନ୍ଦର ଓ ଆଧ୍ୟାତ୍ମିକ ପଥର ପଥିକ ହେବା ନିମିତ୍ତ ନବକଳେବର ଯାତ୍ରା ସନ୍ଦେଶ ଦେଇଥାଏ । ମହର୍ଷି ଯାଜ୍ଞବଳକ୍ୟ ନିଜର ଦୁଇ ପତ୍ନୀ କାତ୍ୟାୟିନୀ ଓ ମୈତ୍ରେୟୀଙ୍କୁ, ମାନବ ପକ୍ଷେ ଜଗତର ସମସ୍ତ ପ୍ରିୟ ପଦାର୍ଥଠାରୁ ଆତ୍ମା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ବୃହଦାରଣ୍ୟକ ଉପନିଷଦରେ କହିଛନ୍ତି ।

“ଆତ୍ମା ବା ଅରେ ଦ୍ରଷ୍ଟବ୍ୟଃ, ଶ୍ରୋତବ୍ୟୋ, ମନ୍ତବ୍ୟୋ, ନିଦିଧ୍ୟାସିତବ୍ୟଃ” । ଏହି ସର୍ବକାଳୀନ ସତ୍ୟ ମାନବ ଜାତିର ମୂଳଭିତ୍ତି । କେବଳ ଭାରତ ନୁହେଁ ବା କେବଳ ହିନ୍ଦୁଧର୍ମାବଲମ୍ବୀ ନୁହେଁ, ଜଗତର ସମସ୍ତ ମନୁଷ୍ୟ ଜାତି ତିଷ୍ଠି ରହିଥିବା ପର୍ଯ୍ୟନ୍ତ ଶରୀର ଠାରୁ ଆତ୍ମାର ମହାନତା ପ୍ରମାଣିତ ହୋଇ ଆସୁଥିବ । ଜୀବନରେ ଆଧ୍ୟାତ୍ମିକ ସନ୍ତୋଷ ହିଁ ଶ୍ରେଷ୍ଠ ସନ୍ତୋଷ । ଶରୀରକୁ ଭୌତିକ ଧାରାରେ କାର୍ଯ୍ୟକାରୀ କରିବା ପୂର୍ବକ ଜାଗତିକ ସୁଖଲାଭ ପ୍ରୟାସର ଅନ୍ତ ନାହିଁ । ଭୌତିକ ଜଗତ ଚିରନ୍ତନ ନୁହେଁ, ତେଣୁ ପରମ ଶାନ୍ତି ତାହା ଦ୍ୱାରା ଲାଭ କରିବା ସ୍ଵପ୍ନ ସଦୃଶ । ତେଣୁ ମାନବ ନିଜର ଦିବ୍ୟଜ୍ଞାନ ଦ୍ୱାରା ତାହାକୁ ଅନୁଭବ କରି ବାହ୍ୟ ଚେତନାରୁ ମୁକ୍ତ ହୋଇ ଅନ୍ତର୍ଚେତନା ପ୍ରତି ଗତି କରିବା ହେଉଛି ନବକଳେବର ଯାତ୍ରାର ମୂଳତତ୍ତ୍ୱ-। ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଓ ଜୀବପିଣ୍ଡର ସମନ୍ୱୟ, ଆତ୍ମାର ନିତ୍ୟତା, ଶରୀରର ଅନିତ୍ୟତା, ମୃତ୍ୟୁର ନିଶ୍ଚିତତାର ସତ୍ୟତା ଦାର୍ଶନିକ ଭାବଧାରାରେ ପ୍ରତିପାଦନ କରିବା ନିମିତ୍ତ ନବକଳେବର ଯାତ୍ରା ହେଉଛି ଏକ ମାନବାୟତ ବିଧି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବିଧିର ଶ୍ରେଷ୍ଠ ସୋପାନ ବ୍ରହ୍ମପରିବର୍ତ୍ତନ, ଯଥା ପୁରାତନ ଶରୀରରୁ ଅପସାରଣ କରି ଓ ନୂତନ କଳେବରରେ ପ୍ରବେଶ କାର୍ଯ୍ୟ ମାନବ ଦ୍ୱାରା ସମାହିତ କରି, ‘ଯଥା ଦେହେ ତଥା ଦେବେ’ ଭାରତୀୟ ଦର୍ଶନର ମୂଳମନ୍ତ୍ରକୁ ପ୍ରମାଣିତ କରିଛନ୍ତି । ସଂକ୍ଷିପ୍ତରେ ଏହି ସମସ୍ତ ପ୍ରକ୍ରିୟାକୁ ଜୀବନଯଜ୍ଞ କହିଲେ ଅତ୍ୟୁକ୍ତି ହେବନାହିଁ । ନବକଳେବର ଯାତ୍ରାହିଁ ଦାରୁବ୍ରହ୍ମଙ୍କର ଜୀବନଯଜ୍ଞ ଓ ସମସ୍ତ ପୃଥିବୀର ମାନବଜାତି ନିମିତ୍ତ ଆତ୍ମ ଦର୍ଶନ ଶିକ୍ଷା ।

 

ଦାରୁବ୍ରହ୍ମଙ୍କ ବ୍ରହ୍ମଦାରୁ

ଡକ୍ଟର ତୁଳସୀ ଓଝା

ପୃଥିବୀରେ ଯେତେ ପ୍ରକାର ଶିଳ୍ପ କର୍ମ ରହିଛି ସେ ମଧ୍ୟରେ ପାଂଚଟି ଶିଳ୍ପକର୍ମ ଶ୍ରେଷ୍ଠ ଅଟେ । ଯଥା ଦାରୁ କର୍ମ, ପାଷାଣକର୍ମ, ଲୌହକର୍ମ, ସ୍ବର୍ଣ୍ଣକର୍ମ ତଥା ଚିତ୍ରକର୍ମ । ଏହାକୁ ଅନୁଧ୍ୟାନ କଲେ ଦେଖାଯାଏ ବହୁ ପ୍ରାଚୀନ କାଳରୁ ଦାରବ ଶିଳ୍ପ କର୍ମ ଏକ ଶ୍ରେଷ୍ଠ ଶିଳ୍ପ କର୍ମ ଭାବରେ ପରିଗଣିତ ହୋଇ ଆସିଅଛି । ଏହି ଶିଳ୍ପ କର୍ମ ବିଶେଷ କରି ଦେବମୂର୍ତ୍ତି ନିର୍ମାଣ ସଂପର୍କୀତ । କାରଣ ବୃକ୍ଷ ସହିତ ମନୁଷ୍ୟର ସଂପର୍କ ସର୍ବପ୍ରାଚୀନ । ଏହି ବୃକ୍ଷ ହିଁ ଆଦିମକାଳରୁ ମନୁଷ୍ୟକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପ୍ରଦାନ କରି ଆସିଛି । ତେଣୁ ଦାରବ ମୂର୍ତ୍ତି ପୂଜନ ନିଶ୍ଚିତ ଭାବରେ ସର୍ବ ପ୍ରାଚୀନ ପୂଜନ ପ୍ରକ୍ରିୟା । ଏହାର କାରଣ ନିର୍ଦ୍ଧାରଣ ସ୍ବରୂପ ବରାହମିହିର ତାଙ୍କ ରଚିତ ‘ବୃହତ୍ ସଂହିତା’ରେ ଉଲ୍ଲେଖ କରିଛନ୍ତି ଯେ-କାଷ୍ଠ ବା ମୂର୍ତ୍ତିକା ନିର୍ମିତ ବିଗ୍ରହ ମନ୍ୟୁଷକୁ ଆୟୁ, ସୌଭାଗ୍ୟଶ୍ରୀ, ବଳ ତଥା ବିଜୟ ପ୍ରଦାନ କରିଥାଏ । କିନ୍ତୁ ସବୁ ବୃକ୍ଷର ଏହି କ୍ଷମତା ନଥାଏ । କିଛି ବୃକ୍ଷ ନିକଟରେ ମହତି ଗୁଣ ରହିଥାଏ । ଏହି ମହତିଗୁଣ ପ୍ରଭାବରେ ଭିନ୍ନଭିନ୍ନ ମୂର୍ତ୍ତି ନିର୍ମାଣ ଉପ ଯୋଗୀ ବୃକ୍ଷ ପୃଥିବୀରେ ବାସ କରୁଥିବା ଚର୍ତୁବର୍ଗଙ୍କୁ ଭିନ୍ନ ଭିନ୍ନ ଫଳ ପ୍ରଦାନ କରିଥାନ୍ତି । ଯଥା- ଦେବଦାରୁ, ଚନ୍ଦନ, ଶମି ଓ ମଧୁକ ବୃକ୍ଷରେ ନିର୍ମିତ ଦାରବ ବିଗ୍ରହ ବ୍ରାହ୍ମଣମାନଙ୍କ ନିମିତ୍ତ ଶୁଭପ୍ରଦ, ଅଶ୍ବତଥ୍, ଖଦିର, ବିଲ୍ବ, କ୍ଷତ୍ରିୟମାନଙ୍କୁ ଶ୍ରୀସଂପଦ ଆଣିଦିଏ, ଜୀବକ ଖଦିର, ସିନ୍ଧୁକ, ସ୍ୟନ୍ଦନ ବୈଶ୍ୟଙ୍କର ମଂଗଳ କାମନା କରେ ଏବଂ ତିଣ୍ଡୁକ, କେଶର, ସର୍ଜ୍ଜା ଅର୍ଜୁନ, ଆମ୍ବ ଓ ଶାଳ ଶୂଦ୍ରମାନଙ୍କୁ ବଳବୀର୍ଯ୍ୟ ପ୍ରଦାନ କରିଥାଏ । ଏହିଠାରେ ଏକ ପ୍ରଶ୍ନଉଠେ ପୂର୍ବୋକ୍ତ ସମସ୍ତ ବୃକ୍ଷ ମାନ୍ୟତା ପାଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଶ୍ରୀବଳଭଦ୍ର, ଶ୍ରୀ ସୁଭଦ୍ରା ଓ ସୁଦର୍ଶନଙ୍କର ବିଗ୍ରହ କାହିଁକି ନିମ୍ବ ବୃକ୍ଷରେ ନିର୍ମିତ ହୁଅନ୍ତି ? ଏ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମକୁ ଦ୍ବାପର ଯୁଗର ଆଦ୍ୟ ତଥା ପ୍ରାନ୍ତ ଅଧ୍ୟାୟକୁ ଯିବାକୁ ପଡ଼ିବ ।

ପ୍ରାଚୀନ କାଳର କଥା । ସତ୍ୟଯୁଗରେ ଭଗବାନ ବିଷ୍ଣୁ ପ୍ରାଣୀମାନଙ୍କର ମଙ୍ଗଳ ନିମିତ୍ତ ସମସ୍ତ ପ୍ରାଣୀଙ୍କୁ ପ୍ରକାଶ୍ୟରେ ଦର୍ଶନ ଦେଉଥିଲେ, କିନ୍ତୁ କ୍ରମଶଃ ଯୁଗ ଧର୍ମ ଅନୁସାରେ ପ୍ରଭୁଙ୍କର ଦର୍ଶନ ଦୁଃଷ୍ପ୍ରାପ୍ୟ ହୋଇପଡିଥିଲା । ତ୍ରେତୟା ଯୁଗରେ ସେ କେବଳ ତପସ୍ବୀମାନଙ୍କୁ ଦର୍ଶନ ଦେଲେ, କିନ୍ତୁ ଦ୍ବାପର ଯୁଗରେ ତାହା ଆଉ ସଂଭବ ହେଲା ନାହିଁ । କାରଣ କ୍ରମଶଃ ଜନସମାଜର ବୁଦ୍ଧି ଭ୍ରଷ୍ଟ ହେବାକୁ ଆରମ୍ଭ ହେଲା ତେଣୁ ସେ ସ୍ବୟଂ ସର୍ବଦା ଅଦୃଶ୍ୟ ରହିଲେ । କିନ୍ତୁ କଳିଯୁଗରେ ସେ କିପରି ଭକ୍ତମାନଙ୍କୁ ଦର୍ଶନ ଦେବେ ବା ଭକ୍ତମାନେ କିପରି ତାଙ୍କ ସାନ୍ନଧ୍ୟ ଲାଭ କରିବେ, ଉଦ୍ଧବଙ୍କର ଏ ଜିଜ୍ଞାସାର ଉତ୍ତର ଦେଇ ଶ୍ରୀକୃଷ୍ଣ କହିଥିଲେ-

“ଶୈଳୀ, ଦାରୁମୟୀ ଲୌହୀ ଲେପ୍ୟା ଚ ସୈକେତ

 

ମନୋମୟୀ ମଣିମୟୀ ପ୍ରତିମାଷ୍ଟବିଧା ସ୍ଵତା”

(ଭାଗବତ-୧୧।୨୭।୧୨)

 

ଏହିପରି ଯେ କୌଣସି ବସ୍ତୁରେ ମୋର ବିଗ୍ରହ ନିର୍ମାଣ କରି ମୋର ଭକ୍ତ ମୋର ପୂଜା ଆରଧାନ କରିପାରିବେ । ସେହି ଭକ୍ତମାନଙ୍କ ମଧ୍ୟରୁ ଜଣେ ଅନନ୍ୟ ଭକ୍ତଥିଲେ ଅବନ୍ତୀରାଜ ଇନ୍ଦ୍ରଦ୍ୟୁମ୍ଣ, ଯିଏ ଭଗବାନ ଶ୍ରୀନୀଳମାଧବଙ୍କର ଅନ୍ବେଷଣରେ ଅବନ୍ତୀରୁ ଆସି ଶ୍ରୀକ୍ଷେତ୍ରରେ ପହଂଚିଥିଲେ ଏବଂ ପ୍ରାପ୍ତ ହେଲେ ମହାପ୍ରଭୁଙ୍କର ପ୍ରଥମ ବ୍ରହ୍ମଦାରୁ ।

ସ୍କନ୍ଦପୁରାଣ ବର୍ଣ୍ଣନାନୁସାରେ ଯେଉଁ ଦାରୁ ମହାସମୁଦ୍ର ତଟଭୂମିରେ ଭାସି ଭାସି ଆସି ଉପସ୍ଥିତି ହୋଇଛି । ଏହାର ଅଗ୍ରଭାଗ ସମୁଦ୍ର ଭିତରେ ପ୍ରବିଷ୍ଟ ଓ ମୂଳଦେଶ ଜଳୀୟ ତରଙ୍ଗରେ ପ୍ଲାବିତ ହୋଇଛି । ଉକ୍ତ ମହାବୃକ୍ଷର ସମସ୍ତ ଅବୟବ ରକ୍ତବର୍ଣ୍ଣ, ଶଙ୍ଖଚକ୍ର ଚିହ୍ନରେ ଚିହ୍ନିତ । ଏହାର ତେଜ ନବୋଦିତ ସୂର୍ଯ୍ୟ ସଦୃଶ୍ୟ ସମସ୍ତ ପ୍ରଦେଶକୁ ଆଲୋକିତ ତଥା ସ୍ଵକୀୟ ସୁଗନ୍ଧରେ ଆମୋଦିତ କରୁଛି । ଏହା କୌଣସି ସାଧାରଣ ବୃକ୍ଷ ନୁହେଁ । ଦେବବୃକ୍ଷ ସଦୃଶ ପ୍ରତୀୟମାନ ହେଉଛି । ନିଶ୍ଚୟ କୌଣସି ଦେବତା ତରୁ ରୂପ ଧାରଣ କରି ସମାଗତ ହୋଇଛନ୍ତି । ଏହି ଦାରୁ ବ୍ୟାଖା କରି ନାରଦ ଇନ୍ଦ୍ରଦ୍ୟୁମ୍ଣକୁ କହିଥିଲେ “ହେ ରାଜନ୍, ଆପଣ ପୂର୍ବରୁ ସ୍ଵପ୍ନ ଅବସ୍ଥାରେ ଯେଉଁ ଶ୍ଵେତ ଦ୍ବୀପବାସୀ ଅବ୍ୟୟ ବିଶ୍ଵମୂର୍ତ୍ତି ଶ୍ରୀବିଷ୍ଣୁଙ୍କୁ ଦର୍ଶନ କରିଥିଲେ, ତାହାର ଅଂଗ ସମୁଦଭୂତ ରୋମସ୍ପଳିତ ହୋଇ ତରୁରୂପୀ ହୋଇଛି । ଭକ୍ତ ବତ୍ସଳ ଭଗବାନ ପୃଥିବୀରେ ବ୍ରହ୍ମାଙ୍କ ଅଂଶାବତାର ସ୍ଵରୂପ ସ୍ଥାଣୁ ରୂପ ନେଇ ଅବତୀର୍ଣ୍ଣ ହୋଇଅଛନ୍ତି । “ଏହା ତାଙ୍କର ସହସ୍ର ଅଶ୍ଵମେଧ ଯଜ୍ଞର ଫଳଭାବରେ ତାକୁ ଗ୍ରହଣ କରି ସେହି ଦିବ୍ୟ ଦାରୁଙ୍କୁ ଆନୟନ କରି ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରାଇଥିଲେ ।

କିନ୍ତୁ ଦାରବ ଶରୀର ଶିଳା ବା ମଣି ସଦୃଶ ଅକ୍ଷୟ ନୁହେଁ । ସ୍ଵୟଂ ଭଗବାନ ଯେତେବେଳେ ପୃଥିବୀରେ ଜନ୍ମଲାଭ କରିଛନ୍ତି ତାଙ୍କ ପାର୍ଥିବ ଶରୀରକୁ ସେ ପୃଥିବୀକୁ ସମର୍ପଣ କରି ପୁନଶ୍ଚ ତାଙ୍କ ନିତ୍ୟ ଧାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କଳିଯୁଗର ଅନ୍ତଃହେବାକୁ ଆହୁରି ଅନେକ ବର୍ଷ ବାକୁ ରହିଛି । ମହାପ୍ରଭୁ ଯେଉଁ ଦାରବ ଶରୀର ଧାରଣ କରିଛନ୍ତି, ତାହା ତାଙ୍କର ଏକ ଅଭୂତପୂର୍ବ ଲିଳା ତେଣୁ ଆଠବର୍ଷ- ବାରବର୍ଷ କିମ୍ବା ଉଣେଇଶ ବର୍ଷରେ ଥରେ ସେ ତାଙ୍କର ଦାରବି ଶରୀରକୁ ପରିତ୍ୟାଗ କରି ଅନ୍ୟ ଏକ ଦାରବ ବିଗ୍ରହ ମଧ୍ୟରେ ବ୍ରହ୍ମକୁ ସଂଗାପିତ ରଖି ପ୍ରକାଶ୍ୟମାନ ହୁଅନ୍ତି । ଏହା ତାଙ୍କର ବିନାଶୀ କଳେବର ଲୀଳା । ଯେଉଁ ଚତୁଃଶାଖ ବିଶିଷ୍ଟ ମହାଦାରୁ ସମୁଦ୍ରରେ ଭାସି ଆସିଥିଲା ତାହା ଅଶ୍ଵତଥ୍ , ଚନ୍ଦନ ବା ନ୍ୟାଗ୍ରୋଧ ହୋଇଥାଇପାରେ କିନ୍ତୁ ସମୟର ଗଡ୍ଙାଳିକା ପ୍ରବାହ(ଇତିହାସ ଯାହାର ମୁକଶାକ୍ଷୀ)ମଧ୍ୟରେ ଯେତେବେଳେ ମହାପ୍ରଭୁଙ୍କ ବିଗ୍ରହର ନିର୍ମାଣର ଆବଶ୍ୟକତା ପଡ଼ିଛି ଏହି ନିମ୍ବ ହିଁ ଶ୍ରେଷ୍ଠ ବୃକ୍ଷ ଭାବରେ ଚୟନ ପ୍ରକ୍ରିୟାନୁଯାୟୀ ସ୍ଥାନ ପାଇଛି । କାରଣ ନିର୍ଦ୍ଦେଶ କରିବାକୁ ଯାଇ “ଭବିଷ୍ୟପୁରାଣ”ରେ ଉଲ୍ଲେଖ ରହିଛି-

“ନିମ୍ବାଦ୍ୟା ସର୍ବବର୍ଣ୍ଣାନାଂ ବୃକ୍ଷୋ ସାଧାରଣାଃ ସ୍ଵତାଃ”

(୩୧/୪)

 

ଏହି ବୃକ୍ଷଟି ସର୍ବସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ । ଏହା ସହିତ ଅନ୍ୟ କେତେକ ଯୁକ୍ତି ଏହି ବୃକ୍ଷ ନିର୍ବାଚନରେ ପୃଷ୍ଠଭୂମିର ପୁଷ୍ଟିକରଣ କରିଥାଏ । ସ୍ଵୟଂ ଶ୍ରୀ ବିଷ୍ଣୁ ନିଜର ବିଭୁତି ସଂପର୍କରେ ସୂଚନା ଦେଇ କହିଛନ୍ତି-

“ଶ୍ଵେତଃ କୃତ ଯୁଗେ ବର୍ଣ୍ଣଃ ପୀତସ୍ତ୍ରେତାଯୁଗେ ମମ

 

ରକ୍ତ ଦ୍ଵାପରମାସାଦ୍ୟ କୃଷ୍ଣଃ କଳିଯୁଗେ ତଥା”

(ମ.ଭା. ବନପର୍ବ-ପ୍ରୁ-୧୪୧୨)

 

ସତ୍ୟଯୁଗରେ ମୋର ରଂଗ ଶ୍ଵେତବର୍ଣ୍ଣ, ତ୍ରେତୟାରେ ପୀତ, ଦ୍ଵାପରରେ ଲୋହିତ ଏବଂ କଳିଯୁଗରେ କୃଷ୍ଣବର୍ଣ୍ଣ ଅଟେ । ଏହି ଚାରି ଯୁଗର ପ୍ରତୀକକୁ ଏକତ୍ର କରି ମହାପ୍ରଭୁ ଦାରୁବ୍ରହ୍ମ ରତ୍ନ ସିହାଂସନରେ ବିରାଜମାନ । ନିମ୍ବ ହିଁ ଏକମାତ୍ର ବୃକ୍ଷ ଯାହା ଏହି ଚାରିବର୍ଣ୍ଣରେ ଦୃଷ୍ଟିଗୋଚର ହୋଇଥାଏ । ମହାପ୍ରଭୁଙ୍କ ଜ୍ୱଳାମୟୀ ମହାଶକ୍ତି ଶ୍ରୀସୁଦର୍ଶନଙ୍କର ଦାରୁର ବର୍ଣ୍ଣ ଲୋହିତ, ଶେଷନାଗ ଶ୍ରୀବଳଭଦ୍ରଙ୍କ ଦାରୁ ଶ୍ଵେତବର୍ଣ୍ଣ, ଜଗଜ୍ଜନନୀ ମା ସୁଭଦ୍ରାଙ୍କ ଦାରୁ ପୀତବର୍ଣ୍ଣ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ କୃଷ୍ଣବର୍ଣ୍ଣ ଅଟେ ।

ନିମ୍ବ ଏକ ତିକ୍ତ ବୃକ୍ଷ, ବୈରଗ୍ୟସୂଚକ । କିନ୍ତୁ ସହସ୍ର ବର୍ଷ ଅତିକ୍ରମ କଲାପରେ ମଳୟ ସ୍ପର୍ଶରେ ଏଥିରେ ଏକ ବିଚିତ୍ର ପରିବର୍ତ୍ତନ ଦେଖାଯାଏ । ଏହା ଚନ୍ଦନ ସଦୃଶ ଏକ ସୁଗଂଧି ତଥା ମଧୁର ତରୁବରରେ ପରିଣତ ହୋଇଯାଏ । ଏହା ଏ ବୃକ୍ଷର ବିଶେଷତ୍ୱ । ସାଧନା ଯେପରି କ୍ଷତ୍ରୀୟ ବିଶ୍ୱାମିତ୍ରଙ୍କୁ ବ୍ରହ୍ମର୍ଷିରେ ପରିଣତ କରିପାରିଥଲା, ଠିକ୍ ସେହିପରି ସାଧନା ଦ୍ୱାରା ଏହି ତିକ୍ତଦାରୁ ମହାଦାରୁରେ ପରିଣତ ହୋଇ ବ୍ରହ୍ମଙ୍କୁ ଗର୍ଭରେ ଧାରଣ କରିବା ନିମିତ୍ତ ସମର୍ଥ ହୋଇଯାଏ । ଏହା ତାର ଜୀବନୋନ୍ମୁକ୍ତ ଅବସ୍ଥା । ତେଣୁ ଏହି ବୃକ୍ଷକୁ ବିଗ୍ରହ ନିମିତ୍ତ ନିର୍ବାଚନ କରାଯାଇଥାଏ ।

ନିମ୍ବବୃକ୍ଷ ଦୀର୍ଘ ବର୍ଷ ଧରି ଜୀବିତ ରହିଥିବାରୁ ଏଥିରେ ବହୁ ଶୁଭ ସୂଚକ ସାଂକେତିକ ଚିହ୍ନ ଯଥା- ଶଙ୍ଖଚିହ୍ନ, ଚକ୍ରଚିହ୍ନ, ଗଦାଚିହ୍ନ, ହଳମୂଷଳ ପଦ୍ମ ତଥା ମାତୃଚିହ୍ନ ଆଦି ଦୃଷ୍ଟିଗୋଚର ହୋଇଥାଏ । ୨୦୧୫ ନବକଳେବରରେ ଏକ ବିଶେଷତ୍ୱ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିହ୍ନଟ ଦାରୁରେ ଏକ ହାତୀ ଶୁଣ୍ଢ ଚିହ୍ନ ଦେଖିବାକୁ ମିଳୁଥିବା ବେଳେ ମହାପ୍ରଭୁ ଶ୍ରୀସୁଦର୍ଶନଙ୍କ ଦାରୁ ମୂଳରୁ ମାଟି ଉତ୍ତୋଳନ କଲାବେଳେ ସେଥିରେ ଏକ ସପ୍ତଫେଣୀ ନାଗର ଚିହ୍ନ ଦେଖିବାକୁ ମିଳିଥିଲା । ଏହା ନିଶ୍ଚିତ ଭାବରେ ଏକ ଅଲୌକିକ ବ୍ୟାପାର । ଏହି ଚିହ୍ନମାନ ହିଁ ଏକ ସାଧାରଣ ନିମ୍ବ ତରୁକୁ ସୁର ତରୁରେ ପରିଣତ କରିଥାଏ ।

ଆମର ଧର୍ମ ବିଶ୍ୱାସ ସହିତ ବୈଜ୍ଞାନିକ ଯୁକ୍ତି ଓ ସିଦ୍ଧି ସର୍ବଦା ସଂଯୁକ୍ତ ହୋଇ ରହିଥାଏ-। ନିମ୍ବ ଏକ ଦୀର୍ଘକାଳ ସ୍ଥାୟୀ ଔଷଧୀୟ ବୃକ୍ଷ । ସହଜରେ ଏହା କୀଟ ଦଂଶିତ ହୋଇନଥାଏ । ଏହାର ପତ୍ର, କାଣ୍ଡ, ବଳକଳ ମୂଳ ଫୁଲ ଆଦି ବହୁ ଔଷଧ ରୂପେ ବ୍ୟବହୃତ ହୋଇଥାଏ । ତେଣୁ ବିଗ୍ରହ ନିର୍ମାଣ କାଳରେ ବୃକ୍ଷର ଏହି ଦିଗଟି ପ୍ରତି ବିଶେଷ ଦୃଷ୍ଟି ପ୍ରଦାନ କରାଯାଇଥାଏ ।

ଏହା ବ୍ୟତୀତ ବୃକ୍ଷ ଚୟନ ପ୍ରକ୍ରିୟାରେ କେତେକ ବିଧିବିଧାନ ପ୍ରତି ଦୃଷ୍ଟି ଦିଆଯାଇଥାଏ । ଏଥିରେ ପରଂବ୍ରହ୍ମଙ୍କର ମୂର୍ତ୍ତି ନିର୍ମାଣ ହେଉଥିବାରୁ ଦାରୁ ଓ ଦାରୁସ୍ଥଳ ଚୟନ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ଚାରିଶାଖା ବିଶିଷ୍ଟ ଓ କୃଷ୍ଣବର୍ଣ୍ଣ ହେବା ବିଧେୟ । ସେହିପରି ଏଥିରେ ଶଂଖ, ଚକ୍ର, ଗଦା, ପଦ୍ମ, ମଧ୍ୟରୁ ଯେ କୌଣସି ତିନୋଟି ରହିଥିବ । କାମପାଳ ଶ୍ରୀବଳଦେବଙ୍କ ଦାରୁ ସାତ ଶାଖା ବିଶିଷ୍ଟ ହୋ ସପ୍ତଫେଣୀ ନାଗର ଭ୍ରମ ସୃଷ୍ଟି କରୁଥାଏ ଏବଂ ଶରୀରରେ (ଗଣ୍ଡିରେ) ହଳ ଓ ମୂଷଳ ଚିହ୍ନ ଧାରଣ କରିଥାଏ । ଜଗତ୍ ଜନନୀ ସୁଭଦ୍ରାଙ୍କ ଦାରୁ ଇଷତ୍ ହଳଦିଆ ଓ ପଂଚଶାଖା ବିଶିଷ୍ଟ ଏଥିରେ ପଦ୍ମ ତଥା ଯୋନି ଚିହ୍ନ ରହିଥାଏ । ଶ୍ରୀସୁଦର୍ଶନଙ୍କର ବିଗ୍ରହ ନିମିତ୍ତ ତ୍ରିଶାଖା ବିଶିଷ୍ଟ ନାଭି ଚିହ୍ନ ସମ୍ବଳିତ ଲୋହିତ ବର୍ଣ୍ଣ ଦାରୁକୁ ନିର୍ଣ୍ଣୟ କରାଯାଇଥାଏ । ଯେଉଁ ସ୍ଥାନରୁ ଦାରୁ ସଂଗ୍ରହ କରାଯିବ ସେ ସ୍ଥାନର ମହତ୍ତ୍ୱ ତଥା ପବିତ୍ରତା ସଂପର୍କରେ ମଧ୍ୟ ପୁରାଣ ମାନଙ୍କର ଉଲ୍ଲେଖ ରହିଛି । ଯେହେତୁ ବହୁ ପ୍ରାଚୀନ କାଳରୁ ଦାରବ ବିଗ୍ରହର ପୂଜନ ବିଧି ପ୍ରଚଳିତ ତେଣୁ ଏହାର ଉଲ୍ଲେଖ ପୁରାଣମାନଙ୍କରେ ତଥା ସଂହିତା ମାନଙ୍କରେ ଦେଖିବାକୁ ମିଳେ ।

ବୃହତ୍ ସଂହିତା ଅନୁସାରେ ଯାତାୟତ ପଥ, ପିତୃବନ, ମନ୍ଦିର, ଉଈହୁଙ୍କା, ଉପବନ, ଶ୍ମଶାନ, ଆଶ୍ରମ ଆଦିରେ ଥିବା ବୃକ୍ଷ, ନଦୀ ସ୍ରୋତ୍ରରେ କ୍ଷୟପ୍ରାପ୍ତ ମୂଳଯୁକ୍ତ ବୃକ୍ଷ, ପରାଙ୍ଗ ପୁଷ୍ପଲତା ମାଡିଥିବା ବୃକ୍ଷ କିମ୍ବା ଅନ୍ୟ ଏକ ବୃକ୍ଷ ଉପରେ ଉଠିଥିବା ବୃକ୍ଷ, ଝଡ କିମ୍ବା ହାତୀ ଆଦି ପଶୁ ଆକ୍ରମଣରେ ଭଗ୍ନ ହୋଇଥିବା ବୃକ୍ଷ, ବନାଗ୍ନି ବା ଘଡ଼ଘଡ଼ି ପଡ଼ି ଜଳିଥିବା ବୃକ୍ଷ, ପକ୍ଷୀବସା ତଥା ମହୁଫେଣା ଥିବା ବୃକ୍ଷ ତଥା କୁବୁଜାଙ୍ଗ ହୋଇଥିବା ବୃକ୍ଷକୁ ସାଧାରଣତଃ ଦାରବ ବିଗ୍ରହ ନିମିତ୍ତ ନିର୍ବାଚନ କରାଯାଇନଥାଏ କିନ୍ତୁ ତିନୋଟି ରାସ୍ତାର ସଂଗମ ସ୍ଥଳ, ତିନୋଟି ନଦୀର ସଂଗମ ସ୍ଥଳରେ ଥିବା ବୃକ୍ଷ ଯାହା ନିକଟରେ ଶ୍ମଶାନ, ମଠ, ମନ୍ଦିର ଆଦି ରହିଥିବ ବୃକ୍ଷର ଚର୍ତୁର୍ଦ୍ଦିଗରେ ବରୁଣ, ସାହାଡା ବା ବେଲଗଛ ଥିବା ନିକଟରେ ଯଦି ଉଈହୁଙ୍କା ଥାଏ, ସେହି ବୃକ୍ଷକୁ ପବିତ୍ର ବୃକ୍ଷଭାବେ ଗ୍ରହଣ କରାଯାଇଥାଏ । କାରଣ ଏହି ବୃକ୍ଷକୁ ସର୍ପ ଜଗିରହିଥିବା ଶୁଭ ସୂଚନା ପ୍ରଦାନ ମହାପ୍ରଭୁଙ୍କ ଦାରୁ ନିମିତ୍ତ ଆପାତତଃ ଚୟନ କରାଯାଇଥାଏ ।

ମହାପ୍ରଭୁଙ୍କ ଏହି ଦିବ୍ୟ ବିଗ୍ରହ ନିମିତ୍ତ ଯେଉଁ ଦାରୁ ଚୟନ କରାଯିବ ତା ପାଇଁ ଅପାତତଃ ଏକ ବିଶେଷ ପ୍ରସ୍ତୁତି କରଣର ଆବଶ୍ୟକତା ପଡ଼େ । ଯାହାର ନାମ ବନଯାଗଯାତ୍ରା । ଭାରତୀୟ ସଂସ୍କୃତିରେ ପଥର ଧାତୁ, ମଣିମାଣିକ୍ୟ ଠାରୁ କାଠର ମାହାତ୍ମ୍ୟ ସର୍ବାଧିକ, ଏଥିରେ ମୂର୍ତ୍ତି ନିର୍ମାଣର ପ୍ରକ୍ରିୟା ମଧ୍ୟ ସେହିପରି ମହତ୍ତ୍ୱପୂର୍ଣ୍ଣ । ବରାହମିହର କୃତ ବୃହତ ସଂହିତା ଅନୁସାରେ-

“କର୍ତ୍ତୁରନୁକୂଳ ଦିବସେ ଦୈବଜ୍ଞ ବିଶୋଧିତେ ଶୁଭ ନିମିତ୍ତେ

ମଙ୍ଗଲଶକୁନୈଃ ପ୍ରସ୍ତାନିକୈଶ୍ଚ ବନ ସମ୍ପ୍ରବେଶଃ ସ୍ୟାତ୍”

ଅର୍ଥାତ୍ ବୃକ୍ଷ ଅନୁସନ୍ଧାନ ନିମିତ୍ତ ଜ୍ୟୋର୍ତିବିଦମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଏକ ଶୁଭ ମୂହୁର୍ତ୍ତଦେଖି ବାହାରିବା ବିଧେୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି କାର୍ଯ୍ୟ ଆପାତତଃ ଆରମ୍ଭ ହୁଏ ବାସନ୍ତିକ ଦୂର୍ଗାପୂଜା ଅର୍ଥାତ୍ ଚୈତ୍ର ଶୁକ୍ଲ ଦଶମୀ ତିଥିରେ । ଏହି ଦିନ ଶ୍ରୀମନ୍ଦିରରୁ ବିଦ୍ୟାପତି ସେବକ, ପତିମହାପାତ୍ର ଦାରୁ ଅନ୍ୱେଷଣ ଯାତ୍ରାରେ ଯିବାପାଇଁ ମହାପ୍ରଭୁଙ୍କରଠାରୁ ଆଜ୍ଞା ନେଇଥାନ୍ତି । ଏହି ଆଜ୍ଞାକୁ ଆଜ୍ଞାମାଳ କୁହାଯାଏ । ତିନିବାଡର ତିନିବାଡଗ୍ରାହୀଙ୍କୁ ତିନୋଟି ଆଜ୍ଞାମାଳ ଦେବା ପରେ ଶ୍ରୀସୁଦର୍ଶନଙ୍କ ଆଜ୍ଞାମାଳ ସେ ନିଜେ ଗ୍ରହଣ କରିଥାନ୍ତି । ଆଜ୍ଞାମାଳ ପାଇଥିବା ଚାରିଜଣଙ୍କୁ ଏହି ଅବସରରେ ଅଣସର ପିଣ୍ଡିଠାରେ ଭିତରଛୁ ମହାପାତ୍ର ବାରଲାଗି ଶାଢ଼ୀ ବାନ୍ଧିଥାନ୍ତି ଏବଂ ଅନ୍ୟ ଦଇତାପତିମାନଙ୍କୁ ବାରହାତ ଲେଖାଏଁ ବାରଲାଗି ଶାଢ଼ୀ ବାନ୍ଧନ୍ତି । ତତ୍ପରେ ଜୟବିଜୟ ଦ୍ୱାରଠାରେ ଦେଉଳ କାରଣ, ତଢଉକରଣ, ବେହେରା, ଖୁଣ୍ଟିଆଙ୍କ ଗୋଟା ବାର ଲାଗି ଶାଢ଼ୀ ବାନ୍ଧିଥାନ୍ତି ।

ସେହିପରି ଲେଙ୍କା ଓ ବିଶ୍ଵକର୍ମା ମହାରଣାଙ୍କୁ ମଧ୍ୟ ସୂତାଶାଢୀ ବାନ୍ଧି ଦିଅନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ଖଣ୍ଡୁଆ ପାଟ ସୂଚାଇ ଦିଏ ଏମାନେ ମହାପ୍ରଭୁଙ୍କର ଅନୁଗତ ସେବକ । ଏହା ତାଙ୍କର ମାନସମ୍ମାନ ର ପ୍ରତୀକ ବୋଲି ସେମାନେ ଗ୍ରହଣ କରିଥାନ୍ତି । ଏହାକୁ ମହାପ୍ରଭୁଙ୍କର ଆଶୀର୍ବାଦ ତଥା ଏହା ହିଁ ବନଯାଗରେ ତାଙ୍କର ସଂରକ୍ଷକ ବୋଲି ବନଯାଗ ଯାତ୍ରୀମାନେ ମତ ପୋଷଣ କରିଥାନ୍ତି ।

ବନଯାଗ ଯାତ୍ରା କାକଟପୁରରେ ପହଂଚିବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ସେଠାରେ ଥିବା ମାହଳ, ଅଶ୍ଵତଥ୍ କିମ୍ବା ସାହାଡା ବୃକ୍ଷ ମୂଳରେ ସ୍ଥାପନ କରି ତାଙ୍କର ପୂଜା ଅର୍ଚ୍ଚନା କରାଯାଏ-। ଏବଂ ଦଇତାମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ଶବରପଲ୍ଲୀରେ ଦଇତାମାନେ ବିଶ୍ରାମ କରନ୍ତି । ସେମାନଙ୍କର ପହଂଚିବାର ସୂଚନା ମା’ମଙ୍ଗଳାଙ୍କ ମନ୍ଦିରକୁ ଦେଉଳ କରଣ ଏକ ଚିଟାଉରେ ପ୍ରେରଣ କରନ୍ତି । ବନଯାଗ ଦଳର ଚିଟାଉ ପାଇଲା ପରେ ମା’ମଙ୍ଗଳାଙ୍କ ପକ୍ଷରୁ ନିମନ୍ତ୍ରଣ ଆସେ-। ଏହି ନିମନ୍ତ୍ରଣ ବାଦ୍ୟ ଘଣ୍ଟ, କାହାଳୀ, ଛତ୍ରି, ତରାଶ ଓ ପଟୁଆର ସହିତ ଆସେ ଏବଂ ସେହି ପଟୁଆରରେ ବନଯାଗ ଯାତ୍ରୀମାନେ ନେଇଥିବା ମାଜଣା ସାମଗ୍ରୀ, ମାଳମହାପ୍ରସାଦ, ଚଢ଼େଇନେଦା, ତାଡ଼ ଏବଂ ସୁଆରପିଠା ଲୋହିତ ବାନା ଆଦି ସହିତ ଯାତ୍ରା କରିଥାନ୍ତି । ଏକ ଭବ୍ୟ ଶୋଭାଯାତ୍ରାରେ ଯାଇ ସେମାନେ ମଂଗଳା ମନ୍ଦିରରେ ପ୍ରବେଶ କରନ୍ତି । ଚକ୍ରରାଜ ସୁଦର୍ଶନଙ୍କୁ ନେଇ ଲେଙ୍କା ମା’ଙ୍କର ଆସ୍ଥାନର ବାମପାର୍ଶ୍ଵ ରେ ବିଜେ କରାଇଥାନ୍ତି । ମା’ଙ୍କର ମାଜଣା ନିତି ସମୟରେ ଶ୍ରୋତ୍ରିୟ ବ୍ରାହ୍ମଣମାନେ ସେଠାରେ ଚଣ୍ଡୀପାଠ କରିଥାନ୍ତି । ମା’ଙ୍କର ଆଳତି ଚାଲିଥିବା ସମୟରେ ତାଙ୍କର ମାଳ ଯେଉଁ ଦିଗକୁ ଖସେ ତାକୁ ଆଧାର କରି ଦଇତାମାନେ ଦାରୁ ଅନ୍ୱେଷଣ କରିବାକୁ ଯାଇଥାନ୍ତି । ଦାରୁ ଅନ୍ୱେଷଣ ଶେଷ ନହେବା ପର୍ଯ୍ୟନ୍ତ ସେମାନେ ଦେଉଳି ମଠରେ ଅବସ୍ଥାନ କରନ୍ତି ।

ଲୀଳାମୟ ପ୍ରଭୁ ନୀଳାଦ୍ରିନାଥଙ୍କର ସବୁ କିଛି ରାଜକୀୟ- ଆଡମ୍ବର ପୂର୍ଣ୍ଣ । ଶ୍ରୀସୁଦର୍ଶନଙ୍କ ଦାରୁ ଚିହ୍ନଟ ହୋଇ ଯଜ୍ଞପରେ ଭୂତଳଶାୟୀ ହେଲାପରେ ତାହାକୁ ଚଉପଟ କରାଯାଏ । ଚଉପଟ ଅଂଶକୁ ଛାଡ଼ି ବାକିତକ ଅଂଶକୁ ପାତାଳି କରାଯାଇଥାଏ । ଦାରୁକୁ ଶ୍ରୀକ୍ଷେତ୍ର ଆଣିବା ପାଇଁ କାଠରେ ନିର୍ମିତ ଚାରିଚକ ବିଶିଷ୍ଟ ଏକ ଛୋଟ ଯାନ ପ୍ରସ୍ତୁତ ହୋଇଥାଏ । ଯାହାକୁ ଶଗଡ଼ି କହନ୍ତି । ଦାରୁଛେଦନ ସଂପନ୍ନ ହେଲେ ଶଗଡ଼ି ଉପରେ ପାଟବସ୍ତ୍ର ବିଛାଇ ତା ଉପରେ ଚଉପଟ ଦାରୁଙ୍କୁ ଉପବିଷ୍ଟ କରାଯାଇ ତା ଉପରେ ଖଣ୍ଡୁଆ ପାଟ ଘୋଡ଼ାଇ ଦିଆଯାଏ ଏବଂ ଏହି ପାଟ ସହିତ ଦାରୁକୁ ଯେଉଁଥିରେ ବନ୍ଧନ କରାଯାଏ ତାକୁ ବାସୁଙ୍ଗା ପାଟ କହନ୍ତି । ଏହି ପାଟ ଦଉଡ଼ି ପ୍ରସ୍ତୁତ କାର୍ଯ୍ୟ ବନଯାଗ ଯାତ୍ରୀଦଳ ଯେଉଁଦିନ ଶ୍ରୀମନ୍ଦିରରୁ ବାହାରି ଅନ୍ୱେଷଣରେ ଯାଆନ୍ତି ସେହିଦିନଠାରୁ ଆରମ୍ଭ ହୋଇଥାଏ । ଚୈତ୍ର ଶୁକ୍ଲଦଶମୀ ଦିନ ପାଟରା ବିଶୋଇ ସେବକ ବାସୁଙ୍ଗା ପାଟସୂତା ନେଇ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରନ୍ତି । ମହାଲକ୍ଷ୍ମୀ ମନ୍ଦିରର ଜଗମୋହନରେ ବାସୁଙ୍ଗା ପାଟସୂତାରେ ଦଉଡ଼ି ନିର୍ମାଣ ହୁଏ । ପ୍ରତ୍ୟୟ ୧୫ ରୁ ୨୦ ଜଣ ପାଟରା ବିଶୋଇ ସେବକ ଜଗମୋହନରେ ବସି ପାଟଦଉଡ଼ି ପ୍ରସ୍ତୁତ କରନ୍ତି । ଆପାତତଃ ଚାରିଦାରୁଙ୍କ ନିମିତ୍ତ ୨୨ ଗୋଟି ଦଉଡ଼ି ପ୍ରସ୍ତୁତ ହୁଏ । ବିଧି ଅନୁସାରେ ଚଉପଟ ଦାରୁଙ୍କୁ ଦେଖିବାର ନିୟମନାହିଁ, ତେଣୁ ଦାରୁଙ୍କୁ ଭଲଭାବରେ ଖଣ୍ଡୁଆ ଘୋଡାଇ ଦେଲାପରେ ବାସୁଙ୍ଗା ପାଟର ପଇତା ଧାରଣ କରନ୍ତି । ଏବଂ ତାଙ୍କ ଶ୍ରୀବିଗ୍ରହ ନିର୍ମାଣରେ ମଧ୍ୟ ବାସୁଙ୍ଗା ପାଟ ବ୍ୟବହୃତ ହୁଏ । ଏପରିକି ଯେଉଁ ପାଟ ଡ଼ୋରିରେ ରୁନ୍ଧାହୋଇ ସେ ପହଣ୍ଡି କରନ୍ତି ତାହା ମଧ୍ୟ ବାସୁଙ୍ଗାପାଟ ।

ପରମ୍ପରା ଅନୁଯାୟୀ ଶ୍ରୀସୁଦର୍ଶନଙ୍କ ଦାରୁ ଶ୍ରୀକ୍ଷେତ୍ର ଅଭିମୁଖେ କିଛି ବନଯାଗ ଦଇତାଙ୍କୁ ନେଇ ବର୍ହିଗତହେଲାପରେ ଲେଙ୍କା ସେବକ ଶ୍ରୀସୁଦର୍ଶନଙ୍କୁ ଧାରଣ କରି ଅବଶିଷ୍ଟ ବନଯାଗ ଯାତ୍ରୀ (ଦଇତା ବ୍ରାହ୍ମଣ ଆଦି)ଙ୍କୁ ନେଇଶ୍ରୀବଳଭଦ୍ରଙ୍କ ନିମିତ୍ତ ଉର୍ଦ୍ଦିଷ୍ଟ ଦାରୁ ନିକଟରେ ପହଂଚନ୍ତି- ସେଠାରେ ମଧ୍ୟ ଠିକ୍ ସେହିପରି ଶବରପଲ୍ଲୀ, ଯଜ୍ଞମଣ୍ଡପ ଆଦି ନିର୍ମିତ ହୋଇଥାଏ । ପୂର୍ବୋକ୍ତ ବିଧିବିଧାନ ଅନୁଯାୟୀ ସେଠାରେ ବଳଭଦ୍ରଙ୍କ ଦାରୁ ଛେଦନ କରାଯାଏ । ସେଠାରୁ ଦାରୁ ଶଗଡ଼ିକୁ ବିଦାୟ ଦେଇ ସେମାନେ ପୁନଶ୍ଚ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଦାରୁ ନିକଟରେ ପହଂଚି ଶାସ୍ତ୍ରାନୁଯାୟୀ ଯଜ୍ଞ କରି ଦାରୁ ଛେଦନ କରି ଉଦ୍ଦିଷ୍ଟ ଶଗଡ଼ିରେ ସହିତ ଫେରିଆସିଲେ ମଧ୍ୟ ବିଶ୍ୱାବସୁ ଫେରନ୍ତି ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁଶଗଡ଼ିପଛରେ ସେ ବନରୁ ଫେରନ୍ତି । ମହାପ୍ରଭୁଙ୍କର ରଥଯାତ୍ରା ମାତ୍ର ନଅଦିନ କିନ୍ତୁ ମହାପ୍ରଭୁଙ୍କର ଦାରୁଯାତ୍ରା ପ୍ରାୟ ଦୁଇମାସ ଧରି ଚାଲିଥାଏ ।

ପରମ୍ପରା ଅନୁଯାୟୀ ଶ୍ରୀସୁଦର୍ଶନ ଓ ବଡ଼ଠାକୁର, ବଳଭଦ୍ରଙ୍କର ଦାରୁଆସି ଏକରାତ୍ର ନିମିତ୍ତ ମା ଅଲାମଚଣ୍ଡୀଙ୍କ ମନ୍ଦିରରେ ବିଶ୍ରାମ କରେ । ଏହି ସମୟରେ ବନଯାଗ ଯାତ୍ରୀ ଅଲାମଚଣ୍ଡୀଙ୍କ ସମ୍ମୁଖରେ ଥିବା ପଥର ପାଚେରୀ ପୁଷ୍କରିଣୀରେ ନିତ୍ୟକର୍ମ କରନ୍ତି ଏବଂ ମା ଅଲାମଚଣ୍ଡୀଙ୍କ ସମ୍ମୁଖରେ ଏକ ଗୁପ୍ତ ମାଜଣା କରନ୍ତି । ଶ୍ରୀକ୍ଷେତ୍ରକୁ ଯେଉଁ ଅଷ୍ଟଚଣ୍ଡୀ ରକ୍ଷା କରନ୍ତି ସେମାନଙ୍କ ମଧ୍ୟରୁ ଅଲାମଚଣ୍ଡୀ ଅନ୍ୟତମ । ସେ ଏକମାତ୍ର ଚଣ୍ଡୀ ଯେ ଶବ ଉପରେ ଦଣ୍ଡାୟମାନ ତଥା ନରମୁଣ୍ଡ ମାଳଧାରିଣୀ । ସେ ହିଁ ପ୍ରଥମେ ଦାରୁଦର୍ଶନ କରନ୍ତି ।

କିନ୍ତୁ ଜଗଜନନୀ ମା ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ଆସି ଶ୍ରୀକ୍ଷେତ୍ରରେ ପହଂଚିଲେ ତାହା ଏକରାତ୍ର ନିମିତ୍ତ ଯଜ୍ଞ ନୃସିଂହଙ୍କ ମନ୍ଦିର ସମ୍ମୁଖରେ ବିଶ୍ରାମ ନିଅନ୍ତି । ଏହି ଯଜ୍ଞ ନୃସିଂହ ହିଁ ପ୍ରଥମେ ଇନ୍ଦ୍ରଦ୍ୟୁମ୍ନଙ୍କୁ ମହାସୁଗନ୍ଧି ଦାରୁର ସୂଚନା ଦେଇଥିଲେ ଏବଂ ବାଂକିମୁହାଣରୁ ଆସିଥିବା ଦାରୁ ଯଜ୍ଞ ନୃସିଂହ ମଣ୍ଡପ ନିକଟସ୍ଥ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ନିର୍ମିତ ହୋଇଥିଲା । ଆଦ୍ୟାଶକ୍ତି ଦେବୀ ସୁଭଦ୍ରା ମହାଶକ୍ତି ରୂପେ ଆର୍ବିଭୁତା ହୋଇଥିବାରୁ ପ୍ରଭୁ ଯେଉଁଠାରେ ଯୋଗମାୟା ସେହିଠାରେ ଭାବରେ ସେ ନୃସିଂହଙ୍କ ମନ୍ଦିରରେ ଅବସ୍ଥାନ କରନ୍ତି । ଏହାପରେ ଯଥାରୀତି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ଅବକାଶ ନୀତି ସଂପନ୍ନ ହେବା ପରେ ଶ୍ରୀମନ୍ଦିରରୁ ବିଜେ କାହାଳୀ, ଘଣ୍ଟ, ଘଣ୍ଟା, ଛତ୍ରୀ ଆସି ଦାରୁ ଶଗଡ଼ି ନିକଟରେ ପହଂଚେ, ଏବଂ ଦାରୁ ଶଗଡ଼ିର ଆଳତି ପରେ ବିଜେ କାହାଳୀ ବାଜେ ଓ ଭକ୍ତମାନେ ପରମ ଆଗ୍ରହରେ ବଡ଼ଦାଣ୍ଡରେ ଦାରୁ ଶଗଡ଼ିକୁ ମହାଉଲ୍ଲାସର ସହିତ ଟାଣିଟାଣି ନେଇ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ପାଖରେ ପହଂଚନ୍ତି । ଏଠାରେ ପରମ୍ପରା ଅନୁଯାୟୀ ଉତ୍ତର ପାର୍ଶ୍ଵମଠ ତରଫରୁ ମହାଦାରୁଙ୍କୁ ପଣାଭୋଗ ସମର୍ପଣ କରାଯାଏ । ଏହାପରେ ଦାରୁଶଗଡ଼ି ଉତ୍ତର ଦ୍ୱାର ମଧ୍ୟରେ ପ୍ରବେଶ କରେ । ଉତ୍ତର ଦ୍ୱାରକୁ ସାଧାରଣତଃ ଚେମେଣି ଦ୍ୱାର ହସ୍ତୀଦ୍ୱାର ବା ଦେବଯାନ ମାର୍ଗ ଦ୍ୱାର ଭାବରେ ନାମିତ କରାଯାଏ । ଦେବଯାନ ମାର୍ଗ ସଂପର୍କରେ ବିଷ୍ଣୁ ପୁରାଣରେ ଏକ ତାତ୍ତ୍ୱିକ ବର୍ଣ୍ଣନା ରହିଛି-

“ଉତ୍ତରଃ ସବିତୁଃ ପନ୍ଥା ଦେବୟାନଶ୍ଚ ସ ସ୍ଵତ”

(ବି.ପୁ.ପ୍ରୁ-୧୩୫)

 

ନାଗ ବିଥିର ଉତ୍ତର ଏବଂ ସପ୍ତର୍ଷିମାନଙ୍କ ଦକ୍ଷିଣରେ ସୂର୍ଯ୍ୟଙ୍କର ଉତ୍ତରୀୟ ମାର୍ଗ ଅବସ୍ଥିତ । ତାହାକୁ ଦେବଯାନ ମାର୍ଗ କହନ୍ତି । ଏଠାରେ ଯେଉଁ ପ୍ରସିଦ୍ଧ ନିର୍ମଳ ସ୍ଵଭାବ ଏବଂ ଜିତେନ୍ଦ୍ରିୟ ବ୍ରହ୍ମଚାରୀଗଣ ନିବାସ କରନ୍ତି ସେମାନେ କୌଣସି ସନ୍ତାନର କାମନା କରନ୍ତି ନାହିଁ । ତେଣୁ ସେମାନେ ମୃତ୍ୟୁକୁ ଜୟ କରିଥାନ୍ତି । ଏଠାରେ ଅଶିହଜାର ଉର୍ଦ୍ଧ୍ୱରେତା ମୁନିଗଣ ପ୍ରଳୟକାଳ ପର୍ଯ୍ୟନ୍ତ ନିବାସ କରନ୍ତି । ତେଣୁ କଥିତ ଅଛି ମହାପ୍ରଭୁଙ୍କର ଦେବସଭାକୁ ଏହିଦ୍ୱାର ଦେଇ ଦେବଗଣ ଯିବା ଆସିବା କରି ଏହି ଉର୍ଦ୍ଧ୍ୱରେତା ମୁନିମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ପାବଚ୍ଛର ନିମ୍ନଦେଶରେ ରହିଛି ମହାପ୍ରଭୁଙ୍କର ସର୍ବତୀର୍ଥ ଧାରିଣୀ ସୁନାକୂଅ । ତେଣୁ ଏହି ଦ୍ୱାର ଦେଇ ମହାପ୍ରଭୁଙ୍କର କୋଇଲିବୈକୁଣ୍ଠକୁ ଗମନ କରିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଏହିଠାରେ ଏକ ଅସ୍ଥାୟୀ ମଣ୍ଡପ ବା କାରୁଶାଳା ନିର୍ମିତ ହୋଇଥାଏ । ଏହି କାରୁଶାଳା ମଧ୍ୟରେ ନିର୍ମାଣ ମଣ୍ଡପ, ପ୍ରତିଷ୍ଠାମଣ୍ଡପ, ନୃସିଂମଣ୍ଡପ, ଦାରୁମଣ୍ଡପ, ସମ୍ଭାରମଣ୍ଡପ, ସ୍ନାନମଣ୍ଡପ ଓ ଅଧିବାସମଣ୍ଡପ ଆଦି ନିର୍ମିତ ହୋଇଥାଏ । ପ୍ରତିଷ୍ଠା ମଣ୍ଡପ ବା ଯଜ୍ଞ ମଣ୍ଡପରମଧ୍ୟସ୍ଥଳରେ ଯଜ୍ଞକୁଣ୍ଡ ନିର୍ମିତ ହୋଇଥାଏ । ନିର୍ମାଣ ମଣ୍ଡପରେ ମହାପ୍ରଭୁଙ୍କର ବିଶ୍ଵକର୍ମାମାନେ ଦଇତାମାନଙ୍କ ଘରେ ଥିବା କୌଳିକ ମାପ ଅନୁଯାୟୀ ଶ୍ରୀବିଗ୍ରହମାନଙ୍କୁ ନିର୍ମାଣ କରନ୍ତି ।

ଏହି ପ୍ରକ୍ରିୟାରେ ଏକ ସାଧାରଣ ଦାରୁ, ମହାଦାରୁରେ ଏବଂ ତତପରବର୍ତ୍ତୀ କାଳରେ ବ୍ରହ୍ମଦାରୁରେ ଏବଂ ଶେଷରେ ଦାରୁବ୍ରହ୍ମରେ ପରିଣତ ହୋଇ ରତ୍ନ ସିଂହାସନରେ ଆରୁଢ଼ ହୋଇଥାନ୍ତି । ଏହା ହିଁ ଦାରୁବ୍ରହ୍ମଙ୍କର ସର୍ବଶ୍ରେଷ୍ଠ ବୃକ୍ଷ ପ୍ରୀତି । ଏହି ପ୍ରୀତିକୁ ନେଇ ଚରାଚର ବିଶ୍ଵ ଆତଜାତ । ତେଣୁ ବ୍ରହ୍ମଦାରୁରୁ ଆରମ୍ଭ କରି ଦୁର୍ବାଦଳ ପର୍ଯ୍ୟନ୍ତ ପ୍ରତ୍ୟେକ ମହାପ୍ରଭୁଙ୍କର ମହାଲୀଳାରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥାନ୍ତି ।

 

ଊନ୍ନବିଂଶ ଶତାବ୍ଦୀରେ ନବକଳେବରର ଇତିହାସ

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ଦାରୁବ୍ରହ୍ମଙ୍କ ନବକଳେବରର ସମ୍ପୁର୍ଣ୍ଣ ଇତିହାସ ଅଦ୍ୟାବଧି ଅନୁପଲବ୍ଧ । ଏହା ଗୋପନୀୟ ଲୀଳା ହୋଇଥିବାରୁ ପୂର୍ବ ପ୍ରଚେଦୀବୃନ୍ଦ ପ୍ରାଚୀନ ଶାସ୍ତ୍ର ସମୂହରେ ଏ ସମ୍ପର୍କରେ କିଛି ଉଲ୍ଲେଖ କରିଯାଇନାହାନ୍ତି । ଧର୍ମଶାସ୍ତ୍ର “ ଗଦାଧର ପଦ୍ଧତି”ରେ ଦ୍ୱାଦଶଯାତ୍ରା ସମ୍ପର୍କରେ ଉଲ୍ଲେଖ ଥିଲେ ହେଁ ନବକଳେବରର ସୂଚନା ନାହିଁ । କାଳଦୀପ ଓ କାଳପ୍ରଦୀପ ପ୍ରଭୃତି ଶାସ୍ତ୍ରରେ ମଧ୍ୟ ନବକଳେବର ପ୍ରସଙ୍ଗ ଉଲ୍ଲେଖ ନାହିଁ । ବାମଦେବ ସଂହିତାରେ ଦାରୁ ବ୍ରହ୍ମଙ୍କ ନୀତିର ବିବରଣୀ ଥିଲେ ମଧ୍ୟ ନବକଳେବର ବର୍ଣ୍ଣନା ନାହିଁ । ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମହାତ୍ମ୍ୟ ହେଉଛି ଦାରୁବ୍ରହ୍ମଙ୍କ ସମ୍ପର୍କିତ ଲୋକପ୍ରିୟ ଗ୍ରନ୍ଥ । ଏଥିରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ତଥା ପର୍ବପର୍ବାଣି ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲେ ହେଁ ନବକଳେବରର ନାମୋଚ୍ଚାରଣ କରାଯାଇନାହିଁ । ପଦ୍ମପୁରାଣ ଓ ବ୍ରହ୍ମପୁରାଣରେ ମଧ୍ୟ ଏ ସମ୍ପର୍କରେ ସୂଚନା ନାହିଁ । କପିଳସଂହିତାରେ ଦାରୁବ୍ରହ୍ମ ପ୍ରସଙ୍ଗ ଓ ଯାତ୍ରାବିଧାନ ବର୍ଣ୍ଣନା ହୋଇଥିବା ସ୍ଥଳେ ନବକଳେବର ସମ୍ପୁର୍ଣ୍ଣ ବିସ୍ମୃତ । ନୀଳାଦ୍ରି ମହୋଦୟରେ ଦାରୁମୂର୍ତ୍ତି ପ୍ରତିଷ୍ଠା ଓ ନୀତି ନିଯୋଗ ତଥା ପର୍ବପର୍ବାଣି ସମ୍ପର୍କରେ ଉଲ୍ଲେଖ ଥିଲେହେଁ ନବକଳେବର ପ୍ରସଙ୍ଗ ନାହିଁ । ଏତଦଭିନ୍ନ ଶ୍ରୀଜଗନ୍ନାଥ ତତ୍ତ୍ୱସାର ସିଦ୍ଧାନ୍ତ, ଗୁଣ୍ଡିଚା ଶତକମ୍, ଗୁଣ୍ଡିଚା ବିଜୟ ଚମ୍ପୁ, ଚନ୍ଦନଚମ୍ପୁ, ନୀଳାଦ୍ରି ଶତକମ୍, ଯାତ୍ରା ଭାଗବତ ପ୍ରଭୃତି ଗ୍ରନ୍ଥରେ ନବକଳେବରର ଉଲ୍ଲେଖ ନାହିଁ । ଓଡିଆ ଭାଷାର ଲିଖିତ କୌଣସି ପୁସ୍ତକରେ ମଧ୍ୟ ଏ ସମ୍ପର୍କରେ ସୂଚନା ନାହିଁ । ହୃଦବୋଧ ହୁଏ, ନବକଳେବର ଗୋଟିଏ ଗୋପନୀୟ ବିଧି ହୋଇଥିବାରୁ କୌଣସି ଲେଖକ ଏ ସମ୍ପର୍କରେ ଲେଖିନାହାନ୍ତି । ଶିଳାଲେଖକୁ ଆଧାର କରି ଇତିହାସ ଲେଖାହେଲେ ହେଁ କୌଣସି ଶିଳାଲେଖରେ ନବକଳେବର ସୂଚନା ନାହିଁ । କେବଳ ମାଦଳାପାଞ୍ଜି ଓ ଦେଉଳକରଣଙ୍କ ରୋଜନାମଚାରେ ମଧ୍ୟଯୁଗୀୟ ନବକଳେବରର କିଛି ସୂଚନା ରହିଛି । ପରବର୍ତ୍ତୀ କାଳରେ କାହ୍ନୁଚରଣ ମିଶ୍ର, ଅନିରୁଦ୍ଧ ଦାସ, ରବୀନ୍ଦ୍ର ନାରାୟଣ ମିଶ୍ର, ଗୟାଚରଣ ତ୍ରିପାଠୀ, ସଦାଶିବ ରଥଶର୍ମା, ଜଗବନ୍ଧୁ ପାଢ଼ୀ, ପ୍ରଫୁଲ୍ଲ କୁମାର ମିଶ୍ର, ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ପଣ୍ଡା ପ୍ରଭୃତି ନବକଳେବର ଆଧାରରେ କିଛି କିଛି ଲେଖିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଲେଖାରେ ନବକଳେବରର କୌଣସି ଇତିହାସ ନାହିଁ । ଏହି କାରଣରୁ ନବକଳେବରର ଧାରାବାହିକ ଇତିହାସ ଅନୁପଲବ୍ଧ । ଭାରତୀୟ ଧର୍ମ, ଦର୍ଶନ ଓ ସଂସ୍କୃତିରେ ଦାରୁବ୍ରହ୍ମଙ୍କ ଘଟ ପରିବର୍ତ୍ତନ ଏକ ବିଲକ୍ଷଣ ବ୍ୟାପାର ହୋଇଥିଲେ ହେଁ ଏହାର ଅୟମାରମ୍ଭ କାଳ, ଐତିହାସିକ ତଥ୍ୟ ଓ ପୌରାଣିକ ସିଦ୍ଧାନ୍ତର ବିଧିବଦ୍ଧ ଆଲୋଚନା ହେବ ସମୀଚୀନ । ଏହି ପ୍ରବନ୍ଧରେ ମାଦଳାପାଞ୍ଜି, ଦେଉଳକରଣଙ୍କର ରୋଜନାମଚା, ଶ୍ରୀମନ୍ଦିର ପ୍ରଶାସନର କିଛି ଅଭିଲେଖ ଓ ବିଶିଷ୍ଟ ଗବେଷକମାନଙ୍କ ପ୍ରଦତ୍ତ ତଥ୍ୟକୁ ଆଧାର କରି ନବକଳେବର ଇତିହାସ ଉପରେ ଆଲୋକପାତ ।

ପୁରାଣ ବର୍ଣ୍ଣନାନୁଯାୟୀ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ଦାରୁ ସଂଗ୍ରହ, ମୂର୍ତ୍ତି ନିର୍ମାଣ, ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା କରାଇଥିଲେ । ସେ ପ୍ରଥମେ ପୁରୋଧା ବିଦ୍ୟାପତିଙ୍କୁ ପଠାଇଲେ । ବିଦ୍ୟାପତି ଉତ୍କଳଦେଶ ଆସି ବିଶ୍ଵାବସୁ ପୂଜା କରୁଥିବା ମୂର୍ତ୍ତିକୁ ଦର୍ଶନ କଲେ । ସେ ମାଳବ ଫେରିଯାଇ ଇନ୍ଦ୍ରଦ୍ୟୁମ୍ନଙ୍କୁ ସମ୍ବାଦ ଦେବା ପରେ ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ଆଗମନ କଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ପହଞ୍ଚିଲା ବେଳକୁ ପୂଜିତ ମୂର୍ତ୍ତି ଲୁପ୍ତ ହୋଇଗଲେ । ରାଜା ଦେବର୍ଷି ନାରଦଙ୍କ ସହାୟତାରେ ଯଜ୍ଞ କଲେ ତଥା ସ୍ଵପ୍ନରେ ଠାକୁରଙ୍କୁ ଦର୍ଶନ କଲେ । ଏହି ରାଜା ସମୁଦ୍ରରେ ଭାସିଆସି ଲାଗିଥିବା ମହାଦାରୁ ସଂଗ୍ରହ କରି ମୂର୍ତ୍ତି ଗଠନ କରାଇଲେ । ସ୍କନ୍ଧପୁରାଣରେ ଉଲ୍ଲେଖ ରହିଛି-

ଏଷ ବିଦ୍ୟାପତି ବିପ୍ରୋ ଦିନେ ଯସ୍ମିନ୍ ଦଦର୍ଶତମ୍

ସାୟଂକାଳେ ତତୋନ୍ୟେଦ୍ୟୁଃ ସ୍ବର୍ଣ୍ଣବାଲୁକୟାବୃତଃ

ଯଯୌ ପାତାଳ ନିଳୟଂ ମର୍ତ୍ତ୍ୟଲୋକେ ସୁଦୁର୍ଲଭଃ

ନୀଳେନ୍ଦୁମଣି ମୂର୍ତ୍ତେଶୁ ବିଷ୍ଣୋରୂପଂ ଯଥାଯଥାମ୍

ଇନ୍ଦ୍ରଦ୍ୟୁମ୍ନ ଲୁପ୍ତ ହୋଇଥିବା ବିଗ୍ରହଙ୍କୁ ନିର୍ମାଣ ଓ ପ୍ରତିଷ୍ଠା କରିବା ହେଉଛି ପ୍ରଥମ କଳେବର । ବର୍ତ୍ତମାନ ଆଚାର୍ଯ୍ୟ, ପତିମହାପାତ୍ର ଓ ଦଇତାମାନେ ଯେପରି ସ୍ଵପ୍ନାବତୀ ମନ୍ତ୍ର ଜପ କରୁଛନ୍ତି ଓ ସ୍ଵପ୍ନ ଦର୍ଶନ କରୁଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ମଧ୍ୟ ସେହିପରି ହୋଇଥିଲା । ସେତେବେଳେ ମଧ୍ୟ ବନଯାଗ, ଦାରୁସଂଗ୍ରହ, ମୂର୍ତ୍ତି ନିର୍ମାଣ ଓ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା । ସ୍କନ୍ଧପୁରାଣ ବର୍ଣ୍ଣନାନୁସାରେ-

ଦକ୍ଷିଣେ ତଟଭୂଦେଶେ ବିଲ୍ୱେଶ୍ଵର ସମିପତଃ

ଦେବ ଦୃଷ୍ଟୋ ମହାନବୃକ୍ଷସ୍ତଟଭୂମୌ ମହୋଦଧେଃ

ପ୍ରବିଷ୍ଟାତ୍ର ସମୁଦ୍ରାନ୍ତ କଲ୍ଲୋଳ ପ୍ଲବ ମୂଳକଃ

ମଞ୍ଚିଷ୍ଟବର୍ଣ୍ଣଃ ସର୍ବତ୍ର ଶଂଖ ଚକ୍ରାଂଙ୍କିତଃ ପ୍ଲୁବନ୍

ସ୍ନାନବେଶ୍ମ ସମୀପେଽସୌ ଦୃଷ୍ଟୋଽସ୍ମାଭିଃ ପୁରୋଽଭୂତଃ

ଅନୁରୂପ କଥା ବାମଦେବ ସଂହିତାରେ ମଧ୍ୟ ବର୍ଣ୍ଣିତ, ଯାହାକି ବିଶେଷ ପ୍ରଣିଧାନଯୋଗ୍ୟ ।

ରାତ୍ରୌ ସ୍ଵପ୍ନଂଦର୍ଶାଥ ଶ୍ଵେତଦ୍ୱୀପାନ୍ମନୋରମାତ୍

ଚନ୍ଦନ ତରୁରାଗତ ବିଲେଶ୍ଵର ସମୀପତଃ

ଶଙ୍ଖଚକ୍ରାନ୍ୱିତଂ ଦିବ୍ୟଂ ମହାଗନ୍ଧଂ ସୁଗନ୍ଧିତମ୍

ଜଗନ୍ନାଥ ସ୍ବରୂପଂ ତୁ ପୁଷ୍ପବୃଷ୍ଟି ସମାକୁଳମ୍

ଏହି ଦୃଷ୍ଟିକୋଣରୁ ବିଚାର କଲେ, ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ପ୍ରଥମ ନବକଳେବର ସମ୍ପନ୍ନ ହୋଇଥିଲା । ଗବେଷକ ଡକ୍ଟର ଗୟାଚରଣ ତ୍ରିପାଠୀ ମଧ୍ୟ ଏହାକୁ ସର୍ବପ୍ରାଚୀନ ନବକଳେବର ବୋଲି ବିଚାର କରିଛନ୍ତି । ସେ ଆଷାଢ଼ ମଳମାସ ବା ପୁରୁଷୋତ୍ତମ ମାସରେ ପ୍ରଥମେ ଦାରୁ ବିଗ୍ରହ ନିର୍ମାଣ କରିଥିବାର ପ୍ରତି ଆଠବର୍ଷ, ବାରବର୍ଷ ବା ଉଣେଇଶ ବର୍ଷରେ ଆଷାଢ଼ ଦୋମାସି ପଡ଼ିଲେ ନବକଳେବର ହୋଇଥାଏ । ସମୟେ ସମୟେ ଅନିବାର୍ଯ୍ୟ କାରଣ ବଶତଃ ଅକାଳରେ ମଧ୍ୟ ନବକଳେବର ହେବାର ଦୃଷ୍ଟାନ୍ତ ରହିଛି । ମହନୀୟତା ହେଉଛି, ଦାରୁବ୍ରହ୍ମ ଯେତେବେଳେ ନବକଳେବର ଧାରଣ କରିଛନ୍ତି ମୂଳ ପରମ୍ପରାରେ ହିଁ ନବକଳେବର ବିଧି ସମ୍ପନ୍ନ ହୋଇଛି ।

ଇଂରେଜମାନେ ୧୮୦୩ରେ ଓଡ଼ିଶା ଅଧିକାର କରିବା ପରେ ୧୮୦୯ ରେ ନବକଳେବର ହୋଇଥିଲା । ମାଦଳାପାଞ୍ଜିରେ ଏହା ୧୮୧୭ରେ ହୋଇଥିବା ଉଲ୍ଲେଖ ଥିଲେ ହେଁ ଇଂରେଜମାନଙ୍କ ଅଭିଲେଖରେ ଏହା ୧୮୦୯ ହେବା ଉଲ୍ଲେଖ ଅଛି । ତତ୍କାଳୀନ ଅଭିଲେଖରୁ ଜଣାଯାଏ, ପରିଚ୍ଛାମାନଙ୍କ ନିବେଦନ ଯୋଗୁ ରାଜସ୍ଵ ପରିଷଦର ଭୂବନ୍ଦୋବସ୍ତ କମିଶନର ଚାର୍ଲସବୁଲର ନବକଳେବର ଖର୍ଚ୍ଚ ନିମିତ୍ତ ଟ.୫,୫୦୦/-ଙ୍କା ଆର୍ଥିକ ସାହାଯ୍ୟ ଦେଇଥିଲେ । ଏତଦଭିନ୍ନ ଖଣ୍ଡପଡ଼ା ରାଜା,ରଣପୁର ରାଜା ଓ ଆଠମଲ୍ଲିକ ରାଜା ନବକଳେବର ଖର୍ଚ୍ଚ ନିମିତ୍ତ ଅର୍ଥ ପ୍ରଦାନ କରିଥିଲେ । ସେହି ସମୟରେ ପାଇକ ବିଦ୍ରୋହ ଆରମ୍ଭ ହୋଇଯାଇଥିବାରୁ ଜୟୀ ରାଜଗୁରୁ ଦାରୁ ପ୍ରତିଷ୍ଠା କରିପାରିନଥିଲେ । କେବଳ ଅନ୍ୟାନ୍ୟ ଆଚାର୍ଯ୍ୟ, ପତିମହାପାତ୍ର ଓ ଦଇତାପତି ବନଯାଗ ବିଧିରେ ଖଣ୍ଡପଡ଼ାରୁ ଦାରୁ ସଂଗ୍ରହ କରିଥିଲେ । ପରେ ବକ୍ସି ଜଗବନ୍ଧୁ ଗୋପନରେ ଆସି ନବଯୌବନ ଦର୍ଶନ କରିଥିଲେ । ଗଜପତି ମୁକୁନ୍ଦଦେବ ଅନୁପସ୍ଥିତ ରହିବାରୁ ମୁଦିରଥ ରଥରେ ଛେରାପହଁରା କାର୍ଯ୍ୟ ତୁଲାଇଥିଲେ । ସେହିବର୍ଷ ପୁରୀ ବଡଦାଣ୍ଡରେ ପ୍ରଥମଥର ନିମିତ୍ତ ଗୋରା ସୈନ୍ୟ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ପୁରୀର ତତ୍କାଳୀନ କଲେକ୍ଟର ସି.ଗ୍ରୋମ୍ ଏହି ନବକଳେବର ସୁରୁଖରେ ସମ୍ପନ୍ନ ହେବା ନିମିତ୍ତ ବିଶେଷ ପଦକ୍ଷେପ ନେଇଥିଲେ । ଏହାପରେ ଯୋଡ଼ା ଆଷାଢ଼ ପଡ଼ିଥିବା ୧୮୨୮ ଖ୍ରୀଷ୍ଟାବ୍ଦରେ ନବକଳେବର ହୋଇଥିଲା । କମିଶନର ପ୍ୟାକେନହାମ ଟ.୫,୫୦୦ଙ୍କା ଅନୁଦାନ ଦେଇଥିଲେ । ଦ୍ୱୀତୀୟ ମୁକୁନ୍ଦଦେବଙ୍କ ପୁତ୍ର ଗଜପତି ତୃତୀୟ ରାମଚନ୍ଦ୍ର ଦେବ ସେତେବେଳକୁ ଖୋର୍ଦ୍ଧା ରାଜ୍ୟ ହରାଇ ପୁରୀରେ କେବଳ ଶ୍ରୀମନ୍ଦିରର ତତ୍ତ୍ୱାବଧାରକ ରୂପେ ଅବସ୍ଥାନ କରୁଥିଲେ । ତେଣୁ ଆର୍ଥିକ ଅନାଟ ମଧ୍ୟରେ ଏହି ନବକଳେବର ସମ୍ପନ୍ନ ହୋଇଥିଲା । ବନଯାଗ ବିଧିରେ ବାଣପୁରରୁ ଦାରୁ ସଂଗ୍ରହ ହୋଇ ପୁରୀ ଆସୁଥିବାବେଳେ କନ୍ଧମାନେ ଦାରୁ ସାମନାରେ ମେରିଆବଳୀ ଦେବାରୁ ସାମନ୍ତ ମହାପାତ୍ରଙ୍କ ନିଷ୍ପତ୍ତିରେ ଦାରୁ ଅଶୁଦ୍ଧ ବିବେଚିତ ହେଲା । ତେଣୁ ପୁନର୍ବାର ଭୁଷଣ୍ଡପୁରରୁ ଦାରୁ ସଂଗ୍ରହ କରାଯାଇ ଶ୍ରୀବିଗ୍ରହମାନଙ୍କୁ ନିର୍ମାଣ କରାଗଲା । ଏହି ନବକଳେବର ଖର୍ଚ୍ଚ ନିମିତ୍ତ ବାଲେଶ୍ୱର ନିମକମାହାଲ ତିନିଶହ ସ୍ଵର୍ଣ୍ଣମୁଦ୍ରା ଦାନ କରିଥିଲେ । ଏହାର ପରବର୍ତ୍ତୀ ନବକଳେବର ଯୋଡ଼ା ଆଷାଢ଼ ପଡ଼ୁଥିବା ୧୮୫୩ ମସିହାରେ ଅନୁଷ୍ଠିତ ହେବାର କଥା । ମାତ୍ର କେତେକ ଅସୁବିଧା ବଶତଃ ଏହା ୧୮୫୫ ମସିହାରେ ଅନୁଷ୍ଠିତ ହୋଇଥିଲା । ବନଯାଗ ବିଧିରେ ଦାରୁ ସତ୍ୟବାଦୀ ଥାନା ବିଶ୍ଵନାଥପୁରରୁ ସଂଗୃହୀତ ହୋଇଥିଲା । ପ୍ରବଳ ବର୍ଷା ଯୋଗୁ ଦାରୁ ରହିବା ଗୃହଟି ଭାଙ୍ଗି ଯାଇଥିଲା ଓ ବ୍ରଜାଘାତରେ ଦେଉଳରୁ ପଥର ଖସିଥିଲା । ଅର୍ଥାଭାବ ଯୋଗୁ କେତେକ ଅସୁବିଧା ଉପୁଜିଥିଲେ ହେଁ ଏଖାରଜାତ ମାହାଲରୁ ଆଦାୟ ଅର୍ଥରେ ନବକଳେବର ହୋଇଥିଲା । ସେ ବର୍ଷ ଭ୍ରମରବର ପରିଚ୍ଛା, ମହାଦେବ ରାଜଗୁରୁ ମହାପାତ୍ର ଓ ଜୟକୃଷ୍ଣ ପତିଙ୍କ ତତ୍ତ୍ୱାବଧାନରେ ମହୋତ୍ସବ ସମାହିତ ହୋଇଥିଲା । ପୁରୀର ମାଜିଷ୍ଟ୍ରେଟ ଆଣ୍ଡ୍ରୁଜଙ୍କ ରିପୋର୍ଟ ଅନୁଯାୟୀ ଏହି ନବକଳେବର ଓ ରଥଯାତ୍ରା ଦର୍ଶନ କରିବାକୁ ଅନ୍ୟୁନ ଦୁଇଲକ୍ଷ ଯାତ୍ରୀ ଏକତ୍ରିତ ହୋଇଥିଲେ । କିନ୍ତୁ ଅଳ୍ପସଂଖ୍ୟକ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଅସମର୍ଥ ହେବାରୁ ସିଂହଦ୍ୱାରଠାରେ ଦଳାଚକଟାରେ ତିନିଜଣ ପୁରୁଷ ଓ ଚାରିଜଣ ସ୍ତ୍ରୀଲୋକ ପ୍ରାଣ ହରାଇଥିଲେ ।

ଏହାର ୧୯ ବର୍ଷ ପରେ ୧୮୭୪ ଖ୍ରୀଷ୍ଟାବ୍ଦରେ ନବକଳେବର ଯୋଗ ପଡ଼ିଲା । ସେତେବେଳେ ଗଜପତି ଦିବ୍ୟସିଂହ ଦେବ ନାବାଳକ ଥିବାରୁ ମହାରାଣୀ ସୂର୍ଯ୍ୟମଣି ପାଟମହାଦେଇ ନାବାଳକ ଗଜପତିଙ୍କ ତରଫରୁ ଶ୍ରୀମନ୍ଦିର ତତ୍ତ୍ୱବଧାରିକା ଥିଲେ । ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଆର୍ମଷ୍ଟ୍ରଙ୍ଗ ପୂର୍ବ ନବକଳେବର ବିଶୃଙ୍ଖଳାକୁ ଆଖି ଆଗରେ ରଖି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟି ଉପର ନବକଳେବର ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପତିମହାପାତ୍ର ଅପୁତ୍ରିକ ଥିବାରୁ ହାଇକୋର୍ଟ ନିଷ୍ପତ୍ତି ଅନୁଯାୟୀ ପଣ୍ଡା ପରିବାରରୁ ପୋଷ୍ୟପୁତ୍ର ଗ୍ରହଣ କରିଥିଲେ । ତତ୍କାଳୀନ ଭୋଗବର୍ଦ୍ଧନ ପୀଠାଧିଶ ସ୍ୱାମୀ ମାଧବାନନ୍ଦ ତୀର୍ଥ, ପଣ୍ଡିତ ବାମଦେବ ମିଶ୍ର, ବିଶ୍ଵନାଥ ମହାପାତ୍ର, ମହନ୍ତ ରଘୁନନ୍ଦନ ଦାସଜୀ ମହାରାଜ, ମହାତ୍ମା ରାମାନୁଜ ଦାସ, ପୂଜ୍ୟ ଦାମୋଦର ରାମାନୁଜ ଦାସ, ଚତୁର୍ଭୁଜ ଦାସ, କୁଳମଣି ବଡପଣ୍ଡା ଓ ଦଇତା ଦାମୋଦର ଦାସ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନବକଳେବର ମହୋତ୍ସବ ସମ୍ପନ୍ନ ହୋଇଥିଲା । କେତେକ ଗବେଷକଙ୍କର ମତ ସେବର୍ଷ ନବକଳେବର ନହୋଇ କେବଳ ଶ୍ରୀଅଙ୍ଗଫିଟା ହୋଇଥିଲା । କିନ୍ତୁ ଇଂରେଜ ପ୍ରଶାସନଙ୍କ ଅଭିଲେଖରୁ ଜଣାଯାଏ, ସେହି ନବକଳେବର ମହୋତ୍ସବ ଓ ରଥଯାତ୍ରା ଦର୍ଶନ ନିମିତ୍ତ ଦୁଇଲକ୍ଷ ଯାତ୍ରୀ ଆସିଥିଲେ । ଯାତ୍ରୀମାନଙ୍କଖାଦ୍ୟ, ପେୟ, ଗମନାଗମନ, ନିରାପତ୍ତା ପ୍ରଭୃତିରେ ସୁବନ୍ଦୋବସ୍ତ ହୋଇଥିଲା । ଏହାର ୧୯ ବର୍ଷ ପରେ ୧୯୮୩ ମସିହାରେ ଯୋଡ଼ା ଆଷାଢ଼ ପଡ଼ିବାରୁ ସାମନ୍ତ ଚନ୍ଦ୍ରଶେଖରଙ୍କ ଗଣନାନୁଯାୟୀ ନବକଳେବର ହେବାର ସ୍ଥିରିକୃତ ହେଲା । ଓଡ଼ିଶାର ସମସ୍ତ ଗଡ଼ଜାତ ଏହି ନବକଳେବରରେ ସହଯୋଗ କରିଥିଲେ ତଥା ଆର୍ଥିକ ସାହାଯ୍ୟ ଦେଇଥିଲେ । ଏହି ମହୋତ୍ସବରେ ପ୍ରାୟ ଦୁଇଲକ୍ଷ ଯାତ୍ରୀ ପୁରୀରେ ଏକତ୍ରିତ ହୋଇଥିଲେ । ଓଡିଶାର ପ୍ରଥମ ସମ୍ବାଦପତ୍ର “ଉତ୍କଳ ଦୀପିକା” ବର୍ଣ୍ଣନାନୁଯାୟୀ ଏହି ନବକଳେବର ଓ ରଥଯାତ୍ରା ଦର୍ଶନ କରିବାକୁ ବାଉନଗୋଟି ସମ୍ପ୍ରଦାୟର ଅଠର ହଜାର ସାଧୁ ଶ୍ରୀକ୍ଷେତ୍ରରେ ପଦାର୍ପଣ କରିଥିଲେ । ଅନେକ ସାଧୁ ରହିବାକୁ ସ୍ଥାନ ନପାଇ ବଡଦାଣ୍ଡ ଓ ସମୁଦ୍ର ବାଲିରେ ଡେରା ପକାଇଥିଲେ । ପଶ୍ଚିମ ଭାରତରୁ ବହୁ ଯାତ୍ରୀ ଏହି ନବକଳେବର ଦର୍ଶନ କରିବାକୁ ସ୍ଥାନ ପାଇଥିଲେ । ଏହି କଳେବରରେ ବନଯାଗ ବିଧିରେ ନୀଳାଚଳ ଧାମସ୍ଥ ଚୁଡ଼ଙ୍ଗ ତୋଟାରୁ ଦାରୁ ସଂଗ୍ରହ କରାଯାଇଥିଲା । ଦନାର୍ଦ୍ଦନ ପତି ଗୋପନରେ ବ୍ରହ୍ମ ସଂସ୍ଥାପନ କରିବା ସମୟରେ ଦୋକଡ଼ି ଦୁଆରେ ପଡ଼ି ପ୍ରାଣ ହରାଇବାରୁ ନାୟକ ବ୍ରହ୍ମସ୍ଥାପନ କଲେ ବୋଲି ରୋଜନାମୟରେ ଉଲ୍ଲେଖ ରହିଛି ।ଏହାପରେ ଠାକୁରଙ୍କର ମହାସ୍ନାନ ହୋଇଥିଲା । ଏହି କଳେବରରେ ଦାରୁ ସଂଗୃହୀତ, ପ୍ରତିମା ନିର୍ମାଣ ଓ ବ୍ରହ୍ମ ସଂସ୍ଥାପନା ହୋଇଥିଲେ ହେଁ କେତେକ କେବଳ “ଶ୍ରୀଅଙ୍ଗଫିଟା” ହୋଇଥିଲା ବୋଲି ମତପ୍ରକାଶ କରିଥାନ୍ତି । ସେମାନଙ୍କର ମତ ହେଉଛି ସେତେବେଳେ ମହାରାଣୀ ସୂର୍ଯ୍ୟମଣି ପାଟମହାଦେଇ ଶ୍ରୀମନ୍ଦିରର ତତ୍ତ୍ୱାବଧାରିକା ଥିଲେ, କିନ୍ତୁ କୌଣସି କାରଣବଶତଃ ନବକଳେବର କରାଇବାକୁ ଚାହୁଁନଥିଲେ । ତାଙ୍କର ଅର୍ଥାଭାବ ରହିଥିଲା ତଥା ଗଜପତିଙ୍କ ଦ୍ୱୀପାନ୍ତର ତାଙ୍କୁ ବ୍ୟଥିତ କରିଥିଲା । ଏପରିକି ସେହି ସମୟରେ ପୁରୀରେ ଗୋଟିଏ ଗୁଜବ ଉଠିଥିଲା ଯେ ନବକଳେବର ହେଲେ ରାଜାପରିବାରର ଜଣେ ସଦସ୍ୟ, ଜଣେ ବ୍ରାହ୍ମଣ ଓ ଜଣେ ବଢ଼େଇ ମୃତ୍ୟୁ ମୁଖରେ ପଡ଼ିବେ । ମହାରାଣୀ ନବକଳେବର ନିମିତ୍ତ କୌଣସି ପଦକ୍ଷେପ ନନେବାରୁ ପଣ୍ଡିତ, ସାଧୁସନ୍ଥ ଓ ଛତିଶା ନିଯୋଗ ରାଜନଅର ଭିତରେ ଗୋଟିଏ ସଭା କରିଥିଲେ । ମହାରାଣୀ ସଭାକୁ ନଆସି ଖବର ପଠାଇଲେ ଯେ ପତିମହାପାତ୍ର ବସନ୍ତ ରୋଗରେ ପୀଡ଼ିତ ଥିବାରୁ ନବକଳେବର ହୋଇପାରିବ ନାହିଁ । ସଭାରେ ମତ ଉଠିଲା ଯେ ପତିମହାପାତ ଅସୁସ୍ଥ ଥିଲେ ମଧ୍ୟ ଅନ୍ୟ ବ୍ରାହ୍ମଣଙ୍କ ଦ୍ୱାରା ଦାରୁ ସଂଗ୍ରହ ହୋଇପାରିବ ଏବଂ ନବକଳେବର ପରବର୍ତ୍ତୀ କାର୍ଯ୍ୟକ୍ରମ ବେଳକୁ ପତିମହାପାତ୍ର ସୁସ୍ଥ ହୋଇଯାଇଥିବେ । ତଥାପି ମହାରାଣୀ କୌଣସି ନିଷ୍ପତ୍ତି ନେଲେନାହିଁ । ପତିମହାପାତ୍ର ସୁସ୍ଥ ହେବା ପରେ ନିଯୋଗ ସେବକମାନେ ଗୋଟିଏ ପତ୍ର ଲେଖି ମହାରାଣୀଙ୍କ ଆଦେଶ ଲୋଡ଼ିଲେ । ମହାରାଣୀ ସେହି ପତ୍ରର ନିକଟକୁ ଗୋଟିଏ ଅନୁରୋଧ ପତ୍ର ପଠାଇଲେ ଏବଂ ମହାରାଣୀ ଶ୍ରୀଅଙ୍ଗଫିଟାର ଅନୁମତି ଦେଇଥିଲେ । କିନ୍ତୁ ଦାରୁ ସଂଗ୍ରହ ତଥା ବ୍ରହ୍ମ ସଂସ୍ଥାପନ ସମୟରେ ଦନାର୍ନ୍ଦନ ପତିଙ୍କ ମୃତ୍ୟୁ ହୋଇଥିବାରୁ ବିଶ୍ଵାସ କରାଯାଏ ସେବର୍ଷ ଶ୍ରୀଅଙ୍ଗଫିଟା ନହୋଇ ନବକଳେବର ହୋଇଥିଲା ।

ବିଂଶ ଶତାବ୍ଦୀର ପ୍ରଥମ ନବକଳେବର ୧୯୧୨ ମସିହାରେ ହୋଇଥିଲା । ସେହି ତୃତୀୟ ମୁକୁନ୍ଦଦେବ ଗଜପତି, ମଧୁସୂଦନ ତୀର୍ଥ ଶଙ୍କରାଚାର୍ଯ୍ୟ, ରାୟବାହାଦୂର ରାଜକିଶୋର ଦାସ ଶ୍ରୀମନ୍ଦିର ପରିଚାଳକ ଓ ଶ୍ରୀ ରମାବଲ୍ଲଭ ମିଶ୍ର ପୁରୀ ଜିଲ୍ଲା ପାଳ ଥିଲେ । ବନଯାଗ ଯାତ୍ରା ପୂର୍ବରୁ କୋଇଲି ବୈକୁଣ୍ଠରେ ଅଙ୍କୁରୋପଣ ମଣ୍ଡପ, କର୍ମକୂଟୀ କୂଟୀର, ନିର୍ମାଣମଣ୍ଡପ, ସ୍ନାନମଣ୍ଡପ, ଅଧିବାସ ମଣ୍ଡପ, ପତିମହାପାତ୍ର, ଦଇତାପତିଗଣ ଓ ଅନ୍ୟାନ୍ୟ ସେବକ ବନଯାଗ ଯାତ୍ରାରେ ମଙ୍ଗଳାଙ୍କ ମନ୍ଦିରକୁ ଯାଇ ମାଜଣା ଓ ଚଣ୍ଡୀପାଠ ପ୍ରଭୃତି କରିବା ପରେ ଜଗଜ୍ଜନନୀଙ୍କ କରୁଣାରୁ ଦାରୁ ସଂଗ୍ରହ ହୋଇଥିଲା । ରୋଜାନାମଚାରେ ଦାରୁ ବାହାରଣା, ଗାରୁଡିପାଞ୍ଚଳ ଓ ସମେଶ୍ଵରଙ୍କଠାରୁ ପ୍ରାପ୍ତ ହୋଇଥିବା ଉଲ୍ଲେଖ ଥିବା ସ୍ଥଳେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଭିନ୍ନ ମତ ପ୍ରଦାନ କରିଥାନ୍ତି । ତାଙ୍କ ମତରେ ଶ୍ରୀସୁଦର୍ଶନଙ୍କ ଦାରୁ ଫତେଗଡ଼ଠାରୁ, ଶ୍ରୀସୁଭଦ୍ରାଙ୍କ ଦାରୁ ପ୍ରତାପରୁଦ୍ରପୁରଠାରୁ ସଂଗ୍ରହ ହୋଇଥିଲା । ଦାରୁ ଆସିବା ପରେ ବୃକ୍ଷ ୧୪ଦିନ, ମେ’ ୬ ତାରିଖ ରବିବାର ଏକାଦଶୀ ତିଥି, ହସ୍ତାନକ୍ଷତ୍ର, କନ୍ୟାଚନ୍ଦ୍ର, ସିଦ୍ଧିଯୋଗ ତଥା ବାଣିଜ୍ୟ କରଣରେ କୋଇଲି ବୈକୁଣ୍ଠଠାରେ ଅଙ୍କୁରାରୋପଣ ହୋଇଥିବା ପ୍ରସଙ୍ଗ ଡକ୍ଟର ଭାସ୍କର ମିଶ୍ର ଉଲ୍ଲେଖ କରିଛନ୍ତି । ଏହି ଦିନ ଦଇତାମାନେ ଦାରୁଙ୍କୁ ଶୀତଳଭୋଗ ଓ ପଣାଭୋଗ ଦେଇଥିଲେ । ରାଜଗୁରୁ ରଘୁନାଥ ବ୍ରହ୍ମା ଭୁବନେଶ୍ଵର ପାଟ୍ଟଯୋକ୍ଷୀ, ଜଗନ୍ନାଥ ରାଜଗୁରୁ, ଗଣେଶ୍ଵର ପାଟ୍ଟଯୋକ୍ଷୀ, ବିଶ୍ଵନାଥ ପାଟ୍ଟଯୋଷୀ, ଜଗନ୍ନାଥ ସାନ୍ତରା, ଭୁବନେଶ୍ୱର ମହାପାତ୍ର, ଜଗନ୍ନାଥ ଷଡଙ୍ଗୀ, ହରିହର ରଥ, ଭୁବନେଶ୍ୱର ରଥ ଓ ଜଗନ୍ନାଥ କର ପ୍ରଭୃତି ବ୍ରାହ୍ମଣଗଣ ଯଜ୍ଞ, ଅଧିବାସ, ମଣ୍ଡଳପୂଜା, ନ୍ୟାସଦାରୁ ଅଭିଷେକ ଓ ପ୍ରତିଷ୍ଠା, ଦାରୁ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ଓ ମନ୍ତ୍ର ଜପ ପ୍ରଭୃତି କାର୍ଯ୍ୟ ସମ୍ପନ୍ନ କରିଥିଲେ । ପତିମହାପାତ୍ର ଦକ୍ଷିଣଦାରୁ କଳେବର ନୃସିଂହଙ୍କୁ ଆଣି ନୃସିଂହ ମଣ୍ଡପରେ ବିଜେ କରାଗଲା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ ମଣ୍ଡପରେ ଦଇତାପତିଙ୍କ ନିର୍ଦ୍ଦେଶମତେ ବିଶ୍ଵକର୍ମା ଓ ମହାରଣାମାନେ ମୂର୍ତ୍ତି ନିର୍ମାଣ କରିଥିଲେ । ଶାସ୍ତ୍ରୀୟ ମତରେ ଜୁନ୍ ୨୭ ତାରିଖ ଗୁରୁବାର ରାତ୍ରିରେ ଗୋପନରେ ବ୍ରହ୍ମ ସଂସ୍ଥାପନ କରାଯାଇଥିଲା । ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଯଥାକ୍ରମେ ରାମଚନ୍ଦ୍ର ପତିମହାପାତ୍ର, ହାଡୁ ଦାସ ମହାପାତ୍ର, ସତ୍ୟବାଦୀ ଦାସ ମହାପାତ୍ର ଓ ଚିନ୍ତାମଣି ସ୍ବାଇଁ ମହାପାତ୍ର ସଂସ୍ଥାପନ କରିଥିଲେ । ଏହାପରେ ଅଣସର ଘରେ ଏକମାସ କାଳ ନବନିର୍ମିତ ଦାରୁବ୍ରହ୍ମଙ୍କର ସପ୍ତାବରଣ ହୋଇ ନେତ୍ରୋତ୍ସବ ଓ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂର୍ବ ନବକଳେବରରେ ବ୍ୟାପକ ବିଶୃଙ୍ଖଳା ଘଟିଥିବାରୁ ଏହି ବର୍ଷ ଯାତ୍ରୀମାନଙ୍କ ଖାଦ୍ୟପେୟ, ରହଣି ଓ ଗମନାଗମନର ବିଶେଷ ବ୍ୟବସ୍ଥା ହୋଇଥିଲା ।

ବିଂଶ ଶତାବ୍ଦୀର ପରବର୍ତ୍ତୀ ନବକଳେବର ଗଜପତି ଚତୁର୍ଥ ରାମଚନ୍ଦ୍ର ଦେବଙ୍କ ୭ ଅଙ୍କ ଅର୍ଥାତ୍ ୧୯୩୧ ମସିହାରେ ଯୋଡ଼ା ଆଷାଢ଼ ଯୋଗରେ ଅନୁଷ୍ଠିତ ହୋଇଥିଲା । ସେତେବେଳେ ରାୟବାହାଦୂର ରାଜକିଶୋର ଦାସ ଗଜପତି ମହାରାଜାଙ୍କ ଦେୱାନ ରୂପେ କାର୍ଯ୍ୟ କରୁଥିଲେ । ଏହି ନବକଳେବରରେ ଏମାରମଠ ମହନ୍ତ ଗଦାଧର ରାମାନୁଜ ଦାସ, ସ୍ଵାମୀ ବାଳବ୍ରହ୍ମାନନ୍ଦ ସରସ୍ଵତୀ ଓ ରାମକୃଷ୍ଣ ମହାପାତ୍ର ପ୍ରଭୃତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନଯାଗ ବିଧି, ନୂତନ ବିଗ୍ରହ ନିର୍ମାଣ, ବ୍ରହ୍ମ ପରିବର୍ତ୍ତନ, ନେତ୍ରୋତ୍ସବ ଓ ଘୋଷଯାତ୍ରା ପ୍ରଭୃତି ସମ୍ପନ୍ନ ହୋଇଥିଲା । ପୂର୍ବ ନବକଳେବର ଅପେକ୍ଷା ଏହି କମସଂଖ୍ୟକ ଯାତ୍ରୀଙ୍କର ସମାଗମ ହୋଇଥିଲା । ତଥାପି ନବକଳେବର ମହୋତ୍ସବରେ କେତେକ ବିଶୃଙ୍ଖଳା ଘଟିଥିଲା । ଏହି ନବକଳେବରରେ ସୁଜନପୁର ଓ ନିମବଣିଆରୁ ଦାରୁ ସଂଗ୍ରହ ହୋଇଥିବା ପ୍ରସଙ୍ଗ ରୋଜନାମଚାରେ ଉଲ୍ଲେଖ ଥିଲେ ହେଁ ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଦାରୁ ଯଥାକ୍ରମେ ଦେଉଳିମଠ ନିକଟରୁ, କଟକ ଜିଲ୍ଲାର ସାତ୍ତ୍ୱିକପୁରଠାରୁ, ନିଆଳିଠାରୁ ଓ ଗବାପଡ଼ାଠାରୁ ସଂଗୃହୀତ ହୋଇଥିଲା । “ଉତ୍କଳଦୀପିକା”ରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ସେହିବର୍ଷ ରଥଯାତ୍ରାରେ ପହଣ୍ଡି ସରିବା ବେଳକୁ ସନ୍ଧ୍ୟା ହୋଇଯାଇଥିବାରୁ ଶ୍ରୀଗୁଣ୍ଡିଚାରେ ରଥ ଟଣା ହୋଇପାରିନଥିଲା । କିନ୍ତୁ, ବାହୁଡ଼ାଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।

ସ୍ଵାଧୀନ ଭାରତର ପ୍ରଥମ ନବକଳେବର ଗଜପତି ଚତୁର୍ଥ ରାମଚନ୍ଦ୍ର ଦେବଙ୍କ ୨୯ ଅଙ୍କ ୧୯୫୦ ମସିହାରେ ଅନୁଷ୍ଠିତ ହୋଇଥିଲା । ସେ ବର୍ଷ ମଧ୍ୟ ଯୋଡ଼ା ଆଷାଢ଼ ପଡିଥିଲା । ଏହି ନବକଳେବରର ବନଯାଗଯାତ୍ରା ୧୯୫୦ ଅପ୍ରେଲ ୯ ତାରିଖରେ ଆରମ୍ଭ ହୋଇଥିଲା । ବନଯାଗ ଯାତ୍ରାରେ ଆଚାର୍ଯ୍ୟ ବ୍ରାହ୍ମଣ ପାଞ୍ଚଜଣ, ପତିମହାପତ୍ର, ୧୯ଜଣ ଦଇତାପତି, ୪ଜଣ ବିଶ୍ଵକର୍ମା, ଲେଙ୍କା, ଦେଉଳକରଣ, ବରକଳାଜ ଓ ଅନ୍ୟାନ୍ୟ ସେବକ ମିଶି ମୋତେ ୫୦ଜଣ ମଙ୍ଗଳା ମନ୍ଦିରକୁ ଯାତ୍ରା କରିଥିଲେ । ସେଠାରେ ମଙ୍ଗଳାଙ୍କ ମାଜଣା ଓ ଚଣ୍ଡୀପାଠ ପରେ ସ୍ଵପ୍ନାବତୀ ମନ୍ତ୍ର ଜପ କରିଥିଲେ । ମା’ଙ୍କ କରୁଣାରୁ ଜଲାଲପୁରଠାରୁ ଶ୍ରୀସୁଦର୍ଶନଙ୍କ ଦାରୁ, ନୂଆହାତରୁ ଶ୍ରୀସୁଭଦ୍ରାଙ୍କ ଦାରୁ, ବନମାଳୀପୁର ସନ୍ନିକଟ କୋଢ଼ଦେଶରୁ ଶ୍ରୀବଳଭଦ୍ରଙ୍କ ଦାରୁ ଏବଂ କାନପୁରର ପଲଙ୍ଗାଠାରୁ ଶ୍ରୀଜଗନ୍ନାଥଙ୍କ ଦାରୁ ସଂଗ୍ରହ ହୋଇଥିଲା । ମେ’ ୩୧ ତାରିଖ ପୂର୍ଣ୍ଣମୀରେ ଦାରୁ ଆସି ପୁରୀରେ ପହଞ୍ଚିବା ପରେ କୋଇଲି ବୈକୁଣ୍ଠରେ ଗୋପନୀୟ ଭାବରେ ମୂର୍ତ୍ତି ନିର୍ମାଣ ଓ ଯଜ୍ଞାଦି ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ବଳଭଦ୍ର ମହାପାତ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ପଦିତ ଭୁବନେଶ୍ବର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଆଚାର୍ଯ୍ୟଗଣ ଯଜ୍ଞ, ପ୍ରତିଷ୍ଠା, ଅଧିବାସ, ଅଙ୍କୁରାରୋପଣ, ନ୍ୟାସ ଦାରୁ ପ୍ରତିଷ୍ଠା ପ୍ରଭୃତି କାର୍ଯ୍ୟ ସମ୍ପନ୍ନ କରିଥିଲେ । ନିର୍ମାଣ ମଣ୍ଡପରେ ଦଇତାମାନଙ୍କ ନିର୍ଦ୍ଦେଶକ୍ରମେ ବିଶ୍ଵକର୍ମା ଓ ମହାରଣାମାନେ ମୂର୍ତ୍ତି ନିର୍ମାଣ କରିଥିଲେ । ଜୁନ୍ ୧୪ ତାରିଖ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ରାତିରେ ନବନିର୍ମିତ ବିଗ୍ରହମାନଙ୍କରେ ବ୍ରହ୍ମ ସଂସ୍ଥାପନ ଗୋପନରେ କରାଯାଇଥିଲା । ରାମଚନ୍ଦ୍ର ପତିମହାପାତ୍ର, ଗଦାଧର ଦାସ ମହାପାତ୍ର, ସୋମନାଥ ଦାସ ମହାପାତ୍ର ଓ ଚନ୍ଦ୍ରମନୀ ସ୍ୱାଇଁ ମହାପାତ୍ର ଯଥାକ୍ରମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ସଂସ୍ଥାପନ କରିଥିଲେ । ଏହାପରେ ଠାକୁରମାନେ ଏକମାସ ମହାଅଣସରରେ ଅଣସର ତାଟି ଭିତରେ ରହିଲେ । ଏହି ସମୟରେ ଦଇତାମାନେ ଠାକୁରମାନଙ୍କର ସପ୍ତାବରଣ କରିଥିଲେ । ସପ୍ତାବରଣ ପରେ ବନକଲାଗି ହୋଇ ନେତ୍ରୋତ୍ସବ ଓ ରଥଯାତ୍ରା ହୋଇଥିଲା । ୧୯୫୦ ମସିହା ନବକଳେବର ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।

୧୯୫୦ ନବକଳେବର ପରେ ୧୯୬୯ ରେ ଗଜପତି ବୀରକେଶରୀଦେବଙ୍କ ୧୫ ଅଙ୍କରେ ଦୁଇଟି ଆଷାଢ଼ ପଡ଼ିବାରୁ ନବକଳେବର ହୋଇଥିଲା । ସେତେବେଳେ ଶ୍ରୀ ପରମାନନ୍ଦ ତ୍ରିପାଠୀ ଶ୍ରୀମନ୍ଦିର ପ୍ରଶାସକ ଥିଲେ । ଏତଦଲକ୍ଷେ ତା୨୮।୩।୬୯ ରିଖ ବନଯାଗ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରାରେ ପଣ୍ଡିତ ହରିହର ମହାପାତ୍ର, ପଣ୍ଡିତ କୃଷ୍ଣଚନ୍ଦ୍ର ରାଜଗୁରୁ, ପଣ୍ଡିତ କେଶବଚନ୍ଦ୍ର ରାଜଗୁରୁ , ପଣ୍ଡିତ ବିଶେଶ୍ଵର ମହାପାତ୍ର, ରାମଚନ୍ଦ୍ର ପତିମହାପାତ୍ର, ହଳଧର ଦାସମହାପାତ୍ର, ଗଙ୍ଗାଧର ଦାସମହାପାତ୍ର, ସତ୍ୟବାଦୀ ସ୍ୱାଇଁମହାପାତ୍ର, ହରି ମହାରଣା, କୃଷ୍ଣ ମହାରଣା, ଆର୍ତ୍ତ ମହାରଣା, ଗୋବିନ୍ଦ ସୁବୁଦ୍ଧି, ଲେଙ୍କା ଓ ଅନ୍ୟାନ୍ୟ ସେବକ ତଥା କର୍ମଚାରୀବୃନ୍ଦ ମଙ୍ଗଳା ମନ୍ଦିରକୁ ଯାଇ ମାଜଣା, ଚଣ୍ଡୀପାଠ ଓ ସ୍ଵପ୍ନାବତୀ ମନ୍ତ୍ର ଜପ କରିଥିଲେ । ମା’ଙ୍କ କରୁଣାରୁ ଶ୍ରୀସୁଦର୍ଶନଙ୍କ ଦାରୁ ବାହାରଣାସ୍ଥିତ ଧନୁଆ ନଦୀକୂଳରୁ, ଶ୍ରୀସୁଭଦ୍ରାଙ୍କ ଦାରୁ କଳଳନଦୀ ସନ୍ନିକଟ କାନପୁରଠାରୁ, ଶ୍ରୀବଳଭଦ୍ରଙ୍କ ଦାରୁ ବନମାଳୀପୁର ଭାକର ସାହି କୁଶଭଦ୍ରା ନଦୀ କୂଳରୁ ଓ ଶ୍ରୀଜଗନ୍ନାଥଙ୍କ ଦାରୁ ତାପଙ୍ଗ ନିକଟସ୍ଥ ଚମ୍ପାଝର ଝରଣା କୂଳରୁ ସଂଗୃହୀତ ହୋଇଥିଲା । ଦାରୁ ପୁରୀକୁ ଆସିବା ପରେ କୋଇଲି ବୈକୁଣ୍ଠରେ ଗୁପ୍ତରେ ଦାରୁମୂର୍ତ୍ତି ନିର୍ମାଣ କରାଗଲା । ଆଚାର୍ଯ୍ୟମାନେ ଯଜ୍ଞ ଓ ପ୍ରତିଷ୍ଠା କାର୍ଯ୍ୟ କରିଥିଲେ । ଆଷାଢ଼ କୃଷ୍ଣ ଏକାଦଶୀରେ ରାମଚନ୍ଦ୍ର ପତିମହାପାତ୍ର, ହଳଧର ଦାସମହାପାତ୍ର, ଗଙ୍ଗାଧର ଦାସମହାପାତ୍ର ଓ ସତ୍ୟବାଦୀ ସ୍ଵାଇଁ ମହାପାତ୍ର ଯଥାକ୍ରମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନବନିର୍ମିତ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ କରିଥିଲେ । ମହାଅଣସରରେ ଠାକୁରମାନଙ୍କର ସପ୍ତାବରଣ ଓ ବନକଲାଗି ହୋଇ ନେତ୍ରୋତ୍ସବ, ଜୁଲାଇ ୧୬ରେ ଶ୍ରୀଗୁଣ୍ଡିଚା ଓ ଜୁଲାଇ ୨୪ରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା-। ସେହିବର୍ଷ ଯାତ୍ରୀ ସଂଖ୍ୟା ଆଶୀଶତ ଭାବରେ ବୃଦ୍ଧି ପାଇଥିଲେ ହେଁ କୌଣସି ବିଶୃଙ୍ଖଳା ଘଟି ନଥିଲା।

୧୯୬୯ ନବକଳେବରର ଆଠବର୍ଷ ପରେ ୧୯୭୭ରେ ଏକ ବିବଦମାନ ପରିସ୍ଥିତିରେ ନବକଳେବର ହୋଇଥିଲା । ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାରେ ୧୯୭୭ ମସିହା ଆଷାଢ଼କୁ ଦୋମାସି ଦର୍ଶା ହୋଇଥିବା ସ୍ଥଳେ ଅନ୍ୟାନ୍ୟ ଓଡିଶା ବାହାର ପଞ୍ଜିକାରେ ଶ୍ରାବଣକୁ ଦୋମାସି ଭାବରେ ଦର୍ଶାଯାଇଥିଲା । କୋହିନୂର ପ୍ରେସ୍ ପଞ୍ଜିକାରେ ୧୯୭୭ ଜୁଲାଇ ୧୮ ଶ୍ରୀ ଗୁଣ୍ଡିଚା ଯାତ୍ରା ଉଲ୍ଲେଖ ହୋଇଥିବା ସ୍ଥଳେ କୋଲକାତାର ଗୁପ୍ତପ୍ରେସ୍ ପଞ୍ଜିକା ୧୮ ଜୁଲାଇରେ ଶ୍ରୀଗୁଣ୍ଡିଚା ଓ ଅନ୍ୟାନ୍ୟ କେତେକ ପଞ୍ଜିକା ଜୁନ୍ ୧୮ରେ ଶ୍ରୀଗୁଣ୍ଡିଚା ଯାତ୍ରା ଉଲ୍ଲେଖ କରିଥିଲେ । ଭିନ୍ନ ଭିନ୍ନ ମତ ଦୃଷ୍ଟିରୁ ୧୫ଜଣ ବିଶିଷ୍ଟ ପଣ୍ଡିତଙ୍କର ଗୋଟିଏ ସଭା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିଲା । ସେତେବେଳେ ବର୍ତ୍ତମାନର ଗଜପତି ଚତୁର୍ଥ ଦିବ୍ୟସିଂହ ଦେବ ଓ ମନ୍ଦିର ପ୍ରଶାସକ ଶ୍ରୀ ଗିରିଧାରୀ ଦାଶ ଥିଲେ । ଏହି ପଣ୍ଡିତସଭାଙ୍କ ଅନୁମୋଦନ କ୍ରମେ ୧୯୭୭ରେ ନବକଳେବର ହେବା ସ୍ଥିରୀକୃତ ହେଲା । ତଦନୁସାରେ ତା।୬।୪।୧୯୭୭ରିଖରେ ବନଯାଗ ଯାତ୍ରା ଆରମ୍ଭ ହେଲା ।ବନଯାଗ ଯାତ୍ରାରେ ଆଚାର୍ଯ୍ୟଗଣ, ପତିମହାପାତ୍ର, ଦଇତାପତି ବିଶ୍ଵକର୍ମା ଓ ଲେଙ୍କା ପ୍ରଭୃତି କାକଟପୁର ଯାତ୍ରା କଲେ । କିନ୍ତୁ କୋହିନୂର ପ୍ରେସ୍ ପଞ୍ଜିକାରେ ତା୧୮।୪।୭୭ରିଖ ସୂର୍ଯ୍ୟପରାଗ ଓଡ଼ିଶାକୁ ଦେଖାଯିବ ନାହିଁ ଉଲ୍ଲେଖ ଥିବାବେଳେ ସେଦିନ ସୂର୍ଯ୍ୟପରାଗ ଦେଖାଯାଇଥିଲା । ସଭିଏଁ କୋହିନୂର୍ ପ୍ରେସ୍ ଗଣନାନୁସାରେ ସ୍ଥିରୀକୃତ ନବକଳେବର ଯୋଗ ଭ୍ରମାତ୍ମକ ବୋଲି ଅନୁଭବ କଲେ । କିନ୍ତୁ ସେବକମାନେ ବନଯାଗ ଯାତ୍ରାରେ ବାହାରିଯାଇଥିବାରୁ ପୂର୍ବ ସିଦ୍ଧାନ୍ତ ଅନୁଯାୟୀ ନବକଳେବର କରାଯାଇଥିଲା । ବନଯାଗ ଯାତ୍ରାରେ ରଘୁନାଥ ପତିମହାପାତ୍ର, ହଳଧର ଦାସମହାପାତ୍ର, ଗଙ୍ଗାଧର ଦାସମହାପାତ୍ର, ଜଗନ୍ନାଥ ସ୍ଵାଇଁମହାପାତ୍ର ଓଗେର ୨୮ ଜଣ ଦଇତାପତି ଏବଂ କୃଷ୍ଣଚନ୍ଦ୍ର ରାଜଗୁରୁଙ୍କ ସମେତ ଆଚାର୍ଯ୍ୟଗଣ ତଥା ଲେଙ୍କା, ବିଶ୍ଵକର୍ମା ଓ ଦେଉଳକରଣ ପ୍ରଭୃତି ଯାଇଥିଲେ । କାକଟପୁରଠାରେ ମଙ୍ଗଳାଙ୍କ ମାଜଣା ଓ ଚଣ୍ଡୀପାଠ ପରେ ମା’ଙ୍କ କୃପାରୁ ନିଆଳି ସିଂହସାହିରୁ ଶ୍ରୀସୁଦର୍ଶନଙ୍କ ଦାରୁ, ଅଡ଼ଶପୁର ଭୋଗେଶ୍ଵର ଗ୍ରାମରୁ ଶ୍ରୀବଳଭଦ୍ରଙ୍କ ଦାରୁ, ଡେଲାଙ୍ଗର ବେରବୋଇରୁ ଶ୍ରୀସୁଭଦ୍ରାଙ୍କ ଦାରୁ ଓ ସତ୍ୟବାଦୀ ରାୟଚକ୍ରଧରପୁରରୁ ଶ୍ରୀଜଗନ୍ନାଥଙ୍କ ଦାରୁ ସଂଗୃହୀତ ହୋଇଥିଲା । କୋଇଲି ବୈକୁଣ୍ଠରେ ଗୋପନୀୟ ଭାବରେ ମୂର୍ତ୍ତୀନିର୍ମାଣ ପରେ ପଣ୍ଡିତ କୃଷ୍ଣଚନ୍ଦ୍ର ରାଜଗୁରୁ, ପଣ୍ଡିତ ବିଶେଶ୍ଵର ମହାପାତ୍ର, ପଣ୍ଡିତ ବଳରାମ ଦାଶ, ପଣ୍ଡିତ କେଶବଚନ୍ଦ୍ର ରାଜଗୁରୁ, ପଣ୍ଡିତମହାଦେବ ମହାପାତ୍ର ଓ ଅନ୍ୟାନ୍ୟ ଆଚାର୍ଯ୍ୟବୃନ୍ଦ ଯଜ୍ଞ ଓ ପ୍ରତିଷ୍ଠାଦି କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ରାତିରେ ରଘୁନାଥ ପତିମହାପାତ୍ର, ଗଙ୍ଗାଧର ଦାସମହାପାତ୍ର, ନରସିଂହ ଦାସମହାପାତ୍ର ଓ ରାମକୃଷ୍ଣ ସ୍ଵାଇଁମହାପାତ୍ର ଯଥାକ୍ରମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନବନିର୍ମିତ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ କରିଥିଲେ । ଏହାପରେ ମହାଅଣସରରେ ଠାକୁରମାନଙ୍କର ସପ୍ତାବରଣ ଓ ବନକ ଲାଗି ହୋଇ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା ତଥା ବାହୁଡ଼ାଯାତ୍ରା ସମ୍ପନ୍ନ ହୋଇଥିଲା । କିନ୍ତୁ ସେବର୍ଷ ନାନାଦି ବିଭ୍ରାଟ ଦେଖାଯାଇଥିବାରୁ ରାଜ୍ୟ ସରକାର ଗୋଟିଏ ତଦନ୍ତ କମିଶନ ବସାଇଥିଲେ । ନ୍ୟାୟମୁର୍ତ୍ତୀ ବାଳକୃଷ୍ଣ ପାତ୍ର ତଦନ୍ତ କରି କେତେକ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ ।

ବିଂଶ ଶତାବ୍ଦିର ଶେଷ ନବକଳେବର ୧୯୯୬ ମସିହାରେ ଅନୁଷ୍ଠିତ ହୋଇଥିଲା । ୧୯୯୫ରେ ଗଜପତି ଚତୁର୍ଥ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାର ପ୍ରଥମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପାଞ୍ଜି, ପଣ୍ଡିତମଣ୍ଡଳୀ ଓ ମେଟ୍ରୋଲୋଜି ସଂସ୍ଥାର ମହାନିର୍ଦ୍ଦେଶକଙ୍କଠାରୁ ଅନୁକୁଳ ମତ ଆସିଥିବାରୁ ନବକଳେବର ହେବ ନିମିତ୍ତ ସ୍ଥିରୀକୃତ ହେଲା । ଏହାପରେ ବିଭିନ୍ନ ସମୟରେ ବୈଠକ ବସି ନବକଲଳେବରର ବିଭିନ୍ନ ପର୍ଯ୍ୟାୟର କାର୍ଯ୍ୟକାରିତା ସମ୍ପର୍କୀୟ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ତା୨୯।୩।୧୯୯୬ରିଖ ଶୁକ୍ରବାର ଅପରାହ୍ନରେ ବନଯାଗ ଯାତ୍ରା ପାରମ୍ପରିକ ରୀତିରେ ଆରମ୍ଭ କରାଯାଇଥିଲା । ଏହି ବନଯାଗ ଯାତ୍ରାରେ ପଣ୍ଡିତ କୃଷ୍ଣଚନ୍ଦ୍ର ରାଜଗୁରୁ, ପଣ୍ଡିତ କେଶବଚନ୍ଦ୍ର ରାଜଗୁରୁ, ପଣ୍ଡିତ ସିଦ୍ଧେଶ୍ଵର ମହାପାତ୍ର, ପଣ୍ଡିତ ରମେଶ ଚନ୍ଦ୍ର ରାଜଗୁରୁ, ପଣ୍ଡିତ ପ୍ରଭାତ ଚନ୍ଦ୍ର ରାଜଗୁରୁ, ପଣ୍ଡିତ ବଳରାମ ଦାଶ ଓ ପଣ୍ଡିତ ଶରତ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଆଚାର୍ଯ୍ୟବୃନ୍ଦ, ବିଶ୍ଵନାଥ ପତିମହାପାତ୍ର, ହଳଧର ଦାସମହାପାତ୍ର, ବିଶ୍ଵନାଥ ଦାସମହାପାତ୍ର, ଜଗନ୍ନାଥ ସ୍ୱାଇଁମହାପାତ୍ର, ରାଜକିଶୋର ଦାସମହାପାତ୍ର, ରାମଚନ୍ଦ୍ର ଦାସମହପାତ୍ର ପ୍ରଭୃତି ୪୭ ଜଣ ଦଇତାପତି, ଲେଙ୍କା,. ଈଶ୍ଵରଚନ୍ଦ୍ର ମହାନ୍ତି, ବଳରାମ ମହାରଣା, ଦାମୋଦର ମହାପାତ୍ର, କୃଷ୍ଣ ମହାରଣା ଓ ଲିଙ୍ଗରାଜ ମହାପାତ୍ର ପ୍ରଭୃତି ବିଶ୍ଵକର୍ମା, ଅନ୍ୟାନ୍ୟ ସେବକ, ଦେଉଳକରଣ ଓ କର୍ମଚାରୀ ଯାତ୍ରା କରିଥିଲେ । ବନଯୋଗ ଯାତ୍ରୀଦଳ ତା୨।୪।୯୬ରିଖରେ ଦେଉଳି ମଠରେ ପହଞ୍ଚି ତା୩।୪।୯୬ରେ ମଙ୍ଗଳାଙ୍କ ମାଜଣା କରିଥିଲେ । ମଙ୍ଗଳା ମନ୍ଦିର ଜଗମୋହନରେ ସାତଜନ ଆଚାର୍ଯ୍ୟ ଚଣ୍ଡିପାଠ କରିଥିଲେ । ମଙ୍ଗଳାଙ୍କୁ ମହାପ୍ରସାଦ ସମର୍ପଣ କରାଯିବା ବେଳେ ମା’ଙ୍କ ଫୁଲମାଳ ଛିଣ୍ଡି ପଡିବାରୁ ସଭିଏଁ ଏହାକୁ ମଙ୍ଗଳାଙ୍କ ଆଦେଶ ମନେକରିଥିଲେ । ତା୪।୪।୯୬ଠାରୁ ଦଇତାମାନେ ଚାରିଗୋଟି ଦଳରେ ବିଭକ୍ତ ହୋଇ ଦାରୁ ଅନ୍ୱେଷଣରେ ଗଲେ ତଥା ମା’ ମଙ୍ଗଳାଙ୍କ କରୁଣାରୁ ତା୯।୪।୯୬ ସୁଦ୍ଧା ଚାରି ଠାକୁରଙ୍କ ଦାରୁର ସନ୍ଧାନ ମିଳିଥିଲା । ନିଆଳିସ୍ଥିତ ମାଧବ (ପାନିମାଳ) ଛକ ନିକଟସ୍ଥ ବିଶୋଇ ଡ଼ିହିଠାରେ ଶ୍ରୀସୁଦର୍ଶନଙ୍କଦାରୁ, ସାଲେପୁର ପାଗାହାଟ ନିକଟସ୍ଥ ରାମକୃଷ୍ଣପୁରରେ ଶ୍ରୀବଳଭଦ୍ରଙ୍କ ଦାରୁ, ଅସ୍ତରଙ୍ଗ ମାଲଦା ଗ୍ରାମରେ ଶ୍ରୀସୁଭଦ୍ରାଙ୍କ ଦାରୁ ଏବଂ ଖୋର୍ଦ୍ଧା ଦଧିମାଛଗାଡ଼ିଆଠାରେ ଶ୍ରୀଜଗନ୍ନାଥଙ୍କ ଦାରୁର ସନ୍ଧାନ ମିଳିଥିଲା-। ଏହାପରେ ଚାରିଗୋଟି ମହାଦାରୁ ନିକଟରେ ଯଜ୍ଞାଦି ଅନୁଷ୍ଠିତ ହୋଇ ଅସ୍ତ୍ରପୂଜା ପରେ ଶାସ୍ତ୍ରିୟ ବିଧିରେ ଦାରୁଚ୍ଛେଦନ କରାଯାଇଥିଲା । ଦାରୁଙ୍କୁ ଚଉପଟ କରାଯିବା ପରେ ପାଟକନା ଆବୃତ୍ତ କରାଯାଇ ମହାସମାରୋହରେ ନବନିର୍ମିତ ଶଗଡ଼ିରେ ପୁରୀକୁ ଅଣାଯାଇଥିଲା । ଦାରୁ ମିଳିଥିବା ସ୍ଥାନର ଅଧିବାସୀବୃନ୍ଦ ଏହି ମହତୀ କାର୍ଯ୍ୟରେ ସହଯୋଗ କରିଥିଲେ । ଦାରୁବୃକ୍ଷ ଚ୍ଛେଦନ ସମୟରେ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀମହୀମୋହନ ତ୍ରିପାଠୀ, ପୁରୀ ଜିଲ୍ଲାପାଳ ଶ୍ରୀସୁରେଶଚନ୍ଦ୍ର ମହାପାତ୍ର ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ତା୧୮।୫।୯୬ରିଖ ସୁଦ୍ଧା ଚାରିଗୋଟି ମହାଦାରୁ କୋଇଲି ବୈକୁଣ୍ଠରେ ଆସି ପହଞ୍ଚିଗଲା । ତ୩୦।୫।୯୬ରିଖ ଅଙ୍କୁରାରୋପଣ ଓ ସ୍ନାନପୂର୍ଣ୍ଣିମାରେ ଦାରୁଙ୍କୁ ସ୍ନାନ କରାଯିବା ପରେ ଯଜ୍ଞ ଓ ମୁର୍ତ୍ତୀ ନିର୍ମାଣ ଆରମ୍ଭ କରାଯାଇଥିଲା । ପୂର୍ବରୁ ବନଯୋଗ ଯାତ୍ରା ସମୟରେ କୋଇଲି ବୈକୁଣ୍ଠରେ ଯଜ୍ଞମଣ୍ଡପ, ନିର୍ମାଣ ମଣ୍ଡପ, ଦାରୁ ମଣ୍ଡପ, ଅଙ୍କୁରାରୋପଣ ମଣ୍ଡପ, ନୃସିଂହ ମଣ୍ଡପ ପ୍ରଭୃତି ନିର୍ମାଣ ହୋଇସାରିଥିଲା । ଏହି ମହତୀ କାର୍ଯ୍ୟ ନିମିତ୍ତ ୭୩ଜଣ ଆଚାର୍ଯ୍ୟ ନିୟୋଜିତ ହୋଇଥିଲେ । ତନ୍ମଧ୍ୟରୁ ପଣ୍ଡିତ କୃଷ୍ଣଚନ୍ଦ୍ର ରାଜଗୁରୁ, ପଣ୍ଡିତ କେଶବଚନ୍ଦ୍ର ରାଜଗୁରୁ, ପଣ୍ଡିତ ପ୍ରମୋଦ କୁମାର ରାଜଗୁରୁ, ପଣ୍ଡିତ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ପଣ୍ଡିତ ବଳରାମ ଦାଶ, ପଣ୍ଡିତ ଶରତଚନ୍ଦ୍ର ଷଡଙ୍ଗୀ, ପଣ୍ଡିତ ଗୋପୀନାଥ ରଥ, ପଣ୍ଡିତ ଗଦାଧର ଦାଶ, ପଣ୍ଡିତ ବସୁଦେବ ମହାପାତ୍ର, ଦେବୀପ୍ରସାଦ ରାଜଗୁରୁ (ଗଜପତିଙ୍କ ପ୍ରତିନିଧି), ପଣ୍ଡିତ ହରିହର ମହାପାତ୍ର ପ୍ରଭୃତି ୧୬ଜଣ ଆଚାର୍ଯ୍ୟ କୋଇଲି ମଣ୍ଡପ ଭିତରେ ଯଜ୍ଞ ମଣ୍ଡପରେ ତଥ୍ୟା ଅନ୍ୟାନ୍ୟ ଆଚାର୍ଯ୍ୟ ଗଣ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟାନ୍ୟ ମନ୍ଦିର ଓ ଜଗମୋହନରେ ଚଣ୍ଡିପାଠ, ନୃସିଂହ କବଚପାଠ, ବିଷ୍ଣୁସହସ୍ରନାମ ପାଠ, ଗୋପାଳ ସହସ୍ରନାମ ପାଠ ତଥା ଅଭିଷେକ ପ୍ରଭୃତି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ନିର୍ମାଣ ମଣ୍ଡପରେ ବିଶ୍ଵକର୍ମା ମାନେ ଦଇତାପତିଙ୍କ ତତ୍ତ୍ଵାବଧାନରେ ଚତୁର୍ଦ୍ଧାମୁର୍ତ୍ତୀ ଓ ମାଧବମୁର୍ତ୍ତୀ ନିର୍ମାଣ କରିଥିଲେ । ଆଚାର୍ଯ୍ୟଗଣ ଅଙ୍କୁରାରୋପଣ, ନୃସିଂହ ପୂଜା, ମଣ୍ଡଳ ପୂଜା, ବୈଷ୍ଣବାଗ୍ନି ସଂସ୍କାର, ହୋମ, ନ୍ୟାସଦାରୁ ପ୍ରତିଷ୍ଠା ଏବଂ ମୁର୍ତ୍ତୀ ନିର୍ମାଣ ପରେ ପ୍ରତିଷ୍ଠା କରିଥିଲେ । ମୁକ୍ତିମଣ୍ଡପ ପଣ୍ଡିତସଭାର ଉପସଭାପତି ପଣ୍ଡିତ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ଉପଦେଷ୍ଟା ରଖାଯାଇଥିଲା । ୧୯୯୬ ମସିହା ଜୁନ ୧୫ ତାରିଖ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ରାତିରେ ଗୋପନୀୟ ଭାବରେ ପୁରାତନ ବିଗ୍ରହମାନଙ୍କ ନାଭିଚକ୍ରରୁ ବ୍ରହ୍ମ ବାହାର କରାଯାଇ ନବନିର୍ମିତ ବିଗ୍ରହଙ୍କ ନାଭିକମଳରେ ସଂସ୍ଥାପନ କରାଯାଇଥିଲା । ଦାରୁବ୍ରହ୍ମଙ୍କର ଏହା ଅଲୌକିକ ଲୀଳା । ସେଦିନ ସନ୍ଧ୍ୟାଠାରୁ ଶ୍ରୀମନ୍ଦିର ପରିସର ଶୋଧ ଅର୍ଥାଥ୍ ଜନମାନବ ଶୁନ୍ୟ କରାଯାଇ ବିଦ୍ୟୁତ୍ ଆଲୋକ ଲିଭାଇ ଦିଆଯାଇଥିଲା । ମନ୍ଦିର ଚତୁପାର୍ଶ୍ଵରେ ଥିବା ସମସ୍ତ ବିଦ୍ୟୁତ୍ ଆଲୋକ ଲିଭାଇ ଦିଆଯାଇଥିଲା । ଶ୍ରୀମନ୍ଦିର ଚତୁପାର୍ଶ୍ଵରେ ଘନ ଅନ୍ଧକାର ଭିତରେ ଆରକ୍ଷୀ ବାହିନୀ ପହରା ଦେଉଥାନ୍ତି । ଶ୍ରୀମନ୍ଦିର ପରିସରରେ ଥିବା ସକଳ ମନ୍ଦିରର ଚାବି ଦଇତାମାନଙ୍କୁ ପ୍ରଦାନ କରାଯାଇଥିଲା । ମନ୍ଦିର ପରିସରରେ ମୁଷ୍ଟିମେୟ ଦଇତାପତିଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ । କେବଳ ଶ୍ରୀମନ୍ଦିର ଗୁମୁଟରେ ଦେଉଳକରଣ ଖଣ୍ଡା ଧରି ବସିଥାନ୍ତି । ଦଇତାମାନେ ଶ୍ରୀମନ୍ଦିରର ସକଳ ଦାୟିତ୍ୱ ନେବା ପରେ ଚାରିଆଡେ କାଳେ କିଏ ଥିବ ବୋଲି ତନଖି କଲେ । ଏହି ଅନ୍ଧାର ଭିତରେ ସେମାନେ ଦୀପ ଧରି ଯିବା ଆସିବା କରୁଥାନ୍ତି । ସନ୍ଧ୍ୟାପରଠାରୁ ସମଗ୍ର ଶ୍ରୀକ୍ଷେତ୍ର ଶୁନଶାନ ହେଇଗଲା । ତୁହା କୁ ତୁହା ବର୍ଷା ହେଉଥାଏ ଏବଂ ମଝିରେ ମଝିରେ ବିଜୁଳି ମାରି ଶ୍ରୀକ୍ଷେତ୍ର ପରିବେଶକୁ ଗମ୍ଭୀର କରିଦେଉଥାଏ । ପ୍ରଥମେ ଦଇତାପତିମାନେ କୋଇଲି ବୈକୁଣ୍ଠରେ ନବନିର୍ମିତ ବିଗ୍ରହଙ୍କୁ ପହଣ୍ଡିକରି ଅଣସର ପିଣ୍ଡି ଭିତରକୁ ବିଜେ କରାଇଲେ । ଏହା ପରେ ପରେ ବର୍ଷାର ପରିଣାମ ବୃଦ୍ଧି ପାଇଲା । ସମଗ୍ର ପୁରୀ ସହରରେ ଅଖଣ୍ଡ ନିରବତା ବିରାଜମାନ କରୁଥିବା ସମୟରେ ସିଂହଦ୍ୱାର ସମ୍ମୁଖରେ କିଛି ଧର୍ମପ୍ରାଣ ବ୍ୟକ୍ତି ରାତିସାରା ଶ୍ରୀମଦ୍ ଭାଗବତଗୀତା, ବିଷ୍ଣୁସହସ୍ରନାମ, ଦଶାବତାର ଓ ଜଗନ୍ନାଥାଷ୍ଟକ ପାରାୟଣ କରୁଥିଲେ । ବ୍ରହ୍ମ ସଂସ୍ଥାପନର ମୁହୁର୍ତ୍ତ ଉପଗତ ହେବା ମାତ୍ରେ ପୁରୀ ସହରର ଅନ୍ୟାନ୍ୟ ଅଞ୍ଚଳର ବିଦ୍ୟୁତ୍ ଆଲୋକ ମଧ୍ୟ କଟିଗଲା । ଘନ ଅନ୍ଧାର ଓ ଅଖଣ୍ଡ ନିରବତା ସହିତ ପ୍ରକୃତିର ବର୍ଷା ବିଜୁଳି ଚମକ ସମଗ୍ର ଶ୍ରୀକ୍ଷେତ୍ରରେ ଭୟାତୁର ପରିବେଶ ସୃଷ୍ଟି କରିଥିଲା । ବ୍ରହ୍ମ ସଂସ୍ଥାପନ କରିବାକୁ ଯେଉଁ ପତିମହାପାତ୍ର ଓ ତିନିଜଣ ଦଇତାପତି ମନୋନୀତ ହୋଇଥିଲେ ସେମାନଙ୍କ ଆଖିରେ ଅନ୍ଧପୁଟୁଳି ବନ୍ଧା ହେବା ସହ ହାତରେ ପାଟକନା ଗୁଡାଗଲା । ନୀରନ୍ଧ୍ର ଅନ୍ଧକାର ମଧ୍ୟରେ ସେମାନଙ୍କୁ ଅନ୍ୟ ଦଇତାପତିମାନେ ନେଇ ଅଣସର ପିଣ୍ଡିରେ ବିଜେ ହୋଇଥିବା ପୁରାତନ ଓ ନୂତନ ବିଗ୍ରହଙ୍କ ନିକଟେରେ ଛାଡ଼ି ଦେଇ ଆସିଥିଲେ । ଦୀପଶିଖା ଆଲୋକ ଭିତରେ ସେମାନେ ଏହି ମହତୀ କାର୍ଯ୍ୟ ସମ୍ପନ୍ନ କରିଥିଲେ । ପ୍ରଥମେ ପୁରାତନ ବିଗ୍ରହଙ୍କ ନାଭିକମଳରୁ ବ୍ରହ୍ମଙ୍କୁ ବାହାର କରାଯାଇ ଖଟୁଳି ଉପରେ ଥିବା ରୂପାବଟି ଉପରେ ବିଜେ କରାଗଲା । ସେଠାରେ ପତିମହାପାତ୍ର ଙ୍କ ଦ୍ୱାରା ପଞ୍ଚାମୃତ ସ୍ନାନ ଓ ପନ୍ତିଭୋଗ ଦିଆଗଲା । ଏହାପରେ ଅନ୍ୟାନ କେତେକ ଗୁପ୍ତସେବା କରାଯାଇ ବ୍ରହ୍ମରେ ଚନ୍ଦନ, କର୍ପୁର, ତୁଳସୀ, କସ୍ତୁରୀ ଓ ଜାତିପୁଷ୍ପ ପ୍ରଭୃତି ଲାଗି କରାଗଲା । ପୂର୍ବ ନବକଳେବର ସମୟରେ ଲାଗି ହୋଇଥିବା ଚନ୍ଦନ, ତୁଳସୀ ଓ ପୁଷ୍ପ ପ୍ରଭୃତି ସତେଜ ରହିଥାଏ ବୋଲି କୁହାଯାଏ । ଯେଉଁ ଦିବ୍ୟ ପଦାର୍ଥ ବ୍ରହ୍ମ ସଂସ୍ପର୍ଶରେ ଆସେ ତାହା ଅମ୍ଲାନ ଓ ଜ୍ୟୋତିର୍ମୟ ହୋଇଯାଏ । ବ୍ରହ୍ମଙ୍କୁ ଯିଏ ସ୍ପର୍ଶ କରେ ବା ଜାଣେ ଅର୍ଥାତ୍ ଉପଲବ୍ଧ କରେ ସେ ମଧ୍ୟ ବ୍ରହ୍ମ ହୋଇଯାଏ । ଗୋଶ୍ଵାମୀ ତୁଳସୀ ଦାସଙ୍କ ଭାଷାରେ-

“ସୋଇ ଜାନଇ ଜେହି ଦେହୁ ଜନାଇ, ଜାନତ ତୁହ୍ମହି ହୋଇ ଜାଇ”

ବ୍ରହ୍ମ କିପରି ଦିବ୍ୟ ତାହା କେହି ଦେଖିନାହାନ୍ତି । ଗୋଟିଏ ଲବଣ ନିର୍ମିତ ପ୍ରତିମାକୁ ଯଦି ସାଗରର ଗଭୀରତା ମାପିବାକୁ ପଠାଯାଏ ସେ ସାଗରରେ ମିଳେଇଯିବ ସିନା ପ୍ରତ୍ୟାବର୍ତ୍ତନ କରି ସାଗରର ଗଭୀରତା ଜଣାଇ ପାରିବ ନାହିଁ । ଜୀବ ହେଉଛି ବ୍ରହ୍ମାଙ୍କର ସ୍ଵରୁପ । ଯଦି ସୌଭାଗ୍ୟ ବଦଳରେ ସେ ବ୍ରହ୍ମଙ୍କୁ ପାଇଯାଏ ତେବେ ବ୍ରହ୍ମଲୀନ ହେଇଯିବ । ପ୍ରତ୍ୟାବର୍ତ୍ତନକରି ବ୍ରହ୍ମଙ୍କର ସ୍ଵରୁପ କହିପାରିବ ନାହିଁ । ଠିକ୍ ସେହିପରି ଯେଉଁ ଶ୍ରୀଅଙ୍ଗ ସେବକମାନେ ବ୍ରହ୍ମ ସଂସ୍ଥାପନ କରଥାନ୍ତି ସେମାନେ ବ୍ରହ୍ମଙ୍କ ସ୍ପର୍ଶ ଶକ୍ତି ପାଇପାରନ୍ତି ନାହିଁ ବା ଦର୍ଶନ ମଧ୍ୟ କରିପାରନ୍ତି ନାହିଁ । ତେଣୁ ବ୍ରହ୍ମାନୁଭୂତି ଅର୍ଜନ କରିପାରନ୍ତି ନାହିଁ । ତଥାପି ବ୍ରହ୍ମଙ୍କ ଅଲୌକିକ ସେବାର ଅଧିକାରୀ ହୋଇପାରନ୍ତି । ୧୯୯୬ ମସିହା ଜୁନ୍ ୧୫ ତାରିଖ ରାତିରେ ନିସ୍ତବ୍ଧ ମୁହୂର୍ତ୍ତରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଯେଉଁ ସୌଭାଗ୍ୟବାନ ଶ୍ରୀଅଙ୍ଗ ସେବକ ଚାରିଜଣ ବ୍ରହ୍ମଙ୍କର ଦୁର୍ଲଭ ସେବାର ଅଧିକାରୀ ହୋଇ ପୁରାତନ ବିଗ୍ରହରୁ ବ୍ରହ୍ମ ଙ୍କୁ ଆଣି ନୂତନ ବିଗ୍ରହଙ୍କ ନାଭିକମଳରେ ସଂସ୍ଥାପନ କରିଥିଲେ ସେମାନେ ହେଉଛନ୍ତି ରଘୁନାଥ ପତିମହାପାତ୍ର, ହଳଧର ଦାସମହାପାତ୍ର, ଭୁବନମୋହନ ଦାସମହାପାତ୍ର ଓ ଦିନବନ୍ଧୁ ସ୍ବାଇଁମହାପାତ୍ର । ସେମାନେ ଯଥାକ୍ରମେ ଶ୍ରୀସୁଦର୍ଶନ, ଶ୍ରୀବଲଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନବନିର୍ମିତ ଦାରୁ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ କରିଥିଲେ-। ବ୍ରହ୍ମ ସଂସ୍ଥାପନ ସମୟରେ ଘନଘୋର ବର୍ଷା ସହିତ ବିଜୁଳି ମାରୁଥାଏ-। ସେମାନେ ବ୍ରହ୍ମ ସଂସ୍ଥାପନ ପରେ ବ୍ରହ୍ମାସ୍ଥଳୀକୁ ନ୍ୟାସଦାରୁ ଦ୍ଵାରା ଆବୃତ୍ତ କରି ବଜ୍ରକାଛେଣୀ ବାନ୍ଧିଥିଲେ । ବ୍ରହ୍ମସଂସ୍ଥାପନ ପରେ ଉପସ୍ଥିତ ଦଇତାପତି ନୂତନ ବିଗ୍ରହଙ୍କୁ ପ୍ରଣତି ଜଣାଇ ନିଜ ନିଜର ସାମର୍ଥ୍ୟ ଅନୁଶାରେ ବ୍ରହ୍ମଦର୍ଶନ ଭେଟି ପ୍ରଦାନ କରିଥିଲେ । ଏହାପରେ ଦଇତାପତି ମାନେ ପୁରାତନ ବିଗ୍ରହଙ୍କୁ ପହଣ୍ଡି ପୁର୍ବକ କୋଇଲି ବୈକୁଣ୍ଠରେ ନେଇ ବିଜେ କରାଇଲେ । ପୂର୍ବରୁ ସେଠାରେ କୋଠସୁଆଁସିଆମାନଙ୍କ ଦ୍ୱାରା ଛଅହାତ ଗଭୀର ଓ ନଅହାତ ବ୍ୟାସର ଗାତ ଖୋଳା ହୋଇଥିଲା ।ସେହି ବିରାଟ ଗର୍ତ୍ତରେ ମଖମଲ ପାଟକନା ବିଛାଇ ପୁରାତନ ବିଗ୍ରହଙ୍କୁ ଗୋଲୋକ ସମାଧି ଦେଲେ । ପରେ ପରେ ରଥର ସାରଥୀ , ପାର୍ଶ୍ଵଦେବତା , ଅଶ୍ୱ ଓ ଶୁଆ ଇତ୍ୟାଦିଙ୍କୁ ସେଠାରେ ପାତାଳି କଲେ । ଏତଦ୍ଭିନ୍ନ ଠାକୁରମାନଙ୍କର ଖଟ , ଶେଯ , ତକିଆ ଇତ୍ୟାଦି ମଧ୍ୟ ବିସର୍ଜନ କରାଗଲା । ଦଇତାମାନେ ଦୁଃଖାଭିଭୂତ ହୋଇ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ । ସେହି ମୁହୂର୍ତ୍ତରୁ ଶ୍ରୀମନ୍ଦିର ପରିସରରେ ଥିବା ମଙ୍ଗଳା ମନ୍ଦିରରେ “ଘଟଦୀପ” ଜଲାଗଲା । ବାଦ ଆଶ୍ଚର୍ଯ୍ୟ ବ୍ରହ୍ମଙ୍କର ଏହି ଅଲୌକିକ ଲୀଳା । ମଙ୍ଗଳାଙ୍କ ଆଦେଶରେ ନବକଳେବର ଏବଂ ପୁରାତନ କଳେବର ଗୋଲକ ସମାଧି ପ୍ରଦାନର ଅଶୌଚ କ୍ରିୟାଜନିତ ଘଟଦୀପ ମଙ୍ଗଳା ମନ୍ଦିରରେ ପ୍ରଜ୍ୱଳନ । ମା’ ମଙ୍ଗଳା ହିଁ ବିଶ୍ଵର ମଙ୍ଗଳ କରିଥାନ୍ତି । ତାଙ୍କ ପାଖରେ ଅଶୌଚ ଅମଙ୍ଗଳ ନାହିଁ । କେବଳ ମାନବିୟତା ଲୀଳାର ଲୋକାଚାର ହିଁ ତାଙ୍କ ନିକଟରେ ପାଳିତ ହୁଏ । ଶ୍ରୀଅଙ୍ଗ ସେବକ ଦଇତାମାନେ ଦାରୁବ୍ରହ୍ମଙ୍କୁ ତାଙ୍କର ଏକାନ୍ତ ଆତ୍ମିୟ ବୋଲି ମନେକରନ୍ତି । ତାଙ୍କୁ ଗୋଲୋକ ସମାଧି ଦେବାର ଶୋକ ଓ ସ୍ମୃତିରେ ସେମାନେ ଘଟଦୀପ ପ୍ରଜ୍ୱଳନ ମୁହୂର୍ତ୍ତରୁ ହିଁ ଅଶୌଚ ପାଳନ କରିଥାନ୍ତି । ଗୋଲକ ସମାଧି କାର୍ଯ୍ୟ ଶେଷ ହେବା ବେଳକୁ ପ୍ରାୟ ସକାଳ ହୋଇ ଆସୁଥାଏ । ଏହାପରେ ଦଇତାମାନେ ମୁକ୍ତିମଣ୍ଡପ ତଳ ଝୁଲଣମୁକ୍ତିଠାରେ ରାଶିତେଲ ଲଗାଇ ମାର୍କଣ୍ଡ ପୋଖରୀକୁ ସ୍ନାନ କରିବାକୁ ଗଲେ । ସ୍ନାନାନ୍ତେ ଶ୍ରୀମନ୍ଦିରକୁ ଫେରି ଉଦକ ପାନ କଲେ । ସେମାନେ ତା୨୬।୬।୧୯୯୬ରିଖ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା ପାଳନ କଲେ । ଦଶାହ ଦିନ ପତିମହାପାତ୍ର ଓ ଦଇତାପତିଙ୍କ ପରିବାରର ସମସ୍ତ ସଦସ୍ୟ ମାର୍କଣ୍ଡ ପୋଖରୀ କୂଳରେ କ୍ଷୌର ହୋଇ ସ୍ନାନନ୍ତେ ନୂତନ ବସ୍ତ୍ର ପରିଧାନ କଲେ । ଶ୍ରୀମନ୍ଦିର ପ୍ରଶାଶନ ତରଫରୁ ଏହି ନୂତନ ବସ୍ତ୍ର ଯୋଗାଇ ଦିଆଯାଇଥିଲା । ଚାରିଜନଯାକ ବାଡ଼ଗ୍ରାହୀ ଲଣ୍ଡା ହୋଇଥିଲେ । ଏହି ଅବସରରେ ସେମାନଙ୍କର ଗୃହ ଧଉଳାଯାଇ ନୁଆ ହାଣ୍ଡି କରାଗଲା । ତ୍ରୟୋଦଶ ଦିବସରେ ମହୋତ୍ସବ ପାଳନ କରଯାଇଥିଲା । ସେହିଦିନ ରାତିରେ ଶହଶହ ସଂଖ୍ୟାରେ ବ୍ରାହ୍ମଣ, ସାଧୁ, ସନ୍ଥ, ବୈଷ୍ଣବ ଓ ଅନ୍ୟାନ୍ୟଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ବ୍ରହ୍ମାସଂସ୍ଥାପନ ପରେ ଠାକୁରମାନେ ଅଣସର ଘରେ ଏକମାସ ରହିଲେ । ଏହି ସମୟରେ ଦଇତାମାନେ ଗୁପ୍ତରେ ମହାପ୍ରଭୁଙ୍କର ସପ୍ତାବରଣ କାର୍ଯ୍ୟ କରିଥିଲେ । ଠାକୁରଙ୍କ ଶ୍ରୀଅଙ୍ଗରେ ବାସୁଙ୍ଗା ପାଟବସ୍ତ୍ର, ଝୁଣା, ତୈଳ ଇତ୍ୟାଦି ପରସ୍ତ ପରସ୍ତ କରି ସ୍ଵତନ୍ତ୍ର ଶୈଳୀରେ ଆବରଣ ଦିଆଗଲା । ସପ୍ତାବରଣରେ ଫୁଲୁରୀ ଲାଗି, ଘଣା ଲାଗି, ଚକାବିଜେ, ଖଳିଲାଗି, ଖଡ଼ିଲାଗି, ରାଜପ୍ରସାଦ ବିଜେ ଓ ବନକଲାଗି ପ୍ରଭୃତି ସେବା ସମ୍ପନ୍ନ ହୋଇ ନେତ୍ରୋତ୍ସବ ଦିନ ଠାକୁରମାନେ ଭକ୍ତଙ୍କୁ ନବଯୌବନରେ ଦର୍ଶନ ଦେଇଥିଲେ । ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି ଯୋଗୁ ପ୍ରାୟ ତିନିଘଣ୍ଟାର ଅଧିକ ନୀତି ପାଳନ ହେଲା-। ତେଣୁ ସ୍ଵଳ୍ପ ସମୟ ନବଯୌବନ ଦର୍ଶନ ହୋଇଥିଲା । ତତପରଦିନ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ନବକଳେବର ଦର୍ଶନ କରିବାକୁ ଦଶଲକ୍ଷରୁ ଅଧିକ ଭକ୍ତ ପୁରୀ ଆଗମନ କରିଥିଲେ । ଦାରୁବ୍ରହ୍ମଙ୍କ କରୁଣାରୁ ଶାନ୍ତି ଶୃଙ୍ଖଳାରୁ ସହିତ ନବକଳେବର ମହୋତ୍ସବ ସମାପନ ହୋଇଥିଲା ।

 

ଇତିହାସରେ ନବକଳେବର

ଡକ୍ଟର ଅରବିନ୍ଦ ରାୟ

ଶ୍ରୀମଦ୍ ଭାଗବତ ଗୀତାରେ ପଞ୍ଚଦଶ ଅଧ୍ୟାୟ ହେଉଛି ଅଠର ଅଧ୍ୟାୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଏହି ଅଧ୍ୟାୟର ନାମ ହେଲା ପୁରୁଷୋତ୍ତମ ଯୋଗ । ଏଥିରେ ଅନ୍ୟ ଅଧ୍ୟାୟମାନଙ୍କ ପରି ଅର୍ଜୁନଙ୍କର କୌଣସି ପ୍ରଶ୍ନ ନାହିଁ, କେବଳ ଭଗବାନଙ୍କର ବାଣୀ ଅଛି । ଏହି ଅଧ୍ୟାୟର ପ୍ରଥମ ଶ୍ଲୋକ ହେଉଛି-

“ଉର୍ଦ୍ଧ୍ୱମୂଳମଧଃଶାଖମଶ୍ଵତଥ˚ ପ୍ରାହୁରବ୍ୟୟମ୍

ଛନ୍ଦା˚ସି ଯସ୍ୟ ପର୍ଣ୍ଣାନି ଯସ୍ତ˚ ବେଦ ସ ବେଦବିତ୍”

।।

ଅର୍ଥାତ୍ ଅଶ୍ୱତ୍ଥ ବୃକ୍ଷର ମୂଳ ଉପରେ ଓ ଶାଖା ପ୍ରଶାଖା ସବୁ ତଳେ । ବେଦର ମନ୍ତ୍ର ସବୁ ଏହି ବୃକ୍ଷର ପତ୍ର ସ୍ଵରୁପ ଶୋଭା ପାଉଛନ୍ତି । ଏହି ତତ୍ତ୍ୱଯେ ଜାଣନ୍ତି ସେହିଁ ବେଦବିତ୍ ଅଟନ୍ତି । ସୁତରାଂ ଶରୀର ହିଁ ବୃକ୍ଷ । ପ୍ରତି କ୍ଷୟଶୀଳ ଶରୀର ଏକ ବୃକ୍ଷ ପରି । ତେବେ, ମନରେ ପ୍ରଶ୍ନ ଉଠେ ଯଦି ଏ ଶରୀର ଏକ ବୃକ୍ଷ ପରି କ୍ଷୟଶୀଳ, ତେବେ ବୃକ୍ଷ ବା ଦାରୁ ଦେବତା ରୂପେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତି କିପରି ଅବିନାଶୀ ଓ ଅକ୍ଷୟ ଅଟନ୍ତି ? ସେହି ଭଗବତ୍ ଗୀତାର ପଞ୍ଚଦଶ ଅଧ୍ୟାୟ ଶ୍ଲୋକ ୧୮ରେ ଏହି ପ୍ରଶ୍ନର ସମାଧାନ କରି କହିଛନ୍ତି-

“ଯସ୍ମାତ୍ କ୍ଷରମତୀତୋ˚ଽହମକ୍ଷରାଦପି ଚୋତ୍ତମଃ

 

“ଯସ୍ମାତ୍ କ୍ଷରମତୀତୋ˚ଽହମକ୍ଷରାଦପି ଚୋତ୍ତମଃ

ଅତୋଽସ୍ମି ଲୋକେ ବେଦେଚ୍ ପ୍ରଥିତଃ ପୁରୁଷୋତ୍ତମଃ”

।।

ଅର୍ଥାତ୍, ଯେହେତୁ ମୁଁ କ୍ଷରରୁ ଅତୀତ ଏବଂ ଅକ୍ଷରଠାରୁ ମଧ୍ୟ ଉତ୍ତମ, ସେହି ହେତୁରୁ ମୁଁ ଲୋକମାନଙ୍କ ମଧ୍ୟରେ ଏବଂ ବେଦରେ ପୁରୁଷୋତ୍ତମ ବୋଲି ପ୍ରସିଦ୍ଧ । ଏହି ପୁରୁଷୋତ୍ତମ ହେଉଛନ୍ତି ସର୍ବଶକ୍ତିମାନ ପରମ ପିତା । ସେ କ୍ଷର ଓ ଅକ୍ଷର ଉଭୟଠାରୁ ଉର୍ଦ୍ଧ୍ୱରେ ଓ ଉଭୟଙ୍କଠାରୁ ଉର୍ଦ୍ଧ୍ୱରେ ଓ ଉଭୟଙ୍କଠାରୁ ଉତ୍ତମ ମଧ୍ୟ । ସେ ଉଭୟ ବିନାଶଶୀଳ ଓ ଅବିନାଶୀ ତତ୍ତ୍ୱ ମଧ୍ୟରେ ନିତ୍ୟ ବିଦ୍ୟମାନ ।

ଏହି ନିତ୍ୟ ବିଦ୍ୟମାନ ଅବିନାଶୀ ଶ୍ରୀପୁରୁଷୋତ୍ତମଙ୍କର ଘଟ ପରିବର୍ତ୍ତନ ବା ନବକଳେବର ବାସ୍ତବିକ୍ ଅନେକ ରହସ୍ୟ ଓ ଅନେକ ଗୂଢ଼ ତତ୍ତ୍ୱ ତଥା ତଥ୍ୟର ସମାହାର ଅଟେ । ସଭ୍ୟତାର ବିବର୍ତ୍ତନ ଅନୁସାରେ ତଥା ସମୟର ଆବଶ୍ୟକତା ଅନୁସାରେ ଶ୍ରୀଜଗନ୍ନାଥ ଚେତନା ମଧ୍ୟ ବହୁ ବିବର୍ତ୍ତନ ମଧ୍ୟ ଦେଇ ଗତି କରିଆସିଛି । ଆଜି, ୨୦୧୫ ମସିହାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ସମେତ ରଥର ବିଗ୍ରହମାନଙ୍କର ଯେଉଁ ନବକଳେବର ସମ୍ପନ୍ନ ହେଉଛି, ସେଥିରେ ମଧ୍ୟ ସଭ୍ୟତା ଓ ସମସାମୟିକ ସମାଜର ଅନେକ ବିବର୍ତ୍ତିତ ପ୍ରତିଫଳିତ ପରିଦୃଷ୍ଟ ହେବା ସ୍ଵାଭାବିକ ।

ତେଣୁ, ଶ୍ରୀଜଗନ୍ନାଥ ଆରାଧନା କେଉଁ ନିର୍ଦ୍ଧିଷ୍ଟ ସମୟରୁ ‘ଦାରୁ’ ଉପାସନାରେ ରୂପାନ୍ତରିତ ହୋଇଥିଲା, ତାହା ଆକଳନ କରିବା ସମ୍ଭବ ନୁହେଁ । ବୈଦିକ ସମୟରେ ‘ଦାରୁ’ ଉପାସନା ପ୍ରଚଳିତ ଥିବାରୁ ଏହାର ପ୍ରାଚୀନତା ଆକଳନ ଏକ ଦୁରୂହ ବ୍ୟାପାର । ତେବେ, ଶ୍ରୀଜଗନ୍ନାଥ ଉପାସନା ଦାରୁ ଉପାଦନାରେ ରୂପାନ୍ତରିତ ହେବା ପରଠାରୁ ଶାସ୍ତ୍ର ମତେ ତାଙ୍କ ବିଗ୍ରହର ନବକଳେବର ଅପରିହାର୍ଯ୍ୟ ହେବ ସ୍ଵାଭାବିକ ।

 

ନବକଳେବରର ଆବଶ୍ୟକତା :

ହିନ୍ଦୁଶିଳ୍ପ ଶାସ୍ତ୍ର “ଭୁବନ ପ୍ରକାଶ”ର ବର୍ଣ୍ଣନା ଅନୁସାରେ ମୂର୍ତ୍ତି ବା ବିଗ୍ରହ ନିର୍ମାଣ ସାଧାରଣତଃ ଚାରି ପ୍ରକାର ହୋଇଥାଏ । ଯଥା- ୧) ରେଖା ବା ଚିତ୍ର ପ୍ରତିମା, ୨) ଦାରୁ ବା କାଷ୍ଠ ପ୍ରତିମା, ୩) ଧାତୁ ବିଗ୍ରହ, ୪) ଶିଳା ନିର୍ମିତ ବିଗ୍ରହ । ଏହି ଶିଳ୍ପ ଶାସ୍ତ୍ରର ବିଧି ଅନୁସାରେ ରେଖା ବା ଚିତ୍ର ପ୍ରତିମାକୁ ୧ବର୍ଷରେ, ଦାରୁ ବ କାଷ୍ଠ ନିର୍ମିତ ବିଗ୍ରହକୁ ୧୨ବର୍ଷରେ, ଧାତୁ ନିର୍ମିତ ମୂର୍ତ୍ତିକୁ ୧୦୦୦ ବର୍ଷରେ ଏକ ଶିଳା ନିର୍ମିତ ବିଗ୍ରହକୁ ୧୦,୦୦୦ ବର୍ଷରେ ଠାରେ ନୂତନ ଭାବେ ପୁନର୍ଗଠିତ କରାଯାଏ । ସେହିପରି ମୃଣ୍ମୟୀ ମୂର୍ତ୍ତି ବା ମାଟିର ମୂର୍ତ୍ତିକୁ ଗୋଟିଏ ମାସ ଅବଧି ମଧ୍ୟରେ ପରିବର୍ତ୍ତନ କରିବା ଆବଶ୍ୟକ । ଏହି କାରଣରୁ ଶ୍ରୀମନ୍ଦିରରେ ଉପାସିତ ଦାରୁ ନିର୍ମିତ ଚତୁର୍ଦ୍ଧା ମୂର୍ତ୍ତିଙ୍କର ୧୨ବର୍ଷ ପରେ ଥରେ ବିଗ୍ରହ ପରିବର୍ତ୍ତନ ଅପରିହାର୍ଯ୍ୟ, କିନ୍ତୁ ଶ୍ରୀମନ୍ଦିରର ବିଧି ଅନୁସାରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ମାସ ହୁଏ, ସେହିବର୍ଷ ବିଗ୍ରହମାନଙ୍କର ନବକଳେବର ବିଧି ସମାହିତ ହୋଇଥାଏ ।

ପୁରାଣ ଆଧାରରେ ବିଗ୍ରହ ନିର୍ମାଣର ଆଦିକରଣ :

ତେବେ, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ବିଷ୍ଣୁ ପୁରାଣ ଆଦିରୁ ମିଳୁଥିବା ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ଦାରୁରେ ରୂପାନ୍ତରିତ ହେବା ପୂର୍ବରୁ ବିଷ୍ଣୁ ଆରଧନାରେ କେନ୍ଦ୍ର ଥିଲେ ପାଷାଣ ବିଗ୍ରହ ଶ୍ରୀନୀଳମାଧବ । ସେହିପରି ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ବେଳକୁ ପ୍ରାଚୀନ ଓଡ୍ର ଭୂଖଣ୍ଡର ପାର୍ବତ୍ୟାଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ଉପାସନା ପ୍ରାଧନ୍ୟା ଲାଭ କରିଥିଲା । କିନ୍ତୁ ତାଙ୍କ ବିଗ୍ରହ ନିର୍ମାଣର ସ୍ଵରୁପ ସ୍ପଷ୍ଟ ହୋଇ ନଥିବାରୁ ଶ୍ରୀନୀଳମାଧବ ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥରେ ରୂପାନ୍ତରିତ ହୋଇଛନ୍ତି ବୋଲି କୁହାଯାଏ । ଏକଥା ମଧ୍ୟ ପୁରାଣମାନଙ୍କରେ କୁହାଯାଇଛି ଯେ, ନୀଳମାଧବଙ୍କ ପାଷାଣ ବିଗ୍ରହ ଅନ୍ତର୍ଦ୍ଧାନ ହେବାପରେ ସମୁଦ୍ରରେ ଭାସି ଆସିଥିବା ଏକ ଦାରୁରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରି ଶ୍ରୀକ୍ଷେତ୍ରରେ ସଂସ୍ଥାପନ କରାଗଲା । ବ୍ରହ୍ମ ପୁରାଣର ଉଲ୍ଲେଖ ଅନୁସାରେ “ଗୋଟିଏ ହରିପ୍ରସାଦ ନିର୍ମାଣ କରି ତହିଁରେ କିଭଳି ମୂର୍ତ୍ତିଗଠନ କରି ପ୍ରତିଷ୍ଠା କରିବେ ଏହି ଚିନ୍ତା ରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ମନକୁ ଅସ୍ଥିର କରିଥିଲା । ସେ ଭାବିଲେ ଶୈଳ ମୂର୍ତ୍ତିକା ଓ ଦାରୁମୟ ପ୍ରତିମା ମଧ୍ୟରେ କେଉଁଟି ବ ପ୍ରଶସ୍ତ ଓ କେଉଁଟି ବା ବିଷ୍ଣୁଙ୍କର ଯୋଗ୍ୟ ?”

ବ୍ରହ୍ମ ପୁରାଣର ଏହି ତଥ୍ୟ ଆଧାରରେ ଏତିକି କୁହାଯାଇପାରେ ଯେ, ପାଷାଣ ବିଗ୍ରହରୁ ଦାରୁ ବିଗ୍ରହରେ ରୂପାନ୍ତରିତ ହେବା ପୂର୍ବରୁ ଏହି ଓଡ୍ର ଭୂଖଣ୍ଡରେ ଶ୍ରୀଜଗନ୍ନାଥ ଆରାଧନା ପ୍ରଚଳିତ ଥିଲା । ଏପରିକି ବେଦ ରଚନା ପୂର୍ବରୁ ମଧ୍ୟ ଏହି ଦାରୁଦେବତାଙ୍କ ସମ୍ପର୍କରେ ଆଲୋଚନା କରାଯାଉଥିଲା । ଋଗ୍ ବେଦର ଦଶମ ମଣ୍ଡଳରୁ ଏହା ଆମକୁ ସୂଚନା ମିଳେ ।

ବେଦ ଭାଷ୍ୟକାର ସାୟାଣାଚାର୍ଯ୍ୟ ଏହି ସୂକ୍ତର ବ୍ୟାଖ୍ୟା ପୂର୍ବକ ଉଲ୍ଲେଖ କରିଛନ୍ତି, “ ଦୂରବର୍ତ୍ତୀ ସ୍ଥାନରେ ବର୍ତ୍ତମାନ ଅପୁରୁଷ (ସ୍ଵୟଂବହୁ) ଯେଉଁ ଦାରୁମୟ ପୁରୁଷୋତ୍ତମ ନାମକ ଦେବତା ଶରୀର ସମୁଦ୍ର ତୀରର ଜଳ ଉପରିଭାଗରେ ବିଦ୍ୟମାନ, ହେ ସ୍ତାବକ, ସେହି ଦାରୁକୁ ଉପାସନା କର ଏବଂ ତାହାଦ୍ୱାରା ଉତ୍କୃଷ୍ଟ ବୈଷ୍ଣବ ଲୋକକୁ ଯାତ୍ରା କର ।”

ସୁତରାଂ ଏହି ଓଡ୍ର ଭୁଖଣ୍ଡରେ ଏକଦା ଶ୍ରୀନୀଳମାଧବ ଓ ଶ୍ରୀଜଗନ୍ନାଥ ଉପାସନା ସ୍ଵତନ୍ତ୍ର ଭାବରେ ପ୍ରଚଳିତ ଥିଲା । ଶ୍ରୀନୀଳମାଧବ ପାଷାଣ ବିଗ୍ରହ ହୋଇଥିବା ବେଳେ ଶ୍ରୀଜଗନ୍ନାଥ ଦାରୁ ବିଗ୍ରହ ରୂପରେ ପୂଜା ପାଉଥିଲେ । ପରବର୍ତ୍ତୀ ସମୟରେ ଶବରମାନେ ଜଗନ୍ନାଥଙ୍କୁ ଶବରୀ ନାରାୟଣ ଭାବରେ ନିଜର ଇଷ୍ଟଦେବତା ଭାବେ ପୂଜା କଲେ । ସୌରା ଆଦିବାସୀମାନେ ଯେଉଁ “କିତୁଂଗ୍” ପୂଜା କରନ୍ତି ବା କୋୟାମାନେ “ଜ୍ୟାରାକୁ” ପୂଜା କରନ୍ତି ବା ଗଦ୍ବାମାନେ ‘ଜଗତା’ ଓ କନ୍ଧମାନେ ‘ଜଗୟା’ଙ୍କୁ ପୂଜା କରନ୍ତି, ସେ ସମସ୍ତେ ଗୋଟିଏ ଅର୍ଥ ବହନ କରନ୍ତି । ତାହାହେଲା ଜଗନ୍ନାଥ । ତେବେ, ଏହି ଆଦି ଦେବତା ପାଷାଣ ବିଗ୍ରହରୁ କାଷ୍ଠ ବା ଦାରୁ ବିଗ୍ରହରେ କେବେ ରୂପାନ୍ତରିତ ହେଲେ ସେ ସମ୍ପର୍କରେ ଇତିହାସ ପ୍ରାୟ ନିରବ । ତେବେ ଶ୍ରୀଜଗନ୍ନାଥଙ୍କ ନବକଳେବର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ, ଯୋଡ଼ା ଆଷାଢ଼ ବା ଶାସ୍ତ୍ରବିଧି ଅନୁସାରେ କେବଳ ନୁହେଁ ବରଂ ସମୟର ଓ ପରିସ୍ଥିତିର ଆବଶ୍ୟକତା ଅନୁସାରେ ଶ୍ରୀଜଗନ୍ନାଥଙ୍କ ନବକଳେବର ଅନେକଥର ଅପରିହାର୍ଯ୍ୟ ହୋଇପଡିଥିଲା ।

ନବକଳେବରର ଇତିହାସ :

ମାଦଳା ପାଞ୍ଜିର ତଥ୍ୟ ଅନୁସାରେ ଦ୍ୱିତୀୟ ଯଯାତିଙ୍କ ସମୟରେ ଶ୍ରୀବିଗ୍ରହମାନଙ୍କର ନବକଳେବର ଅନୁଷ୍ଠିତ ହୋଇଥିଲା । ଏହି ଦ୍ୱିତୀୟ ଯଯାତିଙ୍କ ରାଜତ୍ୱ କାଳ ୯୫୦ ଖ୍ରୀଷ୍ଟାବ୍ଦ ବୋଲି ଐତିହାସିକ ଡକ୍ଟର ନବୀନକୁମାର ସାହୁ ଉଲ୍ଲେଖ କରିଛନ୍ତି । ଡକ୍ଟର ସାହୁଙ୍କ ଉଲ୍ଲେଖ ଅନୁସାରେ ସୋମବଂଶୀ ରାଜା ଦ୍ୱିତୀୟ ଯଯାତି ପଶ୍ଚିମ ଦିଗରୁ ଆସି ଓଡିଶାର ଉପକୂଳ ଅଞ୍ଚଳ ଦଖଲ କରିଥିଲେ । ସେହି ରାଜା ଯଯାତିଙ୍କୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଯେଉଁ ସୂଚନା ଦିଆଯାଇଥିଲା, ତାହା ମାଦଳାପାଞ୍ଜିରେ ନିମ୍ନମତେ ଉଲ୍ଲେଖ କରାଯାଇଛି- “ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ ସୋମୋଦ୍ର ମାଡି ଆଇଲାକୁ ଅପାର ଦିନ ହୋଇଲା । ଶ୍ରୀ ପର୍ମେସରଙ୍କୁ ପାତାଳୀ କରି ସୁନୁପୁର ଆଡ଼େ କେଉଁଠାରେ ବିଜେ କରାଇଲେ ଗାଁତବ ନାହିଁ ।”

ସୋନପୁର ଖଣ୍ଡାଇତମାନେ କହିଲେ, “ଆମ୍ଭବାପା ଅଜା କହନ୍ତି ଦିଅଁବାର ଏହି । ଏଥିତଳେ ଦିଅଁଙ୍କୁ ପୋତିଥିଲେ । ଏହା ଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ସେ ଗଛ କଟାଇ ଖୋଳାଇଲେ । ପର୍ମେସରଙ୍କୁ ବାହାର କଲେ । ସେ ଦିନେ ସେ ମୂର୍ତ୍ତିମାନ ମାଟି ଖାଇ ଛିନ୍ନ ଭିନ୍ନ ହୋଇଛନ୍ତି । ଦିଅଁମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୁରୋଇ ମୁଦାଇଲେ । ଏ ଉତ୍ତାରୁ ଦଇତାପତିଙ୍କୁ ଲୋଡ଼ାଇଲେ । ଦଇତାମାନେ ବିରବନ୍ଧରେ ଥିଲେ । ପତିମାନେ ରତନପୁର ସୀମାରେ ଥିଲେ । ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁଚ୍ଛେଦନ କରାଇ ପର୍ମେସରଙ୍କ ସୁମୂର୍ତ୍ତି କରାଇଲେ । ଏ ଘଟଣା ବେଳେ ରାଜା ଅଧିକ ସୋଳ ତାଟି ଭିତର କଲେ । ଗଛକଟାକଟୁରିଆ ବ୍ରାହ୍ମଣ ପାଞ୍ଚ ସେବା । ଏହାଙ୍କ ଗୋତ୍ର ବଚ୍ଛସ । ୫ଜଣଙ୍କୁ ୧୦ ଜଣ । ପତିମାନଙ୍କର ୧୧ ଜଣକୁ ୬ଜଣ । ଦଇତାମାନଙ୍କର ଭଲ୍ଲୁକ ଗୋତ୍ର । ୮ଜଣକୁ ୮ଜଣ ପରିଚ୍ଛା ଗାଏ ୨୪ଜଣ । ଶ୍ରୀପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳେ ହା୩୮ଥ କରି ପଟୋଳ ଗୋଟାଏ ତୋଳି ପ୍ରତିସା କରି ପରମେସରଙ୍କୁ ବିଜେ କରାଇଲେ ।”

ମାଦଳା ପାଞ୍ଜିର ଏହି ତଥ୍ୟ ଆଧାରରେ ଇତିହାସ କହେ, “ରକ୍ତବାହୁ”ର ଆକ୍ରମଣ ଯୋଗୁ ଶ୍ରୀବିଗ୍ରହମାନଙ୍କୁ ୧୪୪ବର୍ଷ ପର୍ଯ୍ୟନ୍ତ ପାତାଳୀ କରି ରଖାଯାଇଥିଲା । ୧୪୪ ବର୍ଷ ପରେ ମାଟିତଳୁ ଜୀର୍ଣ୍ଣ ବିଗ୍ରହମାନଙ୍କୁ ଉଦ୍ଧାର କାରଯାଇ ନବକଳେବର କରାଯାଇଥିଲା ।

ଏହାପରେ ୧୫୬୮ ଖ୍ରୀଷ୍ଟାବ୍ଦରେ ପୁଣି ମୁସଲମାନ ସୈନିକମାନେ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବେଶ କରି ବିଗ୍ରହମାନଙ୍କୁ ଧ୍ୱଂସ କରି ଦେଇଥିଲେ । ଏ ସମ୍ପର୍କରେ ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ର ଉଲ୍ଲେଖ କରିଛନ୍ତି- ହିନ୍ଦୁ ମାନେ ସେମାନଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଧ୍ୱଂସ କାରଣରୁ ଅତ୍ୟନ୍ତ ଦୁଃଖାଭିଭୂତ ହୋଇପଡିଥିଲେ । ହିନ୍ଦୁ ସମାଜର ଏହି ଘୋର ଦୁର୍ଦ୍ଦିନରେ ଭୋଇ ରାଜବଂଶର ପ୍ରତିଷ୍ଠାତା ରାମଚନ୍ଦ୍ରଦେବ ପ୍ରଥମେ ଖୁରୁଧା ଚତୁପାର୍ଶ୍ଵର୍ବର୍ତ୍ତୀ ଅଞ୍ଚଳରେ ଏକ ଶକ୍ତିଶାଳୀ ରାଜା ପ୍ରତିଷ୍ଠା କରି ଧର୍ମ ସଂସ୍ଥାପନ ନିମିତ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ପୁନଃ ପ୍ରତିଷ୍ଠା କରିଥିଲେ । ଏ ସମ୍ପର୍କରେ ମାଦଳା ପାଞ୍ଜିରେ ମଧ୍ୟ ଉଲ୍ଲେଖ ଅଛି- “ଅ୯ଙ୍କେ ରାଜା କୁଜଙ୍ଗଗଡ଼ରୁ ବ୍ରହ୍ମ ଅଣାଇଲେ । ଖୁରୁଧା କଟକେ ବନଯୋଗ କରି ସୁମୁରତି କରାଇଲେ ଅ୧୧ଙ୍କେକକଡ଼ା ୧୮ଦିନ ଶ୍ରାବଣ ଶୁକ୍ଲ ନବମୀ ଦିନ ଶ୍ରୀପୁରୁଷୋତ୍ତମ ବାଦ ଦେଉଳେ ରତ୍ନ ସିଂହାସନେ ବିଜେ କରାଇଲେ । ବ୍ରହ୍ମ ଆଣିଲା ବିଶର ମହାନ୍ତିଙ୍କୁ ଘୋର ନାଏକ କଲେ । ଏ ଦାରୁବ୍ରହ୍ମ ଘେନି ଅଇଲା, ତାଟି ଭିତରେ ପଶିବ ବୋଲି ଶାଢ଼ି ଦେଲେ ।”

ମାଦଳା ପାଞ୍ଜିର ଏହି ତଥ୍ୟ ଓ ଚକଡ଼ାପୋଥିର ତଥ୍ୟଙ୍କୁ ବିଶ୍ଲେଷଣ କରି ଐତିହାସିକ କେଦାରନାଥ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ, ୧୭.୦୭.୧୫୭୫ ମସିହା ଶ୍ରାବଣ ଶୁକ୍ଲ ନବମୀରେ ବିଗ୍ରହମାନେ ଶ୍ରୀମନ୍ଦିରରେ ପୁନଃ ସଂସ୍ଥାପିତ ହୋଇଥିଲେ । ୧୫୭୫ ମସିହାର ନବକଳେବର ପରେ ୧୫୯୩, ୧୬୦୮, ୧୬୪୬, ୧୬୬୫, ୧୬୮୪, ୧୬୯୮, ୧୭୧୪, ୧୭୩୦, ୧୭୩୩, ୧୭୩୩, ୧୭୪୯, ୧୭୬୮, ୧୭୯୦, ୧୮୯୦, ୧୮୨୧, ୧୮୫୫, ୧୮୭୪, ୧୮୯୩, ୧୯୧୨, ୧୯୩୧, ୧୯୫୦, ୧୯୭୭, ୧୯୯୬ରେ ଅନୁଷ୍ଠିତ ହୋଇଥିଲା ଏବଂ ଚଳିତ ବର୍ଷ ଅର୍ଥାତ୍ ୨୦୧୫ରେ ଏହି ଶତାବ୍ଦୀରେ ପ୍ରଥମ ନବକଳେବର ଅନୁଷ୍ଠିତ ହେଉଛି ।

ଏହିସବୁ ନବକଳେବର ଯେଉଁ ଗଜପତି ମହାରାଜାମାନେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା, ସେମାନେ ହେଲେ ୧୫୭୫ ଓ ୧୫୯୩ ଗଜପତି ପ୍ରଥମ ରାମଚନ୍ଦ୍ର ଦେବ, ୧୬୦୮, ୧୬୨୫ ଗଜପତି ପୁରୁଷୋତ୍ତମ ଦେବ, ୧୬୪୬ ଗଜପତି ନରସିଂହ ଦେବ, ୧୬୬୫, ୧୬୮୪ ଗଜପତି ମୁକୁନ୍ଦ ଦେବ (ପ୍ରଥମ) ୧୬୯୮, ୧୭୧୪ ଗଜପତି ଦିବ୍ୟସିଂହ ଦେବ (ପ୍ରଥମ) ୧୭୩୦ ଗଜପତି ରାମଚନ୍ଦ୍ର ଦେବ (୨ୟ) ୧୭୩୩ ଗଜପତି ଭାଗିରଥୀ ଦେବ ୧୭୪୯, ୧୭୬୮, ୧୭୯୦ ଗଜପତି ବୀରକିଶୋର ଦେବ (ପ୍ରଥମ) ୧୮୦୯ ଗଜପତି ମୁକୁନ୍ଦଦେବ (୨ୟ) ୧୮୨୧ ଗଜପତି ରାମଚନ୍ଦ୍ର ଦେବ (୩ୟ) ୧୮୫୫ ଗଜପତି ବୀରକିଶୋର ଦେବ (୨ୟ) ୧୮୭୪ ଗଜପତି ଦିବ୍ୟସିଂହ ଦେବ (୩ୟ) ୧୮୯୩, ୧୯୧୨ ଗଜପତି ମୁକୁନ୍ଦଦେବ (୩ୟ) ୧୯୩୧, ୧୯୫୦ ଗଜପତି ରାମଚନ୍ଦ୍ର ଦେବ (୪ର୍ଥ) ୧୯୬୯ ଗଜପତି ବୀରକିଶୋର ଦେବ (୩ୟ) ୧୯୭୭, ୧୯୯୬, ୨୦୧୫ ଗଜପତି ଶ୍ରୀ ଦିବ୍ୟସିଂହ ଦେବ (୪ର୍ଥ) ।

ଲୀଳାମୟ ଶ୍ରୀଜଗନ୍ନାଥଙ୍କ ନବକଳେବର ମଧ୍ୟ ଅନେକ ଲୀଳାର ସୀମାହାର । ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯାଏ, ବିଗତ ୨୫ଥରର ନବକଳେବର ମଧ୍ୟରେ ଅନେକ ବାଧାବିଘ୍ନ ଓ ବାହ୍ୟଶତ୍ରୁ ବିପଦ ଆଚ୍ଛନ୍ନ ହୋଇ ରହିଥିଲା । ତଥାପି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଶ୍ରୀଦାରୁ ବିଗ୍ରହମାନଙ୍କର ନବକଳେବର ବିଧି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

ଏହିପରି ଭାବରେ ଇତିହାସର ତଥ୍ୟ ଅନୁସାରେ କେବେ ୧୪୪ ବର୍ଷ ଅନ୍ତରରେ ତ କେବେ ମାତ୍ର ୩ବର୍ଷ ଅନ୍ତରରେ ଶ୍ରୀବିଗ୍ରହମାନଙ୍କର ନବକଳେବର ଅନୁଷ୍ଠିତ ହୋଇଛି । ବାହ୍ୟ ଶତ୍ରୁଙ୍କ ଆକ୍ରମଣରେ ଶ୍ରୀବିଗ୍ରହ ନଷ୍ଟ ହେବାପରି ଶ୍ରୀବିଗ୍ରହ ପାତାଳୀ ହୋଇଯିବା ପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଆଧ୍ୟାତ୍ମିକ ଲହଡ଼ି କିଛି କାଳ ସ୍ଥିର ହୋଇସାରିଛି ସିନା-ଶ୍ରୀବିଗ୍ରହମାନଙ୍କ ଅକ୍ଷୟ ବ୍ରହ୍ମ ପରି ଯୁଗ ଯୁଗ ଧରି ଜଗନ୍ନାଥ ଚେତନା ଅକ୍ଷୟ ହୋଇ ରହିଛି । ଏହାର ଚାକ୍ଷୁସ ପ୍ରମାଣ ହେଉଛି ଶ୍ରୀବିଗ୍ରହମାନଙ୍କ ନବକଳେବର ।

ସହାୟକ ଗ୍ରନ୍ଥସୂଚୀ :

୧.

ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ– ପଣ୍ଡିତ ସୁର୍ଯ୍ୟ ନାରାୟଣ ମିଶ୍ର

୨.

ଶ୍ରୀମନ୍ଦିର ନବକଳେବର ପରମ୍ପରା – ଡ.ଭାସ୍କର ମିଶ୍ର

୩.

ଶତାବ୍ଦୀର ଶେଷ ନବକଳେବର – ଡ.ସୁରେନ୍ଦ୍ରା କୁମାର ମିଶ୍ର

୪.

ମାଦଳା ପାଞ୍ଜି – ସଂ.ଆର୍ତ୍ତବଲ୍ଲଭ ମହାନ୍ତି

୫.

ଶ୍ରୀଜଗନ୍ନାଥ ଚେତନା ଦୀପ୍ତି ଓ ବ୍ୟାପ୍ତି – ସଂ.ପ୍ରଫେସର ଖଗେଶ୍ଵର ମହାପାତ୍ର ଓ ଅନ୍ୟମାନେ

 

Unknown

ଯୋଡ଼ା ଆଷାଢ଼ର ମାହତ୍ମ୍ୟ

ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି

ଉପକ୍ରମଣିକା :

ସମଗ୍ର ଜଗତ୍ ରୂପୀ ଉପାସ୍ୟା ପୁରୁଷ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଚ୍ଚିଦାନମୟ ଲୋକ-ଦେବ ସମ୍ମତ ଦିବ୍ୟଦାରୁ ଦାରୁବ୍ରହ୍ମ ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ, କେବଳ ତନୁ-ମନ-ପ୍ରାଣ ଯେ ଅମାପ ଆନନ୍ଦରେ ଭରିଯାଏ, ତାହା ନୁହେଁ, ତା’ସହ ଦର୍ଶକରେ ହୃଦୟ-ମନ-ପ୍ରାଣ ମହାକାଶ ରୂପ ପରିପୂର୍ଣ୍ଣ ସର୍ବବ୍ୟାପକ ଆତ୍ମସତ୍ତାରେ ବିଲୀନ ହୋଇଯାଏ ।

ଜ୍ଞାନୀ, ଭକ୍ତ, ତତ୍ତ୍ୱଦର୍ଶୀ, ପଣ୍ଡିତ, ପ୍ରଚେତାଗଣ ତାଙ୍କୁ ଅଣାକାର, ନିରାକାର, ଅଣାଧାର, ଅଲକ୍ଷଣ, ଅନାଶ୍ରିତ, ଅକଳ୍ପ, ଅବ୍ୟୟ, ଅବିକାରୀ, ଅବିନାଶୀ, ଅନାଦି, ଅକ୍ଷୟ, ଅବିନେଶ୍ଵର, ଅପ୍ରମେୟ, ଅପ୍ରତର୍କ୍ୟ, ଅପ୍ରଜ୍ଞାତ, ଅବିଜ୍ଞେୟ, ସଗୁଣ, ନିର୍ଗୁଣ, ବିରଜ, ବିମଳ, ଅଖଣ୍ଡମଣ୍ଡଳାକାର, ମହାସିନ୍ଧୁ, ଦାରୁବ୍ରହ୍ମ ରୂପେ ବଖାଣିଛନ୍ତି ।

ତତ୍ତ୍ୱତଃ ସେ ନିଖିଳବିଶ୍ୱର ସର୍ବନିୟନ୍ତା ହୋଇଥିଲେ ହେଁ ତାଙ୍କର ଶ୍ରୀବିଗ୍ରହ ନଶ୍ୱର କ୍ଷୟଶୀଳ ଦିବ୍ୟଦାରୁରେ ନିର୍ମିତ । ମର୍ତ୍ତ୍ୟବୈକୁଣ୍ଠ, ନୀଳାଚଳ ପୁରୀ ଶ୍ରୀକ୍ଷେତ୍ରରେ ସେ’ ଦିବ୍ୟଲୀଳା ସଂରଚନା ପୂର୍ବକ, ଏ’ ସମଗ୍ର ଜଗତର ସର୍ବପ୍ରାଚୀନ ଦେବତା ଭାବରେ ମହିମାସ୍ନିଗ୍ଧ ।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବୈଚିତ୍ର୍ୟଭରା ଦାରବଲୀଳା :

ପିଣ୍ଡ ଓ ବ୍ରହ୍ମାଣ୍ଡର ଐକ୍ୟ ସର୍ବକାଳେ, ସର୍ବକ୍ଷେତ୍ରେ ସ୍ୱୀକୃତ । ଏଥିରୁ ବ୍ରହ୍ମ ଓ ଆତ୍ମାର ଏକତ୍ୱ ପ୍ରତିପାଦିତ । ସେହି ବ୍ରହ୍ମସତ୍ତାର ଉପଲବ୍ଧି ନିମନ୍ତେ ବହୁ ତପୋନିଷ୍ଠ ମହର୍ଷିଗଣ ଦୂରଅତୀତ ଯୁଗରୁ ପ୍ରଚେଷ୍ଟା ଜାରି ରଖି ଆସିଛନ୍ତି । ବ୍ରହ୍ମୋଲବ୍ଧି ହିଁ ମାନବ ଜୀବନର ଅନ୍ତିମ ଓ ପରମ ଲକ୍ଷ୍ୟ । ବ୍ରହ୍ମୋପଲବ୍ଧିକୁ ସହଜ, ସରଳ ତଥା ବାଧାମୁକ୍ତ କରିବା ପାଇଁ ବେଦରେ ପୁରୁଷୋତ୍ତମ ତତ୍ତ୍ୱର ଅବତାରଣା କରିଛନ୍ତି । ସେହି ବେଦବିଦିତ ପୁରୁଷୋତ୍ତମ ତତ୍ତ୍ୱର ନିର୍ଯ୍ୟାସ ହେଉଛନ୍ତି ପୁରୁଷୋତ୍ତମ ଶ୍ରୀଜଗନ୍ନାଥ । ଆର୍ତ୍ତୀ, ଜିଜ୍ଞାସୁ, ସଭିଙ୍କୁ ବ୍ରହ୍ମବୋଧ ତଥା ବ୍ରହ୍ମୋଲବ୍ଧି ର ପବିତ୍ର ଗଙ୍ଗାଧାରାରେ ଅବଗାହନ କରାଇବାର ଅଭିପ୍ରାୟରେ ପରଂବ୍ରହ୍ମ ଆପଣା ଇଚ୍ଛାରେ ଦିବ୍ୟ ନୀଳାଚଳରେ ଦାରବୀ ଲୀଳା ସଂରଚନା କରିଛନ୍ତି ।

ପରଂବ୍ରହ୍ମ ଅବିନାଶୀ । ମାତ୍ର ବ୍ରହ୍ମଧାମ ପୁରୀ ଶ୍ରୀକ୍ଷେତ୍ରରେ ସେ’ ନାଶଶୀଳ ଦାରୁ ରୂପରେ ହିଁ ବିରାଜିତ । ଦାରୁ ଓ ବ୍ରହ୍ମ-ଉଭୟଙ୍କର ଅପୂର୍ବ ସମନ୍ୱୟର ଅନ୍ତିମ ପ୍ରତିଫଳନ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ସେ’ ସ୍ଥୂଳ ଓ ସୂକ୍ଷ୍ମ ଅର୍ଥାତ୍ ଅକ୍ଷର ଓ କ୍ଷର ପୁରୁଷ ଅପେକ୍ଷା ଉର୍ଦ୍ଧ୍ୱରେ ସେ’ ଉତ୍ତମ ପୁରୁଷ ବା ପୁରୁଷୋତ୍ତମ ।

ଦାରୁବିଗ୍ରହ ମଧ୍ୟରେ ଯେଉଁ ବ୍ରହ୍ମ ସଂସ୍ଥାପିତ , ସେ’ ହେଉଛନ୍ତି ‘ଅକ୍ଷର ପୁରୁଷ’ । ଦାରୁବିଗ୍ରହଙ୍କ ବାହ୍ୟ ରୂପ ଯାହା ଆମ୍ଭେମାନେ ପ୍ରତିନିୟତ ଦର୍ଶନକରିଥାଉ , ତାହାହେଉଛି ଶ୍ରୀମଦ୍ ଭାଗବତର ‘କ୍ଷୟପୁରୁଷ’ । ସେହି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ହେଉଛନ୍ତି ସଂଖ୍ୟାହୀନ ମୁମୁକ୍ଷୁ ଜନଗଣଙ୍କ ପାଇଁ ସୂକ୍ଷ୍ମତମ ଅଦୃଶ୍ୟ ବ୍ରହ୍ମର ଏକ ଦୃଶ୍ୟମାନ ତଥା ସ୍ଥୁଳ ପରିପ୍ରକାଶ ।

ବେଦୋକ୍ତ ପୁରୁଷୋତ୍ତମ ତତ୍ତ୍ୱକୁ ଆଧାର କରି ପରଂବ୍ରହ୍ମ ଦାରୁବ୍ରହ୍ମ ଏହି ଦାରବୀ ଲୀଳା ସଂରଚନା କରିଛନ୍ତି । ଆପଣା ଇଚ୍ଛାରେ ସେ’ ଦିବ୍ୟ ଦାରୁଶ୍ରୀଅଙ୍ଗ ଧାରଣ କରିଛନ୍ତି । ତାଙ୍କ ଶ୍ରୀବିଗ୍ରହର ଅଭ୍ୟନ୍ତରରେ ଗୋପ୍ୟ, ଅନିର୍ବଚନୀୟ ବ୍ରହ୍ମ ସଂସ୍ଥାପିତ । ସେ’ ବ୍ରହ୍ମଙ୍କୁ କେହି ଦେଖି ନାହାନ୍ତି । ଜାଣି ନାହାନ୍ତି । ସ୍ପର୍ଶ କରି ନାହାନ୍ତି । ଏମିତିକି ନବକଳେବର ସମୟରେ ବାଡ଼ଗ୍ରାହୀ ଦଇତା ସେବାୟତ ଚକ୍ଷୁରେ ଅନ୍ଧପୁଟୁଳି ବାନ୍ଧି ପୁରାତନ ଶ୍ରୀବିଗ୍ରହ ବ୍ରହ୍ମ ବିଷୟ ଥିବା ବ୍ରହ୍ମ ପେଟିକାକୁ ହସ୍ତରେ ବନ୍ଧା ହୋଇଥିବା ପାଟବସ୍ତ୍ର ଉପରିଭାଗରେ ରଖି ନୂତନ ଶ୍ରୀବିଗ୍ରହଙ୍କ ନିର୍ଦ୍ଦିଷ୍ଟ ଶୁନ୍ୟସ୍ଥାନରେ ସଂସ୍ଥାପନ କରି ନ୍ୟାସଦାରୁ ମାଧ୍ୟମରେ କବାଟ ଦେଇଦିଅନ୍ତି । ଯୁଗ ଯୁଗାବ୍ଧି ବ୍ରହ୍ମଙ୍କ ଗୋପନୀୟତା ରହିଆସିଛି । ଦାରୁବ୍ରହ୍ମଙ୍କର ଦାରବୀଲୀଳାର ପଟାନ୍ତର ନାହିଁ । ତାଙ୍କର ଦାରୁରୂପର ନାମ ପୁରୁଷୋତ୍ତମ, ତତ୍ତ୍ୱ ପୁରୁଷୋତ୍ତମ ଓ ଲୀଳାସ୍ଥଳୀର ନାମ ମଧ୍ୟ ପୁରୁଷୋତ୍ତମ । ଋଗବେଦରେ ସେ’ ଅପୌରୁଷେୟ ଦାରୁବ୍ରହ୍ମ, ବେଦାନ୍ତରେ ବ୍ରହ୍ମ, ସାଂଖ୍ୟରେ ପୁରୁଷ, ଗୀତାରେ ପୁରୁଷୋତ୍ତମ, ସେ’ ହିଁ ପୁରୀ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଣବର ବାଚ୍ୟ ରୂପ ଭାବରେ ଦାରୁ ଅବୟବରେ ବିରାଜିତ-

ମୋଟ ଉପରେ, ପ୍ରତିମା ବାଦର ଛାୟାଲୋକରେ ପରଂବ୍ରହ୍ମଙ୍କର ପ୍ରତୀକବାଦର ରହସ୍ୟ ଦାରବୀ ଲୀଳାରେ ପ୍ରତିଭାତ । ନିର୍ଗୁଣ, ନିରାକାର ପରଂବ୍ରହ୍ମଙ୍କର ପ୍ରଥମ ସଗୁଣ ଶ୍ରୀବିଗ୍ରହ ହେଉଛି ଦାରୁଶରୀର, ଦିବ୍ୟଦାରୁ-ଶ୍ରୀବିଗ୍ରହ । ମୂର୍ତ୍ତିତ୍ୱତ୍ତ ଦୃଷ୍ଟିରୁ ସେ’ ଦାରୁବ୍ରହ୍ମ ହେଲେ ହେଁ, ସେ’ ବେଦାକ୍ତ ପୁରୁଷୋତ୍ତମ, ତାରୁ ବିଗ୍ରହ ଗଠନ ହେଲା ପରେ, ତାଙ୍କର ପ୍ରାଣ ପ୍ରତିଷ୍ଠା ‘ପୁରୁଷସୂକ୍ତ’ ମନ୍ତ୍ରରେ ହୋଇଥାଏ-

ଯୋଡ଼ା ଆଷାଢ଼ର ମାହତ୍ମ୍ୟ :

ପୂର୍ବରୁ ଆଲୋଚନା ପ୍ରସଙ୍ଗରେ କୁହାଯାଇଛି ଯେ, ଦାରୁବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜୀଉମାନଙ୍କର ଦିବ୍ୟବିଗ୍ରହ ଦାରୁରେ ନିର୍ମିତ । ଶାସ୍ତ୍ରମତରେ ଦାରୁବିଗ୍ରହ ମାନଙ୍କର ପରମାୟୁ ସାଧାରଣତଃ ବାରବର୍ଷ । ସେଥିପାଇଁ ନବକଳେବର ବିଧି ବିଧାନର ଆବଶ୍ୟକତା ପଡ଼ିଥାଏ ।

ଏହା ଏଠାରେ ଉଲ୍ଲେଖ କଲେ ଅପ୍ରାସାଙ୍ଗିକ ହେବ ନାହିଁ ଯେ, ଜୀବ ସହିତ ପରମ (ପରମାତ୍ମା)ଙ୍କ ସମ୍ପର୍କ ଅବିଚ୍ଛିନ୍ନ । କାରଣ ପରମଙ୍କ ସଦୃଶ ଜୀବ ମଧ୍ୟ ଚେତନ, ଅବିନାଶୀ ଓ ପରିବର୍ତ୍ତନଶୀଳ । ସେମିତି ବ୍ରହ୍ମାଣ୍ଡ (ସଂସାର) ସହିତ ଏହି ପିଣ୍ଡର ଅର୍ଥାତ୍ ଶରୀରର ସଂପର୍କ ଅବିଚ୍ଛିନ୍ନ । କାରଣ ବ୍ରହ୍ମାଣ୍ଡ (ସଂସାର) ପରି ଶରୀର ମଧ୍ୟ ଜଡ଼, ନାଶବାନ୍ ଓ ପରିବର୍ତ୍ତନଶୀଳ । ଅତଏବ ଜୀବକୁ ପରମ (ପରମାତ୍ମା)ଙ୍କ ଠାରୁ ତଥା ପିଣ୍ଡ (ଶରୀର)କୁ ବ୍ରହ୍ମାଣ୍ଡ (ସଂସାର) ଠାରୁ ବିଚ୍ଛିନ୍ନ କରାଯାଇ ନ ପାରେ ।

ଏହି ନିଷ୍କର୍ଷର ଆଧାରରେ ମହାପ୍ରଭୁ ଉତ୍ତମ ପୁରୁଷ ହୋଇ ମଧ୍ୟ କ୍ଷରପୁରୁଷ ସଦୃଶ୍ୟ ଆପଣାର ଦାରବୀ କଳେବରକୁ ପରିତ୍ୟାଗ କରନ୍ତି ଓ ନୂତନ କଳେବର ଧାରଣ କରନ୍ତି । ମାତ୍ର ବ୍ରହ୍ମବିଷୟ ସଂସ୍ଥାପିତ ବ୍ରହ୍ମପେଟିକାଙ୍କର ପୁରାତନ ଦାରବୀ କଳେବରରୁ ନୂତନ ଦାରବୀ କଳେବରକୁ ସ୍ଥାନାନ୍ତରିତ ହୋଇଥାଏ ।

ଏଠାରେ ମଧ୍ୟ ସ୍ମରଣୀୟ ଯେ, ଯେଉଁ ମାସରେ ମୃତ୍ୟୁଶୀଳ ମାନବ ତାର ଯାବତୀୟ କରଣୀୟ ଶୁଭାଶୁଭ କର୍ମକୁ ଶାସ୍ତ୍ରୀୟ ବିଧାନ ପ୍ରକାରେ ବର୍ଜନ କରିଥାଏ, ସେହି ମାସକୁ ସର୍ବଶ୍ରେଷ୍ଠ ମାସର ମର୍ଯ୍ୟାଦା ପ୍ରଦାନକରି (ମଳମାସ ହୋଇଯାଏ ପୁରୁଷୋତ୍ତମ ମାସ) ମହାପ୍ରଭୁ ତାଙ୍କର ଅପ୍ରାକୃତ ନବକଳେବର ଶ୍ରେଷ୍ଠ ଲୀଳା ଏ’ଜଗତ ପ୍ରପଞ୍ଚର ଭୂତ ଧର୍ମକୁ ସ୍ଵୀକାର କରି ରଚନା କରିଛନ୍ତି ।

ପୂର୍ବାଚାର୍ଯ୍ୟଗଣ ବାରବର୍ଷ ଅବଧିକୁ ଦୃଷ୍ଟିରେ ରଖି ଯେଉଁ ବର୍ଷ ପୁରୁଷୋତ୍ତମ ମାସ (ମଳମାସ) ପଡ଼ିଥାଏ, ସେହି ବର୍ଷ ଦାରୁବ୍ରହ୍ମ ଶ୍ରୀଜୀଉମାନଙ୍କର ନବକଳେବର ହୋଇଥାଏ ବୋଲି ପୂର୍ବରୁ ସ୍ଥିର କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଯେଉଁବର୍ଷ ଯୋଡ଼ା ଆଷାଢ଼ମାସ ହୋଇଥାଏ, ସେହି ମଳ ଆଷାଢ଼ ମାସକୁ ପୁରୁଷୋତ୍ତମ ମାସ କୁହାଯାଇଥାଏ । ତେଣୁ ପୂର୍ବାଚାର୍ଯ୍ୟମାନଙ୍କର ସିଦ୍ଧାନ୍ତ ତଥା ‘ଇନ୍ଦ୍ରନୀଳମଣି ପୁରାଣ’ (ଦଇତାମାନଙ୍କର କୁଲ ସର୍ବସ୍ଵ ପୋଥି) ତଥା “ସୁତ ସଂହିତା” ସିଦ୍ଧାନ୍ତ ପ୍ରକାରେ ମଳମାସ ବା ପୁରୁଷୋତ୍ତମ ମାସ ଦାରୁ ବ୍ରହ୍ମ ଶ୍ରୀଜୀଉମାନଙ୍କର ନବକଳେବର ନିମନ୍ତେ ପ୍ରଶସ୍ତ ମାସ ।

ଯଦିଓ ନବକଳେବର ବାରୁ ବର୍ଷରେ ଥରେ ସଂଘଟିତ ହୋଇଥାଏ ବୋଲି ଲୋକମତରେ ବିଶ୍ଵାସ ଅଛି, ତେବେ ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଯୋଡ଼ାଆଷାଢ଼ ୮, ୧୧, ୧୯, ଓ ୨୭ ବର୍ଷ ବ୍ୟବଧାନରେ ପଡିଥାଏ । ଆମ ଦେଶରେ ଜ୍ୟୋତିଷ ଶାସ୍ତ୍ରର ସୌରମାନ, ଚାନ୍ଦ୍ରମାନ, ସାବନ, ନାକ୍ଷତ୍ରିକ ଓ ର୍ବ୍ରାହସ୍ପତ୍ୟ ପ୍ରଭୃତି ପାଞ୍ଚପ୍ରକାର ପଞ୍ଚାଙ୍ଗ (ପାଞ୍ଜି) ଦୁଇ ପ୍ରକାରର ମାସ ଗଣନା କରିଥାନ୍ତି । ଯଥା- ସୌରମାନ ଓ ଚାନ୍ଦ୍ରମାନ ମାସ । ମହାବିଷୁବ ସଂକ୍ରାନ୍ତିଠାରୁ (ପଣା ସଂକ୍ରାନ୍ତି) ସୌରମାନ ମାସର

ଆରମ୍ଭ ଓ ମେଷ, ବୃଷ ଇତ୍ୟାଦି କ୍ରମରେ ୧୨ ମାସ ଓ ୩୬୫ ଦିନରେ ବିଭକ୍ତ । ଆମର ଉତ୍କଳ ପ୍ରଦେଶ ପରମ୍ପରାରେ ଚାନ୍ଦ୍ରମାନ ମାସ ଦୁଇଭାଗରେ ଯଥା ଅମାନ୍ତ ଓ ପୂର୍ଣ୍ଣିମାନ୍ତ ଭାବେ ବିଭକ୍ତ । ଏହା ମଧ୍ୟରୁ ଉତ୍କଳୀୟ ପଞ୍ଚାଙ୍ଗ (ପାଞ୍ଜି) ପୂର୍ଣ୍ଣିମାନ୍ତ ଚାନ୍ଦ୍ରମାନମାସକୁ ଗ୍ରହଣ କରିଥାନ୍ତି । ଏହି ଅନୁଯାୟୀ ମାର୍ଗଶିର ଇତ୍ୟାଦି କ୍ରମରେ ଗୋଟିଏ ବର୍ଷ ବାରମାସରେ ବିଭକ୍ତ ହେଲେ ମଧ୍ୟ ସୌରମାନ ବର୍ଷର ଦିନସଂଖ୍ୟାଠାରୁ ପ୍ରାୟ ଦଶଦିନ ନ୍ୟୁନ ହୋଇଥାଏ । ଏଣୁ ପ୍ରତି ତିନିବର୍ଷରେ କୌଣସି ଏକ ମାସ ଅଧିମାସ ହୋଇଥାଏ । ଏହିଥିରୁ ଏହା ସୁସ୍ପଷ୍ଟ ହୁଏ ଯେ, ଯେଉଁମାସର ଅମାବାସ୍ୟା ତିଥି ସଂକ୍ରାନ୍ତି ଯୁକ୍ତ ହୁଏ, ସେହି ମାସ ହିଁ ଅଧିମାସ ହୁଏ । ସେହି ଅନୁଯାୟୀ ଆଷାଢ଼ ଅମାବାସ୍ୟା ତିଥି ମିଥୁନ ସଂକ୍ରାନ୍ତି ଯୁକ୍ତ ହେଲେ, ଆଷାଢ଼ ମାସ ଅଧିମାସ ହୁଏ ଏବଂ ଏହି ମାସରେ ନବକଳେବର ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।

ନବକଳେବର ମହୋତ୍ସବ ଅନୁଷ୍ଠାନର ସମସ୍ତ ବୈଧାନିକ ପର୍ଯ୍ୟାୟ ଶେଷ କରିବା ପାଇଁ ଅଧିକ ସମୟର ଆବଶ୍ୟକତା ଅଛି । ଯୋଡ଼ାଆଷାଢ଼ ପଡ଼ିଲେ, ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା ପରବର୍ତ୍ତୀ ପନ୍ଦର ଦିନ ଅନବସର (ବା ଅଣସର) ପରିବର୍ତ୍ତେ ମଳମାସ ବା ଅଧିମାସକୁ ମିଶାଇ ମୋଟ ପଇଁଚାଳିଶ ଦିନ ପଡ଼ିଥାଏ । ଏହା ‘ମହା ଅନବସର’ (ବା ‘ମହାଅଣସର’) ନାମରେ ପ୍ରଖ୍ୟାପିତ । ଏହି ମହା ଅନବସର କାଳରେ ଦିବ୍ୟଦାରୁ ମୂର୍ତ୍ତିନିର୍ମାଣ, ପ୍ରତିଷ୍ଠା, ଖଡ଼ିଲାଗି, ଖଳିଲାଗି, ବନକଲାଗି ପ୍ରଭୃତି ସକଳ ବିଧାନ ସୁବିଧାରେ କରିହୁଏ । ନବକଳେବର ସମୟରେ ପୁରାତନ ଦାରବ ଶ୍ରୀବିଗ୍ରହମାନଙ୍କ ସହିତ ପ୍ରତିବର୍ଷ ରଥରେ ସଂସ୍ଥାପିତ ସେହି ଏକଇ ସାରଥୀ, ଘୋଡ଼ା, ପାର୍ଶ୍ଵଦେବାଦେବୀ ମାନେ କୋଇଲି ବୈକୁଣ୍ଠରେ ପାତାଳି ହୋଇଥାନ୍ତି । ନବକଳେବରରେ ଦାରୁବ୍ରହ୍ମଙ୍କ ନୂତନ ଶ୍ରୀବିଗ୍ରହମାନ ନିର୍ମାଣ ସହ ନୂଆ କରି ସାରଥୀ, ଘୋଡ଼ା, ତ୍ରି-ରଥ ସନ୍ନିହିତ ସମସ୍ତ ପାର୍ଶ୍ଵଦେବାଦେବୀ ସହ ନୂତନ ତ୍ରିରଥ ମଧ୍ୟ ନୂତନ ଭାବେ ନିର୍ମିତ ହୋଇଥାନ୍ତି । ଏ’ ସମସ୍ତ କାର୍ଯ୍ୟସଂପାଦନ ନିମନ୍ତେ ପଇଁଚାଳିଶ ଦିନ ଉପଲବ୍ଧ ହୋଇଥାଏ ।

ଲୋକାଚାର ମତରେ ଯୋଡ଼ା ଆଷାଢ଼କୁ ଅଧିମାସ, ମଳମାସ ଓ ପୁରୁଷୋତ୍ତମ ମାସ କୁହାଯାଇଥାଏ । ଏହାକୁ ଉତ୍କଳୀୟ ଲୋକଚଳଣୀରେ ପବିତ୍ରମାସ ରୂପରେ ବିବେଚନା କରାଯାଇଥାଏ ।

ପୌରାଣିକ କଥନ ପ୍ରକାରେ ଇନ୍ଦ୍ରଦ୍ୟୁମ୍ନ ଏହି ପୁରୁଷୋତ୍ତମ ମାସରେ ପ୍ରଥମେ ଦିବ୍ୟଦାରୁମୂର୍ତ୍ତି ନିର୍ମାଣ କରିଥିଲେ । ସେମିତି ପୌରାଣିକ ତଥା କିମ୍ବଦନ୍ତୀ ବକ୍ତବ୍ୟ ଅନୁଯାୟୀ ଶ୍ରୀକୃଷ୍ଣ ଏହି ମଳମାସର ପ୍ରାରମ୍ଭରେ ଲଟା ମଧ୍ୟରେ ମହାଭାରତ ଯୁଦ୍ଧର ଶେଷଅଙ୍କରେ ବିଶ୍ରାମ ନେଉଥିବା ବେଳେ ତାଙ୍କର ପାଦପଦ୍ମକୁ ହରିଣ ଭାବି ଜାରାଶବର ଶରବିଦ୍ଧ କରିଥିଲା ଓ ପରଂବ୍ରହ୍ମଶ୍ରୀକୃଷ୍ଣ ଦ୍ୱାପରଲୀଳା ଶେଷ ପୂର୍ବକ ନୀଳାଚଳରେ ଦାରୁବ୍ରହ୍ମ ଲୀଳାର ଅୟମାରମ୍ଭ କରିଥିଲେ ।

ଯୋଡ଼ାଆଷାଢ଼ ଯାହା ମଳମାସ ବ ଅଧିମାସ ଓ ଯାହା ପୁରୁଷୋତ୍ତମ ମାସ ଭାବେ ସୁପରିଚିତ, ସେହି ମାସରେ ବ୍ରତାଚାରଣ କଲେ, ଓ ବ୍ରତଚାରଣରେ ଦାରୁବ୍ରହ୍ମ ଶ୍ରୀପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ଆରାଧନା କଲେ, ମହାପ୍ରଭୁ ଅତ୍ୟନ୍ତ ପ୍ରୀତ ହୋଇଥାନ୍ତି ।ଏହି ଅଧିମାସ ବା ପୁରୁଷୋତ୍ତମ ମାସର ବୈଶିଷ୍ଟ୍ୟ ତଥା ଏହି ମାସରେ ମହାପ୍ରଭୁଙ୍କ ହର୍ଷତପୁଲ୍ଲ ହେବାର ସୁଚିନ୍ତିତତା ସଂମ୍ପର୍କ ସମ୍ବନ୍ଧରେ ବହୁଳ ବର୍ଣ୍ଣନା ‘କାଳସର୍ବସ୍ଵ’ ‘କୃତ୍ୟକୌମୁଦୀ’ ‘ପଞ୍ଚସିଦ୍ଧାନ୍ତିକା’ ‘କାଳମାଧବ ସ୍ମୃତି’ ଆଦି ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ହୋଇଛି । ସକଳ ଶାସ୍ତ୍ର , ଏହି ମାସକୁ ସର୍ବଶ୍ରେଷ୍ଠ ତଥା ପବିତ୍ର ମାସ ଭାବରେ ଉପସ୍ଥାପନା କରିଛନ୍ତି ।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦଇତାକୁଳ ସର୍ବସ୍ଵ କୌଳିକଗ୍ରନ୍ଥ ‘ଇନ୍ଦ୍ରନୀଳମନୀ ପୁରାଣ’ କହନ୍ତି- “ଆଷାଢ଼ସ୍ୟ ମଳିପ୍ଲତେ ବୈକୁଣ୍ଠେ ଗତବାନ୍ ହରିଃ” ଅତଏବ ଯୋଡ଼ା ଆଷାଢ଼ମାସରେ ମଳକୁ ପ୍ଲାବନ କରି ଦାରୁବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜୀଉମାନଙ୍କର ଗୋଲକଗମନ ଲୀଳା ହିଁ ନବକଳେବର ଭାବେ ସୁବିଦିତ । ଏହାହିଁ ଯୋଡ଼ାଆଷାଢ଼ ମାସର ମାହାତ୍ମ୍ୟ ।

 

ନବକଳେବରରେ ବନଯୋଗ ବିଧି

ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ

ଶ୍ରୀସ୍କନ୍ଦପୁରାଣ ପୁରୁଷୋତ୍ତମ କ୍ଷେତ୍ର ମାହତ୍ମ୍ୟରେ ଉଲ୍ଲେଖ ଅଛି ଯେ – “ପୁରୁଷୋତ୍ତମାଖ୍ୟଂ ସୁମହତକ୍ଷେତ୍ରଂ ପରମପାବନମ୍ । ଯତ୍ରାସ୍ତେ ଦାରୁବତନୁଃ ଶ୍ରୀଶୋ ମାନୁଷଲୀଳୟା ।” ଅର୍ଥାତ୍ ପୁରୁଷୋତ୍ତମ ନାମକ ପରମ ପାବନ ମହାନ୍ କ୍ଷେତ୍ରରେ ଶ୍ରୀପତି ଶ୍ରୀଜଗନ୍ନାଥ ଦାରୁବିଗ୍ରହ ଧାରଣ କରି ମନୁଷ୍ୟମାନଙ୍କ ପରି ଲୀଳା କରନ୍ତି । ଶ୍ରୀଜଗନ୍ନାଥଙ୍କର ସମସ୍ତ ରୀତିନୀତି, ଯାନିଯାତ୍ରା, ପର୍ବପର୍ବାଣି ସବୁକିଛି ମାନବୀୟ ଲୀଳାର ପରିପ୍ରକାଶ ମାତ୍ର । ରାତ୍ରିରେ ଶୟନ, ପ୍ରଭାତରେ ମୁଖ ପ୍ରଖ୍ୟାଳନ, ଦନ୍ତକାଷ୍ଠରେ ଦନ୍ତମାର୍ଜନ, ସ୍ନାନ, ବସ୍ତ୍ର ପରିଧାନ, ଭୋଜନ, ଗ୍ରୀଷ୍ମକାଳେ ଚନ୍ଦନଲାଗି, ଜଳକ୍ରୀଡା, ଶୀତରେ ଓଢ଼ଣ ଲାଗି, ଅଧିକ ସ୍ନାନରେ ଜ୍ୱର, ପାଚନ ମୋଦକ ସେବନ, ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦୀପଦାନ ଆଦି ତାଙ୍କର ମାନବୀୟ ଲୀଳା ଅନୁଷ୍ଠିତ ହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲୀଳା ହେଉଛି ପୁରାତନ କଳେବର ତ୍ୟାଗ ପୂର୍ବକ ନୂତନ କଳେବର ଧାରଣ ।

ଅତଏବ ଦାରୁକଳେବର ପରିବର୍ତ୍ତନ ଏବଂ ବ୍ରହ୍ମଙ୍କର ନୂତନ କଳେବରରେ ସଂସ୍ଥାପନ ପ୍ରକ୍ରିୟା ହିଁ ନବକଳେବର । ପ୍ରାପ୍ତ ତଥ୍ୟ ଅନୁସାରେ ଆଠରୁ ଉଣେଇଶି ବର୍ଷ ବ୍ୟବଧାନରେ ଯୁଗ୍ମ ଆଷାଢ଼ରେ ମଳମାସ ବା ପୁରୁଷୋତ୍ତମ ମାସରେ ନବକଳେବର ଅନୁଷ୍ଠିତ ହୁଏ ।

ନବକଳେବର ବିଧାନରେ ସର୍ବାପେକ୍ଷା ଗୁରୁତ୍ବପୂର୍ଣ୍ଣ ହେଲା ବନଯାଗ ବିଧି । ‘ବନ’ ର ଅରଣ୍ୟ, ଜଳ, ନିବାସ, ଆଳୟ ଆଦି ଅନେକ ଅର୍ଥ ଥିଲେ ସୁଦ୍ଧା ଏଠାରେ ବୃକ୍ଷ ସହିତ ସମ୍ପର୍କିତ ‘ଅରଣ୍ୟ’ ହିଁ ଗ୍ରହଣୀୟ । ଅମରକୋଷ ଗ୍ରନ୍ଥରେ ଯାଗର ସାତୋଟି ନାମ ରହିଛି, ଯଥା- “ଯଜ୍ଞଃ ସବୋଽଧୂରୋ ଯାଗଃ ସପ୍ତତନ୍ତୁର୍ମଖଃ କ୍ରତୁଃ” (୨।୭।୧୩) ଅର୍ଥାତ୍ ଯଜ୍ଞ, ସବ, ଅଧୂର, ଯାଗ, ସପ୍ତତନ୍ତୁ, ମଖ ଓ କ୍ରତୁ ସାତୋଟି ନାମ ଅଟନ୍ତି ।

ମତ୍ସପୁରାଣରେ ଯାଗର ଲକ୍ଷଣ ଉକ୍ତି ଅଛି-

 

‘ଦେବାନାଂ ଦ୍ରବ୍ୟହବିଷାଂଋକସମଯଜୁଷାଂ ତଥା

ଋତ୍ୱିଜାଂ ଦକ୍ଷିଣାନାଂ ଚ ସଂଯୋଗୋ ଯଜ୍ଞ ଉଚ୍ୟତେ”

।।

(୧୪୪।୪୪)

 

ଯେଉଁ କର୍ମ ବିଶେଷ ଦ୍ଵାରା ଦେବତା, ହବନୀୟ ଦ୍ରବ୍ୟ, ବେଦମନ୍ତ୍ର ଋତ୍ୱିଜ ଏବଂ ଦକ୍ଷିଣା ଉକ୍ତ ପାଞ୍ଚୋଟିର ସଂଯୋଗ ହୁଏ ତାହା ଯାଗ ପଦବାଚ୍ୟ ।

ପୂର୍ବ ମୀମାଂସାରେ ଯାଗକୁ ଧର୍ମର ଶ୍ରେଣୀରେ ରଖାଯାଇଛି । ଯଥା- ‘ଯାଗାଦି-ରେବ ଧର୍ମଃ’ (ଅର୍ଥ ସଂଗ୍ରହଃ), ‘ଯଜ୍ଞ କର୍ମସୁ କୌଶଳମ୍’ । କୁଶଳତା ପୂର୍ବକ ଯେଉଁ ଅନୁଷ୍ଠାନ କରାଯାଏ ତାହାକୁ ଯଜ୍ଞ ବା ଯାଗ କୁହାଯାଏ ।

ଶ୍ରୁତି କହନ୍ତି

-

“ଯଜ୍ଞୋଽପିତସ୍ୟୈ ଜନତାୟୈ କଳ୍ପତେ”

 

 

(ଐତରେୟ ବ୍ରାହ୍ମଣ ୨।୧)

 

ଅର୍ଥାତ୍ ଯଜ୍ଞ ଜନତାଜନାର୍ଦ୍ଦନଙ୍କ କଲ୍ୟାଣର୍ଥ ହିଁ ହୋଇଥାଏ ।

ବନଯୋଗ ବିଧିରେ ହିଁ ନବକଳେବର ସମସ୍ତ କୃତ୍ୟ ସମ୍ପାଦିତ ହୁଏ । ଉକ୍ତ ବନଯୋଗ ବିଧିକୁ ଦ୍ୱିଧା ବିଭକ୍ତ କରାଯାଏ । ଯଥା- ବହିଃ ବନଯୋଗ ବିଧି ଏବଂ ଅନ୍ତଃ ବନଯୋଗ ବିଧି । ଉକ୍ତ ଦୁଇଟି ବିଧି ଅତ୍ୟନ୍ତ ବ୍ୟାପକ ବର୍ଣ୍ଣନା କ୍ଷୁଦ୍ର ପ୍ରବନ୍ଧରେ ଅସମ୍ଭବ । ସେଥିରେ ମୁଖ୍ୟ ବିନ୍ଦୁ ଗୁଡ଼ିକର ହିଁ ଆଲୋଚନା କରାଯାଇପାରେ । ତନ୍ମଧ୍ୟରେ କେତେକ ଗୋପନୀୟ ବିଧି ରହିଛି ଯାହା ପ୍ରକାଶନୀୟ ନୁହେଁ ।

ବନଯୋଗ ବିଧି ସମ୍ପର୍କୀୟ ଆଧାର ଗ୍ରନ୍ଥ ଗୁଡ଼ିକରେ ନିହିତ ତଥ୍ୟ ଅନୁସାରେ ବନଯାଗ ବିଧି ଅନୁଷ୍ଠିତ ହୁଏ ।ଉକ୍ତ ଆଧାର ଗ୍ରନ୍ଥ ଗୁଡିକ ହେଲା- ବନଯାଗ ବିଧିଃ (ଶ୍ରୀନରସିଂହ ବାଜପେୟୀ), ଚଳଶ୍ରୀ ମୂର୍ତ୍ତି ପ୍ରତିଷ୍ଠା ବିଧିଃ, ଦାରୁବ୍ରହ୍ମ ପ୍ରତିଷ୍ଠା ବିଧିଃ, ଜଗନ୍ନାଥସ୍ୟ ନେତ୍ର-ପ୍ରତିଷ୍ଠା ବିଧିଃ, ଯାତ୍ରା ପଦ୍ଧତିଃ (ଶ୍ରୀଧର), ରାଜଭୋଗ ମାଦଳା ପାଞ୍ଜି (ଦେଉଳକରଣଙ୍କଠାରେ ପ୍ରାପ୍ତ) ପ୍ରତିଷ୍ଠା ପ୍ରଦୀପ୍ତଃ (ଅଗ୍ନିଚିତ୍ ନରସିଂହ ବାଜପେୟୀ), ନିତ୍ୟାଚାର ପଦ୍ଧତିଃ (ବିଦ୍ୟାକର ବାଜପେୟୀ), ଦାରୁବ୍ରହ୍ମ ପ୍ରତିଷ୍ଠାବିଧି ଓ ଇନ୍ଦ୍ରନୀଳମଣି ପୁରାଣ (ପୂର୍ଣ୍ଣାଙ୍ଗ ଗ୍ରନ୍ଥ ଅଦ୍ୟାବଧି ଅପ୍ରାପ୍ତ)।

ବହିଃ ବନଯୋଗରେ ଦାରୁ ଅନ୍ୱେଷଣ, ଦାରୁବୃକ୍ଷ ଚୟନ, ଯଜ୍ଞାନୁଷ୍ଠାନ ଏବଂ ଦାରୁଙ୍କୁ ଶ୍ରୀମନ୍ଦିରସ୍ଥ କୋଇଲି ବୈକୁଣ୍ଠକୁ ଆନୟନ ଆଦି ଅନ୍ତର୍ଭୁକ୍ତ ଥିବାବେଳେ ଅନ୍ତଃ ବନଯାଗରେ କୋଇଲି ବୈକୁଣ୍ଠ ପରିସରରେ ବିଗ୍ରହ ନିର୍ମାଣ, ନ୍ୟାସଦାରୁ ପ୍ରତିଷ୍ଠା, ନୂତନ ବିଗ୍ରହଙ୍କ ନ୍ୟାସ ଆଦି ପ୍ରଧାନ ଅଟେ । କୋଇଲି ବୈକୁଣ୍ଠରେ ଅନୁଷ୍ଠିତ ବିଭିନ୍ନ ଯାଗକର୍ମ, ବିଗ୍ରହ ନିର୍ମାଣ, ପ୍ରତିଷ୍ଠା କର୍ମ ଆଦି ମୁଖ୍ୟତଃ ଅନ୍ତଃ ବନଯୋଗ ଅନ୍ତର୍ଗତ ଅଟନ୍ତି ।

ବନଯାଗ ରୂପେ ଅଭିହିତ କରିବାର ତାତ୍ପର୍ଯ୍ୟ ହେଲା ଯେ ନବକଳେବରରେ ନୂତନ ଦାରୁ କଳେବର ନିମିତ୍ତ ପୁରାତନ ଲକ୍ଷଣଯୁକ୍ତ ନିମ୍ବବୃକ୍ଷ ଏବଂ ତା’ର ନିର୍ଦ୍ଦିଷ୍ଟ ଅଂଶ ଶ୍ରୀକ୍ଷେତ୍ରକୁ ଆନୟନ ନିମିତ୍ତ ଆବଶ୍ୟକ ଶଗଡ଼ି ନିର୍ମାଣ ପାଇଁ ବରକାଠ, ତେନ୍ତୁଳି ବା ବେଲକାଠ ଓ କେନ୍ଦୁକାଠ ଲୋଡ଼ା ହେଉଥିବାବେଳେ ସେଗୁଡିକ ବନରେ ହିଁ ଉପଲବ୍ଧ ହୁଏ । ତେଣୁ ଦାରୁ ଅନ୍ୱେଷଣ ନିମିତ୍ତ ବନକୁ ଯାଇ ବୃକ୍ଷ ନିକଟରେ ଯାଗ କରିବାର ପରମ୍ପରା ରହିଛି । ପୂର୍ବେ କାକଟପୁର ଅଞ୍ଚଳରେ ନିମ୍ବବୃକ୍ଷର ଘନ ଅରଣ୍ୟ ଥିବାରୁ ସେଠାରେ ଦାରୁ ସନ୍ଧାନ କରାଯାଇଆସୁଅଛି । ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ଜନବସତିର ପ୍ରସାର ଯୋଗୁ ପୂର୍ବର ଘନବନ ନାହିଁ ତଥାପି ଯେଉଁ ସ୍ଥାନରେ ଉକ୍ତ ବୃକ୍ଷଗୁଡ଼ିକ ବିଦ୍ୟମାନ ସେ ସ୍ଥାନକୁ ହିଁ ପ୍ରତୀକାତ୍ମକ ଭାବରେ ବନରୂପେ ଗ୍ରହଣ କରି ଯଜ୍ଞାନୁଷ୍ଠାନ କରାଯାଏ ।

ବନଯାଗ ନିମିତ୍ତ ଯାତ୍ରା ହିଁ ବନଯାଗ ଯାତ୍ରା ଯାହା ବନଯୋଗର ପ୍ରଥମ ସୋପାନ ଅଟେ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ତଥ୍ୟ ଅନୁସାରେ ଚୈତ୍ର ଶୁକ୍ଲ ଦଶମୀ ତିଥିରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ପତିମହପାତ୍ର ସେବକ ସିଂହାସନ ଉପରକୁ ଉଠି ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚାରିବାଡ଼ର ଆଜ୍ଞାମାଳ ଆଣି ତିନିବାଡ଼ର ଆଜ୍ଞାମାଳ ବାଡ଼ଗ୍ରାହୀ ଦଇତାଙ୍କୁ ଦେଇ ନିଜେ ଶ୍ରୀସୁଦର୍ଶନଙ୍କ ଆଜ୍ଞାମାଳ ଧରି ଗର୍ଭଗୃହରୁ ଅନବସର ପିଣ୍ଡିକୁ ଆସନ୍ତି ।ସେଠାରେ ଭିତରଛୁ ମହାପାତ୍ର ଆଜ୍ଞାମାଳ ପାଇଥିବା ଦଇତାଙ୍କୁ ଓ ପତିମହାପାତ୍ରଙ୍କ ମୁଣ୍ଡରେ ଗୋଟା ବାରଲାଗି ଖଣ୍ଡୁଆପାଟ ବାନ୍ଧିଥାନ୍ତି ଓ ପାଳିଆ ମେକାପ ସମସ୍ତଙ୍କ ମସ୍ତକରେ ଚନ୍ଦନ ଛାପ ଦେଇ ବନଯାଗ ଯାତ୍ରାର ଶୁଭାରମ୍ଭ ସୂଚନା ଦେଇଥାନ୍ତି । ଅନ୍ୟାନ୍ୟ ସହଯୋଗୀ ଦଇତା ସେବକମାନଙ୍କୁ ଜୟବିଜୟ ଦ୍ଵାରଠାରେ ଚାରିହାତିଆ ଲାଗି ପ୍ରସାଦି ଖଣ୍ଡୁଆ ମସ୍ତକରେ ବନ୍ଧାଯାଏ । ଭିତରଛୁ ମହାପାତ୍ର, ଦେଉଳକରଣ, ତଡ଼ାଉକରଣ, ବେହେରା ଖୁଣ୍ଟିଆଙ୍କୁ ବାରଲାଗି ଶାଢ଼ୀବାନ୍ଧି, ଲେଙ୍କା ଓ ବିଶ୍ୱକର୍ମାଙ୍କୁ ସୂତାଶାଢ଼ୀ ବାନ୍ଧନ୍ତି । ତତ୍ପରେ ସେମାନେ ସିଂହଦ୍ୱାର ଦେଇ ଶ୍ରୀନଅରକୁ ଯାଇଥାନ୍ତି । ସେଠାରେ ଗଜପତିଙ୍କ ଶ୍ରୀହସ୍ତ ସ୍ଵର୍ଣ୍ଣ ଗୁଆକୁ ରାଜଗୁରୁ ବିଶ୍ୱାବସୁଙ୍କ ହସ୍ତରେ ଟେକି ଦିଅନ୍ତି । ଉକ୍ତ ଗୁଆକୁ ନେଇ ଦଇତାପତିମାନେ ଅନ୍ୟମାନଙ୍କ ସହ ପଟୁଆରରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ବିଶ୍ରାମ ନିଅନ୍ତି ।ସେଠାରେ ସେମାନେ କାକଟପୁର ଅଭିମୁଖେ ଯାତ୍ରା କରନ୍ତି ।

ଲେଙ୍କା ସେବକ ରୌପ୍ୟ ଚକ୍ରଦଣ୍ଡ ଧାରଣ କରି ବନଯୋଗ ଯାତ୍ରୀଙ୍କ ଅଗ୍ରଭାଗରେ ରହନ୍ତି । ପଦୀଯାତ୍ରୀମାନେ କାକଟପୁରସ୍ଥ ଦେଉଳିମଠରେ ଅବସ୍ଥାନ କରନ୍ତି । ବନଯାଗ ଯାତ୍ରୀଙ୍କ ଆଗମନ ସମ୍ବାଦ ପ୍ରାପ୍ତ ହୋଇ ମା’ମଙ୍ଗଳାଙ୍କ ପୂଜକ ସେମାନଙ୍କୁ ଦେବୀଙ୍କ ନିକଟକୁ ଆସିବାକୁ ନିମନ୍ତ୍ରଣ କରନ୍ତି ।

ବନଯାଗ ଯାତ୍ରୀମାନେ ତତପରଦିନ ପ୍ରଭାତରେ ପ୍ରାଚୀ ନଦୀରେ ସ୍ନାନ ପୂର୍ବକ ଦେବୀ ମଙ୍ଗଳାଙ୍କୁ ମାଜଣା କରିବାକୁ ବାହାରନ୍ତି । ବିରାଟ ପଟୁଆରରେ ଦାରୁ ଅନ୍ୱେଷଣକାରୀଙ୍କୁ ମଙ୍ଗଳାଙ୍କ ନିକଟକୁ ପାଛୋଟି ନିଆଯାଏ । ସେମାନେ ମଙ୍ଗଳାଙ୍କ ମାର୍ଜନା ପୂର୍ବକ ଶ୍ରୀମହାପ୍ରସାଦ ସମର୍ପଣ କରନ୍ତି । ଉକ୍ତ ସମୟରେ ଆଚାର୍ଯ୍ୟମାନେ ଜଗମୋହନରେ ଦେବୀ ମଙ୍ଗଳାଙ୍କ ସନ୍ତୁଷ୍ଟି ନିମିତ୍ତ ଚଣ୍ଡୀପାଠ କରନ୍ତି । ସେଠାରେ ଦେବୀ ମଙ୍ଗଳାଙ୍କର ଯଥାବିଧି ପୂଜର୍ଚ୍ଚନା କରାଯାଇଥାଏ ।

ବନଯାଗରେ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଭୂମିକା ଅନସ୍ଵୀକାର୍ଯ୍ୟ । ଉକ୍ତ କ୍ଷେତ୍ରରେ ଶାବର ସଂସ୍କୃତି ଏବଂ ବୈଦିକ ସଂସ୍କୃତିର ସମନ୍ୱୟ ଘଟିଥାଏ । ଉକ୍ତ କର୍ମର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରାର୍ଥନା, ମାର୍ଜନାରେ ଦେବୀଙ୍କୁ ପ୍ରୀତ କରି ଦାରୁର ସନ୍ଧାନ ପ୍ରାପ୍ତ ହେବା । ମଙ୍ଗଳାପୀଠରେ ପୂଜର୍ଚ୍ଚନା ପରେ ସମସ୍ତଙ୍କର ଦେଉଳିମଠକୁ ପ୍ରତ୍ୟାବର୍ତ୍ତନ ହୁଏ ଓ ହବିଷ୍ୟ ଭୋଜନ କରାଯାଏ । ବ୍ରାହ୍ମଣମାନେ ସେଠାରେ ଅବସ୍ଥାନ କାଳରେ ନୃସିଂହ ମହାମନ୍ତ୍ର, ବିଷ୍ଣୁ ସହସ୍ର ନାମ ସହ ସ୍ଵପ୍ନାବତୀ ମନ୍ତ୍ର ଜପ କରନ୍ତି । ଉକ୍ତ ମନ୍ତ୍ର ଗୁଡିକର ଆବୃତ୍ତି ଦ୍ୱାରା ଦେବୀ ସନ୍ତୁଷ୍ଟ ହୋଇ ଦାରୁ ଅନ୍ୱେଷଣ ନିମିତ୍ତ ଆଜ୍ଞା ଦେବା ସଙ୍ଗେ ସଙ୍ଗେ ଦାରୁର ସନ୍ଧାନ ପ୍ରଦାନ କରିଥାନ୍ତି । ପତିମହାପାତ୍ର, ବିଶ୍ଵାବସୁ, ଆଚାର୍ଯ୍ୟ ବ୍ରାହ୍ମଣମାନେ ଦେବୀ ମଙ୍ଗଳାଙ୍କ ଆଶ୍ରିତ ହୋଇ ଦାରୁଙ୍କ ସ୍ଥାନ ନିରୁପଣ ନିମିତ୍ତ ପ୍ରାର୍ଥନା କରନ୍ତି ତତସହ ସେମାନେ ଶୟନ ପୂର୍ବରୁ ୧୦୮ଥର ସ୍ଵପ୍ନାବତୀ ମନ୍ତ୍ର ଜପ କରିଥାନ୍ତି ।

“ଓଁ ନମଃ ସର୍ବଲୋକାୟ ବିଷ୍ଣବେ ପ୍ରଭବିଷ୍ଣବେ

ବିଶ୍ୱାୟ ବିଶ୍ୱରୂପାୟ ସ୍ଵପ୍ନାଧିପତୟେ ନମଃ”

।।

(ବିଶ୍ୱକସେନ ସଂହିତା ଦାରୁ ସଂଗ୍ରହ ଅଧ୍ୟାୟ)

 

ଅନ୍ୟ ଶାସ୍ତ୍ରୋକ୍ତ ସ୍ଵପ୍ନ ମାତୀବନ ମନ୍ତ୍ର ଜପ କରାଯାଇଥାଏ ଯେଉଁଥିରେ ଅଧିକ ଦୁଇଟି ପଂକ୍ତି ରହିଛି ଶେଷରେ “ଓଁ ଓଁ ହୁଂ ଫଟ୍ ବିଷ୍ଣବେ ସ୍ଵାହା” ରହିଛି । ସ୍ଵପ୍ନାବତୀ ମନ୍ତ୍ର ଏକ ବିଷ୍ଣୁମନ୍ତ୍ର ଅଟେ । ମହାବିଷ୍ଣୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ଶ୍ରୀବିଷ୍ଣୁଙ୍କୁ ଏବଂ ଶ୍ରୀନରସିଂହଙ୍କୁ ସ୍ମରଣ ପୂର୍ବକ ପରମ ବୈଷ୍ଣବୀ ମା’ମଙ୍ଗଳାଙ୍କୁ ପ୍ରାର୍ଥନା କରାଯାଏ । ଯଦ୍ୱାରା ଦାରୁର ସନ୍ଧାନ ପ୍ରାପ୍ତ ହୁଏ, ଦଇତାପତିମାନେ ଚାରି ବିଗ୍ରହଙ୍କ କ୍ରମରେ ବିଭକ୍ତ ହୋଇ ଦାରୁ ସନ୍ଧାନ ପ୍ରାପ୍ତି ନିମିତ୍ତ ଧାରଣା ଦିଅନ୍ତି । ମା’ଙ୍କର ସ୍ଵପ୍ନାଦେଶ ପରେ ଦାରୁବୃକ୍ଷ ସନ୍ଧାନରେ ଚାରିଦଳରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତି । ସେମାନଙ୍କ ସହ ଆଚାର୍ଯ୍ୟ, ବିଶ୍ୱକର୍ମା ମହାରଣା ଏବଂ କାରଣ କର୍ମଚାରୀ ମଧ୍ୟ ଯାଆନ୍ତି ଏବଂ ସନ୍ଧ୍ୟା ପୂର୍ବରୁ ପ୍ରତ୍ୟାବର୍ତ୍ତନ କରନ୍ତି । ଉପଯୁକ୍ତ ଦାରୁବୃକ୍ଷର ସନ୍ଧାନ ନମିଳିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ । ଦାରୁ ବୃକ୍ଷମାନଙ୍କର ସନ୍ଧାନ ମିଳିବା ପରେ ପତିମହାପାତ୍ର, ବିଶ୍ଵାବସୁ, ବାଡ଼ଗ୍ରାହୀ ଦଇତା ଓ ବିଶ୍ଵକର୍ମାମାନେ ଉକ୍ତ ବୃକ୍ଷ ନିକଟକୁ ଯାଇ ତା’ର ବିଭିନ୍ନ ଲକ୍ଷଣ ଅନୁଧ୍ୟାନ କରି ଦାରୁବୃକ୍ଷ ରୂପରେ ମନୋନୀତ କରନ୍ତି ।

ସୂତସିଂହତୋକ୍ତ ଲକ୍ଷଣାନୁସାରେ ଶ୍ରୀଜଗନ୍ନାଥଙ୍କ ଦାରୁ ଈଷତ୍ କୃଷ୍ଣ, ଶ୍ରୀବଳଭଦ୍ରଙ୍କ ଦାରୁ ଈଷତ୍ ଶ୍ୱେତ, ଦେବୀ ସୁଭଦ୍ରାଙ୍କ ଈଷତ୍ ହରିଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ଦାରୁ ଈଷତ୍ ରକ୍ତବର୍ଣ୍ଣ ହୋଇଥିବ, ସମସ୍ତ ଦାରୁ ବୃକ୍ଷରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ରହିଥିବ, ପ୍ରତ୍ୟେକ ବୃକ୍ଷରେ ତିନି, ପାଞ୍ଚ ବା ସାତୋଟି ଶାଖା ଥିବ । ବୃକ୍ଷରେ କୌଣସି ପକ୍ଷୀର ନୀଡ ନଥିବ । ଦାରୁବୃକ୍ଷ ନିକଟରେ ସରୋବର ବା ନଦୀ, ଶ୍ମଶାନ, ମନ୍ଦିର ରହିଥିବ । ବୃକ୍ଷରେ ଗଣ୍ଡିଟି ସରଳ ସୁଦୃଶ୍ୟ ହେବା ସହ ସାତରୁ ବାରହାତ ଯାଏ ଦୀର୍ଘ ହୋଇଥିବ । ଦେବ ବିଗ୍ରହ ନିର୍ମାଣ ଉପଯୋଗୀ ବୃକ୍ଷର ଲକ୍ଷଣ ବାରହମିହିରଙ୍କ ବୃହତ୍ ସଂହିତା, ଭବିଷ୍ୟପୁରାଣ, ମରୀଚିକା ବିମାନର୍ଚ୍ଚନ କଳ୍ପ ଆଦିରେ ଉଲ୍ଲେଖ ଅଛି । ନିମ୍ବଦାରୁ ପୁରୁଷବୃକ୍ଷ ଏବଂ କୀଟ ନିରୋଧକ ହୋଇଥିବାରୁ ପ୍ରତିମା ନିର୍ମାଣ ପାଇଁ ଉପଯୁକ୍ତ ବିବେଚିତ ହୁଏ ।

ସାଧାରଣତଃ ବିଗ୍ରହ ନିର୍ମାଣ ନିମିତ୍ତ ଦାରୁବୃକ୍ଷ ଚୟନ କରିବାର ସମ୍ପୁର୍ଣ୍ଣ ଦାୟିତ୍ୱ ଦଇତାପତିମାନଙ୍କର ଅଟେ । ଦାରୁବୃକ୍ଷର ଚୟନ ପରେ ପ୍ରଥମେ ଲେଙ୍କା ସେବକ ବୃକ୍ଷ ମୂଳରେ ରୌପ୍ୟଚକ୍ରକୁ ସ୍ଥାପନ କରିଥାନ୍ତି । ବୃକ୍ଷର ମୂଳକୁ ସଫା କରି ଗୋମୟରେ ଲିପାପୋଛା କରାଯାଏ-। ତା’ପରେ ବ୍ରାହ୍ମଣମାନେ ସଂସ୍କାର ହୋମ କରିଥାନ୍ତି । ବନଯାଗ ଯାତ୍ରୀଗଣ ନିର୍ଣ୍ଣିତ ବୃକ୍ଷଟିକୁ ପ୍ରଦିକ୍ଷଣ କରି ସେଥିରେ ଚନ୍ଦନ, ସିନ୍ଦୂର ଓ ବସ୍ତ୍ର ଲାଗି କରନ୍ତି ।

ବହିଃ ବନଯାଗ ନିମିତ୍ତ ଏକ ଯଜ୍ଞମଣ୍ଡପ ଓ ଏକ ସମ୍ଭାର ଗୃହ ନିର୍ମାଣ କରାଯାଏ । ଯଜ୍ଞମଣ୍ଡପଟି ସାଧାରଣତଃ ଷୋହଳ ହାତର ବର୍ଗାକାର କ୍ଷେତ୍ର ହୋଇଥାଏ । ମଣ୍ଡପର ମଧ୍ୟଭାଗରେ ଏକ ଯଜ୍ଞକୁଣ୍ଡ ଏବଂ ଚାରିଦ୍ରରେ ଚାରୋଟି କ୍ଷୁଦ୍ର ଯଜ୍ଞକୁଣ୍ଡ ନିର୍ମିତ ହୁଏ । ଯଜ୍ଞମଣ୍ଡପର ଉତ୍ତର ଦିଗରେ ଯେଉଁ ସମ୍ଭାର ଗୃହଟି ନିର୍ମିତ ହୁଏ ସେଥିରେ ଅଙ୍କୁରୋପଣ ନିମିତ୍ତ ଧାନ, ଯବ, ଗହମ, ତିଳ, ଧଳା ସୋରିଷ, ମୁଗ, ବିରି ଆଦି ବୀଜବପନ କରାଯାଏ । ଅଙ୍କୁରୋପଣ କର୍ମ ପରେ ଆଚାର୍ଯ୍ୟ ତଥା ଅନ୍ୟ ଦାରୁ ଯାତ୍ରୀଗଣ ହବିଷ୍ୟାନ୍ନ ସେବନ କରନ୍ତି । ତତପରଦିନ ବନଯୋଗ ତ୍ରିଦିବସ ବ୍ୟାପୀ ଅନୁଷ୍ଠିତ ହୁଏ । ଦଇତାପତିମାନଙ୍କ ନିମିତ୍ତ ଶବରପଲ୍ଲୀ ନିର୍ମିତ ହୁଏ ।

ବନଯାଗର ମୁଖ୍ୟ ଉପାସ୍ୟା ଭଗବାନ ନୃସିଂହ ଅଟନ୍ତି, ଯଜ୍ଞଶାଳାରେ ବିଭିନ୍ନ ଦେବଦେବୀଙ୍କୁ ଆବାହନ କରାଯାଏ \ ବନଯୋଗରେ ସାଧାରଣତଃ ଛଅଜଣ ବ୍ରାହ୍ମଣ ଯଜ୍ଞକାର୍ଯ୍ୟ ସଞ୍ଚାଳନ କରିଥାନ୍ତି । ସେମାନେ ହେଲେ ୧) ପ୍ରଧାନାଚାର୍ଯ୍ୟ, ୨) ବ୍ରହ୍ମା, ୩) ପ୍ରଚାରକ (ପୁସ୍ତକାଚାର୍ଯ୍ୟ), ୪)ଚରୁ ଓ ସମିଧ ହୋତା, ୫) ମଣ୍ଡଳାଚାର୍ଯ୍ୟ, ୬) ମନ୍ତ୍ରଜାପକ ଆଚାର୍ଯ୍ୟ । ଉକ୍ତ ବ୍ରାହ୍ମଣମାନେ ପୂର୍ବରୁ ବରଣ ହୋଇଥାନ୍ତି । ସେମାନେ ଦଶଦିଗପାଳ ପୂଜା, ନବଗ୍ରହ ପୂଜା, ବାସ୍ତୁପୂଜା ଆଦି କରିଥାନ୍ତି । ତତ୍ପରେ ଆଚାର୍ଯ୍ୟ ବୃକ୍ଷ ନିକଟକୁ ଯାଇ ସୁଦର୍ଶନ ମନ୍ତ୍ର- “ ଓଁ ସୁଦର୍ଶନ ମହାଚକ୍ରରାଜ ଫଟ୍ ଫଟ୍ ସର୍ବଦୁଷ୍ଟାଭ୍ୟାଂ ଛିନ୍ଧି ଛିନ୍ଧି ବିଦାରୟ ପରମନ୍ତ୍ରାନ୍ ଗ୍ରାସ ଗ୍ରାସ ଭକ୍ଷ ଭକ୍ଷ ହୁଂ ଫଟ୍ ଚକ୍ରାୟନମଃ” ଉଚ୍ଚାରଣ ପୂର୍ବକ ଗନ୍ଧ ପୁଷ୍ପାଦି ଦ୍ୱାରା ଉକ୍ତ ବୃକ୍ଷକୁ ପୂଜା କରନ୍ତି । ତତ୍ପରେ ଯାଗ ଆରମ୍ଭ ହୁଏ ।

ଯାଗରେ ବିଭିନ୍ନ ଦେବଦେବୀଙ୍କ ସହ ପାତାଳ ନୃସିଂହ ମନ୍ତ୍ରରେ ୩୦୮ ଏବଂ ମନ୍ତ୍ରରାଜ ନୃସିଂହ ୧୦୦୦ ଆହୁତି ପ୍ରଦତ୍ତ ହୁଏ । ସମୟର ସ୍ଵଳ୍ପତା ଦୃଷ୍ଟିରୁ ସଂଖ୍ୟାରେ ପରିବର୍ତ୍ତନ କରାଯାଏ । ଉକ୍ତ ନୃସିଂହ ମନ୍ତ୍ରରାଜର ଆବୃତ୍ତି କରାଯାଏ-

“ଓଁ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ବଳନ୍ତଂ ସର୍ବତୋମୁଖମ୍

ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋର୍ମୃତ୍ୟୁଂ ନମାମ୍ୟହମ୍”

।।

ଶେଷରେ ଯେଉଁ ଦେବଙ୍କ ଉଦ୍ଦେଶ୍ୟରେ ବୃକ୍ଷଟି ଉଦ୍ଦିଷ୍ଟ ତାଙ୍କ ଉଦ୍ଦେଶ୍ୟରେ ଏକଶତ ଆହୁତି ପ୍ରଦତ୍ତ ହୁଏ । ତତସହ ପାର୍ଶ୍ଵଦେବତା, ନବଗ୍ରହ ତଥା ଅନ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଆହୁତି ପ୍ରଦାନ କରାଯାଇଥାଏ ।

ଯଜ୍ଞାନୁଷ୍ଠାନ କାଳରେ ଯଜ୍ଞାଗ୍ନିରେ ଆଚାର୍ଯ୍ୟ ଘୃତାହୁତି, ଚରୁହୋତା ଚରୁ ଅନ୍ନ, ସମିଧହୋତା ସମିଧ ପ୍ରଦାନ କରନ୍ତି । ଜାପକ ଜପ ଏବଂ ଆହୁତି ଗଣନା କରନ୍ତି ଓ ବ୍ରହ୍ମା ଯାଗକାର୍ଯ୍ୟ ନିରୀକ୍ଷଣ କରନ୍ତି । ପୁସ୍ତକାଚାର୍ଯ୍ୟ ବା ପ୍ରଚାରକ ଶାସ୍ତ୍ରୀୟ ବିଧି ପାଳନ ଉପରେ ଦୃଷ୍ଟି ରଖନ୍ତି । ଯଜ୍ଞକୁ ଆହୁତ ଦେବଦେବୀଙ୍କୁ ବିସର୍ଜନ ପରେ ଅଗ୍ନିଙ୍କୁ ନାରିକେଳ, ବସ୍ତ୍ର, ଅକ୍ଷତ, ମାଲ୍ୟ ଆଦି ପ୍ରଦାନ କରାଯାଇ ପୂର୍ଣ୍ଣାହୁତି ଦିଆଯାଏ । ଏହାପରେ ସମସ୍ତ ବ୍ରାହ୍ମଣ, ପତିମହାପାତ୍ର, ବିଶ୍ୱାବସୁ ଆଦି ଯଜ୍ଞାଗ୍ନି କୁ ସାତଥର ପ୍ରଦକ୍ଷିଣ କରି ପୁଷ୍ପାଞ୍ଜଳି ଦିଅନ୍ତି । ତତ୍ପରେ ବୃକ୍ଷ ନିକଟରେ ପୂଜା ଓ ବଳି ପ୍ରଦାନ କରାଯାଇ ଭୂତପ୍ରେତମାନଙ୍କୁ ବୃକ୍ଷତ୍ୟାଗ କରିବା ପାଇଁ ପ୍ରାଥନା କରାଯାଏ । ତତପରଦିନ ମନ୍ତ୍ରରାଜ ଜପପୂର୍ବକ, ବନସ୍ପତି ମନ୍ତ୍ରରେ ବୃକ୍ଷକୁ ପୂଜା କରାଯାଇ ମୂଳରେ ୧୦୮ ଆହୁତି ପ୍ରଦାନ କରାଯାଏ । ଏହାପରେ ଯଜ୍ଞଶାଳାରେ ରକ୍ଷିତ କୁଠାରଗୁଡିକ ଅସ୍ତ୍ର ମନ୍ତ୍ରରେ ପୂଜନ କରାଯାଏ । ଯଜ୍ଞଶାଳାର ଭସ୍ମ ଦାରୁବୃକ୍ଷର ଗଣ୍ଡିରେ ଲେପନ କରାଯାଏ । ସୁଦର୍ଶନ ମନ୍ତ୍ର ଉଚ୍ଚାରଣ କରି ଚନ୍ଦନରେ କୁଶ ବୁଡ଼ାଇ ବୃକ୍ଷର ଗଣ୍ଡି ଉପରେ ଏକ ମନୁଷ୍ୟାକୃତି ଚିତ୍ର ଅଙ୍କନ କରାଯାଏ ଯାହାର ତଳକୁ ମୁଣ୍ଡ ଓ ଉପରକୁ ପାଦ ଥାଏ । ଯାହାକି ଗୀତାର ଉକ୍ତ ଉପନିଷଦୀୟତତ୍ତ୍ୱକୁ ସ୍ମରଣ କରାଇଦିଏ ।

“ଉର୍ଦ୍ଧ୍ୱମୂଳମଧଃ ଶାଖମଶ୍ୱତଥଂ ପ୍ରାହୁରବ୍ୟୟମ୍

ଛନ୍ଦାଂସି ଯସ୍ୟ ପର୍ଣ୍ଣାନି ଯସ୍ତଂ ବେଦ ସ ବେଦବିତ୍”

।।

(୧୫।୧)

 

ଉକ୍ତ ଶ୍ଲୋକରେ ଅଶ୍ୱତ୍ଥକୁ ବୃକ୍ଷମାନଙ୍କର ପ୍ରତିନିଧି ରୂପେ ସ୍ଵୀକାର କରି ତା’ର ରୂପକରେ ସଂସାରର ବର୍ଣ୍ଣନା କରାଯାଇଛି । ‘ମୂଳ’ ଶବ୍ଦ କାରଣର ବାଚକ । ଏହି ସଂସାର ବୃକ୍ଷର ଉତ୍ପତ୍ତି ଏବଂ ଏହାର ବିସ୍ତାର ଆଦିପୁରୁଷ ନାରାୟଣଙ୍କଠାରୁ ହୋଇଛି । ସେହି ଆଦିପୁରୁଷ ନିତ୍ୟ, ଅନନ୍ତ ଏବଂ ଏହାର ବିସ୍ତାର ଆଦିପୁରୁଷ ନାରାୟଣଙ୍କଠାରୁ ହୋଇଛି । ସେହି ଆଦିପୁରୁଷ ନିତ୍ୟ, ଅନନ୍ତ ଏବଂ ସମସ୍ତଙ୍କର ଆଧାର ଅଟନ୍ତି ଏବଂ ସଗୁଣ ରୂପରେ ସମସ୍ତଙ୍କ ଉପରେ ନିତ୍ୟଧାମରେ ନିବାସ କରନ୍ତି । ଅତଏବ ତାଙ୍କୁ ‘ଉର୍ଦ୍ଧ୍ୱ’ ନାମରେ ଅଭିହିତ କରାଯାଏ । ଏହି ସଂସାରବୃକ୍ଷ ସେହି ମାୟାପତି ସର୍ବଶକ୍ତିମାନ୍ ପରମେଶ୍ୱରଙ୍କଠାରୁ ଉତ୍ପନ୍ନ । ସୁତରାଂ ଏହାକୁ ଉର୍ଦ୍ଧ୍ୱମୂଳ କୁହାଯାଏ । ଅଭିପ୍ରାୟ ହେଲା ଯେ ଅନ୍ୟ ସାଧାରଣ ବୃକ୍ଷର ମୂଳ ନିମ୍ନରେ ପୃଥିବୀ ଭିତରେ ରହୁଥିଲାବେଳେ ସଂସାର ବୃକ୍ଷର ମୂଳ ଉପରେ ରହିବା ଅଲୌକିକ ତତ୍ତ୍ୱ ଅଟେ ।

ଆଚାର୍ଯ୍ୟ, ପତିମହାପାତ୍ର ପ୍ରମୁଖ ବିଷ୍ଣୁମନ୍ତ୍ର, ନାରାୟଣମନ୍ତ୍ର ତଥା ବାସୁଦେବ ମନ୍ତ୍ର ଉଚ୍ଚାରଣ ପୂର୍ବକ ବୃକ୍ଷକୁ ସ୍ପର୍ଶ କରି ଶୁଭ୍ରବସ୍ତ୍ରରେ ଆବୃତ୍ତ କରନ୍ତି । ପୁନଶ୍ଚ ଭୂତପ୍ରେତାଦିଙ୍କୁ ଦାରୁବୃକ୍ଷ ପରିତ୍ୟାଗ କରି ପଳାୟନ କରିବା ପାଇଁ ପ୍ରାର୍ଥନା କରାଯାଏ । ଗୋଟିଏ ପାଣିକଖାରୁ ଅଣାଯାଇ ତାକୁ ଚାରିଗୋଟି କାଠି ଦ୍ୱାରା ଫୁଟାଇ ଦିଆଯାଏ । ଉକ୍ତ ଚାରିଗୋଟି କାଠିକୁ ଗୋଡ ମନେକରି ପାଣି କଖାରୁକୁ ବଳି ରୂପେ ଅର୍ପଣ କରାଯାଏ । ଖଡଗ ମନ୍ତ୍ର ଦ୍ୱାରା ଗୋଟିଏ କୁଠାରକୁ ମନ୍ତ୍ରିତ କରି ସେଥିରେ ପାଣିକଖାରୁକୁ ଦୁଇଗଡ଼ କରି କାଟି ଦିଆଯାଏ । ଏହାପରେ କଖାରୁଟିକୁ ଛୋଟ ଛୋଟ କରି କାଟି ତାକୁ ଚକଟି ସେଥିରେ ବିରିହଳଦି ଆଦି ମିଶାଇ କଦଳୀପତ୍ରରେ ଦଶଦିଗପାଳ ତଥା ଭୂତପ୍ରେତ ଆଦିଙ୍କ ଉଦ୍ଦେଶ୍ୟରେ ଦାରୁଙ୍କ ମୂଳରେ ନୈବେଦ୍ୟ ରୂପେ ଅର୍ପଣ କରାଯାଏ ।

ଆଚାର୍ଯ୍ୟ ନିଜକୁ ବିଷ୍ଣୁ ମନେକରି ଦାରୁଚ୍ଛେଦନ ପାଇଁ ଅଗ୍ରସର ହୁଅନ୍ତି । ସେ ସୁଦର୍ଶନ ମନ୍ତ୍ର ଉଚ୍ଚାରଣ କରି ସ୍ଵର୍ଣ୍ଣ କୁଠାରେ ଘୃତ ଓ ମଧୁ ଲେପନ କରି ପତିମହାପାତ୍ରଙ୍କୁ ବଢ଼ାଇ ଦିଅନ୍ତି । ପତିମହାପାତ୍ର ଦାରୁଙ୍କୁ ପ୍ରଦକ୍ଷିଣ କରି ମନ୍ତ୍ରରାଜ ଉଚ୍ଚାରଣ ପୂର୍ବକ ସ୍ଵର୍ଣ୍ଣ କୁଠାରରେ ତ୍ରିବାର ଦାରୁଙ୍କ ଦେହରେ ଚୋଟ ଲଗାନ୍ତି । ଉକ୍ତ କୁଠାର ପତିମହାପାତ୍ର ତାଙ୍କ ପ୍ରାପ୍ୟ ସ୍ଵରୂପ ନିଅନ୍ତି । ତତ୍ପରେ ଆଚାର୍ଯ୍ୟ ରୌପ୍ୟ କୁଠାରେ ଅଭିମନ୍ତ୍ରିତ କରି ବିଶ୍ଵାବସୁଙ୍କୁ ଅର୍ପଣ କରନ୍ତି । ସେ ମଧ୍ୟ ପରିକ୍ରମା ପୂର୍ବକ ତ୍ରିବାର ଚ୍ଛେଦନ କରି ପ୍ରାପ୍ୟ ସ୍ଵରୂପ ତାହା ଗ୍ରହଣ କରନ୍ତି । ଶେଷରେ ଆଚାର୍ଯ୍ୟ ଲୌହ କୁଠାରକୁ ଅଭିମନ୍ତ୍ରିତ କରି ବିଶ୍ଵକର୍ମା ମହାରଣାଙ୍କୁ ପ୍ରଦାନ କରନ୍ତି । ସେ ହରିନାମ ସ୍ମରଣ ପୂର୍ବକ ବୃକ୍ଷଟିକୁ କୁଠାର ସାହାଯ୍ୟରେ ଚ୍ଛେଦନ କରନ୍ତି । ଅନ୍ୟ ବିଶ୍ଵକର୍ମା ମହାରଣାମାନେ ବୃକ୍ଷଚ୍ଛେଦାନ କରୁଥିବାବେଳେ ବାଦ୍ୟଧ୍ୱନି ଓ ମଙ୍ଗଳନାଦ କରଯାଉଥାଏ । ବୃକ୍ଷଟି ଭୂପତିତ ହେଲେ ଏହା ମୂଳରେ ନୈବେଦ୍ୟ ଅର୍ପଣ କରାଯାଏ ଯାହାକୁ ବନଯୋଗ ଯାତ୍ରୀମାନେ ସେବନ କରନ୍ତି । ବୃକ୍ଷର ଗଣ୍ଡିରୁ ଆବଶ୍ୟକ ମାପରେ ଦାରୁ କଟାଯିବା ସହ ସେଥିରୁ ବଳକଳକୁ ଛଡାଯାଇ ଚଉପଟ କରାଯାଏ । ଅବଶିଷ୍ଟ ଶାଖା, ପ୍ରଶାଖା, ଡାଳ, ପତ୍ରାଦିକୁ ନିକଟରେ ବିରାଟ ଗର୍ତ୍ତ ଖୋଦନ କରାଯାଇ ତହିଁରେ ପୋତି ଦିଆଯାଏ । ଦାରୁ ଚଉପଟ ହେବାପରେ ତାହାକୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପାଟବସ୍ତ୍ରରେ ଘୋଡ଼ାଇ ସୂତା ଦଉଡ଼ିରେ ଭଲକରି ବନ୍ଧନ କରାଯାଏ ।

ଉକ୍ତ କାର୍ଯ୍ୟ ପୂର୍ବରୁ ଚାରିଚକ ବିଶିଷ୍ଟ ଶଗଡ଼ି ନିର୍ମାଣ କରାଯାଇଥାଏ । ସାଧାରଣତଃ ଶଗଡ଼ିର ଚକ ବରକାଠରେ, ଅଖ ତେନ୍ତୁଳି ବା ବେଲ କାଠରେ ଓ ଦଣ୍ଡା କେନ୍ଦୁ କାଠରେ ନିର୍ମିତ ହୋଇଥାଏ । ଶଗଡ଼ି ନିର୍ମାଣ ପରେ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଏହାର ପ୍ରତିଷ୍ଠା କାର୍ଯ୍ୟ କରନ୍ତି । ଦାରୁଙ୍କୁ ଶଗଡ଼ି ଉପରେ ସ୍ଥାପନ କରିବା ସମୟରେ ମନ୍ତ୍ରପାଠ କରାଯାଏ । ଶୁଭ ମୁହୁର୍ତ୍ତରେ ଦାରୁ ଶଗଡ଼ିକୁ ବିଭିନ୍ନ ବାଦ୍ୟ, ସଂକୀର୍ତ୍ତନ ଓ ମଙ୍ଗଳ ନାଦ ସହ ଶ୍ରୀକ୍ଷେତ୍ର ଅଭିମୁଖେ ଭକ୍ତମାନେ ଟାଣି ନିଅନ୍ତି । ଦାରୁ ଶଗଡ଼ି ଚଳନ କାଳରେ ଶାକୁନ ସୂକ୍ତ ପାଠ କରାଯାଏ ।

ବିଧି ଅନୁଯାୟୀ କ୍ରମାନ୍ୱୟରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ିଶ୍ରୀକ୍ଷେତ୍ର ଆସିଯାଏ । ଦାରୁ ଶଗଡ଼ି ଶ୍ରୀକ୍ଷେତ୍ରଉପକଣ୍ଠରେ ଅର୍ଥାତ୍ ଅଠରନଳାସ୍ଥ ଆଲାମଚଣ୍ଡୀ ମନ୍ଦିର ଅଥବା ଶ୍ରୀଯଜ୍ଞ ନୃସିଂହ ମନ୍ଦିରଠାରେ ପହଞ୍ଚିବା ପରେ ତତପରଦିନ ସକାଳେ ବିଭିନ୍ନ ବାଦ୍ୟ, ସଂକୀର୍ତ୍ତନ, ମେଢ଼, ନୃତ୍ୟ ଏବଂ ଦାରୁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା ସହ ବଡ଼ଦାଣ୍ଡ ମାର୍ଗରେ ଚାଳିତ ହୋଇ ଉତ୍ତରଦ୍ୱାର ସମ୍ମୁଖରେ ପହଞ୍ଚେ । ସେଠାରୁ କୋଇଲି ବୈକୁଣ୍ଠରେ ପହଞ୍ଚି ନବନିର୍ମିତ ଦାରୁ ଗ୍ରହମାନଙ୍କରେ ଶଗଡ଼ି ଗୁଡ଼ିକ ସ୍ଥାପନ କରାଯାଏ । ପତିମହାପାତ୍ର ସେବକ ପ୍ରତ୍ୟେହ ଦାରୁମାନଙ୍କର ପୂଜାର୍ଚଚନା କରନ୍ତି । ଏହିପରି ଭାବରେ ବହିର୍ବନଯାଗରେ ଦାରୁ ସଂଗ୍ରହ କରାଯାଇ ଅନ୍ତଃ ବନଯୋଗ ନିମିତ୍ତ ପ୍ରସ୍ତୁତି ଆରମ୍ଭ ହୁଏ ।

ଅନ୍ତଃ ବନଯୋଗ ବିଧି :

ଚୈତ୍ରଶୁକ୍ଲ ଦଶମୀରେ ବହିର୍ବନଯାଗ ଯାତ୍ରାର ଶୁଭାରମ୍ଭ ହେଉଥିବାବେଳେ ଉକ୍ତ ଦିବସରେ କୋଇଲି ବୈକୁଣ୍ଠ ପରିସରରେ ଆଗାମୀ ଅନ୍ତଃବନଯୋଗ ନିମିତ୍ତ ବିଭିନ୍ନ ମଣ୍ଡପର ଅନୁକୂଳ ପୂଜାର ଶୁଭାରମ୍ଭ ହୋଇଥାଏ । ଉକ୍ତ ମଣ୍ଡପ ଗୁଡିକ ହେଲା ପ୍ରତିଷ୍ଠା ମଣ୍ଡପ, ନୃସିଂହ ମଣ୍ଡପ, ନିର୍ମାଣ ମଣ୍ଡପ, ସମ୍ଭାର ମଣ୍ଡପ, ସ୍ନାନ ମଣ୍ଡପ, ଅଧିବାସ ମଣ୍ଡପ ଓ ଦାରୁ ମଣ୍ଡପ । ପୂର୍ବରୁ ଚାରୋଟି ଶଗଡ଼ି ନିମିତ୍ତ ଚାରୋଟି ଦାରୁଗୃହ ନିର୍ମିତ ହୋଇଥାଏ । ଯେଉଁଠାରେ ଶଗଡ଼ିଗୁଡିକୁ ସ୍ଥାପନ କରାଯାଏ । ଶ୍ରୀମନ୍ଦିର ଦକ୍ଷିଣ ଘରେ ପୂଜିତ ଶ୍ରୀଲକ୍ଷ୍ମୀ ନୃସିଂହଙ୍କୁ ହାତରେ ବିଜେ କରି ଆଣି ନୃସିଂହ ମଣ୍ଡପରେ ଅଧିଷ୍ଠିତ କରାଯାଏ । ନିର୍ମାଣ ମଣ୍ଡପର କାରଶାଳାରେ ବିଗ୍ରହମାନଙ୍କର ନିର୍ମାଣ କାର୍ଯ୍ୟ ହୁଏ । ଦାରୁ ମଣ୍ଡପରେ ଦାରୁ ଅଧିବାସ ହୁଏ । ସ୍ନାନ ମଣ୍ଡପରେ ନବାଗତ ଦାରୁଙ୍କ ସ୍ନାନ କରାଯାଏ ।

ପ୍ରତିଷ୍ଠା ମଣ୍ଡପରେ ଯଜ୍ଞାନୁଷ୍ଠାନ ହୁଏ । ସମ୍ଭାର ମଣ୍ଡପରେ ଅଙ୍କୁରୋପଣ କାର୍ଯ୍ୟ ଏବଂ ଯଜ୍ଞ ସମ୍ଭାର ଗଚ୍ଛିତ ରହେ । ସମସ୍ତ ମଣ୍ଡପ ଗୁଡ଼ିକୁ ବାଉଁଶତାଟି, ନଡ଼ିଆଚାଞ୍ଚ ଏବଂ କନା ଦ୍ବାରା ଆବଦ୍ଧ କରାଯାଏ । ଉକ୍ତ ମଣ୍ଡପ ଗୁଡ଼ିକରେ ନିର୍ମାଣ କାର୍ଯ୍ୟ ଜ୍ୟେଷ୍ଠ ଅମାବାସ୍ୟା ପୂର୍ବରୁ ସମାପ୍ତ ହୋଇଥାଏ ।

ଜ୍ୟେଷ୍ଠପୂର୍ଣ୍ଣିମା ଅଥବା ସ୍ନାନ ପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ସ୍ନାନ ନୀତି ପରେ କୋଇଲି ବୈକୁଣ୍ଠସ୍ଥ ଦାରୁ ଚାରିଦାରୁଙ୍କର ଚାରି ଗଦୁ ଜଳରେ ପତିମହାପାତ୍ର ଏବଂ ଦଇତା ସେବକଙ୍କ ଦ୍ୱାରା ସ୍ନାନ ସମ୍ପନ୍ନ ହୁଏ । ଏହାପରେ ଦାରୁମାନଙ୍କୁ ନିର୍ମାଣ ମଣ୍ଡପକୁ ଅଣାଯାଏ ଯେଉଁଠାରେ ଶ୍ରୀବିଗ୍ରହମାନଙ୍କର ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ ।

ତା’ପୂର୍ବରୁ ନିର୍ମାଣ ମଣ୍ଡପରେ ଏକ କ୍ଷୁଦ୍ର ବନଯୋଗ ଅନୁଷ୍ଠିତ ହୋଇଥାଏ । ଜ୍ୟେଷ୍ଠ ପୂର୍ଣ୍ଣିମାର ଦୁଇଦିନ ପୂର୍ବରୁ ଏଥିପାଇଁ ଅଙ୍କୁରୋପଣ କରାଯାଇଥାଏ । ପୂର୍ଣ୍ଣିମାର ପରବର୍ତ୍ତୀ ତୃତୀୟ ଦିବସରେ ଅନ୍ତର୍ବନଯାଗ ଅନୁଷ୍ଠିତ ହୁଏ । ଶୀଘ୍ର ଅଙ୍କୁରୋଦଗମ ନିମିତ୍ତ ବ୍ରାହ୍ମଣମାନେ ପଞ୍ଚଶସ୍ୟ ନେଇ ବୀଜ ଗୁଡ଼ିକ ଉଷ୍ଣଜଳରେ ଧୌତ କରି ଅଙ୍କୁରୋପଣ ଗୃହରେ ମୂର୍ତ୍ତିକା ଓ ଗୋମୟରେ ଶଯ୍ୟା ପ୍ରସ୍ତୁତ କରିଥାନ୍ତି । ଅନ୍ତଃ ବନଯୋଗ ନିମିତ୍ତ ଦେଉଳ ପୁରୋହିତ, ରାଜଗୁରୁ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କୁ ଗଜପତି ମହାରାଜା ବରଣ କରିଥାନ୍ତି । ବନଯୋଗ ପରେ ହିଁ ନିର୍ମାଣ ମଣ୍ଡପରେ ନୂତନ ବିଗ୍ରହମାନଙ୍କର ନିର୍ମାଣ କାର୍ଯ୍ୟ, ଯଜ୍ଞମଣ୍ଡପରେ ଯଜ୍ଞାନୁଷ୍ଠାନ ତଥା ନ୍ୟାସଦାରୁ ପ୍ରତିଷ୍ଠା କାର୍ଯ୍ୟ ଯୁଗପତ୍ସଞ୍ଚାଳିତ ହୁଏ । ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଗୋପନୀୟ ଥିବାରୁ ଚତୁର୍ଦ୍ଦିଗ ତାଟି ଦ୍ୱାରା ଆବଦ୍ଧ କରାଯାଏ । କୋଇଲି ବୈକୁଣ୍ଠ ପ୍ରବେଶ ଦ୍ୱାରରେ ବିଭନ୍ନ ବାଦ୍ୟଧ୍ୱନି କରାଯାଇଥାଏ । ନିର୍ମାଣ ମଣ୍ଡପରେ ବ୍ରାହ୍ମଣମାନଙ୍କ ପ୍ରବେଶ ନିଷେଧ ଥାଏ । ବିଗ୍ରହ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା ମହାରଣା, ପତିମହାପାତ୍ର ଓ ଦଇତା ସେବକମାନେ ନିୟୋଜିତ ଥାନ୍ତି ।

ଅନ୍ତଃ ବନଯୋଗ କାର୍ଯ୍ୟ କୃଷ୍ଣ ଚତୁର୍ଦ୍ଦଶୀ ସୁଦ୍ଧା ସମାପ୍ତ ହୁଏ । ନ୍ୟାସଦାରୁ ପ୍ରତିଷ୍ଠା ନୂତନ ବିଗ୍ରହମାନଙ୍କ ଜୀବନ୍ୟାସ କର୍ମ ବ୍ରାହ୍ମଣମାନେ କରିଥାନ୍ତି ଯାହା ଉକ୍ତ ତିଥି ପର୍ଯ୍ୟନ୍ତ ଚାଲେ । ପୂର୍ଣ୍ଣାହୁତି ପରେ ଯଜ୍ଞର ପରିସମାପ୍ତି ହୁଏ । ଏହାପରେ ମୁଖ୍ୟ ଆଚାର୍ଯ୍ୟ ନବନିର୍ମିତ ଦେବବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କୁଶ ଦ୍ୱାରା ଦୂରକୁ କରିଥାନ୍ତି । ଉକ୍ତ ଯଜ୍ଞକର୍ମ ଏଗାରଦିନ ବ୍ୟାପୀ ଚାଲେ ।

ବିଗ୍ରହ ନିର୍ମାଣ ନିମିତ୍ତ ଆସିଥିବା ଚାରୋଟି ଦାରୁ ମଧ୍ୟରୁ କୌଣସି ଏକ ଦାରୁର ନିର୍ଦ୍ଦିଷ୍ଟ ମାପ ଅନୁସାରେ ଏକ ଖଣ୍ଡ କଟାଯାଇ ନ୍ୟାସ ଦାରୁ ଭାବେ ପ୍ରତିଷ୍ଠା କରାଯାଇଥାଏ । ଏହା ଚାରୋଟି ସମାନ ଭାଗରେ କଟାଯାଇ ଚାରିଦାରୁ ମୂର୍ତ୍ତିଙ୍କର ବ୍ରହ୍ମପଦାର୍ଥ ସ୍ଥାପନ ସ୍ଥାନରେ ଢାଙ୍କୁଣି ରୂପେ ପ୍ରୟୋଗ କରାଯାଏ । ନ୍ୟାସାଦାରୁ ପ୍ରତିଷ୍ଠା, ଯଜ୍ଞକାର୍ଯ୍ୟ ଓ ବିଭିନ୍ନ ଦେବଦେବୀ ମନ୍ଦିରରେ ଜପ, ସ୍ତୁତି, ଚଣ୍ଡୀପାଠ, ଅଭିଷେକ ଆଦି ପାଇଁ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କୁ ନିୟୋଜିତ କରାଯାଇଥାଏ-

ପ୍ରତିଷ୍ଠା କର୍ମର ପ୍ରଥମ ଦିନ ଯଜ୍ଞ ମଣ୍ଡପରେ ଚକ୍ରାନ୍ତ ମଣ୍ଡଳ, ସର୍ବତୋଭଦ୍ରମଣ୍ଡଳ, ବାସ୍ତୁମଣ୍ଡଳ, ସ୍ଵସ୍ତିକ, ନବଗ୍ରହ ମଣ୍ଡଳ ଆଦି ପଞ୍ଚୁବର୍ଣ୍ଣି ମୁରୁଜରେ ଅଙ୍କନ କରାଯାଏ । ଉକ୍ତ କାର୍ଯ୍ୟ ମଣ୍ଡଳାଚାର୍ଯ୍ୟ କରିଥାନ୍ତି ।

ଚକ୍ରାନ୍ତ ମଣ୍ଡଳ ଉପରେ ଭଗବାନ ନୃସିଂହ ଏବଂ ଅନ୍ୟ ଦେବଦେବୀଙ୍କୁ ଆସୀନ କରାଯାଏ । ସ୍ଵସ୍ତିକ ମଣ୍ଡଳରେ ନିଦ୍ରାଘଟ ପୂଜିତ ହୁଏ । ବାସ୍ତୁମଣ୍ଡଳ ଉପରେ ସ୍ନାନଘଟ ଗୁଡିକୁ ସ୍ଥାପନ କରାଯାଏ । ଏତଦବ୍ୟତୀତ ଦଶଦିଗପାଳ, ନବଗ୍ରହ, ମାତୃଗଣଙ୍କ ନିମିତ୍ତ ପୃଥକ୍ ପୃଥକ୍ ମଣ୍ଡଳ ଅଙ୍କନ କରାଯାଏ । ମଣ୍ଡପର ବାୟୁକୋଣରେ ଅଷ୍ଟଦଳ ପଦ୍ମ ମଣ୍ଡଳରେ ବିଶ୍ୱକର୍ମାଙ୍କ ଅସ୍ତ୍ର (ଲିହଣ, ମୁଗୁରା) ସ୍ଥାପନ କରାଯାଏ । ଯଜ୍ଞାରମ୍ଭର ପୂର୍ବଦିନ ପତିମହାପାତ୍ର ଦକ୍ଷିଣଘରୁ ହସ୍ତରେ ବିଜେ କରାଇ ଲକ୍ଷ୍ମୀନୃସିଂହଙ୍କୁ ଆଣି ନୃସିଂହ ମଣ୍ଡପରେ ସ୍ଥାପନ କରନ୍ତି । ଶ୍ରୀନୃସିଂହ ହିଁ ସମସ୍ତ ଯଜ୍ଞକର୍ମର ମୁଖ୍ୟ ଦେବତା ଅଟନ୍ତି । ଶ୍ରୋତ୍ରିୟ ବ୍ରାହ୍ମଣମାନେ ମଧ୍ୟ ଚକ୍ରାନ୍ତ ମଣ୍ଡଳ ଉପରେ ଜଳକୁମ୍ଭ ମଧ୍ୟରେ ଶ୍ରୀନୃସିଂହଙ୍କୁ ସ୍ଥାପନ କରିଥାନ୍ତି । ଆଚାର୍ଯ୍ୟ ପ୍ରଥମେ ନୃସିଂହଙ୍କ ପୂଜା କରି, ଗଣେଶ, ଦଶଦିଗ ପାଲ ତଥା ଅନ୍ୟ ଦେବଦେବୀଙ୍କୁ ପୂର୍ଣ୍ଣକୁମ୍ଭ ମଧ୍ୟରେ ଆବାହନ କରି ପୂଜା କରନ୍ତି । ମଣ୍ଡପ ବାହାରେ ବିଷ୍ଣୁଙ୍କର ଦ୍ୱାରପାଳଙ୍କୁ ପୂଜା କରାଯାଏ । ଏହାପରେ ଦିଗପାଳଗଣ ଓ ଭୂତଗଣଙ୍କୁ କାନ୍ତିପିଠାରେ ବଳି ଦିଆଯାଏ । ପ୍ରତ୍ୟହ ସନ୍ଧ୍ୟାରେ ଦଶଦିଗରେ ବଳି ଦିଆଯାଇ ଗର୍ତ୍ତରେ ପୋତି ଦିଆଯାଏ । ଏକାଦଶ ଦିବସରେ କୋଠାସୁଆଁସିଆ ସେବକମାନେ ଗୋପନରେ ଗୋଟିଏ ଜୀବନ୍ତ ଶେଉଳ ବା ମାଗୁର ମାଛକୁ ଉଣେଇଶି ଭାଗକରି ଏକ କଦଳୀ ପତ୍ରରେ ପ୍ରତିଷ୍ଠା ମଣ୍ଡପର ବାହାରେ ପୋତି ଦିଅନ୍ତି ।

ନ୍ୟାସଦାରୁଙ୍କୁ ଯଜ୍ଞର ପ୍ରଥମ ଦିନରେ ଅଧିବାସ ମଣ୍ଡପକୁ ଆଣି ଖଟ ଉପରେ ପଟ୍ଟବସ୍ତ୍ର ପ୍ରସାରଣ କରି ପଶ୍ଚିମ ପାର୍ଶ୍ଵରେ ସ୍ଥାପନ କରାଯାଏ । ଉକ୍ତ ଦିନ ହିଁ ଯଜ୍ଞକୁଣ୍ଡରେ ବୈଷ୍ଣବାଗ୍ନୀ ସ୍ଥାପନ ପୂର୍ବକ ହୋମ କରାଯାଏ । ଯଜ୍ଞକୁଣ୍ଡ ସମୀପରେ ପଶ୍ଚିମ ଦିଗରେ ପୂର୍ବମୁଖ ହୋଇ ଯଥାକ୍ରମେ ଚରୁହୋତା, ଆଚାର୍ଯ୍ୟ, ସମିଧହୋତା ଉପବେଶନ କରନ୍ତି । ପ୍ରଥମେ ନୃସିଂହ ମନ୍ତ୍ରରାଜିରେ ୧୦୮ ଆହୁତି ପ୍ରଦାନ କରାଯାଏ । ନ୍ୟାସଦାରୁଙ୍କୁ ଦକ୍ଷିଣହସ୍ତ କଳ୍ପନା କରାଯାଇ ତା’ ଉପରେ ଦୁର୍ବା ଓ ଶ୍ୱେତସର୍ଷପ ଦେଇ ଗୋଟିଏ କୌତୁକ (ଡେଉଁରିଆ) ବାନ୍ଧି ଦିଆଯାଏ । ତତ୍ପରଦିନ ନ୍ୟାସ ଦାରୁଙ୍କୁ ସ୍ନାନମଣ୍ଡପକୁ ଅଣାଯାଏ । ସେଠାରେ ସତରଟି ଗଡୁ ସୁଗନ୍ଧିତ ଜଳରେ ସ୍ନାନ କରାଇ ଦିଆଯାଏ । ସେତେବେଳେ ମନ୍ତ୍ରପାଠ, ନୃସିଂହ ଗାୟତ୍ରୀ ଓ ନୃସିଂହ ମନ୍ତ୍ରରାଜ ପାଠ କରାଯାଏ । ନୃସିଂହ ଗାୟତ୍ରୀମନ୍ତ୍ର-

“ଓଁ ବ୍ରଜ-ନଖ୍ୟାୟ ବିଦ୍ମହେ

 

ତୀକ୍ଷଣଦଂଷ୍ଟ୍ରାୟ ଧୀମହି

 

ତନ୍ନୋ ନରସିଂହ ପ୍ରଚୋଦୟାତ୍”

 

 

ନବକଳେବର ପରମ୍ପରାରେ ମା’ ମଙ୍ଗଳାଙ୍କ ଭୂମିକା

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

ଜଗତର ନାଥ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କର ଏହି ବ୍ୟାପକତା ସୂଚାଇ ଦିଏ ଯେ ସେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ସଂପ୍ରଦାୟର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ ନୁହନ୍ତି । ସେ ଅତି ବ୍ୟାପକ; ସାରା ଜଗତରେ ତାଙ୍କର ବ୍ୟାପ୍ତି ଓ ସ୍ଥିତି । ପ୍ରାକ୍-ବୈଦିକ କାଳରୁ ସେ ଉପାସିତ । ପରବର୍ତ୍ତୀ କାଳରେ ଜୈନ, ବୌଦ୍ଧ, ଶାକ୍ତ, ଗାଣପତ୍ୟ ଆଦି ବିଭିନ୍ନ ଧର୍ମ ଓ ଧାର୍ମିକ ବିଚାର ତାଙ୍କ ଭିତରେ ନିଜ ନିଜର ମୂଳବୀଜ ନିହିତ ଥିବାର ଅନୁଭବ କରିଛନ୍ତି ଏବଂ ତାଙ୍କୁ ନିଜର କହି ଆତ୍ମତୃପ୍ତି ଲାଭ କରିଛନ୍ତି । ସମସ୍ତେ ତାଙ୍କଠାରେ ଲୀନ ହୋଇଯାଇଛନ୍ତି ସାଗରରେ ନଦୀସ୍ରୋତ ମିଶି ନିଜସ୍ଵ ହରାଇଲା ଭଳି । ତେଣୁ ଜଗନ୍ନାଥ ସର୍ବଧର୍ମକୁ ଆଶ୍ଲେଷି ନେଇଛନ୍ତି, ସର୍ବଧର୍ମର ସମନ୍ୱିତ ରୂପ ପାଲଟି ଯାଇଛନ୍ତି ।

ଶ୍ରୀଜଗନ୍ନାଥ ପ୍ରାକ୍-ବୈଦିକ ଠାକୁର । ମହେଞ୍ଜୋ ଦାରୋ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ଖନନରୁ ଶ୍ରୀଜଗନ୍ନାଥଙ୍କ ସହ ସାଦୃଶ୍ୟ ଥିବା ମୂର୍ତ୍ତି ଦୁଇଟି ଆବିଷ୍କୃତ, ଯାହା ତାଙ୍କ ଉପାସନାକୁ ପ୍ରାକ୍-ବୈଦିକ କାଳକୁ ପ୍ରଲମ୍ବିତ କରେ । ବେଦରେ ମୂର୍ତ୍ତିପୂଜାର ବ୍ୟବସ୍ଥା ନାହିଁ । ମାତ୍ର ପ୍ରତୀକାତ୍ମକ ବା ସଙ୍କେତ-ପୂଜାର ଆଭାସ ରହିଛି । ଋଗବେଦର ସେହି ଅପୌରୁଷେୟ ଦାରୁର ସୂଚନା ଶ୍ରୀଜଗନ୍ନାଥଙ୍କର ସଙ୍କେତଧର୍ମୀ ଦାରବୀୟ ଉପାସନାକୁ ନିର୍ଦ୍ଦେଶକରେ । ପୁନଶ୍ଚ ବେଦୋତ୍ତର ଯୁଗରେ ଯଦି ତାଙ୍କ ମୂର୍ତ୍ତି ପରିକଳ୍ପନାର ଅୟମାରମ୍ଭ ହୋଇଥା’ନ୍ତା ତେବେ ସେ ଖଣ୍ଡିତ ବା ପ୍ରତୀକାତ୍ମକ ରୂପ ଧାରଣ ନକରି ରାମ, କୃଷ୍ଣ କିମ୍ବା ଶିବଙ୍କ ଭଳି ପୂର୍ଣ୍ଣାବୟବ ବିଶିଷ୍ଟ ମୂର୍ତ୍ତି ଧାରଣ କରିଥା’ନ୍ତେ । ତେଣୁ ଏଥିରୁ ସ୍ପଷ୍ଟ ହୁଏ ଯେ, ଶ୍ରୀଜଗନ୍ନାଥ ବୈଦିକ ଯୁଗ ପୂର୍ବର ଠାକୁର ।

ଏହି ମତକୁ ସୁଦୃଢ଼ କରେ ଶବରମାନଙ୍କର ଜଗନ୍ତ୍ ଉପାସନା । ସେମାନେ ଏକ ବୃକ୍ଷକୁ ଜଗନ୍ତ୍ କହି ପୂଜା କରୁଥିଲେ । ଶ୍ରୀଜଗନ୍ନାଥ ଦାରୁଦେବତା ହୋଇଥିବାରୁ ସେ ଯେ ଶବର

ଦେବତା ଜଗନ୍ତ୍ ଏହା ସ୍ଵତଃ ମନକୁ ଆସେ । ଜଗନ୍ନାଥ ଶବ୍ଦ ଜଗନ୍ତ୍ ଶବ୍ଦର କାଳାନୁକ୍ରମିକ ପରିବର୍ତ୍ତିତ ରୂପ । ଶ୍ରୀଜଗନ୍ନାଥଙ୍କୁ ଶାବର ଦେବତା ଭାବରେ ପ୍ରମାଣିତ କରିବାପାଇଁ ବହୁଳ ତଥ୍ୟ ଉପଲବ୍ଧ ହୁଏ ।

ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ; ଅର୍ଥାତ୍ ଦାରୁ ଓ ବ୍ରହ୍ମ ଉପାସନାର ଏକ ସମ୍ମିଳିତ ରୂପ । ଏହି କାରଣରୁ ଜଗନ୍ନାଥ ଦାରୁମୟ ଶକ୍ତିରେ ପ୍ରତିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତି ବୋଲି ମତ ପ୍ରକାଶ ପାଇଥାଏ । ସଚ୍ଚିଦାନନ୍ଦ ବ୍ରହ୍ମ ହିଁ ଦାରୁରୂପରେ ପ୍ରକାଶିତ ବୋଲି କେହି କେହି କହନ୍ତି । ଏହି ଦାରୁବିଗ୍ରହ ଦର୍ଶନ କଲେ ବ୍ରହ୍ମଦର୍ଶନ ହୁଏ ବୋଲି ବିଶ୍ଵାସ ରହିଛି । ସୁତରାଂ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ଦାରୁବିଗ୍ରହହିଁ ସୂକ୍ଷ୍ମତମ ଅଦୃଶ୍ୟ ବ୍ରହ୍ମର ସ୍ଥୁଳ ତଥା ଦୃଶ୍ୟମାନ ପରିପ୍ରକାଶ । ଦାରୁମୂର୍ତ୍ତିର ସ୍ଥାୟିତ୍ୱ ସୀମିତ । ଏହା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବଦଳିବାର ଶାସ୍ତ୍ରୋକ୍ତ ବିଧି ରହିଛି । ‘ଭୁବନପ୍ରକାଶ’ ଶିଳ୍ପଶାସ୍ତ୍ରରେ ଉଲ୍ଲେଖ ରହିଛି-

“ମୂର୍ତ୍ତିର୍ଚତୁର୍ବିଧା ପ୍ରୋକ୍ତା ଲେଖା ଦାରୁମୟୀସ୍ତଥା

 

ସୌମ୍ୟା ଧାତୁମୟୀ ପୁଣ୍ୟା ମଣିଶୈଳମୟୋତ୍ତମା”

ଅର୍ଥାତ୍ ଉପାସିତ ମୂର୍ତ୍ତି ଚତୁର୍ବିଧ । ଯଥା- ଲେଖା, ଦାରୁମୟୀ, ଧାତୁମୟୀ ଓ ମଣିମୟୀ-। ପୁନଶ୍ଚ ଏହି ଚତୁର୍ବିଧ ମୂର୍ତ୍ତିର ଆୟୁଷ୍କାଳ ନିର୍ଣ୍ଣିତ ହୋଇଛି ଏଥିରେ । କୁହାଯାଇଛି ଯେ, ଲେଖା ବା ଚିତ୍ରପ୍ରତିମା ପ୍ରତିବର୍ଷ, ଦାରବୀୟ ମୂର୍ତ୍ତି ୧୨ବର୍ଷ, ଧାତୁନିର୍ମିତ ମୂର୍ତ୍ତି ଏକ ସହସ୍ର ବର୍ଷ ଓ ମଣି ବା ସ୍ଵର୍ଣ୍ଣମୂର୍ତ୍ତି ଦଶ ସହସ୍ର ବର୍ଷରେ ଥରେ ପରିବର୍ତ୍ତିତ ହେବା ବିଧେୟ । ଏହି ଦୃଷ୍ଟିରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କର ଦାରୁନିର୍ମିତ ମୂର୍ତ୍ତି ୧୨ବର୍ଷରେ ଥରେ ନୂତନ ରୂପେ ନିର୍ମିତ ହେବା ବା ନବକଳେବର ଧାରଣ କରିବା ବିଧିସମ୍ମତ । ଏଥିପାଇଁ ଯେଉଁ ବ୍ୟବସ୍ଥା ପରମ୍ପରାନୁକ୍ରମେ ଚଳିଆସିଛି, ତାହାହିଁ ନବକଳେବର ମହୋତ୍ସବ ।

ଶ୍ରୀଜୀଉଙ୍କର ନବକଳେବର ମହୋତ୍ସବ ସାଧାରଣତଃ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ବା ଦୁଇଟି ଆଷାଢ଼ ପଡ଼ିଥାଏ, ସେହି ବର୍ଷ ଅନୁଷ୍ଠିତ ହୁଏ । ଅଧିକ ଆଷାଢ଼ଟିକୁ ମଳମାସ ବା ପୁରୁଷୋତ୍ତମ ମାସ କୁହାଯାଏ । ଆଷାଢ଼ ମାସର ରଥଯାତ୍ରା ବେଳେ ଠାକୁର ମାତ୍ର ପନ୍ଦରଦିନ ଅଣସରରେ ରହି ନେତ୍ରୋତ୍ସବ ଦିନ ଭକ୍ତକୁ ଦର୍ଶନ ଦିଅନ୍ତି । ନବକଳେବର-ବର୍ଷର ଅଣସରର ବ୍ୟାପ୍ତି ଦେଢ଼ମାସ । ଏହାକୁ ମହାଅଣସର କୁହାଯାଏ । ନୂତନ ଦାରୁମୂର୍ତ୍ତି ନିର୍ମାଣ ପାଇଁ ଅଧିକ ସମୟ ଆବଶ୍ୟକ ଥିବାରୁ ଯୋଡ଼ା-ଆଷାଢ଼ ପଡୁଥିବା ବର୍ଷକୁ ନବକଳେବର ବର୍ଷରୂପେ ଗ୍ରହଣ କରାଯାଏ । ଯୋଡ଼ା-ଆଷାଢ଼ ବାରବର୍ଷରେ ଥରେ ପଡ଼େ ବୋଲି କଥିତ ଥିଲେ ହେଁ ଏହା କ୍ୱଚିତ୍ ଆଠ, ଏଗାର ଏବଂ ବିଶେଷଭାବରେ ଉଣେଇଶ ବର୍ଷର ବ୍ୟବଧାନରେ ଥରେ ପଡ଼ିଥାଏ । ଚଳିତବର୍ଷ (୧୯୧୫)ରେ ଦୁଇଟି ଆଷାଢ଼ ମାସ ପଡ଼ୁଥିବାରୁ ନବକଳେବର-ଉତ୍ସବର ଆୟୋଜନ କରଯାଉଛି । ପୂର୍ବବର୍ତ୍ତୀ ନବକଳେବର ୧୯ବର୍ଷ ତଳେ ଅର୍ଥାତ୍ ୧୯୯୬ରେ ପାଳିତ ହୋଇଥିଲା-

ନବକଳେବର ପ୍ରକ୍ରିୟା ଆରମ୍ଭ ହୁଏ ଚୈତ୍ରମାସର ଶୁକ୍ଲପକ୍ଷ ଦଶମୀ ତିଥିରେ । ସେଦିନ ମଧ୍ୟାହ୍ନ ଧୂପ ଅବକାଶରେ ଶ୍ରୀଜୀଉଙ୍କର ଏକ ବିଶେଷ ପୂଜା ହୁଏ । ସ୍ଵତନ୍ତ୍ର ଭାବେ ଚାରିବାଡ଼ର ଆଜ୍ଞାମାଳ ବିଗ୍ରହମାନଙ୍କଠାରେ ଲାଗି ହୁଏ । ମଧ୍ୟାହ୍ନ ଧୂପ ସରିବାପରେ ପତିମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଅଙ୍ଗରେ ଲାଗିହୋଇଥିବା ଚାରିବାଡ଼ର ଆଜ୍ଞାମାଳ ଆଣି ଦାରୁ-ଅନ୍ୱେଷଣ ପାଇଁ ଆଜ୍ଞାପ୍ରାପ୍ତ ତିନିବାଡର ଦଇତାପତିଙ୍କୁ ତିନୋଟି ଦେଇ ନିଜେ ସୁଦର୍ଶନବାଡର ଆଜ୍ଞାମାଳ ନିଅନ୍ତି । ଅଣସର ପିଣ୍ଡିରେ ଭିତରଚ୍ଛ ମହାପାତ୍ର ଆଜ୍ଞାମାଳପ୍ରାପ୍ତ ଦଇତାପତିଙ୍କୁ ଓ ପତିମହାପାତ୍ରଙ୍କୁ ଗୋଟା ଶାଢ଼ିବାନ୍ଧନ୍ତି ଓ ଅନ୍ୟାନ୍ୟ ଦଇତାଙ୍କୁ ଚାରିହାତ ଲେଖାଏଁଶାଢ଼ିବାନ୍ଧନ୍ତି । ତାପରେ ଜୟବିଜୟ ଦ୍ୱାରଠାରେ ଦେଉଳକରଣ, ତଢ଼ାଉକରଣ ଓ ବେହେରା ଖୁଣ୍ଟିଆଙ୍କୁ ଗୋଟା ଶାଢ଼ି ବନ୍ଧାଯାଏ । ପଡ଼ିଆ କରଣ, ବିଶ୍ଵକର୍ମା, ଲେଙ୍କାମାନଙ୍କୁ ସୂତାଶାଢ଼ି ବନ୍ଧାଯାଏ । ଏମାନେ ସମସ୍ତେ ବାଦ୍ୟ ଓ ପଟୁଆରରେ ରାଜାଙ୍କ ଶ୍ରୀନଅରକୁ ଯାତ୍ରା କରନ୍ତି । ସେଠାରେ ରାଜଗୁରୁ ମହାଶୟ ଗଜପତି ମହାରାଜଙ୍କ ପକ୍ଷରୁ ଆଚାର୍ଯ୍ୟାଦିଙ୍କୁ ବନଯାଗ ଯାତ୍ରା ପାଇଁ ବରଣ କରନ୍ତି ଓ ମହାରାଜାଙ୍କ ହାତଛୁଆଁ ଗୁଆ ଦଇତାମୁଖ୍ୟ ବିଶ୍ଵାବସୁଙ୍କୁ ଟେକି ଦିଅନ୍ତି । ତାପରେ ବନଯାଗ ଦଳର ସମସ୍ତେ ମହାସମାରୋହରେ ଶ୍ରୀଜଗନ୍ନାଥବଲ୍ଲଭ ମଠକୁ ଯାଇ ରାତ୍ରିଯାପନ କରନ୍ତି । ତା’ପରଦିନ ଶୁଭବେଳା ଦେଖି ବିଧିବିଧାନମୁତାବକ ଦାରୁ-ଅନ୍ୱେଷଣ ପାଇଁ ଅନୁକୂଳ କରି କାକଟପୁର ଅଭିମୁଖେ ଯାତ୍ରା କରନ୍ତି ଓ ବାଟରେ ପ୍ରାଚୀନଦୀ ତଟସ୍ଥ ଦେଉଳିମଠରେ ଅବସ୍ଥାନ କରନ୍ତି ।

ଏଠାରେ ଦେଉଳିମଠ ବିଷୟରେ ସାମାନ୍ୟ ସୂଚନା ଦିଆଯାଇପାରେ । ଶୁଣାଯାଏ, ଦେଉଳିମଠ ହେଉଛି କାକଟପୁର ମହାମଙ୍ଗଳାଙ୍କର ଆଦିପୀଠ । ଏଠାରେ ମା’ ମଙ୍ଗଳା ପ୍ରଥମେ ବିରାଜମାନ ଥିଲେ । ଶ୍ରୀଜୀଉଙ୍କର ନବକଳେବର ପାଇଁ ଦାରୁ-ସନ୍ଧାନରେ ବନଯୋଗଯାତ୍ରୀ ଦଳ ଏଠାରେ ପହଞ୍ଚୁଥିଲେ । କିନ୍ତୁ ଏକଦା ପ୍ରାଚୀ ନଦୀରେ ପ୍ରବଳ ବନ୍ୟା ଆସି ମା’ଙ୍କ ପୀଠକୁ ଜଳମଗ୍ନ କଲା । ପୀଠ ନିଶ୍ଚିହ୍ନ ହୋଇଗଲା । ସେହି ସମୟରେ ଯୋଡ଼ା-ଆଷାଢ଼ ପଡିବାରୁ ନବକଳେବର ମହୋତ୍ସବର ଆଦ୍ୟପର୍ବ ଆରମ୍ଭ ହେଲା । ଶ୍ରୀକ୍ଷେତ୍ରରୁ ଦାରୁ-ଅନ୍ୱେଷଣକାରୀ ବନଯୋଗଦଳ ସେଠାରେ ଆସି ମା’ଙ୍କ ପୀଠ ଓ ମା’ ମଙ୍ଗଳାଙ୍କୁ ଦେଖିବାକୁ ପାଇଲେ ନାହିଁ । ଏ ସମ୍ବାଦ ଗଜପତି ମହାରାଜାଙ୍କ କାନକୁ ଗଲା । ରାଜାଙ୍କ ସମସ୍ତ ଚେଷ୍ଟାସତ୍ତ୍ୱେ ଦେବୀଙ୍କୁ ଖୋଜିପାଇବା ସମ୍ଭବ ହେଲା ନାହିଁ । ଜଳସ୍ରୋତରେ ଦେବୀ ଉତ୍ତର ଦିଗରେ କିଛିବାଟ ଭାସିଯାଇଥିଲେ । ଶେଷରେ ତାଙ୍କ ସନ୍ଧାନ ପାଇବାର ସମସ୍ତ ଚେଷ୍ଟା ବିଫଳ ହେବାରୁ ମା’ମଙ୍ଗଳା ନିଜେ ଆବିର୍ଭୂତା ହୋଇ ନିଜର ସ୍ଥିତି ପ୍ରକଟ କଲେ । ସେହିଠାରେ ମା’ଙ୍କର ନୂତନ ମନ୍ଦିର ନିର୍ମିତ ହେଲା । ସେହି ସ୍ଥାନର ନାମ କାକଟପୁର । ଦେଉଳିମଠ ଏହିପରି ମା’ମଙ୍ଗଳାଙ୍କ ପୀଠ ସହିତ ସଂପର୍କିତ । ଏବେ ସେହି ମଠରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଛନ୍ତି । ପୂର୍ବପରମ୍ପରା ଅନୁସାରେ ଏବେ ବି ମା’ଙ୍କ ମୂଳପୀଠ ଭାବରେ ମାନ୍ୟତା ଦେଇ ଏହି ମଠରେ ନବକଳେବର ଅବସରରେ ବନଯାଗଯାତ୍ରୀଦଳ ଏହା ପୁରୀ ଏମାର ମଠର କର୍ତ୍ତୃତ୍ତ୍ୱକୁ ଆସିଥିଲା ।

ଜଗଜ୍ଜନନୀ ମା’ମଙ୍ଗଳାଙ୍କ ପୂର୍ବବିଜେସ୍ଥଳୀ (ଦେଉଳିମଠ ଏବେ ଯେଉଁଠି ଅଛି) ଯେଉଁଠାରେ ଥିଲା, ତାହାର ନାମ ତାଙ୍କ ନାମାନୁସାରେ ଥିଲା ମଙ୍ଗଳପୁର । କିନ୍ତୁ ପରେ ଜଳମଗ୍ନା ଦେବୀଙ୍କୁ ଉଦ୍ଧାର କରାଯାଇ ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ କରାଯାଇ ପୀଠସୀନା କରାଗଲା ତାହାର ନାମ କାକଟପୁର । ସେହି ସ୍ଥାନରେ ପୂର୍ବରୁ ଗ୍ରାମଦେବତୀ କାକଟେଇ ପୂଜା ପାଉଥିବାରୁ ଏହାର ଏପରି ନାମକରଣ । ଏବେ ବି ମଙ୍ଗଳାଙ୍କ ମନ୍ଦିରବେଢ଼ାରେ ମା’ କାକଟେଇ ପୂଜା ପାଉଛନ୍ତି-। ସ୍ଥାପତ୍ୟଶୈଳୀ ଦୃଷ୍ଟିରୁ ମା’ମଙ୍ଗଳାଙ୍କ ମନ୍ଦିର ୧୬ଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ ବୋଲି ଅନୁମିତ ହୁଏ । ଏହି ମନ୍ଦିରରେ ବିରାଜମାନା ମା’ମଙ୍ଗଳାଙ୍କ ମୂର୍ତ୍ତି ୬ ଫୁଟ ଉଚ୍ଚତା ଓ ୪.୫ ଫିତ ପ୍ରସ୍ଥବିଶିଷ୍ଟ ଏକ ଚତୁଷ୍କୋଣଯୁକ୍ତ କଳାମୁଗୁନି ପ୍ରସ୍ତରଖଣ୍ଡରେ ଖୋଦିତ । ଏକ ବିଶ୍ଵପଦ୍ମ ପିଢ଼ିରେ ବାମଜାନୁପାତି ଓ ଦକ୍ଷିଣପାଦକୁ ନିମ୍ନକୁ ପ୍ରଲମ୍ବିତ କରି ଲଳିତାସନରେ ଉପବିଷ୍ଟା ଦେବୀଙ୍କର ମନୋରମ କେଶବିନ୍ୟାସଯୁକ୍ତ ମସ୍ତକରେ ଏକଫୁଟ ଉଚ୍ଚର ଏକ କିରୀଟ ଶୋଭା ପାଉଛି । ପ୍ରସନ୍ନ ମୁଖମଣ୍ଡଳ, ଅର୍ଦ୍ଧନିମିଳିତ ଚକ୍ଷୁ, ସୌମ୍ୟ ସୁଗଠିତ ବାହୁ, ବକ୍ଷଦେଶ ଓ ଉଦର ଏବଂ କୁଣ୍ଡଳଭୁଷିତ କର୍ଣ୍ଣ ତାଙ୍କୁ ସୌନ୍ଦର୍ଯ୍ୟମୟୀ କରେ । ଦେବୀ ଚତୁର୍ଭୁଜା । ସେ ଦକ୍ଷିଣ ଉପରି ହସ୍ତରେ ପୂର୍ଣ୍ଣଚନ୍ଦ୍ର (?), ନିମ୍ନ ହସ୍ତରେ ସତେଇଶ ନକ୍ଷତ୍ରର ମାଳା ଏବଂ ବାମ ଉପର ହସ୍ତରେ ପଦ୍ମକଳିକା ଧାରଣ କରିଥିବାବେଳେ ବାମ ନିମ୍ନହସ୍ତରେ ଜପମୁଦ୍ରା ପ୍ରଦର୍ଶନ କରନ୍ତି । ଏହି କମନୀୟା ଦେବୀମୂର୍ତ୍ତିରେ ଶିଳ୍ପୀର ଅପୂର୍ବ କଳାକୁଶଳତା ଫୁଟି ଉଠେ ।

ଶୁଣାଯାଏ, ଏହି ଦେବୀପ୍ରତିମା ସିଂହଳରୁ ଆନୀତ । ପଦ୍ମ ଉପରେ ଲଳିତାସନରେ ଆସୀନା ଓ ପଦ୍ମକୋରକଧାରିଣୀ ଏହି ଦେବୀ ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ବୌଦ୍ଧଦେବୀ ତାରାଙ୍କ ସହ ସାଦୃଶ୍ୟ ରକ୍ଷା କରନ୍ତି । ପ୍ରାଚୀ ଉପତ୍ୟକା ବୌଦ୍ଧ-ଦେବଦେବୀ ବିଗ୍ରହର ଗନ୍ତାଘର । ତେଣୁ ମା’ଙ୍କର ବୌଦ୍ଧମୂଳତ୍ୱ ମଧ୍ୟ ବିଶ୍ୱାସଯୋଗ୍ୟ । ସେ ଯାହାହେଉ, ହିନ୍ଦୁମାନଙ୍କର ପରମ ଆରୋଧ୍ୟା ମା’ମଙ୍ଗଳା ପରମବୈଷ୍ଣବୀ ଓ ତାଙ୍କ ଧ୍ୟାନମନ୍ତ୍ର ହେଉଛି-

“ଭକ୍ତାନାମଭୟପ୍ରଦାଂ ଜପବତୀଂ ପଦ୍ମାସନାଧିଷ୍ଠତାଂ

 

ସଂଖ୍ୟାଦାମଶଶାଙ୍କପଦ୍ମକଳିକାଂ ହସ୍ତୈ ଦଧାନାଂ ଶୁଭାଂ

 

ଗୌରୀଦେହ ସମୁଦଭବାଞ୍ଚ ବିଳସିତ୍ ଶୀତାଂଶୁତୁଲ୍ୟପ୍ରଭାଂ

 

ପ୍ରାଚୀତୀରନିବାସିନାଂ ଭଗବତୀଂ ବନ୍ଦେ ମହାମଙ୍ଗଳାମ୍

ସ୍ଫୁରତ୍ ପ୍ରଭାମଣ୍ଡଳ ମଣ୍ଡନଂ ଯା

 

ହୀନପ୍ରଭାଂ ଯତ୍ସ୍ଵରୁଚା ହସନ୍ତୀଂ

 

ତ୍ରିଲୋକସୌନ୍ଦର୍ଯ୍ୟନିଧାନଭୂତା

 

ସା ମଙ୍ଗଳା ସ୍ତୋନୋତୁ

 

ସର୍ବମଙ୍ଗଳମାଙ୍ଗଲ୍ୟେ ଶିବେ ସର୍ବାର୍ଥସାଧିକେ

 

ଶରଣ୍ୟେ ତ୍ର୍ୟମ୍ବକେ ଗୌରି ନାରାୟଣି ନମୋଽସ୍ତୁତେ”

ଅନ୍ୟ ପ୍ରକାରେ-

“ପ୍ରାଚୀପୂର୍ବତଟେ ପୟୋଧିନିକଟେ ପାଥୋଜପୁଷ୍ପେ ସ୍ଥିତାମ୍

 

ଅମ୍ବାଂ ପୂର୍ଣ୍ଣ ଶଶାଙ୍କ-ପଦ୍ମକଳିକା-ନକ୍ଷତ୍ରମାଳାଧରାମ୍

 

ଭାସ୍ଵଦବାହୁଚତୁଷ୍ଟୟେନ ସହିତାଂ ନାନାବିଭୂଶୋଜ୍ଜ୍ୱଳାମ୍

 

ଶାନ୍ତାଂ ସର୍ବବାରପ୍ରଦାଞ୍ଚ କୁଶଳାଂ ଧ୍ୟାୟେତ୍ ସଦା ମଙ୍ଗଳାମ୍”

ଶ୍ରୀଜଗନ୍ନାଥଙ୍କର କେତେକ ନୀତି ଓ ପର୍ବପର୍ବାଣିର ଅନୁରୂପ ଅନେକ ନୀତି ଓ ପର୍ବପର୍ବାଣି ଏଠାରେ ପାଳିତ ହୁଏ । ଶ୍ରୀଜୀଉଙ୍କର ନବକଳେବର ଅବସରରେ ଦାରୁନିର୍ଣ୍ଣୟ କାର୍ଯ୍ୟରେ ପରମ୍ପରାକ୍ରମେ ମା’ମଙ୍ଗଳାଙ୍କର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏଠାକୁ ଗମନାଗମନର ସୁବିଧା ଥିବାରୁ ବର୍ଷସାରା ଏହି ପବିତ୍ର ପୀଠରେ ଯାତ୍ରୀମାନଙ୍କର ଭିଡ଼ ଲାଗିରହିଥାଏ ।

ବନଯାଗଯାତ୍ରୀଦଳ ଦେଉଳିମଠରେ ପହଞ୍ଚିବାପରେ ଦେଉଳକରଣ ପରମ୍ପରାନୁସାରେ ମା’ମଙ୍ଗଳା ମନ୍ଦିରର ଟ୍ରଷ୍ଟିଙ୍କ ନିକଟକୁ ଚିଟାଉ ଲେଖି ପଠାନ୍ତି । ଏହା ନବକଳେବର ପରମ୍ପରାରେ ଦେଉଳକରଣଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ । ଯେଉଁଦିନ ଚିଟାଉ ପଠାଯାଏ ତା’ପରଦିନ ସାଧାରଣତଃ ମା’ମଙ୍ଗଳାଙ୍କର ସ୍ଵତନ୍ତ୍ର ମାଜଣା କରାଯାଏ । ଚିଟାଉ ପାଇବାପରେ ମା’ମଙ୍ଗଳାଙ୍କ ମନ୍ଦିରର ପରିଚାଳକ, ପୂଜକ ଓ ସେବାୟତମାନେ ମାଙ୍ଗଳିକ ବାଦ୍ୟ, ଘଣ୍ଟା, ମର୍ଦ୍ଦଳ, ଛତ୍ର ଇତ୍ୟାଦି ସହିତ ଏକ ପଟୁଆରରେ ଦେଉଳିମଠରେ ପହଞ୍ଚନ୍ତି । ସେମାନେ ବନଯାଗଯାତ୍ରୀଦଳକୁ ମା’ମଙ୍ଗଳାଙ୍କ ମନ୍ଦିରକୁ ସାଦର ଆମନ୍ତ୍ରଣ ଜଣାନ୍ତି । ମା’ମଙ୍ଗଳାଙ୍କ ସ୍ଵତନ୍ତ୍ର ମାଜଣା ପାଇଁ ଶ୍ରୀମନ୍ଦିରରୁ ଆସିଥିବା ମାଳ, ମହାପ୍ରସାଦ, ଚଢ଼େଇନଦା ତାଡ଼, ସୁଆରପିଠା ସମେତ ଚାରିଟି ଶାଢ଼ି ଓ ଗୁଆ,ନଡ଼ିଆ, ଚୁଆ, ଚନ୍ଦନ, ଅଗୁରୁ, ହଳଦୀ, ସିନ୍ଦୁର, ଶଙ୍ଖା ପ୍ରଭୃତି ଦ୍ରବ୍ୟ ମା’ଙ୍କ ମନ୍ଦିରକୁ ଏକ ସୁସଜ୍ଜିତ ଶଗଡ଼ରେ ନିଆଯାଏ । ବନଯାତ୍ରୀଦଳକୁ ବିରାଟ ଶୋଭାଯାତ୍ରାରେ ପାଛୋଟି ନିଅନ୍ତି ମା’ଙ୍କ ପୀଠରୁ ଆସିଥିବା ଅଭ୍ୟର୍ଥନା କାରୀ ଦଳ । ଦେଢ଼କିଲୋମିଟର ପଥ ଅତିକ୍ରମି ସେମାନେ ମା’ମଙ୍ଗଳାଙ୍କ ମନ୍ଦିରରେ ପହଞ୍ଚନ୍ତି ।

ମା’ମଙ୍ଗଳାଙ୍କ ମନ୍ଦିରରେ ଲେଙ୍କା ସେବକଙ୍କ ହସ୍ତରୁ ରୌପ୍ୟନିର୍ମିତ ଶ୍ରୀସୁଦର୍ଶନଙ୍କୁ ନେଇ ମା’ଙ୍କ ବାମପାର୍ଶ୍ଵରେ ବିଜେ କରାଯାଏ । ଶ୍ରୀମନ୍ଦିରରୁ ଯାଇଥିବା ପତିତପାବନବାନାର ପ୍ରତୀକ ନାଲିବାନା ମା’ଙ୍କ ମନ୍ଦିର ଚୂଡ଼ାରେ ବନ୍ଧାଯାଏ । ସେହିଦିନ ମନ୍ଦିରର ଚୂଡ଼ାରେ ଦୁଇଟି ବାନା ଉଦୁଥିବା ଦେଖାଯାଏ । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିନିଧି ସୁଦର୍ଶନ ମନ୍ଦିରର ସିଂହାସନ ଉପରେ ବିରାଜମାନ ଥିବାବେଳେ ତାଙ୍କର ପ୍ରତୀକ ପତିତପାବନବାନା ମନ୍ଦିରର ଶିଖରରେ ଉଡୁଥାଏ । ଏହାଦ୍ୱାରା ଜଗତର ମଙ୍ଗଳମୟ ଓ ମଙ୍ଗଳମୟୀ ଚେତନା ଏକାକାର ହୋଇଯାଏ । ମା’ଙ୍କ ପୀଠ ଶ୍ରୀକ୍ଷେତ୍ର ବା ବୈକୁଣ୍ଠ ପାଲଟିଯାଏ । ଏହା ଏକ ବିରଳ ଅବସର, ଯାହା ପ୍ରଭୁଙ୍କର ନବକଳେବର ଉତ୍ସବକାଳୀନ ସ୍ଵତନ୍ତ୍ର ମାଜଣା ଉପଲକ୍ଷେ ସମ୍ଭବ ହୋଇଥାଏ । ବନଯୋଗ ଦଳରେ ସାମିଲ ହୋଇଥିବା ଦଇତାପତି, ପତିମହାପାତ୍ର, ଆଚାର୍ଯ୍ୟ, ବ୍ରାହ୍ମଣ, ତଢ଼ାଉକରଣ, ଦେଉଳକରଣ, ମା’ଙ୍କ ମନ୍ଦିରର ଜଗମୋହନରେ ବସି ଭଜନକୀର୍ତ୍ତନ କରନ୍ତି । ଶ୍ରୋତ୍ରୀୟ ଆଚାର୍ଯ୍ୟଗଣ ଦୁର୍ଗାସପ୍ତଶତୀ ଚଣ୍ଡୀପାଠ କରନ୍ତି । ଏହି ସମୟରେ ମା’ଙ୍କର ସ୍ଵତନ୍ତ୍ର ମାଜଣା କାର୍ଯ୍ୟ ଆରମ୍ଭ ହୁଏ ଏବଂ କୌଣସି ଦର୍ଶନାର୍ଥୀ ଓ ବନଯୋଗ ସହିତ ସଂପୃକ୍ତ ନଥିବା ବ୍ୟକ୍ତିକୁ ମନ୍ଦିର ମଧ୍ୟରେ ପ୍ରବେଶ କରିବା ନିମନ୍ତେ ଅନୁମତି ମିଳେନାହିଁ । କାରଣ ଏହି ସ୍ଵତନ୍ତ୍ର ମାଜଣା ସଂପାଦନା ଏକ ଗୁପ୍ତନୀତି । ଏଥିରେ ମା’ଙ୍କୁ ସଂପୁର୍ଣ୍ଣ ନିରାଭରଣା କରାଯାଏ । ଚୁଆ, ଚନ୍ଦନ, ଅଗୁରୁ, ଓ ଅନ୍ୟାନ୍ୟ ସୁବାସିତ ଦ୍ରବ୍ୟମିଶ୍ରିତ ୧୦୮ଗଡୁ ଜଳରେ ମା’ଙ୍କର ଦିବ୍ୟସ୍ନାନ ବା ମହାସ୍ନାନ କରାଯାଏ । ତାପରେ ମାଜଣା ସାମଗ୍ରୀ ମଧ୍ୟରେ ଆସିଥିବା ଚାରିଖଣ୍ଡ ଶାଢ଼ିରେ ମା’ଙ୍କୁ ଆବୃତ କରାଯାଏ । ଏହି ଚାରିଖଣ୍ଡି ଶାଢ଼ି ମଧ୍ୟରେ ଥାଏ ଖଣ୍ଡିଏ ପତନି, ଖଣ୍ଡିଏ ବୋଇରାଣୀ ପାଟ, ଖଣ୍ଡିଏ କଳା ସିଲକ୍ ଶାଢ଼ି ଓ ଖଣ୍ଡୁଆଟି ତାଙ୍କ ମସ୍ତକରେ ଲାଗି କରାଯାଏ । ମା’ଙ୍କର ଏହି ମହାମାଜଣା ନୀତି ସାଧାରଣତଃ ଚୈତ୍ରଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ସକାଳ ଧୂପପରେ ଆୟୋଜିତ ହୋଇଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଏହି ତିଥି (ତା ୩.୪.୨୦୧୫ରିଖ)ରେ ମା’ଙ୍କର ସ୍ଵତନ୍ତ୍ର ମାଜଣା ବା ମହାମାଜଣା କରାଯାଇଥିଲା । ଏ ବିଷୟରେ ସୂଚନା ଦେଇ ମଙ୍ଗଳା ମନ୍ଦିରର ପୂଜକ ଶ୍ରୀଯୁକ୍ତ ଗଙ୍ଗାଧର ପଣ୍ଡା ଦୈନିକ ‘ସମ୍ବାଦ’କୁ ଯାହା କହିଥିଲେ, ତାହାର ସାରାଂଶ ହେଉଛି – ସେଦିନ ମା’ଙ୍କର ଏକ ବିଶେଷ ନୀତି ଥିଲା; ତାହା ହେଉଛି ମା’ଙ୍କର ମହାସ୍ନାନ । ୧୦୮ଗଡୁ ପାଣି ଅଣାଯାଇ ଏକ ବାଦ ପିତଳକୁଣ୍ଡ ରଖାଗଲା । ଏଥିରେ ଚୁଆ, ଚନ୍ଦନ, ଅଗୁରୁ, ପଇଡ଼ପାଣି, କ୍ଷୀର, ଲହୁଣୀ, ନବାତ ଆଦିକୁ ମିଶାଗଲା । ଅନ୍ୟ ଏକ ପାତ୍ରରେ ହଳଦୀ, ଚୁଆ, ଆଦିକୁ ଭଲଭାବରେ ମିଶାଯାଇ ମା’ଙ୍କର ସର୍ବାଙ୍ଗରେ ଲେପନ କରାଗଲା । ପୂର୍ବରୁ ପ୍ରସ୍ତୁତ ସୁବାସିତ ୧୦୮ଗଡ଼ୁ ପାଣିରେ ମା’ଙ୍କର ମହାସ୍ନାନ ସଂପାଦିତ ହେଲା । ତାପରେ ତାଙ୍କ ଶ୍ରୀଅଙ୍ଗକୁ ନବବସ୍ତ୍ରରେ ଭଲଭାବରେ ପୋଛାଯାଇ ଶ୍ରୀମନ୍ଦିରରୁ ଅଣାଯାଇଥିବା ନବବସ୍ତ୍ର ଓ ଅନ୍ୟାନ୍ୟ ଆଭୂଷଣରେ ମଣ୍ଡିତ କରାଗଲା । ମା’ ଚିତା, ନାକଫୁଲ, କୁଣ୍ଡଳ, ଅଣ୍ଟାସୂତା, ହାର, ଆଦି ପରିଧାନ କଲେ । ତାଙ୍କ ମୁଖରେ ଓ ସେ ଦକ୍ଷିଣ ହସ୍ତରେ ଧାରଣ କରିଥିବାର ପୂର୍ଣ୍ଣଚନ୍ଦ୍ରରେ ଘୋରା ଚନ୍ଦନ ଲେପନ କରାଗଲା । ସିନ୍ଦୁର, କର୍ପୂର, ଅଗୁରୁ, କସ୍ତୁରୀ ଆଦି ମା’ଙ୍କୁ ଲାଗି କରାଗଲା । ମା’ଦିବ୍ୟ ଉଜ୍ଜ୍ୱଳ ରୂପରେ ଦର୍ଶନ ଦେଇ ଭକ୍ତମାନଙ୍କୁ ଧନ୍ୟ କଲେ । (ତା ୪.୪.୨୦୧୫ରିଖର ଦୈନିକ ‘ସମ୍ବାଦ’ରୁ ଗୃହୀତ)

ଶ୍ରୀଜୀଉଙ୍କର ନବକଳେବର ନିମନ୍ତେ ଦାରୁ ଅନ୍ୱେଷଣ କାର୍ଯ୍ୟର ଆଦିପର୍ବରେ ଏହିପରି ମା’ଙ୍କର ସ୍ଵତନ୍ତ୍ର ମାଜଣା ବିଧିମୁତାବକ କରାଯାଇଥାଏ ।

ମା’ଙ୍କ ମାଜଣା ନୀତି ସରିବାପରେ ଜଗମୋହନରେ ବସି ଭଜନକୀର୍ତ୍ତନ କରୁଥିବା ବନଯାଗଯାତ୍ରୀ ମା’ଙ୍କ ଦିବ୍ୟ ମନୋହାରୀ ରୂପ ଦର୍ଶନ କରି ସ୍ତୋତ୍ର ପାଠ କରନ୍ତି, ତାଙ୍କ କରୁଣା କାମନା କରନ୍ତି ଏବଂ ଶ୍ରୀମନ୍ଦିରରୁ ଆନୀତ ମହାପ୍ରସାଦ ମା’ଙ୍କୁ ଅର୍ପଣପୂର୍ବକ ଭକ୍ତମାନଙ୍କୁ ବଣ୍ଟନ କରନ୍ତି । ବନଯାଗଦଳର ଆଚାର୍ଯ୍ୟ, ବ୍ରାହ୍ମଣ ଓ ପତିମହାପାତ୍ର ମା’ଙ୍କର ମନ୍ଦିରର ଜଗମୋହନରେ ଶୟନ କରନ୍ତି ।ଦଳର ଅନ୍ୟାନ୍ୟ ସେବକ ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ପ୍ରଣିପାତ କରି ଦେଉଳିମଠକୁ ବିଶ୍ରାମ କରିବାକୁ ଫେରିଯାଆନ୍ତି । ମନ୍ଦିରରେ ଥିବା ଶ୍ରୋତ୍ରିୟ ବ୍ରାହ୍ମଣମାନେ ପ୍ରତ୍ୟହ ମଙ୍ଗଳାଙ୍କ ଜଗମୋହନରେ ଶ୍ରୀଦୁର୍ଗାସପ୍ତଶତୀ ଚଣ୍ଡୀପାଠ କରନ୍ତି, ମା’ଙ୍କ ସନ୍ତୋଷ ବିଧାନଦ୍ୱାରା ଦାରୁବୃକ୍ଷର ସନ୍ଧାନ ପାଇବା ନିମନ୍ତେ । ଦାରୁବୃକ୍ଷର ସନ୍ଧାନ ମିଳିବାପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁରହିଥାଏ ।

ମା’ମଙ୍ଗଳା ସ୍ଵପ୍ନଛଳରେ ଚାରିଦାରୁବୃକ୍ଷର ସନ୍ଧାନ ବିଶ୍ୱାବସୁ କିମ୍ବା ବାଡ଼ଗ୍ରାହୀ ଦଇତା କିମ୍ବା ଦଳପତି ଦଇତାଙ୍କୁ ସୂଚିତ କରନ୍ତି । ସେଥିପାଇଁ ସେମାନେ ଶୟନ ପୂର୍ବରୁ ୧୦୮ ଥର ସ୍ଵପ୍ନାବତୀ ମନ୍ତ୍ର ବା ସ୍ଵପ୍ନ-ମାଣବକ ମନ୍ତ୍ର ଜପ କରିଥାନ୍ତି । ଉକ୍ତ ମନ୍ତ୍ରଟି ଏହିପରି-

ଓଁ ନମଃ ସକଳଲୋକାୟ ବିଷ୍ଣବେ ପ୍ରଭବିଷ୍ଣବେ

 

ବିଶ୍ଵାୟ ବିଶ୍ଵରୂପାୟ ସ୍ଵପ୍ନାଧିପତୟେ ନମଃ

ଆଚକ୍ଷ୍ୱା ଦେବଦେବେଶ ପ୍ରପନ୍ନୋଽସ୍ମି ତଦାନ୍ତିକମ୍

 

ସ୍ଵପ୍ନେ କାର୍ଯ୍ୟାଣି ସର୍ବାଣି ହୃଦିଷ୍ଠାନୀହ ଯାନି ମେ

 

ଓଁ ଓଁ ହୂଂ ଫଟ୍ ବିଷ୍ଣବେ ସ୍ଵହା”

ଅର୍ଥାତ୍-ହେ ସକଳଲୋକର ଅଧିପତି ବିଷ୍ଣୁ, ହେ ବିଶ୍ଵାଧର ବିଶ୍ଵରୂପ, ହେ ସ୍ଵପ୍ନାଧିପତି, ମୁଁ ତୁମକୁ ପ୍ରଣାମ କରୁଛି । ହେ ଦେବବେଶ, ମୁଁ ତୁମର ଶରଣାଗତ ହେଉଛି; ମୋ ଅନ୍ତରରେ ଯେଉଁ ଅଭିଳାଷ ରହିଛି, ତାହା ମୋତେ ସ୍ଵପ୍ନରେ ପ୍ରାପ୍ତ କରାଅ ।

ଏହି ମନ୍ତ୍ରଟି ଅତି ପୁରାତନ । ଏହି ମନ୍ତ୍ର ‘ପଞ୍ଚରତ୍ନ ସଂହିତା’ରେ ମଧ୍ୟ ସ୍ଥାନ ପାଇଛି । ‘ବିଶ୍ଵକ୍ସେନ୍ ସଂହିତା’ରେ ଦାରୁସଂଗ୍ରହ ଅଧ୍ୟାରେ ଏହି ମନ୍ତ୍ର ମଧ୍ୟ ପରିଦୃଷ୍ଟ ହୁଏ । ଏହି ମନ୍ତ୍ରର ବିକଳ୍ପ ମନ୍ତ୍ର ହେଉଛି ନୃସିଂହଙ୍କ ମନ୍ତ୍ରରାଜ । ଏହି ମନ୍ତ୍ରଟି ନିମ୍ନରେ ଉଦ୍ଧାର କରାଯାଉଛି-

“ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ବଳନ୍ତଂ ସର୍ବତୋମୁଖମ୍

 

ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋର୍ମୃତ୍ୟୁଂ ନମାମ୍ୟହମ୍”

କେହି କେହି ବ୍ରାହ୍ମଣ ଅଭୀଷ୍ଟ ସିଦ୍ଧିପାଇଁ ଏହି ମନ୍ତ୍ରଟି ମଧ୍ୟ ୧୦୮ଥର ପାଠକାରୀ ନିଦ୍ରା ଯାଆନ୍ତି ।

ଏହିପରି ମନ୍ତ୍ରପାଠ ପ୍ରକ୍ରିୟା ଚାଲିଥିବାବେଳେ ଦଇତାମାନେ ଦଳ ଦଳ ହୋଇ ଦାରୁବୃକ୍ଷ ସନ୍ଧାନରେ ପ୍ରତ୍ୟହ ବିଭିନ୍ନ ଦିଗକୁ ଯାତ୍ରାକରି ଦାରୁବୃକ୍ଷ ବିଷୟକ ଖବରମାନ ସଂଗ୍ରହ କରନ୍ତି ଓ ସନ୍ଧ୍ୟାବେଳକୁ ଦେଉଳିମଠକୁ ଫେରିଆସନ୍ତି ।

ସ୍ଵପ୍ନଛଳରେ ମା’ମଙ୍ଗଳାଙ୍କଠାରୁ ଦାରୁବୃକ୍ଷ ସୂଚନା ମିଳିବାପରେ ସେହିପ୍ରକାରେ ପତିମହାପାତ୍ର, ମୁଖ୍ୟ ଦଇତା ବିଶ୍ଵାବସୁ ତଥା ବାଡ଼ଗ୍ରାହୀ ଦଇତା ଓ ବିଶ୍ଵକର୍ମା ନିର୍ଦ୍ଦିଷ୍ଟ ନିମ୍ବବୃକ୍ଷ ନିକଟକୁ ଯାଇ ସେଥିରେ ଶାସ୍ତ୍ରୋକ୍ତ ଗୁପ୍ତ ଲକ୍ଷଣଗୁଡ଼ିକୁ ପରୀକ୍ଷା କରନ୍ତି । ଯେଉଁଟି ଉପଯୁକ୍ତ ବିବେଚିତ ହୁଏ ସେଇଟିକୁ ଦାରୁବୃକ୍ଷରୂପେ ଗ୍ରହଣ କରାଯାଏ ।

ବିଧିବିଧାନପୂର୍ବକ ଦାରୁଚୟନପରେ ଯଜ୍ଞଶାଳା ନିର୍ମାଣ କରାଯାଏ । ତା’ପରେ କରାଯାଏ ଅଙ୍କୁରାରୋପଣ । ସେଦିନ ହବିଷାନ୍ନ ଭକ୍ଷଣ କରି ସଂପୃକ୍ତ ସେବାୟତ ଗଣ ସେଠାରେ ବିଶ୍ରାମ ନିଅନ୍ତି । ଉପଯୁକ୍ତ ଦାରୁ ଚିହ୍ନିତ ହୋଇଛି କି ନାହିଁ ତାହା ସ୍ଵପ୍ନରେ ସଙ୍କେତ ଦେବାକୁ ଦଇତାପତିମାନେ ମା’ଙ୍କ ଉଦ୍ଦେଶ୍ୟରେ ୧୦୮ଥର ସ୍ଵପ୍ନାବତୀ ମନ୍ତ୍ର ଜପ କରନ୍ତି ଏବଂ ଏହାପରେ ଦୁର୍ଗାମାଧବଙ୍କୁ ମଧ୍ୟ ପ୍ରାର୍ଥନା କରନ୍ତି । ସ୍ଵପ୍ନରେ ଶୁଭସଙ୍କେତ ମିଳିଲେ ସେବାୟତମାନେ ଦାରୁଚ୍ଛେଦନ କାର୍ଯ୍ୟରେ ଆଗେଇଯାଆନ୍ତି । ଏ କ୍ଷେତ୍ରରେ ଦୁର୍ଗାମାଧବଙ୍କ ସହିତ ମା’ ମଙ୍ଗଳାଙ୍କର ମଧ୍ୟ ଭୂମିକା ରହେ ଦାରୁଚୟନରେ ଭୁଲ୍ ଠିକ୍ ସୂଚାଇଦେବାରେ ।

ପୂର୍ବୋକ୍ତ ସ୍ଵପ୍ଣାବତୀ ମନ୍ତ୍ରର ଅର୍ଥରୁ ଏହା ସ୍ଵତଃ ମନକୁ ଆସେ ଯେ ଭଗବାନ ବିଷ୍ଣୁଙ୍କ ପାଇଁ ଉଦ୍ଦିଷ୍ଟ ଏ ମନ୍ତ୍ରର ନାମ ‘ସ୍ଵପ୍ନାବତୀ ମନ୍ତ୍ର’ କାହିଁକି ? ଏବଂ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାକୁ ମା’ ମଙ୍ଗଳାଙ୍କୁ ମାଧ୍ୟମ କରାଯାଏ କାହିଁକି ?

ପ୍ରଥମ ସଂଶୟଟିର ସମାଧାନ କରି ରବୀନ୍ଦ୍ରନାରାୟଣ ମିଶ୍ର କହନ୍ତି- “ଦୁର୍ଗା ସହସ୍ରନାମ ସ୍ତୋତ୍ରରେ ମା’ଙ୍କର ଗୋଟିଏ ନାମ ଉଲ୍ଲେଖ ଅଛି-‘ସ୍ଵପ୍ନବତୀ’ ।

“ସ୍ଵପ୍ନବତୀ ସ୍ଵପ୍ନଭୋଗ ଧ୍ୱଂସିତାଖିଳଦାନଵା

 

ଆକର୍ଷଣ କ୍ରିୟାଲୋକା ଚାଶ୍ରିତାଭୀଷ୍ଟଦାୟିନୀ”

“ମା’ଙ୍କର ଏହି ସ୍ଵପ୍ନବତୀ ନାମ ଦାରୁ ନିରୁପଣରେ ତାଙ୍କର ଭୂମିକାକୁ ସ୍ପଷ୍ଟ କରିଦିଏ । ‘ସ୍ଵପ୍ନବତୀ’ ନାମର ଅର୍ଥ ମାୟାବତୀ ବୋଲି କେତେକ ମତ ପ୍ରକାଶ କରିଥଆନ୍ତି । ଅନ୍ୟ କେହି ମତଦାନ କରନ୍ତି ଯେ ସ୍ଵପ୍ନରେ ମା’ ସନ୍ତାନ ବା ଆଶ୍ରିତମାନଙ୍କୁ ନିର୍ଦ୍ଦେଶ ଦେଉଥିବା ଯୋଗୁଁ ମା’ଙ୍କର ଅନ୍ୟନାମ ସ୍ଵପ୍ନବତୀ । ଆମେ ସମସ୍ତେ ମାୟା ବା ସ୍ଵପ୍ନ (ଯାହା ସତ୍ୟର ବିପରୀତ)ର ଅଧୀନ । ମାତ୍ର ମା’ ସ୍ଵପ୍ନର ଉର୍ଦ୍ଧ୍ୱରେ ବା ମା’ ସ୍ଵପ୍ନକର୍ତ୍ତ୍ରୀ । ତେଣୁ ମା’ଙ୍କ ନାମ ସ୍ଵପ୍ନବତୀ । ତେଣୁ ମା’ ସ୍ଵପ୍ନରେ ନିର୍ଦ୍ଦେଶ ଦେବାକୁ ସମର୍ଥ ହୁଅନ୍ତି । ଏହି କାରଣରୁ ହିଁ ପରମବ୍ରହ୍ମଙ୍କ ପାଇଁ ଦାରୁ ନିରୁପଣ କରିବାକୁ ମା’ ମଙ୍ଗଳା-ସ୍ବପ୍ନବତୀଙ୍କ ଆଶ୍ରା ନେବାକୁ ହୁଏ ।” (ପରମବ୍ରହ୍ମଙ୍କ ନବକଳେବର, ପ୍ରୁ:୫୧-୫୨)

ଦ୍ୱିତୀୟ ସନ୍ଶୟଟି ଦୈନିକ ‘ସମ୍ବାଦ’ରେ ପ୍ରକାଶିତ ଅସିତ ମହାନ୍ତିଙ୍କ ଧାରାବାହିକ ‘ନବକଳେବରକଥା-୧୬’ରେ ସମାହିତ ହୋଇଛି ପୁରୀସ୍ଥିତ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ପ୍ରବାଚକ ଡକ୍ଟର ନରେଶଚନ୍ଦ୍ର ଦାଶଙ୍କ ଭକ୍ତି ଉଦ୍ଧାର କରାଯାଇ । ସେ କହନ୍ତି, “ସଂସ୍କୃତରେ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଶ୍ଲୋକ ଅଛି ‘ଏକୈକ ଶକ୍ତିଃ ପରମେଶ୍ଵରସ୍ୟ \ ଭୋଗେ ଭବାନୀ ପୁରୁଷେଷୁ ବିଷ୍ଣୁ \ କୋପେ ଚ କାଳୀ ସମରେ ଚ ଦୁର୍ଗା ।’ ଅର୍ଥାତ୍ ପରମେଶ୍ଵରଙ୍କର ସେହି ଏକ ଶକ୍ତି ବିନିଯୋଗ କାଳରେ ଚାରିଟି ରୂପରେ ପ୍ରକଟିତ ହୋଇଥାଏ \ ସେ ରୂପ, ଯଶ, ଜୟ ଆଦି ଭୋଗସାମଗ୍ରୀ ଦାତ୍ରୀରୂପେ ଭବାନୀ, ପୁରୁଷରୂପେ ବିଷ୍ଣୁ, କୋପକାଳରେ କାଳୀ ଓ ସମରକାଳରେ ଦୁର୍ଗା ଅଟନ୍ତି ।

“ଏଣୁ ସ୍ଵପ୍ନାବତୀ ବା ସ୍ଵପ୍ନ-ମାଣବକ ମନ୍ତ୍ର ଭଗବାନ ବିଷ୍ଣୁଙ୍କ ପାଇଁ ଉଦ୍ଦିଷ୍ଟ ହେଲେହେଁ ତାହାର ପାଠ ବା ଜାପାଦ୍ୱାରା ମା’ ମଙ୍ଗଳା ତୁଷ୍ଟ ହୁଅନ୍ତି । ଶୟନ ପୂର୍ବରୁ ଏହି ମନ୍ତ୍ର ୧୦୮ଥର ଜପ କଲେ ମା’ ସ୍ଵପ୍ନଛଳରେ ଚାରି ଦାରୁବୃକ୍ଷର ସନ୍ଧାନ ବିଶ୍ୱାବସୁ, ଚାରିବାଡ଼ଗ୍ରାହୀ ଦଇତା ଓ ଦଳପତି ଦଇତା-ସେବକଙ୍କୁ ସୂଚିତ କରିଥଆନ୍ତି।” (ସମ୍ବାଦ, ତା ୬. ୪. ୨୦୧୫ରିଖ)

ଏ ସମ୍ବନ୍ଧରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପାଣ୍ଡିତ୍ୟପୂର୍ଣ୍ଣ ଅଭିମତ ମଧ୍ୟ ଉଦ୍ଧାରଯୋଗ୍ୟ । ତାଙ୍କ ମତରେ- “ ଏହି ମନ୍ତ୍ରଟି ହେଉଛି ବୈଷ୍ଣବାତ୍ମକ ମନ୍ତ୍ର । ନିଷ୍ଠା ଓ ଏକାଗ୍ରତା ସହିତ ମନ୍ତ୍ରଟିକୁ ଜାପା କଲେ ସ୍ଵୟଂ ଦାରୁବ୍ରହ୍ମ ଆପଣାର ଶକ୍ତି ଅର୍ଥାତ୍ ମଙ୍ଗଳାଙ୍କ ମାଧ୍ୟମରେ ମହାଦାରୁଙ୍କର ସ୍ଥିତି ସ୍ଵପ୍ନାଦେଶଦ୍ୱାରା ଜଣାଇ ଦେଇଥା’ନ୍ତି । ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗ ସେବକ ଦଇତାମାନେ ମଧ୍ୟ ମହାଦାରୁଙ୍କର ସ୍ଥିତି ଜାଣିବା ନିମିତ୍ତ ଅଧିଆ ପଡିଥାଆନ୍ତି । ଜୀବାତ୍ମା ଓ ପରମାତ୍ମାଙ୍କ ଅଭେଦ ସିଦ୍ଧିହିଁ ଶାକ୍ତତନ୍ତ୍ରର ସିଦ୍ଧାନ୍ତ, ଯାହାକି ଅଦ୍ୱୈତ ତତ୍ତ୍ୱର ପ୍ରୟୋଗାତ୍ମକ ଧାରା । ପରମବ୍ରହ୍ମଙ୍କ ମହାଦାରୁ ଅନ୍ୱେଷଣରେ ସେହି ଧାରାହିଁ ପ୍ରୟୋଗ ହୋଇଥାଏ । ସ୍ଵପ୍ନାବତୀ ମନ୍ତ୍ରଜପ ଓ ଗୁହାରିଆ ପଡ଼ିବାଦ୍ୱାରା ଜଗଜ୍ଜନନୀ ମଙ୍ଗଳା କୃପା କରିଥାନ୍ତି ବା ଗୁହରିଆ ପଡ଼ିଥିବା ବ୍ୟକ୍ତି ମହାପ୍ରଭୁଙ୍କର ସ୍ଥିତି ଜାଣିପାରଥା’ନ୍ତି । ସବୁ ସେହି କରୁଣାମୟ ଦାରୁବ୍ରହ୍ମ ଓ କରୁଣାମୟୀ ମା’ ମଙ୍ଗଳାଙ୍କ କରୁଣାରେହିଁ ସମ୍ଭବ ହୋଇଥାଏ । ଏହି ଦିବ୍ୟଦୃଷ୍ଟିରେ ସ୍ଵପ୍ନ ସତ୍ୟ ହୋଇଥାଏ ।” (ଦାରୁବ୍ରହ୍ମଙ୍କ ନବକଳେବର, ପୃ.୯୫)

ଉପରୋକ୍ତ ଦୁଇ ସଂଶୟର ନିରସନ ହେଉଣୁ ନ ହେଉଣୁ ଆଉ ଏକ ସଂଶୟ ମନରେ ଜାତ ହୁଏ ଯେ ମହାମାୟା ମା’ବିମଳା ଶ୍ରୀକ୍ଷେତ୍ରରେ ବିରାଜମାନା ଥିବାବେଳେ ଦାରୁନିର୍ଣ୍ଣୟ ନିମନ୍ତେ ତାଙ୍କ କୃପାପ୍ରାର୍ଥୀ ନ ହୋଇ ବନଯାତ୍ରୀଦଳ ଦୂରବର୍ତ୍ତୀ ଦେବୀ ମା’ ମଙ୍ଗଳାଙ୍କ କୃପାପ୍ରାର୍ଥୀ କାହିଁକି ହୁଅନ୍ତି ? ଏହାର ଉତ୍ତରରେ କୁହାଯାଇପାରେ ଯେ ଶ୍ରୀକ୍ଷେତ୍ରର ସୁରକ୍ଷାପାଇଁ ଅଷ୍ଟକୀଳ ଶକ୍ତି ବିଭିନ୍ନ ଦିଗରେ ଉପସ୍ଥିତ ଅଛନ୍ତି । ସେମାନେ ହେଲେ-କାକଟପୁରର ମା’ ମଙ୍ଗଳା, ବାଣପୁରର ମା’ଭଗବତୀ, ବାଙ୍କୀର ମା’ଚର୍ଚ୍ଚିକା, ଝଙ୍କଡ଼ର ମା’ ଶାରଳା, କୋଣାର୍କର ମା’ରାମଚଣ୍ଡୀ, ବ୍ରହ୍ମଗିରିର ମା’ ହରଚଣ୍ଡୀ, ଅଠରନଳାର ମା’ଆଲମଚଣ୍ଡୀ ଓ ଭୁଷଣ୍ଡପୁରର ମା’ଉଗ୍ରତାରା । ଏମାନେ ସମସ୍ତ ପ୍ରକାର ବାହ୍ୟକାର୍ଯ୍ୟର ଅଧିକାରିଣୀ । ଦାରୁସଂଗ୍ରହ କାର୍ଯ୍ୟ ଶ୍ରୀମନ୍ଦିରର ଦୂରବର୍ତ୍ତୀ ସ୍ଥାନରେ ଅନୁଷ୍ଠିତ ହେଉଥିବାରୁ ଏଥିରେ ବାହ୍ୟଶକ୍ତିର ଅଧିକାରିଣୀ କାଳୀଶକ୍ତିମାନଙ୍କର ଭୂମିକା ଅବଶ୍ୟ ସ୍ଵୀକାର୍ଯ୍ୟ । ଏମାନଙ୍କ ମଧ୍ୟରେ କାକଟପୁରର ମା’ ମଙ୍ଗଳା ଅଗ୍ରଗ୍ରଣ୍ୟା । ଏଣୁ ତାଙ୍କ କୃପା ପ୍ରାର୍ଥନା କରାଯାଏ ।

ଦ୍ୱିତୀୟତଃ ମା’ ମଙ୍ଗଳାଙ୍କର ଅନ୍ୟନାମ ସ୍ଵପ୍ନବତୀ । ସ୍ଵପ୍ନରେ ନିର୍ଦ୍ଦେଶ ଦେବା ଶକ୍ତି ତାଙ୍କର ରହିଛି । ତେଣୁ ଏ କାର୍ଯ୍ୟରେ ତାଙ୍କ କରୁଣା ଭିକ୍ଷା କରିବାର ଆବଶ୍ୟକତା ଅପରିହାର୍ଯ୍ୟ ।

ତୃତୀୟତଃ କେତେକଙ୍କ ମତରେ ବହୁପୂର୍ବେ କାକଟପୁର ମଙ୍ଗଳାଙ୍କ ଚତୁଃପାର୍ଶ୍ଵରେ ନିମ୍ବବୃକ୍ଷର ଏକ ଘଞ୍ଚ ଜଙ୍ଗଲ ଥିଲା । ଏଣୁ ଏ ଅଞ୍ଚଳକୁ ‘ନିମ୍ବିକା ବନ’ କୁହାଯାଉଥିଲା । ନବକଳେବର ପାଇଁ ଦାରୁ ଅନ୍ୱେଷଣ ଦୃଷ୍ଟିରୁ ଏ ଅଞ୍ଚଳର ଯିବା ଓ ଏ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆଶ୍ରୟ ନେଇ ତାଙ୍କ କୃପାଭିକ୍ଷା କରିବା ଏକାନ୍ତ ସ୍ଵାଭାବିକ ।

ଏ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ମା’ ମଙ୍ଗଳା ବନଯୋଗ ବିଧିର ଅଧିଷ୍ଠାତ୍ରୀ ଦେବୀ । ତାଙ୍କ କୃପା ବ୍ୟତିରେକେ ନବକଳେବର ନିମନ୍ତେ ଦାରୁସଂଗ୍ରହ ଅକଳ୍ପନୀୟ । ନବକଳେବର ପରମ୍ପରାରେ ତାଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ମହତ୍ତ୍ଵପୂର୍ଣ୍ଣ ।

ଅନୁସୃତ ଗ୍ରନ୍ଥ ଓ ପତ୍ରପତ୍ରିକା ସୂଚୀ :

୧.

ଦାରୁବ୍ରହ୍ମଙ୍କ ନବକଳେବର- ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ,୨୦୧୫।

୨.

ପର˚ବ୍ରହ୍ମଙ୍କ ନବକଳେବର- ରବୀନ୍ଦ୍ରନାରାୟଣ ମିଶ୍ର, ଅକ୍ଷର, କଟକ, ୧ମ ପ୍ରକାଶ, ୧୯୯୬ ।

୩.

ପ୍ରାଚୀନଦୀର ଐତିହାସିକ ବିଭବ- ରାଧାଚରଣ ପଣ୍ଡା, ଓଡ଼ିଶା ସହିତ୍ୟ ଏକାଡ଼େମୀ, ଭୁବନେଶ୍ବର, ୧ମପ୍ରକାଶ, ୧୯୬୯ ।

୪.

ମହାପ୍ରଭୁଙ୍କ ନବକଳେବର- ପଦ୍ମନାଭ ମହାପାତ୍ର, ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ, ୨୦୧୫ ।

୫.

ଶ୍ରୀଜଗନ୍ନାଥ ଚେତନାର ଶାସ୍ତ୍ରୀୟ ଭିତ୍ତିଭୂମି- (ସଂ) ସୁରେନ୍ଦ୍ରକୁମାର ମିଶ୍ର ଓ ଅନ୍ୟମାନେ,ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପୁରୀ, ୧ମ ପ୍ରକାଶ, ୨୦୦୯ ।

୬.

ଶ୍ରୀପୁରୁଷୋତ୍ତମ ତତ୍ତ୍ୱ ଓ ନବକଳେବର- ଜଗବନ୍ଧୁ ପାଢ଼ୀ, ଗ୍ରନ୍ଥମନ୍ଦିର, କଟକ, ୧ମ ସଂସ୍କରଣ, ୧୯୯୬ ।

୭.

ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଶ୍ରୀଜଗନ୍ନାଥ- ଗୋପାଳଚନ୍ଦ୍ର ତ୍ରିପାଠୀ, ଭୁବନେଶ୍ଵର, ୧ମ ପ୍ରକାଶ, ୧୯୯୬ ।

୮.

ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ- ପ୍ରଫୁଲ୍ଲ ପଟ୍ଟନାୟକ, ସାଥୀ ମହଲ, କଟକ, ୧ମ ପ୍ରକାଶ, ୧୯୮୩ ।

୯.

ନବକଳେବର କଥା- ଅସିତ ମହାନ୍ତି (ଦୈନିକ ‘ସମ୍ବାଦ’ ପୃଷ୍ଠାରେ ପ୍ରକାଶିତ ଧାରାବାହିକ) -

୧୦.

ନିଳାଦ୍ରୀ (ପତ୍ରିକା)- (ସଂ) ଭାସ୍କର ମିଶ୍ର, ନବକଳେବର ବିଶେଷାଙ୍କ, ପୁରୀ, ୧୯୯୬ ।

୧୧.

Archaeological Survey Report of Prachi Valley-(Ed) PK Ray, Orissa State Archaeology, Bhubaneswar, ୧୯୭୫

୧୨.

Buddhism and other Religious Cults of South-East India-S.S. Tripathy, Sundeep Prakashan, Delhi. ୧୯୮୮

 

ନବକଳେବରରେ ମହାଅଣସର ଓ ଅଣସର ବିଧି

ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର

ନବକଳେବର ବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ଉତ୍ତରଦ୍ୱାର ମା’ ଶିତଳା ମନ୍ଦିର ପାଖ ସୁନା କୂପରୁ ଜଳ ଅଣାଯାଇ ଅଧିବାସ ଗୃହରେ ୧୧୨ ଗଡ଼ୁରେ କର୍ପୂର, ଚନ୍ଦନ, ଚୂଆ, କେଶର ପ୍ରସ୍ତୁତି କରି ୧୧୨ ଗଡୁ ଜଳ ମଧ୍ୟରୁ ୪ଗଡ଼ୁ ଜଳରେ କୋଇଲି ବୈକୁଣ୍ଠସ୍ଥ ଅସ୍ଥାୟୀ ନିର୍ମାଣ ଦାରୁଘର (କର୍ମକୂଟୀର)ରେ ପୂର୍ବରୁ ପୂଜା ପାଉଥିବା ଦାରୁଙ୍କୁ ସ୍ନାନ କରାଯାଏ ।

ଜ୍ୟେଷ୍ଠମାସ ପୂର୍ଣ୍ଣିମାଠାରୁ ଆଷାଢ଼ ମାସ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ଅଣସର କୁହାଯାଏ । ଏହି ଅଣସର ସାଧାରଣତଃ ୧୫ଦିନ ହୁଏ । କିନ୍ତୁ ନବକଳେବର ସମୟରେ ଏହା ଦେଢ଼ମାସ (୪୫ଦିନ) ପର୍ଯ୍ୟନ୍ତ ହେଉଥିବାରୁ ଏହାକୁ ମହାଅଣସର କହନ୍ତି । ଏହି ସମୟ ମଧ୍ୟରେ ମୂର୍ତ୍ତି ନିର୍ମାଣ, ବ୍ରହ୍ମପରିବର୍ତ୍ତନ ବିଗ୍ରହମାନଙ୍କୁ ଦଇତାପତି ବିଶ୍ଵାକର୍ମାଙ୍କ ଦ୍ୱାରା ପୂର୍ଣ୍ଣ ରୂପ ଦେବା କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥାଏ ।

ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୋଇଲି ବୈକୁଣ୍ଠ ମଧ୍ୟରେ କେତେଗୁଡ଼ିଏ ଅସ୍ଥାୟୀ ଘର ନିର୍ମାଣ କରାଯାଇଥାଏ । ଏହି ଘର ମଧ୍ୟରୁ ଗୋଟିଏ ଅଙ୍କୁରା ରୋପଣ ଗୃହ, ଗୋଟିଏ ନିର୍ମାଣ ମଣ୍ଡପ, ଗୋଟିଏ ଯଜ୍ଞ ମଣ୍ଡପ, ଗୋଟିଏ ନୃସିଂହ ମଣ୍ଡପ, ଦୁଇଟି ସ୍ନାନ ଅଧିବାସ ଗୃହ ଓ ଗୋଟିଏ ନ୍ୟାସ ଦାରୁ ଗୃହ ନିର୍ମିତ ହୋଇଥାଏ । ଏହି ଗୃହଗୁଡ଼ିକ ଛଣଦ୍ୱାରା ଛପର ହୋଇଥାଏ ଓ ଚାରିପଟେ ତାଳତାଟି ବନ୍ଧା ହୋଇଥାଏ । ଏହି ଗୃହ ମଧ୍ୟରେ ମଣ୍ଡପ ନିର୍ମାଣ ହୋଇଥାଏ ।ଏତତବ୍ୟତୀତ ଦାରୁ ରହିବା ପାଇଁ ଆଗରୁ ଯେଉଁ ଚାରୋଟି ଘର ନିର୍ମାଣ ହୋଇଥାଏ ତନ୍ମଧ୍ୟରେ ଶଗଡ଼ି ସହ ଆସିଥିବା ଦାରୁକୁ ସେହିପରି ରଖାଯାଇଥାଏ ।

ଏହି ଗୃହମାନଙ୍କ ମଧ୍ୟରୁ ଯଜ୍ଞ ଗୃହଟିର ନିର୍ମାଣ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ଗୃହଟିର ଦୈର୍ଘ୍ୟ ଓ ପ୍ରସ୍ଥ ୧୨ହାତ ଲେଖାଏଁ । ଗୃହଟିର ୧୬ଟି ଖମ୍ବ ଥାଏ ଓ ଏହା ଦୁଇଟି ଚାଳ ବିଶିଷ୍ଟ । ଏହି ଘରର ମଝିରେ ଯେଉଁ ମଣ୍ଡପ ଥାଏ ସେହି ମଣ୍ଡପ ମଝିରେ ଏକ ହାତର ଗୋଟିଏ ହୋମକୁଣ୍ଡ ନିର୍ମିତ ହେବା ସଙ୍ଗେ ସଙ୍ଗେ ଏହି କୁଣ୍ଡରେ ମେଖଳା ଯୋନି ଆଦି ନିର୍ମିତ ହୋଇଥାଏ । ଏହାବ୍ୟତୀତ ଯଜ୍ଞ ମଣ୍ଡପର ଚାରିଦିଗକୁ ଥିବା ଚାରିଦ୍ୱାରରେ ଚାରିବେଦ ହୋମ ପାଇଁ ୪ଗୋଟି ଛୋଟ କୁଣ୍ଡ ଥାଏ ।

ଯଜ୍ଞ ଗୃହର ପଶ୍ଚିମ ଦିଗରେ ୧୬ହାତ ଦୈର୍ଘ୍ୟ-ପ୍ରସ୍ଥ ବିଶିଷ୍ଟ ନିର୍ମାଣ ମଣ୍ଡପରେ ବିଗ୍ରହମାନେ ନିର୍ମାଣ ହୁଅନ୍ତି । ଏହି ନିର୍ମାଣ ମଣ୍ଡପରେ ୧୦ଜଣ ବିଶ୍ବକର୍ମା ଅତ୍ୟନ୍ତ ଗୁପ୍ତ ଭାବରେ ନିଷ୍ଠାର ସହିତ ବିଗ୍ରହ ନିର୍ମାଣ କରନ୍ତି । ନିର୍ମାଣ ସମୟରେ ଚାରିବାଡ଼ର ଦଇତାପତି କେବଳ ରୁହନ୍ତି-। ନିର୍ମାଣ ମଣ୍ଡପର ଉତ୍ତର ଦିଗରେ ଅଙ୍କୁରାରୋପଣ ଗୃହ ନିର୍ମିତ ହୋଇଥାଏ ।

ଯଜ୍ଞ ମଣ୍ଡପର ପୂର୍ବଦ୍ୱାର ପାଖକୁ ଦୁଇଟି ସ୍ନାନ ମଣ୍ଡପ ବା ସ୍ନାନ ଅଧିବାସ ଗୃହ ନିର୍ମିତ ହୋଇଥାଏ । ଏହି ଗୃହର ଠିକ୍ ପୂର୍ବ ଦିଗକୁ କୋଇଲି ବୈକୁଣ୍ଠର ପ୍ରାଚୀରକୁ ଲାଗି ଦାରୁଗୃହ ନିର୍ମିତ ହୋଇ ସେଠାରେ ଦାରୁକୁ ରଖାଯାଇଥାଏ । ଦାରୁ ଗୃହର ଦକ୍ଷିଣ ପାର୍ଶ୍ଵରେ ନୃସିଂହ ଗୃହ ଓ ନ୍ୟାସ ଦାରୁ ଗୃହ ନିର୍ମାଣ କରାଯାଇଥାଏ । ଏହି ସମଗ୍ର ଗୃହ ଛଣ ଦ୍ୱାରା ଛପର ହୋଇଥାଏ ଓ ଚାରିପଟେ ତାଳପତ୍ର ତାଟିରେ ବନ୍ଦ କରାଯାଇଥାଏ ।

ଏହିପରି ଗୃହ ଓ ମଣ୍ଡପ ନିର୍ମାଣ ସରିବା ପରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏକ ଶୁଭବେଳାରେ ବ୍ରାହ୍ମଣମାନେ ପଞ୍ଚଶସ୍ୟ ନେଇ ଅଙ୍କୁରୋପଣ ଗୃହରେ ଅଙ୍କୁରାରୋପଣ କରନ୍ତି । ଏହି ଦିନଠାରୁ ପ୍ରତ୍ୟେକ ଦିନ ରାତ୍ରରେ ବଳିଦାନ ଦିଆଯାଏ । ଶାଳା ଓ ଅଗ୍ନିରକ୍ଷକ ଭାବରେ ଦୁଇଜଣ ବ୍ରାହ୍ମଣ ବରଣ ହୋଇ ହବିଷ୍ୟ କରି ସର୍ବଦା ଶାଳା ଓ ଅଗ୍ନି ରକ୍ଷା କରନ୍ତି ।

ପୁସ୍ତକାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ମଣ୍ଡଳାଚାର୍ଯ୍ୟ ଯଜ୍ଞ ନିମିତ ନିର୍ମାଣ କରାଯାଇଥିବା ବିଭିନ୍ନ ଗୃହରେ ମଣ୍ଡଳ ପକାନ୍ତି ଓ ସ୍ନାନ ପୂର୍ଣ୍ଣିମା ଦିନ ଦଇତାପତିମାନେ ଦାରୁକୁ ସ୍ନାନ କରାନ୍ତି ।

ପ୍ରତିଷ୍ଠା କର୍ମ ପାଇଁ ଆଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ, ଚରୁ ସମୀଧାଚାର୍ଯ୍ୟ, ବ୍ରହ୍ମାରାଜ ପ୍ରତିନିଧି ଆଦି ବ୍ରାହ୍ମଣଙ୍କୁ ବିଧିପୂର୍ବକ ବରଣ କରାଯାଏ ।

ଦାରୁ ସ୍ନାନ ପରେ ନୃସିଂହ ମଣ୍ଡପରେ ଖାତା ଶେଯ ପକାଇ ଦଇତା ଓ ପତିମହାପାତ୍ର ଦକ୍ଷିଣ ଘରୁ ନୃସିଂହଙ୍କୁ ବିଜେ କରାନ୍ତି । ଏହାପରେ ଯଜ୍ଞକର୍ମ ଆରମ୍ଭ ହୁଏ । ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଜଗମୋହନରେ, ପଞ୍ଚରୁଦ୍ର ଓ ପଞ୍ଚଦେବୀଙ୍କ ପାଖରେ ଜପ, ସ୍ତୁତି, ସହସ୍ରନାମ, ଭାଗବତ ପାଠ, ଚଣ୍ଡୀପାଠ, ରୁଦ୍ରାଭିଷେକ ଆଦି କର୍ମ ଚାଲେ ।

ମଣ୍ଡଳ ପକା ଓ ଶାଳା ସଜା ପରେ ଶାଳାପୂଜା ଓ ବୈଷ୍ଣବାଗ୍ନି ସଂସ୍କାର ହୁଏ । ଏହାପରେ ଶାଳାର ବିଭିନ୍ନ କୋଣରେ ବିଭିନ୍ନ ମଣ୍ଡଳ ପକାଯାଇପୂଜାକର୍ମ ହୁଏ ।

ଶାଳା ମଧ୍ୟରେ ନିଦ୍ରାଘଟ ପୂଜା, ଅସ୍ତ୍ରପୂଜା ଆଦି କରାଯାଏ । ଏହାବ୍ୟତୀତ କେତେକ ହୋମ ଚାରିଦ୍ୱାରରେ ବେଦ ହୋମ ଆଦି କରାଯାଏ । ଏହି ହୋମ ପାଇଁ ଗମ୍ଭାରୀ ସମିଧ ବ୍ୟବହୃତ କରାଯାଏ । ଏହିପରି ଦୈନିକ ହୋମ ଶାଳାପୂଜା, ଅଗ୍ନିପୂଜା, ହୋମ ଆଦି ହୁଏ । ହୋମ ନୃସିଂହ ମନ୍ତ୍ରରାଜ ମନ୍ତ୍ରରେ କରାଯାଏ ।

ଇତ୍ୟବସରରେ କୋଇଲି ବୈକୁଣ୍ଠସ୍ଥ ସ୍ନାନ ଅଧିବାସ ଗୃହରେ ୧୦୮ ଗରା ଜଳ ଅଣାଯାଇ ସେଥିରେ ଔଷଧ ଓ ତୀର୍ଥଜଳ ଆଦି ମିଶିଯାଏ । ଏହି ଜଳକୁ ଆର୍ଯ୍ୟାଧିବାସ କରାଯାଇ ରାତ୍ରିରେ ଘୋଡ଼ାଇ ରଖାଯାଇଥାଏ ।

ଉକ୍ତ ଦିନ ରାତିରେ ନ୍ୟାସ ଦାରୁଙ୍କୁ ଅଧିବାସ ଗୃହରେ ଚକ୍ରାରବିନ୍ଦ ମଣ୍ଡଳ ଉପରେ ଖାତା ପକାଇ ବିଜେ କରାଯାଏ ।

ତା’ ପରଦିନ ଶାଳାପୂଜା ହୋମ ପରେ ଦଇତାମାନେ ସ୍ନାନ ମଣ୍ଡପରେ ଦାରୁଙ୍କୁ ବିଜେ କରାନ୍ତି । ବ୍ରାହ୍ମଣମାନେ ବେଦୋକ୍ତ ମନ୍ତ୍ରପାଠ କରନ୍ତି ଓ ଆଚାର୍ଯ୍ୟ ଦାରୁକୁ ସ୍ନାନ କରାନ୍ତି । ତା’ପରେ ନ୍ୟାସ ଦାରୁକୁ ସେଠାରୁ ଅଣାଯାଇ ଇଶାନ ଚ୍ଛୋଣରେ ରଖାଯାଏ । ବିଧିପୂର୍ବକ ପ୍ରତିଷ୍ଠା କର୍ମ ଓ ୧୬ଶ ଉପଚାରରେ ଦାରୁପୂଜା ହୁଏ । ଏଣେ ନିର୍ମାଣ ମଣ୍ଡପରେ ବିଗ୍ରହ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଥାଏ । ଦଶମୀ ଦିନ ରାତିରେ ଦାରୁଙ୍କୁ ଏକ ଆଠଚକ ବିଶିଷ୍ଟ ରଥରେ ବସାଇ ମନ୍ଦିରର ଭିତର ବେଢ଼ାରେ ଭ୍ରମଣ କରାଯାଏ । କେତେକଙ୍କ ମତରେ ଯଜ୍ଞ ନୃସିଂହଙ୍କୁ ରଥରେ ବସାଇ ମନ୍ଦିରବେଢ଼ାରେ ବୁଲାଯାଏ । ପ୍ରତିଷ୍ଠା ବିଧିର ନିୟମାନୁସାରେ ଦେବତାଙ୍କର ପ୍ରତିଷ୍ଠା ପରେ ନଗର ଭ୍ରମଣ କରାଯାଏ । ଏହି ସମୟରେ ମନ୍ଦିର ଶୋଧ ହୋଇଥାଏ । କେବଳ ଦଇତା ଓ ପତିମହାପାତ୍ର ଆଦି ଏହି ରଥରେ ଦେବତାଙ୍କୁ ଭ୍ରମଣ କରନ୍ତି ।

ଯଜ୍ଞଶାଳାରେ ଦୈନିକ ହୋମ, ଶାଳାପୂଜା ଓ ଦଶଦିଗପାଳ ବଳି ଆଦି ହୁଏ । ଦଶଦିଗପାଳ ବଳି କାନ୍ତିପିଠାରେ ଦିଆହୁଏ । ତ୍ରୟୋଦଶୀ ଦିନ ପ୍ରତ୍ୟେକ ଦିନ ପରି ଧ୍ୱଜା, ତୋରଣ, ବେଦ, ଇନ୍ଦ୍ରାଦି, ଦଶଦିଗପାଳ, ଦଶଅସ୍ତ୍ର, ଅଷ୍ଟରୁଦ୍ର, ଅଷ୍ଟକ୍ଷେତ୍ରପାଳ, ଅଷ୍ଟନାଗ, ଅଷ୍ଟନାଗପତ୍ନୀ, ଅଷ୍ଟଯୋଗ୍ନୀ, ନବଗ୍ରହ, ଦୁର୍ଗାତ୍ର୍ୟମ୍ବକ ଆଦିଙ୍କ ପାଖରେ ଓ ଶାଳାରେ ପୂଜା ହୋମ ହୁଏ । ତ୍ରୟୋଦଶୀ ଦିନ ରାତ୍ରିରେ ଦୈନନ୍ଦିନ ପରି କାନ୍ତିପିଠାରେ ଦଶଦିଗପାଳ ବଳି ଦିଆଯାଏ । କିନ୍ତୁ ଏହି ଦିନର ବିଶେଷ ନୀତି ହେଉଛି ମତ୍ସ୍ୟବଳି । ଏହି ମାଛକୁ କୋଠାସୁଆଁସିଆ ବଳି ଦିଅନ୍ତି । ଏହି ସବୁ କର୍ମ ଅତ୍ୟନ୍ତ ଗୁପ୍ତରେ କରାଯାଏ ।

ଚତୁର୍ଦ୍ଦଶୀ ଦିନ ଦୈନନ୍ଦିନ ହୋମ ଆଦି ପରେ ତିଳ ପାୟସ ଚଳି ଦିଆଯାଏ । ତା’ପରେ ନୂତନ ଠାକୁରଙ୍କୁ ସର୍ବୋଷଧି ଜଳରେ ସ୍ନାନ କରାଯାଏ । ତା’ପରେ ପୁନର୍ବାର ହୋମ କରିସାରି ଆସି ନୂତନ ଠାକୁରଙ୍କୁ ଶୋଇ ରହିବା ଅବସ୍ଥାରେ ଆଚାର୍ଯ୍ୟ ପ୍ରାଣନ୍ୟାସ କରାନ୍ତି ।ଦଇତାମାନେ ମୂର୍ତ୍ତିକୁ ବସାଇ ସ୍ନାନ କରାନ୍ତି ।

ଏହି ସମସ୍ତ କର୍ମ ପରେ ଗଜପତି ଆସିଲେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଏ । ଯଜ୍ଞ ସମାପ୍ତି ପରେ ଦାନବିଧି ଆଳତି ଓ ପୁଷ୍ପାଞ୍ଜଳି ହୋଇ ପୂଣ୍ୟାହବାଚନ କରାଯାଇ ଅଗ୍ନିଶାନ୍ତି କରାଯାଏ । ଯଜ୍ଞକର୍ମ ଓ ପ୍ରତିଷ୍ଠା କର୍ମ ସରିବା ପରେ ଦଇତାପତି ମହାପାତ୍ରଙ୍କୁ ନବନିର୍ମିତ ଦେବତାଙ୍କୁ ଦାୟିତ୍ୱ ଦିଆଯାଏ । ଏହି ଦିନ ରାତିରେ ପତିମହାପାତ୍ର ଅତ୍ୟନ୍ତ ଗୁପ୍ତ ଭାବରେ ମହାପ୍ରଭୁଙ୍କର ଘଟ ପରିବର୍ତ୍ତନ କରାନ୍ତି ।

ଏହି ଘଟ ପରିବର୍ତ୍ତନକୁ ବ୍ରହ୍ମ ପରିବର୍ତ୍ତନ କୁହାଯାଏ । ଏହା ଅତ୍ୟନ୍ତ ଗୁପ୍ତ ଭାବରେ ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ନିଶାର୍ଦ୍ଧରେ କରାଯାଏ । ଏହି ଦିନ ସନ୍ଧ୍ୟା ସୁଦ୍ଧା ମହାପ୍ରଭୁଙ୍କର ବଡ଼ସିଂହାର ଧୂପ ଶେଷ ହୋଇ ମନ୍ଦିର ଶୋଧ କରାଯାଏ ଓ ଚାରିଦ୍ୱାର ବନ୍ଦ ରହେ-। ମନ୍ଦିର ଭିତରର ବେଢ଼ାରେ କେତେକ ଦଇତା ଓ ପତି ମହାପାତ୍ରଙ୍କ ବ୍ୟତୀତ ଭିତର ବେଢ଼ାରେ ଅନ୍ୟ କେହି ରହନ୍ତି ନାହିଁ । ମନ୍ଦିର ବାହାର ବେଢ଼ାରେ ଅର୍ଥାତ୍ ବାଇଶ ପାହାଚରେ ଦେଉଳକରଣ ଏକୁଟିଆ ଶ୍ରୀଜଗନ୍ନାଥଙ୍କ ପାଟଖଣ୍ଡା ଧରି ଜଗି ରହନ୍ତି । ଏହାଙ୍କର ମଧ୍ୟ ଭିତର ବେଢ଼ାକୁ ଯିବାର ଅଧିକାର ନାହିଁ । ଏହି ସମୟରେ ମନ୍ଦିର ସମ୍ପୂର୍ଣ୍ଣ ରୂପେ ଅନ୍ଧକାର ରହେ ।

ମନ୍ଦିର ଶୋଧ ହେବା ପରେ ଦଇତାମାନେ କୋଇଲି ବୈକୁଣ୍ଠକୁ ଯାଇ ବଳକାଥିବା ସମସ୍ତ ଦାରୁକୁ ସ୍ଥାୟୀ ଦାରୁ ଘରେ ରଖନ୍ତି । ତା’ପରେ ନବନିର୍ମିତ ବିଗ୍ରହ ଚତୁଃଷ୍ଟୟଙ୍କୁ ନିର୍ମାଣ ମଣ୍ଡପରୁ ପହଣ୍ଡି ବିଜେ କରାଇ ଅଣସର ପିଣ୍ଡିକୁ ଆଣନ୍ତି । ରାତିରେ ଶୁଭବେଳା ଦେଖି ଦଇତାପତି ଓ ପତିମହାପାତ୍ରେ ପୁରାତନ ବିଗ୍ରହରୁ ବ୍ରହ୍ମଙ୍କୁ ବାହାର କରି ନୂତନ ବିଗ୍ରହରେ ସ୍ଥାପନ କରନ୍ତି ।

ବ୍ରହ୍ମ ପରିବର୍ତ୍ତନ ସରିବା ପରେ ପୁରାତନ ବିଗ୍ରହକୁ କୋଇଲି ବୈକୁଣ୍ଠସ୍ଥ ସିଆଳିଲତା ତଳେ କୋଠସୁଆଁସିଆମାନେ ଖୋଳିଥିବା ଗାତ ମଧ୍ୟରେ ମୂର୍ତ୍ତିମାନଙ୍କୁ ଶୁଆଇ ଦିଆଯାଏ ଓ କର୍ପୂର ଚନ୍ଦନ ଆଦି ଦେଇ ପାଟବସ୍ତ୍ର ଘୋଡ଼ାଇ ଗାତକୁ ବନ୍ଦ କରାଯାଏ । ଏହିଠାରେ ପୁରାତନ ବିଗ୍ରହ ଗୋଲୋକ ବିଶ୍ରାମ କରନ୍ତି । ଏହି ବିଗ୍ରହଙ୍କ ସଙ୍ଗରେ ରଥର ସାରଥି, ଘୋଡ଼ା, ପାର୍ଶ୍ଵଦେବତା, ଶୁଆ, ଦ୍ୱାରପାଳ, ଧ୍ୱଜାଦଣ୍ଡ ଓ ମହାପ୍ରଭୁଙ୍କର ଖଟ ଶେଯ ଆଦିକୁ ମଧ୍ୟ ପୋତି ଦିଆଯାଏ ।

ଏହିସବୁ କର୍ମ ପରେ ଦଇତାମାନେ ବିଧି ପୂର୍ବକ ହବିଷ୍ୟ କରି ଶୁଦ୍ଧକ୍ରିୟା ପାଳନ କରନ୍ତି-। ମୃତାହାର ଶୁଦ୍ଧକ୍ରିୟା ପରି ଏଠାରେ ମଧ୍ୟ ଶୁଦ୍ଧକ୍ରିୟା ପାଳନ କରାଯାଏ ।

ମୃତାହ ସମୟରେ ଘଟ ଜଳିବା ପରି ଏଠାରେ ମଧ୍ୟ ମଙ୍ଗଳାଙ୍କ ପାଖରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନରେ ଘଟ ଜଳାଯାଏ । ଶୁକ୍ଳ ନବମୀ ତିଥିରେ ଦଇତାମାନେ ମୁକ୍ତିମଣ୍ଡପ ତଳେ ତୈଳମର୍ଦ୍ଦନ ହୁଅନ୍ତି ଓ ତା’ପରେ ମାର୍କଣ୍ଡ ପୁଷ୍କରିଣୀରେ କ୍ଷର ହୋଇ ସ୍ନାନ କରନ୍ତି । ଏହି ସ୍ନାନ ପରେ ନୂତନ ବସ୍ତ୍ର ପିନ୍ଧି ମନ୍ଦିରକୁ ଫେରନ୍ତି । ମନ୍ଦିରକୁ ଫେରିବା ସମୟରେ ବାଇଶି ପାହାଚରେ ହଳଦି ପାଣିରେ ଗୋଡ଼ ଧୋଇ ଶାନ୍ତିଉଦକ ପାନ କରନ୍ତି । ତା’ପରେ ରାତିରେ ମହାପ୍ରସାଦ ସେବନ କରନ୍ତି ।

ତ୍ରୟୋଦଶାହ ଦିନ ମହାପ୍ରଭୁଙ୍କର ଦ୍ୱାଦଶାହ ଉପଲକ୍ଷେ ସହସ୍ରାଧିକ ବ୍ରାହ୍ମଣ, ସାଧୁ, ସନ୍ଥ ଓ ଛାତିଶାନିଯୋଗ ଦଇତା ମୁକ୍ତିମଣ୍ଡପ ପଣ୍ଡିତବର୍ଗ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ମନ୍ଦିର ପ୍ରାଙ୍ଗଣରେ ମହାପ୍ରସାଦ ଭୋଜନ ଦିଆଯାଏ ।

କୃଷ ଚତୁର୍ଦ୍ଦଶୀଠାରୁ ମହାପ୍ରଭୁଙ୍କର ସପ୍ତାଭରଣ କାର୍ଯ୍ୟ ଆରମ୍ଭ ହୁଏ । କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଲ ନବମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଶ୍ୱେତ ଅଙ୍ଗରାଗ ଆଦି ବୋଳାଯାଏ । ତା’ପରେ ପୂର୍ଣ୍ଣ ଶ୍ରୀଅଙ୍ଗରାଗ ଦିଆଯିବା ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ହୁଏ । ନେତ୍ରୋତ୍ସବ ପରେ ମହାପ୍ରଭୁଙ୍କର ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଏ ।

 

Unknown

ବନଯାଗରେ ସଂପୃକ୍ତ ଦେବଦେବୀ

ଡକ୍ଟର କଲ୍ୟାଣୀ ନନ୍ଦୀ

କୋଟି କୈବଲ୍ୟନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱବନ୍ଦିତ ସର୍ବଦର୍ଶନସାର ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବିଶ୍ୱର ସର୍ବପ୍ରାଚୀନ ଦେବତା । ସେ ରହସ୍ୟମୟ ଠାକୁର । ବେଦରେ ସେ ଅବ୍ୟକ୍ତ, ଅଣାକାର, ଅଚିନ୍ତନୀୟ, ଦାରୁବ୍ରହ୍ମ ସ୍ଵରୂପରେ ପ୍ରତିଭାତ ହେଲାବେଳେ ଉପନିଷଦୀୟ ପୃଷ୍ଠଭୂମିରେ ସେ ସର୍ବଶକ୍ତିମାନ ମହାନ୍ ପୁରୁଷ । ମହାଭାରତରେ ସେ କ୍ଷରାକ୍ଷରତୀତ ହେଲାବେଳେ ପୁରାଣ ସମୂହରେ ସେ ପରଂବ୍ରହ୍ମ ପୁରୁଷୋତ୍ତମ ମହାବିଷ୍ଣୁ ଭାବରେ ପ୍ରତିପାଦିତ । ଭାରତୀୟ ଆଧ୍ୟାତମିକ ଚିନ୍ତାଧାରାରେ ସେ ପୂର୍ଣ୍ଣବ୍ରହ୍ମ । ସକଳ ବିଦ୍ୟା, ଆତ୍ମୋମାର୍ଗ, ଧର୍ମଧାରା ତଥା ମତବାଦ ସିଦ୍ଧାନ୍ତର ସମନ୍ୱୟ ବିଗ୍ରହ । ଆର୍ଯ୍ୟ ଅନାର୍ଯ୍ୟ, ଦ୍ରାବିଡ଼, ବୈଦିକ, ବୈଷ୍ଣବ, ଶୈବ, ଶାକ୍ତ, ଜୈନ ଓ ବୌଦ୍ଧ ତାଙ୍କୁ ନିଜ ନିଜର ଇଷ୍ଟ ଦେବତା ରୂପେ ପରିଗଣିତ କରିଅଛନ୍ତି । ସ୍ମାର୍ତ୍ତମତରେ ସେ ପଞ୍ଚଦେବତାଙ୍କର ସମନ୍ୱୟ ବିଗ୍ରହ । ସେହି ଆଧାରରେ ତାଙ୍କର ଉପାସନା, ରୀତି, ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । କେତେବେଳେ ସେ ଭୈରବ ତ କେତେବେଳେ ଗଜାନନ, କେତେବେଳେ ଦୁର୍ଗାମାଧବ ହୋଇ ଏକତ୍ର ପୂଜା ପାଆନ୍ତି ତ ପୁଣି କେତେବେଳେ କୃଷ୍ଣ ହୋଇ ଲୀଳା କରନ୍ତି । ପୁଣି କେତେବେଳେ ରାମ ହୁଅନ୍ତି ତ ପୁଣି କେତେବେଳେ ସୁର୍ଯ୍ୟଭାବରେ ଉପାସିତ ହୋଇଥାନ୍ତି ।

ଶ୍ରୀଜଗନ୍ନାଥଙ୍କର ନବକଳେବରର ପ୍ରଧାନ ଅଙ୍ଗ ବନଯୋଗ ଯାତ୍ରାରେ ଅନୁଷ୍ଠିତ ରୀତିନୀତିରେ ଅନେକ ଦେବଦେବୀଙ୍କର ଉପାସନାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ସର୍ବଦୁଖହରଣକାରୀ ପରଂବ୍ରହ୍ମ ଭଗବାନ ବିଷ୍ଣୁ ଦାରୁ ରୂପେ ଏ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ । ସେହି ଦାରୁ ସାକ୍ଷାତ୍ ଭଗବତ୍ ସ୍ଵରୂପ ବ୍ରହ୍ମ ଅଟନ୍ତି । ବ୍ରହ୍ମ ଅବିନାଶୀ ତତ୍ତ୍ୱ । ତାଙ୍କର ଜନ୍ମ ବା ମୃତ୍ୟୁ ନଥାଏ । ସେ ଜରାମରଣର ଉର୍ଦ୍ଧ୍ୱରେ ଥିଲେ ମ୍ମ ତାଙ୍କ ଇଚ୍ଛାରେ ତାଙ୍କର ନବକଳେବର ହୁଏ । ଏଥି ନିମନ୍ତେ ସେବାୟତମାନେ ଦାରୁ ଅନ୍ୱେଷଣ ନିମିତ୍ତ ବନକୁ ଯାତ୍ରା କରିବା ସମୟରେ ଅନେକ ନୀତି ନିୟମ ପୂଜା ଆରାଧନା ହୋମ ଯଜ୍ଞମାନ ମଧ୍ୟ କରିଥାନ୍ତି । ଏହି ସବୁ ମହାନ୍ କାର୍ଯ୍ୟରେ ଅନେକ ଦେବଦେବୀମାନଙ୍କର ସଂପୃକ୍ତି ଦେଖାଯାଇଥାଏ । ଏହି ବନଯୋଗ ସାଧାରଣତଃ ଦୁଇଭାଗରେ ବିଭକ୍ତ, ପ୍ରଥମତଃ ବହିଃ ବନଯୋଗ ଓ ଦ୍ୱିତୀୟତଃ ଅନ୍ତଃ ବନଯୋଗ ବିଧି ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ତଥ୍ୟାନୁସାରେ ଚୈତ୍ର ଶୁକ୍ଳ ଦଶମୀ ତିଥିର ମ୍ମାହ୍ନ ଧୂପ ପରେ ଏହି ବନଯୋଗ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥି ନିମନ୍ତେ ପ୍ରଥମେ ଶ୍ରୀଜୀଉଙ୍କର ସ୍ଵତନ୍ତ୍ର ଆଜ୍ଞାମାଳ ଆସେ । ଏହି ଆଜ୍ଞାମାଳ ଆସିବା ପଛରେ ବିଧାନ ଏହିକିଯେ ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ସ୍ଵୟଂ ନିଜର ନବକଳେବର ନିମନ୍ତେ ଆଦେଶ ସ୍ଵରୂପ ତଥା କାର୍ଯ୍ୟରେ ଶୁଭାଶୁଭ ଲାଗି ଆଜ୍ଞାମାଳ ଲାଗିକାରଯାଇଥାଏ । ଏଣୁ ଏହିଠାରେ ହିଁ ପ୍ରଥମେ ଉପାସନା କରାଯାଏ ସେହି ଅନନ୍ତ କୋଟି ବିଶ୍ଵ ନିୟନ୍ତା ଦାରୁବ୍ରହ୍ମଙ୍କର ।

ଏହାପରେ ବନଯାଗ ଯାତ୍ରୀଦଳ ପାରମ୍ପରିକ ରୀତିନୀତି ମ୍ମରେ ଯାତ୍ରା କରିଥାନ୍ତି ଦାରୁ ଅନ୍ୱେଷଣରେ । ପ୍ରଥମେ ଆରାଧନା କରିଥାନ୍ତି ନୃସିଂହ ଦେବଙ୍କୁ । ବେଦାନ୍ତ ଦର୍ଶନବିଦ୍ ବାଦରାୟଣ ମୁନି ‘ନୃସିଂହ ତାପନୀ ଉପନିଷଦ’ ଭାଷ୍ୟରେ ନୃସିଂହ ଶବ୍ଦର ଅର୍ଥ ନିର୍ଣ୍ଣୟ କରି କହିଛନ୍ତି ଯେ ଅଜ୍ଞାନ ବିନାଶ କରି ଆତ୍ମଜ୍ଞାନ ପ୍ରଦାନକର୍ତ୍ତା ହିଁ ନୃସିଂହ । ବାସ୍ତବରେ ନୃସିଂହ ମହାପ୍ରଭୁ ହିରଣ୍ୟକଶିପୁ ମନରୁ ଅଜ୍ଞତା ଦୂରୀକରଣ ନିମିତ୍ତ ଯେପରି ଉଗ୍ର ରୂପେ ପ୍ରତିଭାତ ହୋଇଥିଲେ ପ୍ରହ୍ଲାଦ ମନରେ ଆତ୍ମଜ୍ଞାନ ସଂଚାର ତଦନୁରୂପେ କରିବା ନିମିତ୍ତ ସୌମ୍ୟ ଅବତାର ମଧ୍ୟ ଧାରଣ କରିଥିଲେ ।

ସ୍କନ୍ଧପୁରାଣର ବର୍ଣ୍ଣନାନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ନାରଦ ମହର୍ଷିଙ୍କ ସହିତ ସଦଳବଳେ ନିଳଗିରି ପର୍ବତକୁ ନୀଳମାଧବଙ୍କ ଦର୍ଶନ ନିମିତ୍ତ ଯାତ୍ରାରାମ୍ଭ ସମୟରେ ଯାତ୍ରାନୁକୂଳ ନିମିତ୍ତ ପ୍ରଥମେ ଶ୍ରୀନୃସିଂହନାଥଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା ଓ ଜଗତ କଲ୍ୟାଣକାରିଣୀ ଦେବୀ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ ।

ସେହି ଅନୁସାରେ ବନଯୋଗ ସମୟରେ ପ୍ରଥମେ ଶ୍ରୀକ୍ଷେତ୍ରରେ ଥିବା ନୃସିଂହ ମହାପ୍ରଭୁଙ୍କର ଉକ୍ତ ଦିନ ପ୍ରଭାତରେ ମାଜଣା ସହିତ ପୂଜାର୍ଚ୍ଚନା ହୋଇଥାଏ । ସ୍ପନ୍ଦ ପୁରାଣ ଅନୁସାରେ ଏହି ନୃସିଂହ ଦେବଙ୍କୁ ନାରଦ ମହର୍ଷି ଜ୍ୟେଷ୍ଠ ଶୁକ୍ଲ ଦ୍ୱାଦଶୀ ଦିନ ସ୍ଥାପନା କରି ପ୍ରତିଷ୍ଠା କରିଥିଲେ । ଏହି ନୃସିଂହ ହିଁ ଆଦିନୃସିଂହ । ରାଜା ଇନ୍ଦ୍ରଦ୍ୟୁମ୍ନ ଏହି କ୍ଷେତ୍ରପାଳ ନୃସିଂହଙ୍କୁ ଉପାସନା କରି ତଥା ପୂଜାର୍ଚ୍ଚନା କରିବା ପରେ ଅଶ୍ୱମେଧ ଯଜ୍ଞ ସମାପନ କରିଥିଲେ ବୋଲି ସ୍କନ୍ଦପୁରାଣରେ ଉଲ୍ଲେଖ ରହିଛି ।

ବନଯୋଗ ଯାତ୍ରୀମାନେ ଏହାପରେ ଯାତ୍ରା କରିଥିଲେ ପ୍ରାଚୀ ନଦୀ ତଟଦେଶ ଅଞ୍ଚଳକୁ-। ସେଠାରେ ସେବାୟତମାନେ ସର୍ବପ୍ରଥମେ କାକଟପୁରରେ ମା’ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

ଏଥି ନିମନ୍ତେ ସେବକଗଣ ମା’ଙ୍କର ନିମିତ୍ତ ମାଜଣା ଜିନିଷାତ୍ ସହିତ ଜଗନ୍ନାଥ ମହାପ୍ରଭୁଙ୍କର ଆଜ୍ଞାମାଳ, ମହାପ୍ରସାଦ, ଚଢ଼େଇନେଦାତାଡ଼ ଇତ୍ୟାଦି ସଙ୍ଗରେ ନେଇଥାନ୍ତି । ଏହାପରେ ମା’ଙ୍କ ମାଜଣା ହୋଇ, ବେଶ ହୋଇ ପୂଜାର୍ଚ୍ଚନା ହୋଇଥାଏ । ଏହି ସମୟରେ ମା’ଙ୍କ ନିକଟରେ ଚଣ୍ଡୀପାଠ ହୋଇଥାଏ । ଏହାପରେ ସେହିଦିନ ରାତ୍ରରେ ପତି ମହାପାତ୍ର, ବିଶ୍ୱାବସୁ ସେବକମାନେ ମା’ଙ୍କର ଆଶୀର୍ବାଦ ନିମନ୍ତେ ୧୦୮ଥର ସ୍ଵପ୍ନାବତୀ ମନ୍ତ୍ର ପାଠକରିଥାନ୍ତି । ଏତଦସହିତ ସେହି ଦିନମାନଙ୍କରେ ସେଠାରେ ବିଷ୍ଣୁ ସହସ୍ର ନାମ, ନୃସିଂହ ମହାମନ୍ତ୍ର ଇତ୍ୟାଦିକୁ ମଧ୍ୟ ପାଠ କରାଯାଏ ।

ନୃସିଂହ ମହାମନ୍ତ୍ର:-

ଉଗ୍ରଂବୀରଂ ମହାବିଷ୍ଣୁ ଜ୍ୱଳନ୍ତଂ ସର୍ବତୋମୁଖମ୍

 

ନୃସିଂହ ଭୀଷଣଂ ଭଦ୍ରଂ ମୃତ୍ୟୋର୍ମୃତ୍ୟୁ ନମାମ୍ୟହମ୍

ବୃକ୍ଷର ସନ୍ଧାନ ମିଳିବା ପରେ ସାତଥର ପ୍ରଦକ୍ଷିଣ ପୂର୍ବକ ବୃକ୍ଷ ଉପାସନା କରିଥାନ୍ତି । ପୁନଶ୍ଚ ବୃକ୍ଷ ନିକଟରେ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହି ଯଜ୍ଞରେ ଶ୍ରୀନୃସିଂହ ଦେବତା ମୁଖ୍ୟ ଉପାସ୍ୟା ଦେବତା ଅଟନ୍ତି । ଯଜ୍ଞଶାଳାର ଇଶାନ କୋଣରେ ଏକ ବିରାଟ ସର୍ବତୋଭଦ୍ରମଣ୍ଡଳ ଅଙ୍କନ କରନ୍ତି । ଏହା ଉପରେ ଏକ ଜଳଭରା କଳସ ରଖାଯାଇ ସେଥିରେ ଦେବୀ ଦୁର୍ଗାଙ୍କୁ ଯଜ୍ଞଶାଳାର ପଶ୍ଚିମ କୋଣରେ ଆବାହନ କରାଯାଇ ପୂଜା କରାଯାଏ । ଏହାଛଡ଼ା ଯଜ୍ଞଶାଳାର ଦକ୍ଷିଣ ପାର୍ଶ୍ୱରେ ଏକ ଜଳଭରା କଳସୀରେ ବରୁଣଙ୍କୁ ସ୍ଥାପନା କରାଯାଏ । ଏହା ବ୍ୟତୀତ ଯଜ୍ଞଶାଳାର ବିଭିନ୍ନ ପାର୍ଶ୍ଵରେ ୩୨ଗୋଟି କଳସରେ ଦେବଦେବୀ ଯଥା – ଅଷ୍ଟଦିଗପାଳ, ନବଗ୍ରହ, ଦଶଦିଗପାଳ, ସରସ୍ଵତୀ, କାଳୀ, ଗଣେଶ, ଭୈରବ, କ୍ଷେତ୍ରପାଳ ଆଦିଙ୍କୁ ମ୍ମ ପୂଜାର୍ଚ୍ଚନା କରାଯାଏ । ସେହିପରି ଯଜ୍ଞକୁଣ୍ଡରେ ପ୍ରଥମ ୯ଥର ଆହୁତି ବିଭିନ୍ନ ବୈଦିକ ଦେବଦେବୀଙ୍କୁ ଅର୍ପଣ କରାଯାଇଥାଏ । ଏହାପରେ ପାତାଳ ନୃସିଂହ ମନ୍ତ୍ରରେ ୩୦୮ଥର ଆହୁତି ଓ ମନ୍ତ୍ରରାଜ ନୃସିଂହ ମନ୍ତ୍ରରେ ୧୦୦୮ ଥର ଆହୁତି ଦିଆଯାଏ । ଶେଷରେ ବୃକ୍ଷ ଛେଦନ ପୂର୍ବରୁ ଯେଉଁ ଦେବଦେବୀଙ୍କର ବିଗ୍ରହ ପାଇଁ ଉକ୍ତ ବୃକ୍ଷ ଉଦ୍ଦିଷ୍ଟ ସେହି ଠାକୁରଙ୍କ ଉଦ୍ଦେଶ୍ୟରେ ଏକଶତ ଆହୁତି ପ୍ରଦାନ କରାଯାଏ । ପୁନଶ୍ଚ ଯଜ୍ଞ ସମାପ୍ତିରେ ପରେ ସୁଦର୍ଶନଙ୍କର ମନ୍ତ୍ର ଉଚ୍ଚାରଣ ପୂର୍ବକ କୁଶରେ ଚନ୍ଦନ ବୁଡ଼ାଇ ଏକ ମନ୍ୟୁଷ୍ୟାକୃତି ଚିତ୍ର ବୃକ୍ଷଗଣ୍ଡିରେ ଓଲଟ ରୂପେ ଅଙ୍କନ କରାଯାଏ । ଏହାପରେ ଆଚାର୍ଯ୍ୟ, ପତିମହାପାତ୍ର ପ୍ରମୁଖ ନାରାୟଣ ମନ୍ତ୍ର, ବିଷ୍ଣୁମନ୍ତ୍ର, ବାସୁଦେବମନ୍ତ୍ର ଉଚ୍ଚାରଣ କରି ବୃକ୍ଷକୁ ସ୍ପର୍ଶ କରିଥାନ୍ତି ।

ସେହିପରି ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୁଏ ଅନ୍ତଃ ବନଯୋଗ କାର୍ଯ୍ୟକ୍ରମ । ଅନ୍ତଭାଗ ବନଯାଗ ଯାତ୍ରା ନିମିତ୍ତ ମ୍ମ ଅନେକ ଦେବଦେବୀ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତିଷ୍ଠା ଉତ୍ସବାର ପ୍ରଥମ ଦିନ ଅର୍ଥାତ୍ ଦ୍ୱିତୀୟା ଆଷାଢ଼ ଦିନ ଯଜ୍ଞ ପାଇଁ ମଣ୍ଡଳ ପଡ଼ିଥାଏ । ସେଠାରେ ମ୍ମ କଳସ ମ୍ମରେ ଗଣେଶ, ଦଶ ଦିଗପାଳ, ଭୈରବ, ନାଗ, ନାଗୁଣୀ ଇତ୍ୟାଦିଙ୍କୁ ଜଳଘଟରେ ପୂଜା କରାଯାଇଥାଏ । ପ୍ରତିଷ୍ଠା ମଣ୍ଡଳର ଦକ୍ଷିଣ କୋଣରେ ଲକ୍ଷ୍ମୀନୃସିଂହଙ୍କର ସ୍ଵତନ୍ତ୍ର ପିତ୍ତଳ ମୂର୍ତ୍ତି ଆସି ବିଜେ କରାଯାଇଥାଏ । ଏହି ମୂର୍ତ୍ତି କେବଳ ନବକଳେବର ସମୟରେ ପୂଜା ପାଇଥାନ୍ତି । ସେହିପରି ସେଠାରେ ଅନୁଷ୍ଠିତ ଯଜ୍ଞ କର୍ମରେ ନ୍ୟାସଦାରୁଙ୍କୁ ପ୍ରତିଷ୍ଠା କରାଯାଏ । ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଜଗମୋହନରେ ପଞ୍ଚରୁଦ୍ର ଓ ପଞ୍ଚଦେବତାଙ୍କ ପାଖରେ ଜପ, ସ୍ତୁତି, ସହସ୍ର ନାମ, ଚଣ୍ଡୀପାଠ ଆଦି କରାଯାଏ ।

ଏହାପରେ ଆସେ ନ୍ୟାସ ଦାରୁ ପ୍ରତିଷ୍ଠା । ଏହି ସମୟରେ ନୃସିଂହ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରାଯାଇ ୧୦୦୮ଥର ଯଜ୍ଞସ୍ଥଳୀରେ ଆହୁତି ପ୍ରଦାନ କରାଯାଇଥାଏ । ପୁନଶ୍ଚ ଆଚାର୍ଯ୍ୟ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଶ୍ରୀସୂକ୍ତ, ମହାପ୍ରଭୁ ବଳଭଦ୍ର – ନୀଳସୂକ୍ତ ଓ ମହାପ୍ରଭୁ ଜଗନ୍ନାଥଙ୍କର ‘ପୁରୁଷ ସୂକ୍ତ’ ଉଚ୍ଚାରଣ କରିଥାନ୍ତି ।

ସେହିପରି ଯଜ୍ଞକାର୍ଯ୍ୟରେ ଚାରି ତୋରଣ ନିକଟରେ ଚତୁର୍ବିଧ ହୋମ କରାଯାଏ । ଷଷ୍ଠ ଦିବସରେ ଶ୍ରୀବଳଭଦ୍ରଙ୍କର ଉଦ୍ଦେଶ୍ୟରେ ବାସୁଦେବ ମନ୍ତ୍ରରେ ୧୦୦୮, ସପ୍ତମ ଦିନ ପୁରୁଷୋତ୍ତମଙ୍କ ଉଦ୍ଦେଶ୍ୟରେ ଅଷ୍ଟାଦଶାକ୍ଷରୀ ଗୋପାଳ ମନ୍ତ୍ର ୧୦୦୮ଥର, ଅଷ୍ଟମ ଦିନ ମା’ ସୁଭଦ୍ରାଙ୍କୁ ଏଳାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ରରେ ୧୦୦୮ ଆହୁତି ପ୍ରଦାନ କରାଯାଏ । ଦଶମ ଓ ଏକାଦଶ ଦିନ ଲକ୍ଷ୍ମୀ, ସରସ୍ଵତୀ, ଶିବ, କାଳୀ, ବିମଳା, ଦୁର୍ଗା, ଦଶଦିଗପାଳ, ଅଷ୍ଟଭୈରବ, ୮୧ ବାସ୍ତୁଦେବତା, ୨୭ ନକ୍ଷତ୍ର, ୧୨ରାଶି, ୭ ବାର ଇତ୍ୟାଦିଙ୍କୁ ମଧ୍ୟ ଆହୁତି ଦିଆଯାଏ ।

ଏହିପରି ଭାବରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନବକଳେବର ଅନୁଷ୍ଠିତ ହେଉଥିବା ବନଯାଗ ଯାତ୍ରାରେ ଦେବଦେବୀମାନଙ୍କର ଉପାସନା ତଥା ସଂପୃକ୍ତି ଦେଖିବାକୁ ମିଳିଥାଏ । ମାତ୍ର ଏ ସବୁ ସତ୍ତ୍ୱେ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟରେ ନୃସିଂହ ମହାପ୍ରଭୁ ହିଁ ପ୍ରମୁଖ ଦେବତା ରୂପେ ପ୍ରତିପାଦିତ ହୋଇଛନ୍ତି ଏବଂ ନୃସିଂହ ପ୍ରଭୁ ହିଁ ଜଗନ୍ନାଥ ମହାପ୍ରଭୁଙ୍କର ଆଦ୍ୟ ରୂପ ବା ଆଦ୍ୟ ସ୍ଵରୂପ ।

 

ନବକଳେବରରେ ବୈଦିକ ପଦ୍ଧତି

ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର

ବିଶ୍ୱଂ ଯସ୍ୟ ଶରୀରଂ ଯଂ ବିଶ୍ୱଂ ନ ବେଦ ଯ ବିଶ୍ୱସ୍ୟ ଶରୀରଂ ଯମୟଟି-ଅୟମେବ ସଃ, ସଃ ଏବ ଅୟମ୍ । ବିଶ୍ଵରୂପ ପରଂବ୍ରହ୍ମ । ସମଗ୍ର ବିଶ୍ଵ ଜଗତ ତାଙ୍କର ଶରୀର । ତେବେ ଆତ୍ମଜ୍ଞାନର ଉନ୍ମେଷ ପାଇଁ, ଭକ୍ତ ପ୍ରାଣରେ ନୂତନ ଆବେଗ ସତ୍ୟ ସମ୍ବେଦନ ପାଇଁ ତାଙ୍କରି ଲୀଳା, ତାଙ୍କରି ବିଗ୍ରହ ଧାରଣ ।

ଦେହ ଦହନଶୀଳ-ପରିବର୍ତ୍ତନଶୀଳ । ଦେହ ବିକାର ଗ୍ରସ୍ତ ଓ ନାଶଶୀଳ, ପ୍ରତ୍ୟେକ ମୁହୂର୍ତ୍ତରେ ଦେହ ନାଶ ହେଉଛି । ଶରୀର ମଧ୍ୟରେ ବ୍ରହ୍ମ ହିଁ ବିଦ୍ୟମାନ । ସର୍ବଂ ବ୍ରହ୍ମମୟଂ ଜଗତ୍, ତଥାପି ଗୁଣମୟ ଶରୀର କଳେବର ମଧ୍ୟରେ ନିର୍ଗୁଣ ଅଶରୀରୀ ବ୍ରହ୍ମ ବିଦ୍ୟମାନ । ପୁରାତନ ବିଗ୍ରହ ମଧ୍ୟରେ ପ୍ରତିଷ୍ଠିତ ପୂଜିତ ବ୍ରହ୍ମଶକ୍ତିକୁ ଏହିପରି ଏକ ଅନ୍ଧାକାର ରାତ୍ରିରେ ଅତ୍ୟନ୍ତ ଗୋପନୀୟ ଭାବରେ ନୂଆକଳେବର ମଧ୍ୟରେ ପ୍ରତିଷ୍ଠିତ କରାଯାଏ । ମାନବଲୀଳାର ଏହି ଅପୂର୍ବ ନିଦର୍ଶନ ‘ଯଥା ଦେହେ ତଥା ଦେବେ’ ନ୍ୟାୟରେ ଏହି ଅର୍ଚ୍ଚାବିଗ୍ରହଙ୍କଠାରେ ଦେଖାଯାଏ । ଏହା ଓଡ଼ିଶାର ପ୍ରାଚୀନତମ ଲୌକିକ ପରମ୍ପରାର ଏକ ଉଜ୍ଜ୍ୱଳ ନିଦର୍ଶନ । ଯାହାର ଆରମ୍ଭ ଅଜ୍ଞାତ ଓ ଅଜ୍ଞେୟ । ଏହା ହିଁ ହେଉଛି ଶ୍ରୀଜଗନ୍ନାଥ ଚେତନାର ସର୍ବଶ୍ରେଷ୍ଠ ଉପଲବ୍ଧି । ଶାସ୍ତ୍ର, ପୁରାଣ ରହିତ ମହାପ୍ରଭୁଙ୍କର ନବକଳେବର ବିଧି କେବଳ ପ୍ରଚଳିତ ପ୍ରଥା ଓ ପରମ୍ପରା ଅନୁଯାୟୀ କରାଯାଇଥାଏ-। ସାଧାରଣତଃ ପ୍ରତି ୮/୧୨/୧୯ବର୍ଷ ମଧ୍ୟରେ ନବକଳେବର ହୋଇଥାଏ ।

 

ନବକଳେବର ପ୍ରକ୍ରିୟାର ଶୁଭାରମ୍ଭ :

ଚୈତ୍ରମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ପ୍ରକ୍ରିୟା ଆରମ୍ଭ ହୁଏ । ଏହିଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ଭୋଗ ଶେଷ ହେବାପରେ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଅଜ୍ଞାମାଳ ତିନିବାଡ଼ରବାଡ଼ଗ୍ରାହୀ ଦଇତା ଏବଂ ପତିମହାପାତ୍ରଙ୍କୁ ଅଣସର ପିଣ୍ଡିଠାରେ ଭିତରଛୁ ମହାପାତ୍ରଙ୍କ ଦ୍ୱାରା ଶାଢ଼ୀ ବନ୍ଧାଯାଏ । ପରେ ଜୟ ବିଜୟ ଦ୍ୱାରଠାରେ ଦେଉଳକରଣ, ତଢ଼ଉକରଣ, ବେହେରା ଖୁଣ୍ଟିଆ, ପଡ଼ିଆକରଣ, ଲେଙ୍କା ଓ ବିଶ୍ୱକର୍ମା ସେବକଙ୍କୁ ମଧ୍ୟ ଭିତରଛୁ ମହାପାତ୍ର ଶାଢ଼ୀବାନ୍ଧନ୍ତି । ଏହାପରେ ଏକ ପଟୁଆରରେ ଏମାନେ ସମସ୍ତେ ଗଜପତି ମହାରାଜାଙ୍କ ଶ୍ରୀନଅର ଅଭିମୁଖେ ଯାତ୍ରା କରନ୍ତି । ଶ୍ରୀନଅରରେ ଗଜପତି ମହାରାଜା ରାଜଗୁରୁଙ୍କୁ ଗୁଆଟେକି ଦେବା ପରେ ରାଜଗୁରୁ ଦଇତାପତି ସେବକ ଓ ଅନ୍ୟ ଆଚାର୍ଯ୍ୟଙ୍କୁ ପ୍ରଦାନ କରି ଶ୍ରୀବିଗ୍ରହମାନଙ୍କ ନିର୍ମାଣ ନିମନ୍ତେ ବିଧିପୂର୍ବକ ବନଯାଗ କରି ଦାରୁ ଆଣିବା ପାଇଁ ଗଜପତିଙ୍କ ତରଫରୁ ଅନୁରୋଧ ଜଣାନ୍ତି । ଏହାପରେ ଦାରୁ ସଂଗ୍ରହକାରୀମାନେ ଜଗନ୍ନାଥ ବଲ୍ଲଭ ମଠକୁ ଯାନ୍ତି ଏବଂ ସେଠାରେ ତିନି ଓଳି ବା ଦେଢ଼ଦିନ ଧରି ରହିବା ପରେ କାକଟପୁର ଅଭିମୁଖେ ପଦଯାତ୍ରା କରନ୍ତି । ଅନ୍ୱେଷଣକାରୀମାନଙ୍କ ସମ୍ମୁଖ ଭାଗରେ ଲେଙ୍କା ଚକ୍ର ଧରି ଯାଆନ୍ତି ।

କାକଟପୁର ମଙ୍ଗଳାଙ୍କ ଭୂମିକା :

ଦାରୁ ଅନ୍ୱେଷଣକାରୀ ଦଳ ପ୍ରଥମେ ଦେଉଳିମଠଠାରେ ବିଶ୍ରାମ ନେଇ ତା’ ପରଦିନ ପ୍ରାଚୀ ନଦୀରେ ସ୍ନାନ କରି କାକଟପୁର ମଙ୍ଗଳାଙ୍କ ମନ୍ଦିରକୁ ଯାଇ ସେଠାରେ ମା’ଙ୍କୁ ମାଜଣା ଓ ମହାପ୍ରସାଦ ସମର୍ପଣ କରାନ୍ତି । ତା’ପରେ ବ୍ରାହ୍ମଣମାନେ ସେଠାରେ ସମ୍ପୂର୍ଣ୍ଣ ଚଣ୍ଡୀପାଠ ଆରମ୍ଭ କରନ୍ତି । ସେଠାରେ ଦଇତାପତିମାନେ ମା’ଙ୍କର ଶରଣାଗତ ହୋଇ ଶୁଦ୍ଧପୂତ ଭାବରେ ମା’ଙ୍କ ପାଖରେ ଅଧିଆ ପଡ଼ନ୍ତି ଏବଂ ବ୍ରାହ୍ମଣମାନେ ଦୈନିକ ହବିଷ୍ୟ ଓ ଚଣ୍ଡୀପାଠ ଆଦି ସହ ଶୟନ ପୂର୍ବରୁ ବିଭିନ୍ନ ଶାସ୍ତ୍ରୋଲୋଚନା ଓ ୧୦୮ ବାର ସ୍ଵପ୍ନାବତୀ ମନ୍ତ୍ର ଜପ କରନ୍ତି । କେହି କେହି ବ୍ରାହ୍ମଣ ଶ୍ରୀନୃସିଂହ ଦେବଙ୍କ ମନ୍ତ୍ରରାଜ ମଧ୍ୟ ୧୦୮ବାର ପାଠ କରନ୍ତି । ଦେବୀ ମା’ଙ୍କର ସ୍ଵପ୍ନାଦେଶ ପାଇବା ପରେ ଦଇତାପତି ସେବକମାନେ ସେମାନଙ୍କ ବାଡ଼ଗ୍ରାହୀମାନଙ୍କ ସହ ଚାରି ଭାଗରେ ବିଭକ୍ତ ହୋଇ ସ୍ଵପ୍ନାଦେଶ ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଦାରୁ ଆଣିବା ପାଇଁ ଯାଆନ୍ତି । ଦାରୁ ଚିହ୍ନଟ ହୋଇସାରିବା ପରେ ଏହାର ଛେଦନ ପାଇଁ ଅନୁକୂଳ ଆରମ୍ଭ ହୁଏ । ବିଧି ଅନୁଯାୟୀ ପ୍ରଥମେ ସୁଦର୍ଶନ, ତା’ପରେ ବଳଭଦ୍ର, ତା’ପରେ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ କର୍ମ ଅନୁଷ୍ଠିତ ହୁଏ ।

ବୈଦିକ ପଦ୍ଧତିରେ ବନଯାଗ କର୍ମ :

ଦାରୁ ବୃକ୍ଷର ସନ୍ଧାନ ପ୍ରାପ୍ତ ହେଲେ ପ୍ରଥମେ ଲେଙ୍କ ସେବକ ତା’ ମୂଳରେ ସୁଦର୍ଶନ ଚକ୍ରଟିକୁ ସ୍ଥାପନ କରନ୍ତି । ଦାରୁ ବୃକ୍ଷର ଚତୁପାର୍ଶ୍ଵ ପରିଷ୍କାର କରାଯିବା ପରେ ବନଯାଗ କର୍ମ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୁଏ । ଏହି କର୍ମ ସମ୍ପୁର୍ଣ୍ଣ ବୈଦିକ ପଦ୍ଧତିରେ ହୋଇଥାଏ । ଏହି ପ୍ରସ୍ତୁତି ମଧ୍ୟରେ ଦଇତାମାନଙ୍କ ପାଇଁ ଶବରପଲ୍ଲୀ, ଯଜ୍ଞ ନିମନ୍ତେ ଯଜ୍ଞମଣ୍ଡପ ଓ ଅଙ୍କୁରାରୋପଣ ଗୃହ ନିର୍ମାଣ ଆଦି ଅନ୍ୟତମ ।ଦାରୁବୃକ୍ଷ ସ୍ଥଳକୁ ଗୋମୟ ଦ୍ୱାରା ଲେପନ କରାଯାଏ । ଏହାପରେ ସେହି ବୃକ୍ଷ ମୂଳରେ ବ୍ରାହ୍ମଣମାନେ ସଂସ୍କାର ହୋମ କରନ୍ତି । ମନ୍ତ୍ରରାଜ ନୃସିଂହ ମନ୍ତ୍ରରେ ୧୦୮ବାର ଆହୁତି ଦେବାପରେ ସେହି ବୃକ୍ଷକୁ ସମ୍ପାତାଜ୍ୟ ଦ୍ୱାରା ଲେପନ କରାଯାଏ । ତାହା ଉତ୍ତାରୁ ୧୦୮ କୁମ୍ଭ ଜଳରେ ବୃକ୍ଷଟିକୁ ଅଭିଷେକ କରାଯାଏ ଏବଂ ବୃକ୍ଷଟିକୁ ଶୁକ୍ଲବସ୍ତ୍ର ପରିଧାନ କରାଯାଏ । ତତ୍ପରେ ସେହି ବୃକ୍ଷ ମୂଳରେ ବନଯାଗର ଆୟୋଜନ କରାଯାଏ । ଏହି ବନଯାଗ ଶ୍ରୋତ୍ରିୟା ବ୍ରାହ୍ମଣମାନଙ୍କ ଦ୍ୱାରା ସମ୍ପୁର୍ଣ୍ଣ ବୈଦିକ ବିଧିରେ କରାଯାଏ । ଏହି ବ୍ରାହ୍ମଣମାନଙ୍କ ମଧ୍ୟରୁ ଜଣେ ଯଜମାନ (ଗଜପତି ମହାରାଜା)ଙ୍କ ପ୍ରତିନିଧି । ଜଣେ ବ୍ରହ୍ମା, ଜଣେ ଚରୁହୋତା, ଜଣେ ସମିଧି ହୋତା ଓ ଜଣେ ପୁସ୍ତକାଚାର୍ଯ୍ୟ ହୁଅନ୍ତି । ଆଚାର୍ଯ୍ୟ ସମସ୍ତ ଯଜ୍ଞକ୍ରିୟା ସମ୍ପାଦନ କରନ୍ତି । ଏହି ବନଯାଗର ବିଧି ଅତ୍ୟନ୍ତ ବ୍ୟାପକ ଅଟେ । ବନଯାଗ ନିମନ୍ତେ ଏକ ୧୬ ହାତ ବିଶିଷ୍ଟ ବର୍ଗାକାର କ୍ଷେତ୍ରର ଯଜ୍ଞଶାଳା ନିର୍ମାଣ କରାଯାଏ । ଏହାର ଚାରିପଟେ ଚାରିଗୋଟି ତୋରଣ ରହେ । ଏହାର ମଧ୍ୟଭାଗରେ ଯଜ୍ଞକୁଣ୍ଡ ଓ ଯଜ୍ଞବେଦୀ ନିର୍ମିତ ହୁଏ ଏବଂ ଚାରିଦ୍ୱାରରେ ଚାରିଗୋଟି ଯଜ୍ଞକୁଣ୍ଡ ନିର୍ମାଣ କରାଯାଏ । ଯଜ୍ଞଶାଳାର ଉତ୍ତର ଦିଗରେ ଯେଉଁ ସମ୍ଭାର ଗୃହ ନିର୍ମାଣ ହୁଏ ସେଥିରେ ବ୍ରାହ୍ମଣମାନେ ପଞ୍ଚଶସ୍ୟ ଦ୍ୱାରା ଅଙ୍କୁରାରୋପଣ କାର୍ଯ୍ୟ କରନ୍ତି । ଏହିସବୁ ପ୍ରସ୍ତୁତି କାର୍ଯ୍ୟ ସରିବା ପରଦିନ ବନଯାଗ ଆରମ୍ଭ ହୁଏ ଏବଂ ଏହା ତିନିଦିନ ଧରି ଅନୁଷ୍ଠିତ ହୁଏ । ଭଗବାନ ଶ୍ରୀନୃସିଂହ ଏହି ଯଜ୍ଞରେ ଉପାସ୍ୟଦେବ ଅଟନ୍ତି ।

ଭଗବାନ ଶ୍ରୀନୃସିଂହଙ୍କ ସହିତ ଦେବୀ ଦୁର୍ଗା, ବରୁଣ, ଦଶଦିଗପାଳ, ଗଣେଶ, କାଳୀ, ସରସ୍ଵତୀ, ଭୈରବ, କ୍ଷେତ୍ରପାଳ, ଅଷ୍ଟବସୁ, ନାନନାଗୁଣୀଙ୍କର ପୂଜା କରାଯାଏ । ଏହିପରି ସମୁଦାୟ ୩୫ଜଣ ଦେବବେବୀଙ୍କୁ ଜଳକୁମ୍ଭରେ ଆବାହନ କରାଯାଇଥାଏ । ଯଜ୍ଞଶାଳାର ବାୟୁକୋଣ ବା ଉତ୍ତର ପଶ୍ଚିମ ଦିଗରେ ସୁନା, ରୂପା, ଓ ଲୁହା ନିର୍ମିତ ତିନିଗୋଟି କୁରାଢ଼ୀ ଅଷ୍ଟଦଳପଦ୍ମ ଉପରେ ବସ୍ତ୍ରାଚ୍ଛାଦାନ କରି ସ୍ଥାପନ କରାଯାଏ । ଏହି ଜଳକୁମ୍ଭ ତଥା କୁରାଢ଼ୀ ଗୁଡିକୁ ବସ୍ତ୍ର, ମାଲ୍ୟ, ଚନ୍ଦନ ଓ ସିନ୍ଦୂର ଅର୍ପଣ କରାଯାଇଥାଏ ।

ପ୍ରଥମେ ବରୁଣ ପୂଜା କରାଯାଇ ବନଯାଗ ଆରମ୍ଭ ହୁଏ । ଆଚାର୍ଯ୍ୟ, ଯଜମାନ-ପ୍ରତିନିଧି, ବ୍ରହ୍ମା, ଚରୁହୋତା, ସମିଧି ହୋତା ଓ ପୁସ୍ତକାଚାର୍ଯ୍ୟ ଯଥାସ୍ଥାନରେ ଅବସ୍ଥାନ କରନ୍ତି । ଚାରିଦ୍ୱାରରେ ଚାରିବେଦର ପ୍ରବୀଣ ଥିବା ଚାରିଜଣ ସ୍ଥାନୀୟ ଶ୍ରୋତ୍ରୀୟ ବ୍ରାହ୍ମଣ ନିଯୁକ୍ତ ହୁଅନ୍ତି । ଏମାନଙ୍କ ସହିତ ଚାରିପାଞ୍ଚଜଣ ମନ୍ତ୍ରଜାପକଙ୍କୁ ମଧ୍ୟ ନିୟୋଜିତ କରାଯାଏ । ପ୍ରଥମେ ନାନ୍ଦୀମୁଖ ଶ୍ରାଦ୍ଧ ପରେ ଜଳକୁମ୍ଭ ମଧ୍ୟରେ ବିଭିନ୍ନ ଦେବାଦେବୀଙ୍କର ଆବାହନ କରାଯାଇ ପୂଜା କରାଯାଇଥାଏ । ଏହାପରେ ଆଚାର୍ଯ୍ୟ ବୃକ୍ଷ ନିକଟକୁ ଯାଇ ପୂଜା କରନ୍ତି । ଏହାପରେ ଯଜ୍ଞକୁଣ୍ଡରେ

ବୈଷ୍ଣବାଗ୍ନିଙ୍କର ଆରାଧନା କରାଯାଏ । ପ୍ରଥମ ନଅ ଆହୁତି ବିଭିନ୍ନ ବୈଦିକ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ପାତାଳ ନୃସିଂହଙ୍କ ମନ୍ତ୍ରରେ ୩୦୮ଥର ଆହୁତି ଓ ମନ୍ତ୍ରରାଜ ନୃସିଂହ ମନ୍ତ୍ରରେ ୧୦୦୦ ଆହୁତି ଦିଆଯାଏ (ସମୟାନୁଯାୟୀ ଏହି ସଂଖ୍ୟାକୁ କମାଇ ଦିଆଯାଇପାରେ ) । ଶେଷରେ ଯେଉଁ ଦେବଦେବୀଙ୍କ ବିଗ୍ରହ ନିର୍ମାଣ ନିମିତ୍ତ ସମ୍ପୃକ୍ତ ଦାରୁବୃକ୍ଷଟି ଉଦ୍ଦିଷ୍ଟ, ତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ୧୦୦ ଆହୁତି ପ୍ରଦାନ କରାଯାଏ । ଏହି ସମୟରେ ଆଚାର୍ଯ୍ୟ ଘୃତାହୁତି ପ୍ରଦାନ କରୁଥିବା ବେଳେ ଚରୁହୋତା ଯଜ୍ଞାଗ୍ନିରେ ଚରୁଅନ୍ନ ନିକ୍ଷେପ କରନ୍ତି । ସମିଧ ହୋତା ସମିଧ ପ୍ରଦାନ କରନ୍ତି ଏବଂ ବ୍ରହ୍ମା କୃତାକୃତ୍ୟ ନିରୀକ୍ଷଣ କରନ୍ତି । ଜାପକ ଜପ କରନ୍ତି ଓ ଆହୁତି ଗଣନା କରନ୍ତି । ପୁସ୍ତକାଚାର୍ଯ୍ୟ ବିଧି ବ୍ୟତିକ୍ରମ, ଆନୁସଙ୍ଗିକତାର ବିପର୍ଯୟ ପ୍ରଭୃତି ବିଷୟରେ ସଚେତନ କରାଇଦିଅନ୍ତି । ଯଜ୍ଞକର୍ମରେ ଶାସ୍ତ୍ରୀୟ ବିଧିର ଅନୁପାଳନ ଦେଖିବା ପୁସ୍ତକାଚାର୍ଯ୍ୟଙ୍କର ଦାୟିତ୍ୱ ଅଟେ । ପରିଶେଷରେ ପାତାଳି ନୃସିଂହ ମନ୍ତ୍ରରେ ପୂର୍ଣ୍ଣାହୁତି ଦିଆଯାଏ ।

ବନଯାଗ ସମାପ୍ତ ହେଲେ ଆଚାର୍ଯ୍ୟଙ୍କ ସମେତ ବ୍ରାହ୍ମଣ, ପତିମହାପାତ୍ର, ଦଇତାପତି ସେବକ ସାତବାର ଯଜ୍ଞାଗ୍ନି ପ୍ରଦକ୍ଷିଣ କରି ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି । ଯଜ୍ଞର ସମସ୍ତ ଦାରୁଯାତ୍ରୀ ବୃକ୍ଷ ନିକଟକୁ ଆସି ତହିଁରେ ସମ୍ପାତାଜ୍ୟ ଲେପନ କରନ୍ତି । ତୃତୀୟ ଦିନ ଆଚାର୍ଯ୍ୟ ବ୍ରାହ୍ମଣଗଣ ପ୍ରଥମେ ଯଜ୍ଞମଣ୍ଡପରେ ଅଧିଷ୍ଠିତ ହୋଇଥିବା ବିଭିନ୍ନ ଦେବଦେବୀଙ୍କୁ ପୂଜା କରନ୍ତି । ତା’ପରେ ସେମାନେ ନୃସିଂହ ମନ୍ତ୍ରରାଜ ସାହାଯ୍ୟରେ ନିଜକୁ ଅଭିମନ୍ତ୍ରିତ କରି ଓ ମନ୍ତ୍ରରାଜ ଜପ କରି ବୃକ୍ଷ ନିକଟକୁ ଗମନ କରନ୍ତି ଓ ବନସ୍ପତି ମନ୍ତ୍ରରେ ବୃକ୍ଷକୁ ପୂଜା କରିବା ସହ ୧୦୮ଥର ଆହୁତି ଦେଇଥାନ୍ତି । ତା’ପରେ ଯଜ୍ଞଶାଳାରେ ସ୍ଥାପିତ ହୋଇଥିବା କୁରାଢ଼ୀ ଗୁଡିକୁ ଅସ୍ତ୍ର ମନ୍ତ୍ରରେ ପୂଜା କରାଯାଏ । ଏହାପରେ ଏହି କୁରାଢ଼ୀ ଗୁଡିକୁ ଯଥାକ୍ରମେ ବିଦ୍ୟାପତି, ବିଶ୍ୱାବସୁ ଓ ବିଶ୍ୱକର୍ମାଙ୍କୁ ଦିଅନ୍ତି । ସେମାନେ ବୃକ୍ଷର ଏହାକୁ ସ୍ପର୍ଶ କରାଇବା ପରେ ଅନ୍ୟ ବିଶ୍ୱକର୍ମା ଦ୍ୱାରା ବୃକ୍ଷଛେଦାନ କରାଯାଏ ।

ଦାରୁ ପାଇଁ ନିର୍ବାଚିତ ବୃକ୍ଷକୁ ଅନ୍ୟ ବୃକ୍ଷପରି କଟା ନଯାଇ ପ୍ରଥମେ ବୃକ୍ଷ ମୂଳକୁ କାଟି ପରେ ମାପ ମୁତାବକ ଖଣ୍ଡ ଖଣ୍ଡ କରାଯାଇ କେବଳ ବୃକ୍ଷର ମଝି ଅଂଶଟି ରଖାଯାଏ । ଏହାକୁ “ଚଉପଟ” କୁହାଯାଏ । ଏହାପରେ ଦାରୁକୁ ନବନିର୍ମିତ ଶଗଡ଼ିରେ ମନ୍ତ୍ର ଉଚ୍ଚାରଣ ପୂର୍ବକ ରଖାଯାଇ ଶ୍ରୀମନ୍ଦିର ଅଭିମୁଖେ ଅଣାଯାଏ । ବିଧି ଅନୁସାରେ ଜ୍ୟେଷ୍ଠ ପୂର୍ଣ୍ଣମୀ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିମନ୍ତେ ଦାରୁ ଶ୍ରୀମନ୍ଦିରକୁ ଅଣାଯାଇ କୋଇଲି ବୈକୁଣ୍ଠଠାରେ ରଖାଯାଏ ।

କୋଇଲି ବୈକୁଣ୍ଠ ଶ୍ରୀମନ୍ଦିରର ଉତ୍ତର ଦିଗରେ ଅବସ୍ଥିତ । ସ୍ତୁତିଶାସ୍ତ୍ରାନୁସାରେ ଉତାରେ ସର୍ବତୀର୍ଥାନୀ ଉତ୍ତରେ ସର୍ବ ଦେବତାଃ” ହେତୁ ଉତ୍ତର ଦିଗସ୍ଥ କୋଇଲି ବୈକୁଣ୍ଠ ଅତୀବ ପବିତ୍ର । ତେଣୁ ଏଠାରେ ଦାରୁ ରଖାଯିବାଠାରୁ ଆରମ୍ଭ କରି ବିଗ୍ରହ ନିର୍ମାଣ ଓ ପ୍ରତିଷ୍ଠା କର୍ମ ସମାପ୍ତ ପର୍ଯ୍ୟନ୍ତ ସମସ୍ତ କର୍ମ ହୁଏ । ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ କୋଇଲି ବୈକୁଣ୍ଠ ମଧ୍ୟରେ କେତେଗୁଡ଼ିଏ ଅସ୍ଥାୟୀ ଘର ନିର୍ମିତ ହୁଏ । ଏହି ଘର ମଧ୍ୟରେ ଅଙ୍କୁରାରୋପଣ ଗୃହ, ନିର୍ମାଣ ମଣ୍ଡପ, ଯଜ୍ଞମଣ୍ଡପ, ନୃସିଂହ ମଣ୍ଡପ, ସ୍ନାନ ଅଧିବାସ ଓ ନ୍ୟାସଦାରୁ ଗୃହ ଅନ୍ୟତମ । ଏହି ଗୃହ ଗୁଡ଼ିକ ଛଣ ଦ୍ୱାରା ଛପର କରାଯାଇ ଚତୁଃପାର୍ଶ୍ୱ ତାଳତାଟି ଦ୍ୱାରା ବନ୍ଦ କରାଯାଏ ।

ଏହି ଗୃହ ଗୁଡ଼ିକ ମଧ୍ୟରୁ ଯଜ୍ଞଗୃହଟିର ନିର୍ମାଣ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଗୃହଟି ବାରହାତ ବିଶିଷ୍ଟ ବର୍ଗାକାର କ୍ଷେତ୍ରରେ ନିର୍ମାଣ ହୁଏ । ଏଥିରେ ଷୋଳଗୋଟି ଖମ୍ବ ଥାଏ ଏବଂ ଏହା ଦୁଇ ଚାଳ ବିଶିଷ୍ଟ । ଘରର ମଧ୍ୟଭାଗରେ ପାଞ୍ଚପା ଦୈର୍ଘ୍ୟ ଓ ପ୍ରସ୍ଥ ବିଶିଷ୍ଟ ଯଜ୍ଞକୁଣ୍ଡ ନିର୍ମିତ ହୁଏ । ଏହାବ୍ୟତୀତ ଯଜ୍ଞମଣ୍ଡପର ଚାରିଦିଗକୁ ଥିବା ଚାରିଦ୍ୱାରରେ ଚାରିବେଦ ଓ ହୋମ ନିମନ୍ତେ ଚାରୋଟି କୁଣ୍ଡ କରାଯାଏ । ଯଜ୍ଞଗୃହର ପଶ୍ଚିମ ଦିଗରେ ଷୋଳହାତ ଦୈର୍ଘ୍ୟ ପ୍ରସ୍ଥ ବିଶିଷ୍ଟ ନିର୍ମାଣ ମଣ୍ଡପ ହୁଏ । ଏହାର ଉତ୍ତର ଦିଗରେ ଅଙ୍କୁରାରୋପଣ ଗୃହ ନିର୍ମାଣ କରାଯାଏ । ଯଜ୍ଞମଣ୍ଡପର ପୂର୍ବ ଦ୍ୱାର ପାଖକୁ ସ୍ନାନ ଅଧିବାସ ଗୃହ ନିର୍ମାଣ କରାଯାଇଥାଏ । ଏହି ଗୃହର ଠିକ୍ ପୂର୍ବ ଭାଗରେ କୋଇଲି ବୈକୁଣ୍ଠର ପ୍ରାଚୀରକୁ ଲାଗି ଦାରୁଗୃହ ନିର୍ମାଣ କରାଯାଏ । ଦାରୁଗୃହର ଦକ୍ଷନ ପାର୍ଶ୍ଵରେ ନୃସିଂହ ଗୃହ ଓ ନ୍ୟାସ ଦାରୁଗୃହ ନିର୍ମାଣ କରାଯାଏ ।

ଏହିସବୁ ଗୃହର ନିର୍ମାଣ ସରିବା ପରେ ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ ଏକ ଶୁଭ ବେଳାରେ ବ୍ରାହ୍ମଣମାନେ ପଞ୍ଚଶସ୍ୟ ନେଇ ଅଙ୍କୁରାରୋପଣ କରନ୍ତି । ଶାଳା ଓ ଅଗ୍ନି ରକ୍ଷକ ଭାବରେ ଦୁଇଜଣ ବ୍ରାହ୍ମଣ ବରଣ ହୋଇ ଏହାର ଦାୟିତ୍ୱ ନିଅନ୍ତି ।ପୁସ୍ତକାଚାର୍ଯ୍ୟ ନିର୍ଦ୍ଦେଶରେ ମଣ୍ଡଳାଚାର୍ଯ୍ୟ ଯଜ୍ଞ ପାଇଁ ନିର୍ମାଣ କରାଯାଇଥିବା ବିଭିନ୍ନ ଗୃହରେ ମଣ୍ଡଳ ପକାନ୍ତି । ପ୍ରତିଷ୍ଠା କର୍ମ ନିମନ୍ତେ ଆଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ, ଚରୁ, ସମିଧାଚାର୍ଯ୍ୟ, ବ୍ରହ୍ମା, ରାଜପ୍ରତିନିଧି ଆଦି ବ୍ରାହ୍ମଣଙ୍କୁ ବିଧି ପୂର୍ବକ ବରଣ କରାଯାଏ ।

ଦାରୁ ସ୍ନାନ ପରେ ନୃସିଂହ ମଣ୍ଡପରେ ଖଟଶେଜ ପକାଇ ଦଇତା ଓ ପତିମହାପାତ୍ର ଦକ୍ଷିଣ ଘରୁ ନୃସିଂହଙ୍କୁ ବିଜେ କରନ୍ତି । ଏହାପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୁଏ । ଏହି ସମୟରେ ଶ୍ରୀମନ୍ଦିର ନାଟମଣ୍ଡପରେ ପଞ୍ଚରୁଦ୍ର, ପଞ୍ଚଶକ୍ତି ପାଖରେ ଜପ, ସ୍ତୁତି, ଚଣ୍ଡୀପାଠ କର୍ମ ଆଦି ଚାଲେ । ମଣ୍ଡଳପକା ଓ ଶାଳା ସଜ୍ଜା ପରେ ଶାଳା ପୂଜା ଓ ବୈଷ୍ଣବାଗ୍ନି ସଂସ୍କାର ହୁଏ । ଶାଳାର ବିଭିନ୍ନ କୋଣରେ ମଣ୍ଡଳ ପୂଜା, ଶାଳା ମଧ୍ୟରେ ନିଦ୍ରାଘଟ ପୂଜା ଓ ଅସ୍ତ୍ର ପୂଜା କରାଯାଏ । ଏତଦବ୍ୟତୀତ ଚାରିଦ୍ୱାରରେ ବେଦହୋମ ହୁଏ । ଏ ସମସ୍ତ କର୍ମବିଧି ପୂର୍ବକ ଏବଂ ହୋମ ନୃସିଂହ ମନ୍ତ୍ରରାଜ ମନ୍ତ୍ରରେ ହୁଏ ।

ନ୍ୟାସ ଦାରୁକୁ ଅଧିବାସ ଗୃହରେ ନିର୍ମିତ ଚକ୍ରାରବିନ୍ଦ ମଣ୍ଡଳ ଉପରେ ଖଟ ପକାଇ ବିଜେ କରାଯାଏ । ଏହି ଦାରୁକୁ ସ୍ନାନ କରାଯିବା ପରେ ଯଜ୍ଞଶାଳାର ଐଶନ୍ୟ କୋଣରେ ରଖାଯାଇ ପ୍ରତିଷ୍ଠା କର୍ମ ଓ ଷୋଡଶ ଉପଚାରରେ ଦାରୁପୂଜା କରାଯାଏ ।

ପ୍ରତ୍ୟେକ ଦିନ ଭଳି ଚତୁର୍ଦ୍ଦଶୀ ଦିନ ହୋମାଦି କର୍ମ ସମାପନ ପରେ ତିଳପାୟଶ ବଳି ଦିଆଯାଏ । ତା’ପରେ ନୂତନ ବିଗ୍ରହକୁ ସର୍ବୋଷଧି ଜଳରେ ସ୍ନାନ କରାଯାଏ । ଏହାପରେ ପୂନର୍ବାର ହୋମ ହେବା ପରେ ନୂତନ ବିଗ୍ରହଙ୍କୁ ଆଚାର୍ଯ୍ୟ ପ୍ରାଣନ୍ୟାସ କରନ୍ତି । ଶ୍ରୀସୂକ୍ତ ଓ ପୁରୁଷସୂକ୍ତ ପାଠ ମଧ୍ୟରେ ବିଗ୍ରହଙ୍କୁ ଦଇତାମାନେ ସ୍ନାନ କରାନ୍ତି । ଏ ସମସ୍ତ କର୍ମର ସମାପନ ହେବା ପରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଏ । ଏହାପରେ ଦାନ ବିଧି ଆଳତୀ ଓ ପୁଷ୍ପାଞ୍ଜଳି ହୋଇ ଅଗ୍ନି ଶାନ୍ତି କରାଯାଏ । ଏ ସମସ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ ବୈଦିକ ପଦ୍ଧତି ଅନୁଯାୟୀ ଶେଷ ହେବା ପରେ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ଅତ୍ୟନ୍ତ ଗୁପ୍ତ ଭାବରେ କରାଯାଏ । ଏହି କାର୍ଯ୍ୟକୁ କେହି କେହି ଆନ୍ତଃ ବନଯାଗ ବୋଲି ବର୍ଣ୍ଣନା କରନ୍ତି ।

ମହାପ୍ରଭୁଙ୍କ ନବକଳେବର ପ୍ରକ୍ରିୟା ଆରମ୍ଭ ହେବାଠାରୁ ଯଜ୍ଞକର୍ମାଦି ଶେଷ ହେବା ପର୍ଯ୍ୟନ୍ତ ନୃସିଂହ ମନ୍ତ୍ରର ବ୍ୟାପକ ବ୍ୟବହାର ଦେଖାଯାଏ । ନୃସିଂହ ସ୍ତମ୍ଭରୁ ଆବିର୍ଭୂତ । ସୁଦର୍ଶନଙ୍କ ଆକୃତି ସ୍ତମ୍ଭ ସ୍ବରୂପ ଓ ସ୍ତମ୍ଭପରି ଦାରୁ ଗଣ୍ଡିରୁ ଜଗନ୍ନାଥ ଓ ଅନ୍ୟ ବିଗ୍ରହ ଗଢ଼ା ଯାଉଥିବାରୁ ସ୍ତମ୍ଭପୂଜାରୁ ଏହି ଠାକୁରମାନଙ୍କ ଉପାସନା କ୍ରମ ପରିଣତି ଲାଭ କରିଛି ବୋଲି କେତେକ ଗବେଷକ ଅନୁମାନ କରନ୍ତି । ଅନ୍ୟ କେତେକଙ୍କ ମତରେ ବୈଦିକ ପରମ୍ପରାରେ ଯୂପର ପୂଜା ଥିଲା । ବୈଦିକ ଯୂପ ବା ସ୍ତମ୍ଭକୁ ଅନାଦି ଓ ଶାଶ୍ଵତ ବୋଲି କୁହାଯାଇଛି । ଶିବଲିଙ୍ଗ ଓ ବିଷ୍ଣୁପୂଜାର ମୂଳତତ୍ତ୍ଵ ବୈଦିକ ସ୍ତମ୍ଭ ପୂଜାରେ ନିହିତ । ସ୍ତମ୍ଭରୁ ନୃସିଂହ ଭାବରେ ବିଷ୍ଣୁଙ୍କର ଆବିର୍ଭାବ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି । ସ୍କନ୍ଧ ପୁରାଣରେ ମଧ୍ୟ ବୈଦିକ ସ୍ତମ୍ଭ ଓ ଯୂପ ସମ୍ବନ୍ଧରେ ବର୍ଣ୍ଣନା ଦେଖିବାକୁ ମିଳେ । ଏଣୁ ଦାରୁ ଆସିବାଠାରୁ ତା’ରି ଅଭିଷେକ, ନ୍ୟାସ ଆଦି ବିଧି ବିଧାନ ସମ୍ପନ୍ନ ହେବାଠାରୁ ମୂର୍ତ୍ତି ନିର୍ମାଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଲକ୍ଷ୍ୟ କଲେ ଜଣାଯାଏ ଏଥିରେ ରହିଛି ସବୁକିଛି ବୈଦିକ । ବୈଦିକ ମନ୍ତ୍ରମାନଙ୍କର ପ୍ରୟୋଗ, ନୃସିଂହ ମନ୍ତ୍ର, ସୁଦର୍ଶନ ମନ୍ତ୍ରର ଉପଯୋଗ, ଶ୍ରୀଜଗନ୍ନାଥଙ୍କୁ ବୈଦିକ ସନାତନ ଧର୍ମର ଆଦି ଦେବତା ଭାବରେ ଉପସ୍ଥାପନ କରେ ।

 

ନବକଳେବରରେ କାରୁଶାଳା ପଦ୍ଧତି

ଡକ୍ଟର ନରେଶ ଚନ୍ଦ୍ର ଦାଶ

ଉପକ୍ରମ :

ପରମକାରୁଣିକ ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀଦାରୁବ୍ରହ୍ମଙ୍କର ପୁରାତନ ଦାରୁ କଳେବର ତ୍ୟାଗ ପୂର୍ବକ ନୂତନ ଦାରୁ ବିଗ୍ରହ ଧାରଣକୁ ନବକଳେବର କୁହାଯାଏ । ଇନ୍ଦ୍ରନୀଳମଣି ପୁରାଣ, ଅଗ୍ନିଚିହ୍ନ, ବାଜପେୟୀକୃତ ପ୍ରତିଷ୍ଠା ପ୍ରଦୀପ, ବନଯାଗବିଧି ଓ ଗୋପାଳଭଟ୍ଟ ବିରଚିତ ଚଳଶ୍ରୀମୂର୍ତ୍ତି ପ୍ରତିଷ୍ଠା ବିଧି ପ୍ରଭୃତିରେ ‘ନବକଳେବର’ ବିଧାନ ସମ୍ବନ୍ଧରେ ବର୍ଣ୍ଣନା ରହିଛି । ଯୋଡ଼ା ଆଷାଢ଼ ମଳମାସ ବ ପୁରୁଷୋତ୍ତମ ମାସରେ ମହାପ୍ରଭୁଙ୍କର ନବକଳେବର ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ କାଳକୁ ଅନବସର ବା ଅଣସର କୁହାଯାଇଥାଏ । ଏହି ପନ୍ଦର ଦିନ ମହାପ୍ରଭୁଙ୍କର ଗୁପ୍ତପୂଜା ପାରମ୍ପରିକ ରୀତିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଯୋଡ଼ା ଆଷାଢ଼ରେ ନବକଳେବର ଅବସରରେ ମଳମାସ ବା ପୁରୁଷୋତ୍ତମ ମାସର ଗଣନା ହେତୁ ଉକ୍ତ ଅନବସର କାଳ ୪୫ ଦିନ ହୋଇଥାଏ । ଏଣୁ ଏହି ସମୟକୁ ‘ମହାଅଣସର’ ବୋଲି କୁହାଯାଇଥାଏ । ଏହି ସମୟ ମଧ୍ୟରେ ମୂର୍ତ୍ତି ନିର୍ମାଣ, ବ୍ରହ୍ମ ପରିବର୍ତ୍ତନ, ବିଗ୍ରହମାନଙ୍କୁ ପୂର୍ଣ୍ଣ ରୂପ ଦେବା କାରଜୟା ସମ୍ପୁର୍ଣ୍ଣ ହୋଇଥାଏ । ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଦଇତାପତି ଓ ପତିମହାପାତ୍ର ସେବକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାରଣା ବା ବିଶ୍ଵକର୍ମାଙ୍କ ଦ୍ଵାରା ହିଁ ସମ୍ପାଦିତ ହୋଇଥାଏ ।

ନବକଳେବର ପଦ୍ଧତିରେ ତେରଟି ସୋପାନ ରହିଛି । ଯଥା-୧) ବନଯୋଗ ଯାତ୍ରା, ୨)ମହାଦାରୁ ନିର୍ଣ୍ଣୟ, ୩) ଶବରପଲ୍ଲୀ ନିର୍ମାଣ, ୪) ପାରମ୍ପରିକ ବୈଦିକ କର୍ମ, ୫) ମହାଦାରୁ ଛେଦନ, ୬) ମହାଦାରୁଙ୍କ ଶ୍ରୀକ୍ଷେତ୍ରକୁ ଯାତ୍ରା, ୭) କାରୁଶାଳା ନିର୍ମାଣ, ୮) ନୂତନ ବିଗ୍ରହ ଗଠନ ପ୍ରତିଷ୍ଠା, ୯) ବ୍ରହ୍ମୋତ୍ସବ ଲୀଳା, ୧୦) ଗୋଲେକ ଲୀଳା, ୧୧) ଦଇତାପତିଙ୍କ ଶୁଦ୍ଧିକ୍ରିୟା, ୧୨) ମହାଅନସର ଲୀଳା ଓ ୧୩) ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ।

କାରୁଶାଳା ନିର୍ମାଣ :

ସ୍ନାନପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରସ୍ଥ କୋଇଲିବୈକୁଣ୍ଠ ମଧ୍ୟରେ ନବକଳେବର ଉପଲକ୍ଷେ ସାତଗୋଟି ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥାଏ, ଯାହାକୁ କାରୁଶାଳା କହନ୍ତି । ସେହି ସାତଗୋଟି ଅସ୍ଥାୟୀ ଗୃହ ହେଲା, ୧) ନିର୍ମାଣ ମଣ୍ଡପ, ୨) ପ୍ରତିଷ୍ଠା ମଣ୍ଡପ, ୩) ନୃସିଂହ ମଣ୍ଡପ, ୪) ଦାରୁମଣ୍ଡପ, ୫) ସମ୍ଭାର ମଣ୍ଡପ, ୬) ସ୍ନାନ ମଣ୍ଡପ ଓ ୭) ଅଧିବାସ ମଣ୍ଡପ । ପ୍ରତିଷ୍ଠା ମଣ୍ଡପ ବା ଯଜ୍ଞ ମଣ୍ଡପର ମଧ୍ୟଭାଗରେ ଯଜ୍ଞକୁଣ୍ଡ ନିର୍ମିତ ହୋଇଥାଏ । ପ୍ରତିଷ୍ଠା ମଣ୍ଡପର ଉତ୍ତର ଭାଗରେ ସମ୍ଭାର ମଣ୍ଡପ ନିର୍ମିତ ହୋଇଥାଏ । ଏହି ସ୍ଥାନରେ ଅଙ୍କରାରୋପଣ କରାଯାଏ । ପ୍ରତିଷ୍ଠା ମଣ୍ଡପର ପୂର୍ବ ଦିଗରେ ସ୍ନାନ ମଣ୍ଡପ ଓ ଅଧିବାସ ମଣ୍ଡପ ନିର୍ମିତ ହୋଇଥାଏ । ଏହାର ଦକ୍ଷିଣ ପୂର୍ବ କୋଣରେ ଶ୍ରୀଲକ୍ଷ୍ମୀନୃସିଂହଙ୍କ ନିମନ୍ତେ ନୃସିଂହ ମଣ୍ଡପ ନିର୍ମାଣ କରାଯାଇଥାଏ । ଏହି ମଣ୍ଡପର ପଶ୍ଚିମକୁ ଅଧିବାସ ମଣ୍ଡପ ନିର୍ମିତ ହୁଏ । ଏହି ସମସ୍ତ ମଣ୍ଡପର ଉପରିଭାଗ ଛଣଦ୍ଵାରା ଛପର କରାଯାଇ ଚାରି ପାଖରେ ତାଳତାଟି ସଂପୃକ୍ତ ହୋଇଥାଏ । ନିର୍ମାଣ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ନିର୍ମାଣ କାର୍ଯ୍ୟ କରାଯାଇଥାଏ । ସ୍ନାନ ମଣ୍ଡପରେ ଦାରୁଙ୍କୁ ସ୍ନାନ କରାଯାଏ ଓ ଅଧିବାସ ମଣ୍ଡପରେ ଜଳାଧିବାସ କରାଯାଇଥାଏ ।

ଗୃହ, ମଣ୍ଡପାଦିରେ ନିର୍ମାଣ ପରେ ସ୍ନାନପୂର୍ଣ୍ଣିମା ପୂର୍ବରୁ ମଙ୍ଗଳ ମୁହୂର୍ତ୍ତରେ ବ୍ରାହ୍ମଣମାନଙ୍କ ଦ୍ଵାରା ଅଙ୍କୁରାରୋପଣ କରାଯାଏ । ଏହି ଦିନଠାରୁ ପ୍ରତ୍ୟେକ ରାତ୍ରିରେ ବଳିଦାନ ପ୍ରଦତ୍ତ ହୁଏ । ଦୁଇଜଣ ବ୍ରାହ୍ମଣ ଶାଳା ଓ ଅଗ୍ନି ରକ୍ଷକ ଭାବରେ ବରଣ ହୋଇ ଶାଳା ଏବଂ ଅଗ୍ନିରକ୍ଷା କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ମହାପ୍ରଭୁମାନଙ୍କ ସ୍ନାନ ସମୟରେ କୋଇଲି ବୈକୁଣ୍ଠରେ ମହାଦାରୁମାନଙ୍କ ମହାଜ୍ୟେଷ୍ଠା ମନ୍ତ୍ରରେ ଅଭିଷେକ କରାଯାଏ । ଏହାପରେ କାରୁଶାଳାରେ ବିଶ୍ଵକର୍ମା ମହାରଣାମାନେ ହବିଷ୍ୟାନ୍ନ ଭକ୍ଷଣକରି ଶ୍ରୀବିଗ୍ରହମାନଙ୍କୁ ନିର୍ମାଣ କରନ୍ତି-। ଚତୁର୍ଦ୍ଧାବିଗ୍ରହଙ୍କ ସମେତ ଆନୀତ ଦାରୁରେ ରତ୍ନସିଂହାସନସ୍ଥ ଦାରୁବିଗ୍ରହ ଶ୍ରୀମାଧବଙ୍କର ମଧ୍ୟ ନବକଳେବର ହୋଇଥାଏ । ଦଇତାପତି ଓ ବିଶ୍ଵକର୍ମା ମହାରଣାମାନେ ପ୍ରଥମଦିନ ଅର୍ଥାତ୍ ଆଷାଢ଼ କୃଷ୍ଣ ପ୍ରତିପଦା ଦିନ ପ୍ରଶାସନ ତରଫରୁ ଖଣ୍ଡୁଆ ପାଇଥାନ୍ତି । ଦ୍ଵିତୀୟ ଦିନଠାରୁ କାରୁଶାଳାରେ ଶ୍ରୀବିଗ୍ରହମାନଙ୍କର ଗଠନ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି ସମୟରେ ବ୍ରାହ୍ମଣମାନେ ‘ନ୍ୟାସଦାରୁ’ ପ୍ରତିଷ୍ଠା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ।

କାରୁଶାଳାରେ ଠାକୁରମାନଙ୍କର ଶ୍ରୀବିଗ୍ରହ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଏହି ନିର୍ମାଣ କାର୍ଯ୍ୟକୁ ଯେପରି ଅନ୍ୟ କେହି ଦେଖି ନପାରିବେ, ସେଥିପାଇଁ କୋଇଲି ବୈକୁଣ୍ଠ ଉପବନର ଚତୁଃପାର୍ଶ୍ଵରେ ନଡିଆ ଚାଞ୍ଚ ଦ୍ଵାରା ଆବଦ୍ଧ କରାଯାଇଥାଏ । ପ୍ରତିମା ଗଠନକାଳୀନ ଶବ୍ଦକୁ ଯେପରି ଅନ୍ୟକେହି ନ ଶୁଣିବେ, ସେଥିପାଇଁ ନିର୍ମାଣ ମଣ୍ଡପର ବର୍ହିଦେଶରେ ଅର୍ଥାତ୍ କୋଇଲିବୈକୁଣ୍ଠ ଉପବନର ବାହାରେ ତେଲେଙ୍ଗା ବାଦ୍ୟ, ଘଣ୍ଟ, ମାହାରୀଙ୍କ ମଙ୍ଗଳ ଗୀତ ଗାନ ତଥା ହୁଳହୁଳି ଧ୍ଵନିରେ ଏକ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ନିର୍ମାଣ ସମୟରେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ, ସେ ସମ୍ପର୍କରେ ସ୍କନ୍ଦ ପୁରାଣର ଅଷ୍ଟାଦଶ ଅଧ୍ୟାୟରେ ୩୯, ୪୦,୪୧,୪୨ରେ ସ୍ପଷ୍ଟ ବର୍ଣ୍ଣନା ରହିଅଛି । ଯଥା-

ବହିର୍ବାଦ୍ୟାନି କୁର୍ବନ୍ତୁ ଯାବତ୍ତୁ ଘଟନା ଭବେତ୍

ଶ୍ରୁତୋ ହି ଘଟନାଶବ୍ଦୋ ବାଧିର୍ଯ୍ୟାନ୍ଧତ୍ଵଦାୟକଃ

।।

ନରକେ ବସତିଂ ଚୈବ କୁର୍ଯ୍ୟାତ୍ ସନ୍ତାନନାଶନମ୍

।।

ନାନ୍ତଃ ପ୍ରବେଶନଂ କୁର୍ଯ୍ୟାନ୍ ନ ପଶ୍ୟେଚ୍ଚ କଦାଚନ

।।

ନିଯୁକ୍ତାଦନ୍ୟଃ ପଶ୍ୟେଚ୍ଚେଦ୍ରାଜ୍ଞୋ ରାଷ୍ଟ୍ରସ୍ୟ ଚୈବ ହି ।

ଦ୍ରଷ୍ଟୁଶ୍ଚାପି ମହାଭୀତିରନ୍ଧତା ଚକ୍ଷୁଷୋର୍ଯୁଗେ

ତସ୍ମାନ୍ନାବେକ୍ଷଣଂ କାର୍ଯ୍ୟଂ ଯାବତ୍ ପ୍ରତିନିର୍ମିତଃ

।।

ଅର୍ଥାତ୍ ଯେପର୍ଯ୍ୟନ୍ତ ଏହି ଗଠନ କାର୍ଯ୍ୟ ସମ୍ପନ୍ନ ନ ହୋଇଛି, ଏହାର ବର୍ହିଭାଗରେ ନାନାବିଧା ବାଦ୍ୟ ବାଦନ କରୁଥାଅ । କାରଣ ଏହି ଗଠନ ଶବ୍ଦ ଶ୍ରୁତି ଭାଗରେ ପ୍ରବିଷ୍ଟ ହେଲେ ବଧିରତା, ଅନ୍ଧତ୍ଵ, ନରକ ବାସ ଓ ଅପତ୍ୟ ନାଶ ପ୍ରଭୃତି ହୋଇଥାଏ । ଅତଏବ କଦାପି ଘଟନା ଗୃହର ଅର୍ନ୍ତଭାଗରେ ପ୍ରବେଶ କରିବା ସମୀଚୀନ ନୁହେଁ । ସେହିପରି ମୂର୍ତ୍ତି ଗଠନ କାର୍ଯ୍ୟ ଦର୍ଶନ କରିବା ଅନୁଚିତ୍ । ଯଦି ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟ କେହି ଏହାକୁ ଦର୍ଶନ କରନ୍ତି, ତାହାହେଲେ କି ରାଜା କି ରାଷ୍ଟ୍ର ସମସ୍ତଙ୍କର ହିଁ ମହାଭୟ ଉପସ୍ଥିତ ହୋଇଥାଏ । ବିଶେଷତଃ ଦର୍ଶନକାରୀ ବ୍ୟକ୍ତି ଯୁଗ ଯୁଗ ଧରି ଅନ୍ଧତାର ବଶୀଭୂତ ହୋଇଥାନ୍ତି । ଏଣୁ ଯେପର୍ଯ୍ୟନ୍ତ ଶ୍ରୀବିଗ୍ରହ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ନ ହୋଇଛି, ସେପର୍ଯ୍ୟନ୍ତ କେବେହେଲେ ଦର୍ଶନ କରିବା ବିଧେୟ ନୁହେଁ ।

ଶ୍ରୀମୂର୍ତ୍ତି ନିର୍ମିତ ହେବ ପୂର୍ବରୁ ଚାରିଟି ପଥର ଚକା ନୂତନ ଭାବେ ନିର୍ମାଣ କରାଯାଇ ସେହିଠାରେ ରଖାଯାଇଥାଏ । ଶ୍ରୀମୂର୍ତ୍ତିମାନେ ନିର୍ମିତ ହେବା ପରେ ଏହି ଚକାଗୁଡିକ ଉପରେ ବିଜେ କରିଥାନ୍ତି । କାରୁଶାଳାରେ ଚତୁର୍ଦ୍ଧାମୂର୍ତ୍ତି ଓ ମାଧବଙ୍କ ମୂର୍ତ୍ତି ନିର୍ମାଣ ଏକ ନିର୍ଦ୍ଦିଷ୍ଟ ମାପ ଅନୁଯାୟୀ କରାଯାଇଥାଏ । ଏହି ତଥ୍ୟ ବିଶ୍ଵକର୍ମା ମହାରଣା ଓ ଦଇତାପତି ସେବକମାନଙ୍କ ମଧ୍ୟରେ ଗୁପ୍ତ ରଖାଯାଏ । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ସ୍ଵରଚିତ ‘ଶ୍ରୀଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ଵ’ ପୁସ୍ତକରେ ୨୨୭ ପୃଷ୍ଠାରେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ-

ଶ୍ରୀଜଗନ୍ନାଥଦେବ

ଚକ୍ରାକୃତି, ଉଚ୍ଚ ୮୪ ଯବ, ମେଘଶ୍ୟାମ ବର୍ଣ୍ଣ ।

ଶ୍ରୀବଳରାମଦେବ

ଶଙ୍ଖାକୃତି, ଉଚ୍ଚ ୮୪ ଯବ, ଶୁଭ୍ରବର୍ଣ୍ଣ ।

ଶ୍ରୀସୁଭଦ୍ରାଦେବୀ

ପଦ୍ମାକୃତି, ଉଚ୍ଚ ୫୨ ଯବ, ହରିଦ୍ରା ବର୍ଣ୍ଣ ।

ଶ୍ରୀସୁଦର୍ଶନଦେବ

ଗଦାକୃତି, ଉଚ୍ଚ ୮୪ ଯବ, ରକ୍ତ ବର୍ଣ୍ଣ ।

ପ୍ରତିମାମାନଙ୍କର ଆକୃତି ଯନ୍ତ୍ର ଅନୁସାରେ ନିର୍ମିତ ହୋଇଥାଏ । ଏହି ଯନ୍ତ୍ରଗୁଡିକ ହେଲା- ଚକ୍ରଯନ୍ତ୍ର, ଶଙ୍ଖଯନ୍ତ୍ର, ପଦ୍ମଯନ୍ତ୍ର ଓ ଗଦାଯନ୍ତ୍ର ।

ନ୍ୟାସଦାରୁ ପ୍ରତିଷ୍ଠା :

ବିଦ୍ୟାଧର ବାଜପେୟୀଙ୍କ ‘ନିତ୍ୟାଚାର ପଦ୍ଧତି’ରେ ଦାରୁବିଗ୍ରହ ପ୍ରତିଷ୍ଠା ବିଧାନ ବର୍ଣ୍ଣିତ ହୋଇଛି । କାରୁଶାଳାରେ ଶ୍ରୀଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା କର୍ମ ନିମନ୍ତେ ମନୋନିତ ଚାରିଗୋଟି ଦାରୁବ ମଧ୍ୟରୁ ଗୋଟିଏ ଦାରୁଙ୍କ ଅଂଶବିଶେଷ ଉପରେ ନ୍ୟାସ କରାଯାଇଥାଏ । ଦାରୁ କାଷ୍ଠକୁ ପ୍ରତିଷ୍ଠା କରାଯାଇ ତାହାକୁ ନ୍ୟାସଦାରୁ ରୂପେ ଚିହ୍ନିତ କରାଯାଏ । ଦୁଇ ସପ୍ତାହ ଧରି ପ୍ରାଣପ୍ରତିଷ୍ଠା କର୍ମ ହେବା ପରେ ନ୍ୟାସ ଦାରୁଙ୍କୁ ଚାରିଗୋଟି ଭାଗରେ ବିଭକ୍ତ କରାଯାଇଥାଏ । ପ୍ରତ୍ୟେକ ଭାଗକୁ ନୂତନ ବିଗ୍ରହମାନଙ୍କ ମଧ୍ୟରେ ବ୍ରହ୍ମ ସଂସ୍ଥାପନ ପରେ ବ୍ରହ୍ମ ପଦାର୍ଥ ରଖାଯାଉଥିବା କୋଠରୀର କବାଟି ବା ଘୋଡଣୀ ରୂପେ ବ୍ୟବହାର କରାଯାଏ । କାରୁଶାଳା ମଧ୍ୟରେ ସମସ୍ତ ପ୍ରତିଷ୍ଠା କର୍ମ ଗୋଟିଏ ସ୍ଵତନ୍ତ୍ର ମଣ୍ଡପରେ କରାଯାଇଥାଏ । ଏହାର ନାମ ପ୍ରତିଷ୍ଠା ମଣ୍ଡପ । ଏହି ମଣ୍ଡପ ୧୬ ହାତ ବା ୧୨ ହାତ ଲମ୍ବା ଚଉଡାରେ ତିଆରି କରାଯାଇଥାଏ । ଏହାର ଚାରି ଦିଗରେ ଚାରିଗୋଟି ତୋରଣ ରହେ । ଏହାର ମଧ୍ୟସ୍ଥଳରେ ପାଞ୍ଚହାତ ଆଠ ଆଙ୍ଗୁଳିର ଗୋଟିଏ ବେଦୀ ନିର୍ମିତ ହୋଇଥାଏ । ପ୍ରତିଷ୍ଠା ମଣ୍ଡପରେ ତିନିଗୋଟି ଛୋଟ ମଣ୍ଡପ କରାଯାଇଥାଏ ।ଏହି ମଣ୍ଡପଗୁଡିକର ନାମ ହେଲା ସ୍ନାନ ମଣ୍ଡପ, ଅଧିବାସ ମଣ୍ଡପ ଓ ସମ୍ଭାର ମଣ୍ଡପ । ସ୍ନାନ ମଣ୍ଡପରେ ନ୍ୟାସ ଦାରୁଙ୍କ ସ୍ନାନ ବିଧି କରାଯାଏ । ସ୍ନାନ ନିମିତ୍ତ ବ୍ୟବହୃତ କଳସ ଗୁଡିକୁ ଯେଉଁ ମଣ୍ଡପରେ ରଖାଯାଏ, ତାହାକୁ ଅଧିବାସ ମଣ୍ଡପ କୁହାଯାଏ । ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆବଶ୍ୟକ ଦ୍ରବ୍ୟାଦି ଯେଉଁ ମଣ୍ଡପରେ ରଖାଯାଏ ତାହାକୁ ସମ୍ଭାର ମଣ୍ଡପ କହନ୍ତି ।

ଆଷାଢ଼ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥିରେ ହିଁ ପ୍ରତିଷ୍ଠା କାର୍ଯ୍ୟର ଶୁଭାରମ୍ଭ କରାଯାଏ । ପ୍ରତିଷ୍ଠା ମଣ୍ଡପର ଅଗ୍ନିକୋଣରେ ଲକ୍ଷ୍ମୀନୃସିଂହଙ୍କ ଧାତୁ ମୂର୍ତ୍ତି ପ୍ରତିଷ୍ଠା କର୍ମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରଖାଯାଇଥାଏ । ଏହି ଚଳନ୍ତି ପ୍ରତିମା ଶ୍ରୀମନ୍ଦିରର ଦକ୍ଷିଣ ଘରୁ ବିଜେ କରାଯାଇ ଏଠାରେ ସ୍ଥାପନ କରାଯାଇଥାନ୍ତି । ଏହାଙ୍କୁ କେବଳ ନବକଳେବର ସମୟରେ ସ୍ଵତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ପତିମହାପାତ୍ର ସେବକ ଏହି ଦିନମାନଙ୍କରେ ଲକ୍ଷ୍ମୀନୃସିଂହଙ୍କ ବିଜେ ସହିତ ପୂଜାର୍ଚ୍ଚନା କର୍ମ କରିଥାନ୍ତି । ପତିମହାପାତ୍ରଙ୍କର ପୂଜାର୍ଚ୍ଚନା କର୍ମ ସରିବା ପରେ ଅନ୍ୟାନ୍ୟ ପୂଜାବିଧି କରାଯାଇଥାଏ । ପ୍ରତିଷ୍ଠା ମଣ୍ଡପରେ ଅନେକ ଗୁଡିଏ ମଣ୍ଡଳ କଟାଯାଏ । ପ୍ରଥମେ ଆଚାର୍ଯ୍ୟ ଚକ୍ରାବ ମଣ୍ଡଳରେ ଶ୍ରୀନୃସିଂହଦେବଙ୍କ ପୂଜାକରି ଏହି ମଙ୍ଗଳମୟ କର୍ମରେ ତାଙ୍କର ଆଶୀର୍ବାଦ କାମନା କରନ୍ତି । ଏହାପରେ ସେ କଳସରେ ସଂସ୍ଥାପିତ ଶ୍ରୀଗଣେଶ, ଦଶଦିଗପାଳ ଓ ଅନ୍ୟାନ୍ୟ ଦେବଦେବୀଙ୍କୁ ପୂଜା କରିଥାନ୍ତି । ମଣ୍ଡପର ବାହାରେ ବିଷ୍ଣୁଙ୍କର ଦ୍ଵାରପାଳଙ୍କୁ ପୂଜା କରାଯାଏ । ସେହିପରି ମଣ୍ଡପ ବାହାରେ ଦିଗପାଳ ଓ ଭୂତପ୍ରେତାଦିଙ୍କୁ ବଳି ଅର୍ପଣ କରାଯାଏ । ଏହି ମଣ୍ଡପ ଦଶ ଦିଗରେ ‘ବଳି’ କୁ ମାଟିରେ ପୋତିଦିଆଯାଏ । ପ୍ରତ୍ୟେକ ତୋରଣ ବା ଦ୍ଵାର ଦେଶରେ ସାତ ପ୍ରକାର ମଞ୍ଜି ଯଥା- ଯବ, ଗହମ, ମୁଗ, ରାଶି, ମାଣ୍ଡିଆ, ସୁଆଁଧାନ ଓ ବୁଟ ପକାଇ ଅଙ୍କୁରାରୋପଣ ନୀତି ଆରମ୍ଭ କରାଯାଇଥାଏ । ପ୍ରାୟ ୧୧ ଦିନ ପର୍ଯ୍ୟନ୍ତ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥାଏ ।

ପ୍ରତିଷ୍ଠା କର୍ମର ପ୍ରଥମ ଦିବସ ପରେ ଚାରିଦିନ ଧରି କଳସରେ ଆହିତ ହୋଇଥିବା ସମସ୍ତ ଦେବଦେବୀଙ୍କର ପୂଜାର୍ଚ୍ଚନା କରାଯାଏ । ଷଷ୍ଠଦିନ ପ୍ରତିଷ୍ଠା ମଣ୍ଡପକୁ ନ୍ୟାସଦାରୁଙ୍କୁ ଅଣାଯାଏ । ଏହି ଦାରୁଙ୍କୁ ମଣ୍ଡପର ପଶ୍ଚିମ ଦିଗରେ ପଡିଥିବା ଗୋଟିଏ ଖଟ ଉପରେ ପାଟକନା ଘୋଡାଇ ରଖାଯାଏ । ଏହିଦିନ ବେଦୀରେ ହୋମ କର୍ମ ଆରମ୍ଭ କରାଯାଏ । ଏହାପରେ ନ୍ୟାସଦାରୁଙ୍କ ଅଭିଷେକ ଉତ୍ସବ ଆରମ୍ଭ ହୁଏ । ଶ୍ରୀନୃସିଂହ ଗାୟତ୍ରୀମନ୍ତ୍ର ପାଠକରି ଶହେ ଆଠଥର ହୋମ କୁଣ୍ଡରେ ଆହୁତି ଦେବ ପରେ ପ୍ରତିଷ୍ଠା ମଣ୍ଡପରେ ଥିବା ପ୍ରତ୍ୟେକ କଳସରେ ଘୃତ ଆଦି ପକାଯାଏ । ନ୍ୟାସଦାରୁଙ୍କୁ ଏହି କଳସ ଜଳରେ ସ୍ନାନ କରାଯିବା ନିମିତ୍ତ ରଖାଯାଇଥାଏ । ଅଶୁଭ ନିରାକରଣ ନିମନ୍ତେ ନ୍ୟସ ଦାରୁଙ୍କ ଦକ୍ଷିଣ ହସ୍ତରେ ସୋରିଷ ଓ ଦୁବରେ ନିର୍ମିତ କଉତୁକ (କବଚ) ପିନ୍ଧାଇ ଦିଆଯାଏ । ଏହାପରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଉକ୍ତ ଦାରୁଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଏ । ନ୍ୟାସଦାରୁ ମଣ୍ଡପରେ ବିଜେ ହେବା ପରେ ବେଦମନ୍ତ୍ର ପାଠ ପୂର୍ବକ ପୁଷ୍ପ, ଚନ୍ଦନ, କେଶର, ଗଙ୍ଗାମୂର୍ତ୍ତିକା ଓ ଘୃତ ପ୍ରଭୃତି ମିଶ୍ରିତ କଳସ ଜଳରେ ତାଙ୍କୁ ସ୍ନାନ କରାଇଦିଆଯାଏ । ଏହାପରେ ଉକ୍ତ ଦାରୁଙ୍କୁ ନୃସିଂହ ଗାୟତ୍ରୀ ଓ ଶ୍ରୀନୃସିଂହଙ୍କ ମନ୍ତ୍ରରାଜ ମନ୍ତ୍ରରେ ଉଷ୍ମ ଓ ଶିତଳ ଜଳରେ ସ୍ନାନ କରାଯାଏ । ବାସ୍ତୁ ମଣ୍ଡଳରେ ୮୧ଟି ସ୍ଥାନରେ ସଜାଇ ରଖାଯାଇଥିବା ୮୧ଟି କଳସର ମନ୍ତ୍ରପୂତ ଜଳକୁ ଦାରୁଙ୍କ ଉପରେ ଓହଳା ଯାଇଥିବା ସହସ୍ରଧାର କୁମ୍ଭରେ ଅଜାଡି ଦିଆଯାଏ । ଦାରୁ ଓ ସହସ୍ରଧାର କୁମ୍ଭାର ମଧ୍ୟଭାଗରେ ଗୋଟିଏ ନୂତନ କନା ବାନ୍ଧି ଦିଆଯାଇଥାଏ-। ସହସ୍ରଧାର କୁମ୍ଭର ଅସଂଖ୍ୟ ଛିଦ୍ରରୁ ଜଳରାଶି ପ୍ରଥମେ ଏହି କନା ଉପର ଦେଇ ନ୍ୟସଦାରୁଙ୍କ ଉପରେ ପଡେ ଏହି ସ୍ନାନ କାଳରେ ଆଚାର୍ଯ୍ୟ ବ୍ରାହ୍ମଣମାନେ ପୁରୁଷସୂକ୍ତ ପାଠ କରିଥାନ୍ତି । ସ୍ନାନାନେ ଉକ୍ତେ ନ୍ୟାସ ଦାରୁଙ୍କୁ ଗୋଟିଏ ଶୁଷ୍କ ବସ୍ତ୍ରରେ ଉତ୍ତମ ରୂପେ ପୋଛି ଦିଆଯାଏ । ନେହାପରେ ନୃସିଂହ ଗାୟତ୍ରୀ ବା ଅନୁଷ୍ଟୁଭ୍ ନୃସିଂହ ମନ୍ତ୍ର ଉଚ୍ଚାରଣ ପୂର୍ବକ ଷୋଡଶ ଉପାଚାରରେ ପୂଜାର୍ଚ୍ଚନା କରାଯାଏ । ଶୁକ୍ଲ ଯଜୁର୍ବେଦର ସଂକଳ୍ପସୂକ୍ତ ପାଠକରି ଦୁବ ଓ ଶସ୍ୟ (ଧାନ) ଅର୍ପଣ କରାଯାଏ । ଏହାପରେ ନ୍ୟାସଦାରୁ ପ୍ରତିଷ୍ଠା ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହି ଦାରୁଙ୍କୁ ଗୋଟିଏ ଗଦିଥିବା ଶେଜ ଉପରେ ଶୁଆଇ ଦିଆଯାଏ ଓ ଶୟନ ସମୟରେ ପୁରୁଷସୂକ୍ତ ପାଠ କରାଯାଇଥାଏ । ଉକ୍ତ ଦାରୁଙ୍କ ନିକଟରେ ଜଳ ଓ ନୈବେଦ୍ୟ ରଖାଯାଇ ମନ୍ତ୍ରରାଜ ମନ୍ତ୍ର ପାଠ ପୂର୍ବକ ଗୋଟିଏ ଧଳାବସ୍ତ୍ର ଘୋଡ଼ାଇ ଦିଆଯାଏ । ତତପରଦିନ ଆଚାର୍ଯ୍ୟ ପ୍ରଥମେ ଭୂତଶୁଦ୍ଧଇ ଓ ମାତୃକାନ୍ୟାସ ଦ୍ଵାରା ନିଜର ଅଙ୍ଗକୁ ଶୁଦ୍ଧ କରି ନୃସିଂହଦେବଙ୍କୁ ଧ୍ୟାନ ପୂର୍ବକ ତାଙ୍କୁ ନିଜର ହୃଦୟରେ ବିଜେ କରାନ୍ତି । ଏହି ଆଭରଣ ପୂଜା ପରେ ଚକ୍ରାବ୍ମ ମଣ୍ଡଳରେ ଚକ୍ରରାଜ ସୁଦର୍ଶନଙ୍କର ପୂଜା ଆରାଧନା କରାଯାଏ । ଏହାପରେ ନ୍ୟାସଦାରୁରେ ମନ୍ତ୍ରରାଜ ନୃସିଂହଙ୍କ ମନ୍ତ୍ର ଦ୍ଵାରା ବିଭିନ୍ନ ଅବୟବର ଅବସ୍ଥାପନ କରାଯାଇ ନୃସିଂହଙ୍କ ରୂପର ପୂର୍ଣ୍ଣ ପ୍ରକାଶ କରାଯାଏ ଏବଂ ଉକ୍ତ ମନ୍ତ୍ରକୁ ତିନିଥର ତିନି ମୁଖ୍ୟ ବିଗ୍ରହ (ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା)ଙ୍କୁ ଲକ୍ଷ୍ୟକରି ଉଚ୍ଚାରଣ କରାଯାଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଇଁ କେଶବାଦି ନ୍ୟାସ, ଶ୍ରୀବଳଭଦ୍ରଙ୍କ ପାଇଁ ବୈଷ୍ଣବ ଶ୍ରୀକଣ୍ଠାଦି ନ୍ୟାସ ଓ ଦେବୀ ସୁଭଦ୍ରାଙ୍କ ପାଇଁ କଳା ନ୍ୟାସ କରାଯାଇଥାଏ । ଏହାପରେ ନ୍ୟାସଦାରୁଙ୍କ ଶ୍ରୀବିଗ୍ରହଙ୍କୁ ବହୁସଂଖ୍ୟକ ନ୍ୟାସରେ ମନ୍ତ୍ରିତ କରାଯାଇ ତାଙ୍କଠାରେ ସମଗ୍ର ସ୍ଥାବର ଜଙ୍ଗମଙ୍କୁ ଆରୋପ କରାଯାଏ । ଏହିପରି ଦୀର୍ଘ ନ୍ୟାସ କଲାପରେ ଦାରୁଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇ ତାଙ୍କ ଶ୍ରୀବିଗ୍ରହରେ ପ୍ରାଣ ପ୍ରତିଷ୍ଠା ମନ୍ତ୍ରଦ୍ଵାରା ରକ୍ତ, ମାଂସ ଓ ଇନ୍ଦ୍ରିୟମାନଙ୍କୁ ଆରୋପିତ କରାଯାଏ । କାରୁଶାଳାରେ ଥିବା ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠା କର୍ମର ଶେଷ ପର୍ଯ୍ୟାୟ ହେଉଛି ହୋମ । ଏହି ହୋମ ଆଷାଢ଼ କୃଷ୍ଣ ଷଷ୍ଠୀ ତିଥିରେ କରାଯାଇଥାଏ । ହୋମ ନିମିତ୍ତ ଗମ୍ଭାରୀ କାଠ ବ୍ୟବହାର କରାଯାଏ । ଏହି ହୋମ ପାଇଁ ଅଗ୍ନିଙ୍କୁ ପ୍ରଜ୍ଜଳିତ କରାଯାଇ ନବକଳେବର ବିଧିର ମୁଖ୍ୟ ଦେବତା ନୃସିଂହଙ୍କ ମନ୍ତ୍ରରେ ହୋମ କରାଯାଏ । ହୋମକୁଣ୍ଡରେ ସମିଧ ଓ ଆହୁତି ଦେବା ପରେ ନୃସିଂହଙ୍କୁ ଅନ୍ନ, ତିଳ, ଯବ ପ୍ରଭୃତି ଏକତ୍ର ରନ୍ଧାଯାଇଥିବା ଚରୁ ଭୋଗ ଅର୍ପଣ କରାଯାଇଥାଏ । ଯଜ୍ଞ ନୃସିଂହଙ୍କୁ ଅନୁଷ୍ଟୁଭ୍ ମନ୍ତ୍ରରାଜ ମନ୍ତ୍ର ପାଠ ପୂର୍ବକ ଦଶ ହଜାର ଆହୁତି ପ୍ରଦାନ କରାଯାଇଥାଏ । ଏହି ଆହୁତି ପ୍ରଦାନ କର୍ମ କୃଷ୍ଣପକ୍ଷ ଦଶମୀ ତିଥି ପର୍ଯ୍ୟନ୍ତ ଚାଲିଥାଏ । ଏକାଦଶୀ ଦିନ ବାସୁଦେବ ମନ୍ତ୍ର ପାଠ କରି ୧୦୦୮ ଆହୁତି ପ୍ରଦାନ କରାଯାଇଥାଏ । ଏହି ଆହୁତି ଶ୍ରୀବଳଭଦ୍ରଙ୍କ ପାଇଁ ଦିଆଯାଇଥାଏ । ଦ୍ଵାଦଶୀ ଦିନ ଅଷ୍ଟାଦଶାକ୍ଷର ଗୋପାଳମନ୍ତ୍ର ଓ ତ୍ରୟୋଦଶୀ ଦିନ ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ଏକାକ୍ଷରୀ ଭୁବନେଶ୍ବରୀ ମନ୍ତ୍ର ପାଠକରି ୧୦୦୮ ଆହୁତି ପ୍ରଦାନ କରାଯାଏ । ପ୍ରତିଷ୍ଠା ମଣ୍ଡପରେ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଆବଶ୍ୟକ ହେଲେ ଶୁକ୍ଲ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ମା’ବିମଳା, ମହାଲକ୍ଷ୍ମୀ, ସରସ୍ଵତୀ, ମଙ୍ଗଳା, କାଳୀ, ଦଶଦିଗପାଳ, ଭୈରବଗଣ, ବାସ୍ତୁ ଦେବତା, ସାଗର, ନଦୀ, ପର୍ବତ ପ୍ରଭୃତିଙ୍କୁ ଘୃତ, ଚରୁ, ସମିଧ ଆଦି ଶେଷ ହେବା ପର୍ଯ୍ୟନ୍ତ ଆହୁତି ପ୍ରଦାନ କରାଯାଇଥାଏ । ଯଜ୍ଞର ଅନ୍ତିମ ଦିବସରେ ଗଜପତି ମହାରାଜା ପୂର୍ଣ୍ଣାହୁତି ପ୍ରଦାନ କରିଥାନ୍ତି । କାରୁଶାଳାରେ ଯଜ୍ଞକର୍ମ ଚାଲୁଥିବା ସମୟରେ ଜଗମୋହନରେ ଜପ, ସ୍ତୁତି, ବିଷ୍ଣୁସହସ୍ରନାମ ପାଠ ଓ ଭାଗବତ ପାଠାଦି ହେବା ସହିତ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର ଦ୍ଵାରା ଶିତଳା, ଆଲାମଚଣ୍ଡୀ, ଭୁବନେଶ୍ଵରୀ, ବିମଳା, ଦକ୍ଷିଣକାଳୀ ମନ୍ଦିରମାନଙ୍କରେ ଚଣ୍ଡୀପାଠ କରାଯାଇଥାଏ । ଏତଦବ୍ୟତୀତ ପଞ୍ଚ ମହାଦେବଙ୍କ ମନ୍ଦିରରେ ଅଭିଷେକ ମଧ୍ୟ କରାଯାଇଥାଏ । ଚତୁର୍ଦ୍ଦଶୀ ଦିନ ସୁଦ୍ଧା ପ୍ରତିଷ୍ଠା ମଣ୍ଡପରେ ନ୍ୟାସ ଦାରୁଙ୍କ ପ୍ରତିଷ୍ଠା କର୍ମ ସମାପ୍ତ ହୋଇଯାଇଥାଏ ।

ଏଥିମଧ୍ୟରେ କାରୁଶାଳାର ନିର୍ମାଣ ମଣ୍ଡପରେ ଅତ୍ୟନ୍ତ ଗୋପନୀୟ ଭାବରେ ଯଥାରୀତି ନୂତନ ଶ୍ରୀବିଗ୍ରହଙ୍କର (ପାଞ୍ଚଗୋଟି ମୂର୍ତ୍ତି) ଶ୍ରୀଅଙ୍ଗ ଅବୟବ ନିର୍ମାଣ ସରିଆସିଥାଏ । ଦ୍ଵାଦଶୀ ଦିନ ରାତ୍ରିରେ ନ୍ୟାସ ଦାରୁଙ୍କୁ ଗୋଟିଏ କ୍ଷୁଦ୍ର ରଥରେ ଆରୋହଣ କରାଇ ଶ୍ରୀମନ୍ଦିର ଭିତର ବେଢ଼ାରେ ସାତଥର ପ୍ରଦକ୍ଷିଣ କରାଯାଏ । ଏହାପରେ ତାହାଙ୍କୁ ମୁଖ୍ୟ ମନ୍ଦିର ମଧ୍ୟକୁ ପ୍ରବେଶ କରାଯାଇ ଦଇତାପତିଙ୍କୁ ହସ୍ତାନ୍ତର କରାଯାଇଥାଏ । ସେମାନେ ଏହି ନ୍ୟାସଦାରୁଙ୍କୁ ଶ୍ରୀଚତୁର୍ଦ୍ଧା ମୂର୍ତ୍ତିରେ ସ୍ଥାନ ଦେବା ଉଦ୍ଦେଶ୍ୟରେ ଶାସ୍ତ୍ରୀୟ ବିଧାନ ଅନୁସାରେ ଚାରିଖଣ୍ଡରେ ବିଭକ୍ତ କରନ୍ତି । ଏତଦବ୍ୟତୀତ ଶ୍ରୀମାଧବଙ୍କ ବିଗ୍ରହ ନିମନ୍ତେ ଏକ କ୍ଷୁଦ୍ରାକୃତି ମୂର୍ତ୍ତି ନିର୍ମାଣ କରାଯାଏ ।

ଉପସଂହାର :

କାରୁଶାଳାର ନିର୍ମାଣ ମଣ୍ଡପରେ ବିଶ୍ଵକର୍ମା ମହାରଣାମାନେ ହବିଷ୍ୟନ୍ନ ଭକ୍ଷଣ ପୂର୍ବକ ଅତ୍ୟନ୍ତ ଶୁଦ୍ଧପୂତ ଭାବରେ ନିୟମ ପାଳନ କରି ପାଞ୍ଚଗୋଟି ଶ୍ରୀବିଗ୍ରହ ନିର୍ମାଣ କରିଥାନ୍ତି । ଏହି ପାଞ୍ଚଗୋଟି ଶ୍ରୀବିଗ୍ରହ ହେଲେ- ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନ ଓ ଶ୍ରୀମାଧବ । ଅତ୍ୟନ୍ତ ଗୋପନୀୟତାର ସହିତ ଯଥାରୀତି ଶ୍ରୀବିଗ୍ରହ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବିଶ୍ଵକର୍ମା ମହାରଣାମାନେ ସମ୍ପନ୍ନ କରିଥାନ୍ତି । କୋଇଲି ବୈକୁଣ୍ଠସ୍ଥ କାରୁଶାଳାରେ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଜ୍ୟେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରିରେ ନୂତନ ବିଗ୍ରହମାନଙ୍କୁ ଅଣସର ପିଣ୍ଡିକୁ ଅଣାଯାଇଥାଏ । ଏହିଦିନ ବଡସିଂହାର ନୀତି ଶେଷ ହେବା ପରେ ମନ୍ଦିରକୁ ସମ୍ପୂର୍ଣ୍ଣ ଶୋଧ କରାଯାଇ ମନ୍ଦିରର ଦ୍ଵାର ବନ୍ଦ ହୋଇ ସମସ୍ତ ବିଦ୍ୟୁତ ଆଲୋକ ଲିଭାଇ ଦେବା ପରେ ଦଇତାପତିମାନେ କାରୁଶାଳାରେ ନିର୍ମାଣ କରାଯାଇଥିବା ନୂତନ ବିଗ୍ରହମାନଙ୍କୁ ମହାସ୍ନାନ କରାଇ ଖଣ୍ଡୁଆଲାଗି ଓ ସେନାପଟାଲାଗି କରାଇଥାଆନ୍ତି । ଏହାପରେ ସେଠାରୁ ପହଣ୍ଡି କରାଇ ସାତପାହାଚ ଓ ଜୟବିଜୟ ଦ୍ଵାର ଦେଇ ଅଣସର ପିଣ୍ଡିକୁ ବିଜେ କରାଇବା ପରେ ମହାପ୍ରଭୁଙ୍କର ଘଟ ପରିବର୍ତ୍ତନ ବା ବ୍ରହ୍ମ ପରିବର୍ତ୍ତନ ବିଧି ଅନୁଷ୍ଠିତ ହୋଇଥାଏ । ଏହିପରି ଭାବରେ ମହାଅଣସର କାଳରେ କାରୁଶାଳାରେ ନୂତନ ବିଗ୍ରହ ନିର୍ମାଣାଦି କର୍ମ ଯଥାବିଧି ସମ୍ପନ୍ନ ହୋଇଥାଏ-

 

ନବକଳେବର ବିଗ୍ରହ ପ୍ରତିଷ୍ଠା ବିଧି

ସୁନୀଲ କୁମାର ରଥ

ଶ୍ରୀଜଗନ୍ନାଥଙ୍କ ନବକଳେବର ଏକ ସାଂସ୍କୃତିକ, ସମାଜିକ ଏବଂ ଧାର୍ମିକ ବିଶ୍ଵାସ ଉପରେ ପ୍ରତିଷ୍ଟିତ । ଗୋଟାଏ ଜାତିର, ଗୋଟାଏ ଦେଶର ସାଂସ୍କୃତିକ ଏବଂ ସାମାଜିକ ପ୍ରତିଭୂ, ଏହି ଧରାବକ୍ଷରେ ମାନବୀୟ ଲୀଳା ପ୍ରକାଶ କରିବା ପାଇଁ ଆବିର୍ଭୂତ ହେବା ହିଁ ଆମ ଭିତରେ ରହିଥିବା ଆଧ୍ୟାତ୍ମିକ ଚେତନାର ଦୃଢ଼ତା ଆସିବା ସହିତ ଆତ୍ମ ବିଶ୍ଵାସକୁ ବଳିଷ୍ଠ କରିବା ।

ଏ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ଚେତନା ଆଧାରିତ ଶ୍ରେଷ୍ଠ ଗ୍ରନ୍ଥ ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ମହର୍ଷି ଜୈମିନିଙ୍କୁ ଋଷିଗଣ ପ୍ରଶ୍ନ କରିଛନ୍ତି, ହେ ମହାଭାଗ ଆମ୍ଭଙ୍କୁ ସେହି ପରମ ପାବନ କ୍ଷେତ୍ର ବିଷୟରେ କୁହନ୍ତୁ, ଯେଉଁଠାରେ ମହାପ୍ରଭୁ ମାନଵଲୀଳା କରିବା ପାଇଁ ପ୍ରକଟ ହୋଇଛନ୍ତି ।

ସ୍କନ୍ଦପୁରାଣ ଭାଷାରେ-

“ପୁରୁଷୋତ୍ତମାଖ୍ୟଂ ସୁମହତ କ୍ଷେତ୍ରଂ ପରମ ପାବନମ୍

ଯତ୍ରାସ୍ତେ ଦାରୁବତନୁଃ ଶ୍ରୀଶୋ ମାନୁଷଲୀଳାୟା”

।।

(୧/୩)

 

ଏହି ଦାରବ ବିଗ୍ରହ ହିଁ ବ୍ରହ୍ମ ଏକଥା ସ୍ଵୟଂ ବ୍ରହ୍ମା ମଧ୍ୟ ଇନ୍ଦ୍ରଦ୍ୟୁମ୍ଣଙ୍କୁ ଚେତାଇ ଦେବାପାଇଁ କହିଛନ୍ତି- “ ହେ ନୃପଶାର୍ଦ୍ଦୁଳ ! ଏହି ଦାରୁମୟୀ ମୂର୍ତ୍ତିଙ୍କୁ ପ୍ରତିମାଜ୍ଞାନ ଯେପରି ନକର । ଏ ସ୍ଵୟଂ ପରଂବ୍ରହ୍ମଙ୍କ ଆକୃତି ବୋଲି ଜାଣ । ପରଂବ୍ରହ୍ମଙ୍କ ଏହି ମାନୁଷୀ ଲୀଳା ଅନ୍ତର୍ଗତ କ୍ଷୟଶୀଳ ଶରୀର ତ୍ୟାଗ ପୂର୍ବକ ନୂତନ ଶରୀର ଧାରଣ କରିବାର ପାରମ୍ପରିକ ଶାସ୍ତ୍ରୀୟ ବ୍ୟବସ୍ଥା ମଧ୍ୟ ତାଙ୍କର ଲୋକ ଲୀଳାର ଏକ ସର୍ବମୁଖ୍ୟ ଅଙ୍ଗ ।”

ନବକଳେବରର ଅନ୍ତରୀଣ ଲୀଳା ସମ୍ପର୍କରେ ବର୍ଣ୍ଣନା କରିବା ପୂର୍ବରୁ ଏହାର ସୂକ୍ଷ୍ମ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଭାଗବତର ବାଣୀ “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ ।” ସୂକ୍ଷ୍ମ ଚେତନା ଗୀତାରେ ଅତି ସୁନ୍ଦର ଭାବରେ ଉପସ୍ଥାପିତ ହୋଇଛି । ତଦନୁସାରେ ବ୍ରହ୍ମ ପୁରାତନ ବିଗ୍ରହ ବର୍ଜନ କରି ନୂତନ ନିର୍ମିତ ଦାରୁ ବିଗ୍ରହରେ ପ୍ରବେଶ କରିଥାନ୍ତି-। ଆତ୍ମାର ସ୍ଵରୂପ ଯେପରି ଅଜ୍ଞାତ ତଥା ଅପ୍ରମେୟ ଠିକ ସେହିପରି ବ୍ରହ୍ମଙ୍କର ସ୍ଵରୂପ ମଧ୍ୟ ପରମ ରହସ୍ୟମୟ ଅଟେ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନବକଳେବର ଅବସରରେ ମାନବୀୟ ଲୀଳାର ନିଦର୍ଶନ ସ୍ଵରୂପ ଘଟ ପରିବର୍ତ୍ତନ କରିଥାନ୍ତି ।

ଯୋଡ଼ା ଆଷାଢ଼ ମାସରେ ଅନୁଷ୍ଠିତ ହେଉଥିବା ଏହି ନବକଳେବର ଲୀଳାକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ମହାପ୍ରଭୁଙ୍କର ବାହ୍ୟଲୀଳା ଏବଂ ଅପରଟି ଅନ୍ତଃଲୀଳା । ବାହ୍ୟଲୀଳାରେ ମହାପ୍ରଭୁଙ୍କ ଚାରିବାଡରୁ ଆଜ୍ଞାମାଳ ପ୍ରଦାନ ବନଯାଗ ପାଇଁ ପ୍ରସ୍ତୁତ ସେବକମାନଙ୍କ ଶାଢୀ ବନ୍ଧା, ଗଜପତିଙ୍କ ଦ୍ଵାରା ଚୁଆଟେକା, ବ୍ରାହ୍ମଣବରଣ, ମଙ୍ଗଳା ମନ୍ଦିର ଯାତ୍ରା, ସ୍ସ୍ଵପ୍ନାଦେଶ ପରେ ଚିହ୍ନଟ, ଦାରୁ ଚ୍ଛେଦନ ଏବଂ ଶ୍ରୀମନ୍ଦିରସ୍ଥ କୋଇଲି ବୈକୁଣ୍ଠକୁ ଦାରୁ ଆନୟନ । ସେହିପରି ଅନ୍ତରୀଣ ଲୀଳାରେ ଆଷାଢ଼ କୃଷ୍ଣ ଦ୍ଵିତୀୟାଠାରୁ ବ୍ରାହ୍ମଣବରଣ, କୋଇଲି ବୈକୁଣ୍ଠଠାରେ ନିର୍ମିତ କାରୁଶାଳା ମଣ୍ଡପ ଓ ଯଜ୍ଞ ମଣ୍ଡପ ଆଦିରେ ସମାନ୍ତରାଳ ଭାବେ ବିଗ୍ରହ ନିର୍ମାଣ କର୍ମ ଏବଂ ଯଜ୍ଞ କର୍ମ, ନ୍ୟାସ ଦାରୁ ପ୍ରତିଷ୍ଠା, ବ୍ରହ୍ମୋତ୍ସବ ଏବଂ ପୁରାତନ ବିଗ୍ରହଙ୍କ ଗୋଲକ ଲୀଳା ଆଦି ଅନ୍ତର୍ଗତ ।

ସମସ୍ତ କର୍ମ ଶାସ୍ତ୍ରୀୟ ବିଧି ବ୍ୟବସ୍ଥା ତଥା ପରମ୍ପରା ଆଧାରିତ ହେଲେ ମଧ୍ୟ ପରଂବ୍ରହ୍ମଙ୍କ ବିନା ଇଚ୍ଛାରେ କିଛି ସମ୍ଭବ ନୁହେଁ । ଏହି ବନଯାଗ ଲୀଳାର ଦ୍ଵିତୀୟ ପର୍ଯ୍ୟାୟ ଅନ୍ତର୍ବନଯାଗ ଲୀଳାର ଗୁରୁତ୍ଵ ସର୍ବାଦୌ ବିଚାର୍ଯ୍ୟ । କାରଣ ଏହି ୨ୟ ପର୍ଯ୍ୟାୟର ଲୀଳା ପରେ ହିଁ ନୂତନ ଶରୀର ଧାରଣ କରି ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ସାକ୍ଷାତ ଦେବା ଆରମ୍ଭ କରି, ଲୋକ ଲୀଳାର ଚରମ ଉଦାହରଣ ପ୍ରତିଷ୍ଠା କରନ୍ତି ।

ନବକଳେବର ବିଧାନରେ ବର୍ହିଃ ବନଯାଗ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ବିଦ୍ୟାପତି, ବିଶ୍ଵାବସୁ, ଆଚାର୍ଯ୍ୟ ତଥା ଅନ୍ୟାନ୍ୟ ବନଯାଗ ଯାତ୍ରୀମାନେ ଶ୍ରୀମନ୍ଦିରରୁ ଅନୁକୂଳରେ ବାହାରିବା ପରେ ପରେ ହିଁ ସେହିଦିନ ଅର୍ଥାତ୍ ଚୈତ୍ରଶୁକ୍ଲ ଦଶମୀ ଦିନ ହିଁ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵରେ ଅବସ୍ଥିତ କୈବଲ୍ୟ ବୈକୁଣ୍ଠଠାରେ ଅନ୍ତଃ ବନଯାଗ ବିଧି ପାଳନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଏ । ସ୍ମୃତି ଶାସ୍ତ୍ର ଗ୍ରନ୍ଥମାନଙ୍କରେ ରହିଥଵ ସୂଚନାରୁ ଜଣାଯାଏ ଉତ୍ତର ଦିଗ ହେଉଛି ଦେବତାଙ୍କ ଆବାସସ୍ଥଳି- “ ଉତ୍ତରେ ସର୍ବଦେବତା ଉତ୍ତରେ ସର୍ବତୀର୍ଥାନୀ” ପୁନଶ୍ଚ ବିଭିନ୍ନ ଶରୀର ଭେଦ ଭଜନରେ ବୈକୁଣ୍ଠକୁ ଗୁପ୍ତପୀଠ ରୂପେ ବର୍ଣ୍ଣନା କରାଯାଇଛି । ତେଣୁ କୈବଲ୍ୟ- ବୈକୁଣ୍ଠଠାରେ ବିଗ୍ରହଙ୍କ ଅନ୍ତବନଯାଗ ବିଧି ଅତ୍ୟନ୍ତ ଗୁପ୍ତରେ କରାଯିବା ପାଇଁ ଦାରୁଙ୍କୁ ଏହିଠାରେ ହିଁ ଆଣି ରଖାଯାଏ ।

ପ୍ରାୟତଃ ଚତୁର୍ଦ୍ଧା ବିଗ୍ରହଙ୍କ ଦାରୁ ସାବିତ୍ରୀ ଅମାବାସ୍ୟା ସୁଦ୍ଧା କୋଇଲି ବୈକୁଣ୍ଠଠାରେ ପହଞ୍ଚି ଯିବାପରେ ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ପର୍ଯ୍ୟନ୍ତ ଦାରୁଙ୍କୁ ଏଠାରେ ରଖାଯାଏ । ତେବେ ଚୈତ୍ର ଶୁକ୍ଲା ଦଶମୀଠାରୁ ହିଁ ନବକଳେବର ପାଇଁ ସାତଗୋଟି ଅସ୍ଥାୟୀ ଗୃହ ନିର୍ମାଣ କରାଯାଉଥାଏ । ମୁଖ୍ୟତଃ କୋଇଲି ବୈକୁଣ୍ଠର ନୈଋତ କୋଣରେ ଏହା ପ୍ରତିଷ୍ଠିତ କରାଯାଇଥାଏ-। ଏହି ଗ୍ରହ ଗୁଡିକୁ କାରୁଶାଳା ବୋଲି କୁହାଯାଏ । ଯେଉଁ ୭ଗୋଟି ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଏ । ତାହା ହେଉଛି ନିର୍ମାଣ ମଣ୍ଡପ, ପ୍ରତିଷ୍ଠା ମଣ୍ଡପ, ନୃସିଂହ ମଣ୍ଡପ, ଦାରୁ ମଣ୍ଡପ, ସମ୍ଭାର ମଣ୍ଡପ, ସ୍ନାନ ମଣ୍ଡପ ଏବଂ ଅଧିବାସ ମଣ୍ଡପ । ଉପରୋକ୍ତ ମଣ୍ଡପ ଗୁଡିକ ଛଣ ଦ୍ଵାରା ଛପର କରାଯାଇ ଚାରିପଟେ ତାଳପଟି ବେଷ୍ଟନ କରାଯାଏ ।

ଚାରିବିଗ୍ରହଙ୍କ ପାଇଁ ନିର୍ମିତ ଦାରୁମଣ୍ଡପ ଚାରି ଭାଗରେ ବିଭକ୍ତ ହୋଇଥାଏ । ଏହି ଦ୍ଵାର ଗୃହରେ ଶଗଡ଼ି ସହିତ ଦାରୁମାନଙ୍କୁ ଦକ୍ଷିଣ ଦିଗରୁ ଆରମ୍ଭ କରି ଯଥାକ୍ରମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କ ପୃଥକ ପୃଥକ ଭାବରେ ରଖାଯାଇଥାଏ । ସାତଗୋଟି ମଣ୍ଡପ ମଧ୍ୟରେ ମୁଖ୍ୟ ମଣ୍ଡପ, ପ୍ରତିଷ୍ଠା ମଣ୍ଡପ ବା ଯଜ୍ଞ ମଣ୍ଡପଟି ଶାସ୍ତ୍ରୀୟ ବିଧି ଅନୁସାରେ ୧୬ ହାତର ବର୍ଗାକାର କ୍ଷେତ୍ରରେ ନିର୍ମିତ ହୁଏ । ଏହାର ଚାରି ଦିଗରେ ଚାରିଗୋଟି ତୋରଣ ରହେ । ମଧ୍ୟଭାଗରେ ଯଜ୍ଞକୁଣ୍ଡ ନିର୍ମିତ ହୁଏ । ଯଜ୍ଞଶାଳା ବା ମଣ୍ଡପର ଚାରିଘର ନିକଟରେ ଚାରିବେଦ ଆଧାରିତ ହୋମ ପାଇଁ ଚାରିଗୋଟି କୁଣ୍ଡ ନିର୍ମିତ ହୁଏ । ଯଜ୍ଞମଣ୍ଡପର ଉତ୍ତର ଭାଗରେ ସମ୍ଭାର ମଣ୍ଡପ ରହେ । ଏହି ସମ୍ଭାର ମଣ୍ଡପ ପରେ ହିଁ ଅଙ୍କୁରାରୋପଣ କରାଯାଏ-। ଯଜ୍ଞମଣ୍ଡପ (ପ୍ରତିଷ୍ଠା ମଣ୍ଡପ)ର ପୂର୍ବ ଦିଗରେ ସ୍ନାନମଣ୍ଡପ ଓ ଅଧିବାସ ମଣ୍ଡପ ନିର୍ମିତ ହୋଇଥାଏ ।ଏହାର ଦକ୍ଷିଣ ପୂର୍ବ କୋଣରେ ଶ୍ରୀଲକ୍ଷ୍ମୀ-ନୃସିଂହଙ୍କ ନିମନ୍ତେ ନୃସିଂହ ମଣ୍ଡପ ନିର୍ମାଣ କରାଯାଏ । ଏହି ମଣ୍ଡପର ପଶ୍ଚିମ ଭାଗରେ ଦାରୁ ଅଧିବାସ ମଣ୍ଡପ ନିର୍ମିତ ହୁଏ । ନିର୍ମାଣ ମଣ୍ଡପ ବା ଦାରୁଶାଳା ମଣ୍ଡପରେ ନୂତନ ବିଗ୍ରହଙ୍କ ନିର୍ମାଣ, ସ୍ନାନ ମଣ୍ଡପରେ ଦାରୁଙ୍କର ସ୍ନାନ, ଅଧିବାସ ମଣ୍ଡପରେ ଦେବତାଙ୍କ ଅଧିବାସ କାର୍ଯ୍ୟ କରାଯାଇଥାଏ ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବରୁ ଏକ ଶୁଭବେଳା ଦେଖି ବ୍ରାହ୍ମଣମାନଙ୍କ ଦ୍ଵାରା ଅଙ୍କୁରାରୋପଣ କାର୍ଯ୍ୟ ହୁଏ । ଶାଳା ଏବଂ ଅଗ୍ନି ରକ୍ଷକ ଭାବରେ ଦୁଇଜଣ ବ୍ରାହ୍ମଣ ବରଣ ହୋଇ ଏହାର ଦାୟିତ୍ଵ ନିଅନ୍ତି । ଅଙ୍କୁରାରୋପଣ ଦିନଠାରୁ ପ୍ରତ୍ୟେକ ରାତିରେ ବଳିଦାନ ଦିଆଯାଏ ।

ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥଙ୍କ ପାଇଁ ସାଧାରଣତଃ ୧୦୮ ଗରା ଜଳ ଶିତଳାଙ୍କ ନିକଟବର୍ତ୍ତୀ ସୁନା କୂଅରୁ ଉତ୍ତୋଳିତ ହୋଇ ଅଭିମନ୍ତ୍ରିତ କରାଯାଇ ସ୍ନାନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ମାତ୍ର ନବକଳେବର ଅବସରରେ ୧୧୨ଗରା ଜଳ ଉତ୍ତୋଳିତ ହୋଇଥାଏ । ୧୦୮ଗରା ଜଳରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ ପର୍ବ ସରିବା ପରେ ଅବଶିଷ୍ଟ ଚାରିଗରା ଜଳ କୋଇଲି ବୈକୁଣ୍ଠକୁ ଅଣାଯାଇ ଚାରି ବିଗ୍ରହଙ୍କ ପାଇଁ ଉଦ୍ଦିଷ୍ଟ ଚାରି ଦାରୁଙ୍କ ସ୍ନାନ ବିଧି ପତିମହାପାତ୍ର ଏବଂ ଦଇତାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥାଏ ।

ସ୍ନାନକାର୍ଯ୍ୟ ସମାପନ ପରେ ଦାରୁମାନଙ୍କ ଦାରୁଶାଳା ଗୃହଠାରୁ ନିର୍ମାଣ ମଣ୍ଡପକୁ ବା କାରୁଶାଳାକୁ ଅଣାଯାଏ । ଏହି ନିର୍ମାଣ ମଣ୍ଡପଠାରେ ହିଁ ଶ୍ରୀବିଗ୍ରହମାନଙ୍କର ମୂର୍ତ୍ତି ଗଠନ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ଆଷାଢ଼ କୃଷ୍ଣ ପ୍ରତିପଦା ଦିନ ଦଇତାପତି ଏବଂ ବିଶ୍ଵକର୍ମା ମହାରଣାମାନେ ଶ୍ରୀଜୀଉଙ୍କ ବିଗ୍ରହ ନିର୍ମାଣ ପାଇଁ ନିମନ୍ତ୍ରଣ ଓ ସ୍ଵୀକୃତି ସ୍ଵରୂପ ପ୍ରଶାସନ ପକ୍ଷରୁ ଖଣ୍ଡୁଆ ଶାଢ଼ୀ ପାଇଥାନ୍ତି । ଏହାପରେ ଦ୍ଵିତୀୟା ଦିନଠାରୁ ଏମାନେ ମୂର୍ତ୍ତି ଗଠନ କାର୍ଯ୍ୟରେ ଅୟମାରମ୍ଭ କରନ୍ତି । ଏହି ଦିନ ମଧ୍ୟ ଦେଉଳ ପୁରୋହିତ ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣ ପଣ୍ଡିତମାନଙ୍କୁ ଗଜପତି ମହାରାଜା ବରଣ କରିଥାନ୍ତି । ଯେଉଁମାନେ କି ନ୍ୟାସଦାରୁ ପ୍ରତିଷ୍ଠା ଏବଂ ଯାଗଯଜ୍ଞ କର୍ମରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଏମାନେ ମୂର୍ତ୍ତି ଗଠନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଗୋଟାଏ ବନଯାଗ ବିଧି ପାଳନ କରିଥାନ୍ତି । କାରଣ ଦାରୁ ଆନୟନ କାଳରେ ପଥ ମଧ୍ୟରେ ଯଦି କୌଣସି ଅଶରୀରୀ ପୂନର୍ବାର ଦାରୁଙ୍କୁ ଆଶ୍ରା କରିଯାଇଥାଏ, ସେହି ଆଶଙ୍କାକୁ ଦୂର କରିବା ପାଇଁ ଏହା କରାଯାଇଥାଏ । ବନଯାଗ ବିଧି ସମାପନ ପରେ କାରୁଶାଳାଠାରେ ବା ନିର୍ମାଣ ମଣ୍ଡପ ଗୃହରେ ବିଗ୍ରହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତା’ସହିତ ସମାନ୍ତରାଳ ଭାବରେ ଯଜ୍ଞମଣ୍ଡପଠାରେ ଯଜ୍ଞାନୁଷ୍ଠାନ ଏବଂ ନ୍ୟାସଦାରୁଙ୍କ ପ୍ରତିଷ୍ଠା କର୍ମର ଆରମ୍ଭ ହୁଏ । ଉଭୟ ଯଜ୍ଞ କର୍ମରେ ନିୟୋଜିତ ବ୍ରାହ୍ମଣଙ୍କଠାରୁ ଆରମ୍ଭ କରି ବିଗ୍ରହ ନିର୍ମାଣକାରୀ ବିଶ୍ଵକର୍ମା ସେବକ ତଥା ଦଇତା ସେବକମାନେ ଅତି ପତିବ୍ରତା ଓ ନିଷ୍ଠାର ସହିତ ହବିଷ୍ୟାନ୍ନ ପାଳନ କରି ନିଜ ନିଜର କର୍ମରେ ଅଗ୍ରସର ହୁଅନ୍ତି ।

ଶ୍ରୀବିଗ୍ରହମାନଙ୍କ ମୂର୍ତ୍ତି ନିର୍ମାଣ ନିମନ୍ତେ ତଥା ଯଜ୍ଞ କର୍ମ ନିମନ୍ତେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ତଥାକଥିତ ଗୁପ୍ତ ସେବାକାର୍ଯ୍ୟ ଭାବେ ପରିଚିତ ଏହି କାମ ପାଇଁ କୋଇଲି ବୈକୁଣ୍ଠ ଉପବନର ଚତୁଃପାର୍ଶ୍ଵରେ ନଡିଆ ଚାଞ୍ଚ ଏବଂ ତାଟି ଦ୍ଵାରା ଆବଦ୍ଧ କରାଯାଏ । ଏ ସମ୍ପର୍କରେ ସ୍କନ୍ଦ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି ଯେ ବିଗ୍ରହ ନିର୍ମାଣ କାର୍ଯ୍ୟ ଅବରୁଦ୍ଧ ଗୃହ ମଧ୍ୟରେ ଅନୁଷ୍ଠିତ ହେବ । ସ୍କନ୍ଦ ପୁରାଣର ଉଲ୍ଲେଖ ଅନୁସାରେ ବିଗ୍ରହ ନିର୍ମାଣ ପୂର୍ବରୁ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ଏକ ଶୁନ୍ୟବାଣୀ ହୋଇଛି ଯେ, ଭଗବାନ ଆପୋରୁଷେୟ ଏବଂ ସମସ୍ତଙ୍କ ବିଚାରରେ ଅଗୋଚର ଅରନ୍ତି । ସେ ସ୍ଵୟଂ ସୁଗୁପ୍ତ ମହାବେଦୀରେ ଅବତରିତ ହେବେ । ତେଣୁ ଏହି ଯେଉଁ ବୃଦ୍ଧ ବିଶ୍ଵକର୍ମାଙ୍କୁ ଦେଖୁଛନ୍ତି ତାଙ୍କୁ ପଞ୍ଚଦଶ ଦିବସ ଯାବତ୍ ଯତ୍ନର ସହିତ ପ୍ରାସାଦ ମଧ୍ୟରେ ପ୍ରବେଶ କରାଇ ଦ୍ଵାର ଅବରୁଦ୍ଧ ରଖନ୍ତୁ- “ଏ ନମନ୍ତଃ ପ୍ରବେଶ୍ୟୈବ ଦ୍ଵାରଂ ବଧ୍ନତୁ ଯତ୍ନତଃ ।” ଯଦ୍ଵାରା ବାହାରର କେହି ମୂର୍ତ୍ତି ଗଠନ ପ୍ରକ୍ରିୟାକୁ ଅବଲୋକନ କରିପାରିବେ ନାହଁ । ଏହା ସହିତ ବିଗ୍ରହ ନିର୍ମାଣ ସମୟର ଶବ୍ଦ ମଧ୍ୟ ବାହାରର ଲୋକ ନ ଶୁଣିବା ପାଇଁ ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟରେ ସୂଚନା ରହିଛି । ସ୍କନ୍ଦର ଉଲ୍ଲେଖ ଅନୁସାରେ- ଯେ ପର୍ଯ୍ୟନ୍ତ ଏହି ଦେବ ବିଗ୍ରହ ଗଠନ କାର୍ଯ୍ୟ ସମ୍ପନ୍ନ ନହୋଇଛି ସେ ପର୍ଯ୍ୟନ୍ତ ଏହାର ବର୍ହିଭାଗରେ ନାନାବିଧ ବାଦ୍ୟ ବାଦନ କରାଯାଉ । କାରଣ ଏହି ଗଠନର ଶବ୍ଦ ଶ୍ରବଣ କଲେ ବଧିରତା, ଅନ୍ଧତ୍ଵ, ନରକବାସ ଓ ସନ୍ତାନ ନାଶର ଭୟ ରହିଛି । ଏହି କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତି ବ୍ୟତୀତ ଅନ୍ୟ କେହି ଯଦି ଦର୍ଶନ କରନ୍ତି ତାହାହେଲେ ଦର୍ଶନ କରିଥିବା ବ୍ୟକ୍ତିର ମହାନ୍ କ୍ଷତି ସାଧିତ ହେବା ସହିତ ଦୁଇ ଚକ୍ଷୁ ଅନ୍ଧ ହୋଇଯିବ । ଯେ ପର୍ଯ୍ୟନ୍ତ ପ୍ରତିମା ନିର୍ମାଣ ନ ସରିଛି ସେ ପର୍ଯ୍ୟାନ କେହି ହେଲେ ଦର୍ଶନ କରିପାରିବେ ନାହିଁ । ଏହି ସମ୍ପର୍କିତ ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟର ଶ୍ଲୋକ ତିନୋଟି ହେଉଛି-

“ବହିର୍ବାଦ୍ୟାନି କୁର୍ବନ୍ତୁ ଯାବତ୍ତୁ ଘଟନା ଭବେତ୍

ଶ୍ରୁତୋହୀ ଘଟନାଶବ୍ଦୋ ବାଧିର୍ଯ୍ୟାନ୍ଧତ୍ଵ ଦାୟକଃ

।।

ନରକେ ବସତିଂ ଚୈବ କୁର୍ଯ୍ୟାତ୍ ସନ୍ତାନ ନାଶନମ୍

ନାନ୍ତଃ ପ୍ରବେଶନଂ କୁର୍ଯ୍ୟାନ୍ ନ ପଶ୍ୟେଚ୍ଚ କଦାଚନ

।।

ତସ୍ମାନ୍ନାବେକ୍ଷଣଂ କାର୍ଯ୍ୟଂ ଯାବତ୍ ପ୍ରତିମାନିର୍ମିତଃ” ।

 

ଉପରୋକ୍ତ ପୌରାଣିକ ବିଶ୍ଵାସକୁ ଆଧାର କରି ନବକଳେବର ପାଇଁ ବିଗ୍ରହ ନିର୍ମାଣ କାଳରେ ମଧ୍ୟ କୋଇଲି ବୈକୁଣ୍ଠ ଉପବନସ୍ଥ ନିର୍ମାଣ ମଣ୍ଡପ ବାହାରେ, ମୂର୍ତ୍ତି ନିର୍ମାଣ ଶବ୍ଦ କେହି ନଶୁଣିପାରିବା ପାଇଁ ତେଲେଙ୍ଗାବାଦ୍ୟ, ଘଣ୍ଟ, ମଙ୍ଗଳଗୀତ ଗାନ, ହୁଳହୁଳି ଧ୍ଵନିର ଭାବପୂର୍ଣ୍ଣ ପରିବେଶ ଆହରହ ଚାଲିଥାଏ । ଏହି ମହାଅଣସର କାଳୀନ ଅନ୍ତଃ ବନଯାଗ କାଳରେ କୋଇଲି ବୈକୁଣ୍ଠ ମଧ୍ୟକୁ ସର୍ବସାଧାରଣ କାହିଁକି ଅନ୍ୟ କୌଣସି ସେବକଙ୍କୁ ମଧ୍ୟ ଛଡାଯାଇନଥାଏ । ଏପରିକି ସ୍ଵୟଂ ଠାକୁର ରାଜାଙ୍କୁ ମଧ୍ୟ ଏହି ବିଗ୍ରହଙ୍କ ଅନବସର କାଳରେ ଦର୍ଶନ ପାଇଁ ସ୍କନ୍ଦ ପୁରାଣ ଏବଂ ନୀଳାଦ୍ରି ମହୋଦୟରେ ନିଷେଧ ଅଛି । ଏ ସମ୍ପର୍କରେ ନୀଳାଦ୍ରି ମହୋଦୟରେ ମଧ୍ୟ ଉଲ୍ଲେଖ ରହିଛି ଯେ,

ବଦ୍ଧ୍ୱା ଦୃଢତରଂ ଦ୍ଵାରଂ ତାବତକାଳଂ ନୃପୋତ୍ତମ

 

ଯାବତମ୍ ପଞ୍ଚଦଶେତ୍ୟେବଂ ଦିନାନି ସ୍ୟୁନରାଧିପଃ

ନାନା ବାଦ୍ୟରବଃ କାର୍ଯ୍ୟଃ ଯାବତ୍ତଦଘଟନା ବଧି

 

ଶ୍ରୁତେ ଚ ଘଟନା ଶବ୍ଦେ ବ୍ୟାଧିଶ୍ଚ ବିପଦାଂ ଚୟଃ

ନିରତେ ନିୟତଂ ବାସଃ ତଥା ସନ୍ତାନନାଶକମ୍

 

ପଶ୍ୟତାଂଶୃଣ୍ୱତାଂ ବାପି ଭବିଷ୍ୟତି ନ ସଂଶୟଃ

ଘଣ୍ଟା ମୃଦଙ୍ଗ ତାଳାନାଂ ବାଦ୍ୟାନାଂ ଚ ମହୀପତେ

 

ନିରନ୍ତରଂ ଧ୍ଵନିଂ କୁର୍ଯ୍ୟାତ୍ କହାଳେଦେଃ ସୁମଙ୍ଗଳମ୍

ଅର୍ଥାତ୍ ହେ ରାଜା ! ମୂର୍ତ୍ତି ନିର୍ମାଣ ସମୟରେ ଦ୍ଵାର ଅତି ଦୃଢ଼ ଭାବରେ ରୁଦ୍ଧ କରି ରଖିବ । ଯେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲୁଥିବା ସେ ପର୍ଯ୍ୟନ୍ତ ବାହାରେ ନାନା ବାଦ୍ୟମାନ ବାଦନ କରାଇବ । ଯେପରି ନିର୍ମାଣ କାଳୀନ ଶବ୍ଦ ପଡେ କାହାର ଶ୍ରୁତି ଗୋଚର ନହୁଏ । ଯଦି କାହାର କର୍ଣ୍ଣରେ ଏହି ନିର୍ମାଣ କାଳୀନ ଶବ୍ଦ ପଡେ ତାହାର ଘୋର ବ୍ୟାଧି ଜାତ ହୁଏ ଏବଂ ସେ ମହାବିପତ୍ତିରେ ପଡେ । ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ଯେ ଦେଖେ କିମ୍ବା ମୂର୍ତ୍ତି ନିର୍ମାଣ ଶବ୍ଦ ଶ୍ରବଣ କରେ ସେ ନରକରେ ନିରନ୍ତରେ ପଡେ, ତା’ର ସନ୍ତାନମାନେ ନଷ୍ଟ ହୁଅନ୍ତି । ଏଥିରେ ସଂଶୟ ନାହିଁ-। ତେଣୁ ଘଣ୍ଟା କାହାଳୀ, ମୃଦଙ୍ଗ ପ୍ରଭୃତି ମାଙ୍ଗଳିକ ବାଦ୍ୟମାନଙ୍କର ନିରନ୍ତର ଧ୍ଵନି କରାଇବ ।

ମହାଅଣସର କାଳରେ ଅନୁଷ୍ଠିତ ହେଉଥିବା ୪୫ ଦିନର ନବକଳେବର ନିର୍ମାଣ ପ୍ରକ୍ରିୟା ମୁଖ୍ୟତଃ ୩ଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ୧୫ ଦିନ ଅର୍ଥାତ୍ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଅର୍ଥାତ୍ ଆଷାଢ଼ କୃଷ୍ଣପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ନିର୍ମାଣ ମଣ୍ଡପଠାରେ ଶ୍ରୀଜୀଉମାନଙ୍କ ବିଗ୍ରହ ନିର୍ମାଣ କାର୍ଯ୍ୟ ଏବଂ ତତସହିତ ନ୍ୟାସଦାରୁ ଆସିଥିବା ଦାରୁମାନଙ୍କ ମଧ୍ୟରୁ ଗୋଟିଏ ଦାରୁରୁ ଖଣ୍ଡେ ଦାରୁ ମାପ ଅନୁଯାୟୀ କଟାହୋଇ ନ୍ୟାସଦାରୁ ଭାବରେ ପ୍ରତିଷ୍ଠା କରାଯାଏ । ପରବର୍ତ୍ତୀ ସମୟରେ ଏହି ନ୍ୟାସଦାରୁ ଚାରିଭାଗରେ ବିଭକ୍ତ କରାଯାଇ ଚାରିଦାରୁଙ୍କ ବ୍ରହ୍ମ ପଦାର୍ଥ ରଖିବା ସ୍ଥାନରେ ଢାଙ୍କୁଣିରୂପେ ବ୍ୟବହାର କରାଯାଏ । ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ରାତିରେ ହିଁ ବ୍ରହ୍ମ ପରିବର୍ତ୍ତନ କାର୍ଯ୍ୟ ଅନୁଷ୍ଠିତ ହୁଏ ।

ଦ୍ଵିତୀୟ ପନ୍ଦର ଦିନ ବା ମଳ ଆଷାଢ଼ମାସର ପ୍ରଥମ ପନ୍ଦର ଦିନର ପ୍ରଥମ ଦିନରେ ପୁରାତନ ବିଗ୍ରହଙ୍କ ପୁରାତନ ସାରଥି, ଘୋଡା, ପାର୍ଶ୍ଵଦେବତା, ଶୁଆ, ଦ୍ଵାରପାଳ, ଧ୍ଵଜାଦଣ୍ଡ ଓ ମହାପ୍ରଭୁଙ୍କର ଖଟଶେଜ ଆଦିକୁ ପୋତିବା କର୍ମ କରାଯାଇଥାଏ । ଦଇତାମାନଙ୍କ ଶୁଦ୍ଧିକ୍ରିୟାର କର୍ମମାନ ଅନୁଷ୍ଠିତ ହୋଇଥାଏ । ବସ୍ତୁତଃ ଶୁଦ୍ଧିକ୍ରିୟା ମଧ୍ୟରେ ନୂତନ ବିଗ୍ରହଙ୍କ ଦେହରେ ସପ୍ତାବରଣାଦି କାର୍ଯ୍ୟ କରାଯାଇ ନଥାଏ ।

ତୃତୀୟ ପନ୍ଦରଦିନ ବା ମଳ ଆଷାଢ଼ର ଶେଷ ଭାଗରେ ଶ୍ରୀଜଗନ୍ନାଥ ପ୍ରଭୃତି ଚତୁର୍ଦ୍ଧା ବିଗ୍ରହଙ୍କ ଦେହରେ ସପ୍ତାବରଣର ଖଳିଲାଗି, ପଟକନାଲାଗି, ଫୁଲୁରି ତେଲ ଲାଗି କର୍ମମାନ ଅନୁଷ୍ଠିତ ହୋଇଥାଏ ।

ଉପରେ ବର୍ଣ୍ଣିତ ତିନି ପର୍ଯ୍ୟାୟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏକ ଦିଗରେ ନିର୍ମାଣ ମଣ୍ଡପଠାରେ ବିଶ୍ଵକର୍ମା ଏବଂ ଦଇତାପତିଙ୍କ ଦ୍ଵାରା ଚାରି ବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ଚାଲିବା କାଳରେ, ନ୍ୟାସଦାରୁଙ୍କ ପ୍ରତିଷ୍ଠା କର୍ମ ମଧ୍ୟ ଶ୍ରୋତ୍ରୀୟ ବ୍ରାହ୍ମଣ, ରାଜଗୁରୁ, ଶ୍ରୀମନ୍ଦିର ପୁରୋହିତ ଏବଂ କିଛି ବେଦଜ୍ଞ ପଣ୍ଡିତଙ୍କ ଦ୍ଵାରା ପ୍ରତିଷ୍ଠା ମଣ୍ଡପଠାରେ ଚାଲିଥାଏ । ନିର୍ମାଣ ମଣ୍ଡପର ପୂର୍ବ ଭାଗରେ ସ୍ଥିତ ବିରାଟକାୟ ପ୍ରତିଷ୍ଠା ମଣ୍ଡପ (୧୬ହାତ x ୧୬ହାତ)ର ମଧ୍ୟ ଭାଗରେ ଗୋଟିଏ ପାଞ୍ଚହାତ ଆଠ ଆଙ୍ଗୁଳିର ବେଦୀ ନିର୍ମାଣ କରାଯାଇଥାଏ । ପ୍ରତିଷ୍ଠା ମଣ୍ଡପ ମଧ୍ୟରେ ଯଜ୍ଞବେଦୀ ବ୍ୟତୀତ ଅନ୍ତତଃ ପକ୍ଷେ ଆହୁରି ତିନିଗୋଟି ଛୋଟ ଛୋଟ ମଣ୍ଡପ ନିର୍ମାଣ କରାଯାଇଥାଏ । ଏହି ମଣ୍ଡପମାନଙ୍କ ମଧ୍ୟରୁ ଗୋଟିଏ ‘ସ୍ନାନ ମଣ୍ଡପ’ ଭାବରେ ବ୍ୟବହୃତ ହୁଏ, ଯେଉଁଠାରେ କି ନ୍ୟାସଦାରୁଙ୍କର ସ୍ନାନ କାର୍ଯ୍ୟର ଅନୁଷ୍ଠାନ ହୁଏ । ଦ୍ଵିତୀୟଟି ଅଧିବାସ ମଣ୍ଡପ‘ । ଯେଉଁଠାରେ ସ୍ନାନ ପାଇଁ ଆସୁଥିବା କଳସମାନଙ୍କୁ ରଖାଯାଏ । ତୃତୀୟ ମଣ୍ଡପଟି “ସମ୍ଭାର ମଣ୍ଡପ” । ଯେଉଁ ମଣ୍ଡପରେ କି ଯଜ୍ଞ କର୍ମ ଓ ନ୍ୟାସ ଦାରୁ ପ୍ରତିଷ୍ଠା କର୍ମରେ ବ୍ୟବହୃତ ସରଞ୍ଜାମ ସବୁ ରଖାଯାଏ ।

ପ୍ରଥା ଅନୁଯାୟୀ ଆଷାଢ଼ କୃଷ୍ଣପକ୍ଷ ଦ୍ଵିତୀୟା ଦିନଠାରୁ ମୁଖ୍ୟ ପୁରୋଧା ବା ରାଜଗୁରୁଙ୍କ ତତ୍ତ୍ଵାବଧାନରେ ଜଣେ ବରିଷ୍ଠ ନୃସିଂହଙ୍କ ଉପାସକଙ୍କ ସହାୟତାରେ ଯଜ୍ଞକର୍ମ ଓ ପ୍ରତିଷ୍ଠା କର୍ମ ଆରମ୍ଭ ହୁଏ । ‘ଚଳଶ୍ରୀମୂର୍ତ୍ତି ପ୍ରତିଷ୍ଠା’ ବିଧିର ସୂଚନା ଅନୁସାରେ ପ୍ରତିଷ୍ଠା କର୍ମର ଆଚାର୍ଯ୍ୟ- “ ଶାନ୍ତମ୍ ସଦାଚାର ପ୍ରତିଷ୍ଟତମ୍ ମନ୍ତ୍ରରାଜ ମନ୍ତ୍ରିତ ତନୁମ୍....” ହେବା ଆବଶ୍ୟକ । ଏହିଦିନ ପ୍ରତିଷ୍ଠା ମଣ୍ଡପର ବିଭିନ୍ନ ସ୍ଥାନରେ ଚକ୍ରାବଜ୍ ମଣ୍ଡଳଠାରେ ଆଚାର୍ଯ୍ୟ ପୂର୍ବମୁଖ ହୋଇ ବସି ପ୍ରଥମେ ନୃସିଂହଙ୍କ ଉଦ୍ଦେଶ୍ୟରେ ପୂଜା ଅନୁଷ୍ଠାନ କରନ୍ତି । ଏହାପୂର୍ବରୁ ଦଇତା ଓ ପତିମହାପାତ୍ର ଦକ୍ଷିଣ ଘରୁ ନୃସିଂହଙ୍କୁ (ଲକ୍ଷ୍ମୀ ନୃସିଂହ) ସେଠାରେ ବିଜେ କରାଇଥାନ୍ତି । ପୂଜା କାଳରେ ସେ କରୁଥିବା କର୍ମଟି ନିର୍ବିଘ୍ନରେ ସମାପ୍ତ ହେବାପାଇଁ ପ୍ରାର୍ଥନା କରି ନୃସିଂହଙ୍କଠାରେ ଅନୁଗ୍ରହ ପ୍ରାର୍ଥୀ ହୁଅନ୍ତି । ଏହାପରେ ଶାଲାପୂଜା ଏବଂ ବୈଷ୍ଣବାଗ୍ନି ସଂସ୍କାର ହୁଏ । ଶାଲା ମଧ୍ୟରେ ନିଦ୍ରାଘଟ ପୂଜା, ଅସ୍ତ୍ରପୂଜା ଆଦି କରାଯାଏ । ତା’ସହିତ ଗଣେଷଙ୍କ ପୂଜା, ଦିଗପାଳ ପୂଜା, ଏହାଛଡା ଭୈରବ ପୂଜା, ମଣ୍ଡପ ବାହାରେ ଦଶଦିଗପାଳ ଏବଂ ଭୂତପ୍ରେତାଦିଙ୍କୁ ବଳି ଅର୍ପଣ ତଥା ବିଷ୍ଣୁଙ୍କର ଦ୍ଵାରପାଳ ପୂଜା ଅନୁଷ୍ଠିତ ହୋଇଥାଏ । ଭୂତବଳି ସେହିଦିନଠାରୁ ପ୍ରତ୍ୟହ ମଣ୍ଡପ ବାହାରେ କାନ୍ତିପିଠା ରୂପରେ ପ୍ରଦାନ କରାଯାଇଥାଏ । ଦଶଦିଗପାଳଙ୍କୁ ଅର୍ପିତ ବଳିକୁ ମାଟିର ପାତ୍ରରେ ଦଶଭାଗ କରି ମଣ୍ଡପର ଚାରିପାର୍ଶ୍ଵରେ ପୋତି ଦିଆଯାଏ । ମଣ୍ଡପର ଚାରିଗୋଟି ତୋରଣର ଦ୍ଵାରଦେଶରେ ଯାବଧାନ, ଗହମ, ରାଶି, ସୋରିଷ, ମାଣ୍ଡିଆ, ସୁଆଁଧାନ, ବୁଟ ପକାଇ ଅଙ୍କୁରାରୋପଣ ନୀତି ଅନୁଷ୍ଠିତ ହୁଏ । ଏ ଶସ୍ୟଗୁଡିକ ମାଟି ପାତ୍ରରେ ଅଙ୍କୁରିତ ହେବାପାଇଁ ରଖାଯାଏ । ଏଠାରେ ସୂଚନାଯୋଗ୍ୟ ଯେ ସୂତ ସଂହିତା, ସୌଭାଗ୍ୟ ମଞ୍ଜୁଷା ଆଦି ଗ୍ରନ୍ଥରେ ଏହି ବିବରଣୀ ରହିଥିଲେ ହେଁ ତଥ୍ୟ ବିଶିଷ୍ଟ ଗବେଷକ ଗୟାଚରଣ ତ୍ରିପାଠୀ ଏ ବିଷୟରେ ତାଙ୍କ ଗ୍ରନ୍ଥରେ ସୂଚନା ପ୍ରଦାନ କରିଥିଲେ ହେଁ ବସ୍ତୁତଃ ଯଜ୍ଞକର୍ମ ଆରମ୍ଭ ପୂର୍ବରୁ ବୀଜ ଅଙ୍କୁରିତ ହୋଇସାରିଥିବା ଆବଶ୍ୟକତାକୁ ଉପଲବ୍ଧି କରି ତାହାର ଦିନକ ପୂର୍ବରୁ ହିଁ ଉଷ୍ମ ଜଳରେ ବୀଜଗୁଡିକୁ ଧୋଇ ମାଟି ଓ ଗୋବରର ଶଯ୍ୟା ପ୍ରସ୍ତୁତ କରି ଅଙ୍କୁରାରୋପଣ କର୍ମ ସମାପନ କାର୍ଯ୍ୟ ସରିଥାଏ ।

ଚକ୍ରାବଜ୍ ମଣ୍ଡଳରେ ଲକ୍ଷ୍ମୀନୃସିଂହ ନବକଳେବର କାର୍ଯ୍ୟର ପରିସମାପ୍ତି ପର୍ଯ୍ୟନ୍ତ ଅଧିଷ୍ଠିତ ରୁହନ୍ତି । ଏହି ସ୍ଵତନ୍ତ୍ର ବିଗ୍ରହ ଦକ୍ଷିଣି ଘରେ ରହିଥାନ୍ତି ଏବଂ କେବଳ ନବକଳେବର ଅବସରରେ ହିଁ ସେଠାରୁ କୋଇଲି ବୈକୁଣ୍ଠକୁ ଆନୀତ ହୋଇ ପୂଜା ପାଇଥାନ୍ତି । ପ୍ରତ୍ୟହ ସକାଳୁ ପତିମହାପାତ୍ର ପ୍ରତିଷ୍ଠା ମଣ୍ଡପକୁ ଆସି ଲକ୍ଷ୍ମୀ ନୃସିଂହଙ୍କ ପୂଜା କରି ଚାଲିଯାନ୍ତି । ତା’ପରେ ହିଁ ପ୍ରତିଷ୍ଠା ମଣ୍ଡପର ଅନ୍ୟାନ୍ୟ କର୍ମ ଆରମ୍ଭ ହୁଏ ।

ପ୍ରତିଷ୍ଠା ମଣ୍ଡପରେ ପୂର୍ବ ସୂଚିତ ପ୍ରକାରେ, ଚକ୍ରାବଜ୍ମଣ୍ଡଳ, ସର୍ବୋତଭଦ୍ର ମଣ୍ଡଳ, ବାୟୁମଣ୍ଡଳ, ସ୍ଵସ୍ତିକ ମଣ୍ଡଳ ଓ ନବଗ୍ରହ ମଣ୍ଡଳ ପ୍ରଭୃତି ପଞ୍ଚୁବର୍ଣ୍ଣ ମୁରୁଜରେ ଅଙ୍କନ କରାଯାଇଥାଏ ଏ ସମସ୍ତ କାର୍ଯ୍ୟ ମଣ୍ଡଳାଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ସରିଥାଏ । ଯଜ୍ଞଶାଳାର ଦକ୍ଷିଣ ପୂର୍ବ ବା ଅଗ୍ନି କୋଣରେ ଚକ୍ରାବଜମଣ୍ଡଳ ଏବଂ ସ୍ଵସ୍ତିକ ମଣ୍ଡଳ, ଐଶନ୍ୟକୋଣରେ ସର୍ବୋତ୍ତଭଦ୍ର ମଣ୍ଡଳ ଏବଂ ନବଗ୍ରହ ମଣ୍ଡଳ, ନୈଋତ କୋଣରେ ବାସ୍ତୁ ମଣ୍ଡଳ ଅଙ୍କନ କରାଯାଇଥାଏ ।

ଡ. ଭାସ୍କର ମିଶ୍ରଙ୍କ ବର୍ହିଃ ଅନ୍ତଃ ବନଯାଗ ବିଧି ପୁସ୍ତକର ସୂଚନା ଅନୁସାରେ ଚକ୍ରାବଜ୍ ମଣ୍ଡଳର ମଧ୍ୟରେ ଭଗବାନ ନୃସିଂହ ଏବଂ ପାର୍ଶ୍ଵରେ ଲକ୍ଷ୍ମୀନାରାୟଣ , ବାସୁଦେବ ପ୍ରଭୃତି ଅନ୍ୟ ଦେବେଦେବୀଙ୍କୁ ସ୍ଥାପନ କରାଯାଏ । ସ୍ଵସ୍ତିକ ମଣ୍ଡଳରେ ନିଦ୍ରାଘଟ ପୂଜା କରାଯାଏ । ବାସ୍ତୁ ମଣ୍ଡଳରେ ଅଭିଷେକ ନିମନ୍ତେ ସ୍ନାନ ଘଟ ଗୁଡିକୁ ସ୍ଥାପନ କରାଯାଏ । ଏହାବ୍ୟତୀତ ଅଷ୍ଟାଦଶ ମାତୃଗଣ, ଦଶଦିଗପାଳ, ନବଗ୍ରହ ପ୍ରଭୃତିଙ୍କୁ ପୃଥକ ପୃଥକ ମଣ୍ଡଳ ଅଙ୍କନ କରାଯାଇ ସ୍ଥାପନା କରାଯାଏ । ମଣ୍ଡପର ବାୟୁକୋଣରେ ଅଷ୍ଟଦଳ ପଦ୍ମମଣ୍ଡଳରେ ବିଶ୍ଵକର୍ମାଙ୍କ ର ଅସ୍ତ୍ର (ନିହାଣ, ମୁଗୁରା ଆଦି) ସ୍ଥାପନା କରାଯାଇ ପୂଜା କରାଯାଏ ।

ପ୍ରତିଷ୍ଠା ଦିନର ପ୍ରଥମ ଚାରିଦିନ କାଳ ଉପରୋକ୍ତ ଦେବଦେବୀଙ୍କର ପୂଜାର୍ଚ୍ଚନା ପ୍ରତ୍ୟହ କରାଯାଏ । ଷଷ୍ଠଦିନ ପ୍ରତିଷ୍ଠା ଗୃହକୁ ନ୍ୟାସ ଦାରୁଙ୍କୁ ଅଣାଯାଇଥାଏ ଏବଂ ପ୍ରତିଷ୍ଠା ମଣ୍ଡପ ଗୃହର ପଶ୍ଚିମ ଭାଗରେ ଖଟ ଉପରେ ପାଟବସ୍ତ୍ର ଦ୍ଵାରା ଆବୃତ କରି ରଖାଯାଏ । ତା’ପରେ ହୋମ କାର୍ଯ୍ୟ ପାଇଁ ସଂସ୍କାରିତ ବୈଷ୍ଣବାଗ୍ନିରେ ହୋମକୁଣ୍ଡରେ ସମୀଧ ସଂଯୋଗ କରି ଅଗ୍ନିଙ୍କୁ ଆବାହନ କରି ହୋମ ପୂଜା ଆରମ୍ଭ କରାଯାଏ । ନ୍ୟାସଦାରୁଙ୍କ ଅଭିଷେକ ପାଇଁ ପ୍ରଥମେ ୧୦୮ ଘୃତାହୁତି ନୃସିଂହ ଗାୟତ୍ରୀ ପାଠ ପୂର୍ବକ ଅଗ୍ନିରେ ପ୍ରଦାନ କରାଯାଏ । ତା’ପରେ ବଳକା ଘୃତାଜ୍ୟାକୁ ପ୍ରତିଷ୍ଠା ମଣ୍ଡପରେ ଥିବା ନ୍ୟାସଦାରୁଙ୍କ ସ୍ନାନ ପାଇଁ ଉଦ୍ଦିଷ୍ଟ ଜଳ କଳସମାନଙ୍କରେ (୧୭+୮୧ କଳସ) ଛିଞ୍ଚି ଦିଆଯାଏ । ଏହାପରେ ନ୍ୟାସ ଦାରୁଙ୍କୁ ଗୋଟିଏ କବଚ ମଧ୍ୟରେ ମନ୍ତ୍ରପୂତ ସୋରିଷ ଏବଂ ଦୁବକୁ ଭର୍ତ୍ତି କରି, ଦୁଷ୍ଟ ଗ୍ରହ ତଥା ଅଶୁଭ ଶକୁନ ନିବାରଣ ପାଇଁ ବାନ୍ଧି ଦିଆଯାଏ । ଏହି ସମୟରେ ନ୍ୟାସଦାରୁଙ୍କୁ ଦକ୍ଷିଣ ହସ୍ତ ଭାବରେ କଳ୍ପନା କରାଯାଇଥାଏ ।

ଏହାପରେ ଦିନ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ନ୍ୟାସ ଦାରୁଙ୍କୁ ସ୍ନାନମଣ୍ଡପକୁ ଅଣାଯାଏ-। ସେଠାରେ ବାର ଆଙ୍ଗୁଳ ଉଚ୍ଚତା ବିଶିଷ୍ଟ ଗୋଟିଏ ବେଦୀ ଉପରେ ନ୍ୟାସ ଦାରୁଙ୍କୁ ସ୍ଥାପନ କରି ଆଗରୁ ମଣ୍ଡଳ ମଧ୍ୟରେ ରହିଥିବା ୮୭ଟି ସ୍ଵତନ୍ତ୍ର କଳଶର ପୁଷ୍ପ, ଚନ୍ଦନ, ସିନ୍ଦୂର, ମଧୁରଫଳ, ଘିଅ ପ୍ରଭୃତି ମିଶ୍ରିତ ଜଳରେ ଦାରୁଙ୍କୁ ସ୍ନାନ କରାଯାଏ । ନ୍ୟାସଦାରୁଙ୍କୁ ସ୍ନାନ କରାଇବା କାଳରେ ବେଦମନ୍ତ୍ର ଉଚ୍ଚାରଣ କାର୍ଯ୍ୟ ଚାଲିଥାଏ । ପରିଶେଷରେ ନୃସିଂହର ଗାୟତ୍ରୀ ଏବଂ ମନ୍ତ୍ରରାଜ ନୃସିଂହ ମନ୍ତ୍ର ପାଠ କରାଯାଏ । ସ୍ନାନ କାର୍ଯ୍ୟ ଉଭୟ ଉଷ୍ମ ଏବଂ ଶୀତଳ ଜଳରେ ଅନୁଷ୍ଠିତ ହୋଇଥାଏ । ତା’ପରେ ବାୟୁମଣ୍ଡଳରେ ରଖାଯାଇଥିବା ୮୧ଟି ସ୍ଥାନର ୮୧ ଟି କଳସର ଜଳକୁ ନ୍ୟାସଦାରୁଙ୍କ ଉର୍ଦ୍ଧ୍ୱ ଭାଗରେ ଓହଳାଇ ରଖାଯାଇଥିବା ଅସଂଖ୍ୟ ଛିଦ୍ର ବିଶିଷ୍ଟ ଏକ ବଡପାତ୍ର ମଧ୍ୟରେ ଢାଳି ଦିଆଯାଏ । ଏହି ଛିଦ୍ରଯୁକ୍ତ କୁମ୍ଭକୁ ସହସ୍ରଧାର କୁମ୍ଭ ବୋଲି କୁହାଯାଏ । ସହସ୍ରଧାର କୁମ୍ଭ ଏବଂ ଦାରୁ (ନ୍ୟାସ)ଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ବଡ ଆକାରରେ କନା ବାଟ ଦେଇ ନ୍ୟାସଦାରୁ ଉପରେ ପଡନ୍ତି । ନ୍ୟାସଦାରୁଙ୍କର ସ୍ନାନାଭିଷେକ କାର୍ଯ୍ୟ ଚାଲିଥିବାବେଳେ ବୈଦିକ ବ୍ରାହ୍ମଣମାନେ ଋଗବେଦୀୟ ପୁରୁଷ ସୂକ୍ତ ପାଠ କରିଥାନ୍ତି । ଯାହାକି ଶ୍ରୀଜଗନ୍ନାଥଙ୍କ ପାଇଁ ଉଦ୍ଦିଷ୍ଟ ଥାଏ । ତା’ପରେ ଶ୍ରୀବଳଭଦ୍ରଙ୍କ ପାଇଁ ଯଜୁର୍ବେଦୀୟ ରୁଦ୍ରାଧ୍ୟାୟ କିମ୍ବା ନୀଳସୂକ୍ତ ପାଠ ହୁଏ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ଶ୍ରୀସୂକ୍ତ ପାଠ କରାଯାଇଥାଏ ।

ନ୍ୟାସଦାରୁଙ୍କର ଅଭିଷେକ କର୍ମ ସମାପନ ହେବାପରେ ଗୋଟିଏ ଶୁଦ୍ଧପୂତ ନୂତନ ଗାମୁଛାରେ ଭଲ ଭାବରେ ପୋଛି ଦିଆଯାଏ । ତା’ପରେ ନୃସିଂହ ଗାୟତ୍ରୀ ଏବଂ ନୃସିଂହ ମନ୍ତ୍ର ପାଠ କରାଯାଇ ଷୋଡଶ ଉପାଚାରରେ ପୂଜା କରାଯାଏ । ଉଦାହରଣତଃ ବସ୍ତ୍ର ସ୍ଥାନରେ ପୁଷ୍ପ, ମଧୁପର୍କ, ସ୍ଥାନୀୟ (ପୂନର୍ବାର ପ୍ରତୀକ ସ୍ନାନଜଳ ପ୍ରଦାନ), ଗୋରଚନା, କଜ୍ଜ୍ୱଳ, ପୁଷ୍ପ, ଧୂପ, ଦୀପ, ଦର୍ପଣ, ଛତା, ଅଳଙ୍କାରାଦି ଷୋଡଶ ଉପଚାର ପୂଜା କାଳରେ ବ୍ୟବହୃତ ହୁଏ । ଏହାପରେ ନ୍ୟାସଦାରୁଙ୍କ ଉପରେ ଦୁର୍ବାକ୍ଷତ ସ୍ଥାପନ କରାଯାଇ ସଂକଳ୍ପସୂକ୍ତ ପାଠ କରାଯାଏ । ଏହାପରେ ଶକୁନ ସୂକ୍ତ ପାଠ କରାଯାଇ ସେହି ଦାରୁଙ୍କୁ ପ୍ରତିଷ୍ଠା ମଣ୍ଡପକୁ ଅଣାଯାଏ ତା’ପରେ ପୁରୁଷସୂକ୍ତ ପାଠକରି ତାଙ୍କୁ ପ୍ରତିଷ୍ଠା ମଣ୍ଡପସ୍ଥ ଚକ୍ରାବଜ୍ ମଣ୍ଡଳ ଉପରେ ପୀଠାସନ ବା ଶୟନାସନରେ ସ୍ଥାପନା କରାଯାଏ ଏବଂ ଶିତଳ ପାନୀୟ ଅର୍ପଣ କରାଯାଏ । ଏଠାରେ ସୂଚନାଯୋଗ୍ୟ ଯେ ମନ୍ତ୍ରପାଠ ଏବଂ ଉପାଚାର ପୂଜା ଓ ସୂକ୍ତପାଠ ଇତ୍ୟାଦି ଆଚାର୍ଯ୍ୟ ବ୍ରାହ୍ମଣମାନେ କରୁଥିଲେ ହେଁ ନ୍ୟାସଦାରୁଙ୍କୁ ପ୍ରଥମେ ଅଧିବାସ ମଣ୍ଡପରେ, ତାହାପରେ ସ୍ନାନମଣ୍ଡପରେ ଓ ଶେଷରେ ପ୍ରତିଷ୍ଠା ମଣ୍ଡପରେ ସ୍ଥାପନ କରିବା କାର୍ଯ୍ୟଟି ଦଇତା ସେବକମାନଙ୍କ ଦ୍ଵାରା ହୋଇଥାଏ । ଶିତଳ ପାନୀୟ ଓ ନୈବେଦ୍ୟ ଅର୍ପଣ ପରେ ମନ୍ତ୍ରରାଜ ନୃସିଂହ ମନ୍ତ୍ର ପାଠ ପୂର୍ବକ ଦାରୁଙ୍କ ଉପରେ ଗୋଟିଏ ଧଳାକନା ଘୋଡାଇ ଦିଆଯାଏ ।

ପରଦିନ ପ୍ରାତଃ କାଳରେ ଆଚର୍ଯ୍ୟଙ୍କ ଦ୍ଵାରା ଭୂତଶୁଦ୍ଧି, ମାତୃକାଦି ନ୍ୟାସ, ଅଙ୍ଗନ୍ୟାସାଦି କରିସାରିବା ପରେ, ନୃସିଂହ ପୂଜା କରିବା ସହିତ, ନ୍ୟାସଦାରୁଙ୍କୁ ନୃସିଂହ ରୂପରେ ଧ୍ୟାନ କରିଥାନ୍ତି । ତା’ ସହିତ ଆଚାର୍ଯ୍ୟ ନିଜ ହୃଦୟପୀଠସ୍ଥ ନୃସିଂହଙ୍କୁ ମଧ୍ୟ ଧ୍ୟାନ କରନ୍ତି । ଏହି ଧ୍ୟାନକୁ ଅର୍ନ୍ତଯଜ୍ଞ କୁହାଯାଇଥାଏ । ଏହି ନୃସିଂହଙ୍କ ଧ୍ୟାନ କାଳରେ ନୃସିଂହଙ୍କ ମଧ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ଵରୂପ ଦର୍ଶନ କରିବାକୁ ମନେ ମନେ ଚିନ୍ତା କରିଥାନ୍ତି । ତତପଶ୍ଚାତ୍ ଆବରଣ ପୂଜା ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ପୂଜା ସମ୍ପାଦନ କରି ସେଦିନର ବିଶିଷ୍ଟ ବା ମୁଖ୍ୟ କର୍ମ ଭାବରେ ନ୍ୟାସ କାର୍ଯ୍ୟ ଆରମ୍ଭ କରନ୍ତି । ପୂର୍ବ ବର୍ଣ୍ଣିତ ଚକ୍ରାବଜ୍ ମଣ୍ଡଳରେ ନ୍ୟାସଦାରୁଙ୍କୁ ସ୍ଥାପନା ପୂର୍ବକ, ସେହି ନ୍ୟାସଦାରୁଙ୍କୁ ସ୍ଥାପନା ପୂର୍ବକ, ସେହି ନ୍ୟାସଦାରୁଙ୍କୁ ବିଭିନ୍ନ ଅଙ୍ଗରେ ନୃସିଂହ ମନ୍ତ୍ରରାଜ ମନ୍ତ୍ର ବା ଅନୁଷ୍ଠୁଭ୍ ମନ୍ତ୍ରର ପ୍ରତ୍ୟେକ ଅକ୍ଷରକୁ, ପ୍ରତ୍ୟେକ ଶବ୍ଦକୁ ନ୍ୟାସଦାରୁର ବିଭିନ୍ନ ସ୍ଥାନକୁ ଶରୀରର ଏକ ଏକ ଅଙ୍ଗ ମନେ କରି ନ୍ୟାସ କରାଯାଏ । ଏହି ନ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦାରୁଙ୍କ ମଧ୍ୟକୁ ଶ୍ରୀନୃସିଂହଙ୍କ ସ୍ଵରୂପ ସମ୍ପୁର୍ଣ୍ଣ ଭାବରେ ପ୍ରଦାନ କରିବା । ଏହି ସମସ୍ତ ନ୍ୟାସକର୍ମ ତିନି ଦେବତାଙ୍କ ପାଇଁ ତିନିଥର କରାଯାଇଥାଏ । ଅର୍ଥାତ୍ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କ ପାଇଁ ଥରେ ଲେଖାଏଁ ନ୍ୟାସକର୍ମ ଅନୁଷ୍ଠିତ ହୁଏ ।

ଉପରୋକ୍ତ ସାମଗ୍ରିକ ନ୍ୟାସକର୍ମ ପରେ ପୁନର୍ବାର ସେହି ଦାରୁର ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ପାଇଁ କେଶବାଦି ନ୍ୟସ, ଶ୍ରୀବଳଭଦ୍ରଙ୍କ ପାଇଁ ଶ୍ରୀକଣ୍ଠାଦି ନ୍ୟାସ, ଦେବୀ ସୁଭଦ୍ରାଙ୍କ ପାଇଁ କଳାନ୍ୟାସ କରାଯାଏ । ଏହାପରେ ନ୍ୟାସଦାରୁଙ୍କଠାରେ ସୁଦୀର୍ଘ ନ୍ୟାସ ପ୍ରକ୍ରିୟା ଚାରିରୁ ପାଞ୍ଚଦିନ ଧରି ଚଲେ । ଅର୍ଥାତ୍ ଯଜ୍ଞକର୍ମ ଆରମ୍ଭର ପଞ୍ଚମଦିନଠାରୁ ଆରମ୍ଭ ହୋଇ ନବମ ଦିନ ପର୍ଯ୍ୟନ୍ତ ଏହା ଚାଲିଥାଏ । ଏହି ସମୟ ମଧ୍ୟରେ ଅନ୍ତତଃ ପକ୍ଷେ ୩୦ ପ୍ରକାରର ନ୍ୟାସ କରାଯାଇଥାଏ । ଯେହେତୁ ବିଷ୍ଣୁଙ୍କୁ ସମଗ୍ର ବିଶ୍ଵ ସହିତ ତୁଳନା କରାଯାଏ, ତେଣୁ ବିଶ୍ଵର ସମସ୍ତ ମୁଖ୍ୟ ସ୍ଥାବର ଜଙ୍ଗମାଦିଙ୍କୁ ନ୍ୟାସିତ ବା ଆରୋପିତ କରାଯାଏ ।

ଦୀର୍ଘ ନ୍ୟାସ କାର୍ଯ୍ୟର ସମାପ୍ତି ପରେ ନ୍ୟାସ ଦାରୁରେ ମାଂସ, ରକ୍ତ, ଇନ୍ଦ୍ରିୟ, ସମୂହ ଏବଂ ପ୍ରାଣପ୍ରତିଷ୍ଠା ଆଦି ‘ପ୍ରାଣ ପ୍ରତିଷ୍ଠା ମନ୍ତ୍ର’ ରେ କରାଯାଏ । ଏହାପରେ ସେଠାରେ ଉପସ୍ଥିତ ସମସ୍ତେ ନ୍ୟାସ ଦାରୁଙ୍କୁ ତିନିଥର ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି ।

ନ୍ୟାସକର୍ମ ପରେ ନ୍ୟାସଦାରୁଙ୍କୁ ପତିମହାପାତ୍ର ଏବଂ ଦଇତା ସେବକମାନଙ୍କୁ ହସ୍ତାନ୍ତର କରାଯାଏ । ଯଜ୍ଞର ନବମ ଦିନର ରାତ୍ରିରେ ଅର୍ଥାତ୍ ଆଷାଢ଼ କୃଷ୍ଣ ଦ୍ଵାଦଶୀ ରାତ୍ରିରେ ଦଇତାମାନେ ଏକ କ୍ଷୁଦ୍ର ରଥରେ ନ୍ୟାସଦାରୁଙ୍କୁ ସ୍ଥାପନା କରି ଶ୍ରୀମନ୍ଦିର ଭିତର ବେଢ଼ାକୁ ନେଇଯାଇ, ସେଠାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ସାତଥର ପରିକ୍ରମା ବା ଭ୍ରମଣ କରାନ୍ତି । ପରିଭ୍ରମଣ ସାରି ସିଧା ନିର୍ମାଣମଣ୍ଡପକୁ ନ୍ୟାସଦାରୁଙ୍କୁ ନିଆଯାଏ । ଯେଉଁଠାରେ ଏହା ପାଞ୍ଚଖଣ୍ଡ ହୋଇ ଚାରିବିଗ୍ରହ ଓ ମାଧବଙ୍କ ବ୍ରହ୍ମରନ୍ଧରେ ସ୍ଥାପନ କରାଯାଏ ।

ସମସ୍ତ ନ୍ୟାସ କର୍ମର ସମାପ୍ତି ପରେ ଯଜ୍ଞରେ ଆହୁତି କରାଯାଇ ଏହା ସମାପ୍ତ ହୁଏ । କିନ୍ତୁ ଯଜ୍ଞ ଓ ହୋମପ୍ରକ୍ରିୟା ଏକ ଦୀର୍ଘକର୍ମ ବ୍ୟବସ୍ଥା ହୋଇଥିବା ହେତୁ ନ୍ୟାସଦାରୁଙ୍କର ପୂଜା ଅଭିଷେକ ଓ ନ୍ୟାସ ପ୍ରଭୃତି କର୍ମ ଚାଲିଥିବାବେଳେ ପ୍ରତିଷ୍ଠା ମଣ୍ଡପଠାରେ ଯଜ୍ଞକୁଣ୍ଡରେ ଅଗ୍ନ୍ୟାଧ୍ୟାନ କରାଯାଇ ହୋମ ଆରମ୍ଭ କରାଯାଇଥାଏ । ଯେହେତୁ ଯଜ୍ଞର ଦେବତା ଶ୍ରୀନୃସିଂହ, ତେଣୁ ଅଧିକରେ ସଂଖ୍ୟାରେ ଆହୁତି ଶ୍ରୀନୃସିଂହଙ୍କ ଉଦ୍ଦେଶ୍ୟରେ ହିଁ ଆପଣ କରାଯାଇଥାଏ । ହୋମପାଇଁ ମୁଖ୍ୟତଃ ଗମ୍ଭାରି କାଠ ବ୍ୟବହାର କରାଯାଇଥାଏ । ସମସ୍ତ ଆହୁତି ଘୃତ, ସମୀଧ ଏବଂ ଚାରୁ ଦ୍ଵାରା ଯଥାକ୍ରମେ ଆଚାର୍ଯ୍ୟ, ସମୀଧ ହୋତା ଏବଂ ଚତୁହୋତାଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ । ଅର୍ଦ୍ଧସିଦ୍ଧି ଅନ୍ନ, ତିନି, ଯବଧାନ ନଡିଆ କୋରା ଆଦିର ମିଶ୍ରଣରେ ପ୍ରସ୍ତୁତ କରାଯାଇଥାଏ । ଏହି ଚରୁ ଏବଂ ଘୃତରେ ପ୍ରଥମେ ଦଶହଜାର ଆହୁତି ପ୍ରଦାନ କରାଯାଇଥାଏ । ମାତ୍ର ଦୈନିକ ଦୁଇହଜାରରୁ ଅଧିକା ଆହୁତି ପ୍ରଦାନ କରିବା ସମ୍ଭବପର ନଥିବାରୁ ସମସ୍ତ ଆହୁତି ପ୍ରଦାନ ପାଞ୍ଚଦିନ ମଧ୍ୟରେ ସରିଥାଏ । ପ୍ରତ୍ୟେକ ଆହୁତି ପୂର୍ବରୁ ଥରେ ଲେଖାଏଁ ସମ୍ପୁର୍ଣ୍ଣ ଅନୁଷ୍ପୁଭ ନୃସିଂହ ମନ୍ତ୍ର ପାଠ କରିବାକୁ ପଡ଼ିଥାଏ ।

ଯଜ୍ଞ ମଣ୍ଡପର ଚାରିତୋରଣ ନିକଟରେ ଚାରିବେଦ ଆଧାରିତ ହୋମ ମଧ୍ୟ ଏକାସାଙ୍ଗରେ କରାଯାଇଥାଏ । ଆଷାଢ଼ କୃଷ୍ଣ ଷଷ୍ଠୀରୁ ଦଶମୀ ତିଥି ପର୍ଯ୍ୟନ୍ତ ଅନୁଷୁଭ ନୃସିଂହ ମନ୍ତ୍ରରେ ଆହୁତି ପ୍ରଦାନ କାର୍ଯ୍ୟ ସମାପନ ପରେ ଏକାଦଶୀ ଦିନ ବଳଭଦ୍ରଙ୍କ ଉଦ୍ଦେଶ୍ୟରେ ବାସୁଦେବ ମନ୍ତ୍ରରେ ୧୦୦୮ ଆହୁତି ପ୍ରଦାନ କରାଯାଏ । ଦ୍ଵାଦଶୀ ଦିନ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ରରେ ୧୦୦୮ ଆହୁତି ପ୍ରଦାନ କରାଯାଏ । ତ୍ରୟୋଦଶୀ ଦିନ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ଵରୀ ମନ୍ତ୍ରରେ ୧୦୦୮ ଆହୁତି ପ୍ରଦାନ କରାଯାଏ । ଏବଂ ଏହି ଦିନ ଷଡାକ୍ଷର ସୁଦର୍ଶନ ମନ୍ତ୍ରରେ ମଧ୍ୟ ଆହୁତି ପ୍ରଦାନ କରାଯାଇଥାଏ । ଏହାପରେ ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ଆବଶ୍ୟକ ସ୍ଥଳେ ପ୍ରତିପଦା ଦିନ ପର୍ଯ୍ୟନ୍ତ କରାଯାଇଥାଏ । ଏହାପରେ ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ଆବଶ୍ୟକ ସ୍ଥଳେ ପ୍ରତିପଦା ଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ, ସରସ୍ଵତୀ, ଶିବ, ଦୁର୍ଗା, କାଳୀ, ବିମଳା, ଦଶଦିଗପାଳ, ଅଷ୍ଟଭୈରବ, ବାସ୍ତୁଦେବଗଣ, ସତେଇଶ ନକ୍ଷତ୍ର, ଦ୍ଵାଦଶ ମାସ, ଦ୍ଵାଦଶ ରାଶି, ସାଗର, ପର୍ବତ, ନଦୀ ପ୍ରଭୃତିଙ୍କୁ ଆହୁତି ପ୍ରଦାନ କରାଯାଇଥାଏ । ଚରୁ ଏବଂ ଘୃତ ସରିବାଯାଏଁ ଆହୁତି ପ୍ରଦାନ ପ୍ରକ୍ରିୟା ଚାଲିଥାଏ । ଆହୁତି ପ୍ରଦାନ ପରେ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ତିନିଥର ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ଗଜପତି ମହାରାଜାଙ୍କ ଦ୍ଵାରା ଯଜ୍ଞର ପୁର୍ଣ୍ଣାହୁତି ଦିଆଯାଇ ଯଜ୍ଞକର୍ମ ଶେଷ କରାଯାଏ । ଏହାପରେ ଯଜ୍ଞ ମଣ୍ଡପକୁ ଆବାହନ କରାଯାଉଥିବା ଦେବଦେବୀମାନଙ୍କୁ ବିସର୍ଜନ କରାଯାଏ ଓ ଅଗ୍ନି ଶାନ୍ତି କରାଯାଏ ।

ଏହି ସମୟ ବେଳକୁ ଶ୍ରୀବିଗ୍ରହମାନଙ୍କର ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଯାଇଥାଏ-। ନବନିର୍ମିତ ଦେବ ବିଗ୍ରହ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ମାଧବଙ୍କୁ କ୍ରମାନ୍ଵୟରେ ସର୍ବ ମହୌଷଧି ଜଳରେ ଅଭିଷେକ କରାଇ ନୂତନ ଖଣ୍ଡୁଆ (ପାଟ) ବସ୍ତ୍ର ଦ୍ଵାରା ଆଚ୍ଛାଦିତ କରିଦିଆଯାଏ । ଏହାପରେ ଏହି ନବବିଗରହମାନଙ୍କୁ ଜୀବନ୍ୟାସ କରାଯାଏ । ଆଚାର୍ଯ୍ୟ ଏବଂ ପୁସ୍ତକାଚାର୍ଯ୍ୟ ଦୁହେଁ ନିର୍ମାଣ ମଣ୍ଡପକୁ ଯାଇ ବିଗ୍ରହମାନଙ୍କୁ ଦର୍ଶନ କିମ୍ବା ସ୍ପର୍ଶ ନକରି ନ୍ୟାସ କରିଥାନ୍ତି । ନିର୍ମାଣ ମଣ୍ଡପଠାରେ ବିଗ୍ରହମାନଙ୍କର ଏବଂ ଆଚରଜୟା ଦ୍ଵୟଙ୍କ ମଝିରେ ଗୋଟିଏ ବସ୍ତ୍ରର ଆବରଣ ରଖାଯାଇଥାଏ । ବସ୍ତ୍ରାବରଣର ବାହାର ପାଖରେ ରହି ଏମାନେ ନ୍ୟାକାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ନବନିର୍ମିତ ବିଗ୍ରହମାନଙ୍କର ନ୍ୟସ କାର୍ଯ୍ୟ ଶେଷ ହେବା ପରେ ହିଁ ବସ୍ତୁତଃ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥାଏ । ସମସ୍ତ ପ୍ରତିଷ୍ଠା କର୍ମ ହୟଶୀର୍ଷ ପଞ୍ଚରାତ୍ରମମ, ହରିଭକ୍ତି ବିଳାସ ଓ ବିବିଧ ତନ୍ତ୍ରୋକ୍ତ ବିଧାନ ଅନୁସାରେ ଅନୁଷ୍ଠିତ ହୋଇଥାଏ ।

ନୂତନ ଚତୁର୍ଦ୍ଧା ବିଗ୍ରହ ଏବଂ ମାଧବଙ୍କୁ ବିଶ୍ଵକର୍ମା ପ୍ରଥମେ ସ୍ନାନ କରାଇଥାନ୍ତି । ଏହି ସମୟରେ ପୁରୁଷସୂକ୍ତ ଏବଂ ଶ୍ରୀସୂକ୍ତ ପାଠ କରାଯାଏ । ବିଗ୍ରହମାନଙ୍କୁ ଦଇତାମାନେ ପୂନର୍ବାର ସ୍ନାନ କରାଇ ପାଟ ପିନ୍ଧାଇ ଦେଇଥାନ୍ତି । ତା’ପରେ ବିଗ୍ରହମାନଙ୍କୁ ପୂର୍ବକ୍ରମ ଅନୁସାରେ ଗୋଟି ପହଣ୍ଡି କରି ଶ୍ରୀମନ୍ଦିର ମଧ୍ୟସ୍ଥ ଅଣସର ପିଣ୍ଡିକୁ ନେଇଥାନ୍ତି ଏବଂ ସେଠାରେ ପୁରାତନ ବିଗ୍ରହଙ୍କ ପାଖରେ ସ୍ଥାପନା କରନ୍ତି । ଏହିଠାରେ ଅନ୍ତଃ ବନଯାଗ ବିଧିର ପରିସମାପ୍ତି ଘଟି ଘଟ ପରିବର୍ତ୍ତନ ପ୍ରକ୍ରିୟାର ଅୟଆରମ୍ଭ ହୋଇଥାଏ ।

ଏଠାରେ ଆଉ ଗୋଟାଏ କଥା କହିରଖିବା ଉଚିତ ହେବ ଯେ, ଅନ୍ତଃ ବନଯାଗ ବିଧି ସମୟରେ ଦାରୁଙ୍କ ନ୍ୟାସ କାର୍ଯ୍ୟ ଚାଲିଥିବାବେଳେ ସମାନ୍ତରାଳ ଭାବରେ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ବାରା ଶିତଳା, ଆଲାମଚଣ୍ଡୀ, ଭୁବନେଶ୍ଵରୀ, ବିମଳା, ଦକ୍ଷିଣକାଳୀଙ୍କ ମନ୍ଦିରରେ ଚଣ୍ଡୀପାଠ କରାଯାଇଥାଏ । ଏହାଛଡା ପଞ୍ଚ ମହାଦେବଙ୍କ ମନ୍ଦିରରେ ଅଭିଷେକ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ପରିଶେଷରେ ଏତିକି କୁହାଯାଇପାରେ ଯେ, ପ୍ରତୀକାତ୍ମକ ବିଗ୍ରହ ଶ୍ରୀଜଗନ୍ନାଥଙ୍କର ପ୍ରତ୍ୟେକ ଲୀଳା ଓ ବିଧି ବିଧାନ ଭିତରେ ସାମାଜିକ ଜୀବନଧାରାଠାରୁ ଆରମ୍ଭ କରି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପ୍ରବାହ ମର୍ମେ ମର୍ମେ ଅନୁଭବ କରିହୁଏ ।

 

Unknown

ନବକଳେବରରେ ରୂପକାର ସେବା

ଡକ୍ଟର ଉମେଶ ଚନ୍ଦ୍ର ଚିହ୍ନରା

ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ଵର ଏକ ବିସ୍ମୟ ଦେବତା । ପୁରୁଷୋତ୍ତମ କ୍ଷେତ୍ରରେ ତାଙ୍କର ଆବିର୍ଭାବ କେବେ ଏବଂ କେଉଁ ସମୟରୁ ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଗବେଷକମାନଙ୍କ ଆକଳନର ବାହାରେ । କେଉଁ ସ୍ମରଣାତୀତ କାଳରୁ ସେ ଏହି କ୍ଷେତ୍ରରେ ତାଙ୍କର ଲୀଳା ସମ୍ପାଦନ କରିଆସୁଛନ୍ତି । ଏହି ଲୀଳାରେ ମାନବୀୟ ଏବଂ ଲୌକିକ ଜଗତର ଚାପ ଯେତିକି ପରିମାଣରେ ପରିଦୃଷ୍ଟ ହୁଏ ତା’ ଠାରୁ ଅଧିକ ପରିମାଣରେ ଅତିମାନବୀୟ ଦୈବୀଲୀଳା ଅଧିକ ପରିମାଣରେ ଦୃଷ୍ଟିଗୋଚର ହୋଇଥାଏ । ପୃଥିବୀରେ ଅଧିଷ୍ଠିତ ଦେବଦେବୀମାନଙ୍କ ରୀତିନୀତି, ଯାନିଯାତ୍ରା, ପୂଜାପାର୍ବଣଠାରୁ ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି ଚାଲିଚଳନ ଓ ପୂଜାପାର୍ବଣରେ ସ୍ଵତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ଅନ୍ୟ ଦେବଦେବୀମାନେ ପ୍ରସ୍ତର କିମ୍ବା ଧାତୁରେ ନିର୍ମିତ ହୋଇଥିବାବେଳେ ମହାପ୍ରଭୁ ଦାରୁରେ ପ୍ରକାଶିତ ହୋଇଛନ୍ତି । ଦାରୁ ଶରୀରରେ ବିରାଜମାନ କରୁଥିବାରୁ ନିର୍ଦ୍ଦିଷ୍ଟ ଏକ ସମୟସୀମା ମଧ୍ୟରେ ତାଙ୍କ ଶରୀରର ପୁନଃ ନିର୍ମାଣର ଆବଶ୍ୟକତା ପଡିଥାଏ । ଏହି ନିର୍ମାଣ ସମୟ ସାଧାରଣତଃ ବାରବର୍ଷ ବା ଉଣେଇଶ ବର୍ଷ ଅନ୍ତରରେ ଅନୁଷ୍ଠିତ ହୁଏ । ନିମ୍ବ ଦାରୁରେ ନିର୍ମିତ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣ ପୂର୍ବକ ଆରଧିତ ହୋଇଥାନ୍ତି । ଶରୀର ପରିବର୍ତ୍ତନ ଏବଂ ନୂତନ ଘଟ ପରିଗ୍ରହଣରେ ମହାପ୍ରଭୁଙ୍କର ପୁରାତନ ବିଗ୍ରହରୁ ବ୍ରହ୍ମ ସ୍ଥାନାନ୍ତରିତ ହୋଇଥାନ୍ତି । ଏହାକୁ ‘ନବକଳେବର’ ଉତ୍ସବ କୁହାଯାଏ । ଶାସ୍ତ୍ର ଲିଖିତ ବିଧିବିଧାନ ଅନୁସାରେ ଶ୍ରୀଜୀଉଙ୍କ ସେବାୟତ ସମ୍ପ୍ରଦାୟ ଉକ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଏହି ଲୀଳା ମାନବୀୟ ଲୀଳାର ଚରମ ଅଭିବ୍ୟକ୍ତି ।

ବର୍ଷସାରା ବିଭିନ୍ନ ମାସ ଏବଂ ଋତୁରେ ପର୍ବପର୍ବାଣି ଯାନିଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାତ୍ରା ଅନୁଷ୍ଠାନ ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରା ବିଶ୍ଵପ୍ରସିଦ୍ଧ ଓ ଅନନ୍ୟ । ସାଧାରଣତଃ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦୁଇଟି ଆଷାଢ଼ ମାସ ପଡ଼ୁଥିବା ବର୍ଷରେ ମହାପ୍ରଭୁଙ୍କର ନବକଳେବର ନୀତି ଅନୁଷ୍ଠିତ ହୁଏ । ବିଧି ଅନୁସାରେ ଦାରୁ ଅନ୍ୱେଷଣ, ବନଯାଗ ଇତ୍ୟାଦି କରାଯାଇ ଦାରୁଛେଦନ ହୁଏ । ଏହି ଦାରୁ ଶଗଡିରେ ଶ୍ରୀକ୍ଷେତ୍ର ଅଣାଯାଇ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଥିବା କୋଇଲି ବୈକୁଣ୍ଠରେ ରଖାଯାଏ । ସ୍ନାନପୂର୍ଣ୍ଣିମା ପରଠାରୁ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ କାର୍ଯ୍ୟ ଅନୁଷ୍ଠିତ ହୋଇ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ମଧ୍ୟରାତ୍ରିରେ ଗୁପ୍ତ ଭାବରେ ନିର୍ଦ୍ଦିଷ୍ଟ ସେବକମାନଙ୍କ ଦ୍ଵାରା ଘଟ ପରିବର୍ତ୍ତନ କରାଯାଏ । ନୂତନ ଶରୀରରେ ଆବିର୍ଭାବ ହୋଇ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି-। କେବଳ ନୂତନ ଶରୀର ଧାରଣ କରି ବିଶ୍ଵପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ରଥାରୂଢ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ ବରଂ ନବଦିନ ଅବଧି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜନସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି । ଏହାହିଁ ଶ୍ରୀଜଗନ୍ନାଥଙ୍କର ଅଦ୍ଵିତୀୟ ମାନବୀୟ ଲୀଳା । ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରତିବର୍ଷ ନୂତନ ରଥ ନିର୍ମାଣ କରାଯାଇଥାଏ । ମହାପ୍ରଭୁଙ୍କ ନିମିତ୍ତ ନନ୍ଦିଘୋଷ, ବଳଭଦ୍ର ନିମିତ୍ତ ତାଳଧ୍ଵଜ ଓ ଦେବୀ ସୁଭଦ୍ରାଙ୍କ ପାଇଁ ଦେବଦଳନ ରଥ ବିଶ୍ଵକର୍ମାମାନଙ୍କ ଦ୍ଵାରା ରଥଖଳାରେ ନିର୍ମାଣ କରାଯାଇଥାଏ । ରଥ ନିର୍ମାଣ ପାଇଁ ସଂଗୃହୀତ କାଷ୍ଠ ଶ୍ରୀପଞ୍ଚମୀ ତିଥିରୁ ଶ୍ରୀକ୍ଷେତ୍ରକୁ ଆସିଥାଏ । ମହାପ୍ରଭୁଙ୍କର ଆଜ୍ଞାମାଳ ଓ ପ୍ରସାଦ ଦଶପଲା ରାଜାଙ୍କ ନିକଟକୁ ପଠାଯାଇ ପୂଜାର୍ଚ୍ଚନା ପରେ ଜଙ୍ଗଲରୁ ତିନିଖଣ୍ଡ କାଠ କଟାଇ ରାଜା ଶ୍ରୀପଞ୍ଚମୀ ପୂର୍ବରୁ ରଥଖଳାକୁ ପଠାଇଥାନ୍ତି । ଶ୍ରୀପଞ୍ଚମୀ ଦିନ ରାଜଗୁରୁଙ୍କ ଏହି କାଷ୍ଠ ପଞ୍ଚ ଉପାଚାରରେ ପୂଜା କରାଯାଇ ଅନୁକୂଳ କରାଯାଏ । ଏହାପରେ ପର୍ଯ୍ୟାୟ କ୍ରମେ କାଷ୍ଠ ସବୁ ରଥଖଳାରେ ପହଞ୍ଚିବାକୁ ଲାଗେ । ରାମନବମୀ ତିଥିରେ ରଥକାଠ ଚିରୋଟ କାମ ଆରମ୍ଭ ହୁଏ । ବୈଶାଖ ମାସ ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କର ତିନୋଟି ଆଜ୍ଞାମାଳ ପୂଜାପଣ୍ଡା ନେଇ ବନଯାଗ ପଦ୍ଧତିରେ ହୋମ କରାଯାଇ ବିଶ୍ଵକର୍ମା (ତିନିରଥ ମହାରଣାଙ୍କ ମୁଖ୍ୟ)ଙ୍କ ମସ୍ତକରେ ଶାଢ଼ୀବନ୍ଧାଯାଇ ସୁବର୍ଣ୍ଣ, ରୌପ୍ୟ ଓ ଲୌହ କୁରାଢ଼ୀ ଦ୍ଵାରା ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୁଏ । ପରବର୍ତ୍ତୀ ସମୟରେ ନିର୍ଦ୍ଦିଷ୍ଟ ତିଥିମାନଙ୍କରେ ତ୍ରିରଥର ବିଭିନ୍ନ ଅଂଶର କାର୍ଯ୍ୟ ଆରମ୍ଭ କରାଯାଇ ନେତ୍ରୋତ୍ସବ ଦିନ ସୁସଜ୍ଜିତ ରଥ ସିଂହଦ୍ଵାରଠାରେ ଉଭା ହୋଇଥାନ୍ତି । ପ୍ରତିବର୍ଷ ନୂତନ ଭାବେ ରଥତ୍ରୟ ନିର୍ମିତ ହେଉଥିଲେ ହେଁ ରଥଗୁଡିକର କେତୋଟି ଅଂଶ ସବୁବର୍ଷ ନିର୍ମାଣ କରାଯାଏ ନାହିଁ-। ସେଗୁଡିକ ହେଲା କଳସ, ସାରଥୀ, ଶୁଆ, ଘୋଡା ଏବଂ ପାର୍ଶ୍ଵଦେବାଦେବୀ । ନବକଳେବର ସମୟରେ ନୂତନ ରଥ ନିର୍ମାଣ ସହ ସମସ୍ତ ଅଂଶ ନୂତନ ଭାବରେ ନିର୍ମାଣ କରାଯାଏ । ରଥର ପ୍ରତ୍ୟେକ ଅଂଶ ଅର୍ଥାତ୍ ଚଠ, ଅର, କୋଣଗୁଜ, ଅଂଶପଟା, ଶଙ୍ଖଦ୍ଵାର, ଜାଲି, ସିଂହାସନ, ଚକା, କନକମୁଣ୍ଡାଇ, ଭୂମି, ଗାଈପଟା, ନାଟଗୋଡ, ଷୋଳହ ନାହାକା, ବସନ୍ତ, ଦଓ୍ୱାଁର ଘୋଡା, ପ୍ରଭା ଓ ଦ୍ଵାରଘୋଡା, ସାରଥୀପୀଡ, କୁମ୍ଭପତି, ରାହୁପତି, ଆଠନାହାକା, ବାଙ୍କୀ, ପୀଢ଼, ଋଷିପଟା, ଦଣ୍ଡା, ପାରାଭାଡ଼ି, ଖପୁରୀଭେକି, ଓଲଟଶୁଆ, ଦଧିନଉତି , କଳସ, କଣ୍ଠି, ଦଣ୍ଡ, ଚକ, କପିକେତନ ଆଦି ନିର୍ମାଣ କରାଯାଇଥାଏ । ଏହି ସବୁ କାର୍ଯ୍ୟକୁ ବିଶ୍ଵକର୍ମା ମହାରଣା ସେବକ ନିର୍ମାଣ କରୁଥିବାବେଳେ ନବକଳେବର ସମୟରେ ନୂତନ ଭାବେ ନିର୍ମାଣ କରାଯାଉଥିବା ଦେବଦେବୀ, ପାର୍ଶ୍ଵଦେବଦେବୀ ଓ ରଥର ଅନ୍ୟାନ୍ୟ ଅଂଶ ଯାହା ନିର୍ମାଣ କରାଯାଏ ତାହାକୁ ବିଶ୍ଵକର୍ମା ରୂପକାର ସେବାୟତ କରିଥାନ୍ତି ।

ସମ୍ପ୍ରତି ୨୦୧୫ ନବକଳେବର ଉତ୍ସବରେ ରୂପକାର ସେବାୟତ ଭାବରେ ତାଳଧ୍ଵଜ ରଥ ପାଇଁ ଗଣେଶ୍ଵର ମହାପାତ୍ର, ନନ୍ଦିଘୋଷ ରଥ ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଦେବଦଳନ ରଥ ପାଇଁ ମନମୋହନ ମହାପାତ୍ର ମୁଖ୍ୟ ରୂପକାର ଭାବରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଅକ୍ଷୟ ତୃତୀୟା ତିଥିରୁ ରଥ ଅନୁକୂଳ ସଙ୍ଗେ ସଙ୍ଗେ ସାରଥି କାଠ ଅନୁକୂଳ ହୋଇଥାଏ । ପ୍ରଥମେ ତିନିରଥର ସାରଥୀ ତାଳଧ୍ଵଜ, ନନ୍ଦିଘୋଷ ଓ ଦର୍ପଦଳନ ରଥରେ ଯଥାକ୍ରମେ ମାତାଳି, ଅର୍ଜୁନ ଓ ଦାରୁକଙ୍କ କାର୍ଯ୍ୟ ଅନୁକୂଳ ହୁଏ । ଏହାପରେ ତିନିରଥର ଘୋଡାକାର୍ଯ୍ୟ ନୃସିଂହ ଚତୁର୍ଦ୍ଦଶୀଠାରୁ ଆରମ୍ଭ କରାଯାଏ । ତାଳଧ୍ଵଜ ରଥରଚାରି ଅଶ୍ୱ ତ୍ରୀବ, ଘୋର, ଦୀର୍ଘଶ୍ରମ ଓ ସ୍ଵର୍ଣ୍ଣନାଭ, ଦର୍ପଦଳନ ରଥର ଚାରି ଅଶ୍ଵ ରୋଚିକା, ମୋଚିକା, ଜିତା ଓ ଅପରାଜିତା ଏବଂ ନନ୍ଦିଘୋଷ ରଥର ଚାରି ଅଶ୍ଵ, ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦାସ୍ଵ ନିର୍ମାଣ କାର୍ଯ୍ୟ ଅନୁଷ୍ଠିତ ହୁଏ । ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ହୁଏ । ଏଠାରେ ସିଂହ ବିରାଳ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ମଧ୍ୟ ହୋଇଥାଏ । ତିନୋଟି ରଥର ଚତୁପାର୍ଶ୍ଵରେ ପ୍ରତ୍ୟେକ ରଥରେ ନବଦେବତାଙ୍କ ନିର୍ମାଣ କାର୍ଯ୍ୟ ଅନୁଷ୍ଠିତ ହୁଏ । ଏହି ପାର୍ଶ୍ଵ ଦେବଦେବୀଙ୍କ ନିର୍ମାଣ କାର୍ଯ୍ୟ ସାବିତ୍ରୀ ଆମବାସ୍ୟାଠାରୁ ଅନୁକୂଳ କରାଯାଇଥାଏ । ରୂପକାର ସେବକମାନେ ନିଜ ଗୃହରେ ନିଷ୍ଠାର ସହ ହବିଷାନ୍ନ ଗ୍ରହଣ କରି ଉକ୍ତ କାର୍ଯ୍ୟ କରିଥାନ୍ତି । ତାଳଧ୍ଵଜ ରଥରେ ପାର୍ଶ୍ଵଦେବତା ପ୍ରଣମ୍ବାରୀ, ଗଦାନ୍ତକାରୀ, ହରିହର, ତ୍ରେମ୍ବିକ, ବାସୁଦେବ, ନାଟାମ୍ବର, ଅଘୋର, ବଳରାମ, ତ୍ରିପୁରାରୀ ଶିବ ଏବଂ ଚରଦେବତା ବ୍ରହ୍ମା ଓ ଶିବ ନିର୍ମାଣ କରାଯାଉଥିବାବେଳେ, ଦର୍ପଦଳନ ରଥରେ ପାର୍ଶ୍ଵଦେବୀଙ୍କ ମଧ୍ୟରେ ବିମଳା, ଚାମୁଣ୍ଡା, ଭଦ୍ରକାଳୀ, ହରଚଣ୍ଡିକା, ମଙ୍ଗଳା, ବାରାହୀ, କାତ୍ୟାୟିନୀ, ଜୟଦୁର୍ଗା ଓ କାଳୀ ମୂର୍ତ୍ତି ନିର୍ମାଣ କରାଯାଏ । ଦ୍ଵାରପାଳିକା ରୂପରେ ଗଙ୍ଗା ଯମୁନାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥାଏ । ନନ୍ଦିଘୋଷ ରଥର ଚତୁଃପାର୍ଶ୍ଵରେ ନବଦେବତା ଯଥା- ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନ ଧାରଣ, ଚିନ୍ତାମଣି, ରାଘବ ଓ ନୃସିଂହ ମୂର୍ତ୍ତି ନିର୍ମାଣ କରାଯାଇ ସ୍ଥାପନା କରାଯାଏ । ଦ୍ଵାରପାଳ ଜୟ ଓ ବିଜୟଙ୍କ ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଥାଏ । ତାଳଧ୍ଵଜ ରଥର ପାର୍ଶ୍ଵଦେବତା ମଧ୍ୟରେ ନୃସିଂହ ନନ୍ଦିଘୋଷ ରଥର ନାରାୟଣ ଏବଂ ଦର୍ପଦଳନ ରଥର ପାର୍ଶ୍ଵଦେବୀ ମଙ୍ଗଳାଙ୍କ ନିର୍ମାଣ କାର୍ଯ୍ୟ ରୂପକାରମାନେ ଅନୁକୂଳ କରିଥାନ୍ତି । ଚନ୍ଦନଯାତ୍ରାର ଶେଷଦିନ ତିନିରଥର କଳସ ନିକଟରେ ଥିବା ଓଲଟ ଶୁଆ କାର୍ଯ୍ୟ ଅନୁକୂଳ ହୁଏ । ଶୁଭଦିନରେ ରୂପକାରମାନେ ତିନିରଥର ଅଁଳାକାର୍ଯ୍ୟ ଆରମ୍ଭ କରୁଥିବାବେଳେ ବିଶ୍ଵକର୍ମାମାନେ କଳସ କାର୍ଯ୍ୟ ଆରମ୍ଭ କରିଥାନ୍ତି । ତିନିରଥର ଅଶ୍ଵ ନିର୍ମାଣ କାର୍ଯ୍ୟ ଅଶ୍ଵର ମୁଣ୍ଡରୁ ହିଁ ଭଲ ଦିନରୁ ହିଁ ଆରମ୍ଭ ହୋଇଥାଏ । ଅନ୍ୟ ଏକ ଗୁପ୍ତ କାର୍ଯ୍ୟ ହେଉଛି ଧ୍ଵଜମୂର୍ତ୍ତି ନିର୍ମାଣ । ଏହି ମୂର୍ତ୍ତି ରୂପକାର ସେବାୟତମାନେ ହବିଷାନ୍ନ ଗ୍ରହଣ କରି ପବିତ୍ରତାର ସହିତ ଗୁପ୍ତରେ ନିଜ ଗୃହରେ କରିଥାନ୍ତି । ସ୍ନାନପୂର୍ଣ୍ଣମୀ ପରେ କୋଇଲି ବୈକୁଣ୍ଠରେ ମହାପ୍ରଭୁଙ୍କର ନିର୍ମାଣ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ନିର୍ମାଣ କାର୍ଯ୍ୟ ସରିଲା ପରେ ରୂପକାରମାନେ ଧ୍ଵଜମୂର୍ତ୍ତି ନିର୍ମାଣ କରିଥାନ୍ତି । ମନ୍ଦିର ତରଫରୁ ତିନୋଟି ଦାରୁକାଠ ରୂପକାରମାନଙ୍କୁ ପ୍ରଦାନ କରାଯାଇଥାଏ । ସେହି ଦାରୁରେ ରୂପକାରମାନେ ଗୁପ୍ତରେ ନିଜ ଘରେ ଧ୍ଵଜ ମୂର୍ତ୍ତି ତିଆରି କରନ୍ତି । ତାଳଧ୍ଵଜ ରଥ ପାଇଁ ଲକ୍ଷ୍ମୀ ନୃସିଂହ, ନନ୍ଦିଘୋଷରଥ ପାଇଁ ମହାବୀର ହନୁମାନ ଓ ଦେବଦଳନ ରଥ ପାଇଁ ଭୁବନେଶ୍ଵରୀ ମୂର୍ତ୍ତି ନିର୍ମାଣ କରାଯାଇଥାଏ । ରୂପକାରମାନେ ମହାପ୍ରଭୁଙ୍କ ପତନୀ କନାରେ ଧ୍ଵଜ ମୂର୍ତ୍ତିଙ୍କୁ ଘୋଡାଇ ମନ୍ଦିର ଗାରଦରେ ଦେଇଥାନ୍ତି । ଶ୍ରୀଗୁଣ୍ଡିଚା ଦିନ ଏହି ମୂର୍ତ୍ତିମାନଙ୍କୁ ପ୍ରତିଷ୍ଠା କରାଯାଇ ରଥ ପ୍ରତିଷ୍ଠା ପରେ ରଥ ଉପରକୁ ଅଣାଯାଏ । ଏହି ମୂର୍ତ୍ତି ସବୁକୁ ଭିନ୍ନ ଭିନ୍ନ ରଥର ମୁଖ୍ୟ ରୂପକାରଙ୍କ ଉପସ୍ଥିତିରେ ଖଞ୍ଜାଯାଏ । ରଥମାନଙ୍କ ସୁରକ୍ଷା ନିମିତ୍ତ ଏହା ଉଦ୍ଦିଷ୍ଟ । କୋଣଗୁଜରେ ତାଳଧ୍ଵଜରେ ବାରଟି, ନନ୍ଦିଘୋଷରେ ବାରଟି ଓ ଦେବଦଳନରେ ଆଠଟି ରହିଥିବାବେଳେ ସିଂହ ବରାଳ, ନରବରାଳ ଆଦି ସ୍ଥାପନା ହୋଇଥାଏ । ତିନୋଟି ରଥରେ ଆଠଟି ଲେଖାଏଁ ଚବିଶଟି ନାଟଗୋଡ଼ ନିର୍ମାଣ କରାଯାଏ । ଚାରୋଟି ଦୁଆରଗଢ଼ା ତଳେ ନାଟଗୋଡ଼ ଲାଗେ । ମହାପ୍ରଭୁଙ୍କ ପଛପଟେ ପରଭା ତିଆରି ହୁଏ । ଏହା ଉପରେ ରାହୁମୁଣ୍ଡ ରହିଥାଏ । ପରଭାର ଦୁଇକଡ଼ରେ ଦୁଇ ଦେବତା ବ୍ରହ୍ମା ଓ ଇନ୍ଦ୍ର ସ୍ଥାନିତ ହୁଅନ୍ତି । ତାଳଧ୍ଵଜ ରଥର ପରଭାରେ ମହାଦେବ ଓ ନାରଦ ଏବଂ ଦେବଦଳନ ରଥର ପରଭାରେ ଆଲଟଚାମର ଧରିଥିବା ଦେବଦାସୀ ଦଣ୍ଡାୟମାନ ହୋଇଥାନ୍ତି । ଏତଦବ୍ୟତୀତ ତିନି ପରଭାର କଡ଼ରେ ମଗର ନିର୍ମାଣ କରାଯାଏ । ତାଳଧ୍ଵଜ ରଥରେ ଦ୍ଵାରପାଳ ନନ୍ଦସୁନନ୍ଦ ରହିଥିବାବେଳେ ନନ୍ଦିଘୋଷ ରଥରେ ଜୟ ବିଜୟ ଏବଂ ଦର୍ପଦଳନ ରଥରେ ଦ୍ଵାରପାଳିକା ରୂପରେ ଗଙ୍ଗାଯମୁନା ସ୍ଥାନିତ ହୋଇଥାନ୍ତି । ପାର୍ଶ୍ଵଦେବଦେବୀ ସାରଥୀ, ଅଶ୍ଵ, କଳସ, ଓଲଟଶୁଆ, ପରଭା, ଦ୍ଵାରପାଳ ଇତ୍ୟାଦି ଯେଉଁ ସମସ୍ତ ନୂତନ ମୂର୍ତ୍ତି ନବକଳେବର ପାଇଁ ନିର୍ମାଣ କରାଯାଇଥାଏ, ସେ ସବୁକୁ ଚିତ୍ରକରମାନେ ଅନୁରୂପ ରଙ୍ଗରେ ଚିତ୍ରିତ କରିଥାନ୍ତି ।

ଉପସଂହାରରେ ଏତିକି କୁହାଯାଇପାରେ ଯେ, ମହାପ୍ରଭୁଙ୍କର ନବକଳେବର ଗ୍ରହଣ ପରିପ୍ରେକ୍ଷୀରେ ରଥଯାତ୍ରାରେ ବ୍ୟବହୃତ ସମସ୍ତ ଦେବଦେବୀ ତଥା ଅନ୍ୟାନ୍ୟ ବିଗ୍ରହ ଗୁଡିକ ମଧ୍ୟ ନୂତନ କଳେବର ଗ୍ରହଣ କରିଥାନ୍ତି । ବିଚିତ୍ର ଲୀଳାର ଅଧିଷ୍ଠାତା ଏହି ବିସ୍ମୟ ଓ ଅନନ୍ୟ ଦେବତାଙ୍କ ମାନବୀୟ ଲୀଳାରେ ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ ଲୀଳା ପ୍ରକାଶିତ ।

 

ରହସ୍ୟମୟ ଗୁପ୍ତ ରଥଯାତ୍ରା ଓ ଘଟ ପରିବର୍ତ୍ତନ

ଶ୍ରୀ ପୀତବାସ ରାଉତରାୟ

ଦାରୁବ୍ରହ୍ମ ଓ ନବକଳେବର ରହସ୍ୟ :

ବେଦରେ ବ୍ରହ୍ମଙ୍କୁ ଅବିନାଶୀ ଓ ଅପରିବର୍ତ୍ତଶୀଳ ବୋଲି କୁହାଯାଇଛି । ସେହି ବ୍ରହ୍ମ ଦାରୁରୂପୀ ଶ୍ରୀଜଗନ୍ନାଥଙ୍କ ନାଭିକମଳରେ ବିରାଜିତ ଥିବାରୁ ସେ ଦାରୁବ୍ରହ୍ମ । ନବକଳେବରରେ ପୁରାତନ ବିଗ୍ରହଙ୍କଠାରୁ ସେହି ଅବିନାଶୀ ବ୍ରହ୍ମଙ୍କୁ ଅପସାରଣ କରାଯାଇ ନବନିର୍ମିତ ବିଗ୍ରହଙ୍କଠାରେ ସଂସ୍ଥାପନ କରାଯାଏ । ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁ ଓ ବ୍ରହ୍ମ ଉଭୟଙ୍କର ଏକ ଅପୂର୍ବ ସମନ୍ଵୟ; ଅର୍ଥାତ୍ ସ୍ଥୂଳ ଓ ସୂକ୍ଷ୍ମ ଏବଂ କ୍ଷର ଓ ଅକ୍ଷର ଉଭୟର ପ୍ରତିପାଦକ । ଶ୍ରୀଜଗନ୍ନାଥ ହେଉଛନ୍ତି ସୂକ୍ଷ୍ମତମ ଅଦୃଶ୍ୟ ବ୍ରହ୍ମର ଏକ ସ୍ଥୂଳ ତଥା ଦୃଶ୍ୟମାନ ପରିପ୍ରକାଶ । ତାଙ୍କ ଦାରୁବିଗ୍ରହ ମଧ୍ୟରେ ଲୁକ୍କାୟିତ ବ୍ରହ୍ମ ହେଉଛନ୍ତି ଅକ୍ଷର ପୁରୁଷ ଏବଂ ଦାରୁବିଗ୍ରହ ହେଉଛନ୍ତି କ୍ଷର ପୁରୁଷ । ସେଥି ନିମିତ୍ତ କୁହାଯାଇଛି, ସେ କ୍ଷର ପୁରୁଷଙ୍କଠାରୁ ଭିନ୍ନ ଓ ଅକ୍ଷର ଙ୍କଠାରୁ ଶ୍ରେଷ୍ଠ ।

ଡକ୍ଟର ବେଣୀମାଧବ ପାଢ଼ୀ ଆଲୋଚନା ପ୍ରସଙ୍ଗରେ ଦର୍ଶାଇଛନ୍ତି ଯେ ଦାରୁବ୍ରହ୍ମ ବା ବ୍ରହ୍ମଦାରୁ ଶବ୍ଦରୁ ଜଣାପଡ଼େ ଯେ ଦାରୁକୁ ବ୍ରହ୍ମରୂପରେ ଉପସ୍ଥାପିତ କରିବା ବା ଉଭୟଙ୍କୁ ଏକାକାର କରିବାର ପ୍ରୟାସ ବହୁ ପୂର୍ବରୁ ହୋଇଆସିଛି । ପ୍ରଥମ: ଦାରୁରୂପୀ ବ୍ରହ୍ମ ବା ଦାରୁମଧ୍ୟସ୍ଥ ବ୍ରହ୍ମ-ଦାରୁବ୍ରହ୍ମ; ଦ୍ଵିତୀୟ: ବ୍ରହ୍ମରୂପୀ ଦାରୁ ବା ବ୍ରହ୍ମଯୁକ୍ତ ଦାରୁ-ବ୍ରହ୍ମଦାରୁ । ଯେଉଁଭଳି ବ୍ୟୁତ୍ପତ୍ତି କଲେ ମଧ୍ୟ ଦାରୁରେ ବ୍ରହ୍ମଙ୍କ ସମ୍ବନ୍ଧ ପ୍ରତିଷ୍ଠା କରିବା ଏହାର ମୂଳ ଲକ୍ଷ୍ୟ । ଅନାଦି କାଳରୁ ଶ୍ରୀଜଗନ୍ନାଥ ଦାରୁରୂପେ ନ ରହି ଦାରୁବ୍ରହ୍ମ ରୂପରେ ପ୍ରସିଦ୍ଧ ହୋଇଛନ୍ତି । (ଦାରୁବ୍ରହ୍ମ ଓ ବ୍ରହ୍ମଦାରୁ : ବେଣୀମାଧବ ପାଢ଼ୀ, ଓଡିଶା ସାହିତ୍ୟ କଂଗ୍ରେସ ସ୍ମରଣିକା, ୧୯୮୩) ଦାରୁ ବା କାଷ୍ଠମୂର୍ତ୍ତି କିଛି ବର୍ଷପରେ କ୍ଷୟପ୍ରାପ୍ତ ହେବା ସ୍ଵାଭାବିକ । ସେହି କାରଣରୁ ନୂତନ ମୂର୍ତ୍ତି ନିର୍ମାଣର ଆବଶ୍ୟକତା ପଡିଥାଏ । ଶାସ୍ତ୍ରୀୟ ବିଧାନ ଅନୁଯାୟୀ ପ୍ରତି ବାରବର୍ଷରେ ଦାରୁମୂର୍ତ୍ତିର ପୁନଃ ନିର୍ମାଣ ଆବଶ୍ୟକ । ଶ୍ରୀକ୍ଷେତ୍ରର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେହି କାରଣରୁ ୧୨ ରୁ ୨୦ ବର୍ଷ ମଧ୍ୟରେ ଯୋଡାଆଷାଢ଼ ପଡୁଥିବା ବର୍ଷରେ ପୁନଃନିର୍ମାଣ କରାଯାଇ ପ୍ରତିଷ୍ଠା କରାଯାଏ ଏବଂ ପୂର୍ବର ମୂର୍ତ୍ତିମାନଙ୍କୁ ପାତାଳି କରାଯାଏ । ପୁରାତନ ବିଗ୍ରହମାନଙ୍କରେ ଥିବା ବ୍ରହ୍ମ ପଦାର୍ଥଙ୍କୁ ନୂତନ ବିଗ୍ରହମାନଙ୍କରେ ସଂସ୍ଥାପନ କରାଯିବା ପରେ ନୂତନ ବିଗ୍ରହମାନେ ପୂଜାର ଯୋଗ୍ୟ ହୁଅନ୍ତି । ଶ୍ରୀପୁରୁଷୋତ୍ତମଙ୍କ ନୂତନ ଦାରୁବିଗ୍ରହ ନିର୍ମାଣ ଓ ତନ୍ମଧ୍ୟରେ ବ୍ରହ୍ମ-ସଂସ୍ଥାପନ ପ୍ରକ୍ରିୟାକୁ ନବକଳେବର କୁହାଯାଏ । ଏହି ନବକଳେବର ପରମ୍ପରାର ଗୁପ୍ତ ରଥଯାତ୍ରାରେ ଓ ଘଟପରିବର୍ତ୍ତନ ସମୟରେ ନ୍ୟାସଦାରୁର ବିଶେଷ ଭୂମିକା ରହିଥିବାରୁ ସେ ସମ୍ପର୍କରେ ବିଶେଷ ଆଲୋଚନା ଆବଶ୍ୟକ ।

ଦାରୁ ଓ ନ୍ୟାସଦାରୁ :

ବିଗ୍ରହନିର୍ମାଣ ପାଇଁ ଯେଉଁ ଚାରିଗୋଟି ଦାରୁ ସଂଗୃହୀତ ହୋଇ ଆସନ୍ତି, ନ୍ୟାସଦାରୁ ତାଙ୍କଠାରୁ ଭିନ୍ନ ଅଟନ୍ତି । ନ୍ୟାସଦାରୁ ମୂଳଦାରୁ ବୃକ୍ଷଙ୍କର ଏକ ଅଂଶବିଶେଷ । ଗବେଷକ ଗୟାଚରଣ ତ୍ରିପାଠୀ ପ୍ରକାଶ କରନ୍ତି ଯେ ସାଧାରଣ ଭାବେ ନ୍ୟାସଦାରୁ ମା’ ସୁଭଦ୍ରାଙ୍କ ଦାରୁବୃକ୍ଷର ଏକ ଅଂଶବିଶେଷ; ଏହାକୁ ସ୍ଵତନ୍ତ୍ର ଭାବରେ ଦାରୁଛେଦନ ପରେ ମା’ ସୁଭଦ୍ରାଙ୍କ ଦାରୁ ଶଗଡ଼ିରେ କୋଇଲି ବୈକୁଣ୍ଠକୁ ଅଣାଯାଏ । କିନ୍ତୁ ସୁଭଦ୍ରାଙ୍କ ବାଡଗ୍ରାହୀ ସେବକ ରାମଚନ୍ଦ୍ର ଦାସ ମହାପାତ୍ର କହନ୍ତି ଯେ ଶ୍ରୀଜଗନ୍ନାଥଙ୍କ ଦାରୁରୁ ମଧ୍ୟ ଏହା ନିଆଯାଇଥାଏ । ନ୍ୟାସଦାରୁ ହେଉଛନ୍ତି ନୂତନ ବିଗ୍ରହଙ୍କର ପ୍ରତିଷ୍ଠିତ ପ୍ରତୀକ । ନବକଳେବରର ସମସ୍ତ ପ୍ରତିଷ୍ଠା କର୍ମରେ ନ୍ୟାସଦାରୁ ହେଉଛନ୍ତି ନୂତନ ବିଗ୍ରହଙ୍କର ପ୍ରତିଷ୍ଠିତ ପ୍ରତୀକ । ନବକଳେବରର ସମସ୍ତ ପ୍ରତିଷ୍ଠା କର୍ମରେ ନ୍ୟାସଦାରୁ ହେଉଛନ୍ତି ସମ୍ମାନାର୍ହ ଆରାଧ୍ୟ ବିଗ୍ରହରୂପ । ପ୍ରତିଷ୍ଠା କର୍ମ ଅବସରରେ ନ୍ୟାସଦାରୁ ଭୂମିକା ଉଲ୍ଲେଖଯୋଗ୍ୟ । ନବନିର୍ମିତ ଶ୍ରୀବିଗ୍ରହମାନେ ଜୀବନ୍ୟାସ ପାଇବା ପର୍ଯ୍ୟନ୍ତ ନ୍ୟାସଦାରୁ ପ୍ରତିଷ୍ଠାକର୍ମରେ ସେମାନଙ୍କର ସ୍ଥାନ ଅଧିକାର କରିଥାନ୍ତି । ଯେଉଁ ଦାରୁ ପଟା ଉପରେ ଏହି କର୍ମ ସମ୍ପାଦିତ ହୁଏ ତାକୁ ସ୍ଥାନ ଅଧିକାର କରିଥାଆନ୍ତି । ଯେଉଁ ଦାରୁ ପଟା ଉପରେ ଏହି କର୍ମ ସମ୍ପାଦିତ ହୁଏ ତାକୁ ନ୍ୟାସଦାରୁ କୁହାଯାଏ । ପ୍ରତିଷ୍ଠାକର୍ମର ଶେଷରେ ଏହି ନ୍ୟାସଦାରୁଙ୍କୁ ଚାରିଖଣ୍ଡରେ ବିଭକ୍ତ କରାଯାଇ ଆବଶ୍ୟକ ଅନୁସାରେ ଓ ଆକାରରେ ନୂତନ ବିଗ୍ରହମାନଙ୍କ ବକ୍ଷକୋଠାରୀ ଉପରେ ଗୁପ୍ତ ବ୍ରହ୍ମପଦାର୍ଥଙ୍କର ସ୍ଥାପନ ପରେ ଢ଼ାଙ୍କୁଣୀ ଭାବରେ ସ୍ଥାପନ କରାଯାଏ । ଏହାର ତାତ୍ତ୍ଵିକ ନାମ ବ୍ରହ୍ମପଦାର୍ଥଙ୍କର ସ୍ଥାପନ ପରେ ଢ଼ାଙ୍କୁଣୀ ଭାବରେ ସ୍ଥାପନ କରାଯାଏ । ଏହାର ତାତ୍ତ୍ଵିକ ନାମ ହେଉଛି ‘ବ୍ରହ୍ମ କପାଟ’ । ଶ୍ରୀମନ୍ଦିରର ରତ୍ନବେଦୀରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ମା’ସୁଭଦ୍ରା ଓ ଶ୍ରୀସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଉପାସିତ ହେଉଥିଲେ ମଧ୍ୟ, ସେମାନଙ୍କର ପ୍ରତିଷ୍ଠା ମୁଖ୍ୟତଃ ନ୍ୟାସଦାରୁଙ୍କ ମାଧ୍ୟମରେ ସ୍ଵତନ୍ତ୍ର ବିଧିରେ ସମାହିତ ହୁଏ ।

ନ୍ୟାସାଦାରୁ ଗଠନ ଓ ପ୍ରତିଷ୍ଠା :

ଦାରୁସ୍ଥଳରୁ ଦାରୁ ଛେଦନ ସ୍ଵତନ୍ତ୍ର ଭାବେ ନିର୍ମିତ ଶଗଡ଼ିରେ ଦାରୁମାନଙ୍କ ପରିବହନ କରି ଶ୍ରୀକ୍ଷେତ୍ରକୁ ଅଣାଯାଏ । ଶ୍ରୀକ୍ଷେତ୍ର ଉପକଣ୍ଠରୁ ପାରମ୍ପରିକ ଭାବେ ଦାରୁ ଶଗଡ଼ିମାନଙ୍କୁ ଶଙ୍ଖୋଳି ନିଆଯାଏ । ଦାରୁ କୋଇଲି ବୈକୁଣ୍ଠରେ ପହଞ୍ଚିବା ପରେ ସେମାନଙ୍କୁ ରଖାଯାଏ ଦାରୁଶାଳାରେ । ପରମ୍ପରା ଅନୁଯାୟୀ କୋଇଲି ବୈକୁଣ୍ଠରେ ପ୍ରତିଷ୍ଠା ହୋଇଥାଏ ୭ଟି ମଣ୍ଡପ ।

ସେହି ମଣ୍ଡପଗୁଡିକ ହେଉଛି ପ୍ରତିଷ୍ଠାମଣ୍ଡପ ବା ଯଜ୍ଞମଣ୍ଡପ, ନିର୍ମାଣମଣ୍ଡପ ବା କାରୁଶାଳା, ସମ୍ଭାରମଣ୍ଡପ, ସ୍ନାନ ମଣ୍ଡପ, ନୃସିଂହ ମଣ୍ଡପ, ଅଧିବାସ ମଣ୍ଡପ ଓ ଦାରୁମଣ୍ଡପ । ପ୍ରତି ମଣ୍ଡପର ଭିନ୍ନ ଭିନ୍ନ କାରଜୟା ରହିଛି ।

ଅଧିବାସ ମଣ୍ଡପରେ ଦାରୁ ଓ ନ୍ୟାସଦାରୁଙ୍କ ସ୍ନାନାଦି ପାଇଁ ଜଳ ଅଧିବାସ ହୁଏ । ସେହିପରି ସ୍ନାନମଣ୍ଡପରେ ବିଗ୍ରହମାନଙ୍କ ସ୍ନାନ କରାଯାଉଥିବା ବେଳେ ନିର୍ମାଣମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ନିର୍ମାଣ ହୁଏ । ନୃସିଂହମଣ୍ଡପରେ ମୁଖ୍ୟ ଉପାସ୍ୟ ଶ୍ରୀଲକ୍ଷ୍ମୀ ନୃସିଂହଙ୍କୁ ଅଧିଷ୍ଠିତ କରାଯାଏ ଏବଂ ପ୍ରତିଷ୍ଠାମଣ୍ଡପ ବା ଯଜ୍ଞମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ପ୍ରତିଷ୍ଠାପାଇଁ ଯଜ୍ଞାନୁଷ୍ଠାନ କରାଯାଏ ଏବଂ ପ୍ରତିଷ୍ଠାମଣ୍ଡପ ବା ଯଜ୍ଞମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ପ୍ରତିଷ୍ଠାପାଇଁ ଯଜ୍ଞାନୁଷ୍ଠାନ କରାଯାଏ । ସେହି ଯଜ୍ଞାଦି ନିମନ୍ତେ ସମସ୍ତ ସମ୍ଭାରମଣ୍ଡପରେ ରଖାଯାଇଥାଏ ।

ନବକଳେବର ବିଧିରେ ଶ୍ରୀବିଗ୍ରହମାନଙ୍କ ନିର୍ମାଣ, ନ୍ୟାସଦାରୁ ପ୍ରତିଷ୍ଠା ଓ ରୀତି ସଂପୂର୍ଣ ଗୋପନୀୟ । ତେବେ ଗବେଷକମାନେ ବିଭିନ୍ନ ସୂତ୍ରରୁ ଯେଉଁସବୁ ତଥ୍ୟ ଆହରଣ କରିଛନ୍ତି, ତଦନୁସାରେ ଏ ସଂମ୍ପର୍କରେ କିଛି ବିଷୟ ଜଣାଯାଏ ।

ନିର୍ଭରଯୋଗ୍ୟ ତଥ୍ୟ ଅନୁସାରେ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ଶ୍ରୀଜୀଉମାନଙ୍କର ସ୍ନାନ କରାଯିବା ବେଳେ କୋଇଲି ବୈକୁଣ୍ଠରେ ନବବିଗ୍ରହମାନଙ୍କର ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ଦାରୁମାନଙ୍କ ମଧ୍ୟ ସ୍ନାନ କରାଯାଇଥାଏ । ତା’ପରେ ଚତୁର୍ଥଦିନ ସେମାନଙ୍କୁ ଶଗଡ଼ିରେ ନିର୍ମାଣ ମଣ୍ଡପ ବା କାରୁଶାଳାକୁ ନିଆଯାଏ । ନିର୍ମାଣମଣ୍ଡପରେ ସେମାନଙ୍କର ନିର୍ମାଣ ଓ ପ୍ରତିଷ୍ଠାମଣ୍ଡପରେ ସେମାନଙ୍କର ପ୍ରତିଷ୍ଠା କର୍ମ ସମାନ୍ତରାଳ ଭାବେ ସମ୍ପନ୍ନ ହୋଇଥାଏ ।

ଏ ସମ୍ପର୍କରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ପ୍ରତିଷ୍ଠା କର୍ମ ଓ ବିଗ୍ରହ ନିର୍ମାଣ ଏକ ସମୟରେ ହେଉଥିବାରୁ ବିଗ୍ରହମାନଙ୍କୁ ପ୍ରତ୍ୟକ୍ଷ ଭାବରେ ପ୍ରତିଷ୍ଠା କରାଯିବା ସମ୍ଭବପର ହୋଇନଥାଏ । ସେଥିପାଇଁ ପ୍ରତୀକାତ୍ମକ ଭାବରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନ୍ୟାସ, ନ୍ୟାସଦାରୁରେ କରାଯାଏ ବୋଲି ଗବେଷକ ଗୟାଚରଣ ତ୍ରିପାଠୀ କହିଛନ୍ତି ।

କୋଣାର୍କ ୧୬୮ ପ୍ରତିଷ୍ଠା କର୍ମରେ ବିଭିନ୍ନ ପର୍ଯ୍ୟାୟରେ ନ୍ୟାସଦାରୁଙ୍କୁ ପ୍ରଥମେ ଅଧିବାସ ମଣ୍ଡପରେ, ତା,ପରେ ସ୍ନାନମଣ୍ଡପରେ ଏବଂ ଶେଷରେ ନ୍ୟାସମଣ୍ଡପରେ ସ୍ଥାପନ କରାଯାଇଥାଏ । ପ୍ରତିଷ୍ଠାକର୍ମ ଶ୍ରୋତ୍ରୀୟ ବ୍ରାହ୍ମଣମାନେ କରିଥଆନ୍ତି । ପ୍ରତିଷ୍ଠାମଣ୍ଡପ ବା ଯଜ୍ଞମଣ୍ଡପରେ ପ୍ରତିଷ୍ଠା ଯଜ୍ଞ ସମ୍ପନ୍ନ ହୁଏ ଏବଂ ନ୍ୟାସ ଦାରୁଙ୍କଠାରେ ବିଭିନ୍ନ ନ୍ୟାସଦି କରାଯାଇଥାଏ ।

ଯଜ୍ଞର ଆରମ୍ଭ ଦିନ ନ୍ୟାସଦାରୁଙ୍କୁ ଅଧିବାସ ମଣ୍ଡପକୁ ଅଣାଯାଏ ଓ ତାହାଙ୍କୁ ଗୋଟିଏ ଖଟ ଉପରେ ପଟ୍ଟବସ୍ତ୍ର ପ୍ରସାରଣ କରି ପଶ୍ଚିମ ପାର୍ଶ୍ଵରେ ସ୍ଥାପନ କରାଯାଏ । ସେହିଦିନ ହିଁ ପ୍ରତିଷ୍ଠା ମଣ୍ଡପର ଯଜ୍ଞକୁଣ୍ଡରେ ‘ବୈଷ୍ଣବାଗ୍ନି’ ନାମକ ଅଗ୍ନି ସ୍ଥାପନ କରାଯାଇ ହୋମ କରାଯାଏ । ଯଜ୍ଞକୁଣ୍ଡ ନିକଟରେ ପଶ୍ଚିମ ଦିଗରେ ପୂର୍ବମୁଖ ହୋଇ ଯଥାକ୍ରମେ ଚରୁ ହୋତା, ଆଚାର୍ଯ୍ୟ ଓ ସମିଧ ହୋତା ଉପବେଶନ କରନ୍ତି । ଦକ୍ଷିଣ ଦିଗରେ ବ୍ରହ୍ମା ବସିଥାନ୍ତି । ପ୍ରଥମେ ନୃସିଂହ-ମନ୍ତ୍ରରାଜ ମନ୍ତ୍ରରେ ୧୦୮ଥର ଆଜ୍ୟାହୁତି ପ୍ରଦାନ କରାଯାଏ । ଏହି ମନ୍ତ୍ରଟି ହେଲା :-

‘ଉଗ୍ରଂବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖମ୍

ନୃସିଂହ ଭୀଷଣଂ ଭଦ୍ରଂ ମୃତ୍ୟୋର୍ମୃତ୍ୟୁଂ ନମାମ୍ୟହମ୍”

।।

ଅବଶିଷ୍ଟ ଆଜ୍ୟକୁ ନ୍ୟାସଦାରୁଙ୍କ ସ୍ନାନ ନିମନ୍ତେ ଉଦ୍ଦିଷ୍ଟ ଥିବା ଘଟ ମାନଙ୍କରେ ନିକ୍ଷେପ କରାଯାଏ । ଏହି ସମୟରେ ସେହି ନ୍ୟାସ ଦାରୁଙ୍କ ଦକ୍ଷିଣ ହସ୍ତ କଳ୍ପନା କରାଯାଇ ତାହା ଉପରେ ଦୁବ ଓ ଧଳା ସୋରିଷ ଦେଇ ଗୋଟିଏ ‘କୌତୁକ ସୂତ୍ର’ ବାନ୍ଧି ଦିଆଯାଏ । ଏହି କୌତୁକ ସୂତ୍ର ବିବାହ ସମୟରେ ବର-କନ୍ୟାଙ୍କ ଦକ୍ଷିଣହସ୍ତରେ ବନ୍ଧାଯାଉଥିବା ‘ଅଷାଢ଼ୁଆ ସୂତା’ ପରି ।

ଛୁଆଟିଏ ଜନ୍ମ ହେବା ପରେ ଯେମିତି ଖର ବା ଦୁଷ୍ଟ ନଜରକୁ ରକ୍ଷା କରିବା ପାଇଁ ତାର ହାତରେ ଡେଉଁରିଆ ବା କଉତୁକ । ସୋରିଷ ଓ ଦୁବରେ ତିଆରି ଏହି କଉତୁକ ପଛରେ ଥିବା ପାରମ୍ପରିକ କଥା ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ପ୍ରତିଷ୍ଠା କର୍ମରେ ଗୋଟିଏ ଦାରୁଙ୍କର ଅଂଶ ବିଶେଷଙ୍କୁ ଆଚାର୍ଯ୍ୟମାନେ ନ୍ୟାସ କରିଥାନ୍ତି । ପ୍ରତିଷ୍ଠାମଣ୍ଡପର ଅଗ୍ନିକୋଣରେ ପ୍ରତିଷ୍ଠା ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ଶ୍ରୀଲକ୍ଷ୍ମୀନୃସିଂହଙ୍କ ଧାତୁ ମୂର୍ତ୍ତି ରଖାଯାଏ । ଏହି ମୂର୍ତ୍ତି କେବଳ ନବକଳେବର ସମୟର କୋଇଲି ବୈକୁଣ୍ଠକୁ ଥରେ ମାତ୍ର ଆସିଥାନ୍ତି । ଅନ୍ୟ ସମୟରେ ଶ୍ରୀମନ୍ଦିର ଭିତରେ ଥିବା ଦକ୍ଷିଣୀ ଘରେ ସେ ପୂଜିତ ହୋଇଥାନ୍ତି । ଏହି ମୂର୍ତ୍ତି ନବକଳେବର ସହ ସଂପୃକ୍ତ ଥିବାରୁ ଏହାଙ୍କୁ ପତିମହାପାତ୍ର ପ୍ରତିଦିନ ପୂଜା କରନ୍ତି । ପ୍ରଥମେ ପତିମହାପାତ୍ର ପୂଜା କରିବା ପରେ ଅନ୍ୟାନ୍ୟ ପୂଜାବିଧି ହୋଇଥାଏ । ଲକ୍ଷ୍ମୀନୃସିଂହ ବିଜେ ହେବା ପରେ ବ୍ରାହ୍ମଣମାନେ ନ୍ୟାସ ଦାରୁଙ୍କ ଦକ୍ଷିଣ ହସ୍ତରେ ଅଶୁଭ ନିରାକରଣ ପାଇଁ ସୋରିଷ ଓ ଦୁବରେ ତିଆରି କବଚ (ଡ଼େଉଁରିଆ) ପିନ୍ଧାଇ ଦିଆଯାଏ । ଏହି ଡ଼େଉଁରିଆକୁ ଶ୍ରୀମନ୍ଦିର ଭାଷାରେ ‘କଉତୁକ’ ବୋଲି କୁହାଯାଏ । କାଳେ ନ୍ୟାସ ଦାରୁଙ୍କ ପ୍ରତି କୌଣସି ଅଶୁଭ ହେବାର ଥିବ, ସେଥିପାଇଁ ପ୍ରଚଳିତ ଏହି ବିଧି ଶାସ୍ତ୍ର ଓ ଜନପଦୀୟ ପରମ୍ପରାରେ ଗୋଟିଏ ଉଦାହରଣ ।

ତତପରଦିନ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ସେହି ନ୍ୟାସଦାରୁଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଏ । ପ୍ରଥମେ ବାର ଆଙ୍ଗୁଳ ଉଚ୍ଚ ଗୋଟିଏ ବେଦୀ ଉପରେ ଉକ୍ତ ନ୍ୟାସ ଦାରୁଙ୍କୁ ସ୍ଥାପନ କରି ତାହାଙ୍କୁ ୧୭ଗୋଟି ଗଡୁ ଜଳରେ ସ୍ନାନ କରାଇ ଦିଆଯାଏ । ଏହି ଜଳରେ ଘୃତ ସହିତ ଅନେକ ମହୌଷଧି ଓ ସୁଗନ୍ଧି ଦ୍ରବ୍ୟ ତଥା ତୀର୍ଥ ଜଳ ନିକ୍ଷେପ କରାଯାଇଥାଏ । ନ୍ୟାସ ଦାରୁଙ୍କୁ ସ୍ନାନ କରାଯିବା କାଳରେ ବେଦ ମନ୍ତ୍ର ଉଚ୍ଚାରଣ କରାଯାଏ ଓ ଶେଷରେ ନୃସିଂହଗାୟତ୍ରୀ ତଥା ଶ୍ରୀନୃସିଂହଙ୍କ ମନ୍ତ୍ରରାଜ ମନ୍ତ୍ର ପାଠ କରାଯାଏ ।

ନୃସିଂହ ଗାୟତ୍ରୀ ମନ୍ତ୍ର :

“ଓଁ ବଜ୍ରନଖାୟ ବିଦ୍ମହେ ତୀକ୍ଷଣଦ୍ରଂଷ୍ଟାୟ ଧୀମହି ତନ୍ମୋ ନରସିଂହ ପ୍ରଚୋଦୟାତ୍”

ପ୍ରଥମେ ଶୀତଳ ଓ ପରେ ନାତିଉଷ୍ମ ଜଳରେ ନ୍ୟାସ ଦାରୁଙ୍କୁ ଅଭିଷେକ କରାଯାଏ । ପୂର୍ବରୁ ଜଳାଧିବାସ ଗୃହରେ ବାସ୍ତୁ ମଣ୍ଡଳରେ ୮୧ଟି ସ୍ଥାନରେ ରଖାଯାଇଥିବା ୮୧ଗୋଟି ଗଡୁ (କଳସ)ର ଜଳକୁ ସଂସ୍କାର କରାଯାଇ ନ୍ୟାସ ଦାରୁଙ୍କ ଉପରେ ଓହଳା ଯାଇଥିବା ସହସ୍ରଧାର କୁମ୍ଭ (ଏହି କୁମ୍ଭରେ ଅସଂଖ୍ୟ ଛିଦ୍ର ବା କଣା ଥାଏ)ରେ ନିକ୍ଷେପ କରାଯାଏ । ନ୍ୟାସଦାରୁ ଓ ସହସ୍ରଧାର କୁମ୍ଭର ମଧ୍ୟ ଭାଗରେ ଗୋଟିଏ ନୂତନ ବସ୍ତ୍ର ବାନ୍ଧି ଦିଆଯାଇଥାଏ । ସହସ୍ରଧାର କୁମ୍ଭାର ଅସଂଖ୍ୟ ଛିଦ୍ର ବା କଣାରୁ ଜଲରାଶି ପ୍ରଥମେ ଉକ୍ତ ବସ୍ତ୍ର ଉପର ଦେଇ ନ୍ୟାସ ଦାରୁଙ୍କ ଉପରେ ପଡ଼େ । ଏହିପରି ଭାବରେ ସହସ୍ରଧାର କୁମ୍ଭରେ ନ୍ୟାସଦାରୁଙ୍କୁ ଅଭିଷେକ କରାଯିବା ସମୟରେ ଆଚାର୍ଯ୍ୟ ବ୍ରାହ୍ମଣମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୁଷସୂକ୍ତ, ଶ୍ରୀବଳଭଦ୍ରଙ୍କ ଉଦ୍ଦେଶ୍ୟରେ ନୀଳ ସୂକ୍ତ ଓ ଦେବୀ ସୁଭଦ୍ରାଙ୍କ ପାଇଁ ଶ୍ରୀସୂକ୍ତ ପାଠ କରନ୍ତି । ନ୍ୟାସ ଦାରୁଙ୍କ ଅଭିଷେକ କର୍ମ ସମାପ୍ତ ହେବା ପରେ ଗୋଟିଏ ନୂତନ ବସ୍ତ୍ରରେ ତାହାଙ୍କୁ ଉତ୍ତମ ରୂପରେ ପୋଛି ଦିଆଯାଏ ଏବଂ ନୃସିଂହ ଗାୟତ୍ରୀ ତଥା ମନ୍ତ୍ରରାଜ ନୃସିଂହ ମନ୍ତ୍ର ପାଠ ପୂର୍ବକ ଷୋଡଶ ଉପାଚାରରେ ପୂଜା କରାଯାଏ । ଦାରୁଙ୍କ ଉପରେ ଦୂର୍ବାକ୍ଷତ ସ୍ଥାପନ କରାଯାଇ ସଂକଳ୍ପସୂକ୍ତ କରାଯାଏ । ଏହାପରେ ଶାକୁନ ସୂକ୍ତ ପାଠ ପୂର୍ବକ ସେହି ଦାରୁଙ୍କୁ ନ୍ୟାସ ବା ପ୍ରତିଷ୍ଠାମଣ୍ଡପକୁ ଅଣାଯାଏ । ପୁରୁଷସୂକ୍ତ ପାଠ କରି ତାହାଙ୍କୁ ସେ ମଣ୍ଡପରେ ଚକ୍ରାବମଣ୍ଡଳ ଉପରେ ପୀଠାସନ ବା ଶୟନାସନରେ ସ୍ଥାପନ କରାଯାଏ ଓ ଶୀତଳ ପାନୀୟ ଅର୍ପଣ କରାଯାଏ । ଏହି ସମୟରେ ନ୍ୟାସଦାରୁଙ୍କ ଉପରେ ଗୋଟିଏ ଧଳା କନା ଘୋଡ଼ାଇ ଦିଆଯାଏ । ପରଦିନ ପ୍ରଭାତରେ ଆଚାର୍ଯ୍ୟ ଭୂତଶୁଦ୍ଧି, ମାତୃକାନ୍ୟାସାଦୀ କରି ଭଗବାନ୍ ଶ୍ରୀନୃସିଂହଙ୍କୁ ପୂଜା କରନ୍ତି ଓ ଉକ୍ତ ନ୍ୟାସଦାରୁକୁ ନୃସିଂହ ରୂପରେ ଧ୍ୟାନ କରନ୍ତି । ସେହି ସମୟରେ ନ୍ୟାସଦାରୁଙ୍କୁ ଏକ ଶୁଭ୍ରବସ୍ତ୍ର ଦ୍ଵାରା ଆଚ୍ଛାଦିତ କରି ବସ୍ତ୍ରର ଅନ୍ୟ ପ୍ରାନ୍ତଟିକୁ ନ୍ୟାସଦାରୁଙ୍କର ମସ୍ତକ ପର୍ଯ୍ୟନ୍ତ ଲମ୍ବାଇ ଦିଆଯାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଶ୍ରୀଅସିତ ମହାନ୍ତି କହନ୍ତି, ଖଣ୍ଡିଏ ପଲାସ କାଠର ଅଗ୍ରଭାଗରେ କୁଶଗୁଚ୍ଛ ବନ୍ଧାଯାଇ ତାହା ଦ୍ଵାରା ନ୍ୟାସ କର୍ମ ସଂଯୋଜନ କରାଯାଇଥାଏ । ପୁସ୍ତକାଚାର୍ଯ୍ୟ ପାଖରେ ବସି ନ୍ୟାସଚାର୍ଯ୍ୟଙ୍କ କର୍ଣ୍ଣରେ କର୍ଣ୍ଣମନ୍ତ୍ର ଦେଲାଭଳି କାହା ପରେ କାହାର ନ୍ୟାସ ହେବ ସେ ସମ୍ପର୍କରେ ସୂଚନା ଦେଇଥାନ୍ତି । ମନ୍ତ୍ର ଉଚ୍ଚାରଣ ବେଳେ ଦାରୁର ବିଭିନ୍ନ ଅଙ୍ଗ କଳ୍ପନା କରାଯାଇ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ । ସେ ନିଜ ହୃଦୟରେ ପୀଠସ୍ଥ ନୃସିଂହଙ୍କୁ ମଧ୍ୟ ଧ୍ୟାନ କରନ୍ତି । ତାହାପରେ ଆବରଣ ପୂଜା ଓ ଅନ୍ୟ ଦେବଦେବୀଙ୍କର ପୂଜା କରି ସେ ଦିନର ବିଶିଷ୍ଟ କର୍ମ ଅର୍ଥାତ୍ ନ୍ୟାସ କର୍ମ ସମ୍ପାଦନ ଧ୍ୟାନ କରିଥାନ୍ତି-। ପୂର୍ବୋକ୍ତ ଚକ୍ରାବମଣ୍ଡଳରେ ସ୍ଥାପନ ପୂର୍ବକ ସେହି ନ୍ୟାସ ଦାରୁଙ୍କ ବିଭିନ୍ନ ଅଙ୍ଗରେ ନୃସିଂହ ମନ୍ତ୍ରରାଜ ପ୍ରତି ଅକ୍ଷର, ପ୍ରତି ଶବ୍ଦ ଓ ପ୍ରତି ଚରଣକୁ ନ୍ୟାସ କରାଯାଏ । ଏହିପରି କରାଯିବା ଦ୍ବାରା ସେହି ନ୍ୟାସଦାରୁଙ୍କୁ ଭଗବାନ୍ ଶ୍ରୀନୃସିଂହଙ୍କର ସ୍ବରୂପ ପ୍ରଦାନ କରାଯାଏ । ଏହି ସମସ୍ତ ନ୍ୟାସ ତିନି ମୁଖ୍ୟ ଦେବତାଙ୍କ ପାଇଁ ତିନି ବାର କରାଯାଏ । ତତ୍ପରେ ସେହି ଦାରୁରେ ଶ୍ରୀଜଗନ୍ନାଥଙ୍କ ପାଇଁ କେଶବାଦି ନ୍ୟାସ, ଶ୍ରୀବଳଭଦ୍ରଙ୍କ ପାଇଁ ଶ୍ରୀକଣ୍ଠାଦିନ୍ୟାସ ଓ ଦେବୀ ସୁଭଦ୍ରାଙ୍କ ପାଇଁ କଳାନ୍ୟାସ କରାଯାଏ ।

ଏହାପରେ ସେହି ନ୍ୟାସ ଦାରୁର ବିଭିନ୍ନ ଅଂଗରେ ଅନ୍ୟୁନ ୩୦ ପ୍ରକାର ନ୍ୟାସ କରାଯାଇଥାଏ । ସାଧାରଣତଃ ଯଜ୍ଞର ପଞ୍ଚମ ଦିନଠାରୁ ନ୍ୟାସ କର୍ମ ଆରମ୍ଭ ହୋଇ ନବମ ଦିନ ସମାପ୍ତ ହୁଏ । ନ୍ୟାସ ଉତ୍ତାରୁ ଦଶମ ଦିନ ପ୍ରାଣ ପ୍ରତିଷ୍ଠା କରାଯାଏ । ଏହାଦ୍ଵାରା ଦାରୁ ଦେବତାରେ ପରିଣତ ହୁଅନ୍ତି । ଶେଷରେ ଏହି ନ୍ୟାସଦାରୁଙ୍କୁ ତିନି ବାର ପୁଷ୍ପାଞ୍ଜଳି ପ୍ରଦାନ କରାଯାଏ ।

 

ଗୁପ୍ତ ରଥଯାତ୍ରା :

ଶ୍ରୀଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ତଥା ଶ୍ରୀମନ୍ଦିରର ପ୍ରାକ୍ତନ ଉପପ୍ରଶାସକ ଡକ୍ଟର ଭାସ୍କର ମିଶ୍ର ୯ଜୁନ୍ ୨୦୧୫ ତାରିଖରେ ଏକ ପାଠଚକ୍ରରେ ବିଶଦ ଭାବେ ନ୍ୟାସଦାରୁର ଏହିପରି ବର୍ଣ୍ଣନା କରିଛନ୍ତି । ଡ. ଭାସ୍କର ମିଶ୍ରଙ୍କ ତଥ୍ୟ ଅନୁଯାୟୀ ଆଠଚକ ବିଶିଷ୍ଟ ପ୍ରାୟ ଆଠଫୁଟ ଉଚ୍ଚତାର ରଥଟି ନନ୍ଦିଘୋଷ ରଥସଦୃଶ ହୋଇଥାଏ । ଚକ ଗୁଡିକ ୧୨ଇଞ୍ଚ ବିଶିଷ୍ଟ ହୋଇଥାଏ । ରଥରେ ମୁଖ୍ୟତଃ ଚାରୋଟି ଖମ୍ବ ରହିଥାଏ । ରଥର ଦୈର୍ଘ୍ୟ ଓ ପ୍ରସ୍ଥ ପ୍ରାୟ ୬ ଫୁଟ । ରଥର ସିହାଂସନରେ ନୃସିଂହଙ୍କ ପ୍ରଭା ରହିଥାଏ । ରଥରେ ଦୁଇଟି ଓଲଟ ଶୁଆ, କଲାସ, ଦୁଆରଘୋଡା ଓ ନାହାକା ସଂସ୍ଥାପନ ହେବାବେଳେ ଚାରିଟି ଶ୍ଵେତ ଅଶ୍ଵ ସଂଯୁକ୍ତ ହୋଇଥଆନ୍ତି । ରଥରେ ସାରଥି ଓ ଦ୍ଵାରପାଳ ମଧ୍ୟ ଥାଆନ୍ତି । ସମୁଦାୟ ରଥ ନିର୍ମାଣରେ ୨୫ଘନଫୁଟ କାଠ ଲାଗିଥାଏ । ରଥ ନିର୍ମାଣରେ ମୁଖ୍ୟତଃ ଅସନ ଓ ଧଉରା କାଠ ଲାଗିଥିବା ବେଳେ ଚକାଗୁଡ଼ିକ ଫାଶୀ କାଠରେ ନିର୍ମିତ ହୋଇଥାଏ । ରଥର ମଣ୍ଡଣି ହଳଦିଆ ଓ ନାଲିକନାରେ ପ୍ରସ୍ତୁତ ହୋଇଥାଏ । ଏହି ରଥର ନିର୍ମାଣ ପାଇଁ ପ୍ରାୟ ୧୫ ଦିନ ସମୟ ଲାଗିଥାଏ ।

ଶ୍ରୀ ଅସିତ ମହାନ୍ତି ଦେଉଳ କରଣଙ୍କ ବିବରଣୀ ଆଧାରରେ ସୂଚୀତ କରିଛନ୍ତି ଯେ ପୂର୍ବରୁ ଏହି ନ୍ୟାସରଥ ଷୋଳଚକିଆ ନିର୍ମିତ ହେଉଥିଲା । ମାତ୍ର ସମୟକ୍ରମେ ପରିବର୍ତ୍ତିତ ହୋଇ ଏବେ ଆଠଚକିଆ ଭାବରେ ନିର୍ମିତ ହେଉଛି । ଶ୍ରୀ ମହାନ୍ତିଙ୍କ ତଥ୍ୟ ଅନୁଯାୟୀ ନ୍ୟାସଦାରୁଙ୍କ ଆସ୍ଥାନରେ ଅଷ୍ଟଦଳ ପଦ୍ମର ଚିତ୍ର ଅଙ୍କାଯାଇଥାଏ । ରଥର ନିର୍ମାଣ ସମ୍ପୂର୍ଣ୍ଣ ହେବାପରେ ଏହାକୁ ଶ୍ରୀମନ୍ଦିରର ଉତ୍ତର ଦ୍ଵାର ବା ଦେବଯାନ ମାର୍ଗ ଦେଇ କୋଇଲି ବୈକୁଣ୍ଠର ଦ୍ଵାରଦେଶରେ ରଖାଯାଇଥାଏ ।

ନ୍ୟାସ ଦାରୁଙ୍କ ରଥ ଟଣା ହେବା ନିମନ୍ତେ ୨୨ ହାତ ଲମ୍ବର ଦୁଇଟି ପାଟଡ଼ୋର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥାଏ । ପାଟରା ବିଶୋଇ ସେବକ ଏହାକୁ ପ୍ରସ୍ତୁତ କରି ଯୋଗାଇ ଥାନ୍ତି । ନ୍ୟାସଦାରୁଙ୍କୁ ରଥରେ ଅଧିଷ୍ଠିତ କରାଇବା ପୂର୍ବରୁ ତାହାର ଆସ୍ଥାନ ବା ଚକା ଉପରେ ଏକଗୋଟି ତୁଳା ନିର୍ମିତ ମାଣ୍ଡି ଓ ଦୁଇଗୋଟି ତକିଆ ପକାଯାଇଥାଏ । ରଥରେ ଚାରୋଟି ଚାମର ଓ ଚାରୋଟି ଘଣ୍ଟି ଲଗାଯାଇଥାଏ । ଦ୍ଵାଦଶୀ ଦିନ ରାତ୍ରରେ ଶ୍ରୀମନ୍ଦିରର ସମସ୍ତ ବିଦ୍ୟୁତ୍ ଆଲୋକ ମାଳା ନିର୍ବାପିତ କରାଇ ଦିଆଯିବା ପରେ ଦୁଇଟି ମିଶାଲ ଜଳାଯାଇ ରଥ ବେଢ଼ାପରିକ୍ରମା କରାଯାଇଥାଏ ।

ନ୍ୟାସଦାରୁଙ୍କୁ ପତି ଓ ଦୈତାମାନେ ଏକ କ୍ଷୁଦ୍ର ରଥରେ ସ୍ଥାପନ କରି ରଥକୁ ଶ୍ରୀମନ୍ଦିର ବେଢ଼ାମଧ୍ୟକୁ ନେଇଯାନ୍ତି ଏବଂ ସେହି କୂର୍ମ ବେଢ଼ାରେ ତାହାକୁ ସାତବାର ଶ୍ରୀମନ୍ଦିର ପ୍ରଦକ୍ଷିଣ କରନ୍ତି । ପତିମହାପାତ୍ର ଓ ଦଇତା ସେବକମାନେ ଏହି ଯାତ୍ରାର କର୍ତ୍ତା ଓ ଦ୍ରଷ୍ଟା ହୋଇଥାନ୍ତି । ସେମାନେ ହିଁ ଘଣ୍ଟା ବଜାନ୍ତି ଓ ଦିହୁଡି ପ୍ରଭୃତି ଧାରଣ କରନ୍ତି । ସେମାନେ ହିଁ ରଥକୁ ଟାଣିଥାନ୍ତି । ନ୍ୟାସଦାରୁ ଅଧିଷ୍ଟିତ ରଥ ପରିଭ୍ରମଣପରେ ନ୍ୟାସଦାରୁ ଆଉ ପ୍ରତିଷ୍ଠା ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ । ତାହା ପାଞ୍ଚଖଣ୍ଡ କରାଯାଇ ବ୍ରହ୍ମରନ୍ଧ୍ରରେ ସ୍ଥାପନ କରାଯିବା ଉଦ୍ଦେଶ୍ୟରେ ନିର୍ମାଣମଣ୍ଡପକୁ ନିଆଯାଏ । ଚାରିଗୋଟି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ଲାଗିବା ବେଳେ ଗୋଟିଏ ମାଧବଙ୍କ ପାଇଁ ଲାଗିଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ନ୍ୟାସ ଦାରୁ ଶ୍ରୀମନ୍ଦିର ପରିସର ମଧ୍ୟରେ ସାତଥର ପରିକ୍ରମା କରିବା ଭଳି ଶ୍ରୀମନ୍ଦିରରେ ସାତର ଭୂମିକା ଗୁରୁତ୍ଵପୂର୍ଣ୍ଣ । ନବକଳେବର ସମୟରେ ବିଗ୍ରହଙ୍କର ସପ୍ତାବରଣ ହୁଏ । ଶ୍ରୀଗୁଣ୍ଡିଚାରେ ପ୍ରଭୁ ସାତପାହାଚରେ ଓହ୍ଲାଇ ଭକ୍ତକୁ ଦର୍ଶନ ଦିଅନ୍ତି-। ଗୁଣ୍ଡିଚା ଘରେ ସାତଦିନ ପାଇଁ ଆଡମଣ୍ଡପରେ ଭକ୍ତଙ୍କ ପାଇଁ ଅବସ୍ଥାନ କରନ୍ତି ।

ଶ୍ରୀବିଗ୍ରହଙ୍କ ମଧ୍ୟସ୍ଥିତ ବ୍ରହ୍ମଟି କଅଣ ?

ସ୍ଵୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ବ୍ରହ୍ମ ସଂସ୍ଥାପକ । ସେ ଏ ସବୁ ବିଷୟରେ ଆଦ୍ୟରୁ ନିର୍ଦ୍ଦିଷ୍ଟ ଭାବେ କାହାକୁ କୌଣସି ସୂଚନା ଦେଇଯାଇନଥିବାରୁ ଶ୍ରୀବିଗ୍ରହଙ୍କର ବ୍ରହ୍ମ ପଦାର୍ଥଟି ଏବେ ମଧ୍ୟ ରହସ୍ୟାବୃତ । ଆଧ୍ୟାତ୍ମିକ ପରମ୍ପରାରେ ପରଂବ୍ରହ୍ମ, ପୂର୍ଣ୍ଣବ୍ରହ୍ମ, ନିରାକାରବ୍ରହ୍ମ, ଅରୂପବ୍ରହ୍ମ, ମାୟାବ୍ରହ୍ମ, ନାମବ୍ରହ୍ମ, ଶବ୍ଦବ୍ରହ୍ମ, ନାଦବ୍ରହ୍ମ, ପ୍ରଜ୍ଞାନବ୍ରହ୍ମ, ଏହିପରି ବ୍ରହ୍ମଯୁକ୍ତ ଶବ୍ଦର ବହୁଳ ବ୍ୟବହାର ଦେଖାଯାଏ; କିନ୍ତୁ ଶ୍ରୀକ୍ଷେତ୍ରରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ଭାବରେ ବିରାଜିତ ।

ଯଜୁର୍ବେଦର ପ୍ରତିମା ବିହୀନ ହିରଣ୍ୟଗର୍ଭ ତତ୍ତ୍ଵ; ବୃହଦାରଣ୍ୟକ ଉପନିଷଦର ‘ନେତି ନେତି’ ତତ୍ତ୍ଵ ଏବଂ କେନୋପନିଷଦର ଅପହଞ୍ଚ ତତ୍ତ୍ଵର ସାଧନ ସେ ରୁଦ୍ଧ ମନ୍ଦିର ଭିତରେ କରି ଚାଲିଛନ୍ତି । ଏହା ହିଁ ହେଉଛି ପ୍ରଜ୍ଞାନବ୍ରହ୍ମଙ୍କର କଳାଚାତୁର୍ଯ୍ୟ । ସର୍ଜନାର ସବୁ ତତ୍ତ୍ଵ ରହସ୍ୟ ତାଙ୍କରିଠାରୁ ସୃଷ୍ଟ ଏବଂ ତାଙ୍କରିଠାରେ ଅନ୍ତ । ‘ଅନନ୍ତ’ ଶବ୍ଦର ଅର୍ଥ ଯାହାର ଆଦି, ମଧ୍ୟ, ଅନ୍ତ, କିଛି ନାହିଁ । “ବ୍ରହ୍ମ” ଶବ୍ଦର ଅର୍ଥ ହେଉଛି ବୃଦ୍ଧତମ, ବୃହତ୍ତମ ଆଦି ସର୍ବାନ୍ତ ବୋଧକ ତତ୍ତ୍ଵ, ଯାହାର ଉର୍ଦ୍ଧ୍ୱରେ ଆଉ କୌଣସି ଶକ୍ତି ନାହିଁ ।

ଆଚାର୍ଯ୍ୟ ଶଙ୍କରଙ୍କ ମତରେ ଶ୍ରୀବିଗ୍ରହ ହେଉଛନ୍ତି ହିରଣ୍ୟଗର୍ଭ । ହିରଣ୍ୟଗର୍ଭଙ୍କର ଆଭିଧାନିକ ତତ୍ତ୍ଵାର୍ଥ ହେଉଛନ୍ତି ଶାଳଗ୍ରାମ ।ବୈଦିକ ଆର୍ଯ୍ୟ ଚିନ୍ତନରେ ଶାଳଗ୍ରାମ ଉପାସନା ସୁପ୍ରାଚୀନ ।

“ଅଚ୍ଛେଦ୍ୟୋୟାମଦାହ୍ୟୋୟାମକ୍ଲେଦ୍ୟାଶୋଷ୍ୟ ଏବ ଚ ନିତ୍ୟ ସର୍ବଗ ସ୍ଥାଣୁରଚଳୋୟଂ ସନାତନଃ” ଏହି ଶାସ୍ତ୍ରୀୟ ବାକ୍ୟକୁ ଆଧାର କରି ଶ୍ରୀବିଗ୍ରହଙ୍କ ନାଭିକମଳରେ ଶାଳଗ୍ରାମ ଶିଳା ସଂରକ୍ଷିତ ହୋଇଥିବା କଥା ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଦୃଢ଼ ମତ । ବୃନ୍ଦାବତୀଙ୍କଠାରୁ ଅଭିଶାପ ପାଇଁ ବିଷ୍ଣୁ ବ୍ରାଜକୀଟ ହୋଇ ଶାଳଗ୍ରାମଙ୍କ ମଧ୍ୟରେ ବିଷ୍ଣୁଶିଳା ହୋଇଛନ୍ତି । ଅନ୍ୟ ଦିଗରେ ବୃନ୍ଦାବତୀ ହରଣ ଦୋଷ ହେତୁରୁ ପ୍ରାୟଶ୍ଚିତ ସ୍ଵରୂପ ପ୍ରଭୁଙ୍କଠାରୁ କେବେ ବିଚ୍ଛିନ୍ନ ନ ହେବପାଇଁ ବୃନ୍ଦାବତୀ ତୁଳସୀ ଭାବରେ ଶାଳଗ୍ରାମଙ୍କ ଉପରେ ରହି ପୂଜା ପାଇ ଆସିଛନ୍ତି ।

ଏ ସମ୍ପର୍କିତ ଗୋଟିଏ ମତ ହେଉଛି, ‘ବ୍ରହ୍ମ’ ପଦାର୍ଥ ଆଉ କିଛି ନୁହେଁ ଏକ ଦନ୍ତଧାତୁ । ଏହା ବୁଦ୍ଧଦେବଙ୍କ ଚିତାଭସ୍ମରୁ ସଂଗୃହୀତ ଏକ ଦନ୍ତ ଯାହା ବ୍ରହ୍ମ ରୂପେ ସ୍ଥାପିତ ହୋଇଅଛି ।

ବୁଦ୍ଧଦନ୍ତ ଓ ଶାଳଗ୍ରାମ ଶିଳା ମତ ପରି, ଶ୍ରୀଜଗନ୍ନାଥଙ୍କ ‘ବ୍ରହ୍ମ’ ଆଉ କିଛି ନୁହେଁ, ଶ୍ରୀକୃଷ୍ଣଙ୍କ ଦେହାବଶେଷ ବୋଲି ମଧ୍ୟ ଅନେକମନେ କରନ୍ତି । ଆଦିକବି ସାରଳା ଦାସଙ୍କ ‘ମହାଭାରତ’ର ଏକ ଉପାଖ୍ୟାନ ଏହି ମତକୁ ପୁଷ୍ଟି ଦେଇଛି । ସେହି ଉପାଖ୍ୟାନ ଅନୁସାରେ, ଜାରା ଶବର ତୀରରେ ଶ୍ରୀକୃଷ୍ଣ ନିହତ ହେବାପରେ ତାଙ୍କର ଶରୀରକୁ ଦାହ କରାଯାଇଥିଲା । ମାତ୍ର ସେହି ପିଣ୍ଡ ସଂପୂର୍ଣ୍ଣ ଦଗ୍ଧ ନ ହେବାରୁ ତାହାକୁ ସମୁଦ୍ରରେ ଭସାଇ ଦିଆଯାଇଥିଲା । ସେହି ଅସ୍ଥି ହିଁ ପଦାର୍ଥ ବୋଲି କିଛି ଗବେଷକଙ୍କର ମତ ।

ଆଉ ଏକ ଐତିହାସିକ ସୂତ୍ର ଆଧାରିତ ମତ ହେଲା କଳାପାହାଡ ହାତୀ ପିଠିରେ ନେଇଯାଇ ଗଙ୍ଗ ତୀରରେ ଦଗ୍ଧ କରି ଦେଇଥିବା ଶ୍ରୀଜଗନ୍ନାଥଙ୍କ ଦାରୁବିଗ୍ରହର ଅଂଶ ହେଉଛି ଏହି ବ୍ରହ୍ମ ପଦାର୍ଥ । ସେହି ଅଂଶକୁ ବିସ୍ତାର ମହାନ୍ତି ସଂଗ୍ରହ କରି ଖୋଳରେ ପୁରାଇ ଆଣି କୁଜଙ୍ଗଠାରେ ପୂଜା କରୁଥିଲା । ଏହିପରି ଆହୁରି ବହୁମତ ଯଥା ତାହାଙ୍କୁ ଏକ କ୍ଷୁଦ୍ର ପେଟିକା ମଧ୍ୟରେ ଥିବା ପାରଦ ଏବଂ ଆଉ କେହି ସ୍ଵର୍ଣ୍ଣାଦି ଅଷ୍ଟଧାତୁ ମିଶ୍ରିତ ପଦାର୍ଥରେ ଗଠିତ ତୁଳସୀପତ୍ର ବୋଲି କହିଛନ୍ତି । କେତେକଙ୍କ ମତରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଶାଳଗ୍ରାମ ଶିଳା ସହିତ ସ୍ଵର୍ଣ୍ଣନିର୍ମିତ ଶ୍ରୀଗୋପାଳ ଯନ୍ତ୍ର, ଶ୍ରୀବଳଭଦ୍ରଙ୍କ ବିଗ୍ରହରେ ସୁବର୍ଣ୍ଣ ଶିବଲିଙ୍ଗ ସହିତ ଶୈବ ଯନ୍ତ୍ର, ଦେବୀ ସୁଭଦ୍ରାଙ୍କ ବିଗ୍ରହରେ ସ୍ଵର୍ଣ୍ଣନିର୍ମିତ ଭୁବନଶ୍ଵରୀ ଯନ୍ତ୍ର ଏବଂ ଶ୍ରୀସୁଦର୍ଶନଙ୍କ ବିଗ୍ରହରେ ଶାଳଗ୍ରାମ ଶିଳା ସହିତ ସ୍ଵର୍ଣ୍ଣନିର୍ମିତ ଶ୍ରୀନୃସିଂହ ଯନ୍ତ୍ର ରହିଛନ୍ତି । କିନ୍ତୁ ଏ ସବୁ ଅନୁମାନ ସାପେକ୍ଷ, କାରଣ ଯେଉଁମାନେ ସେହି ରହସ୍ୟାବୃତ ବ୍ରହ୍ମ ପଦାର୍ଥଙ୍କୁ ସ୍ଵଚକ୍ଷୁରେ ଦର୍ଶନ କରିଛନ୍ତି ସେମାନେ ଏ ସମ୍ପର୍କରେ ନିରବ ।

ବ୍ରହ୍ମ ସଂସ୍ଥାପନ ଓ ଘଟ ପରିବର୍ତ୍ତନ :

ଶ୍ରୀଜଗନ୍ନାଥ ହିଁ ଦାରୁଦେବତା । ଦାରୁ ହିଁ ତାଙ୍କର ଶରୀର ।କିନ୍ତୁ ଆତ୍ମା ଅତି ରହସ୍ୟ, ଖୁବ୍ ଗୋପନୀୟ । ତାହା ହିଁ ବ୍ରହ୍ମ । ବ୍ରହ୍ମ ସଂସ୍ଥାପନ ଅତ୍ୟନ୍ତ ଗୋପନୀୟ ଭାବେ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀର ବ୍ରାହ୍ମ ମୁହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏ ସମ୍ପର୍କରେ ସ୍କନ୍ଦ ପୁରାଣ, ବ୍ରହ୍ମପୁରାଣ, ରୁଦ୍ର ଯାମଳ, ବ୍ରହ୍ମଯାମଳ, ଅଗ୍ନି ପୁରାଣ, ନୀଳାଦ୍ରୀ ମହୋଦୟ, ପାଞ୍ଚରତ୍ନ ସଂହିତା ଓ ମାଦଳାପାଞ୍ଜି ଆଦିରେ ଉଲ୍ଲେଖ ଅଛି । ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଆୟୁର୍ବେଦ, ଜ୍ୟୋତିଷ ଓ ତନ୍ତ୍ରଶାସ୍ତ୍ର ବ୍ରାହ୍ମ ମୁହୁର୍ତ୍ତରେ ସମ୍ପୁର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, କାରଣ ଏହି ସମୟରେ ମହାଜାଗତିକ ପରିବର୍ତ୍ତନ ହୁଏ । ଅନ୍ଧାର ଚାଲିଯାଏ ଆଲୋକ ଆସେ । ଆଲୋକକୁ ନ୍ୟାୟ ଓ ସତ୍ୟର ପ୍ରତୀକ ବୋଲି ଧରାଯାଏ । ଅନ୍ଧାର ଉପରେ ଆଲୋକର ବିଜୟ ବା ଅଲୋକର ଆରମ୍ଭ ହେଉଛି ବ୍ରାହ୍ମ ମୁହୁର୍ତ୍ତ ।

ପ୍ରଚଳିତ ପ୍ରଥା ଅନୁଯାୟୀ ଚତୁର୍ଦ୍ଦଶୀ ଦିନ ଅଣସର ତାଟିଠାରେ ପୂଜିତ ପଟିଦିଅଁ ବା ପଟବ୍ରହ୍ମଙ୍କର ସମସ୍ତ ଦୈନିକ ନୀତି ସମ୍ପନ୍ନ ହୋଇ ଶ୍ରୀମନ୍ଦିରକୁ ଶୋଧ (ଜନଶୁନ୍ୟ) କରାଯାଏ ଏବଂ ଚାରିଦ୍ଵାରକୁ ବନ୍ଦ କରିଦିଆଯାଇଥାଏ । ଗରିଷ୍ଠ ଓ ଅଭିଜ୍ଞ ଦଇତାଙ୍କ ବ୍ୟତୀତ ଅନ୍ୟ କେହି ଶ୍ରୀମନ୍ଦିରପରିସରରେ ରହନ୍ତି ନାହିଁ । ଦେଉଳକରଣ ପାଟଖଣ୍ଡା ଧରି ଏବଂ ତଢ଼ଉକରଣ ଛୁରୀ ଓ ଖଣ୍ଡା ଧରି ଗୁମୁଟରେ ଶ୍ରୀପତିତପାବନଙ୍କ ସମ୍ମୁଖ ବାରଣ୍ଡାରେ ବସି ରହିଥାନ୍ତି । ଶ୍ରୀମନ୍ଦିର ଚତୁର୍ଦ୍ଦିଗ ଓ ମନ୍ଦିର ପରିସରର ସମସ୍ତ ଆଲୋକ ଲିଭାଇ ଦିଆଯାଏ । ପତିମହାପାତ୍ର ସେବକ ଦାୟିତ୍ଵ ପ୍ରାପ୍ତ ଦଇତା ସେବକଙ୍କ ସହଯୋଗରେ ଗୋପନୀୟ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ଏହା ପୂର୍ବରୁ ସେମାନେ ଶ୍ରୀମନ୍ଦିର ପରିସରରେ କେହି ଅଛନ୍ତି କି ନାହିଁ ପରଖି ନିଅନ୍ତି । ଏହାପରେ ଦଇତାମାନେ ନବନିର୍ମିତ ବିଗ୍ରହଙ୍କୁ ଗୋଟି ପହଣ୍ଡିରେ ଆଣି ଅଣସର ଘରେ ବିଜେ କରାନ୍ତି । ପୂର୍ବରୁ ଅଣସର ପିଣ୍ଡିରେ ବିଜେ କରିଥିବା ପୁରାତନ ବିଗ୍ରହମାନଙ୍କ ନିକଟରେ ନବନିର୍ମିତ ବିଗ୍ରହମାନଙ୍କୁ ବିଜେ କରାଯାଏ । ଏହି ପହଣ୍ଡି ସମୟରେ ବାଦ୍ୟ, ଘଣ୍ଟ, ଘଣ୍ଟା, କାହାଳୀ ପ୍ରଭୃତି ବଜାଯାଏ ନାହିଁ । ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ ନୀତି ପାଇଁ ଜଣେ ସ୍ଵାଇଁମହାପାତ୍ର ସେବକ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବ୍ରହ୍ମ ପରିବର୍ତ୍ତନ ନୀତି ପାଇଁ ଦୁଇଜଣ ଦାସ ମହାପାତ୍ର ସେବକ ଏବଂ ଶ୍ରୀସୁଦର୍ଶନ ଓ ମାଧବଙ୍କ ବ୍ରହ୍ମ ପରିବର୍ତ୍ତନ ନୀତି ପାଇଁ ଜଣେ ପତିମହାପାତ୍ର ମନୋନୀତ ହୋଇଥାନ୍ତି । ଏହି ଚାରିଜଣ ନିଷ୍ଠାପର ସେବକଙ୍କ ଆଖି ଓ ହାତର ପାଟକନା ଗୁଡାଇ ଦିଆଯାଏ, ଯେପରି ସେମାନେ କିଛି ଦେଖିପାରିବେ ନାହିଁ ବା ସ୍ପର୍ଶାନୁଭବ କରିପାରିବେ ନାହିଁ । ଅନ୍ୟ ଦଇତାପତିମାନେ ଏହି ଚାରିଜଣଙ୍କ ହାତଧରି ଆଖି ଓ ହାତରେ ପାଟକନା ଗୁଡାଇ ବିଗ୍ରହମାନଙ୍କ ନିକଟରେ ପହଞ୍ଚାଇ ଦେବାପରେ ଅଣସର ଗୃହର ତାଟି ବନ୍ଦ କରିଦିଆଯାଏ । ବ୍ରାହ୍ମ ମୁହୁର୍ତ୍ତରେ ମନୋନୀତ ଦଇତାପତି ଓ ପତିମହାପାତ୍ର ଆଣ୍ଡାଳି ପୁରାତନ ବିଗ୍ରହଙ୍କ ବ୍ରହ୍ମକବାଟି ଉନ୍ମୋଚନ କରନ୍ତି । ପତିମହାପାତ୍ର ବ୍ରହ୍ମପୋଟଳିକୁ ବାହାର କରି ଗୋଟିଏ ଛୋଟ ଖଟୁଲି ଉପରେ ରଖାଯାଇଥିବା ରୂପାବଟା ଉପରେ ବିଜେ କରାନ୍ତି । ଆଶ୍ଚର୍ଯ୍ୟର କଥା, ପୂର୍ବ ନବକଳେବର ସମୟରେ ବ୍ରହ୍ମପୋଟଳିରେ ଦିଆଯାଇଥିବା ତୁଳସୀ ଓ ଚନ୍ଦନ ପ୍ରଭୃତି ସେପର୍ଯ୍ୟନ୍ତ ସତେଜ ଥାଏ । ଏହି ଚନ୍ଦନକୁ ‘ବ୍ରହ୍ମଚନ୍ଦନ’ ଓ ତୁଳସୀକୁ ‘ବ୍ରହ୍ମତୁଳସୀ’ ଆଖ୍ୟା ଦିଆଯାଇଥାଏ ।” ଏହାସବୁ ଅପସାରଣ ପରେ ପତିମହାପାତ୍ରଙ୍କ ଦ୍ଵାରା ପଞ୍ଚାମୃତ ସ୍ନାନ ଓ ପନ୍ତି ଭୋଗ ହୋଇଥାଏ । ତତ୍ପରେ କେତେକ ଗୁପ୍ତନୀତି ସଂପନ୍ନ କରାଯାଏ ଏବଂ ନୂତନ ବିଗ୍ରହରେ ବ୍ରହ୍ମକୁ ଯୁଇଫୁଲ, ଚନ୍ଦନ, କର୍ପୂର, ତୁଳସୀ ଓ ଅନ୍ୟ ପଦାର୍ଥ ଦେଇ ବ୍ରହ୍ମ କୋଠରିରେ ସ୍ଥାପନା କରାଯାଏ ।

ନବନିର୍ମିତ ବିଗ୍ରହମାନଙ୍କରେ ବ୍ରହ୍ମ ସଂସ୍ଥାପନ ପରେ ବ୍ରହ୍ମକୋଠରିକୁ ନ୍ୟାସଦାରୁରୁ ପ୍ରସ୍ତୁତ କପାଟ ଦ୍ଵାରା ଆବୃତ କରି ବଜ୍ରକାଛେଣୀ ବନ୍ଧାଯାଏ । ଶ୍ରୀବିଗ୍ରହମାନଙ୍କର ନାଭିଚକ୍ରରେ ଦ୍ଵାଦଶ ଯବ ଘନ ପରିମିତ ଗୋଟିଏ ଲେଖାଏଁ କୋଠରି ଖୋଦନ ହୋଇଥାଏ । ଏହି କୋଠରି ହିଁ ବ୍ରହ୍ମସ୍ଥଳୀ । ନ୍ୟାସଦାରୁ ଆବୃତ୍ତ ହୋଇ ବଜ୍ରକାଛେଣୀ ବନ୍ଧା ହେବା ପରେ ମଧ୍ୟ ଏହା ଉପରେ ଆବରଣ ଦିଆଯାଇଥିବାରୁ ବ୍ରହ୍ମସ୍ଥଳୀ ସଂପର୍କରେ କେହି ଜାଣିପାରନ୍ତି ନାହିଁ । ଠାକୁରମାନଙ୍କର ଶ୍ରୀଅଙ୍ଗରେ ମହାଅଣସର କାଳରେ ସପ୍ତାବରଣ ଲାଗି ହେଉଥିବାରୁ ଏହି ବ୍ରହ୍ମସ୍ଥଳୀ କେହି ଦେଖିପାରନ୍ତି ନାହିଁ । ବ୍ରହ୍ମସ୍ଥଳୀରେ ରେଶମୀ ରଙ୍ଗର ପାଟକନା ଓ ଚନ୍ଦନ ତୁଳସୀ ପ୍ରଭୃତି ଦିଆଯାଇ ତହିଁ ଉପରେ ବ୍ରହ୍ମ ସଂସ୍ଥାପନ କରାଯାଇଥାଏ । ନ୍ୟାସ ଦାରୁ ଆବରଣ ଯୋଗୁଁ ବ୍ରହ୍ମ ଶୀତତାପ ନିୟନ୍ତ୍ରିତ ସ୍ଥଳୀ ସଦୃଶ ବ୍ରହ୍ମସ୍ଥଳୀରେ ବିଜେ ହୋଇଥାନ୍ତି । ନବନିର୍ମିତ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ ପରେ ବିଗ୍ରହ ଦାରୁବ୍ରହ୍ମ ପଦବାଚ୍ୟ ହୋଇଥାନ୍ତି । ଏ ସବୁ କାର୍ଯ୍ୟ ନିର୍ବାହ କରୁଥିବା ସମୟରେ କିଛି ଭୌତିକ ଶବ୍ଦ ଶୁଣାଯାଏ । ଏହି ପୁରାତନ ବିଗ୍ରହଙ୍କ ଅନ୍ତିମ ବା ପ୍ରୟାଣ ରାତି ହେତୁ ବ୍ରହ୍ମରୂପୀ ଘଟ ବିରହିତ ହୋଇଥାନ୍ତି । ଏହା ଯୁଗପତ୍ ଆନନ୍ଦ ଓ ଶୋକର ଦିନ- ମହାପ୍ରୟାଣର କାଳରାତ୍ରି ଓ ନବଜନ୍ମ ବା ନବକଳେବର ଆନନ୍ଦ ଉତ୍ସବ । ବ୍ରହ୍ମ କାର୍ଯ୍ୟ ସମାପନ ପରେ ଦଇତାପତିମାନେ ନୂତନ ଦିଅଁଙ୍କ ପ୍ରଥମ ଦର୍ଶନରେ କିଛି ଭେଟି ଦିଅନ୍ତି ଯାହା, ‘ବ୍ରହ୍ମଭେଟି’ ନାମରେ ନାମିତ ।

ରାଜା ଇନ୍ଦ୍ରଦ୍ୟୁମ୍ଣଙ୍କ ଦ୍ବାରା ପ୍ରଥମ ଦାରୁବ୍ରହ୍ମ ନିର୍ମାଣ କାଳରୁ ଅଦ୍ୟାବଧି ଅନେକବାର ନବକଳେବର ସଂପନ୍ନ ହୋଇଥିଲେ ହେଁ କେବଳ ନବକଳେବର ହିଁ ପରିବର୍ତ୍ତନ ହୋଇଛି । ବିଶ୍ଵର ସକଳ ପଦାର୍ଥ ପରିବର୍ତ୍ତନୀୟ ହେଲେ ହେଁ ବ୍ରହ୍ମ ଅପରବର୍ତ୍ତନୀୟ । ବିଶ୍ଵର ନିର୍ଯ୍ୟାସ ହେଉଛି ବ୍ରହ୍ମ ହିଁ ଜଗତର ଏକମାତ୍ର ସତ୍ୟ ଓ ଅପରବର୍ତ୍ତନୀୟ ତତ୍ତ୍ଵ ।

ବ୍ରହ୍ମ ହେଉଛି ଅତୀନ୍ଦ୍ରିୟ ପଦାର୍ଥ- ଯାହାକୁ ଚକ୍ଷୁ ଦର୍ଶନ କରିପାରିବ ନାହିଁ , ନାସା ଆଘ୍ରାଣ କରିପାରିବ ନାହିଁ , ଚର୍ମ ସ୍ପର୍ଶ କରିପାରିବ ନାହିଁ, କର୍ଣ୍ଣ ଶ୍ରବଣ କରିପାରିବ ନାହିଁ ଏବଂ ଜିହ୍ୱା ଆସ୍ଵାଦନ କରିପାରିବ ନାହିଁ । ସେହି ବ୍ରହ୍ମ ପରିବର୍ତ୍ତନ ସମୟରେ ବ୍ରହ୍ମ ପରିବର୍ତ୍ତନକାରୀଙ୍କର ସମସ୍ତ ଇନ୍ଦ୍ରିୟ ଅଚଳ କରି ଦିଆଯାଇଥାଏ, ଅନ୍ଧପୁଟୁଳି ଦ୍ଵାରା ଆଖି, ନାକ ଓ କାନ ବନ୍ଦ କରାଯାଇଥାଏ ହସ୍ତରେ ପାଟବସ୍ତ୍ର ଗୁଡ଼ାଇବା ଦ୍ଵାରା ବ୍ରହ୍ମ ପଦାର୍ଥର ସ୍ପର୍ଶରୁ ବଞ୍ଚିତ ହୋଇଥାଏ । ତାହା ପ୍ରମାଣ କରିବାପାଇଁ ଲୀଳାମା ଏଭଳି ଲୀଳା ଭିଆଣ କରନ୍ତି ଯାହା ବ୍ରହ୍ମ ପରିବର୍ତ୍ତନ

କୋଣାର୍କ ୧୭୬କରିବା ସେବକ ଜାଣିପାରନ୍ତି ନାହିଁ । ତେଣୁ ତାହା ବିଶ୍ଵ ଦରବାରରେ ଗୋପନ ରହିଯାଏ । ସେଇଥିପାଇଁ ଶ୍ରୀଜଗନ୍ନାଥଙ୍କ ପରି ନବକଳେବରର ବ୍ରହ୍ମ ସ୍ଥାପନ ମଧ୍ୟ ବିଚିତ୍ର ବିସ୍ମୟ ଓ ଅବୋଧ୍ୟ ରହସ୍ୟ ।

ସହାୟକ ଗ୍ରନ୍ଥ :

୧.

ଦାରୁବ୍ରହ୍ମଙ୍କ ନବକଳେବର – ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

୨.

ନବକଳେବର ବହି ଓ ଅନ୍ତବନଯାଗ ବିଧି – ଡକ୍ଟର ଭାସ୍କର ମିଶ୍ର

୩.

ନବକଳେବର ବିଚାର- ସଂକଳନ – ମହୀମୋହନ ତ୍ରିପାଠୀ ଓ ଅସୀତ୍ ମହାନ୍ତି

୪.

ଶ୍ରୀପୁରୁଷୋତ୍ତ ତତ୍ତ୍ଵ ଓ ନବକଳେବର – ଶ୍ରୀ ଜଗବନ୍ଧୁ ପାଢ଼ୀ

 

ଶ୍ରୀଜଗନ୍ନାଥଙ୍କ ନବକଳେବର ଓ କୋଇଲି ବୈକୁଣ୍ଠ

ଶ୍ରୀମତୀ ଜୟନ୍ତି ମିଶ୍ର

ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟରେ କୋଇଲି ବୈକୁଣ୍ଠ ହେଉଛି ଅନ୍ୟତମ । ଏହା ଶ୍ରୀମନ୍ଦିରରବାହାର ବେଢ଼ାରେ ଉତ୍ତରପଶ୍ଚିମ କୋଣରେ ଅବସ୍ଥିତ । ଶ୍ରୀମନ୍ଦିର ସ୍ଵତାଧିକାର ଗ୍ରନ୍ଥ (Record of Rights)ରୁ ଜଣାଯାଏ କୋଇଲି ବୈକୁଣ୍ଠଟି ପ୍ଲଟ ନମ୍ବର ୨୭୨ରୁ୨୭୭ ରହିଅଛି । ଏହାର ମୋଟ କ୍ଷେତ୍ରଫଳ ହେଉଛି ୧ ଏକର ୨୯ ଡିସିମିଲ । ଏହି କୋଇଲି ବୈକୁଣ୍ଠର ପରିସର ମଧ୍ୟରେ ପ୍ଲଟ୨୭୨ ଫୁଲବଗିଚା ହେବା ବେଳେ ପ୍ଲଟ ୨୭୩ କୂପ, ପ୍ଲଟ ୨୭୪ ଫୁଲଘର, ପ୍ଲଟ ୨୭୬ କୋଇଲି ବୈକୁଣ୍ଠ ଓ ପ୍ଲଟ ୨୭୭ ଦାରୁଘର ଆଦି ରହିଛି ।

ବୈକୁଣ୍ଠ ବିଷ୍ଣୁଙ୍କର ବାସସ୍ଥାନ ରୂପେ ପରିଚିତ ଓ ଅତ୍ୟନ୍ତ ପବିତ୍ର ସ୍ଥାନ । ସ୍ଵର୍ଗ, ମର୍ତ୍ତ୍ୟ, ପାତାଳରେ ଥିବା ତିନିଗୋଟି ବୈକୁଣ୍ଠ ମଧ୍ୟରୁ ମର୍ତ୍ତ୍ୟ ବୈକୁଣ୍ଠ ହେଉଛି ପ୍ରସିଦ୍ଧ । ଏହି ମର୍ତ୍ତ୍ୟ ବୈକୁଣ୍ଠ ମଧ୍ୟରୁ ନୀଳାଦ୍ରି ବୈକୁଣ୍ଠ, ପତିତପାବନ ବୈକୁଣ୍ଠ, ଲକ୍ଷ୍ମୀ ବୈକୁଣ୍ଠ, ଅନନ୍ତ ବୈକୁଣ୍ଠ, କୋଇଲି ବୈକୁଣ୍ଠ, ଲୀଳା ବୈକୁଣ୍ଠ, ପାତାଳ ବୈକୁଣ୍ଠ, ବ୍ରହ୍ମ ବୈକୁଣ୍ଠ ଓ ସ୍ଵର୍ଗ ବୈକୁଣ୍ଠ ଆଦି ନବବୈକୁଣ୍ଠ ବିଦ୍ୟମାନ । ଏହି ନବ ବୈକୁଣ୍ଠ ମଧ୍ୟରୁ କୋଇଲି ହେଉଛି ସବୁଠାରୁ ଅଧିକ ପବିତ୍ରସ୍ଥାନ ।

ବିଭିନ୍ନ ଶରୀର ଭେଦ ଭଜନରେ ବୈକୁଣ୍ଠକୁ ଗୁପ୍ତପୀଠ ରୂପେ ବର୍ଣ୍ଣନା କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଦିଙ୍କର ନବକଳେବର ସମୟରେ ବିଗ୍ରହ ନିର୍ମାଣ, ପ୍ରତିଷ୍ଠା ବିଧାନ ଓ ଅନ୍ତିମ ବିଶ୍ରାମାଦି କାର୍ଯ୍ୟ ଏଠାରେ ଅତି ଗୋପନୀୟ ଭାବରେ କରାଯାଇଥାଏ । ତେଣୁ ଏହି ସ୍ଥାନଟି ଯେତିକି ଗୁରୁତ୍ବପୂର୍ଣ୍ଣ ତତୋଽଧିକ ପରିମାଣରେ ମଧ୍ୟ ସେତିକି ମହତ୍ତ୍ଵପୂର୍ଣ୍ଣ ।

ଏହାର ନାମ କାହିଁକି କୋଇଲି ବୈକୁଣ୍ଠ ହୋଇଛି, ସେ ସମ୍ପର୍କରେ ବିଭିନ୍ନ ଗ୍ରନ୍ଥରୁ ଓ ଲୋକମୁଖରୁ କେତେକ କଥା ଶୁଣିବାକୁ ମିଳିଥାଏ । କେହି କେହି ଏହାକୁ କୈବଲ୍ୟ ବୈକୁଣ୍ଠ ଓ ଅପୋଡ଼ା ଭୂଇଁ ଭାବରେ ବିବେଚନା କରିଥାନ୍ତି । ଏହା ହେଉଛି ଅତି ପ୍ରାଚୀନ ଓ ପ୍ରସିଦ୍ଧ ସ୍ଥାନ । କିମ୍ବଦନ୍ତୀରୁ ଜଣାଯାଏ, ଭଗବାନ ଶ୍ରୀକୃଷ୍ଣ ପ୍ରେମମୟୀ ଅଭିମାନିନୀ ଶ୍ରୀରାଧାଙ୍କୁ ଏହିଠାରେ କୋଇଲି ରୂପରେ ଦେଖାଦେଇଥିବାରୁ ଏହାର ନାମ କୋଇଲି ବୈକୁଣ୍ଠ ହୋଇଛି । ଅନ୍ୟ କେତେକଙ୍କ ମତରେ ମହାଲକ୍ଷ୍ମୀ ଏହି ସ୍ଥାନରେ କୋଇଲି ରୂପ ଧାରଣ କରିଥିବା ଶ୍ରୀଜଗନ୍ନାଥଙ୍କୁ ବରଣମାଳା ଦେଇଥିବାରୁ ଏହାର ନାମ କୋଇଲି ବୈକୁଣ୍ଠ ହୋଇଛି । ଆଉ କେହି କେହି କୁହନ୍ତି ମା’ପାର୍ବତୀ ମହର୍ଷି ନାରଦଙ୍କଠାରୁ ମହାପ୍ରଭୁଙ୍କ ପ୍ରସାଦର ମାହାତ୍ମ୍ୟ ଶୁଣି ମହାପ୍ରଭୁଙ୍କ ସେବା କରିବା ପରେ ଏଠାରେ କୈବଲ୍ୟ କଣିକା ପାଇଥିଲେ ଓ ଶ୍ରୀଜଗନ୍ନାଥଙ୍କ କରୁଣାରୁ ଶ୍ରୀମନ୍ଦିର ଭିତରେ କୈବଲ୍ୟ ଭୋଜିନୀ ମା’ବିମଳା ରୂପରେ ଅବସ୍ଥାନ କରିବାର ସୁଯୋଗ ଲାଭ କରିଥିଲେ । ତେଣୁ ଏହାର ନାମ କୈବଲ୍ୟ ବୈକୁଣ୍ଠ ହୋଇଛି । ଏହି କୈବଲ୍ୟ ବୈକୁଣ୍ଠରୁ କୋଇଲି ବୈକୁଣ୍ଠ ଶବ୍ଦଟି ଆସିଥିବାର ଯଥେଷ୍ଟ ସମ୍ଭାବନା ରହିଛି । ଭକ୍ତ ଓ ତୀର୍ଥଯାତ୍ରୀମାନେ ଏଠାରେ ‘ଆଟିକା’ ଦାନ କରିବା ନିମିତ୍ତ ବିଶେଷ ଭାବରେ ପସନ୍ଦ କରିଥଆନ୍ତି । କାରଣ ସେମାନଙ୍କର ବିଶ୍ଵାସ କୋଇଲି ବୈକୁଣ୍ଠରେ ଆଟିକା ଦାନ କଲେ କୈବଲ୍ୟ ପ୍ରାପ୍ତି ବା ମୋକ୍ଷ ପ୍ରାପ୍ତି ହୋଇଥାଏ । ଐତିହାସିକ ରାଜେନ୍ଦ୍ରଲାଲ ମିତ୍ରା ତାଙ୍କର ‘The Antiquities of Orissa(Vol.II)’ ଗ୍ରନ୍ଥରେ ଏହି କୋଇଲି ବୈକୁଣ୍ଠରେ ଥିବା ଦୁଇଟି ମହଲା ବିଶିଷ୍ଟ ବୈକୁଣ୍ଠ ସମ୍ପର୍କରେ ଯଥାର୍ଥରେ ଉଲ୍ଲେଖ କରିଛନ୍ତି, ଏଠାରେ “intended for the dwelling of some of the priests. Rich pilgrims, who propose to grant a permanent, are brought here, and made to undergo a ceremony called Aikabandhan whereby the endowment is ratified.” କୋଇଲି ବୈକୁଣ୍ଠରେ ଗୋଟିଏ ଦୁଇମହଲା କୋଠା ରହିବା ସହ ଏଠାରେ ସେବାୟତମାନଙ୍କ ଦ୍ଵାରା ଦୈନିକ ଆଟିକାବନ୍ଧନ କାର୍ଯ୍ୟ ଯଥାରୀତି ସମ୍ପାଦିତ ହୋଇଥାଏ । କୋଇଲି ବୈକୁଣ୍ଠର ଏହି ୨୭୦ ନମ୍ବର ପ୍ଲଟର ମାର୍ଫତଦାର ରୂପେ ବେଳେ ଏଠାରେ ସୁଆର ମହାସୁଆରଙ୍କ ବ୍ୟତୀତ ଅନ୍ୟ ସେବକମାନେ ଆଟିକା କଲାବେଳେ ନିଯୋଗକୁ କମିଶନି ବାବଦରେ କିଛି ଅର୍ଥ ପ୍ରଦାନ କରିବା ବିଷୟ ସ୍ଵତାଧିକାର ଗ୍ରନ୍ଥରେ ଉଲ୍ଲେଖ ଅଛି ।

ଅନ୍ୟ କେତେକଙ୍କ ମତରେ କୋଇଲି ଶବ୍ଦଟି କୋଇଲି ପକ୍ଷୀକୁ ବୁଝାଉଥିବା ବେଳେ ଅନ୍ୟ କେତେକଙ୍କ ମତରେ ଉକ୍ତ ଶବ୍ଦଟି ଦାକ୍ଷିଣଭାରତୀୟ ଭାଷାରେ ବ୍ୟବହୃତ କୋଇଲ ବା କୋବିଲ ଶବ୍ଦରୁ ଆସିଅଛି । ତେଣୁ କୋଇଲି ବୈକୁଣ୍ଠର ଅର୍ଥ ‘ମନ୍ଦିର ବୈକୁଣ୍ଠ ବା ବୈକୁଣ୍ଠ ମନ୍ଦିର’ ବୋଲି ଗ୍ରହଣ କରାଯାଏ । ତେଣୁ ଏହି କୋଇଲି ବୈକୁଣ୍ଠର ଦ୍ଵାରଦେଶରେ ଯେଉଁ ମହାଦେବ ବିରାଜମାନ କରିଛନ୍ତି ତାହାଙ୍କୁ ‘ବୈକୁଣ୍ଠଶ୍ଵର ବା ବୈକୁଣ୍ଠନାଥ ମହାଦେବ’ କୁହାଯାଏ ।

ଏହି ପବିତ୍ରସ୍ଥାନକୁ କେତେକ ବୈକୁଣ୍ଠ ବା ଶ୍ରୀକୃଷ୍ଣଙ୍କ ବାସସ୍ଥାନରୂପେ ଗ୍ରହଣ କଲାବେଳେ ଅନ୍ୟକେତେକ ଅପୋଡ଼ା ଭୂଇଁ ଭାବରେ ବିବେଚନା କରନ୍ତି । କିମ୍ବଦନ୍ତୀ ଅଛି ଦ୍ଵାପରଯୁଗରେ ଶ୍ରୀକୃଷ୍ଣ ଜାରାର ଶରାଘାତରେ ଆହତ ହୋଇ ଶରୀର ତ୍ୟାଗ କରିବାପରେ ଅର୍ଜୁନ ତାଙ୍କ ମୃତ ଦେହକୁ ଧରି ଏଠାରେ ପହଞ୍ଚି ତାଙ୍କର ଅନ୍ତିମ ସଂସ୍କାର କରିଥିବା ହେତୁ ଏହା ହେଉଛି ଶ୍ରୀକୃଷ୍ଣଙ୍କର ବାସସ୍ଥାନ । ଶ୍ରୀକୃଷ୍ଣଙ୍କ ଶରୀର ଅଗ୍ନିରେ ଦଗ୍ଧ ହୋଇ ପାରି ନ ଥିବାରୁ ଶୁନ୍ୟବାଣୀ ଅନୁସାରେ ଅର୍ଜୁନ ସେହି ଅର୍ଦ୍ଧଦଗ୍ଧ ଶରୀରକୁ ନେଇ ସମୁଦ୍ରରେ ବିସର୍ଜନ କରିଥିଲେ । ତେଣୁ ଏହାକୁ ‘ଅପୋଡ଼ା ଭୂଇଁ’ ବୋଲି କୁହାଯାଇଥାଏ । ଅନ୍ୟ କେତେକଙ୍କ ମତରେ ମହାପ୍ରଭୁଙ୍କ ନବକଳେବର ସମୟରେ ପୁରାତନ ବିଗ୍ରହଙ୍କୁ ପୋଡ଼ା ନ ଯାଇ ଏଠାରେ ସମାଧିସ୍ଥ କରାଯାଉଥିବାରୁ ଏହି ସ୍ଥାନକୁ ଅପୋଡ଼ା ଭୂଇଁ କୁହାଯିବାର ଯଥାର୍ଥତା ରହିଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବକଳେବର ଆଷାଢ଼ ମଳମାସ ବା ଯୋଡା ଆଷାଢ଼ ମାସ ପଡ଼ିଲେ ପାଳିତ ହୋଇଥାଏ । ଲୋକମୁଖରେ ଯୋଡ଼ା ଆଷାଢ଼ ପ୍ରତି ବାରବର୍ଷରେ ପଡ଼େ ବୋଲି କୁହାଗଲେ ହେଁ ବ୍ରାହସ୍ପତ୍ୟ ଗଣନାରୁ ଜଣାଯାଏ, ଏହି ଯୋଡା ଆଷାଢ଼ ପ୍ରାୟ ୮, ୧୧, ୧୯, ୨୭ ବର୍ଷ ବ୍ୟବଧାନରେ ପଡ଼ିଥାଏ । ଯେଉଁ ବର୍ଷ ଯୋଡ଼ା ଆଷାଢ଼ ମାସ ପଡ଼େ ତାର ବହୁପୂର୍ବରୁ ଅର୍ଥାତ୍ ଅନ୍ୟୁନ ବର୍ଷେ ଦୁଇବର୍ଷ ପୂର୍ବରୁ ଶ୍ରୀଜଗନ୍ନାଥଙ୍କର ନବକଳେବର ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଅର୍ଥାତ୍ ୨୦୧୫ ମସିହାରେ ମହାପ୍ରଭୁଙ୍କର ନବକଳେବର ବିଧାନ ପାଳିତ ହେଉଥିବାରୁ ଏଥିପାଇଁ ଦେବସ୍ନାନପୂର୍ଣ୍ଣିମାର ୬୫ ଦିନ ପୂର୍ବରୁ ଅର୍ଥାତ୍ ଚୈତ୍ର ଶୁକ୍ଲଦଶମୀଠାରୁ ବିଶ୍ଵାବସୁଙ୍କ ନେତୃତ୍ଵରେ ଦଇ଼ତାପତିମାନେ ନୂତନ ବିଗ୍ରହ ନିର୍ମାଣ ନିମିତ୍ତ ଦାରୁଖୋଜିବା ପାଇଁ ବିଧିପୂର୍ବକ କାକଟପୁରକୁ ଯାତ୍ରା କରିଥିଲେ । ଉକ୍ତ ଚୈତ୍ର ଶୁକ୍ଲ ଦଶମୀ ଦିନ ଶ୍ରୋତ୍ରିୟ ବ୍ରହ୍ମଣମାନେ ଦେଉଳପୁରୋହିତଙ୍କ ତତ୍ତ୍ଵାବଧାନରେ କୋଇଲି ବୈକୁଣ୍ଠରେ ଦାରୁଗୃହ, ପ୍ରତିଷ୍ଠାମଣ୍ଡପ, ଅଙ୍କୁରାରୋପଣ ମଣ୍ଡପ, କାରୁଶାଳା ବା ନିର୍ମାଣ ମଣ୍ଡପ, ନୃସିଂହ ମଣ୍ଡପ ଓ ସ୍ନାନ ଅଧିବାସ ଗୃହାଦି ନିର୍ମାଣରୁ ଅନୁକୂଳ କର୍ମ ବିଧିପୂର୍ବକ କରିଥିଲେ । ଏ ସମସ୍ତ ନିର୍ମାଣ କାର୍ଯ୍ୟ ଦାରୁ ଶଗଡ଼ିଆସିବା ପୂର୍ବରୁ ଶେଷ ହୋଇଥିଲା ।

ବିଶ୍ଵାବସୁଙ୍କ ନେତୃତ୍ଵରେ ଦଇତାମାନେ କାକଟପୁରରେ ପହଞ୍ଚିବା ପରେ ମା’ମଙ୍ଗଳାଙ୍କ ଆର୍ଶୀବାଦର ଦାରୁସ୍ଥାନର ସୂଚନା ପାଇ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ଵାରା ବିଧାନନୁସାରେ ବନଯାଗ କରାଇ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଦାରୁକୁ ବିଧିପୂର୍ବକ ସଂଗ୍ରହ କରି ନୂତନ ଶଗଡ଼ିରେ ଗୋଟିକ ପରେ ଗୋଟିଏ କରି ପୁରୀ ଅଭିମୁଖେ ଆଣି କୋଇଲି ବୈକୁଣ୍ଠସ୍ଥ ନବନିର୍ମିତ ଦାରୁଘରେ ରଖିବାର ପରମ୍ପରା ରହିଛି । ଏସମସ୍ତ ଦାରୁ ଯେ କୌଣସି ପ୍ରକାରେ ସାବିତ୍ରୀ ଅମାବାସ୍ୟା ବା ବିଶେଷ ଡେରି ହେଲେ ଦେବ ସ୍ନାନପୂର୍ଣ୍ଣିମା ପୂର୍ବରୁ ଅଣାଯାଇ କୋଇଲି ବୈକୁଣ୍ଠସ୍ଥ ନବ ନିର୍ମିତ ଦାରୁଘରେ ରଖାଯାଇଥାଏ । ଏପରିକି ପ୍ରତିଷ୍ଠା କର୍ମ ଆରମ୍ଭ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପତିମହାପାତ୍ର ଦାରୁମାନଙ୍କ ଉପରେ ଜଳ ସିଞ୍ଚନ କରି ସ୍ନାନ କରାଇବା ସହିତ ଭୋଗ ମଧ୍ୟ କରିଥାଆନ୍ତି ।

ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀରେ ପୁରାତନ ବିଗ୍ରହଙ୍କର ସ୍ନାନ କରାଯାଇଥାଏ । ଏଥିପାଇଁ ସ୍ନାନପୂର୍ଣ୍ଣିମା ପୂର୍ବଦିନ ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମିତ୍ତ ଉତ୍ତରଦ୍ଵାର ନିକଟରେ ଥିବା ଶୀତଳା ଠାକୁରାଣୀଙ୍କ ମନ୍ଦିରସାମ୍ନା ସୁନାକୂଅରୁ ପୁରାତନ ବିଗ୍ରହଙ୍କ ନିମନ୍ତେ ୧୦୮ ଗରା ଓ ଦାରୁଙ୍କ ପାଇଁ ଅଧିକ ଚାରିଗରା ଜଳ ଆଣି ଅଧିବାସ ଗୃହରେ ଅଧିବାସ କରାଯାଇଥାଏ । ଏହାପରେ ବାଡ଼ଗ୍ରାହୀ ଦଇତାମାନଙ୍କ ତତ୍ତ୍ଵାବଧାନରେ ବିଶ୍ଵକର୍ମାମାନେ ନୂତନ ବିଗ୍ରହ ନିର୍ମାଣ କାର୍ଯ୍ୟ କରିବା ବେଳେ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ଵାରା ବିଗ୍ରହଙ୍କର ପ୍ରତିଷ୍ଠାକର୍ମ ହୋଇଥାଏ । ଅନ୍ୟାନ୍ୟ ସ୍ଥାନରେ ବିଗ୍ରହ ନିର୍ମାଣ ସମ୍ପନ୍ନ ହେବା ପରେ ପ୍ରତିଷ୍ଠା କାର୍ଯ୍ୟ କରାଯିବା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ଅର୍ଥାତ୍ ବିଗ୍ରହଙ୍କ ନିର୍ମାଣ ସହ ସମାନ୍ତରାଳ ଭାବରେ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ନିର୍ମାଣମଣ୍ଡପରେ ବିଗ୍ରହ ନିର୍ମାଣ ସରିବା ପରେ ଆଷାଢ଼ମାସ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଆଚାର୍ଯ୍ୟ ‘ପ୍ରାଣସୂକ୍ତ’ ପାଠ ପୂର୍ବକ ବସ୍ତ୍ରାବୃତ ବିଗ୍ରହଙ୍କୁ କୁଶଦ୍ଵାରା ସ୍ପର୍ଶ କରି ପ୍ରାଣପ୍ରତିଷ୍ଠା କରିଥାଆନ୍ତି । ଏହାପରେ ପ୍ରତିଷ୍ଠା ଯଜ୍ଞର ପୂର୍ଣ୍ଣାହୁତି, ଦାନ ତଥା ଦକ୍ଷିଣାଦି ପ୍ରଦାନ ପରେ ପ୍ରତିଷ୍ଠାକର୍ମ ସମାପିତ ହୋଇଥାଏ । ପତିମହାପାତ୍ର ନବ ନିର୍ମିତ ଦାରୁବିଗ୍ରହଙ୍କର ଦାୟିତ୍ଵ ନେଇଥାନ୍ତି । ଏହି ଚତୁର୍ଦ୍ଦଶୀ ଦିନ ନିଶାର୍ଦ୍ଧରେ ଅଣସରପିଣ୍ଡିକୁ ନୂତନ ବିଗ୍ରହମାନଙ୍କୁ ପହଣ୍ଡି ବିଜେ କରି ନିଆଯିବା ପରେ ନିଷ୍ଠାର ସହିତ ଗୋପନରେ ବ୍ରହ୍ମପଦାର୍ଥକୁ ପୁରାତନ ବିଗ୍ରହଙ୍କ ମଧ୍ୟରୁ ବାହାର କରାଯାଇ ନୂତନ ବିଗ୍ରହମାନଙ୍କ ଭିତରେ ସ୍ଥାପନ କରାଯାଏ । ଏହାପରେ ପୁରାତନ ବିଗ୍ରହଙ୍କୁ ନେଇ କୋଇଲି ବୈକୁଣ୍ଠ ମଧ୍ୟସ୍ଥ ଦେବଶ୍ମଶାନରେ ସମାଧି ଦିଆଯାଇଥାଏ ।

କୋଇଲି ବୈକୁଣ୍ଠସ୍ଥ ଦେବ ଶ୍ମଶାନ ନାମରେ ନାମିତ । ଏହି ମହାଶ୍ମଶାନ ନିକଟରେ ଶିଆଳି ଲତା, ସାହାଡ଼ା ଗଛ, ଶ୍ମଶାନ ଚଣ୍ଡୀ ପ୍ରଭୃତି ରହିଥାନ୍ତି । ମହାପ୍ରଭୁଙ୍କ ସମାଧି ନିମନ୍ତେ ପୂର୍ବରୁ କୋଠାସୁଆଁସିଆ ଏଠାରେ ଗୋଟିଏ ବିରାଟ ଗାତ ଖୋଳି ଥଆନ୍ତି । ଏହି ଗାତଟିର ଦୈର୍ଘ୍ୟ, ପ୍ରସ୍ଥ ଓ ଗଭୀରତା ଯଥାକ୍ରମେ ୨୫, ୨୦ ଓ ୧୫ ଫୁଟ ହୋଇଥାଏ । ଦଇତାମାନେ ଏହି ଗାତଟିରେ ନାଲିପାଟ ଲୁଗା ବିଛାଇ ତାହା ଉପରେ ପୁରାତନ ବିଗ୍ରହଙ୍କୁ ଶୁଆଇ ଅନ୍ତିମ ବିଶ୍ରାମ ପ୍ରଦାନ କରିଥଆନ୍ତି । ଏହାଙ୍କ ସହିତ ରଥଯାତ୍ରା ସମୟରେ ରଥରେ ବ୍ୟବହୃତ ହେଉଥିବା ସାରଥି, ଘୋଡ଼ା ଓ ପାର୍ଶ୍ଵ ଦେବତାଦିଙ୍କୁ ମଧ୍ୟ ଏଠାରେ ସମାଧି ଦିଆଯାଇଥାଏ । ଏହାକୁ ମହାପ୍ରଭୁଙ୍କର ‘ଗୋଲକ ବିଶ୍ରାମ’ କୁହାଯାଏ ।

କୋଇଲି ବୈକୁଣ୍ଠ ଶ୍ରୀମନ୍ଦିରସ୍ଥ ଏକ ପ୍ରଶସ୍ତ ସ୍ଥାନ ହେବାହିତ ଅତି ପବିତ୍ରଭୂମି ଭାବରେ ପରିଚିତ । ଧର୍ମଶାସ୍ତ୍ରାନୁସାରେ ଉତ୍ତରେ ସର୍ବ ଦେବତା ଓ ସର୍ବତୀର୍ଥସ୍ଥାନ ଥିବାରୁ ନବକଳେବର ସମୟରେ ମନ୍ଦିର ମଧ୍ୟସ୍ଥ ଏହି ସ୍ଥାନଟିକୁ ବିଗ୍ରହ ନିର୍ମାଣ ତଥା ପ୍ରତିଷ୍ଠା କର୍ମ ନିମିତ୍ତ ବଛାଯାଇଥାଏ । କେବଳ ସେତିକି ନୁହେଁ ଏହି କୋଇଲି ବୈକୁଣ୍ଠର ପଶ୍ଚିମ ଦିଗରେ ଥିବା ଜନ୍ମକୁଞ୍ଜକୁଚକେତେକ ମହାପ୍ରଭୁଙ୍କର ପ୍ରଥମ ଆବିର୍ଭାବ ସ୍ଥାନ ରୂପେ ବିବେଚନା କରିଥାନ୍ତି । ତେଣୁ ଉପଡସଂହାରରେ ଏତିକି କୁହାଯାଇପାରେ ଯେ ଜନ୍ମକୁଞ୍ଜ ଓ ଶ୍ମଶାନ ଭୂମି ଥିବାରୁ ଏହା ଏକ ପବିତ୍ର ଭୂମି ସହିତ ନବକଳେବର ସମୟରେ ଏଠାରେ ନୂତନ ବିଗ୍ରହଙ୍କର ନିର୍ମାଣ ଓ ପୁୟରତନ ବିଗ୍ରହଙ୍କର ଗୋଲୋକ ବିଶ୍ରାମ ନିମିତ୍ତ ବଛାଯାଇଥାଏ ।

 

ନବକଳେବର ପରମ୍ପରାରେ ଗଜପତି ମହାରାଜା ଓ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଭୂମିକା

ପ୍ରଫେସର ଜୟକୃଷ୍ଣ ଦାସ

କୋଣାର୍କର ଚକ ଗଡ଼ିବା ପରି ସମୟର ଚକ୍ରରେ ଯୁଗ ପରେ ଯୁଗ ଗଡ଼ିଚାଲିଛି କାହିଁ କେଉଁ ଅନନ୍ତ କାଳରୁ । ସତ୍ୟପରେ ତ୍ରେତା, ତ୍ରେତାପରେ ଦ୍ବାପର, ଆଉ ଦ୍ଵାପର ପରେ କଳି । ଏହି କଳିଯୁଗରେ ସତ୍ୟଯୁଗ ପରି ମାନବ ବ୍ରହ୍ମ ବା ପରମାତ୍ମାଙ୍କ ସହ ସିଧା ସଳଖ ସମ୍ପର୍କ ସୃଷ୍ଟି କରିବାରେ ବିଫଳ ହେବାରୁ ବିଭିନ୍ନ ପ୍ରକାର ରୂପର ପରିକଳ୍ପନା କଥା ତାର ମାନସିକ ଚିନ୍ତାଧାରାକୁ ଆସିଲା । ରାମ ପୂର୍ବତାପଣ୍ୟ ଉପନିଷଦ ବର୍ଣ୍ଣନା ଅନୁସାରେ,

ଚିନ୍ମୟସ୍ୟ ଅଦ୍ଵିତୀୟସ୍ୟ ନିଷ୍କଲସ୍ୟ ଅଶରୀରିଣଃ

ଉପାସାକାନାମ୍ ହିତାର୍ଥାୟ ବ୍ରହ୍ମଣୋ ରୂପକଳ୍ପନା

।।

ଅର୍ଥାତ୍, ସେହି ବ୍ରହ୍ମ ସର୍ବଦା ଚିଦମୟ, ଚିଦାନନ୍ଦ, ତାହା ଅଦ୍ଵିତୀୟ; ଯାହାର କୌଣସି ଦ୍ଵିତୀୟ ନାହିଁ, ପୁଣି ତାହା ସର୍ବଦା ସମ୍ପୁର୍ଣ୍ଣ;ଯାହାର କୌଣସି କ୍ଷୟ ନାହିଁ । ସେ ନିରାକାର; ଯାହାର କୌଣସି ନିର୍ଦ୍ଦିଷ୍ଟ ଶରୀର ନାହିଁ, ତେଣୁ ସେହି ନିରାକାର ଉପାସନା ପାଇଁ ବ୍ରହ୍ମର ବିଭିନ୍ନ ଭାବରେ ରୂପର ପରିକଳ୍ପନା କରାଯାଇଛି । ‘ଭୁବନପ୍ରକାଶଃ’ ଗ୍ରନ୍ଥରେ ପରମାତ୍ମାଙ୍କ ସ୍ଵରୂପ ନିର୍ମାଣ ବିଷୟରେ ରେଖା, ଦାରୁ, ଧାତୁ ଓ ମଣିଶୈଳ ଏପରି ଚାରି ପ୍ରକାର ଉପାଦାନରେ ମୂର୍ତ୍ତି ନିର୍ମାଣ କରାଯାଇପାରେ ବୋଲି ଉଲ୍ଲେଖ ରହିଛି । ଈଶ୍ଵରଙ୍କ ସ୍ଵରୂପକୁ ପ୍ରତିମା ରଚନାରେ ସ୍ପର୍ଶ ଦେବା ବିଷୟରେ ବିଷ୍ଣୁଧର୍ମୋତ୍ତର ପୁରାଣ ‘ମଦନରତ୍ନ’ରେ, ସ୍ଵର୍ଣ୍ଣ, ରୌପ୍ୟ, ତ୍ରାମ୍ୟ, ବୃକ୍ଷ, ମୂର୍ତ୍ତିକା, ଚିତ୍ର ଓ ଚୂନ ଏହିପରି ୭ ପ୍ରକାର ବସ୍ତୁର ଅବତାରଣା କରାଯାଇଛି । ଶ୍ରୀମଦଭାଗବତ ଗ୍ରନ୍ଥନୁସାରେ ଦୈବୀ ବିଗ୍ରହ ନିର୍ମାଣ ପ୍ରସଙ୍ଗରେ ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ୮ ପ୍ରକାର ବସ୍ତୁର ଅବତାରଣା ବିଷୟ କହିଛନ୍ତି – ପ୍ରସ୍ତର ବା ଶିଳା, ଦାରୁ ଧାତୁ, ମୃଣ୍ଣୟୀ, ଲେଖ୍ୟା, ବାଲୁକା, ମଣି ଓ ମନୋମୟୀ ଏପରି ଆଠ ପ୍ରକାର ପଦାର୍ଥରୁ ପ୍ରତିମା ଗଠନ କରାଯାଇପାରିବ ବୋଲି ଉଲ୍ଲେଖ ରହିଛି । କିନ୍ତୁ ‘ନିର୍ଣ୍ଣୟ ସିନ୍ଧୁ’ ଗ୍ରନ୍ଥ ଅନୁସାରେ “ନ” ପ୍ରକାର ବିଗ୍ରହ ପୂଜାର ବିଧି ବ୍ୟବସ୍ଥା ରହିଛି, ତାହାହେଲା,

ରତ୍ନଜା, ହେମଜା, ଚୈବ ରାଜତୀ ତ୍ରାମଜା ତଥା

ରୈତିକ୍ୟର୍ଚ ତଥା ଲୌହୀ, ଶୈଳଜା ଦୃମଜା ତଥା

ଅଧମାଧବ ଚ ବିଜ୍ଞେୟା ମୃର୍ଣ୍ଣୟୀ ପ୍ରତିମା ଚ ଯା

ଅର୍ଥାତ୍ ଏହି ବୈଷ୍ଣବ ଶାସ୍ତ୍ରରେ ନଅ ପ୍ରକାର ବସ୍ତୁରେ ପ୍ରସ୍ତୁତ ପ୍ରତିମା ବିଷୟରେ ବର୍ଣ୍ଣନା ରହିଛି ଯଥା ରତ୍ନ, ସୁବର୍ଣ୍ଣ, ରୌପ୍ୟ, ତ୍ରାମ, ପିତ୍ତଳ, ଲୌହ, ପାଷାଣ କାଷ୍ଠ ଓ ମୃଣ୍ଣୟୀ । ଏଥିରୁ ଯେ କୌଣସିଟି ଦେବୀ ପ୍ରତିମା ନିର୍ମାଣ ଯୋଗ୍ୟ ଅଟେ । ପୁଣି ଏହି ସବୁ ବସ୍ତୁ ବା ଉପାଦାନରେ ନିର୍ମିତ ପ୍ରତିମା ମାନଙ୍କ ସ୍ଥାୟିତ୍ଵ ବିଷୟରେ ଶାସ୍ତ୍ର ଉଲ୍ଲେଖ କରେ ଯେ, ରେଖା ଚିତ୍ର ଓ ରଙ୍ଗ ଚିତ୍ର ପ୍ରତିମା ମାନ ପ୍ରତିବର୍ଷ ବଦଳାଯାଇ ପାରେ । ସେହିପରି ଦାରୁମୂର୍ତ୍ତି ବାରବର୍ଷପରେ ବଦଳା ଯିବାର ଉଲ୍ଲେଖ ଥିବାବେଳେ, ଧାତୁ ନିର୍ମିତ ମୂର୍ତ୍ତୀ ଏକ ହଜାର ବର୍ଷ ଓ ମଣିମୟ ମୂର୍ତ୍ତୀ ଦଶ ହଜାର ବର୍ଷରେ ଥରେ ବଦଳାଯିବାର ଶାସ୍ତ୍ରୀୟ ପରମ୍ପରା ଅନୁସୃତ ହୋଇଥାଏ । ଏହି ଉକ୍ତିକୁ ଆଧାର କରି ଜଗତରେ ବିଭିନ୍ନ ଦେବାଦେବୀଙ୍କର ରୂପର ପରିକଳ୍ପନା କରାଯାଇ ପୂଜାବିଧି ଚାଲୁଅଛି । ସ୍କନ୍ଦ ପୁରାଣ ଅନ୍ତର୍ଗତ ‘ପୁରୁଷୋତ୍ତମ ମାହତ୍ମ୍ୟ’ ବର୍ଣ୍ଣନାନୁସାରେ ମାଳବ ବା ଅବନ୍ତୀର ରାଜା ମହାନ ବିଷ୍ଣୁଭକ୍ତ ଇନ୍ଦ୍ରଦ୍ୟୁମ୍ଣ ବିଷ୍ଣୁଙ୍କର ସ୍ଵରୂପକୁ ପାଇବା ପାଇଁ ତାଙ୍କର କୁଳଗୁରୁ ବିଦ୍ୟାପତିଙ୍କୁ ପଠାଇଥିଲେ । ବିଦ୍ୟାପତି ଖୋଜି ଖୋଜି ଉତ୍କଳ ଦେଶରେ ନୀଳମାଧବଙ୍କୁ ସନ୍ଧାନ କରିଥିଲେ ଓ ସେ ଫେରିଆସିବାପରେ ରାଜା ଇନ୍ଦ୍ରଦ୍ୟୁମ୍ଣ ତାଙ୍କ ସହ ପାରିଷଦ ବର୍ଗଙ୍କୁ ନେଇ ଦର୍ଶନ କରିବାକୁ ଯାଆନ୍ତେ ନୀଳମାଧବ ଅନ୍ତାର୍ଦ୍ଧନ ହୋଇଯାଇଥିଲେ । ମହାରାଜାଙ୍କ ଆକୁଳ ନିବେଦନରେ ମହାପ୍ରଭୁ ସନ୍ତୁଷ୍ଟ ହୋଇ ମହୋଦଧି କୁଳରେ ଦାରୁ ରୂପରେ ଭାସି ଆସିବେ ବୋଲି ସ୍ଵପ୍ନାଦେଶ ଦେବାରୁ ପାତ୍ରମନ୍ତ୍ରୀଙ୍କ ସହ ଯାଇ ଦେଖନ୍ତି ତ ଏକ ‘ମହାଦାରୁ’ ସମୁଦ୍ର ଗର୍ଭରୁ ଭାସି ଆସି ବାଙ୍କି ମୁହାଣରେ ଲାଗିଛି । ବିଶ୍ଵନିୟନ୍ତାଙ୍କ ଅପ୍ରମେୟ ରଚନାରେ ‘ବିଶ୍ଵକର୍ମା’ ରୂପ ଧାରଣ କରି ସେହି ମହାଦାରୁଙ୍କ ଠାରୁ ନିବୁଜ ମନ୍ଦିର କୋଠରୀରେ ଅଧାଗଢ଼ା ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଗଠନର ସ୍ଵରୂପ ପ୍ରଥମେ ସେ ହିଁ ପ୍ରଦାନ କରିଥିଲେ । ସେହିଦିନ ଠାରୁ ଶ୍ରୀଜଗନ୍ନାଥଙ୍କ ସେବାପୂଜା ଶାସ୍ତ୍ରୀୟ- ବୈଦିକ ଓ ଶାବରୀୟ ପରମ୍ପରାରେ ଅଦ୍ୟାବଧି ଚଳିଆସୁଛି । ମର୍ତ୍ତ୍ୟଭୂଇଁରେ ପ୍ରତି ଆଠ ବର୍ଷ, ବାରବର୍ଷ ବା ଉଣେଇଶି ବର୍ଷ ବ୍ୟବଧାନରେ ହିଁ ଯୋଡ଼ା ଆଷାଢ଼ ବା ମଳମାସ ପଡିଥାଏ; ଯାହାକୁ କି ପୁରୁଷୋତ୍ତମ ମାସ କହନ୍ତି । ଏହି ପୁରୁଷୋତ୍ତମ ମାସ ପଡୁଥିବା ସମୟରେ ହିଁ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରର ନାଥ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ପରମ୍ପରା କାହିଁ କେଉଁ ଯୁଗରୁ ରହି ଆସିଛି, ଯାହାକୁ ସଠିକ ଅବତାରଣା କରିବା ସମ୍ପୂର୍ଣ୍ଣଭାବେ ଦୂରୁହ ବ୍ୟାପାର ବା ଅସମ୍ଭବ । ନବକଳେବର ବିଧି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଏକ ବିଶେଷ ତଥା ମହତ୍ଵପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏଥିରେ ହିନ୍ଦୁ ଧର୍ମର ରକ୍ଷକ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଉତ୍କଳର ସୋମବଂଶୀ ମହାରାଜା ଯଯାତିକେଶରୀଙ୍କ ରାଜତ୍ଵ ସମୟରେ ଯେଉଁ ନବକଳେବର ହୋଇଥିଲା ସେହି ସମୟରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିରରେ କେତେକ ବିଶେଷ ଅଧିକାରର ଘୋଷଣାପତ୍ର ତଥା ସମ୍ମତି ପ୍ରଦାନ କରାଯାଇଥିଲା । ସେହିଦିନଠାରୁ ହିନ୍ଦୁଧର୍ମର ସର୍ବପ୍ରଧାନ ଧର୍ମଗୁରୁ; ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ଶ୍ରୀମନ୍ଦିରର ରୀତି, ନୀତି ତଥା ସମୟ ଓ କାଳ ନିର୍ଦ୍ଧାରଣରେ ବିଶେଷ ଅଧିକାର ଚଳିଆସୁଛି । ଯୋଡ଼ା ଆଷାଢ଼ କେବେ ପଡ଼ିବ ବା ପଡ଼ୁଛି କି ନାହିଁ, ପୁଣି ସେହି ବର୍ଷରେ କେବେ, ନବକଳେବର ପ୍ରକ୍ରିୟା ଆରମ୍ଭ ହେବ ଏହାର ସଠିକ୍ କାଳ ନିର୍ଣ୍ଣୟ ଶଙ୍କରାଚାର୍ଯ୍ୟ ହିଁ କରିଥାନ୍ତି । ‘ମୁକ୍ତି ମଣ୍ଡପ’ ପଣ୍ଡିତ ସଭାର ସ୍ଥାୟୀ ସଭାପତି ଭାବରେ ବିଭିନ୍ନ ବ୍ରାହ୍ମଣ ଶାସକମାନଙ୍କରୁ ଆସିଥିବା ପଣ୍ଡିତ ବର୍ଗଙ୍କ ସହ ପରାମର୍ଶ କରି ନବକଳେବର ନିମନ୍ତେ କାଳ ନିର୍ଦ୍ଧାରଣ କରିଥାନ୍ତି । ଶ୍ରୀମନ୍ଦିର ସେବାର ମହାଧିନାୟକ ଭାବରେ ନବକଳେବର ନିମନ୍ତେ କାଳ ନିର୍ଦ୍ଧାରଣ କରିଥାନ୍ତି । ଶ୍ରୀମନ୍ଦିର ସେବାର ମହାଧିନାୟକ ଭାବରେ ନବକଳେବର ସମୟରେ ଅଧିକାଂଶ ବିଧିବିଧାନର ପର୍ଯ୍ୟାୟ ଗୁଡ଼ିକୁ ନିରୀକ୍ଷଣ କରିବା ଓ ଆବଶ୍ୟକ ସ୍ଥଳେ ପରାମର୍ଶ ଦେବାର ଅଧିକାର ତାଙ୍କର ହିଁ ରହିଛି । ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମଝି ଗୁରୁପୀଠରେ ବସିବାର କେବଳ ତାଙ୍କର ହିଁ ଅଧିକାର ରହିଛି ଏବଂ ସିଦ୍ଧାନ୍ତନେବାର କ୍ଷମତା ଓ ଅଧିକାର ତାଙ୍କର ରହିଛି, ଯାହା ସର୍ବ ସମ୍ମତି କ୍ରମେ ମାନିନିଆଯାଇଥାଏ ।

ନବକଳେବର ବିଧିବିଧାନରେ ବାରଗୋଟି ସୋପାନ ରହିଛି ତାହା ହେଲା ୧) ବନଯାଗ ଯାତ୍ରା, ୨) ମହାଦାରୁ ଚୟନା ନିର୍ଣ୍ଣୟ, ୩) ଶବର ପଲ୍ଲୀ ନିର୍ମାଣ, ୪) ବୈଦିକ ଯଜ୍ଞ କର୍ମକାଣ୍ଡ, ୫) ଦାରୁଛେଦନ ପ୍ରକ୍ରିୟା ୬) ଶଗଡ଼ିରେ ଦାରୁଙ୍କର ଶ୍ରୀକ୍ଷେତ୍ର ଆଗମନ, ୭) କୋଇଲି ବୈକୁଣ୍ଠରେ କାରୁଶାଳା ନିର୍ମାଣ, ୮) ନୂତନ ବିଗ୍ରହ ନିର୍ମାଣ, ୯) ଘଟ/ବ୍ରହ୍ମ ପରିବର୍ତ୍ତନ, ୧୦) ପାତାଳୀ/ ଗୋଲୋକଲୀଳା, ୧୧) ଦଇତାପତିଙ୍କ ଶୁଦ୍ଧି କ୍ରିୟାକର୍ମ, ୧୨) ନୂତନ ବିଗ୍ରହଙ୍କ ପୂର୍ଣ୍ଣରୂପାୟନ ଓ ନବଯୌବନ ଦର୍ଶନ । ନବକଳେବରର ପ୍ରଥମ ପର୍ବ ହେଉଛି “ବନଯାଗ ବିଧି” ଯାହାକି ଖୁବ୍ ଗୁରୁତ୍ଵପୂର୍ଣ୍ଣ ଅଥଚ କଷ୍ଟଦାୟକ, ଏଥିରେ ଦାରୁ ଅନ୍ଵେଷଣଠାରୁ ଆରମ୍ଭ କରି ଦାରୁ ସହ ଶ୍ରୀମନ୍ଦିରକୁ ଲେଉଟିବା ପର୍ଯ୍ୟନ୍ତ ଏ ସବୁ ଗୋଟିଏ ଗୋଟିଏ କଷ୍ଟକର ସୋପାନ । ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁସାରେ ମଳମାସ ପଡୁଥିବା ବର୍ଷରେ ବାସନ୍ତିକ ଦୂର୍ଗୋତ୍ସବର ଦଶହରା ଦିବସରେ ଶ୍ରୀଜୀୟୁଙ୍କ ମଧ୍ୟାନ୍ନ ଧୂପ ଶେଷ ହେବା ପରେ ବିଦ୍ୟାପତି ବଂଶଜ ପତିମହାପାତ୍ର ରତ୍ନସିଂହାସନ ଉପରକୁ ଉଠି ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳ ଆଣି ତିନି ବାଡ଼ଗ୍ରାହୀଙ୍କୁ ଦେବାପରେ ସୁଦର୍ଶନଙ୍କ ଆଜ୍ଞାମାଳ ଧାରଣ କରି ଅନବସର ପିଣ୍ଡିକୁ ଆସିଥାନ୍ତି । ସେଠାରେ ପାରମ୍ପରିକ ଶାଢ଼ୀ ବନ୍ଧାପରେ ସିଂହଦ୍ବାର ଦେଇ ଶ୍ରୀନଅରକୁ ଆସନ୍ତି । ସେମାନଙ୍କ ମଧ୍ୟରେ ଚାରିବାଡ଼ରବାଡ଼ଗ୍ରାହୀ, ପତିମହାପାତ୍ର, ଦେଉଳକରଣ, ତଢ଼ାଉକାରଣ, ବେହେରା, ଖୁଣ୍ଟିଆ, ଆଚାର୍ଯ୍ୟ ବ୍ରାହ୍ମଣ, ବିଶ୍ଵକର୍ମା ମହାରଣା ଓ ଲେଙ୍କା ସେବକ ଆଦି ଥାଆନ୍ତି । ଏହି ଯାତ୍ରାରେ ଦଳପତି ଭାବରେ ଜଣେ ଅଭିଜ୍ଞ ଦଇତାସେବକ ବିଶ୍ଵାବସୁ ନାମରେ ଯାଇଥାନ୍ତି । ଶ୍ରୀନଅରରେ ଉତ୍କଳର ଗଜପତି ମହାରାଜାଙ୍କ ଶ୍ରୀହସ୍ତ ସ୍ପର୍ଶହୋଇଥିବା ‘ଦୁର୍ବାକ୍ଷତ ଗୁଆକୁ’ ରାଜଗୁରୁ ବିଶ୍ଵାବସୁଙ୍କ ହସ୍ତରେ ଟେକିଦିଅନ୍ତି ଏବଂ ଏହି ପ୍ରକ୍ରିୟାରେ ସର୍ବଶେଷରେ କୋଇଲିବୈକୁଣ୍ଠରେ ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥାନ୍ତି । ଏହାର ଅନ୍ତନିର୍ହିତ ତଥ୍ୟ ହେଉଛି ଗଜପତିଙ୍କ ତରଫରୁ ବନଯାଗରେ ଯାଇ ମହାପ୍ରଭୁଙ୍କ ଦାରବଲୀଳା ନିମନ୍ତେ ମହାଦାରୁ ସଂଗ୍ରହ ଉଦ୍ଦେଶ୍ୟରେ ରାଜାଜ୍ଞ ଓ ଅନୁରୋଧ ତଥା ତାଙ୍କରି ଦ୍ଵାରା ସବୁ କର୍ମର ଶେଷ ନୀତି । ଏହି ପ୍ରଥା ପାରମ୍ପରିକ ରୀତିନୀତିରେ ଶହ ଶହ ବର୍ଷ ଧରି ଚଳି ଆସୁଛି ।

ମହାବାହୁଙ୍କ ପ୍ରଥମ ନବକଳେବରର ସୂତପାତ ହୋଇଥିଲା ଅନନ୍ତକାଳ ପୂର୍ବେ ସେହି ପୁରାଣ ବର୍ଣ୍ଣିତ ମାଳବାର ମହାମହିମ ପରମ ବିଷ୍ଣୁଭକ୍ତ ମହାରାଜା ଇନ୍ଦ୍ରଦ୍ୟୁମ୍ଣଙ୍କ ଦ୍ଵାରା । ପରବର୍ତ୍ତୀ ସମୟରେ ବିଭିନ୍ନ ନବକଳେବର ବନଯାଗ ଯାତ୍ରା ସମୟରେ ଦଇତାସେବକଙ୍କ ଦ୍ଵାରା ଯେଉଁ ସ୍ଵପ୍ନାବତୀ ମନ୍ତ୍ର ଉଚ୍ଚାରଣ ହୋଇଥାଏ । ଯାହାକି ସ୍ଵୟଂ ମହାରାଜାଙ୍କ ଦ୍ଵାରା ପ୍ରଥମେ ହୋଇଥିଲା ଯେତେବେଳେ ସେ ନୀଳମାଧବଙ୍କୁ ଦେଖିବା ପାଇଁ ବିଷ୍ଣୁ ପ୍ରେମରେ ପାଗଳ ହୋଇ ଦିବାରାତ୍ର ସ୍ଵପ୍ନ ଦେଖୁଥିଲେ, ଏବଂ ସେହି ସ୍ଵପ୍ନରେ ଚଳିତ ପଦ୍ଧତିରେ ମଙ୍ଗଳାଙ୍କ ପରିବର୍ତ୍ତେ ସେତେବେଳେ ତାଙ୍କୁ ସ୍ଵୟଂ ନାରାୟଣ ସ୍ଵପ୍ଣାଦେଶ ଦେଇଥିଲେ, ମହାସମୁଦ୍ରରେ ଭାସିଆସିଥବା ମହାଦାରୁଙ୍କ ବିଷୟରେ-

ତା’ର ଅର୍ଥ ହେଉଛି- ଏହି ସମୟରେ ମହାସମୁଦ୍ରରେ ଯେଉଁ ‘କ୍ଷର ପୁରୁଷ’ ବା ଅପୌରୁଷେୟ ମହାଦାରୁ ଭାସମାନ ଅବସ୍ଥାରେ ଅଛନ୍ତି ତାହାର ଉପାସନା କରିବା ଦ୍ବାରା ନିତ୍ୟବୈକୁଣ୍ଠ ବା ପରମଲୋକ ପ୍ରାପ୍ତି ହୋଇଥାଏ । ଚଳିତ ପଦ୍ଧତିରେ କୋଇଲିବୈକୁଣ୍ଠରେ କାରୁଶାଳା ନିର୍ମାଣ ଏବଂ ସେଠାରେ ‘ନୂତନ ବିଗ୍ରହ’ ନିର୍ମାଣ କାର୍ଯ୍ୟ ଚାଲେ ଯାହାକୁ କି କେହି ଦେଖିପାରିବେ ନାହିଁ ବା ଶବ୍ଦ ଶୁଣିପାରିବେ ନାହିଁ, ସେହିପରି ଭାବରେ ସହସ୍ର ବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ର ମଧ୍ୟସ୍ଥ ଏବର ଶ୍ରୀଗୁଣ୍ଡିଚା ମନ୍ଦିରରେ ସେହି କାରୁଶାଳା ହୋଇଥିଲା ଓ ସମୁଦ୍ରରେ ଭାସି ଆସିଥିବା ମହାଦାରୁଙ୍କୁ ସେଠାରେ ରଖାଯାଇ ମନ୍ଦିର ପ୍ରକୋଷ୍ଠ ବନ୍ଦ କରାଯାଇଥିଲା ୨୧ ଦିନ ପର୍ଯ୍ୟନ୍ତ । ନବକଳେବର ବିଧିବିଧାନ ବିଷୟରେ ମାଦଳାପାଞ୍ଜି, ଚକଡା ପୋଥି, ଚୟନୀଚକଡା ଓ ରୋଜନାମଚା ଲେଖାନୁସାରେ ଏହା ସମ୍ପୁର୍ଣ୍ଣ ଭାବେ ‘ଗୁପ୍ତ ସେବା ନୀତି’ ଭାବରେ ଉଲ୍ଲେଖ ରହିଛି । ସେଥିପାଇଁ ବୋଧହୁଏ ଏହି ଗୁପ୍ତ ନୀତିକୁ ସମ୍ପୂର୍ଣ୍ଣଗୁପ୍ତ ଏବଂ ଲୋକ ଜ୍ଞାତବ୍ୟରୁ ଦୂରେଇ ରଖିବା ପାଇଁ ପ୍ରାୟତଃ ପ୍ରଥମ ଦାରୁବ୍ରହ୍ମଙ୍କ ନିର୍ମାଣ ବେଳେ ମନ୍ଦିର ପ୍ରକୋଷ୍ଠ ବନ୍ଦ ରଖିବା ଉପରେ ବିଶ୍ଵକର୍ମା ଗୁରୁତ୍ଵ ଦେଇଥିଲେ । କିନ୍ତୁ ବିଧିର ବିଧାନ ଅନ୍ୟପ୍ରକାର ଥିଲା । ମହାରାଣୀ ଗୁଣ୍ଡିଚାଙ୍କ ବାରମ୍ବାର ଅନୁରୋଧ ଯୋଗୁ ୧୫ ଦିନରେ ମନ୍ଦିର ଖୋଲାଯାଇଥିଲା ଏବଂ ବେଦବ୍ୟାସଙ୍କା ସୃଷ୍ଟ ସ୍କନ୍ଦପୁରାଣ ଅନ୍ତର୍ଗତ ‘ପୁରୁଷୋତ୍ତମ ମାହତ୍ମ୍ୟ’ ବର୍ଣ୍ଣନାନୁସାରେ, ବ୍ରହ୍ମରୂପୀ ଦେବ ଦାରୁମୟରୂପ ଧାରଣ କରିଛନ୍ତି ଯିଏ କି ଅନନ୍ତ ଜଗତର ରଚୟିତା । ତେଣୁ ତାଙ୍କୁ କିଏ କେଉଁ ରୂପରେ ବିଗ୍ରହ ଭାବରେ ନିର୍ମାଣ କରିପାରିବ ? ଅତଏବ ସେ ଯେମିତିଭାବେ ନିଜକୁ ବିଶ୍ଵକର୍ମା ଭାବେ ନିର୍ମାଣ କରିଛନ୍ତି ତାହା ହିଁ ତାଙ୍କର ଏହି କଳି ଯୁଗରେ ସ୍ଵରୂପ ।

ଇତଥଂ ଦାରୁମୟୋ ଦେବଶ୍ଚତୁର୍ବେଦାନୁସାରତଃ

ସ୍ରଷ୍ଟା ସ ଜଗତାଂ ତସ୍ମାଦାତ୍ମାନଞ୍ଚାପି ସୃଷ୍ଟବାନ

।।

(୨୮/୪୧)

 

ସେହି ଦାରୁରୂପୀ ପରଂବ୍ରହ୍ମଙ୍କର ସାକାର ରୂପ ହିଁ ଯାହା ଶ୍ରୀବତ୍ସଖଣ୍ଡଶାଳ ଅନ୍ତର୍ଗତ ରତ୍ନବେଦୀରେ ଶୋଭା ପାଉଛି ଏବଂ ଯାହାଙ୍କୁ ସେ ନିଜେ ହିଁ ସୃଷ୍ଟି କରିଅଛନ୍ତି । ଏହା ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ କଥୋପକଥନରେ ସ୍ଵୟଂ ବ୍ରହ୍ମା ଏହା କହିଅଛନ୍ତି ।

ଦାରବୀ ମୂର୍ତ୍ତିରେଷେତି ପ୍ରତିମାବୁଦ୍ଧିରତ୍ର ବୈ

(୨୮/୩୯)

 

ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ନିର୍ମାଣ ଓ ପ୍ରତିଷ୍ଠା ହୋଇଥିବା ଚତୁର୍ଦ୍ଧାମୂର୍ତ୍ତୀଙ୍କର ନିର୍ମାଣ କାଳ ଯେପରି ଏ ଯାବତ୍ ସଠିକ୍ ଭାବେ ସ୍ଥିରୀକୃତ ହୋଇପାରିନାହିଁ, ସେହିପରି ଭାବରେ ଏହାର ପରବର୍ତ୍ତୀ ସମୟରେ ମଧ୍ୟ କେବେ ନବକଳେବର ହୋଇଛି,ତାହାର ମଧ୍ୟ ଐତିହାସିକ ସତ୍ୟତା ନାହିଁ । ଇନ୍ଦ୍ରଦ୍ୟୁମ୍ନଙ୍କ ସମୟ ଯେପରି ଅନାଲୋଚିତ, ମହର୍ଷି କୃଷ୍ଣ ଦ୍ଵପାୟନ ବେଦବ୍ୟାସଙ୍କ ପ୍ରଶିଷ୍ୟ ଆଦିଶଙ୍କରାଚାର୍ଯ୍ୟଙ୍କ ସମୟ ମଧ୍ୟ ସେହିପରି ଏ ଯାବତ୍ ନିର୍ଦ୍ଦିଷ୍ଟଭାବେ ସ୍ଥିରୀକୃତ ହୋଇପାରିନାହିଁ । କେହି କେହି ଐତିହାସିକ ତାଙ୍କୁ ସପ୍ତମ-ଅଷ୍ଟମ / ଅଷ୍ଟମ-ନବମ ଶତାଦ୍ଦୀର ବୋଲି ଅଭିହିତ କରନ୍ତି-। ସେ ଯାହା ହେଉ, ପରବର୍ତ୍ତୀ ସମୟରେ ଓଡିଶାରେ ଭୌମକର ଶାସନବେଳେ ଶୁଭାକର ଦେବଙ୍କ ଶାସନ ସମୟରେ ଯବନ ସେନାପତି ‘ରକ୍ତବାହୁ’ର ଆକ୍ରମଣ ଯୋଗୁଁ କେତେକ ସେବକଙ୍କ ସହାୟତାରେ ଲୁକ୍କାୟିତ ଭାବେ ବଲାଙ୍ଗୀର ସୁବର୍ଣ୍ଣପୁରକୁ ନେଇ ରଖାଇଥିଲେ । (ଇତିହାସକାରଙ୍କ ଅନୁସାରେ ଓଡିଶାର ଭୌମ ବଂଶରେ ପାଞ୍ଚଜଣ ଶୁଭାକର ଦେବ ରାଜତ୍ଵ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶୁଭାକର ଦେବ ୭୮୦-୮୦୦ ଖ୍ରୀ., ଦ୍ଵିତୀୟ ଶୁଭାକର ଦେବ ୮୩୫-୮୩୬ ଖ୍ରୀ., ତୃତୀୟ ଶୁଭାକର ଦେବ ୮୩୦-୮୪୫ ଖ୍ରୀ., ଚତୁର୍ଥ ଶୁଭାକର ଦେବ ୮୬୫-୮୮୫ ଖ୍ରୀ., ପର୍ଯ୍ୟନ୍ତ ଓଡିଶାରେ ରାଜତ୍ଵ କରିଥିଲେ । ଏ ଖବର ଜଣାପଡିବାରୁ ଚତୁର୍ଦ୍ଧାବିଗ୍ରହଙ୍କୁ ଏକ ନିଘଞ୍ଚ ଜଙ୍ଗଲ ମଧ୍ୟରେ ପାତାଳି କରି ନିର୍ଣ୍ଣୟ ସ୍ଵରୂପ ତା’ ଉପରେ ଏକ ବରଗଛ ଲଗାଇଦେଇଥିଲା । ଏହି ଘଟଣାର ବହୁତ ବର୍ଷ ପର୍ଯ୍ୟନ୍ତ ଭୌମବଂଶୀମାନେ ଯବନମାନଙ୍କ ଘନ ଘନ ଅକ୍ରମଣ ଯୋଗୁଁ ପାତାଳି ଦିଅଁଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରି ନଥିଲେ । ଏହା ମଧ୍ୟରେ ପାତାଳି ହେବାର ୧୪୪ ବର୍ଷ ବିତିଯାଇଥିଲା । ରାଜା ମହାଶିବଗୁପ୍ତ ଯଯାତି କେଶରୀ ୧ମ (୮୮୫-୯୨୫ ଖ୍ରୀ.) ଯେ କି କୋଶଳର ମହାରାଜା ଓ ତୋଷାଳୀ ଶାସନର ନେପଥ୍ୟ ନାୟକ ଥିଲେ ମହାରାଣୀ ପାଟମହାଦେଇଙ୍କ ସମୟରେ ବା ଦ୍ଵିତୀୟ ଯଯାତି / ମହାଶିବଗୁପ୍ତ ଚଣ୍ଡୀହର ଯଯାତି (୧୦୨୪-୧୦୪୦ / ୧୦୨୫-୧୦୫୦ ଖ୍ରୀ.)ଙ୍କ ସମୟରେ ହିନ୍ଦୁଧର୍ମର ସର୍ବୋଚ୍ଚଗୁରୁ ତଥା ଧର୍ମରକ୍ଷକ ଓ ବିଶିଷ୍ଟ ଅଦୈତବାଦର ପ୍ରବକ୍ତା ଆଦି ଶଙ୍କରାଚାର୍ଯ୍ୟଙ୍କ (୭୮୮-୮୨୦ ଖ୍ରୀ., ୭୮୮-୮୪୪ ଖ୍ରୀ.) ଦ୍ଵାରା ପାତାଳିଦିଅଁଙ୍କୁ ଉଦ୍ଧାର କରାଯାଇଥିଲା । ଇତିହାସର ସମୟ କ୍ରମ ଠିକ୍ ଭାବରେ ନ ମିଶୁଥିବାରୁ ପ୍ରକୃତିରେ କେଉଁ ଯଯାତିଙ୍କ ସମୟରେ ଏବଂ ଆଦି ଶଙ୍କରାଚାର୍ଯ୍ୟ ନ ପରବର୍ତ୍ତୀ ଶଙ୍କରାଚାର୍ଯ୍ୟ କାହାଦ୍ଵାରା ଏହି ଉଦ୍ଧାରକାର୍ଯ୍ୟ ଓ ନବକଳେବର ହୋଇଥିଲା ତାହା ଏବେ ବି ସୁସ୍ପଷ୍ଟ ନୁହେଁ, ତେଣୁ ଗବେଷଣା ସାପେକ୍ଷ । ସେ ଯାହାହେଉ ସେହି ମାଟିଖାଇଯାଇଥିବା ଦିଅଁମାନଙ୍କୁ ଲୁଗାଗୁଡ଼ାଇ ଶ୍ରୀକ୍ଷେତ୍ରକୁ ଆଣି ବନଯାଗ ଭିତ୍ତିରେ ଦାରୁ ନିର୍ଣ୍ଣୟ ଓ ପ୍ରତିଷ୍ଠା କର୍ମ କରିବାପାଇଁ ସ୍ଥିର ହୋଇଥିଲା । ଏହି ନବକଳେବର ନିମନ୍ତେ ସମସ୍ତ ଶ୍ରୋତ୍ରୀୟ ବ୍ରାହ୍ମଣ, ଆଚାର୍ଯ୍ୟ ପଣ୍ଡିତ, ଦଇତା ସେବାୟତ, ସୁଆର, ଖୁଣ୍ଟିଆ, ସିଂହାରୀ, ଭଟ୍ଟମିଶ୍ର ଓ ପୂଜାପଣ୍ଡା ଆଦିଙ୍କୁ ନିମନ୍ତ୍ରଣ କରି ମହାରାଜା ଯଯାତି କେଶରୀ ଏକ ‘ମହାସଭାର’ ଆୟୋଜନ କରିଥିଲେ, ଯେଉଁଥିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ-। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା କରାଯାଇଥିବା ଦାରୁବିଗ୍ରହର ପ୍ରତିଷ୍ଠାକର୍ମ ପରମ୍ପରା ଅନୁସାରେ ନିର୍ଣ୍ଣିତ ହୋଇ ଜଗଦଗୁରୁଙ୍କ ପରାମର୍ଶ କ୍ରମେ ମହାରାଜା ଯଯାତିଙ୍କ ଦ୍ଵାରା ‘ଦୁର୍ବାକ୍ଷତ’ ଗୁଆ ଦିଆଯାଇ ଆଚାର୍ଯ୍ୟଙ୍କୁ ବନଯାଗ ବିଧି ନିମନ୍ତେ ବରଣ କରାଯାଇଥିଲା । ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶମତେ ସମୂର୍ଣ୍ଣ ନବକଳେବରର ଶାସ୍ତ୍ରୀୟ ଓ ବୈଦିକ ପରମ୍ପରାନୁଗତେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଗ୍ରହ ନିର୍ମାଣ କରାଯାଇଥିଲା । ନବ ନିର୍ମିତ ଦିଅଁଙ୍କ ନାଭିକମଳରେ ବ୍ରହ୍ମ ସ୍ଥାପନା ପାଇଁ ‘ଜୀବନ୍ତ ଶାଳଗ୍ରାମ’ ଆଣିବାକୁ ତାଙ୍କ ଶିଷ୍ୟ ଭାରତୀ ତୀର୍ଥ ନେପାଳ ଯାଇଥିଲେ । ନେପାଳର ମହାରାଜା ଶଙ୍କର ଦେବ ଗଣ୍ଡକୀ ନଦୀଗର୍ଭରୁ ଜୀବନ୍ତ ଶାଳଗ୍ରାମ ସଂଗ୍ରହ କରି ଭାରତୀ ତୀର୍ଥଙ୍କୁ ଅର୍ପଣ କରିଥିଲେ ଏବଂ ତାହା ବିଗ୍ରହମାନଙ୍କ

ନାଭି ଦେଶରେ ସ୍ଥାପନ କରାଯାଇ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା । ବହୁବର୍ଷର ବ୍ୟବଧାନ ପରେ ଶ୍ରୀମନ୍ଦିର ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ରତ୍ନସିଂହାସନରେ ପାଇ ଧନ୍ୟ ହୋଇଥିଲା, ସେଥିପାଇଁ ଯଯାତି କେଶରୀଙ୍କୁ “ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ” କୁହାଗଲା । ନେପାଳର ରାଜା ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଥିବାରୁ ତାଙ୍କୁ ‘ମହାନାୟକ’ ଉପାଧିରେ ଭୂଷିତ କରାଇ ସ୍ଵହସ୍ତରେ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅଧିକାର ଦିଆଗଲା । ଏହିସବୁ କାର୍ଯ୍ୟ ସର୍ବୋପରି ହିନ୍ଦୁଧର୍ମର ରକ୍ଷକ ତଥା ସନାତନ ଧର୍ମର ସର୍ବୋଚ୍ଚଗୁରୁ ଶ୍ରୀମଦ୍ ଶଙ୍କରାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ନିର୍ଦ୍ଦେଶମତେ ସମ୍ପୂର୍ଣ୍ଣ କାର୍ଯ୍ୟ ସଫଳ ହୋଇପାରିଥିବାରୁ ଉତ୍କଳର ମହାରାଜା ଯଯାତି କେଶରୀ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିରରେ ‘ଧର୍ମଧ୍ୟକ’ ଓ ସମସ୍ତ ପଣ୍ଡିତ ବର୍ଗଙ୍କୁ ନେଇ ମୁକ୍ତି ମଣ୍ଡପ ଗଠନ କରିଥିଲେ । ଏହା ସହିତ ଏକ ଆଜ୍ଞାପତ୍ର ମଧ୍ୟ ଘୋଷଣା କରିଥିଲେ ଯେ, ଶଙ୍କରାଚାର୍ଯ୍ୟହିନ୍ଦୁଧର୍ମର ‘ସର୍ବୋଚ୍ଚଗୁରୁ’ ତଥା ଶ୍ରୀମନ୍ଦିରର ସମସ୍ତ ପ୍ରକାର ଧର୍ମୀୟ ମୀମାଂଶାର ସିଦ୍ଧାନ୍ତ ଗ୍ରହଣ ସେ ହିଁ କରିବେ । ସମସ୍ତେ ତାଙ୍କୁ ଧର୍ମଗୁରୁଭାବେ ମାନିବେ ଏବଂ ତତ୍ ସହିତ ଶ୍ରୀମନ୍ଦିରରେ ଆସନ ପାତି ବସିବାର ଅଧିକାର କେବଳ ଜଗଦଗୁରୁଙ୍କର ରହିବ । ମୁକ୍ତି ମଣ୍ଡପରେ ସ୍ଥାୟୀ ସଭାପତି ଭାବରେ ନବକଳେବରର କାଳ ନିର୍ଣ୍ଣୟ କରିବା ସହ ସକଳ କାର୍ଯ୍ୟ ତାଙ୍କ ନିର୍ଦ୍ଦେଶରେ ହେବ ଏବଂ ରଥଯାତ୍ରା ସମୟରେ ଶ୍ରୀ ବିଗ୍ରହମନେ ରଥୋପରେ ଆସୀନ ହେବ ପରେ ସାଧୂସନ୍ଥ ଓ ଶିଷ୍ୟଗଣଙ୍କ ସହ ସେ ହିଁ ପ୍ରଥମେ ଦର୍ଶନ କରିବେ । ନବକଳେବର ବିଧି ସର୍ବୋପରି ଏକ ସତ୍ଵିକ ତଥା ମହତ୍ଵପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏ ସଂକ୍ରାନ୍ତରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ସର୍ବଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଆସିଛି । ଯାହାକୁ କି ଆମ ସମସ୍ତଙ୍କୁ ମାନିବାକୁ ହୋଇଥାଏ । ମହାମହୋପାଧ୍ୟାୟ ଜଗନ୍ନାଥ ମିଶ୍ରଙ୍କ ରଚିତ ‘ନବକଳେବର ଷଢଶୀତି’ ବର୍ଣ୍ଣନାରୁ ତାଙ୍କର ଶ୍ରେଷ୍ଠତା ବିଷୟରେ ଗୋଟିଏ ଉଦାହରଣ ଦିଆଯାଇପାରେ ଯେ, ବିଂଶ ସତାବ୍ଦୀର ପ୍ରଥମ ନବକଳେବର ୧୯୧୨ ମସିହାରେ ହୋଇଥିବାବେଳେ ସେତେବେଳେ ଜଗତଗୁରୁ ଶ୍ରୀ ମଧୁସୂଦନ ତୀର୍ଥସ୍ଵାମୀ ଓଡିଶା ବାହାରେ ଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଅପେକ୍ଷା କରାଯାଇଥିବା ଏବଂ ସେ ଆସି ଦର୍ଶନ କରିବା ପରେ ହିଁ ରଥଯାତ୍ରା ହୋଇଥିବା କଥା ଏପରି ଉଲ୍ଲେଖ ରହିଛି ।

ଜଗତଗୁରୁ ଶ୍ରୀପରମହଂସ ପୀଠାଧିଷ୍ଠସ୍ତଦା ଶ୍ରୀ ମଧୁସୂଦନାଖ୍ୟଃ

ଦୂରାତ୍ ସମାଗତ୍ୟ ନନାମ ତେଭ୍ୟ ପୁରୀ ପ୍ରମୋଦୈଃ କଳି ଘୋଷଣାତ୍ରା

ଶ୍ରୀମନ୍ଦିର ନବକଳେବର ବିଧି ଏକ ସମ୍ପୂର୍ଣ୍ଣ ଗୁପ୍ତନୀତି ହୋଇଥିବାରୁ ବୋଧହୁଏ ଓଡିଶାର ଶେଷ ସ୍ଵାଧିନ ଗଜପତି ମୁକୁନ୍ଦଦେବଙ୍କ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ଶାସ୍ତ୍ରପୁରାଣରେ ବିଶେଷ ଉଲ୍ଲେଖ ବା ପ୍ରମାଣ ନାହିଁ । ସୁର୍ଯ୍ୟବଂଶର ଅନ୍ୟତମ ଗଜପତି ପ୍ରତାପରୁଦ୍ରଙ୍କ ମୃତ୍ୟୁପରେ ତାଙ୍କର ପୁତ୍ରମାନଙ୍କୁ ବଦ୍ଧକରି ମନ୍ତ୍ରୀ ଓ ସେନାପତି ଗୋବିନ୍ଦ ବିଦ୍ୟାଧର ଭୋଇ ବଂଶ ପ୍ରତିଷ୍ଠା କରିଥିଲେ ହେଁ କାଳତଃ ଓଡିଶାର ଭାଗ୍ୟରବି ଅସ୍ତମିତ ହେବା ପରେ; ଶେଷ ସ୍ଵାଧିନ ହିନ୍ଦୁ ଗଜପତି ମୁକୁନ୍ଦ ଦେବଙ୍କ ୧୫୬୮ ଖ୍ରୀଷ୍ଟାବ୍ଦ ଗୋହିରାଟିକିରି ଯୁଦ୍ଧରେ ନିଧନ ପରେ ରାମଚନ୍ଦ୍ର ଦେବ ପ୍ରଥମ (୧୫୬୮-୧୬୦୦ ଖ୍ରୀ.) ଭୋଇବଂଶର ପ୍ରତିଷ୍ଠାତା ବୋଲି ଅଧିକାଂଶ ଇତିହାସକାର ସମ୍ମତ ହୁଅନ୍ତି । ନବଳକେବର ପଦ୍ଧତିରେ ନିର୍ମାଣ ଓ ପ୍ରତିଷ୍ଠା କରିବାପାଇଁ ସକ୍ଷମ ହୋଇଥିବାରୁ ଓଡିଆ ଜାତିର ମୁଖ୍ୟ ବ୍ୟକ୍ତି ଓ ପ୍ରବକ୍ତାମାନେ ରାମଚନ୍ଦ୍ରଦେବଙ୍କୁ ‘ଅଭିନବ ଇନ୍ଦ୍ରଦ୍ୟୁମ୍ନ’ ବା ‘ଦୁତୀ ଇନ୍ଦ୍ରଦ୍ୟୁମ୍ଣ’ ପଦବୀ ପ୍ରଦାନ ଦ୍ବାରା ସମ୍ମାନ୍ଖଚ୍ଛ କରିଥିଲେ ।

ଏହି ନବକଳେବରରେ ଗଜପତି ରାମଚନ୍ଦ୍ରଦେବ ତଦାନୀନ୍ତନ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଓ ନିର୍ଦ୍ଦେଶ କ୍ରମେ ବିଦ୍ରହମାନଙ୍କ ନିର୍ମାଣ ଓ ରତ୍ନସିଂହାସନରେ ପ୍ରତିଷ୍ଠା କରିବା ପାଇଁ ସକ୍ଷମ ହୋଇଥିଲା । ଗଜପତି ମୁକୁନ୍ଦଦେବ (୧୫୫୯-୧୫୬୮ ଖ୍ରୀ.)ଙ୍କ ନିଧନ ପରଠାରୁ ଓଡ଼ିଶାରେ ମରହଟ୍ଟା ଶାସନ (୧୭୫୧ ଖ୍ରୀ.) ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ଓ ଶ୍ରୀ ବିଗ୍ରହମାନେ ସୁରକ୍ଷିତ ଣ ଥିଲେ ଏବଂ ସଠିକ୍ ସମୟର ଯୋଡ଼ା ଅଶାଢ଼ ବେଳେ ସର୍ବଦା ନବକଳେବର କରିବା ସମ୍ଭବ ହୋଇପାରୁ ନ ଥିଲା । ମରାହଟ୍ଟା ଶାସନ (୧୭୫୧-୧୮୦୨ ଖ୍ରୀ.) ଏବଂ ତତ୍ପରେ ଇଂରେଜମାନଙ୍କ ଓଡ଼ିଶା ଅଧିକାର ଓ ଶାସନ (୧୮୦୩-୧୯୪୭) ଭିତରେ ଶ୍ରୀମନ୍ଦିର ବା ଶ୍ରୀଜଗନ୍ନାଥଙ୍କ ପ୍ରତି କେବେ ବି ବିପଦର ଆଶଙ୍କା ନ ଥିଲା ଓ ନବକଳେବର ଗୁଡିକ ସଠିକ୍ ଭାବେ ହୋଇପାରୁ ନ ଥିଲା । ଆଗଙ୍ଗା ଗୋଦାବରୀ ତଥା କାବେରୀ ସାମ୍ରାଜ୍ୟରୁ ଓଡିଶା ସଙ୍କୁଚିତ ହୋଇ ରାମଚନ୍ଦ୍ର ଦେବଙ୍କ ସମୟରେ ନୂତନ ଭାବେ ଗଢ଼ିଉଠିଥିବା ଖୋର୍ଦ୍ଧାରାଜ୍ୟ ପୁଣି ଖୋର୍ଦ୍ଧାରାଜ୍ୟରୁ ଖୋର୍ଦ୍ଧାଗଡ଼ ଏବଂ ପରେ ପୁରୀ ଭିତରେ ସୀମବଦ୍ଧ ହୋଇଥିବାରୁ ବହୁ ସମୟ ଆର୍ଥିକ ଅନାଟନ ଭିତରେ ଶ୍ରୀଜୀୟୁଙ୍କ ସେବା କାର୍ଯ୍ୟ ତଥା ନବକଳେବର ସମ୍ପନ୍ନ ହୋଇଥିଲେ ବି ସଦାସର୍ବଦା ନବକଳେବର ବିଧି ଜଗଦଗୁରୁ ଶ୍ରୀମଦ୍ ଶଙ୍କରାଚାର୍ଯ୍ୟ ଓ ୧୫୬୮ ଖ୍ରୀଷ୍ଟାବ୍ଦରେ ଦକ୍ଷିଣର ଚାଲୁକ୍ୟବଂଶୀୟ ଉତ୍କଳଗଜପତି ମୁକୁନ୍ଦ ହରିଚନ୍ଦନ ଦେବଙ୍କ ନିଧନ ପରେ କଳାପାହାଡ଼ ଦ୍ଵାରା ଓଡିଶାର ବହୁଦେବା ଦେବୀ ମନ୍ଦିର ଭଙ୍ଗାସହ ଶ୍ରୀମନ୍ଦିର ରତ୍ନସିଂହାସନରୁ ଚତୁର୍ଦ୍ଧୀ ମୂର୍ତ୍ତୀଙ୍କୁ ଚର୍ମଦଉଡ଼ିଦ୍ଵାରା ହାତୀପିଠିରେ ବାନ୍ଧି ବଙ୍ଗଦେଶର ହୁଗୁଳି ଗଙ୍ଗାନଦୀ କୂଳକୁ ନେଇଯାଇ ସେଠାରେ ନିଆଁ ଲଗାଇ ପୋଡ଼ିଦେଇଥିଲେ । ମାୟାଧରଙ୍କ ମାୟାକୁ କିଏ ବା ଟାଳିପାରେ । ବିଗ୍ରହ ମାନେ ସମ୍ପୂର୍ଣ ପୋଡ଼ିନ ହେବାରୁ ବିରକ୍ତ ହୋଇ ଗଙ୍ଗାନଦୀରେ ବିସର୍ଜନ କରି ସମସ୍ତେ ଚାଲିଯାଇଥିଲେ । କୌଶଳକ୍ରମେ କୁଜଙ୍ଗଗଡ଼ର ବିଶର ମହାନ୍ତି ବହୁ କଷ୍ଟ ସ୍ଵୀକାର କରି ବିଗ୍ରହଙ୍କ ଦେହରୁ ବ୍ରହ୍ମ ଉଦ୍ଧାର କରିବା ସହ ମୃଦଙ୍ଗ ଭିତରେ ପୁରାଇ ଓଡ଼ିଶା ଫେରିଆସିଥିଲେ । ଭୋଇ ବଂଶର ପ୍ରତିଷ୍ଠାତା ଗଜପତି ଦେବ ରାମଚନ୍ଦ୍ର ଦେବ (୧୫୬୮- ୧୬୦୦ଖ୍ରୀ.) ଖୋର୍ଦ୍ଧା ସିଂହାସନରେ ଅଭିଷିକ୍ତ ହେବା ପରେ କୁଜଙ୍ଗ ରାଜାଙ୍କଠାରୁ ବ୍ରହ୍ମ ଆଣି ୧୫୭୪ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ-୧୫୭୦) ମହାପ୍ରଭୁଙ୍କ ନବକଳେବର କରିଥିଲେ । ଜ୍ୟୋତିଷ ଗଣନାନୁସାରେ ୧୫୭୩ରେ ଯୋଡ଼ାଆଷାଢ଼ ପଡ଼ିଥିଲେ ବି ପରିସ୍ଥିତିର ଅନୁକୂଳ ନ ଥିବାରୁ ତା ପରବର୍ଷ ଅର୍ଥାତ୍ ୧୫୯୩ ଖ୍ରୀ. ରେ ନବକଳେବର କରାଯାଇଥିଲା । ଯଯାତି କେଶରୀଙ୍କ ସମୟ ଭଳି ଗଜପତି ରାମଚନ୍ଦ୍ର ଦେବ ପ୍ରଥମଙ୍କ ସମୟରେ ସମ୍ପୂର୍ଣ୍ଣ ଅନିଶ୍ଚିତତା ମଧ୍ୟରୁ ଶ୍ରୀଜଗନ୍ନାଥଙ୍କୁ ଉଦ୍ଧାର ପୂର୍ବକ ଗଜପତି ମହାରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସହଯୋଗରେ ହୋଇଅସୁଥିଲା । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ (୧୯୩୬) ଏବଂ ଓଡିଶାରେ ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ପରେ ସ୍ଵାଧିନତା ପରବର୍ତ୍ତୀ (୧୯୪୭) ଓଡିଶାର ଶ୍ରୀମନ୍ଦିର ନୀତିକାନ୍ତ ଓ ନବକଳେବର, ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ ଅନୁଦାନ ଓ ସହଯୋଗରେ ଏ ଯାବତ୍ ସୁରୁଖୁରୁରେ ହୋଇ ଆସୁଥିଲେ ବି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ଭୂମିକା ସଦାସର୍ବଦା ଗୁରୁତ୍ଵ ବହନ କରିଚାଲିଥିବ ।

ସହାୟକ ପୁସ୍ତକ :

୧.

ଖୁରୁଧା ଇତିହାସ – କେଦାରନାଥ ମହାପାତ୍ର

୨.

ପ୍ରାଚୀନ ଉତ୍କଳ – ଜଗବନ୍ଧୁ ସିଂ

୩.

ମହାଦେବତା – ଆଷୁତୋଷ ପ୍ରସାଦ ପଟ୍ଟନାୟକ

୪.

History of Orissa – Dr Harekrishna Mahatab

୫.

ଯାଜପୁର ମାଟିର ଅମର ସନ୍ତାନ – ପ୍ରଫୁଲ୍ଲ ଚନ୍ଦ୍ର ରାୟ

୬.

TheCultural Heritage of Jaipur – Dr Ekadasi Padhi

୭.

Cultural Heritage of Odisha Vol- XII, Sri Jagannath – Vyasakabi Fakir Mohan, Smruti Sansad, Bhubaneswar

୮.

ବ୍ରହ୍ମର ପୁଣି ନବକଳେବର – ପ. ସଦାଶିବ ରଥଶର୍ମା

୯.

ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ଵ– ପ. ସୁର୍ଯ୍ୟନାରାୟଣ ଦାଶ

୧୦.

Sankara Digvijaya – Madhara – Vidyaranya

୧୧.

ଦାରୁବ୍ରହ୍ମଙ୍କ ନବକଳେବର – ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

୧୨.

ଶ୍ରୀମନ୍ଦିର ନବକଳେବର ପରମ୍ପରା – ଡକ୍ଟର ଭାସ୍କର ମିଶ୍ର

୧୩.

ଶ୍ରୀକ୍ଷେତ୍ର ଜିଜ୍ଞାସା – ଦୁଃଖୀଶ୍ୟାମ ବେହେରା

୧୪.

ନୀଳଶୈଳ – ସୁରେନ୍ଦ୍ର ମହାନ୍ତି ।

 

Unknown

ନବକଳେବର ଓ ସଂକୀର୍ତ୍ତନ

ଡକ୍ଟର ଦୀପ୍ତି ରାୟ

ଶ୍ରୀଜଗନ୍ନାଥଙ୍କ ଯାନୀଯାତ୍ରା ନୀତି ନିୟମ ଅନୁଷ୍ଠିତ ହେଉଥିଲେ ମଧ୍ୟ ନବକଳେବର ନୀତିର ବୈଶିଷ୍ଟ୍ୟ ଅନନ୍ୟ । ଭାରତବର୍ଷରେ କୌଣସି ବିଷ୍ଣୁ ମନ୍ଦିରରେ ଏହା ବିରଳ ଅଟେ । ଶାସ୍ତ୍ରୀୟ ମତରେ ୧୨ ବର୍ଷରେ ବା ୧୯ ବର୍ଷରେ ଦୁଇଟି ଆଷାଢ଼ରେ ଦୁଇଟି ସଂକ୍ରାନ୍ତି ମଧ୍ୟରେ ଦୁଇଟି ଅମାବାସ୍ୟା ପଡ଼ିଲେ ମଳମାସ ହୁଏ, ଯାହାକି ଶ୍ରୀପୁରୁଷୋତ୍ତମ ମାସ ବୋଲି କୁହାଯାଏ । ଏହି ସମୟରେ ନବକଳେବର ମାଧ୍ୟମରେ ଚତୁର୍ଦ୍ଧା ବିଗ୍ରହଙ୍କର ନୂତନ ବିଗ୍ରହରେ ପୁରୁଣା ବିଗ୍ରହର ବ୍ରହ୍ମ ସ୍ଥାନିତ କରାଯାଇଥାଏ । ଏହି କଳେବର ସମୟରେ କେତେକ ମଠମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥାଏ । ଏଥିନିମନ୍ତେ ଗଜପତିମାନେ ମଠମାନଙ୍କୁ ସ୍ଥାବାର ଭୂମୀ ସନନ୍ଦ ମାଧ୍ୟମରେ ଖଞ୍ଜା ଦେଇଥିଲେ । ମୁଖ୍ୟତଃ ମଠଗୁଡିକ ଯଥା- ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ରାଘବଦାସମଠ, ରାଧାକାନ୍ତ ମଠ, ଦେଉଳିମଠ ଓ ବଡ଼ଓଡ଼ିଆମଠ ।

ଶ୍ରୀଜଗନ୍ନାଥ ବଲ୍ଲଭ ମଠ :

ପୁରୀର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପ୍ରାଚୀନ ଶ୍ରୀକ୍ଷେତ୍ରର ବଡ଼ଦ୍ଵାର (ବର୍ତ୍ତମାନର ବଡ଼ଦାଣ୍ଡର ମାର୍କେଟ ଛକ) ନିକଟରେ ଅବସ୍ଥିତ । ଏହି ମଠ ମହାପ୍ରଭୁଙ୍କର ପ୍ରିୟପ୍ରମୋଦ ଉଦ୍ୟାନ ଭାବେ ପରିଚିତ। ଏଠାରେ ମହାପ୍ରଭୁଙ୍କ ଅଧିକାଂଶ ବାହାର ଯାନିଯାତ୍ରା ପାଳିତ ହୋଇଥାଏ । ନବକଳେବର ସମୟର ପରମ୍ପରା ଅନୁୟାୟୀ ଆଜ୍ଞାମାଳ, ଶାଢ଼ୀବନ୍ଧା ନୀତି ଗ୍ରହଣ କରାଯାଇ ଶ୍ରୀନଅରରୁ ଗୁଆ ନଡ଼ିଆ ଗ୍ରହଣ କରିଥାନ୍ତି । ମହାପ୍ରସାଦ ସେବନ ରହଣିର ସମସ୍ତ ଖର୍ଚ୍ଚ ମଠ ବହନ କରେ । ରାତ୍ରର ଶେଷ ପ୍ରହରରେ ବନଯାଗିମାନେ କାକଟପୁର ଅଭିମୁଖେ ଯାତ୍ରା କରିଥାନ୍ତି।

ରାଘବଦାସ ମଠ :

ଶ୍ରୀକ୍ଷେତ୍ରର ଏହି ମଠଟି ଶ୍ରୀମନ୍ଦିର ସହିତ ଜଡିତ ରହିଥିଲେ ମଧ୍ୟ ନବକଳେବର ସମୟରେ ସର୍ବାଙ୍ଗ ପନ୍ତିଭୋଗ କରାଯାଇ ପୁରାତନ ବିଗ୍ରହମାନଙ୍କର ଘଟ ପରିବର୍ତ୍ତନ କରାଯାଇଥାଏ ।

ଦେଉଳିମଠ :

ନବକଳେବର ସମାୟରେ ଏହି ମଠର ବିଶେଷ ଭୂମିକା ରହିଛି । କାକଟପୁରସ୍ଥିତ ପ୍ରାଚୀନଦୀ କୂଳରେ ଦେଉଳି ମଠଟି ଅବସ୍ଥିତ । ବନଯୋଗ ଯାତ୍ରୀମାନେ ଦାରୁ ଅନ୍ଵେଷଣରେ ଶ୍ରୀକ୍ଷେତ୍ରରୁ ଯାଇଏହି ମଠଠାରେ ଅବସ୍ଥାନ କରିଥାନ୍ତି । ସେଠାରେ ମା’ ମଙ୍ଗଳା ମନ୍ଦିରକୁ ଚିଟାଉ ପ୍ରଦାନ ପରେ ବର୍ଣ୍ଣାଢ଼୍ୟ ପଟୁଆର ସହିତ ବନଯୋଗ ଯାତ୍ରୀମାନଙ୍କୁ ମା’ଙ୍କ ସେବକଙ୍କ ଦ୍ଵାରା ଆମନ୍ତ୍ରଣ କରାଯାଇଥାଏ । ବନଯୋଗ ଯାତ୍ରୀମାନେ ମା’ ଙ୍କ ମାଜଣା ସମ୍ପର୍ଣ୍ଣ କରାଯାଇଥାଏ । ପରେ ବନଯାଗ ଯାତ୍ରୀମାନେ ଦେଉଳିମଠରୁ ଫେରି ଦାରୁ ଅନ୍ଵେଷଣ ପାଇଁ ହବିଷ୍ୟାନ୍ନ ଗ୍ରହଣ କରି ସ୍ଵପ୍ନାବତୀ ମନ୍ତ୍ରଜପ କରି ଦାରୁ ଚିହ୍ନଟ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି ।

ରାଧାକାନ୍ତ ମଠ :

ଶ୍ରୀକ୍ଷେତ୍ର (ଉଆଁସଦାଣ୍ଡ) ସିଂହଦ୍ଵାରରୁ ସ୍ଵର୍ଗଦ୍ଵାର ଯିବା ରାସ୍ତାର ମଝିଲେ ଏହି ମଠ ଅବସ୍ଥିତ । ଶ୍ରୀକ୍ଷେତ୍ରରେ ଦାରୁ ଶଗଡ଼ି ପହଞ୍ଚିଲେ ଏହି ମଠ ପକ୍ଷରୁ ସଂକୀର୍ତ୍ତନ ମଣ୍ଡଳୀ ଶ୍ରୀକ୍ଷେତ୍ର ପ୍ରବେଶଠାରୁ କୋଇଲି ବୈକୁଣ୍ଠର କାରୁଶାଳା ପର୍ଯ୍ୟନ୍ତ ସଂକୀର୍ତ୍ତନ ସମ୍ପାଦନା କରିଥାନ୍ତି ।

 

ବଡ଼ଓଡ଼ିଆ ମଠ :

ଶ୍ରୀମନ୍ଦିର ପଶ୍ଚିମ ଉତ୍ତର କୋଣରେ ବାସେଳୀ ସାହିରେ ଏହି ମଠ ଅବସ୍ଥିତ । ଏହା ପୁରୁଣା ଶ୍ରୀନଅରର ରାଣୀ ଉଆସ ଭାବେ ପରିଚିତ । ପଞ୍ଚସଖାଙ୍କ ସମୟରେ ଅତିବଡ଼ିଙ୍କ ରହଣୀ ସ୍ଥଳୀ ଦ୍ଵାରା ଏହି ସ୍ଥାନର ମହତ୍ଵ ବଢ଼ାଇ ଦେଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଆ ଭାଗବତର ସ୍ରଷ୍ଟା ଭାବେ ତାଙ୍କ ନାମରେ ‘ବଡ଼ଓଡ଼ିମଠ’ ଭାବେ ସର୍ବ ପରିଚିତ ହୋଇଥିଲା । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଏହି ମଠର ବିଶେଷ ଭୂମିକା ରହିଛି । ନବକଳେବର ସମୟରେ ପୁରାତନ ଶ୍ରୀବିଗ୍ରହମାନଙ୍କର ପାତାଳୀ ଓ ଲୌକିକ ଶୁଦ୍ଧକ୍ରିୟା ପାଳନ ମଳ ଆଷାଢ଼ ଶୁକ୍ଲପକ୍ଷ ତ୍ରୟୋଦଶୀରେ ବହୁସଂଖ୍ୟକ ସାଧୁସନ୍ଥ ବ୍ରାହ୍ମଣଙ୍କ ନିମନ୍ତେ ମହାପ୍ରସାଦ ସେବନ କରାଇଥାନ୍ତି । ଏଥିସହିତ ଶ୍ରୀକ୍ଷେତ୍ରର ଅନେକ ମଠ ନିଜର ସାମର୍ଥ ଅନୁଯାୟୀ ନିଜ ଖର୍ଚ୍ଚରେ ମହାପ୍ରସାଦ ସେବନ କରାଇଥାନ୍ତି ।

ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ସଂକୀର୍ତ୍ତନ ଏକ ସେବା ରୂପେ ସୀକୃତ ପାଇଆସିଛି । ସଂକୀର୍ତ୍ତନକୁ ଉପାସନାରେ ଏକ ସେବା ରୂପେ ମର୍ଯ୍ୟାଦା ଦେବା ବୋଧହୁଏ ମହାପ୍ରଭୁଙ୍କ ଚେତନାରେ ଭାରତରେ ପ୍ରଥମ । ମନେହୁଏ ବହୁ ପ୍ରାଚୀନ କାଳରୁ ମହାପ୍ରଭୁଙ୍କ ଉପାସନାରେ ସଂକୀର୍ତ୍ତନକୁ ସେବା ରୂପେ ଗ୍ରହଣ କରାଯିବା ପରେ ଶ୍ରୀମନ୍ଦିର ଭିତରେ ‘ସଂକୀର୍ତ୍ତନ ଚକଡ଼ା’ ବା କୀର୍ତ୍ତନ ଚକଡ଼ା ସୃଷ୍ଟି ହୋଇଥିଲା । ସଂକୀର୍ତ୍ତନକୁ ପ୍ରତିଦିନ ସେବାରେ ସାମିଲ୍ ନିମନ୍ତେ ଗଜପତିମନେ ଶ୍ରୀକ୍ଷେତ୍ରର ମଠମାନଙ୍କୁ ସ୍ଥାବର ଭୂମି ସନନ୍ଦ ମାଧ୍ୟମରେ ଖଞ୍ଜା ଦେଇଥିଲେ । ସେଥିପାଇଁ ଆଜି ମଧ୍ୟ ଶ୍ରୀମନ୍ଦିର ଖୋଲିବା ପରେ ବଦଛତା ମଠର ବାବାଜୀମାନେ ମଙ୍ଗଳ ଆଳତୀ ପୂର୍ବରୁ ପ୍ରତିଦିନ ସଂକୀର୍ତ୍ତନ କରିଥାନ୍ତି । ସେହିଭଳି ସନ୍ଧ୍ୟାରେ ବାଲିସାହିର ରାଧାକାନ୍ତ ମଠର ବାବାଜୀମାନେ ସଂକୀର୍ତ୍ତନ କରିବା ପାଇଁ ମୂଖ୍ୟ ମନ୍ଦିରକୁ ପରିକ୍ରମା କରନ୍ତି । ଏହି ସଂକୀର୍ତ୍ତନକୁ ନେଇ ଶ୍ରୀକ୍ଷେତ୍ରରେ କେତେକ ମଠ ମଧ୍ୟ ସୃଷ୍ଟି ହୋଇଥିଲା ।

ଶ୍ରୀମନ୍ଦିରରେ ପ୍ରତିଦିନ ସଂକୀର୍ତ୍ତନ ସେବା ପାଇଁ ସଂକୀର୍ତ୍ତନ ଚକଡ଼ାସୃଷ୍ଟି ହେବା ପରି ଦକ୍ଷିଣ ଓଡିଶାରେ ପ୍ରାଚୀନ କାଳରୁ ସଂକୀର୍ତ୍ତନ ଆଖଡ଼ା ସୃଷ୍ଟି ହୋଇଥିଲା । ବାସ୍ତବରେ ସଂକୀର୍ତ୍ତନ ଦୁଇ ଭାଗରେ ବିଭକ୍ତ । ନାମ ସଂକୀର୍ତ୍ତନ ଓ ଲୀଳା ସଂକୀର୍ତ୍ତନ । ସଂକୀର୍ତ୍ତନର ସଙ୍ଗୀତ ଏହାକୁ ଜନପ୍ରିୟ କରିପାରିଛି ।ସେଥିପାଇଁ ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ସଂକୀର୍ତ୍ତନ ମଣ୍ଡଳୀ ରହିଛି । ସଂକୀର୍ତ୍ତନ ମାଧ୍ୟମରେ ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାମ, ଗୁଣ, ରୂପ ଓ ଲୀଳାକୁ ପ୍ରକାଶ କରାଯାଏ । ଏହାକୁ ସାମୁହିକ ସ୍ଵରରେ ଗାନ କରାଯାଏ । ସେଥିପାଇଁ କୁହାଯାଏ, କଳି କାଳରେ ମାନବ କଲ୍ୟାଣ ଓ ବିଶ୍ଵ ଶାନ୍ତି ନିମନ୍ତେ ସଂକୀର୍ତ୍ତନ ବ୍ୟତୀତ ସୁଲଭ ସାଧନ ନାହିଁ । ସଂକୀର୍ତ୍ତନ ଭାରତୀୟ ପରମ୍ପରାରେ ବହୁ ପ୍ରାଚୀନ କାଳରୁ ରହିଅଛି । ମହର୍ଷି ନାରଦ ନିଜର ବୀଣା ବାଦନ କରି ପ୍ରଭୁଙ୍କ ନାମ ସଂକୀର୍ତ୍ତନ ବୋଲି ସର୍ବତ୍ର ବୁଲୁଥିଲେ ବୋଲି ବିଭିନ୍ନ ଶାସ୍ତ୍ରରୁ ସୂଚନା ମିଳିଥାଏ । ଶ୍ରୀପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ଆବିର୍ଭାବ ରହସ୍ୟ ସହିତ ମହର୍ଷି ନାରଦ ମୂଳରୁ ଜଡିତ ଥିଲେ । ସେ ହିଁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଥମରୁ ରାସ୍ତା ଦେଖାଇବାରେ ସଫଳ ହୋଇଥିଲେ ସ୍କନ୍ଦ ପୁରାଣରୁ ପ୍ରମାଣ ମିଳେ ।

ଏହି ସଂକୀର୍ତ୍ତନକୁ ନେଇ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିରାଟ ସମ୍ଭାର ସୃଷ୍ଟି ହୋଇଥିଲା-। ସଂକୀର୍ତ୍ତନ ହେଉଛି ଏକ ବ୍ୟାପକ ସଂସ୍କୃତି । ଏଥିରେ ଭଜନ, ଜଣାଣ, ପ୍ରାର୍ଥନା, ଛାନ୍ଦ, ଚଉପଦୀ ଓ ଚମ୍ପୂ ଇତ୍ୟାଦି ନିହିତ ଥିଲା । ଯେଉଁ ଦେବତାଙ୍କୁ ମୁଖ୍ୟ ଆଧାର କରି ସଂକୀର୍ତ୍ତନ ବୋଲାଯାଏ ମଝିରେ ମଝିରେ ସେହି ଦେବତାଙ୍କର ମହିମା ବାରମ୍ବାର ଗୀତ ମାଧ୍ୟମରେ ଆବୃତି କରାଯାଏ । ଏହାକୁ କୁହାଯାଏ ‘ମହିମା ସଂକୀର୍ତ୍ତନ’ । ଏହାବ୍ୟତୀତ ଅନ୍ୟ ଏକ ସଂକୀର୍ତ୍ତନ ହେଉଛି ’ଭାବ ସଂକୀର୍ତ୍ତନ’ । ଏହି ଭାବ ସଂକୀର୍ତ୍ତନକୁ ଶୂନ୍ୟବାଦୀମାନେ ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଏକାକାର କରି ଏକ ଉଚ୍ଚତର ଚେତନା ସୃଷ୍ଟି କରିଯାଇଛନ୍ତି । ହୃଦୟକୁ ହୃଦୟ ସହିତ ବାନ୍ଧିବାକୁ ଏହି ସଂକୀର୍ତ୍ତନ ହେଉଛି ଭାବର ଡୋରୀ । ଏହି ଭାବର ଡୋରୀରେ ଆମେ ସଭିଏଁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ମହାପ୍ରଭୁଙ୍କ ସହିତ ବାନ୍ଧି ହୋଇଯାଇଛେ । ନାମ ସଂକୀର୍ତ୍ତନ ମଣିଷ ହୃଦୟରେ ପ୍ରେମ ବୃଦ୍ଧି କରେ । ଏହି ପ୍ରେମ ଭାବ କ୍ରମଶଃ ସ୍ନେହ, ରାଗ, ଅନୁରାଗ ଓ ମାନରେ ପରିଣତ ହୁଏ-। ଶେଷକୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ରସରେ ଭକ୍ତଟିଏ ମହାଭାବ ପର୍ଯ୍ୟନ୍ତ ପହଞ୍ଚିପାରେ ।

ଏହି ମହାଭାବରେ ରାଜାଠାରୁ ପ୍ରଜା ସମସ୍ତେ ମହାପ୍ରଭୁଙ୍କ ଉପାସନା ସହିତ ଜଡ଼ିତ ।ରାଜାମାନଙ୍କ ପୃଷ୍ଟପୋଷକତାରେ ଏହି ପରମ୍ପରା ବିକାଶ ଲାଭ କରିଥିଲେ ତାହା ଶ୍ରୀମନ୍ଦିର ଉପାସନାରେ ପ୍ରତିଦିନ ଦେଖାଯାଉଥିଲେ ମଧ୍ୟ ମହାପ୍ରଭୁଙ୍କ ବିଶେଷ ଲୀଳାରେ ଯୋଡ଼ି ହୋଇଯାଇଛି । ମହାପ୍ରଭୁଙ୍କ ବିଶେଷ ଲୀଳାଟି ହେଉଛି ନବକଳେବର ଲୀଳା । ଏହି ଲୀଳାର ପ୍ରଥମ ଚରଣରେ ବନଯାଗ ବିଧି ଆରମ୍ଭରେ ସିଂହଦ୍ଵାରଠାରୁ ସଂକୀର୍ତ୍ତନ ସାମିଲ ହୋଇଥିଲେ । ବନଯାଗ ଯାତ୍ରୀ ବଣକୁ ଯାତ୍ରା କଲାବେଳେ ବିଶ୍ରାମ କଲାବେଳେ ଦୁଇଟିଯାକ ନାମ ଓ ଭାବ କୀର୍ତ୍ତନ ଅହରହ ଚାଲିଥାଏ । ମା’ ଙ୍କ ପୀଠରେ ପହଞ୍ଚିଯିବା ପରେ ଶବର ପଲ୍ଲୀରେ ଦଇତାପତିମାନେ ବିଶ୍ରାମ କଲାବେଳେ ଏହି କୀର୍ତ୍ତନ ବାତାବରଣକୁ ଶ୍ରୀଜଗନ୍ନାଥମୟ କରିଦେଇଥାଏ । ଦାରୁ ଚିହ୍ନଟ ହେବାପରେ ଶହଶହ ସଂକୀର୍ତ୍ତନ ପ୍ରେମୀ ଦାରୁ ନିକଟରେ ନାମ ସଂକୀର୍ତ୍ତନ ପ୍ରେମୀ ଦାରୁ ନିକଟରେ ନାମ ସଂକୀର୍ତ୍ତନ କରିଥାନ୍ତି । ଦାରୁ ଛେଦନଠାରୁ ଦାରୁ ଶଗଡ଼ିରେ ଶ୍ରୀକ୍ଷେତ୍ର ଯାତ୍ରା ସମୟରେ ଓ ବାଟରେ ଦାରୁ ରହିବା ସ୍ଥାନରେ ତଥା ଶ୍ରୀକ୍ଷେତ୍ର ପ୍ରବେଶ ଦ୍ଵାର ଆଲାମଚଣ୍ଡିଙ୍କ ମନ୍ଦିର ନିକଟ ଓ ନୃସିଂହ ମନ୍ଦିର ନିକଟରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରଦ୍ଧାଳୁ ସାମିଲ ହୋଇ ପରଂବ୍ରହ୍ମଙ୍କ ସତ୍ତାକୁ ସ୍ମରଣ କରିଥାନ୍ତି । ବଡ଼ଦାଣ୍ଡରେ ଦାରୁ ବିଜେ ସମୟରେ ତଥା ଦାରୁ ଶଗଡ଼ି ଦେବଯାନ ମାର୍ଗ ଦେଇ କୋଇଲି ବୈକୁଣ୍ଠରେ ପହଞ୍ଚିବା ପର୍ଯ୍ୟନ୍ତ ମହାସଂକୀର୍ତ୍ତନ ମଣ୍ଡଳୀଙ୍କ ଝାଞ୍ଜ ହରିନାମ ସାରା ଶ୍ରୀକ୍ଷେତ୍ରକୁ ପ୍ରକମ୍ପିତ କରିଥାଏ ।

କୋଇଲି ବୈକୁଣ୍ଠର କାରୁଶାଳାରେ ବିଗ୍ରହ ନିର୍ମାଣ ସମୟରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ନାମ ଝାଞ୍ଜି ଖୋଳମାଡ଼ ଆଡ଼ପ ମଣ୍ଡପରେ ବିଶ୍ଵକର୍ମାଙ୍କ ଦାରୁ ନିର୍ମାଣ ସ୍ମୃତିକୁ ଦୋହରାଇଥାଏ । ଯାହାଦ୍ଵାରା ବିଗ୍ରହ ନିର୍ମାଣର କୌଣସି ଶବ୍ଦ କାରୁଶାଳାର ବାହାରକୁ ଶ୍ରବଣ ଯୋଗ୍ୟ ହେବନାହିଁ । ଏହି ‘ବିଗ୍ରହ ନିର୍ମାଣ’ ସମୟରେ କୀର୍ତ୍ତନ ମଣ୍ଡଳୀ ଶ୍ରୀମନ୍ଦିର ମୁଖ୍ୟ ମନ୍ଦିରକୁ ପରିକ୍ରମା ସହିତ ମେଘନାଦ ପାଚେରୀ ଚତୁପାର୍ଶ୍ଵରେ ପରିକ୍ରମା କରିଥାନ୍ତି । ଏହି ସେବା ପାଇଁ ପ୍ରାଚୀନ କାଳରେ ୧୨ଟି ମଠକୁ ସନନ୍ଦ ଦେଇ ଅଧିକାର ଦେଇଥିଲେ । ସେଥିମଧ୍ୟରୁ ୮ଟି ମଠ ଏବେ ସେବା କରୁଥିବା ବେଳେ ଅତବଡ଼ି ସମ୍ପ୍ରଦାୟର ୪ଟି ମଠ ବିମାନବଡ଼ୁ ସାହିର ମଧୁଦାସ ମଠ, ବାସେଳୀ ସାହିର ଗଜେନ୍ଦ୍ର ଦାସମଠ, ଶ୍ରୀବଳଭଦ୍ର ଗଳିର ନଟବର ଦାସମଠ, ଦାଣ୍ଡିମାଳ ସାହିର ଶ୍ରୀନାଥ ଅଧିକାରୀ ମଠ ବର୍ତ୍ତମାନ ବିଲୁପ୍ତ ହୋଇସାରିଛି । ଏହି ମଠର ବାବାଜୀମାନେ ନବକଳେବର ଲୀଳାରେ ସ୍ଵତନ୍ତ୍ର ଭାବେ ସଂକୀର୍ତ୍ତନ ସେବା କରୁଥିଲେ । ସେବା ସମ୍ପର୍ଣ୍ଣ କରୁଥିବା ମଠ ଗୁଡିକ ହେଲା ବଡ଼ଓଡ଼ିଆ ମଠ, ଏମାର ମଠ, ରାଧାବଲ୍ଲବ ମଠ, ଉତ୍ତରପାର୍ଶ୍ଵ ମଠ, ବଡ଼ଛତା ମଠ, ସିଦ୍ଧବକୂଳ ମଠ, ଦକ୍ଷୀପାର୍ଶ୍ଵ ମଠ ଓ ଜିୟରସ୍ଵାମୀ ମଠ । ପ୍ରକାଶ ଥାଉକି, ଗୋଲକ ଲୀଳା ପରେ ଏହି ମଠମାନେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମହାପ୍ରସାଦ ସେବନ କରାଇଥାନ୍ତି ।

 

ନବକଳେବର ପରମ୍ପରାରେ ମଠମାନଙ୍କ ଭୂମିକା

ଡକ୍ଟର ଭାସ୍କର ମିଶ୍ର

ପୁରାଣ ପ୍ରସିଦ୍ଧ ଅତ୍ୟନ୍ତ ପବିତ୍ର ଭୂମି ଭାବେ ସୁପରିଚିତ ଉତ୍କଳ ପ୍ରଦେଶର ସୁପ୍ରାଚୀନ ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀପୁରୁଷୋତ୍ତମ ଧାମରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ନୀତି, ରୀତି, ଯାନିଯାତ୍ରା, ଉତ୍ସବ ଇତ୍ୟାଦି ମଧ୍ୟରେ ନବକଳେବର ବିଧି ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ବହନ କରିଛି, ଯାହାକି ଭାରତବର୍ଷର ଅନ୍ୟ କୌଣସି ମନ୍ଦିରରେ ଏହି ପରମ୍ପରା ପ୍ରଚଳିତ ଥିବାର ଦୃଷ୍ଟାନ୍ତ ମିଳିନାହିଁ । ରତ୍ନସିଂହାସନରେ ବିରାଜିତ ଦାରୁବ୍ରହ୍ମରୂପୀ ଶ୍ରୀବିଗ୍ରହମାନଙ୍କର ନବକଳେବର ବିଧି ହେଉଛି ଶ୍ରୀଜଗନ୍ନାଥ ଉପାସନାର ଅବିଚ୍ଛେଦ୍ୟ ଅଙ୍ଗ । ଏହି ସ୍ଵତନ୍ତ୍ର ଉପାସନା ପଦ୍ଧତି ସହ ଗଜପତି ମହାରାଜା, ରାଜଗୁରୁ, ଦେଉଳ ପୁରୋହିତ, ପତିମହାପାତ୍ର, ଦୈତାପତି, ବିଶ୍ଵକର୍ମା ମହାରଣା ସମେତ କେତେକ ଏକାଏକ ସେବକ ଓ ସ୍ଵଳ୍ପ ସଂଖ୍ୟକ ମଠମାନଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି । ବିଶେଷକରି ଦୀର୍ଘ ୫୦୦ ବର୍ଷରୁ ଉର୍ଦ୍ଧ ସମୟ ଧରି ପ୍ରତିଷ୍ଠିତ ଥିବା ଏହି ମଠାନୁଷ୍ଠାନ ଗୁଡ଼ିକ ବିଭିନ୍ନ ସମୟରେ ମହାପ୍ରଭୁମାନଙ୍କ ନବ କଳେବର ବିଧିରେ ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ରହିଥିବା ଜଣାଯାଏ ।

ନବକଳେବର ବିଭିନ୍ନ ପର୍ଯ୍ୟାୟରେ ଯେଉଁ ସ୍ଵଳ୍ପ ସଂଖ୍ୟକ ମଠାନୁଷ୍ଠାନ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି, ତନ୍ମଧ୍ୟରେ ମୁଖ୍ୟତଃ ପୁରୀର ଜଗନ୍ନାଥବଲ୍ଲଭ ମଠ, ରାଘବ ଦାସ ମଠ, ଏମାର ମଠ, ରାଧାକାନ୍ତ ମଠ, ବଡ଼ଓଡ଼ିଆ ମଠ, କାକଟପୁରସ୍ଥ ଦେଉଳି ମଠ ଅନ୍ତର୍ଭୁକ୍ତ । ଏତଦବ୍ୟତୀତ ଅନ୍ୟ କେତେକ ମଠ ମଧ୍ୟରେ ସିଦ୍ଧ ବକୁଳ ମଠ, ଗଙ୍ଗାମାତା ମଠ, ଉତ୍ତରପାର୍ଶ୍ଵ ମଠ, ମଙ୍ଗୁ ମଠ, ଦକ୍ଷିଣପାର୍ଶ୍ଵ ମଠ, ରାଧାବଲ୍ଲଭ ମଠ ପ୍ରଭୃତି ସାମାନ୍ୟ ଭାବେ ସମ୍ପୃକ୍ତ ରହିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ମଠମାନଙ୍କ ମଧ୍ୟରୁ ଅଧିକାଂଶ ମଠର ପ୍ରତିଷ୍ଠା ସମୟ ପ୍ରାୟ ପାଞ୍ଚଶହ ବର୍ଷ ମଧ୍ୟରେ । ବିଶେଷକରି ଭୋଇ ବଂଶର ପ୍ରତିଷ୍ଠାତା ଗଜପତି ମହାରାଜା ରାମଚନ୍ଦ୍ର ଦେବ (ପ୍ରଥମ)ଙ୍କଠାରୁ ମଠମାନଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଅଛି ଯଦିଓ ଅନ୍ୟ ଏକ ପ୍ରଚଳିତ ଜନଶ୍ରୁତି ଅନୁଯାୟୀ ଶ୍ରୀବିଗ୍ରହମାନଙ୍କ ପ୍ରଥମ ବନଯୋଗ ବିଧିରେ ସୁମୂର୍ତ୍ତି ନିର୍ମାଣ, ବ୍ରହ୍ମ ସଂସ୍ଥାପନ ଓ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀବିଗ୍ରହମାନଙ୍କ ସ୍ଥାପନ ଆଦି ଶ୍ରୀକ୍ଷେତ୍ର ଧାମରେ ସୁପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଥିଲା । କାରଣ ଶ୍ରୀବିଗ୍ରହମାନଙ୍କ ଦାରୁ କଳେବର ଗର୍ଭରେ ଅବସ୍ଥାପିତ “ବ୍ରହ୍ମ” ଙ୍କ ବିଷୟରେ ପ୍ରଥମ ଜ୍ଞାତା ଥିଲେ ବେଦପତି ବ୍ରହ୍ମା, ତତ୍ପରେ ବିଶ୍ଵାବସୁ, ବିଦ୍ୟାପତି, ଇନ୍ଦ୍ରଦ୍ୟୁମ୍ନ ଓ ଶଙ୍କରାଚାର୍ଯ୍ୟ ଅଟନ୍ତି ।

ସୁତରାଂ ଅତୀତରେ ଅଦ୍ଵୈତବାଦୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ନବକଳେବର ବିଧିରେ ଭୂମିକା ରହୁଥିଲା । ଅପରପକ୍ଷରେ ବିଗତ ୪୪୦ ବର୍ଷ ମଧ୍ୟରେ ଆମ୍ଭ ଦ୍ଵାରା ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଥିବା ମୋଟ ୨୬ଟି ନବକଳେବର ବିଧିରେ ଉକ୍ତ ମଥାର ସମ୍ପୃକ୍ତି ବିଷୟରେ ତଥ୍ୟ ଉପଲବ୍ଧି ହେଉନାହିଁ । ତେବେ ଅଦ୍ୟାବଧି ଶ୍ରୀକ୍ଷେତ୍ରର ଯେଉଁ ମଠମାନଙ୍କ ଭୂମିକା ରହିଛି, ତନ୍ମଧ୍ୟରେ ୪ଟି ବୈଷ୍ଣବ ସମ୍ପ୍ରଦାୟର ମଠମାନ ସଂଶ୍ଲିଷ୍ଟ ଅଟନ୍ତି । ଯଥା- ଶ୍ରୀ ରାମାନୁଜ ସମ୍ପ୍ରଦାୟର ରାଘବ ଦାସ ମଠ, ଏମାର ମଠ, ଦେଉଳି ମଠ, ଅତିବଡ଼ି ସମ୍ପ୍ରଦାୟର ବଡ଼ ଓଡ଼ିଆମଠ, ବ୍ରହ୍ମ ମାଧ୍ଵ ଗୌରେଶ୍ଵର ସମ୍ପ୍ରଦାୟର ରାଧାକାନ୍ତ ମଠ ଓ ବିଷ୍ଣୁସ୍ଵାମୀ ସମ୍ପ୍ରଦାୟର ଜଗନ୍ନାଥ ବଲ୍ଲଭ ମଠ ଅନ୍ତର୍ଭୁକ୍ତ । ଏହି ମଠାନୁଷ୍ଠାନମାନ ନବକଳେବର ପ୍ରଥମ ପର୍ଯ୍ୟାୟ ବନଯାଗ ବିଧିର ଶୁଭାରମ୍ଭଠରୁ ନୂତନ ବିଗ୍ରହଙ୍କ ବ୍ରହ୍ମ ସଂସ୍ଥାପନ, ମହାଅଣସର ବିଧି, ତ୍ରୟୋଦଶୀ ମହୋତ୍ସବ ଇତ୍ୟାଦିରେ ସମ୍ପୃକ୍ତି ବିଷୟରେ ଏଠାରେ ଉପସ୍ଥାପନ କରାଯାଉଛି ।

 

ଏମାର ମଠ :

ପୁରୀର ସୁପ୍ରସିଦ୍ଧ ଏମାରମଠ ଅଧିନରେ ଥିବା କାକଟପୁରସ୍ଥ ଦେଉଳି ମଠରେ ସାଧାରଣତଃ ନବକଳେବର ବନଯାଗ ଯାତ୍ରୀଦଳ ପରମ୍ପରା ଅନୁଯାୟୀ କିଛି ଦିନ ନିମନ୍ତେ (ପ୍ରାୟ ଏକ ସପ୍ତାହ) ସାମୟିକ ଭାବେ ଅବସ୍ଥାନ କରିଥାନ୍ତି । ଯେଉଁ ବର୍ଷ ଶ୍ରୀବିଗ୍ରହଙ୍କର ନବକଳେବର ପଡ଼ିଥାଏ, ସେହିବର୍ଷ ବନଯାଗ ବିଧିରେ ଏକମାସ ପୂର୍ବରୁ ମଠ ତରଫରୁ ଦେଉଳି ମଥାର ଜୀର୍ଣ୍ଣୋଦ୍ଧାର, ଚୂନରଙ୍ଗ ଓ ମଠ ବିଜେସ୍ଥଳୀ ପରିସରର ପରିଷ୍କାର ଇତ୍ୟାଦି କାର୍ଯ୍ୟ ମଠ ତତ୍ତ୍ଵାବଧାନରେ କରାଯାଇଥାଏ । ଏପରିକି ବନଯାଗ ଯାତ୍ରୀଦଳଙ୍କ ରହଣୀ ସମ୍ବନ୍ଧୀୟ ସୁବିଧା ଓ ହବିଷ୍ୟ ପାଳନ ନିମନ୍ତେ ଆବଶ୍ୟକୀୟ ଜାଳେଣୀ କାଠ ସଂଗୃହୀତ ହୋଇ ମଠ ପରିସରରେ ରଖାଯାଇଥାଏ । ମଠ ତରଫରୁ ରାତ୍ର ସମୟ ପାଇଁ ପୋଲାଙ୍ଗ ତେଲରେ ଦୀପ, ଦିହୁଡ଼ିଇତ୍ୟାଦିର ବ୍ୟବସ୍ଥା କରାଯାଇଥାଏ । ଏହି ବ୍ୟବସ୍ଥା ଦୀର୍ଘ ୮୦ ବର୍ଷର ପୁରାତନ ଅଟେ । ଏତଦବ୍ୟତୀତ ଏମାର ମଠ ପକ୍ଷରୁ ନବକଳେବର ମହାଅଣସରରେ ଶୁଦ୍ଧକ୍ରିୟା ବିଧିର ତ୍ରୟୋଦଶୀ ଦିନ ସାମର୍ଥ୍ୟ ଅନୁସାରେ ମହାପ୍ରସାଦ ହାଣ୍ଡି ସମୂହ ପଂକ୍ତି ଭୋଜନ ନିମିତ୍ତ ପ୍ରେରଣ କରାଯାଇଥାଏ ।

ଜଗନ୍ନାଥ ବଲ୍ଲଭ ମଠ :

ପୁରୀ ବଡ଼ଦାଣ୍ଡର ମଧ୍ୟଭାଗରେ ୪୩ ଏକର ପରିମିତ ଏକ ବୃହତକାର ଜମି ଉପରେ ଶ୍ରୀବିଷ୍ଣୁସ୍ଵାମୀ ସମ୍ପ୍ରଦାୟର ପ୍ରସିଦ୍ଧ ଜଗନ୍ନାଥ ବଲ୍ଲଭ ମଠ ଅବସ୍ଥିତ । ଶ୍ରୀମନ୍ଦିରର ଅଧିକାଂଶ ଯାନିଯାତ୍ରା, ଉତ୍ସବାଦି ସହ ଏହି ମଠଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିଶେଷକରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଶୁଭାରମ୍ଭ ଅର୍ଥାତ୍ ଚୈତ୍ର ଶୁକ୍ଲ ଦଶମୀ ତିଥିରେ ଅନୁଷ୍ଠିତ ବନଯାଗ ବିଧିର ପ୍ରଥମ ଦିନରେ ଉକ୍ତ ମଠଟି ସମ୍ପୃକ୍ତ । ଏହି ଦିନ ପରମ୍ପରା ଅନୁଯାୟୀ ଶାଢ଼ୀ ବନ୍ଧା ନୀତି ଓ ଆଜ୍ଞାମାଳ ଗ୍ରହଣ କରି ଦଇତା, ପତିମହାପାତ୍ର , ଦେଉଳକରଣ, ଲେଙ୍କା, ତଢ଼ାଉକରଣ, ବିଶ୍ଵକର୍ମା ମହାରଣା, ଆଚାର୍ଯ୍ୟ ବ୍ରାହ୍ମଣ, ରାଜଗୁରୁ ଇତ୍ୟାଦି ଦାରୁ ଅନ୍ଵେଷଣ ଯାତ୍ରାରେ ବାହାରି ପ୍ରଥମେ ଜଗନ୍ନାଥ ବଲ୍ଲଭ ମଠଠାରେ ଅବସ୍ଥାନ କରନ୍ତି । ଏହାର କାରଣ ଥିଲା ଶ୍ରୀମନ୍ଦିରର ମଧ୍ୟାହ୍ନ ଧୂପ ପରେ ଶାଢ଼ୀବନ୍ଧା ନୀତି, ଶ୍ରୀନଅରଠାରେ ବରଣ ଆଦି କାର୍ଯ୍ୟ ପରେ ସନ୍ଧ୍ୟା ସମୟରେ ଶ୍ରୀକ୍ଷେତ୍ର ବାହାରକୁ ଖାଲି ପାଦରେ ଚାଲି ଚାଲି କାକଟପୁର ଯିବା ବିଧି ନଥିଲା । ତେଣୁ ପ୍ରଥମ ରାତ୍ର ଓ ଦ୍ଵିତୀୟ ଦିନ ରାତ୍ରର ଶେଷ ପ୍ରହର ଯାଏଁ ସେମାନେ ଏହି ମଠରେ ହିଁ ଅବସ୍ଥାନ କରିଥାନ୍ତି ।

ବନଯାଗ ଯାତ୍ରୀଦଳଙ୍କ ଏହି ରହଣୀ ସମୟରେ ମଠ ତରଫରୁ ସମସ୍ତଙ୍କ ନିମନ୍ତେ ମହାପ୍ରସାଦ ଓ ଅନ୍ୟାନ୍ୟ ଜଳଯୋଗ, ପ୍ରସାଦ ଇତ୍ୟାଦି ବ୍ୟବସ୍ଥା କରାଯାଇଥାଏ । ୧୯୯୬ ମସିହାରେ ଏଥି ନିମନ୍ତେ ପଚିଶି ହଜାର ଟଙ୍କାର ବ୍ୟୟ ହୋଇଥିବା ବେଳେ ଚଳିତ ନବକଳେବରରେ ମଠ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରାୟ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଏ । ଏହି ଦଳ ଦେଢ଼ଦିନ ପାଇଁ ଏଠାରେ ଆଶ୍ରୟ ନେଇଥାନ୍ତି । ଏହିଠାରୁ ରାତ୍ରର ଶେଷ ପ୍ରହରରେ ପଦବରଜରେ ବନଯୋଗ ଯାତ୍ରୀ ଦଳ କାକଟପୁର ଦେଉଳି ମଠ ଅଭିମୁଖେ ଯାତ୍ରା କରିଥାନ୍ତି ।

ଦେଉଳି ମଠ :

କାକଟପୁର ନିକଟସ୍ଥ ପ୍ରାଚୀ ନଦୀ ତୀରରେ ଦେଉଳି ମଠଟି ବିଦ୍ୟମାନ । କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରଠାରୁ ମାତ୍ର ଅଢ଼େଇ କିଲୋମିଟର ଦୂରରେ ଅବସ୍ଥିତ ଏହି ଐତିହ୍ୟ ସମ୍ପନ୍ନ ମଠଟି ନବକଳେବର ବନଯାଗ ଯାତ୍ରା ବିଧି ସହ ସମ୍ପୃକ୍ତ ଅଟେ । ଶ୍ରୀକ୍ଷେତ୍ରଠାରୁ ଦାରୁ ଅନ୍ଵେଷଣକାରୀ ବନଯାଗ ଯାତ୍ରୀଦଳ କାକଟପୁରରେ ପହଞ୍ଚି ପ୍ରଥମେ ଦେଉଳି ମଠ ବିଜେସ୍ଥଳୀଠାରେ ଅବସ୍ଥାନ କରିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ଏହି ମଠ ବିଜେସ୍ଥଳୀଠାରେ ପ୍ରଥମେ ମା’ ମଙ୍ଗଳା ଆବିର୍ଭୂତା ହୋଇଥିଲେ । ଉକ୍ତ ସ୍ଥାନରେ ମଙ୍ଗଳା ଦେବୀଙ୍କୁ ପ୍ରଥମେ ରଖାଯାଇଥିବାରୁ ଏହି ଅଞ୍ଚଳର ନାମ ମଙ୍ଗଳପୁର ବୋଲି ଅଭିହିତ ।

ଦେଉଳିମଠରେ ଦଇତା, ପତିମହାପାତ୍ର, ଦେଉଳିକାରଣ, ତଢ଼ଉକରଣଙ୍କ ସମେତ ସମସ୍ତ ବନଯାଗ ଯାତ୍ରୀ ଦଳଙ୍କ ରହଣୀ ସମୟରେ ଏଠାରେ ହବିଷ୍ୟ ପାଳନ କରିଥାନ୍ତି । ମଠ ବିଜେସ୍ଥଳୀଠାରେ ଚାରୋଟି ପେଦୀରେ ଆଜ୍ଞାମାଳ, ଚଢ଼େଇନେଦା ମହାପ୍ରସାଦ ତାଡ଼ ଓ ଲେଙ୍କା ସେବକ ଶ୍ରୀମନ୍ଦିରରୁ ହସ୍ତରେ ବିଜେ କରିଥିବା ସୁଦର୍ଶନ ଚକ୍ରଙ୍କୁ ସଂସ୍ଥାପନ କରାଇଥାନ୍ତି । ଏହି ବିଜେସ୍ଥଳୀଠାରୁ ଦେଉଳକରଣଙ୍କ ଦ୍ଵାରା ଲିଖିତ ଚିଟାଉ ପ୍ରାପ୍ତ ହୋଇ କାକଟପୁର ମା’ମଙ୍ଗଳା ମନ୍ଦିରର ଟ୍ରଷ୍ଟି, ସେବକ ଇତ୍ୟାଦି ଶୋଭାଯାତ୍ରାରେ ମଠକୁ ଆସି ମାଜଣାନିମିତ୍ତ ବନଯାଗ ଯାତ୍ରୀ ଦଳଙ୍କୁ ପାଛୋଟି ନେଇଥାନ୍ତି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଯେ, ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଅର୍ଥାତ୍ ଦାରୁ ବୃକ୍ଷ ମନୋନୀତ ନହେବା ପର୍ଯ୍ୟନ୍ତ ମଠ ଅଗଣା ବା ପଡ଼ିଆଠାରେ ସେମାନେ ବିଭିନ୍ନ ସ୍ତ୍ରୋତ୍ର ପାଠ ସମେତ ସ୍ଵପ୍ନାବତୀ ମନ୍ତ୍ର ଜାପା ପୂର୍ବକ ଅତ୍ୟନ୍ତ ନିଷ୍ଠାର ସହ ହବିଷ୍ୟ ପାଳନ କରି ରାତ୍ରରେ ଶୟନ କରିଥିବା ସମୟରେ ଦାରୁବୃକ୍ଷ ସମ୍ବଦ୍ଧରେ ସ୍ଵପ୍ନାଦେଶ ପ୍ରାପ୍ତ ହେଉଥିବା ଜନଶ୍ରୁତିରୁ ଜଣାଯାଏ । ହବିଷ୍ୟ ରନ୍ଧନ ନିମିତ୍ତ ସମସ୍ତ ଜଳେଣୀ କାଠ ଏହି ମଠ ପକ୍ଷରୁ ବନଯାଗ ଯାତ୍ରୀ ଦଳଙ୍କୁ ଯୋଗାଇଥାଏ ।

ରାଧାକାନ୍ତ ମଠ :

ଶ୍ରୀବିଗ୍ରହମାନଙ୍କ ନୂତନ କଲେବର ନିର୍ମାଣ ନିମିତ୍ତ ଚାରିଗୋଟି ଦାରୁ ଚିହ୍ନଟ ପୂର୍ବକ ବିଧିବିଧାନର ସହ ଶ୍ରୀମନ୍ଦିରସ୍ଥ କୋଇଲି ବୈକୁଣ୍ଠକୁ ଅଣାଯିବା ସମୟରେ ପୁରୀ ସହରର ପ୍ରବେଶ ପଥ ଅଠରନଳା ନିକଟସ୍ଥ ଆଲାମଚଣ୍ଡୀ କିମ୍ବା ଗୁଣ୍ଡିଚା ମନ୍ଦିରର ପଛ ପାର୍ଶ୍ଵରେ ଥିବା ନୃସିଂହ ମନ୍ଦିରଠାରେ ଦାରୁ ଶଗଡ଼ ପହଞ୍ଚିଥାଏ । ସେଠାରୁ ଏକ ଶୋଭାଯାତ୍ରାରେ ଦାରୁଙ୍କୁ ଶ୍ରୀମନ୍ଦିରର ଉତ୍ତରଦ୍ଵାର ପଟେ ଅଣାଯାଇ କୋଇଲି ବୈକୁଣ୍ଠ ଉପବନଠାରେ ନିର୍ମିତ ଦାରୁ ଘରେ ରଖାଯାଏ । ଗଜପତି ପ୍ରତପରୁଦ୍ର ଦେବଙ୍କ ସମୟରୁ ଶ୍ରୀମନ୍ଦିରରେ ସଂକୀର୍ତ୍ତନ କରିବାର ଅଧିକାର ପାଇଥିବା ଶ୍ରୀବ୍ରହ୍ମ ମାଧ୍ଵଗୌରେଶ୍ଵର ସମ୍ପ୍ରଦାୟର ପ୍ରସିଦ୍ଧ ରାଧାକାନ୍ତ ମଠ ଏହି ଦାରୁ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଶ୍ରୀମନ୍ଦିର ଉତ୍ତରଦ୍ଵାର ପର୍ଯ୍ୟନ୍ତ ଦାରୁ ଶଗଡ଼ ଆସିବା ସମୟରେ ସଂକୀର୍ତ୍ତନ କରିଥାନ୍ତି । ଏତଦବ୍ୟତୀତ ଏହି ମଠର ତତ୍ତ୍ଵାବଧାନରେ ପୁରୀରେ ଅବସ୍ଥିତ ଏହି ସମ୍ପ୍ରଦାୟର ଅନ୍ୟ କେତେକ ମଥାର ବାବାଜୀ ଓ ବୈଷ୍ଣବମାନେ ସଂକୀର୍ତ୍ତନରେ ଯୋଗ ଦେଇଥାନ୍ତି । ସୂଚନାଯୋଗ୍ୟ ଯେ, ଏହି ମଠର ଶ୍ରୀମନ୍ଦିରରେ ପ୍ରତ୍ୟହ ଓ ବିଶେଷ ଉତ୍ସବାଦିରେ ପାରମ୍ପରିକ ସଂକୀର୍ତ୍ତନ ସେବା ରହିଥିବାରୁ ଦାରୁ ଶୋଭାଯାତ୍ରାରେ ସମ୍ପୃକ୍ତ ମଠର ବୈଷ୍ଣବମାନେ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ଅଭିମୁଖେ ଆସିଥାନ୍ତି ।

ଉତ୍ତରପାର୍ଶ୍ଵ ମଠ :

ଶ୍ରୀରାମାନୁଜ ସମ୍ପ୍ରଦାୟର ଏହି ମଠ ପକ୍ଷରୁ ଚାରୋଟି ଦାରୁ ଶଗଡ଼ି ଶ୍ରୀମନ୍ଦିରକୁ ବିଜେ କରିବା ସମୟରେ ବିଜେସ୍ଥଳୀଠାରେ ୩ହାଣ୍ଡି ପଣା ଜନୈକ ପୂଜାପଣ୍ଡା ସେବକଙ୍କ ଦ୍ଵାରା ନୈବେଦ୍ୟ ହୋଇଥାଏ ।

ରାଘବଦାସ ମଠ :

ଶ୍ରୀରାମାନୁଜ ସମ୍ପ୍ରଦାୟର ଅନ୍ୟତମ ସୁପ୍ରସିଦ୍ଧ ରାଘବ ଦାସ ମଠ ନବକଳେବରର ଗୋପନୀୟ ନୀତି ନିମନ୍ତେ କେତେକ ଦ୍ରବ୍ୟ ଓ ସର୍ବାଙ୍ଗ ପନ୍ତି ଭୋଗ ଅଧିକ ପରିମାଣରେ କରିଥାନ୍ତି । ସୂଚନାଯୋଗ୍ୟ ଯେ, କେବଳ ଏହି ମଠ ତରଫରୁ ମହାଅନବସର ଅବସରରେ ସର୍ବାଙ୍ଗ ପନ୍ତି ଭୋଗ କରାଯିବାରେ ପୁରାତନ ବିଗ୍ରହଙ୍କର ଘଟ ପରିବର୍ତ୍ତନ ହୋଇଥାଏ । ତେଣୁ ମଠ ପ୍ରଦତ୍ତ ଏହି ଭୋଗ ପୁରାତନ ବିଗ୍ରହଙ୍କୁ ସମର୍ପିତ ସର୍ବଶେଷ ପନ୍ତି ଭୋଗ ଅଟେ । ଆମ୍ଭଦ୍ଵାରା ପ୍ରସ୍ତୁତ ପି.ଏଚ୍.ଡି. ନିବନ୍ଧ “ଶ୍ରୀଜଗନ୍ନାଥ ସଂସ୍କୃତିରେ ମଠ ଓ ମନ୍ଦିରମାନଙ୍କ ଭୂମିକା” ଶୀର୍ଷକରେ ପ୍ରକାଶିତ ଏହି ତଥ୍ୟ ଏଠାରେ ପାଠକଙ୍କ ନିମିତ୍ତ ଉଦ୍ଧୃତ କରାଯାଇଛି । ନବକଳେବର ବର୍ଷରେ ଶ୍ରୀଜୀଉଙ୍କ ମହାଅନବସର ବା ମହାଅଣସରରେ ରାଘବ ଦାସ ମଠ ତରଫରୁ ୪୪ଦିନ ଧରି ପଣା ଓ ଚକଟା ଭୋଗ କରାଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ, ୧୯୯୬ ମସିହା ଜୁନ୍ ୧୧ତାରିଖ ମଙ୍ଗଳବାର ଦିନ ଅନବସର ସର୍ବାଙ୍ଗ ପନ୍ତି ଭୋଗ ମଠ ତରଫରୁ ହେବା ପରେ ଶ୍ରୀବିଗ୍ରହମାନଙ୍କର ଘଟ ପରିବର୍ତ୍ତନ ହୋଇଥିଲା । ରାଘବ ଦାସ ମଠ ପକ୍ଷରୁ ଘଟ ପରିବର୍ତ୍ତନ ତଥା ମହାଅଣସର ନିମନ୍ତେ ଯୋଗାଯାଇଥିବା ପନ୍ତି ଭୋଗ ଓ ଦ୍ରବ୍ୟ ତାଲିକା ନିମ୍ନରେ ପ୍ରଦତ୍ତ କରାଗଲା ।

୧)

ମାଟି ବାସନ : ବଡ଼ସରା-୩୦ଟି, ସାନସରା-୩୦ଟି, କଟାସରା-୮ଟି, ଅଙ୍ଗବାସ ଓଳି-୨୫ଟି, ବସାଣ-୨୦ଟି, ପଖାଳ ଓଳି-୨୫ଟି ।

୨)

ଫଳମୂଳ : ପଣସ ୨ଟି, ଆମ୍ବ-୫କି.ଗ୍ରା., କାକୁଡ଼ି-୩କି.ଗ୍ରା., ଦେଶୀ କଦଳୀ-୨୪ଗୋଟି, ଚାଉଳିଆ-୩୨ଗୋଟି, ସେଓ-୨୮କି.ଗ୍ରା., କମଳା-୧୦ଗୋଟି, ଅଙ୍ଗୁର-୧କି.ଗ୍ରା., ବେଦନା-୧ କି.ଗ୍ରା., ଖିସମିସ୍-୨୫୦ଗ୍ରାମ୍, ଭଲ ଘିଅ ଖଣ୍ଡ-୫୦୦ ଗ୍ରାମ୍, ସର-୫୦୦ଗ୍ରାମ୍, କ୍ଷୀର-୧କୁଡୁଆ, ଦହି-୧ଓଳି, ପାପୁଡି-୨ଟି, କୋରା-୫୦୦ଗ୍ରାମ୍, ଖୁଆପେଡ଼ା-୫୦୦ଗ୍ରାମ୍, ଖଇ-୪କି.ଗ୍ରା., ପଇଡ-୧୬ଗୋଟି, ନଡିଆ-୧୬ଗୋଟି ।

୩)

ଅନ୍ୟାନ୍ୟ ଦ୍ରବ୍ୟ : ତାଳପତ୍ର ଭୋଗେଇ-୧୪ଗୋଟି, କସ୍ତୁରୀ-୫ପ୍ୟାକେଟ, କେଶର-୫ଭରି, କର୍ପୂର-୩ଭରି, ସୂତାଲୁଗା କନା-୫ମିଟର, ମଶାଲ ଜଳିବା ତେଲ-୫୦୦ ଗ୍ରାମ୍, ଚନ୍ଦନକାଠ-୭ କି.ଗ୍ରା., ସୁଗନ୍ଧି ପୁଷ୍ପମାଲ୍ୟ, ବିଗ୍ରହମାନଙ୍କ ନିମନ୍ତେ ଗଡ଼ା ଲୁଗା, ସେବକମାନଙ୍କୁଚାଉଳ ବାଣ୍ଟିବା ବାବଦରେ ୮୦ଗୋଟି କୁଡୁଆ, ଅରୁଆ ଚାଉଳ-୧୦୦ କି.ଗ୍ରା. ହରଡ଼ ଡାଲି-୧୦୦ କି.ଗ୍ରା. ଇତ୍ୟାଦି ଅନ୍ତର୍ଭୁକ୍ତ ।

ଉପରଲିଖିତ ଦ୍ରବ୍ୟମାନରାଘବ ଦାସ ମଠ ପକ୍ଷରୁ କେବଳ ନବକଳେବର ବର୍ଷମାନଙ୍କରେ ଯୋଗାଇ ଦିଆଯାଇଥାଏ । ଏତଦବ୍ୟତୀତ ଏହି ମଠ ତରଫରୁ ସାଧାରଣ ଅଣସରରେ ଯୋଗାଉଥିବା ଦ୍ରବ୍ୟ ଯଥା- ଚନ୍ଦନ, କେଶର, କସ୍ତୁରୀ ଇତ୍ୟାଦି ମହାଅଣସର ଉପଲକ୍ଷେ ଅଧିକ ପରିମାଣର ଯୋଗାଇଥାନ୍ତି ।

ବଡ଼ଓଡ଼ିଆ ମଠ :

ନବକଳେବର ମହାଅଣସର ନିମନ୍ତେ ବଡ଼ଓଡ଼ିଆ ପକ୍ଷରୁ ପ୍ରାୟ ୮ ସେର ପରିମାଣର ଫୁଲୁରି ତେଲ ଏବଂ ନବକଳେବର ରଥଯାତ୍ରା ଅବସରରେ ରତ୍ନସିଂହାସନ ଉପରେ ବନ୍ଧା ଯାଇଥିବା ନୂତନ ତ୍ରୀମୁଣ୍ଡି ଚାନ୍ଦୁଆ ଯୋଗାଯାଇଥାଏ । ୪୪ଦିନ ଧରି ମହାଅନବସରେ ପଣା ଓ ଚକଟା ଭୋଗ ଦ୍ରବ୍ୟାଦି ମଠ ତରଫରୁ ଜୈନିକ ବ୍ରାହ୍ମଣ ପୂଜାରୀଙ୍କ ହସ୍ତରେ ମଠ ଦଇତା/ଶ୍ରୀମନ୍ଦିର ଗାରଦ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏତଦବ୍ୟତୀତ ନବକଳେବର ବର୍ଷ ନୂତନ ତୁଳା ଓ ପଟ ବସ୍ତ୍ରରେ ନିର୍ମିତ ୩ଟି ଚକା ଓ ୩ଟି ଅପସର ମଠ ତରଫରୁ ଯୋଗାଯାଇଥାଏ । ମଠ ପକ୍ଷରୁ ଦରଜୀ ସେବକ ଏହି ଅପସର ନିର୍ମିତ କରିଥାନ୍ତି ।

ଶ୍ରୀମନ୍ଦିର ନବକଳେବର ପରମ୍ପରା ଅନୁଯାୟୀ ପୁରାତନ ବିଗ୍ରହଙ୍କର ପାତାଳି ଓ ଲୌକିକ ଶୁଦ୍ଧିକ୍ରିୟା ପାଳନ ଅବସରରେ ମାଲ ଆଷାଢ଼ ଶୁକ୍ଲପକ୍ଷ ତ୍ରୟୋଦଶୀ ଦିନ ହଜାର ହଜାର ସଂଖ୍ୟକ ସାଧୁ, ସନ୍ଥ, ବ୍ରାହ୍ମଣ, ବୈଷ୍ଣବ, ସାଧାରଣ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ବେଢ଼ା ପରିସରରେ ମହାପ୍ରସାଦ ସେବନର ବନ୍ଦୋବସ୍ତ ହୋଇଥାଏ । ଏହି ମହାପ୍ରସାଦ ପୁରୀରେ ସୁପ୍ରତିଷ୍ଠିତ କେତେକ ପ୍ରମୁଖ ମଠ ମଧ୍ୟରେ ଏମାର, ଉତ୍ତରପାର୍ଶ୍ଵ, ଜିୟରସ୍ଵାମୀ, ସିଦ୍ଧବକୁଳ, ବଡ଼ଓଡ଼ିଆ, ପପୁଡ଼ିଆ ରେବସା, ରାଘବ ଦାସ, ରାଧାବଲ୍ଲଭ, ମଙ୍ଗୁ, ରାଧାକାନ୍ତ, ଛାଉଣୀ, ଦକ୍ଷିଣପାର୍ଶ୍ଵ, ପଞ୍ଜାବୀ, ବଡ଼ଛତା ଇତ୍ୟାଦି ମଠ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ସମୂହ ମହାପ୍ରସାଦ ସେବନ ନିମିତ୍ତ ମହାପ୍ରସାଦ ହାଣ୍ଡି ଯୋଗାଇଥାନ୍ତି । ଗତ ୧୯୯୬ ମସିହା ନବକଳେବରରେ ଏହି ଉପଲକ୍ଷେ ବଡ଼ଓଡ଼ିଆ ମଠ ଓ ରାଧାବଲ୍ଲଭ ମଠ ୫ ହାଣ୍ଡି ଅନ୍ନ ମହାପ୍ରସାଦ ଓ ତଦନୁଯାୟୀ ଡାଲି, ବେସନ ଇତ୍ୟାଦି ଯୋଗାଇଥିଲେ । ସେହିପରି ସୁନାଗୋସ୍ଵାମୀ ମଠ ପକ୍ଷରୁ ଚକଟା ଭୋଗ ମଧ୍ୟ ଯୋଗାଯାଇ ଥାଏ ।

ଅତୀତରେ ନବକଳେବର ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀକ୍ଷେତ୍ରର ବିଭିନ୍ନ ସମ୍ପ୍ରଦାୟର ‘ମଠ’ ଓ ଆଖଡ଼ା’ ପକ୍ଷରୁ ‘ଡେରା’ ମାନ ନଅଦିନ ଧରି ପଡୁଥିଲା । ସେଠାରେ ଶାସ୍ତ୍ରାର୍ଥ, ଧର୍ମ ଚର୍ଚ୍ଚା, ପରାୟଣ ଓ ସଂକୀର୍ତ୍ତନର ଝଙ୍କାରରେ ଶରଧାବାଲି ପ୍ରକମ୍ପିତ ହେଉଥିଲା । ଅତିଥି, ଅଭ୍ୟାଗତ, ବିଦେଶାଗତ ସାଧୁସନ୍ଥ ତଥା ଭକ୍ତ ମଣ୍ଡଳୀକୁ ପ୍ରସାଦ ସେଅବନରେ ଆପ୍ୟାୟିତ କରାଯାଉଥିଲା । ନବନିର୍ମିତ ଦାରୁ ବିଗ୍ରହମାନେ ରଥ ଉପରେ ଅଧିଷ୍ଠିତ ହେଉଥିବା ବେଳେ ମଠ ଓ ଆଖଡ଼ା ପକ୍ଷରୁ ଅନେକ ପ୍ରକାର ଫଳ, ସୁସ୍ଵାଦୁ ଭୋଗ ଦ୍ରବ୍ୟ ସାମଗ୍ରୀ ସମର୍ପିତ ହେଉଥିଲା । ସୂଚନାଯୋଗ୍ୟ ଯେ ୧୯୧୨ ମସିହା ନବକଳେବର ରଥଯାତ୍ରାରେ ଶ୍ରୀ ସମ୍ପ୍ରଦାୟର ‘ଡେରା’ କୁ ସଭାପତି ରୂପେ କାଞ୍ଚିପୁରମରୁ ବିଖ୍ୟାତ ପଣ୍ଡିତ ଶ୍ରୀଲ ଅନନ୍ତାଚାର୍ଯ୍ୟ ଯୋଗ ଦେଇଥିଲେ ।

ଉପସଂହାର :

ଶ୍ରୀମନ୍ଦିର ଅନନ୍ୟ ପରମ୍ପରା ନବକଳେବର ବିଧିର ଅୟମାରମ୍ଭ ବନଯାଗଠାରୁ ଆରମ୍ଭ କରି ଦାରୁ ଅନ୍ଵେଷଣ, ଶ୍ରୀକ୍ଷେତ୍ରକୁ ଦାରୁ ଆନୟନ, ବିଗ୍ରହଙ୍କ ଘଟ ପରିବର୍ତ୍ତନ, ମହାଅନବସର ସର୍ବୋପରି ନବକଳେବର ଶ୍ରୀଗୁଣ୍ଡିଚା ଯାତ୍ରା ଇତ୍ୟାଦି ବିଭିନ୍ନ ପର୍ଯ୍ୟାୟରେ ଶ୍ରୀକ୍ଷେତ୍ରର ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟର ମଠମାନଙ୍କର ସମ୍ପୃକ୍ତି ଗୁରୁତ୍ଵପୂର୍ଣ୍ଣ ଅଟେ । ଅତୀତରେ ଗୋବର୍ଦ୍ଧନ ମଠ, ଶଙ୍କରାନନ୍ଦ ମଠ, ଏମାର ମଠ ଓ ଅନ୍ୟାନ୍ୟ କେତେକ ମଠର ସନ୍ନ୍ୟାସୀ, ଅଧିକାରୀ ତଥା ମଠାଧୀଶମାନେ ନବକଳେବର ଆୟୋଜନରେ ସମ୍ପୃକ୍ତ ରହି ଗଜପତି ମହାରାଜାମାନଙ୍କୁ ମହାପ୍ରଭୁଙ୍କର ଏହି ଅନନ୍ୟ ପରମ୍ପରା ନବକଳେବରରେ ସହଯୋଗ କରୁଥିବା ଜଣାଯାଏ ।

ତଥ୍ୟ ସୂଚୀ ଓ ବ୍ୟକ୍ତି ବିଶେଷ :

୧.

ଶ୍ରୀମନ୍ଦିର ନବକଳେବର ପରମ୍ପରା-ଡ. ଭାସ୍କର ମିଶ୍ର, ପ୍ରକାଶକ: ଏସ୍.ବି.ପବ୍ଲିକେଶନସ୍, କଟକ ।

୨.

ଶ୍ରୀମନ୍ଦିର ସଂସ୍କୃତିରେ ମଠ ଓ ମନ୍ଦିରମାନଙ୍କ ଭୂମିକା- ଡ.ଭାସ୍କର ମିଶ୍ର (ପିଏଚ୍.ଡି. ନିବନ୍ଧ) ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ବାରିପଦା, ୨୦୦୮ ମସିହା ।

୩.

ରାଘବ ଦାସ ମଠ କାର୍ଯାଳୟ ।

୪.

ଓଡ଼ିଆ ମଠ ଅଧିକାରୀ ଶ୍ରୀ ବଂଶଧର ଦାସ ଗୋସ୍ଵାମୀ ।

୫.

ଜଗନ୍ନାଥ ବଲ୍ଲଭ ଟ୍ରଷ୍ଟବୋର୍ଡ଼ କାର୍ଯାଳୟ, ପୁରୀ ।

୬.

ଶ୍ରୀନାରାୟଣ ରାମାନୁଜ ଦାସ, ମଠାଧୀଶ, ଉତ୍ତରପାରର୍ଶ୍ଵମଠ, ପୁରୀ ।

 

ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କିତ ପ୍ରକାଶିତ

ପୁସ୍ତକ –ଏକ ଅନୁଶୀଳନ

ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର

ନବ ଓ କଳେବର ଦୁଇଟି ପଦର ସମାହାରରୁ ‘ନବକଳେବର’ ଶବ୍ଦର ସୃଷ୍ଟି, ଯାହାର ଅର୍ଥ ହେଉଛି ନୂତନ ବା ନୂଆ ଶରୀର । ଶରୀର ହେଉଛି କ୍ଷର ବା ଅନିତ୍ୟ । ଶ୍ରୀମଦ ଭାଗବତ ଗୀତା (୧୫/୧୬-୧୭)ରେ କୁହାଯାଇଛି, କ୍ଷର (ବିନାଶଶୀଳ) ଓ ଅକ୍ଷର (ଅବିନାଶଶୀଳ ବା ଅବିନଶ୍ଵର) ଏହି ଦୁଇଟି ପୁରୁଷ ସଂସାରରେ ପ୍ରସିଦ୍ଧ ଅଟନ୍ତି । ତନ୍ମଧ୍ୟରୁ ସର୍ବଭୂତ ହେଉଛନ୍ତି କ୍ଷର ପୁରୁଷ ଏବଂ କୂଟସ୍ଥ ହେଉଛନ୍ତି ଅକ୍ଷର ପୁରୁଷ । ଏହି ଦୁଇଟିରୁ ଅତୀତ ବା କୌଣସିଟିର ପୂର୍ଣ୍ଣଧାରଣାରେ ଆସିବା ଭଳି ନ ହୋଇ ଟଙ୍କାର ଦୁଇ ପାର୍ଶ୍ଵ ପରି ଦୁହିଁଙ୍କୁ ଏକତ୍ର ଧରିଥିବରୁ ଇଶ୍ଵର ହେଉଛନ୍ତି ‘ପୁରୁଷୋତ୍ତମ’ । ପରୋକ୍ଷରେ ଏଠାରେ ଶରୀରକୁ ବିନାଶଶୀଳ ଓ ଆତ୍ମାକୁ ଅବିନାଶଶୀଳ, ଅବିନଶ୍ଵର ତଥା ନିତ୍ୟା ବୋଲି ଗ୍ରହଣ କରାଯାଇଛି । ଶରୀରକୁ ପଞ୍ଚମହାଭୂତାତ୍ମକ ବୋଲି କୁହାଯାଇଛି । ପଞ୍ଚମହାଭୂତ ପଦାର୍ଥକୁ କ୍ଷରରୂପ ଅର୍ଥାତ୍ ବିନାଶଶୀଳ ଓ ଅକ୍ଷରକୁ ବିକାରହୀନ ଅବିନଶ୍ଵର ତଥା ନିତ୍ୟ ବୋଲି କୁହାଯାଇଛି । ୠକ୍ ବେଦ (୧/୧୬୪/୨୦) ଓ ବିଭିନ୍ନ ଉପନିଷଦରେ ମଧ୍ୟ କୁହାଯାଇଛି ସଂସାରରୂପୀ ବୃକ୍ଷ ହେଉଛି ବିରାଟର ଶରୀର । ଜୀବାତ୍ମାର କର୍ମଫଳ ଭୋଗାଶ୍ରୟ ହେଉଛି ଶରୀର । ଏହାର ଉପରେ ଚେତନ ସ୍ଵରୂପ ଜୀବାତ୍ମା ଓ ପରମାତ୍ମା ବାସ କରନ୍ତି । ଜୀବାତ୍ମା ନିଜର କୃତକର୍ମଫଳ ଭୋଗ କରିବା ସମୟରେ ପରମାତ୍ମା ସାକ୍ଷୀ ରୂପେ ଏଥିରେ ଅବସ୍ଥାନ କରିଥାଆନ୍ତି । ୠକ୍ ବେଦ (୪/୨/୧)ରେ ଜୀବାତ୍ମାକୁ ମର୍ତ୍ତ୍ୟପ୍ରାଣୀମାନଙ୍କ ମଧ୍ୟରେ ଅମର ଓ ନିଜର ମହତ୍ତ୍ଵରେ ପ୍ରକାଶମାନ, ନିତ୍ୟ ସ୍ଵରୂପ ତଥା ସତ୍ ସଙ୍ଗତିରେ ମୁକ୍ତିପ୍ରାପ୍ତକାରୀ ବୋଲି କୁହାଯାଇଛି । ଅର୍ଥାତ୍ ଆତ୍ମାର ନିତ୍ୟତ୍ଵ କଥା ଏଠାରେ ବର୍ଣ୍ଣିତ ହୋଇଛି । ଆତ୍ମାର ନିତ୍ୟତ୍ଵ ପ୍ରତିପାଦନରେ ଐତରୀୟ, ମୁଣ୍ଡକ, କଠ ଓ ବୃହଦାରଣ୍ୟକ୍ ପ୍ରଭୃତି ଉପନିଷଦ ଶତମୁଖ ହୋଇଥିବାର ପରିଦୃଷ୍ଟ ହୁଏ । ୠକ୍ ବେଦ (୧/୧୬୪/୩୦)ରେ ଦେହର ଅନିତ୍ୟତା ଓ ଆତ୍ମାର ନିତ୍ୟତା ତଥା ଗୋଟିଏ ଶରୀରକୁ ପରିତ୍ୟାଗ କରି ଅନ୍ୟ ଏକ ଶରୀରରେ ଭ୍ରମଣ କରିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ମୁଣ୍ଡକ ଉପନିଷଦ(୨/୧୦) ଅନୁଯାୟୀ ମହାମଣ୍ଡଳରେ ଆତ୍ମାକୁ ଯେତେବେଳେ କୌଣସି ସୂର୍ଯ୍ୟ, ଚନ୍ଦ୍ର ବା ତାରାଗଣ ଓ ବିଜୁଳି ପ୍ରକାଶ କରି ପାରେ ନାହିଁ, ସେତେବେଳେ ଏହି ଅଗ୍ନି କିପରି ପ୍ରକାଶ କରିପାରିବ ବୋଲି ସୂଚନା ପ୍ରଦାନ କରି କୁହାଯାଇଛି-

“ନ ତତ୍ର ସୂର୍ଯ୍ୟୋ ଭାତି ଣ ଚନ୍ଦ୍ରତାରକଂ

 

ନେମା ବିଦ୍ୟୁତୋ ଭାନ୍ତି କତୋଽଯମାଗ୍ନିଃ”

ବେଦ ଓ ଉପନିଶଦର ଏ ସମସ୍ତ ଉକ୍ତିର ଅନୁରଣନ ଶ୍ରୀମଦ୍ ଭଗବତ ଗୀତାରେ ପ୍ରତିଧ୍ଵନିତ ହୋଇଥିବାର ଦେଖିବାକୁ ମିଳିଥାଏ । ଗୀତା (୨/୨୧-୨୨)ରେ ଏହି ତତ୍ତ୍ଵକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବାକୁ ଯାଇ କହିଛନ୍ତି, ‘ହେ ଅର୍ଜୁନ ! ଯେଉଁ ଲୋକ ଆତ୍ମାକୁ ଅଜ, ଅବ୍ୟୟ, ନିତ୍ୟ ଓ ଅବିନାଶୀ ବୋଲି ଜାଣନ୍ତି, ସେ ଲୋକ କିପରି କାହାକୁ ହତ୍ୟା କରେ ବା କରାଏ ? ଜଡ଼ବସ୍ତୁର ସାଧାରଣ ଧର୍ମ ରୂପେ ସ୍ଵୀକୃତ ଜନ୍ମ, ଅସ୍ତିତ୍ଵ, ବୃଦ୍ଧି, ପରିମାଣ, ଅପକ୍ଷୟ ଓ ବିନଶାଦି ଛଅପ୍ରକାର ବିକାର ରହିତ ହେଉଛି ଆତ୍ମା । ମନୁଷ୍ୟ ଯେପରି ଜୀର୍ଣ୍ଣବସ୍ତ୍ରକୁ ପରିତ୍ୟାଗ କରି ଅନ୍ୟ ଏକ ନୂତନ ବସ୍ତ୍ରକୁ ଗ୍ରହଣ କରେ, ଆତ୍ମା ସେହିପରି ଜୀର୍ଣ୍ଣ ଦେହ ବା ଶରୀରକୁ ପରିତ୍ୟାଗ କରି ଅନ୍ୟ ଏକ ନୂତନ ଦେହ ବା ଶରୀରକୁ ଗ୍ରହଣ କରେ ।କାରଣ ଆତ୍ମାକୁ କୌଣସି ଶସ୍ତ୍ର ଛେଦନ କରିପାରେ ନାହିଁ, ଦଗ୍ଧ କରିପାରେ ନାହିଁ, ଜଳ ଆର୍ଦ୍ର କରିପାରେ ନାହିଁ କିମ୍ବା ବାୟୁ ଶୁଷ୍କ କରିପାରେ ନାହିଁ ।’ ଏହି ତତ୍ତ୍ଵ ଉପରେ ନିର୍ଭର କରି ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଆତ୍ମା ରୂପକ ବ୍ରହ୍ମପଦାର୍ଥକୁ ନବକଳେବର ସମୟରେ ପୁରାତନ ବିଗ୍ରହମାନଙ୍କ ଶରୀରରୁ ବାହାର କରି ନୂତନ ବିଗ୍ରହମାନଙ୍କ ମଧ୍ୟରେ ବିଧିପୂର୍ବକ ସ୍ଥାପନ କରାଯାଉଥିବାରୁ ଏହା ‘ନବକଳେବର’ ନାମରେ ନାମିତ ।

ଏଥି ନିମିତ୍ତ ମାସାଧିକ ସମୟ ଆବଶ୍ୟକ ହେଉଥିବାରୁ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ବା ଆଷାଢ଼ ମଳମାସ ପଡ଼େ, ସେହିବର୍ଷ ମହାପ୍ରଭୁଙ୍କର ନବକଳେବର ସମୟରେ ବନଯୋଗ କରି ଦାରୁ ଅଣାଯାଇ ବିଧିପୂର୍ବକୁ ନୂତନ ବିଗ୍ରହ ନିର୍ମାଣ ଓ ପ୍ରତିଷ୍ଠାଦି କର୍ମ କରାଯାଉଥିବା ସମୟରେ ପୁରାତନ ବିଗ୍ରହ ମଧ୍ୟରୁ ବ୍ରହ୍ମପଦାର୍ଥକୁ ଅତ୍ୟନ୍ତ ଗୋପନରେ ବାହାର କରି ନୂତନ ବିଗ୍ରହ ମଧ୍ୟରେ ସ୍ଥାପନ କରାଯାଏ । ପୁରାତନ ବିଗ୍ରହଙ୍କ ଶରୀରକୁ କୋଇଲି ବୈକୁଣ୍ଠ ଅନ୍ତିମ ବିଶ୍ରାମ ବା ଗୋଲଜକ ବିଶ୍ରାମ ଦିଆଯାଏ । ଲୋକବିଶ୍ଵାସରେ ୧୨ ବର୍ଷ ଅନ୍ତରରେ ନବକଳେବର ହୁଏ ବୋଲି କଥିତ ହେଲେ ହେଁ ଅତୀତରେ ଏହା ପ୍ରାୟ ୮,୧୧,୧୯ ଓ ୨୭ ବର୍ଷ ବ୍ୟବଧାନରେ ହୋଇଥିବାର ଜଣାଯାଏ । ମହାପ୍ରଭୁଙ୍କର ଏହି ନବକଳେବରକୁ ନେଇ କେତେଗୁଡିଏ କାବ୍ୟ କବିତା ଓ ପବନ୍ଧାଦି ପୁସ୍ତକ ବିଭିନ୍ନ ଭାଷାରେ ରଚନା କରାଯାଇଥିଲେ ହେଁ ଉକ୍ତ ଗ୍ରନ୍ଥମାନଙ୍କ ସମ୍ପର୍କରେ କୌଣସି ବିଧିବନ୍ଧ ଆଲୋଚନା ହୋଇ ଣ ଥିବାରୁ ଏଠାରେ ତାହାର ବିଚାର ବିବେଚନା ନିମନ୍ତେ ପ୍ରାରମ୍ଭିକ ପ୍ରୟାସ କରାଯାଇଛି ।

ଉନବିଂଶ ଶତାବ୍ଦୀରେ ଆଦୟାଭାଗରେ ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ନିମନ୍ତେ ଇଂରେଜମାନେ ପ୍ରଥମେ ଓଡ଼ିଆଜାତିର ପ୍ରାଣର ଠାକୁର ଶ୍ରୀଜଗନ୍ନାଥଙ୍କ ବିରୁଦ୍ଧରେ କୁତ୍ସାରଟନା ପାଇଁ ପ୍ରୟାସୀ ହୋଇଥିଲେ । ଏହି ପ୍ରୟାସୀର ପ୍ରାରମ୍ଭିକ ଫଳ ରୂପେ କଲିକତାର ବ୍ୟାପଟିଷ୍ଟ ମିଶନ ପ୍ରେସ୍ରୁ ମହାଶ୍ଚର୍ଯ୍ୟ ଫଳ’ ଶୀର୍ଷକ କେତେଗୁଡ଼ିଏ ପ୍ରଚାର ପୁସ୍ତିକା (ଟ୍ରାକ୍ଟ) ପ୍ରକାଶ କରାଯାଇଥିଲା । ଉକ୍ତ ପୁସ୍ତକର ପ୍ରଣେତା ଥିଲେ ଚାର୍ଲସ ଲେସି । ଏହି ଦ୍ବାରା ଅନୁପ୍ରାଣିତ ହୋଇ ୧୮୬୭ ମସିହାରେ ମୁକୁନ୍ଦ ଦାସ ନାମକ ଜନେ ଖ୍ରୀଷ୍ଟଧର୍ମାବଲମ୍ବୀ ଭାଗବତର ଲୋକପ୍ରିୟ ନବାକ୍ଷରୀ ବୃତ୍ତରେ ‘ଜଗନ୍ନାଥ ପରୀକ୍ଷା’ ନାମକ ଏକ ପ୍ରଚାର ପୁସ୍ତିକା ରଚନା କରି ତନ୍ମଧ୍ୟରେ ଶ୍ରୀକ୍ଷେତ୍ର ବର୍ଣ୍ଣନା, ଜଗନ୍ନାଥଙ୍କ ଉତ୍ପତ୍ତି, ଜଗନ୍ନାଥର ଆକାର ବିଷୟ, ଜଗନ୍ନାଥର ଚୋରୀ ଓ ଆପଦ, ଜଗନ୍ନାଥର ବିକ୍ରୟ ଓ ମୂଲ୍ୟ, ଜଗନ୍ନାଥର ମହାପ୍ରସାଦ ଓ କୈବଲ୍ୟ, ଶ୍ରୀଗୁଣ୍ଡିଚା ଯାତ୍ରା, ଜଗନ୍ନାଥ ଯାତ୍ରାର ଲାଭ, ଜଗନ୍ନାଥ ସ୍ଥାପନାର ମୂଳ କାରଣ, ଜଗନ୍ନାଥ ସେବାର ଆନ୍ତରିକ ଫଳ, ସତ୍ୟ ଜଗନ୍ନାଥଙ୍କ ବିଷୟ, ସତ୍ୟ ଜଗନ୍ନାଥ ଧାମକୁ ଯିବାର ବାଟ ପ୍ରଭୃତି ପ୍ରାୟ ୬୬ଟି ଟ୍ରାକ୍ଟକୁ ସ୍ଥାନିତ କରିଥିଲେ । ଏହାରି ମଧ୍ୟରେ ନବାକ୍ଷରୀ ବୃତ୍ତରେ ୨୪ଟି ପଦରେ ରଚିତ ‘ଜଗନ୍ନାଥର ନୂଆ କଳେବର’ ଅନ୍ୟତମ । ଏଥିରେ ବିଗ୍ରହ ପୁରୁଣା ଓ ପୋକରା ହେଲେ ବଣରୁ ନିମ୍ବକାଠ ଆଣି ବିଗ୍ରହ ତିଆରି କରାଯାଏ ଓ ପୁରୁଣା ଜଗନ୍ନାଥଙ୍କ ଦେହରୁ ଶାଳଗ୍ରାମକୁ କାଢି ନୂଆ ବିଗ୍ରହ ମଧ୍ୟରେ ରଖାଯାଏ ଆଦି ବିଷୟରେ ବର୍ଣ୍ଣନା କରାଯାଇଛି । ହିନ୍ଦୁଧର୍ମ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଖ୍ରୀଷ୍ଟିଆନମାନଙ୍କର ଥିବା ବିଦ୍ଵେଶ ମନୋଭାବ ତଥା ନିଜ ଧର୍ମ ପ୍ରଚାରକ ଅଭିଳାଷର ସୁସ୍ପଷ୍ଟ ସୂଚନା ନିମ୍ନୋକ୍ତ ଉଦହରଣରୁ ମିଳିଥାଏ ।

ଯେ ସତ୍ୟ ଜଗତର ନାଥ

ଅକ୍ଷୟ ଅଟଳ ଅନନ୍ତ

ସେ କେବେ ନ ହୁଅନ୍ତି ଜୀର୍ଣ୍ଣ

ସବୁକାଳରେ ସେ ସମାନ

ତାଙ୍କର ଜୀର୍ଣ୍ଣାବସ୍ଥା ନାହିଁ

ଅକ୍ଷୟ ନାମ ସେ ବୋଲାଇ

ତାହାଙ୍କୁ କେଉଁ କାରିଗର

କରିବା ନୂଆ କଳେବର

କେ ତାଙ୍କୁ ବଦଳାଇ କରି

ଗଢ଼ିବ ନୂଆ ନୂଆ କରି

କେବେ ହେଁ ନୁହଁଇ ଏମନ୍ତ

ଯୁଗକୁ ଯୁଗ ଏକ ମତ

ନୁହଁଇ ଅନ୍ୟଥା ତାଙ୍କର

ଅଥବା ଶରୀର ବିକାର

ନାହିଁ ତାଙ୍କର ଜୀର୍ଣ୍ଣାବସ୍ଥା

ନୁହେ ରୂପ ଗୁଣ ଅନ୍ୟଥା

ସକଳ ବିଜ୍ଞ ହିନ୍ଦୁଗଣ

ଏଥିରୁ ମିଳେ ସୁପ୍ରମାଣ

ଏ ନୋହେ ବୁଦ୍ଧିମାନ କର୍ମ

କେବଳ ନିର୍ବୋଧାଚରଣ

ଏପରି କର୍ମ ବେଗେ ତେଜ

ଶ୍ରୀସତ୍ୟଜଗନ୍ନାଥ ଭଜ

ଏହାଙ୍କ ପରେ ସ୍ଵାଧିନତା ପରବର୍ତ୍ତୀ ସମୟରେ ଅର୍ଥାତ୍ ୧୯୫୦ ମସିହାରେ ରସବିହାରୀ ମହାନ୍ତିଙ୍କ ‘ନୂଆକଳେବର’, ଓଡ଼ିଶା ସରକାରଙ୍କ ଲୋକସମ୍ପର୍କ ବିଭାଗ ଦ୍ଵାରା ‘ନବକଳେବର ଗୀତିକା’, ଶଙ୍କର୍ଷଣ ରାଜଙ୍କ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’; ୧୯୬୯ ମସିହାରେ ସେକ୍ ବାକର ମହମ୍ମଦଙ୍କ ‘ନବକଳେବର ଓ ଭକ୍ତ ନାରାୟଣ’, ଅମୃତଲାଲ ଶିକ୍ଷା ଭାବନା ଦ୍ଵାରା ଲିଖିତ ଓ ପ୍ରକାଶିତ ‘ଦାରୁ ଦର୍ଶନ ଓ ନବକଳେବର’; ୧୯୭୭ ମସିହାରେ ନାରୀକବି ସରସ୍ଵତୀ ମିଶ୍ରଙ୍କ ‘ନବକଳେବର ଜଣାଣ’, ଗୋପୀନାଥ ମଲ୍ଲିକଙ୍କ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ସେକ୍ ବାକର ମହମ୍ମଦଙ୍କ ‘ଶ୍ରୀଜଗନ୍ନାଥଙ୍କ ନବକଳେବର‘, ବୃନ୍ଦାବନ ସାହୁଙ୍କ ଦ୍ଵାରା ପ୍ରକାଶିତ ‘ନବକଳେବର, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା’; ୧୯୯୬ ମସିହାରେ ମାୟାଧର ପଣ୍ଡାଙ୍କ ‘ନବକଳେବର’, ସରସ୍ଵତୀ ମିଶ୍ରଙ୍କ ‘ନବକଳେବର ଜଣାଣ’, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରକାଶିତ ‘ନବକଳେବର ଗୀତିକା’, ଚନ୍ଦ୍ରମଣି ପାଢ଼ୀଙ୍କ ‘ନବକଳେବର ପାଇଁ ଦାରୁ ଠିକଣା ଓ ଜଗନ୍ନାଥ ପ୍ରଭୁଙ୍କର ନବକଳେବର ଏବଂ କଳିଯୁଗ କାହାଣୀ (ଦ୍ଵିତୀୟ ପ୍ରକାଶନ)’, ନନ୍ଦ କିଶୋରେ ପ୍ରଧାନଙ୍କର ‘ଶ୍ରୀଜଗନ୍ନାଥଙ୍କ ଦାରୁପ୍ରାପ୍ତି ଚଉତିଶା’ ଓ ସଦାଶିବ ମିଶ୍ରଙ୍କ ସମ୍ପାଦନାରେ କବିତା ସଂକଳନ ‘ଦାରୁବ୍ରହ୍ମଙ୍କର ନବକଳେବର’ ପ୍ରଭୃତି ଲୋକାର୍ପିତ ହୋଇଥିଲା । ଏତଦ୍ ବ୍ୟତୀତ ଧନେଶ୍ଵର ମହାନ୍ତିଙ୍କ ‘ନବକଳେବର ଓ ଗୁଣ୍ଡିଚା ଯାତ୍ରା’ ନାମକ ଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା ।

ଏ ସମସ୍ତ କବିତାପୁସ୍ତକ ମଧ୍ୟରୁ ଲୋକସମ୍ପର୍କ ବିଭାଗ ଦ୍ଵାରା ୧୯୫୦ ଓ ୧୯୯୬ ମସିହାରେ ପ୍ରକାଶିତ ‘ନବକଳେବର ଗୀତିକା’ରେ କେବଳ କେତେଗୁଡ଼ିଏ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଭଜନ ଓ ଜଣାଣ ସ୍ଥାନିତ ହେବା ସହିତ ୧୯୫୦ ମସିହାରେ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କର ‘ନବକଳେବର ଜଣାଣ’ ଶୀର୍ଷକ ଗୋଟିଏ ଛଅ ପଦ ବିଶିଷ୍ଟ ଭାଜନ ସଂଯୋଗ କରାଯାଇଥିଲା । ଅମୃତ ଶିକ୍ଷା ଭବନ ଦ୍ଵାରା ଲିଖିତ ଓ ପ୍ରକାଶିତ ‘ଦାରୁ ଦର୍ଶନ ଓ ନବକଳେବର’ କବିତାଟିକୁ ୭ଟି ଲହରୀରେ ବିଭାଗୀକରଣ କରି ତନ୍ମଧ୍ୟରେ ନବକଳେବରର ବର୍ଣ୍ଣନା କରାଯିବା ସହିତ ଭକ୍ତପ୍ରାଣର ସ୍ରୋତସ୍ଵିନୀର ପ୍ଲାବନ ଏଥିରେ ପରିଲକ୍ଷିତ ହୋଇଥାଏ । ଗୋପୀନାଥ ମଲ୍ଲିକଙ୍କ କବିତା ପୁସ୍ତକାଟିରେ ଦାରୁଯାତ୍ରା ଠାରୁ ଆରମ୍ଭ କରି କୋଇଲି ବୈକୁଣ୍ଠରେ ମହାପ୍ରଭୁଙ୍କ ଦାରୁ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ବୃତ୍ତାନ୍ତକୁ ଦାରୁବ୍ରହ୍ମ ନିର୍ଣ୍ଣୟ, ଦାରୁ ଦର୍ଶନେ ଦଇତାପତିଙ୍କ ମନ, ଯଜ୍ଞଦାରୁ ଛେଦନ ଶୀର୍ଷକରେ ବିଭାଜନ କରିବା ସହ ନବକଳେବର ବୃତ୍ତ, ଭାଗବତ ବୃତ୍ତ, ଓ ଚୋଖି ରାଗରେ ବର୍ଣ୍ଣନା କରିଛନ୍ତି । ୧୯୭୭ ଓ ୧୯୯୬ ମସିହାରେ ନବକଳେବର ଘଟଣାକୁ ଆଧାର କରି ନାରୀକବି ସରସ୍ଵତୀ ମିଶ୍ର ନବକଳେବର ଜଣାଣ ପୁସ୍ତକଦ୍ଵୟରେ ଭକ୍ତି ବିଭୋର ଚିତ୍ତରେ ନିଜର ଭାବୋଚ୍ଛାସକୁ ପ୍ରକାଶ କରିଛନ୍ତି । ସଦାଶିବ ମିଶ୍ରଙ୍କ ଦ୍ଵାରା ସଂକଳିତ ଦାରୁବ୍ରହ୍ମଙ୍କର ନବକଳେବର କବିତା ସଂକଳନରେ ବିଭିନ୍ନ କବିଙ୍କର ଶ୍ରୀଜଗନ୍ନାଥକୈନ୍ଦ୍ରିକ କେତେକ କବିତା ସହିତ ଶ୍ରୀଜଗନ୍ନାଥଙ୍କର ନବକଳେବରକୁ ନେଇ ୨୪ଟି କବିତା ସ୍ଥାନିତ ହୋଇଛି । କବିତାଗୁଡିକ ଅମିତ୍ରାକ୍ଷରୀ ଛନ୍ଦରେ ଲେଖା ଯାଇଥିବାରୁ ପାଠକୀୟା ଆଦୃତିକୁ ଉପଯୁକ୍ତ ଭାବରେ ଆପଣେଇ ପାରିନି । ବ୍ରହ୍ମପୁର ନିକଟସ୍ଥ ମନ୍ତ୍ରିଡ଼ିର ସିଦ୍ଧ ଭୈରବୀ ପୀଠ ପଶ୍ଚାତଭାଗରେ ନବା ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରେ ପ୍ରତିଷ୍ଠିତ ବିଗ୍ରହମାନଙ୍କ ଦାରୁପ୍ରାପ୍ତି ଘଟଣାକୁ ନେଇ ନନ୍ଦକିଶୋର ପ୍ରଧାନଙ୍କ ‘ଦାରୁପ୍ରାପ୍ତି ଚଉତିଶା’ ୠଦ୍ଧିମନ୍ତ ହୋଇଛି । ଅନ୍ୟାନ୍ୟ କବିତା ପୁସ୍ତକଗୁଡିକରେ ନବକଳେବରର ବର୍ଣ୍ଣନା ସହ ସ୍ରଷ୍ଟାଙ୍କର ଭକ୍ତିଭାବର ଅମନ୍ଦ ମନ୍ଦାକିନୀଧାରାର ପ୍ଲାବନ ପରିଲକ୍ଷିତ ହୋଇଥାଏ । ଛନ୍ଦବଦ୍ଧ ପଦ୍ୟରେ ଏଗୁଡିକ ଲେଖା ଯିବା ସହ ଏଥିରେ କବି ପ୍ରାଣର ଉଦବେଳିତ ଭାବ ପ୍ରାଚୁର୍ଯ୍ୟର ସ୍ପନ୍ଦନ ଅନୁରଣନ ସୃଷ୍ଟି କରିଥାଏ ।

ନବକଳେବର ବିଷୟକ ତତ୍ୟକୁ ନେଇ ୨୦୧୫ ମସିହାରେ ଶିଶୁ ଉପଯୋଗୀ ସାହିତ୍ୟ ସର୍ଜନାର ଆଦ୍ୟ ପ୍ରୟାସ କରିଛନ୍ତି ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ତାଙ୍କର ‘ଆସ ଶୁଣିବ ନବକଳେବର କାହାଣୀ’ ପୁସ୍ତିକାରେ । ପୁସ୍ତିକାଟିରେ ୧୧ଟି ଛୋଟଛୋଟ ଗଳ୍ପ ମାଧ୍ୟମରେ ଅତି ସରଳ ଭାଷା, ସାବଲୀଳ ଭଙ୍ଗୀ ତଥା ପ୍ରାଞ୍ଜଳ ଭାବ ବିନ୍ୟାସ ମଧ୍ୟରେ ଶିଶୁମାନଙ୍କୁ ନବକଳେବରର ସମଗ୍ର ବୃନ୍ତାନ୍ତକୁ ଅବଗତ କରାଇବାକୁ ଉଦ୍ୟମ କରିଛନ୍ତି ଡକ୍ଟର ଖୁଣ୍ଟିଆ ।

ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ଆଧାର କରି ପ୍ରକାଶ ପାଇଥିବା ପ୍ରବନ୍ଧ ପୁସ୍ତକମାନଙ୍କ ମଧ୍ୟରେ ୧୯୬୯ ମସିହାରେ ଡକ୍ଟର କାହ୍ନୁଚରଣ ମିଶ୍ରଙ୍କ ‘ଶ୍ରୀଜଗନ୍ନାଥ ଓ ନବକଳେବର’, ଅନିରୁଦ୍ଧ ଦାଶଙ୍କ ‘ନବକଳେବର’, ସୋମନାଥ ଖୁଣ୍ଟିଆଙ୍କର ‘ନବକଳେବର ତଥ୍ୟ ସମୀକ୍ଷା’; ୧୯୭୭ ମସିହାରେ ପଣ୍ଡିତ ସଦାଶିବ ରଥଶର୍ମାଙ୍କ ‘ବ୍ରହ୍ମର ପୁଣି ନବକଳେବର’; ୧୯୯୬ ମସିହାରେ ଜଗବନ୍ଧୁ ପାଢ଼ୀଙ୍କ ‘ଶ୍ରୀପୁରୁଷୋତ୍ତମ ତତ୍ତ୍ଵ ଓ ନବକଳେବର’, ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ‘ପୁରାଣ ପରମ୍ପରା ଓ ନବକଳେବର’, ଡକ୍ଟର ଯଜ୍ଞକୁମାର ସାହୁଙ୍କ ‘ନବକଳେବର ଓ ଜଗନ୍ନାଥ ଧର୍ମର ଐତିହାସିକ ପୃଷ୍ଟଭୂମି’ , ସ୍ଵାମୀ ପ୍ରଜ୍ଞାନାନନ୍ଦ ଗିରିଙ୍କ ‘ଶ୍ରୀଜଗନ୍ନାଥ ଓ ନବକଳେବର’, ଡକ୍ଟର ଅନନ୍ତ ମିଶ୍ରଙ୍କ ‘ନବକଳେବର ମାହାତ୍ମ୍ୟ’, ରବିନ୍ଦ୍ରନାରାୟଣ ମିଶ୍ରଙ୍କ ‘ପରଂବ୍ରହ୍ମଙ୍କ ନବକଳେବର’, କୃଷ୍ଣଚନ୍ଦ୍ର ମହାପାତ୍ର ଓ ଭାସ୍କର ମିଶ୍ରଙ୍କ ‘ଦାରୁବ୍ରହ୍ମଙ୍କ ନବକଳେବର’, ବିବୁଧରଞ୍ଜନଙ୍କ ‘ନବକଳେବର’, ପଣ୍ଡିତ ସଦାଶିବ ରଥଶର୍ମାଙ୍କ ‘ବ୍ରହ୍ମର ପୁଣି ନବକଳେବର’ ର ପରିମାର୍ଜିତ ସଂସ୍କରଣ, ଶରତଚନ୍ଦ୍ରଙ୍କ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ଚାରଣ ବସନ୍ତ ପଣ୍ଡାଙ୍କ ‘ରହସ୍ୟମୟ ନବକଳେବର’, ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କ ‘ଶତାବ୍ଦୀର ଶେଷ ନବକଳେବର’, ଚିନ୍ତାମଣି ଖୁଣ୍ଟିଆଙ୍କ ‘ନବକଳେବର-୧୯୯୬’; ୨୦୧୩ ମସିହାରେ ଡକ୍ଟର ଭାସ୍କର ମିଶ୍ରଙ୍କ ଦଦ୍ଵାରା ଲିଖିତ ‘ଶ୍ରୀମନ୍ଦିରରେ ନବକଳେବର ପରମ୍ପରା’ ଓ ୨୦୧୪ ମସିହାରେ ସମ୍ପାଦିତ ନବକଳେବର, ନବକଳେବର ସକ୍ଷିପ୍ତ ବିଧି, ନବକଳେବର ବହିଃ ଓ ଅନ୍ତଃ ବନଯୋଗ ବିଧି, ନଗେନ୍ଦ୍ରନାଥ ପଟ୍ଟନାୟକଙ୍କ ‘ଦାରୁବ୍ରହ୍ମଙ୍କ ଦାରବୀ ଲୀଳା ନବକଳେବର’ : ୨୦୧୫ ମସିହାରେ ପଦ୍ମନାଭ ମହାପାତ୍ରଙ୍କ ମହାପ୍ରଭୁଙ୍କ ନବକଳେବର’, ଅନାମ ସାହୁଙ୍କ ‘ନବକଳେବର ଶ୍ରୀଜଗନ୍ନାଥ ଓ ଜ୍ୟୋତିର୍ବିଜ୍ଞାନ’, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଦାରୁବ୍ରହ୍ମଙ୍କ ନବକଳେବର, ପଣ୍ଡିତ ରାମକୃଷ୍ଣ ପତିଙ୍କ ‘ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଓ ନବକଳେବର’, ସୁନୀଲ ରଥଙ୍କ ‘ଦାରୁବ୍ରହ୍ମଙ୍କ ନବକଳେବର’, ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମ୍ପାଦାନରେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଓ ବାଲୁଙ୍କେଶ୍ଵର ସାହୁଙ୍କ ‘ଦାରୁବ୍ରହ୍ମଙ୍କ ନବକଳେବର’ ପ୍ରଭୃତି ଗ୍ରନ୍ଥର ନାମ ଉଲ୍ଲେଖ ଯୋଗ୍ୟ ।

୧୯୬୯ ମସିହାରେ ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ନେଇ ଡକ୍ଟର କାହ୍ନୁଚରଣ ମିଶ୍ର, ଅନିରୁଦ୍ଧ ଦାସ ଓ ସୋମନାଥ ଖୁଣ୍ଟିଆ ପ୍ରଭୃତିଙ୍କର ତିନୋଟି ପୁସ୍ତକ ପ୍ରକାଶ ପାଇଥିଲେ ହେଁ ଡକ୍ଟର କାହ୍ନୁଚରଣ ମିଶ୍ରପ୍ରଥମ ପୁସ୍ତକ ରଚୟିତା ଭାବେ ସ୍ଵୀକୃତ । ଅନିରୁଦ୍ଧ ଦାଶଙ୍କ ପୁସ୍ତକରେ ଯୁକ୍ତି ନିଷ୍ଠତା ସହ ତଥ୍ୟର ସଜ୍ଜୀକରଣ; କାହ୍ନୁଚରଣ ମିଶ୍ରଙ୍କ ଗବେଷଣା ମନୋଭାବ ସହ ନୂତନ ଉପାଦାନର ସଂଯୋଗ, ସୋମନାଥ ଖୁଣ୍ଟିଆଙ୍କ ଜନଶ୍ରୁତି ଭିତ୍ତିକ ଆଲୋଚନା; ସଦାଶିବ ରଥଶର୍ମାଙ୍କ ସଂସ୍କୃତ ପ୍ରଭାବିତ ବିଶ୍ଲେଷଣ; ଜଗବନ୍ଧୁ ପାଢୀଙ୍କ ଆଲୋଚନାରେ ମୌଳିକ ତତ୍ତ୍ଵ, ଦାର୍ଶନିକତତ୍ତ୍ଵ ତଥା ଜିଜ୍ଞାସୁ ପ୍ରବଣତା; ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଆକର୍ଷଣୀୟ ଶୈଳୀ, ପ୍ରାମାଣିକତା ତଥା ସତ୍ୟାନୁସନ୍ଧାନ ନିମନ୍ତେ ଅଦ୍ୟମ ପ୍ରଚେଷ୍ଟା; ଡକ୍ଟର ଯଜ୍ଞକୁମାର ସାହୁଙ୍କ ଲୌକିକ ତଥା ଅଲୌକିକ କାହାଣୀ ସହାୟତାରେ ଜଗନ୍ନାଥ ତତ୍ତ୍ଵ ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ ନିମିତ୍ତ ପ୍ରୟାସ; ଡକ୍ଟର ଅନନ୍ତ ମିଶ୍ରଙ୍କ ବିଷୟ ପରିବେଷଣ ଭଙ୍ଗିମା; ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବ୍ୟାପକ ଆଲୋଚନା ସହ ନବକଳେବର ସମ୍ପର୍କିତ କଥା ଓ ଗାଥା; କୃଷ୍ଣଚନ୍ଦ୍ର ମହାପାତ୍ର ଓ ଭାସ୍କର ମିଶ୍ରଙ୍କ ଗ୍ରନ୍ଥରେ ନବକଳେବର ସମ୍ପର୍କିତ ସନ୍ଦେହ ମୋଚନ ନିମନ୍ତେ ଉଦ୍ୟମ ସେବାୟତମାନଙ୍କ ମୁଖ ନିସୃତକଥା ବା ଅନୁଭୂତିର ସଂଯୋଗୀକରଣ, ସୌଦ୍ଧାନ୍ତିକ ମନ୍ତବ୍ୟର ଅଭାବବୋଧ; ବିବୁଧରଞ୍ଜନଙ୍କର ଭାବପ୍ରବଣତା ସହ ସର୍ବଜନବୋଧ୍ୟ ସରଳ ତଥା ମନ ଆକର୍ଷଣକାରୀ ଭାଷାର ପ୍ରୟୋଗ ପାଠକୀୟ ଆଦୃତି ବୃଦ୍ଧି ନିମିତ୍ତ ସହାୟକ ହେଲେ ମଧ୍ୟ ଏଥିରେ ପ୍ରମାଣିକ ଉପାଦାନର ଅଭାବବୋଧ; ଶରତଚନ୍ଦ୍ରଙ୍କ ଫିଚରଧର୍ମୀ ଉପସ୍ଥାପନା; ଚାରଣ ବସନ୍ତପଣ୍ଡାଙ୍କ ନବକଳେବରର ବିବରଣୀ ଭିତ୍ତିକ ପର୍ଯ୍ୟାଲୋଚନା; ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କ ଗ୍ରନ୍ଥଟି ବିବରଣାତ୍ମକ, ଜନଶ୍ରୁତି ତଥା ପୂର୍ବ ପ୍ରକାଶିତ ତଥା ସଂଗୃହୀତ ଉପାଦାନ; ଡକ୍ଟର ଭାସ୍କର ମିଶ୍ରଙ୍କ ପୁସ୍ତକରେ ବିବରଣାତ୍ମକ, ସନ୍ଦେହ ଦୂରୀକରଣ ସହ ତଥ୍ୟନିଷ୍ଠ କରିବା ନିମନ୍ତେ ଆନ୍ତରିକ ପ୍ରଚେଷ୍ଟାର ମୁଦ୍ରାଙ୍କ ପରିଲକ୍ଷିତ ହୋଇଥାଏ । ନଗେନ୍ଦ୍ରନାଥ ପଟ୍ଟନାୟକ ନିଜର ଗ୍ରନ୍ଥଟିକୁ ସଚିତ୍ର କରିବା ସହ ତଥ୍ୟନିଷ୍ଠ କରିବା ନିମନ୍ତେ ପ୍ରୟାସ କରିଥରଲେ ହେଁ ମୁଦ୍ରଣ ଜନିତ ବହୁଳ ତ୍ରୁଟି ପାଠକୀୟ ଜିଜ୍ଞାସାବୋଧରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ପଦ୍ମନାଭ ମହାପାତ୍ରଙ୍କ ପୁସ୍ତକରେ ପ୍ରମାଣିକ ତଥୟ ପ୍ରଦାନ ନିମିତ୍ତ ପ୍ରୟାସ ପରିଲକ୍ଷିତ ହୋଇଥିବା ବେଳେ ଅନାମ ସାହୁ, ପଣ୍ଡିତ ରାମକୃଷ୍ଣ ପତି ଓ ସୁନୀଲରଥ ନିଜର କେତୋଟି ପ୍ରବନ୍ଧ ସଂକଳନ କରିଛନ୍ତି । ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର ପୂର୍ବରୁ ପ୍ରକାଶିତ ତଥା ଅନୁପଲବ୍ଧ କେତେଗୁଡିଏ ପ୍ରବନ୍ଧ ସହ ନୂତନ କିଛି ପ୍ରବନ୍ଧର ସଂଯୋଗରେ ସମ୍ପାଦନା କରିଛନ୍ତି ତାଙ୍କର ଶ୍ରୀଜଗନ୍ନାଥଙ୍କ ନବକଳେବର ପୁସ୍ତକଟିକୁ । ବାଲୁଙ୍କେଶ୍ଵର ସାହୁନିଜର ଗ୍ରନ୍ଥରେ ଦାରୁବ୍ରହ୍ମଙ୍କ ନବକଳେବରକୁ ଲୋକପ୍ରିୟ କରିବା ନିମନ୍ତେ ଉଦ୍ୟମ କରିଥିବାର ଜଣାଯାଏ । ଏଥିରେ ସାମାନ୍ୟ କେତେକ ତ୍ରୁଟି ବିଚ୍ୟୁତ ମଧ୍ୟ ଦେଖିବାକୁ ମିଳେ ।

ଓଡ଼ିଆ ଭାଷାରେ ଲିଖିତ ଉପର୍ଯ୍ୟୁକ୍ତ ପ୍ରବନ୍ଧ ପୁସ୍ତକଗୁଡିକ ମଧ୍ୟରେ ମହାପ୍ରଭୁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କିତ ବହୁ ତଥ୍ୟ ପ୍ରଦାନ କରାଯାଇଥିବାର ଦୃଷ୍ଟିଗୋଚର ହୁଏ । ଏହି ତଥ୍ୟ ମଧ୍ୟରୁ କେତେକ ତଥ୍ୟ ସୂଚନାତ୍ମକ ହେବା ସମୟରେ କେତେକ ତଥ୍ୟ ଭ୍ରମାତ୍ମକ । ଭ୍ରମାତ୍ମକ ତଥ୍ୟ ମଧ୍ୟରେ ‘ଅଶୌଚ ପାଳନ କରୁଥିବା ସେବକମାନଙ୍କ ପତ୍ନୀମାନେ ଚୁଡ଼ି ବଦଳାନ୍ତି ‘, ‘କୋଇଲି ବୈକୁଣ୍ଠରେ ପୁରାତନ ବିଗ୍ରହ ପାତାଳି ହେବା ସମୟରେ ଦେବଦାସୀମାନେ ହାତରୁ କାଚ କାଢ଼ନ୍ତି, ନଖ କାଟନ୍ତି, ସମାଜିକ ପରିପ୍ରେକ୍ଷୀରେ କାନ୍ଦନ୍ତି’, ‘ଦଇତାମାନେ ମୁକ୍ତି ମଣ୍ଡପ ଉପରେ ବସି ତେଲ ଲଗାନ୍ତି’, ‘ଚୋଡ଼ଗଙ୍ଗ ଦେବଙ୍କ ନୃସିଂହ ମନ୍ଦିର ଶିଳାଲେଖାରେ ନବ ବିଗ୍ରହ ପ୍ରତିଷ୍ଠାପନ’ ଓ ‘୧୬୬୫ ମସିହାରେ ହୋଇଥିବା ନବକଳେବରରେ ଦଇତାପତିମାନେ ପ୍ରଥମେ ନବକଳେବର ସହିତ ସମ୍ପୃକ୍ତ ହୋଇଥିବାର ଜନଶ୍ରୁତି ଥିଲା, କିନ୍ତୁ ୧୭୩୦ ମସିହା ନବକଳେବରରେ ସେମାନେ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ ରହିଥିଲେ’ ଇତ୍ୟାଦିକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରାଯାଇପରେ ।

ଇଂରାଜୀ ଭାଷାରେ ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ଆଧର କରି ରଚିତ ହୋଇଥିବା ପୁସ୍ତକ ମଧ୍ୟରେ ୧୯୬୯ ମସିହାରେ ଅନିରୁଦ୍ଧ ଦାଶଙ୍କ ଲିଖିତ ‘navakalevara’, ବିବୁଧରଞ୍ଜନଙ୍କ ଦ୍ବାରା ରଚିତ ୧୯୯୬ରେ ‘(The New Embodiment of Lord Jagannath) Navakalevar’ ଓ ୨୦୦୮ ରେ ‘Divine Death-Lord Jagannath: The New Embodiment’, ୨୦୧୧ ମସିହାରେ ରୋଲାଣ୍ଡ ହାର୍ଡନବର୍ଗଙ୍କ ଦ୍ବାରା ରଚିତ ‘The Renewal of Jagannath’s Body, Ritual and Society in Orissa’ ଓ ୨୦୧୩ ମସିହାରେ ଡକ୍ଟର ଭାସ୍କର ମିଶ୍ରଙ୍କ ‘Nabakalebar of Shri Jagannatha, Puri’; ୨୦୧୫ ମସିହାରେ ଦେଉଳ ପୁରୋହିତ ପଦ୍ମନାଭ ମହାପାତ୍ରଙ୍କ ‘Nabakalebara of Darubrahma’, ଦୁର୍ଗାପ୍ରସାଦ ଦାସମହାପାତ୍ରଙ୍କ ‘Darubrahma Sri Jagannath, His Nabakalebar’, ମନୋରମା ମିଶ୍ରଙ୍କ ‘Role of Sevaks of Lord Jagannath and Nabakalebara’ ପ୍ରଭୃତି ଗ୍ରନ୍ଥର ନାମ ଉଲ୍ଲେଖ ଯୋଗ୍ୟ ।

ଇଂରାଜୀଭାଷା ମାଧ୍ୟମରେ ଅଣଓଡ଼ିଆମାନଙ୍କୁ ନବକଳେବର ସମ୍ପର୍କରେ ଅବଗତ କରାଇବାର ଆଦ୍ୟ ପ୍ରୟାସ କରିଥିଲେ ଅନିରୁଦ୍ଧ ଦାଶ ତାଙ୍କର ‘Navakalevara’ ପୁସ୍ତକ ମାଧ୍ୟମରେ । ପୁସ୍ତକଟିରେ ନବକଳେବର ସମ୍ପର୍କିତ ବହୁ ପ୍ରାମାଣିକ ତଥ୍ୟ ସନ୍ନିବିଷ୍ଟ ହୋଇଥିବାରୁ ଏହା ଏକ ମାର୍ଗନିର୍ଦ୍ଦେଶକାରୀ ଗ୍ରନ୍ଥ ରୂପେ ଗୃହୀତ । ବିବୁଧରଞ୍ଜନଙ୍କ ‘Navakalevar’; ଗ୍ରନ୍ଥରେ ନବକଳେବର ସମ୍ପର୍କରେ ଅନୁପମ ଧାରଣା, ନବକଳେବରର ରୀତିନୀତି, ପବିତ୍ର ବୃକ୍ଷର ଗୂଢ଼ବିଭାବ ଓ ନବକଳେବରର ଗୂଢ଼ ବିଧିବିଧାନ ପ୍ରଭୃତି ବିଷୟକୁ ଆଲୋଚନା କରାଯିବା ସହିତ ରଙ୍ଗୀନ ଚିତ୍ରର ସଂଯୋଗ ପୁସ୍ତକଟିର ମହତ୍ୱ ବୃଦ୍ଧିରେ ସହାୟକ ହୋଇପାରିଛି । ତାଙ୍କର ‘Divine Death Lord Jagannath: The New Embodiment’ ହେଉଛି ୧୯୯୬ ମସିହାରେ ପ୍ରକାଶିତ ଓଡ଼ିଆ ‘ନବକଳେବର’ ପୁସ୍ତକର ଇଂରାଜୀ ରୂପାନ୍ତର ଓ ଏହାକୁ ସର୍ଜନାତ୍ମକ ସାହିତ୍ୟର ଅନ୍ତର୍ଭୁକ୍ତ କରାଯାଇପାରେ । ରୋଲାଣ୍ଡ ହାର୍ଡନବର୍ଗଙ୍କ ‘The Renewal of Jagannath’s Body, Ritual and Society in Orissa’ ପୁସ୍ତକଟି ଜର୍ମାନ ଭାଷାର ଏକ ପିଏଚ୍.ଡି. ଗବେଷଣାତ୍ମକ ସନ୍ଦର୍ଭର୍ ଇଂରାଜୀ ରୂପାନ୍ତର ଗ୍ରନ୍ଥ । ଜଣେ ବିଦେଶୀ ହେଲେ ହେଁ ସେ ବହୁକଷ୍ଟ ସ୍ୱୀକାର ପୂର୍ବକ କ୍ଷେତ୍ରୀୟ AnuDfyan (Field Study) ଦ୍ୱାରା ଯେଉଁ ସୂଚନା ପାଇଛନ୍ତି, ତାହାକୁ ବିଶ୍ଲେଷଣ କରିବା ନିମିତ୍ତ ପଶ୍ଚାତପଦ ହୋଇ ନାହାନ୍ତି । ବ୍ରହ୍ମ ପରିବର୍ତ୍ତନ ପରେ ଦଇତାମାନଙ୍କ ସାମୟିକ ଅଶୌଚପାଳନ ସମ୍ପର୍କରେ ତାଙ୍କର ମତ ହେଉଛି, “Just as the eldest son or pupil of the abbot breaks open the skull of the deceased at the burial place, in a similar way the Daitapati open up the body of the divine icons, allow the spirit to move out and in addition initiate a period of impurity.” କିନ୍ତୁ ଶ୍ମଶାନରେ ମୃତଲୋକର ଖପୁରୀକୁ ତାର ପୁତ୍ର ବା ଶିଷ୍ୟ ଭାଙ୍ଗିବାର ପରମ୍ପରା ନ ଥିବାରୁ, ଏହି ମତଟି ବିଶେଷ ଯୁକ୍ତି ସମ୍ବଳିତ ଭଳି ମନେ ହୁଏ ନାହିଁ । ଡକ୍ଟର ଭାସ୍କର ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘Nabakalebara of Shri Jagannath, Puri’ ଛାବିଳ ଓ ବର୍ଣ୍ଣାଢ଼୍ୟ ରୂପ ଧାରଣ କରିଥିଲେ ମଧ୍ୟ ୨୦୧୪ ମସିହାରେ ଏହାର ପରିମାର୍ଜିତ ଦ୍ୱିତୀୟ ସଂସ୍କରଣକୁ ସେ ‘Nabakalebar Tradition of Lord Jagannath’ ନାମରେ ନାମିତ କରିଛନ୍ତି । ୨୦୧୫ ମସିହାରେ ପଦ୍ମନାଭ ମହାପାତ୍ର ତାଙ୍କର ‘Nabakalebara of Darubrhma’ ଗ୍ରନ୍ଥରେ ୫ଟି ଅଧ୍ୟାୟ ଓ ଦୁଇଟି ପରିଶିଷ୍ଟ ମାଧ୍ୟମରେ ନବକଳେବର ବିଷୟକ ବିଭିନ୍ନ ତଥ୍ୟକୁ ପରିବେଷଣ କରିବା ନିମନ୍ତେ ପ୍ରଚେଷ୍ଟା କରିବା ସମୟରେ ଦୁର୍ଗାପ୍ରସାଦ ଦାସମହାପାତ୍ର ତାଙ୍କର ‘Darubrahma Sri Jagannath, His Nabakalebar’ ଗ୍ରନ୍ଥରେ ୮ଟି ପରିଚ୍ଛେଦରେ ନବକଳେବର ସମ୍ପର୍କିତ ଆଲୋଚନା କରିଛନ୍ତି । ମନୋରମା ମିଶ୍ର ତାଙ୍କର ‘Role of Sevaks of Lord Jagannath and Nabakalebar’ ବହିଟିରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ରୀତିନୀତି, ପର୍ବପର୍ବାଣାଦି ପ୍ରଭୃତି ବିଷୟରେ ବିଶେଷ ଆଲୋଚନା କରାଯିବା ସହିତ ନବକଳେବରର ଇତିହାସ ଓ କିମ୍ବଦନ୍ତୀ, ଦାରୁଅନ୍ୱେଷଣ, ନୂତନ ବିଗ୍ରହ ନିର୍ମାଣଠାରୁ ଆରମ୍ଭକରି ପ୍ରତିଷ୍ଠାଦି କର୍ମ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ଶ୍ରୀଜଗନ୍ନାଥ ମିଶ୍ରଶର୍ମାଙ୍କ ଦ୍ୱାରା ସଂସ୍କୃତ ଭାଷାରେ ରଚିତ ‘ନବକଳେବର ଷଡଶୀତିଃ’ ପୁସ୍ତିକାଟି ପୁରୀ ଜଗନ୍ନାଥ ପ୍ରେସରୁ ୧୯୧୨ ମସିହାରେ ପ୍ରକାଶ ପାଇଥିଲା । ୮୬ଟି ଶ୍ଲୋକ ବିଶିଷ୍ଟ ଏହି ପୁସ୍ତିକାଟି ୧୯୧୨ ମସିହାରେ ପାଳିତ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର ଘଟଣାବଳୀକୁ ନେଇ ଲିଖିତ । ଉକ୍ତ ପୁସ୍ତିକାଟିରେ ନବକଳେବରର ସୂଚନା ସହିତ ସେହି ବର୍ଷ ହୋଇଥିବା ରଥଯାତ୍ରାର ବିଶଦ ବିବରଣୀ ପ୍ରଦାନ କରାଯାଇଛି । ଏହି ନବକଳେବରଟି ଗଜପତି ତୃତୀୟ ମୁକୁନ୍ଦ ଦେବ (ଖ୍ରୀ. ୧୮୮୮-୧୯୨୭) ଙ୍କ ରାଜତ୍ୱ ସମୟରେ ସଂଘଟିତ ହୋଇଥିଲା । ନବକଳେବର ନିମିତ୍ତ ପ୍ରାଶାସନିକ ପଦକ୍ଷେପ, ନବକଳେବର ବିଧାନ, ଘଟ ପରିବର୍ତ୍ତନ, ରଥୋତ୍ସବ ରୀତି, ରଥରେ ଗଜପତିଙ୍କ ଛେରାପହରା, ପୁରୀର ଶଙ୍କରାଚାର୍ଯ୍ୟ ମଧୁସୂଦନ ସରସ୍ୱତୀଙ୍କ ଦର୍ଶନ, ଯାତ୍ରୀମାନଙ୍କ ସମାଗମ ପ୍ରଭୃତି ବିଷୟ ଏଥିରେ ବର୍ଣ୍ଣନା କରାଯାଇଛି । ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଗ୍ରୀୟ ସଂସ୍କୃତ ଗବେଷଣା କେନ୍ଦ୍ର ଦ୍ୱାରା ୨୦୦୬ ମସିହାରେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କ ସମ୍ପାଦନରେ ଉକ୍ତ ପୁସ୍ତକଟି ପୁନର୍ବାର ଆତ୍ମପ୍ରକାଶ କରିଅଛି । ୧୯୭୭ ମସିହାରେ ପଣ୍ଡିତ ସଦାଶିବ ରଥଶର୍ମା ଓ ପଣ୍ଡିତ ବେଣୁଧର ପରିଡ଼ାଙ୍କ ଦ୍ୱରା ଲିଖିତ ୭ଟି ଅଧ୍ୟାୟ ବିଶିଷ୍ଟ ‘ଶ୍ରୀଜଗନ୍ନାଥ ଦେବସ୍ୟ ନବକଳେବର ବିଧାନମ୍’ ପୁସ୍ତିକାଟି ଶ୍ରୀଜଗନ୍ନାଥ ଶିକ୍ଷା ସାଂସ୍କୃତିକସଂସଦ ଦ୍ୱାରା ପ୍ରକାଶ ପାଇଥିଲା । ଏହି ପୁସ୍ତିକାଟିର ପ୍ରଥମରୁ ସପ୍ତମ ଅଧ୍ୟାୟ ମଧ୍ୟରେ ଯଥାକ୍ରମେ ଦାରୁ ସନ୍ଧାନ, ଦାରୁ ନିର୍ଣ୍ଣୟ ଓ ବନଯାଗ, ଦାରୁଛେଦନ, ଦାରୁ ଯାତ୍ରା, କାରୁଶାଳା ପଦ୍ଧତି, ବ୍ରହ୍ମୋତ୍ସବ ଓ ଅନବସରାଦି ବିଷୟ ବର୍ଣ୍ଣନା କରାଯିବା ପରେ ୨୫ ଶ୍ଲୋକ ଯୁକ୍ତ ‘ନବକଳେବର ବନ୍ଦନମ୍’ ଶୀର୍ଷକ ଏକ କବିତା ମଧ୍ୟ ସଂଯୋଗ କରାଯାଇଛି । ସମଗ୍ର ପୁସ୍ତିକାଟି ନୀଳାଦ୍ରି ମହୋଦୟ, ଇନ୍ଦ୍ରନୀଳମଣି ପୁରାଣ ତଥା ପ୍ରଚଳିତ ପରମ୍ପରା ଆଧାରରେ ଲେଖାଯାଇଥିବା କଥା ସ୍ୱୀକୃତ ।

କେବଳ ସଂସ୍କୃତ ନୁହେଁ ହିନ୍ଦୀ ଭାଷାରେ ମଧ୍ୟ କୌଣସି ଶଙ୍କର ଶର୍ମାଙ୍କ ରଚିତ ତଥା ପଣ୍ଡିତ ରାମ ସହାୟ ଅବସ୍ଥାଙ୍କ ଦ୍ୱାରା ପ୍ରକାଶିତ ‘ସର୍ବୋତ୍ତମ ବଡ଼ା ନବୀନ କଳେବର ମାହାତ୍ମ୍ୟ’ ପୁରୀରୁ ଆତ୍ମାପ୍ରକାଶ କରିଥିଲା ।ଏହି ପୁସ୍ତିକାଟିର ପ୍ରକାଶ ସମୟ ୧୯୬୯ ମସିହା । ଏଥିରେ ସଂସ୍କୃତ ପଦ୍ୟ ସହ ହିନ୍ଦୀଗଦ୍ୟରେ ନବକଳେବର ବିଷୟକୁ ସଂକ୍ଷିପ୍ତ ଭାବରେ ଉପସ୍ଥାପନ କରାଯିବା ସହିତ ଶ୍ରୀଗୁଣ୍ଡିଚା ଯାତ୍ରା ଆଦି ବିଷୟ ମଧ୍ୟ ବର୍ଣ୍ଣନା କରାଯାଇଛି । ଡକ୍ଟର କାହ୍ନୁ ଚରଣ ମିଶ୍ରଙ୍କ ଜଗନ୍ନାଥ ଔର ନବକଳେବର ୧୯୬୯ ମସିହାରେ ପ୍ରକାଶ ପାଇଥିଲା । ଏଥିରେ ନବକଳେବର ସମ୍ପର୍କରେ ଅନେକ ତଥ୍ୟ ସନ୍ନିବିଷ୍ଟ ହେବା ସହିତ ବିଶେଷ ଆଦୃତ ଲାଭ କରିଥିଲା-। ୧୯୯୬ ମସିହାରେ ଅଶୋକକୁମାର ପାଣ୍ଡେୟଙ୍କ ଦ୍ୱାରା ଲିଖିତ ‘ନବକଳେବର ଔର ରଥଯାତ୍ରା’ ପୁସ୍ତକଟି ହିନ୍ଦୀ ଭାଷାଭାଷୀଙ୍କ ଦ୍ୱାରା ବିଶେଷ ଆଦର ଲାଭ କରିବା ସହ ୨୦୧୨ ମସିହା ସୁଦ୍ଧା ଏହାର ୩ୟ ସଂସ୍କରଣ ସମ୍ଭବପର ହୋଇପାରିଛି । ପୁସ୍ତକଟିର ପ୍ରଥମ ସଂସ୍କରଣରେ ବର୍ଣ୍ଣିତ ବିଷୟ ମଧ୍ୟରୁ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସରେ ଜଗନ୍ନାଥ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏବଂ ଅନ୍ୟ ପର୍ବୋତ୍ସବ, ଜଗନ୍ନାଥଙ୍କର ଅନେକ ବେଶ, ଶ୍ରୀକ୍ଷେତ୍ର ଦର୍ଶନ, ବିଶିଷ୍ଟ ମଠ ମନ୍ଦିର ପ୍ରଭୃତି ବିଷୟକୁ ବାଦ୍ ଦିଆଯିବା ବେଳେ ୩ୟ ସଂସ୍କରଣରେ ଚିତ୍ରରେ ଜଗନ୍ନାଥ ପୁରୀ, ସ୍କନ୍ଦ ପୁରାଣରେ ଉତ୍କଳ ଏବଂ ମହାପ୍ରଭୁ ଜଗନ୍ନାଥ, ରଥଯାତ୍ରା ୨୦୧୨, ଚିତ୍ରରେ ରଥଯାତ୍ରା, ପଞ୍ଚରାତ୍ର ମହୋତ୍ସବ, ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରଭୃତି ନୂତନ ବିଷୟ ସଂଯୋଗ କରାଯାଇଛି ।

ନବକଳେବର ସମ୍ପର୍କିତ ବଙ୍ଗଳା ଭାଷାରେ ପ୍ରକାଶିତ ପୁସ୍ତକ ମଧ୍ୟରେ ଡକ୍ଟର କାହ୍ନୁଚରଣ ମିଶ୍ରଙ୍କ ‘ଶ୍ରୀଜଗନ୍ନାଥ ଓ ନବକଳେବର’ ଅନ୍ୟତମ । ଉକ୍ତ ପୁସ୍ତକଟି ରାଧାକୃଷ୍ଣ ହାଜରାଙ୍କ ଦ୍ୱାରା ଓଡ଼ିଆରୁ ବଙ୍ଗଳା ଭାଷାରେ ଅନୂଦିତ ହୋଇ ୧୯୮୨ ମସିହାରେ ଆତ୍ମପ୍ରକାଶ କରିଥିଲା ।

ଏହାର ପରବର୍ତ୍ତୀ ସଂସ୍କରଣରେ ବହିଟିର ନାମ ‘ଶ୍ରୀଜଗନ୍ନାଥଦେବେର ନବକଳେବର’ ହେବା ସହ ୨୦୦୮ ମସିହା ସୁଦ୍ଧା ଏହାର ପାଞ୍ଚଗୋଟି ସଂସ୍କରଣ ଲୋକାର୍ପିତ ହୋଇପାରିଛି । ୧୯୯୬ ମସିହାରେ ପ୍ରକାଶିତ ଡକ୍ଟର ବିବୁଧରଞ୍ଜନଙ୍କର ଓଡ଼ିଆ ‘ନବକଳେବର’ ପୁସ୍ତକଟିକୁ ୧୯୯୮ ମସିହାରେ ଅମିୟ ଚକ୍ରବର୍ତ୍ତୀ ବଙ୍ଗଳା ଭାଷାରେ ଅନୁବାଦ କରିବା ସହ ଏହା ପ୍ରକାଶନର ସୂର୍ଯ୍ୟାଲୋକ ଦେଖିପରିଥିଲା । ଏହି ପୁସ୍ତକଟିରେ ଲେଖକଙ୍କର ବିଷୟଚୟନର ଗମ୍ଭୀରତା, ଶବ୍ଦଗୁମ୍ପନରେ ସରଳତା ତଥା ଭାବ ପରିବେଷଣରେ ପ୍ରାଞ୍ଜଳତା ପାଠକୀୟ ଆଦୃତିକୁ ଆକର୍ଷିତ କରିପାରିଛି କହିଲେ ସତ୍ୟର ଅପାଳାପ ହେବ ନାହିଁ ।

୨୦୦୫ ମସିହାରେ ଶ୍ରୀସଚ୍ଚିଦାନନ୍ଦ ମିଶ୍ର ତେଲୁଗୁ ଭାଷାରେ ‘ପୁରୀ ଶ୍ରୀଜଗନ୍ନାଥୁନୀ ନବକଳେବର ଉତ୍ସବମୁ’ ଶୀର୍ଷକ ବହିଟିଏ ରଚନା କରି ତେଲୁଗୁ ଭାଷାଭାଷୀମାନଙ୍କ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ଗ୍ରନ୍ଥରେ ସେ ଜଗନ୍ନାଥ ଚରିତ୍ର ସ୍ଥିତି ସଂସ୍କୃତି, ମନ୍ଦିରରେ ତାନ୍ତ୍ରିକ ପୂଜା, ନବକଳେବର, ଶବରପଲ୍ଲୀ ନିର୍ମାଣ, ବୈଦିକ ପୂଜା, ବ୍ରହ୍ମାତ୍ସବା ଲୀଳା, ବୈକୁଣ୍ଠ ଲୀଳା, ଅଣସର ଲୀଳା ପ୍ରଭୃତି ବିଷୟ ଅଲୋଚନା କରିବା ପରେ ରଥଯାତ୍ରା, ୧୯୯୬ ନବକଳେବର ଓ ଶ୍ରୀମନ୍ଦିରର କିଛି ଅଲୌକିକ ଘଟଣା ବିଷୟ ଉପସ୍ଥାପନ କରିଛନ୍ତି ।

ଏହି ସମସ୍ତଙ୍କୁ ବାଦ୍ ଦେଲେ ବିଭିନ୍ନ ପତ୍ରପତ୍ରିକା ଓ ସ୍ମରଣିକା ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କିତ ବିଶେଷ ସଂଖ୍ୟାମାନ ପ୍ରକାଶ କରିଥିବାର ଦେଖିବାକୁ ମିଳିଥାଏ । ଏହି ପ୍ରକାଶିତ ପତ୍ରପତ୍ରିକାଦି ମଧ୍ୟରେ ୧୯୫୦ ମସିହାରେ ଲୋକ ସମ୍ପର୍କ ବିଭାଗ ଦ୍ୱାରା ‘ନବକଳେବର ଉତ୍କଳ ପରିଚୟ’; ୧୯୬୯ ମସିହାରେ ‘ଉତ୍କଳ ପ୍ରସଙ୍ଗ’ର ନବକଳେବର ବିଶେଷାଙ୍କ, ୧୯୭୭ରେ ଚାରଣ ଗୋଷ୍ଠୀର ମୁଖପତ୍ର ‘ଉନ୍ମନା’, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ପୁସ୍ତିକା ‘ଶ୍ରୀଜଗନ୍ନାଥ ପୁରୀ ନବକଳେବର-ରଥଯାତ୍ରା ୧୯୯୬’ ଓ ମାସିକ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ଓ ୧୯୯୬ରେ ପୁରୀରୁ ପ୍ରକାଶ ପାଇଥିବା ‘ନୀଳାଦ୍ରି’, ଓଡିଶା ସାହିତ୍ୟ ଏକାଡ଼େମୀର ମୁଖପତ୍ର ‘କୋଣାର୍କ’, ପାରାଦ୍ବୀପ ଜଗନ୍ନାଥ ସମାଜର ମୁଖପତ୍ର ‘ଉଦୟନ୍ତୁ’, ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ପତ୍ରିକା ‘ଶ୍ରୀମନ୍ଦିର’, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’, ଫୁଲବାଣୀର ଅଖିଳ ଭାରତୀୟ ସନାତନ ଧର୍ମ ପ୍ରଚାର ପରିଷଦର ‘ନବକଳେବର ସ୍ମରଣିକା’, ପୁରୀର ଶ୍ରୀଜଗନ୍ନାଥ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରକାଶିତ ଦ୍ୱୈଭାଷିକ ସଂକଳନ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଓ ପୁରୀର ଶ୍ରୀ ଶ୍ରୀ ଜଗନ୍ନାଥ ନବକଳେବର ପ୍ରଚାର କମିଟି ଦ୍ୱାରା ପ୍ରକାଶିତ ‘ନବକଳେବର ୧୯୯୬’ ବା ‘Nabakalebar Review ୧୯୯୬’ ତଥା ୨୦୧୩ ମସିହାରେ ପ୍ରକାଶ ପାଇଥିବା ବିଶ୍ୱାବସୁ ସ୍ୱର୍ଗତ ରାଜକିଶୋର ଦାସମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବିଶେଷାଙ୍କ ‘ନକ୍ଷତ୍ର ସ୍ଵନକ୍ଷତ୍ର’, ୨୦୧୫ ମସିହାରେ ଭୁବନେଶରସ୍ଥ ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ଦ୍ୱାରା ପ୍ରକାଶିତ ‘ଦେବଭୂମି’, ସୁନାବେଡା ଶ୍ରୀଶ୍ରୀଜଗନ୍ନାଥ ସେବା ସଂସ୍ଥା ଦ୍ୱାରା ପ୍ରକାଶିତ ‘ସ୍ୱର୍ଣ୍ଣ କ୍ଷେତ୍ର’, କଳାହାଣ୍ଡିର କଲମପୁର ଜଗନ୍ନାଥ ମନ୍ଦିର ତରଫରୁ ‘କଳ୍ପତରୁ’ ପ୍ରଭୃତିର ନାମ ସ୍ମରଣ ଯୋଗ୍ୟ । ଏତଦ୍ ବ୍ୟତୀତ ଅନ୍ୟ କେତେକ ସାରସ୍ୱତ, ସାଂସ୍କୃତିକ ଅନୁଷ୍ଠାନ ଓ ପତ୍ରପତ୍ରିକା ନବକଳେବର ପତ୍ରିକା ତଥା ସ୍ମରଣିକା ପ୍ରକାଶ କରିବା ନିମିତ୍ତ ନିଜର ଉଦ୍ୟମ ଜାରି ରଖିଛନ୍ତି ।

୧୯୫୦ ମସିହାରେ ପ୍ରକାଶିତ ‘ନବକଳେବର ଉତ୍କଳ ପରିଚୟ’ଟି ହେଉଛି ଏକ ସୂଚନା ପୁସ୍ତିକା । ୨୦୧୩ ମସିହାରେ ପ୍ରକାଶ ପାଇଥିବା ‘ନକ୍ଷତ୍ରର ସ୍ୱନକ୍ଷତ୍ର’ରେ ବିଗତ ଚାରୋଟି ନବକଳେବର (୧୯୫୦, ୧୯୬୯, ୧୯୭୭ ଓ ୧୯୯୬)ର ଘଟଣାବଳୀ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ବିଶ୍ୱାବସୁ ରାଜକିଶୋର ଦାସମହାପାତ୍ରଙ୍କ ଦିନଲିପିରୁ ସଂଗ୍ରହ କରାଯାଇଥିବା ତଥ୍ୟ ଏଥିରେ ସ୍ଥାନିତ ହୋଇଛି । ଉକ୍ତ ଘଟଣାବଳୀଗୁଡ଼ିକ ପୂର୍ବରୁ ପ୍ରକାଶିତ ‘ସୁନାବେଶ’ ପୁସ୍ତକରେ ସ୍ଥାନିତ ହୋଇଥିବା କଥା ସ୍ମରଣିକାର ସମ୍ପାଦକ ସ୍ୱୀକାର କରିଛନ୍ତି । ଏହାକୁ ବାଦ ଦେଲେ ଅନ୍ୟ ସମସ୍ତପତ୍ରପତ୍ରିକା, ମୁଖପତ୍ର, ସ୍ମରଣିକାଗୁଡିକରେ ଶ୍ରୀଜଗନ୍ନାଥଙ୍କ ନବକଳେବର ବିଷୟ ଆଧାରିତ ସ୍ୱଳ୍ପ କେତୋଟି ଲେଖା ସହିତ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଅନ୍ୟ କେତୋଟି ଲେଖା ପ୍ରକାଶ ପାଇଥିବାର ଜଣାଯାଏ । ଏହି ଲେଖାଗୁଡିକରେ ନବକଳେବର ସମ୍ପର୍କରେ ସାମାନ୍ୟ କେତେକ ବିବରଣୀ ଥିବା ବେଳେ କିଛି ଜନଶ୍ରୁତିକୁ ମଧ୍ୟ ସଂଯୋଗ କରାଯାଇଛି । ଏପରି କି ବ୍ରହ୍ମ ପରିବର୍ତ୍ତନ ପରେ ଦଇତାମାନଙ୍କର ଅଶୌଚପାଳନ ବିଷୟରେ ଉଲ୍ଲେଖ ଅଛି, “ପୁରୁଣା ବିଗ୍ରହଙ୍କୁ ନେଇ ନିଜର ଆତ୍ମୀୟ ପରି ସମାଧି ଦିଅନ୍ତି । ନାଲି କନାର ଶେଯଟିଏ ପାରି ଶୁଆଇ ଦେଇ ଶିଉଳି ଲତା ତଳେ କାନ୍ଦନ୍ତି; ଘରେ ମାଇପିପିଲେ ରୋଦନ କରନ୍ତି । ପାଣିବୁଡ଼ଠାରୁ ସମସ୍ତ ଦୁର୍ବଳକୃତ୍ୟ କରନ୍ତି । ଏହା ସହଜ ନୁହେଁ । ଯେଉଁ ପୁରୁଷୋତ୍ତମ ବେଦଠାରୁ ପୁରାଣ ପର୍ଯ୍ୟନ୍ତ ସର୍ବବାଦୀ ସମ୍ମତ ଭାବେ ପବିତ୍ରତମ ପ୍ରତିମାବାଦର ନିର୍ଗୁଣ ସଗୁଣାତ୍ମକର ପ୍ରତୀକ, ତାଙ୍କୁ ବାପ ବଡ଼ବାପ ମନେ କରି ହାଣ୍ଡି ପିଟିବାରେ ଆତ୍ମପ୍ରତ୍ୟୟ କେତେ ଦୃଢ଼, ସେ ଭଳି ଧାରଣା କେବଳ ଓଡିଶା ବିଚିତ୍ର ଦେଶରେ ସମ୍ଭବ”-

ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ନେଇ ସର୍ବପ୍ରଥମ ଗବେଷଣାତ୍ମକ ସନ୍ଦର୍ଭ ପ୍ରସ୍ତୁତ କରି ପୂର୍ଣ୍ଣଚନ୍ଦ୍ର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୮୨ ମସିହାରେ ପିଏଚ୍.ଡି. ଉପାଧି ପାଇଥିବା ବେଳେ ୧୯୯୮ ମସିହାରେ ରୋଲାଣ୍ଡ ହାର୍ଡ଼ନବର୍ଗ ବର୍ଲିନର ଫ୍ରି ୟୁନିଭର୍ସିଟିରୁ ଜର୍ମାନ ଭାଷାରେ ପିଏଚ୍.ଡି. ଉପାଧି ପ୍ରାପ୍ତ ହୋଇଛନ୍ତି । ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ରୋଲାଣ୍ଡ ହାର୍ଡ଼ନବର୍ଗଙ୍କ ପିଏଚ୍.ଡି. ଗବେଷଣାତ୍ମକ ସନ୍ଦର୍ଭ ଦୁଇଟି ଯଥାକ୍ରମେ ୧୯୭୭ ଓ ୧୯୯୬ ମସିହାର ନବକଳେବର ସମୟର କ୍ଷେତ୍ରୀୟ ଅନୁଧ୍ୟାନ(ରସରକ୍ଷୟ ଝଗ୍ଧଙ୍କୟଚ୍ଚ) ଉପରେ ନିର୍ଭରଶୀଳ ।

ଏ ସମସ୍ତବ୍ୟତୀତ ବିଭିନ୍ନ ସଂକଳିତଗ୍ରନ୍ଥ, ପତ୍ରପତ୍ରିକା, ସମ୍ବାଦପତ୍ର, ସ୍ମରଣିକା, ସାମୟିକ ସଂକଳନାଦିରେ ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କିତ ପ୍ରାୟ ଅର୍ଦ୍ଧ ସହସ୍ରାଧିକ ପ୍ରବନ୍ଧ ଇଂରାଜୀ, ଓଡିଆ ଓ ହିନ୍ଦୀ ପ୍ରଭୃତି ବିଭିନ୍ନ ଭାଷାରେ ପ୍ରକାଶ ପାଇଥିବାର ଜଣାଯାଏ । ଏପରିକି ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶ ପାଇଥିବା ପୁରୀ ଭ୍ରମଣ ମାର୍ଗଦର୍ଶନ ପୁସ୍ତିକାଗୁଡିକ(ଚଙ୍କକ୍ସସ ଏଙ୍କସୟର ଈକ୍ଟକ୍ଟଳଗ୍ଧ)ରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନବକଳେବର ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଅଛି । ଏସମସ୍ତ ବିଶ୍ୱମୟ ଓଡିଆପ୍ରାଣର ଠାକୁର ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ତଥା ପ୍ରସାର ନିମନ୍ତେ ସହାୟକ ହେବା ବେଳେ କେତେକ ଆଲୋଚକ ସତ୍ୟାନୁସନ୍ଧାନରେ ବ୍ରତୀ ହୋଇ ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କରେ ଲେଖନୀଚାଳନା ନିମିତ୍ତ ଆଗଭର ହୋଇଛନ୍ତି । ତଥାପି ଶ୍ରୀଜଗନ୍ନାଥଙ୍କ ନବକଳେବର ଅନ୍ୱେଷାର ସମାପ୍ତି ନାହିଁ । ତେଣୁ କେତେକ ବିଦ୍ୱାନ ଗବେଷକ, ପଣ୍ଡିତ ତଥା ଶ୍ରୀଜଗନ୍ନାଥପ୍ରେମୀ ଚଳିତ ୨୦୧୫ ମସିହା ନବକଳେବର ପୂର୍ବରୁ ଏ ସମ୍ପର୍କିତ ପୁସ୍ତକ ପ୍ରଣୟନ ଓ ଲୋକାର୍ପଣ ନିମିତ୍ତ ପ୍ରସ୍ତୁତି ଆରମ୍ଭ କରିବା ଅତ୍ୟନ୍ତ ଆନନ୍ଦର କଥା ।

ପରିଶେଷରେ ଏତିକି କୁହାଯାଇପାରେ ଯେ ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କିତ ପ୍ରକାଶିତ ପୁସ୍ତକ, ପତ୍ରପତ୍ରିକା ବିଷୟକ ଏହି ଆଲୋଚନାଟିକୁ ପୂର୍ଣ୍ଣାଙ୍ଗ ବୋଲି ମୁକ୍ତକଣ୍ଠରେ ସ୍ୱୀକାର କରାଯାଇ ନ ପାରେ । କାରଣ ଶ୍ରୀଜଗନ୍ନାଥ ଯେପରି ଅନନ୍ତ ଅପାର ସେହିପରି ତାଙ୍କ ସମ୍ପର୍କିତ ଆଲୋଚନା ମଧ୍ୟ ଅସୀମ । କେବଳ ସଂଗୃହୀତ ପୁସ୍ତକାଦିକୁ ନେଇ ଏଠାରେ ଏକ ପ୍ରାରମ୍ଭିକ ପ୍ରୟାସ କରାଯାଇଛି, କହିଲେ ସତ୍ୟର ଅପାଳାପ ହେବ ନାହିଁ ।

 

ନବକଳେବର ଶବ୍ଦାବଳୀ

ପ୍ରଫେସର ସୁରେନ୍ଦ୍ର ନାଥ ଦାଶ

ଏହି ସଂସାରର ପ୍ରତ୍ୟେକ ବସ୍ତୁ ପ୍ରତିକ୍ଷଣ ପରିବର୍ତ୍ତନ ହେଉଥାଏ । ସେ ଗୋଟିଏ ରୂପଛାଡ଼ି ଅନ୍ୟ ରୂପ ଧାରଣ କରୁଥାଏ । ପ୍ରଥମ ରୂପକୁ ତ୍ୟାଗ କରିବା ହେଉଛି ମୃତ୍ୟୁ ଏବଂ ଦ୍ୱିତୀୟ ରୂପ ଧାରଣ କରିବା ହେଉଛି ଜନ୍ମ । ଏଣୁ ଜନ୍ମ ମୃତ୍ୟୁର କ୍ରମ ପ୍ରବାହ ହେଉଛି ଏହି ସୃଷ୍ଟିର ଚିରନ୍ତନ ସ୍ରୋତ । ଏଣୁ ସୃଷ୍ଟିର ପରିବର୍ତ୍ତନ, ବିବର୍ତ୍ତନ ଓ ପରିସ୍ଥିତି ବଦଳିଯିବା ସ୍ୱଭାବିକ । ପରିବର୍ତ୍ତନ ବିନା ସଂସାରର ସ୍ୱରୂପ କଳ୍ପନା କରିବା କଷ୍ଟସାଧ୍ୟ । ଏହି ବିଚାରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଏବଂ ମୃତ୍ୟୁ ଓ ପୁନଃଜନ୍ମ ହେଉଛି । ସେଥିପାଇଁ କୁହାଯାଇଛି ‘ଯଥା ଜୀବେ ତଥା ଦେବେ’ । ମହୀମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ଏହା ହିଁ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବକଳେବରର ଲୌକିକ ଚିନ୍ତାଧାରା । ଶ୍ରୀଜଗନ୍ନାଥଙ୍କରପୁରାତନ ବିଗ୍ରହ ଜୀର୍ଣ୍ଣ ହେଲେ ତାହା ସାଧାରଣତଃ ଆଠବର୍ଷ, ବାରବର୍ଷ ଅଥବା ଊନେଇଶ ବର୍ଷର ବ୍ୟବଧାନରେ ନବକଳେବର ହୋଇଥାଏ । ଯେଉଁ ବର୍ଷ ଯୋଡ଼ା ଆଷାଢ଼ (ମଳ) ପଡ଼େ, ସେ ବର୍ଷ ଠାକୁରଙ୍କ ନବକଳେବର ବିଧି ହୁଏ ଓ ଅଣସର ସମୟ ଦେଢ଼ମାସ ହୁଏ । ଏହାକୁ ମହା ଅଣସର କୁହାଯାଏ । ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ସମେତ ସମସ୍ତ ରଥର ପାର୍ଶ୍ୱଦେବତା, ସାରଥି ନବକଳେବରରେ ସାମିଲ ହୋଇଥାନ୍ତି ।

୧୦୦୧ ଠାରୁ ୨୦୧୫ ଭିତରେ ଜ୍ୟୋତିଷ ଶାସ୍ତ୍ରାନୁସାରେ ଯୋଡ଼ା ଆଷାଢ଼ ୮୪ ଥର ପଡ଼ିଅଛି । ସେଥିମଧ୍ୟରୁ ୮ବର୍ଷ ବ୍ୟବଧାନରେ ୨୪ଥର, ୧୧ ବର୍ଷ ବ୍ୟବଧାନରେ ୧୬ ଥର, ୧୯ ବର୍ଷ ବ୍ୟବଧାନରେ ୪୨ ଥର ଓ ୨୭ ବର୍ଷ ବ୍ୟବଧାନରେ ୨ ଥର ନବକଳେବର ଅନୁଷ୍ଠିତ ହୋଇଅଛି । ନିମ୍ନୋକ୍ତ ଯୋଡ଼ା ଆଷାଢ଼ ମାସ ପଡ଼ିଥିବା ବର୍ଷଗୁଡିକ ହେଲା- ୧୦୦୧, ୧୦୨୦, ୧୦୩୯, ୧୦୬୬, ୧୦୮୫, ୧୧୦୪, ୧୧୨୩, ୧୧୩୧, ୧୧୪୨, ୧୧୫୦, ୧୧୬୧, ୧୧୮୦, ୧୧୯୯, ୧୨୦୭, ୧୨୨୬, ୧୨୪୫, ୧୨୬୪, ୧୨୭୨, ୧୨୮୩, ୧୨୯୧, ୧୩୦୨, ୧୩୧୦, ୧୩୨୧, ୧୩୨୯, ୧୩୪୦, ୧୩୪୮, ୧୩୭୬, ୧୩୮୬, ୧୪୦୫, ୧୪୧୩, ୧୪୨୪, ୧୪୩୨, ୧୪୪୩, ୧୪୫୧, ୧୪୬୨, ୧୪୭୦, ୧୪୮୧, ୧୪୮୯, ୧୫୦୮, ୧୫୨୭, ୧୫୪୬, ୧୫୫୪, ୧୫୬୫, ୧୫୭୩, ୧୫୮୪, ୧୫୯୨, ୧୬୦୩, ୧୬୧୧, ୧୬୨୨, ୧୬୩୦, ୧୬୪୯, ୧୬୬୮, ୧୬୮୭, ୧୬୯୮, ୧୭୦୬, ୧୭୩୩, ୧୭୪୪, ୧୭୫୨, ୧୭୭୧, ୧୭୯୦, ୧୮୦୯, ୧୮୨୮, ୧୮୩୬, ୧୮୫୫, ୧୮୭୪, ୧୮୯୩, ୧୯୧୨, ୧୯୩୧, ୧୯୫୦, ୧୯୬୯, ୧୯୭୭, ୧୯୯୬, ୨୦୧୫ ।

ନବକଳେବରକୁ ନେଇ ଶ୍ରୀଜଗନ୍ନାଥ ଚେତନାର ପ୍ରଚଳିତ କେତେକ ଶବ୍ଦ ନିମ୍ନରେ ବିଶ୍ଲେଷଣ କରାଯାଇଅଛି ।

ଅଙ୍କୁରାରୋପଣ-ସଂ.ବି.- ନବକଳେବର ସମୟରେ ବନଯାଗୀମାନେ ଦାରୁ ଚିହ୍ନଟ କଲାପରେ, ଦାରୁ ସଠିକ୍ ବୋଲି ଘୋଷଣା ପରେ, ପ୍ରଥମେ ଦାରୁଙ୍କୁ ଶ୍ରୀଜଗନ୍ନାଥଙ୍କଠାରୁ ଆସିଥିବା ଆଜ୍ଞାମାଳ ଅର୍ପଣ କରାଯାଏ । ଏଣୁ ଦାରୁ ଛେଦନ ପୂର୍ବରୁ ବନଯାଗ ଯଜ୍ଞ ନିମନ୍ତେ ବିଧିବିଧାନାନୁସାରେ କାର୍ଯ୍ୟ ଆରମ୍ଭ ହୁଏ । ପ୍ରଥମେ ପଞ୍ଚକର୍ମ ହୁଏ ତା’ପରେ ଭୂମି ଶୋଧନ, ଦାରୁପୂଜା, ମହାସ୍ନାନ ଓ ପରେ ଆଜ୍ଞାମାଳ ଲାଗି ହୁଏ । ଏହାପରେ ଯଜ୍ଞଶାଳା ନିର୍ମାଣ ସହ ଅଙ୍କୁରାରୋପଣ କରାଯାଇଥାଏ । ଏକଶହ ଆଠ ଗଡ଼ୁରେ ଜଳ ଆଣି ଦାରୁଙ୍କୁ ସ୍ନାନ କରାଯାଇ ସୁଦର୍ଶନ ଚକ୍ର ଦାରୁ ନିକଟରେ ସ୍ଥାପନ କରାଯାଏ । ତା’ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରଦାନ ହୁଏ । ତତ୍ପରେ ସମ୍ଭାର ଗୃହ ବା ଅଙ୍କୁର ଶାଳା ଏକ କ୍ଷୁଦ୍ର ଶସ୍ୟକ୍ଷେତ୍ର ପ୍ରସ୍ତୁତ କରାଯାଏ । ତହିଁରେ ଯବ, ଶାଳିଧାନ, ଗହମ, ତିଳ, ସୋରିଷ, ମୁଗ ପ୍ରଭୃତି ଶସ୍ୟ, ଚନ୍ଦନ ହଳଦୀ ଆଦିରେ ଗୋଳି ଉଷ୍ଣ ଜଳରେ ଧୋଇ ବପନ କରାଯାଏ । ତା’ପରେ ଏହା ଉପରେ ଗଙ୍ଗାଜଳ ସିଞ୍ଚନ କରି ଧରି କନାରେ ଆବୃତ କରି ଦିଆଯାଏ । ଅଙ୍କୁରାରୋପଣ ନୀତି ପବିତ୍ରତା ସହ ସମାହିତ ହେବା ପରେ ସମସ୍ତ ବନଯାଗୀ ହବିଷ୍ୟାନ୍ନ ଗ୍ରହଣ କରିଥାନ୍ତି । ଏହି ଅଙ୍କୁରାରୋପଣ ପାଇଁ ଏକ ସ୍ୱତନ୍ତ୍ର ମଣ୍ଡଳ ମୁରୁଜରେ ପକାଯାଏ । (ପ.ନ. – ପୃ. ୬୨) ।

ଅର୍ଘ/ଅର୍ଘ୍ୟ-ସଂ.ବି.-ପୂଜ୍ୟ, ମାନ୍ୟ, ପୂଜନୀୟ, ପୂଜାସାମଗ୍ରୀ । ପୂଜାରେ ବ୍ୟବହୃତ ଷୋଳଟି ଉପଚାର ମଧ୍ୟରୁ ଅନ୍ୟତମ । ଦେବତାଙ୍କ ପୂଜା ପାଇଁ ଅରୁଆ ଚାଉଳ, ଦୂବ, ଫୁଲ ଓ ଚନ୍ଦନମିଶ୍ରିତ ଜଳ । (ପୂ.ଓ.ଭା. – ପୃ.୫୭୪, ପୌ(ବ) ୧ମ – ପୃ.୯୬) ।

ଅଙ୍ଗନ୍ୟାସ-ସଂ.ବି.- ଦେବପୂଜା ଉପଲକ୍ଷେ ବୀଜ ମନ୍ତ୍ରାଂଶ ଉଚ୍ଚାରଣ ପୂର୍ବକଦେହର ଭିନ୍ନଭିନ୍ନ ନିର୍ଦ୍ଦିଷ୍ଟ ଅଙ୍ଗକୁ ଛୁଇଁବା କ୍ରିୟା । ପ୍ରାତଃକାଳରେ, ପୂଜାସମୟରେ ଓ ହୋମାଦି କର୍ମରେ ଏହି ଅଙ୍ଗନ୍ୟାସ ଉପଯୋଗ ହୋଇଥାଏ । ଯଥା, ଗାୟତ୍ରୀମନ୍ତ୍ରର ଅଙ୍ଗନ୍ୟାସ, ଓଁ ଭୂଃ ହୃଦୟାୟ ନମଃ, ଓଁ ଭୁବଃ ଶିରସେ ସ୍ୱାହା,ଓଁ ସ୍ୱଃ ଶିଖାୟୈ ବଷଟ୍, ଓଁ ତତ୍ସବିତୁର୍ବରେଣ୍ୟଂ କବଚାୟ ହୁମ୍, ଓଁ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ଯୋ ନଃ ପ୍ରଚୋଦୟାତ୍, କରତଳକରପୃଷ୍ଠାଭ୍ୟାଂ ଅସ୍ତ୍ରାୟ ଫଟ୍ । ଏହିପରି ସବୁ ମନ୍ତ୍ରର ଅଂଶ ଉଚ୍ଚାରଣ ପୂର୍ବକ ଭିନ୍ନଭିନ୍ନ ଅଙ୍ଗ ସ୍ପର୍ଶ କରିବାର ବିଧି ଅଛି । (ପୂ.ଓ.ଭା.-– ପୃ. ୧୧୦) ।

ଅଣସର-ଦେ.ବି.- ନ ଅବସର ଅନବସର । ଆଷାଢ କୃଷ୍ଣପକ୍ଷ ପ୍ରତିପଦଠାରୁ ପନ୍ଦର ଦିନ ପର୍ଯ୍ୟନ୍ତ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନିଭୃତ ବାସକୁ ନିରୋଧନ ନିବାସ କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମା ଓ ନେତ୍ରୋତ୍ସବର ମଧ୍ୟବର୍ତ୍ତୀ ପନ୍ଦର ଦିନ । ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ନିଷିଦ୍ଧ । ଅଣସର ପିଣ୍ଡି ପାଖରେ ତାଟିବାଡ଼ ଦିଆଯାଇ, ତ୍ରିମୂର୍ତ୍ତିଙ୍କର ପଟିପୂଜା କରାଯାଇଥାଏ । ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଦେବସ୍ନାନମଣ୍ଡପ ଉପରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କୁ ସ୍ନାନ ପରେ ସ୍ନାନମଣ୍ଡପରୁ “ଅଣସର ଗୁମୁଟ’କୁ ଗୋଟି ପହଣ୍ଡିରେ ନିଆଯାଇ ସେଠାରେ ଅମାବାସ୍ୟା ପର୍ଯ୍ୟନ୍ତ ଅଣସର ସେବା ବିଧି ହୁଏ । ଏହି ସମୟରେ ଯାତ୍ରୀମାନେ ଶ୍ରୀଜୀଉଙ୍କୁ ଦର୍ଶନ ନ କରି ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାଆନ୍ତି । (ଶ୍ରୀ.ସ୍ୱ. ୨ୟ –ପୃ. ୬୧, ଶ.କ. ୧ମ- ପୃ.୨୪, କ୍ର.ଓ.ଶ.-ପୃ.୧୭, ଶ.ଅ.-ପୃ.୨୧) ।

ଅଣସର ଘର-ଦେ.ବି.- ଶ୍ରୀଜଗନ୍ନାଥମନ୍ଦିରର କଳାହାଟ ଦ୍ୱାର ଏବଂ ଭିତର କାଠ ମଧ୍ୟରେ ଥିବା ସ୍ଥାନ । ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିମାନଙ୍କର ଅଣସର ନୀତି ହେଉଥିଲା ବେଳେ ତାଙ୍କ ଆଗରେ ରଖାଯାଇଥାଏ ବାଉଁଶର ଚାଞ୍ଚଡ଼ା ଘେର । ଏହି ସମୟରେ ଦର୍ଶନାଭିଳାଷୀ ଯାତ୍ରୀମାନେ ଶ୍ରୀବିଗ୍ରହଙ୍କର ସାକ୍ଷାତ ଦର୍ଶନ ନ କରିପାରି ଅଣସର ତାଟି ସମ୍ମୁଖରେ ଚିତ୍ରପଟି ଦିଅଁଙ୍କୁ ଦର୍ଶନ କରିଥାଆନ୍ତି । (ଶ୍ରୀ.ସ୍ୱ. ୨ୟ –ପୃ. ୬୨, ପୃ.ଓ.ଭା. – ପୃ.୧୬୬) ।

ଅଣସର ତାଟି-ଦେ.ବି.- ଶ୍ରୀମନ୍ଦିରରେ ଅଣସର ନୀତି ନିମନ୍ତେ ପ୍ରସ୍ତୁତ ବାଉଁଶ ତାଟି । ଏହି ନିରୋଧନ ଗୃହ ମଧ୍ୟରେ ସମ୍ପୃକ୍ତ ସେବକଙ୍କ ବିନା ଅନ୍ୟ କାହାର ପ୍ରବେଶ ଅଧିକାର ନାହିଁ । ଅଣସର ଗୂହ୍ୟ ନୀତିକୁ କେହି ଦେଖିବେ ନାହିଁ, ଏଣୁ ଏହି ଅସ୍ଥାୟୀ ତାଟି ଆଗରେ ଥାଏ ଓ କାହାରି ନଜର ଠାକୁରଙ୍କ ଉପରେ ପଡ଼େ ନାହିଁ । (ଶ୍ରୀ.ସ୍ୱ.୨ୟ- ପୃ. ୬୨, ପୁ.ବୋ.-ପୃ. ୨୦, ଓ.ସାଂ.ଶ. – ପୃ. ୧୨, ପୂ.ଓ.ଭା. – ପୃ. ୧୭୬) ।

ଅଣସର ଦଶମୂଳପାଚନ-ଦେ.ବି.- ଶ୍ରୀମନ୍ଦିର ଭିତରେ ଶ୍ରୀବିଗ୍ରହମାନେ ଅଣସରରେ ଥାଇ ଜ୍ୱରରୁ ଆରୋଗ୍ୟ ନିମନ୍ତେ ସେବନ କରୁଥିବା ଦଶମୂଳ ପାଚନ । ଆୟୁର୍ବେଦୋକ୍ତ ଦଶ ଗୋଟି ଗଛର ମୂଳ, ଯଥା- ବେଲ, ଗମ୍ଭାରୀ,ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ (ଲଟା ବରକୋଳି) ଅଙ୍କରାନ୍ତି ଓ ଗୋଖୁରା । ଗର୍ଭଣା ସଂକ୍ରାନ୍ତିରେ ଦଶ ଜଣ ଲୋକ ଏହି ଦଶଟି ମୂଳକୁ ପୃଥକ୍ ରୂପେ ସଂଗ୍ରହକରି ଆଣି ପାଣିରେ ସିଝାଇ ତିଆରି କରାଯାଇଥିବା ପାଚନ ମୋଦକ ପ୍ରସ୍ତୁତ କରାଯାଏ । (ପୂ.ଓ.ଭା. – ପୃ.୩୬୯୪) ।

ଅଣସର ନୀତି-ଦେ.ବି.- ବିଶ୍ୱାବସୁ ନୀଳମାଧବଙ୍କୁ ଯେପରି ଭାବରେ ପୂଜା କରୁଥିଲା ତାହା ଥିଲା ନିଭୃତ ଗୁପ୍ତ ତଥା ଭକ୍ତି ପ୍ରାର୍ଥନା ପ୍ରଧାନ ଆଦିମତମ ଉପାସନା । ଅଣସର ପୂଜାନୀତି ବିଧିବିଧାନ ତା’ର ଏକ ନିଚ୍ଛକ ପ୍ରତିଫଳନ । ଶ୍ରୀମନ୍ଦିରର ରତ୍ନବେଦୀ ଉପରେ ଥାଇ ଜଗନ୍ନାଥ ପ୍ରତିଦିନ ଛପନ ପଉଟି ସୁସ୍ୱାଦ ପ୍ରସାଦ ମଣୋହି କରୁଥିଲେ ମଧ୍ୟ ଶବର ସେବାୟତ ଦଇତାମାନେ ଅଣସର ଘରେ କେବଳ ଫଳମୂଳ ଓ ପଣା ପାଣି ସମର୍ପଣ କରି ମହାପ୍ରଭୁଙ୍କର ସେବା କରନ୍ତି । ଏହି ସେବା ପୂଜାରେ କୌଣସି ମନ୍ତ୍ରାଦିର ଆବଶ୍ୟକତା ନ ଥାଏ । ଅଣସର ସମୟରେ ଅଣସର ପଣା ଶ୍ରୀମନ୍ଦିରର ଏକ ପ୍ରସିଦ୍ଧ ଭୋଗ । ପ୍ରତ୍ୟହ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପ ପରେ ଦୁଇଥର ସର, ନବାତ, କର୍ପୂର, ଜାଇଫଳ, ଚନ୍ଦନ ମିଶ୍ରିତ ମୋଟ୍ ଅଠେଇଶ ଓଳି ପଣା ମହାପ୍ରଭୁଙ୍କୁ ସେବା କରନ୍ତି-। ଏତଦବ୍ୟତୀତ ରାଘବଦାସ ମଠରୁ ଆସିଥିବା ଧୂଆମୁଗ ଓ ପଣସ ପ୍ରତ୍ୟେହ ପହୁଡ଼ ପୂର୍ବରୁ ଅଣସର ଠାକୁରଙ୍କୁ ଲାଗି ହୁଏ । ଏହା ଚକଟା ଭୋଗ ନାମରେ ପରିଚିତ । ଏହି ସମୟରେ ଭକ୍ତମାନଙ୍କ ଦ୍ବାରା ଆମ୍ବ,ପଣସ, ସପୁରୀ, ଅଙ୍ଗୁର, କମଳା ପ୍ରଭୃତି ଫଳ ମଧ୍ୟ ଲାଗି ହୋଇଥାଏ । ଜ୍ୟେଷ୍ଠପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରୁ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ନେଇ ଅଣସର ପିଣ୍ଡିରେ ବିଜେ କରାଯାଏ । ଶ୍ରୀଜୀଉଙ୍କର ଶରୀରକୁ ପୂର୍ବପରିଚିତ ପଟ୍ଟବସ୍ତ୍ର ସବୁ ଓଲାଗି କରିଦିଆଯିବା ପରେ ତାଙ୍କର ଅନାବୃତ ଦାରୁରୂପୀ ରୂପ ସାଧାରଣତଃ ଦର୍ଶନୀୟ ନୁହେଁ । ଏଣୁ ଏହି ସମୟରେ ବିଗ୍ରହମାନଙ୍କୁ ଜ୍ୱର ହେଉଛି ବୋଲି ଧାରଣା ଜନ୍ମାଇ ଲୋକଲୋଚନ ଅନ୍ତରାଳରେ ଅଣସର ଘରେ ପନ୍ଦର ଦିନରେ ବିଗ୍ରହମାନଙ୍କର ଅଙ୍ଗନିବାସ କରାଯାଇଥାଏ । କେବଳ ଦଇତାମାନେ ଏହି ସମୟରେ ଜ୍ୱର ପ୍ରପୀଡ଼ିତ ଜୀଉମାନଙ୍କୁ ମାନବ ରୂପେ ପରିକଳ୍ପନା କରି ତାଙ୍କର ସେବାନୀତି ସମ୍ପାଦନ କରନ୍ତି, ଯାହା କି ନୀଳମାଧବ ବିଗ୍ରହ ସହିତ ବିଶ୍ୱାବସୁ ଶବରର ଅନାବିଳ ଆତ୍ମୀୟତାର ପରିଚାୟକ ।

ପ୍ରାକ୍ ପୌରାଣିକ ଯୁଗରୁ ଦଇତାପତିମାନେ ଅଣସରକାଳୀନ ସେବାପୂଜା କରିଆସୁଛନ୍ତି । ଶୁଦ୍ଧଲଗ୍ନ, ସ୍ବାତୀ ନକ୍ଷତ୍ର ଓ ଅନ୍ୟ କେତେକ ସ୍ୱତନ୍ତ୍ର ନୀତିରେ ପଟ୍ଟବସ୍ତ୍ରକୁ ଛେକି ଶ୍ରୀବିଗ୍ରହରେ ଛକି ପଡ଼ିଲା ପରି ବାନ୍ଧି ତତ୍ପରେ ଚନ୍ଦନ ଲେପ ଦେଇଥାନ୍ତି । ଏହାକୁ ପଇତା ଲାଗି କୁହାଯାଇଥାଏ । ସ୍ନାନ ପୂର୍ଣ୍ଣିମାରେ ଜଳସିକ୍ତ ଏହି ପାଟ୍ଟଗୁଡିକୁ ଅଣସର ସମୟରେ ଶ୍ରୀଅଙ୍ଗରୁ ଫିଟାଇ ଦିଆଯାଉଥିବାରୁ ଶ୍ରୀଅଙ୍ଗ ଫିଟା ନାମରେ ଏହା କଥିତ । ଶ୍ରୀଜଗନ୍ନାଥଙ୍କ ବିଗ୍ରହରୁ ପ୍ରତିବର୍ଷ ଏହି ସମୟରେ ଦଇତାମାନେ ବାହାର ଆବରଣ ପୃଥକ୍ କରି ଶ୍ରୀଅଙ୍ଗରୁ ଝୁଣାରେ ପ୍ରସ୍ତୁତ ଚନ୍ଦନର ଲେପ ଛଡ଼ାଇଥାନ୍ତି । ଏହାକୁ ‘କରାଳ’ କହନ୍ତି । ଏହି ସମୟରେ ଶ୍ରୀବିଗ୍ରହମାନଙ୍କର ଆବଶ୍ୟକ ମରାମତି କାର୍ଯ୍ୟ ହୋଇଥାଏ ।

‘କରାଳ’ ପରେ ଆଷାଢ଼ କୃଷ୍ଣ ପଞ୍ଚମୀଠାରୁ ଦଇତାପତିମାନେ ପରଖ ଓ ପିଙ୍ଗଣରେ ରାଶିତେଲ, ଚୂଆ, କର୍ପୂର ଇତ୍ୟାଦି ବିଜେ କରାଇ ଶ୍ରୀଅଙ୍ଗରେ ଘର୍ଷଣ କରିଥାନ୍ତି । ଏହାକୁ ‘ଫୁଲୁରୀ ଲାଗି’ କୁହାଯାଇଥାଏ । ବର୍ଷକ ପୂର୍ବରୁ ଭୂମିତଳେ ରଖାଯାଇଥିବା ରାଶିତେଲ, ଝୁଣା, କର୍ପୂର ଆଦି ସୁଗନ୍ଧିତ ବସ୍ତୁକୁ ବଡ଼ଓଡ଼ିଆ ମଠ ଦ୍ୱାରା ଯୋଗାଇ ଦିଆଯାଏ । ତାହାକୁ ଫୁଲୁରୀତେଲ ବା ‘ଶ୍ରୀତୈଳ କୁହାଯାଏ । ଅଣସର ସପ୍ତମୀ ଦିନ ଶ୍ରୀଜୀଉଙ୍କୁ ଉକ୍ତ ତୈଳ ଲାଗି କରାଯାଏ ।

ଫୁଲୁରୀ ତେଲ ବା ଶ୍ରୀତୈଳ ଘର୍ଷଣ ପରେ ଶ୍ରୀଜୀଉଙ୍କ ଦାରୁ କଳେବର ଉପରେ ନୂତନ ପାଟ୍ଟବସ୍ତ୍ର ବନ୍ଧନ କରାଯାଏ । ଅଷ୍ଟମୀ ଦିନ ଏହା ‘ଶିରୀକପଡ଼ା’ ବା ଶ୍ରୀକପଡା ନାମରେ ଖ୍ୟାତ । ଏହିଦିନ କ୍ଷୀର, ଅକ୍ଷତ ଚୂନା ଓ ଚୂଆ ଏକତ୍ର ରନ୍ଧନ କରି ଶ୍ରୀଅଙ୍ଗରେ ପଟ୍ଟସୂତ୍ର ମର୍ଦନ କରାଯାଏ । ଏହାକୁ ‘ପଟ୍ଟରଜ୍ଜୁ ବନ୍ଧନ’ କୁହାଯାଏ । ପଟ୍ଟରଜ୍ଜୁ ବନ୍ଧନ ପରେ ନବମୀ ଦିନ ସୁବାସିତ ରାଶିତେଲ ଓ ଝୁଣା ଏକତ୍ର କରି ପୁନଶ୍ଚ ଶ୍ରୀଅଙ୍ଗରେ ମାଲିସ କରାଯାଏ ।

ଏହାକୁ ‘ମସୃଣ ଲେପ’ କୁହାଯାଏ । ଏହାପରେ ଦଶମୀ ଦିନ କଳା ମୁଗୁନି ପ୍ରସ୍ତର ନିର୍ମିତ ତିନିଗୋଟି ଚକା ଉପରେ ବିଗ୍ରହମାନଙ୍କୁ ବିଜେ କରାଇ ଦଇତାପତିମାନେ କସ୍ତୁରୀ, କୁଙ୍କୁମ, ଚନ୍ଦନ ଶ୍ରୀଅଙ୍ଗରେ ‘ଶ୍ୱେତଅଙ୍ଗରାଗ’ ଲେପନ କରିଥାନ୍ତି । ନବମୀ ପର୍ଯ୍ୟନ୍ତ ଶ୍ୱେତଅଙ୍ଗରାଗ ଲାଗି ହେଉଥିବା ବେଳେ ଦଶମୀଠାରୁ ପୂର୍ଣ୍ଣ ଅଙ୍ଗରାଗ ଲାଗି ହୋଇଥାଏ ।

ଅଣସର ଏକାଦଶୀ ଦିନ ଅଣସର ଘରେ ଚନ୍ଦନ ଘୋରାଯାଇ ତହିଁରେ ସମପରିମାଣ କସ୍ତୁରୀ, କେଶର ଓ କର୍ପୂର ପ୍ରଭୃତି ଏକତ୍ର ମିଶାଇ ଠାକୁରମାନଙ୍କୁ ଲାଗି ହୋଇଥାଏ । ଏହାକୁ ‘ଚନ୍ଦନ ଲାଗି’ କୁହାଯାଏ । ଏହି ରାତିରେ ଖଳି ଗୋଳାଯାଇ ରୂପା ପିଙ୍ଗଣରେ ଯୋଗାଇ ଦିଆଯାଏ-। ଦ୍ୱାଦଶୀ ମଧ୍ୟାହ୍ନ ଧୂପ ପରେ ଘଣ୍ଟ କାହାଳୀ ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀପୟର ରଚନା କରାଯାଇ ରାଶିତେଲ, ଝୁଣା, ପଞ୍ଚମୂଳ, କର୍ପୂର, କସ୍ତୁରୀ ଓ ଅନ୍ୟାନ୍ୟ ସୁଗନ୍ଧ ଦ୍ରବ୍ୟ ଏକତ୍ର ରନ୍ଧନ କରି ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ଏହା ଓଷ ଲାଗି ନାମରେ ପରିଚିତ । (ଶ୍ରୀ.ସ୍ୱ. – ପୃ. ୬୨-୬୩, କ୍ଷ.ସ.)

ଅଣସର ପିଣ୍ଡି-ଦେ.ବି.- ଶ୍ରୀମନ୍ଦିର ଭିତରେ ଥିବା ବଲ୍ଲଭ ପିଣ୍ଡି । ଭିତର କାଠ ପରେ କଳା ହାଟ ଦୁଆରକୁ ଲାଗି ମୁଗୁନିପଥରର ପିଣ୍ଡି । ଏଠାରେ ଶ୍ରୀଜୀଉଙ୍କର ପ୍ରଥମ ଭୋଗ ଗୋପାଳବଲ୍ଲଭ ଅର୍ପିତ ହୁଏ । ଅଣସର ସମୟରେ ବିଗ୍ରହମାନେ ଏହିଠାରେ ରହିଥାନ୍ତି । (ଶ୍ରୀ.ସ୍ଵ.-– ପୃ.୬୨, ଓ.ସାଂ.ଶ., ପୃ.୧୩) ।

ଅଶଉଚ/ଅଶୌଚ-ଦେ.ବି.- ଶୁଦ୍ଧିର ଅଭାବ, ଅଶୁଦ୍ଧ । କୁଟୁମ୍ବରେ ଜନ୍ମ ମରଣ ଘଟିବାର ବାର ଦିନ ପର୍ଯ୍ୟନ୍ତ ଅଶୁଦ୍ଧି, ରଜଃସ୍ଵଳା ସ୍ତ୍ରୀର ମାସିକ ଧର୍ମ ସମୟରେ ଅଶୌଚ ହେତୁ ଶ୍ରୀମନ୍ଦିର ପ୍ରବେଶ ନିଷେଦ୍ଧ । ନବକଳେବର ସମୟରେ ମହାପ୍ରଭୁଙ୍କୁ ପାତାଳି କରି ସାରି ସେହି ରାତିରୁ ହିଁ ଦଇତାପତିମାନେ ଅଶୌଚବିଧି ପାଳନ କରନ୍ତି । କୁଟୁମ୍ବରୁ ବୟୋଜ୍ୟେଷ୍ଠ ଜଣକର ମୃତ୍ୟୁ ହେବା ପରେ ଯେଉଁଭଳି ବିଧିରେ ଶୁଦ୍ଧିକ୍ରିୟା ହୋଇଥାଏ, ଠିକ୍ ସେହିପରି ଅଶୌଚବିଧି ଦଶଦିନ ପର୍ଯ୍ୟନ୍ତ ସେମାନେ ପାଳନ କରନ୍ତି । ସେମାନେ ମୁକ୍ତିମଣ୍ଡପ ତଳେ ଝୁଲଣ ମୁଣ୍ଡିଠାରେ ନିଜ ଶରୀରରେ ରାଶିତେଲ ଲଗାଇ ମାର୍କଣ୍ଡ ପୁଷ୍କରିଣୀକୁ ସ୍ନାନ କରିବା ପାଇଁ ଯାଆନ୍ତି । ସେଠାରୁ ଫେରି ହସ୍ତପଦ ଧୌତ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି ଶାନ୍ତି ଉଦକପାନ କରନ୍ତି । (ଶ୍ରୀ.ସ୍ଵ. – ପୃ. ୪୭, ପୂ.ଓ.ଭା. – ପୃ.୨୦୩, ମ.ନ.- ପୃ. ୫୪) ।

ଅଷ୍ଟପ୍ରହର-ସଂ.ବି.- ଦିନ ଚାରି ପ୍ରହର ଓ ରାତି ଚାରି ପ୍ରହର । ଏହିପରି ଆଠ ପ୍ରହର । ଅହୋରାତ୍ର ବ୍ୟାପୀ ହେଉଥିବା ସଂକୀର୍ତ୍ତନକୁ ଅଷ୍ଟପ୍ରହର ସଂକୀର୍ତ୍ତନ ବା ଅଷ୍ଟପ୍ରହରୀ କୁହାଯାଏ । ରଥଯାତ୍ରା ସମୟରେ ଓ ନବକଳେବର ଦାରୁ ସଂଗ୍ରହ ସମୟରେ ଅଷ୍ଟପ୍ରହର ସଂକୀର୍ତ୍ତନ ହୋଇଥାଏ । (ପୂ.ଓ.ଭା. – ପୃ.୬୨୪) ।

ଅଧିବାସ-ସଂ.ବି.- ଯଜ୍ଞାନୁଷ୍ଠାନର ପୂର୍ବ ଦିନ ବା ଦେବ ବିଗ୍ରହ ପ୍ରତିଷ୍ଠାର ପୂର୍ବ କର୍ମ । ଦେବ କ୍ରିୟାର ପୂର୍ବ ଦିବସ ସଂସ୍କାର ବିଶେଷ । ମଙ୍ଗଳ କାର୍ଯ୍ୟରେ ମନ୍ତ୍ରୋଚ୍ଚାରଣପୂର୍ବକ ଗୁଆ, ନଡିଆ, ପଇତା, ସିନ୍ଦୂର, ଶଙ୍ଖ, କଜ୍ଜଳ, ଗୋରଚନା, ଶ୍ୱେତ ସୋରିଷ, ସୁନା. ରୂପା, ତମ୍ବା, ଚାମର, ଦର୍ପଣ, ଦୀପ ତଥା ଆବଶ୍ୟକ ପାତ୍ର ଓ ବରୁଣ ଡାଳ ଇତ୍ୟାଦି ସଂଗ୍ରହ କରି ସ୍ଥାପନା କରାଯାଏ । ବିବାହ ଇତ୍ୟାଦି ସଂସ୍କାର କାର୍ଯ୍ୟରେ ନିର୍ଦ୍ଧାରିତ ଦିନର ସକାଳେ କରାଯାଏ । ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଦିନ ଏକଶତଆଠ ଗରା ଜଳ ସୁନାକୂଅରୁ ଅଣାଯାଇ ଅଧିବାସ ପରେ ସରଘରେ ରଖାଯାଏ । ସେଥିରେ ଚନ୍ଦନ, କର୍ପୂର, କେଶର, ଚୁଆ ସମପରିମାଣରେ ମିଶ୍ରିତ କରି ଅଧିବାସ କର୍ମ କରାଯାଏ । ନୀଳାଦ୍ରିମହୋଦୟାଷ୍ଟମୀର ପୂର୍ବଦିନ, ପୁଷ୍ୟାଭିଷେକ ପୂର୍ବଦିନ ମଧ୍ୟ ଏହି ଅଧିବାସ କର୍ମ କରାଯାଏ । ବର୍ତ୍ତମାନ ସମୟରେ ସ୍ନାନପୂର୍ଣ୍ଣିମା ପୂର୍ବ ରାତିରେ ଅଧିବାସ ଜଳ ସଂରକ୍ଷଣ ନହୋଇ ସେହି ଦିନ ପ୍ରାତଃ କାଳରେ ଜଳ ଅଧିବାସ ହେଉଅଛି । (କ୍ଷ.ସ., ଶ୍ରୀ.ସ୍ୱ. ୨ୟ-– ପୃ. ୫୮ , ଓ.ସାଂ.ଶ.- ପୃ. ୧୭, ଶ.କ. ୧ମ – ପୃ.୩୬, କ୍ର.ଓ.ଶ.- ପୃ. ୨୪, ପୂ.ଓ.ଭା. – ପୃ. ୨୫୮ , ପ୍ର.ଅ. ୧ମ – ପୃ. ୬୬, ଶ.କ. ୧ମ – ପୃ.୩୮ , ପୌ(ବ) – ପୃ.୪) । ଶ୍ରୀ.ସ୍ଵ. – ପୃ. ୪୭, ପୂ.ଓ.ଭା, - ପୃ.୨୦୩, ମ.ନ.- ପୃ. ୫୪) ।

ଆଲାମ ଚଣ୍ଡୀ-ଦେ.ବି.- ଶ୍ରୀକ୍ଷେତ୍ରରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ । ଏହି ଠାକୁରାଣୀଙ୍କ ବିଜେସ୍ଥଳୀ କୁମ୍ଭାରପଡା ନିକଟବର୍ତ୍ତୀ ସ୍ଥାନରେ । ଅଠର ନଳା ପାଖରେ ପ୍ରତିଷ୍ଠିତା ଦେବୀ । ଶ୍ରୀମନ୍ଦିର ବାହାରେଥିବା ଏହି ଠାକୁରାଣୀଙ୍କ ନିକଟକୁ ସାତପୁରୀ ଅମାବାସ୍ୟା ଓ ମକର, ଏହି ଦୁଇ ଦିନ ଘଣ୍ଟା, ଛତା ଓ କାହାଳୀ ଯାଇ କୁମ୍ଭାରମାନେ ତାଡ଼ମାନଙ୍କୁ ଆଣନ୍ତି । ନବକଳେବର ସମୟରେ ଦାରୁଶଗଡ଼ି ପୁରୀ ଆସିଲେ ପ୍ରଥମେ ଆଲାମଚଣ୍ଡୀଠାରେ ବିଶ୍ରାମ ନିଅନ୍ତି । ବାର୍ତ୍ତାଗଲେ ଗଜପତି ମହନ୍ତ, ସାଧୁସନ୍ଥ ସହ ଘଣ୍ଟଘଣ୍ଟା ଛତ୍ର ତରାସ ସହ ଆସି ଶଗଡ଼ିକୁ ପାଛୋଟି ନେଇ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଦେଇ ଦାରୁଗୃହକୁ ନିଅନ୍ତି । (ଶ୍ରୀ.ସ୍ଵ. – ପୃ. ୨୭୮ , ନବକଳେବର – ପୃ.୧୭) ।

ଆଜ୍ଞାମାଳ-ଦେ.ବି.- ଦେବତାଙ୍କ ଆଜ୍ଞା ଚିହ୍ନ ସ୍ଵରୂପ ଆଜ୍ଞା ପାଳନକାରୀ ବ୍ୟକ୍ତି ନିକଟକୁ ଆଜ୍ଞା ସଙ୍ଗେ ପଠାଯାଉଥିବା ଦେବତାଙ୍କର ଫୁଲମାଳ । ଏହା ଏକ ଆଦେଶ ନାମା । ଶ୍ରୀମନ୍ଦିରର ପ୍ରତ୍ୟେକ ନୀତିକାନ୍ତି ଓ ପୂଜା ପାର୍ବଣରେ ପ୍ରଭୁଙ୍କର ଆଜ୍ଞାମାଳ ନ ମିଳିଲେ ପୂଜା କାର୍ଯ୍ୟ ହୋଇ ନ ଥାଏ ।

ପ୍ରଭୁ ହେଉଛନ୍ତି ରାଜାଧିରାଜ ଶ୍ରୀପୁରୁଷୋତ୍ତମ । ସେ ନିଜେ ସମସ୍ତ କାର୍ଯ୍ୟ ନିର୍ଦ୍ଦେଶ ଦ୍ୱାରା କରାନ୍ତି । ଯେପରି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀବିଗ୍ରହଙ୍କର ମୂର୍ତ୍ତି ଗଠନରୁ ଆରମ୍ଭ କରି ଯାନିଯାତ୍ରାଗୁଡିକ ଆଜ୍ଞାମାଳ ମାଧ୍ୟମରେ ପ୍ରତିମା, ଜଡ଼ ଓ ଚେତନ ଦ୍ୱାରା ହିଁ କରାଇଥାନ୍ତି । ତାହା ହିଁ ଆଜ୍ଞାମାଳ ପରମ୍ପରାର ବୈଶିଷ୍ଟ୍ୟ ଓ ରହସ୍ୟ । ଏହି ଆଜ୍ଞାମାଳ ମାଧ୍ୟମରେ ଯେଉଁ ଯାନିଯାତ୍ରା ପାଳିତ ହୁଏ, ସେଗୁଡିକ ବହୁ ଆଧାର ଭିତ୍ତିକ । ରାଷ୍ଟ୍ରୀୟ ସଂହତି, ସାମାଜିକ ସଂହତି, ସମାଜରେ ପରସ୍ପର ପ୍ରତି ଅତୁଟ ଅନାବିଳ ସ୍ନେହ ସମ୍ପର୍କ, ଆଦର୍ଶ ପାରିବାରିକ ସଂପ୍ରୀତି ଓ ଲୋକଶିକ୍ଷା, ଜନହିତ, ବୀରତ୍ୱ, ମର୍ଯ୍ୟାଦା, ସୁରକ୍ଷା, ରୋଗନିରୋଧ, ଆରୋଗ୍ୟ ବର୍ଦ୍ଧନ, ସହଯୋଗ, ସାହାଯ୍ୟ, ସେବକ ପ୍ରତି ଅନୁଗ୍ରହ ଆଦି ଆଧାର ଭିତ୍ତିକ ବାର୍ତ୍ତା ଦେବ ହିଁ ଆଜ୍ଞାମାଳର ରହସ୍ୟ ।

ଏହି ଆଜ୍ଞାମାଳ ବ୍ୟତୀତ ଶ୍ରୀକୃଷ୍ଣଜନ୍ମ, ଶ୍ରୀ ବାମନଜନ୍ମ ଓ ଶ୍ରୀରାମଜନ୍ମରେ ଶ୍ରୀଜଗନ୍ନାଥଙ୍କଠାରୁ ଧଣ୍ଡି ପ୍ରସାଦ ଆଣି ଶ୍ରୀମଦନମୋହନଙ୍କୁ ଦିଆଯାଏ । ତାହା ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ଆଜ୍ଞା ଅଟେ । କିନ୍ତୁ ମାଳା ପର୍ଯ୍ୟାୟ ଚୁକ୍ତି ହୋଇ ନ ଥିବାରୁ ଏହା ଆଜ୍ଞାମାଳ ବୋଲି ଉଲ୍ଲେଖ ନାହିଁ । ସେହିପରି ଶ୍ରୀକୃଷ୍ଣଲୀଳା, ଶ୍ରୀରାମଲୀଳାରେ ବିଭିନ୍ନ ସାହିରୁ ବାହାରି ଥିବା ସାହିଯାତ୍ରା ପାଇଁ ଆଖେଡ଼ାର ସାହି ନାଏକମାନଙ୍କୁ ‘ରେଖ ସୁନ୍ଦରୀ’ ଶ୍ରୀ ବିଗ୍ରହମାନଙ୍କଠାରୁ ପ୍ରତ୍ୟକ୍ଷ ଆଜ୍ଞାରୂପୀ ‘ନାଲି ଓ କଳା କନା’ ଦିଆଯାଉଥିଲେ ମଧ୍ୟ ତାହା ଆଜ୍ଞାମାଳା ପର୍ଯ୍ୟାୟରେ ଆସୁ ନ ଥିବାରୁ ତାହା ଆଜ୍ଞାମାଳା ହିସାବରେ ଉଲ୍ଲେଖ କରାଯାଇନାହିଁ । ଶ୍ରୀମନ୍ଦିରରେ ପ୍ରଚଳିତ ବ୍ୟବସ୍ଥାନୁସାରେ ଶହେଅଣଚାଲିଶ ଥର ଆଜ୍ଞାମାଳ ଦ୍ୱାରା ବିଭିନ୍ନ ନୀତି ସଂପାଦିତ ହେଉଥିବାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିଅଛି । ସତେଇଶ ଠାକୁର ଠାକୁରାଣୀଙ୍କ ଚଳନ୍ତି ପ୍ରତିମାମାନେ ସାମୂହିକ ଓ ବ୍ୟବସ୍ଥାଗତ ଭାବରେ ତଥା ଆଠ ଥର ଜଡ଼ ଓ ଚେତନ ବୃକ୍ଷ ଆଦିକୁ ଆଜ୍ଞାମାଳ ଦିଆଯାଇଥାଏ । ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ମିଳିବାପରେ ବନଯାଗ ଆରମ୍ଭ ହୁଏ । (ଶ୍ରୀ.ଆ.ର.) ।

ଉତ୍ତର ଦ୍ୱାର –ଦେ.ବି.- ଶ୍ରୀମନ୍ଦିରର ଉତ୍ତର ଦ୍ୱାର ହେଉଛି ହସ୍ତୀ ଦ୍ୱାର । ନବକଳେବରର ବନଯାଗ ପର୍ବରେ ଦାରୁ ଛେଦନ ପରେ ଶଗଡ଼ିରେ ଦାରୁ ଏହି ଉତ୍ତର ଦ୍ୱାର ଦେଇ କୋଇଲି ବୈକୁଣ୍ଠ ଦାରୁ ଶାଳାକୁ ଯାଇଥାଏ । (କ୍ଷେ.ସ.) ଓଷ-ଦେ.ବି.- ଝୁଣା, ରାଶି ତେଲର ମିଶ୍ରଣରେ ପ୍ରସ୍ତୁତ ଲେପ । (କ୍ଷେ.ସ.) ।

କଉତୁକ-ଦେ.ବି.- ଥଟ୍ଟା ପରିହାସ କରିବା । ଗମାତ କରିବା । ଶ୍ରୀମନ୍ଦିରରେ ନବକଳେବର ବେଳେ ସଂଗୃହୀତ ଦାରୁକୁ ଶ୍ରୀମନ୍ଦିରର କାରୁ ଶାଳାରେ କଉତୁକ (ଡେଉଁରିଆ ବା କବଚ) ବନ୍ଧାଯାଏ । (କ୍ଷେ.ସ.) ।

କରାଳ ଲାଗି-ଦେ.ବି.- ଶ୍ରୀଜୀଉଙ୍କ ଶରୀରରେ ଲେପନ ପରାଯାଉଥିବା ଚନ୍ଦନ ସହିତ ଏକ ପ୍ରକାର ଦ୍ରବ୍ୟର ମିଶ୍ରଣ । (କ୍ଷେ.ସ.)

କଳସ(ଶ)-ସଂ.ବି.- ଜଳପାତ୍ର, ମାଠିଆ, କୁମ୍ଭ । ଦେଉଳର ଗମ୍ଭୁଜ ଉପରେ ସ୍ଥାପିତ କୁମ୍ଭ । ମାଙ୍ଗଳିକ କାର୍ଯ୍ୟରେ ସର୍ବ ପ୍ରଥମେ ସ୍ଥାପିତ ହୋଇ ପୂଜା ହେବା ପୂର୍ଣ୍ଣକୁମ୍ଭ । ସୁନା ରୂପାରେ ତିଆରି ଜଳପାତ୍ର ବିଶେଷ । ସମସ୍ତ ମନ୍ଦିର ତଥା ପ୍ରତ୍ୟେକ ପୂଜାରେ କଳସ ସ୍ଥାପନ ଏକାନ୍ତ ପ୍ରୟୋଜନ । ଶ୍ରୀମନ୍ଦିରର ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ମଧ୍ୟ କଳସ ସ୍ଥାପନର ବିଧି ରହିଛି । (ପ୍ର.ଅ. ୧ମ – ପୃ.୪୬୮ ,ପୂ.ଓ.ଭା. – ପୃ.୧୩୯୭, ଶ୍ରୀ.ସ୍ଵ. ୨ୟ – ପୃ.୮୯) ।

କାରୁଶାଳା-ଦେ.ବି.- ନବକଳେବର ନିମନ୍ତେ ଦାରୁ ସଂଗ୍ରହ ହୋଇ ଆସିଲା ପରେ କୋଇଲି ବୈକୁଣ୍ଠ ନିକଟସ୍ଥ କାରୁଶାଳାରେ ନବ ବିଗ୍ରହମାନ ନିର୍ମିତ ହୋଇଥାଏ । (କ୍ଷେ.ସ.)

କାଳରାତ୍ରି-ଦେ.ବି.- କଳ୍ପାନ୍ତ ରାତ୍ରି, ଭୟାନକ ରାତ୍ରି, ସଂହାର ରାତ୍ରି, ପ୍ରଳୟ ରାତ୍ରି, ମହାରାତ୍ରି, ରାତ୍ରିର ତୃତୀୟ ପ୍ରହର କାଳରାତ୍ରି ନାମରେ ପରିଚିତ । ଶ୍ରୀମନ୍ଦିରରେ ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ପରେ ପୁରୁଣା ବିଗ୍ରହମାନଙ୍କୁ କୋଇଲିବୈକୁଣ୍ଠ ଠାରେ ପାତାଳି କରିବା ରାତ୍ର ସମୟ କାଳରାତ୍ର ପରି ମନେ ହୁଏ । (କ୍ଷେ.ସ.) ।

କୁରାଢ଼ୀ-ଦେ.ବି.- ନବକଳେବର ବନଯାଗ ଦଳରେ ସୁନା କୁରାଢ଼ୀ, ରୂପା କୁରାଢ଼ୀ ଓ ଲୌହ କୁରାଢ଼ୀ ଯାଇଥାଏ । ଦାରୁ ଚିହ୍ନଟ ପରେ ସମସ୍ତ ପ୍ରକାର ଯାଗଯଜ୍ଞ ପତିମହାପାତ୍ର ମନ୍ତ୍ରରାଜ ଉଚ୍ଚାରଣ କରି ଦାରୁ ବୃକ୍ଷକୁ ତ୍ରିବାର ପ୍ରଦକ୍ଷିଣ ପରେ ସୁନା କୁରାଢ଼ୀରେ ଦାରୁ ବୃକ୍ଷକୁ ତିନି ଚୋଟ ଦିଅନ୍ତି । ସେହି ବିଧିରେ ବିଶ୍ୱାବସୁ ତ୍ରିବାର ପ୍ରଦକ୍ଷିଣ କରି ରୁପା କୁରାଢ଼ୀରେ ତିନି ବାର ଛେଦନ କରନ୍ତି । ତା’ପରେ ବିଶ୍ୱକର୍ମା ଲୌହ କୁରାଢ଼ୀରେ ଛେଦନ କରନ୍ତି ।

କୁଶ-ଦେ.ବି.- ବୈଦିକ ଶ୍ରାଦ୍ଧ ତର୍ପଣ ଆଦିରେ ବ୍ୟବହୃତ ଏକ ତୃଣ । ଏକ ପ୍ରକାର ବିଶେଷ ପବିତ୍ର ଘାସ । ବିଭିନ୍ନ ପ୍ରକାର ଧର୍ମାନୁଷ୍ଠାନରେ ଏବଂ ପୂଜାର୍ଚ୍ଚନାରେ ବ୍ୟବହୃତ ହୋଇଥାଏ-। ଶ୍ରୀମନ୍ଦିରରେ ସମସ୍ତ ପୂଜା, ବିଭିନ୍ନ ପର୍ବପର୍ବାଣି, ହୋମଯଜ୍ଞାଦି ପ୍ରତିଷ୍ଠା ପ୍ରଭୃତିରେ କୁଶର ପ୍ରୟୋଗ କରାଯାଇଥାଏ । ସାଧାରଣତଃ କୁଶରେ ବଟୁ, ଆସନ ତିଆରି କରାଯାଏ । ଜନ୍ମାଷ୍ଟମୀ ଦିନ କୁଶରେ କୃଷ୍ଣଙ୍କର ନାଭି କଟା ହୋଇଥାଏ । ରଥ ପ୍ରତିଷ୍ଠା ଓ ନବକଳେବର ବିଧିରେ ଏହା ବ୍ୟବହାର କରାଯାଏ । (ଶ୍ରୀ.ସ୍ଵ. ୨ୟ – ପୃ. ୧୬, ପୌ(ବ) ୧ମ – ପୃ. ୩୮୦, ଶ.କ.ଦ୍ରୁ. ପୃ. ୮୯, ଶ.ତ.ବୋ.ଅ.- ପୃ.୩୨୦, ପୂ.ଓ.ଭା. – ପୃ. ୧୬୯୮) ।

କୁଷ୍ମାଣ୍ଡ-ଦେ.ବି.- ପାଣିକଖାରୁ । ନବକଳେବର ସମୟରେ ଦାରୁବିଗ୍ରହ ନିର୍ମାଣ ନିମିତ୍ତ ଲକ୍ଷଣଯୁକ୍ତ ବୃକ୍ଷକୁ ଚିହ୍ନଟି ହେଲା ପରେ ଏହା ମୂଳରେ ଭୂମି ଶୋଧନ, ଅଙ୍କୁରାରୋପଣ, ହୋମ, ଯଜ୍ଞ ଓ ବିଭିନ୍ନ ମନ୍ତ୍ରାଦି ଜପ ପରେ ବୃକ୍ଷ ମୂଳରେ ଅତ୍ୟନ୍ତ ଗୁପ୍ତ ଭାବରେ କୁଷ୍ମାଣ୍ଡକୁ ପଶୁ ରୂପେ କଳ୍ପନା କରି ତାକୁ କାଠିରେ ଚାରୋଟି ଗୋଡ଼ ଉପରେ ରଖି ବଳି ଦିଆଯାଏ । (ପୂ.ଓ.ଭା. – ପୃ. ୧୭୦୩) ।

କୋଇଲି ବୈକୁଣ୍ଠ-ଦେ.ବି.- ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଆଡ଼କୁ ବାହାର ବେଢ଼ା ମଧ୍ୟରେ ଥିବା ବୃକ୍ଷ ଗୁଳ୍ମାଦି ପୂର୍ଣ୍ଣ ଗୁପ୍ତସ୍ଥାନା ଏଠାରେ ନବକଳେବର ସମୟରେ ଜୀର୍ଣ୍ଣ ଦେବ ବିଗ୍ରହମାନଙ୍କର ପାତାଳି କରାଯାଏ । ଏହା ସମ୍ଭବତଃ କୈବଲ୍ୟ ବୈକୁଣ୍ଠ ଅର୍ଥାତ୍ ମର୍ତ୍ତ୍ୟ ବୈକୁଣ୍ଠ । ଦ୍ରାବିଡ଼ ଭାଷାରେ କୋଇଲି ଶବ୍ଦର ଅର୍ଥ ମନ୍ଦିର । ବେଦାନ୍ତ ସାର ଗୁପ୍ତଗୀତାରେ ବଳରାମ ଦାସ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ସହ ବିଦ୍ୟା ବିବାଦ କରି ରାଜାଜ୍ଞାତରେ ପଢ଼ିହାରୀଙ୍କ ଦ୍ୱାରା ଗୋଟିଏ ରାତି କୋଇଲି ବୈକୁଣ୍ଠରେ ଅଟକ ଥିଲେ ବୋଲି ଉଲ୍ଲେଖ ଅଛି । ବୈଷ୍ଣବ ଲୀଳାମୃତ ଗ୍ରନ୍ଥରେ ନୃତ୍ୟ ସମୟରେ ଇଟା ଉପରେ ଚୈତନ୍ୟଙ୍କ ବାମପାଦ ପଡ଼ି ବୃଦ୍ଧାଙ୍ଗୁଳି କ୍ଷତ ହୋଇ କ୍ରମେ ଦ୍ରୁତ ସ୍ବାସ୍ଥ୍ୟହାନି ଘଟି ଅକ୍ଷୟ ତୃତୀୟା ଦିନ ବ୍ରାହ୍ମମୁହୂର୍ତ୍ତରେ ପ୍ରାଣ ତ୍ୟାଗ କରିବା ଓ ସ୍ୱୟଂ ଗୋପନରେ ତାଙ୍କୁ କୋଇଲି ବୈକୁଣ୍ଠରେ ସମାଧି ଦେବା କଥା ଏଠାରେ ଉଲ୍ଲେଖ ଅଛି । ଧ୍ୱନି ଓ ଅର୍ଥଗତ ନିକଟତା ଦୃଷ୍ଟିରୁ କେବଳ ମୁକ୍ତିପଦ ବୈକୁଣ୍ଠ କୋଇଲି ବୈକୁଣ୍ଠରେ ରୂପାନ୍ତରିତ ହୋଇଥିବ ବୋଲି କୁହାଯାଇପାରେ । ଏହିଠାରେ ଠାକୁରମାନଙ୍କର ନୂତନ କଳେବର ହୁଏ ବୋଲି ଏହି କୁଞ୍ଜର ନାମ ଜନ୍ମକୁଞ୍ଜ । କେହି କେହି ବିଶ୍ବାସ କରନ୍ତି ଶ୍ରୀକୃଷ୍ଣ ରାଧାଙ୍କୁ କୋଇଲି ରୂପରେ ଏହିଠାରେ ଦେଖାଦେଇଥିଲେ । ନବକଳେବର ସମୟରେ ନୂତନ ବିଗ୍ରହ ପ୍ରତିଷ୍ଠା ଓ ବ୍ରହ୍ମପରିବର୍ତ୍ତନପରେ ପୁରୁଣା ବିଗ୍ରହ ମାନଙ୍କୁ କୋଇଲି ବୈକୁଣ୍ଠ ଠାରେ ପାତାଳି କରାଯାଏ । (ଶ୍ରୀ.ସ୍ଵ – ପୃ. ୨୭୩) ।

ଖଳି ଲାଗି-ଦେ.ବି.- ଆଷାଢ଼ କୃଷ୍ଣ ଏକାଦଶୀ ଦିନ ଅଣସର ଗୃହରେ ପନ୍ଦର ସେର ଘୋରା ଚନ୍ଦନ, କର୍ପୂର, କେଶର ମିଶ୍ରିତ ହୋଇ ଦଇତାମାନଙ୍କ ଦ୍ୱାରା ଠାକୁରଙ୍କୁ ଲାଗି କରାଯାଏ । ଏଥିପାଇଁ ମଧ୍ୟ ଗହମ ଚୂନାରେ ଖଳି ପ୍ରସ୍ତୁତ ହୋଇ ଲାଗି ହୁଏ । ଖଡ଼ି ପ୍ରସାଦ-ଦେ.ବି.- ଖଳି ଲାଗି ସରିଲା ପରେ ଖଡ଼ି ଲାଗି ହୋଇଥାଏ ।

ଖୁରି ନାଏକ- ଦେ.ବି.- ଗ୍ରହ ବିପ୍ର । ଶ୍ରୀମନ୍ଦିରର ଜ୍ୟୋତିଷ । ପ୍ରତିଦିନ ଅବକାଶ ସମୟରେ ଠାକୁରଙ୍କୁ ସେହିଦିନର ନକ୍ଷତ୍ର ବିଚାର କରି ଶୁଣାନ୍ତି । ଦୋଳପୂର୍ଣ୍ଣିମାରେ ଶ୍ରୀଛାମୁରେ ପାଞ୍ଜିପାଠ କରନ୍ତି । ମନ୍ଦିର ସମସ୍ତ ଶୁଭ କାର୍ଯ୍ୟରେ ତିଥିବାର ନକ୍ଷତ୍ର ପ୍ରଭୃତି ଦେଖି ଶୁଭବେଳା ନିର୍ଣ୍ଣୟ କରିଥାନ୍ତି । (ଶ୍ରୀ.ସ୍ଵ. ୨ୟ – ପୃ. ୧୩) ।

ଗଜପତି ମହାରାଜା-ଦେ.ବି.- ଭାରତର ଅନ୍ୟାନ୍ୟ ରାଜବଂଶ ଅଶ୍ୱପତି, ନରପତି, ଛତ୍ରପତି ରୂପେ ସ୍ୱୀକୃତି ପାଇଥିବା ସ୍ଥଳେ ଓଡ଼ିଶାର ପୁରୀ ରାଜବଂଶ ‘ଗଜପତି’ ଉପାଧିରେ ଭୂଷିତ ହୋଇଛନ୍ତି । ସୂର୍ଯ୍ୟ ବଂଶର ସମ୍ରାଟ କପିଳେନ୍ଦ୍ର ଦେବଙ୍କ ସମୟରୁ ଗଜପତି ପରମ୍ପରା ସୃଷ୍ଟି ହୋଇଅଛି । ପୁରୀର ରାଜା ଗଜପତି ‘ଠାକୁର ରାଜା’ ବା ଶ୍ରୀଜଗନ୍ନାଥଙ୍କ ‘ଚଳନ୍ତି ପ୍ରତିମା’ ବା ‘ଚଳନ୍ତି ବିଷ୍ଣୁ’ ମର୍ଯ୍ୟାଦା ଲାଭ କରିଛନ୍ତି । ସେ ଶ୍ରୀମନ୍ଦିରକୁ ବିଜେ କଲେ ତାଙ୍କୁ ବିଷ୍ଣୁଙ୍କ ଭଳି କେତେକ ସମ୍ମାନ ପ୍ରଦାନ କରାଯାଏ । ଗଜପତି ମହାରାଜା ଠାକୁର ରାଜା ବା ଆଦ୍ୟ ସେବକ ହୋଇଥିବାରୁ ସେ କେବଳ ରାଜକୀୟ ଉପଚାରରେ ମନ୍ଦିର ବେଢ଼ାକୁ ପ୍ରବେଶ କରିପାରନ୍ତି । ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଛେରାପହଁରା କରନ୍ତି । ସଂପ୍ରତି ସରକାରଙ୍କ ଶ୍ରୀମନ୍ଦିର ପରିଚାଳନା କମିଟିରେ ଗଜପତି ସ୍ଥାୟୀ ଅଧ୍ୟକ୍ଷ ରୂପେ କାର୍ଯ୍ୟ ନିର୍ବାହ କରନ୍ତି । ବର୍ତ୍ତମାନ ପୁରୀ, ବଡ଼ଖେମୁଣ୍ଡି, ସାନଖେମୁଣ୍ଡି ଓ ପାରଳାଖେମୁଣ୍ଡିର ରାଜାମାନେ ‘ଗଜପତି’ ଉପାଧି ଲାଭ କରିଛନ୍ତି । ପୁରୀ ରାଜା, ବୀର ଶ୍ରୀଗଜପତି ଗୌଡ଼େଶ୍ୱର ନବକୋଟୀ କର୍ଣ୍ଣାଟୋତ୍କଳବର୍ଗେଶ୍ୱର ବିରାଧିବୀରବର ପ୍ରତାପଶ୍ରୀ...’ ଉପାଧି ବ୍ୟବହାର କରୁଥିଲେ ।

ବର୍ତ୍ତମାନ ଗଜପତି ହେଉଛନ୍ତି ଦିବ୍ୟସିଂହ ଦେବ । ଏହି ରାଜା ମନ୍ଦିରର ଆଦ୍ୟ ସେବକ-। ରଥଯାତ୍ରାରେ ଓ ବାହୁଡାରେ ତିନିରଥରେ ଛେରାପହଁରା କରନ୍ତି ଓ ରାଜ ସେବା ନୀତି କରନ୍ତି । ଚାପ ଉପରେ ପ୍ରଥମ ଦିନ ଓ ଶେଷ ଦିନ, ସ୍ନାନବେଦୀ ଓ ଦୋଳବେଦୀରେ ଛେରାପହଁରା କରନ୍ତି । ଏହାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଏ ସେବା କରନ୍ତି । ରାଜା ମନ୍ଦିରକୁ ବିଜେ କଲେ ରାଜନୀତି ସେବା କରିବେ (ଦୋଳପୂର୍ଣ୍ଣମୀ ଓ ବାମନଜନ୍ମ) । ମନ୍ଦିରକୁ ବିଜେ କଲେ ବିଷ୍ଣୁଙ୍କ ସହିତ କେତେକ ସମ୍ମାନ ପ୍ରଦର୍ଶନ କରାଯାଉଥିବାରୁ ଏହାଙ୍କୁ ଚଳନ୍ତି ବିଷ୍ଣୁ ବୋଲି ସମ୍ବୋଧନ କରାଯାଏ । ଯାତ୍ରୀମାନେ ଏହାଙ୍କୁ ଦର୍ଶନ କରି ଭେଟି ଦେଲେ ସେ ତାହା ବ୍ୟକ୍ତିଗତ ଭାବେ ଗ୍ରହଣ କରନ୍ତି ।

ପରିଚ୍ଛା ସୁନାବେତ ଧରି ପାଖରେ ଥାଆନ୍ତି । ଏହାଙ୍କ ରାଣୀ ଏହାଙ୍କ ସହ ମନ୍ଦିରକୁ ବିଜେ କଲେ ତାଙ୍କର ସବାରି ଭିତରେ ବଟ ଯାଏ ଯିବ ଓ ମୁଦିରସ୍ଥ ତାହାଙ୍କ ସହ ରହି ଦର୍ଶନ କରାନ୍ତି । ନବକଳେବର ସମୟରେ ଦଇତା ଓ ବ୍ରାହ୍ମଣମାନଙ୍କୁ ଗୁଆ ଟେକି ଦିଅନ୍ତି । ଲକ୍ଷ୍ମୀ-ନାରାୟଣଙ୍କ ଭେଟରେ ନଅର ଦୁଆରେ ବନ୍ଦାପନା କରନ୍ତି । ଚମ୍ପକ ଦ୍ୱାଦଶୀ ଦିନ ବରକନ୍ୟାଙ୍କୁ ନିଜର ଦ୍ୱାରକୁ ପାଛୋଟି ନିଅନ୍ତି ଓ ରାଜନୀତି କରନ୍ତି । ଏମାନଙ୍କ ନଅରକୁ ରାଜପ୍ରସାଦ ଓ ଖଡ଼ି ପ୍ରସାଦ ବିଜେ ହୁଏ ଓ ସେଠାରେ ରାଜା ଶାଢ଼ୀ ଦିଅନ୍ତି । ପ୍ରତ୍ୟେକ ଦିନ ମଙ୍ଗଳ ଆଳତି ପ୍ରସାଦ, ପହୁଡ଼ର ଜଗନ୍ନାଥଙ୍କ ବାଡ଼ର ପଇଡ଼, ମାଳଚୂଳ ଚର୍ଚ୍ଚାଇତ ସେବକ ନଅରକୁ ନେଇ ଦିଅନ୍ତି । ପାଳିଆ ମୁଖ ପଖାଳ ପଢ଼ିଆରୀ ଦୈନିକ ଅବକାଶ ଜଳ ନେଇ ଦିଏ । ପ୍ରତ୍ୟେକ ଧୂପରେ, ପର୍ବପର୍ବାଣିମାନଙ୍କରେ, ଶ୍ରାଦ୍ଧ ଓ ସ୍ୱନକ୍ଷତ୍ରରେ ବଡ଼ୁମହାପାତ୍ର ଏହାଙ୍କ ନଅରକୁ ତାଟ ନେଇ ଦିଅନ୍ତି-। ଏହା ବାଦେ ଦୈନିକ ରାଜାଙ୍କୁ, ରାଣୀଙ୍କୁ ଓ ଜେନାମଣିଙ୍କୁ ପସରାରୁ ଖେଇ ମିଳେ । ଏହା ମନ୍ଦିର କୋଠଭୋଗ, ପସରାଠାରୁ ପୃଥକ୍ । ରାଜା, ରାଣୀ ଓ ତାଙ୍କର ସନ୍ତାନଙ୍କ ସ୍ୱ-ନକ୍ଷତ୍ରରେ ମନ୍ଦିରରେ ଅଧିକା ଭୋଗ ହୋଇ ନଅରକୁ ତାଟ ଯାଏ । ଏହି ସେବା ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା ଓ ଏହା ସହ ତାଙ୍କର ମନ୍ଦିର ପରିଚଳନାଗତ ପଦବୀ ସହିତ କିଛି ସମ୍ପର୍କ ନାହିଁ । ଗଜପତି ରାଜାଙ୍କ ବଂଶର ପ୍ରଚଳିତ ନିୟମ ଜ୍ୟେଷ୍ଠପୁତ୍ର (ଜେନାମଣି) ଏହି ସେବାରେ ଉତ୍ତରାଧିକାରୀ ହୁଅନ୍ତି-। କେବଳ ପୁରୁଷ ଉତ୍ତରାଧିକାରୀ ରାଜା ହୋଇ ସେବା କରିପାରିବେ । ସ୍ତ୍ରୀ ଔରସ ହେଲେ ଏହି ସେବା କରିପାରିବେ ନାହିଁ ।” ତେଣୁ ପରମ୍ପରାରୁ ରାଜାଙ୍କ ପୁତ୍ର ନ ଥିଲେ ପୋଷ୍ୟପୁତ୍ର ଗ୍ରହଣ କରନ୍ତି । ଯଦି ଅଭିଷେକ ହୋଇ ନ ଥାନ୍ତି ଏହାଙ୍କ ସେବା ଯେତେଦୂର କରାଯାଇପାରେ ମୁଦିରସ୍ତ କରନ୍ତି । ନବକଳେବର ସମୟରେ ଗଜପତି ଗୁଆ ଟେକିଲାପରେ ବନଯାଗ ପର୍ବ ଆରମ୍ଭ ହୁଏ । (ଶ୍ରୀ.ସ୍ଵ. – ପୃ. ୧୩, ଶ୍ରୀ.ସ୍ଵ. ୧ମ – ପୃ. ୧୨, ପୂ.ଓ.ଭା. –ପୃ. ୨୦୬୭, ଶ୍ରା.ଜି. – ପୃ. ୧୦୦) ।

ଗୁଆଟେକା-ଦେ.ବି.- ଶ୍ରୀନଅରଠାରେ ବନଯାଗ ଯାତ୍ରୀ ଦଳ ପହଞ୍ଚିବା ପୂର୍ବରୁ ଶ୍ରୀଗଜପତି ମହାରାଜା ତାଙ୍କ ଶ୍ରୀହସ୍ତରେ ନବକଳେବରର ବରଣ କାର୍ଯ୍ୟ ପାଇଁ ଗୁଆ ନଡିଆ ଇତ୍ୟାଦି ରାଜଗୁରୁଙ୍କ ହାତକୁ ଟେକି ଦେଇଥା’ନ୍ତି । ବନଯାଗ ଦଳ ରାଜନବରରେ ପହଞ୍ଚିଲେ ରାଜଗୁରୁ ସେହି ଶୁଭ ଗୁଆ ଏବଂ ନଡିଆ ଆଦିକୁ ବିଶ୍ୱାବସୁଙ୍କୁ ପ୍ରଦାନ କରନ୍ତି । ଏଥିପୂର୍ବରୁ ବନଯାଗର ଶୁଭାନୁଷ୍ଠାନ ପାଇଁ ଗଜପତିଙ୍କ ତରଫରୁ ଅନୁରୋଧ ଜଣାନ୍ତି । ଏହି ବିଧିର ଲୋକାଚାରରେ ନାମ ହେଉଛି ‘ଗୁଆଟେକା’ । (ମ.ନ.-– ପୃ. ୪୮) ।

ଗଜପତିଙ୍କ ରାଜନୀତି ସେବା-ଦେ.ବି.- ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହେଲା ପରେ ମାଳଚୂଳ ହୋଇ ପୂଜର୍ଚ୍ଚନା ହୋଇଥାଏ । ରଥ ଟଣା ପୂର୍ବରୁ ଗଜପତି ମହାରାଜା ରୌପ୍ୟଖଚିତ ତାମଯାନରେ ଶ୍ରୀନଅରରୁ ଆସି ପ୍ରଥମେ ତାଳଧ୍ୱଜ ରଥରେ, ତା’ପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥକୁ ବିଜେ କରନ୍ତି । ରାଜା ପ୍ରଥମେ ତାଳଧ୍ୱଜ ରଥରେ ବଳଭଦ୍ରଙ୍କୁ ନିଉଛାଳି ହୋଇ ଧଳାବସ୍ତ୍ର ପ୍ରଦାନ କରିବା ସହିତ ତାଙ୍କୁ ମାଳଚୂଳ ଲାଗି କରି ପୁଷ୍ପାଞ୍ଜଳି, କର୍ପୂର ଆଳତି, ଚାମର ସେବା, ଆଲଟ ସେବା ଓ ବନ୍ଦାପନା କରନ୍ତି । ଏହା ଗଜପତିଙ୍କର ରାଜନୀତି ସେବା ନାମରେ ପରିଚିତ । (ଶ୍ରୀ.ଜି. – ପୃ. ୨୫୫) ।

ଘଟ ପରିବର୍ତ୍ତନ – ଦେ.ବି.- ଶ୍ରୀମନ୍ଦିରରେ ନବକଳେବରରେ ନୂତନ ବିଗ୍ରହ ନିର୍ମିତ ହେବା ପରେ ବ୍ରହ୍ମ ପରିବର୍ତ୍ତନ ହୋଇଥାଏ । କୃଷ୍ଣ ଚତୁର୍ଦ୍ଦଶୀ ଦିନ ବିଶେଷ ଯଜ୍ଞ ସମାହିତ ହୋଇ ନୂତନ ଠାକୁରଙ୍କର ସ୍ନାନ ଓ ପ୍ରାଣନ୍ୟାସ ଏହି ତିଥିରେ କରାଯାଏ । ଶ୍ରୀସୂକ୍ତ ଓ ପୁରୁଷସୂକ୍ତରେ ବେଦବୈଦ୍ୟ ଜଗନ୍ନାଥ ବୋଧନ କରାଯାଏ । ଶ୍ରୀ ଗଜପତି ମହାରାଜ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରନ୍ତି । ଦାନ, ଆଳତି, ପୁଷ୍ପାଞ୍ଜଳି ଯଥା ବିଧି ଅନୁଷ୍ଠିତ ହୁଏ । ତା’ପରେ ଶୋଧ ହୁଏ । ପୂର୍ବରୁ ସନ୍ଧ୍ୟା ଆଳତି ଓ ବଡ଼ସିଂହାର ଧୂପ ବଢ଼ିସାରିଥାଏ । ସେହିଦିନ ନିଶାର୍ଦ୍ଧରେ ଗୁପ୍ତରେ ଘଟ (ବ୍ରହ୍ମ) ପରିବର୍ତ୍ତନ କରାଯାଏ । ଚାରିଦ୍ୱାର ବନ୍ଦ ରୁହେ ଓ ଦେଉଳ ପତି ମହାପାତ୍ର ଛଡା ଆଉ କେହି ନଥାନ୍ତି । ବାହାରେ ତିନି ବାଡରେ ବାଡ଼ଗ୍ରାହୀ, ଦଇତା ଏମାନଙ୍କ ବ୍ୟତୀତ ଆଉ କେହି ନଥାନ୍ତି । ବାହାର ଜଗି ରହନ୍ତି କେବଳ ଦେଉଳକରଣ । ଏହି ସମୟରେ ସମଗ୍ର ମନ୍ଦିର ଅନ୍ଧକାର କରିଦିଆଯାଏ । ନୂତନ ବିଗ୍ରହ ପହଣ୍ଡି ହୋଇ ନିର୍ମାଣ ମଣ୍ଡପରୁ ଅଣସର ପିଣ୍ଡିକୁ ଆସନ୍ତି । ଶୁଭବେଳା ଦେଖି ବ୍ରହ୍ମ ପରିବର୍ତ୍ତନ ହୁଏ । ଦାରୁଙ୍କ ନାଭି କମଳରେ ଏହି ବ୍ରହ୍ମ ଥିବାରୁ ଏହାଙ୍କର ନାମ ଦାରୁବ୍ରହ୍ମ । ଏହାପରେ ନୂତନ ବିଗ୍ରହଙ୍କ ଅଙ୍ଗରେ ଅଙ୍ଗରାଗ ଲେପନ କରାଯାଏ । (ଶ୍ରୀ.ଶ୍ରୀ. -– ପୃ. ୪୮) ।

ଚଉପଟ-ଦେ.ବି.- ନବକଳେବର ପାଇଁ ଦାରୁ ନିମନ୍ତେ ସଂଗ୍ରହ କରାଯାଉଥିବା ମୁଖ୍ୟଗଣ୍ଡି ଗଡ଼ । ଗଡ଼ କରାଯାଇଥିବା ଦାରୁର ମଞ୍ଜ ଅଂଶ । ଗୋଲାକାର କାଠଗଣ୍ଡିକୁ କାଟି ପଳଖ ଅଂଶକୁ କାଢ଼ି ଦିଆଯାଇ ଚଉପଟ କରାଯାଏ । (ପୂ.ଓ.ଭା. – ପୃ. ୨୪୭୪, ପ୍ର.ଅ. ୧ମ – ପୃ. ୮୨୨) ।

ଚରୁ-ଦେ.ବି.- ହୋମ ନିମନ୍ତେ ପ୍ରସ୍ତୁତ ଅନ୍ନକୁ ଚରୁ କୁହାଯାଏ । ହୋମାଗ୍ନିରେ ଦେବତାଙ୍କ ଉଦ୍ଦେଶ୍ୟରେ ଘୃତ ଢଳା ହେବା ବେଳେ ତହିଁ ସଙ୍ଗେ ଅଗ୍ନିରେ ଏହି ପାୟସାନ୍ନ ବା ମିଷ୍ଟାନ୍ନ ଅର୍ପଣ କରାଯାଏ । ହୋମାଗ୍ନିରେ ଦିଆଯିବା ପାଇଁ ଦୁଗ୍ଧ, କନ୍ଦ ଓ ଚାଉଳ ଏକତ୍ର ରନ୍ଧା ହୋଇଥିବା ଅନ୍ନ । (ପୂ.ଓ.ଭା. – ପୃ. ୨୫୭୦) ।

ଚରୁହୋତା-ଦେ.ବି.- ପୂଜାପଣ୍ଡା: ଯେ କି ଚରୁ ପ୍ରସ୍ତୁତ କରନ୍ତି ଓ ବିଗ୍ରହଙ୍କୁ ଅର୍ପଣ କରନ୍ତି । (ଶ୍ରୀ.ସ୍ଵ. ୧ମ- ପୃ. ୪୨-୪୬) ।

ଦଇତା ସେବା-ଦେ.ବି.- ଶ୍ରୀଜଗନ୍ନାଥଙ୍କ ଉପାସନା ସହ ଜଡ଼ିତ ମୁଖ୍ୟ ସେବକ । ଶବର ବଂଶାବଳୀରେ ବାରଘରିଆ ଶବରଙ୍କ ଏକ ଶାଖା । ଏମାନେ ପୁରୁଷୋତ୍ତମ କ୍ଷେତ୍ରରେ ରୁହନ୍ତି ଓ ଶ୍ରୀଜୀଉଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି । ନବକଳେବର, ସ୍ନାନଯାତ୍ରା, ରଥଯାତ୍ରା ଓ ଅଣସର ପ୍ରଭୃତି ବିଶେଷ ଯାତ୍ରା ବା ନୀତିରେ ଏମାନେ କାର୍ଯ୍ୟ କରନ୍ତି । ଶ୍ରୀଜଗନ୍ନାଥଙ୍କୁ ସିଂହାସନରୁ ନେଇ ରଥରେ ବିଜେ କରାଇବା ଓ ବାହୁଡ଼ାଇ ଆଣିବା କାର୍ଯ୍ୟ ମଧ୍ୟ ଏମାନେ କରନ୍ତି । ମହାପ୍ରଭୁଙ୍କର ଅଣସର ସମୟରେ ପ୍ରଭୁଙ୍କର ବିଶେଷ ସେବା ଏମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ । ‘ବିଶ୍ୱାବସୁ ନାମକ ଯେଉଁ ଶବର ଶ୍ରୀଜଗନ୍ନାଥଙ୍କୁ ପ୍ରଥମେ ପୂଜା କରୁଥିଲେ ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନ ତାହାଙ୍କଠାରୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରକୁ ଆଣିଥିଲେ, ଏମାନେ ତାହାଙ୍କ ବଂଶଧର ବୋଲି କଥିତ ।’ ନବକଳେବର ସମୟରେ ଦାରୁ ନିର୍ଣ୍ଣୟ, ଦାରୁ ସଂଗ୍ରହ ଓ ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏମାନଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । (ଶ୍ରୀ.ସ୍ଵ. ୧ମ – ପୃ. ୧୭୮, ଓ.ସାଂ.ଶ. – ପୃ. ୧୬୮, ପୂ.ଓ.ଭା. – ପୃ. ୩୬୨୬) ।

ଦତ୍ତମହାପାତ୍ର-ଦେ.ବି.- ଅଣସର ଚତୁର୍ଦ୍ଦଶୀରେ ଚକା ଅପସର ଲାଗି ହୁଏ । ଦତ୍ତମହାପାତ୍ର ବନକ ଲାଗି ଶ୍ରୀମୁଖ ସିଂହର କରିଥାନ୍ତି । ଏହାପରେ ଚକାଅପସର ଲାଗି ହୋଇଥାଏ ।

ଦାରୁ-ଦେ.ବି.- ପ୍ରାଚୀନ ବୈଦିକ ଶାସ୍ତ୍ର ରଗବେଦରେ ଅପୌରୁଷେୟ ‘ଦାରୁ’ ଶବ୍ଦର ପ୍ରୟୋଗ ରହିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ଏନ୍ତୁଡ଼ିଶାଳରୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ମନୁଷ୍ୟ ଜୀବନରେ ଦାରୁ (କାଷ୍ଠ)ର ଭୂମିକା ଅପରିହାର୍ଯ୍ୟ । ଦାରୁଖଣ୍ଡଟିର ଗୋଟିଏ ପାର୍ଶ୍ୱ ଅଗ୍ନିରେ ଜଳୁଥିବା ସମୟରେ ତାହାର ଅପରପାର୍ଶ୍ୱ ଶୀତଳ ଥାଏ, ଏହାହିଁ ମାନବ ଜୀବନ ଧାରଣର ଅପୂର୍ବ ଶିକ୍ଷା । ମାନବର ପ୍ରଖରତା ଓ ଶୀତଳତା ସମାନ ରହିଲେ ହିଁ ତାହା ଅପରର କଲ୍ୟାଣ ସାଧନ କରିପାରେ । ବାରବର୍ଷରେ ହେଉ ବା ତତୋଧିକ ବର୍ଷରେ ଯେଉଁ ଯୋଡ଼ା ଆଷାଢ଼ ବା ମଳ ପଡ଼େ ସେହି ଆଷାଢ଼ ମାସରେ ଠାକୁରଙ୍କ ନବକଳେବର ହୁଏ ଓ ଅଣସର ସମୟ ଏକ ମାସ (ମଳ) ମିଶିଯିବାରୁ ଦେଢ଼ମାସ ହୁଏ । ଏହାକୁ ମହାଅଣସର କୁହାଯାଏ । ଦାରୁ ଶବ୍ଦ ଦୁଷ୍ଟ ଦମନ ଓ ଦଣ୍ଡ ପ୍ରଦାନ ଅର୍ଥରେ ପ୍ରଯୁଜ୍ୟ । ଏଥିରେ ମଧ୍ୟ ରହିଛି ଦାରୁଣ ଦୁଃଖ ଦହନ ତଥା ଖଣ୍ଡନକାରୀ ଶକ୍ତି । ଦାରୁସ୍ତମ୍ଭ ମଧ୍ୟରୁ ନୃସିଂହ ଆବିର୍ଭୂତ ହୋଇ ହିରଣ୍ୟକଶିପୁ ବିଦାରଣ ପୂର୍ବକ ପ୍ରହ୍ଲାଦର କଷଣ ଦୂର କରିଥିଲେ । ପ୍ରଭୁ ଶ୍ରୀରାମଚନ୍ଦ୍ର କୋଦଣ୍ଡଧାରୀ ରୂପେ ପ୍ରସିଦ୍ଧ । ଶ୍ରୀକୃଷ୍ଣ ମଧ୍ୟ କାଷ୍ଠଦଣ୍ଡ ଧାରଣ କରି ଗୋପାଳନ କରୁଥିଲେ । ତେଣୁ ଦାରୁର ସ୍ୱଭାବ ସୁଲଭ ଗୁଣ ହେଉଛି ସମସ୍ତଙ୍କ ଦୁଃଖନିବାରଣ ଓ ଅଖଣ୍ଡ ଆନନ୍ଦ ପ୍ରଦାନ । ତେଣୁ ଦାରୁ ମାନବୀୟ ଆଧ୍ୟାତ୍ମିକ ସଂସ୍କୃତିର ପରମ ଉପଜୀବ୍ୟ । ଦାରୁ ହିଁ ଦେବତା ରୂପେ ସ୍ୱୀକୃତ । (ଉ.ପ୍ର. – ଜୁଲାଇ ୨୦୧୨ – ପୃ. ୮୭) ।

ଦାରୁଘର-ଦେ.ବି.- ନବକଳେବର ସମୟରେ ସଂଗୃହୀତ ଦାରୁ ଶ୍ରୀମନ୍ଦିର ବାହାର ବେଢ଼ାରେ ଥିବା ଏହି ଘରେ ସଂଗ୍ରହ କରି ରଖାଯାଏ । (ଶ୍ରୀ.ସ୍ଵ. ୨ୟ – ପୃ. ୬୫) ।

ଦାରୁ ଛେଦନ-ଦେ.ବି.- ଦାରୁ ଚିହ୍ନଟ ପରେ ଦାରୁଛେଦନ କାର୍ଯ୍ୟ ହୋଇଥାଏ । ଏଥିପାଇଁ ଯଜ୍ଞମାଳା, ଯଜ୍ଞକୁଣ୍ଡ, ଅଙ୍କୁରାରୋପଣ ଗୃହ ନିର୍ମିତ ହୋଇ ବନଯାଗ ହୋମ ଆରମ୍ଭ ହୁଏ-। ଏଥିନିମନ୍ତେ ପାଞ୍ଚ ଜଣ ବେଦବିତ୍ ବ୍ରାହ୍ମଣ ଅଂଶଗ୍ରହଣ କରନ୍ତି । ଆଚାର୍ଯ୍ୟ, ବ୍ରହ୍ମା ଓ ପୁସ୍ତକାଚାର୍ଯ୍ୟଙ୍କ ଦ୍ୱାରା ପାତାଳି ନୃସିଂହଙ୍କ ମନ୍ତ୍ରରେ ପୂଜା ତଥା ଆହୁତି ହୁଏ । (ଶ୍ରୀ.ସ୍ଵ. ୨ୟ – ପୃ.୬୪) ।

ଦାରୁବୁହା ଶଗଡ଼-ଦେ.ବି.- ଦାରୁ ଚିହ୍ନଟ ଓ ଛେଦନ ପରେ ସେଗୁଡ଼ିକ ସେ ସ୍ଥାନରୁ ବୁହା ହୋଇ ଶ୍ରୀମନ୍ଦିର ଦାରୁ ଖଳାକୁ ଆସେ । ଏଣୁ ବୁହାହୋଇ ଆସିବା ନିମନ୍ତେ ନୂତନ ଶଗଡ଼ିନିର୍ମାଣ ହୋଇଥାଏ ।ଏହି ଶଗଡ଼ି ବରଗଛ କାଠରେ ଚକ, ତେନ୍ତୁଳି କାଠରେ ଦଣ୍ଡା ଓ କେନ୍ଦୁଗଛ କାଠରେ ଅଖତିଆରି କରି ଆଠ ହାତ ଦୈର୍ଘ୍ୟ ବିଶିଷ୍ଟ ଓ ଚାରି ଚକ ଯୁକ୍ତ ଶଗଡ଼ରେପାଟବସ୍ତ୍ର ବିଛାଇ ପାଟଡ଼ୋରି ଦ୍ୱାରା ଦାରୁକୁ ବାନ୍ଧି ବେତଦଉଡ଼ି ବା କତା ଦଉଡ଼ିରେ ଟଣା ହୋଇଆସେ । ଏହି ଦାରୁଗୁଡ଼ିକ ଟଣାହୋଇ ଆସି ଶ୍ରୀମନ୍ଦିର ଉତ୍ତରବାଟେ ବା ବୈକୁଣ୍ଠଦ୍ୱାର ଦେଇ କୈବଲ୍ୟ ବୈକୁଣ୍ଠ ବା କୋଇଲି ବୈକୁଣ୍ଠକୁ ଅଣାଯାଏ । (କ୍ଷେ.ସ) ।

ଦାରୁବ୍ରହ୍ମ-ସଂ.ବି.- ଶ୍ରୀଜଗନ୍ନାଥ । ଦାରୁ ଅନ୍ତର୍ଗତ ବ୍ରହ୍ମ, ଦାରୁ ଚିହ୍ନିତ ବ୍ରହ୍ମ, ଦାରୁ ବା କାଠର ନିର୍ମିତ ବ୍ରହ୍ମ ସ୍ୱରୂପ । ଦାରୁ ସହିତ ବ୍ରହ୍ମଙ୍କ ସମ୍ବନ୍ଧ ପ୍ରତିଷ୍ଠା କରି ଦାରୁବ୍ରହ୍ମ ଶବ୍ଦର ସୃଷ୍ଟି କରାଯାଇଅଛି । ଅହି ଶବ୍ଦଟି କେବଳ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଯୁଜ୍ୟ ହୋଇଥାଏ । ଏଠାରେ ଦାରୁ ମଧ୍ୟରେ ବ୍ରହ୍ମମୟ ସତ୍ତା ବିଦ୍ୟମାନ ଥିବାରୁ ଦାରୁବ୍ରହ୍ମ ହିଁ ଚିରନ୍ତନ । ବ୍ରହ୍ମପୁରାଣରେ ଦାରୁ ରୂପରେ ଜଗନ୍ନାଥଙ୍କ ଅବିର୍ଭାବ ସମ୍ପର୍କରେ ଉଲ୍ଲେଖ ଅଛି । ଏଣୁ ପ୍ରାଚୀନ ଉତ୍କଳରେ ଦାରୁମୁର୍ତ୍ତିରେ ବ୍ରହ୍ମ ଉପାସନାକୁ ଆର୍ଯ୍ୟ ସଂସ୍କୃତିରେ ମଧ୍ୟ ଗ୍ରହଣ କରାଯାଇଅଛି । ଯୋଡ଼ା ଆଷାଢ଼ର କୃଷ୍ଣ ଚତୁର୍ଦ୍ଦଶୀ ନିଃଶବ୍ଦ ରାତ୍ରିରେ ବ୍ରହ୍ମ ପରିବର୍ତ୍ତନ ଗୋପନରେ ସମ୍ପାଦିତ ହୋଇଥାଏ । ଦାରୁଦେବତାଙ୍କ ନାଭି କମଳରେ ବ୍ରହ୍ମବସ୍ତୁ ସ୍ଥାନିତ ହେବା ପରେ ଠାକୁର ନବକଳେବର ପ୍ରାପ୍ତ ହୁଅନ୍ତି ଏବଂ ସେତିକି ବେଳେ ଦାରୁବ୍ରହ୍ମ ନାମରେ ସାର୍ଥକତା ଆସେ । ଦାରୁବ୍ରହ୍ମ ରୂପେ ବିଦିତ ଶ୍ରୀଜଗନ୍ନାଥ ବିଗ୍ରହହିଁ ପୂର୍ଣ୍ଣ ଚୈତନ୍ୟମୟ ଓସଚ୍ଚିଦାନନ୍ଦ । ଦାରୁବ୍ରହ୍ମ ବୈଦିକ ବ୍ରହ୍ମତତ୍ତ୍ୱ ଓ ବୈଦିକ ଦାରୁତତ୍ତ୍ଵ ମିଳନର ସମନ୍ବୟ । ଶ୍ରୀପୁରୁଷୋତ୍ତମ ଶ୍ରୀକ୍ଷେତ୍ରରେ ଅବ୍ୟକ୍ତ ଅଣାକାର ବ୍ରହ୍ମ ରହସ୍ୟ ଦାରୁରୂପରେ ବିରାଜିତ ହୋଇ ଦାରୁବ୍ରହ୍ମ ରୂପେ ପୂଜା ପାଇଆସୁଛନ୍ତି । (ପୂ.ଓ.ଭା. – ପୃ. ୩୭୪୩, ଉ.ପ୍ର. –ଜୁଲାଇ--୨୦୦୨ ପୃ. ୮୭) ।

ଦେଉଳି ମଠ –ଦେ.ବି. – ଶ୍ରୀମନ୍ଦିର ସେବକମାନେ ବନଯାଗ କର୍ମରେ ଭାଗ ନେଇ ଦାରୁ ଅନ୍ୱେଷଣରେ କାକଟପୁର ମଙ୍ଗଳାଙ୍କ ନିକଟକୁ ଯାତ୍ରା ସମୟରେ ସେମାନେ ଦେଉଳିମଠରେ ବିଶ୍ରାମ ନେଇ ମଙ୍ଗଳାଙ୍କ ଆଜ୍ଞା ପାଇଁ ଅପେକ୍ଷା କାରିଥାଆନ୍ତି । ଏହାକୁ ସିଦ୍ଧ ମଠ ମଧ୍ୟ କୁହାଯାଏ । ପୂର୍ବେ ମା’ ମଙ୍ଗଳା ଏହିଠାରେ ହିଁ ଅବସ୍ଥାନ କରୁଥିଲେ । ପ୍ରାଚୀ ନଦୀ କୂଳରେ କାକଟପୁରର ଅନତି ଦୂରରେ ଦେଉଳି ମଠ ଅବସ୍ଥିତ । ବନ୍ୟା ବାତ୍ୟା ଫଳରେ ମା’ ଙ୍କ ପ୍ରତିମାଙ୍କୁ ପାଇଲେ ନାହିଁ-। କିଛି ଦିନ ପରେ ମା’ ସ୍ୱପ୍ନାଦେଶରେ ନିଜର ଠିକଣା ଜଣାଇବାରୁ ସେବକମାନେ ମା’ ଙ୍କ ପ୍ରତିମାକୁ ଖୋଜି ପାଇଲେ ଓ ରାଜା କାକଟପୁରରେ ମା’ ଙ୍କ ପାଇଁ ମନ୍ଦିର ନିର୍ମାଣ କଲେ, କିନ୍ତୁ ଦେଉଳି ମଠ ମା’ ଙ୍କର ଆଦି ପୀଠ ହୋଇଥିବାରୁ ନବକଳେବରେ ବନଯାଗ ଯାତ୍ରୀ ପ୍ରଥମେ ଦେଉଳି ମଠରେ ଆଶ୍ରୟ ନିଅନ୍ତି ଓ ପ୍ରାଚୀ ନଦୀରେ ସ୍ନାନ କରି କାକଟପୁର ଆସି ମା’ ମଙ୍ଗଳାଙ୍କ ପାଖରେ ମାଜଣା ଓ ପୂଜାର୍ଚ୍ଚନା କରିଥାନ୍ତି । (କ୍ଷେ.ସ) ।

ଦେଉଳକରଣ ସେବକ – ଦେ.ବି.- ଶ୍ରୀମନ୍ଦିର ସକାଳ ଦ୍ୱାର ଫିଟା କାର୍ଯ୍ୟଠାରୁ ଆରମ୍ଭ କରି ରାତ୍ର ପହୁଡଡ଼ ପର୍ଯ୍ୟନ୍ତ ନୀତି ହୁଏ ତାହା ଠିକ୍ ସମୟରେ ହେବା ଓ ନ ହେବାର ତଦନ୍ତ କରନ୍ତି-। ଶ୍ରୀଜୀଉଙ୍କ ଚାଙ୍ଗଡ଼ା ଘର ଲୁଗାର ଆୟବ୍ୟୟ ଏଂବ ଭଣ୍ଡାରରେ ଥିବା ଅଳଙ୍କାର ମରାମତି ଓ ସଫା କାର୍ଯ୍ୟର ଦାୟିତ୍ୱ ନିୟନ୍ତି । ଗଜପତି ମହାରାଜାଙ୍କ ଶ୍ରୀଜୀଉଙ୍କୁ ଦର୍ଶନ ଲାଗି ଆସିବା ସମୟରେ ତାଙ୍କ ସହିତ ରହି ଦର୍ଶନ ସୁବିଧା କରାନ୍ତି ଓ ଶ୍ରୀନଅରରେ ବିଜେ କରାଇ ଆସନ୍ତି । (ଶ୍ରୀ.ସ୍ବ.- ପୃ. ୧୧୪) ।

ଦେବଯାନ ମାର୍ଗ – ଉତ୍ତରଦ୍ୱାରଠାରୁ କୋଇଲି ବୈକୁଣ୍ଠ ବ୍ରହ୍ମଧାମକୁ ଯୋଗ କରୁଥିବା ମାର୍ଗର ନାମ । (ମ୍.ନ .-ପୃ. ୮୦) ।

ନବକଳେବର ଦାରୁ –ଦେ.ବି.- ଦାରୁ ବା ନିମ୍ବ ଗଛ ଗଣ୍ଡି ସବୁ ସମାନ ନୁହେଁ । ନବକଳେବର ଦାରୁ ସାଧାରଣ ଦାରୁଠାରୁ ସମ୍ପୂର୍ଣ ଭିନ୍ନ । ଏହାର ଲକ୍ଷଣ ହେଉଛି- ୧. ବୃକ୍ଷ ନିମ୍ବଗଛ, ୨. ଗଣ୍ଡିର ଲମ୍ବା ଆଠ ହାତରୁ ଦଶ ହାତହେବା ଆବଶ୍ୟକ , ୩. ତହିଁରେ ତିନୋଟି ପ୍ରଧାନ ଶାଖା ଥିବା, ୪.ବୃକ୍ଷ ନିକଟରେ ମନ୍ଦିର, ମଠ, ନଦୀ, ପୋଖରୀ, ମଶାଣି, ଉଇହୁଙ୍କା, ବେଲଗଛ, ବରୁଣ ଗଛ, ସାହାଡ଼ାଗଛ, ତୁଳସୀ ଗଛ ଓ ସାପ ଗାତ ଥିବ, ୫. ସାପ ଗାତ ବା ଉଇହୁଙ୍କାରେ ନାଗସାପ ଜଗୁଆଳ ହୋଇଥିବ,୬. କୌଣସି ଡାଳ ଛେଦିତ ହୋଇ ନ ଥିବ, ୭. ବୃକ୍ଷର ଗଣ୍ଡି ସାଢ଼େ ତିନି ହାତରୁ ଅଧିକ ହେବ, ୮. ପକ୍ଷୀମାନେ ସେହି ବୃକ୍ଷରେ ବାସ ବାନ୍ଧି ନ ଥିବେ, ୯. ଶଙ୍ଖ, ଚକ୍ର ,ଗଦା, ପଦ୍ମ ପ୍ରଭୃତି ଚିହ୍ନମାନଙ୍କ ଦ୍ବାରା ବୃକ୍ଷଟି ଚିହ୍ନିତ ହୋଇଥିବ । ଚାରି ବିଗ୍ରହଙ୍କ ଦାରୁର ଲକ୍ଷ୍ମଣରେ କେତେକ ସ୍ଵାତନ୍ତ୍ର୍ୟ ରହିଛି । (ଶ୍ରୀ.ଶ୍ରୀ. –ପୃ. ୪୭) ।

ନବଯୌବନ ଦର୍ଶନ-ଦେ.ବି.- ଅଣସର ଚତୁର୍ଦ୍ଦଶୀ ଦିନ ବଡ଼ସିଂହାର ଧୂପ ପରେ ପଣା, ଚକଟା, ଭୋଗ ସରିବା ପରେ ଦତ୍ତମହାପାତ୍ର ବନକ ଲାଗି କରନ୍ତି । ଦଇତାପତି ଚକା ଅପସର ଲାଗି କରନ୍ତି । ଦଇତାପତି ଚକା ଅପସର ଲାଗି କରନ୍ତି । ଏହାପରେ ଆଳତି, ଅବକାଶ, ତା’ପରେ ଦଶାବତାର ପାଞ୍ଚମୂର୍ତ୍ତିଙ୍କୁ ହାତରେ ବିଜେ କରାଇ ଦକ୍ଷିଣ ଦୁଆରେ ବଟେ ଦକ୍ଷିଣି ଘରକୁ ନିଅନ୍ତି ଓ ଲକ୍ଷ୍ମୀ ସରସ୍ୱତୀଙ୍କୁ ଖଟ ଶେଯ ଘରକୁ ବିଜେ କରାନ୍ତି । ମଣ୍ଡଣିପଟି ତିନିମୂର୍ତ୍ତିଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣି ଘରକୁ ବିଜେ କରାନ୍ତି । କୋଠ ସୁଆଁସିଆମାନେ ଭିତର ତାଟି, ଖଟ ବାହାର କରିନିଅନ୍ତି । ଭିତରପାଣି ପଡ଼ିବାରେ ସେବକ ଓ ସର୍ବସାଧାରଣ (ପରିମାଣିକ ଦେଇ) ଦର୍ଶନ କରାନ୍ତି । ଏତେବେଳକୁ ଅମାବାସ୍ୟାର ପ୍ରାତଃକାଳ । ଏହାକୁ ନବଯୌବନ ଦର୍ଶନ କୁହାଯାଏ । (ଶ୍ରୀ.ସ୍ଵ. – ୨ୟ – ପୃ. ୬୪, ଶ୍ରୀ.ଜି. – ପୃ. ୩୩୫) ।

ନ୍ୟାସଦାରୁ- ନବକଳେବର ସମୟରେ ବିଗ୍ରହ ନିର୍ମାଣ ଏବଂ ବିଗ୍ରହ ପ୍ରତିଷ୍ଠା ଉଭୟ କାର୍ଯ୍ୟ ସମସାମୟିକ ଭାବେ ପୃଥକ୍ ପୃଥକ୍ ସ୍ଥାନରେ ଚାଲୁଥିବାରୁ ନିର୍ମାଣାଧୀନ ପ୍ରତିମାଙ୍କ ସିଧାସଳଖ ପ୍ରତିଷ୍ଠା ସମ୍ଭବ ନୁହେଁ । ତେଣୁ ବିଗ୍ରହଙ୍କ ପ୍ରତିଷ୍ଠା ନ୍ୟାସଦାରୁଙ୍କ ମାଧ୍ୟମରେ କରାଯାଏ । (ମ.ନ. – ପୃ. ୧୦୬) ।

ନିରୋଧନଗୃହ-ସଂ.ବି.- ଅଣସର ଗୃହ । ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ ବିଧିବିଧାନ ପରେ ଶ୍ରୀଜଗନ୍ନାଥ ପ୍ରଭୃତି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିରୋଧନ ଗୃହକୁ ନିଆଯାଇଥାଏ । (ଦା.ନ. – ପୃ. ୪୧) ।

ନୃସିଂହ-ସଂ.ବି.- ସ୍କନ୍ଦପୁରାଣରୁ ଜଣାଯାଏ ଯେ ଜଗନ୍ନାଥ ମନ୍ଦିର ନିର୍ମାଣ ପୂର୍ବରୁ ଶ୍ରୀମନ୍ଦିର ମଧ୍ୟରେ କଳ୍ପବଟ, ନୃସିଂହ, ରୋହିଣୀକୁଣ୍ଡ, ମା’ ବିମଳା ଏବଂ ଐଶାନେଶ୍ବର ପୂଜିତ ହେଉଥିଲେ । କଥିତ ଅଛି, ଚୋଡ଼ଗଙ୍ଗଦେବ ମୁଖ୍ୟ ମନ୍ଦିରର ପ୍ରତିଷ୍ଠା ପୂର୍ବରୁ ଏହି ମନ୍ଦିରରେ ଯଜ୍ଞନୃସିଂହ ସ୍ଥାପନ କରିଥିଲେ । ଏହି ନୃସିଂହ ଯଜ୍ଞ-ନୃସିଂହ ବା ମୁକ୍ତି ନୃସିଂହ ନାମରେ ପରିଚିତ । ମୁକ୍ତିମଣ୍ଡପର ଅଧିକାର ପ୍ରାପ୍ତ ବ୍ରାହ୍ମଣମାନଙ୍କର ଏହି ନୃସିଂହ ଆରାଧ୍ୟ ଦେବତା ଅଟନ୍ତି । ସମସ୍ତ ନୃସିଂହ ଚିନ୍ତନ ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ନୃସିଂହ ଉପାସନାର ପ୍ରାଧାନ୍ୟ ଓ ସ୍ୱତନ୍ତ୍ରତା ହିଁ ଅଧିକ ଗୁରୁତ୍ବପୂର୍ଣ୍ଣ । ଶ୍ରୀଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା ପରେ ଏହି ନୃସିଂହ ପାର୍ଶ୍ୱଦେବତା ରୂପେ ପୂଜିତ ହେଲେ । ଶ୍ରୀଜୀଉଙ୍କର ନବକଳେବର ସମୟରେ ଦାରୁଚୟନ, ସଂଗ୍ରହଠାରୁ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ସମୟ ଗୋପନୀୟ ନୀତି ଓ ପୂଜାପଦ୍ଧତିରେ ନୃସିଂହମନ୍ତ୍ରର ସ୍ବନ୍ତନ୍ତ୍ର ବୈଶିଷ୍ଟ୍ୟ ଓ ପ୍ରୟୋଗ ଅଛି । ସୁତରାଂ ସେ ସବୁର ଅଧିଷ୍ଠାତା ଦେବତା ହେଉଛନ୍ତି ଶ୍ରୀନୃସିଂହ । ଏତଦବ୍ୟତୀତ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ କେତେକ ନୃସିଂହ ମନ୍ଦିର ଦୃଷ୍ଟିଗୋଚର ହୁଏ । (କ୍ଷେ.ସ.) ।

ନୃସିଂହ ଯନ୍ତ୍ର-ସଂ.ବି.- ଷଟ କୋଣ ଏକ ବୃତ୍ତର ଘେର, ତାହାର ବାହାରେ ଅଷ୍ଟଦଳ ପଦ୍ମ, ଅଷ୍ଟଦଳ ପଦ୍ମ ବାହାରେ ଏକ ବୃତ୍ତ ଏବଂ ଏହି ବୃତ୍ତ ବାହାରେ ଦ୍ୱାଦଶଦଳ ପଦ୍ମ, ତାହା ଉପରେ ପୁଣି ଏକ ବୃତ୍ତ ଏବଂ ସେହି ବୃତ୍ତ ବାହାରେ ଷୋଡ଼ଶ ଦଳ ପଦ୍ମ । ତଦନନ୍ତର ଅନ୍ୟ ଏକ ବୃତ୍ତ ଏବଂ ସେହି ବୃତ୍ତ ବାହାରେ ବତିଶଦଳ ପଦ୍ମର ନିର୍ମାଣରେ ନୃସିଂହ ଯନ୍ତ୍ର କରାଯିବା ବିଧେୟ । ଷଟକୋଣର ଛଅଟି କୋଣରେ ସୁଦର୍ଶନ ମନ୍ତ୍ର, ‘ସହସ୍ରାର ହୁଂ ଫଟ’ର ଗୋଟିଏ ଗୋଟିଏ ଅକ୍ଷର । ଷଟଦଳ ବାହାରସ୍ଥ ଅଷ୍ଟଦଳ ପଦ୍ମର ପ୍ରତ୍ୟେକ ପର୍ଣ୍ଣରେ ଅଷ୍ଟାକ୍ଷରମନ୍ତ୍ର, ‘ଓ ନମୋ ନାରାୟଣାୟ’ର ଗୋଟିଏ ଗୋଟିଏ ଅକ୍ଷର । ଏହାର ବାହାରେ ଥିବା ଦ୍ୱାଦଶ ଦଳପଦ୍ମର ପ୍ରତ୍ୟେକ ଦଳରେ ଦ୍ୱାଦଶାକ୍ଷର ମନ୍ତ୍ର ‘ଓଁ ନମୋ ଭଗବତେ ବାସୁଦେବାୟ’ର ଗୋଟିଏ ଗୋଟିଏ ଅକ୍ଷର । ଏହାର ବାହାରେ ଥିବା ଷୋଡଶ ଦଳପଦ୍ମର ପ୍ରତ୍ୟେକ ଦଳରେ ଷୋଳଟି ସ୍ବରବର୍ଣ୍ଣ । ଏହାର ବାହାରେ ଥିବା ବତିଶି ଦଳ ପଦ୍ମର ପ୍ରତ୍ୟେକ ଦଳରେ ବତିଶି ଅକ୍ଷର ବିଶିଷ୍ଟ ନୃସିଂହ ମନ୍ତ୍ର, ‘ଉଗ୍ରବୀରଂ ମହାବିଷ୍ଣୁ ଜ୍ବଳନ୍ତଂ ସର୍ବେତୋମୁଖଂ ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୁ- ମୃତ୍ୟୁ ନମାମ୍ୟହମ୍’ର ଗୋଟିଏ ଗୋଟିଏ ଅକ୍ଷର । ଏହାର ବାହାରେ ଅନ୍ୟ ଏକ ବୃତ୍ତ ଏବଂ ଏହି ବୃତ୍ତ ଚତୁପାର୍ଶ୍ୱରେ ଗୋଟିଏ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ରହିଛି । ଷଟକୋଣର ମଧ୍ୟରେ ‘ଓଁ’ ଏବଂ ଏହା ନୃସିଂହ ବୀଜରେ ପରିବୃତ୍ତ-

ନବକଳେବର ସମୟରେ ଦାରୁ ସଂଗ୍ରହ, ଛେଦନ, ବିଗ୍ରହ ନିର୍ମାଣ ଓ ପ୍ରତିଷ୍ଠା, ସମୟରେ ଏହି ନୃସିଂହ ଯନ୍ତ୍ରର ଆବଶ୍ୟକ ହୋଇଥାଏ ଏବଂ ନୃସିଂହ ମନ୍ତ୍ରରେ ପୂଜା ହୋଇଥାଏ । (ମ.ନ. ପୃ.- ୧୩୦) ।

ପଞ୍ଚଗବ୍ୟ- ଡୁଗ୍ଧ, ଦହି, ଘୃତ, ଗୋବର, ଗୋମୂତ୍ର ଏହି ପଞ୍ଚ ଗବ୍ୟ ଦ୍ବାରା ନବକଳେବର ସମୟରେ ଯଜ୍ଞବେଦୀ ପ୍ରଖ୍ୟାଳନ କରାଯାଏ । (ପୁ.ଓ.ଭା –ପୃ -୪୪୯୭ ) ।

ପତି ମହାପାତ୍ର ସେବକ- ଦେ.ବି. – ବିଦ୍ୟାପତିଙ୍କ ବଂଶଧର । ଏମାନେ ଦଇତାମାନଙ୍କ ସହ କାର୍ଯ୍ୟ କରନ୍ତି । ନକ୍ଷତ୍ର ବନ୍ଦାପନା ବେଳେ ଠାକୁରଙ୍କ ଆଡେ କର୍ପୂର ଆଳତି କରନ୍ତି । ବ୍ରାହ୍ମଣ ସେବକ ହୋଇଥିବାରୁ ଶ୍ରୀମନ୍ଦିରରେ ଏମାନଙ୍କ ବିଶେଷ କର୍ତ୍ତବ୍ୟ ମଧ୍ୟ ରହିଛି । ଜଗନ୍ନାଥ ମହାପ୍ରଭୁ ଅଣସର ଘରେ ଥିବା ସମୟରେ ପତି ମହାପାତ୍ର ମହାପ୍ରଭୁଙ୍କର ସେବା ଓ ଭୋଗ ଆଦି କରନ୍ତି । ଏମାନେ ଜଗନ୍ନାଥ ମହାପାତ୍ର ମହାପ୍ରଭୁଙ୍କର ସେବା ଓ ଭୋଗ ଆଦି କରନ୍ତି । ଏମାନେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ । ଦେବସ୍ନାନ ପୂର୍ଣ୍ଣିମାଠାରୁ ଗୁଣ୍ଡିଚା ଯାତ୍ରାର ଶେଷ ପର୍ଯ୍ୟନ୍ତ ଜଗନ୍ନାଥ ମହାପ୍ରଭୁ ସେମାନଙ୍କର ନିଜ ଦାୟିତ୍ୱରେ ରହନ୍ତି । ଏମାନେ ଦୈନିକ ନୃସିଂହଙ୍କ ସେବା କରନ୍ତି । ବଡ଼ସିଂହାର ପହଡ଼ ଆଳତିରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି କରନ୍ତି । ବର୍ଷର ସମସ୍ତ ପର୍ବପର୍ବାଣି ବନ୍ଦାପନା ତଥା ମଙ୍ଗଳାର୍ପଣରେ ମଝିବାଡ଼ରେ କରନ୍ତି । ସ୍ନାନ ପୂର୍ଣ୍ଣିମା ବେଦୀରୁ ଦିଅଁ ଫେରିବା ବେଳେ, ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ରଥକୁ ଓ ରଥରୁ ନୀଳାଦ୍ରିବିଜେ ବେଳେ ଏ ୩ ବାଡରେ ବନ୍ଦାପନା, କର୍ପୂର ଆଳତି, କର୍ପୂର ଲାଗି, ଘସା ଓ ବିଡିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମବିଧି, ହୋମ, ସହସ୍ରାକୁମ୍ଭାଷେକ ଇତ୍ୟାଦିରେ ପଣ୍ଡା ଓ ମୁଦିରସ୍ତ ସହ ବ୍ରହ୍ମାବରଣ ହୁଅନ୍ତି । ପ୍ରସାଦ ଲାଗି, ପଣାଲାଗି, ଖଡ଼ିଲାଗି, ଖଳିଲାଗି, ଫୁଲୁରି ଲାଗି କାର୍ଯ୍ୟ ଦଇତାଙ୍କ ସଙ୍ଗେ ମଧ୍ୟ କରନ୍ତି । ସୁଦର୍ଶନଙ୍କ ସମସ୍ତ କାମ କରନ୍ତି । ଦଇତାଙ୍କ ସହ ଶ୍ରୀଅଙ୍ଗର ସମସ୍ତ କାମ କରନ୍ତି । ଭିତରର ସମସ୍ତ ଶୋଧ ଓ ସଂସ୍କାର ଏହି କେବଳ କରନ୍ତି । ନବକଳେବରକୁ ୩ ବାଡ ଆଜ୍ଞାମାଳ ୩ ବାଡରେ ଦଇତାଙ୍କୁ ଦିଅନ୍ତି ଓ ନିଜେ ସୁଦର୍ଶନ ବାଡରେ ମାଳ ଦେଇ ଦାରୁ ଅନ୍ୱେଷଣରେ ଯାଆନ୍ତି । ଭିତରଛଠାରୁ ଅଣସର ପିଣ୍ଡିରେ ଶାଢୀ ପାଇ ବାହାରନ୍ତି ବନଯାଗରେ ବିଦ୍ୟାପତି ବରଣ ହୁଅନ୍ତି । ଯାଗ ପରେ ସୁନା କୁରାଢୀ ନେଇ ଏ ପ୍ରଥମେ ନିର୍ଦ୍ଦିଷ୍ଟ ଗଛରେ ଲଗାନ୍ତି-। ପରେ ଅନ୍ୟ ମାନେ କାଟନ୍ତି । ଦାରୁ ଆଣିବା ପରେ ତାକୁ ଭୋଗ କରାନ୍ତି । ଦକ୍ଷିଣିଘରୁ ନୃସିଂହଙ୍କୁ ନେଇ ଦାରୁ ଘରେ ନୃସିଂହ ମଣ୍ଡପରେ ବିଜେ କରାଇ ସେ ରହିବା ଦିନ ତାଙ୍କୁ ପୂଜା କରନ୍ତି । ଏ ଘଟ ପରିବର୍ତ୍ତନ ଓ ବିସର୍ଜନ ସେବା କରନ୍ତି । ମହାଜନ ହିସାବରେ ଦକ୍ଷିଣିଘର ସେବା ଓ ମହାଜନ ସେବା କରନ୍ତି । ଏ ବିଦ୍ୟାପତିଙ୍କ ବଂଶଧର ସେବକ ବୋଲି ପ୍ରବାଦ ଅଛି । (ଶ୍ରୀ.ସ୍ଵ. ୨ୟ – ପୃ. ୪,୫, ପୂ . ୪୫୫୫) ।

ପାତାଳି- ଦେ.ବି.- ଭୂସମାଧି । ମାଟିତଳେ ପୋତିଦେବା । ଗୋପ୍ୟ ନିବାସ । ଶ୍ରୀଠାକୁରମାନଙ୍କ ପ୍ରତି ବିଭିନ୍ନ ସମୟରେ ବିପତ୍ତି କାଳରେ ମୁସଲମାନଙ୍କ ଆକ୍ରମଣ ହେତୁ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ମାଟିତଳେ ଗୋପନ କରାଯାଉଥିଲା । ଏହାକୁ ‘ପାତାଳି’ କୁହାଯାଏ । ଶତ୍ରୁ କବଳରୁ ରକ୍ଷା କରିବା ସକାଶେ ସେବକମାନେ ଜଗନ୍ନାଥଙ୍କକୁ ପାତାଳି କରୁଥିଲେ । ନବକଳେବର ସମୟରେ ପୁରୁଣା ବିଗ୍ରହମାନଙ୍କୁ କୋଇଲି ବୈକୁଣ୍ଠଠାରେ ପାତାଳି କରାଯାଏ। (ମା.ପା. – ପୃ. ୪, ପୂ.ଓ.ଭା. – ୪୭୫୬, ପ୍ର.ଅ. ୨ୟ- ପୃ. ୧୫୬୧, କ୍ର.ବି.ଓ.ଶ.ସ. – ପୃ. ୫୯୪) ।

ବନଯାଗ-ଦେ.ବି.- ନବକଳେବର ଦାରୁ ସଂଗ୍ରହ କରିବା ନିମନ୍ତେ ଯାତ୍ରା । ଚୈତ୍ର ଶୁକ୍ଲ ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ପତି ମହାପାତ୍ର, ଦଇତା, ଲେଙ୍କା, ବିଶ୍ୱକର୍ମା ଆଜ୍ଞାମାଳ ଲାଭ କରି ଶାଢିବନ୍ଧା କାର୍ଯ୍ୟ ଶେଷ ପରେ ଗଜପତିଙ୍କଠାରୁ ଗୁଆ ନଡିଆ ନେଇ କାକଟପୁର ମଙ୍ଗଳାଙ୍କ ନିକଟକୁ ଯାତ୍ରା କରନ୍ତି । ଏମାନଙ୍କୁ ବନଯାଗୀ କୁହାଯାଏ । ଏହା ଅନ୍ତବନଯାଗ କୁହାଯାଏ । ଏହା ଅନ୍ତବନଯାଗ ଓ ବର୍ହିଃବନଯାଗ ନାମରେ ଦୁଇପ୍ରକାର । ଶ୍ରୀଜଗନ୍ନାଥଙ୍କ ପାଖରୁ ଆଜ୍ଞାମାଳ ଓ ଗଜପତିଙ୍କ ଗୁଆଟେକାଠାରୁ କୋଇଲି ବୈକୁଣ୍ଠକୁ ଦାରୁ ଆସିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବର୍ହିଃବନଯାଗ କୁହାଯାଏ । ଦେବସ୍ନାନପୂର୍ଣ୍ଣିମାରେ ନୂତନ ଦାରୁଙ୍କୁ ସ୍ନାନକରିବା ଠାରୁ ପୁରାତନ ଦାରୁଙ୍କୁ କୋଇଲିବୈକୁଣ୍ଠରେ ପାତାଳି କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଅନ୍ତଃବନଯାଗ କୁହାଯାଏ-। (ଶ୍ରୀ.ସ୍ଵ. – ପୃ. ୬୪) ।

ବେଦୀ.ସଂ.ବି.- ବ୍ରାହ୍ମଣମାନଙ୍କ ସଂଜ୍ଞା; ଯଥା-ତ୍ରିବେଦୀ, ଦ୍ୱିବେଦୀ, ଚତୁର୍ବେଦୀ । ଯଜ୍ଞାଦି କ୍ରିୟାର୍ଥେ ପରିଷ୍କୃତ ସ୍ତୂପୀକୃତ ଭୂମି । ବେଦୀର ଆକୃତି ସାଧାରଣତଃ ଚତୁରସ୍ତି ଓ ଡମ୍ବରୁ ସଦୃଶ । ବିଭିନ୍ନ କ୍ରିୟାରେ ବେଦୀର ଭିନ୍ନ ଭିନ୍ନ ନାମ ଯଥା- ସ୍ନାନବେଦୀ, ଗହ୍ମା ବେଦୀ, ଦୋଳବେଦୀ, ଝୁଲଣବେଦୀ, ଯଜ୍ଞବେଦୀ, ହୋମବେଦୀ, ବ୍ରତବେଦୀ, ସବୁରି ମଧ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରତ୍ନବେଦୀ ଖ୍ୟାତ । (ଓ.ସାଂ.ଶ. ପୃ. ୨୭୨, ପୂ.ଓ.ଭା. – ପୃ. ୫୮୯୧) ।

ବଜ୍ରକାଛେଣି-ସଂ.ବି.- ନବକଳେବର ସମୟରେ ନୂତନ ବିଗ୍ରହ ମଧ୍ୟରେ ବ୍ରହ୍ମଙ୍କୁ ବ୍ରହ୍ମରନ୍ଧ୍ର ମଧ୍ୟରେ ବ୍ରହ୍ମଙ୍କୁ ବ୍ରହ୍ମରନ୍ଧ୍ର ମଧ୍ୟରେ ଅବସ୍ଥାପନ କରିବା ପରେ ନ୍ୟାସଦାରୁକୁ ବାଡ଼ଗ୍ରାହୀ ଶାସ୍ତ୍ର ପ୍ରମାଣ ବିଧିରେ ପୂର୍ବରୁ ଯେଉଁ ଚାରିଖଣ୍ଡରେ ବିଭକ୍ତ କରି ରଖିଥାନ୍ତି ତାହିଁରେ ବ୍ରହ୍ମରନ୍ଧ୍ରକୁ ବ୍ରହ୍ମକପାଟରେ ଆବରଣ କରି ବ୍ରହ୍ମସ୍ଥାପିତ ସ୍ଥଳକୁ ବସ୍ତ୍ରଦ୍ୱାରା ଦୃଢ଼ ଭାବରେ ବାନ୍ଧି ଦିଅନ୍ତି । ଏହାର ନାମ ବ୍ରହ୍ମକାଛେଣି । (କ୍ଷେ.ସ.)

ବାଡ଼ – ଦେ.ବି.- ଭାଗ ବା ଅଂଶ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଦେବୀଙ୍କ ପାର୍ଶ୍ୱକୁ ବାଡ଼ ନାମରେ ନାମିତ କରାଯାଇଛି । ବଡ଼ବାଡ଼ (ଶ୍ରୀବଳଭଦ୍ରଙ୍କ ବାଡ଼), ମଝିବାଡ଼ (ଶ୍ରୀ ସୁଭଦ୍ରାଙ୍କ ବାଡ଼), ମହାପ୍ରଭୁଙ୍କ ବାଡ଼ (ଶ୍ରୀଜଗନ୍ନାଥଙ୍କ ବାଡ଼) ବୋଲି କୁହାଯାଏ । (ଓ.ସାଂ.ଶ. – ପୃ. ୨୫୮) ।

ବାଡ଼ଗ୍ରାହୀ – ଦେ.ବି.- ଶ୍ରୀମନ୍ଦିରରେ ବାଡ଼ ସେବକଙ୍କ ମଧ୍ୟରେ ମୁଖ୍ୟ । (ପୁ.ବୋ. – ପୃ. ୨୬୦) ।

ବ୍ରହ୍ମ-ସଂ.ବି.- ଜଗତର କାରଣ, ଏକମାତ୍ର ନିତ୍ୟ ଚେତନ ସତ୍ତା । ବେଦୋକ୍ତ ବିରାଟ ପୁରୁଷ, ପରମ ପୁରୁଷ, ପରମେଶ୍ୱର, ପରମବ୍ରହ୍ମ, ନିରାକାର ବ୍ରହ୍ମ, ବ୍ରହ୍ମ ଅଟେ । ଏହା ସତ୍, ଚିତ୍ ଓ ଆନନ୍ଦ ସ୍ୱରୂପ ତତ୍ତ୍ୱ ଅଟେ । ଜଗତରେ ଆଉ ଯାହା ସବୁ ପ୍ରତୀତ ହୁଏ ତାହା ସବୁ ଅସତ୍ ଓ ମିଥ୍ୟା ଅଟେ । ବ୍ରହ୍ମ ସଚ୍ଚିଦାନନ୍ଦ, ଅଖଣ୍ଡ, ନିତ୍ୟ, ନିର୍ଗୁଣ ଓ ଅଦ୍ୱିତୀୟ ଅଟେ । ଜଗତ ବ୍ରହ୍ମର ପରିଣାମ ବିକାର ନୁହେଁ, ଏହା ଜଗତ ବ୍ରହ୍ମର ବିବର୍ତ୍ତନ ଅଟେ । ବ୍ରହ୍ମ ଜଗତରୂପେ ପ୍ରତୀତ ହେଉଅଛି । ବ୍ରହ୍ମଛଡା ଅନ୍ୟସବୁ ମିଥ୍ୟା ଓ ଭ୍ରମ । ଆଉ କାହିଁରେ ପାରମାର୍ଥିକ ସତ୍ତା ନାହିଁ । ବ୍ରହ୍ମର ସମ୍ୟକ୍ ନିରୂପଣକାରୀ ଆଦିଗ୍ରନ୍ଥ ଉପନିଷଦ ଅଟେ । ଏଥିରେ ନେତି ନେତି (ଏହା ବ୍ରହ୍ମ ନୁହେଁ, ଏହା ବ୍ରହ୍ମ ନୁହେଁ) ପ୍ରଣାଳୀରେ ବ୍ରହ୍ମର ସ୍ୱରୂପକୁ ବୁଝାଇବାକୁ ଚେଷ୍ଟା କରାଯାଇଛି । ତତ୍ତ୍ବମସି (ତାହା ତୁମ୍ଭେ ଅଟ) ଏହି ବଚନ ଦ୍ୱାରା ଆତ୍ମାର ଓ ବ୍ରହ୍ମର ଅଭେଦ୍ୟ ବର୍ଣ୍ଣନା କରାଯାଇଅଛି ।ବ୍ରହ୍ମ ସମ୍ବନ୍ଧୀୟ ଏହି ଜ୍ଞାନର ପ୍ରାଚୀନ ନାମ ‘ବ୍ରହ୍ମବିଦ୍ୟା’ । ପରେ ବ୍ୟାସଦେବ ‘ବ୍ରହ୍ମସୂତ୍ର’ରେ ବ୍ରହ୍ମକୁ ବ୍ୟବସ୍ଥିତ ରୂପେ ପ୍ରତିପାଦିତ କରିଅଛନ୍ତି । ବ୍ରହ୍ମସୂତ୍ର ବେଦାନ୍ତ ଦର୍ଶନର ଆଧାର ଅଟେ । ଶ୍ରୀଜଗନ୍ନାଥଙ୍କ ଦାରୁରେ ବ୍ରହ୍ମତ୍ୱ ଆରୋପ କରାଯାଇ ତାଙ୍କୁ ଦାରୁବ୍ରହ୍ମ ବୋଲି କୁହାଯାଏ । ନବକଳେବରବେଳେ ବ୍ରହ୍ମ ପରିବର୍ତ୍ତନ କରାଯାଏ । (ଶ୍ରୀ.ସ୍ଵ. – ପୃ. ୬୪, ପୂ.ଓ.ଭା. – ପୃ. ୫୯୮୨, ଓ.ସା.ଶ. – ପୃ. ୨୭୬)-

ବ୍ରହ୍ମକପାଟ-ସଂ.ବି.- ନବକଳେବର ସମୟରେ ଦାରୁ ପ୍ରତିଷ୍ଠା କର୍ମର ଶେଷରେ ନ୍ୟାସଦାରୁଙ୍କୁ ଚାରିଖଣ୍ଡରେ ବିଭକ୍ତ କରାଯାଇ ଆବଶ୍ୟକୀୟ ଆକାରରେ ନୂତନ ବିଗ୍ରହମାନଙ୍କ ବକ୍ଷସ୍ଥଳ ରନ୍ଧ୍ର ଉପରେ ଗୁପ୍ତ ବ୍ରହ୍ମ ପଦାର୍ଥଙ୍କର ସ୍ଥାପନ ପରେ ଢ଼ାଙ୍କୁଣୀ ଭାବରେ ସ୍ଥାପନ କରାଯାଏ-। ଏହାର ତାତ୍ତ୍ୱିକ ନାମ ହେଉଛି ‘ବ୍ରହ୍ମକପାଟ’ । (ମ.ନ. – ପୃ. ୧୦୬) ।

ବ୍ରହ୍ମା-ସଂ.ବି.- ସୃଷ୍ଟିକର୍ତ୍ତା, ବିଧାତା, ପ୍ରଜାପତି, ବ୍ରାହ୍ମଣ । ବ୍ରହ୍ମା ସୃଷ୍ଟି କରନ୍ତି, ବିଷ୍ଣୁ ପାଳନ କରନ୍ତି ଓ ଶିବ ସଂହାର କରନ୍ତି । ମନୁସ୍ମୃତି ଅନୁସାରେ ସ୍ଵୟଂଭୂ ଭଗବାନ ପ୍ରଥମେ ଜଳକୁ ସୃଷ୍ଟି କରି ତହିଁରେ ବୀଜକୁ ଦେଲେ ସେଥିରୁ ଗୋଟିଏ ଜ୍ୟୋତିର୍ମୟ ଅଣ୍ଡ ବାହାରିଲା ଓ ସେହି ଅଣ୍ଡ ମଧ୍ୟରୁ ବାହାରିଥିଲେ ବ୍ରହ୍ମା । ଭାଗବତ ଆଦି ପୁରାଣରେ ବର୍ଣ୍ଣିତ ଅଛି ଯେ, ଭଗବାନ ବିଷ୍ଣୁ ପ୍ରଥମେ ମହାତତ୍ତ୍ୱ, ଅହଙ୍କାର ଓ ପଞ୍ଚଭୂତ ଦ୍ୱାରା ଏକାଦଶ ଇନ୍ଦ୍ରିୟ ଓ ପଞ୍ଚମହାଭୂତ, ଏହି କଳାରୁ ସଂଗୃହୀତ ବିରାଟ ରୂପ ଧାରଣ କଲେ । ବିଷ୍ଣୁ ଯେତେବେଳେ ଯୋଗ ନିଦ୍ରାରେ ଶୋଇଥିଲେ, ତାଙ୍କ ନାଭିରୁ ଏକନାଡ଼ ଲଗା ପଦ୍ମ ଫୁଟିଲା ଓ ସେହି ପଦ୍ମ ମଧ୍ୟରୁ ଜନ୍ମିଲେ ବ୍ରହ୍ମା । ବ୍ରହ୍ମାଙ୍କର ଅନ୍ୟତମ – ଧାତା, ବିଧାତା, ପ୍ରଜାପତି, ବେଧାଃ, ପିତାମହ, ପରମେଷ୍ଠି, ପଦ୍ମଯୋନି, ବିଧି, ବିରଞ୍ଚି, ବିଶ୍ବସୃକ୍ । ବ୍ରହ୍ମାଙ୍କର ଦଶଜଣ ମାନସପୁତ୍ର, ଯଥା- ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ପ୍ରଚେତା, ବଶିଷ୍ଠ, ଭୃଗୁ ଓ ନାରଦ । ମନୁଷ୍ୟର ଜନ୍ମ ପୂର୍ବରୁ ବ୍ରହ୍ମା ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ନିର୍ଣ୍ଣୟ କରନ୍ତି ।ଶ୍ରୀମନ୍ଦିରର ଗରୁଡ଼ସ୍ତମ୍ଭ ନିକଟରେ ବ୍ରହ୍ମା ଅବସ୍ଥାନ କରିଥିବାର ଦେଖାଯାଏ । ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ବ୍ରହ୍ମା ନିମନ୍ତ୍ରିତ ହୋଇ ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ ବୋଲି ସ୍କନ୍ଦ ପୁରାଣରେ ବର୍ଣ୍ଣିତ । (ପୂ.ଓ.ଭା. – ପୃ. ୫୯୯୨, ଓ.ସାଂ.ଶ. – ପୃ. ୨୭୮) ।

ବିଦ୍ୟାପତି – ଦେ.ବି.- ରାଜା ଇନ୍ଦ୍ରଦ୍ୟୁମ୍ନ ଶବର ରାଜା ବିଶ୍ୱାବସୁ ଦ୍ୱାରା ପୂଜିତ ନୀଳମାଧବଙ୍କ ସନ୍ଧାନ ଲାଗି ବିଦ୍ୟାପତିଙ୍କୁ ନୀଳକନ୍ଦରକୁ ପଠାଇଥିଲେ । ବିଦ୍ୟାପତି ନୀଳକନ୍ଦରରେ ପହଞ୍ଚି ବିଶ୍ୱାବସୁର କନ୍ୟା ଲଳିତାକୁ ବିବାହ କରି ତାଙ୍କ ସହଯୋଗରେ ନୀଳମାଧବଙ୍କୁ ଦର୍ଶନ କରିପାରିଥିଲେ । (ଶ୍ରୀ.ଜି. – ପୃ.୧୦)

ବିଶ୍ୱାବସୁ – ଶବର ରାଜା ଯେ କି ପ୍ରଥମେ ନୀଳମାଧବଙ୍କୁ ପୂଜା କରୁଥିଲେ । ସେତେବେଳେ ତାଙ୍କର ରୂପ ଥିଲା ‘ଇନ୍ଦ୍ରନୀଳମଣି’ । (ଶ୍ରୀ.ଜି. – ପୃ. ୧୦) ।

ଭଦ୍ରମଣ୍ଡଳ – ସଂ.ବି.- ନବକଳେବର ସମୟରେ ଯଜ୍ଞ ମଣ୍ଡପର ଐଶାନ୍ୟ କୋଣରେ ଭଦ୍ରମଣ୍ଡଳ କରାଯାଇ ବନଯାଗର ମୁଖ୍ୟ ଦେବ ଶ୍ରୀନୃସିଂହଙ୍କୁ ପୂଜା କରାଯାଏ । (କ୍ଷେ.ସ.)

ମଳମାସ ଦିଅଁ-ଦେ.ବି.- ଶ୍ରୀମନ୍ଦିର ବେଢ଼ା ଭିତରେ ଦକ୍ଷିଣ ପାର୍ଶ୍ୱରେ କଳ୍ପବଟ ତଳେ ମଙ୍ଗଳାମନ୍ଦିର ସମ୍ମୁଖ ଭାଗରେ ପଞ୍ଚମହାଦେବଙ୍କ ମଧ୍ୟରେ ଦକ୍ଷିଣ ଭାଗରୁ ତୃତୀୟ ମନ୍ଦିରରେ ପୂଜିତ ବିଗ୍ରହ । ସେ କେବଳ ମଳମାସ ମାନଙ୍କରେ ପୂଜା ପାଇଥାନ୍ତି । ଅନ୍ୟ ଦିନମାନଙ୍କର ଏହି ମନ୍ଦିର ବନ୍ଦ ରହିଥାଏ । (କ୍ଷେ.ସ.) ।

ମହାଅଣସର- ସଂ.ବି.- ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଏହି ପନ୍ଦରଦିନ ଶ୍ରୀଠାକୁରମାନେ ଅଣସର ଘରେ ରହି ବିଧିବିଧାନ ଲାଗି ହୋଇଥାଏ । କିନ୍ତୁ; ନବକଳେବରର ଅବଧି ଆଉ ଏକମାସ କାଳ ଯୋଡ଼ା ଆଷାଢ଼ ଯୋଗୁ ବଢ଼ିଯାଏ । ଏଣୁ ଅଣସରରେ କାଳ ବଢ଼ିଯିବାରୁ ଏହାକୁ ମହାଅଣସର କୁହାଯାଏ । ଏହାର କାଳ ଦୋଆଷାଢ଼ି ଯୋଗୁ ୪୫ ଦିନ ହୋଇଯାଇଥାଏ । (ଶ୍ରୀ.ସ୍ଵ. ୨ୟ-– ପୃ. ୬୨-୬୪, ପୁ.ବୋ. – ପୃ. ୨୭୯) ।

ମଙ୍ଗଳା-ଦେ.ବି.- ଶ୍ରୀମନ୍ଦିର ଭିତର ବେଢ଼ାର କଳ୍ପବଟ ମୂଳରେ ବଟମଙ୍ଗଳା ସର୍ବମଙ୍ଗଳା ମନ୍ଦିର ଅବସ୍ଥିତ । ଏହି ବଟମଙ୍ଗଳାଙ୍କୁ ପ୍ରାର୍ଥନା କଲେ ସମସ୍ତ କାମନା ପୂରଣ ହୁଏ ବୋଲି ଲୋକ ବିଶ୍ୱାସ । ନବକଳେବର ସମୟରେ ଦାରୁ ଅନ୍ୱେଷଣରେ ଶ୍ରୀଠାକୁରଙ୍କ ସେବକମାନେ କାକଟପୁର ମଙ୍ଗଳା ଠାକୁରାଣୀଙ୍କ ନିକଟକୁ ଆସି ଦେଉଳି ମଠରେ ରହନ୍ତି । ଦେବୀ ମଙ୍ଗଳାଙ୍କ ଆଜ୍ଞାନୁସାରେ ବନଯଜ୍ଞ କରି ଦାରୁ ସଂଗ୍ରହ କରିବାକୁ ଯାଆନ୍ତି । (ଶ୍ରୀ.ସ୍ଵ. ୨ୟ - - ପୃ. ୬୪,୨୪୩, ପୂ.ଓ.ଭା.- ପୃ. ୬୧୯୦, ଓ.ସାଂ.ଶ. –ପୃ. ୨୮୭) ।

ଯଜ୍ଞ-ସଂ.ବି. – ବେଦୋକ୍ତ ହୋମ ଓ ପୂଜା ବିଧି । ଏଥିରେ ପ୍ରଧାନ ଅଂଶ ହୋମ ବା ଅଗ୍ନିରେ ଘୃତ ଆଦି ଆହୁତି ଦେବା । ଯଜ୍ଞ ଦେବତାମାନେ ତୁଷ୍ଟ ହୋଇ ପୃଥିବୀକୁ ଅନ୍ନଦାନ ଓ ପ୍ରଜାଦାନ କରନ୍ତି । ଯଜ୍ଞ ନାନା ପ୍ରକାର । ଏଥିମଧ୍ୟରୁ ଅଗ୍ନିଷ୍ଟୋମ, ଜ୍ୟୋତିଷ୍ଟୋମ, ରାଜସୂୟ, ବାଜପେୟ, ଅଶ୍ବମେଧ, ଗୋମେଧ, ପୁରୁଷମେଧ, ପୁତ୍ରେଷ୍ଟି, ବୃଷୋତ୍ସର୍ଗ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଅଗ୍ନିଷ୍ଟୋମ ଯଜ୍ଞର ପ୍ରଧାନ ଉପକରଣ ଅଗ୍ନି- ଏ ଅଗ୍ନି ତିନିଗୋଟି – ବା ତ୍ରିବିଧ ଅଗ୍ନିର କ୍ରମ ହେଲା- ଗାର୍ହପତ୍ୟ, ଆହବନୀୟ ଓ ଦକ୍ଷିଣ । ବ୍ରାହ୍ମଣ ଦୈନିକ ସମସ୍ତ ଅନୁଷ୍ଠାନ ହିଁ ଯଜ୍ଞ, ଯଜ୍ଞବିହୀନ ବ୍ରାହ୍ମଣ ଚଣ୍ଡାଳ ଅଟେ । ଶ୍ରୀମନ୍ଦିରରେ ପ୍ରତ୍ୟହ ହୋମାଦି କାର୍ଯ୍ୟ ଅଗ୍ନି ବରଣ ତଥା ପୂଜାଦି ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ନବକଳେବର ସମୟରେ ଦାରୁ ଛେଦନ ପୂର୍ବରୁ ଯଜ୍ଞ କରାଯାଇ ନୃସିଂହ ମନ୍ତ୍ରରେ ଆହୁତି ପ୍ରଦାନ କରାଯାଇଥାଏ । ଦାରୁ ଛେଦନ, ନୂତନ ବିଗ୍ରହ ନିର୍ମାଣ ଓ ପ୍ରତିଷ୍ଠା ସମୟରେ ମଧ୍ୟ ଯଜ୍ଞ ସମ୍ପାଦିତ ହୁଏ । (କ୍ଷେ.ସ.) ।

ଯଜ୍ଞନୃସିଂହ- ସ୍କନ୍ଦପୁରାଣ ଅନୁଯାୟୀ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜଗନ୍ନାଥଙ୍କ ଦର୍ଶନଲାଗି ନୃସିଂହଙ୍କ ଯଜ୍ଞ ଆରମ୍ଭ କରିଥିଲେ । ଏହି ସମୟରେ ଶ୍ରୀମନ୍ଦିରର ଜଗମୋହନରେ ଥିବା ଯଜ୍ଞନୃସିଂହ ରୂପରେ ଦର୍ଶନ କରିଥିଲେ । ଶ୍ରୀମନ୍ଦିରରଜଗମୋହନରେ ଥିବା ଯଜ୍ଞନୃସିଂହ ଚିତ୍ରକୁ ଲକ୍ଷ୍ୟ କଲେ ଜଣାଯାଏ କାଳାଗ୍ନି ରୁଦ୍ର ତୁଲ୍ୟ ଲେଲିହାନ ଜିହ୍ୱାରେ ଶ୍ରୀନୃସିଂହ ସମସ୍ତ ଲୋକଙ୍କୁ ଗ୍ରାସ କରିବା ପାଇଁ ଉଦ୍ୟତ ହେଉଥିବା ଚିତ୍ର ବଦଳରେ ମସ୍ତକରେ ସପ୍ତଫେଣା ବିଶିଷ୍ଟ ଶ୍ରୀବଳଭଦ୍ର ଓ କୋଳରେ ଲକ୍ଷ୍ମୀ ବା ସୁଭଦ୍ରାଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ରୂପ ସେଥିରେ ଅଙ୍କିତ ହୋଇଥିବା ଦେଖାଯାଏ ।

ଏହି ମୂର୍ତ୍ତିରୁ ସୂଚନା ମିଳେ ଯେ ଭିନ୍ନ ଭିନ୍ନ ରୂପରେ ଶ୍ରୀମନ୍ଦିରର ରତ୍ନବେଦୀରେ ପୂଜିତ ହେଉଥିବା ଏହି ବିଗ୍ରହମାନେ ତତ୍ତ୍ୱତଃ ଏକ । ଏଣୁ ଏହି ନୃସିଂହ ହେଉଛନ୍ତି ଏ’ ସମସ୍ତଙ୍କର ସମନ୍ୱିତ ମୂର୍ତ୍ତି । ସେହି ତତ୍ତ୍ୱର ଚିତ୍ରାଙ୍କନ ହେଉଛି ଯଜ୍ଞନୃସିଂହର ଚିତ୍ରର ରୂପାୟନ । ନବକଳେବର ବେଳେ ବନଯାଗଠାରୁ ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଏହି ନୃସିଂହଙ୍କୁ ପ୍ରାଧାନ୍ୟ ଦିଆଯାଇଛି । (କ୍ଷେ.ସ.) ।

ଯଜ୍ଞ ମଣ୍ଡପ-ଦେ.ବି.- ଗୁଣ୍ଡିଚା ମନ୍ଦିରର ଉତ୍ତର-ପୂର୍ବ ବେଢ଼ା ପାଖରେ ଥିବା ନୃସିଂହ ମନ୍ଦିର ପରିବେଶକୁ ଯଜ୍ଞ ମଣ୍ଡପ କୁହାଯାଏ । ଏହି ଠାରେ ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ କରିଥିଲେ । ନବକଳେବର ବେଳେ ଦାରୁ ନିକଟରେ ଓ କୋଇଲି ବୈକୁଣ୍ଠ ଠାରେ ଯଜ୍ଞ ମଣ୍ଡପ ନିର୍ମାଣ କରାଯାଏ । (ଶ୍ରୀ.ସ୍ଵ.- ପୃ.୯୨) ।

ଯୋଡ଼ା ଆଷାଢ଼-ଦେ.ବି.- ପ୍ରତି ଦୁଇବର୍ଷ ଅନ୍ତରରେ ଚନ୍ଦ୍ରକଳା ମାସ ଓ ସୌରକଳାର ବ୍ୟବଧାନକୁ ସମାନ କରିବା ଲାଗି ପ୍ରତି ବତିଶି ମାସରେ ଏକ ଅଧି ମାସ ବା ମଳ ମାସ ହୁଏ । ଯେଉଁଥର ଆଷାଢ଼ରେ ପଡ଼େ ଏହାକୁ ଦୋ’ଆଷାଢ଼ ବା ଯୋଡ଼ା ଆଷାଢ଼ କୁହାଯାଏ । ଏହା ମଧ୍ୟ ପୁରୁଷୋତ୍ତମ ମାସ ନାମରେ ଖ୍ୟାତ । ଏହି ଯୋଡ଼ା ଆଷାଢ଼ରେ ନବକଳେବର କାର୍ଯ୍ୟ ସମାପନ ହୋଇଥାଏ । କାରଣ ଅଣସର ନୀତି ପାଇଁ ପନ୍ଦରଦିନ ପରିବର୍ତ୍ତେ ଦେଢ଼ମାସ ମିଳିବାରୁ ଦାରୁକଟା ହୋଇ ଖରାଖାଇ ମୂର୍ତ୍ତି ଗଠନ ନିମନ୍ତେ ସମୟ ବ୍ୟବଧାନ ଠିକ୍ ହୁଏ । (ଶ୍ରୀ.ସ୍ଵ. – ପୃ. ୬୪) ।

ଲେଙ୍କା ସେବକ- ଦେ.ବି.- ନବକଳେବର ସମୟରେ ଏହି ସେବକ ସୁଦର୍ଶନଙ୍କୁ ଧରି ବନଯାଗର ଆଗରେ ଯାଇଥାନ୍ତି । ବିଶ୍ରାମ ନେବା ସ୍ଥାନରେ ସୁଦର୍ଶନଙ୍କୁ ଯଥା ମାନ୍ୟରେ ରଖନ୍ତି । ମା’ ମଙ୍ଗଳାଙ୍କ ମାଜଣା କାଳରେ ମଙ୍ଗଳାଙ୍କ ଆସ୍ଥାନ ସ୍ଥଳରେ ସୁଦର୍ଶନଙ୍କୁ ରଖନ୍ତି । ଦାରୁ ନିରୂପଣ ହେଲେ ଏହି ସେବକ ଦାରୁ ମୂଳରେ ସୁଦର୍ଶନଙ୍କୁ ରଖିଥାନ୍ତି । ଅନ୍ୟାନ୍ୟ ସେବକମାନଙ୍କ ସହିତ ଏହି ସେବକ ଦାରୁ ସଂଗ୍ରହରେ ସାହାଯ୍ୟ କରିବା ସହ ହବିସାନ୍ନ କରିଥାନ୍ତି ।

ଶବରପଲ୍ଲୀ- ଦେ.ବି.- ଏକ ପଲ୍ଲୀ ବା ଛୋଟ ଗାଁ ଯେଉଁଥିରେ ଶବରମାନେ ରହନ୍ତି । ନବକଳେବର ସମୟରେ ସେହି ପ୍ରକାରରେ ଏକ ଶବରପଲ୍ଲୀ ନିର୍ମାଣ କରାଯାଇଥାଏ । ଦାରୁ ଅନ୍ୱେଷଣରେ ଆସିଥିବା ସେବକ ଦଇତା ଏଠାରେ ବିଶ୍ରାମ ନେବା ସଙ୍ଗେ ସଙ୍ଗେ ବନଯାଗପର୍ବରେ ଦାରୁ ଚିହ୍ନଟ କରିବାକୁ ଯାଆନ୍ତି । ଦାରୁ ଚିହ୍ନଟ ପରେ ଯଥାବିଧି ଶଗଡ଼ିରେ ପାଟ ଦଉଡ଼ିରେ ବାନ୍ଧିବା ଓ ଆଜ୍ଞାମାଳ ପ୍ରଦାନ ଇତ୍ୟାଦି କାର୍ଯ୍ୟ ଏହି ଠାରେ ହୁଏ ।

ଶାନ୍ତିଜଳ-ଦେ.ବି.- ନବକଳେବର ବିଧିରେ ତିନିଜଣ ପୂଜାପଣ୍ଡା ଠାକୁରଙ୍କ ମହାସ୍ନାନ କଲାପରେ ଠାକୁରଙ୍କ ଶ୍ରୀମସ୍ତକରେ ଶାନ୍ତିଜଳ ଛିଞ୍ଚନ୍ତି । ଏହା ତିନିଗୋଟି ମାଟି କଳସରେ ରଖାଯାଇଥାଏ । (ଶ୍ରୀ.ଶ. – ପୃ. ୧୬୦) ।

ଶ୍ରୀଅଙ୍ଗ ଫିଟା-ଦେ.ବି.- ନବକଳେବର ବ୍ୟତୀତ ଅନ୍ୟ ସମୟରେ ସାମୟିକ ଆବଶ୍ୟକତା ଦୃଷ୍ଟିରୁ ଠାକୁରଙ୍କ ଶ୍ରୀଅଙ୍ଗ ଖୋଲାଯିବା ବିଧି । (ଶ୍ରୀ.ସ୍ଵ. ୨ୟ – ପୃ. ୬୫) ।

ଶ୍ରୋତ୍ରିୟ ବ୍ରାହ୍ମଣ- ସଂ.ବି.- ବନଯାଗ ସମୟରେ ଯଜ୍ଞ ମଣ୍ଡପରେ ଯାଗ, ଯଜ୍ଞ ନିମନ୍ତେ ଜଗପତି ଏମାନଙ୍କୁ ଆମନ୍ତ୍ରଣ କରି ବନଯାଗ ଦଳରେ ପଠାଇଥାନ୍ତି । ଏମାନେ ହେଲେ ପ୍ରଧାନାଚାର୍ଯ୍ୟ, ବ୍ରହ୍ମା, ଚରୁଆଚାର୍ଯ୍ୟ, ସମିଧ ଆଚାର୍ଯ୍ୟ ଓ ପୁସ୍ତକାଚାର୍ଯ୍ୟ(ପ୍ରଚାରକ) । (କ୍ଷେ.ସ.)

ଷୋଡ଼ଶୋପଚାର-ସଂ.ବି.- ଦେବପୂଜାର ଷୋଳ ପ୍ରକାର ଉପକରଣ ଯଥା- ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମୁଖବାସ, ମତାନ୍ତରେ ଚନ୍ଦନ । ଶକ୍ତି ପୂଜନର ଷୋଡଶୋପଚାର ଯଥା- ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ସ୍ନାନ, ବସନ, ଭୂଷଣ, ଗନ୍ଧ, ପୁଷ୍ପ ଧୂପ, ଦୀପ, ନୈବେଦ୍ୟ, ପୁନରାଚମନୀୟ, ସୁରା, ତାମ୍ବୂଳ, ତର୍ପଣ ଓ ନମସ୍କାର । ଶ୍ରୀମନ୍ଦିର ଶ୍ରୀଜୀଉଙ୍କର ପୂଜା ଷୋଡଶୋପଚାରରେ ହୋଇଥାଏ । (ଶ୍ରୀ.ସ୍ଵ. – ପୃ. , ପୂ.ଓ.ଭା. – ପୃ. ୭୮୯୭) ।

ସଂକୀର୍ତ୍ତନ- ସଂ.ବି.- ଦେବତାଙ୍କ ନାମ ଉଚ୍ଚାରଣ ପୂର୍ବକ ସ୍ତୁତିଗାନ, ସମ୍ୟକ୍ ପ୍ରକାରରେ ଗୁଣାଦିକଥନ, ରାଧାକୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଖୋଳ କରତାଳ ଓ ନୃତ୍ୟାଦି ସହିତ ଗୀତଗାନ-। ଭଗବାନ ଓ ଦେବତାଦିଙ୍କ ନାମ ସଂକୀର୍ତ୍ତନର ମାହାତ୍ମ୍ୟ ଭାଗବତ ନାରଦ ପାଞ୍ଚରାତ୍ର, ବୃହଦନାରଦୀୟ ପୁରାଣାଦିରେ ବର୍ଣ୍ଣିତ ହୋଇଅଛି, କିନ୍ତୁ ଶ୍ରୀଚୈତନ୍ୟ ଦେବଙ୍କ ଅମଳରୁ ଖୋଳ କରତାଳ ସହିତ ବହୁ ଲୋକଙ୍କର ସମ୍ମିଳିତ ଗାନ ଓ ବିଶେଷତଃ ଶ୍ରୀରାଧା ସମ୍ବନ୍ଧୀୟ ଗାନ ବା ସଂକୀର୍ତ୍ତନ ପ୍ରତି ବୈଷ୍ଣବମାନଙ୍କର ବିଶେଷ ଆଗ୍ରହ ଜନ୍ମିଅଛି । ଚୈତନ୍ୟ ଦେବ ପ୍ରଚାର କଲେ କଳିଯୁଗରେ ହରିନାମ କୀର୍ତ୍ତନ ମୁକ୍ତିଲାଭାର୍ଥେ ମନୁଷ୍ୟର ଏକମାତ୍ର ଅବଲମ୍ବନ । ସତ୍ୟଯୁଗରେ ତୀର୍ଥ, ତ୍ରେତାରେ ଯଜ୍ଞ, ଦ୍ବାପରରେ ଦାନ ଓ କଳିରେ ନାମ ସଂକୀର୍ତ୍ତନ ହେଉଛି ଯୁଗଧର୍ମ । କଥିତ ଅଛି ଯେ, ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏ ସମସ୍ତ ଅଶେଷ ସଂକୀର୍ତ୍ତନ ହିଁ ଯୁଗଧର୍ମ । ଯେଉଁଠାରେ ସଂକୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ, ସଂକୀର୍ତ୍ତନକାରୀଙ୍କ ପଦରଜ ଯେଉଁଠାରେ ପଡ଼େ ସେ ସ୍ଥାନ ଅତୀବ ପବିତ୍ର । ଶ୍ରୀଜଗନ୍ନାଥଙ୍କ ବେଢ଼ାରେ ଅନେକ ଦିନ ସଂକୀର୍ତ୍ତନ ହେଉଥାଏ । ରଥଯାତ୍ରା ସମୟରେ ମଧ୍ୟ ବଡ଼ଦାଣ୍ଡରେ ରଥ ଆଗରେ, ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ସଂକୀର୍ତ୍ତନ ହୁଏ । ଶ୍ରୀଜଗନ୍ନାଥଙ୍କ ବାହାର ଯାତ୍ରାରେ ସଂକୀର୍ତ୍ତନ ପ୍ରଚଳନ ଅଛି । (ପୂ.ଓ.ଭା. – ପୃ. ୭୯୧୮) ।

ସପ୍ତାବରଣ-ସଂ.ବି.- ସ୍ନାନ ପୂର୍ଣ୍ଣିମାର ୬୫ ଦିନ ପୂର୍ବରୁ ନବକଳେବର ନିମନ୍ତେ ଦାରୁ ଅନ୍ୱେଷଣ ପାଇଁ ବନଯାଗ ଯାତ୍ରା ଆରମ୍ଭ ହୁଏ ଏବଂ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଦାରୁ ଆସି ଶ୍ରୀମନ୍ଦିରରେ ପହଞ୍ଚି ଥାଏ । ପୂର୍ଣ୍ଣମୀଠାରୁ ପ୍ରତିମା ଗଠନ ଆରମ୍ଭ ହୁଏ ଏବଂ ଅମାବାସ୍ୟାରେ ବ୍ରହ୍ମ ପ୍ରବେଶ କରାଯାଇଥାଏ । ତାହା ପରେ ଅମାବାସ୍ୟା ଠାରୁ ମଳମାସ ଆରମ୍ଭ ହୁଏ ଏବଂ ଏହି ମଧ୍ୟରେ ନୂତନ ବିଗ୍ରହମାନଙ୍କର ସପ୍ତାବରଣ ସେବା କରାଯାଏ । ସପ୍ତାବରଣ କର୍ମରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅସ୍ଥି, ମଜା, ଶିରା ପ୍ରଶିରା, ରକ୍ତ, ମାଂସ, ଚର୍ମ ଓ ଶୁକ୍ର ଯଥାକ୍ରମେ ଦାରୁରେ ଚନ୍ଦନ, ପାଟଡ଼ୋର, ନେତପାଟ, ସୁବାସିତ ତୈଳ, ଝୁଣାର ପ୍ରଲେପ, ବସ୍ତ୍ର ଓ ଅଷ୍ଟଗନ୍ଧାଦି ପ୍ରଭୃତି ବ୍ୟବହାର କରାଯାଇ ଶ୍ରୀ ଅଙ୍ଗରେ ଲାଗି ହୋଇଥାଏ । ଶ୍ରୀଜୀଉଙ୍କର ଏହା ମାନବୀୟ ଲୀଳା ହୋଇଥିବାରୁ ତାଙ୍କ ଶ୍ରୀଅଙ୍ଗରେ ଏହି ସାତ ଗୋଟି ଦ୍ରବ୍ୟ ସୃଷ୍ଟି କରାଯାଏ । ଯାହାକି ପ୍ରଭୁଙ୍କର ସପ୍ତାବରଣ ଅଟେ । ଶ୍ରୀଜଗନ୍ନାଥଙ୍କ ଦୈତାମାନେ ଗୋପନରେ ଏହି ସପ୍ତାବରଣ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । (ଓ.ସାଂ.ଶ. – ପୃ. ୩୬୦, ପୂ.ଓ.ଭା. – ପୃ. ୮୫୮୦) ।

ସମିଧ-ସଂ.ବି.- ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ଅନୁଷ୍ଠିତ ଯଜ୍ଞ ଓ ହୋମ ନିମନ୍ତେ ଭିନ୍ନ ଭିନ୍ନ ବୃକ୍ଷର ଶାଖା ସମିଧ ରୂପେ ବ୍ୟବହାର ହେବାର ବିଧି ଅଛି । ଯଥା- ରବି, ମଙ୍ଗଳ, ଚନ୍ଦ୍ର, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ ଶାନ୍ତି ବିଧାନାର୍ଥ ଅନୁଷ୍ଠିତ ହୋମରେ ଯଥାକ୍ରମେ- ଅର୍କ, ପଳାସ, ଖଦିର, ଅପାମାର୍ଗ, ପିପ୍ପଳ ବା ଅଶ୍ବତ୍ଥ, ଉଦୁମ୍ବର, ଶମୀ, ଜୁଟା ଓ କୁଶ ବ୍ୟବହୃତ ହୁଏ । ଉପନୟନାଦି ସଂସ୍କାର କର୍ମରେ ଯଜ୍ଞ ବିମ୍ବିର ଓ ତାନ୍ତ୍ରିକ ସେବାରେ ବେଲପତ୍ରୀ ସମିଧ ବ୍ୟବହୃତ ହୁଏ । ହୋମସମିଧର ଲମ୍ବ, ପ୍ରାଦେ ପରମିତ, ଅର୍ଥାତ୍ ବିସ୍ତୃତ କରତଳର ବୁଢ଼ା ଆଙ୍ଗୁଠିର ଅଗରୁ ବିଶି ଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ଆଙ୍ଗୁଳି ହେବ । ଏଥିର ସ୍ଥୁଳତା ୧ ଆଙ୍ଗୁଳିରୁ ଅଧିକ ହେବ ନାହିଁ । ଏଥିରେ ବକ୍କଳ ଲାଗିଥିବା, ଏକ ଶାଖାଯୁକ୍ତ ହୋଇଥିବ, ପୋକରା ହୋଇ ନ ଥିବ କିମ୍ବା ବିଶୀର୍ଣ୍ଣ, ହ୍ରସ୍ଵ, ଦ୍ୱିଧାକୃତ, ଚକ୍ର ବା ସ୍ଥୂଳ ହୋଇ ନ ଥିବ । ଏପରି ଦୋଷଯୁକ୍ତ ସମିଧ ଦ୍ୱାରା ହୋମ କଲେ ଅମଙ୍ଗଳ ଘଟେ-। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ବିଭିନ୍ନ ସମୟରେ ହେଉଥିବା ହୋମରେ ଶାଳକାଠ, ଆମ୍ବକାଠ, ବରୁଣକାଠର ସମିଧ ଲାଗି ହୋଇଥାଏ । (ପୂ.ଓ.ଭା. – ପୃ. ୮୨୦୦) ।

ସାଢ଼ିବନ୍ଧା ନୀତି- ଦେ.ବି.- ନବକଳେବର ସମୟରେ ଆଜ୍ଞାମାଳ ପାଇ ଆସିଲା ବେଳେ ଭିତରଛୁ ମହାପାତ୍ର ଅଣସର ପିଣ୍ଡିଠାରେ ଦୈତାପତି, ପତିମହାପାତ୍ରଙ୍କୁ ବାରଲାଗି ସାଢ଼ି ବନ୍ଦା ଓ ଅନ୍ୟ ଦୈତାଙ୍କୁ ଚାରି ହାତ ଲେଖାଏଁ ବାରଲାଗି ସାଢ଼ି ବନ୍ଧା ଓ ଜୟବିଜୟ ଦ୍ୱାର ଠାରେ ଦେଉଳ କରଣ ଓ ବେହେରା ଖୁଣ୍ଟିଆଙ୍କୁ ବାରଲାଗି ସାଢ଼ି ବନ୍ଧା, ଲେଙ୍କା ଓ ବିଶ୍ୱକର୍ମା ମହାରଣାଙ୍କୁ ସୁତା ସାଢ଼ି ବନ୍ଧା କାର୍ଯ୍ୟ ସମ୍ପାଦନା କରାନ୍ତି ।

ସୁଦର୍ଶନ-ସଂ.ବି.- ଉତ୍ତମ ଦର୍ଶନ । ଯେଉଁ ବ୍ୟକ୍ତି, ବସ୍ତୁ କିମ୍ବା ପଦାର୍ଥର ଦର୍ଶନ ମାତ୍ରକେ ହୃଦୟରେ ଭାବାନ୍ତର ସୃଷ୍ଟି ହୁଏ, ଯାହାର ସଂଦର୍ଶନରେ ପ୍ରାଣ ଅତିନ୍ଦ୍ରିୟ ରାଜ୍ୟରେ ବିଚରଣ କରିଥାଏ, ତାହା ହିଁ ସୁଦର୍ଶନ ।

ସୃଷ୍ଟିର ପାଳକ ସର୍ବଶକ୍ତିମାନ ଭଗବାନ ବିଷ୍ଣୁଙ୍କର ଆୟୁଧ ରୂପେ ସୁଦର୍ଶନ ଯୁଗ ଯୁଗ ଧରି ଜନମାନସରେ ଏକ ବିଶେଷ ସ୍ଥାନ ଗ୍ରହଣ କରି ଆସିଅଛି । ବିଷ୍ଣୁ ତାଙ୍କର ଉର୍ଦ୍ଧ୍ୱଦକ୍ଷିଣ ଭୁଜରେ ହିଁ ସୁଦର୍ଶନ ଧାରଣ କରିଥିବା କଥା ଅଧିକାଂଶ ଗ୍ରନ୍ଥରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ବିଷ୍ଣୁରୂପୀ ଶ୍ରୀଜଗନ୍ନାଥଙ୍କର ବାମପାର୍ଶ୍ୱରେ ସୁଦର୍ଶନ ସ୍ଥାପିତ ।

ସୁଦର୍ଶନ ଦେବ ସ୍ତମ୍ଭାକୃତ ଓ ଚଉରାଅଶି ଯବ ବିଶିଷ୍ଟ । ସେ ରକ୍ତବର୍ଣ୍ଣର ପଟ୍ଟବସ୍ତ୍ରରେ ଆବୃତ । ପ୍ରଜ୍ଜ୍ୱଳିତ ଅଗ୍ନିଶମ ସେ ଉଜ୍ଜ୍ୱଳ । ସେ ତୀକ୍ଷ୍ଣ ଦନ୍ତ ଓ ବିଦୀର୍ଣ୍ଣଭୂ । ତାଙ୍କର କେଶଗୁଚ୍ଛରୁ ଯେପରି କି ବିଦ୍ୟୁତ୍ ନିର୍ଗତ ହୁଏ । ସେ ଅଷ୍ଟବାହୁ । ଧ୍ୟାନରେ ସେ ହିଁ ବିଷ୍ଣୁଙ୍କର କ୍ରିୟାଶକ୍ତି । ତେଣୁ ସେ ସମଗ୍ର ସୃଷ୍ଟିକୁ ସଂହାର କରିପାରନ୍ତି । ଏଥିରେ ସୁଦର୍ଶନ ବିଷ୍ଣୁଙ୍କର ଅନ୍ୟ ରୂପ ବୋଲି କଳ୍ପିତ । ସର୍ବଦେବତାଙ୍କର ତେଜର ସମନ୍ୱୟରେ ହିଁ ସୁଦର୍ଶନଙ୍କ ସୃଷ୍ଟି ବୋଲି କୁହାଯାଏ । ସୁଦର୍ଶନ ଶିଖାମୟ ସ୍ତମ୍ଭ ସ୍ୱରୂପ ।

ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚକ୍ରର ନାମ ସୁଦର୍ଶନ । ଶ୍ରୀମନ୍ଦିର ଚୂଡ଼ାରେ ରହିଛି ନୀଳଚକ୍ର । ରତ୍ନବେଦୀ ଉପରେ ଶ୍ରୀଜଗନ୍ନାଥଙ୍କ ବାମପଟେ ବିରାଜିତ ଚକ୍ରରାଜ ସୁଦର୍ଶନ । ବୈଷ୍ଣବମାନଙ୍କର ଏହା ଧର୍ମଦଣ୍ଡ ବୋଲି କୁହାଯାଏ, କିନ୍ତୁ ଏହା ଚକ୍ରାକୃତି ନ ହୋଇ ଦଣ୍ଡାକୃତି ହୋଇଅଛି । କାରଣ ପ୍ରତୀକ ଧର୍ମୀ ଖମ୍ବ ଉପାସନର ମୂଳ ବା ମୁଖ୍ୟ ହେଉଛନ୍ତି ଶ୍ରୀଜଗନ୍ନାଥ । ମହାଦେବଙ୍କ ଆଦେଶରେ ବିଶ୍ୱକର୍ମା ଦେବତାମାନଙ୍କ ତେଜରୁ ସାର ସଂଗ୍ରହ କରି ଏ ଚକ୍ର ତିଆରି କରିଥିଲେ । ଦ୍ୱୈତ୍ୟବିନାଶାର୍ଥେ ସେ ଏହାକୁ ବିଷ୍ଣୁଙ୍କୁ ପ୍ରଦାନ କରିଥିଲେ । ସୁଦର୍ଶନ ଏହାର ଅରବାରଟି, ଏହା ଷଟ୍ କୋଣବଳୟତ୍ରୟ ସଂଯୁକ୍ତ । ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୂଜିତ । ଚତୁର୍ଭୁଜ ବିଷ୍ଣୁ ଏହାକୁ ଉପର ଡାହାଣ ହସ୍ତରେ ଧାରଣ କରନ୍ତି ଏବଂ ଦୁଷ୍ଟକୁ ସଂହାର କରି ଶିଷ୍ଟକୁ ପାଳନ କରନ୍ତି । ନବକଳେବର ସମୟରେ ବନଯାଗରେ ଦାରୁ ଅନ୍ୱେଷଣ ପାଇଁ ସୁଦର୍ଶନ ହିଁ ଯାଇଥାନ୍ତି ।

ସୁନା କୂଅ-ଦେ.ବି.- ଶ୍ରୀମନ୍ଦିର ପରିସର ମଧ୍ୟରେ ସାତ ଗୋଟି କୂଅ ଅଛି । ୧. ୭୫ ନମ୍ବର ପ୍ଲଟରେ ଥିବା ବିମଳାଙ୍କ ମନ୍ଦିର ସମ୍ମୁଖସ୍ଥ କୂଅ । ୨. ୧୪ ନମ୍ବର ପ୍ଲଟରେ ଥିବା କୂଅ ପାଣି ଛତ୍ର ଘରେ ବ୍ୟବହୃତ ହୋଇଥାଏ । ୩. ୧୯୮ ନମ୍ବର ପ୍ଲଟରେ ଥିବା କୂଅ ସରଘର କାର୍ଯ୍ୟରେ ବିଶେଷ ବ୍ୟବହୃତ ହୋଇଥାଏ । ୪. ୨୧୦ ନମ୍ବର ପ୍ଲଟରେ ଥିବା ଷଡଭୁଜ ଗୌରାଙ୍ଗ ମନ୍ଦିର କୂଅ । ୫. ୨୫୩ ନମ୍ବର ପ୍ଲଟରେ ଥିବା ନିର୍ମାଲ୍ୟ ଖଳା କୂଅ ।୬. ୨୭୩ ନମ୍ବର ପ୍ଲଟରେ ଥିବା କୂଅ । ୭. ୨୮୪ ନମ୍ବର ପ୍ଲଟରେ ଥିବା ସୁନା କୂଅ ମା ଶୀତଳା ଠାକୁରାଣୀ ମନ୍ଦିର ସମ୍ମୁଖରେ ଅବସ୍ଥିତ। ମନ୍ଦିର ମଧ୍ୟରେ ଥିବା ସର୍ବ ପୁରାତନ କୂଅ ବୋଲି ବିଭିନ୍ନ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ । ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ପୂର୍ବରୁ ଏହା ଖୋଳାଯାଇଥିଲା । ଏହାର ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନ କାର୍ଯ୍ୟ ସମ୍ପାଦିତ ହୋଇଥାଏ । (ଶ୍ରୀ.ସ୍ବ. ୨ୟ – ପୃ. ୫୮, ୨୭୪ , ଶ୍ରୀ.ଜି.- ପୃ. ୨୩୬) ।

ସ୍ୱପ୍ନାବତୀ ମନ୍ତ୍ର-ସଂ.ବି.- ବନଯାଗ ଯାତ୍ରୀଦଳ କାକଟପୁରରେ ପହଞ୍ଚି ମା’ ମଙ୍ଗଳାମନ୍ଦିରରେ ମାଜଣା ସମାପ୍ତ ପରେ ପ୍ରତ୍ୟହ ସ୍ୱପ୍ନାବତୀ ମନ୍ତ୍ର ଶହେ ଆଠ ବାର ଜପି ରାତ୍ରରେ ଶୟନ କରନ୍ତି । ନିଷ୍ଠାପର ଭାବେ ପ୍ରତ୍ୟହ ମନ୍ତ୍ର ଜପିଲା ପରେ ତିନି ଦିନ ମଧ୍ୟରେ ମା’ଙ୍କର ସ୍ୱପ୍ନାଦେଶ ହୋଇଥାଏ । “ଓଃ ନମଃ ସକଳ ଲୋକାୟ ବିଷ୍ଣବେ ବିଶ୍ୱାୟ ବିଶ୍ୱ ରୂପାୟ ସ୍ୱପ୍ନାଧିପତୟେ ନମଃ , ଆଚକ୍ଷୋ ଦେବ ଦେବଶ ପ୍ରପନ୍ନୋଽସ୍ମି ତବନ୍ତିକମ୍, ସ୍ୱପ୍ନେ କାର୍ଯ୍ୟାଣି ସର୍ବାଣି ହୃଦେ ସ୍ଥାନୀହ ଯାନିସେ ଓଂ ଓଂ ହୁଁ ଫଟ୍ ବିଷ୍ଣବେ ସ୍ବାହା ହରେତ୍ୱତ୍ ପ୍ରସାଦାତ୍ ସ୍ୱପ୍ନେ ଶୁଭାଭି ବ୍ୟକ୍ତରସ୍ତୁ” ।

ହବିଷାନ୍ନ-ସଂ.ବି.- ଦାରୁଛେଦନ ପୂର୍ବାବର୍ତ୍ତୀ ଯଜ୍ଞାନୁଷ୍ଠାନ କାଳରୁ ଦାରୁ ଚଉପଟ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଆଚାର୍ଯ୍ୟ, ବ୍ରାହ୍ମଣଗଣ, ଦୈତ। ସେବକ, ବିଦ୍ୟାପତି, ବିଶ୍ୱାବସୁ, ଲେଙ୍କା ଓ ବିଶ୍ୱକର୍ମା ଏମାନେ ସମସ୍ତେ ଅଢେଇ ଦିନ ପାଇଁ ନିର୍ଜଳା ଉପବାସ ବ୍ରତ ପାଳନ କରିଥାନ୍ତି । ଦାରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ପରେ ସମସସ୍ତେ ହବିଷାନ୍ନ ଗ୍ରହଣ କରନ୍ତି ।

ହୋମ-ସଂ.ବି.-ଶ୍ରୀମନ୍ଦିରରେ ହୋମ ଏକ ଅପରିହାର୍ଯ୍ୟ କର୍ମ । ପ୍ରତିଦିନ ପୂଜାରେ ହୋମ ସାମାନ୍ୟ ଆକାରରେ ହେଉ ବା ବଡ଼ ଆକାରରେ ହେଉ (ପର୍ବ ତଥା ଦିନ ଦେଖି) ନିଶ୍ଚିତ ରୂପେ ହେଉଅଛି । ଦେବଯଜ୍ଞ ମନ୍ତ୍ରୋଚ୍ଚାରଣ ପୂର୍ବକ ଦେବତା ଓ ଗ୍ରହାଦିଙ୍କ ଉଦ୍ଦେଶ୍ୟରେ ଯଜ୍ଞାଗ୍ନିରେ ଘୃତାହୂତି ଦାନ ରୂପକ କର୍ମ ହେଉଅଛି ହୋମ । ପଞ୍ଚ ମହାଯଜ୍ଞ ମଧ୍ୟରୁ ହୋମ ଏକତମ-। ବ୍ରହ୍ମଯଜ୍ଞ, ପିତୃଯଜ୍ଞ, ଦେବଯଜ୍ଞ (ହୋମ), ଭୂତଯଜ୍ଞ, ନୃଯଜ୍ଞ (ଅତିଥି ପୂଜନ) । ମନ୍ତ୍ରୋଚ୍ଚାରଣ ପୂର୍ବକ ଅଗ୍ନିରେ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଆହୂତି ଦେବା ହିଁ ହୋମ । ମନ୍ତ୍ର ଜପ ନ କଲେ ମନ୍ତ୍ର ସିଦ୍ଧ ହୁଏ ନାହିଁ । ମନ୍ତ୍ରୋଚ୍ଚାରଣ ପୂର୍ବକ ଆହୁତି ନ ଦେଲେ ଓ ହୋମ ନ କଲେ ଜପ ଫଳ ହୁଏ ନାହିଁ । ଏହି ହୋମ କର୍ମ ପାଇଁ ହୋମ କୁଣ୍ଡ ସ୍ଥାପନ ଏକାନ୍ତ ଆବଶ୍ୟକ । ହୋମକୁଣ୍ଡ- ହବନୀ ଯେଉଁ କୁଣ୍ଡରେ ଅଗ୍ନି ସ୍ଥାପନ ପୂର୍ବକ ଆହୂତି ଦିଆଯାଏ । ହୋମକୁଣ୍ଡ ଅଗ୍ନିର ପାଉଁସ କ୍ଷେତରେ ଦିଆଯାଏ । ହୋମର ପବିତ୍ରତା ହିନ୍ଦୁଧର୍ମର ଖୁବ୍ ବିଶ୍ୱାସଯୋଗ୍ୟ କର୍ମ । ପରିବେଶକୁ ଏହା ସୁସ୍ଥ ଓ ମୁକ୍ତ ରଖେ । ହୋମ ନିମନ୍ତେ ହୋମ ଯୋଗାଣିଆ ସେବକ ମଧ୍ୟ ହୋମ ଉପକରଣ ଠିକ୍ ସମୟରେ ଯୋଗାଇ ଦେଇଛନ୍ତି । (ଶ୍ରୀ.ସ୍ଵ. ୨ୟ – ପୃ. ୧୬/୧୧୮, କ୍ର.ବି.ଓ.ଶ.ସ. – ପୃ. ୧୦୫୭, ଓ.ସାଂ.ଶ. – ୩୭୫, ପୂ.ଓ.ଭା. - ୯୨୩୮) ।

ହୋମକୁଣ୍ଡ-ସଂ-ବି.- ହୋମାର୍ଥ କୁଣ୍ଡ, ହବନୀ, ଯେଉଁ କୁଣ୍ଡ ମଧ୍ୟରେ ଅଗ୍ନି ସ୍ଥାପନ ପୂର୍ବକ ଅହୁତି ଦିଆଯାଏ । (ପୂ.ଓ.ଭା. – ପୃ. ୯୨୩୮, ଓ.ସାଂ.ଶ. – ପୃ. ୩୭୫) । କ୍ଷେତ୍ରଦ୍ୱାର- ଶ୍ରୀମନ୍ଦିରର ଉତ୍ତର ଦ୍ୱାର କ୍ଷେତ୍ରଦ୍ୱାର ନାମରେ ପରିଚିତ । (ମ.ନ. – ପୃ. ୮୦) ।

ଶ୍ରୀଜଗନ୍ନାଥ ସମ୍ପର୍କୀୟ ବିଭିନ୍ନ ଶାସ୍ତ୍ର, ପର୍ବପର୍ବାଣି, ଜାନିଯାତ୍ରା, ସେବା ସେବାୟତ ଓ କ୍ଷେତ୍ରୀୟ ସର୍ବେକ୍ଷଣଙ୍କୁ ଉପଜୀବ୍ୟ କରି ନବକଳେବର ସମ୍ପର୍କୀୟ ଶବ୍ଦ ସଂଗ୍ରହ କରାଯାଇଛି । ଏଥିସହିତ ଶ୍ରୀମନ୍ଦିର ସ୍ୱତ୍ୱଲିପି, ମାଦଳାପାଞ୍ଜି ଓଡ଼ିଆ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଶବ୍ଦ କଳ୍ପଦ୍ରୁମ, ପ୍ରମୋଦ ଅଭିଧାନ, ପ୍ରାଚୀନ ଉତ୍କଳ, ଚରିତ ଚିନ୍ତାମଣୀ, ଓଡ଼ିଶାର ସାଂସ୍କୃତିକ ଇତିହାସ ଓ ଶ୍ରୀଜଗନ୍ନାଥ ସମ୍ପର୍କୀୟ ବହୁ ଉପାଦେୟ ପୁସ୍ତକ ଓ ଅଭିଦାନଗୁଡ଼ିକର ସାହାଯ୍ୟ ନିଆଯାଇଛି ।

 

Unknown

ସାମ୍ପ୍ରତିକ ଓଡ଼ିଆ କବିତାରେ ନବକଳେବର

ଅଶ୍ୱିନୀ କୁମାର ମିଶ୍ର

ଜୀବନ ସହିତ ମହାଶକ୍ତିଶାଳୀ କାଳ୍ପନିକ ପ୍ରଭୁତ୍ୱକୁ ଯୋଡ଼ିଯୋଡ଼ି ତା’ ସହିତ ଭାବାବେଗର ଡୋରିରେ ବନ୍ଧା ହୋଇ ଜୀବନ ସଂଗ୍ରାମକୁ ଆପଣେଇବା ମଣିଷ ପାଇଁ ଅନ୍ୟ ଏକ ଆକସ୍ମିକତା । ଯେ କୌଣସି ଧର୍ମ, ଯେ କୌଣସି ସମ୍ପ୍ରଦାୟର ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି ବ୍ୟକ୍ତିଟିକୁ ଏଇ ଉପଲବ୍ଧିର ସୁଡଙ୍ଗ ଦେଇ ଯିବାଟା ଅପରିହାର୍ଯ୍ୟ ହୋଇପଡିଛି । ତେବେ କେଉଁ ନିର୍ଦ୍ଧିଷ୍ଟ ଯୁଗ କିମ୍ବା ସମୟରୁ ଏଭଳି ପ୍ରଚଣ୍ଡ ଭାବାବେଗରେ ଅଭ୍ୟୁତ୍ଥାନ ତା’ ନେଇ ଗବେଷକ, ସମାଜ ବିଜ୍ଞାନୀ କେହିବି ସିଦ୍ଧାନ୍ତରେ ପହଞ୍ଚି ପାରିଥିବାର ସଠିକ୍ କଳନା ହୁଏତ ଆଜିଯାକେ ଠିକଣା ଭାବରେ ପ୍ରତିପାଦିତ ହୋଇ ପାରିନାହିଁ । ଐଶ୍ୱରୀୟ ଚେତନାର ଅନୁବର୍ତ୍ତୀ ମଣିଷ ଭାଗ୍ୟ, ଭଗବାନର ଖୋରାକି ନେଇ ଦୁନିଆଁ ଆଡକୁ ଅନାଏ । ସେ ନିଜେ ସାଧୁ ନା ଅସାଧୁ, ଚୋର ନା ତ୍ୟାଗୀ ପୁରୁଷ ତା ନିଜ ଦୋଷ ଗୁଣର ନିର୍ଣ୍ଣୟକୁ ବେଖାତିର କରି ସିଏ ଅନ୍ୟ ଏକ ମୁକ୍ତି ତଥା ଅଭୟ ଚେତନାର ସବାର୍ ହୋଇଯାଏ । ଯେଉଁଠି ତା ମନକୁ ଆବୋରି ବସେ ଆଉ ଏକ ଗୁଢ଼ ଚେତନା ଯଥା ଭଗବାନ ତା ପାଖେ ପାଖେ ଅଛନ୍ତି ତେଣୁ ଏଇ ପୃଥିବୀରେ ସିଏ ଆପତତଃ ଅକ୍ଷତ ଓ ନିରାପଦ । ଶ୍ରୀଜଗନ୍ନାଥଙ୍କ ସବୁକିଛି ତତ୍ତ୍ୱ, ଦର୍ଶନ, ପୂଜାବିଧି ମଣିଷ କୃତ । ବହୁ ବର୍ଷ ଧରି ଏ ସମ୍ପର୍କରେ ବିଭିନ୍ନ ଚିନ୍ତାଶୀଳ ବ୍ୟକ୍ତି ମାନସ ସୁକ୍ଷ୍ମ ରୂପେ ନିଜ ବାହ୍ୟଜଗତର ବାସ୍ତବତାକୁ ଆକ୍ଷି ଆଗରେ ରଖି ତାଙ୍କ ‘ନବକଳେବର’ର ସୂତ୍ର ସବୁ ବାହାର କରିଛନ୍ତି । ନିର୍ଗୁଣ, ନିରାକାର ଭଳି ବିଶେଷଣରେ ଗୁନ୍ଥା ହୋଇଥିବା ଏଇ ଦେବତାଙ୍କ ଗଢ଼ଣକୁ ଦେଖିଲେ ମନେହୁଏ ତାଙ୍କ ଦେହରେ ସାମଗ୍ରିକ ଭାବେ ସମସ୍ତ ମଣିଷ ଜାତିର ଶାରୀରିକ ରଙ୍ଗ ଅର୍ଥାଥ୍ ଧଳା, ହଳଦିଆ, ନାଲି ଓ କଳାରଙ୍ଗ ବିଦ୍ୟମାନ । ଜଗନ୍ନାଥଙ୍କର ଏଇ ବିଶ୍ୱଜନୀନ ଚେହେରା ସାଙ୍ଗକୁ ସମଗ୍ର ମଣିଷ ଜାତିକୁ ଆଶୀର୍ବାଦ ମାଧ୍ୟମରେ ସାମ୍ୟ, ମୈତ୍ରୀ ଓ ପ୍ରୀତିର ଦଉଡ଼ିରେ ବାନ୍ଧିରଖିବା କାର୍ଯ୍ୟତଃ ପ୍ରତିବନ୍ଧକର ସୂଚନା ଦିଏ ଯାହାର ବିଶ୍ଳେଷଣ ଏଇ ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ । ତେବେ ଏହି ଉତ୍ଥାପନ ପୂର୍ବକ ଚିନ୍ତାନାୟକ ଗୁରୁଚରଣ ପଟ୍ଟନାୟକ ତାଙ୍କ ଗ୍ରନ୍ଥ ‘ଜଗତ ଦର୍ଶନରେ ଜଗନ୍ନାଥ’ ଶୀର୍ଷକ ପୁସ୍ତକରେ ଲେଖିଛନ୍ତି ‘ପୃଥିବୀର ଛଅ ଶହ କୋଟି ମଧ୍ୟରୁ ଶହେକେ ପାଞ୍ଚଜଣ ଲୋକ ମାତ୍ର ଜଗନ୍ନାଥଙ୍କ ସହିତ ସମ୍ପୃକ୍ତ । ସେଇ ପାଞ୍ଚଭାଗ ଲୋକଙ୍କର ନାଥ କିପରି ବା ପଞ୍ଚାନବେ ଭାଗ ଲୋକ-ଜଗତର ନାଥ ହେବେ ? ସେ ପୁଣି ବା ଜଗତ ଲୋକର ଦୁର୍ଦ୍ଦଶା ମୋଚନରେ କିପରି ବା ସମର୍ଥ ହେବେ ? ଏ ତ ଏକ ସାଧାରଣ ସ୍ୱପ୍ନ’ । ତେବେ ବୌଦ୍ଧିକ ବିଶ୍ଲେଷଣ ପ୍ରତିବଦଳରେ ଆବେଗିକ ବିଶ୍ଲେଷଣକୁ ପ୍ରାଥମିକତା ଦେଇ ବାର ବର୍ଷରେ ଥରେ ସଙ୍ଗଠିତ ହେଉଥିବା ଏଇ ‘ଘଟାନ୍ତର ପର୍ବ ଯାହା ଯୋଡା ଆଷାଢ଼ର ଭିତ୍ତିଭୁମିକୁ ନେଇ ବାସ୍ତବରେ ଆଠ ବର୍ଷଠୁ ଆରମ୍ଭ କରି ସତେଇଶ ବର୍ଷର ବ୍ୟବଧାନରେ ଘଟୁଛି, ତାରି ପ୍ରଭାବ ଓଡିଆ କାବ୍ୟ-ଜଗତକୁ କିଭଳି ସମୃଦ୍ଧ କରିଛି, ତହିଁର ଆଲୋଚନା ଏଇ ପ୍ରବନ୍ଧର ଉଦ୍ଦେଶ୍ୟ ।

ବିଶିଷ୍ଟ ଗବେଷକ, ସ୍ୱର୍ଗତ ଡ. ସତ୍ୟନାରାୟଣ ରାଜଗୁରୁ ତାଙ୍କ ‘ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର’ ଶୀର୍ଷକ ପୁସ୍ତକର ‘ଦାରୁବ୍ରହ୍ମ ଓ ନବକଳେବର’ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି ‘ଶ୍ରୀପୁରୁଷୋତ୍ତମଙ୍କ ନାମ ବ୍ୟତୀତ ଶ୍ରୀଜଗନ୍ନାଥଙ୍କ ନାମ ଖ୍ରୀ:୧୩ଶ ଶତାବ୍ଦୀ ପୂର୍ବରୁ କୌଣସି ଗ୍ରନ୍ଥରେ ଉଲ୍ଲେଖ ହୋଇନାହିଁ । ଏପରିକି ‘ବିଷ୍ଣୁ’ଙ୍କ ସହସ୍ର ନାମରେ ମଧ୍ୟ ତାହା ଉଲ୍ଲେଖ ହୋଇନାହିଁ । କିନ୍ତୁ ଖ୍ରୀ: ୧୪ଶ ଶତାବ୍ଦୀ ଓ ତତ୍ ପରବର୍ତ୍ତୀ କାଳରେ ସ୍କନ୍ଦ-ପୁରାଣ-ଉତ୍କଳ ଖଣ୍ଡ ସମେତ ବହୁ ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ସମ୍ପର୍କରେ ଲେଖାମାନ ଦେଖିବାକୁ ମିଳେ । ଏଥିରୁ ଅନୁମିତ ହେଉଛି ଖ୍ରୀ: ୧୩ଶ ଶତାବ୍ଦୀ ଶେଷରେ କିମ୍ବା ୧୪ଶ ଶତାବ୍ଦୀ ଆରମ୍ଭରେ ହିଁ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ଶ୍ରୀମନ୍ଦିରରେ ସ୍ଥାପିତ ହୋଇଥିଲେ ଏବଂ ସେହି ସମୟ ଅବଧିରେ ଶ୍ରୀବିଗ୍ରହମାନଙ୍କର ‘ନବକଳେବର’ ଉତ୍ସବ ପାଳିତ ହୋଇଥିଲା । ଡ. ରାଜଗୁରୁଙ୍କ ଗବେଷଣାନୁଯାୟୀ ୧୩୦୭ ଖ୍ରୀଷ୍ଟାବ୍ଦର କିଛି ବର୍ଷ ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯବନ ଆକ୍ରମଣକାରୀଙ୍କ ଯୋଗୁ ଧ୍ୱସ୍ତବିଧ୍ୱସ୍ତ ହେବା ସାଙ୍ଗକୁ ଶ୍ରୀଜୀଉମାନଙ୍କର ପ୍ରସ୍ତର ମୁର୍ତ୍ତିସମୂହ ଧ୍ୱଂସଲୀଳାର ସମ୍ମୁଖୀନ ହେଲେ । ଗୁରୁଙ୍କ ଉପଦେଶକୁ ମଣି ନରସିଂହ ଦେବଙ୍କ ପୁତ୍ର ଭାନୁଦେବ ଶବରମାନଙ୍କ ସାହାଯ୍ୟରେ ନିମ୍ବ କାଠ ଦୂରଦୂରାନ୍ତରୁ ଅଣେଇ ବଢେଇଙ୍କ ସାହାଯ୍ୟରେ ନୂତନ ବିଗ୍ରହ ନିର୍ମାଣ ସାଙ୍ଗକୁ ସ୍ଥାପନା କଲେ । ଶବର ସମ୍ପ୍ରଦାୟର ସୈନ୍ୟମାନଙ୍କୁ ଏହି ଉପାୟ ମାଧ୍ୟମରେ ରାଜା ସନ୍ତୁଷ୍ଟ କରିବାକୁ ଚାହୁଁଥିବାର ସିଏ ଲେଖିଛନ୍ତି । ତା’ ସାଙ୍ଗକୁ ହିନ୍ଦୁ ବ୍ରାହ୍ମଣ ତଥା ଭକ୍ତମାନଙ୍କୁ ପ୍ରବୋଧନା ଦେବା ପାଇଁ ଦରୁବିଗ୍ରହ ନାଭିରେ ବ୍ରହ୍ମଙ୍କ ସ୍ଥାପନ କରାଯିବା ଉତ୍ତାରୁ ପୁରୁଷୋତ୍ତମ ‘ଦାରୁବ୍ରହ୍ମ’ ନାମରେ ନାମିତ ହେଲେ । ଶ୍ରୀଜଗନ୍ନାଥଙ୍କ ନାଭିମଣ୍ଡଳରେ ‘ବ୍ରହ୍ମ’ର ସରଂକ୍ଷଣ ‘ଶାଳଗ୍ରାମ ଶିଳା’ ଖଞ୍ଜିବାର ପ୍ରତିରୂପ ଯାହା ‘ନାରଦୀୟ- ସ୍ମୃତି’ର ‘ଆହ୍ନିକ ପ୍ରକରଣ’ର ବର୍ଣ୍ଣନାକୁ ଚାହିଁ ଘଟୁଥିବାର ଅନୁମେୟ । ଯଥା-

‘ଶାଳଗ୍ରାମଶୀଳା ଯତ୍ର ଦ୍ୱାରବତୀ ଶିଳା

ଉଭୟୋଃ ସଂଗମୋ ଯତ୍ର ତତ୍ର ମୁକ୍ତିର୍ନ ସଂଶୟଃ’

 

ଉଭୟ ‘କ୍ଷୟ’ ଓ ‘ଅକ୍ଷୟ’ ର ଅନୁଗାମୀ ସେଇ କାଷ୍ଠ ଶରୀରର କାଷ୍ଠ ଅଂଶଟି ପ୍ରଥମକୁ ସମର୍ଥନ କରୁଥିବାବେଳେ ନାଭିରେ ଲୁକ୍କାୟିତ ବ୍ରହ୍ମଶିଳା ଅକ୍ଷୟ ବୋଲି ସର୍ବଜନବିଦିତ । ଅନ୍ୟ ଏକ ଐତିହାସିକ ଘଟଣାରୁ ଏକଥାଟି ଆଉଥରେ ସ୍ପଷ୍ଟ ହେଇଯିବ ।

ଖ୍ରୀଷ୍ଟାବ୍ଦ ୧୫୬୮ ଆଡ଼କୁ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ନିଧନ ପରେ ବଂଗର ସୁଲତାନଙ୍କ ଦ୍ୱାରା ପ୍ରେରିତ କଳାପାହାଡ ଶ୍ରୀଜୀଉମାନଙ୍କ ମୁର୍ତ୍ତିଗୁଡ଼ିକୁ ଜୋର ଜବରଦସ୍ତି ଗଙ୍ଗାକୂଳକୁ ନେଇ ସେଠି ଅଗ୍ନି ସଂଯୋଗ କଲା । ତେବେ ସେଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅକ୍ଷୟ ବ୍ରହ୍ମଶିଳାକୁ ବିଶର ମାହାନ୍ତି ନାମଧେୟ ଜଣେ ଭକ୍ତ ଉଦ୍ଧାର କରି କୁଜଙ୍ଗସ୍ଥିତ ନିଜ ଗୃହରେ ଆଣି ରଖିଥିଲେ ଯାହା ପରବର୍ତ୍ତୀ ସମୟରେ ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବ ଆଣି ‘ନବକଳେବର’ ଉତ୍ସବ ମାଧ୍ୟମରେ ଶ୍ରୀମନ୍ଦିରରେ ସ୍ଥାପନା କଲେ । ଏହା ‘ମାଦଳା ପାଞ୍ଜୀ’ରେ ଉଲ୍ଲିଖିତ । ଭାଗବତର ସେହି ବାଣୀ ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେହେଁ ମରଇ’ ବାସ୍ତବରେ ଶ୍ରୀଜଗନ୍ନାଥଙ୍କ କଥା ହିଁ ମନେପଡ଼େ । ଜୀବନ ଓ ମୃତ୍ୟୁର ବନ୍ଧନୀ ଭିତରେ ଜଣେ ସଜୀବ ଝୁଲି ରହିଲ ଭଳି ଗୀତାର ସେଇ ମର୍ମବାଣୀ “ଜାତସ୍ୟହି ଧ୍ରୁବୋ ମୃତ୍ୟୁ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ କଥା ହିଁ ସୂଚେଇ ଦିଏ ଶ୍ରୀ ପୁରୁଷୋତ୍ତମଙ୍କ କଳେବର ଅବସାନ ଓ ନବକଲେବରକୁ” ।

ମୃତ୍ୟୁଜନିତ ଶୁଦ୍ଧିକ୍ରିୟା ଯାହା ଦୟିତାପତିମାନେ ଅନୁପାଳନ କରନ୍ତି ତଥା ଶ୍ରୀମନ୍ଦିରସ୍ଥିତ ‘କୋଇଲି ବୈକୁଣ୍ଠ’ ଯେଉଁଠି ଶ୍ରୀଜୀଉମାନେ ଗୋପନୀୟ ଭାବେ ଚିର ବିଶ୍ରାମ ନିଅନ୍ତି ଏହା ବହୁ ଶତାବ୍ଦୀ ବ୍ୟାପୀ ଲମ୍ବି ଆସିଥିବା ଏକ ବିଦଗ୍ଧ ଦର୍ଶନ ଯାହା ଓଡ଼ିଆ ମନ ପ୍ରାଣକୁ ଏବେବି ରୁଦ୍ଧିମନ୍ତ କରୁଛି ।

ଶ୍ରୀଜଗନ୍ନାଥ ସମ୍ପର୍କିତ ନବକଳେବରର ରୁପରେଖ ସାମ୍ପ୍ରତିକ ଓଡ଼ିଆ କବିତାରେ ଚିହ୍ନିତ କରିବା ପୂର୍ବରୁ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଏହାରି ପ୍ରଭାବକୁ ଆବିଷ୍କାର କଲେ ବୋଧହୁଏ ଏ ଆଲୋଚନା ଆପ୍ରାସଙ୍ଗିକତା ଆଡକୁ ମୁହେଁଇବ ନାହିଁ । କାରଣ ଅତୀତକୁ ନେଇ ବର୍ତ୍ତମାନ । ‘ଓଡ଼ିଆ ମହାଭାରତ’ରେ ରଚୟିତା ଶାରଳା ଦାସ ଏକଦା ଲେଖିଥିଲେ-

ଦେଖିଲେକ କଂଚାଦାରୁ ତିନି ଯେ ମୂରତି

ଶୁକଳ କୃଷ୍ଣ କୁଙ୍କୁମ ଦିଶଇ ତାଙ୍କ ଜ୍ୟୋତି

ପରବର୍ତ୍ତୀ ପର୍ଯ୍ୟାୟରେ ଅତିବଡୀ ଜଗନ୍ନାଥ ଦାସ ଭାଗବତର ଦଶମ ସ୍କନ୍ଦ ତିନି ଅଧ୍ୟାୟରେ ଉଚ୍ଚାରିଛନ୍ତି :

ଏମନ୍ତ ବୃକ୍ଷ ରୂପ ହୋଇ

 

ଭାରା ନିବାରି ରଖ ମହୀ

 

ଜଗତ ତୋର ତହୁଁ ଯାତ

 

ସୃଷ୍ଟିପାଳକ ଜଗନ୍ନାଥ

ଜଗନ୍ନାଥଙ୍କ ଉପରେକ୍ତ ବୃତ୍ତର ଛନ୍ଦାଶ୍ରିତ ହୋଇ ନବାକ୍ଷରୀ ଢଙ୍ଗରେ ୧୮୬୭ ମସିହାରେ ମୁକୁନ୍ଦ ଦାସ ଶ୍ରୀ ଜୀଉମାନଙ୍କ ନବ କଳେବର ଉପରେ ବିଷଦ ବର୍ଣ୍ଣନା କରିଛନ୍ତି । ଯଥା-:

ଜାଣନ୍ତି ସର୍ବ ହିନ୍ଦୁଗଣ ନୂଆ କଳେବର ନିର୍ମାଣ

 

ପ୍ରତି ବାର ବର୍ଷରେ ଥରେ ହୁଅଇ ଏହା ଶ୍ରୀକ୍ଷେତ୍ରରେ

 

ପୂର୍ବ ନିର୍ମିତ ଜଗନ୍ନାଥ ହେବାରୁ ପୁରୁଣା ଅତ୍ୟନ୍ତ

 

ହେବାରୁ ପୁରୁଣା ପୋକରା ଗଢ଼ନ୍ତି ନୂଆ ପୂର୍ବ ପରା

 

ବଣରୁ ନିମ୍ବ କାଠ ଆଣି ପୂର୍ବର ପ୍ରାୟେ ତାକୁ ହାଣି

 

ଗଢନ୍ତି ନୂଆ ଜଗନ୍ନାଥ ଆକାର ପୂର୍ବ ରୀତିମତ

 

ପୁରୁଣା ଜଗନ୍ନାଥ ଦେହୁଁ ଶାଳଗ୍ରାମକୁ କାଢ଼ି ତହୁଁ

 

ପୁରୁଣା ପକାଇ ଦିଅନ୍ତି ନୂଆକୁ ଦେଉଳେ ବସାନ୍ତି

ନବକଳେବରଜନିତ ଭାବାବେଗ ଅନେକ ଓଡ଼ିଆ କବିଙ୍କୁ କବିତା ମାଧ୍ୟମରେ ତା’ରି ମର୍ମଭେଦ ପାଇଁ ପ୍ରୋତ୍ସାହନ ଯୋଗେଇଛି । ସେମାନଙ୍କ ମଧ୍ୟରୁ ଅନେକେ ଶ୍ରୀଜଗନ୍ନାଥଙ୍କ ଉପାସନା ପଦ୍ଧତିରେ ବିହ୍ୱଳିତ । ‘ହୃଦ-ବିହାରୀ’, ‘ପରାଣମିତ’ ସମ୍ବୋଧନରେ ନିଜ କବିତାକୁ ସମୃଦ୍ଧ କରିଥିବା କବି ଶ୍ରୀତ୍ରିଭୁବନାନନ୍ଦ ପରମହଂସ ଛନ୍ଦାୟିତ ଆବେଗରେ ଉଚ୍ଚାରିଛନ୍ତି:

ପ୍ରଣତି ଦୟାନିଧି ହୃଦ-ବିହାରୀ

 

ନିତି ପ୍ରତି କରୁଛି ପଡେ ଗୁହାରି

 

ହେ ରଙ୍କୁଣୀ ନିଧି !

 

ତୁମ୍ଭ ଇଚ୍ଛାରୁ ବଳି ଅଛି କି ବିଧି

ସଦା ହୃଦୟରେ ବିହାର କରିଥିବା ଦୟାନିଧି ଅର୍ଥାତ୍ ଶ୍ରୀଜଗନ୍ନାଥଙ୍କ ଇଚ୍ଛାଠୁ ବଳି ଯେମିତି ଏ ସଂସାରରେ ଆଉ କୌଣସି ବିଧି ନାହିଁ , ଯାହା କବିଙ୍କ ସକାଶେ ବରଣୀୟ । ଆଉ କେଉଠି କବି ଚିତ୍ତ ପକ୍ଷୀଟିଏ ସାଜି ଉଡ଼ିଯିବାକୁ ବସିଛି ଜଗନ୍ନାଥଙ୍କ ଭଳି ଲାଗୁଥିବା ବିସ୍ତାରିତ ଆ

ମୁଁ ଅଧମ କିଛି ସତେ ବୁଝି ପାରେ ନାହିଁ

 

ତୁମେ ଲାଗ ଅସୀମ ଆକାଶଟିଏ

 

ମୋ କଳା କହ୍ନେଇ

ମୁଁ ଯେମିତି କେଉଁ ଏକ

 

ମୋହିତ ବିହଂଗ

 

ଉଡୁଅଛି ସେ ଆକାଶେ

 

ତେଜ୍ୟା କରି ସବୁ ଭବରଙ୍ଗ

କବୀ ସୁଚେତା ମିଶ୍ର କିନ୍ତୁ ନିଜ ଜୀବନର ନିଃସହାୟତାକୁ ସ୍ୱୀକାରି ନେଇଛନ୍ତି ପରୋକ୍ଷରେ । ଶୂନ୍ୟତାରୁ ଆସି ପୁଣି ଶୂନ୍ୟତାରେ ନିଶ୍ଚିହ୍ନ ହେବାକୁ ଥିବାଭଳି ତାଙ୍କ କବ୍ୟିକ ବୈରାଗ୍ୟ । ଏଠି ‘ତମ’ ନିର୍ବାଣର ଅନ୍ତିମ ପଥ, ନିଷ୍କୃତିର ଶେଷ ସୀମାନ୍ତ । ବର୍ଣ୍ଣନାର ଚମତ୍କାରିତାରେ କବିତାର ପଂକ୍ତି ସବୁ ଝଲମଲ । ଯଥା : “ନିର୍ଲିପ୍ତ ଶିଖା ଭଳି, ଦେହର ଚକିତ ଚନ୍ଦ୍ରୋଦୟ, ଆତ୍ମାର ଅନ୍ଧକାର ବିଷାଦ ବଦଳରେ କେଉଁ ଦିବ୍ୟ ବୃକ୍ଷ ଦେହରେ ମତେ ଶଙ୍ଖ-ଚକ୍ର ଚିହ୍ନ କରିଥାନ୍ତ”

ପୁନଶ୍ଚ :

ପବନ ଭଳି କୋମଳ ଓ ଆଦୃଶ୍ୟ

 

ତମ ଅନୁରକ୍ତିକୁ ଆଶ୍ରା କରି ଜୀଉଁଥିବା ବେଳେ

 

ଦିନେ ହୁଏତ ମୋ ପାଖରେ

 

ଆଉ କିଛି ନଥିବ

 

ପାପ ବା ପ୍ରେମ କରିବା ଲାଗି ସାମର୍ଥ୍ୟ ନଥିବ

 

ମୁକ୍ତି କି ବରଦାନ ମାଗିବାର ଶକ୍ତି ନଥିବ

(ନବକଳେବର)

 

କବୀ ସରୋଜିନୀ ଷଡ଼ଙ୍ଗୀ କିନ୍ତୁ ସାଧାରଣ ଚିନ୍ତା ଓ ଚେତନାର ବଶବର୍ତ୍ତୀ ହେବାକୁ ଚାହିଁଛନ୍ତି, ପୁଣି ଚାହିଁ ନାହାନ୍ତି । ‘ସହସ୍ର ହୀରାର ଫୁଲେ ପଲ୍ଲବିତ ସଂଚରିତ ତୋ ସାରା ଶରୀର ତୋ’ର ନବକଳେବର ?’ କହିବାରେ ସିଏ ତାଙ୍କ ଦୃଶ୍ୟପଟକୁ ବିହ୍ୱଳିତ ଦୃଷ୍ଟିରେ ଅନେଇବାର କାରଣ ସୁସ୍ପଷ୍ଟ । କିନ୍ତୁ ଏଇ ଚମତ୍କୃତ ଦୃଶ୍ୟାବଳୀ ତାଙ୍କ ପାଇଁ କ୍ଷଣପ୍ରଭା ଭଳି ଅଚାନକ ଦେଖାଦେଇ ପୁଣି କେଉଁଠିକି ଉଭେଇ ଯାଇଛି । ପର ମୁହୂର୍ତ୍ତରେ ଦୁର୍ବାର କ୍ଷୋଭ ବାରମ୍ବାର ଉଙ୍କି ମାରିଛି ମନ ଭିତରେ । ଯଥା :

ଯଦି ତୋ’ କମଳ ଆଖି

 

ଅହରହ ଦେଖି ଦେଖି

 

ଦୀନ ହୀନ ଦରିଦ୍ର ବ୍ୟଥା

 

ରହିଲା ମଉନ ?

 

ଯଦି ତୋ ଶ୍ରୀକର୍ଣ୍ଣ ଦୁଇ

 

ଅପରର କ୍ଲେଶ ଶୁଣି

 

ରହିଲା ବଧୀର

ତୋ ଦୁଇ ମହାବାହୁର

 

ଅମାପ ପାରିଲା ପଣ

 

ଅପରର କଷ୍ଟ ଦେଖି

 

ରହିଲା ନୀରବ ?

 

ଯଦି ଏ ଆତ୍ମାର କେବେ

 

ମୃତ୍ୟୁ ନାହିଁ, କ୍ଷୟ ନାହିଁ

 

କ୍ଷୟାନ୍ତର ନାହିଁ

 

ତେବେ କହ ଜଗନ୍ନାଥ

 

ଏ ମୁଗ୍ଧ ନୂତନ ବେଶ

 

ଏ କି ପ୍ରବଂଚନା

 

ତୋ ନୀଳ ତନୁର

(ରୂପାନ୍ତର)

 

ଏସବୁ ବର୍ଣ୍ଣନାଶୈଳୀ ଭାବ ପ୍ରବଣତା, ଅଲୌକିକତାର ସ୍ୱେଚ୍ଛାକୃତି ଏବଂ ନିଜେ ଅନୁଭବଥିବାର ବିଷୟାସକ୍ତ ଦୃଷ୍ଟି କବିତାମାନଙ୍କୁ ମୁଖ୍ୟତଃ କଳ୍ପନାର ଆତିଶଯ୍ୟକୁ ଘେନି ଯିବାକୁ ସମର୍ଥ ହେଉଛି । ପାଠକ ପାଠିକା ଏଥିରେ ବୈଜ୍ଞାନିକ ଅନ୍ତର୍ଧ୍ୱନିକୁ ଶୁଣିବା ପରିବର୍ତ୍ତେ ମାନସିକ ଅନୁରାଗର ଖୋଲାପଣକୁ ସାଉଁଟିବାର ସମ୍ଭାବନ ଯଥେଷ୍ଟ ବେଶୀ । କବି ବଳରାମ ଦାସ ‘ନିଃସଙ୍ଗ ନାଉରୀ’ରେ ଏଇଭଳି ଏକ ଶକ୍ତିର ସୂତ୍ରକୁ ଠଉରେଇବାରେ ସମର୍ଥ ହେଇଛନ୍ତି ଶ୍ରୀଜଗନ୍ନାଥଙ୍କ ଠାରେ । ଯଥା:

କିଏ ଜାଣେ କେତେବେଳେ

 

ଚତୁର୍ଦ୍ଦଶ ଭୁବନରେ

 

ଦିନ ଆଉ ରାତି ଜମା ହେବନାହିଁ ବାରି

 

ତମେ ତା’ର ମଙ୍ଗ ଧରି ବସିଥିବ, ଚିରକାଳ

 

ନିଃସଙ୍ଗ ନାଉରୀ

କବି ଉମାକାନ୍ତ ମହାପାତ୍ର ତାଙ୍କ କବିତା ‘ଆଶ୍ଚର୍ଯ୍ୟ ଇସାରା’ରେ ଏଭଳି ଭାବେ ଆପଣେଇଛନ୍ତି ଉପାସନାର ଚିର ଜାଜୁଲ୍ୟମାନ ମୂଲ୍ୟବୋଧକୁ । ଶୟନେ, ସ୍ୱପନେ ଜାଗରଣେ ସେ ଯେଉଁ ଭାବମୂର୍ତ୍ତିକୁ ଆକଳନ କରୁଛନ୍ତି, ସେ ଆଉ ଅନ୍ୟ କେହି ନୁହନ୍ତି, ସ୍ୱୟଂ ଶ୍ରୀଜୀଉ । ଯଥା:

ନିଦରେ ନିଦରେ ଦେଖେ

 

ତୁମକୁ ମୁଁ

 

ନିଶ୍ଚିନ୍ତ ନିଦରେ ଥାଅ

 

ନୀଳ-ନଅରରେ

 

କେଉଁଠି ବା ନାହଁ ତୁମେ

 

ଅକ୍ଷରରେ, ଅଣାକ୍ଷରେ

 

ଆକାଶ-ପୃଥ୍ୱୀରେ

 

ଆଲୋକ ଓ ଗହନ ଅନ୍ଧାରେ

ନବକଳେବର ସମୟ ସୀମା, ଆଦ୍ୟ ଆଷାଢ଼ର ବାରିପାତ, ବଂଚିବାର ଆଶା ଓ ସ୍ୱପ୍ନକୁ ବହୁଗୁଣିତ କରି ଆସୁଥିବାର ପରମ ମୁହୂର୍ତ୍ତ ସମ୍ପର୍କରେ କବି ବେଶ୍ ସଚେତନ । ବିହ୍ୱଳତାର ବଡ଼ଦାଣ୍ଡରେ ଛିଡା ହୋଇ ସିଏ ପରମ ଅନୁଭବୀ ଭଳି କହିପାରେ, ‘ସେ ଯେଉଁ ସ୍ୱାଦ, ଯାହା ବିନା ସବୁ ଖାଦ୍ୟ ନୀରସ ଓ ଶୁଷ୍କ ଲାଗେ’ । ପ୍ରତିଟି ମଣିଷ ପାଇଁ ଏଭଳି ଭାବନା ସ୍ପତଃସ୍ଫୁର୍ତ୍ତ ପୁଣି ଜଣଙ୍କୁ ଅନ୍ୟ ଜଣକର ସମ୍ପୂର୍ଣ୍ଣ ଭିନ୍ନ । କବି ରମେଶ ଚନ୍ଦ୍ର ମିଶ୍ରଙ୍କ ଭାବନାନୁଭୂତି ଇନ୍ଦ୍ରିୟଲବ୍ଧ, ଯାହା ପାଛୋଟି ନିଏ ଆଲୋକ ଓ ଅନ୍ଧାରର ଏକ ପ୍ରଚ୍ଛନ୍ନ ସମୀକରଣକୁ । ଯଥା :

ନିଦାଘର ଶେଷରେ, ଆଉ ବର୍ଷାର ଆଗମେ

 

ଆଲୋକ ଓ ଅନ୍ଧାରର

 

ଲୁଚକାଳି ଖେଳ ମଧ୍ୟେ

 

କିଏ ସେ ଚରିତ୍ର ଠିଆ ହୋଇ

 

ମୁରୁକି ମୁରୁକି ହସେ,

 

ମିଳନର ଚରମ ମୁହୂର୍ତ୍ତ ଆଉ

 

ପ୍ରସବର ଆର୍ତ୍ତନାଦ ମଧ୍ୟେ

 

କିଏ ସେହି ମାତୃଗର୍ଭେ

 

କଡ଼ ଲେଉଟାଏ

(ଜଗନ୍ନାଥ)

 

ନିଜର ଜୀର୍ଣ୍ଣ ଦେହ ଛାଡ଼ି ନୂତନ ଦେହରେ ଆବିର୍ଭାବ ହେବା କଳା ଠାକୁରଙ୍କ ଶାଶ୍ୱତ ଲୀଳା । ଏହାକୁ ସ୍ୱୀକାରି ନେଇ ଭକ୍ତ କଲମ ଧରେ କବି ରୂପରେ । ଭାବ ବିନୋଦର କୁରୁଳା ମନ ଓ ବିବେକ ମଧ୍ୟରେ ସନ୍ଧି ସ୍ଥାପନ କରି ସେ ଅନାଏ ଆଗକୁ । ରଥର ସାମନା ସାମାନି ଥିବା ତାରି ସର୍ବୋଚ୍ଚ ସ୍ୱାମୀଙ୍କୁ । କବି ସୋମନାଥ ଖୁଣ୍ଟିଆଙ୍କ କବିତାରେ :

ବିଜେ ନବକଳେବରେ ଭକ୍ତ ଦର୍ଶନ ଅଧୀରେ

 

ବଡ଼ ଦାଣ୍ଡେ ଭତ୍ତା ହୋଇଛି ତିନିରଥ

 

ରଥପଥ ସବୁ ଏକ ହଜେ ହୃଦୟ ବିବେକ

 

ନୀଳଗିରି ସିଂହ ପ୍ରଭୁ ହେ ଜଗନ୍ନାଥ !

 

ଆଲଟ ଚାମର ପଡୁଛି

 

ପହଣ୍ଡରେ ଆସ ସ୍ୱାମୀ ! ଭକ୍ତ ଡାକୁଛି

(ଶ୍ରୀ ଜଗନ୍ନାଥ ଶ୍ରୀଚରଣେ)

 

କବିତାର ଶବ୍ଦାବଳୀ ଭକ୍ତିର ଚୌହାଦି ମଧ୍ୟରେ କେଉଁଭଳି ଛନ୍ଦି ହୋଇଯାଏ, ତନ୍ମୟ ଚିତ୍ତରେ ଜଣେ ଅନିୟଂତ୍ରିତ ଆବେଗକୁ ସାଥିରେ ନେଇ ତା’ରି ବ୍ୟାକୁଳ ଭାବନା ଯୋଗୁ କେମିତି ଦୋଳାୟିତ ମନ ଓ ନେତ୍ରକୁ ଥାପୁଡ଼ାଉଥାଏ ତା’ରି ପ୍ରମାଣ ଏଇ ଛାନ୍ଦସିକ ପ୍ରୟାସ ସମୂହ । ବିଷର୍ଣ୍ଣ ନ ରହି ପ୍ରସନ୍ନ ହେବା, ଦୁଃଖିତ ନ ହେଇ ଆନନ୍ଦିତ ହେବା, ରାଗିଲା ମନକୁ ଏଣେତେଣେ ପ୍ରସନ୍ନ କରିବା, ଏଇ ସବୁ ମୁକ୍ତିର ପରିପୂର୍ଣ୍ଣତା । ଏଇ ଲୀଳା ପ୍ରବାହର ଅଂଶୀଭୂତ ହେବାକୁ କିଏ ନ ଚାହେଁ-?

 

ପଞ୍ଚସଖା ସାହିତ୍ୟରେ ଦାରୁ ଦେବତା ପ୍ରସଙ୍ଗ

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡିଆ ଜାତୀୟ ଜୀବନ ଗଢ଼ିଉଠିଛି । ଶ୍ରୀଜଗନ୍ନାଥ ଉତ୍କଳୀୟ ଭାବଚେତନାର ପ୍ରତିଭୂ । ଶ୍ରୀଜଗନ୍ନାଥ ସଂସ୍କୃତିକୁ ସହଜରେ ବୁଝିହୋଇଯାଏ, ପୁଣି ବୁଝି ହୁଏନାହିଁ । ସତରେ, ଶ୍ରୀଜଗନ୍ନାଥ ହେଉଛନ୍ତି ବିସ୍ମୟ । ସର୍ବଧର୍ମ ସମନ୍ୱୟର ତତ୍ତ୍ୱ ହେଉଛନ୍ତି ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ପୁଣି ଶବର ଦେବତା । ଯୁଗ ଯୁଗ ଧରି ଶ୍ରୀଜଗନ୍ନାଥଙ୍କୁ ନେଇ କେତେ ଇତିହାସ, କେତେ କାହାଣୀ ସୃଷ୍ଟି ହୋଇଛି, ତାହା ଏବେ ବି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଶ୍ରୀଜଗନ୍ନାଥଙ୍କୁ ଦାରୁଦେବତା ବୋଲି ଆମେ ଗ୍ରହଣ କରିଛୁ । କାରଣ, ଦାରୁ ଶବ୍ଦର ଅର୍ଥ ଦାରଣ କରିବା । ସେ ଭକ୍ତର ଦୁଃଖକୁ ଦାରଣ କରିବା ପାଇଁ ବା ବିନାଶ କରିବା ପାଇଁ ଆବିର୍ଭୁତ ହୋଇଛନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଦାରୁଦେବତା ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ବ୍ରହ୍ମ ପଦାର୍ଥ ଭାବରେ ପୂଜିତ । ‘ବ୍ରହ୍ମ’ ହେଉଛନ୍ତି ଆତ୍ମା । ଈଶ୍ୱର ବ୍ରହ୍ମ । ବ୍ରହ୍ମ ବାହ୍ୟତଃ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ବ୍ରହ୍ମ ବ୍ୟତୀତ ଶରୀର କୌଣସି ମୂଲ୍ୟ ନାହିଁ । ପରମାତ୍ମା ଅଦୃଶ୍ୟ । କିନ୍ତୁ ସେ ସବୁ ଉପଲବ୍ଧି କରିପାରନ୍ତି । ସେହି ପରମାତ୍ମାଙ୍କ ଅଂଶ ଆତ୍ମା ଶରୀରରେ ବିରାଜମାନ । ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱ ଐକ୍ୟର କଥା କହେ । ମାନବିକ ଚେତନାର ବାର୍ତ୍ତା ବହନ କରେ । ମଣିଷର ଜୟଗାନ ହେଉଛି ଜଗନ୍ନାଥ ସଂସ୍କୃତିର ମୂଳ ଦର୍ଶନ । ମଣିଷର ଅନ୍ତଃଚେତନାର ଭାବରୂପ ଶ୍ରୀଜଗନ୍ନାଥ ସଂସ୍କୃତିରେ ପରିସ୍ଫୁଟିତ । ମଣିଷକୁ ନେଇ ଧର୍ମ । ପ୍ରଥମେ ମଣିଷ, ପରେ ଧର୍ମ । ଧର୍ମ ସଂସ୍ଥାପନର ଲକ୍ଷ୍ୟ ହେଉଛି ସାମଗ୍ରିକ ମାନବ ଜଗତର କଲ୍ୟାଣ ସାଧନ ଓ ଜଗତ-ଜୀବନର ସ୍ୱୟଂସିଦ୍ଧି ଉନ୍ନତି । ସଂକୀର୍ଣ୍ଣ ଚିନ୍ତା ଧର୍ମର ବିରୋଧୀ । ବ୍ୟାପକତା ହିଁ ଧର୍ମର ମୂଳ ପିଣ୍ଡ । ସାର୍ବଜନୀନ ଚିନ୍ତା ଓ ବାର୍ତ୍ତା ଧର୍ମର ଦୃଷ୍ଟି ଓ ଦର୍ଶନ । ଏହି ସମସ୍ତ ତଥ୍ୟ-ତତ୍ତ୍ୱର ସମ୍ମିଳିତ ରୂପ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି । ସାଂସାରିକ ସୁଖ ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତିରେ ରହିଛି ପଥ ଓ ମତ । ତେଣୁ ଶ୍ରୀଜଗନ୍ନାଥ ଦେବତା, ମହାଦେବତା, ଈଶ୍ୱର ଓ ମହାଈଶ୍ବର । ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ସମଗ୍ର ବିଶ୍ୱ ଐକ୍ୟର ପ୍ରତିନିଧି । ଶ୍ରୀଜଗନ୍ନାଥ ବିଧିବିଧାନ ମାନବିକ ଜୀବନଚର୍ଯ୍ୟା ସହ ସମନ୍ଧାନ୍ୱିତ । ‘ଶ୍ରୀମଦ୍ ଭାଗବତ’ ଗ୍ରନ୍ଥରେ କୁହାଯାଇଛି-

“ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

 

ଦେବତା ହୋଇଲେ ମରଇ”

ଅର୍ଥାତ୍ ଜନ୍ମ ପରି ମୃତ୍ୟୁ ମଧ୍ୟ ଜଗତ ଲାଗି ଏକ ବାସ୍ତବ ସତ୍ୟ । ଜନ୍ମ ଜୀବନର ଶୁଭାରମ୍ଭ, ମୃତ୍ୟୁ ଅଧ୍ୟାୟର ପରିସମାପ୍ତି । ମୃତ୍ୟୁ ପରେ ପୁନର୍ଜନ୍ମରେ ମଧ୍ୟ ବିଶ୍ୱାସ ରହିଅଛି । ତେଣୁ ଜୀବନଚକ୍ରରେ ଜନ୍ମ ମୃତ୍ୟୁର ଆବର୍ତ୍ତନ ଏବଂ ପୁନର୍ଜନ୍ମର ସଂସ୍ଥାନ ସେହି କାରଣରୁ ଭାରତୀୟ ଆଧ୍ୟାତ୍ମ ଦର୍ଶନରେ ପ୍ରତିଫଳିତ । ସେଥିପାଇଁ ନୂତନ କଳେବର ଧାରଣର ବିଶ୍ୱାସ ରହିଅଛି । ଶ୍ରୀଜଗନ୍ନାଥ ଉଭୟ ନିର୍ଗୁଣ ଓ ସଗୁଣର ଉପାସିତ ଦେବତା । ତେଣୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଏହି ଦୃଷ୍ଟିରୁ ଜନ୍ମ-ମୃତ୍ୟୁ ଓ ନିର୍ଗୁଣ ସଗୁଣର ପ୍ରତୀକତା କରିଥାଏ ।

ଶ୍ରୀଜଗନ୍ନାଥଙ୍କ ପରମ୍ପରା, ଧର୍ମଧାରା, ରୀତିନୀତି ସହିତ ନବକଳେବର ସଂଯୁକ୍ତ ହୋଇଯାଇଛି କେଉଁ କାଳରୁ । ଏହାର ପ୍ରଭାବ ମଧ୍ୟ ଓଡ଼ିଶାର ଜାତୀୟ ଜୀବନକୁ ପ୍ରଭାବିତ କରିଛି-। ତେଣୁ ଓଡିଆ ସାହିତ୍ୟରେ ମଧ୍ୟ ନବକଳେବର ପ୍ରସଙ୍ଗ ବିଭିନ୍ନ ସମୟରେ ଆତ୍ମପ୍ରକାଶ କରିଛି । ଓଡିଆ ସାହିତ୍ୟର ଉନ୍ମେଷ କାଳରୁ ଅଦ୍ୟାବଧି ପର୍ଯ୍ୟନ୍ତ ନବକଳେବର ବିଷୟକୁ ନେଇ ଓଡିଆ ସାହିତ୍ୟରେ ବହୁ ପ୍ରସଙ୍ଗ ଓ ଚର୍ଚ୍ଚା ପରିଦୃଷ୍ଟ ହୋଇଥାଏ । ପଞ୍ଚସଖା ସାହିତ୍ୟ ମଧ୍ୟ ନବକଳେବର ବିଷୟକୁ ନେଇ ମୁଖରିତ । ଶ୍ରୀଜଗନ୍ନାଥଙ୍କ କୃତିରେ ଯେପରି ନବକଳେବର କଥା ସୁସ୍ପଷ୍ଟ, ସେହିପରି ସନ୍ଥ ଅଚ୍ୟୁତାନନ୍ଦଙ୍କ ରଚନାରେ ନବକଳେବର କଥା ସୁସ୍ପଷ୍ଟ, ସେହିପରି ସନ୍ଥ ଅଚ୍ୟୁତାନନ୍ଦଙ୍କ ରଚନାରେ ନବକଳେବର ବିଷୟ ମଧ୍ୟ ଉତ୍ଥାପିତ । ସାରଳା ମହାଭାରତର ‘ମୂଷଳୀ ପର୍ବ’ରେ ଶ୍ରୀକୃଷ୍ଣଙ୍କ ପିଣ୍ଡ ପ୍ରସଙ୍ଗ, ଜରାଶବରକୁ ସ୍ୱପ୍ନ, ବିଶ୍ୱକର୍ମାଙ୍କ ମୂର୍ତ୍ତି ଗଠନ ଏବଂ ଅପୂର୍ଣ୍ଣ ତ୍ରୟମୂର୍ତ୍ତି କଥା ବର୍ଣ୍ଣିତ-

“ଏ ସମୟେ ପ୍ରବେଶିଲେ ପ୍ରଭୁ ଚକ୍ରଧର

 

ଦେବଗଣଙ୍କ ମଧ୍ୟରେ ଯାଇଣ ବସିଲେ

 

ସମସ୍ତଙ୍କୁ ଚାହିଁ ପ୍ରଭୁ ଏମନ୍ତ କହିଲେ

ଯାଉଅଛୁ ଆଜ ଆମ୍ଭେ ଶ୍ରୀନୀଳକନ୍ଦରେ

 

ପୂଜା ଘେନିବୁ ସେଠାରେ ଏ କଳି ଯୁଗରେ

ଈଶ୍ୱର ବୋଇଲେ ମୁହିଁ ତୁମ୍ଭ ସଙ୍ଗେ ଯିବି

 

ବଳଭଦ୍ର ରୂପରେ ମୁଁ ପୂଜାକୁ ପାଇବି

 

ବ୍ରହ୍ମା ବୋଇଲେ ମୁଁ କିମ୍ପା ରହିଥିବି ଏକ

 

ତୁମ୍ଭେ ଗଲେ ରହି ମୁହିଁ ଲଭିବି କି ସୁଖ”

(ମୂଷଳୀ ପର୍ବ)

 

ପଞ୍ଚସଖା ଯୁଗର କବିମାନଙ୍କ କୃତିରେ ଘଟ ପରିବର୍ତ୍ତନ, ବିଗ୍ରହ ନିର୍ମାଣ, ଦାରୁ ବିଷୟ ବର୍ଣ୍ଣିତ । ଅଚ୍ୟୁତାନନ୍ଦଙ୍କ ‘ଶୂନ୍ୟସଂହିତା’ରେ ଜଗନ୍ନାଥଙ୍କ ଗୁରୁତ୍ୱ ଲାଭ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ମହିମା ପ୍ରକଟନ କରିବା ସହିତ ଜଗନ୍ନାଥଙ୍କ ବିଭିନ୍ନ ପ୍ରସଙ୍ଗକୁ ସେ ଉଲ୍ଲେଖ କରିଅଛନ୍ତି । ଏଥିରେ ଜଗନ୍ନାଥଙ୍କୁ ସେ ଶୂନ୍ୟ ପୁରୁଷ ଓ ଶୂନ୍ୟବାଦୀ ବୋଲି କହିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ସେ ନିତ୍ୟ ଗୋଲଖର ଶ୍ରୀକୃଷ୍ଣ ଭାବରେ ଆରାଧନା କରିଛନ୍ତି- କିନ୍ତୁ ସେ ମଧ୍ୟ ବର୍ଣ୍ଣନା କରିଛନ୍ତି, ଶ୍ରୀଜଗନ୍ନାଥଙ୍କ ଅବତାର ପ୍ରସଙ୍ଗ । ଶ୍ରୀଜଗନ୍ନାଥ ବିଭିନ୍ନ ଯୁଗରେ, ବିଭିନ୍ନ ସମୟରେ ପୂଜିତ ଓ ବନ୍ଦିତ । ତାଙ୍କ ଭାଷାରେ-

“ମୁହିଁ ଆଗେ ଯାଇ କଳିଯୁଗେ ରହି ଦାରୁବ୍ରହ୍ମେ ପୂଜା ହେବି

 

କୈବଲ୍ୟ ପସରା ନିରନ୍ତରେ ଜୂରକରି ଭୋଗ ବିଳସିବି

ଥିବ ମୋ ନିଯୋଗ ସେବାକାରୀ ସର୍ବ ତିନିସସ୍ର ନିଜ ଭକ୍ତ

 

ମାନସିକ ସେବା ଭୋଗ ବିଳସିବି ଦୁଷ୍ଟକୁ କରି ନିପାତ

ପତିତ ତାରିବି ମୋ ଭକ୍ତ ପାଳିବି ଭୋଗ ବିଳସିବି ମୁହିଁ

 

ପାଦ ପାଣି ଗୋପ୍ୟ ନକହିବି ବାକ୍ୟ ନିଶ୍ଚଳରେ ଥିବୁଂ ଧ୍ୟାଇ

ନିରାକାର ଆଦିମୂଳ ମୁଁ ଅଚଳ ସେବାରେ ଥିବି ନିଶ୍ଚଳେ

 

ତ୍ରାହିକର ତ୍ରାହିକର ଦେବ ବୋଲି ମୋ ଭକ୍ତ ଡାକିବେ ଭୋଳେ

(ଶୂନ୍ୟସଂହିତା, ପଞ୍ଚବିଂଶ ଅଧ୍ୟାୟ)

 

ଶ୍ରୀଅଚ୍ୟୁତାନନ୍ଦଙ୍କ ‘ଶୂନ୍ୟ ସଂହିତା’ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ଭାବଧାରରେ ପରିପୂର୍ଣ୍ଣ । ଦାରୁବ୍ରହ୍ମ ରୂପେ ସେ ପୂଜିତ ବା ବନ୍ଦିତ ହେବେ, ତାହା ସେହି ମହାପ୍ରହୁଙ୍କର ଇଚ୍ଛା । ଶ୍ରୀଅଚ୍ୟୁତାନନ୍ଦଙ୍କ ବର୍ଣ୍ଣନାରେ ଏହି ସତ୍ୟ ନିହିତ-

 

“କିଛିଦିନ ଆମ୍ଭେ ଦାରୁବ୍ରହ୍ମ ରୂପେ ଭୋଗ ବିଳସିବୁ ରହି

 

ଭକ୍ତମାନେ ମେଳି ହୋଇଣ ଆମ୍ଭକୁ ମଣୋହି ଦେବେ ଯୋଗାଇ

ତହୁଂ ଦୁଷ୍ଟବଳ ହୋଇବେ ପ୍ରବଳ ଭଗତଙ୍କୁ ଦେବେ କଷ୍ଟ

 

ଆକୁଳେ ବିପଦେ ସହିବେଟି ସେହି କ୍ରିୟା କର୍ମ ହେବ ନଷ୍ଟ”

(ପଞ୍ଚବିଂଶ ଅଧ୍ୟାୟ)

 

ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନ ଏହି ଚାରିମୂର୍ତ୍ତି ଭିନ୍ନ ରୂପ ଧରି ଶୋଭା ପାଉଛନ୍ତି । ସେମାନେ ସିଂହାସନରେ ଉପବିଷ୍ଟ ହୋଇ ପୂଜା ପାଉଅଛନ୍ତି । ମତ୍ସ୍ୟ, କଚ୍ଛପ, ବରାହ, ନରସିଂହ, ବାମନ, ପର୍ଶୁରାମ, ଶ୍ରୀରାମ, ବୁଦ୍ଧ, କଳକୀ ଅବତାର ପ୍ରଭୃତି ମହାପ୍ରଭୁଙ୍କ ଅବତାର । ଜଗନ୍ନାଥଙ୍କୁ ଭକ୍ତି ନୈବେଦ୍ୟ ବାଢ଼ି କବି ଅଚ୍ୟୁତାନନ୍ଦ ଲେଖିଛନ୍ତି ଯେ, ସ୍ୱୟଂ ଅନାଦି ଦାରୁ ରୂପରେ ଭତ୍ତା ହୋଇ ପୂଜା ପାଉଛନ୍ତି । ପଣ୍ଡା, ପଢ଼ିହାରୀ ତାଙ୍କର ସେବାକରି କୃତାର୍ଥ ମଣୁଛନ୍ତି ଶ୍ରୀମନ୍ଦିରରେ । କବିଙ୍କ ବର୍ଣ୍ଣନାରେ ଏହି ଦାରୁକଥା ସୂଚୀତ-

“ଜଗନ୍ନାଥ ବଳଭଦ୍ର ସୋଭଦ୍ରା ଯେ ସୁଦର୍ଶନ ରୂପ ଚାରି

 

ଚତୁର୍ଦ୍ଧା ମୂରତି ଏକ ଆତ୍ମା ଭିନ୍ନାଭିନ୍ନ ରୂପଛନ୍ତି ଧରି

ସିଂହାସନ ଘେନି ପଞ୍ଚୁ ଆତ୍ମା ସେହୁ ଭିନ୍ନାଭିନ୍ନ ପଞ୍ଚନାମ

 

ପଞ୍ଚଆତ୍ମା ପଞ୍ଚଭୂତରେ ପ୍ରକାଶ ନୀଳାଞ୍ଚଳେ ଦାରୁବ୍ରହ୍ମ

ମଚ୍ଛ କଚ୍ଛପ ବରାହ ନରସିଂଘ ବାମନ ପରଶୁରାମ

 

ଶ୍ରୀରାମ ହଳୀ ଯେ ବୁଧ କଳକୀ ନାମ ଅଟେ ଏ ଯେ ସର୍ବସମ

ଅବତାର ଯେତେ ଏହି ଜଗନ୍ନାଥ ଅଙ୍ଗରୁ କ୍ଷରି ମିଶନ୍ତି

 

ଲୀଳା ନିମନ୍ତେ ସେ ନୀଳାଦ୍ରି ନାୟକ ନିର୍ବିକାରେ ବସିଛନ୍ତି

ସାକ୍ଷାତ ଅନାଦି ଅଛି ସର୍ବେଭେଦି ଦାରୁ ରୂପରେ ପ୍ରକାଶ

 

ପଣ୍ଡା ପଢ଼ିହାରି ପଞ୍ଚୁପାଳକାଦି ଖଟନ୍ତି ନିରତେ ପାଶ”

(ଶୂନ୍ୟସଂହିତା, ଊନ୍ନବିଂଶ ଅଧ୍ୟାୟ)

 

ଶ୍ରୀଅଚ୍ୟୁତାନନ୍ଦଙ୍କ ହରିବଂଶ ହେଉଛି ଏକ ପ୍ରସିଦ୍ଧ ଗ୍ରନ୍ଥ । ଯେଉଁଥିରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କର ଜୀବନଚିତ୍ର ସୂଚୀତ ହୋଇଛି । ଏଥିରେ ମଧ୍ୟ ସ୍ଥାନପାଇଛି ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ । ‘ହରିବଂଶ’ର ସପ୍ତମ ଖଣ୍ଡରେ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ବିଷୟ ସୁନ୍ଦର ରୀତିରେ ଆଲୋଚିତ । ଅନ୍ୟ ପୁରାଣମାନଙ୍କରେ ଏହି ବର୍ଣ୍ଣନା ରହିଥିଲେ ମଧ୍ୟ ହରିବଂଶର ବର୍ଣ୍ଣନାରେ ରହିଛି ନୂତନତ୍ୱ । ଦ୍ୱାପର ଯୁଗର ଶେଷ ପର୍ଯ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ମର୍ତ୍ତ୍ୟଲୀଳା ସମାପ୍ତ କାଳରେ ଜରାଶବରର ଶରବିଦ୍ଧ ହେଲେ । ପାଣ୍ଡବମାନେ ଶରାଘାତରେ ନିହତ ଶ୍ରୀକୃଷ୍ଣଙ୍କ କଳେବରକୁ ସମୁଦ୍ରରେ ଭସାଇ ଦେଲେ । ଏହି କଳେବର ବାଙ୍କି ମୁହାଣରେ ଆସି ଲାଗିଲା । ଜରାଶବରର ପୁତ୍ର ବସୁ ସ୍ୱପ୍ନ ପ୍ରାପ୍ତ ହୋଇ ବାଙ୍କି ମୁହାଣରୁ ଲାଗିଥିବା ପ୍ରତିମାକୁ ଦେଖି ଆନନ୍ଦାଭିଭୂତ ହେଲା । ଶୂନ୍ୟବାଣୀ ଶୁଣି ବସୁ ସେହି ପ୍ରତିମାକୁ ଆଳ ବଟମୂଳେ ସ୍ଥାପନ କରି ପୂଜାର୍ଚ୍ଚନା କଲା । ଏହି କଥାକୁ ଗୁପ୍ତ ରଖିଥିଲା ଶବର । ଦିନେ ନିଜର ପତ୍ନୀକୁ ଶବର ସେହି ସମସ୍ତ ପ୍ରସଙ୍ଗ ଜଣାଇଦେଲା । ଏହାପରେ ଦିନେ ଶବର ଭୋଗ ଦେବା ସମୟରେ ପ୍ରଭୁ ତାହା ଗ୍ରହଣ କଲେନାହିଁ । ଶବର ଦୁଃଖରେ ଭାଙ୍ଗିପଡ଼ିଲା-। ମହାପ୍ରହୁ ତା’ ମନକଥା ଜାଣିପାରିଲେ । ଏହାପରେ ଶୂନ୍ୟବାଣୀ ହେଲା ଯେ, ପ୍ରଭୁଙ୍କର ଭୋଗଲାଗି ଇଚ୍ଛା ହୋଇଅଛି । ସେହିଦିନ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନ ପ୍ରାପ୍ତ ହେଲେ ଓ ସେ ନୀଳସୁନ୍ଦର ପର୍ବତରେ ଅପୋଡ଼ା ଭୂମିର ସନ୍ଧାନ ପାଇଲେ ଏବଂ ସେଠାରେ ପ୍ରାସାଦ ଓ ମନ୍ଦିର ନିର୍ମାଣ କଲେ । ବସୁ ଶବର ଯେଉଁ ପ୍ରତିମାକୁ ପୂଜା କରୁଥିଲା, ସେ ଅନ୍ତର୍ହିତ ହୋଇ ଚନ୍ଦନ କାଷ୍ଠରେ ଦାରୁମୂର୍ତ୍ତିରେ ରୂପାନ୍ତରିତ ହେଲେ । ଏହି ଦାରୁମୂର୍ତ୍ତି ବାଙ୍କି ମୁହାଣରେ ଯାଇ ଲାଗିଲେ । ସ୍ୱପ୍ନାଦେଶ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ ବାଙ୍କି ମୁହାଣରୁ ଦାରୁ ଆଣି ପ୍ରତିଷ୍ଠା କଲେ ଓ ଦାରୁକୁ ଚତୁର୍ଦ୍ଧାମୂର୍ତ୍ତିରେ ପରିଣତ କଲେ । ‘ହରିବଂଶ’ର ସପ୍ତମ ଖଣ୍ଡରେ ଏହି ବର୍ଣ୍ଣନା ବେଶ ଚମକପ୍ରଦ ଓ ଭକ୍ତିଭିତ୍ତିକ ।

ବୈଷ୍ଣବ କବି ଯଶୋବନ୍ତ ଦାସଙ୍କ ‘ପ୍ରେମଭକ୍ତି ବ୍ରହ୍ମଗୀତା’ରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅନେକ ବର୍ଣ୍ଣନା ରହିଛି । ପ୍ରସିଦ୍ଧ ଭକ୍ତକବି ଜଗନ୍ନାଥ ଦାସଙ୍କ- ‘ଦାରୁବ୍ରହ୍ମ ଗୀତା’ରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ କେତେକ ବିବରଣୀ ସ୍ଥାନ ପାଇଛି । ସେଥିରେ କୁହାଯାଇଛି ଯେ, ଶବରର ଶରାଘାତରେ ଶ୍ରୀକୃଷ୍ଣ ଶରୀର ତ୍ୟାଗ କରିଛନ୍ତି । ଏହି ସମ୍ବାଦରେ ବ୍ୟଥିତ ହୋଇ ପଞ୍ଚୁପାଣ୍ଡବ ଶ୍ରୀକୃଷ୍ଣଙ୍କ ପିଣ୍ଡ ଦାହ କରିବାକୁ ସ୍ଥିର କରିଅଛନ୍ତି ।

ପିଣ୍ଡ ଦାହର ସ୍ଥାନ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ସ୍ଥାନର ଚାରିଶହ କ୍ରୋଶ ଦୂରରେ ଥିବା ନୀଳଗିରି ନିକଟସ୍ଥ ସ୍ବର୍ଗଦ୍ବାରଠାରେ ସ୍ଥିର ହେଲା । ଚନ୍ଦନକାଠରେ ଏକ ଖଟ ନିର୍ମାଣ କରି ସେଥିରେ କୃଷ୍ଣଙ୍କୁ ଶୁଆଇ ପାଣ୍ଡବମାନେ ନୀଳଗିରିଠାରେ ପହଞ୍ଚିଲେ । ନୀଳ ସୁନ୍ଦର ଅରଣ୍ୟରୁ ଚନ୍ଦନକାଠ ସଂଗ୍ରହ କରି ସେଥିରେ କୃଷ୍ଣଙ୍କ ଶରୀରକୁ ରଖି ଅଗ୍ନି ସଂଯୋଗ କଲେ । ବିସ୍ମୟର କଥା, ଶ୍ରୀକୃଷ୍ଣ ଶରୀର ବା ପିଣ୍ଡ ଅଗ୍ନିରେ ଦଗ୍ଧ ହେଲାନାହିଁ । ଏପରିକି ତାଙ୍କ ଲୋମକୁ ମଧ୍ୟ ଅଗ୍ନି ସ୍ପର୍ଶ କରିଲା ନାହିଁ । ପାଞ୍ଚଦିନ ପାଞ୍ଚରାତ୍ର ଅନ୍ତ ହେବାପରେ ଦେଖାଦେଲା, ପାଦ-ପାଣି ବିନା ଅଛି ଦଗ୍ଧ ହେଲାନାହିଁ । ଶୂନ୍ୟରୁ ବାଣୀ ହେଲା- ଶ୍ରୀକୃଷ୍ଣଙ୍କପିଣ୍ଡ ଅଗ୍ନିରେ ଦଗ୍ଧ ହେବନାହିଁ । ଏହାକୁ ସମୁଦ୍ରରେ ଭସାଇ ଦିଅ । ସ୍ୱପ୍ନ ମତେ ପଞ୍ଚପାଣ୍ଡବ ପିଣ୍ଡଟିକୁ ସମୁଦ୍ରରେ ଭସାଇ ଦେଇ ଫେରିଆସିଲେ । ଶବର ବସୁ ଦିନେ ମୃଗୟା କରୁ କରୁ ବାଙ୍କି ମୁହାଣରେ ଏହି ପିଣ୍ଡଟିକୁ ଦେଖିଲା ଏବଂ ତାହାକୁ ଆଣି ରୋହିଣି କୁଣ୍ଡ ନିକଟସ୍ଥ ବଟମୂଳରେ ସ୍ଥାପନ କଲା । କନ୍ଦମୂଳ ପ୍ରଭୃତି ଭୋଗ ଲଗାଇ ପୂଜା ଉପାସନା କରୁଥାଏ । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ଦ୍ଦେଶରେ ବ୍ରାହ୍ମଣମମାନେ ବିଷ୍ଣୁ ଅନୁସନ୍ଧାନରେ ଯାଇଥିଲେ । ପୂର୍ବଦିଗକୁ ଯାଇଥିବା ବ୍ରାହ୍ମଣ ରାଜାଙ୍କୁ ଖବର ଦେଲେ ଯେ, ବଟବୃକ୍ଷ ମୂଳେ ଶବର ବିଷ୍ଣୁଙ୍କୁ ପୂଜା କରୁଅଛି । ରାଜା ଇନ୍ଦ୍ରଦ୍ୟୁମ୍ନ ସେଠାରେ ପହଞ୍ଚି ଦେଖିଲେଯେ, ସେ ସ୍ଥାନରେ ମୂର୍ତ୍ତି ନାହିଁ । ସେ ଚିନ୍ତିତ ଥିଲାବେଳେ ସ୍ୱପ୍ନବାଣୀ ହେଲା ଯେ, ବାଙ୍କି ମୁହାଣଠାରେ ଏକ ଦାରୁ ଭାସି ଆସିବ ଏବଂ ସେହି ଦାରୁକୁ ଆଣି ସେଥିରେ ମୂର୍ତ୍ତି ନିର୍ମାଣ କରି ପ୍ରତିଷ୍ଠା କର । ରାଜା ଦାରୁକୁ ପ୍ରାସାଦ ଭିତରେ ରଖିଲେ ଓ ଷୋହଳ ଦିନ ପରେ ଦେଖନ୍ତି ଯେ, ସେଠାରେ ଚତୁର୍ଦ୍ଧାମୂର୍ତ୍ତି ଶୋଭା ପାଉଛନ୍ତି । ଏପରି ବିବରଣୀ ଶ୍ରୀଜଗନ୍ନାଥଙ୍କ ମହିମାକୁ ପ୍ରକାଶ କରିବା ସହିତ ଭକ୍ତ–ଭଗବାନଙ୍କ ନିବିଡ଼ ସମ୍ପର୍କକୁ ପ୍ରମାଣିତ କରୁଛି । ଈଶ୍ୱର ଯେ ମଣିଷକୁ ବୁଝନ୍ତି, ତାହା ଏଥିରୁ ଅନୁମେୟ ।

ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ଏବେ ବି ଦାରୁବ୍ରହ୍ମ ରୂପରେ ପୂଜା ପାଉଛନ୍ତି ଏବଂ ପଞ୍ଚସଖା କବିମାନଙ୍କ ବର୍ଣ୍ଣିତ ଦାରୁପ୍ରସଙ୍ଗ ଏବେ ମଧ୍ୟ ଆଲୋଚିତ ହେଉଛି । ନବକଳେବର କଥା ଆଲୋଚନା ହେବାମାତ୍ରେ ଦାରୁ ନିର୍ଣ୍ଣୟଠାରୁ ଆରମ୍ଭ କରି ବିଗ୍ରହ ସ୍ଥାପନା ପର୍ଯ୍ୟନ୍ତ ବିଭିନ୍ନ ପୂଜା ବିଧିରେ ପଞ୍ଚସଖାଙ୍କ କାହାଣୀର ସତ୍ୟତା ଏବେବି ଉପଲବ୍ଧ । ଦାରୁରକ୍ଷଣ, ବନଯାଗ, ଦାରୁଛେଦନ, ଦାରୁଯାତ୍ରା ଓ ଦାରୁରେ ବିଗ୍ରହ ନିର୍ମାଣ ଏବଂ ପ୍ରତିଷ୍ଠା ପ୍ରଭୃତି ବିଧି ବିଧାନର ପଞ୍ଚସଖାଙ୍କ ବର୍ଣ୍ଣନାର ସତ୍ୟତାକୁ ଅନୁଭବ କରିହୁଏ । ନବକଳେବର, ଦରୁଦେବତା ପ୍ରସଙ୍ଗ, ଓଡିଶାର ଜାତୀୟ ଜୀବନର ଏକ ଉଲ୍ଲେଖଯୋଗ୍ୟ ବିଷୟ ଭାବରେ ଗୃହୀତ ହୋଇଛି । କାରଣ, ଶତାବ୍ଦୀ ଶତାବ୍ଦୀ ଧରି ଏହି ଚତୁର୍ଦ୍ଧାମୂର୍ତ୍ତି ଓଡ଼ିଆ ଜାତିକୁ ଦିଗ ନିର୍ଦ୍ଦେଶ କରିବା ସହିତ ତାଙ୍କ ଭାବଧାରାରେ ଉଦ୍ବୁଦ୍ଧ କରିଆସୁଛନ୍ତି ।

 

ନବକଳେବର ଘଟଣ ଅଘଟଣ ଓ ଶ୍ରୀଜଗନ୍ନାଥ

ପ୍ର: ପ୍ରଫୁଲ୍ଲ କୁମାର ମିଶ୍ର

ମଣିଷ ଜୀବନରେ ସୁଖ ଦୁଃଖ ଚକ୍ରବତ୍ ପରିବର୍ତ୍ତିତ ହେଉଥାନ୍ତି । ଦୁଃଖ ସମୟରେ ମଣିଷ ଭଗବାନଙ୍କୁ ନିନ୍ଦାକରେ ଓ ଗାଳିଦିଏ । ସୁଖ ସମୟରେ ତାଙ୍କୁ ଦୁଃସ୍ୱପ୍ନ ଭଳି ଭୁଲିଯାଏ । ସେମାନେ କ’ଣ ଜାଣନ୍ତି ଯେ, ଭଗବାନଙ୍କ ଦୁଃଖଥାଏ ବୋଲି । ସମଗ୍ର ବ୍ରହ୍ମାଣ୍ଡର କର୍ତ୍ତା ହୋଇ ସେ ଦେଖନ୍ତି ଯେ, ତାଙ୍କ ସୃଷ୍ଟିର ଉତ୍ତମ ଜୀବ ମଣିଷ ତାଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ବ୍ୟଞ୍ଜନ ନ ଖାଇ ଅନ୍ୟତ୍ର ତାର ମନ ବଳାଏ । ଭଗବାନଙ୍କ ପ୍ରଦର୍ଶିତ ମାର୍ଗ ତାକୁ ପିତା ଲଗେ । ତେଣୁ ସେ ସେଥିରେ ପ୍ରବୃତ୍ତ ନ ହେଲେଭଗବାନଙ୍କ ଦୁଃଖ ବଢେ । କାରଣ ସେ ଏକାଧାରରେ ମା ଓ ବାପା । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଓ ତାଙ୍କ ପ୍ରତିମାମାନଙ୍କୁ ନେଇ କେତେ ଯେ ସଂଘର୍ଷ ଓ ରୋମହର୍ଷକ ଘଟଣାମାନ ଘଟିଯାଇଛି ତାର ବିବରଣୀ ପାଠ କଲେ ଆଖିରେ ଲୁହ ରହେ ନାହିଁ । ଯେଉଁ ସେବକମାନଙ୍କୁ ସେମାନଙ୍କ ଲୋଭ, ତଥା କର୍କଷ ବ୍ୟବହାର ପାଇଁ ଆମେ ନିନ୍ଦାକରୁ ସେହିମାନେ ଜୀବନକୁ ବିପନ୍ନକରି ଦୁଃଖକଷ୍ଟ ସହି ପ୍ରଭୁଙ୍କୁ ରକ୍ଷା କରିବା ପାଇଁ କେତେ କ’ଣ ପାହାଡ଼ ଓ ନଈରେ ବୁଲି, ବାର ଦ୍ୱାର ଶୁଣ୍ଢି ପିଣ୍ଡା ହୋଇଛନ୍ତି ତାହା ଭାବିଲେ ଆଚମ୍ବିତ ଲାଗେ । ତେଣୁ ଆମ ଛାର ଜୀବନର ଦୁଃଖ ତା ଆଗରେ ଅତ୍ୟନ୍ତ ତୁଃଚ୍ଛ ଭଳି ବୋଧ ହୁଏ । ଦେବାଧିଦେବ ଘୋଡ଼ାପିଠିରେ, ଚଉଦୋଳରେ, ଶଗଡ଼ରେ ଓ ଡଙ୍ଗାରେ ଦଉଡି କ୍ଲାନ୍ତଶ୍ରାନ୍ତ ହୋଇଯାଇଛନ୍ତି । ତେଣୁ ତାଙ୍କର ଦରକାର ହୋଇପଡିଛି ନବକଳେବର । ତାର ଏକ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

୧.

୩୯୬ ରକ୍ତବାହୁ ମ୍ଲେଚ୍ଛର ଉତ୍ପାତରେ ୧୯୨ ବର୍ଷ ସୁବର୍ଣ୍ଣପୁର ଗୋପାଲୀ (ଗୋପାଳୀ) ଗାଁରେ ମହାପ୍ରଭୁ ପାତାଳୀ ହେଲେ । ଯଯାତୀ କେଶରୀ ତାଙ୍କୁ ସୁବର୍ଣ୍ଣପୁରରୁ ନେଇ ନବକଳେବର କରାଇଲେ । ନବକଳେବର ବିଶେଷାଙ୍କ ୨୦୧୫

୨.

୧୩୪୦ ଖ୍ରୀଷ୍ଟଅବ୍ଦ – ଗଙ୍ଗରାଜ ନରସିଂହ ତୃତୀୟଙ୍କ ସମୟରେ ବଙ୍ଗଳା ନବାବ ଇଲିଆସ ସାହାର ଆକ୍ରମଣରେ ଅଜଣା ଗୁପ୍ତସ୍ଥାନରେ ପ୍ରଭୁଙ୍କୁ ରଖିଲେ ।

୩.

୧୩୬୦ ଗଙ୍ଗନରପତି ଭାନୁଦେବ ତୃତୀୟଙ୍କ ଶାସନରେ ଦିଲ୍ଲୀବାଦସାହା ଫିରୋଜସାହ ତୋଗଲକ ଆକ୍ରମଣରେ ମୂର୍ତ୍ତିମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଥିଲେ ।

୪.

୧୫୦୯ ସୁର୍ଯ୍ୟବଂଶୀ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ବଙ୍ଗଳା ସୁଲତାନ ଆଲ୍ଲାଉଦ୍ଦୀନ ହୋସେନଶାହାଙ୍କ ସେନାପତି ଇସମାଇଲଗାଜୀର ଉତ୍ପାତରେ ମହାପ୍ରଭୁ ଚିଲିକା ଚଢେଇ ହଗା ପାହାଡ଼ରେ ପାତାଳୀ ହେଲେ ।

୫.

୧୫୬୮ – ଚାଲୁକ୍ୟ ବଂଶୀ ତେଲେଙ୍ଗା ମୁକୁନ୍ଦ ଦେବଙ୍କ ଶାସନରେ ବଙ୍ଗଳାର ଆଫଗାନ୍ ସୁଲତାନ୍ ସୁଲେମାନ କରାନୀର ସେନାପତି କଳାପାହାଡ଼ ଭେଦିଆଙ୍କ ଖବରରୁ ଅତ୍ୟନ୍ତ ଦୁର୍ଦାନ୍ତ ଭାବେ ଚିଲିକାରୁ ହାତୀ ଲଗାଇ ଟାଣି ନେଇ ନିଆଁ ଲଗାଇ ଗଙ୍ଗାରେ ଫୋପାଡି ଦିଅନ୍ତେ ବିଶର ମାହାନ୍ତି ମୃଦଙ୍ଗଭିତରେ ପୁରାଇ ବ୍ରହ୍ମପଦାର୍ଥକୁ କୁଜଙ୍ଗଗଡ଼କୁ ନେଇ ନିଜଘରେ ରଖିଲେ । ରାମଚନ୍ଦ୍ରଦେବ ଶ୍ରାବଣ ଶୁକ୍ଲ ନବମୀ ଜୁଲାଇ ୧୭, ୧୫୭୫ରେ ଅସମୟରେ ସେଠାରୁ ବ୍ରହ୍ମ ଆଣି ନବକଳେବର କରାଇଥିଲେ ।

୬.

୧୬୦୧ ଭୋଇ ବଂଶରାଜା ପୁରୁଷୋତ୍ତମଦେବଙ୍କ ଶାସନକାଳରେ ବଙ୍ଗଳା ସେନାପତି ମିର୍ଜାଖୁରମ୍ ଅତିଉତ୍ପାତ ଭିଆଇଲାରୁ କପିଳେଶ୍ୱରପୁର ଠାକୁରାଣୀ ମନ୍ଦିର ଦୋବନ୍ଧା ପେଣ୍ଠରେ ପ୍ରଭୁଙ୍କୁ ରଖାଇଲେ ।

୭.

୧୬୦୭ ସେହିରାଜା ସମୟରେ ସୁବେଦାର ହାସିମ୍ ଖାଁର ଆକ୍ରମଣରେ ଶ୍ରୀଜୀଉମାନଙ୍କୁ ଖୋର୍ଦ୍ଧାର ଗୋପାଳ ମନ୍ଦିରରେ ଓ ଜଙ୍କିଆରେ ଗୁପ୍ତରେ ରଖାଗଲା ।

୮.

୧୬୧୦ ଭୋଇ ବଂଶରାଜା ଗଜପତିପୁରୁଷୋତ୍ତମ ଦେବଙ୍କ ଅମଳରେ ପୁଣି ହାସିମଖାଁ ଅନୁଗାମୀ କେଶୋଦାସମାରୁ ସେନାମାନଙ୍କୁ ଛଦ୍ମବେଶରେ ଦେଉଳରେ ପୁରାଇ ରଥଉପରକୁ ନିଆଁହୁଳା ମାରି ରଥ ଜାଳିଦେଲା । ସେ ବର୍ଷ ଦାରୁ ଆଠମାସ ପାଇଁ ଗୁଣ୍ଡିଚାଘରେ ରହିଲେ ଓ ଚଉଦୋଳରେ ବଡଦେଉଳକୁ ଆସିଲେ ।

୯.

୧୬୧୧-୧୨ ଗଜପତି ପୁରୁଷୋତ୍ତମ ଦେବଙ୍କ ଅମଳରେ ପୁଣିଥରେ ତୋଡ଼ରମଲ୍ଲ ପୁଅ ଯବନ କଲ୍ୟାଣ ମଲ୍ଲଙ୍କ ଆକ୍ରମଣରେ ବର୍ଷେ ପାଇଁ ଚିଲିକା ମହୀଶାନାସୀ

 

ତା’ପରେ ଚକାନାସୀ ଓ ତା’ପରେ ଗୁରବାଇଗଡ଼ ପ୍ରଭୃତି ଯାଗାରେ ଶ୍ରୀବିଗ୍ରହମାନେ ଚାପରେ ବିଜେ କରିଥିଲେ ଲୋଟଣୀବରର ନିମ୍ନସ୍ଥାନରେ ରହିଲେ ।

୧୦.

ଜାହାଙ୍ଗିର ସୁବାଦାର ମକରମଖାଁ ଆକ୍ରମଣ କରନ୍ତେ, ଚିଲିକାର ଗୁରୁବାଇ, ସାଲିଆନଦୀ ମୁହାଁଣରେ ଗବପଦର ଗାଁକୁ ନେଇ ଓ ବାଙ୍କନିଧି ମନ୍ଦିର ମଣ୍ଡପ ଉପରେ ଅଧିଷ୍ଠିତ କରାଇଲେ ।

୧୧.

୧୬୨୧-୨୪ ମୀର୍ଜାଅହମଦବେଗ ଆକ୍ରମଣରେ ଅନ୍ଧାରୀଗତ ମୁଁହାଣକୁ ସ୍ଥାନାନ୍ତରିତ କରିଥିଲେ । ତା’ପରେ ତାଙ୍କୁ ନିଆଯାଇଥିଲା ଗତମାଣିତ୍ରୀକୁ –୧୬୨୫ରେ ନବକଳେବର ହୋଇଥିଲା ।

୧୨.

୧୬୪୫ରେ ଦିବ୍ୟସିଂହଦେବଙ୍କ ଶାସନରେ ମୀର୍ଜାମକ୍ସି ଶ୍ରୀମନ୍ଦିର ଧ୍ୱଂସ କରନ୍ତେ ୧୬୪୭ରେ ଗଜପତିନରସିଂହଦେବ ଖୋର୍ଦ୍ଧାରୁ ଦାରୁ ଆଣି ନବକଳେବର କଲେ ।

୧୩.

୧୬୪୬ ରେ ଖୋର୍ଦ୍ଧାରୁ ଗଜପତି ନରସିଂହଦେବ ଦାରୁ ଅଣାଇ ନବକଳେବର କରାଇଥିଲେ ।

୧୪.

୧୬୪୭ ରେ ଗଜପତି ନରସିଂହ ଦେବଙ୍କ ଅମଳରେ ଅମୀର ଫତେଖାଁ ଆକ୍ରମଣ କରିଥିଲେ ।

୧୫.

୧୬୬୫ ରେ ନବକଳେବର ଅନୁଷ୍ଠିତ ହୋଇଥିଲା ।

୧୬.

୧୬୮୪ ରେ ଗଜପତି ମୁକୁନ୍ଦଦେବ ଖଲିକୋର୍ଟରୁ ଦାରୁ ସଂଗ୍ରହ କରାଇଥିଲେ ।

୧୭.

୧୬୯୮ ସେତେବେଳେ ଶ୍ରୀଜୀଉ ବଡ଼ହନ୍ତୁଆଡ଼ ଗ୍ରାମରେ ଥିଲେ । ଗଜପତି ଦିବ୍ୟସିଂହ ଦେବଙ୍କ କାଳରେ ଶ୍ରୀଜୀଉମାନଙ୍କୁ ପୁରୀ ଫେରାଇ ଆଣି ଶ୍ରୀଅଙ୍ଗ ଫିଟା ବିଧି ଅନୁଷ୍ଠିତ ହୋଇଥିଲା । ନାୟବ ନାଜିମ ଏକ୍ରାମ ପୁରୀରୁ ପ୍ରତ୍ୟାବର୍ତ୍ତନ କଲା ପରେ ନବକଳେବର ବିଧି ବିଧାନ ଅନୁଷ୍ଠିତ ହୋଇଥିଲା ।

୧୮.

୧୬୯୨-୯୮ ସେହି ରାଜାଙ୍କ ଅମଳରେ ଏକରାମ ଓ ମସ୍ତରାମଖାଁ ଆକ୍ରମଣ ସମୟରେ ବିମଳାଙ୍କ ପଛପଟେ ଜଗନ୍ନାଥଙ୍କୁ ରଖି ବଳଭଦ୍ର ସୁଭଦ୍ରାଙ୍କୁ ଗଡକୋକଲ ଭଗବତୀ ମନ୍ଦିରକୁ ନେଲେ ପରେ ଜଗନ୍ନାଥଙ୍କୁ ମଧ୍ୟ ସେହିଠାରେ ପହଞ୍ଚାଇ ଦେଲେ । କଟକ ରାଜବଂଶାବଳୀ ଅନୁସାରେ ବାଣପୁର ରାଜ୍ୟ ହନ୍ତୁ ଆଡ଼ ଗାଁକୁ ନେଲେ । ସେଠି ବିପଦଥିବା ଜାଣି କୋଦଳା ଆଠଗଡ଼ ଇଷ୍ଟେଟ୍ ମରଡ଼ାକୁ ନେଲେ ।

୧୯.

୧୬୬୦ ଶକ ସମ୍ବତ୍ ପୂର୍ବରୁ ଏହି ଘଟଣା ଘଟିଥିଲା । ୧୭୧୪ରେ ନବକଳେବର ହେଲା ।

୨୦.

୧୭୧୪ ରେ ଗଜପତି ଦିବ୍ୟସିଂହ ଦେବ କଟକ ଜିଲ୍ଲା ମଧୁପୁର ତୋଟାରୁ ଦାରୁ ସଂଗ୍ରହ କରି ନବକଳେବର କରିଥିଲେ ।

୨୧.

୧୭୨୭ ୧୭୩୪ ମହମ୍ମଦ ତକୀଖାଁ ନାଏବ ନାଜିମ ରହି ୧୭୩୧ ଓ ୧୭୩୪ ସାଲରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଶ୍ରୀବିଗ୍ରହମାନଙ୍କୁ ବିରୂପ କରିବା ନିମିତ୍ତ ମସୁଧା କରୁଥିଲା । ତେଣୁ ଶ୍ରୀଜୀଉଙ୍କୁ ଯଥାକ୍ରମେ ପ୍ରଥମେ ଚିଲିକାର କନକ ଶିଖରୀ କୁଳ, ତା’ପରେ ବାଣପୁର ନଈରିଗାଁ ଜରୀପୁର ମନ୍ଦିର ଏବଂ ଖଲିକୋଟସ୍ଥିତ ଚକାତିମିରି ପାହାଡ଼ ନିକଟସ୍ଥ ଚିଲିକାକୁ ସ୍ଥାନାନ୍ତର କରିଥିଲେ ।

ଏହିଭଳି ସ୍ଥାନାନ୍ତର ଯୋଗୁଁ ଶ୍ରୀବିଗ୍ରହମାନେ ଅବକ୍ଷୟ ଘଟିବାର ସୂଚନା ମିଳିବାରୁ ୧୭୩୦ ରେ ଗଜପତି ରାମଚନ୍ଦ୍ର ଦେବ(୨) ୧୭୩୩ ରେ ଗଜପତି ଭାଗିରଥୀ ଦେବଙ୍କ ସମୟରେ ନବକଳେବର ବିଧାନ ଘଟିଲା । ମତାନ୍ତରେ ବାଣପୁରର ହରିହର ମନ୍ଦିର ମଣ୍ଡପ ଚିଲିକା ନିକଟସ୍ତ ଭେଜିପୁଟ ପଥର (ଗୋଟିଏ ରାତି ପାଇଁ) କୋଦଳା, ପୋଲସରାର ମାରଦାଗ୍ରାମକୁ ଯାତ୍ରାକଲେ । ସେଠାରେ ଭବ୍ୟ ମନ୍ଦିରରେ ସମସ୍ତ ସେବାପୂଜା ବ୍ୟବସ୍ଥା ହେଲା । ସେଠାରେ ୧୨-୧୨-୧୬୩୩ ରୁ ୩୧-୧୨-୧୭୩୬ ପର୍ଯ୍ୟନ୍ତ ଶ୍ରୀଜୀଉମାନେ ଥିଲେ । ମୋଗଲ ଶାସନ ସମାପ୍ତି ଘଟିବାରୁ ଶ୍ରୀଜୀଉଙ୍କ ଦୁର୍ଦ୍ଦଶା କଟିଲା । ସେ ମନ୍ଦିରରେ ସ୍ଥିରହୋଇ ସେହିଦିନୁ ରହିଲେ ।

ସର୍ବପ୍ରଥମ ନବକଳେବର ଘଟଣାର ସମୟ ମାଦଳା ପାଞ୍ଜିର ଯଯାତି କେଶରୀଙ୍କ ବିବରଣୀ ଦ୍ୱାରା ୯୫୦ ଖ୍ରୀଷ୍ଟପର ବୋଲି ନିର୍ଣ୍ଣିତ ହୋଇଛି । ମାତ୍ର କଟକ ରାଜବଂଶାବଳୀ ଏକ ଭିନ୍ନମତ ପୋଷଣ କରେ । ତାଙ୍କ କାଳ କଳନା ନିମ୍ନମତେ କରାଯାଇଛି –

ରକ୍ତବାହୁର ଆକ୍ରମଣ କାଳ ୨୪୧/୪୨ ଶକାବ୍ଦ ବୋଲି କୁହାଯାଇଛି । ସେ ଚାରିବର୍ଷ କାଳ ଏଠି ରାଜତ୍ୱ କରିଥିଲା । ସୁବର୍ଣ୍ଣପୁର ଗ୍ରାମରେ ୧୯୨ ବର୍ଷ ପରମେଶ୍ୱର ପାତାଳୀ ହେଲେ । ଏତସ୍ୟ ରାଜ୍ୟଭୋଗକାଳ ପଞ୍ଚବର୍ଷାଣି । ଏତଦଯୋଗେ ଗତଶକାବ୍ଦ ପଞ୍ଚଚତ୍ଵାରିଂଶଦଧିକ ଏକଶତଦ୍ୱୟମ୍ (୨୪୫) ।

ପାତାଳୀ ହେଲେ – ୧୯୨ ବର୍ଷ – ସୁବର୍ଣ୍ଣପୁରସ୍ଥ ଗୋପାଳୀଗ୍ରାମେ ଶ୍ରୀମୂର୍ତ୍ତେଃ ସ୍ଥିତି ଦ୍ୱିନବତ୍ୟଧିକଶତଂ ବର୍ଷାଣି । ଅର୍ଥାତ୍ ୨୪୧ + ୧୯୨ = ୪୩୩ ଶକାବ୍ଦ + ୭୮ = ୫୧୧ ଖ୍ରୀଷ୍ଟାବ୍ଦ । “କଟକ ରାଜବଂଶାବଳୀ” ଊନ୍ନବିଂଶ ଶତକରେ ପୁରୀରୁ ପ୍ରାପ୍ତ । ପୂର୍ବସୁରୀମାନଙ୍କ

କୌଣସି ବ୍ରାହ୍ମଣ ପରିବାରର ଦ୍ୱାରା ୪ ଶହ ବର୍ଷ ତଳୁ ଲିଖିତ ଏହି ଗ୍ରନ୍ଥ । ଏ ଗ୍ରନ୍ଥ ସମ୍ପର୍କରେ ଏସିଆଟିକ ରିସର୍ଚ୍ଚ (୧୮୨୨ – ପୃ – ୧୬୩ - ୩୩୫) ମଧ୍ୟରେ ପ୍ରକାଶିତ ହୋଇଥିଲା । ଆର୍ତ୍ତବଲ୍ଲଭ ମହାନ୍ତି, କାହ୍ନୁ ଚରଣ ମିଶ୍ର ପ୍ରଭୃତିଙ୍କ ଦ୍ୱାରା ସଂପାଦିତ ହୋଇଥିଲେ ମଧ୍ୟ ଲଣ୍ଡନସ୍ଥିତ ମାକେନଜିଙ୍କ ସଂଗ୍ରହ ଓ ଅନୁବାଦ ସମ୍ବଳିତ ହୋଇ ଗୟାଚରଣ ତ୍ରିପାଠୀଙ୍କ ଦ୍ୱାରା ପ୍ରୟାଗସ୍ଥିତ ଗଂଗାନାଥ ଝା କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାପୀଠ ଆନୁକୂଲ୍ୟରେ ପ୍ରକାଶିତ ହୋଇଛି । ମଦଳାପାଂଜି ଓ କଟକ ରାଜ ବଂଶାବଳୀର ବିବରଣୀ ଏକା ପ୍ରକାର ହେଲେ ମଧ୍ୟ ତାର କାଳକଳନା ଭିନ୍ନ ହୋଇଥିବାରୁ ଭ୍ରମ ଉତ୍ପାଦନ କରିବା ସ୍ୱାଭାବିକ । ମାତ୍ର ଏହି ଉଭୟ ବିବରଣୀ କେବଳ ଏକ ପ୍ରାଚୀନତମ ଘଟାନ୍ତରର ଉଦାହରଣ ଦେଉଛି । ଏହି ଘଟଣାର ପୂର୍ବରୁ ମଧ୍ୟ ଯଥା ରୀତିରେ ନବକଳେବର ହୋଇଥିବା ଅସମ୍ଭବ ନୁହେଁ ।

ଏହା ପରେ ପରେ ଷୋଡଶ ଶତାବ୍ଦୀର ନବକଳେବର ହିଁ ପ୍ରଥମେ ସୂଚୀତ ହୋଇଛି । ତାର ସମୟ ହେଲା ୧୫୭୫ ସାଲ । ୧୭୧୪ ସାଲରେ ନବକଳେବର ହୋଇଥିଲା କି ନାହିଁ ଜଣାନାହିଁ । ଏହାପରେ ୧୭୩୩ ସେପ୍ଟେମ୍ବର ମାସରେ, ୧୭୪୪, ୧୭୫୨, ୧୭୭୧, ୧୭୯୦, ୧୮୦୯, ୧୮୨୮ ରେ ନବକଳେବର ହୋଇଥିଲା । ମାତ୍ର ୧୮୩୬ ମସିହାରେ ନବକଳେବର ହେବାକଥା ଜଣାପଡୁନଥିବା କଥା ଅନିରୁଦ୍ଧ ଦାସ ଲେଖିଛନ୍ତି । ଏହାପରେ ୧୮୫୫, ୧୮୭୪ (ଅନିରୁଦ୍ଧ ଦାସଙ୍କ ମତାନୁସାରେ (୧୮୭୭) ରେ ନବକଳେବର ହୋଇଥିଲା-

ଇଂରେଜ ଶାସନ ଅମଳରେ ଇଂରେଜମାନେ ଯେତେବେଳେ ୧୮୦୩ରେ ଓଡ଼ିଶାକୁ ସେମାନଙ୍କର ଶାସନାଧୀନ କଲେ, କଟକସ୍ଥିତ କମିଶନର ୧୮୦୯, ୧୮୨୮ ରେ ପାଞ୍ଚ ହଜାର ଲେଖାଏଁ ଟଙ୍କା ନବକଳେବର ପାଇଁ ମଞ୍ଜୁର କଲେ । ୧୮୯୩ରେ ନବକଳେବର ନହୋଇ ଶ୍ରୀଅଙ୍ଗଫିଟା ହୋଇଗଲା । ୧୯୧୨ ମସିହାରେ ସୁରୁଖୁରୁରେ ନବକଳେବର ହେବା କଥା ଉତ୍କଳଦୀପିକା ୨୫-୫-୧୯୧୨ ସଂସ୍କରଣ କଳନା କରିଥିଲା । ଏ ବର୍ଷ ସ୍ନାନ ପୂର୍ଣ୍ଣିମାରେ ମହାଜ୍ୟେଷ୍ଠୀ ଯୋଗପଡ଼ିବାରୁ ଅନେକ ଯାତ୍ରୀ ଆସି ସ୍ନାନବେଦୀରେ ଜଗନ୍ନାଥଙ୍କୁ ଦର୍ଶନ କଲେ । ମାତ୍ର ଯଜ୍ଞଶାଳାରେ ନିଆଁ ଲାଗିବାରୁ ଲୋକେ ଅନିଷ୍ଟ ଆଶଂକା କଲେ । ସେ ବର୍ଷ ୯-୬-୧୯୧୨ ରେ ଘଟ ପରିବର୍ତ୍ତନ ହୋଇଥିଲା ବୋଲି ୨୨-୬-୧୯୧୨ ଉତ୍କଳଦୀପିକା ବର୍ଣ୍ଣନାରୁ ଜଣାପଡ଼େ ।

୧୯୧୨ ମସିହାରେ ନବକଳେବର ଖୁବ୍ ସୁରୁଖୁରୁରେ ସମାହିତ ହୋଇଥିଲା । କିନ୍ତୁ ୧୯୩୧ ରେ କେତେକ ସେବକଙ୍କ ଜିଦ୍ ଓ ରାଜାଙ୍କ ପରିଚାଳନାଗତ ତ୍ରୁଟୀ ଯୋଗୁଁ ରଥ ଟଣାରେ ଉଭୟ ଗୁଣ୍ଡିଚା ଓ ବାହୁଡାରେ ପହଣ୍ଡି ପାଇଁ ବିଳମ୍ବ ହୋଇଥିଲା । (ଉତ୍କଳଦୀପିକା ୨୫-୭-୧୯୩୧ ଓ ୧-୮-୧୯୩୧) ଏହାପରେ ୧୯୫୦, ୧୯୬୯, ୧୯୭୭ ଓ ୧୯୯୬ ରେ ନବକଳେବର ମାନ ଅନୁଷ୍ଠିତ ହୋଇଛି । ୧୯୫୦ ମସିହା ନବକଳେବରରେ ଅନେକ ନାଗାସନ୍ୟାସୀ ଆସିଥିଲେ । ସେହିବର୍ଷ ଗୁଣ୍ଡିଚାଯାତ୍ରାରେ ଅନେକ ଗଣ୍ଡଗୋଳ ହେଲା ବୋଲି ଲୋକମୁଖରୁ ଶୁଣାଯାଏ । ଅନେକ ସାଧୁ, ସନ୍ୟାସୀ ଓ ଶ୍ମଶ୍ରୁଳ ବ୍ୟକ୍ତିମାନେ ଗୁରୁଖା ପୁଲିସଙ୍କ ମାଡ଼ଭୟରେ ଲଣ୍ଡଭଣ୍ଡ ହେଲେ ଓ ଅନେକ ରାତାରାତି ଦାଢ଼ୀ କାଟି ପକାଇଲେ ।

୧୯୭୭ ନବକଳେବରରେ ଅନେକ ବିଭ୍ରାଟ ହୋଇ ରଥଚକ ପ୍ରଭୃତି ଭାଙ୍ଗିଯିବାରୁ ନ୍ୟାୟମୂର୍ତ୍ତି ବାଳକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସିଥିଲା । ୧୯୯୬ ସାଲ ନବକଳେବର ନୀତି ସୁରୁଖୁରୁରେ ସମାହିତ ହୋଇଥିଲା ।

ଏହିପରି ତିକ୍ତ ମଧୁର ସ୍ମୃତିର ନବକଳେବର ନୀତି ଶହ ଶହ ବର୍ଷର ପରମ୍ପରାରେ ପରିପୁଷ୍ଟ । ଏହାର ଆହୁରି ଟିକିନିଖି ବିବରଣୀ ମଧ୍ୟ ଭବିଷ୍ୟତ ଗବେଷକମାନେ ଗବେଷଣା କରି ଉଦଘାଟନ କରିବେ ବୋଲି ଆଶା କରାଯାଏ ।

 

ବନବାସୀଙ୍କ ବୃକ୍ଷ ଉପାସନା ଓ ନବକଳେବର

ଶ୍ରୀ ରଞ୍ଜନ ପ୍ରଧାନ

ଶ୍ରୀଜଗନ୍ନାଥ ସକଳ ବିଶ୍ୱର ଦେବତା । ସେ ସର୍ବଧର୍ମ ସମନ୍ୱୟର ଦେବତା । ସେ ବିଶ୍ୱଶାନ୍ତି ଓ ମୈତ୍ରୀର ଦେବତା । ସେ ସାମ୍ୟବାଦର ଦେବତା । ସେ ପତିତପାବନ । ସେ ଜଗତର ନାଥ ଜଗନ୍ନାଥ ।

ଭାରତୀୟ ସଂସ୍କୃତି ଓ ଭାବଧାରା ଶ୍ରୀଜଗନ୍ନାଥଙ୍କୁ ନେଇ ସମୃଦ୍ଧ ହୋଇଛି । ଯୁଗଯୁଗ ଧରି ଜଗନ୍ନାଥ ଚେତନା ସମଗ୍ର ଭାରତବର୍ଷରେ ମୈତ୍ରୀ, ପ୍ରୀତି ଓ ସଂହତିର ବାର୍ତ୍ତା ପ୍ରଚାର କରିଆସିଛି । ଭାରତୀୟ ସଂସ୍କୃତି ଶ୍ରୀଜଗନ୍ନାଥଙ୍କ ଯୋଗୁ ମର୍ଯ୍ୟାଦାସମ୍ପନ୍ନ ହୋଇଛି । ଏହି କ୍ଷେତ୍ର ଯୁଗଯୁଗ ଧରି ବହୁ ଆଧ୍ୟାତ୍ମିକ ଆନ୍ଦୋଳନର ପ୍ରାଣକେନ୍ଦ୍ର ଭାବେ ସମଗ୍ର ବିଶ୍ୱରେ ଖ୍ୟାତି ଅର୍ଜନ କରିଆସିଛି । ବହୁ ଭାରତୀୟ ସାଧୁ, ସନ୍ଥ, ଧର୍ମପ୍ରଚାରକ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମରେ ପାଦ ଦେଇ ନିଜର ଶ୍ରେଷ୍ଠତ୍ୱର ପ୍ରମାଣ ଦେଇଛନ୍ତି । ଭାରତୀୟ ଭକ୍ତି ଆନ୍ଦୋଳନରେ ଯେତେ ଶାଖା ପ୍ରଶାଖା ଥିଲେ ହେଁ ଜଗନ୍ନାଥ ପାଲଟିଯାଇଛନ୍ତି ବିଶ୍ୱର ପ୍ରତି ମଣିଷର ପ୍ରିୟ ଦେବତା । ଶ୍ରୀଜଗନ୍ନାଥ ଏକ ଧର୍ମ ନୁହେଁ ବରଂ ଏକ ଚେତନା । ଏହି ଚେତନା ସମଗ୍ର ବିଶ୍ୱକୁ ଶାନ୍ତି, ମୈତ୍ରୀ ଓ ସଦଭାବନାର ବର୍ତ୍ତା ଦେଇଛି । ଶ୍ରୀମନ୍ଦିରର ପତିତପାବନ ବାନା ଓ ଏକତ୍ର ଗୋଟିଏ ସ୍ଥାନରେ ଆବ୍ରାହ୍ମଣ ଚଣ୍ଡାଳ ବସି ମହାପ୍ରସାଦ ସେବନ କରିବା, ଆମ ସମାଜରେ ସାମ୍ୟବାଦର ଜ୍ୱଳନ୍ତ ନିଦର୍ଶନ । ଶ୍ରୀଜଗନ୍ନାଥଙ୍କୁ ନେଇ ଅତୀତରୁ ଆରମ୍ଭ କରି ଆଜିଯାଏ ତର୍କ ଓ ବିବାଦର ଅନ୍ତ ନାହିଁ; ତଥାପି ତାଙ୍କ ମହିମା ବିଶ୍ୱପ୍ରସାରୀ ହୋଇଛି । ସେ ଅଧିକ ମହିମାନ୍ୱିତ ହୋଇଛନ୍ତି ।

ବନବାସୀ ଓ ବୃକ୍ଷ ଉପାସନା :

ବନବାସୀ ଗୋଷ୍ଠୀ ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ପ୍ରକୃତି କୋଳରେ ବଞ୍ଚୁଥିବା ଓ ବଢୁଥିବା ବନବାସୀଟିଏ ସକାଳୁ ସଞ୍ଜଯାଏ ଗଛ ଉପରେ ନିର୍ଭରଶୀଳ । ଏଣୁ ଗଛ ସହିତ ବନବାସୀଟିର ଏକ ନିବିଡ ଭାବଗତ ସମ୍ପର୍କ ରହିବା ସ୍ୱାଭାବିକ । ବୃକ୍ଷ ସହ ବନବାସୀଙ୍କ ସମ୍ପର୍କ ଭାଇ-ଭାଇ, ବନ୍ଧୁ-ବନ୍ଧୁ, ଭଗବାନ-ଭକ୍ତର ସମ୍ପର୍କଠାରୁ ବି ଅଧିକ ମଧୁର ଓ ଅନ୍ତରଙ୍ଗ । ସକାଳୁ ଶଯ୍ୟାରୁ ଉଠିବା ପରଠୁ ରାତିରେ ପୁଣି ଶଯ୍ୟାକୁ ଯିବା ଯାଏ, ନିଜର କର୍ମମୟ ଜୀବନର ପ୍ରତି ମୁହୂର୍ତ୍ତରେ ଗଛ ଦ୍ୱାରା ଉପକୃତ ଓ ପ୍ରଭାବିତ ହୋଇଥାଏ । ଗଛ ହିଁ ସେମାନଙ୍କୁ ଘଞ୍ଚ ଓ ହିଂସ୍ରଜନ୍ତୁପୂର୍ଣ୍ଣ ଜଙ୍ଗଲରେ ସୁଖରେ ବଞ୍ଚିବାର କୌଶଳ ଶିଖେଇଥାଏ । ସମବତଃ, ବୃକ୍ଷ ଓ ବନବାସୀ ଜନଜୀବନ ମଧ୍ୟରେ ଥିବା ଏହି ନିବିଡ ଓ ଅନାବିଳ ସମ୍ପର୍କରୁ ହିଁ ବୃକ୍ଷପୂଜା ପରମ୍ପରା ଜନ୍ମ ନେଇଛି । ବୃକ୍ଷ ଉପାସନାକୁ କେନ୍ଦ୍ରକରି କ୍ରମେ ଜୀବଜନ୍ତୁ, ପାହାଡ, ନଦୀ, ଝରଣା, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ବସ୍ତୁ ପୂଜା ପରମ୍ପରା ସୃଷ୍ଟି ହେଲା ବୋଲି କୁହାଯାଇପାରେ । ଓଡ଼ିଶାରେ ବସବାସ କରୁଥିବା ବନବାସୀମାନେ ଶାଳ, ମହୁଲ, ସଲପ, ଅସନ, ଅଁଳା, ଗର୍ଭଣା, ନିମ୍ବ, ବରଗଛ, କରମା, ଅଶ୍ୱତଥ୍, ଆଦି ନାନା ପ୍ରକାର ବୃକ୍ଷକୁ ଦେବତା ଭାବେ ପୂଜା କରିଥାନ୍ତି । କୋରାପୁଟ ଅଞ୍ଚଳର ଏମାନେ ମହୁଲ ଗଛକୁ ଏତେ ସମ୍ମାନ ଦେଇଥାନ୍ତି ସେମାନେ ଏହି ଗଛକୁ କାଟି ନଥ’ନ୍ତି । ବଣ୍ଡାସମ୍ପ୍ରଦାୟରେ ଶିଶୁଟିଏ ଜନ୍ମ ହେଲାମାତ୍ରେ ଶିଶୁଟି ନାଁରେ ମହୁଲ ଗଛଟିଏ ଭୂମିରେ ପୋତିଦିଅନ୍ତି ।

ଏମିତି ଅନେକ ବର୍ଷ, ଅନେକ ଯୁଗ ବିତିବା ଅନ୍ତେ ସେମାନେ ଚରମ ଖାଦ୍ୟାଭାବର ଶିକାର ହେଲେ । କ୍ରମେ ଖାଦ୍ୟ ଅନ୍ୱେଷଣରେ ଏହି ଅଧିବାସୀମାନଙ୍କୁ ବିଭିନ୍ନ ସମୟରେ ସ୍ଥାନ ପରିବର୍ତ୍ତନ କରିବାକୁ ପଡିଲା । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ ପରିବର୍ତ୍ତନ କରିବା ସମୟରେ ସେମାନଙ୍କ ଦ୍ବାରା ପୂଜିତ ନିର୍ଦ୍ଦିଷ୍ଟ ବୃକ୍ଷକୁ ସ୍ଥାନାନ୍ତର କରିବା ସମ୍ଭବପର ହେଲାନାହିଁ । ଏହି କାରଣରୁ କାଳକ୍ରମେ ବୃକ୍ଷପୂଜନ ଦାରୁ ଉପାସନାର ରୂପ ନେଲା । ବୃକ୍ଷ ବଦଳରେ ସେମାନେ ପ୍ରତୀକ ଭାବେ ସମ୍ପୃକ୍ତ ବୃକ୍ଷର କାଠକୁ ପୂଜା କଲେ । ସେମାନେ ବୃକ୍ଷର ଗଣ୍ଡିକୁ କାଟି ସ୍ତମ୍ଭ ଆକାରର କାଷ୍ଠ ମୂର୍ତ୍ତିମାନ ନିର୍ମାଣ କରି ପୂଜା କଲେ । ଆଜି ବି ଅବିଭକ୍ତ କୋରାପୁଟ, ଫୁଲବାଣୀ, ମୟୁରଭଞ୍ଜ କିମ୍ବା କେନ୍ଦୁଝର ଅଞ୍ଚଳରେ କାଠଖମ୍ବ ପୂଜା କରାଯାଉଥିବାର ଦୃଷ୍ଥାନ୍ତ ନଜରକୁ ଆସିଥାଏ ।

ବନବାସୀମାନେ କାଷ୍ଠ ନିର୍ମିତ ‘ଖମ୍ବ’ ବା ‘ସ୍ତମ୍ଭ’ ଉପାସକ ଏବଂ ଏହି କାଠ ଖମ୍ବ କିଛିବର୍ଷ ବ୍ୟବଧାନରେ ନଷ୍ଟ ହୋଇଯିବାରୁ ପୁଣି ନୂଆକରି ନିର୍ମାଣ କରାଯାଇଥାଏ । ପୁରୁଣା ସ୍ତମ୍ଭକୁ ବଦଳେଇ ତା’ ସ୍ଥାନରେ ନୂଆ ନିର୍ମାଣ କରିବା ହେଉଛି ‘ନବକଳେବର’ । କୋରାପୁଟର ‘ପରଜା’ଙ୍କ ଦ୍ୱାରା ପାଳିତ ହେଉଥିବା ‘ବାଲିଯାତ୍ରା ଓ ବାଲିଖମ୍ବ ପ୍ରତିଷ୍ଠା’ ଉତ୍ସବ ଏବଂ ଫୁଲବାଣୀର କୁଟିଆ କନ୍ଧଙ୍କ ଦ୍ୱାରା ‘ମେରିଆଖମ୍ବ’ପ୍ରତିଷ୍ଠା ଉତ୍ସବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ପରମ୍ପରାର ଏକ ଜ୍ୱଳନ୍ତ ଉଦାହରଣ । ଏହି ପୂଜା ମାଧ୍ୟମରେ ଆଦିବାସୀମାନେ ବିଶାଳ କାଠ ଖମ୍ବକୁ ପୂଜା କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ନବକଳେବର ପ୍ରକ୍ରିୟାରେ ‘ବନଯାଗ ଯାତ୍ରୀ’ଙ୍କ ଭଳି ଆଦିବାସୀମାନେ ବୃକ୍ଷ ଅନ୍ୱେଷଣ କରନ୍ତି ଏବଂ ଉପଯୁକ୍ତ ଲକ୍ଷଣ ଥିବା ବୃକ୍ଷକୁ ଚୟନ କରନ୍ତି । ‘ବନଯାଗ’ର ‘ଚଉପଟ’ ନୀତି ଭଳି ବୃକ୍ଷର ତାଳପତ୍ର କାଟି ମାଟିରେ ପୋତାଯାଏ ଏବଂ କାଠଗଣ୍ଡିକୁ ଗ୍ରାମଦେବୀଙ୍କ ଶାଳ ନିକଟକୁ ଅଣାଯାଏ । କାଠଗଣ୍ଡିରୁ ପ୍ରସ୍ତୁତ ଏହି ଖମ୍ବର କିଛି ଅଂଶକୁ ବିଧି ମୁତାବକ ମାଟିରେ ପୋତାଯାଇଥାଏ । କାଠଖମ୍ବକୁ ମାଟିରେ ପୋତିଲାବେଳେ ଏହାର ମୂଳରେ ସୁନା, ରୂପା, ଲୁହା, ସୀସା ଭଳି ପଞ୍ଚଧାତୁ ସ୍ଥାପନ କରାଯାଇଥାଏ । ଆଶ୍ଚର୍ଯ୍ୟର ବିଷୟ, ଏହି ପର୍ବମାନଙ୍କରେ ପୂଜିତ ହେଉଥିବା କାଠଖମ୍ବକୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ବଦଳାଇ ନୂତନ କାଠଖମ୍ବ ପ୍ରତିଷ୍ଠା କରାଯାଇଥାଏ । କେତେକ ସ୍ଥଳେ ତିନିବର୍ଷରେ କିମ୍ବା ଛଅ ବର୍ଷରେ କିମ୍ବା ବାରବର୍ଷରେ ଥରେ ଏହି ପୁରାତନ କାଠ ଖମ୍ବ ପରିବର୍ତ୍ତନ କରାଯାଇଥାଏ । ଏହା ଆମ ଜଗନ୍ନାଥଙ୍କ ନବକଳେବର ପ୍ରକ୍ରିୟା ସହ ସାମଞ୍ଜସ୍ୟ ରଖିଥିବାରୁ ଏହା ଉପରେ ଗଭୀର ଅଧ୍ୟୟନ ଓ ଆଲୋଚନାର ଆବଶ୍ୟକ ରହିଛି ।

ଓଡିଶାର ଧର୍ମଧାରାରେ ବୃକ୍ଷ ଉପାସନା ପରମ୍ପରା ବହୁ ପୁରାତନ । ଓଡ଼ିଆ ସଂସ୍କୃତିରେ ବର, ଅଶ୍ବତଥ, ବିଲ୍ୱ, ଅଶୋକ, ଅଁଳା, ନିମ୍ବ, ତୁଳସୀ ଗଛର ଉପାସନା ବହୁକାଳରୁ ଆଦୃତ ହୋଇଆସିଛି । ‘ସଉରା’ ସମ୍ପ୍ରଦାୟର ଶବରମାନଙ୍କ ମତରେ ଜଗତକର୍ତ୍ତା ପ୍ରଥମେ ବୃକ୍ଷ ସୃଷ୍ଟି କରିଥିଲେ । ସେଥିପାଇଁ ଶବରମାନେ ଗଛକୁ ନିଜର ଗୋତ୍ର ବା ସଙ୍କେତ ଭାବେ ପୂଜା କରିଥାନ୍ତି । ଶବରମାନଙ୍କ ଅନୁଯାୟୀ, ଏ ସଂସାର ଏକ ବୃକ୍ଷସଦୃଶ । ମନ୍ୟୁଷ ଶରୀର ତଥା ମନ ଏକ ବୃକ୍ଷଭଳି ଏବଂ ପଞ୍ଚଇନ୍ଦ୍ରିୟ ଏହି ଶରୀର ରୂପକ ବୃକ୍ଷର ଶାଖାପ୍ରଶାଖା ସଦୃଶ । ଏଣୁ ଉଭୟ ସଂସ୍କୃତି ଓ ଧର୍ମଧାରାରେ ବୃକ୍ଷର ଏକ ସ୍ୱତନ୍ତ୍ର ଓ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

କୁଟିଆ କନ୍ଧଙ୍କ ‘ମେରିଆଖମ୍ବ’ ପ୍ରତିଷ୍ଠା ଉତ୍ସବ :

ଫୁଲବାଣୀ ଜିଲ୍ଲାରେ ବସବାସ କରୁଥିବା କୁଟିଆ କନ୍ଧଙ୍କ ଧରଣୀଶାଳ (ଗ୍ରାମଦେବୀଙ୍କ ଆସ୍ଥାନ)ରେ ଥିବା ତିନି ପଥର ମଧ୍ୟରୁ ଡାହାଣ ପାର୍ଶ୍ୱରେ ‘ବୁରାପେନୁ’ଙ୍କୁ ବଳଭଦ୍ର, ବାମପାର୍ଶ୍ୱର ‘ଜାକିରିପେନୁ’ଙ୍କୁ ପ୍ରଭୁ ଜଗନ୍ନାଥ ଏବଂ ମଝିରେ ଥିବା କନ୍ଧ ଠାକୁରାଣୀ ‘ତାନାପେନୁ’ଙ୍କୁ ଦେବୀ ସୁଭଦ୍ରାଙ୍କ ସହିତ କେହି କେହି ଆଲୋଚକ ତୁଳନା କରନ୍ତି । ଏହାବ୍ୟତୀତ ଏ ତିନି ପଥର ସନ୍ନିକଟରେ ଥିବା ଆଉ ଏକ ବଡପଥର ରହିଛି । ଏହାର ନାମ ‘ଉଙ୍ଗାବାଲି’ । ଏହାକୁ ଭଗବାନ ସୁଦର୍ଶନଙ୍କ ସହିତ ତୁଳନା କରାଯାଇ କନ୍ଧମାନଙ୍କର ଏହି ଚାରିମୂର୍ତ୍ତିକୁ ଶ୍ରୀମନ୍ଦିରର ଚତୁର୍ଦ୍ଧାମୂର୍ତ୍ତି ବୋଲି ସମ୍ଭାବନା କରାଯାଇଥାଏ । ଶ୍ରୀଜଗନ୍ନାଥ ପରମ୍ପରା ସହିତ କୁଟିଆ କନ୍ଧଙ୍କ ଧର୍ମଧାରଣାରେ ଅନେକ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇଥାଏ ।

ମେରିଆ ପୂଜା କୁଟିଆ କନ୍ଧ ସମ୍ପ୍ରଦାୟର ଏକ ପ୍ରମୁଖ ଗଣପର୍ବ । ଏହି ପୂଜା ମୁଖ୍ୟତଃ ଧରିତ୍ରୀମାତା (ଧରଣୀପେନୁ)ଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ହୋଇଥାଏ । ପୂର୍ବେ ଏହି ପୂଜାରେ ନରବଳି ଦିଆଯାଉଥିଲା । ଆଜିକାଲି ଏହି ପୂଜାରେ ପୋଢ଼ (ପୁରୁଷ ମଇଁଷି) ବଳି ଦିଆଯାଉଛି । ଫୁଲବାଣୀରେ ବସବାସ କରୁଥିବା କୁଟିଆ କନ୍ଧମାନଙ୍କର ଏହି ମେରିଆ ପର୍ବରେ ପ୍ରତିଷ୍ଠା କରାଯାଉଥିବା ‘ମେରିଆଖମ୍ବ’ର ନବକଳେବର ହୋଇଥାଏ । କୁଟିଆ କନ୍ଧଙ୍କର ଏହି ମେରିଆ ପର୍ବରେ ବ୍ୟବହୃତ ହେଉଥିବା କାଠଖମ୍ବକୁ ପ୍ରତି ଆଠଦଶ ବର୍ଷରେ ଥରେ ବଦଳାଯାଇଥାଏ । ଅନୁରୂପ ଭାବେ ଶ୍ରୀଜଗନ୍ନାଥଙ୍କର ‘ନବକଳେବର’ ମଧ୍ୟ ପ୍ରତି ବାର କିମ୍ବା ଉଣେଇଶି ବର୍ଷ ଅନ୍ତରରେ ଥରେ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ‘ମହାଦାରୁ’ ଚୟନ ପ୍ରକ୍ରିୟା ଭଳି କୁଟିଆ କନ୍ଧଙ୍କ ମେରିଆ ପୂଜା ପାଇଁ ଏକ ବିଶାଳ କାଠଖମ୍ବ (ମେରିଆଖମ୍ବ)ର ଆବଶ୍ୟକତା ପଡିଥାଏ । ଏଥିପାଇଁ ଏକ ଦିବ୍ୟ ଶାଳବୃକ୍ଷ ଚୟନ କରାଯାଇଥାଏ-। ‘ମେରିଆ ଖମ୍ବ’ ପ୍ରତିଷ୍ଠା ଉତ୍ସବାର ଶାଳବୃକ୍ଷ ଚୟନ ନିମନ୍ତେ ଯେଉଁସବୁ ବିଧି ପାଳିତ ହୋଇଥାଏ, ଅନୁରୂପ ଶ୍ରୀଜଗନ୍ନାଥଙ୍କ ‘ନବକଳେବର’ର ବନଯାଗ ଯାତ୍ରା ସମୟରେ ଦାରୁ ଚୟନ ନିମନ୍ତେ ସେହିସବୁ ବିଧିମାନ ପାଳିତ ହୋଇଥାଏ । ଗ୍ରାମ ଦେବୀଙ୍କ ଠାରୁ ସ୍ୱପ୍ନାଦେଶ ପାଇବା ପରେ ‘ମେରିଆଖମ୍ବ’ ପାଇଁ ଶାଳଗଛ ଚୟନ ନିମନ୍ତେ କନ୍ଧ ପୂଜକ (କୁଟାକ୍)ଙ୍କ ସମେତ ଏକ ବୃକ୍ଷ ଅନ୍ୱେଷଣକାରୀ ଦଳ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଶାଳଗଛ ଚୟନ କରିଥାନ୍ତି । ଏହି ବୃକ୍ଷ ଚୟନ ପ୍ରକ୍ରିୟା ଅବିକଳ ଶ୍ରୀଜଗନ୍ନାଥଙ୍କ ‘ବନଯାଗଯାତ୍ରା’ ଭଳି ଅନୁଷ୍ଠିତ ହୋଇଥାଏ । ସାଧାରଣତଃ, ଶ୍ରୀଜଗନ୍ନାଥଙ୍କ ବନଯାଗ ଯାତ୍ରା ସମୟରେ ଦାରୁ ଚିହ୍ନଟ ପାଇଁ ନିମ୍ନଲିଖିତ ଲକ୍ଷଣକୁ ଦୃଷ୍ଟି ଦିଆଯାଇଥାଏ । ସେଗୁଡିକ ହେଲା-

୧.

ବୃକ୍ଷଟି ଅତି ପୁରାତନ ହୋଇଥିବ ।

୨.

ସେହି ବୃକ୍ଷରେ ୪ରୁ ୭ଟି ଶାଖା ଥିବ ।

୩.

ବୃକ୍ଷଟିର ମୂଳରୁ ୧୨ଫୁଟ ଉଚ୍ଚତା ପର୍ଯ୍ୟନ୍ତ ସଳଖ ଓ ନିଦା ରହିଥିବ ।

୪.

ବୃକ୍ଷର ଉପରି ଭାଗରେ କୌଣସି ପକ୍ଷୀ ବସା କରିନଥିବ ।

୫.

ବୃକ୍ଷଟି ନଦୀକୂଳ, ଶ୍ମଶାନ, ମଠ ବା ଦେବାଳୟ ନିକଟରେ ଥିବ ।

୬.

ବୃକ୍ଷ ମୂଳରେ ସର୍ପର ବାସସ୍ଥଳୀ ରୂପେ ହୁଙ୍କା ଥିବ ।

୭.

ବୃକ୍ଷ ନିକଟରେ ବରୁଣ ତଥା ସାହାଡ଼ା ଗଛ ରହିଥିବ ।

୮.

ବୃକ୍ଷରେ କିଛି ଦିବ୍ୟ ସଙ୍କେତ ରହିଥିବ ।

୯.

ବୃକ୍ଷର କୌଣସି ଡାଳ କଟାଯାଇ ନଥିବ ।

ଶ୍ରୀଜଗନ୍ନାଥଙ୍କ ଦାରୁ ଚୟନ ସହ କୁଟିଆ କନ୍ଧମାନଙ୍କର ଶାଳବୃକ୍ଷ ଚୟନ ଖୁବ୍ ସାମଞ୍ଜସ୍ୟ ରଖିଥାଏ । ଉପରୋକ୍ତ ଲକ୍ଷଣମାନ ଦେଖି କୁଟିଆ କନ୍ଧମାନେ ଶାଳବୃକ୍ଷ ଚିହ୍ନଟ କରିଥାନ୍ତି । କନ୍ଧପୂଜକ (କୁଟାକ୍)ଙ୍କ ନେତୃତ୍ୱରେ ଗାଁର ମୁରବୀ, ଅନ୍ୟାନ୍ୟ ବୟସ୍କ ବ୍ୟକ୍ତି, ଯୁବକ ଓ ବାରଭାଇମାନଙ୍କ ସମେତ ଏକ ‘ବୃକ୍ଷ ଅନ୍ୱେଷଣକାରୀ ଦଳ’ ବୃକ୍ଷ ସନ୍ଧାନରେ ନିକଟସ୍ଥ ଜଙ୍ଗଲରୁ ବାହାରି ପଡ଼ନ୍ତି । କାକଟପୁର ମା’ମଙ୍ଗଳାଙ୍କ ସ୍ୱପ୍ନାଦେଶ ପାଇବା ପରେ ବନଯାଗ ଦଳ ଯେଭଳି ଦାରୁ ଅନ୍ୱେଷଣରେ ବିଭିନ୍ନ ସ୍ଥାନକୁ ଗସ୍ତ କରନ୍ତି ଅନୁରୂପ କୁଟିଆ କନ୍ଧମାନଙ୍କର ‘ମେରିଆଖମ୍ବ ଯାତ୍ରୀ’ ବା ଶାଳବୃକ୍ଷ ଅନ୍ୱେଷଣକାରୀ ଦଳ ଗ୍ରାମଦେବୀଙ୍କ ସ୍ୱପ୍ନାଦେଶ ପାଇବା ପରେ ନିକଟସ୍ଥ ଜଙ୍ଗଲକୁ ଶାଳଗଛ ଅନ୍ୱେଷଣରେ ବାହାରିଥାନ୍ତି । ବନଯାଗ ଯାତ୍ରୀଙ୍କ ଭଳି କନ୍ଧମାନେ ନିଷ୍ଠାର ସହ ବ୍ରତ ପାଳନ କରନ୍ତି ଓ ଉପବାସ ରହନ୍ତି । ସ୍ୱପ୍ନାଦେଶ ଅନୁସାରେ, କନ୍ଧମାନେ ନିର୍ବାଚିତ ଶାଳଗଛକୁ ବିଧି ମୁତାବକ ପୂଜର୍ଚ୍ଚନା କରିବା ପରେ ଭୂପତିତ କରିଥାନ୍ତି ।

କନ୍ଧ ପୂଜକ ଶିଆଳି ପତ୍ରରେ ଧରିଥିବା ଚାଉଳକୁ ଦେବତାଙ୍କୁ ଅର୍ପଣ କରି ଗୁପ୍ତମନ୍ତ୍ର ଉଚ୍ଚାରଣ କରନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନଯାଗ ଯାତ୍ରୀମାନେ ଦାରୁ ଅନ୍ୱେଷଣ କାଳରେ ଯେଭଳି ସ୍ୱପ୍ନାବତୀ ମନ୍ତ୍ର ଏବଂ ନୃସିଂହମନ୍ତ୍ର ଉଚ୍ଚାରଣ କରନ୍ତି ଅନୁରୂପ ଭାବେ କୁଟିଆ କନ୍ଧମାନେ ‘ତିବା-ଦାଇ’ ମନ୍ତ୍ର ପାଠ କରି ସେମାନଙ୍କ ଦେବତାଙ୍କୁ ସ୍ମରଣ କରନ୍ତି । କୁଟିଆ କନ୍ଧମାନେ ମନ୍ତ୍ର ଉଚ୍ଚାରଣ କରିବା ପରେ ଶାଳଗଛକୁ ମୁଷ୍ଠି ପ୍ରହାର କରି ଏବଂ ଗଛର ଗଣ୍ଠିରେ କାନ ଡେରୀ, ଗଛଟି ପୋଲା କି ନିଦା ଆକଳନ କରନ୍ତି । ‘ବନଯାଗଯାତ୍ରା’ର ‘ଚଉପଟ’ ନୀତି ଭଳି କୁଟିଆ କନ୍ଧମାନେ ଶାଳ ଗଛଟିକୁ କାଟି ସେଥିରୁ ଡାଳପତ୍ର, ଶାଖାପ୍ରଶାଖା ଅଲଗା କରି ତାକୁ ଭୂମିରେ ପୋତି ନିଅନ୍ତି ଏବଂ ନିଦା କାଠଗଣ୍ଡିକୁ ଗ୍ରାମ ଉପାସନା ସ୍ଥଳ (ଧରଣୀଶାଳ)କୁ ଆଣିଥାନ୍ତି । ଏହାପରେ ବଢେଇଙ୍କ ଦ୍ୱାରା ଏଥିରୁ ‘ମେରିଆ ମୁଣ୍ଡା’ ପ୍ରସ୍ତୁତ କରାଯାଏ । ମେରିଆ ମୁଣ୍ଡା ପ୍ରସ୍ତୁତ ସମୟରେ ଯଥାରୀତି ଓ ବିଧି ଅନୁପାଳକ କରାଯାଇଥାଏ । ମେରିଆ ମୁଣ୍ଡା ବା ଖମ୍ବଟି ପ୍ରାୟ ଦୁଇରୁ ଅଢେଇ ଫୁଟର ଗୋଲେଇ ଏବଂ ସାତଫୁଟ ଅଧେରୁ ଆଠଫୁଟ ଲମ୍ବର ଶାଳକାଠରୁ ନିର୍ମିତ ହୋଇଥାଏ । ଏହି ଖମ୍ବଟିକୁ ପ୍ରାୟ ଦୁଇରୁ ଅଢେଇ ଫୁଟ ମାଟିରେ ପୋତିବା ପରେ ଏହାର ଉଚ୍ଚତା ସାଢ଼େ ପାଞ୍ଚଫୁଟରୁ ଛଅଫୁଟ ମଧ୍ୟରେ ଉପରକୁ ରହିଥାଏ । କନ୍ଧ ଯୁବକ, ଯୁବତୀମାନେ ମେରିଆ ଖମ୍ବ ପ୍ରତିଷ୍ଠା ହେବାକୁ ଥିବା ଏହି ଶାଳକାଠ ଗଣ୍ଡିକୁ ଏକ ଶୋଭାଯାତ୍ରା ମାଧ୍ୟମରେ ବାଦ୍ୟ ବଜାଇ, ଗୀତଗାଇ ଧରଣୀଶାଳାକୁ ନିଅନ୍ତି । କାଠଗଣ୍ଡିକୁ ପବିତ୍ର ହଳଦିପାଣିରେ ଗାଧୋଇବା ସହ ବିଧି ମୁତାବକ ସଂସ୍କାର କରାଯାଏ । ଏହାପରେ ଧରଣୀଶାଳରେ ବଢ଼େଇମାନେ ଖୋଦେଇ କାମ (ଲିଇଙ୍ଗ୍-ପିଚିଙ୍ଗ୍) କାମ ଆରମ୍ଭ କରନ୍ତି । ମେରିଆ ମୁଣ୍ଡାର କଟି ଅଂଶରୁ ଉପରକୁ ପ୍ରାୟ ସାଢ଼େ ପାଞ୍ଚଫୁଟରୁ ଛଅଫୁଟ ମଧ୍ୟରେ ଉପରକୁ ରହିଥାଏ । ମୁଣ୍ଡାର ବାକି ଅଂଶ ମାଟି ତଳେ ପୋତି ଦିଆଯାଏ ।

ବାଥୁଡ଼ି ସମ୍ପ୍ରଦାୟର ‘ବଡ଼ାମ୍’ ଅର୍ଥାତ୍ ବଲରାମ :

ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ବାଥୁଡି ସମ୍ପ୍ରଦାୟର ବନବାସୀମାନେ ବଡ଼ାମଙ୍କର ପରମଭକ୍ତ ଭାବେ ଜଣାଶୁଣା । ମନେହୁଏ ସେମାନେ କାହିଁ କେଉଁ କାଳରୁ ବଡ଼ାମ୍ ବା ବଳରାମଙ୍କୁ ପୂଜା କରିଆସୁଛନ୍ତି । ବଡ଼ାମଙ୍କ ସହିତ ସେମାନେ ଅନ୍ୟ ଦୁଇ ମୂର୍ତ୍ତିର ଉପାସନା କରିଥାନ୍ତି, ଯାହାଙ୍କୁ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ସହ ତୁଳନା କରାଯାଇଥାଏ । ଏହି ବାଥୁଡ଼ି ସମ୍ପ୍ରଦାୟର ବନବାସୀମାନେ ବଡ଼ାମ୍ ଠାକୁର ଏବଂ ତାଙ୍କ ଭାଇ, ଭଉଣୀଙ୍କୁ ଯଶୀପୁର ଶିମିଳିପାଳସ୍ଥିତ ଜଙ୍ଗଲ ମଧ୍ୟରେ ଥିବା ‘ଅଠର ଦେଉଳ’ରେ ପୂଜା କରିଥାନ୍ତି । ଅଠର ଦେଉଳକୁ ନେଇ ବାଥୁଡ଼ି ସମ୍ପ୍ରଦାୟରେ ଅନେକ କିମ୍ବଦନ୍ତୀ ଓପ୍ରାଚୀନ କାହାଣୀମାନ ରହିଛି-। “ଅଠର ଦେଉଳ”କୁ ସ୍ଥଳ ବିଶେଷରେ ପୁରୀ ଶ୍ରୀମନ୍ଦିର ସହ ତୁଳନା କରାଯାଇଥାଏ ଏବଂ ଏହି ମନ୍ଦିରରେ ତିନୋଟି ପଥର ବିଗ୍ରହ ପୂଜା ପାଆନ୍ତି । ଶବର ରାଜା ବିଶ୍ୱାବସୁ ଇନ୍ଦ୍ରନୀଳମଣି ବିଗ୍ରହକୁ ପାହାଡ଼ କନ୍ଦର (ଗୁମ୍ଫା)ରେ ରଖି ‘ନୀଳମାଧବ’ ରୂପେ ପୂଜା କରୁଥିଲେ । ପାହାଡ଼ ପର୍ବତ, ଗୁମ୍ଫାରେ ଗୋପନରେ ଦେବତାଙ୍କୁ ସ୍ଥାପନ କରି ପୂଜା କରିବା ବନବାସୀଙ୍କ ଅନ୍ୟ ଏକ ପରିଚୟ । ବାଥୁଡ଼ିମାନେ ଶିମିଳିପାଳ ଅଭାୟରଣ୍ୟ ମଧ୍ୟରେ ଥିବା ପାହାଡ ଗୁମ୍ଫା ମଧ୍ୟରେ ସେମାନଙ୍କ ଦେବତା ‘ବାଡ଼ାମ୍’ଙ୍କୁ ରଖି ପୂଜା କରିଥାନ୍ତି । ବାଥୁଡ଼ିମାନଙ୍କ ଏହି ପୂଜା ଜନପଦୀୟ ‘ନୀଳମାଧବ ଉପାସନା’ ସହିତ ଅନେକ ସାମଞ୍ଜସ୍ୟ ରଖିଥାଏ ।

‘ଗଣ୍ଡ’ ଜନଜାତି ଗୋଷ୍ଠୀଙ୍କ ‘ବୁଢ଼ାଦେଓ’ :

ଓଡ଼ିଶାରେ ବସବାସ କରୁଥିବା ‘ଗଣ୍ଡ’ ସମ୍ପ୍ରଦାୟର ବନବାସୀମାନେ ତିନୋଟି ଦେବତା ‘ବୁଢ଼ାଦେଓ’ (ବୁଢ଼ାରଜା), ‘ଲିଙ୍ଗ’ ଓ ‘ଜଙ୍ଗ’ଙ୍କୁ ପୂଜା କରିଥାନ୍ତି । ଏହି ତିନି ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର, ଓ ଦେବୀ ସୁଭଦ୍ରା ବୋଲି ସମ୍ଭାବନା କରାଯାଏ । ଗଣ୍ଡମାନଙ୍କର ଏକ ଲୋକକାହାଣୀରେ ଥିବା ବର୍ଣ୍ଣନା ଅନୁସାରେ, ବିଦ୍ୟାପତି ଶବରମାନଙ୍କ ଇଷ୍ଟଦେବ ଶ୍ରୀନୀଳମାଧବଙ୍କୁ ହରଣ କରି ନେଇଗଲା ପରେ ଶବରମାନେ ସେମାନଙ୍କ ଇଷ୍ଟଦେବଙ୍କୁ ହରାଇ

୭.

ବୃକ୍ଷ ନିକଟରେ ବରୁଣ ତଥା ସାହାଡ଼ା ଗଛ ରହିଥିବ ।

୮.

ବୃକ୍ଷରେ କିଛି ଦିବ୍ୟ ସଙ୍କେତ ରହିଥିବ ।

୯.

ବୃକ୍ଷର କୌଣସି ଡାଳ କଟାଯାଇ ନଥିବ ।

ଶ୍ରୀଜଗନ୍ନାଥଙ୍କ ଦାରୁ ଚୟନ ସହ କୁଟିଆ କନ୍ଧମାନଙ୍କର ଶାଳବୃକ୍ଷ ଚୟନ ଖୁବ୍ ସାମଞ୍ଜସ୍ୟ ରଖିଥାଏ । ଉପରୋକ୍ତ ଲକ୍ଷଣମାନ ଦେଖି କୁଟିଆ କନ୍ଧମାନେ ଶାଳବୃକ୍ଷ ଚିହ୍ନଟ କରିଥାନ୍ତି । କନ୍ଧପୂଜକ (କୁଟାକ୍)ଙ୍କ ନେତୃତ୍ୱରେ ଗାଁର ମୁରବୀ, ଅନ୍ୟାନ୍ୟ ବୟସ୍କ ବ୍ୟକ୍ତି, ଯୁବକ ଓ ବାରଭାଇମାନଙ୍କ ସମେତ ଏକ ‘ବୃକ୍ଷ ଅନ୍ୱେଷଣକାରୀ ଦଳ’ ବୃକ୍ଷ ସନ୍ଧାନରେ ନିକଟସ୍ଥ ଜଙ୍ଗଲରୁ ବାହାରି ପଡ଼ନ୍ତି । କାକଟପୁର ମା’ମଙ୍ଗଳାଙ୍କ ସ୍ୱପ୍ନାଦେଶ ପାଇବା ପରେ ବନଯାଗ ଦଳ ଯେଭଳି ଦାରୁ ଅନ୍ୱେଷଣରେ ବିଭିନ୍ନ ସ୍ଥାନକୁ ଗସ୍ତ କରନ୍ତି ଅନୁରୂପ କୁଟିଆ କନ୍ଧମାନଙ୍କର ‘ମେରିଆଖମ୍ବ ଯାତ୍ରୀ’ ବା ଶାଳବୃକ୍ଷ ଅନ୍ୱେଷଣକାରୀ ଦଳ ଗ୍ରାମଦେବୀଙ୍କ ସ୍ୱପ୍ନାଦେଶ ପାଇବା ପରେ ନିକଟସ୍ଥ ଜଙ୍ଗଲକୁ ଶାଳଗଛ ଅନ୍ୱେଷଣରେ ବାହାରିଥାନ୍ତି । ବନଯାଗ ଯାତ୍ରୀଙ୍କ ଭଳି କନ୍ଧମାନେ ନିଷ୍ଠାର ସହ ବ୍ରତ ପାଳନ କରନ୍ତି ଓ ଉପବାସ ରହନ୍ତି । ସ୍ୱପ୍ନାଦେଶ ଅନୁସାରେ, କନ୍ଧମାନେ ନିର୍ବାଚିତ ଶାଳଗଛକୁ ବିଧି ମୁତାବକ ପୂଜର୍ଚ୍ଚନା କରିବା ପରେ ଭୂପତିତ କରିଥାନ୍ତି ।

କନ୍ଧ ପୂଜକ ଶିଆଳି ପତ୍ରରେ ଧରିଥିବା ଚାଉଳକୁ ଦେବତାଙ୍କୁ ଅର୍ପଣ କରି ଗୁପ୍ତମନ୍ତ୍ର ଉଚ୍ଚାରଣ କରନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନଯାଗ ଯାତ୍ରୀମାନେ ଦାରୁ ଅନ୍ୱେଷଣ କାଳରେ ଯେଭଳି ସ୍ୱପ୍ନାବତୀ ମନ୍ତ୍ର ଏବଂ ନୃସିଂହମନ୍ତ୍ର ଉଚ୍ଚାରଣ କରନ୍ତି ଅନୁରୂପ ଭାବେ କୁଟିଆ କନ୍ଧମାନେ ‘ତିବା-ଦାଇ’ ମନ୍ତ୍ର ପାଠ କରି ସେମାନଙ୍କ ଦେବତାଙ୍କୁ ସ୍ମରଣ କରନ୍ତି । କୁଟିଆ କନ୍ଧମାନେ ମନ୍ତ୍ର ଉଚ୍ଚାରଣ କରିବା ପରେ ଶାଳଗଛକୁ ମୁଷ୍ଠି ପ୍ରହାର କରି ଏବଂ ଗଛର ଗଣ୍ଠିରେ କାନ ଡେରୀ, ଗଛଟି ପୋଲା କି ନିଦା ଆକଳନ କରନ୍ତି । ‘ବନଯାଗଯାତ୍ରା’ର ‘ଚଉପଟ’ ନୀତି ଭଳି କୁଟିଆ କନ୍ଧମାନେ ଶାଳ ଗଛଟିକୁ କାଟି ସେଥିରୁ ଡାଳପତ୍ର, ଶାଖାପ୍ରଶାଖା ଅଲଗା କରି ତାକୁ ଭୂମିରେ ପୋତି ନିଅନ୍ତି ଏବଂ ନିଦା କାଠଗଣ୍ଡିକୁ ଗ୍ରାମ ଉପାସନା ସ୍ଥଳ (ଧରଣୀଶାଳ)କୁ ଆଣିଥାନ୍ତି । ଏହାପରେ ବଢେଇଙ୍କ ଦ୍ୱାରା ଏଥିରୁ ‘ମେରିଆ ମୁଣ୍ଡା’ ପ୍ରସ୍ତୁତ କରାଯାଏ । ମେରିଆ ମୁଣ୍ଡା ପ୍ରସ୍ତୁତ ସମୟରେ ଯଥାରୀତି ଓ ବିଧି ଅନୁପାଳକ କରାଯାଇଥାଏ । ମେରିଆ ମୁଣ୍ଡା ବା ଖମ୍ବଟି ପ୍ରାୟ ଦୁଇରୁ ଅଢେଇ ଫୁଟର ଗୋଲେଇ ଏବଂ ସାତଫୁଟ ଅଧେରୁ ଆଠଫୁଟ ଲମ୍ବର ଶାଳକାଠରୁ ନିର୍ମିତ ହୋଇଥାଏ । ଏହି ଖମ୍ବଟିକୁ ପ୍ରାୟ ଦୁଇରୁ ଅଢେଇ ଫୁଟ ମାଟିରେ ପୋତିବା ପରେ ଏହାର ଉଚ୍ଚତା ସାଢ଼େ ପାଞ୍ଚଫୁଟରୁ ଛଅଫୁଟ ମଧ୍ୟରେ ଉପରକୁ ରହିଥାଏ । କନ୍ଧ ଯୁବକ, ଯୁବତୀମାନେ ମେରିଆ ଖମ୍ବ ପ୍ରତିଷ୍ଠା ହେବାକୁ ଥିବା ଏହି ଶାଳକାଠ ଗଣ୍ଡିକୁ ଏକ ଶୋଭାଯାତ୍ରା ମାଧ୍ୟମରେ ବାଦ୍ୟ ବଜାଇ, ଗୀତଗାଇ ଧରଣୀଶାଳାକୁ ନିଅନ୍ତି । କାଠଗଣ୍ଡିକୁ ପବିତ୍ର ହଳଦିପାଣିରେ ଗାଧୋଇବା ସହ ବିଧି ମୁତାବକ ସଂସ୍କାର କରାଯାଏ । ଏହାପରେ ଧରଣୀଶାଳରେ ବଢେଇମାନେ ଖୋଦେଇ କାମ (ଲିଇଙ୍ଗ୍-ପିଚିଙ୍ଗ୍) କାମ ଆରମ୍ଭ କରନ୍ତି । ମେରିଆ ମୁଣ୍ଡାର କଟି ଅଂଶରୁ ଉପରକୁ ପ୍ରାୟ ସାଢ଼େ ପାଞ୍ଚଫୁଟରୁ ଛଅଫୁଟ ମଧ୍ୟରେ ଉପରକୁ ରହିଥାଏ । ମୁଣ୍ଡାର ବାକି ଅଂଶ ମାଟି ତଳେ ପୋତି ଦିଆଯାଏ ।

ବାଥୁଡ଼ି ସମ୍ପ୍ରଦାୟର ‘ବଡ଼ାମ୍’ ଅର୍ଥାତ୍ ବଲରାମ :

ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ବାଥୁଡି ସମ୍ପ୍ରଦାୟର ବନବାସୀମାନେ ବଡ଼ାମଙ୍କର ପରମଭକ୍ତ ଭାବେ ଜଣାଶୁଣା । ମନେହୁଏ ସେମାନେ କାହିଁ କେଉଁ କାଳରୁ ବଡ଼ାମ୍ ବା ବଳରାମଙ୍କୁ ପୂଜା କରିଆସୁଛନ୍ତି । ବଡ଼ାମଙ୍କ ସହିତ ସେମାନେ ଅନ୍ୟ ଦୁଇ ମୂର୍ତ୍ତିର ଉପାସନା କରିଥାନ୍ତି, ଯାହାଙ୍କୁ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ସହ ତୁଳନା କରାଯାଇଥାଏ । ଏହି ବାଥୁଡ଼ି ସମ୍ପ୍ରଦାୟର ବନବାସୀମାନେ ବଡ଼ାମ୍ ଠାକୁର ଏବଂ ତାଙ୍କ ଭାଇ, ଭଉଣୀଙ୍କୁ ଯଶୀପୁର ଶିମିଳିପାଳସ୍ଥିତ ଜଙ୍ଗଲ ମଧ୍ୟରେ ଥିବା ‘ଅଠର ଦେଉଳ’ରେ ପୂଜା କରିଥାନ୍ତି । ଅଠର ଦେଉଳକୁ ନେଇ ବାଥୁଡ଼ି ସମ୍ପ୍ରଦାୟରେ ଅନେକ କିମ୍ବଦନ୍ତୀ ଓପ୍ରାଚୀନ କାହାଣୀମାନ ରହିଛି-। “ଅଠର ଦେଉଳ”କୁ ସ୍ଥଳ ବିଶେଷରେ ପୁରୀ ଶ୍ରୀମନ୍ଦିର ସହ ତୁଳନା କରାଯାଇଥାଏ ଏବଂ ଏହି ମନ୍ଦିରରେ ତିନୋଟି ପଥର ବିଗ୍ରହ ପୂଜା ପାଆନ୍ତି । ଶବର ରାଜା ବିଶ୍ୱାବସୁ ଇନ୍ଦ୍ରନୀଳମଣି ବିଗ୍ରହକୁ ପାହାଡ଼ କନ୍ଦର (ଗୁମ୍ଫା)ରେ ରଖି ‘ନୀଳମାଧବ’ ରୂପେ ପୂଜା କରୁଥିଲେ । ପାହାଡ଼ ପର୍ବତ, ଗୁମ୍ଫାରେ ଗୋପନରେ ଦେବତାଙ୍କୁ ସ୍ଥାପନ କରି ପୂଜା କରିବା ବନବାସୀଙ୍କ ଅନ୍ୟ ଏକ ପରିଚୟ । ବାଥୁଡ଼ିମାନେ ଶିମିଳିପାଳ ଅଭାୟରଣ୍ୟ ମଧ୍ୟରେ ଥିବା ପାହାଡ ଗୁମ୍ଫା ମଧ୍ୟରେ ସେମାନଙ୍କ ଦେବତା ‘ବାଡ଼ାମ୍’ଙ୍କୁ ରଖି ପୂଜା କରିଥାନ୍ତି । ବାଥୁଡ଼ିମାନଙ୍କ ଏହି ପୂଜା ଜନପଦୀୟ ‘ନୀଳମାଧବ ଉପାସନା’ ସହିତ ଅନେକ ସାମଞ୍ଜସ୍ୟ ରଖିଥାଏ ।

‘ଗଣ୍ଡ’ ଜନଜାତି ଗୋଷ୍ଠୀଙ୍କ ‘ବୁଢ଼ାଦେଓ’ :

ଓଡ଼ିଶାରେ ବସବାସ କରୁଥିବା ‘ଗଣ୍ଡ’ ସମ୍ପ୍ରଦାୟର ବନବାସୀମାନେ ତିନୋଟି ଦେବତା ‘ବୁଢ଼ାଦେଓ’ (ବୁଢ଼ାରଜା), ‘ଲିଙ୍ଗ’ ଓ ‘ଜଙ୍ଗ’ଙ୍କୁ ପୂଜା କରିଥାନ୍ତି । ଏହି ତିନି ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର, ଓ ଦେବୀ ସୁଭଦ୍ରା ବୋଲି ସମ୍ଭାବନା କରାଯାଏ । ଗଣ୍ଡମାନଙ୍କର ଏକ ଲୋକକାହାଣୀରେ ଥିବା ବର୍ଣ୍ଣନା ଅନୁସାରେ, ବିଦ୍ୟାପତି ଶବରମାନଙ୍କ ଇଷ୍ଟଦେବ ଶ୍ରୀନୀଳମାଧବଙ୍କୁ ହରଣ କରି ନେଇଗଲା ପରେ ଶବରମାନେ ସେମାନଙ୍କ ଇଷ୍ଟଦେବଙ୍କୁ ହରାଇ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିଲେ । ପ୍ରଭୁ ନୀଳମାଧବ ପୁଣି ତାଙ୍କ ବନବାସୀ ପଲ୍ଲୀକୁ ଫେରିଆସିବାକୁ ଶବରମାନେ ଗଭୀର ପ୍ରାର୍ଥନା କରିଥିଲେ । ଶବରମାନଙ୍କର ପ୍ରାର୍ଥନା ଶୁଣି ନୀଳମାଧବ ସ୍ୱପ୍ନରେ କହିଥିଲେ ଯେ, ବିଦ୍ୟାପତି ତାଙ୍କୁ ସମ୍ପୁର୍ଣ୍ଣ ନେଇପାରି ନାହାନ୍ତି । ଶବରମାନଙ୍କର ପୂଜର୍ଚ୍ଚନା ନିମନ୍ତେ ତାଙ୍କ ଜଙ୍ଘଠାରୁ ପାଦ ପର୍ଯ୍ୟନ୍ତ ଏଠାରେ ରଖିଦେଇ ଯାଇଥିବା କଥା ନୀଳମାଧବ ସ୍ୱପ୍ନରେ ଶବରମାନଙ୍କୁ କହିଥିଲେ । ଏଣୁ ସେହିଦିନଠାରୁ ଶବରମାନେ ନୀଳମାଧବଙ୍କ ଜଙ୍ଘଠାରୁ ପାଦ ପର୍ଯ୍ୟନ୍ତ ଅଂଶକୁ ପୂଜା କରିଆସୁଛନ୍ତି । ସୂଚନାଯୋଗ୍ୟ, ପ୍ରକୃତିର ଆଦ୍ୟ କାଳରେ ବନବାସୀମାନେ କେବଳ ଗୋଟିଏ ନାମରେ ବେଶ୍ ଜଣାଶୁଣା ଥିଲେ । ପ୍ରତ୍ୟେକ ନିଜକୁ ଶବର ବୋଲି କହୁଥିଲେ । ପରବର୍ତ୍ତୀ ସମୟରେ ଏହି ଶବରମାନେ ବିଭିନ୍ନ ଶ୍ରେଣୀ ବା ଗୋଷ୍ଠୀର ବିଭକ୍ତ ହୋଇ ନିଜକୁ ସ୍ୱତନ୍ତ୍ର ଗୋଷ୍ଠୀର ପ୍ରତିନିଧି ଭାବେ ଘୋଷଣା କଲେ । ଏହି ଗଣ୍ଡମାନେ ପ୍ରାଚୀନ ଶବରମାନଙ୍କର ଏକ ଅଂଶ । ଅପରପକ୍ଷେ, କେନ୍ଦୁଝର ଓ ମୟୁରଭଞ୍ଜ ଅଞ୍ଚଳରେ ବସବାସ କରୁଥିବା ଗଣ୍ଡ (ଗୋଣ୍ଡ) ସମ୍ପ୍ରଦାୟର ଆଦିବାସୀମାନେ ବୃକ୍ଷ ଉପାସନା ସହିତ ଜଡିତ । ସେମାନେ ବୃକ୍ଷର ଏକ ଗଣ୍ଡିକୁ ପାଟ କପଡାରେ ବହୁ ପରସ୍ତ ଗୁଡାଇ ତାଙ୍କୁ ଗୁପ୍ତ ଭାବେ ପୂଜର୍ଚ୍ଚନା କରିଥାନ୍ତି ।

ଶବରୀ ନାରାୟଣ, କିତୁଙ୍ଗ୍ ଓ ଜଗନ୍ତ :

ଜଗନ୍ନାଥ ପ୍ରଥମେ ଶବରୀ ନାରାୟଣ ଭାବେ ପୂଜିତ ହେଉଥିଲେ । ସେତେବେଳେ ଗୋଟିଏ ବୃକ୍ଷରେ ତାଙ୍କର ସ୍ଥିତିକୁ କଳ୍ପନା କରାଯାଇ ଉପାସନା କରାଯାଉଥିଲା । ଏହା ଆଦିମ କାଳର ବୃକ୍ଷ ଉପାସନା ସମ୍ପର୍କରେ ଧାରଣା ପ୍ରଦାନ କରିଥାଏ । ଡ.ବେଣୀମାଧବ ପାଢୀଙ୍କ ମତରେ ‘ଜଗନ୍ନାଥ’ ଶବ୍ଦଟି ମୂଳତଃ ପାଲି ଭାଷାର କିମ୍ବା ସଂସ୍କୃତ ଭାଷାର ନୁହେଁ । ଏହା ଶବର (ମୁଣ୍ଡା)ଭାଷାର ବ୍ୟବହୃତ ‘ଜଗନ୍ତ’ ଶବ୍ଦର ସଂସ୍କୃତ ରୂପ । ଶବର ଭାଷାରେ, ‘ଜଗନ୍ତ’ ଶବ୍ଦର ଅର୍ଥ ‘ଜଗତର ଦେବତା’ । ଶବର ବା ସଉରା ଭାଷାରେ ‘କିତୁଙ୍ଗ୍’ ଶବ୍ଦର ଅର୍ଥ ଦେବତା । ଶବରମାନେ ବିଶ୍ୱାସ କରନ୍ତି ଯେ, ‘କିତୁଙ୍ଗ୍’ଙ୍କର ଦଶଗୋତି ରୂପ ଅଛି ଏବଂ ସେମାନେ ହେଉଛନ୍ତି ଦଶଭାଇ । ଏହି ଦଶଭାଇ ହେଲେ- ଜଗନ୍ତ, ତୋଡ଼, ତୁମନ, ଭୀମ, ରଂରଂ, ଗର୍ସିଦ, ରାମନ, ଯୋଜେପଲ, ମତ୍ତ, ତିତ୍ତି । ଶବରମାନଙ୍କର ଉତ୍ସବରେ ସେମାନେ ଏହି ଦଶରୂପର ଚିତ୍ର ଅଙ୍କନ କରି ପୂଜା ଆରାଧନା କରିଥାନ୍ତି । ଶବରମାନଙ୍କ ‘କିତୁଙ୍ଗ୍’ଙ୍କର ଏହି ଦଶରୂପ ଚିନ୍ତାଧାରାରୁ ହିଁ ‘ଦଶାବତାର’ ପରିକଳ୍ପନା ବୋଲି କୁହାଯାଇପାରେ । କାଠ ନିର୍ମିତ ଏହି ଶବର ଠାକୁରଙ୍କ ମୂର୍ତ୍ତିରେ ନାଲି, ଧଳା ଓ ହଳଦିଆ ରଙ୍ଗରେ ଚିତ୍ରିତ ହୋଇଥାଏ । ଅନେକ ସ୍ଥାନରେ ସୁଭଦ୍ରାଙ୍କ ରଙ୍ଗ ହଳଦୀ ବଦଳରେ ଲାଲ୍ (କୁଙ୍କୁମ ବର୍ଣ୍ଣ) ହୋଇଥାଏ । ଏହା ସମ୍ଭବତଃ ତନ୍ତ୍ରର ପ୍ରଭାବ ବୋଲି ଗବେଷକ କହନ୍ତି । ଛତ୍ରୀ ଭଳି ବନବାସୀଙ୍କ ‘କିତୁଙ୍ଗ୍’ ମୂର୍ତ୍ତି ଉପରେ ଛଣରେ ତିଆରି ଏକ ଛତା ମଧ୍ୟ ଟଙ୍ଗା ଯାଇଥାଏ । ଶବରମାନେ ସେମାନଙ୍କ ଦେବତା (ଜଗନ୍ତ) ଙ୍କୁ ଶ୍ରଦ୍ଧାରେ ‘ଜଗାବୋଇ’ ବୋଲି ସମ୍ବୋଧନ କରିଥାନ୍ତି । ‘ଜଗାବୋଇ’ର ସରଳ ଅର୍ଥ ହେଉଛି ଜଗା ଦେବତା ବା ଜଗା ଠାକୁର । ଆମେ ଅନେକ ସମୟରେ ଶ୍ରୀଜଗନ୍ନାଥଙ୍କୁ ଶ୍ରଦ୍ଧାରେ ଜଗାଠାକୁର ବୋଲି ସମ୍ବୋଧନ କରିଥାଉ । ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ଗଞ୍ଜାମ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବନବାସୀ ବୃକ୍ଷ ଦେହରେ ରଙ୍ଗ ବୋଳି ସେଥିରେ ଆଖି, କାନ, ନାକ ଅଙ୍କନ କରି ପୂଜା କରିଥାନ୍ତି ।

ଶବରମାନେ ‘ଜଗନ୍ତ’ଙ୍କୁ ଆଷାଢ଼ ମାସରେ ପୂଜା କରିଥାନ୍ତି । ‘ଜଗନ୍ତ’ଙ୍କର ରଥଯାତ୍ରା ମଧ୍ୟ ହୋଇଥାଏ । ଶବରମାନଙ୍କ ଏକ ଦିମ୍ବଦନ୍ତୀରୁ ଜଣାଯାଏ, ଦିନେ ରାବଣଗିରି ପର୍ବତ ଉପରେ ମହାପ୍ରଭୁ ‘ଜଗନ୍ତ’ ଖଣ୍ଡିଏ ପଥର ଫଟାଇବାରୁ ସେଥିରୁ ପ୍ରଚୁର ନିଆଁ ବାହାରିଲା । ଏହି ନିଆଁ ‘ଜଗନ୍ତ’ଙ୍କ ଉପରକୁ ଛିଟିକିପଡି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଦେଲା ଏବଂ ତାଙ୍କ ହାତ ଓ ପାଦ ପୋଡିଗଲା । ଫଳରେ ‘ଜଗନ୍ତ’ ହସ୍ତ ଓ ପଦଶୂନ୍ୟ ଦେବତା ପାଲଟିଗଲେ । ସେହିଦିନଠାରୁ ‘ଜଗନ୍ତ’ ପଙ୍ଗୁ ଅବସ୍ଥାରେ ରାବଣଗିରି ପର୍ବତରେ ରହିଗଲେ ଏବଂ ଶବରମାନଙ୍କ ଦ୍ୱାରା ପୂଜିତ ହେଲେ । ଶବରମାନଙ୍କର ଏହି ପଙ୍ଗୁ ଦେବତା ‘ଜଗନ୍ତ’ ହିଁ ଆଜିର ହସ୍ତପଦଶୁନ୍ୟ ଜଗନ୍ନାଥ ବୋଲି ଗବେଷକ କିମ୍ବଦନ୍ତୀକୁ ଆଧାର କରି ମତପ୍ରକାଶ କରନ୍ତି । ଶବରମାନେ ଚାଳରେ ଶିକା ବାନ୍ଧି ଗୋଟିଏ ହାଣ୍ଡି (କୁଡୁଆ) ଟାଙ୍ଗି କଳା, ଧଳା ଓ ଲାଲ୍ ରଙ୍ଗରେ ଚିତ୍ରିତ ତିନୋଟି କାଠମୂର୍ତ୍ତି ପୂଜା କରନ୍ତି । ସେମାନେ ଯଥାକ୍ରମେ କିତୁଙ୍ଗ୍, ଧର୍ମବୋଦ ଓ ବଳିଆ ନାମରେ ନାମିତ । ଶବର ଭାଷାରେ ‘କିତୁଙ୍ଗ୍’ ଅର୍ଥ ଜଗନ୍ନାଥ ।

କୋୟାମାନଙ୍କ ‘ଜଗାରାଜୁ’ ଓ ଶ୍ରୀଜଗନ୍ନାଥ :

କୋୟା ଜନଜାତିମାନେ ନିଜକୁ ପାଣ୍ଡବଙ୍କ ବଂଶଧର ବୋଲି ଦାବି କରନ୍ତି । ‘କନ୍ନମରାଜୁ’ ବା ଶ୍ରୀକୃଷ୍ଣ ସେମାନଙ୍କର ମୁଖ୍ୟ ଦେବତା । ଏହା ସହିତ ସେମାନେ ‘ବାଲରାଜୁ’ (ଅର୍ଜୁନ) ଏବଂ ‘ପୋତୁରାଜୁ’ (ଭୀମ)ଙ୍କୁ ମଧ୍ୟ ପୂଜା କରନ୍ତି । ଅପରପକ୍ଷେ, କୋୟା ପୂଜିତ ଅନ୍ୟ ଦେବଦେବୀଙ୍କର ମଧ୍ୟରେ ‘ଜଗାରାଜୁ’, ‘କୋରାରାଜୁ’ ଏବଂ ‘ସୁଭଦ୍ରାମ୍ମା’ ପ୍ରଧାନ । ଏହି ତିନି ଦେବତାଙ୍କ ତୁଳନା ଯଥାକ୍ରମେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ କେତେକ ଆଲୋଚକ କରିଥାନ୍ତି ।

ଗଦବାଙ୍କ ‘ଜଗତା’ ଉପାସନା :

ଗଦବାମାନେ ପୁରାତନ ଶବର ଅନ୍ତର୍ଭୁକ୍ତ ଏକ ବନବାସୀଗୋଷ୍ଠୀ । ଗଦବା ଓ ଶବର (ସଉରା)ମାନଙ୍କ ମଧ୍ୟରେ ଅନେକ ଧାର୍ମିକ ସାମଞ୍ଜସ୍ୟ ଅନୁଭୂତ ହୋଇଥାଏ । ଶବରମାନଙ୍କ ‘ଜଗନ୍ତ’ ଭଳି ଗଦବାମାନେ ‘ଜଗତା’କୁ ମୁଖ୍ୟ ଦେବତା ଭାବେ ପୂଜା କରନ୍ତି । ଆହୁରି ମଧ୍ୟ ଗଦବାମାନେ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଛେକି ପର୍ବ ବା ରଥଯାତ୍ରା ପାଳନ କରିଥାନ୍ତି ।

ପରଜାଙ୍କ ବାଲିପର୍ବ, ‘ବାଲିଖମ୍ବ ପ୍ରତିଷ୍ଠା’ :

‘ବାଲିଯାତ୍ରା’ କୋରାପୁଟ ଅଞ୍ଚଳର ପରଜାଙ୍କ ଦ୍ୱାରା ପାଳନ କରାଯାଉଥିବା ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବ ପାଳନ କଲେ ଜମିରେ ଭଲ ଫସଲ ହେବା ସାଙ୍ଗକୁ ଗାଁ ଲୋକେ ସକଳ ବିପଦରୁ ମୁକ୍ତି ପାଇବେ ଏବଂ ଗାଈ ଗୋରୁଙ୍କୁ ରୋଗବଇରାଗ ହେବନାହିଁ ବୋଲି ପରଜାମାନଙ୍କ ବିଶ୍ୱାସ । ବାଲିଯାତ୍ରା ବର୍ଷର ବିଭିନ୍ନ ସମୟରେ ହୋଇଥାଏ । ତେବେ ବିଶେଷକରି ଚୈତ୍ର ମାସରେ ପରଜାମାନେ ବାଲିଯାତ୍ରା ଆୟୋଜନ କରିଥାନ୍ତି । ପରଜାମାନେ ତିନି ବର୍ଷରେ କିମ୍ବା ଛଅ ବର୍ଷରେ କିମ୍ବା ପ୍ରତି ବାରବର୍ଷରେ ଠାରେ ବାଲିଯାତ୍ରା ପାଳନ କରନ୍ତି । ଗାଁରେ ଥିବା ବାଲିଖମ୍ବ ଭଙ୍ଗିଗଲେ କିମ୍ବା କୌଣସି କାରଣରୁ ଖମ୍ବ ମାରା ହୋଇଗଲେ ପୁରାତନ ଖମ୍ବକୁ ପରିବର୍ତ୍ତନ କରି ତା’ ସ୍ଥାନରେ ନୂତନ ବାଲିଖମ୍ବ ପ୍ରତିଷ୍ଠା କରାଯାଇଥାଏ । ଅର୍ଥାତ୍ ଏହି ବାଲିଖମ୍ବର ‘ନୂଆକଳେବର’ ହୋଇଥାଏ ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ପରଜାମାନେ ପାଳନ କରୁଥିବା ବାଲିଯାତ୍ରା ଓ ଅନ୍ୟ ବନବାସୀମାନେ ପାଳନ କରୁଥିବା ବାଲିଯାତ୍ରା ମଧ୍ୟରେ ବହୁତ ପାର୍ଥକ୍ୟ ଥାଏ । ପରଜାମାନେ ପ୍ରତି ତିନିବର୍ଷରେ ଠାରେ ବାଲିଯାତ୍ରା ପାଳନ କରୁଥିବାବେଳେ ଅନ୍ୟମାନେ ପ୍ରତି ବାର ବର୍ଷରେ ଥରେ ପାଳନ କରନ୍ତି । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଭତରା, ଭୂମିଆ, କନ୍ଧ, ଗାଦବା ଆଦି ବନବାସୀମାନେ ବାଲିଯାତ୍ରା ପାଳନ କରନ୍ତି । ଏହାବ୍ୟତୀତ ଡମ୍ବ, ରଣା, ବିଷୋୟୀମାନେ ମଧ୍ୟ ପାଟ ବାଲିଯାତ୍ରା ପାଳନ କରିଥାନ୍ତି । ସାଧାରଣତଃ ବାଲିଯାତ୍ରା ପ୍ରତି ତିନି କିମ୍ବା ଛଅ କିମ୍ବା ବାରବର୍ଷ ଅନ୍ତରରେ ପାଳନ କରାଯାଏ । ଏହି ବାଲିଯାତ୍ରା ନଅଦିନ ଧରି ଚାଲେ ।

ବାଲିଯାତ୍ରା ପାଳନ ହେବାର ବହୁ ପୂର୍ବରୁ ଗାଁର ମୁଦୁଲି / ନାୟକ ଓ ଯାନୀଙ୍କ ନେତୃତ୍ବରେ ବେରଣମୁଣ୍ଡା ନିକଟରେ ବୈଠକ ବସେ । ବାଲିଯାତ୍ରାର ସୁପରିଚାଳନା ଏବଂ ଆର୍ଥିକ ଭରଣା ନେଇ ଏହି ବୈଠକରେ ଆଲୋଚନା ହୋଇଥାଏ । ବାଲିଯାତ୍ରାର ଏକ ସପ୍ତାହ ପୂର୍ବରୁ ଗାଁର ଚଲାଣ କୁକୁଡା, ମଦ ଓ ମାଣ୍ଡିଆ ନେଇ ଗାଁର ଯାନୀ (ପୂଜକ)ଙ୍କୁ ପ୍ରଦାନ କରି ଯାତ୍ରାର ଶୁଭାରମ୍ଭ କରିବା ପାଇଁ ପ୍ରସ୍ତାବ ବାଢ଼ନ୍ତି । ପୂଜାରୀ ଗ୍ରାମବାସୀଙ୍କ ତରଫରୁ ଏହି ପ୍ରସ୍ତାବକୁ ଗାଁ ଠାକୁରାଣୀଙ୍କ ନିକଟରେ ରଖନ୍ତି । ଦିଶାରୀ (ଜ୍ୟୋତିଷ) ଏକ ଶୁଭ ସମୟ ବାହାର କରନ୍ତି । ବାଲିଯାତ୍ରାରେ ଗୁରୁମାଈ (ମହିଳା ପୂଜକ)ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ।

ବାଲିଯାତ୍ରା ନଅଦିନ ଧରି ଚାଲେ । ଏହି ସମୟରେ ପୁରୁଣା ବାଲିଖମ୍ବକୁ ପରିବର୍ତ୍ତନ କରାଯାଇ ନୂତନ ବାଲିଖମ୍ବ ପ୍ରତିଷ୍ଠା କରାଯାଇଥାଏ । ବାଲି କୁଡ଼ିଆରେ ବାଲି ସ୍ଥାପନା ପରେ ଗୁରୁମାଈ ଗାଁର ସମସ୍ତ ଘରୁ ଧାନ, ମକା, ମାଣ୍ଡିଆ, ଝୁଡଙ୍ଗ, ବିରି, ମୁଗ, ଶିମ୍ବ, କାନ୍ଦୁଲ ଆଦିର ମଞ୍ଜି ସଂଗ୍ରହ କରନ୍ତି । ଗାଁର ପ୍ରତି ପରିବାରରୁ ଆସିଥିବା ବାଲି ଚାଙ୍ଗୁଡ଼ି ଗୁଡ଼ିକୁ ବାଲି କୁଡ଼ିଆରେ ଧାଡ଼ି ଧାଡ଼ି କରି ସଜା ହୋଇ ସ୍ଥାପନା କରାଯାଏ । ଏହାପରେ ଗାଁର ପ୍ରତି ପରିବାରରୁ ସଂଗ୍ରହ କରାଯାଇଥିବା ମଞ୍ଜି ସବୁକୁ ଗୁରୁମାଈ (ମହିଳା ପୂଜକ) ଉକ୍ତ ବାଲି ଚାଙ୍ଗୁଡ଼ି ଗୁଡ଼ିକରେ ପୋତି ଦିଅନ୍ତି । ଏହାପରେ ଏଥିରୁ ଗଜା ସୃଷ୍ଟି ହୋଇଥାଏ । ଗୁରୁମାଈର ମନ୍ତ୍ରପାଠରେ ଯଦି କିଛି ତ୍ରୁଟି ରହିଯାଏ, ତେବେ ମଞ୍ଜି ଗଜା ହୁଏନାହିଁ । ମଞ୍ଜିରୁ ଗଜା ହେବାର ପ୍ରକ୍ରିୟା ବୈଦିକ କର୍ମକାଣ୍ଡ ବିଜ୍ଞାନର ଅଙ୍କୁରାରୋପଣ ନୀତି ସହିତ ସାମଞ୍ଜସ୍ୟ ରଖେ ।

ପ୍ରତି ପରଜା ଗାଁର ଯାନୀ ଘର ସାମ୍ନାରେ କାଠ ନିର୍ମିତ ଏକ ବିଶାଳ ଖମ୍ବ ମାଟିରେ ପୋତା ଯାଇଥାଏ ଏବଂ ଏହା ବାଲିଯାତ୍ରା ସମୟରେ ପୂଜା ପାଏ । ଏହାକୁ ‘ବାଲିଖମ୍ବ’ କୁହାଯାଏ । ପ୍ରତି ତିନିବର୍ଷ କିମ୍ବା ଛଅ ବର୍ଷ କିମ୍ବା ବାରବର୍ଷ ଅନ୍ତରରେ ଏହି ବାଲିଖମ୍ବକୁ ବଦଳା ଯାଇଥାଏ । ଏହି ବାଲିଖମ୍ବ ପ୍ରତିଷ୍ଠା ଉତ୍ସବଟି ବୋଲି ମନେହୁଏ । ‘ବନଯାଗ’ ପରମ୍ପରା ସହିତ ଅବିକଳ ସାମଞ୍ଜସ୍ୟ ରକ୍ଷା କରିଥାଏ ବୋଲି ମନେହୁଏ ।

ପରଜାମାନଙ୍କ ବାଲିଖମ୍ବ ସାଧାରଣତଃ ମହୁଲ କାଠରୁ ପ୍ରସ୍ତୁତ ହୋଇଥାଏ । ଏହି ମହୁଲ ଗଛ ସାଧାରଣତଃ ନିକଟସ୍ଥ ଜଙ୍ଗଲରୁ ଚୟନ କରାଯାଇଥାଏ । ବିଧି ଅନୁସାରେ ଗାଁର ପୂଜକ (ଯାନୀ)ଙ୍କୁ ପ୍ରଥମେ ଗ୍ରାମ ଦେବୀ (କଲା ଦାରାନି ମାତା) ସ୍ୱପ୍ନାଦେଶ କରିଥାନ୍ତି । ସ୍ୱପ୍ନାଦେଶ ପାଇବା ପରେ ଯାନୀଙ୍କ ନେତୃତ୍ୱରେ ଏକ ଦଳ ଉପଯୁକ୍ତ ମହୁଲ ଗଛର ସନ୍ଧାନରେ ବାହାରନ୍ତି । ନିର୍ଦ୍ଦିଷ୍ଟ ଲକ୍ଷଣ ଥିବା ବୃକ୍ଷର ସନ୍ଧାନ ପାଇଲା ପରେ ପରଜାମାନେ ଏହାକୁ ଭୂପତିତ କରି ନିଜ ଗାଁକୁ ବୋହି ଆଣନ୍ତି । ମହୁଲ ଗଛଟି ଭୂପତିତ ହେବା ପରେ ଏହାର ଡାଳ, ଶାଖାପ୍ରଶାଖା କାଟି ମାଟିରେ ପୋତି ଦିଆଯାଏ ଏବଂ କେବଳ ଗଣ୍ଡିଟିକୁ ଗାଁକୁ ଅଣାଯାଏ । ଏହାପରେ ବଢେଇଙ୍କ ଦ୍ୱାରା କାଠ ଗଣ୍ଡିରୁ ବାଲିଖମ୍ବ ନିର୍ମାଣ କରାଯାଏ । ବାଲିଖମ୍ବ ପ୍ରତିଷ୍ଠା ସମୟରେଯାନୀଙ୍କ ସମେତ ମହୁଲ ଗଛ ଅନ୍ୱେଷଣରେ ଯାଇଥିବା ସମସ୍ତ ସଦସ୍ୟମାନେ କଠିନ ବ୍ରତ ପାଳନ ପୂର୍ବକ ନିଷ୍ଠା ଓ ନୀତିରେ ରହିଥାନ୍ତି । ଗାଁର ଯାନୀ (ପୂଜାରୀ) ବାଲିଖମ୍ବ ପ୍ରତିଷ୍ଠା କରନ୍ତି । ବାଲିଖମ୍ବ ବା ବାଲୀ ଦେବତାଙ୍କ ଖମ୍ବ କେବଳ ମହୁଲ କାଠରେ ନର୍ମିତ ହୋଇଥାଏ । ଏହା ୭ ହାତ ଲମ୍ବ ହୋଇଥାଏ । ଗାଁର ଯାନୀଙ୍କ ଘର ସମ୍ମୁଖରେ କିମ୍ବା ଗାଁ ଠାକୁରାଣୀ ଶାଳ ନିକଟରେ ୩ହାତ ଗଭୀର ଗାତ ଖେଳାଯାଏ । ଏହି ୭ହାତ ଲମ୍ବର ଖମ୍ବକୁ ୩ହାତ ମାଟି ଭିତରେ ପୋତାଯାଏ ଏବଂ ୪ହାତ ଲମ୍ବ ଉପରକୁ ରହିଥାଏ । ବାଲିଖମ୍ବକୁ ପୋତିଲା ବେଳେ ଯାନୀ ପ୍ରଥମେ ଦୁଇଟି କୁକୁଡ଼ା ଅଣ୍ଡାକୁ ପୂଜା କରି ଗାତ ମଧ୍ୟରେ ପୋତି ଦିଅନ୍ତି ଏବଂ ପୁରୁଣା ବାଲିଖମ୍ବକୁ ଆଉ ଏକ ଗାତ ଖୋଳି ପୋତିଦିଆଯାଏ ।

ତଥ୍ୟ ସହାୟତା :

୧.

ପ୍ରଧାନ ରଞ୍ଜନ, ‘ପରଜାଙ୍କ ବାଲିଖମ୍ବ ପ୍ରତିଷ୍ଠା ଉତ୍ସବ’ , ‘ପରଜା ଜୀବନ ଓ ସଂସ୍କୃତି’ , ପ୍ରଜ୍ଞାପରିମିତା ପବ୍ଲିକେଶସନସ, କେନ୍ଦ୍ରାପଡା (୨୦୦୭) ।

୨.

ବେହେରା ହରେକୃଷ୍ଣ, ‘ଶବର ସଂସ୍କୃତି ଓ ଶ୍ରୀଜଗନ୍ନାଥ’ , ‘ପରବ୍’ , ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟ (୨୦୦୬) ।

୩.

ପଟ୍ଟନାୟକ ଅସିତ୍ କୁମାର, ‘ଆଦିବାସୀ ସମାଜରେ ପ୍ରକୃତିପୂଜା’ , ‘ବନଜା’ , ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଭୁବନେଶ୍ୱର (୨୦୧୫) ।

୪.

ମାନସେଠ୍ କ୍ଷେତ୍ରବାସୀ, ‘କୁଟିଆ କନ୍ଧ କାଷ୍ଠକଳାର ଶ୍ରେଷ୍ଠ ନମୂନା : ପୂଜାସ୍ତମ୍ଭ’, ‘ବନଜା’ , ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଭୁବନେଶ୍ୱର, (୨୦୧୪) ।

୫.

ପାଢ଼ୀ ଡ.ବେଣୀମାଧବ, ‘ଦାରୁ ଦେବତା’, କଟକ ଷ୍ଟୁଡେଣ୍ଟସ ଷ୍ଟୋର୍, କଟକ, (୧୯୮୫)

୬.

ଘନ ଯାନୀ, ଧନୁର୍ଜୟ ଯାନୀ ଓ ଉମାକାନ୍ତ ଯାନୀ, ଗ୍ରାମ:ରଜାମାଟୁ, ବ୍ଲକ୍: ପାପଡ଼ହାଣ୍ଡି, ଜିଲ୍ଲା: ନବରଙ୍ଗ ପୁର ।

୭.

ଧନ ଯାନୀ (ପୂଜାରୀ) ଓ ହାରାବତୀ ମୁଦୁଲି (ଗୁରୁମାଈ), ଗ୍ରାମ: ମାଛପୁଟ, ପଞ୍ଚାୟାତ: ପଦ୍ମପୁର, ବ୍ଲକ୍: କୋରାପୁଟ, ଜିଲ୍ଲା: କୋରାପୁଟ ।

ଲେଖକଙ୍କ ଠିକଣା :

୧.

ସୁରେନ୍ଦ୍ର କୁମାର ମିଶ୍ର

:

ଗବେଷଣା ଅଧିକାରୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀବିହାର, ପୁରୀ, ୭୫୨୦୦୩, ମୋ: ୯୭୭୮୮୩୮୮୫୫

୨.

ଅସିତ ମହାନ୍ତି

:

ସମ୍ପାଦକ, ପୌରୁଷ, ୪ ଆର୍, ୧/୨ ୟୁନିଟ୍-୩, ଭୁବନେଶ୍ୱର ମୋ: ୯୪୩୭୦୩୪୮୦୪

୩.

ଶ୍ରୀଶ ପଟେଲ

:

ପ୍ରାକ୍ତନ ପ୍ରଫେସର, ପ୍ଲଟ: ଏନ୍-୧/୬୧ , ନୂଆପଲ୍ଲୀ, ଭୁବନେଶ୍ୱର-୧୫, ମୋ: ୮୦୧୮୪୯୦୦୩୬

୪.

ରାଜକିଶୋର ମିଶ୍ର

:

ପ୍ରକଟନ ସମ୍ପାଦକ, ଓଡିଶା ସହିତ୍ୟ ଏକାଡ଼େମୀ, ଏନ୍-୧/୨୭, ନୂଆପଲ୍ଲୀ, ଭୁବନେଶ୍ୱର-୧୫ ମୋ: ୯୩୩୮୨୦୯୭୧୬

୫.

ରଜତ କୁମାର କର

:

ପ୍ରାକ୍ତନ ପ୍ରଫେସର, ଅନନ୍ୟ ନିକେତନ, ଏନ୍ ୧।୧୮୩, ନୂଆପଲ୍ଲୀ, ଭୁବନେଶ୍ୱର ମୋ:୭୩୮୧୦୫୫୦୦୪

୬.

ଗୋପାଳକୃଷ୍ଣ ଦାଶ

:

ପ୍ରାକ୍ତନ ପ୍ରଫେସର, ସ୍ନାତକୋତ୍ତର ସଂସ୍କୃତ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ମୋ : ୯୯୩୭୩୧୦୭୫୪

୭.

ପ୍ରଭାତ କୁମାର ନନ୍ଦ

:

ପ୍ରାକ୍ତନ ସଚ୍ଚିବ, ଆତିଥ୍ୟ, ଏମ୍.ଆଇ.ଜି.-୧/୨୨୭, ସତ୍ୟସାଇ ଏନକ୍ଲେଭ, ଲେନ୍ ୨୨, ପୋ: ଖଣ୍ଡଗିରି, କୋଳଥିଆ, ଭୁବନେଶ୍ୱର-୩୦, ମୋ : ୯୪୩୭୦୦୨୧୬୮

୮.

ତୁଳସୀ ଓଝା

:

ପ୍ରାକ୍ତନ ଅଧ୍ୟକ୍ଷା, ନରେନ୍ଦ୍ରକୋଣ, ପୁରୀ, ମୋ: ୯୪୩୭୪୨୨୪୧୧

୯.

ଅନ୍ତର୍ଯ୍ୟାମି ମିଶ୍ର

:

ଶ୍ରୀରାମ ମଣ୍ଡପ ସରଣୀ, ଦକ୍ଷିଣକାଳୀ ମାର୍ଗ, ଢ଼େଙ୍କାନାଳ ଫୋନ: ୦୬୭୬୨ ୨୨୫୫୨୨

୧୦.

ଅରବିନ୍ଦ ରାୟ

:

ଘର ନଂ.୨ଆର୍/ଏ-୨୬, ରୋଡ୍ ନଂ-୪, ୟୁନିଟ୍-୯, ଭୁବନେଶ୍ୱର-୨୨, ମୋ : ୯୪୩୭୩୦୨୫୫୩

୧୧.

ରାଜେନ୍ଦ୍ର କୁମାର ମହାନ୍ତି

:

ପ୍ରାକ୍ତନ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ, ସମ୍ପ୍ରତି : ପ୍ଲଟ୍ ନଂ – ଏ/୨୯, ଲିଙ୍ଗରାଜ ବିହାର, ପୋଖରୀପୁଟ, ଭୁବନେଶ୍ୱର-୭୫୧୦୨୦,ମୋ.: ୯୮୬୧୦୦୬୦୬୧

୧୨.

ଶ୍ରୀନିବାସ ଆଚାର୍ଯ୍ୟ

:

ଅବସରପ୍ରାପ୍ତ ଅଧ୍ୟାପକ, ସଦାଶିବ ପରିସର, ମାର୍କଣ୍ଡେଶ୍ୱର ସାହି, ପୁରୀ

୧୩.

ସୁରେନ୍ଦ୍ର କୁମାର ମହାରଣା

:

ଏନ୍-୫/୩୭୪, ଆଇଆରସି ଭିଲେଜ୍, ଭୁବନେଶ୍ୱର-୧୫, ମୋ: ୯୪୩୮୧୮୫୫୫୪

୧୪.

ରାମଚନ୍ଦ୍ର ଦାସମହାପାତ୍ର

:

ଦୋଳମଣ୍ଡପ ସାହି, ପୁରୀ, ମୋ: ୯୪୩୭୪୨୨୮୪୪

୧୫.

କଲ୍ୟାଣୀ ନନ୍ଦୀ

:

ମରିଚିକୋଟ ଲେନ୍, ପୁରୀ, ମୋ: ୯୪୩୮୩୨୦୩୭୩ / ୯୩୩୭୮୭୯୮୧୮

୧୬.

ପୂର୍ଣ୍ଣଚନ୍ଦ୍ର ଗୋଛିକାର

:

ମଣିକର୍ଣ୍ଣିକା ସାହି, ପୁରୀ

୧୭.

ନରେଶ ଚନ୍ଦ୍ର ଦାଶ

:

ଅଧ୍ୟକ, ଶ୍ରୀନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ, ଲୋକନାଥ ମାର୍ଗ, ପୁରୀ-୧

୧୮.

ସୁନୀଲ କୁମାର ରଥ

:

ବେଦକର୍ମକାଣ୍ଡ ମହାବିଦ୍ୟାଳୟ, ସ୍ୱର୍ଗଦ୍ୱାର ମାର୍ଗ, ପୁରୀ

୧୯.

ଉମେଶ ଚନ୍ଦ୍ର ରାଉତରାୟ

:

ପି.ଏମ୍.ବି.୬୪, ହାଉସିଂବୋର୍ଡ଼ କଲୋନୀ, ବଳିଆପଣ୍ଡା, ପୁରୀ-୭୫୨ ୦୦୧

୨୦.

ପୀତବାସ ରାଉତରାୟ

:

ପ୍ରାକ୍ତନ ମହାପ୍ରବନ୍ଧକ, ପ୍ଲଟ ନଂ-୩୬୯, ସହିଦ ନଗର, ଭୁବନେଶ୍ୱର-୭୫୧୦୦୭, ମୋ: ୯୪୩୭୫୭୪୬୪୯

୨୧.

ଜୟନ୍ତୀ ମିଶ୍ର

:

ଚନ୍ଦ୍ରପ୍ରଭା ସାହି-୨,ବ୍ରହ୍ମପୁର-୭୬୦୦୦୧, ଗଞ୍ଜାମ

୨୨.

ଜୟକୃଷ୍ଣ ଦାସ

 

:

୨୩.

ଦିପ୍ତି ରାୟ

:

ହେରାଗୋହରୀ ସାହି, ପୁରୀ-୧

୨୪.

ଭାସ୍କର ମିଶ୍ର

:

ପ୍ରାକ୍ତନ ବରିଷ୍ଟ ଉପପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ତଥା ମୁଖ୍ୟ ସମ୍ପାଦକ, ନୀଳାଦ୍ରି, ଫୋନ : ୯୪୩୭୨୮୧୧୦୨

୨୫.

ପୂର୍ଣ୍ଣଚନ୍ଦ୍ର ମିଶ୍ର

:

ଅବସରପ୍ରାପ୍ତ ପ୍ରଫେସର, ଘର କ୍ରମାଙ୍କ-୧୦୯, ଚନ୍ଦ୍ରପ୍ରଭା ସାହି-୨ , ବ୍ରହ୍ମପୁର-୭୬୦୦୦୧, ଗଞ୍ଜାମ, ମୋବାଇଲ୍- ୯୪୩୮୩୨୩୩୨୦,

E-mailID : purnachandramishra.99@gmail.com

୨୬.

ସୁରେନ୍ଦ୍ରନାଥ ଦାଶ

:

ପ୍ରାକ୍ତନ ପ୍ରଫେସର, surendranathadash@gmail.com, Mob: 9437011125

୨୭.

ଅଶ୍ୱିନୀ କୁମାର ମିଶ୍ର

:

ଏମ୍-୧, ନେତାଜୀ ସୁବାଷ ଏନକ୍ଲେଭ, ଗାଡ଼କଣ, ଭୁବନେଶ୍ୱର, ମୋ: ୯୪୩୮୬୧୫୭୪୨

୨୮.

ବିଜୟାନନ୍ଦ ସିଂହ

:

ସଭାପତି, ଉତ୍କଳ ସାହିତ୍ୟ ସମାଜ, କଟକ, ମୋ: ୯୪୩୭୫୦୪୨୪୫

୨୯.

ପ୍ରଫୁଲ୍ଲ କୁମାର ମିଶ୍ର

:

କୁଳପତି, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ, ତାକତପୁର, ବାରିପଦା, ମୟୂରଭଞ୍ଜ, ମୋ: ୯୪୩୭୨୨୯୬୫୮

୩୦.

ରଞ୍ଜନ ପ୍ରଧାନ

:

ବରିଷ୍ଠ ସାମ୍ବାଦିକ, ସମ୍ବାଦ, ଇଷ୍ଟର୍ଣ୍ଣ ମିଡିଆ, ରସୁଲଗଡ଼, ଭୁବନେଶ୍ୱର, ମୋ: ୯୪୩୭୨୧୩୮୫୪